Unknown

 

 

 

 

 

 

 

 

 

ବାଣ ଭଟ୍ଟର ଆତ୍ମକଥା

ହଜାରୀପ୍ରସାଦ ଦ୍ଵିବେଦୀ

 

ଅନୁବାଦ

ଉପେନ୍ଦ୍ର କୁମାର ଦାସ

 

ଉପହାର

 

…………………………………………………………………………………………….

 

…………………………………………………………………………………..

 

……………………………………………………………………

 

……………………………………………………….

 

ସୁଚୀପତ୍ର

 

୧.

ପ୍ରଥମକଥା

୨.

ପ୍ରଥମ ପରିଚ୍ଛେଦ

୩.

ଦ୍ଵିତୀୟ ପରିଚ୍ଛେଦ

୫.

ତୃତୀୟ ପରିଚ୍ଛେଦ

୪.

ଚତୁର୍ଥ ପରିଚ୍ଛେଦ

୭.

ପଞ୍ଚମ ପରିଚ୍ଛେଦ

୭.

ଷଷ୍ଠ ପରିଚ୍ଛେଦ

୮.

ସପ୍ତମ ପରିଚ୍ଛେଦ

୯.

ଅଷ୍ଟମ ପରିଚ୍ଛେଦ

୧୦.

ନବମ ପରିଚ୍ଛେଦ

୧୧.

ଦଶମ ପରିଚ୍ଛେଦ

୧୨.

ଏକାଦଶ ପରିଚ୍ଛେଦ

୧୩.

ଦ୍ଵାଦଶ ପରିଚ୍ଛେଦ

୧୪.

ତ୍ରୟୋଦଶ ପରିଛେଦ

୧୫.

ଚତୁର୍ଦ୍ଦଶ ପରିଚ୍ଛେଦ

୧୭.

ପଞ୍ଚଦଶ ପରିଚ୍ଛେଦ

୧୭.

ଷୋଡ଼ଶ ପରିଚ୍ଛେଦ

୧୮.

ସପ୍ତଦଶ ପରିଚ୍ଛେଦ

୧୯.

ଅଷ୍ଟାଦଶ ପରିଚ୍ଛେଦ

୨୦.

ଊନବିଂଶ ପରିଚ୍ଛେଦ

୨୧.

ବିଂଶ ପରିଚ୍ଛେଦ

୨୨.

ଉପସଂହାର

Image

 

ପ୍ରଥମ କଥା

 

“ବାଣଭଟ୍ଟର ଆତ୍ମକଥା’’ ପ୍ରକାଶିତ ହେବାପୂର୍ବରୁ ତାର ସାମାନ୍ୟ ଇତିହାସ ଜାଣିନେବା ଆବଶ୍ୟକ । ମିସ୍ କ୍ୟାଥାରାଇନ ହେଉଛନ୍ତି ଅଷ୍ଟ୍ରିୟାର ଏକ ସମ୍ଭ୍ରାନ୍ତ ଖ୍ରୀଷ୍ଟିୟାନ ପରିବାରର କନ୍ୟା-। ଏପର୍ଯ୍ୟନ୍ତ ସେ ଜୀବିତ ଅଛନ୍ତି କିନ୍ତୁ ଏକ ବିଚିତ୍ର ଢଙ୍ଗର ବୈରାଗ୍ୟ ଗ୍ରହଣ କରିଛନ୍ତି । ପଛ ପାଞ୍ଚ ବର୍ଷରେ ମୁଁ ତାଙ୍କର ଖଣ୍ଡିଏ ମାତ୍ର ଚିଠି ପାଇଛି, ଯାହାକୁ ଏ ଲେଖା ସହିତ ସମ୍ବନ୍ଧ ଥିବାରୁ ଶେଷରେ ଛାପି ଦେଇଛି । ମିସ୍ କ୍ୟାଥାରାଇନଙ୍କର ଭାରତୀୟ ବିଦ୍ୟାପ୍ରତି ଅସୀମ ଅନୁରାଗ । ନିଜ ଦେଶରେ ସେ ସଂସ୍କୃତ ଓ ହିନ୍ଦୀ ଭାଷା ଭଲଭାବରେ ଶିକ୍ଷା କରିଥିଲେ । ୬୮ ବର୍ଷ ବୟସରେ ସେ ଏ ଦେଶକୁ ଆସିଲେ ଓ ଅକ୍ଳାନ୍ତ ଭାବରେ ଏଠାର ପ୍ରାଚୀନ ସ୍ଥାନଗୁଡ଼ିକରେ ୮ ବର୍ଷ ପର୍ଯ୍ୟନ୍ତ ଭ୍ରମଣ କଲେ । ଏଠାକୁ ଆସି ସେ ବଙ୍ଗଳା ଭାଷା ମଧ୍ୟ ଅଭ୍ୟାସ କରିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ଏ ଭାଷାରେ ଲେଖିବାର ଯୋଗ୍ୟତା ସେ ପାଇନାହାନ୍ତି ଓ ଭବିଷ୍ୟତରେ ପାଇବାର କୌଣସି ସମ୍ଭାବନା ନାହିଁ । ମିସ୍ କ୍ୟାଥାରାଇନଙ୍କୁ ଆମ୍ଭେମାନେ ‘‘ଦିଦି” ବୋଲି ଡାକୁଥିଲୁ । ଦିଦି ଅର୍ଥାତ୍ ଆଈମା ପାଇଁ ଯେଉଁଠି ‘‘ଦିଦି” ଶବ୍ଦର ପ୍ରୟୋଗ ହୋଇଥିବ, ପାଠକ ତାର ଏଇ ତାତ୍ପର୍ଯ୍ୟ ବୁଝିବେ । ବଙ୍ଗଳାରେ ଆଈମା ସହିତ ଥଟ୍ଟା କରିବାର ରୀତି ଅଛି । ଦିଦି ଏ କଥାକୁ ଜାଣିଥିଲେ ଓ ବେଳେବେଳେ ବଡ଼ କଡ଼ା ଧରଣର ଥଟ୍ଟା କରି ବସୁଥିଲେ । ଆମ୍ଭମାନଙ୍କ ପ୍ରତି, ବିଶେଷ କରି ମୋ ପ୍ରତି ତାଙ୍କର ସ୍ନେହ ଥିଲା ନାତିପରି । ସେ ଭାରି ସରଳ ଥିଲେ । ନିଜର କଷ୍ଟସାଧ୍ୟ ଯାତ୍ରା ପରେ ସେ ଯେତେବେଳେ ଫେରୁଥିଲେ, ଆମ୍ଭମାନଙ୍କର ଆନନ୍ଦର ଠିକଣା ରହୁ ନ ଥିଲା । ନୂଆ କଥା ଶୁଣିବାପାଇଁ କିମ୍ବା ନୂଆ ଜିନିଷ ଦେଖିବାପାଇଁ ଆମର ଭିଡ଼ ଯାଉଥିଲା ଲାଗି ! ଦିଦି କେତେବେଳେ ତାଳପତ୍ର ପୋଥି, କେତେବେଳେ ପୁରୁଣା ପୋଥି ଉପରର ଚିତ୍ରିତ କାଠପଟୀ, କେତେବେଳେ ପୁରୁଣା ମୋହର ବାହାର କରି ଆମ ହାତରେ ଦେଉଥିଲେ ଓ ତାର ଇତିହାସ ଶୁଣାଉଥିଲେ । ସେତେବେଳେ ତାଙ୍କର ଚେହେରା ଶ୍ରଦ୍ଧାରେ ଗଦଗଦ ହୋଇଯାଉଥଲା ଓ ଛୋଟ ଛୋଟ ନୀଳ ଆଖିରେ ତାଙ୍କର ଅଶ୍ରୁ ଭରି ଯାଉଥିଲା । ଧୀରେ ଧୀରେ ତାଙ୍କ ଅଣ୍ଟା ଭିତରୁ ଗୋଟିଏ ଧଳା ବିଲେଇଛୁଆ ବାହାରୁଥିଲା । ଆମେ ଏ ପରିହାସ ସହିତ ପରିଚିତ ଥିଲୁ । ଦିଦିଙ୍କୁ ପ୍ରସନ୍ନ କରିବାପାଇଁ ଆମ ଭିତରୁ କେହି କେହି ବଡ଼ ଉତ୍ସୁକତାରେ ବିଲେଇ ଛୁଆଟିକୁ ଧରୁଥିଲୁ, ସତେ ଯେପରି କୌଣସି ହସ୍ତଲିଖିତ ପୋଥି ଗ୍ରହଣ କରୁଛୁ । ଛୁଆଟି ସେତେବେଳେ କୁଦି ପଡ଼ୁଥିଲା ଓ ଆମେ ହଠାତ୍ ଡରି ଯାଉଥିଲୁ, ଦିଦି ଏତେ ହସି ଉଠୁଥିଲେ ଯେ ନୂତନ କୁଟୀରର ଛାତ ଦୋହଲିଯାଉଥିଲା । ତାଙ୍କର ଏଭଳି ହର୍ଷାତିରେକର ପରିଣାମ ହେଉଥିଲା–ଆମ ଭିତରୁ କେହି କେହି ସଂଗୃହୀତ ବହୁମୁଲ୍ୟ ବସ୍ତୁ ମଧ୍ୟରୁ କିଛି କିଛି ଲୁଚାଇ ରଖୁଥିଲେ (ମୁଁ କିନ୍ତୁ କେବେ ଏପରି ଅପକର୍ମ କରିନି !) । ଦିଦି କିନ୍ତୁ ଜାଣି ପାରୁ ନ ଥିଲେ । ବେଳେବେଳେ ସେ ଧ୍ୟାନସ୍ଥ ହେଲାବେଳେ ତାଙ୍କର ବଳୀକୁଞ୍ଚିତ ମୁଖମଣ୍ଡଳ ବଡ଼ ଆକର୍ଷକ ହୋଇଉଠେ । ମନେ ହୁଏ ସାକ୍ଷାତ୍ ସରସ୍ଵତୀ ଆବିର୍ଭୂତ ହୋଇଛନ୍ତି । ପାଟି ତୁଣ୍ଡ କରି ପିଲାମାନେ ପାଖଦେଇ ବାହାରି ଯାଆନ୍ତି, ଧୂଳି ଉଡ଼ାଇ ବଳଦଗାଡ଼ି ଚାଲିଯାଏ, କୁକୁରମାନେ ଲଢ଼ାଇ ଆରମ୍ଭ କରିଦିଅନ୍ତି, କିନ୍ତୁ ଦିଦି କର୍ପୁର-ପ୍ରତିମା ପରି ନିର୍ବାକ୍, ନିଶ୍ଚଳ, ନିଷ୍ପନ୍ଦ ହୋଇ ରହନ୍ତି-। ସମାଧି ଭାଙ୍ଗିଲାପରେ ଆମେ ତାଙ୍କଠୁଁ କଥା ଶୁଣୁ ।

 

ଶେଷ ଥର ଦିଦି ରାଜଗୃହରୁ ଫେରିଥିଲେ । ତାଙ୍କ ଚେହେରାରୁ ଜଣା ପଡ଼ୁଥିଲା ବୁଦ୍ଧଦେବଙ୍କ ସହିତ ତାଙ୍କର ନିଶ୍ଚୟ ସାକ୍ଷାତ୍ ହୋଇଛି । ମୁଁ ଯେତେବେଳେ ସାକ୍ଷାତ୍ କରିବାକୁ ଗଲି,ସେ କ୍ଳାନ୍ତ ହୋଇ ପଡ଼ିଥିଲେ । ଏତିକି କହିଲେ ଯେ ରାଜଗୃହରେ ଏକ ଶୃଗାଳ ସହିତ ତାଙ୍କର ଭେଟ ହୋଇଥିଲା । ସେ ତାଙ୍କୁ ଦେଖି ରହି ରହି ଠିଆ ହେଲା, ସତେ ଯେପରି କିଛି କହିବାକୁ ଚାହୁଁଥିଲା । ଦିଦିଙ୍କର ବିଶ୍ଵାସ, ଶୃଗାଳଟି ବୁଦ୍ଧଦେବଙ୍କର ସମସାମୟିକ ଓ ସେଯୁଗର କୌଣସି କଥା କହିବାକୁ ଚାହୁଁଥିଲା । କାରଣ ଦିଦି ସ୍ପଷ୍ଟ ଭାବରେ ତା ଚେହେରାରେ ଏକ ନିରୀହ କରୁଣଭାବ ଲକ୍ଷ୍ୟ କରିଥିଲେ । ଆହା, ସେ ଯୁଗର ଶୃଗାଳ ବି କେଡ଼େ କରୁଣାବନ୍ତ ! ମୁଁ ବୁଝିଲି, ଯଦି ଦିଦିଙ୍କୁ ଛାଡ଼ି ଦିଆଯାଏ, ତା'ହେଲେ ସେ ଶୃଗାଳ ସମ୍ବନ୍ଧରେ ଏକ ପୁରାଣ ତିଆରି ହୋଇଯିବ ଓ ସେଥିରୁ ମୁକ୍ତି ମିଳିବ ନାହିଁ । ମୁଁ କହିଲି, ‘‘ଦିଦି, ଆଜି ବିଶ୍ରାମ କର, ଶୃଗାଳ କଥା କାଲି କହିବ ।” ଦିଦି ଭାବ–ବିହ୍ଵଳ ହୋଇ କହିଲେ,”ହଁ ରେ, ଥକିଯାଇଛି । ଯା, ଆଜି ଯା, କାଲି ନିଶ୍ଚୟ ଆସିବୁ । ଦେଖ୍, ଏଥର ଶୋଣ ନଦୀର ଦୁଇ କୂଳ ପାଦରେ ବୁଲିଆସିଛି । ‘‘ମୁଁ ସ୍ତମ୍ଭିତ ହୋଇ କହିଲି, ‘‘ଶୋଣ ନଦୀ ?’’

 

‘‘ହଁ ରେ, ଶୋଣ ନଦୀ ।’’

 

“କିଛି ମିଳିଲା ଦିଦି ?’’

 

“ଅନେକ କିଛି, କାଲି ଆସିବୁ ।”

 

ପଚସ୍ତରି ବର୍ଷର ଏ ବୃଦ୍ଧାର ସାହସ ଓ ଅଧ୍ୟବସାୟ ଦେଖି ମୁଁ ବିସ୍ମିତ ହେଲି । ଆହାର ସମୟରେ ପୁଣି ଥରେ ଫେରି ଆସିଲି । ଭାବିଲି, ଦିଦିଙ୍କୁ ଭୋଜନ ପାଇଁ ଘରକୁ ଡାକିନେବା ଉଚିତ; କିନ୍ତୁ ଦିଦିଙ୍କୁ ଦେଖିଲି ସାମ୍ନାର ମଇଦାନରେ ଧ୍ୟାନସ୍ଥ । ଆହା, କି ଚମତ୍କାର ଚାନ୍ଦିନୀ ! ସାରା ଆକାଶ ଘନନୀଳ ବର୍ଣ୍ଣ ଆଚ୍ଛାଦିତ ସରୋବର ପରି ଗୋଟିଏ ଦିଗନ୍ତରୁ ଅନ୍ୟ ଦିଗନ୍ତ ପର୍ଯ୍ୟନ୍ତ ବିସ୍ତାରିତ । ସେଥିରେ ରାଜହଂସପରି ଧୀରେ ଧୀରେ ସନ୍ତରଣ କରୁଛି ଚନ୍ଦ୍ରମା । ଦୁର କୋଣରେ ଗୋଟିଏ ଦୁଇଟି ମେଘ–ଶିଶୁ ଦିନର ପରିଶ୍ରମ ପରେ ଥକ୍କା ହୋଇ ଶୋଇଥାନ୍ତି । ସର୍ବତ୍ର କେବଳ ଚାନ୍ଦିନୀର ବିସ୍ତାର ଓ ମଇଦାନରେ ସମାଧି ଅବସ୍ଥାରେ ଦିଦି ନିଶ୍ଚଳ । ପାଖରେ ଠିଆ ହୋଇଥିବା କ୍ଷୁଦ୍ର ଖଜୁରୀ ବୃକ୍ଷଟି କେବଳ ସାରା ଶୂନ୍ୟତାକୁ ସମତା ଦେଉଥିଲା । ମୁଁ ଚୁପ୍‍ଚାପ୍‍ ଖସି ଗଲି ।

 

ପରଦିନ ସନ୍ଧ୍ୟାବେଳେ ମୁଁ ଦିଦିଙ୍କ ପାଖରେ ଯାଇ ପହଞ୍ଚିଲି । ଚାକର ଠାରୁ ଶୁଣିଲି, ରାତିରେ ଦିଦି ଦୁଇଟା ପର୍ଯ୍ୟନ୍ତ ନୀରବରେ ବସିଥିଲେ; ତା’ପରେ ହଠାତ୍ ନିଜ ଟେବୁଲ ପାଖକୁ ଆସି ଲେଖିବାକୁ ଆରମ୍ଭ କଲେ । ରାତିସାରା ଲେଖିଛନ୍ତି । ଏତେ ତନ୍ମୟ ଥିଲେ ଯେ ଦିନ ଆଠଟା ପର୍ଯ୍ୟନ୍ତ ଲଣ୍ଠନ ନ ଲିଭାଇ ଲେଖି ଚାଲିଥିଲେ । ତାପରେ ଟେବୁଲ ଉପରେ ମୁଣ୍ଡ ରଖି ଶୋଇ ପଡ଼ିଥିଲେ । ଅପରାହ୍ନ ତିନିଟା ପରେ ନିଦରୁ ଉଠି ସ୍ନାନ ସାରି ବର୍ତ୍ତମାନ ଚାହା ପିଇବାକୁ ଯାଉଛନ୍ତି-। ଚାହା–ପାନ ବେଳେ ଦିଦିଙ୍କ ସହିତ କଥାବାର୍ତ୍ତା ବେଶ ମନୋରଞ୍ଜକ ହୁଏ । ତେଣୁ ମୁଁ ମୋ ଭାଗ୍ୟକୁ ପ୍ରଶଂସା କଲି । ଦିଦି ଚାହା ପିଇବାର ଆୟୋଜନ କରୁଥିଲେ । ମୋତେ ଦେଖି ପ୍ରସନ୍ନ ହୋଇ କହିଲେ, ‘‘ତୋତେ ହିଁ ତ ଖୋଜୁଥିଲି । ଶୋଣ-ଯାତ୍ରାର ଉପଲବଧ ସାମଗ୍ରୀର ହିନ୍ଦୀ-ରୂପାନ୍ତର ମୁଁ କରିସାରିଛି । ତୁ ତାକୁ ଥରେ ପଢ଼ ତ ଭଲା ! ଦେଖ, ମୋ ହିନ୍ଦୀରେ ଯାହା ଭୁଲ ଅଛି, ତାକୁ ସୁଧାରି ଦେବୁ ଓ ଆନନ୍ଦ ଦ୍ଵାରା ତାର ଇଂରାଜୀ ଭାଷାନ୍ତର କରାଇନେବୁ । ନେ ଭଲା !”

 

ଏହି ‘‘ନେ ଭଲା’’ ହେଉଛି ଦିଦିଙ୍କର ସ୍ନେହ–ସଂଭାଷଣ । ସେ ଯେତେବେଳେ ନିଜ ନାତିଙ୍କ ଉପରେ ବିଶେଷ ଖୁସି ହୁଅନ୍ତି, ସେତେବେଳେ ତାଙ୍କୁ କିଛି ଦେଲା ସମୟରେ କହିଥାନ୍ତି–“ନେ ଭଲା !” ଆଜି ପର୍ଯ୍ୟନ୍ତ ଏ ସ୍ନେହ ବାକ୍ୟ ସହିତ ଚାହା ଓ ବିସ୍କୁଟ ମିଳୁଥିଲା; କିନ୍ତୁ ଆଜି ମିଳିଲା କାଗଜର ଏକ ବଡ଼ ପୁଲିନ୍ଦା । ଦିଦି ତାକୁ ଦେଇ କହିଲେ–ଏହା ହେଉଛି ତାଙ୍କର ଦୁଇଶହ ମାଇଲ ପଦଯାତ୍ରାର ସୁପରିଣାମ । କହିଲେ, ‘‘ତୁ ୟାକୁ ଆଜି ରାତିରେ ହିଁ ଠିକ କରି କାଲି ପାଞ୍ଚଟା ଗାଡିରେ କଲିକତା ଯାଇ ଟାଇପ କରାଇ ଆଣ । ପଅର ଦିନ ମୋତେ ଏହାର କପି ମିଳିଯିବା ଦରକାର ।”

 

ମୁଁ ପଚାରିଲି–“ଦିଦି, କୌଣସି ପାଣ୍ଡୁଲିପି ମିଳିଛି ନା କଣ ?

 

ଦିଦି ତିରସ୍କାର କଲାଭଳି କହିଲେ–“ଥରେ ପଢିକରି ଦେଖ ତ ! ଏହାର ରହସ୍ୟ ପୁଣି ପଚାରିବୁ । ତୁ ବଡ଼ ଅଳସୁଆ । ଦେଖ୍ ରେ, ବଡ଼ ଦୁଃଖର କଥା କହୁଛି । ପୁରୁଷ ଜନ୍ମ ପାଇଛୁ, ଅଳସ ଛାଡ଼ି କାମ କର । ସ୍ତ୍ରୀ ଚାହିଁଲେ ସୁଦ୍ଧା ଆଳସ୍ୟ ହୀନ ହୋଇ କଣ କାମ କରିପାରିବ ? ଯେତେବେଳେ କାମ କରିବାର ଶକ୍ତି ଥିଲା, ସେତେବେଳେ ମୋ ଜୀବନ ଲଜ୍ଜା ଓ ସଂକୋଚ–ରେ ଚାଲିଗଲା । ବର୍ତ୍ତମାନ ବୃଦ୍ଧାବସ୍ଥାରେ ନା ସେ ଉତ୍ସାହ ଅଛି, ନା ଶକ୍ତି ? ତୁ ବଡ଼ ଅଳସୁଆ । ପଛରେ ଭାବି ହେଉଥିବୁ । ପୁରୁଷ ହୋଇ ଏତେ ଅଳସୁଆ ହେବା ଠିକ୍ ନୁହେଁ । ତୁ ମନେ କରୁଛୁ, ୟୁରୋପର ସ୍ତ୍ରୀମାନେ ସବୁକିଛି କରିପାରନ୍ତି ? ଭୁଲ କଥା । ଆମେ ବି ପରାଧୀନ । ସମାଜର ପରାଧୀନତା ଅବଶ୍ୟ କମ୍ କିନ୍ତୁ ପ୍ରକୃତିର ପରାଧୀନତାକୁ ଦୂର କରାଯାଇପାରେ ନା । ଆଜି ଦେଖୁଛୁ,୬୮ ଟି ବର୍ଷ ବ୍ୟର୍ଥରେ ହିଁ କଟିଗଲା ।”

 

ମୁଁ ଦେଖିଲି, ଦିଦିଙ୍କ ଆଖିରେ ଅଶ୍ରୁ । ତାଙ୍କର ଦନ୍ତହୀନ ମୁହଁ କିଛି କହିବାକୁ ଚାହୁଁ ଥିଲା; କିନ୍ତୁ କଥା ବାହାରୁ ନ ଥିଲା, ସତେ ଯେପରି ଶବ୍ଦ ମିଳୁନାହିଁ । ଜାଣେ ନା, କେଉଁ ଅତୀତରେ ତାଙ୍କର ଚିତ୍ତ ଧୀରେ ଧୀରେ ନିମଗ୍ନ ହେଲା । ନୀରବରେ ବସି ରହିଲି । ସେ ଦିନ ମଧ୍ୟ ଦିଦିଙ୍କର ଚାହାପାନ ହେଲା ନାହିଁ । ଯେତେବେଳେ ଦିଦିଙ୍କର ଧ୍ୟାନଭଗ୍ନ ହେଲା, ସେତେବେଳେ ତାଙ୍କର ଆଖିରୁ ଅଶ୍ରୁର ଧାରା ବହିଚାଲିଥିଲା । ସେ ତାକୁ ପୋଛିବାର ପ୍ରଯତ୍ନ ବି କରୁ ନଥିଲେ ।

 

ମୁଁ ଅନୁମାନ କଲି ଦିଦି କୌଣସି ଅତୀତ କଥାର ଚିନ୍ତାରେ ପଡ଼ିଛନ୍ତି । ତାହା ଦୂର କରିବା ପାଇଁ ଚେଷ୍ଟା କରି କହିଲି–“ଦିଦି,ଆଜିକାଲି ଶୋଣରେ ନୌକା ଚାଲିଲାଣି ?” ଦିଦି ସାମାନ୍ୟ ସ୍ମିତହସ ହସିଲେ । ତାର ଅର୍ଥ ଥିଲା–ମୁଁ ବୁଝିପାରୁଛି, ତୁ ମୋ ଧ୍ୟାନ ଅନ୍ୟଆଡ଼େ ନେଇଯିବାକୁ ଚାହୁଁଛୁ । କହିଲେ–“ଦେଖ, ମୁଁ ଏଠି ବେଶି ଦିନ ରହି ପାରିବି ନାହିଁ । ଏ ଅନୁବାଦକୁ ତୁ ଟିକିଏ ମନଦେଇ ପଢ଼ ଓ କାଲି କଲିକତା ଯାଇ ଟାଇପ କରାଇ ଆଣ । ପୁସ୍ତକରେ ଗୋଟିଏ ଦୁଇଟି ଚିତ୍ର ବି ଦେବାକୁ ପଡ଼ିବ । ଯା, ଜଲଦି କର ।”

 

କାଗଜର ପୁଲିନ୍ଦା ଆଣି ମୁଁ ଘରକୁ ଆସିଲି । ମୋ ଆଖିର ଦୃଷ୍ଟି ପ୍ରଖର ନୁହେଁ ଓ ରାତିରେ କାମ କରିବା ମୋ ପକ୍ଷରେ କଠିନ; ତଥାପି ଦିଦିଙ୍କର କାଗଜକୁ ପଢ଼ିବାକୁ ଆରମ୍ଭ କଲି । ଶୀର୍ଷକ ସ୍ଥାନରେ ମୋଟା ମୋଟା ଅକ୍ଷରରେ ଲେଖା ହୋଇଥିଲା–“ଅର୍ଥ ବାଣଭଟ୍ଟର ଆତ୍ମକଥା ଲୀଖ୍ୟତେ ।”

 

ବାଣ ଭଟ୍ଟର ଆତ୍ମକଥା ! ତା’ହେଲେ ତ ଅମୂଲ୍ୟ ବସ୍ତୁ ହାତରେ ପଡ଼ିଛି ଦିଦିଙ୍କର । ମୁଁ ଖୁବ୍ ଆଗ୍ରହରେ ଆମୁଳଚୂଳ ପଢ଼ିଗଲି । ଭାରି ଭଲ ଲାଗୁଥାଏ । ଏତେ ଦିନପରେ ସଂସ୍କୃତ–ସାହିତ୍ୟର ଏକ ଅମୂଲ୍ୟ ଜିନିଷ ମିଳିଛି । ରାତିଟି କଟିଗଲା । ସକାଳେ ମୁଁ କଲିକତା ଉଦ୍ଦେଶ୍ୟରେ ପ୍ରସ୍ଥାନ କଲି । ସେଠାରେ ଏକ ସପ୍ତାହ ରହିବାକୁ ପଡ଼ିଲା । ଫେରିଆସି ଶୁଣିଲି, ଦିଦି କାଶୀବାସ କରିବାପାଇଁ ଚାଲିଗଲେଣି । କାହାକୁ କୌଣସି ଠିକଣା ଦେଇ ନାହାନ୍ତି । ଦୁଇ ବର୍ଷ ପର୍ଯ୍ୟନ୍ତ ସେ–କଥା ସେମିତି ପଡ଼ିରହିଲା । ଦିନେ ମୁଁ ଭାବିଲି, ବାଣଭଟ୍ଟଙ୍କ ଗ୍ରନ୍ଥ ସହିତ ମିଳାଇ ଦେଖାଯାଉ, ସେ କଥା କେତେ ପ୍ରାମାଣିକ । କଥାର ଅନେକ ବିଷୟ ପୁସ୍ତକରେ ନ ଥିଲା । ସେଗୁଡ଼ିକ ପାଇଁ ମୁଁ ସମସାମୟିକ ପୁସ୍ତକଗୁଡ଼ିକର ଆଶ୍ରୟ ନେଲି ଓ ଗୋଟିଏ ଦିଗରୁ କଥାକୁ ନୂଆଭାବରେ ସଂପାଦିତ କଲି । ଆଗରେ ଯେଉଁ କଥା ଦିଆଯାଇଛି, ତାହା ଦିଦିଙ୍କର ଅନୁବାଦ ।

 

ବହୁଦିନ ପର୍ଯ୍ୟନ୍ତ ଦିଦିଙ୍କର କୌଣସି ସମାଚାର ମିଳିଲା ନାହିଁ । ମୁଁ ତାଙ୍କର ଦର୍ଶନର ଆଶା ଛାଡ଼ି ଦେଇଥିଲି । ଦିନେ ହଠାତ୍ ମୋଗଲସରାଇ ଷ୍ଟେସନରେ ଦିଦିଙ୍କୁ ଦେଖିଲି । ସେ ଗାଡ଼ି ବଦଳାଉଥିଲେ ଓ ବହୁତ ବ୍ୟସ୍ତ ଜଣା ପଡ଼ୁଥିଲେ । ମୋତେ ଦେଖି ଟିକିଏ ପ୍ରସନ୍ନ ବି ହେଲେନି । କେବଳ କୁଲିକୁ ପାଟି କରି କହୁଥିଲେ, ‘‘ହୁସିଆରିରେ ନେଇ ଚାଲ, ତୁ ବଡ଼ ଅଳସୁଆ ।” ମୁଁ ଭାବିଲି, କୁଲି ବି ଅଳସୁଆ ! ଚିତ୍କାର କରି କହିଲି–“ଦିଦି, କଣ ଚିହ୍ନି ପାରୁନ, ବାହା ରେ !”

 

ଦିଦି ଅଟକିଗଲେ । କହିଲେ–”ଦେଖ, ମୁଁ ବଡ଼ ଦୁଃଖୀ । ସେ ବିଲେଇ ଠକିଦେଲା ।’’

 

ମୁଁ କହିଲି–କାହିଁକି, କଣ ହେଲା ?”

 

ଦିଦି କହିଲେ–“ସେଟା ସ୍ତ୍ରୀ ବୋଲି ଜଣାପଡ଼ିଲା । ଦେଖ ନା, ପାଞ୍ଚଟା ଛୁଆ ଦେଇଛି, ମୁଁ କେଯାଏ ସମ୍ଭାଳିବି ?

 

ମୁଁ କଥା କାଟି କହିଲି–“ଦିଦି, ସେ ଆତ୍ମକଥା ମୋରି ପାଖରେ ପଡ଼ିଛି ।”

 

ଦିଦି ରାଗରେ ଥିଲେ । ଅଟକିଲେ ନାହିଁ । ଗାଡ଼ିରେ ବସି ଖଣ୍ଡେ କାର୍ଡ଼ ଫୋପାଡ଼ିଦେଇ କହିଲେ–”ମୁଁ ଦେଶକୁ ଯାଉଛି । ନେ, ଏ ମୋର ଠିକଣା, ନେ ଭଲା !”

 

ମୁଁ କାର୍ଡ଼ଟି ରଖିଲି । ଦିଦିଙ୍କର ଗାଡ଼ି ଚାଲିଗଲା ।

 

ତଳେ ବାଣଭଟ୍ଟର ଆତ୍ମକଥା ଦେଉଛି । ତାକୁ ପ୍ରକାଶ କରିବା ପାଇଁ ଦିଦି ଆଜ୍ଞା ଦେଇଛନ୍ତି । ଧ୍ୟାନ ଦେବାର କଥା ଯେ ବାଣଭଟ୍ଟର ଅନ୍ୟାନ୍ୟ ପୁସ୍ତକ ପରି ଏ ଆତ୍ମକଥା ମଧ୍ୟ ଅପୂର୍ଣ୍ଣ ।

 

ଅଥ ବାଣଭଟ୍ଟର ଆତ୍ମକଥା ଲିଖ୍ୟତେ

Image

 

ପ୍ରଥମ ପରିଚ୍ଛେଦ

 

ଜୟନ୍ତୀ ବାଣାସୁରମୌଳିଲାଳିତା ଦଶାସ୍ୟ ଚୂଡ଼ାମଣି ଚକ୍ରଚୁମ୍ୱିନଃ

ସୁରାସୁରାଧୀଶଶିଖାନ୍ତଶାୟିନୋ ଭବଚ୍ଛିଦସ୍ତ୍ର୍ୟମ୍ୱକପାଦପାଂଶବଃ ।

 

(କାଦମ୍ବରୀ)

 

ଯଦିଓ ବାଣଭଟ୍ଟ ନାମରେ ମୁଁ ଜଗତରେ ପ୍ରସିଦ୍ଧ, ତଥାପି ଏହା ମୋର ପ୍ରକୃତ ନାମ ନୁହେଁ । ଏ ନାଁର ଇତିହାସ ଯଦି ଲୋକେ ଜାଣି ନଥାନ୍ତେ, ତାହେଲେ କେତେ ଭଲ ହୋଇ ନ ଥାନ୍ତା-। ମୁଁ ଚେଷ୍ଟା କରିଛି, ଏ ଇତିହାସ ସମ୍ବନ୍ଧରେ ଲୋକଙ୍କୁ ଅନଭିଜ୍ଞ ରଖିବାକୁ । କିନ୍ତୁ ନାନା କାରଣରୁ ଆଉ ଏ ଇତିହାସକୁ ଗୋପନ ରଖିବା ମୋ ପକ୍ଷରେ ସମ୍ଭବ ନୁହେଁ । ମୋର ଲଜ୍ଜାର ପ୍ରଧାନ କାରଣ ହେଉଛି, ଯେଉଁ ପ୍ରଖ୍ୟାତ ବାତ୍ସ୍ୟାୟନ ବଂଶରେ ମୋର ଜନ୍ମ, ସେହି ବଂଶର ଧବଳକୀର୍ତ୍ତି ପଟରେ ଏ କାହାଣୀ ଏକ କଳଙ୍କ । ମୋର ପିତୃ–ପିତାମହଙ୍କ ଗୃହରେ ବିଦ୍ୟାଧ୍ୟାୟୀଙ୍କର ସଂଖ୍ୟା ଥିଲା ଅଗଣିତ । ତାଙ୍କ ଗୃହର ଶୁକଶାରୀ ମଧ୍ୟ ବିଶୁଦ୍ଧ ମନ୍ତ୍ର ଉଚ୍ଚାରଣ କରୁଥିଲେ । ହୁଏତ ଲୋକଙ୍କୁ ଏହା ଅତିଶୟୋକ୍ତି ମନେ ହେବ, କିନ୍ତୁ ସତରେ କହୁଛି, ମୋର ପୂର୍ବଜଙ୍କର ବିଦ୍ୟାର୍ଥୀ ତାଙ୍କର ଶୁକଶାରୀଙ୍କୁ ଭୟ କରୁଥିଲେ । ସେମାନେ ପଦେ ପଦେ ତାଙ୍କର ଅଶୁଦ୍ଧ ପାଠକୁ ଶୁଦ୍ଧ କରି ଦେଉଥିଲେ । ମୋର ପୂର୍ବଜଙ୍କର ଗୃହ ଯଜ୍ଞଧୂମରେ ନିରନ୍ତର ଧୂମାୟିତ ହୋଇ ରହୁଥିଲା । କିନ୍ତୁ ଏସବୁ ମୋର ଶୁଣାକଥା । ମୋର ନିଜର ପିତା ଚିତ୍ରଭାନୁ ଭଟ୍ଟଙ୍କୁ ତ ମୁଁ ନିଜେ ଦେଖିଛି । ଯଦି କହେ, ନିଜେ ସରସ୍ଵତୀ ଆସି ନିଜର ପାଣି–ପଲ୍ଲବରେ ମୋର ପିତୃଦେବଙ୍କ ହୋମକାଳୀନ ଶ୍ରମ–ସୀକରକୁ ପୋଛି ଦେଉଥିଲେ ତା'ହେଲେ କୌଣସି ଅତ୍ୟୁକ୍ତି ହେବ ନାହିଁ, କାରଣ ଉଷାକାଳରୁ ସୂର୍ଯ୍ୟୋଦୟର ଦୁଇ ମୁହୂର୍ତ୍ତ ପର୍ଯ୍ୟନ୍ତ ଏକାଗ୍ରତା ସହ ହୋମ କରିବା ପରେ ଯେତେବେଳେ ମୋର ପିତାଙ୍କର ସମଗ୍ର ଶରୀରଟି ଝାଳରେ ବୁଡ଼ିଯାଉଥିଲା, ସେତେବେଳେ ସେ ଉଠିଯାଇ ଅଧ୍ୟାପନାର କୁଶାସନ ଉପରେ ବସୁଥିଲେ ଓ ତାହାହିଁ ଥିଲା ତାଙ୍କର ବିଶ୍ରାମ । ସେତିକିବେଳେ ବିଦ୍ୟାର୍ଥୀମାନଙ୍କୁ ବିଦ୍ୟା ଅଭ୍ୟାସ କରାଇବାରେ ତାଙ୍କର ଶ୍ରମବିନ୍ଦୁ ଶୁଖୁଥିଲା । ଏହାକୁ ସରସ୍ଵତୀଙ୍କର ଝାଳ ପୋଛିବା ନ କହେଁ ତ କଣ କହିବି ? ଏଭଳି କୃତୀ ପିତାଙ୍କର ପୁତ୍ର ମୁଁ–ଜନ୍ମରୁ ନିଷ୍କର୍ମା, ଗପୁଡ଼ୀ, ଅସ୍ଥିର–ଚିତ୍ତ ଓ ବାରବୁଲା । ମୁଁ ଘରୁ ଯେତେବେଳେ ପଳାଇଲି, ସେତେବେଳେ ଗାଁର ଆଉ ଅନେକ ଟୋକାଙ୍କୁ ମଧ୍ୟ ନେଇଗଲି । ସେ ସମସ୍ତେ ଶେଷ ପର୍ଯ୍ୟନ୍ତ ମୋ ସାଥିରେ ନ ଥିଲେ । କିନ୍ତୁ ଗାଁରେ ମୁଁ ବଦନାମ ହୋଇଗଲି । ମଗଧର ପ୍ରଚଳିତ ଶବ୍ଦ ‘‘ବଣ୍ଡ" ଲାଙ୍ଗୁଳକଟା ବଳଦକୁ କହନ୍ତି । ସେଠି ଏ କଥାଟି ବେଶ ପ୍ରସିଦ୍ଧ । କଥାରେ କଥାରେ କହନ୍ତି–“ବଣ୍ଡ ଆପେ ଆପେ ଗଲା, ସାଥିରେ ନଅ ହାତର ପଘା ବି ନେଇଗଲା ।” ତେଣୁ ଲୋକେ ମୋତେ ‘‘ବଣ୍ଡ" କହିବାକୁ ଲାଗିଲେ । ପରେ ସଂସ୍କୃତ ଶବ୍ଦ ‘ବାଣ’ ଦ୍ଵାରା ସଂସ୍କାର କରି ମୁଁ ଏ ନାଁର କିଛି ମର୍ଯ୍ୟାଦା ବଢ଼ାଇଲି । ‘‘ଭଟ୍ଟ’ ତ ଲୋକମାନେ ପରେ ଯୋଡ଼ିଲେ । ମୋର ଅସଲ ନାଁ ଥିଲା ଦକ୍ଷ । ମୋ ପ୍ରତି ଲୋକଙ୍କର ଆଦର ଓ ସ୍ନେହ ଭାବ ବଢ଼ିଲାଣି । ସେମାନେ ଚାହାନ୍ତି ତ ‘ଦକ୍ଷ ଭଟ୍ଟ’ କରିପାରନ୍ତି । ଖୁବ୍ ଯତ୍ନରେ ମୁଁ ଏ ନାଁଟି ଅତ୍ୟନ୍ତ ସୁରକ୍ଷିତ କରି ରଖିଛି । ତାର କହାଣୀ ମୁଁ ବର୍ତ୍ତମାନ ବର୍ଣ୍ଣନା କରିବି ।

 

ମୋ ପିତାଙ୍କର ଏଗାର ଭାଇ । ମୁଁ ସମସ୍ତଙ୍କୁ ଦେଖିନି । ମୋର ଜଣେ ଦାଦି ପୁଅ ଭାଇଙ୍କ ନାଁ ଥିଲା ଉଡ଼ୁପତି । ବୟସରେ ସେ ମୋଠୁଁ, ଅନେକ ବଡ଼ ଥିଲେ; କିନ୍ତୁ ମୋ ସହିତ ସେ ସମବୟସ୍କଙ୍କ ଭଳି ବ୍ୟବହାର କରୁଥିଲେ । ସେ ଥିଲେ ସେ ଯୁଗର ପ୍ରସିଦ୍ଧ ତାର୍କିକ । ସେ ହିଁ ବସୁଭୂତି ନାମକ ବୌଦ୍ଧଭିକ୍ଷୁଙ୍କୁ ଶାସ୍ତ୍ରାର୍ଥରେ ପରାଜିତ କରିଥିଲେ । ମହାରାଜାଧିରାଜ ହର୍ଷବର୍ଦ୍ଧନଙ୍କ ଉପରେ ତାଙ୍କର ବିଦ୍ଵତା ଓ ଚାରିତ୍ରିକ ଗୁଣର ବିଶେଷ ପ୍ରଭାବ ପଡ଼ିଥିଲା ଓ ସେ ବୈଦିକ ମତପ୍ରତି ଅଧିକ ଆକୃଷ୍ଟ ହୋଇଥିଲେ । ପରିବାରର ଅନ୍ୟ ସମସ୍ତଙ୍କଠାରୁ ମୋ ପ୍ରତି ସେହି ଉଡ଼ୁପତି ଭଟ୍ଟଙ୍କର ସ୍ନେହ ଥିଲା ଅଧିକ । ସେ ମୋତେ ବହୁ ଅପକର୍ମରୁ ରକ୍ଷା କରିଥିଲେ । ପ୍ରସଙ୍ଗକ୍ରମେ ମୁଁ ତାଙ୍କ କଥା ଯଥା ସ୍ଥାନରେ ବର୍ଣ୍ଣନା କରିବି । ଏଠି ଏତିକି କହିଲେ ଯଥେଷ୍ଟ ହେବ ଯେ, ୧୪ ବର୍ଷ ସମୟରେ ଯେତେବେଳେ ମୋର ପିତାଙ୍କର ମୃତ୍ୟୁ ହୁଏ (ମାତା ବହୁପୂର୍ବରୁ ଯାଇଥିଲେ), ସେହି ଉଡ଼ୁପତି ଭଟ୍ଟହିଁ ମୋତେ, ଯେଉଁ ସ୍ନେହରସ ମୁଁ ମୋ ମା’ଙ୍କଠାରୁ ପାଇଥିଲି, ଠିକ୍ ସେଭଳି ସ୍ନେହ–ରସରେ ସିଞ୍ଚିତ କରି ରଖିଲେ । କିନ୍ତୁ ଏ କାହାଣୀକୁ ମୁଁ ମୋର ଦୁର୍ଭାଗ୍ୟ ରୋଦନରେ ଆରମ୍ଭ କରିବି ନାହିଁ । ନିଜର ସୌଭାଗ୍ୟ ହୃଦୟ ସହିତ ହିଁ ମୁଁ ଏହା ଆରମ୍ଭ କରିବି । ମଝିରେ ମଝିରେ ଯଦି ଦୁର୍ଭାଗ୍ୟର କାହାଣୀ ଆସିଯାଏ,ସେଥିପାଇଁ ଏ କାହାଣୀର ପାଠକମାନେ କ୍ଷମା କରିବେ ।

 

ବାରବୁଲା ତ ମୁଁ ଥିଲି–ଏ ନଗରରୁ ସେ ନଗର, ଏ ଜନପଦରୁ ସେ ଜନପଦ ବର୍ଷସାରା ମୁଁ ଖାଲି ବୁଲୁଥିଲି । ଏମିତି ବୁଲିଲାବେଳେ ମୁଁ କଣ ନ କରିଛି ? କେତେବେଳେ ନାଟକ କରିଛି, କେତେବେଳେ କଣ୍ଢେଇନାଚ କରିଛି, କେତେବେଳେ ନାଟ୍ୟ ମଣ୍ଡଳୀ ସଂଗଠିତ କରିଛି, କେତେବେଳେ ପୁରାଣ–ବକ୍ତା ହୋଇ ଜନପଦକୁ ଠକିଛି । ସାରାଂଶ–କୌଣସି କର୍ମ ମୁଁ ଛାଡ଼ି ନ ଥିଲି । ଭଗବାନ ମୋତେ ସୁନ୍ଦର ରୂପ ଦେଇଥିଲେ ଏବଂ କିଛି ବାକ୍‍ପଟୁତା ମଧ୍ୟ । ମୋର କିଶୋର ଅବସ୍ଥାରେ ଓ ଯୌବନବେଳେ ଏଇ ଦୁଇଟି ବିଷୟ ମୋତେ ଅତ୍ୟନ୍ତ ସାହାଯ୍ୟ କରୁଥିଲା-। ଲୋକେ ମୋର ବହୁବିଧ କାର୍ଯ୍ୟକଳାପକୁ ଦେଖି ମୋତେ ଭୁଜଙ୍ଗ ବୋଲି ମନେ କରୁଥିଲେ ସତ; କିନ୍ତୁ ମୁଁ କୌଣସି ଦିନ ଲମ୍ପଟ ନ ଥିଲି । ଏମିତି ବୁଲୁ ବୁଲୁ ଥରେ ମୁଁ ସ୍ଥାଣୀଶ୍ୱର (ଥାନେ–ଶ୍ଵର)ନଗରରେ ପହଞ୍ଚିଲି । ସେଦିନ ମୋର ଅତି ସୌଭାଗ୍ୟର ଦିନ ବୋଲି ମନେହୁଏ ।

 

ନଗରରେ ପହଞ୍ଚି ଦେଖିଲି ବେଶ ଧୂମଧାମ ଚାଲିଛି । କୁର୍ମପୃଷ୍ଠଭଳି ଉନ୍ନତୋଦର ରାଜମାର୍ଗରେ ଚାଲିଥାଏ ଏକ ବିରାଟ ଶୋଭାଯାତ୍ରା । ସେଥିରେ ସ୍ତ୍ରୀମାନଙ୍କର ସଂଖ୍ୟା ଥିଲା ଅଧିକ-। ରାଜବଧୂମାନଙ୍କର ଆସନ ଥିଲା ବହୁମୂଲ୍ୟ ଶିବିକା ଉପରେ । ସାଥିରେ ଯେଉଁ ପରିଚାରିକାମାନେ ଚାଲିଚାଲି ଯାଉଥିଲେ ସେମାନଙ୍କର ଚରଣ ଶୋଭିତ ନୂପୁର ଧ୍ଵନିରେ ଦିଗନ୍ତ ଶବ୍ଦାୟମାନ ହୋଇଉଠୁଥିଲା । ବେଗରେ ଭୁଜ-ଲତା ଉତ୍ତୋଳନ କରିବା ଯୋଗୁଁ ତାଙ୍କର ମଣିଜଡ଼ିତ ଚୁଡ଼ିମାଳା ଚଞ୍ଚଳ ହୋଇ ଉଠୁଥିଲା; ବାହୁଲତା ଝଙ୍କୃତ ହେଉଥିଲା ।

 

ଉପରକୁ ଉଠିଥିବା ହାତପାପୁଲୀ ଦେଖି ମନେ ହେଲା, ସତେଯେପରି ଆକାଶ–ଗଙ୍ଗାରେ ପଲ୍ଲବିତ କମଳିନୀଦଳ ପବନ ଧକ୍କାରେ ବିଲୁଣ୍ଠିତ ହୋଇ ତଳକୁ ଓହ୍ଲାଇ ଆସିଛନ୍ତି । ଭିଡ଼ର ସଙ୍ଘର୍ଷରେ ତାଙ୍କର କାନର ପଲ୍ଲବ ଦୋହଲି ଦୋହଲି ଅନ୍ୟ ସହିତ ଧକ୍‍କା ହୋଇଯାଉଥିଲା । ଜଣକର କେୟୁର ଅନ୍ୟ ଜଣକର ଚାଦରରେ ଲାଗି ତାକୁ ଟାଣି ଦେଉଥିଲା । ସାଥିରେ ନର୍ତ୍ତକୀମାନଙ୍କର ଗୋଟିଏ ଦଳ ଯାଉଥିଲା । ସେମାନଙ୍କର ହର୍ଷୋତ୍‍ଫୁଲ୍ଲ ମୁଖମଣ୍ଡଳକୁ ଦେଖି ମନେ ହେଉଥିଲା ଯେପରି ପ୍ରସ୍ଫୁଟିତ କୁମୁଦବନ ଚାଲିଯାଉଛି । ତାଙ୍କର ଚଞ୍ଚଳ ହାରଲତା ଦୋହଲି ଦୋହଲି ବକ୍ଷ ଦେଶରେ ପିଟି ହେଉଥିଲା, ଖୋଲା କେଶରାଶି ସିନ୍ଦୂରବିନ୍ଦୁ ଉପରେ ଅଟକିଯାଉଥିଲା । ନିରନ୍ତର ଅବିର ଉଡ଼ିବା ଫଳରେ ତାଙ୍କର କେଶ ପିଙ୍ଗଳ ରଙ୍ଗ ହୋଇ ଯାଇଥିଲା ଓ ମନୋରମ ଗାନରେ ସାରା ରାଜମାର୍ଗ ପ୍ରତିନିଧିତ୍ଵ ହୋଇଉଠିଥିଲା ।

 

ନଗରର ଗୋଟିଏ ଚୌପାଠୀ ଉପରେ ଠିଆହୋଇ ମୁଗ୍ଧ ନୟନରେ ମୁଁ ଏ ଦୃଶ୍ୟ ଦେଖୁଥିଲି । ସବୁଠୁ ମଜାର ବିଷୟ ଥିଲା–ରାଜମହଲରେ ରହୂଥୁବା କୁଜା, ନପୁଂସକ ଓ ମୂର୍ଖ ଲୋକଙ୍କୁ ଦେଖିବା । ଉଦ୍ଧତ ନୃତ୍ୟରେ ବିହ୍ୱଳ ହୋଇ ସେମାନେ ଆଗକୁ ମାଡ଼ି ଯାଉଥିଲେ । ଜଣେ ବୃଦ୍ଧ କଞ୍ଚୁକୀଙ୍କର ଦଶା ଦୟନୀୟ ହୋଇପଡ଼ିଥିଲା । ତାଙ୍କ ଗଳାରେ ଜଣେ ନୃତ୍ୟପରାୟଣ ରମଣୀର ଉତ୍ତରୀୟ ଅଟକି ଯାଇଥିଲା ଓ ଟଣାଓଟରାରେ ବିଚରା ବୃଦ୍ଧ ଉପହାସର ପାତ୍ର ହୋଇ ପଡ଼ିଥିଲେ । ରାଜକନ୍ୟାମାନଙ୍କର ସ୍ଥାନ ଥିଲା ଶୋଭା ଯାତ୍ରାର ଠିକ୍ ମଝିରେ । ସେଠାର ନୃତ୍ୟଗାନ ଥିଲା ସଂଯତ ଗମ୍ଭୀର ଓ ମନୋହାରିଣୀ (ଗୋଟିଏ ପଟରେ ଭେରୀ, ମୃଦଙ୍ଗ, କାହାଳୀ, ଶଙ୍ଖ ଶବ୍ଦରେ ପୃଥିବି ଫାଟିପଡ଼ୁଥିଲା, ଅନ୍ୟପଟରେ ରାଜକନ୍ୟାମାନଙ୍କର କପୋଳତଳେ ଆନ୍ଦୋଳିତ ମଣିମୟ କୁଣ୍ଡଳ ଓ ପଦ୍ମପତ୍ରରେ ଶୋଭିତ ଶିବିକାଗୁଡ଼ିକ ମଝିରେ ମଝିରେ ସନୂପୁର ଚରଣର ଈଷତ୍ ଝଙ୍କାରରେ ମୁଖରିତ ହୋଇ ଉଠୁଥିଲା) । ସମସ୍ତଙ୍କ ପଛରେ ରାଜାଙ୍କର ଚାରଣ ଓ ଭାଟମାନେ ପ୍ରଶସ୍ତିଗାନ କରି ଯାଉଥିଲେ । ସେମାନଙ୍କ ମଧ୍ୟରୁ କେତେକ ଆନନ୍ଦାତିଶଯ୍ୟରେ ଏଭଳି ବିହ୍ଵଳ ହୋଇ ଉଠିଥିଲେ ଯେ ମୁହଁରେ ଏକ ପ୍ରକାର ବାଦ୍ୟଧ୍ଵନୀ କରୁଥିଲେ । ଶୋଭାଯାତ୍ରା ବାହାରିଯିବାର ଦୁଇଦଣ୍ଡ ସମୟ ଅତୀତ ହୋଇଗଲା ଓ ମୁଁ ନିଶ୍ଚଳ ପ୍ରତିମା ଭଳି ସେଠାରେ ଠିଆହୋଇ ରହିଲି ।

 

ଶୋଭାଯାତ୍ରା ବାହାରିଗଲା । ମୁଁ ଯେପରି ନିଦରୁ ଉଠିପଡ଼ିଲି । ଲୋକମାନଙ୍କଠୁଁ ବୁଝିଲି ମହାରାଧିରାଜ ଶ୍ରୀହର୍ଷଦେବଙ୍କ ଭାଇ କୁମାର କୃଷ୍ଣବର୍ଦ୍ଧନଙ୍କ ଘରେ ପୁତ୍ର ଜନ୍ମ ହୋଇଛି ଏବଂ ଆଜି ତାର ନାମକରଣ ସଂସ୍କାର ହେବାକୁ ଯାଉଛି । ଏ କଥା ଶୁଣି କ୍ଷଣକପାଇଁ ମୋ ମନ ବିମର୍ଷ ହୋଇଗଲା । ମୋ ନିଜ ଦଶା କଥା ମନେ ପଡ଼ିଲା । ଜଣେ ଏଡ଼େ ଭାଗ୍ୟବାନ; ଯାହାର ଜନ୍ମରେ ଏତେ ଉତ୍ସବ ପାଳିତ ହେଉଛି । ଆଉ ମୁଁ ଅଭାଗା ଦେଶବିଦେଶରେ ଖାଲି ଘୂରି ବୁଲୁଛି । ମୋର ଜନ୍ମକଥା ମନେ ପଡ଼ିଲା । ଜନ୍ମ ହେବାର କିଛି ବର୍ଷ ପରେ ହିଁ ମା’ଙ୍କର ପରଲୋକ ହୋଇ ଯାଇଥିଲା । ସେତେବେଳେ ପିତା ବୃଦ୍ଧ ହୋଇ ଆସୁଥିଲେ । ନିଜର ଅଧ୍ୟୟନ, ଅଧ୍ୟାପନା, ଯଜନି ପ୍ରଭୃତି ବହୁବିଧ କର୍ମବହୁଳ ଜୀବନରେ ତାଙ୍କୁ ମୋର ପାଳନପୋଷଣର ଦାୟିତ୍ଵ ମଧ୍ୟ ବହନ କରିବାକୁ ପଡ଼ିଥିଲା । ସ୍ନେହ ଅତି ଦାରୁଣ ବସ୍ତୁ, ମମତା ବଡ଼ ପ୍ରଚଣ୍ଡ ଶକ୍ତି; କାରଣ ବୃଦ୍ଧ ପିତାଙ୍କର କ୍ଳାନ୍ତ ଜୀବନରେ ମୁଁ ଆଉ ଏକ ଉପସର୍ଗ ହୋଇ ଦେଖାଦେଲି । ତଥାପି ସେ ମୋତେ ଅକ୍ଲାନ୍ତ ଚିତ୍ତରେ ପାଳନ କରିବାକୁ ଲାଗିଲେ । ହୋମ-ବେଦି ଉପରୁ ଉଠି ଯେତେବେଳେ ସେ ଅଧ୍ୟାପନାର କୁଶାସନ ଉପରେ ଯାଇ ବସୁଥିଲେ, ସେତେବେଳେ ମୋର ଧୂଳିଧୂସର ଦେହଟି ନେଇ ମୁଁ ପ୍ରାୟ ତାଙ୍କରି କୋଳ ଉପରେ ବସି ରହୁଥିଲି । (ମୁଁ ତାଙ୍କ ପାଖରୁ ଯେତେ ସ୍ନେହ ପାଇଛି, ସେତେ ବିଦ୍ୟା ପାଇନି । ଚଉଦବର୍ଷ ବୟସରେ ସେ ବି ମୋତେ ଅନାଥ କରି ଚାଲିଗଲେ । ମୋ ଜୀବନର ଯାହାକିଛି ଉତ୍କର୍ଷ ତା ହେଉଛି ମୋ ପିତାଙ୍କର ସ୍ନେହ; ସେଥିରେ ମୋର ଖରାପ ହୋଇଛି, ଭଲ ବି ହୋଇଛି) । ଆଜି ଏ ଆନନ୍ଦର କୋଳାହଳ ଧକ୍‍କା ଦେଇ ମୋତେ ମୋ ପିତାଙ୍କ କୋଳ ଉପରେ ପକାଇ ଦେଲା । ଥରେ ମୁଁ ଆକାଶ ଉପରେ ଆଖି ବୁଲେଇନେଲି । ମୋର ମନେ ହେଲା ମୋର ପିତାମହମାନେ ମୋ ଉପରେ ଦୁଃଖର ଅଶ୍ରୁ, ବର୍ଷା କରୁଛନ୍ତି । ବେଦାଧ୍ୟାୟୀଙ୍କର ‘‘ଯଶୌଶୁ ଶୁକ୍ଲୀକୃତ–ସପ୍ତବିଷ୍ଟପ” ବଂଶ କେଉଁଠି, ଆଉ ମୁଁ ଅଭଗା ‘ବଣ୍ଡ’ କେଉଁଠି ? ହେ ପୃଥିବୀ ! ଫାଟିଯା, ଯେପରି ମୁଁ ସେଥିରେ ବିଲୀନ ହୋଇଯାଏ ।

 

ହଠାତ୍ ମନେ ହେଲା, କୁମାର କୃଷ୍ଣବର୍ଦ୍ଧନଙ୍କର ପୁତ୍ରଜନ୍ମ–ଉପଲକ୍ଷେ ତାଙ୍କୁ ଧନ୍ୟବାଦ ଦେଇ ଆସିଲେ କ୍ଷତି କଣ ? ଆର୍ଶୀବାଦ ଦେବା ତ ବ୍ରାହ୍ମଣର ଧର୍ମ, କର୍ତ୍ତବ୍ୟ, ପେଷା । ମୁଁ ଅବଶ୍ୟ ଯୋଜନା କରି କୌଣସି କାର୍ଯ୍ୟ କରୁ ନ ଥିଲି ଏବଂ ଏଇଥିପାଇଁ ମୁଁ କୌଣସି ପୁସ୍ତକ ସମାପ୍ତ କରିପାରିଲି ନାହିଁ–କିନ୍ତୁ ନିଷ୍ପତ୍ତି କରିନେବାକୁ ଆଦୌ ବିଳମ୍ବ କରୁ ନ ଥିଲି । ଏକଥା ମନରେ ଉଠିଲା ମାତ୍ରେ ହିଁ ମୁଁ କୁମାରଙ୍କ ଗୃହକୁ ଯିବାର ଆୟୋଜନରେ ଲାଗିପଡ଼ିଲି । ସେଦିନ ଖୁବ୍ ଭଲଭାବରେ ସ୍ନାନ କଲି, ଶୁଭ୍ର ବସ୍ତ୍ର ପିନ୍ଧିଲି, ଶୁଭ୍ର ପୁଷ୍ପମାଳା ପିନ୍ଧିଲି ଓ ଆଗୁଳ୍ପ ଶୁକ୍ଳ ଧୌତ ଉତ୍ତରୀୟ ଧାରଣ କଲି । ଏହାହିଁ ହେଉଛି ମୋର ପ୍ରିୟ ପରିଚ୍ଛଦ । ଭଗବାନ୍ ତ୍ର୍ୟମ୍ବକଙ୍କ ଚରଣରେ ଅଶ୍ରୁଧୌତ ପ୍ରଣାମ ନିବେଦନ କରି ମୁଁ ବାହାରି ପଡ଼ିଲି । ସେତେବେଳକୁ ସନ୍ଧ୍ୟା ହୋଇ ଆସୁଥିଲା-। ଭଗବାନ ମରୀଚିମାଳୀଙ୍କ କିରଣ ପୃଥିବୀର ଦେହକୁ ଛାଡ଼ି ତରୁଶିଖର ଉପରେ ଓ ସେଠାରୁ ଉଠି ଅସ୍ତଗିରିର ଚୂଡ଼ା ଉପରେ ଯାଇ ପହଞ୍ଚି ଯାଇଥିଲା । ଧୀରେ ଧୀରେ ଜ୍ୟୋତ୍ସ୍ନା ଆଗେଇ ଆସିଲା । ସେଦିନ ଶୁକ୍ଳପକ୍ଷ ତ୍ରୟୋଦଶୀ । ମୁଁ ଅତି ପୁଲକିତ ହୋଇ କୁମାର କୃଷ୍ଣବର୍ଦ୍ଧନଙ୍କ ଗୃହ ଆଡ଼େ ଚାଲିଲି । ଥରେ ବି ଚିନ୍ତା କଲିନି, ସେ ଏ ସମୟରେ ମୋ ସହିତ ଦେଖା କରିବାକୁ ଚାହିଁବେ କି ନାହିଁ । ମୋ ମନରେ ସେଦିନ ବିଚିତ୍ର ତରଙ୍ଗ ଉଠିଥିଲା । ସତେ ଯେପରି ମୋର ସବୁ କଳୁଷ ଧୋଇ ହୋଇଯାଇଥିଲା । ମନ ଓ ଶରୀର ଲଘୁ ହୋଇଯାଇଥିଲା । ମୁଁ ସ୍ଥିର କରିନେଇଥିଲି ମୋର ଲମ୍ପଟତାର ଦୁର୍ନାମକୁ ଚିରଦିନପାଇଁ ଧୋଇଦେବି । ଆଜି ମୁଁ କୁମାର କୃଷ୍ଣବର୍ଦ୍ଧନଙ୍କ ସହ ମିତ୍ରତା କରିବି ଓ ଦଶଦିନ ମଧ୍ୟରେ ହିଁ ମହାରାଜାଧି–ରାଜଙ୍କର କୃପାପାତ୍ର ହୋଇଉଠିବି । ପୁଣି ମୋର ଗୃହର ଯଜ୍ଞଧୂମରେ ଚାରିଦିଗ ଧବଳ ହୋଇ ଉଠିବ । ପୁଣି ମୋର ଦ୍ଵାରଦେଶରେ ବେଦମନ୍ତ୍ର ଉଚ୍ଚାରଣ କରୁଥିବା ଶୁଆଶାରୀ ବଟୁମାନଙ୍କୁ ପଦେ ପଦେ ସଚେତନ କରି ଦେବେ । ମୁଁ ଆଉ ବାତ୍ସାୟନବଂଶର କଳଙ୍କ ହୋଇ ରହିବି ନାହିଁ ।

 

କିନ୍ତୁ ମୋର ଭାଗ୍ୟ ଏପର୍ଯ୍ୟନ୍ତ ଅଦୃଷ୍ଟର କଣ୍ଟାରେ ବିଦ୍ଧ ହୋଇ ରହିଥିଲା । ଯାହା ହେବାର କଥା, ତା ହେଲା । ଯାହା ହେବା ଉଚିତ ଥିଲା, ତା ହେଲାନି । ୟା ପରେ ମୁଁ ଏଭଳି ଏକ ଘଟଣା ଲେଖିବାକୁ ଯାଉଛି; ଯାହା ଲେଖିବା ସମୟରେ ମୋତେ ଆଜି ବି ଭୟ ଲାଗୁଛି ଓ ମୁଁ ଆଶଙ୍କାରେ କମ୍ପି ଉଠୁଛି । ମୁଁ ଯେଉଁ କଥାରୁ ଦୂରରେ ରହିବାକୁ ଚାହୁଁଥିଲି, ସେଥିରେହିଁ ଧକ୍‍କା ଖାଇଲି । ଭାଗ୍ୟକୁ କିଏ ବଦଳାଇପାରେ ? ବିଧିର ପ୍ରବଳ ଲେଖନୀ ଯାହା ଲେଖି ଦେଇଛି, ତାକୁ ଅନ୍ୟଥା କରିବ କିଏ ? ଅଦୃଷ୍ଟର ପାରାବାରକୁ ଲଙ୍ଘନ କରିବାରେ କିଏ କଣ ସମର୍ଥ ହେଲାଣି ?

Image

 

ଦ୍ଵିତୀୟ ପରିଚ୍ଛେଦ

 

ଦ୍ରୁତଗତିରେ ମୁଁ ଆଗେଇ ଯାଉଥିଲି । ଭାବୀ ଜୀବନର ରଙ୍ଗୀନ କଳ୍ପନାରେ ନିମଗ୍ନ ମନୁଷ୍ୟକୁ ପାଖଆଖ ଦେଖିବାକୁ ସମୟ କାହିଁ ? ଏକପ୍ରକାର ଆଖି ବନ୍ଦ କରି ଚାଲିଥିଲି କ୍ଷୀଣ କୋମଳ କଣ୍ଠରେ କେହି ଡାକିଲା, ‘‘ଭଟ୍ଟ ଓ ଭଟ୍ଟ, ଏଣେ ଦେଖ, ମୋତେ ଚିହ୍ନି ପାରୁଛ ?” ଏ ସ୍ଵର ଶୁଣି ମୁଁ ଚମକି ପଡ଼ିଲି । ଏ ସୁଦୂର ସ୍ଥାଣ୍ୱୀଶ୍ୱରରେ ମୋତେ ଚିହ୍ନିଲା କିଏ ? ଆଗକୁ ଛୁଟି ଯାଉ ଥିବା ଘୋଡ଼ାକୁ ବଲଗା ରୋକିଲା ପରି ସେ ସ୍ଵର ମୋର ଗତିଶୀଳ ବିଚାରଧାରକୁ ରୋକିଦେଲା । ପଛକୁ ଫେରି ଅନାଇଲି । ନାତିକମନୀୟ ରମଣୀମୂର୍ତ୍ତି ମୋତେଇ ଡାକୁଛି । ତାର ମୁଖମଣ୍ଡଳରେ ତାରୁଣ୍ୟ ଥିଲା ସତ କିନ୍ତୁ ଦୀପ୍ତି ମଳିନ ପଡ଼ିଯାଇଥିଲା । ସନ୍ଧ୍ୟାର ଧୂମାୟିତ ପ୍ରକାଶରେ ଆଖି ଦୁଇଟି ତାର ଉଜ୍ଜ୍ୱଳ ହୋଇଉଠିଥିଲା । ଆଖିର ଦୁଇକୂଳରେ କଳାରେଖା ଟାଣି ହୋଇ ଯାଇଥିଲା ସତ କିନ୍ତୁ ଉଜ୍ଜ୍ଵଳତାକୁ ଅଭିଭୂତ କରିପାରି ନ ଥିଲା । ସେ ବସିଥିଲା ଗୋଟିଏ ପାନ–ଦୋକାନ ଉପରେ । ମନେ ହେଉଥିଲା, ପାନ ଯେତେ ନ ବିକୁଛି, ଓଠର ହସ ବିକୁଛି ବେଶି । ମଣିଷ ଚିହ୍ନିବାରେ ମୋର ଗର୍ବ ଥିଲା । ହସ ଚିହ୍ନିବାରେ ନିଜକୁ ସିଦ୍ଧହସ୍ତ ମନେ କରୁଥିଲି । କିନ୍ତୁ ସେ ହସ ଥିଲା ବିଚିତ୍ର ଢଙ୍ଗର । ସେଥିରେ ଆକର୍ଷଣ ଥିଲା, ଆସକ୍ତି ନ ଥିଲା; ମମତା ଥିଲା, ମୋହ ନ ଥିଲା-। ମୁଁ ଅନାୟାସରେ ଟାଣି ହୋଇଗଲି ତା’ ଦୋକାନ ଆଡ଼କୁ ଓ ତାକୁ ଚିହ୍ନିବାକୁ ଚେଷ୍ଟାକଲି । ସେ କହିଲା, ‘‘ଭଟ୍ଟ, ତୁମେ ବି ଚିହ୍ନି ପାରୁନ ?” ଆରେ, ଇଏ ତ ନିପୁଣିକା ।” କ୍ଷଣକପାଇଁ ମୁଁ ଉନ୍ମଥିତ, ଭ୍ରାନ୍ତ, ନିଃସଙ୍ଗ ଭଳି ଠିଆହୋଇ ରହିଲି । ହଠାତ୍ ଚିତ୍କାର କରି କହିଲି, ‘‘ଆରେ ‘ନିଉନିୟା’ ନିପୂଣିକାର ପ୍ରକୃତ ନାମ । ମୁଁ ତାର ପ୍ରକୃତ ରୂପରେ ହିଁ ବିଶେଷ ପ୍ରଭାବିତ ହୋଇଥିଲି । ନିପୂଣିକା ତାର ବଡ଼ ବଡ଼ ଆଖିରେ ମୋତେ ତିହାରି କହିଲା,“ପାଟି କାହିଁକି କରୁଛ, ଧୀରେ ଧୀରେ କୁହ ।” ଖଣ୍ଡେ ଆସନ ମୋ ଆଡ଼କୁ ଘୁଞ୍ଚାଇ ଦେଇ କହିଲା, ‘‘ବସ, ପାନ ଖାଅ ।” ମୁଁ ବସି ପଡ଼ିଲି ।

 

ନିପୁଣିକାର ସଂକ୍ଷିପ୍ତ ପରିଚୟ ଏଠି ଦେବା ଉଚିତ । ନିପୁଣିକା ଆଜିକାଲିକାର ଜାତିର ଗୋଟିଏ ସନ୍ତାନ, ଯାହାଙ୍କୁ କୌଣସି ସମୟରେ ଅସ୍ପୃଶ୍ୟ ମନେ କରାଯାଉଥିଲା । କିନ୍ତୁ ସୌଭଗ୍ୟବଶତଃ ତାଙ୍କର ପୂର୍ବପୁରୁଷଙ୍କୁ ଗୁପ୍ତ-ସମ୍ରାଟଙ୍କ ଅଧିନରେ ଚାକିରି ମିଳିଯାଇଥିଲା ଏବଂ ଚାକିରି ମିଳିବାରୁ ସେମାନଙ୍କର ସାମାଜିକ ମର୍ଯ୍ୟାଦା କିଛି ବଢ଼ିଥିଲା । ନିଜକୁ ସେମାନେ ଆଜି କାଲି ପବିତ୍ର ବୈଶ୍ୟ-ବଂଶର ବୋଲି ମନେ କରନ୍ତି ଓ ବ୍ରାହ୍ମଣ–କ୍ଷତ୍ରିୟଙ୍କର ପ୍ରଚଳିତ ପ୍ରଥାକୁ ଅନୁକରଣ କରନ୍ତି । ଏବେ ତାଙ୍କ ମଧ୍ୟରେ ବିଧବା-ବିବାହ ବିଧି ବନ୍ଦ ହୋଇଛି । କୌଣସି କାନ୍ଦବିକ ବୈଶ୍ୟ ସହିତ ନିପୁଣିକାର ବିବାହ ହୋଇଥିଲା । ବିବାହ ପରେ ବର୍ଷେ ବି ଯାଇନି, ନିପୁଣିକା ବିଧବା ହେଲା । ମୁଁ ଜାଣେନା, ବିଧବା ହେବା ପରେ ସେ କି ଦୁଃଖସୁଖ ପାଇଛି; କିନ୍ତୁ ସେ ଘରୁ ପଳାଇ ଯାଇଥିଲା । ମୋତେ ସେ ତାର ପୂର୍ବ-ଜୀବନର ଏତିକ କହିଛି–ତା ପର କାହାଣୀ ମୋର ଅନେକ ଜଣାକଥା ।

 

ପ୍ରଥମେ ପ୍ରଥମେ ନିପୁଣିକା ଯେତେବେଳେ ମୋ ପାଖକୁ ଆସେ, ସେତେବେଳେ ମୁଁ ରହୁଥିଲି ଉଜ୍ଜୟିନୀରେ । ସେଠାରେ ମୋର ଗୋଟିଏ ନାଟକ ମଣ୍ଡଳୀ ଥିଲା । ମଣ୍ଡଳୀରେ ଯୋଗଦେବାକୁ ନିପୁଣିକା କହିଲା ଏବଂ ମୁଁ ରାଜି ହେଲି । ସେ ଖୁବ୍ ସୁନ୍ଦରୀ ନ ଥିଲା; କିନ୍ତୁ ତାର ରଙ୍ଗ ଶେଫାଳିକା କୁସୁମ ନାଡ଼ର ରଙ୍ଗ ସହିତ ମିଶୁଥିଲା । ତାର ଶ୍ରେଷ୍ଠ ଗୁରୁସମ୍ପତ୍ତି ଥିଲା ତାର ଆଖି ଦୁଇଟି ଓ ଆଙ୍ଗୁଳି । ଆଙ୍ଗୁଳିକୁ ମୁଁ ସୌନ୍ଦର୍ଯ୍ୟର ଅତି ମହତ୍ତ୍ୱପୂର୍ଣ୍ଣ ଉପାଦାନ ବୋଲି ମନେକରେ । ନଟୀର ପ୍ରଣାମ ଅଞ୍ଜଳି ଓ ଭାବ-ମୁଦ୍ରାକୁ ସଫଳ କରିବାରେ ପାତଳ ଆଙ୍ଗୁଳିର ପ୍ରଭାବ ଅଦ୍ଭୂତ । ସେଇଥିପାଇଁ ମୁଁ ନିପୁଣିକାକୁ ମଣ୍ଡଳୀରେ ଯୋଗ ଦେବାକୁ ଅନୁମତି ଦେଲି । ମୋ ମଣ୍ଡଳୀର ସ୍ତ୍ରୀମାନେ ପୁରୁଷଙ୍କ ଅପେକ୍ଷା ଅଧିକ ସୁଖସୁବିଧାରେ ରହୁଥିଲେ । ଅତି ପିଲାଦିନୁ ମୁଁ ଶିଖିଥିଲି ସ୍ତ୍ରୀ ଲୋକଙ୍କୁ ସମ୍ମାନ କରିବାପାଇଁ । ସାଧାରଣତଃ ଯେଉଁ ସ୍ତ୍ରୀକୁ ଚଞ୍ଚଳା ଓ କୁଳଭ୍ରଷ୍ଟା ବୋଲି ମନେ କରାଯାଏ, ସେମାନଙ୍କଠାରେ ଏକ ଦୈବୀ ଶକ୍ତି ବି ଅଛି, ଏ କଥା ଲୋକେ ଭୁଲିଯାନ୍ତି । ମୁଁ କିନ୍ତୁ ଭୁଲିନି । ଚିରଦିନ ସ୍ତ୍ରୀ–ଶରୀରକୁ ମୁଁ ଦେବ ମନ୍ଦିର ଭଳି ପବିତ୍ର ମନେ କରିଛି । ଏଇଥିପାଇଁ ମୁଁ ମଣ୍ଡଳୀରେ କଠୋର ନିୟମ ରଖିଥିଲି ଯେ ସ୍ତ୍ରୀମାନଙ୍କର ଇଚ୍ଛା ବିରୁଦ୍ଧରେ ତାଙ୍କ ସହିତ କେହି କଥାବାର୍ତ୍ତା କରିପାରିବେ ନାହିଁ । ଲୋକେ କହୁଥିଲେ, ବାଣଭଟ୍ଟର ନର୍ତ୍ତକୀମାନେ ଅବରୁଦ୍ଧା କିନ୍ତୁ ତାହାର ଫଳ ବେଶ୍ ଭଲ ହେଲା । ଜନତା ମୋ ମଣ୍ଡଳୀକୁ ଶ୍ରଦ୍ଧା କରିବାକୁ ଲାଗିଲେ । ଧୀରେ ଧୀରେ ମୁଁ ନିପୁଣିକାକୁ ରଙ୍ଗଭୂମି ଉପରକୁ ଆଣିଲି । କେବଳ ଏତିକି କହିବି ତାର ସମ୍ମତ ନ ନେଇ ମୁଁ କେବେ କିଛି କରି ନ ଥିଲି ।

 

ଦିନେ ଉଜ୍ଜୟିନୀରେ ମୋର ଲେଖା ଏକ ନାଟକ ଅଭିନୀତ ହେବାର କଥା ଥିଲା । ସେ ଦିନ ପରମ ଭଟ୍ଟାରକ ଉପସ୍ଥିତ ହେବାର ମଧ୍ୟ ସମ୍ଭାବନା ଥିଲା । ଯଥାଶକ୍ତି ଆୟୋଜନ କରିଥିଲି । ମୁଖ୍ୟ କଳାକାରମାନଙ୍କୁ ନିଜ ନିଜର ଶ୍ରେଷ୍ଠ କଳା ପ୍ରଦର୍ଶନ କରିବାକୁ ମୁଁ ସେଦିନ ଖୁବ୍ ଉଦ୍‍ବୁଦ୍ଧ କରିଥିଲି । ମୋର ଇଚ୍ଛା ଥିଲା ପୂର୍ଣ୍ଣ ଆଡ଼ମ୍ବର ସହିତ ଯେପରି ଅଭିନୟ ହୁଏ । ହେଲା ବି ସେମିତି-। ମହାକାଳନାଥଙ୍କ ସନ୍ଧ୍ୟା ଆରତି ପରେ ପ୍ରେକ୍ଷାଗୃହରେ ଲୋକଙ୍କର ଭିଡ଼ ହେବାକୁ ଲାଗିଲା । ନଗରର ସମ୍ଭ୍ରାନ୍ତ ନାଗରିକଗଣ ଯଥାସ୍ଥାନରେ ଆସନ ଗ୍ରହଣ କଲେ । ବାଦ୍ୟ ବାଜିଉଠିଲା ଓ ମୁଁ ଆଡ଼ମ୍ବର ସହିତ ପୂର୍ବବିଧି ଆରମ୍ଭ କଲି । ଗାୟକ ଓ ବାଦକ ଯଥାସ୍ଥାନରେ ବସିଲେ ଓ ନର୍ତ୍ତକୀଙ୍କର ନୂପୁର ଝଙ୍କାର ସହିତ ବୀଣା, ବେଣୁ, ମୃଦଙ୍ଗ ମୁଖରିତ ହୋଇ ଉଠିଲା । ମୁଁ ଯେତେବେଳେ ରଙ୍ଗଭୂମିକୁ ଆସିଲି, ଜନତା ମଧ୍ୟରେ ଅପାର ଔତ୍ସୁକ୍ୟ ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇଗଲି । ମୋର ଅଭିନୟ ଯଥେଷ୍ଟ ସଫଳ ହେଲା । ଅତି ସନ୍ତୁଷ୍ଟ ହୋଇ ନେପଥ୍ୟଶାଳାକୁ ଫେରିଗଲି । ନିପୁଣିକା ପୁଷ୍ପ ଉପହାର ଧରି ପୂର୍ବରୁ ସେଠାରେ ଉପସ୍ଥିତ ଥିଲା । ମୋର ଇଙ୍ଗିତରେ ପୁଣି ବାଦ୍ୟ ବାଜିଉଠିଲା ଓ ନିପୁଣିକା ପୁଷ୍ପୋପହାର ପ୍ରଣାମାଞ୍ଜଳି ଧରି ରଙ୍ଗଭୂମିରେ ଅବତୀର୍ଣ୍ଣ ହେଲା । ଅନ୍ତରାଳରୁ ତାର ଅପୂର୍ବ ନୃତ୍ୟ ଦେଖିଲି । ବୀଣା, ବେଣୁ ଓ ଭେରୀ ସହିତ କାଂସ୍ୟତାଳ ଗୁଞ୍ଜିତ ହେଉଥିଲା ଓ ନିପୁଣିକାର ନୂପୁରକ୍ଵଣନକୁ ତାହା ଆହୁରି ଗମ୍ଭୀର ତଥା ମନୋହାରୀ କରିଦେଉଥିଲା । ହଠାତ୍ ବାଦ୍ୟ ବନ୍ଦ ହୋଇଗଲା ଓ ସେହି ମଧୁରଧ୍ଵନୀର ଅନୁରଣନର ପୃଷ୍ଠଭୂମିରେ ନିପୁଣିକାର କୋମଳକଣ୍ଠ ଶୁଣାଗଲା । ସେଦିନ ନିପୁଣିକାର କୌଶଳ ଓ ପଟୁତା ଦେଖି ମୁଁ ବିସ୍ମୟ-ମୁଗ୍ଧ ହୋଇଗଲି । ଗାନ ସମାପ୍ତ ହେବାପରେହିଁ ବାଦ୍ୟ ସହିତ ନୂପୁରର କ୍ଵଣନ ଶୁଣାଗଲା । ଅତି ସୁକୁମାର ଭଙ୍ଗୀରେ ସେ ନିଜର ଉପହାର ଦେବତାଙ୍କୁ ସମର୍ପଣ କଲା ଏବଂ ଅଭିରାମ ଗତିରେ ଧୀରେ ଧୀରେ ନେପଥ୍ୟ ଭୂମିକୁ ଫେରିଆସିଲା ।

 

କ୍ଷଣକ ମଧ୍ୟରେ ମୋ ମାନସ ସମୁଦ୍ରରେ ବିକ୍ଷୋଭର ଏକ ଝଡ଼ ଶାନ୍ତ ହୋଇଗଲା । ଚିରଦିନ ମୁଁ ନିଜକୁ ସଂଯତ କରିବାରେ ସମର୍ଥ ହୋଇଛି । ଏଥିପାଇଁ ମୋର ଅଭିମାନ ବି ରହିଛି । ଆଗ୍ରହଭରା ସ୍ଵରରେ ଡାକିଲି, ‘‘ନିଉନିୟା !” ସେ ଧଡ଼ ପଡ଼ ହୋଇ ଠିଆ ହୋଇଗଲା–ତାର ବାଁ ହାତ ଥିଲା କଟିଦେଶରେ । କଙ୍କଣ ମଣିବନ୍ଧ ପର୍ଯ୍ୟନ୍ତ ଖସି ଆସିଥିଲା । ଡାହାଣ ହାତ ଝୁଲି ପଡ଼ିଥିଲା ଶିଥିଳ ଶ୍ୟାମଲତା ଭଳି । କମନୀୟ ଦେହଲତା ତାର ସାମାନ୍ୟ ନଇଁ ପଡ଼ିଥିଲା ନୃତ୍ୟଭଙ୍ଗୀରେ । ମୁଖମଣ୍ଡଳ ଶ୍ରମବିନ୍ଦୁରେ ପୂର୍ଣ୍ଣ ହୋଇଯାଇଥିଲା । ‘ମାଳବିକାଗ୍ନିମିତ୍ର’ର ମାଳବିକା ମନେ ପଡ଼ିଗଲା । ହସି ହସି କାଳିଦାସଙ୍କର ଶ୍ଳୋକ ପଢ଼ିଲି

 

“ବାମଂ ସଂଧିସ୍ତିମିତ ବଳୟଂ ନ୍ୟସ୍ୟ ହସ୍ତଂ ନିତମ୍ବେ

କୃତ୍ଵା ଶ୍ୟାମା–ବିଟପି–ସଦୃଶଂ ସ୍ରସ୍ତମୁକ୍ତଂ ଦ୍ଵିତୀୟଂ

 

ପାଦାଂଙ୍ଗୁଷ୍ଠାଲୁଳିତ–କୁସୁମେ କୁଟ୍ଟିମେ ପାତିତାକ୍ଷଂ

ନୃତ୍ୟାଦସ୍ୟାଃ ସ୍ଥିତମତିତରାଂ କାନ୍ତମୃଦ୍ଧାୟତାକ୍ଷମ୍ ।’’

 

ନିପୁଣିକା ସଂସ୍କୃତ ଜାଣି ନ ଥିଲା । କଣ ମନେ କଲା କେଜାଣି, ଗୋଟିଏ ଛୋଟ ସ୍ମିତରେଖା ତାର ଅଧରରେ ଉଙ୍କି ମାରିଲା ଓ କିଛିକ୍ଷଣ ପାଇଁ ତାର ଆଖିପତା ନଇଁଗଲା । ସେତିକିବେଳେ ତାର ଶିଥିଳ କବରୀ ବନ୍ଧରୁ ଖସିପଡ଼ିଲା ଏକ ମଲ୍ଲିକା ପୁଷ୍ପ । ଏ ଅପରାଧର ଦଣ୍ଡ ବି ତାକୁ ମିଳିଗଲା ସାଙ୍ଗେ ସାଙ୍ଗେ । ନିଜର ପାଦାଙ୍ଗୁଷ୍ଠିରେ ନିପୁଣିକା ତାକୁ ଏପଟ ସେପଟ ରଗଡ଼ିବାକୁ ଲାଗିଲା । କାଳିଦାସଙ୍କର ମାଳବିକାର ଯେଉଁ ରୂପ ଏପର୍ଯ୍ୟନ୍ତ ନିପୁଣିକାଠାରେ ଆସି ନ ଥିଲା, ତା ଆସିଗଲା । ମୁଁ ଜୋରରେ ହସିଉଠିଲି । ମୋତେ ହସିବାର ଦେଖି ନିପୁଣିକା ମୁଣ୍ଡ ଉଠାଇଲା । ତା ଆଖି ଓଦା ହୋଇଯାଇଥିଲା ସେତେବେଳକୁ । ଧୀରେ ଧୀରେ ସେ ସେଠାରୁ ଚାଲିଗଲା । ମୋର ମନେ ହେଲା, ସତେ ଯେପରି ମୋ ହସକୁ ସହିପାରିଲା ନାହିଁ ସେ । ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିଲା । ନାଟକ ଆରମ୍ଭ ହେଲା ଓ ୫ ଘଣ୍ଟା ପର୍ଯ୍ୟନ୍ତ ସମାରୋହରେ ଚାଲିଲା । ସେଦିନ ମୁଁ ବିଶେଷ ପ୍ରସନ୍ନ ଥିଲି । ପରମଭଟ୍ଟାରକଙ୍କର ଆନନ୍ଦ ଗଦ୍ ଗଦ୍ ମୁଖରୁ ସ୍ପଷ୍ଟ ଜଣାପଡ଼ୁଥିଲା, କାଲି ମୁଁ ପ୍ରଚୁର ପୁରସ୍କାର ପାଇବି । ପରଦିନ ରାଜସଭାରେ ଦର୍ଶନ ଦେବାକୁ ସେ ପ୍ରତିଶ୍ରୁତି ଦେଲେ । ଦର୍ଶକମାନଙ୍କର ଭୂୟସ୍ଵୀ ପ୍ରଶଂସା ମଧ୍ୟରେ ଅଭିନୟ ସମାପ୍ତ ହେଲା । ସେ ଦିନର କାର୍ଯ୍ୟ ସମାପ୍ତ କରି ମୁଁ ବସାକୁ ଫେରିଆସିଲି । ଭାବୁଥିଲି, ନିପୁଣିକାକୁ କିଛି ଭଲ ପୁରସ୍କାର ଦେବି । ଏତିକିବେଳେ କେହି ଜଣେ ଆସି ସମ୍ବାଦ ଦେଲା ନିପୁଣିକା ନାହିଁ । ସତେ ଯେପରି ମେଘହୀନ ଗର୍ଜନ ଶୁଣି ମୁଁ ଚମକି ପଡ଼ିଲି । ସାରା ରାତି ତାକୁ ଖୋଜିଆସିଲି; କିନ୍ତୁ ସେ ମିଳିଲା ନାହିଁ । ତା ଆରଦିନ, ତୃତୀୟ ଦିନ, ଚତୁର୍ଥ ଦିନ ନିପୁଣିକା ଆଉ ମିଳିଲା ନାହିଁ । ରାଜସଭାକୁ ମୋର ଯିବାର ହେଲାନି । ପ୍ରତି ମୁହୂର୍ତ୍ତରେ ତାର ଓଦା ଆଖି ମୋ ଅନ୍ତରକୁ ବିଦୀର୍ଣ୍ଣ କରିବାକୁ ଲାଗିଲା । ନିଜର ସେହି ଅଶୁଭ ହସରେ ମୁଁ ଅକାଳକୁସୁମ ଭଳି ଭୟ ପାଇବାକୁ ଲାଗିଲି । ପଞ୍ଚମ ଦିନ ମୁଁ ନାଟକମଣ୍ଡଳୀକୁ ଭାଙ୍ଗିଦେଲି ଓ ନିଜର ନାଟକକୁ ସିପ୍ରାର ଚଟୁଳ ତରଙ୍ଗରେ ଉତ୍ସର୍ଗ କରିଦେଲି । ସେଦିନଠୁଁ ଛ ବର୍ଷ ବିତିଗଲାଣି । ମୁଁ ସେ ପେଶା ବି ଛାଡ଼ି ଦେଇଛି । ଆଜି ପୁଣି ଏକ ପୁରସ୍କାର ଆଶାରେ ରାଜସଭାକୁ ଗଲାବେଳେ ଆଗରେ ସେ ନିପୁଣିକା । ସେ ଦିନ ଯାହାର ଅଦର୍ଶନ ବିଘ୍ନ ଆଣିଥିଲା, ଆଜି କଣ ତାର ଦର୍ଶନ ବିଘ୍ନ ଘଟାଇବ ? ଅଦୃଷ୍ଟକୁ କିଏ ରୋକିପାରେ ?

 

ଅନେକ ସମୟ ପର୍ଯ୍ୟନ୍ତ ମୁଁ କିଛି କହିପାରିଲି ନାହିଁ । କେବଳ ନିର୍ମିମେଷ ନୟନରେ ନିପୁଣିକାକୁ ଅନାଇ ରହିଲି । ସେ ପାନ ଭାଙ୍ଗୁଥିଲା । ମୁଁ ବୁଝିପାରୁଥିଲି ତା ମନ ଭିତରେ ଏକ ଭୟଙ୍କର ଉଦ୍‍ବେଳିତ ତରଙ୍ଗ ସୃଷ୍ଟି ହୋଇଛି । ବହୁଦିନ ପରେ ପାନ ଉପରେ ନିପୁଣିକାର ଶିଥିଳ ଆଙ୍ଗୁଳିଚାଳନା ଦେଖି ମୋ ମନରେ ଏକ ଅଭୂତପୂର୍ବ ଆହ୍ଳାଦ ସୃଷ୍ଟି ହେଲା । ସ୍ମିତହସ ଲାଗି ରହିଥିଲା ତାର ଓଠରେ; ଆଖି କିନ୍ତୁ ଆର୍ଦ୍ର ହୋଇଉଠିଥିଲା । ସେ ମଧ୍ୟ କିଛି କହୁ ନ ଥିଲା । ପାନ ଭାଙ୍ଗିସାରି ମୋତେ ଅନାଇଲା । ଅଶ୍ରୁ ବାଧା ନ ମାନି ବହିବାକୁ ଲାଗିଲା । ନିର୍ବାକ, ନିଶ୍ଚଳ ହୋଇ ମୁଁ ଅନେଇ ରହିଲି । ଶେଷରେ ମୁଁ କହିଲି–“ନିଉନିୟା, କାନ୍ଦ ନା ।” ମୋର ସ୍ଵର ନିଶ୍ଚୟ କାତରପୂର୍ଣ୍ଣ ହୋଇଥିବ । ଏଥର ସେ କଇଁ କଇଁ ହୋଇ କାନ୍ଦିଲା । ମୁଁ ବେଗରେ ଉଠିପଡ଼ିଲି ତାର ଆଖି ପୋଛି ଦେବାକୁ । ସେ ସାବଧାନ ହୋଇଗଲା; ସାମାନ୍ୟ ଭତ୍ସର୍ନା ସ୍ଵରରେ କହିଲା, ‘‘ଛି, ଛି, କ’ଣ କରୁଛ ? ବଜାରରେ ଯେ ବସିଛି, ଦେଖି ପାରୁନ ?” ଦୃଢ଼ଭାବରେ କହିଲି, ‘‘ଆମେ କେଉଁଠି ବସିଛୁ, ସେଥିପ୍ରତି ମୋର ଆଦୌ ଭୃକ୍ଷେପ ନାହିଁ । ତୋତେ ଏମିତି କାନ୍ଦିବାକୁ ମୁଁ ଛାଡ଼ି ଦେଇପାରିବି ନାହିଁ । ଅଭାଗୀ, ତୁ କାହିଁକି ପଳାଇ ଆସିଲୁ ?” ନିପୁଣିକା ପୁଣି ଥରେ ମୋତେ ସତର୍କ କରିଦେଲା । କହିଲା–“ପାନ ଖାଅ ।” ତାର ସ୍ଵର ସ୍ଵାଭାବିକ ହୋଇଯାଇଥିଲା । ମୁଁ ପାନ ନେଲି ।

 

ଯେଉଁଠିକି ଯାଉଥିଲି, ସେଠିକି ଯିବାର ହେଲାନି । ସେଇ ଅଭାଗିନୀର ସୁଖଦୁଃଖ ନ ବୁଝି ସେଠାରୁ ଉଠିବା ମୋ ପକ୍ଷରେ ସମ୍ଭବ ନ ଥିଲା । ନିଜର ଅସାବଧାନତାରେ ହସି ମୁଁ ଯେଉଁ ପରିସ୍ଥିତି ସୃଷ୍ଟି କରିଥିଲି, ବହୁଦିନପରେ ତାହା ସୁଧାରିବାକୁ ମୋତେ ଅବସର ମିଳିଲା । ଜାଣେ ନା, ମୋର ପ୍ରମତ୍ତ ହସ ଏ ଦୁଃଖିନୀର କେଉଁ ମୃଦୁ ଆଘାତକୁ ଉତ୍ତେଜିତ କରି ଦେଇଥିଲା । ନିରନ୍ତର ଛ’ ବର୍ଷ ସେ ଯେ କେଉଁଠି ଓ କିପରି କଟାଇଲା ଏବଂ ବର୍ତ୍ତମାନ କେଉଁ ଅଭାଗ୍ୟର ଗର୍ତ୍ତରେ ପଡ଼ି ସେ ଯେ ଇତସ୍ତତଃ ହେଉଛି, ତାହା ନ ଜାଣି ବାଣ ଭଟ୍ଟ ପକ୍ଷରେ ସେଠାରୁ ଯିବା ସମ୍ଭବ ନ ଥିଲା । ଏହି ସହାନୁଭୂତିମୟ ହୃଦୟହିଁ ତ ମୋତେ ବାରବୁଲା କରିଥିଲା । ଯେଉଁ ପ୍ରମତ୍ତ ହସ ଛ’ବର୍ଷ ହେଲା ମୋ ହୃଦୟକୁ ମଥିତ କରୁଥିଲା, ଆଜି ଅଶ୍ରୁରେ ତାର ପ୍ରାୟଶ୍ଚିତ କରିବାକୁ ପଡ଼ିବ । ନିପୁଣିକାର ଚରିତ୍ର ଏଠାକାର ସଦାଚାରୀଙ୍କ ଦୃଷ୍ଟିରେ ଯେ ନିକୃଷ୍ଟ, ଏଥିରେ ମୋର କୌଣସି ସନ୍ଦେହ ନ ଥିଲା । ସବୁ ସତ କିନ୍ତୁ ନିପୁଣିକା ଥିଲା ମୋ ଉଚ୍ଚ, ମୋଠୁଁ ମୁଲ୍ୟବାନ୍ । ସାରା ଜୀବନ ମୁଁ ସ୍ତ୍ରୀ–ଶରୀରକୁ କୌଣସି ଅଜ୍ଞାତ ଦେବତାର ମନ୍ଦିର ବୋଲି ମନେ କରିଛି । ଆଜି ଲୋକଙ୍କ ଆଲୋଚନାକୁ ଡରି ଏଇ ମନ୍ଦିରକୁ ମାଟିରେ ଧସିଯିବା ପାଇଁ ଛାଡ଼ି ଦେଇ ପାରିବି ନାହିଁ । ମୁଁ ପୁଣି ପଚାରିଲି, ‘‘ନିଉନିୟା, ତୁ କାହିଁକି ଚାଲିଆସିଲୁ ? ଏତେଦିନ କେଉଁଠି ଥିଲୁ, ବର୍ତ୍ତମାନ କଣ କରୁଛୁ-? ତୁ ଦୁଃଖିନୀ, ଏହା ମୁଁ ଦେଖି ପାରୁଛି । ତୋତେ ଏ ଅବସ୍ଥାରେ ଛାଡ଼ି ଏଠୁ ଯିବା ମୋ ପକ୍ଷରେ ସମ୍ଭବ ନୁହେଁ । କହ, କାହିଁକି ତୁ ପଳାଇ ଆସିଲୁ ? ଏଇ ଛ’ବର୍ଷ ହେଲା ମୋ ମନ ମୋତେ ବାନ୍ଧିବାରେ ଲାଗିଛି । ମୋର ମନେ ହେଉଛି, ମୁଁ ହିଁ ତୋର ଦୁଃଖର ମୂଳ କାରଣ । ଥରେ ତୁ ନିଜ ମୁହଁରେ କହିଦେ ଏହା ମିଛ ! ମୁଁ କଣ ନିର୍ଦୋଷ ?”

 

ନିପୁଣିକା ଦୀର୍ଘଶ୍ଵାସ ନେଇ କହିଲା–“ହଁ ଭଟ୍ଟ, ତୁମେଇ ମୋ ଚାଲିଆସିବାର କାରଣ । କିନ୍ତୁ ଦୋଷ ତୁମର ନୁହେଁ, ଦୋଷ ମୋର । ତୁମପ୍ରତି ମୋର ମୋହ ଥିଲା । ସେଦିନ ଅଭିନୟ–ରାତିରେ କ୍ଷଣକପାଇଁ ମୋର ମନେ ହୋଇଥିଲା ମୋରି ବିଜୟ ହେବ; କିନ୍ତୁ ପରକ୍ଷଣରେ ତୁମେ ମୋର ଆଶାକୁ ଚୂରମାର କରିଦେଲ । ନିର୍ଦ୍ଦୟ, ବାରମ୍ବାର ତୁମେ କହୁଥିଲ ଯେ ନାରୀ–ଦେହକୁ ତୁମେ ଦେବ–ମନ୍ଦିର ଭଳି ପବିତ୍ର ମନେକର । କିନ୍ତୁ ଏ ମନ୍ଦିର ହାଡ଼ମାଂସର, ଇଟାଚୁନର ନୁହେଁ । ଥରେ ଯଦି ତୁମେ ମନେ କରିଥାନ୍ତ ! ମୋର ସର୍ବସ୍ଵ ନେଇ ଏଇ ଆଶାରେ ଯେତେବେଳେ ମୁଁ ତୁମ ଆଡ଼କୁ ଆଗେଇ ଯାଇଥିଲି ସେଇ ମୁହୂର୍ତ୍ତରେହିଁ ତୁମେ ମୋର ଆଶାକୁ ଧୂଳିସାତ୍ କରିଦେଲ । ସେ ଦିନ ମୋର ବିଶ୍ଵାସ ହୋଇଗଲା, ତୁମେ ଖାଲି ଏକ ପାଷାଣ ପିଣ୍ଡ । ତୁମ ଭିତରେ ନା ଅଛି ଦେବତା, ନା ଅଛି ପଶୁ । ଅଛି କେବଳ ଏକ ଜଡ଼ତା । ସେଇଥିପାଇଁ ମୁଁ ରହିପାରିଲି ନାହିଁ । ତା ପରେ ଅନେକ ଦୁଃଖ ସହିଛି । କିନ୍ତୁ ସେହି ମୁହୂର୍ତ୍ତକର ପ୍ରତ୍ୟାଖ୍ୟାନର କଷ୍ଟ କେବେ ପାଇନି । ଛ’ବର୍ଷ ହେଲା ଏ–କୁଟିଳ ଦୁନିଆରେ ମୁଁ ଅସହାୟା ହୋଇ ବୁଲିଛି । ମୋର ସେ ମୋହ ବର୍ତ୍ତମାନ ଭକ୍ତି ରୂପରେ ପରିବର୍ତ୍ତିତ ହୋଇଯାଇଛି । ଭଟ୍ଟ, ତୁମେ ମୋର ଗୁରୁ, ତୁମେଇ ମୋତେ ସ୍ତ୍ରୀ–ଧର୍ମ ଶିଖାଇଛ । ଛ’ ବର୍ଷର କଠୋର ଅନୁଭବ ବଳରେ କହୁଛି ତୁମର ଜଡ଼ତା ହିଁ ଭଲ । ମୁଁ ଅଭାଗିନୀ ତୁମର ଆଶ୍ରୟ ଛାଡ଼ି ଯାହା ଚାଲିଆସିଲି । ମୋ ଜୀବନର ଘଟଣାକୁ ଜାଣିବାର ପ୍ରୟୋଜନ କଣ ? ଆଜିକାଲି ମୁଁ ପାନ ବିକେ ଓ ଛୋଟ ରାଜକୁଳର ଅନ୍ତଃପୁରରେ ପାନ ଦିଏ । ମୋଟା ମୋଟି କହିଲେ, ଦୁଃଖୀ ନୁହେଁ । ତୁମେ ମୋ ଚିନ୍ତା ଛାଡ଼; ଯେଉଁଠିକି ଯାଉଛ ଯାଅ । ଯଦି ଏ ନଗରରେ ରୁହ, ତା’ହେଲେ ବେଳେ ବେଳେ ତମର ଦର୍ଶନ ପାଇବାର ଆଶା ରଖୁଛି । କିନ୍ତୁ ଏ ଦୋକାନରେ ବେଶି ସମୟ ରହିବା ତୁମ ପକ୍ଷରେ ଠିକ୍ ନୁହେଁ ( ଏଠିକି ଯେଉଁମାନେ ଆସନ୍ତି, ସେମାନେ ସ୍ତ୍ରୀ–ଶରୀରକୁ ଦେବମନ୍ଦିର ମନେ କରନ୍ତି ନାହିଁ) ।” ଏତକ କହି ସେ ହସି ମୋ ଆଡ଼କୁ ଅନେଇଲା । ସେ ଦୃଷ୍ଟିରେ ନିଜ ଉପରେ ଏକ ପ୍ରକାର ବିତୃଷ୍ଣାଭାବ ଥିଲା; କିନ୍ତୁ କୌଣସି ପ୍ରକାର ପଶ୍ଚାତାପ ବା ଅନୁଶୋଚନା ନ ଥିଲା । ଟିକିଏ ରହି ସେ ପୁଣି କହିଲା, ‘ଭଟ୍ଟ କୌଣସି କଥାପାଇଁ ମୁଁ ପଶ୍ଚାତାପ କରୁନି । ମୁଁ ଯାହା, ତା’ଛଡ଼ା ଆଉ କିଛି ହୋଇପାରି ନ ଥାନ୍ତି । କିନ୍ତୁ ତୁମେ ଯାହା, ତା ଅପେକ୍ଷା ଆହୁରି ଯଥେଷ୍ଟ ଶ୍ରେଷ୍ଠ ହୋଇପାରିବ । ତେଣୁ କହୁଛି, ତୁମେ ଏଠି ରୁହନା । ମୁଁ ଯଦି ପଶ୍ଚାତାପ କରେ, ତା ହେଲେ ଯେଉଁ ନର୍କରେ ପଡ଼ିଛି ସେଠାରେ ମଧ୍ୟ ସ୍ଥାନ ରହିବ ନାହିଁ । ତୁମେ ଯଦି ନିଜକୁ ସଂଯତ କରିପାରିବ, ତାହେଲେ ଯେଉଁ ସ୍ଵର୍ଗରେ ତୁମେ ସ୍ଥାନ ପାଇବ, ମୁଁ ତାର କଳ୍ପନା ବି କରିପାରୁନି । ଦୁନିଆକୁ ମୁଁ ବହୁତ ଦେଖିଛି । ଏ ଦୁନିଆରେ ତୁମଭଳି ପୁରୁଷ–ରତ୍ନ ଦୁର୍ଲଭ ।’’

 

ନିପୁଣିକାର ଶେଷ କଥା ମୋର ମର୍ମ ଭେଦକଲା । ଯଦି ସେ ପଶ୍ଚାତାପ କରେ, ତା ହେଲେ ଯେଉଁ ନର୍କରେ ପଡ଼ିଛି ସେଠି ମଧ୍ୟ ସ୍ଥାନ ମିଳିବ ନାହିଁ । ସେ କୁଳଭ୍ରଷ୍ଟା ସ୍ତ୍ରୀ । ସମାଜରେ ତାର ସଦ୍‍ଗୁଣର ମୂଲ୍ୟ କଣ ? ତାର କୋଟରଗତ ଆଖିକୁ ଆଉ ଥରେ ଦେଖିଲି; ଅଶ୍ରୁ ଭରିଯାଇଥିଲା । କହିଲି, ‘‘ନିଉନିୟା, ମିଛ କହୁଛୁ–ତୁ ପଶ୍ଚାତ୍ତାପ କରୁଛୁ, ତୁ କଷ୍ଟରେ ରହିଛୁ, ତୁ ଆଶ୍ରୟ ଚାହୁଁ, ମୋର ଏଠାରୁ ଯିବା ତୁ ଚାହୁଁନା । ମୁଁ ପ୍ରଥମେ ଯାହା ଥିଲି, ଆଜି ଠିକ୍ ତାହାହିଁ । ସାରା ଜଗତ ତୋତେ ମୋ ଆଶ୍ରୟରୁ ପୃଥକ୍ କରିପାରିବ ନାହିଁ । ଏହି ଦୋକାନ ଏଇ ମୁହୂର୍ତ୍ତରେ ବନ୍ଦ କର । ଯେଉଁଠି ଲୋକେ ତୋ କଥା ଜାଣନ୍ତି ନାହିଁ, ସେଭଳି କୌଣସି ସ୍ଥାନକୁ ଯାଇ ଶାନ୍ତିରେ ରହ । ମୁଁ ତୋତେ ପଙ୍କରେ ଛାଡ଼ି ଯାଇପାରିବି ନାହିଁ । ମୋ ପ୍ରତି ତୋର ମୋହ କଟି ଯାଇଛି, ତାହା ଭଲ କଥା । ତୁ ଏ କଳୁଷିତ ନଗରୀର ରାଜମାର୍ଗକୁ ତ୍ୟାଗ କର । ତୋ ଆଖି କେତେ ପଶିଯାଇଛି ? ଅଭାଗୀ, ମୋତେ ବି ଲୁଚାଉଛୁ ?” ନିପୁଣିକା ଆଘାତ ପାଇଲା । ସେ ପୁଣି କଇଁକଇଁ ହୋଇ କାନ୍ଦିବାକୁ ଲାଗିଲା । ସେତେବେଳେ ଜଣେ ଦିଜଣ ଗ୍ରାହକ ଦୋକାନଆଡ଼କୁ ଆସୁଥିଲେ । ଦୂରରୁ ସେମାନଙ୍କୁ ଦେଖି ନିପୁଣିକା ନିଜକୁ ସଂଯତ କରିନେଲା । ବିଳମ୍ବ ନ କରି ସେ ଦୋକାନର ଦରଜା ବନ୍ଦ କରିଦେଲା ଓ ଭିତରକୁ ଯିବାପାଇଁ ମୋତେ ଇଙ୍ଗିତ କଲା । ଦୋକାନର ପଛରେ ଗୋଟିଏ ଛୋଟ ପ୍ରାଙ୍ଗଣ । ତାର ଠିକ୍ ମଝିରେ ଏକ ତୁଳସୀ ବୃକ୍ଷ । ପାଖରେ ଗୋଟିଏ କ୍ଷୁଦ୍ର ବେଦୀ ଓ ତା ଉପରେ ମହାବରାହଙ୍କର ଏକ ଅତି ଭବ୍ୟମୂର୍ତ୍ତି । ଛୋଟ ମୂର୍ତ୍ତିଟି; କିନ୍ତୁ ଯେଉଁ ମୂର୍ତ୍ତିକାର ତା’ ନିର୍ମାଣ କରିଥିଲା ସେ ଯେ ଖୁବ୍ ସିଦ୍ଧହସ୍ତ ଶିଳ୍ପୀ, ଏଥିରେ କୌଣସି ସନ୍ଦେହ ନାହିଁ । ମହାବରାହଙ୍କର ଦନ୍ତ ଉପରେ ଉତଥିତ ଧରିତ୍ରୀର ମୁଖମଣ୍ଡଳରେ ଯେଉଁ ଉଲ୍ଲାସ ଓ ଦୀପ୍ତି ଫୁଟି ଉଠିଥିଲା ତାହା ଦର୍ଶନୀୟ । ମହାବରାହଙ୍କର ଦୁଇ ହାତ କଟିଦେଶ ଉପରେ ଏପରି ପ୍ରଗଲ୍‍ଭତା ସହିତ ରଖାଯାଇଥିଲା, ବାହୁମୂଳର ମାଂସପେଶୀ ଏଭଳି ଦୃଢ଼ତା ସହ ବାହାର କରାଯାଇଥିଲା ଯେ ଦେଖିଲାମାତ୍ରେ ଏକ ଅପୂର୍ବ ବିଶ୍ଵାସ ମନରେ ଉତ୍ପନ୍ନ ହେବ । ସେଇ ମୁହୂର୍ତ୍ତରେ ବୁଝିପାରିଲି ନିପୁଣିକାର ସେ ଉପାସ୍ୟ ଦେବତା । ନିଜର ଉଦ୍ଧାର ପାଇଁ ନିପୁଣିକା ଏହି ଆଶା ରଖିଛି । ସେ ଥରେ ସତୃଷ୍ଣ ନୟନରେ ମୂର୍ତ୍ତିକୁ ଦେଖିଲା, ତାପରେ ଗୋଟିଏ ଛୋଟ ଘରେ ବସିବାପାଇଁ ମୋତେ ଇଙ୍ଗିତରେ ନିର୍ଦ୍ଦେଶ ଦେଲା । ମୁଁ ବସିଲି । ବାହାରକୁ ଯାଇ ଅତିଶୀଘ୍ର ସ୍ନାନ କରି ଫେରି ଆସି ସେ କହିଲା ‘‘ଟିକେ ବସ ମୁଁ ଆସୁଛି ।” ସେ ଯାଇ କୁଶାସନ ଉପରେ ବସିଲା ଓ ମହାବରାହଙ୍କ ସମ୍ମୁଖରେ ରୁଦ୍ଧ-ଗଳାରେ ଏକ ସ୍ରୋତ ପାଠ କରିବାକୁ ଲାଗିଲା । ଅଶ୍ରୁଧାର ବହି ଯିବାକୁ ଲାଗିଲା-। ବକ୍ଷଃସ୍ଥଳର ବାସନ୍ତୀ ଉତ୍ତରୀୟ ତିନ୍ତିଗଲା ଅଶ୍ରୁରେ । ସ୍ଥିରଦୃଷ୍ଟିରେ ମୁଁ ଅନାଇ ରହିଲି । ନିପୁଣିକା ଧନ୍ୟ, ମହାବରାହ ଧନ୍ୟ, ତୁଳସୀ ଧନ୍ୟ । ଆଉ ମୁଁ ଅଭାଗା ବାଣ ଏହି ତିନିଙ୍କୁ ଦେଖୁଛି, ତେଣୁ ମୁଁ ବି ଧନ୍ୟ । ମୋର ଗର୍ବର ତୁଚ୍ଛତା ଯୋଗୁଁ ମନରେ ପଶ୍ଚାତ୍ତାପ ସୃଷ୍ଟି ହେଲା । କାହାକୁ ଆଶ୍ରୟ ଦେବାକୁ ମୁଁ କହୁଥିଲି ? ନିପୁଣିକାକୁ ଯେଉଁ ଆଶ୍ରୟ ମିଳିଛି, ତା’ ତୁଳନାରେ ମୋର ଆଶ୍ରୟ କେଡ଼େ ତୁଚ୍ଛ, କେତେ ନଗଣ୍ୟ ଓ କେତେ ଅକିଞ୍ଚନ ! ମୋର ପୁରୁଷତ୍ୱର ଗର୍ବ, କୌଳିନ୍ୟ-ଗର୍ବ ଏବଂ ପାଣ୍ଡିତ୍ୟ-ଗର୍ବ କ୍ଷଣକ ମଧ୍ୟରେ ଚୂର୍ଣ୍ଣ ହୋଇଗଲା । ନିପୁଣିକାକୁ ଚିହ୍ନିବାରେ ମୁଁ କି ଭୁଲ କରିଥିଲି ! ସେ ଭକ୍ତି ଗଦଗଦ ସ୍ଵରରେ ସ୍ରୋତ ପାଠ କରୁଥିଲା ଏବଂ ମୁଁ ନିର୍ମିମେଷ ନୟନରେ ତାକୁ ଚାହିଁ ରହିଥିଲି । ଅଲୌକିକ ମନେ ହେଉଥିଲା ତାର ଅଙ୍ଗପ୍ରଭା । ତାର କୋଟରଗତ ଆଖି ଯେପରି ଉଦ୍‍ବେଳିତ ବାରିଧାରାରେ ପରିପୂର୍ଣ୍ଣ ହୋଇ ପ୍ରଫୁଲ୍ଲ ପୁଣ୍ଡରୀକ ଭଳି ବିକଶିତ ହୋଇଉଠୁଥିଲା । କୁନ୍ତଳରାଶି ରହି ରହି ଏଭଳି ଦୋଳାୟିତ ହୋଇ ଉଠୁଥିଲା ସତେ ଯେପରି ମହାବରାହଙ୍କର ଚରଣ ପ୍ରାନ୍ତରେ ଲୋଟିପଡ଼ିବାକୁ ବ୍ୟାକୁଳ । କ୍ଷଣକ ପାଇଁ ମୁଁ ଭୁଲିଗଲି ନିପୁଣିକା ଆମ ନାଟକ-ମଣ୍ଡଳୀର ସେହି ପରିଚିତ ନିଉନିୟା । ମନେହେଲା, ସେ କୌଣସି ଦେବାଙ୍ଗନା । କେତେବେଳେ ଯେ ଏ ଦୂଷିତ ଧରିତ୍ରୀକୁ ଛାଡ଼ି ଉପରକୁ ଉଡ଼ିଯିବ, କହି ହେବ ନାହିଁ । ଏଇ ରମଣୀର ହୃଦୟସ୍ଥିତ ପରମ ପ୍ରେମମୂର୍ତ୍ତି ମହାବରାହଙ୍କୁ ମୁଁ ମନେ ମନେ ପ୍ରଣାମ କଲି । ପ୍ରଥମ ଦର୍ଶନରେ ନିଜର ସହୃଦୟତା ଉପରେ ଯେଉଁ ଗର୍ବ କରିଥିଲି, ତା ଥିଲା ମୋର ମସ୍ତବଡ଼ ଭୁଲ । ମନଭିତରେ ନିଜର ଅକିଞ୍ଚନତାକୁ ଧିକ୍‍କାର କଲି । ସେତିକିବେଳେ ନିପୁଣିକା ଉଠିଲା ଓ ତାରି ସାଥିରେ ଶାନ୍ତିର ଏକ ଶ୍ରୀ ଉଠି ଠିଆ ହୋଇଗଲା । ଏପର୍ଯ୍ୟନ୍ତ ତାର ଚାଲିରେ ଏକପ୍ରକାର ଭାବ-ବହୁଳ ମନ୍ଥରତା ରହିଥିଲା; ସତେ ଯେପରି ଭାବସତ୍ତା ଭକ୍ତି ହିଁ ଦେହ ଧାରଣ କରି ଚାଲିଆସୁଛି । ପ୍ରଥମ ଦର୍ଶନରେ ଏ ରମଣୀକୁ ମୁଁ କେତେ ଭୁଲ ବୁଝିଥିଲି, ତାହା ବର୍ତ୍ତମାନ ଜାଣିଲି । କରୁଣାଦୀପ୍ତ ମୁଖମଣ୍ଡଳକୁ ଅନୁଶୋଚନା ମନେ କରି ଭୁଲ କରିଥିଲି । ସେ ଆସି କିଛି ସମୟ ଚୁପ୍ ହୋଇ ବସିରହିଲା । ମୁଁ ମଧ୍ୟ କିଛି କହି ପାରୁ ନ ଥିଲି । କିଛିକ୍ଷଣ ପରେ ସେ କହିଲା–ଭଟ୍ଟ, ସତରେ କଣ ତୁମେ ମୋତେ ସାହାଯ୍ୟ କରିପାରିବ ?”

“ତୁ କାହିଁକି ସନ୍ଦେହ କରୁଛୁ, ନିପୁଣିକା ? କୌଣସି ଦିନ କଣ ଏଭଳି କଥା କହିଛି, ଯାହା ପାଳନ କରିବାରେ ଦ୍ଵିଧା କରିଛି ?”

“କିନ୍ତୁ ମୋତେ ସାହାଯ୍ୟ କରିବାକୁ ଯାଇ ଯଦି କିଛି ଅନୁଚିତ କାର୍ଯ୍ୟ କରିବାକୁ ପଡ଼େ-?”

“ଦେଖ ନିଉନିୟା, ମୁଁ ଏଇମାତ୍ର ପ୍ରତ୍ୟକ୍ଷଭାବେ ଦେଖିପାରିଛି ଯେ ତୁ ଯାହାର ଆଶ୍ରୟ ପାଇଛୁ, ତାଙ୍କୁ ଛାଡ଼ି ତୋର ଅନ୍ୟ କୌଣସି ଆଶ୍ରାର ଆବଶ୍ୟକତା ନାହିଁ । ତଥାପି ପରୀକ୍ଷା ନେବାପାଇଁ ତୁ ଏକଥା କହୁଛୁ । ମୋର ଉତ୍ତର ସ୍ପଷ୍ଟ । ସାଧାରଣତଃ ଲୋକେ ବିଚାରିତ ରୀତିରେ ଯେପରି ଉଚିତ–ଅନୁଚିତ କଥା ଚିନ୍ତା କରନ୍ତି, ମୁଁ ସେପରି କରେନା । ମୁଁ ନିଜ ବୁଦ୍ଧିରେ ଉଚିତ ଅନୁଚିତ ବିବେଚନା କରେ । ମୋହ ଓ ଲୋଭରେ କରାଯାଉଥିବା ସମସ୍ତ କାର୍ଯ୍ୟକୁ ମୁଁ ଅନୁଚିତ ମନେ କରେ । ଚିରଦିନ କିନ୍ତୁ ଏଇ ଦୁଇ ରିପୁଠାରୁ ମୁଁ ନିଜକୁ ରକ୍ଷାକରି ପାରିନାହିଁ । ଆଜିହିଁ ମୁଁ ଏକ ମହାନ୍ ସଂକଳ୍ପ କରିଛି । ଜାଣେନା, କେତେଦୂର ସଫଳ ହେବି । ଅନୁଚିତ କାର୍ଯ୍ୟରୁ ମୁଁ ନିଜକୁ ରକ୍ଷା କରି ପାରିନାହିଁ ସତ; କିନ୍ତୁ ଉକ୍ତ କାର୍ଯ୍ୟର ଅବସରବେଳେ ତାହା କରିବା ପାଇଁ ମୁଁ ମୋର ପ୍ରାଣକୁ ସୁଦ୍ଧା ତୁଚ୍ଛ କରିଛି । ତୁ ମୋତେ ଏଭଳି କିଛି କାର୍ଯ୍ୟ ଦେ, ଯେଉଁଥିରେ ମୁଁ ତୋତେ ସାହାଯ୍ୟ କରିପାରିବି । ତୁ ମୋତେ ଜାଣୁ । ମୁଁ ଆଶାକରେ କୌଣସି ଅନୁଚିତ କାର୍ଯ୍ୟ କରିବାପାଇଁ ତୁ କଦାପି ମୋତେ ପ୍ରବର୍ତ୍ତାଇବୁ ନାହିଁ ।”

ନିପୁଣିକା ହସିଲା, କହିଲା–“ବର୍ତ୍ତମାନ ଖସିବାର ରାସ୍ତା ଖୋଜୁଛ । ମୋଭଳି ସ୍ତ୍ରୀଠାରୁ ଉଚିତ କାର୍ଯ୍ୟରେ ସହାୟତା ପାଇବା ପାଇଁ ଆଶା ରଖୁଛ ? ତୁମେ ଭାରି ସରଳ ।”

ମୁଁ ସତରେ ବିଚଳିତ ହେଲି କିନ୍ତୁ ଦୃଢ଼ ଭାବରେ କହିଲି–“କହନା, ମୋତେ କଣ କରିବାକୁ ହେବ ?”

ନିପୁଣିକା ଏଥର ଆହୁରି ଜୋରରେ ହସି ଉଠିଲା, କହିଲା–“ଦେବମନ୍ଦିର ଉଦ୍ଧାର କରିବାକୁ ପଡ଼ିବ ।”

ବୁଝିଲି; ଦେବମନ୍ଦିର ଅର୍ଥାତ୍ ନାରୀ । କିଛି ଅନୁଚିତ କାର୍ଯ୍ୟ ତ ନୁହେଁ । ସାମାନ୍ୟ ହସି କହିଲି–“ତୋର ଉଦ୍ଧାର ତ ମହାବରାହ କରି ସାରିଛନ୍ତି । ତୋ ପାଇଁ ମୋର ଚିନ୍ତା ନାହିଁ । ବର୍ତ୍ତମାନ ଆଉ କେଉଁ ରମଣୀକୁ ବିପତ୍ତିରୁ ଉଦ୍ଧାର କରିବାକୁ ପଡ଼ିବ ?” ନିପୁଣିକା କହିଲା–“ଭଟ୍ଟ, ଆଜିପର୍ଯ୍ୟନ୍ତ ତୁମେ ନାରୀ-ଶରୀରରେ ଯେଉଁ ଦେବ-ମନ୍ଦିରର ଇଙ୍ଗିତ ପାଇଥିଲ, ତା ତୁମର ସରଳ ମନର କଳ୍ପନା । ଆଜି ମୁଁ ତୁମକୁ ପ୍ରକୃତ ଦେବ-ମନ୍ଦିର ଦେଖାଇବି । କିନ୍ତୁ ଏଥିପାଇଁ ତୁମକୁ ମୋର ସଖୀ ସାଜି ଛୋଟ-ରାଜକୁଳରେ ପ୍ରବେଶ କରିବାକୁ ପଡ଼ିବ ଓ ପଙ୍କରେ ଧସି ହୋଇଯାଇଥିବା ମନ୍ଦିରକୁ ଉଦ୍ଧାର କରିବାକୁ ପଡ଼ିବ । ଆଜି ହିଁ ଉତ୍ତମ ଅବସର । ମହାବରାହହିଁ ମୋର ପ୍ରକୃତ ସହାୟକ । ସେ ତମକୁ ଏଠିକି ପଠାଇଛନ୍ତି । ତୁମେ ନ ଆସିଥିଲେ ବି ମୋତେ ଏହା କରିବାକୁ ପଡ଼ିଥାନ୍ତା । କୁହ ଭଟ୍ଟ, ଏ କାର୍ଯ୍ୟ କରିପାରିବ ? ଅସୁର ଗୃହରେ ଆବଦ୍ଧା ଲକ୍ଷ୍ମୀକୁ ଉଦ୍ଧାର କରିବାର ସାହସ ଅଛି ତ ? ମଦିର ପଙ୍କରେ ନିମଗ୍ନ କାମଧେନୁକୁ ଉଦ୍ଧାର କରିବାକୁ ଚାହଁ ତ ? କୁହ, ଏଇ ମୁହୂର୍ତ୍ତ ମୋତେ ଯିବାକୁ ପଡ଼ିବ । ଆଜିହିଁ ମହାବରାହ ଅନୁମତି ଦେଇଛନ୍ତି । ଏ ସୀତାକୁ ଉଦ୍ଧାର କରିବାକୁ ଯାଇ ହୁଏତ ତୁମକୁ ଜଟାୟୁ ଭଳି ପ୍ରାଣ ଦେବାକୁ ପଡ଼ି ପାରେ । ଅଛି ସାହସ ?”

ମୁଁ ହସିଲି । ଏ କାର୍ଯ୍ୟ ମୁଁ ନିଶ୍ଚୟ କରିପାରିବି । କେବଳ ଥରେ ମୁଁ ମୋର ସ୍ଵର୍ଗୀୟ ପିତାଙ୍କୁ ମନ ଭିତରେ ପ୍ରଣାମ କଲି–‘ପିତା, ଆଜି ଆତ୍ମୋଦ୍ଧାର କାର୍ଯ୍ୟରୁ କ୍ଷାନ୍ତ ରହିବାକୁ ପଡ଼ୁଛି । ସମୟ ଓ ସୁଯୋଗ ମିଳିଲେ, ପୁଣି ମୁଁ ଏ କାର୍ଯ୍ୟ କରିବି । ଜାଣେନା କେଉଁ ଦୁଃଖିନୀର ଦୁଃଖମୋଚନ–ଯଜ୍ଞରେ ନିଜକୁ ଆହୁତି ଦେବାର ଆହ୍ଵାନ ଆସିଛି । ଆଜି ଏହାରି ପୌରହିତ୍ୟ କରେ ।” ନିପୁଣିକାକୁ ନେଇ କହିଲି–“ନିଉନିୟା, ମୁଁ ପ୍ରସ୍ତୁତ । ନେପଥ୍ୟ (ବେଶ ବଦଳାଇବାର ବସ୍ତ୍ର ଆଦି) ଆଣ ।”

Image

 

ତୃତୀୟ ପରିଚ୍ଛେଦ

 

ନିପୁଣିକା ମୋତେ ଅଗଣାର ବାହାରେ ଅପେକ୍ଷା କରିଥିଲା । ତାର ସଖୀ ସାଜି ଯେତେବେଳେ ମୁଁ ବାହାରକୁ ଆସିଲି, ହଂସପରି ଧବଳବର୍ଣ୍ଣ ଜ୍ୟୋସ୍ନାରେ ଭରା ଧରିତ୍ରୀକୁ ଦେଖି ଏକ ଅନନୁଭୂତ ଆନନ୍ଦରେ ମନ ପୂର୍ଣ୍ଣ ହୋଇଗଲା । ମନେ ହେଲା ଭଗବାନ ତ୍ରିଲୋଚନଙ୍କ ଉତ୍ତମାଙ୍ଗରୁ ବହି ଆସୁଥିବା ଗଙ୍ଗାଧାରା ଯେତେବେଳେ ସମୁଦ୍ରକୁ ପୂର୍ଣ୍ଣ କରିଥିବ, ସେତେବେଳେ ଏଭଳି କିଛି ଶୋଭା ପ୍ରକାଶିତ ହୋଇଥିବ । ବହୁ ପୂର୍ବରୁ ଚନ୍ଦ୍ର ଆକାଶରେ ଉଠିସାରିଥିଲା ନିଶ୍ଚୟ । କାରଣ ଉଦୟକାଳରେ ଯେଉଁ ରକ୍ତିମା କିଛି ସମୟ ରହେ, ତାର କୌଣସି ଚିହ୍ନ ନ ଥିଲା । ଇନ୍ଦ୍ରଙ୍କ ଐରାବତ ହସ୍ତୀ ସ୍ଵମନ୍ଦାକିନିରେ ଅବଗାହନ କରି ଯେତେବେଳେ ଉଠେ, ତାର ଶ୍ଵେତ କୁମ୍ଭ ସ୍ଥଳ ଉପରୁ ସିନ୍ଦୁର ଧୋଇଗଲା ପରେ ଏଭଳି ଶୋଭା ହୁଏତ ପ୍ରସ୍ପୁଟିତ ହେଉଥିବ । ଆକାଶ ଜ୍ୟୋତ୍ସ୍ନାରେ ପୂରିଯାଇଥିଲା । ସତେ ଯେପରି କୌଣସି ଅଜ୍ଞାତ ଶିଳ୍ପୀର ସୁଧା ବିଲୋପନ ଚୂର୍ଣ୍ଣର ଭଣ୍ଡାର ଓଲଟି ପଡ଼ିଛି । ତାରକାମାନଙ୍କର ମିଟିମିଟି ଦେଖି ମନେ ହେଲା ସେମାନଙ୍କର ତନ୍ଦ୍ରା ଆସିଛି ଓ ଯେ କୌଣସି ମୁହୂର୍ତ୍ତ–ରେ ଢଳିଯାଇ ଶୋଇପଡ଼ିବେ । ମୃଦୁମନ୍ଦ ସାନ୍ଧ୍ୟ ସମୀରର ପ୍ରଭାବ ପଡ଼ିଥିଲା ଗୃହର ଗାଈଗୋରୁଙ୍କ ଉପରେ; କାରଣ ତାର ସ୍ପର୍ଶରେ ସେ ଜୀବଗୁଡ଼ିକ ମଧ୍ୟରେ ଏକ ଅଳସ ନିଦ୍ରାର ଭାବ ଘୋଟି ଆସିଥିଲା । ତାଙ୍କର ପାଟିର ପାଗୁଲୀ ଧୀରେ ଧୀରେ ଶିଥିଳ ହୋଇ ଆସୁଥିଲା ଓ ଆଖିପତା ଯୋଡ଼ି ହୋଇ ଯାଉଥିଲା । ସବୁଠୁଁ ଦୟନୀୟ ଅବସ୍ଥା ଥିଲା ଚନ୍ଦ୍ରମାର ସେହି ମୃଗର । ମନେ ହେଉଥିଲା ଅଭାଗା ତୃଷାରେ ଆତୁର ହୋଇ ଏ ଅମୃତ ସରୋବରକୁ ଆସିଥିଲା; କିନ୍ତୁ ବର୍ତ୍ତମାନ ଅମୃତ–ପଙ୍କରେ ଧସି ହୋଇ କିଂକର୍ତ୍ତବ୍ୟବିମୂଢ଼ ହୋଇ ଠିଆ ହୋଇଛି । ହଠାତ୍ ମୋର ମନେ ହେଲା, କୌଣସି ଅମୃତ–ପଙ୍କରେ ମୁଁ ବି କ’ଣ ଧସି ହେବାକୁ ଯାଉଛି ? କିନ୍ତୁ ଆଉ ଭାବି ଲାଭ କଣ ? ନିପୁଣିକାର ଗୋଟିଏ ଇଙ୍ଗିତରେ ଅନୁଚର ଭଳି ମୁଁ ତାର ପଛେ ପଛେ ଚାଲିଛି । ଜାଣେ ନା କାହିଁକି, ମୋର ମନେ ହେଉଥିଲା ସତେ ଯେପରି ସାରା ପ୍ରକୃତି ଦେହରେ ଅବଶ ଅବସାଦର ଜଡ଼ତା ଲେପି ହୋଇଯାଇଛି । ଅତି ସଂକ୍ଷେପରେ ନିପୂଣିକା ମୋତେ ମୋର କର୍ତ୍ତବ୍ୟ ଜଣାଇ ଦେଇଥିଲା । ନିଜ ପକ୍ଷର ଔଚିତ୍ୟ ରକ୍ଷା ଉପରେ ଆଦୌ ସେ ଭୃକ୍ଷେପ କରି ନ ଥିଲା । ତାର କଥାରେ ମୋ ପ୍ରତି ଅବଜ୍ଞା ନ ଥିଲା । କିନ୍ତୁ ମୁଁ ଏତିକି ଜାଣିଥିଲି, ସେ ମୋତେ ଏ କାର୍ଯ୍ୟ ସାଧନ ପାଇଁ ନିମିତ୍ତ ମାତ୍ର କରିଛି । ତାର ପ୍ରକୃତ ସହାୟକ ହେଉଛନ୍ତି ମହାବରାହ ତାର ଏଇ ସଂକଳ୍ପର ସତ୍ୟତା ମିଳୁଥିଲା ତାର ଅଶ୍ରୁପୂର୍ଣ୍ଣ ଆଖିରୁ । ମୋତେ ସେ କହିଥିଲା–ଛୋଟ–ରାଜକୁଳ ହେଉଛି ପ୍ରତାପୀ ମୌଖରିମାନଙ୍କର ଶେଷ ଚିହ୍ନ । ମହାରାଜାଧିରାଜ ଶ୍ରୀ ହର୍ଷବର୍ଦ୍ଧନ ଯେଉଁଦିନ ନିଜର ଭିଣୋଇର ରାଜ୍ୟକୁ ମଧ୍ୟ ନିଜର ବାହୁ ଛାୟା ତଳକୁ ଆଣିଲେ, ସେ ଦିନ ସେହି ଭିଣୋଇଙ୍କର ଜଣେ ଦୂର ସମ୍ପର୍କୀୟ ବନ୍ଧୁଙ୍କୁ ଏ ନଗରରେ ଆଶ୍ରୟ ମିଳିଥିଲା । ମୌଖରି ବଂଶପ୍ରତି ଏଠାର ଜନତାଙ୍କର ଏପର୍ଯ୍ୟନ୍ତ ସମ୍ମାନ ଭାବ ରହିଛି । ମୌଖରିବଂଶର ଏହି ବନ୍ଧୁ, କିଛି ଦିନ ହେଲା ସ୍ଥାଣ୍ୱୀଶ୍ୱରରେ ରହୁଛନ୍ତି । ତାଙ୍କରି ଅନ୍ତଃପୁରକୁ ଏଠି ଛୋଟ–ରାଜକୁଳ ବୋଲି କହନ୍ତି । ନିପୁଣିକା ଏ ଛୋଟ ରାଜକୁଳର ବିଭବକୁ ଟିକେ ବିସ୍ତାରିତ କରି ବୁଝାଇ ଦେଲା ଓ ସେଠାର କଳଙ୍କ ବାର୍ତ୍ତାକୁ ମଧ୍ୟ ସେହିଭଳି ବିସ୍ତାର କରି ବର୍ଣ୍ଣନା କଲା । କାନ୍ୟକୁବଜର ରକ୍ଷଣଶୀଳ ଜନତାଙ୍କର ମୌଖରୀମାନଙ୍କ ପ୍ରତି ଆଦର ସଂଭ୍ରମ ରହିଛି, ଏକଥା ଚତୁର ମହାରାଜ ହର୍ଷବର୍ଦ୍ଧନଙ୍କୁ ଅଛପା ନ ଥିଲା । ସେଥିପାଇଁ ମୌଖରିବଂଶର ଏହି ଦାବୀଦାର ବନ୍ଧୁଙ୍କୁ ସ୍ଥାଣ୍ୱୀଶ୍ୱରରେ ‘‘ମହାରାଜା’ ବୋଲି ଡକାଯାଉଥିଲା । ତାଙ୍କୁ କୌଣସି ଅଧିକାର ଦିଆଯାଇନଥିଲା କିନ୍ତୁ ସମ୍ପତ୍ତି ଦିଆଯାଇଥିଲା । ଏହା ଫଳରେ ତାଙ୍କର ଯଥେଷ୍ଟ ଭୋଗ–ଲିପ୍‍ସା ବଢ଼ି ଯାଇଥିଲା ଏବଂ ତାହା ଏବେ ଅତି ନିକୃଷ୍ଟ ଅନାଚାରରେ ପରିଣତ ହୋଇଛି । ମହାରାଜାଧିରାଜ ଏକଥା ଜାଣିଥିଲେ କିନ୍ତୁ ଜନତାଙ୍କର ଏପର୍ଯ୍ୟନ୍ତ ମୌଖରି ବଂଶପ୍ରତି ସମ୍ମାନ ରହିଥିବାରୁ ସାହସ କରି ଛୋଟ ମହାରାଜକୁ ଦୂର କରିପାରୁ ନ ଥିଲେ । ଏହି ଛୋଟ ମହାରାଜର ଗୃହରେ ଏକମାସ ହେଲା ଏକ ଅତି ସାଧ୍ଵୀ ରାଜକୁମାରୀକୁ ତାର ଇଚ୍ଛା ବିରୁଦ୍ଧରେ ଆବଦ୍ଧ କରି ରଖା ଯାଇଛି । ନିପୁଣିକା ଅବଶ୍ୟ ଅତି ସଂକ୍ଷେପରେ ଏ ସମସ୍ତ କହିଲା କିନ୍ତୁ ସେ ରାଜକୁମାରୀ କଥା କହିଲାବେଳେ ବ୍ୟାକୁଳ ହୋଇ ପଡ଼ିଲା । ବସ୍ତୁତ ଭାବେ ସମସ୍ତ କଥା କହିସାରି ଶେଷରେ ଅଶ୍ରୁପୂର୍ଣ୍ଣ ଆଖିରେ କହିଲା,–“ଭଟ୍ଟ, ଅଶୋକ ବନର ସୀତା ସେ । ତାକୁ ଉଦ୍ଧାର କରି ନିଜର ଜୀବନ ସାର୍ଥକ କର ।” ଜୀବନ ସାର୍ଥକ କରିବାର ଉପାଦାନ ନିଜେ ନିପୁଣିକାହିଁ ଦେଲା, ଗୋଟିଏ ଛୋଟ ବିଷଦଗ୍‍ଧ ଛୁରୀକା । ଖୁବ୍ ସହଜରେ ବସ୍ତ୍ରରେ ଲୁଚାଇ ରଖିହେବ । ଦେଲାବେଳେ ଟିକିଏ ହସି ସେ କହିଲା–“ଏହାର ଆବଶ୍ୟକତା ପଡ଼ିବ ନାହିଁ ଭଟ୍ଟ; କିନ୍ତୁ ରଖିବାରେ ଆପତ୍ତି କଣ ?” ମୁଁ ବୁଝିଲି ପ୍ରାଣ ନେବା ବା ଦେବା ଏତେ ଆବଶ୍ୟକ ନୁହେଁ, କିନ୍ତୁ ନେବା ବା ଦେବା ଯଦି ପଡ଼ିଯାଏ ତାହାହେଲେ କ୍ଷତି କଣ ? ମୁଁ ହସି ନିପୁଣିକାକୁ ଅନାଇଲି । ସେ ଖୁବ୍ ହସିଲା ।

 

ନୀରବରେ ଆମେ ଚାଲିଥିଲୁ । ସ୍ତ୍ରୀ–ବେଶରେ ମୋର ଯେପରି କିଛି ପରିବର୍ତ୍ତନ ହୋଇଥିଲା କାରଣ ବେଳେ ବେଳେ ଏକ ଅକାରଣ ଭୀରୁତା ମୋତେ ସଚେତ କରି ଦେଉଥିଲା । ରାଜମାର୍ଗ ନିସ୍ତବ୍ଧ ହୋଇଯାଇଥିଲା । କୌଣସି ବିପୁଳ ଜନସମାରୋହର ଧ୍ଵନୀ କେବଳ ଶୁଣାଯାଉଥିଲା ଦୂରରୁ । ନିପୁଣିକା ବୁଲିପଡ଼ି ମୋତେ ଦେଖିଲା ଓ ହସି କରି ଡାକିଲା ‘‘ସୁଦକ୍ଷିଣେ-!” ଟିକେ ଚମକିପଡ଼ି ମୁଁ ତାକୁ ଦେଖିଲି । ଦକ୍ଷ ଭଟ୍ଟର ଏ ସୁକୁମାର ସଂସ୍କରଣ ପ୍ରଥମ ସମ୍ବୋଧନରେହିଁ ସ୍ପଷ୍ଟ ହୋଇ ଗଲା । ମୁଁ ସାମାନ୍ୟ ହସି କ୍ଷୀଣ ସ୍ୱରରେ ଉତ୍ତର ଦେଲି ଅୟିନିପୁଣିକେ !” ଅତିଶୟ ଆନନ୍ଦରେ ବିକଚ କମଳଉଳୀ ଫୁଟିଉଠିଲା ନିପୁଣିକାର ଆଖି । ଚାରୁ ହସରେ ଶୋଭିତ ମୁଖମଣ୍ଡଳର ମୃଦୁ ସମ୍ଭାର ଯୋଗୁଁ ଗ୍ରୀବା ଈଷତ୍ ବକ୍ର ହୋଇଗଲା ଓ ସେ ଉଲ୍ଲାସ ଗଦ୍‍ଗଦ ସ୍ଵରରେ ସାଧୁବାଦ ଦେଲା–“ଅଭିନୟ ଅତି ଉଚ୍ଚକୋଟୀର ହୋଇଛି ।” ମୁଁ ସଂକୋଚ ଓ ଲଜ୍ଜାର ହସ ହସିଲି । ଏ ସବୁରେ ମୁଁ ଥିଲି ସିଦ୍ଧହସ୍ତ । ସେ ଏପରି ଚାଲିବାକୁ ଲାଗିଲା ସତେ ଯେପରୀ ଉଡ଼ିଯାଉଛି । କହିଲା–“ସୁଦକ୍ଷିଣେ ମଦନ–ଉଦ୍ୟାନରୁ ଧ୍ଵନୀ ଆସୁଛି । ଆଜି ଚୈତ୍ର ଶୁକ୍ଳ ତ୍ରୟୋଦଶୀ, ପବନ-ପୂଜାର ଦିବସ । ଆଜି କୁମାରୀମାନେ ବ୍ରତ ପାଳନ କରିଥିବେ, କାମ ଦେବଙ୍କୁ ପୂଜା କରିଥିବେ ଓ ନିଜର ଅଭିଳଷିତ ବର ମାଗିଥିବେ । କାନ୍ୟକୁବଜ୍ଜରେ ଏ ଉତ୍ସବ ଖୁବ୍ ଆଡ଼ମ୍ବରରେ ପାଳିତ ହୁଏ । ଆଜି ମଦନ-ଉଦ୍ୟାନରେ କୁମାରୀମାନେ ଫୁଲ ତୋଳିଥିବେ, ହାର ଗୁନ୍ଥିଥିବେ, କୁଙ୍କୁମ ଓ ଅବିରର ତିଳକୁ ଧାରଣ କରିଥିବେ । ଆହୁରି ମଧ୍ୟ ଭୁର୍ଜ୍ଜପତ୍ର ଉପରେ ଲକ୍ଷାରସରେ ନିଜ ନିଜର ଈପ୍‍ସିତ ବରଙ୍କର ପ୍ରତିମା ଆଙ୍କି ଗୋପନରେ ଭଗବାନ କୁସୁମ–ସାୟକଙ୍କୁ ଭେଟି ଦେଇଥିବେ । ଆଜି ଅନ୍ତଃପୁରରେ ଖୁବ୍ ସମାରୋହ ହୋଇଥିବ । ଅଶୋକ ପୁଷ୍ପକୁ ପ୍ରଫୁଲ୍ଲିତ କରିବାପାଇଁ ଅନ୍ତଃପୁରବାସିନୀମାନେ ପ୍ରମୋଦ–ବନକୁ ଯାଇଥିବେ । ଆଜି ସେଠି ମଦିରା ଓ ମୃଦଙ୍ଗର ଉତ୍ସବ ଚାଲିଥିବ । ଭଟ୍ଟ, ନା ସୁଦକ୍ଷିଣେ, ଆଜି ହେଉଛି ଯୁବତୀମାନଙ୍କର ଆନନ୍ଦକେଳିର ଉତ୍ସବ ଦିନ । ରାଜବାଳାକୁ ଉଦ୍ଧାର କରିବାର ଅଧିକ ଉପଯୁକ୍ତ ସମୟ ଆଉ ଆସିବ ନାହିଁ । ତମଠି କିଛି ସଂକୋଚଭାବ ଦେଖୁଛି । ନା ସଖି, ଏଭଳି ସଂକୋଚଭାବ ଠିକ୍ ନୁହେଁ ।”

 

ଚୁପ୍‍ଚାପ୍‍ ହୋଇ ଶୁଣିଗଲି । ମୋ ଭିତରେ ସଂକୋଚ ଭାବ ତ ନଥିଲା, କିନ୍ତୁ ଆଶଙ୍କା ଥିଲା କାଳେ ପଡ଼ିଯିବି । କ୍ଷୀଣ କଣ୍ଠରେ ସାମାନ୍ୟ ଅଭିନୟ କରି କହିଲା–“ସଖି, ଲଜ୍ଜା ତ ତରୁଣୀଙ୍କର ସ୍ଵାଭାବିକ ଅଳଙ୍କାର ।” ପ୍ରମୋଦକୁ ଗ୍ରହଣ କରି ନିପୁଣିକା କହିଲା–“ହେଉନା, କିନ୍ତୁ ତାକୁ ଆସ୍ଵାଭାବିକ କରିବା ଠିକ୍ ନୁହେଁ । ନା ସଖି, ଆଜି ଲଜ୍ଜା–ସଂକୋଚକୁ ଦୂରରେ ରଖ । ଆଜି ତରୁଣୀଙ୍କର ଉତ୍ତମ ବିଳାସର ଦିନ ।” ମୁଁ ବୁଝିପାରିଲି–ଯେଉଁଠି ସଂଶୟ ଥିଲା । ଆଜି ସେଠି ଉନ୍ମାଦ । ଚନ୍ଦ୍ରମା ଅଳସ ଗତିରେ ଆକାଶ ଉପରକୁ ଉଠିଆସିଥିଲା । ଅବଶିଷ୍ଟ ସାମାନ୍ୟ ଅନ୍ଧକାରକୁ ଦୂର କରିବାପାଇଁ ସତେ ଯେପରି କୃତସଂକଳ୍ପ ହୋଇ ଉଠିଥିଲା ସେ । ଆମେ ଯାଇ ରାଜକୂଳର ପ୍ରବେଶ ଦ୍ଵାର ପାଖରେ ପହଞ୍ଚିଲୁ ।

 

ଛୋଟ ରାଜକୁଳର କଥା ବାରମ୍ବାର ନିପୁଣିକା ମୋତେ କହିଥିଲେ । ତା ଫଳରେ ମୋ ମନରେ ରାଜକୁଳ ଅପେକ୍ଷା ଛୋଟ ଶବ୍ଦଟି ବେଶି ଲାଗି ଯାଇଥିଲା । ମୁଁ ଗୋଟିଏ ଛୋଟ ଅନ୍ତଃପୁରର କଳ୍ପନା ମନଭିତରେ ଆଙ୍କି ସାରିଥିଲି; କିନ୍ତୁ ଦ୍ଵାରରେ ଆସି ପହଞ୍ଚିଲା ମାତ୍ରେ ମୋର ଧାରଣା ବଦଳିଗଲା । ଦ୍ଵାରଦେଶରେ ବିସ୍ତୀର୍ଣ୍ଣ ରାଜକୁଳର ବୃକ୍ଷ–ବାଟିକା ଲମ୍ବି ଯାଇଥିଲା ଦୂରଯାଏ । ବାହାରପଟେ ଅଶୋକ, ପୁନ୍ନାଗ, ଅରିଷ୍ଟ, ଶିରୀଷ ଇତ୍ୟାଦି ଛାୟାଦାୟୀ ବୃକ୍ଷ । ସେଗୁଡ଼ିକର ନୀଳ ସଘନ ପତ୍ରରାଶି ଉପରେ ଜ୍ୟୋତ୍ସ୍ନାର ତରଙ୍ଗ ଖେଳି ଚାଲିଥିଲା । ମୋ ସମ୍ମୁଖରେ ଲୌହ ଅର୍ଗଳଯୁକ୍ତ ବିଶାଳ କବାଟ ଓ ସଶସ୍ତ୍ର ରକ୍ଷକ ଯଦି ନ ଥାନ୍ତେ ତାହାହେଲେ ଜ୍ୟୋତ୍ସ୍ନା ରାତ୍ରିରେ ସେହି ବିଶାଳ ରାଜକୁଳକୁ ମୁଁ ଏକ ଘନ ଜଙ୍ଗଲ ବୋଲି ମନେ କରିଥାନ୍ତି । ମୁଁ ଠିକ୍ ବୁଝିପାରିଲି ନାହିଁ ଏ ରାଜକୁଳର ବହିଃପ୍ରକୋଷ୍ଠ କେଉଁଠି । ଖାଲି ଏକ ବଙ୍କିମ ମାର୍ଗରେ ବାହାରିଯିବାରୁ ଏତିକି ଅନୁମାନ କରିପାରିଲି ଯେ ବୋଧହୁଏ ପୁରୁଷଙ୍କର ବହିଃପ୍ରକୋଷ୍ଠ ହେଉଛି ଡାହାଣ ପଟେ । ଦ୍ଵାରପାଳ ନିପୁଣିକାକୁ ଚିହ୍ନି ଥିଲା । ଭିତରକୁ ଯିବାରେ କୌଣସି ଅସୁବିଧା ହେଲାନି । ନିପୁଣିକା ହସି ହସି ଦ୍ଵାରପାଳକୁ ଖିଲେ ପାନ ଦେଇ କହିଲା–“ନାଗ, ଖବର କଣ ?” ନାଗ ହସିକରି କହିଲା–“ଉଛୁଳୁଛନ୍ତି, ଆଉ ଖବର କଣ ?”

 

ଆମେ ଦିହେଁ ଭିତରକୁ ଚାଲିଗଲୁ । ବାଟିକାର ରାସ୍ତାଟି ଥିଲା ବେଶ ଚୌଡ଼ା; କିନ୍ତୁ ଦୁଇ ପାର୍ଶ୍ଵର ସଘନ ବୃକ୍ଷର ଛୟାପାତ ଯୋଗୁଁ ଅନ୍ଧାର ଜଣାପଡ଼ୁଥିଲା । ଆମେ କିଛି ବାଟ ବୁଲି ଅନ୍ତଃପୁରର ଦ୍ୱାର ନିକଟରେ ପହଞ୍ଚିଲୁ । ଦ୍ଵାରର ଗୋଟିଏ ପାର୍ଶ୍ଵରେ ଜଣେ ଦ୍ଵାର–ରକ୍ଷିଣୀ ସ୍ତ୍ରୀକୁ ଦେଖିଲୁ । ସେ ଗୋଟିଏ ଖୋଲା ତରବାରି ଧରିଥିଲା ଓ ତାର ବାଁପଟେ ଗୋଟିଏ କ୍ଷୁଦ୍ର କୃପାଣ କୋଷବଦ୍ଧ ହୋଇ ରହିଥିଲା । ସେ ସ୍ତ୍ରୀଟି ବିଶେଷ ଟାଣୁଆ ବୋଲି ମନେ ହେଲାନି । କିନ୍ତୁ ତାର ବେଶ ଦେଖି ମନେ ହେଲା, ସତେ ଯେପରି ସାପ ଗୁଡ଼େଇ ହୋଇଥିବା ଏକ ଚନ୍ଦନ–ଲତା । ମୁଁ ଚମକି ପଡ଼ିଲି କ୍ଷଣକ ପାଇଁ କିନ୍ତୁ ଟିକେ ପାଖକୁ ଯିବା ମାତ୍ରେ ହିଁ ରହସ୍ୟ ଖୋଲିଗଲା । କଠୋର ପରିଚ୍ଛଦ ଆହୁରି ସ୍ପଷ୍ଟ କରିଦେଇଥିଲା ତାର ସ୍ଵାଭାବିକ ଅସ୍ପଷ୍ଟତାକୁ । ତାର ରଙ୍ଗ କଳାଥିଲା ସତ କିନ୍ତୁ ସେଥିରୁ ଏକ ମୋହିନୀ ଦୀପ୍ତି ଝଲସି ଉଠୁଥିଲା । ମନେ ହେଲା ସେ ଯେପରି ଗୋଟିଏ ଜୀବିତ ନୀଳମଣିର ସୁକୁମାର ପୁତ୍ତଳିକା । ତା'ର ସମସ୍ତ ଶରୀର ଆଗୁଳଫୁଲମ୍ବିତ ନୀଳ ବସ୍ତ୍ରରେ ଆବୃତ ଥିଲା ଓ ମୁଣ୍ଡରେ ଲାଲ ଉତ୍ତରୀୟ ବନ୍ଧା ହୋଇଥିଲା । ଶୋଭା କିନ୍ତୁ ତିଳେମାତ୍ର କମି ନ ଥିଲା ଏଥିରେ । ବରଂ ସନ୍ଧ୍ୟାକାଳୀନ ସୂର୍ଯ୍ୟର ରକ୍ତକିରଣ ଦ୍ଵାରା ଆଚ୍ଛାଦିତ ନୀଳ କମଳର ବନସ୍ଥଳୀ ଭଳି ଆହୁରି ରମଣୀୟ ହୋଇ ଉଠିଥିଲା । ଗୋଟିଏ ପଟେ ଶୁଭ୍ର ଜ୍ୟୋତ୍ସ୍ନା ବୃକ୍ଷ–ବାଟିକାର ଘନ ଚିକ୍‍କଣ ନୀଳମଣୀକୁ ଉଜ୍ଜ୍ଵଳିତ, କରୁଥିଲା ଓ ଅନ୍ୟପଟେ ଦ୍ଵାରର କ୍ଷୀଣୀର କର୍ଣ୍ଣର ଦନ୍ତପତ୍ର ତାର ଚିକକଣ କପୋଳ ଦେଶକୁ ଉଦ୍‍ଭାସିତ କରୁଥିଲା । ଦୂରରୁ ଦେଖାଯାଉଥିଲା ତାର ଅଲକ୍ତିକ ରଞ୍ଜିତ ପାଦ ଦୁଇଟି । କ୍ଷଣକପାଇଁ ମୋର ମନେ ହେଲା, ଏଇମାତ୍ର ମହିଷାସୁରର ଛାତି ଉପରେ ନୃତ୍ୟ କରି କରାଳ କୃପାଣ–ଧାରଣୀ ମହାଦୁର୍ଗା ଆସି ନାହାନ୍ତି ତ ? ତାର ଭୀମ ମନୋହର ରୂପରେ ଶଙ୍କିତ ହେବା ଅପେକ୍ଷା ମୁଁ ଅଧିକ ଆନନ୍ଦିତ ହେଲି । ତଥାପି ମନରେ ଶଙ୍କା ରହିଥାଏ । ଉତ୍ତରୀୟକୁ ସୀମନ୍ତର ବହୁତ ତଳକୁ ଟାଣିଦେଲି ଓ ଚକିତ ମୃଗର ଅଭିନୟ କରି ମୁଁ ନିପୁଣିକାର ପଛରେ ଲୁଚିଗଲି । ରକ୍ଷିଣୀଟି ପାନ କରିଥିଲା । ତାର ରୂପର ମନୋହାରିତା ଓ ମଳିନତା ଦେଖି ମନେପଡ଼ିଲା ଭଗବାନ ତ୍ରୀଲୋଚନଙ୍କର ନୟନାଗ୍ନିରେ ଭସ୍ମୀଭୂତ ମଦନଦେବଙ୍କର ଧୂମ୍ରରେ ମଳିନ ରତିଙ୍କ କଥା । ତାର ରକ୍ତିମ ଆଖି ଓ ଅଳସ–ଜଡ଼ ଭ୍ରୂଲତାରୁ କିନ୍ତୁ ପ୍ରତୀତ ହେଉଥିଲା ମଦିରାର ପୂର୍ଣ୍ଣ ପ୍ରଭାବ ପଡ଼ିଛି ତା ଉପରେ । ସ୍ଥୂଳିତ ସ୍ଵରରେ ସେ ଥରେ ନିପୁଣିକାକୁ କଣ ପଚାରିଲା ଓ ପୁଣି ଶିଥିଳ ହୋଇ ପଡ଼ିରହିଲା । ଆମେ ଦିଜଣ ଏଥର ପ୍ରକୃତ ଅନ୍ତଃପୁରରେ ପ୍ରବେଶ କଲୁ । ସେଠି ବି କିଛିଦୂର ଯାଏ ଲମ୍ବି ଯାଇଥିଲା ବଡ଼ ବଡ଼ ବୃକ୍ଷର ଧାଡ଼ି । କିନ୍ତୁ ତା ଆଗରେ ଥିଲା ମାଳତି, ମଲ୍ଲିକା, କୁରଣ୍ଟକ ଓ ନବମାଳିକା ପ୍ରଭୂତି ଗୁଳ୍ମ । ଚନ୍ଦ୍ରକିରଣରେ ସବୁ ସ୍ପଷ୍ଟ ହୋଇ ଦେଖାଯାଉ ନ ଥିଲା ସତ କିନ୍ତୁ ବକୁଳ ବୀଥୀ କେଉଁଠି, ସିନ୍ଧୁବାର (ନିର୍ଗୁଣ୍ଡି)ର ପଟାଳି କେଉଁଠି ଓ ଚମ୍ପକ ଗୁଳ୍ମ କେଉଁ ପଟେ, ତାହା ଗନ୍ଧରୁ ବେଶ୍ ବାରି ହୋଇଯାଉଥିଲା । ବିଭିନ୍ନ ପୁଷ୍ପର ସମ୍ମିଳିତ ସୌରଭରେ ମନରେ ଖେଳିଗଲା ଏକପ୍ରକାର ଉତ୍ସବ ଭାବ । ଦୂରରୁ ମୃଦଙ୍ଗ, କାହାଳୀ ଓ ଶଙ୍ଖଶବ୍ଦ ଶୁଣାଯାଉଥିଲା । ଆନନ୍ଦ-ଦୋଳିର ଘଣ୍ଟାଧ୍ଵନୀ ମଧ୍ୟ ସ୍ପଷ୍ଟ ଶୁଣାଯାଉଥିଲା । ଚଟକରି ବୁଝିନେଲି ମଦନୋତ୍ସବ ଖୁବ ସମାରୋହରେ ଚାଲିଛି ।

 

ନିପୁଣିକା ଓ ମୁଁ ପୁଷ୍ପ–ଗୁଳ୍ମ ବିଥୀରେ ପହଞ୍ଚିଛୁ, ଦେଖିଲୁ ଦୁଇଜଣ ପରିଚାରିକା ଦ୍ଵିପଦି ଗାନ କରି ଆମରି ଆଡ଼କୁ ଆସୁଛନ୍ତି । ଆମ୍ର–ମଞ୍ଜରୀ ଥିଲା ତାଙ୍କ ହାତରେ ଓ ଉନ୍ମାତ୍ତ ଭାବରେ ସେ ଦୁହେଁ ନୃତ୍ୟ କରୁଥିଲେ । ମଧୁପାନରେ ଭୋଳ ହୋଇଥିଲେ ନିଶ୍ଚୟ କାରଣ ନାରୀସୁଲଭ ମର୍ଯ୍ୟାଦା ଜ୍ଞାନକୁ ଭୁଲିଯାଇଥିଲେ ସେମାନେ । ନାଚୁ ନାଚୁ କେଶରାଶି ତାଙ୍କର ଚଞ୍ଚଳ ହୋଇ ପଡ଼ିଥିଲା । କବରୀ ବାନ୍ଧିବାର ମାଳତୀମାଳା ଯେ କେଉଁଠି ପଡ଼ିଥିଲା, କେଜାଣି ? ନୂପୂର, ପାଦପ୍ରହାରର ବେଗକୁ ସମ୍ଭାଳି ନ ପାରି ଦ୍ଵି ଗୁଣ ଜୋରରେ ଝଙ୍କୃତ ହୋଇ ଉଠୁଥିଲା । ଉନ୍ମତ୍ତ–ଆମୋଦର ଝଞ୍ଜା ବହିଚାଲିଥିଲା ତାଙ୍କ ମନ ଭିତରେ ଓ ବାହାରେ । ଜଣେ ନିପୁଣିକା ଆଡ଼କୁ ଆସିଲା । ମନେ ହେଲା ତାର ନାମ ବି ନିପୁଣିକା ହୋଇଥିବ କାରଣ ନିପୁଣିକାକୁ ସେ ‘ମିତ’ ବୋଲି ସମ୍ବୋଧନ କଲା । ଟିକେ ପାଖକୁ ଆସି ଜୋରରେ କହିଲା, ମିତ, ଆଜି ତୋ ତୋରି ଜୟଜୟକାର । ମହାରାଜ ଘୋଷଣା କରିଛନ୍ତି ଯେଉଁ ପରିଚାରିକା ନୂତନ ବଧୂକୁ ପ୍ରମୋଦବନର ଉତ୍ସବକୁ ଆଣିପାରିବ, ତାକୁ ସେ ନିଜର ରତ୍ନହାର ଉପହାର ଦେବେ । ସଖି, ତୁ ଯା । ନୂତନ ବଧୂକୁ ଘରୁ ବାହାରକୁ ଆଣିବ ଏଭଳି ଭାଗ୍ୟ ଆଉ କାହାର ଅଛି ? ସେ ତ ଲାଗି ରହିଛି ପୂଜାରେ-। ଅନେକଙ୍କୁ ଦେଖିଛି ବାବା । ଏ ରାଜକୁଳକୁ ଏମିତି ପୂଜାରିଣୀ ହଜାର ଆସିଲେଣି । ଆରେ, ମିତ, ଏ ନୂଆ ପକ୍ଷୀ କେଉଁଠୁ ଧାରୀଲୁ । "ଏତିକି କହି ସେ ମୋ ଆଡ଼କୁ ଅନାଇଲା । ନିପୁଣିକା ମୋ କାନରେ ଆସ୍ତେ କରି କହିଲା ‘‘କ୍ଷୀବା’’ । ମୁଁ ବୁଝିନେଲି କାନ୍ୟକୁବଜର ଭାଷାରେ ମଦିରା ପାନ କରିଥିବା ସ୍ତ୍ରୀକୁ ‘‘କ୍ଷୀବା” କହନ୍ତି । ମୋତେ ସାହସ ଦେବାକୁ ନିପୁଣିକା ଏକଥା କହିଥିଲା । ସେ ସ୍ତ୍ରୀଟି ମୋ ପାଖକୁ ଚାଲିଆସିଲା । ଭାବିଲି, ଏଥର ରହସ୍ୟ ଖୋଲିଯିବ । ତା’ ମୁହଁରୁ କିନ୍ତୁ ଏଭଳି ଗନ୍ଧ ବାହାରୁଥିଲା ଯେ ମୋ ମୁହଁ ଛାଏଁ ଛାଏଁ କରକୁ ବୁଲିଗଲା । ଅବସର ପାଇ ନିପୁଣିକା କହିଲା–“ମିତ, ତାକୁ ହଇରାଣ କରନା । ଗାଁରୁ ନୂଆ ଆସିଛି, ଏଠାକାର ରୀତି–ନୀତି ଜଣାନାହିଁ-।” ମିତ ଖୁବ୍ ଜୋରରେ ହସିଉଠିଲା–“ଦି’ ଦିନରେ ଶିଖିଯିବୁ ଲୋ, ଧନି; କେତେ ଆଖିରେ ଯେ ନାଚିବୁ । କିନ୍ତୁ ତାର ବେଳ ନ ଥିଲା । ନିଜ ସଖୀ ସାଥିରେ ନାଚି ନାଚି ସେ ଗୋଟିଏ ପଟକୁ ଚାଲିଗଲା । ମୁଁ ଶାନ୍ତିର ନିଃଶ୍ୱାସ ମାରିଲି । ନିପୁଣିକା ସାହସ ଦେବାକୁ କହିଲା, ‘‘ସବୁ କ୍ଷୀବା, ସଖି-!” ସେତେବେଳେ ଦକ୍ଷିଣ–ସମୀର ବହି ଚାଲିଥିଲା ମୃଦୁମନ୍ଦ ଗତିରେ । ବୃକ୍ଷ, ଲତା, ଗୁଳ୍ମ, ସବୁ ଦୋହଲୁଥିଲେ ମୃଦୁଗତିରେ । ରକ୍ତିମ କିଶଳୀୟ–ସମ୍ପତ୍ତି ତାଙ୍କର ସମସ୍ତ ଶୋଭାକୁ ରକ୍ତବର୍ଣ୍ଣ କରି ଦେଇଥିଲା । ତାଙ୍କ ଉପରେ ଭ୍ରମରର ଗୁଞ୍ଜନ ଶୁଣାଯାଉଥିଲା ସ୍ଥଳିତ ବାଣୀଭଳି । ଜଣାପଡ଼ିଥିଲା ମଳୟାନିଳର ମୃଦୁ-ମନ୍ଦ ତରଙ୍ଗରେ ଆହତ ହୋଇ ସତେ ଯେପରି ସେମାନେ ଅବଶରେ ଦୋହଲୁଛନ୍ତି । ବୋଧହୁଏ ମଧୁମାସର ମଧୁପାନରେ ସେମାନେ ବି ମତ୍ତ ହୋଇଥିଲେ । କେବଳ ଅନ୍ତଃପୁରର ପରିଚାରିକା ନୁହେଁ, କୁସୁମଲତା ମଧ୍ୟ ‘‘କ୍ଷୀବା’’ ହୋଇ ଉଠିଥିଲେ । ନିପୁଣିକାର କଥା ଉପରେ ରହସ୍ୟ ଯୋଡ଼ି କହିଲି, ‘‘ସବୁ କ୍ଷୀବା, ନିଉନିୟା !’ ମୁହଁ ଉପରେ ଆଙ୍ଗୁଳି ରଖି ସେ ସଙ୍କେତ କଲା–ଚୁପ ! ତା ପରେ ନଇଁପଡ଼ି ଜଣେ ବୃଦ୍ଧଙ୍କୁ ଅଭିବାଦନ କଲା । ସାରା ଅନ୍ତଃପୁରର ଉନ୍ମତ୍ତ ବିଳାସ–ଲୀଳା–ବିମୁଖ ସେହି ବୃଦ୍ଧ ନିଜର ସମସ୍ତ ଆୟୁର ଅନୁଭବ ଧରି ଗମ୍ଭୀର ହୋଇ ଠିଆ ହୋଇଥିଲେ । ସବୁ ଇନ୍ଦ୍ରିୟ ଶିଥିଳ ହୋଇଯାଇଥିଲା ତାଙ୍କର । ଦୀର୍ଘ ଶ୍ଵେତ ବସ୍ତ୍ରରେ ଆଛାଦିତ ଥିଲା ତାଙ୍କର ସାରା ଶରୀର । ମୁଣ୍ଡ ଓ କାନ ଉପରର ସମସ୍ତ କେଶ ଦୁଗ୍ଧ ଭଳି ଶୁକ୍ଳ ହୋଇଯାଇଥିଲା । ସେ ବୃଦ୍ଧ ହେଉଛନ୍ତି କଞ୍ଚୁକୀ । ତାଙ୍କୁହିଁ ଦେଖି ମୋତେ ଚୁପ ରହିବାକୁ ସଙ୍କେତ ଦିଆଯାଇଥିଲା । ବୃଦ୍ଧଙ୍କୁ କିଛି କହିବାର ଅବସର ନ ଦେଇ ନିପୁଣିକା କହିଲା, ‘‘ଆଜି ଗାଁରୁ ଆସିଛି, ରୀତି–ନୀତି କିଛି ଜାଣେନା ।” ପୁଣି ମୋତେ ଜୋରରେ କହିଲା, ‘‘ପ୍ରଣାମ କର ସୁଦକ୍ଷିଣା, ଏଇ ହେଉଛନ୍ତି ଆର୍ଯ୍ୟ ବାଭ୍ରବ୍ୟ । ଅନ୍ତଃପୁର–ବାସିନୀଙ୍କର ପିତା ତୁଲ୍ୟ ପୂଜ୍ୟ ।” ମୁଁ ଜାନୁପାତ କରି ପ୍ରଣାମ କଲି । ବାଭ୍ରବ୍ୟଙ୍କଠାରୁ ସୌଭାଗ୍ୟବତୀ ହେବାର ଆଶୀର୍ବାଦ ପାଇ ଆମେ ବିରାଟ ଅଟ୍ଟାଳିକା ମଧ୍ୟରେ ପ୍ରବେଶ କଲୁ ।

 

ଯେଉଁ ନୁତନ ବଧୂକୁ ପ୍ରମୋଦ–ବନକୁ ନେବାପାଇଁ ଛୋଟ ମହାରାଜ ରତ୍ନହାର ପୁରସ୍କାର ଘୋଷଣା କରିଥିଲେ, ସେ ଥିଲେ ସେହି ରାଜକନ୍ୟା ଯାହାଙ୍କୁ ଉଦ୍ଧାର କରିବାପାଇଁ ମୁଁ ଚୋର ପରି ଅନ୍ତଃପୁରରେ ପ୍ରବେଶ କରିଥିଲି । ନିପୁଣିକା ଫୁସ୍ ଫୁସ୍ କରି ମୋ କାନରେ କହିଲା–“ମହାବରାହ ଆଜି ନିଶ୍ଚୟ ପ୍ରସନ୍ନ । ତା ନହେଲେ ଛୋଟ ମହାରାଜ କାହିଁକି ଏ ଘୋଷଣା କରନ୍ତେ ?” ତାପରେ ନାନା ଅଳିନ୍ଦ ଓ ବୃକ୍ଷ–ବିଥୀ ପାରିହୋଇ ଆମେ ସେହି ରାଜକନ୍ୟାଙ୍କର ଗୃହରେ ପହଞ୍ଚିଲୁ । ବାସ୍ତବିକ ସେତେବେଳେ ସେ ପୂଜାବେଦୀ ଉପରେ ବସିଥିଲେ-। ତାଙ୍କ ପୂଜାରେ ଯେପରି କୌଣସି ବିଘ୍ନ ନ ହୁଏ, ସେଥିପାଇଁ ନିପୁଣିକା ମୋତେ ନୀରବରେ ଗୋଟିଏ ସ୍ଥାନରେ ବସିବାପାଇଁ ସଙ୍କେତ ଦେଲା ଓ ନିଜେ ଖୁବ୍ ସନ୍ତର୍ପଣରେ ବସିଲା । ମୁଁ ବସିଲି ଓ ଖୁବ ଧ୍ୟାନ ଦେଇ ଘରଟିକୁ ଦେଖିବାକୁ ଲାଗିଲି । ଗୃହର ଏକ ପ୍ରାନ୍ତରେ ଗୋଟିଏ ଶଯ୍ୟା ପଡ଼ିଥିଲା । ବିଶେଷ ବଡ଼ ନୁହେଁ । ତାର ଦୁଇ ମୁଣ୍ଡ ପାଖରେ ଦୁଇଟି ଉପାଧାନ । ଶଯ୍ୟାଟି ଆଚ୍ଛାଦିତ ଥିଲା ଦୁଗ୍ଧ-ଧବଳ ଚାଦରରେ । ଶଯ୍ୟାର ମୁଣ୍ଡ ଉପରେ ପୁଷ୍ପମାଲ୍ୟରେ ସଜ୍ଜିତ ମହାବରାହଙ୍କର ଏକ ଭାବପୂର୍ଣ୍ଣ ମୂର୍ତ୍ତି । ମହାବରାହଙ୍କର ବିଶାଳ ଦନ୍ତ ଆକାଶ ଉପରକୁ ଏଭଳି ଭାବେ ଉଠିଥିଲା,

 

ମନେ ହେଉଥିଲା ସତେଯେପରି ଏଇମାତ୍ର କ୍ଷିପ୍ର ଗତିରେ ସମୁଦ୍ରରୁ ଉଠିଆସିଛି । ତାଉପରେ ଧରିତ୍ରୀର ଭୀତ ଚକିତ ମୂର୍ତ୍ତି ଅତି ମନୋହାରିଣୀ ହୋଇ ଉଠିଥିଲା । ମହାବରାହଙ୍କର ଚକ୍ଷୁ ଦେଖାଯାଉଥିଲା ଠିକ୍‍ ପ୍ରସ୍ଫୁଟିତ ପଦ୍ମଭଳି । ସମସ୍ତ ଶରୀର ଦେଖା ଯାଉଥିଲା ଉତ୍ପଳ–ପତ୍ରଭଳି ଘନ–ଚିକ୍‍କଣ ନୀଳବର୍ଣ୍ଣ । ବସ୍ତୁତଃ ଗୋଟିଏ ନୀଳ ପଥରକୁ କାଟି ସାରା ମୂର୍ତ୍ତିଟି ତିଆରି କରା ଯାଇଥିଲା । ମନେ ମନେ ମୁଁ ଜୀବନ୍ତ ନୀଳାଚଳ ସମସ୍ଫୁର୍ଜିତ–ବୀର୍ଯ୍ୟ ମହାବରାହଙ୍କ ଧ୍ୟାନର ମନ୍ତ୍ରପାଠ କରି ପ୍ରଣାମ କଲି । ସେ ମହାବରାହ ମୂର୍ତ୍ତୀ ସମ୍ମୁଖରେ ଧ୍ୟାନରେ ବସିଥିଲେ ଅନ୍ତଃପୁରର ‘‘ନୂତନ-ବଧୂ” ଓ ଆମର ‘‘ଅଶୋକ–ବନର ସୀତା” । ତାଙ୍କ ପାଖରେ ଗୋଟିଏ ବେଦି ଉପରେ ମାଲ୍ୟ, ଚନ୍ଦନ ଓ ବିବିଧ ଉପଲେଖନ ରଖାହୋଇଥିଲା । ଏକ ଛୋଟ ସ୍ପଟିକ–ପେଟିକା ଉପରେ ସୁଗନ୍ଧିତ ସିକ୍‍ଥ–କରଣ୍ଡକ (ମହମବତୀ–ଦାନୀ) ଓ ସୌଗନ୍ଧିକ ପେଟିକା (ଅତରଦାନୀ) ଥିଲା । ଟିକିଏ ଦୂରରେ ଏକ କାଞ୍ଚନ ପାତ୍ରରେ ଥିଲା ମାତୁଳଙ୍ଗ ଛାଲି ଓ ପାନର ଅନ୍ୟାନ୍ୟ ଉପକରଣ । ଶଯ୍ୟାର ପଦପାର୍ଶ୍ଵରେ ଥିଲା ରୌପ୍ୟ ପିକଦାନୀ । ଉପର କାନ୍ଥରେ ହାତୀଦାନ୍ତର ଖୁଣ୍ଟି ଉପରେ ଲାଲ କନାରେ ଗୁଡ଼ାହୋଇ ରଖାଯାଇଥିଲା ବୀଣାକୁ । ଖୁଣ୍ଟିଟି ଖାଲି ପଡ଼ିଥିଲା, କାରଣ ବୀଣାଟି ଆସି ପୂଜାରତ ରାଜବାଳାର କୋଳରେ ରହିଥିଲା । କାନ୍ଥର ଅପରପଟେ ଶ୍ଵେତ ପଟି ଲାଗିଥିଲା । ହୁଏତ ହାତୀଦାନ୍ତରେ ବା କୌଣସି ଶୁକ୍ଳ ପ୍ରସ୍ତରରେ ତାହା ତିଆରି ହୋଇଥିଲା । ତା ଉପରେ ଥିଲା ଚିତ୍ରଫଳକ, ତୁଳିକା ଓ ରଙ୍ଗଡବା । ଏକ ପୁସ୍ତକ ମଧ୍ୟ ଥିଲା ଭୂର୍ଜ୍ଜପତ୍ର ଉପରେ । ସେ ପୁସ୍ତକଟି ସେ ଦେଶରେ ପ୍ରଚଳିତ ପୋଥିଠାରୁ ସାମାନ୍ୟ ପୃଥକ୍ । ଏକ ନାଗଦନ୍ତ (ଖୁଣ୍ଟି) ଉପରେ ଅତି ସୁକୁମାର ଭଙ୍ଗୀରେ କୁରଣ୍ଟକ–ମାଳାଟିଏ ଝୁଲାଇ ଦିଆଯାଇଥିଲା । କୁରଣ୍ଟକ ମାଳାର ଗୁଣ ହେଉଛି ଅନେକ ସମୟ ପର୍ଯ୍ୟନ୍ତ ତା ଶୁଖେ ନାହିଁ । ହୁଏତ ସେହି ଗୁଣହିଁ ତାକୁ ଏଠାକୁ ଆଣିବାରେ ସକ୍ଷମ ହୋଇଥିଲା । ଘରର ଆସବାବ ଥିଲା ସାମାନ୍ୟ, ତଥାପି ବେଶ ଭରପୂର ଦେଖାଯାଉଥିଲା । ସେତିକିବେଳେ ରାଜକନ୍ୟା ବୀଣା ବାଦନ ଆରମ୍ଭ କଲେ । ଧୀରେ ଧୀରେ ଅତ୍ୟନ୍ତ ତନ୍ମୟ ହୋଇପଡ଼ିଲେ ସେ । ଏଥର ସ୍ୱାଭାବିକ ସଙ୍କୋଚ ଛାଡ଼ି କମନୀୟତାର ସେହି ମୂର୍ତ୍ତିକୁ ମୁଁ ଦେଖିବାକୁ ଲାଗିଲି । ତାଙ୍କୁ ଦେଖିଲେ ଅତି ପତିତ ବ୍ୟକ୍ତିର ହୃଦୟରେ ବି ଭକ୍ତି ସଂଚାର ହେବ । ସମସ୍ତ ଶରୀରରେ ତାଙ୍କର ସ୍ୱଚ୍ଛ କାନ୍ତି ପ୍ରବାହିତ ହେଉଥିଲା । ଶୁଭ୍ରଳ ପ୍ରଭାପୁଞ୍ଜରେ ଶରୀର ତାଙ୍କର ଏଭଳି ଆଚ୍ଛାଦିତ ଥିଲା, ମନେ ହେଲା, ସତେ ଯେପରି ସେ ସ୍ପଟିକ–ଗୃହରେ ଆବଦ୍ଧ ହୋଇ ରହିଛନ୍ତି କିମ୍ବା ଦୁଗ୍‍ଧ ସଲିଳରେ ନିମଗ୍ନ ହୋଇଛନ୍ତି ଅଥବା ବିମଳ ଚୀନାଂଶୁକରେ ଆବୃତ ହୋଇଛନ୍ତି କିମ୍ବା ସେ ଯେପରି ଶରତ କାଳୀନ ମେଘପୁଞ୍ଜରେ ଛପି ରହିଥିବା ଚନ୍ଦ୍ରକଳା । ତାଙ୍କର ଧବଳକାନ୍ତି ଦର୍ଶକର ନୟନ ପଥଦ୍ଵାରା ହୃଦୟରେ ପ୍ରବେଶ କରି ସମସ୍ତ କଳୁଷକୁ ଧବଳିତ କରି ଦେଉଥିଲା । ସତେ ଯେପରି ସ୍ଵର୍ଗ–ମନ୍ଦାକିନୀର ଧବଳଧାରା ସମସ୍ତ କଳୁଷ–କାଳିମାକୁ ସ୍ଖାଳନ କରି ଦେଉଛି । ମୋ ମନରେ ବାରମ୍ବାର ପ୍ରଶ୍ନ ଉଠିଲା, ଏତେ ପବିତ୍ର ରୂପ–ରାଶି ଏ କଳୁଷିତ ଧରିତ୍ରୀରେ ସମ୍ଭବ ହେଲା କିପରି ? ଏ ନିଶ୍ଚୟ ଧର୍ମଦେବଙ୍କର ହୃଦୟରୁହିଁ ଆସିଛି । ବିଧାତା ସତେ ଯେପରି ଶଙ୍ଖକୁ ଖୋଳି, ମୁକ୍ତାରୁ ଟାଣି, ମୃଣାଳକୁ ସଜାଇ, ଚନ୍ଦ୍ର କିରଣରେ ପ୍ରକ୍ଷାଳନ କରି, ସୁଧା–ଚୂର୍ଣ୍ଣରେ ଧୌତ କରି, ରଜତ–ରସରେ ପୋଛି, ଯୁଈ ଓ ସିନ୍ଧୁବାର ପୁଷ୍ପର ଧବଳକାନ୍ତିରେ ସଜ୍ଜିତ କରି ତାଙ୍କୁ ନିର୍ମାଣ କରିଥିଲା । ଆହା, କି ଅପୂର୍ବ ପବିତ୍ରତା ! ସତରେ କ’ଣ ମୁନୀମାନଙ୍କର ଧ୍ୟାନ–ସମ୍ପତ୍ତି ଏଠାରେ ପୁଞ୍ଜିଭୂତ ହୋଇ ରହିଛି କିମ୍ବା ରାବଣର ସ୍ପର୍ଶ ଭୟରେ ପଳାତକ କୈଳାସ ପର୍ବତର ଶୋଭା ସ୍ତ୍ରୀରୂପ ଧାରଣ କରିଛି ! ଅଥବା ବଳରାମଙ୍କ ଦୀପ୍ତି କ’ଣ ତାଙ୍କୁ ତାଙ୍କର ଉନ୍ମତ୍ତ ଅବସ୍ଥାରେ ଛାଡ଼ି ଚାଲିଆସିଛି କିମ୍ବା ଏ ପବିତ୍ର ରୂପ କ’ଣ ମନ୍ଦାକିନୀର ଧାରା ଗ୍ରହଣ କରିଛି ? ଭକ୍ତି ଗଦଗଦ ସ୍ୱରରେ ଗାନ କରି ସେ ବୀଣା ବଜାଉଥିଲେ । ମୁଁ କେବେ ଶୁଣି ନ ଥିଲି ବୀଣାର ଏଭଳି ସୁନ୍ଦର ଝଙ୍କାର । ଅଭିନୟ ଦେଖିବାରେହିଁ ଜୀବନ କଟିଥିଲା । ପ୍ରକୃତ ଭକ୍ତି କଣ, କୌଣସି ଦିନ ଅନୁଭବ କରି ନ ଥିଲି । ଶୂଦ୍ରକଙ୍କର ମୃଚ୍ଛକଟିକରେ ଅଭିନୟ କଲାବେଳେ ବୀଣାକୁ ଥରେ ମୁଁ ଆସି ମୁଦ୍ରୋତ୍ପନ୍ନ ରତ୍ନ ବୋଲି କହିଥିଲି । ଆଜି କିନ୍ତୁ ବୁଝିଲି ତାହା ଯଥାର୍ଥ । ସେଦିନ ନିଜର ମିତ୍ରମାନଙ୍କ ସହ ଶୂଦ୍ରକଙ୍କର ସେହି ଶ୍ଳୋକକୁ ପରିହାସ କରିଥିଲି । ଶୂଦ୍ରକ ଯାହା ଉତ୍କଣ୍ଠିତର ଅବସ୍ଥା ବୋଲି କହିଥିଲେ, ତାହା ସଂକେତସ୍ଥଳରେ ପ୍ରତୀକ୍ଷା କରିବାର ଧୌର୍ଯ୍ୟ ଓ ଅନୁରକ୍ତ ବ୍ୟକ୍ତିର ରାଗବର୍ଦ୍ଧନ ଛଡ଼ା ଯେ ଆଉ କିଛି, ସେଦିନ ବୁଝି ନ ଥିଲି । ବିରହାତୁରକୁ ତ ଉତ୍କଣ୍ଠିତ କହନ୍ତି ଏବଂ ରାଗବର୍ଦ୍ଧନରେହିଁ ତ ତାର ଅନୁଗୁଣତାର ସମାପ୍ତି । ସେଦିନ କିନ୍ତୁ ମୁଁ ଏ ରହସ୍ୟ ବୁଝି ନ ଥିଲି । ଆଜି ବୁଝିଲି ପ୍ରକୃତ ଉତ୍କଣ୍ଠା କ’ଣ ? ବାସ୍ତବିକ ବୀଣା ଅସମୁଦ୍ରୋତ୍ପନ ରତ୍ନ । ଶୂଦ୍ରକଙ୍କର ଏ କଥାର ରହସ୍ୟ ମୁଁ ଧୀରେ ଧୀରେ ବୁଝି ପାରିଲି ।

 

ବୀଣା ବନ୍ଦ ହେଲା । ପ୍ରମୋଦ-ବନ ପଟର ଗବାକ୍ଷରେ ଉତ୍ସବର ସଙ୍କେତ ମିଳୁଥିଲା । ମନେ ହେଲା, ଦଳେ ନର୍ତ୍ତକୀ ହାତତାଳି ଦେଇ ଗୀତ ଗାଇ ଏ ଦିଗକୁ ଆସୁଛନ୍ତି । କେତେ ବୁଭୁକ୍ଷା, କେତେ ପିପାସା ଅର୍ଥାତ୍ ଚିର ଅତୃପ୍ତ କ୍ଷୁଧା–ତୃଷାର କେତେ ଯେ ଅସ୍ଥିରତା ଥିଲା ସେହି ସମ୍ମିଳିତ ଧ୍ଵନୀରେ ! ସ୍ପଷ୍ଟଭାବେ ଦୂରରୁ ଗାନ ଶୁଣାଗଲା :–

 

ଇହ ପଢ଼ମ ମହୁମାସୋ ଜଣସ୍ୟ ହିଅଆଇଁ କୁଣଇ ମିଦୁଲାଇଁ

ପଚ୍ଚା ବିଦ୍ଧଇ କାମେ ଲଦ୍ଧପ୍‍ପସରେହି କୁସୁମ ବାଣେହିଁ ।

 

ଏବଂ ସେହି ରାଗ–ରୁଗ୍‍ଣ ଗାନର ପୃଷ୍ଠଭୂମିରେ ଆମର ‘‘ଅଶୋକବନର ସୀତା” ଭକ୍ତିକାତର ବାଣୀରେ ମହାବରାହଙ୍କର ସ୍ତୁତି କଲେ–

 

ଜାଲୌଧମଗ୍ନା ସଚରାଚରା ଧରା ବିଷାଣକୋଟ୍ୟାଖିଳବିଶ୍ଵମୂର୍ତ୍ତିନା

ସମୁଦ୍‍ଧୃତା ୟେନ ବରାହରୂପିଣା ସ ମେ ସ୍ଵୟଂଭୂଭଗବାନ୍ ପ୍ରସୀଦତୁ ।

 

ଅଶ୍ରୁପୂର୍ଣ୍ଣ ନୟନରେ ସେ ପୁଣି ଥରେ ମହାବରାହଙ୍କୁ ଦେଖିଲେ । ଅତି ଧୀର ପଦସଂଚାରରେ ନିଜର ଇଷ୍ଟଦେବଙ୍କୁ ପରିକ୍ରମା କରି ଶଯ୍ୟାଆଡ଼କୁ ଅଗ୍ରସର ହେଲେ । ଶଯ୍ୟାରେ ବସିବାର କିଛି ସମୟ ପର୍ଯ୍ୟନ୍ତ ତାଙ୍କର ଚକ୍ଷୁଭକ୍ତିର ମାଦକତାରୁ ମୁକ୍ତ ହେଲାନି । କିଛି ସମୟପରେ ସେ ଆମ ଦୁଇଜଣଙ୍କୁ ଅନାଇଲେ । ଆହା, ଦୃଷ୍ଟରେ ବି ଏତେ ପବିତ୍ରତା ଥାଇପାରେ ! ସେତେ ଯେପରି ସେ ଦୃଷ୍ଟି ନିଜର ପୁଣ୍ୟ–ରଶ୍ମିରେ ଦ୍ରଷ୍ଟବ୍ୟକୁ ଉଦ୍ଭାସିତ କରି ଦେଉଥିଲା, ତୀର୍ଥ–ବାରିଧାରାରେ ପ୍ଳାବିତ କରି ଦେଉଥିଲା, ତପସ୍ୟାରେ ପବିତ୍ର କରିଦେଉଥିଲା ଓ ସତ୍ୟର ଅନ୍ତର୍ନିହିତ ତାପରେ ହୃଦୟର ଅଶେଷ ଚିନ୍ତାକୁ ଭସ୍ମ କରିଦେଉଥିଲା । ମୋର ଧାରଣା ହେଲା ବେଦର ପବିତ୍ର ବାଣୀ ବିଗ୍ରହବତୀ ହୋଇ ଆଜି ମୋତେ ବ୍ରାହ୍ମଣତ୍ଵର ବରଣଯୋଗ୍ୟ କରୁଛି । ସତରେ କଣ ଆଜି ମୋର ପ୍ରତିଜ୍ଞା ସଫଳ ହେବ ?

 

ନିପୁଣିକା ଭକ୍ତିପୂର୍ବକ ପ୍ରଣାମ କଲା ଓ ମୁଁ ମଧ୍ୟ ତାର ଅନୁକରଣ କଲି । ରାଜକନ୍ୟା ନିପୁଣିକାକୁ ବିଶ୍ୱାସର ସହିତ ଅନାଇଲେ । ନିପୁଣିକାର ଆଖିରେ ସେ ଥିଲେ ପାର୍ବତୀଙ୍କ ଭଳି ବନ୍ଦନୀୟା ଓ ତାଙ୍କ ଆଖିରେ ନିପୁଣିକା ଥିଲା ସଖି ଏବଂ ବୟସ୍ୟା ଭଳି ଦୁଃଖର ସଙ୍ଗିନୀ । ବିଳମ୍ବିତ ସ୍ନେହ–ମେଦୁର ଚକ୍ଷୁରେ ସେ ଥରେ ମୋତେ ଅନାଇଲେ । ଜିଜ୍ଞାସା ଥିଲା ଦୃଷ୍ଟିରେ । ପାଖକୁ ଯାଇ ନିପୁଣିକା ଖୁବ୍ ଧୀରେ ଧୀରେ କଣ କହିଲା । ମୋ କଥା ଗୋପନ ରଖିଲା ନାହିଁ ନିଶ୍ଚୟ; କାରଣ ମୁହୂର୍ତ୍ତକ ମଧ୍ୟରେ ରାଜକନ୍ୟାଙ୍କର ନୟନ ସଲ୍ଲଜ ହୋଇଗଲା ଓ ଧବଳାୟମାନ କପୋଳ ଉପରେ ଲଜ୍ଜାର ରକ୍ତିମା ଖେଳିଗଲା । ସେ କିପରି ସାମାନ୍ୟ ମ୍ଳାନ ପଡ଼ିଗଲେ । ଅନଧିକାର ପ୍ରବେଶପାଇଁ ନିଜ ଉପରେ ମୋର କ୍ଷୋଭ ହେଲା; କିନ୍ତୁ ନିପୁଣିକା କେଜାଣି କଣ କହି ତାଙ୍କୁ ସମ୍ଭାଳି ନେଲା । ବଙ୍କିମ ନେତ୍ରପାତ କରି ରାଜକନ୍ୟା ମୋତେ ଦେଖିଲେ ଓ ପୁଣି ଥରେ କାତର–ଭାବରେ ମହାବରାହଙ୍କ ପ୍ରତି ଦୃଷ୍ଟି ଦେଲେ । ଅଶ୍ରୁର ଧାରା ବାଧା ମାନିଲା ନାହିଁ । ତାଙ୍କର କାତରଦୃଷ୍ଟିର ଅଭିପ୍ରାୟ ଥିଲା ‘‘ହେ ଇଷ୍ଟଦେବ, ଆଉ କଣ ରଖିଛି ଭାଗ୍ୟରେ ?” ନିପୁଣିକା କିନ୍ତୁ ବରାବର କାନରେ କ’ଣ କହି ଚାଲିଥିଲା । ଘଡ଼ିଏ ପର୍ଯ୍ୟନ୍ତ ମୁଁ ଗ୍ଳାନି–ଲଜ୍ଜିତ ଅବସ୍ଥାରେ ବସି ରହିଲି ଓ ରାଜକନ୍ୟା ଚିନ୍ତାମଗ୍ନ ହୋଇରହିଲେ । ତାପରେ ସେ ଧୀରେ ଧୀରେ ଉଠିଲେ । ନିପୁଣିକା ବାହାରେ ବସିଥିବା ଗମ୍ଭୀର ଧାରଣାକୁ ଡାକି କହିଲା, ‘‘ଆର୍ଯ୍ୟ ବାଭ୍ରବ୍ୟଙ୍କୁ ସମ୍ବାଦ ଦେଇ, ନିପୁଣିକା ନୂତନ ବଧୂଙ୍କୁ ପ୍ରମୋଦ ବନଙ୍କୁ ଯିବାପାଇଁ ସମ୍ମତ କରିଛି–ସେମାନେ ଏଇ ଆସୁଛନ୍ତି ।”

 

ଚାମର–ଧାରିଣୀ ଆଶ୍ଚର୍ଯ୍ୟ ହେଲା । ତାର ମନେହେଲା ଏ ବୋଧହୁଏ ପରିହାସ । କିନ୍ତୁ ନିପୁଣିକା ଦ୍ଵିତୀୟବାର କହିଲାମାତ୍ରେ ଅତି ଆନନ୍ଦରେ ସେ ଦୌଡ଼ି ଦୌଡ଼ି ବାହାରକୁ ଚାଲିଗଲା । ବିଦ୍ୟୁତ୍‍ଭଳି ଅନ୍ତଃପୁର ସାରା ଏ ସମ୍ବାଦ ମୁହୂର୍ତ୍ତକ ମଧ୍ୟରେ ଖେଳିଗଲା । ମାଙ୍ଗଲ୍ୟ ଶଙ୍ଖ ଛଡ଼ା ପ୍ରମୋଦ ବନର ଅନ୍ୟାନ୍ୟ ବାଦ୍ୟ ବନ୍ଦ ହୋଇଗଲା । ଆର୍ଯ୍ୟ ବାଭ୍ରାବ୍ୟ ବ୍ୟସ୍ତ ହେଲାଭଳି ଆସି ଜୟନାଦ କରି କହିଲେ, ‘‘ଭାବି ମହାଦେବୀଙ୍କର ଜୟ ହେଉ ।” ନିପୁଣିକା କହିଉଠିଲା, ‘‘ଜୟ ହେଉ” । ରାଜକନ୍ୟା, ନିପୁଣିକା ଓ ମୁଁ ଧୀରେ ଧୀରେ ରାଜଭବନରୁ ପ୍ରମୋଦବନକୁ ଯିବାପାଇଁ ପ୍ରସ୍ତୁତ ହେଲୁ । ରାଜକନ୍ୟା ପୁଣି ଥରେ ମହାବରାହଙ୍କ ଉପରେ ଭକ୍ତିପୂର୍ଣ୍ଣ ଦୃଷ୍ଟି ନିକ୍ଷେପ କରି ତାଙ୍କ ଚରଣରେ ଶ୍ରଦ୍ଧା ନିବେଦନ କଲେ ଏବଂ ଚରଣତଳୁ ବସ୍ତ୍ରଟିଏ ଟାଣି ଆଣି ନିପୁଣିକାକୁ ଦେଲେ । ନିପୁଣିକା ମୋତେ ତାହା ଦେଇ କହିଲା–“ଯତ୍ନରେ ରଖିବ ।” ମହାବରାହଙ୍କର ସେହି ପ୍ରସାଦକୁ ମୁଁ ବଡ଼ ଯତ୍ନରେ ରଖିଲି ।

 

ପ୍ରମୋଦ–ବନର ପ୍ରବେଶ ଦ୍ଵାରରେ ପହଞ୍ଚି ଆମେ ଦେଖିଲୁ ରାଜକୁଳର ଦଳେ ପରିଚାରିକା ଆନନ୍ଦ–କୋଳାହଳ କରି ଆସୁଛନ୍ତି । ବାରମ୍ବାର ଭାବୀ ଦେବୀଙ୍କର ‘ଜୟ ହେଉ’ ବୋଲି ସେମାନେ ଧ୍ଵନୀ କରୁଥିଲେ । ସେମାନଙ୍କର ବେଶଭୂଷା ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା । ଭାବି ମହାଦେବୀଙ୍କର ଗମ୍ଭୀର ମୁଖମଣ୍ଡଳରେ ଭାବ ପରିବର୍ତ୍ତନର କୌଣସି ଚିହ୍ନ ନ ଥିଲା । ଥରେ ମୋ ଆଡ଼େ ଅନାଇ ସେ ଅଟକିଯାଇ ନିପୁଣିକାକୁ ସଂକେତରେ କଣ କହିଲେ । କିନ୍ତୁ ଏତେ ଜୋରରେ କହିଲେ ଯେ ମୋର ଶୁଣିବାରେ କୌଣସି ଅସୁବିଧା ହେଲା ନାହିଁ । ବସ୍ତୁତଃ ମୋତେ ଶୁଣାଇବାହିଁ ଥିଲା ଉଦ୍ଦେଶ୍ୟ । ସେ କହିଲେ, ‘‘ନିପୁଣିକା, ଅନ୍ତଃପୁରର ମର୍ଯ୍ୟାଦା ଯେପରି ଭଙ୍ଗ ନ ହୁଏ । ଆଜି କୁମାରୀ ଓ ପରିଚାରକମାନଙ୍କର ବ୍ୟବହାର ଅସଂଯତ । ‘‘ଧୀରସ୍ୱରରେ ମୋତେ କହିଲେ ‘‘ଭଦ୍ର, ତୁମେ ଆମର ଅକାରଣ ବନ୍ଧୁ । କିଛି ମନେ କରିବ ନାହିଁ । ଅନ୍ତପୁରର ନିଜର ଏକ ମର୍ଯ୍ୟାଦା ଅଛି । ମୁଁ ବୁଝିଲି । ହାତ ଯୋଡ଼ି ଓ ଶିର ନତକରି ବିନା ବାକ୍ୟରେ ମୁଁ ଉତ୍ତର ଦେଲି, ତାଙ୍କର ପ୍ରତ୍ୟେକ ଆଜ୍ଞା ମୋର ଶିରୋଧାର୍ଯ୍ୟ । ନିପୁଣିକା ଖୁବ୍ ଚତୁର । ବୁଲିପଡ଼ି ଆର୍ଯ୍ୟ ବାଭ୍ରବ୍ୟଙ୍କ ପାଖକୁ ଚାଲିଗଲା ଓ ତାଙ୍କୁ ସାଥିରେ ଧରି ଫେରିଆସିଲା । ମୁଁ କିଛି ବୁଝି ପାରିଲି ନାହିଁ-। ଆର୍ଯ୍ୟ ବାଭ୍ରବ୍ୟ ମୁଖ୍ୟ ପରିଚାରିକାକୁ ଡାକି କହିଲେ, ‘‘ଭାବି ମହାଦେବୀ ଏହି ଦୁଇ ସହଚରୀଙ୍କ ସହିତ ଆଜି ପ୍ରମୋଦ–ବନରେ ଭ୍ରମଣ କରିବାକୁ ଚାହାନ୍ତି । ତାଙ୍କର ଆଦେଶ; ଏଥିରେ ଯେପରି ବାଧା ନ ପଡ଼େ । ପରିଚାରିକାମାନେ ସଂଭ୍ରମର ସହିତ ତାହା ଶୁଣିଲେ ଓ ଏକ ସ୍ଵରରେ ‘ଭାବି ମହାଦେବୀଙ୍କର ଜୟ ହେଉ’ ଧ୍ଵନୀ କରି ସେଠାରୁ ଚାଲିଗଲେ ।

 

“ଭାବି ମହାଦେବୀ” ପ୍ରମୋଦବନର ବାହାରପଟ ଦେଇ ବୃକ୍ଷ ବାଟିକା ଆଡ଼କୁ ଅଗ୍ରସର ହେଲେ । ବାଟିକାର ଠିକ୍ ମଝିରେ ଏକ ବିଶାଳ ବାପୀ । ବାପୀଟି ପରିପୂର୍ଣ୍ଣ ଥିଲା କୁମୁଦ–କଢ଼ିରେ-। ଚନ୍ଦ୍ରକିରଣର ଶୁକ୍ଳତା ତାର ସ୍ଵଚ୍ଛତାକୁ ଆହୁରି ଗାଢ଼ କରିଦେଇଥିଲା । ସେଠାରେ ପହଞ୍ଚି ଆମେ ଠିଆ ହେଲୁ । ରାଜକନ୍ୟା ନିପୁଣିକାକୁ ଅନାଇ କହିଲେ, ‘ଏଣିକି’ ? ତା ପରେ ଅବସନ୍ନ ହୋଇ ପ୍ରସ୍ତର ନିର୍ମ୍ମିତ ବେଦି ଉପରେ ବସିପଡ଼ିଲେ । ନିପୁଣିକା କହିଲା, ‘‘ଦେବୀ, ମହାବରାହ ସହାୟକ । ଭଗବାନଙ୍କୁ ଧନ୍ୟବାଦ ଦିଅ, ଦକ୍ଷ ଭଟ୍ଟ ଭଳି ସାହସୀ ଓ ଭଦ୍ରପୁରୁଷ ଆମର ସହାୟକ ହୋଇଛନ୍ତି-। ଚିନ୍ତା ଛାଡ଼ି, ଉଠ ।’’ ରାଜକନ୍ୟା ପ୍ରଶ୍ନସୂଚକ ଦୃଷ୍ଟିରେ ମୋଆଡ଼େ ଅନାଇଲେ ଧୀରେ ଧୀରେ । କିନ୍ତୁ ଦୃଢ଼ତାର ସହ ମୁଁ କହିଲି, ‘‘ଆର୍ଯ୍ୟେ, ଅଭାଗା ଦକ୍ଷକୁ ଏକ ପୂଣ୍ୟ କାର୍ଯ୍ୟ କରିବାର ଅବସର ମିଳିଛି । ସାହସ ରଖନ୍ତୁ, ଯମରାଜ ବି ଆପଣଙ୍କର କୌଣସି ଅନିଷ୍ଟ କରିପାରିବେ ନାହିଁ । ରାଜକନ୍ୟାର ଉତ୍ତରକୁ ଅପେକ୍ଷା ନ କରି ନିପୁଣିକା ମୋତେ କହିଲା–“ଭଟ୍ଟ, ନେପଥ୍ୟ ଖୋଲି ଦିଅ, ମହାବରାହଙ୍କର ପ୍ରସାଦ–ବସ୍ତ୍ର ପିନ୍ଧି ଶେଷ ବୃକ୍ଷର ଶାଖା ସାହାଯ୍ୟରେ ଘେରା ପାଚିରୀକୁ ଡେଇଁଯାଅ । ଫାଟକ ପାଖରେ ଆମର ପ୍ରତୀକ୍ଷା କରିବ । ବାଟିକାର ଗୋଟିଏ ପ୍ରାନ୍ତକୁ ଯାଇ ମୁଁ ପୁରୁଷ-ବସ୍ତ୍ର ପିନ୍ଧିଲି । ନେପଥ୍ୟକୁ ନିପୁଣିକାକୁ ଦେଇ ଏକ ନାତିଦୀର୍ଘ ବୃକ୍ଷ ଉପରେ ଚଢ଼ି ବାହାରକୁ ଆସି ରାଜମାର୍ଗରେ ଠିଆହେଲି । ନାଗ ସେତେବେଳେ ଗାଢ଼ ନିଦ୍ରାରେ । ଦୂରରେ ଠିଆହୋଇ ପ୍ରତୀକ୍ଷା କରିବାକୁ ଲାଗିଲି । ଚନ୍ଦ୍ର ଆକାଶ ଉପରକୁ ଉଠି ଆସିଥିଲେ । ମନେ ହେଲା, ସେ ଯେପରି ଶୁକ୍ଳବସନା ଧରୀତ୍ରୀର ଲଲାଟର ଚନ୍ଦନତିଳକ ! ତାହାହେଲେ ଆଜି କଣ ଧରିତ୍ରୀ ମଧ୍ୟ ନିଜର ଉଦ୍ଧାରକର୍ତ୍ତା ମହାବରାହଙ୍କର ପୂଜା କରିଛି ?

Image

 

Unknown

ଚତୁର୍ଥ ପରିଚ୍ଛେଦ

 

ନିପୁଣିକା ରାଜକୁମାରୀଙ୍କୁ ଗୋପନରେ ରଖିବାପାଇଁ ଯେଉଁ ସ୍ଥାନ ସ୍ଥିର କରିଥିଲା; ତାହା ଦେଖିଲା ମାତ୍ରେ ମୋର ମନରେ ସଙ୍କୋଚ ଆସିଲା । ଏକ ଦେବୀ–ମନ୍ଦିରକୁ ଲାଗି ଜୀର୍ଣ୍ଣଶୀର୍ଣ୍ଣ ଗୋଟିଏ ଅତି ଛୋଟ ଗୃହ । ନିପୁଣିକାର ଘରୁ କିଛି ଆବଶ୍ୟକ ସାମଗ୍ରୀ ଆଣି ଚେରଭଳି ଆମେ ଯେତେବେଳେ ନଗର ପ୍ରାନ୍ତର ସେ ମନ୍ଦିର ପାଖରେ ପହଞ୍ଚିଲୁ, ଚନ୍ଦ୍ର ସେତେବେଳକୁ ପଶ୍ଚିମ ଆକାଶକୁ ଢଳିଗଲେଣି । ସପ୍ତର୍ଷିମଣ୍ଡଳ ମାନସରୋବରରେ ସ୍ନାନ କରିବାପାଇଁ ପ୍ରସ୍ତୁତ ହେଉଥିଲେ ଏବଂ କାଳ ପୁରୁଷ ଅସ୍ତଗିରି ଶିଖରକୁ ସ୍ପର୍ଶ କଲାଭଳି ଦେଖାଯାଉଥିଲେ । ସେତେବେଳେ ମଧ୍ୟ ଚନ୍ଦ୍ର କିରଣ ଦୁଗ୍ଧଭଳି ଶ୍ଵେତ ରଙ୍ଗରେ ଧରୀତ୍ରୀକୁ ଆଚ୍ଛାଦିତ କରି ରଖିଥିଲା । ଚଣ୍ଡୀମନ୍ଦିରର ବାହାରେ ଦୃଢ଼ ଲୌହ ଛଡ଼ରେ ତିଆରି ଏକ ଉଚ୍ଚ କପାଟ ଥିଲା ଏବଂ ଭିତରୁ ଚଣ୍ଡୀଙ୍କର ମୂର୍ତ୍ତୀ ସ୍ପଷ୍ଟ ଦେଖାଯାଉଥିଲା । ଚଣ୍ଡୀଙ୍କର ସମସ୍ତ ଶରୀରକୁ ଭକ୍ତମାନେ ଲାଲ ବର୍ଣ୍ଣ କରି ରଖିଥିଲେ । ଦେବୀଙ୍କର ଚରଣ ପାଖରେ ଥିଲା ଗୋଟିଏ ଛୋଟ ବେଦି । ତା ଉପରେ ଲାଲ ବର୍ଣ୍ଣର କିଛି ବସ୍ତୁ ରଖାଯାଇଥିଲା । ପରେ ଦେଖିଲି, ତା’ଆଉ କିଛି ନୁହେଁ, ଏକ କାଷ୍ଠାସନ ଉପରେ ରଖା ହୋଇଥିବା ମହାବରାହଙ୍କର ସେହି ବସ୍ତ୍ର ଖଣ୍ଡ । ମନ୍ଦିର ଆଗରେ ଏକ ଉନ୍ମୁକ୍ତ ପ୍ରାଙ୍ଗଣ । ପ୍ରାଙ୍ଗଣଟିର ଫାଟିଥିବା ଫାଙ୍କରୁ ହରିତବର୍ଣ୍ଣର ତ୍ରୂଣ ବାହାରି ଜୀବନ ଶକ୍ତିର ବିଜୟ ଘୋଷଣା କରୁଥିଲେ । ପ୍ରାଙ୍ଗଣକୁ ଲାଗି ଗୋଟିଏ ଗୃହ, ବାହାରୁ ଗୁମ୍ପାଭଳି ଜଣାପଡ଼ୁଥିଲା । ଗୃହର ଠିକ୍‍ ସମ୍ମୁଖରେ ଅଯତ୍ନରେ ବଢ଼ିଥିବା କରବୀର ବଣ–ରାତ୍ରିରେ ବନ–କୁକୁଟଙ୍କର ଆଶ୍ରୟସ୍ଥଳ । ଅତି ସାବଧାନତା ସହ ନିପୁଣିକା ସେ ଗୃହକୁ ଖୋଲିଲା ଓ ଆମେ ତିନିଜଣ ଭିତରେ ପ୍ରବେଶ କଲାମାତ୍ରେ ଅନୁରୂପ ସାବଧାନତା ସହ ତାହା ଭିତରୁ ବନ୍ଦ କରିଦେଲା-। ଭିତର ଅଗଣାରେ ଦୁଇ ତିନୋଟି ଛୋଟ ଛୋଟ କୋଠରୀ ଓ ଜୀର୍ଣ୍ଣ ପ୍ରାୟ ଗୋଟିଏ କୂପ । ଭଗ୍ନ–ପ୍ରାୟ ସେହି ପ୍ରାଙ୍ଗଣ ଗୃହକୁ ଜ୍ୟୋତ୍ସ୍ନାଙ୍କୁ ଆହୁରି ଭୟଙ୍କର କରିଦେଇଥିଲା । ଅଗଣାର କାନ୍ଥରେ ଲାଲ ରଙ୍ଗରେ ଚିତ୍ରିତ ବିବିଧ ଦେଖି ମନେ ହେଲା ଏକସମୟରେ ସେ ଘରେ କୌଣସି ଭୈରବ, ଭୈରବୀ ସହିତ ବାମମାର୍ଗୀ ସାଧନା କରିଥିବ; କାରଣ ତାହାହିଁ ଥିଲା ସେହି ଗୁଡ଼ିକର ଅର୍ଥ । କୁସୁମ ସୁକୁମାର ରାଜକନ୍ୟାକୁ ଗୋପନରେ ରଖିବାପାଇଁ ଏଭଳି ଭୟଙ୍କର ସ୍ଥାନ ବାଛି ନିପୁଣିକା ନା ବୁଦ୍ଧିର ପରିଚୟ ଦେଇଥିଲା ନା ସହୃଦୟତାର । କିନ୍ତୁ ସେ ନିରୁପାୟ । ତା ଶ୍ରେଣୀର ଦାସୀ ପକ୍ଷରେ ଆଉ ଉତ୍ତମ ସ୍ଥାନ ସ୍ଥିର କରିବା ଅସମ୍ଭବ । ସେ କେବଳ ଥରେ ମୋ ଆଡ଼େ କାତର ଦୃଷ୍ଟିରେ ଅନାଇଲା । ସେ ଦୃଷ୍ଟିର ଅର୍ଥ ହେଉଛି–ଏଥିରୁ ଅଧିକ ମୋ ଶକ୍ତିର ବାହାରେ । ସେ ପ୍ରସନ୍ନ ନ ଥିଲା । ମୋର ପୌରୁଷ ଗର୍ବ ପରାସ୍ତ ହୋଇଥିଲା । ଏକ ଦୀର୍ଘ ନିଃଶ୍ଵାସ ଟାଣି ମୁଁ ନିଜର ଅସନ୍ତୋଷ ପ୍ରକାଶ କଲି । ସେ ନିସର୍ଗ ସୁକୁମାର ରାଜବାଳାକୁ ଅନାଇବାର ସାହସ ମୋର ରହିଲା ନାହିଁ । ଅବସନ୍ନ ହୋଇ ବସି ପଡ଼ିବାକୁ ଯାଉଛି, ରାଜବାଳା କ୍ଲାନ୍ତ ସ୍ଵରରେ କହିଲେ–“ଭଦ୍ର, ବିଳମ୍ବ ହେଉଛି; ଯାହାକିଛି କରଣୀୟ କର ।” ବିଦ୍ୟୁତ ଭଳି ମୋର ସାରା ଅସ୍ତିତ୍ଵରେ ଚେତନା ଖେଳିଗଲା-। ମନରୁ ଜଡ଼ଭାବ ଚାଲିଯିବାକୁ ଲାଗିଲା । ମନେ ହେଲା, ଅମୃତ-ସଞ୍ଜିବନୀ ମୋ ଭିତରେ ଯେପରି ନୂଆ ପ୍ରାଣ ସଞ୍ଚାର କରୁଛି । ବିନୀତ ସ୍ୱରରେ କହିଲି–“ଦେବୀ, ଆଜି ଆମେ ଏହି ସ୍ଥାନରେ ବିଶ୍ରାମ କରିବା; କାଲି ମୁଁ କିଛି ନୂତନ ବ୍ୟବସ୍ଥା କରିବି । ଆପଣଙ୍କ ପାଇଁ ମୋର ଦୁଃଖ ହେଉଛି, କିନ୍ତୁ ନିରୁପାୟ ।” ଉତ୍ତର ମିଳିଲା–“ନା, ମୋର କୌଣସି କଷ୍ଟ ହେବ ନାହିଁ ଯାହା କରିବାର କଥା କର ।” ଗୋଟିଏ ଛୋଟ କୋଠରୀକୁ ଯିବାପାଇଁ ନିପୁଣିକା ସଙ୍କେତ କଲା । ସେ କହି ପାରୁ ନ ଥିଲା–ବୋଧହୁଏ କାନ୍ଦୁଥିଲା । ସାମାନ୍ୟ ପରିଷ୍କାର ଓ ଦୃଢ଼ ଥିଲା ସେ କୋଠରୀଟି । ପୂର୍ବରୁ ସେଠାରେ ଗୋଟିଏ କମ୍ବଳ ବିଛା ହୋଇଥିଲା । ବିଶ୍ରାମ କରିବାପାଇଁ ମୁଁ ରାଜବାଳାଙ୍କୁ କହିଲି । ସେ ବସିଲାପରେ ଆମେ ଦୁଇଜଣ ଅନ୍ୟ କାର୍ଯ୍ୟରେ ଲାଗିଲୁ ।

 

ନିପୁଣିକା କିଛି ସମୟ ନୀରବରେ କାର୍ଯ୍ୟ କରିଯିବାକୁ ଲାଗିଲା କିନ୍ତୁ ତାର ପ୍ରତ୍ୟେକ କ୍ରିୟାରେ ଏକ ବ୍ୟାକୁଳ ଆଶଙ୍କାଭାବ ପ୍ରକଟ ହେଉଥିଲା । ପ୍ରକୃତ କଥା କଣ ବୋଲି ମୁଁ ପଚାରିଲି-। ପ୍ରଥମେ ତ ସେ ନିସ୍ତବ୍‍ଧ ହୋଇ ଠିଆହୋଇ ରହିଲା; ତା ପରେ ବୃଦ୍ଧ ପୂଜାରୀଙ୍କୁ ହାତକରି ସେ କିପରି ଏ ଘରଟି ସ୍ଥିର କରିଛି, ତାହା କହିଲା । ଏ ମନ୍ଦିରକୁ ଖୁବ୍ ଭଲ ଲୋକ ଆସନ୍ତି ସତ କିନ୍ତୁ ଏ ସ୍ଥାନ ଯେ ସୁରକ୍ଷିତ ନୁହେଁ, ଏ ବିଷୟରେ ନିପୁଣିକାର ସନ୍ଦେହ ନ ଥିଲା । ସେ କହିଲା–ଦିନବେଳେ ଏ ଘର ପୂର୍ଣ୍ଣରୂପେ ବନ୍ଦ ରହିବା ଉଚିତ । ଦିନସାରା ମୋତେ ବାହାରେ ରହିବାକୁ ପଡ଼ିବ । ରାତିରେ ପୂଜାରୀ ଶୋଇଲାପରେ ନିପୁଣିକା ସହିତ ସାକ୍ଷାତ କରିବା ସମ୍ଭବ ହେବ । କିନ୍ତୁ ଯେଉଁ କଥା ସେ କହିଲା ନାହିଁ, ତାହାହିଁ ଥିଲା ତାର ପ୍ରଧାନ ବକ୍ତବ୍ୟ । ସେ ଭୟଭୀତ ହୋଇପଡ଼ିଥିଲା । ପ୍ରଥମେ ଏ ସ୍ଥାନକୁ ଆସିବାର ପରିଣାମ ଯେତେ ସହଜ ବୋଲି ଜଣା ପଡ଼ୁଥିଲା ବର୍ତ୍ତମାନ ସେତେ ସହଜ ନୁହେଁ ବୋଲି ସେ ଜାଣିଲା । ତାକୁ ଅଭିଭୂତ କରିଥିଲା ସ୍ତ୍ରୀ–ସୁଲଭ ଭୀରୁତା । ସାହସ ଦେଇ କହିଲା, ‘‘ନିଉନିୟା, ବାଣଭଟ୍ଟ ସହିତ ଥାଇ ମଧ୍ୟ ତୁ ଭୟ କରୁଛୁ ?” ସେ ଚକ୍ଷୁ ନତ କରି ସ୍ଖଳିତ ସ୍ଵରରେ ‘ନା’ କହି ଧୀରେ ଧୀରେ ଭୀତରକୁ ଚାଲିଗଲା । ପ୍ରଭାତ ହୋଇ ଆସୁଥିବାର ଦେଖି ମୁଁ ବାହାରକୁ ଆସିଲି । ନିପୁଣିକା ଭିତରୁ ଦ୍ଵାର ବନ୍ଦ କଲା ।

 

ଦେଖୁ ଦେଖୁ ଚନ୍ଦ୍ରମା ପଦ୍ମ-ମଧୁରେ ରଞ୍ଜିତ ବୃଦ୍ଧ କଳହଂସ ପରି ଆକାଶ–ଗଙ୍ଗା–ପୁଳିନରୁ ଉଦାସ ଭାବରେ ପଶ୍ଚିମ ଜଳଧି ତଟରେ ଓହ୍ଲାଇଗଲେ । ଦିକ୍‍ମଣ୍ଡଳ ଚିତା–ମୃଗର ରୋମରାଜିଭଳି ପାଣ୍ଡୁର ହୋଇଗଲା ହସ୍ତୀର ରକ୍ତରେ ରଞ୍ଜିତ ସିଂହର କେଶର ଭଳି ଅଥବା ଲୋହିତ ବର୍ଣ୍ଣ ଲକ୍ଷାରସର ସୂତ୍ରଭଳି ସୂର୍ଯ୍ୟକିରଣ ଆକାଶରୂପୀ ବନ ଭୂମିରେ ନକ୍ଷତ୍ରରୂପୀ ପୁଷ୍ପକୁ ଶାଖାଚ୍ୟୂତ କରିବାକୁ ଲାଗିଲା । ତାରକାଗୁଡ଼ିକ ଲୁପ୍ତ ହେଲେ । ଅବଶିଷ୍ଟ ଗୋଟିଏ ଦୁଇଟି ଜଣା ପଡ଼ୁଥିଲେ ସତେ ଯେପରି ପଶ୍ଚିମ ଆକାଶରୂପୀ ସମୁଦ୍ର ତଟରେ ଶାମୁକାର ଉନ୍ମୁକ୍ତ ମୁଖରୁ ନିର୍ଗତ ମୁକ୍ତା ପଟଳ ! ପୂର୍ବଦିଗରେ ସୂର୍ଯ୍ୟମଣ୍ଡଳର ପ୍ରଭା ପ୍ରକାଶିତ ହେଲା । କ୍ରମେ ଶିଶିରବିନ୍ଦୁକୁ ବହନ କରି, ପଦ୍ମବନକୁ ପ୍ରକମ୍ପିତ କରି, ପରଶ୍ରାନ୍ତ ନଗର–ରମଣୀଙ୍କର ଧର୍ମ–ବିନ୍ଦୁକୁ ବିଲୁପ୍ତ କରି, ବନ–ମହିଷୀଙ୍କର ଫେଣବିନ୍ଦୁରେ ସିଞ୍ଚିତ ହୋଇ, କମ୍ପିତ ପଲ୍ଲବ ଓ ଲତାସମୂହକୁ ନୃତ୍ୟଶିକ୍ଷା ଦେଇ, ପ୍ରସ୍ଫୁଟିତ ପଦ୍ମର ମଧୁବର୍ଷଣ କରି ଓ ପୁଷ୍ପ–ସୌରଭରେ ଭ୍ରମରଙ୍କୁ ସନ୍ତୁଷ୍ଟ କରି ମନ୍ଦ–ମନ୍ଦ ସଞ୍ଚାରୀ ପ୍ରାତଃ ସମୀରଣ ବହିବାକୁ ଲାଗିଲା । ଛୋଟ ଲାଜକୁଳରେ ସେତେବେଳେ କି ଅବସ୍ଥା କିଏ ଜାଣେ-? ହୁଏତ ବୃଦ୍ଧ ବାଭ୍ରାବ୍ୟଙ୍କୁ ଅଧିକ ଆଘାତ ସହିବାକୁ ପଡ଼ିଥିବ । ସମ୍ଭବତଃ ନିପୁଣିକାର ଗୃହରେ ଅଗ୍ନି ସଂଯୋଗ କରି ଦିଆଯିବଣି ! ଏ ବିପତ୍ତିରେ ମୁଁ ନିପୁଣିକା ପାଖରେ ରହିଛି ଏବଂ ନଗରରେ ମୁଁ ମଧ୍ୟ ଅପରିଚିତ–ଏହାହିଁ ମୋତେ ସନ୍ତୋଷ ଦେଲା । ଆବଶ୍ୟକ ସାମଗ୍ରୀ ଆଣିବାପାଇଁ ଆମେ ଯେତେବେଳେ ନିପୁଣିକାର ଗୃହକୁ ଯାଇଥିଲୁ, ସେତେବେଳେ ମୁଁ ମୋର ଶୁକ୍ଳବସ୍ତ୍ର ପରିଧାନ କରିଥିଲି । ମୁଁ ବର୍ତ୍ତମାନ ଜଣେ ନିରୀହ ବ୍ରାହ୍ମଣ । ସାରା ରାତ୍ରିର କ୍ଲାନ୍ତିରେ ସାମାନ୍ୟ ଅବସନ୍ନ ହୋଇପଡ଼ିଥିଲି କିନ୍ତୁ ଆରାମ କରିବାର ପ୍ରବୃତ୍ତି ନ ଥିଲା । ଉତ୍ତମ ସ୍ଥାନ ବିଷୟରେ ହିଁ ଚିନ୍ତା କରୁଥିଲି । ନିକଟସ୍ଥ ପୁଷ୍କରିଣୀରେ ମୁହଁ ହାତ ପ୍ରକ୍ଷାଳନ କରି ମୁଁ ଦେବୀଙ୍କ ନିକଟକୁ ଯାଇ ସ୍ତୁତିପାଠ ଆରମ୍ଭ କଲି । ଏକ ବୃଦ୍ଧ ବ୍ରାହ୍ମଣ ଚଣ୍ଡୀ ମନ୍ଦିରରେ ପ୍ରବେଶ କରି ଭକ୍ତିରେ ଦେବୀଙ୍କୁ ପ୍ରଣାମ କଲେ ଓ ପରିକ୍ରମା କରି ପ୍ରାଙ୍ଗଣରେ ଠିଆ–ହେଲେ । ମୁଁ ମଧ୍ୟ ପରିକ୍ରମା କଲି ଓ ପ୍ରଣାମ କଲି । ମୋର ମନେ ହେଲା ବୃଦ୍ଧ ବ୍ରାହ୍ମଣ ମୋତେ କିଛି ପଚାରିବାକୁ ଚାହୁଁଛନ୍ତି । ପାଖକୁ ଯାଇ ପ୍ରଣାମ କଲି । ଆର୍ଶୀବାଦ ଦେଇ ସେ କହିଲେ, ପୂର୍ବରୁ ସେ ମୋତେ ଆଦୌ ଦେଖିନାହାନ୍ତି । ଏଠିକି କିପରି ଆସିଲି ତାହା ସେ ଜାଣିବାକୁ ଚାହିଁଲେ । ବିନୀତ ସ୍ଵରରେ କହିଲି–“ମୁଁ ବିଦେଶୀ, ରାତିରେ ରହିଯାଇଛି ।” କିଛି ସମୟ ପର୍ଯ୍ୟନ୍ତ ସେ ହସିଲେ । ତାପରେ କହିଲେ, ‘‘ଦେଖୁଛି ଆପଣ ଭାଗ୍ୟବାନ୍ ! ପୂଜାରୀ ବାବାଙ୍କ ସହିତ ସାକ୍ଷାତ୍ ହେଲାଣି ?”

 

ମୁଁ ନମ୍ରତାପୂର୍ବକ ଉତ୍ତର ଦେଲି–‘‘ପୂଜାରୀ ବାବାଙ୍କୁ ମୁଁ ଜାଣି ନାହିଁ ।’’

 

‘‘ସେ କହିଲେ–“ଜାଣିଥିଲେ ଏଠି ରହି ନ ଥାନ୍ତ ।”

 

ମୁଁ କାରଣ ପଚାରିଲି । ସେ ହସି ହସି ପୂଜାରୀ ବାବାଙ୍କର ପରିଚୟ ଦେଲେ । ଜଣା ପଡ଼ିଥିଲା ବୃଦ୍ଧ ବେଶ ରସିକ, ବେଶ୍ ଶ୍ରୁତିମଧୁର ଭାଷାରେ ପୂଜାରୀ ବାବାଙ୍କ ବିଷୟ ବର୍ଣ୍ଣନା କଲେ-। ପୂଜାରୀ ବାବା ହେଉଛନ୍ତି ଜଣେ ବୃଦ୍ଧ ଦ୍ରାବିଡ଼ ସାଧୁ । ତାଙ୍କର ତ୍ରିପଣ୍ଡ କୃଷ୍ଣ ଶରୀରରେ ଶିରାଗୁଡ଼ିକ ଏଭଳି ସ୍ପଷ୍ଟ ଯେ, ମନେ ହୁଏ ସତେ ଯେପରି ପୋଡ଼ା ଖମ୍ବ ଉପରେ ଝିଟିପିଟି ଚଢ଼ିଛନ୍ତି-। ସମସ୍ତ ଶରୀରଟି ଘା’ଦାଗରେ ଆଚ୍ଛନ୍ନ, ସତେ ଯେପରି ଅଲକ୍ଷ୍ମୀ–ଦେବୀ–ଶୁଭ ଲକ୍ଷଣଗୁଡ଼ିକୁ ଦେହରୁ କାଟି ପୃଥକ୍ କରି ଦେଇଛନ୍ତି । ସୌଖିନ କମ୍ ନୁହନ୍ତି । ବୃଦ୍ଧ ହେଲେଣି କିନ୍ତୁ କାନରେ ଚମ୍ପକ ଫୁଲ ଦୋଳି ଖେଳେ । ସେ ଜଣେ ଭକ୍ତ; କାରଣ ଚଣ୍ଡି ମନ୍ଦିରର ଚୌକାଠ ଉପରେ ମୁଣ୍ଡ ପିଟି ପିଟି ଲଲାଟରେ ଲକ୍ଷ ଦାଗ ବସିଛି । ସେ ତାନ୍ତ୍ରିକ ମଧ୍ୟ । ବୃଦ୍ଧା ତୀର୍ଥଯାତ୍ରୀଙ୍କ ଉପରେ ପ୍ରାୟ ବଶୀକରଣ ଚୂର୍ଣ୍ଣ ପକାନ୍ତି । ସେ ପ୍ରୟୋଗ–କୁଶଳ ମଧ୍ୟ, କାରଣ ଥରେ ଥରେ ଗୁପ୍ତ ସ୍ଥାନରେ ରତ୍ନ ଦେଖାଇବାର ଉଜ୍ଜ୍ଵଳ ପିନ୍ଧି ଆଖି ହରାଇ ସାରିଛନ୍ତି । ତାଙ୍କୁ ଚିକିତ୍ସକ ବି କହିହେବ । ନିଜର ଦୀର୍ଘ ଅଗ୍ର ଦନ୍ତକୁ ସମାନ କରିବାକୁ ଯାଇ ଅନ୍ୟ ଦନ୍ତ ବି ହରାଇଛନ୍ତି । ଦୀର୍ଘ ଦନ୍ତ କିନ୍ତୁ ସ୍ଥାନଚ୍ୟୂତ ହୋଇନାହିଁ । ବେଶ୍ ବିନୋଦୀ ! କାରଣ ଥରେ ପିଲାଙ୍କୁ ମାରିବାପାଇଁ ଇଟା ଧରି ପଛରେ ଗୋଡ଼ାଉ ଗୋଡ଼ାଉ କଚଡ଼ା ଖାଇଥିଲେ । ସେଥିରେ ଓଠର କିଛି ଅଂଶ କଟିଯାଇଛି । ତାଙ୍କର ବିଦ୍ୟାଭଣ୍ଡାର ଅକ୍ଷୟ । ଦକ୍ଷିଣାପଥର ସମସ୍ତ ସମ୍ପତ୍ତି ପାଇବା ଆଶାରେ କପାଳରେ ତିଳକ ଧାରଣ କରିଛନ୍ତି । ହରିତ ତେନ୍ତୁଳି ପତ୍ରରସରେ ଶ୍ମଶାନର କୋଇଲାକୁ ପେଷି ସେଥିରୁ ଶାମୁକାଏ ରଙ୍ଗ ରଖିଛନ୍ତି । ତାଙ୍କର ବିଶ୍ଵାସ ତାଙ୍କୁ ଦେଖିଦେଲା ମାତ୍ରେହିଁ ଧନୀମାନଙ୍କର ହୃଦୟରେ ଉଚ୍ଚାଟନ ହେବ ଓ ସେମାନେ ନିଜର ସମ୍ପତ୍ତି ଛାଡ଼ି ଚାଲିଯିବେ । ମାୟା ବଶୀକରଣ ଉପରେ ମଧ୍ୟ ତାଙ୍କର ଅଗାଧ ବିଶ୍ୱାସ । ଏଥିପାଇଁ ତାଳପତ୍ର ପୋଥି ଉପରେ ଅଳତା ରଙ୍ଗରେ ଲକ୍ଷେ ଥର ସେ ‘‘ହୁଁ ଫଟ” ଲେଖିଛନ୍ତି ଓ ସେଥିରେ ଗୁଗ୍‍ଗୁଳ ଧୂପ ଦେଇଛନ୍ତି । ତାଙ୍କର ବିଶ୍ଵାସ ସେ ପୋଥିକୁ ଦେଖିଦେଲାମାତ୍ରେ ରମଣୀମାନେ ତାଙ୍କର ଦାସୀ ହୋଇ ରହିବେ । ଗୋଟିଏ ବୋଲି ଆଖି । ପ୍ରତିଦିନ କିନ୍ତୁ ସେଥିରେ ଅଞ୍ଜନ ନ ଲାଗିଲେ ନ ହୁଏ । ରାତ୍ରି କଣା ହୋଇଥିବାରୁ ରାତ୍ରିରେ ଆଖିକୁ ଦେଖା ଯାଏନାହିଁ କିନ୍ତୁ ଅପ୍‍ସରାଙ୍କର ଅପ୍ରତ୍ୟଶିତ ଆଗମନ ଆଶାରେ ସାରାରାତ୍ରି ପ୍ରଦୀପ ଜାଳି ରଖନ୍ତି । ନିଦ୍ରାରେ କୁମ୍ଭକର୍ଣ୍ଣର ପ୍ରତିଦ୍ଵନ୍ଦୀ । ସ୍ଵପ୍ନରେ କିନ୍ତୁ ନୂପୁରର କ୍ଵଣନ ଶୁଣନ୍ତି । ମର୍କଟଙ୍କ ସହିତ ସ୍ପର୍ଦ୍ଧା କରି ବୃଷରୁ ପଡ଼ିଯାଇ ଗୋଟିଏ ପାଦ ହଟାଇଛନ୍ତି ସତ କିନ୍ତୁ ମୂଳସ୍ଥାନୀୟ ଉପାଦାନଗୁଡ଼ିକୁ ଯତ୍ନପୂର୍ବକ ସଂଗ୍ରହ କରି ରଖନ୍ତି । ବ୍ରାହ୍ମଣଙ୍କ ସହିତ ତାଙ୍କର ପ୍ରଚଣ୍ଡ ବୈରତା । ଆପଣ ଯଦି ଏଇ ମୁହୂର୍ତ୍ତରେ ଏଠାରୁ ଚାଲି ନ ଯାଆନ୍ତି, ତାହେଲେ ନିଶ୍ଚୟ ଗୋଟିଏ କିଛି ଉପଦ୍ରବ ଆରମ୍ଭ କରିଦେବେ । ଭଗବାନଙ୍କର ଅଶେଷ ଅନୁକମ୍ପା ଯେ ସେ ତାଙ୍କୁ କଣା, ଖଞ୍ଜ ଓ ବଧିର କରିଛନ୍ତି । ନ ହେଲେ ଏ ସ୍ଥାଣ୍ୱୀଶ୍ଵର ନ ଥାନ୍ତା ।

 

ବୃଦ୍ଧଙ୍କର ଏ ବର୍ଣ୍ଣନା ଶୁଣି ମୁଁ ବୁଝିପାରିଲି ନିପୁଣିକା କିପରି ତାଙ୍କୁ ବଶ କରିଥିବ । ମୋର କିନ୍ତୁ କୌତୁହଳ ହେଲା । ହସି ହସି କହିଲି, ‘‘ଏଭଳି ଲୋକୋତ୍ତର ମହାତ୍ମାଙ୍କର ଦର୍ଶନ ବିନା ଏଠୁଁ ଯିବା ତ ସମ୍ଭବ ନୁହେଁ ।” ବୃଦ୍ଧ ହସି ହସି କହିଲେ, ‘‘ନିଶ୍ଚୟ ଦର୍ଶନ କରନ୍ତୁ କିନ୍ତୁ ଟିକିଏ ସାବଧାନ ରହିବେ । ମୁଣ୍ଡ ଉପରେ କେତେବେଳେ ଯେ ପ୍ରହାର ପଡ଼ିବ, କହି ହେବ ନାହିଁ । ଏହା କହି ବୃଦ୍ଧ ସେଠାରୁ ଚାଲିଗଲେ । ପ୍ରାଙ୍ଗଣରୁ ଟିକେ ଦୂରରେ ରହି ମୁଁ ବୃଦ୍ଧ ପୂଝାରୀଙ୍କ ଆଗମନ ପ୍ରତୀକ୍ଷା କଲି ।

 

କିଛିକ୍ଷଣ ଅପେକ୍ଷା କରିଛି, ପୂଝାରୀଙ୍କୁ ବାହାରିବାର ଦେଖିଲି । ଚଣ୍ଡୀ ମନ୍ଦିରର ଗର୍ଭଗୃହରେ ହିଁ ସେ ଶୋଇଥିଲେ । ବେଶ୍ ରକ୍ତିମ ଚକ୍ଷୁ । ବୃଦ୍ଧଙ୍କର ବର୍ଣ୍ଣନାର ଅନୁରୂପ । ମନ୍ଦିରର ବାହାରକୁ ଆସି ସେ କିଛି ମନ୍ତ୍ର ପଢ଼ିଲେ ଏବଂ ହାତ–ଡବାରୁ କଳା କଳା ଚୂର୍ଣ୍ଣ ବାହାର କରି ଆମେ ରହିଥିବା ପ୍ରାଙ୍ଗଣ–ଗୃହ ଉପରକୁ ପକାଇଲେ । ବେଗରେ ଗୃହଆଡ଼କୁ ଆସୁ ଆସୁ ଥରେ ଦି ଥର ପାଦ ଖସିଲା ପରି ମନେ ହେଲା । ପ୍ରାଙ୍ଗଣ–ଗୃହର ଦ୍ଵାରରେ ସେ ଚୂର୍ଣ୍ଣ ନିକ୍ଷେପ କଲେ ଏବଂ କାଖରୁ ତାଳପତ୍ର ପୋଥି ବାହାର କରି ସିଧା କରି ଧଇଲେ । ତାପରେ ଦ୍ଵାରରେ ଧକ୍କା ମାରିବାକୁ ଲଗିଲେ । ବାହାରକୁ ଆସି ନିପୁଣିକା ଲିଳାକଟାକ୍ଷ ପାତରେ ବୃଦ୍ଧ ସାଧୁଙ୍କୁ ଅନାଇଲେ । ଏତିକିରେ ପୂଜାରୀଙ୍କର ଉପରପଟର ଅର୍ଦ୍ଧାବଶିଷ୍ଟ ଦନ୍ତ ବାହାରି ଆସିଲା ଓ ଶୁଷ୍କ କପୋଳ ଉପରେ ଅନୁରାଗର ରଙ୍ଗ ଖେଳିଗଲା । ଦୀର୍ଘକାଳପରେ ତାଙ୍କର ତନ୍ତ୍ର ସଫଳ ହୋଇଛି । ଅଳତାରଙ୍ଗରେ ଲିଖିତ ତାଳପତ୍ର ପୋଥିଟି ସେ ବରାବର ସିଧା କରି ଧରିଥାନ୍ତି । ନିପୁଣିକାର ଅବଶ୍ୟ ସେ ପୋଥି ଉପରେ ଧ୍ୟାନ ନ ଥିଲା କିନ୍ତୁ ଜଣାପଡ଼ୁଥିଲା ସାଧୁ ବାବା ତାହା ପୋଥିକାର ସୁପରିଣାମ ବୋଲି ମନେ କରୁଛନ୍ତି । ବୋଧହୁଏ ଆଶଙ୍କା କରୁଥିଲେ ପୋଥିଟି ସମ୍ମୁଖରୁ ଆଡ଼ କରିଦେଲେ ବଶୀକରଣର ପ୍ରଭାବ ଚାଲିଯିବ । ଦୂରରୁ ମୁଁ ଏ କୌତୁକ ଦେଖୁଥିଲି । ମୁଁ ଜାଣେନା ନିପୁଣିକା କଣ କହିଲା; କିନ୍ତୁ ଥରେ ସେ ଇଙ୍ଗିତ କରି ମୋତେ ଦେଖାଇଦେଲା । ମୋତେ ଦେଖି ପୂଜାରୀ ଅଗ୍ନିଶର୍ମା ହୋଇଗଲେ । ନିପୁଣିକା କବାଟ ବନ୍ଦ କରିଦେଲା ଓ ପୂଜାରୀ ଦୁମ୍ ଦୁମ୍ କରି ମୋଆଡ଼କୁ ମାଡି ଆସିଲେ । ନିପୁଣିକାର ହୁଏତ ଇଙ୍ଗିତ ଥିଲା ଯେ ଏ ସମୟ ନିର୍ଜନ ନୁହେଁ । ପୂଜାରୀ ମୋତେ କଣ ଯେ କହିଗଲେ ଠିକ ମନେ ନାହିଁ, କାରଣ ତାଙ୍କର ସ୍ଖଳିତ ବାଣୀକୁ ସ୍ପଷ୍ଟଭାବରେ ଶୁଣିବା ସହଜ ନ ଥିଲା; କିନ୍ତୁ ତାଙ୍କର କଥାଗୁଡ଼ିକ ଯେ ଭଦ୍ରୋଚିତ ହୋଇ ନ ଥିବ ତାହା ଠିକ୍‍ । ରାଗରେ ପାଚିଯାଇଥିଲେ ସେ । ଗୋଟିଏ ଗୋଡ଼ ସତ୍ତ୍ୱେ ଦୌଡ଼ିବାରେ କୌଣସି ତ୍ରୁଟି ରଖି ନ ଥିଲେ । ଶୀଘ୍ରତା ଯୋଗୁଁ ତାଙ୍କ ହାତର କଜ୍ଵଳ–ଚୂର୍ଣ୍ଣଡବା ଖସିପଡ଼ି ପ୍ରାୟ ଖାଲି ହୋଇଗଲା-। ମନେ ହେଲା ମୋତେ ସେ ସ୍ଥଳରେ ବସିବାର ପାପପାଇଁ ପ୍ରାୟଶ୍ଚିତ କରିବାକୁ ପଡ଼ିବ । ମୋ ଉପରକୁ ଖଣ୍ଡେ ପଥର ଫିଙ୍ଗିଲେ । କିନ୍ତୁ ସେଠାର ପ୍ରସ୍ତରଖଣ୍ଡ ମଧ୍ୟ ଯେପରି ତାଙ୍କୁ ପରିହାସ କରିବାକୁ ଚାହୁଁଥିଲା । ନିଜର ଉତ୍ତରୀୟରେ ଲାଗି ପଥରଟି ତାଙ୍କରି ପିଠି ଉପରେ ପଡ଼ିଲା । ବାବାଙ୍କର କ୍ରୋଧ ଶତଗୁଣ ବଢ଼ିଗଲା । ତାଙ୍କୁ କିପରି ଶାନ୍ତ କରିବି ନିରୁପାୟ ହୋଇ ଭାବୁଛି, ପଥରଟି ଠିକ୍‍ ସମୟରେ ସାହାଯ୍ୟ କଲା । ଉତ୍ତରୀୟ ଟାଣି ହୋଇଯାଇ ତାଙ୍କର ବକ୍ଷ ସ୍ଥଳ ଖୋଲିଗଲା । ଶୁଷ୍କ ପ୍ରାୟ ଚମକପୁଷ୍ପର ମାଳା ବାହାରି ଆସିଲା, କଳା ସୂତାରେ ବନ୍ଧା ଉଚ୍ଚାଟନର ଶାମୁକା ବାହାରକୁ ଦେଖାଗଲା । ବୁଝିପାରିଲି କ’ଣ କରିବାକୁ ହେବ । ଅତି ନମ୍ରତା ସହ ପ୍ରଣିପାତ କରି ହାତଯୋଡ଼ି କହିଲି, ‘‘ଆପଣ ଧନ୍ୟ, ଆପଣ ମହାନ୍ ଧାର୍ମିକ । ଅଦ୍ଭୁତ ଏହି ଉଚ୍ଚାଟନ–ଶୁକ୍ତି । ଅଦ୍ଭୁତ ଏହାର ମହିମା । ମୋତେ ନଗରଶ୍ରେଷ୍ଠୀ ଧନଦତ୍ତ ପଠାଇଛନ୍ତି । ଆପଣଙ୍କର ଏ ଅଦ୍ଭୁତ ଶୁକ୍ତିକୁ ଦେଖି ତାଙ୍କର ମୋହ ତୁଟିଯାଇଛି । ଧନ–ବୈଭବ ପଦ୍ମପତ୍ରର ବୁଦ୍‍ବୁଦ୍‍ଭଳି ତାଙ୍କଠାରୁ ପୃଥକ୍ ହୋଇଯାଇଛି । ସେ ସଂସାରରୁ ବୈରାଗ ଗ୍ରହଣ କରିଛନ୍ତି । ସେ ଚାହୁଁଛନ୍ତି ନିଜର ସମସ୍ତ ସମ୍ପତ୍ତି ଆଜି ହିଁ ଆପଣଙ୍କ ଚରଣରେ ସମର୍ପଣ କରିଦେବାକୁ । ଆପଣ ଯଦି ତାଙ୍କୁ ଶିଷ୍ୟତ୍ଵରେ ବରଣ କରନ୍ତି ତାହାହେଲେ ଏହି ମୁହୂର୍ତ୍ତରୁ ଆପଣଙ୍କ ସେବାରେ ସେ ନିଜକୁ ଅର୍ପଣ କରିବେ । ଆପଣଙ୍କର ସ୍ଵୀକୃତି ନ ପାଇଲା ପର୍ଯ୍ୟନ୍ତ ସେ ଅନ୍ନଜଳ ଗ୍ରହଣ କରିବେ ନାହିଁ । ‘‘ପରମଧାର୍ମିକ ପୂଜାରୀ ବାବା ଥରେ ଖୁବ୍ ଗର୍ବରେ ନିଜର ଆଶ୍ଚର୍ଯ୍ୟ ଗୁଣସମ୍ପନ୍ନ ଶକ୍ତିକୁ ଦେଖିଲେ ଓ ଶାନ୍ତ ହୋଇ କହିଲେ, ‘‘ଧନଦତ୍ତକୁ ମୋର କଲ୍ୟାଣ । ସେ ବଡ଼ ଧାର୍ମିକ । ସମ୍ପତ୍ତି ତ୍ୟାଗ କରିବାକୁ ତାକୁ କହି ଦେ । ଶିଷ୍ୟ ହେବାପାଇଁ ଚାହୁଁଛି ତ ସୌଗତ ସୁଗତଭଦ୍ର ପାଖକୁ ଯାଉ । ମୁଁ ଶିଷ୍ୟ କରେନା” । ଏତକ କହି ଗର୍ବରେ ପୁଣି ଥରେ ସେ ଶାମୁକା ଉପରେ ଦୃଷ୍ଟିପାତ କଲେ । ସେ ଦୃଷ୍ଟିର ତାତ୍ପର୍ଯ୍ୟ ଥିଲା–ଜାଲରେ ପଡ଼ିଛି, ଯିବ କୁଆଡ଼େ ? ମୋତେ ନୂତନ ସୂଚନା ମିଳିଲା । ହାତଯୋଡ଼ି କହିଲା–“ନିଜର ସମ୍ପତ୍ତିକୁ, ସେ ଅନ୍ୟ କାହାକୁ ଦେବାକୁ, ଚାହାନ୍ତି ନାହିଁ । ଆପଣଙ୍କର ଚରଣରେହିଁ ସମର୍ପଣ କରିବାର ସଂକଳ୍ପ କରିଛନ୍ତି । ଆପଣଙ୍କର ଅନୁମତି ପାଇଲେ ସୌଗତଙ୍କର ଶିଷ୍ୟ ବି ହେବେ । ଅନୁଜ୍ଞା ଦିଅନ୍ତୁ, ତାଙ୍କୁ ଏ ସନ୍ଦେଶ ଦେଇ ଆସେ । ‘‘ପୂଜାରୀ କହିଲେ,” ହଁ, ଯା; ସାଙ୍ଗେ ସାଙ୍ଗେ ଯା । କାଲି ମୁଁ କିଛି ଗ୍ରହଣ କରିବି ନାହିଁ । ଆଜିହିଁ ଏଠାରୁ କାନ୍ୟକୁବଜକୁ ଯାଉଛି । ସ୍ଥାଣ୍ୱୀଶ୍ଵରର ନାଗରିକ ହେଉଛନ୍ତି ଅସଭ୍ୟ, ଭାଗ୍ୟହୀନ ଓ କୁତ୍ସିତ । ମୁଁ ତାଙ୍କୁ ଘୃଣା କରେ ।” ଟିକିଏ ରହି ପୁଣି କହିଲେ, ‘‘ପରିହାସ କରିବାପାଇଁ ସେମାନେ ଏଠିକି ଆସିବେ । ଆଜି ପୂର୍ଣ୍ଣିମା–ତାଙ୍କର ଏ ଅଭଦ୍ରତା ମୁଁ ସହ୍ୟ କରିପାରିବି ନାହିଁ ।” ଏ କଥାର ରହସ୍ୟ ମୁଁ ପରେ ବୁଝିଲି । କଥା ହେଉଛି–ଫାଲ୍‍ଗୁନ ପୂର୍ଣ୍ଣିମାରେ ନାଗରିକମାନେ ବୃଦ୍ଧା ବେଶ୍ୟାଙ୍କ ସହ ପୂଜାରୀ ବାବାଙ୍କର କେତେ ଥର ବିବାହ କରି ଦେଇଥିଲେ । ଏଠିକାର ଲୋକେ ଏଭଳି ପରିହାସରେ ବେଶ ପ୍ରଗଳ୍‍ଭ । ପୂଜାରୀବାବା ଏ ପରିହାସର ଅର୍ଥ ବୁଝି–ପାରିଲେ ଓ ସେଦିନହିଁ ସ୍ଥାଣ୍ୱୀଶ୍ୱର ତ୍ୟାଗ କରିବାକୁ ସ୍ଥିର କଲେ । ବୋଧହୁଏ ନିପୁଣିକାକୁ ସାଥିରେ ନେବାର ଇଚ୍ଛା ଥିଲା । ଉତ୍ତମ ଅବସର ପାଇ ମୁଁ କହିଲି–“ତାହେଲେ ଚାଲନ୍ତୁ ପରମଧାର୍ମିକ ଶ୍ରୀମାନ୍ ଶ୍ରେଷ୍ଠୀ ଧନଦତ୍ତଙ୍କ ଗୃହକୁ । ନଗର ପ୍ରାନ୍ତରେ ଥିବା ଉଚ୍ଚ ମହଲଟିହିଁ ହେଉଛି ତାଙ୍କର ନିବାସ-ସ୍ଥାନ ।” ପୂଜାରୀବାବା ନିଜର ସଫଳତାରେ ଉନ୍ମତ୍ତ ହୋଇଥିଲେ । କହିଲେ–“ମୁଁ କାହାରି ପ୍ରାସାଦକୁ ଯିବାକୁ ଚାହେଁ ନାହିଁ । ଯାହାର ଗରଜ, ସେ ଏଠିକି ଆସିବ । ତୁ ଏଠାରୁ ଚାଲିଯା, ଯା–ସେହି ସୌଗତ ସୁଗତଭଦ୍ର ପାଖକୁ । ଘର ଘର ହୋଇ ସେ ଭିକ୍ଷା ମାଗି ବୁଲୁଛି । ମୁଁ ଏ ମନ୍ଦିର ଛାଡ଼ି କେଉଁଠିକି ଯିବି ନାହିଁ ।” ମୁଁ କହିଲି–“ସାଧୁ, ପରମଧାର୍ମିକ ସାଧୁ ! ଏହାହିଁ ତପସ୍ୟା, ଏହାହିଁ ହେଉଛି ପ୍ରକୃତ ଭକ୍ତି । ସେ ସୁଗତଭଦ୍ର କେଉଁଠି ରହୁଛି ?” ଅନତିଦୂରସ୍ଥିତ ଏକ ବିହାର ଆଡ଼କୁ ଉପେକ୍ଷାରେ ଅଙ୍ଗୁଳି ଦର୍ଶାଇ ସେ କହିଲେ–“ସେଠି-।” ତାପରେ ମୋଆଡ଼କୁ ନ ଅନାଇ ଚଣ୍ଡୀ–ମନ୍ଦିର ଆଡ଼କୁ ଚାଲିଲେ । ମୁଁ ଭାବିଲି ସେଠାକାର ରଙ୍ଗ ଦେଖି ଆସିଲେ କ୍ଷତି କଣ ? ବସ୍ତୁତଃ ଭୁଲି–ଯାଇଥିଲି ଯେ ପୂଜାରୀବାବାଙ୍କର ଅନୁଜ୍ଞା ନେଇ ମୋତେ ଧନଦତ୍ତ ପାଖକୁ ଯିବାକୁ ପଡ଼ିବ । ପୂଜାରୀ ମୋତେ ଅନାଇ କଡ଼ା କରି କହିଲେ–“ଶୀଘ୍ର ଯା; ବିଚରା ଧନଦତ୍ତକୁ ମାରିଦେବ । ତୁ ଗୋଟିଏ ପାପ-ଭ୍ରୂତ୍ୟ । ସେଠି ଅନ୍ନଜଳ ଛାଡ଼ି ବସିଛି, ଆଉ ତୁ ଏଠି ଠିଆହୋଇଛୁ ।” ସତରେ ତ, ମୁଁ କେଡ଼େ କୁଭୃତ୍ୟ !

 

ହାତଯୋଡ଼ି କହିଲି, ‘ହେ ପରମଧାର୍ମିକ ! ଧନଦତ୍ତଙ୍କ ମହଲ ପର୍ଯ୍ୟନ୍ତ ଆପଣଙ୍କର ଯିବା ଅତ୍ୟନ୍ତ ଆବଶ୍ୟକ । ସେ ଆପଣଙ୍କ ସହିତ ସେଠାରୁ ଗଙ୍ଗାତଟ ପର୍ଯ୍ୟନ୍ତ ଯିବେ ଓ ଗୋଧୂଳିର ଶୁଭ ମୁହୂର୍ତ୍ତରେ ଗଙ୍ଗାଜଳରେ ସଂକଳ୍ପ କରି ନିଜର ସମସ୍ତ ସମ୍ପତ୍ତି ଶ୍ରୀଚରଣରେ ସମର୍ପଣ କରିବେ । ଆପଣଙ୍କଠାରୁ ଏ ଅନୁଜ୍ଞା ନ ପାଇଲା ପର୍ଯ୍ୟନ୍ତ ମୁଁ ଏଠାରୁ ତିଳେହେଲେ ଘୁଞ୍ଚିବି ନାହିଁ । ସେ ଟିକେ ନରମ ହୋଇ କହିଲେ, ‘‘ଦେଖୁଛି ତୁ ଛାଡ଼ିବାର ଲୋକ ନୁହଁ । ଭକ୍ତ କ’ଣ କିଛି ନ କରାଇ ଛାଡ଼ିବ ? ଆଚ୍ଛା ଯାଉଛି କିନ୍ତୁ ତୋତେ ନେବି ନାହିଁ । ତୁ ଏଠାରୁ ଯା ।” ବୋଧହୁଏ ପରମଧାର୍ମିକଙ୍କର ସନ୍ଦେହ ହେଉଥିଲା ମୁଁ କିଛି ଭାଗ ନେବାକୁ ଚାହୁଁଛି । ହାତଯୋଡ଼ି କହିଲି,‘‘ତା କିପରି ହେବ ପ୍ରଭୁ ? ଶ୍ରେଷ୍ଠ ଧନଦତ୍ତଙ୍କ ମହଲ ତ ଆପଣ ଦେଖି ନାହାନ୍ତି ।” ଶ୍ରେଷ୍ଠୀ ଧନଦତ୍ତ ଓ ତାର ମହଲ ମୋର କଳ୍ପନାର ସୃଷ୍ଟି; କିନ୍ତୁ ଆଶ୍ଚର୍ଯ୍ୟର କଥା ଧାର୍ମିକ ପୂଜାରୀଙ୍କୁ ସେ ମହଲ ଦେଖାଯାଉଥିଲା । କହିଲେ–“ହଁ, ହଁ, ଦେଖିଛି, ବିଶାଳ ଅଶ୍ୱତ୍‍ଥ ବୃକ୍ଷ ଯା’ର ଆଗରେ, ସେହି ନା-?” ମୁଁ କହିଲି–“ଧନ୍ୟ ମହାରାଜ, ଠିକ୍ ସେହି । ଅଶ୍ଵତ୍‍ଥ ବୃକ୍ଷ ସମ୍ମୁଖସ୍ଥ ମହଲରେହିଁ ଶ୍ରେଷ୍ଠୀଙ୍କ ନିବାସ । ମହଲ ଭିତରକୁ ଯିବାକୁ ଯଦି ଆପଣଙ୍କର ଇଚ୍ଛା ନ ହୁଏ ତେବେ ଅଶ୍ୱତ୍‍ଥ ବୃକ୍ଷତଳେ ହିଁ, ଅପେକ୍ଷା କରିବେ । ମୁଁ ଯାଉଛି, ଶ୍ରେଷ୍ଠୀଙ୍କୁ ଏ ସମ୍ବାଦ ଦେବି ।” ଧାର୍ମିକ ଉପେକ୍ଷା କରି କହିଲେ, ‘‘ଆଚ୍ଛା ଯା । ମୁଁ ଅଶ୍ଵତ୍‍ଥ ବୃକ୍ଷ ତଳେ ଅପେକ୍ଷା କରିବି ।” ମୁଣ୍ଡ ନୁଆଇ ମୁଁ ପ୍ରଣାମ କଲି ଏବଂ ସେଠାରୁ ଚାଲିଗଲି । କିଛି ସମୟପରେ ପୂଜାରୀ ଅଳତାରଙ୍ଗରେ ରଞ୍ଜିତ ବସ୍ତ୍ର ପିନ୍ଧିଲେ, ଉତ୍ତରୀୟ ସଜାଡ଼ିଲେ ଓ କଜ୍ଜ୍ୱଳ–ଚୂର୍ଣ୍ଣ ପାଖରେ ରଖି ପ୍ରସ୍ଥାନ କଲେ । ମୁଁ ଭାବିଲି ନଗରର ସେପାଖ ପର୍ଯ୍ୟନ୍ତ ଯିବାକୁ ପୂଜାରୀର ପଙ୍ଗୁ ପାଦକୁ ଅନ୍ତତଃ ଦୁଇ ଘଣ୍ଟା ସମୟ ଲାଗିବ । ଦୁଇ ଘଣ୍ଟା ଜୀବ ପ୍ରତୀକ୍ଷାରେ ଏବଂ ଯଦି ସେହି ଅଜ୍ଞାତ ମହଲରେ ପ୍ରବେଶ ନ କରନ୍ତି ତାହାହେଲେ ଫେରିବାପାଇଁ ମଧ୍ୟ ଦୁଇଘଣ୍ଟା ଲାଗିଯିବ । ଛଅଘଣ୍ଟା ପର୍ଯ୍ୟନ୍ତ ମୁଁ ନିଶ୍ଚିନ୍ତ । ଇତିମଧରେ ଯଦି କିଛି ବ୍ୟବସ୍ଥା ହୋଇଯାଏ-! ପ୍ରାଙ୍ଗଣ–ଗୃହ ପାଖକୁ ଯାଇ ଧୀରେ ଧୀରେ ନିପୁଣିକାକୁ ଡାକିଲି । ସେ ମୋରି ପ୍ରତୀକ୍ଷାରେ ଥିଲା । ମୋତେ ଦେଖି ହସି ହସି କହିଲା, ‘‘ଅଭିନୟ ବେଶ୍ ସଫଳ ହେଲା ଭଟ୍ଟ ! ପୂଜାରୀ ଆସିଥିଲେ; ପ୍ରଚୁର ଅନ୍ନ ଦେଇଯାଇଛନ୍ତି । ଗୋଧୂଳି ପର୍ଯ୍ୟନ୍ତ ସେ ଅଶ୍ଵତଥ–ବୃକ୍ଷ ତଳେ ଅପେକ୍ଷା କରିବେ । ତୁମେ ଯେଉଁ ମହଲର କଳ୍ପନା କରିଛ ସତରେ ତାହା ଏଠାରୁ ବହୁ ଦୂର । ପୂଜାରୀ ଆଜି ରାତ୍ରିରେ ମଧ୍ୟ ଫେରିପାରିବ ନାହିଁ କାରଣ ସେ ରାତ୍ରିକଣା । ଇତିମଧ୍ୟରେ ଯଦି କିଛି ସୁବ୍ୟବସ୍ଥା ହୋଇପାରେ କର । ଭଟ୍ଟିନୀ ଭାରି ଉଦାସ ହୋଇପଡ଼ିଛନ୍ତି । ରାଜକନ୍ୟାଙ୍କୁ ନିପୁଣିକା ଭଟ୍ଟିଣୀ ବୋଲି କହୁଥିଲା । ଅନ୍ତଃପୁରର ପରିଚାରିକାମାନେ ରାଣୀଙ୍କୁ ଏଭଳି ସମ୍ବୋଧନ କରନ୍ତି । ମୁଁ ମଧ୍ୟ ତାଙ୍କୁ ‘ଭଟ୍ଟିଣୀ’ ଡାକିବାପାଇଁ ସ୍ଥିର କଲି । ଦୁଃଖ ହେଲା ଭଟ୍ଟିଣୀ ଉଦାସ ହେବାର ଶୁଣି । ସାହସ ଦେବାକୁ ଯାଇ ଟିକିଏ ଦୃଢ଼ ଭାବରେ କହିଲି, ‘‘ଉଟ୍ଟିଣୀ ଉଦାସ ହେବାର କୌଣସି ଆବଶ୍ୟକତା ନାହିଁ । ଏଇ ମୁହୂର୍ତ୍ତରେ ଯାଉଛି, କିଛିନା କିଛି ଗୋଟାଏ ବ୍ୟବସ୍ଥା କରିବି । ମୁଁ ଜାଣେନା ଏଠି ପାଖଆଖରେ କଣ ଅଛି । କେବଳ ପୂଜାରୀଙ୍କ କଥାରୁ ବୁଝିଛି, ପାଖରେ କୌଣସି ବୌଦ୍ଧ ବିହାର ଅଛି ଓ ସେଠାରେ ‘ସୁଗତଭଦ୍ର’ ନାମରେ ଜଣେ ଭିକ୍ଷୁ ରହୁଛନ୍ତି । ଥରେ ସେଠାକୁ ଯାଇ ଦେଖୁଛି କି ବ୍ୟବସ୍ଥା କରାଯାଇ ପାରେ । ଭିକ୍ଷୁମାନଙ୍କୁ ଅନେକ କିଛି ଜଣାଶୁଣା ।”

 

ଭଟ୍ଟିଣୀ ମୋ କଥା ଶୁଣିଲେ । ବସ୍ତୁତଃ ତାଙ୍କୁ ଶୁଣେଇବା ହିଁ ଥିଲା ମୋର ଉଦ୍ଦେଶ୍ୟ । ମୋତେ ଡାକି କହିଲେ–“କଣ କହୁଛ ଭଟ୍ଟ ? ସୁଗତଭଦ୍ର–କଣ ଏଠାରେ ଅଛନ୍ତି ? ତକ୍ଷଶିଳାକୁ ଧର୍ମପ୍ରଚାର କରିବାପାଇଁ ସେ ଯାଇଥିଲେ ନା ? ସେ କଣ ନାଳନ୍ଦାର ଆଚାର୍ଯ୍ୟ ଶୀଳଭଦ୍ରଙ୍କ ଗୁରୁଭାଇ ?" ‘‘ମୁଁ ଜାଣେ ନା, ଦେବୀ ! କେବଳ ଏତିକ ଶୁଣିଛି ଯେ ସୁଗତଭଦ୍ର ନାମରେ କୌଣସି ଭିକ୍ଷୁ ନିକଟସ୍ଥ ବିହାରରେ ରହୁଛନ୍ତି ।”

“ବୁଝ, ଭଦ୍ର ! ଆଚାର୍ଯ୍ୟ ଶିଳଭଦ୍ରଙ୍କର ସେହି ସହପାଠୀ ଯଦି ତକ୍ଷଶିଳାରୁ ଫେରିଆସିଥାନ୍ତି, ତାହେଲେ ଆଜି ମୋର ଭାଗ୍ୟ ପ୍ରସନ୍ନ । ସେ ମୋର ପିତା ତୁଲ୍ୟ । ତାଙ୍କ ପାଖକୁ ମୁଁ ସମ୍ବାଦ ପଠାଇବି ।”

ମୁଁ ବିନୀତ ଭାବରେ କହିଲି–“ଭଦ୍ରେ, ଅନତି ବିଳମ୍ବେ ମୁଁ ଏହା ବୁଝିଆସୁଛି । ଯଦି ସେ–ଇ ହୋଇଥାନ୍ତି, ତାହେଲେ ତାଙ୍କୁ କି ସନ୍ଦେଶ ମୁଁ ଦେବି ?”

ଭଟ୍ଟିଣୀ କହିଲି–“କହିବେ, ଦେବପୁତ୍ର ତୁଅର–ମିଳିନ୍ଦଙ୍କର କନ୍ୟା ଆପଣଙ୍କୁ ପ୍ରଣାମ କରୁଛି ଓ ଦର୍ଶନଲାଭ କାମନା କରୁଛି ।”

ଧକ୍‍କା ଲାଗିଲା ଛାତିରେ । କହିଲି–“ତାହେଲେ କଣ ଦେବୀ, ଆପଣ ହେଉଛନ୍ତି ତତ୍ରଭବାନ ବିଷମ–ସମରବିଜୟୀ, ବାହ୍ୱାଳିକ–ବିମର୍ଦ୍ଦନ ଦେବପୁତ୍ର ତୁଅର–ମିଳିନ୍ଦଙ୍କର କନ୍ୟା ?”

ରାଜବାଳାଙ୍କର ଆଖି ନଇଁଗଲା । ବିକଚ ପଦ୍ମସମ ନୟନରେ ଅଶ୍ରୁ ଭରିଗଲା । ରୁଦ୍ଧ କଣ୍ଠରେ କହିଲେ–“ହଁ, ଭଦ୍ର ।” ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଉପଯୁକ୍ତ ସ୍ଥଳରେ ବିଧାତା ପକ୍ଷପାତ କରିଛନ୍ତି । ହିମାଳୟ ଛଡ଼ା ଗଙ୍ଗାଧାରାକୁ ଜନ୍ମ ଦେବା କାହା ପକ୍ଷରେ ସମ୍ଭବ ? ମହାସମୁଦ୍ର ଛଡ଼ା କୌସ୍ତୁଭ–ମଣିକୁ କିଏ ଉତ୍ପନ୍ନ କରିପାରେ ? ଧରିତ୍ରୀ ବ୍ୟତୀତ ସୀତାଙ୍କୁ କିଏ ଜନ୍ମ ଦେଇପାରେ ? ବଡ଼ ଭାଗ୍ୟବାନ ମୁଁ, ଏଭଳି ମହିମାଶାଳିନୀ ରାଜବାଳାଙ୍କର ସେବା କରିବାର ଅବସର ପାଇଛି । ଆହା, କେଉଁ ମନ୍ଦ ଅଭିସନ୍ଧି ଏଭଳି କୁସୁମ–କଳିକାକୁ ଭାଙ୍ଗିଦେଇଛି ? କେଉଁ ଦୁର୍ବହ ଭୋଗଲିପ୍‍ସା ଏ ପବିତ୍ର ଶରୀରକୁ କଳୁଷିତ କରିବାର ସଙ୍କଳ୍ପ କରିଛି ? କେଉଁ ଦୁର୍ନିବାର ପାପ–ଚିନ୍ତା ଜ୍ୟୋସ୍ନାକୁ ମଳିନ କରିବାକୁ ଚାହେଁ ? ମୋର ହୃଦୟର ଭକ୍ତି ଆହୁରି ବଢ଼ିଗଲା । ସଂଭ୍ରମରେ ହାତଯୋଡ଼ି କହିଲି–"ହେ ରାଜନନ୍ଦିନୀ, ଆପଣଙ୍କର ଆଜ୍ଞା ଶିରୋଧାର୍ଯ୍ୟ; କିନ୍ତୁ ଆଜି ଏଭଳି ସନ୍ଦେଶ ନେବା ବୃଦ୍ଧିମାନର କାର୍ଯ୍ୟ ନୁହେଁ । ଆମର ପରିସ୍ଥିତି ଚିନ୍ତା କରନ୍ତୁ ତ ?”

ଭଟ୍ଟିଣୀ ଅବସନ୍ନ ହୋଇ କହିଲେ–“ମୁଁ ଜାଣେନା ଭଦ୍ର ! ଯାହା ଉଚିତ ମନେ କରୁଛ, କର । ଯଦି ସୁଗତଭଦ୍ର ଏଠାରେ ଥାଆନ୍ତି, ତାହେଲେ ତାଙ୍କୁ କହିବାରେ କିଛି କ୍ଷତି ନାହିଁ ।” ଏହା କହି ସେ କାନ୍ଦିବାକୁ ଲାଗିଲେ ।

ନିପୁଣିକା ରୁଦ୍ଧ ଗଳାରେ କହିଲା–“ନା, ଭଟ୍ଟିଣୀ, କାନ୍ଦନା ।” ସେ ତାଙ୍କର ଗଳା ଜାବୁଡ଼ି ଧରିଲା । କିଂକର୍ତ୍ତବ୍ୟବିମୂଢ଼ ହୋଇ ମୁଁ ଠିଆହୋଇ ରହିଲି । ନିପୁଣିକା ସେହି ରୁଦ୍ଧଗଳାରେ କହିଲା–ଭଟ୍ଟ, ଯାଅ ।’’

ମୁଁ ବାହାରକୁ ଚାଲି ଆସିଲି । ଆସୁ ଆସୁ ଦେଖିଲି ଭଟ୍ଟିଣୀ କଇଁ କଇଁ ହୋଇ କାନ୍ଦୁଛନ୍ତି-। ନିଶ୍ଚୟ ସେତେବେଳେ ମୋର ହୃଦୟ କାଷ୍ଠଭଳି ନିଷ୍ପ୍ରାଣ ହୋଇଥିବ; ନ ହେଲେ ଏତେବଡ଼ ବେଦନା ସହନ୍ତା କିପରି ? ନିପୁଣିକା କବାଟ ବନ୍ଦ କରିଦେଲା । ମୁଁ ବୌଦ୍ଧ–ବିହାର ଆଡ଼କୁ ଗତିକଲି କିନ୍ତୁ ପାଦରେ ମୋର ସ୍ପୁର୍ତ୍ତି ନ ଥିଲା । ସତରେ କଣ ଦେବପୁତ୍ର ତୁଅର–ମିଳିନ୍ଦଙ୍କ କନ୍ୟାଙ୍କପାଇଁ ମୁଁ କୌଣସି ଉପଯୁକ୍ତ ସ୍ଥାନ ଅନ୍ଵେଷଣ କରିପାରିବି ? ସତରେ କ’ଣ ଭଦନ୍ତ ସୁଗତଭଦ୍ର ଆଚାର୍ଯ୍ୟ ଶୀଳଭଦ୍ରଙ୍କର ସହାଧ୍ୟାୟୀ ? ଏହି ଚିନ୍ତାରେ ନିମଗ୍ନ ରହି ମୁଁ ବିହାରର ଦ୍ଵାରଦେଶରେ ଯାଇ ପହଞ୍ଚିଲି । ବିହାରଟି ଦ୍ଵିତଳବଶିଷ୍ଟ । ବିହାର ନିର୍ମାଣର ନୂତନ ଶୈଳୀ ସେଠାରେ ପ୍ରତୀତ ହେଉଥିଲା । ବାହାରୁ ଦିତଳକୁ ଯିବାପାଇଁ ସୋପାନଶ୍ରେଣୀ ଥିଲା । ଭିତରପଟେ ରାସ୍ତା ଥିଲା ତଳକୁ ଆସିବା ପାଇଁ । ଦ୍ଵିତଳକୁ ନ ଯାଇ ସେଠାକୁ ଯିବା ସମ୍ଭବ ନୁହେଁ । ବୁଝିପାରିଲି ଏଭଳି ବିହାର ନିର୍ମାଣ କରି ବୌଦ୍ଧମାନଙ୍କର କି ଲାଭ ହେଉଛି । ଏମାନେ ଆଜିକାଲି ସବୁ କିଛି ରହସ୍ୟମୟ କରିବାକୁ ଯାଉଛନ୍ତି । ହୁଏତ ଏ ଶୈଳୀ ସେହି ରହସ୍ୟମୟତାର ପରିଣାମ । କିନ୍ତୁ ଏଥିରେ ମୋର ଯାଏଆସେ କଣ ? ସମ୍ମୁଖରେ ବୌଦ୍ଧ–ବିହାର । ମୋତେ ଜାଣିବାକୁ ପଡ଼ିବ ସୁଗତଭଦ୍ର କିଏ । କିଛି ଯଦି ନ ହୁଏ ତାହେଲେ ବୃଥାରେ ସମୟ ନଷ୍ଟ କରିବାଦ୍ଵାରା ଅନର୍ଥ ହେବ । ବିହାରର ଦ୍ଵାରରେ କେହି ଜଣେ ହାତରେ ପୋଥି ଧରି ପଢ଼ୁଥିଲେ । ପଚାରିଲି–“ଭାଇ, ଭଦନ୍ତ ସୁଗତଭଦ୍ର ଅଛନ୍ତି ?”

ମୁଣ୍ଡ ନ ଟେକି ସେ ଉତ୍ତର ଦେଲେ–“ହଁ ।”

 

“ଆପଣଙ୍କୁ ଗୋଟିଏ କଥା ପଚାରିପାରେ କି ?”

 

ଗୋଟିଏ କାହିଁକି ଦୁଇଟି ପଚାରନ୍ତୁ”–ସେ ହସି କରି ମୁଣ୍ଡ ଉଠାଇଲେ ।”

 

ଏ ସୁଗତଭଦ୍ର କିଏ ?”

 

ସାମାନ୍ୟ କ୍ରୋଧ ହେଲା ତାଙ୍କର । କହିଲେ–“ଆପଣ ଆଚାର୍ଯ୍ୟ ସୁଗତଭଦ୍ରଙ୍କୁ ଜାଣନ୍ତି ନାହିଁ ? ସ୍ଵୟଂ ମହାରାଜାଧିରାଜ ଶ୍ରୀ ହର୍ଷବର୍ଦ୍ଧନ ନ ତକ୍ଷଶିଳାରୁ ତାଙ୍କୁ ଏଠାକୁ ଆଣିଛନ୍ତି । ଯାହାଙ୍କର ଚରଣଧୂଳି ପାଇବାପାଇଁ ନିଜେ ମହାରାଜାଧିରାଜ ସର୍ବଦା ଉତ୍ସୁକ, ସେହି ଆଚାର୍ଯ୍ୟ–ପ୍ରବର ସୁଗତଭଦ୍ରଙ୍କୁ ଆପଣ ଜାଣନ୍ତି ନାହିଁ ?”

 

ମୁଁ କହିଲି–“ମୁଁ ବିଦେଶୀ, ଭଦ୍ର !”

 

“କେଉଁଠୁ ଆସିଛନ୍ତି ?”

 

“ମୁଁ ମଗଧନିବାସୀ ।”

 

“ଭଦ୍ର, ଆପଣ ମଗଧ ନାମକୁ କଳଙ୍କିତ କରିଛନ୍ତି । ନାଳନ୍ଦାର ଭୁବନବିଶ୍ରୂତ ଆଚାର୍ଯ୍ୟ ଶୀଳଭଦ୍ରଙ୍କ ସହାଧ୍ୟାୟୀ ସୁଗତଭଦ୍ରଙ୍କୁ ଆପଣ ଜାଣନ୍ତି ନାହିଁ, ଅଥଚ କହୁଛନ୍ତି ଆପଣ ମଗଧନିବାସୀ !”

 

ମୁଁ ନିଜର ଅଜ୍ଞତା ସ୍ୱୀକାର କରି କହିଲି–“ଭାଇ, ଅଜ୍ଞ ଲୋକ ଦୟାର ପାତ୍ର । ଆପଣଙ୍କର ଏ ସଂଭାଷଣରେ ମୁଁ ଉପକୃତ । ମୁଁ ଆଚାର୍ଯ୍ୟଙ୍କର ଦର୍ଶନ ପାଇପାରିବି କି ?”

 

‘ଆଚାର୍ଯ୍ୟ ଅବରୁଦ୍ଧ ହୋଇ ନାହାନ୍ତି । କଣ ଚାହୁଁଛନ୍ତି ଆପଣ ? ମୁଁ ତାଙ୍କର ଅନୁଜ୍ଞା ଆଣିଦେବି ।”

 

“ତାଙ୍କୁ କହିବେ ମଗଧ ଦେଶନିବାସୀ ଦକ୍ଷ ଭଟ୍ଟ ଯେ କି ଲୋକଙ୍କ ନିକଟରେ ବାଣଭଟ୍ଟ ନାମରେ ପ୍ରସିଦ୍ଧ, ଆଚାର୍ଯ୍ୟ ପାଦଙ୍କ ଦର୍ଶନ ଅଭିଳାଷ କରୁଛି । ତାର କିଛି ନିବେଦନ ଅଛି ।” “ଆପଣ କଣ ଶାସ୍ତ୍ରାର୍ଥ ବିଚାରପାଇଁ ଆସିଛନ୍ତି ?”

 

“କେତେକ ଆବଶ୍ୟକ ବିଷୟରେ ଆଚାର୍ଯ୍ୟଙ୍କୁ ନିବେଦନ କରିବାକୁ ଚାହୁଁଛି ।”

 

“ଆଚ୍ଛା, ମୁଁ ପଚାରିଆସୁଛି, ଆପଣ ଏହିଠାରେ ଅପେକ୍ଷା କରନ୍ତୁ ।”

 

ସେ କିଛିକ୍ଷଣପରେ ଫେରିଆସିଲେ । ଏଥର ଦେଖିଲି ତାଙ୍କ ସ୍ଵରରେ ମୋପ୍ରତି କିପରି ସାମାନ୍ୟ ଉଦାରଭାବ । ଆସିଲାମାତ୍ରେ ପଚାରିଲେ, ‘‘ଆପଣ କ’ଣ ମଗଧର ମହାପଣ୍ଡିତ ସ୍ଵର୍ଗୀୟ ଜୟନ୍ତ ଭଟ୍ଟଙ୍କର କନିଷ୍ଠପୌତ୍ର ? ଆପଣଙ୍କ ନାମ ଶୁଣି ଆଚାର୍ଯ୍ୟପାଦ ଏ ପ୍ରଶ୍ନ ପଚାରିବାପାଇଁ ଆଦେଶ ଦେଇଛନ୍ତି ।” ମୁଁ ଆଶ୍ଚର୍ଯ୍ୟ ହେଲି । ତା ହେଲେ ଆଚାର୍ଯ୍ୟପାଦ ମୋତେ ଜାଣନ୍ତି । ମୋର କଳୁଷମୟ ଜୀବନର ସମସ୍ତ ପରିଚୟ ସେ ପାଇସାରିଛନ୍ତି ! କହିଲି–ହଁ, ମୁଁ ହେଉଛି ମହାପଣ୍ଡିତ ଜୟନ୍ତ ଭଟ୍ଟଙ୍କର ଅଭାଗା ପୌତ୍ର ।” ଆଉ କୌଣସି ଉତ୍ତରକୁ ପ୍ରତୀକ୍ଷା ନ କରି ସେ ଚାଲିଗଲେ ଓ ଶୀଘ୍ର ଫେରିଆସି କହିଲେ–“ଆଚାର୍ଯ୍ୟପାଦ ଏଇ ମୁହୂର୍ତ୍ତରେ ଆପଣଙ୍କୁ ଭେଟିବାକୁ ଚାହାନ୍ତି । ଆପଣ ପରମସୌଭାଗ୍ୟଶାଳୀ, ଆସନ୍ତୁ ।” ତାଙ୍କ ପଛରେ ମୁଁ ଏଭଳି ଭାବରେ ଚାଲିଲି ସତେ ଯେପରି ଶୂଳବିଦ୍ଧ ହେବାକୁ ଯାଉଛି ।”

 

ଦ୍ଵିତଳକୁ ଉଠି ଆମେ ତଳକୁ ଓହ୍ଳାଇଲୁ ଏବଂ ଏକ ସରୁ ମାର୍ଗଦେଇ ତଳର ପକ୍‍କା ପ୍ରାଙ୍ଗଣରେ ପହଞ୍ଚିଲୁ । ପ୍ରାଙ୍ଗଣର ଠିକ୍ ମଧ୍ୟସ୍ଥଳରେ ଏକ ଅଶ୍ଵତଥ–ବୃକ୍ଷ ନବୀନ କିଶଳୟରେ ପୂର୍ଣ୍ଣ-। ଆଚାର୍ଯ୍ୟ ତାରି ଘନଛାୟା ତଳେ ଉପବେଶନ କରିଥିଲେ । ପାଖରେ ଜଣେ ଦୁଇଜଣ ଶିଷ୍ୟ-। ମୁଁ ପହଞ୍ଚିଲାବେଳକୁ ଆଚାର୍ଯ୍ୟ ଜଣେ ଶିଷ୍ୟକୁ କିଛି ବିଶ୍ଳେଷଣ କରି ବୁଝାଉଥିଲେ । ମୋତେ ଲକ୍ଷ୍ୟ କରି ନ ଥିଲେ । ତାହା ମୋ ପକ୍ଷରେ ଭଲ ହେଲା, କାରଣ ତାରି ଭିତରେ ମୁଁ ନିଜକୁ ସଂଯତ କରିନେଲି । ଖୁବ୍ ବୃଦ୍ଧ ହୋଇ ଯାଇଥିଲେ ସେ । ତାଙ୍କର ମସ୍ତକ ମଣ୍ଡିତ ହୋଇଥିଲା କିନ୍ତୁ କାନ ଭିତରେ ଦୁଇ ଚାରୋଟି ଶୁକ୍ଳ କେଶ ବେଶ ଦେଖା ଯାଉଥିଲା । ବାର୍ଦ୍ଧକ୍ୟ ଆଚାର୍ଯ୍ୟଙ୍କୁ କିଭଳି ପ୍ରଭାବିତ କରିଅଛି, ତାର ପରିଚୟ ମିଳୁଥିଲା ସେଥରୁ । କେତେ ସ୍ନିଗ୍ଧ ଓ କରୁଣାର୍ଦ୍ର ତାଙ୍କର ଚକ୍ଷୁ ! କେତେ ଦୃଢ଼ ଓ ମଧୁର ତାଙ୍କର ବାଣୀ ! କେତେ ଯୁକ୍ତିପୂର୍ଣ୍ଣ ଓ ପ୍ରତ୍ୟୟୋତ୍‍ପାଦିନୀ ତାଙ୍କର ସ୍ଥାପନଶୈଳୀ !

 

ଏକଦୃଷ୍ଟିରେ ଅନାଇରହିଲି କିଛିକ୍ଷଣ । ତପସ୍ୟା ମଧ୍ୟ କେଡ଼େ ମହିମାଶାଳିନୀ ହୋଇପାରେ ! କାରଣ ସେହି ତପସ୍ୟା ହିଁ କରିଛି ତାଙ୍କର ଆକୃତିକୁ ତପ୍ତକାଞ୍ଚନପରି ନିର୍ମଳ । ଏକ ଅଦ୍ଭୁତ ଶାନ୍ତି ଫୁଟିଉଠୁଥିଲା ସେହି କାନ୍ତିରେ । କିଛି ସମୟପରେ ସେ ମୋତେ ଦେଖିଲେ । ହରଜଟାରୁ ନିର୍ଗତ ସହସ୍ରଧାର ନିର୍ମଳ ମନ୍ଦାକିନୀ ତାପଦଗ୍‍ଧ ଧରିତ୍ରୀକୁ ଶୀତଳ କରିବାପାଇଁ ପ୍ରବାହିତ ହେଲାଭଳି ତାଙ୍କ ଚକ୍ଷୁରୁ ଅପାର କରୁଣା–ସ୍ରୋତସ୍ଵିନୀ ପ୍ରବାହିତ ହୋଇଗଲା । ମୁହଁ ବୁଲାଇ ମୋତେ ଦେଖିବାପାଇଁ ତାଙ୍କୁ ଟିକିଏ କଷ୍ଟ କରିବାକୁ ପଡ଼ିଲା । ମୋତେ ଦେଖି କହିଲେ, ‘ଆ, ବତ୍ସ ! ତୁ ଜୟନ୍ତର କନିଷ୍ଠ ପୌତ୍ର, ନୁହେଁ ? ତତେ ଟିକେ ଦେଖେ ତ, ଆହା, ଠିକ୍ ଜୟନ୍ତ ପରି-। ଜୟନ୍ତ ମୋର ଗୁରୁଭାଇ । ବେଶ ସୌହାର୍ଦ୍ଧ୍ୟ ଥିଲା ଆମର । ଶେଷ ପର୍ଯ୍ୟନ୍ତ ସେ ମୋତେ ନିଜର ଭାଇ ବୋଲି ମନେ କରୁଥିଲା । ମୁଁ ତକ୍ଷଶିଳାକୁ ଗଲାପରଠୁଁ ଆଉ ଆମର ସାକ୍ଷାତ୍ ହୋଇନି-। ୪୦ ବର୍ଷପରେ ସେଠାରୁ ଫେରି ନାଳନ୍ଦାକୁ ଯାଇ ପ୍ରଥମେ ଜୟନ୍ତକୁ ଖୋଜିଲି । ସେତେବେଳେ ଜାଣିଲି ସେ ଧରିତ୍ରୀକୁ ଛାଡ଼ି ଗଲାଣି । ସେତିକିବେଳେ ଶୁଣିଥିଲି ତୁ ଘରଦ୍ଵାର ତ୍ୟାଗ କରି ବୁଲୁଛୁ । ତୋ ସହିତ ଦେଖାହେବାରୁ ମୁଁ ଆନନ୍ଦିତ ହେଉଛି । ବତ୍ସ, ଘରକୁ ଯିବା ପାଇଁ ବର୍ତ୍ତମାନ ବି କଣ ରୁଚି ନାହିଁ ?”

 

ବୃଦ୍ଧ ଆଚାର୍ଯ୍ୟଙ୍କର ଆଖିରେ ଲୁହ ଭରିଗଲା । ମୁଁ ନିଜକୁ ଆଶ୍ୱସ୍ତ ଓ ଗୌରବାନ୍ଵିତ ମନେ କଲି । ମନ ବିଶେଷ ଆନନ୍ଦିତ ହେଲା । ନିଜର ସ୍ନେହ–ରସରେ ବୃଦ୍ଧ ସେପରି ମୋତେ ନିମଗ୍ନ କରିଦେଲେ । ସାମାନ୍ୟ କାତର ସ୍ଵରରେ କହିଲି, ‘‘ଆର୍ଯ୍ୟ, ଦେଶକୁ ଯିବାର ରୁଚି ତ ଅଛି; କିନ୍ତୁ ଗୋଟିଏ ବିଶେଷ କାର୍ଯ୍ୟର ଦାୟିତ୍ଵ ଆସି ପଡ଼ିଛି । ଆର୍ଯ୍ୟପାଦଙ୍କ ସହ ନିଜର ପିତାମାତାଙ୍କ ସମ୍ୱନ୍ଧ ଥିବାର ଜାଣି ଆନନ୍ଦିତ ହେଉଛି । କିନ୍ତୁ ଏ ସମୟରେ ଯେଉଁ ଜଞ୍ଜାଳ ମୋତେ ଘେରିଛି ତାହା ମହାନ୍ ହେଲେହେଁ ମୋର ବଂଶ–ଗୌରବର ଅନୁକୂଳ ନୁହେଁ । ଆର୍ଯ୍ୟ, ଏଭଳି ବିଷୟରେ । ମୁଁ ଆପଣଙ୍କର ସାହାଯ୍ୟ ପ୍ରାର୍ଥନା କରିବା ପାଇଁ ଆସିଛି ଯାହା ଆପଣଙ୍କୁ କେବଳ କଷ୍ଟ ଦେବ । ମୁଁ ଅଭାଗା । ଯେଉଁ କାର୍ଯ୍ୟର ସାହାଯ୍ୟ ଚାହୁଁଛି, ତାହା ନଗଣ୍ୟ ନୁହେଁ ।’’ ବିକଚ ପୁଣ୍ଡରୀକପରି ଆଚାର୍ଯ୍ୟଙ୍କର ଚକ୍ଷୁ ଉଲ୍ଲସିତ ହେଲା । କହିଲେ, ‘‘କହ ବତ୍ସ, କି କାର୍ଯ୍ୟ ?” ଏଣେ ତେଣେ ଚାହିଁ କହିଲି, ‘‘ଆର୍ଯ୍ୟ, ମୁଁ ନିର୍ଜ୍ଜନତା ଚାହେଁ ।”

 

ଆଚାର୍ଯ୍ୟ ନିଜର ଶିଷ୍ୟମାନଙ୍କୁ ଅନାଇଲେ । ସଂକେତ ବୁଝି ସେମାନେ ଉଠିଗଲେ । ବୋଧହୁଏ ପାଠ ଶେଷ ହୋଇ ନ ଥିବାରୁ ଜଣେ ଶିଷ୍ୟ କେବଳ କିଛି ସମୟ ପାଇଁ ବସି ରହିଲା । ଆଚାର୍ଯ୍ୟ ମୋତେ କହିଲେ, ‘‘ବତ୍ସ, ଏ ଆୟୁଷ୍ମାନର ଗୋଟିଏ ସମସ୍ୟା ରହିଯାଇଛି ।” ନିଜର ଶିଷ୍ୟକୁ କହିଲେ, ‘‘ହଁ ଆୟୁଷ୍ମାନ, ତୋର ପ୍ରଶ୍ନ ହେଉଛି ଆର୍ଯ୍ୟମାନେ ଅସଙ୍ଗ ‘ଶୂନ୍ୟତା’ ଶବ୍ଦ ଉପରେ ଏତେ ମହତ୍ତ୍ଵ କାହିଁକି ରଖିଛନ୍ତି ? ଯେଉଁ ବସ୍ତୁ ‘ହଁ’ ନୁହେଁ, ଯାହା ‘ନାହିଁ’ ବି ନୁହେଁ କିମ୍ବା ‘ହଁ’ ଓ ‘ନାହିଁ’ ଏ ଦୁଇଟି ମଧ୍ୟ ନୁହେଁ ତଥା ଏ ଦୁଇଟିର ଅଭାବ ମଧ୍ୟ ନୁହେଁ, ତାକୁ କାହିଁକି ଶୂନ୍ୟତା ବୋଲି କହିଲେ ? ଏଇ ତୋର ପ୍ରଶ୍ନ, ନୁହେଁ ?

 

“ହଁ, ଆର୍ଯ୍ୟ !”

 

"ଆଚ୍ଛା, ଆୟୁଷ୍ମାନ, ତୁ ନିଜେ କୌଣସି ଉଚିତ ଶବ୍ଦ କହିପାରିବୁ ? ଆଶଙ୍କାର କୌଣସି କାରଣ ନାହିଁ, କହତ ଗୋଟିଏ ଶବ୍ଦ ?”

 

“ହଁ ଆର୍ଯ୍ୟ, ‘ନିରାଲମ୍ବ' ବା ‘ପରମତତ୍ତ୍ଵ’ ଭଳି ଶବ୍ଦ କହିଲେ ଦୋଷ କଣ ?”

 

“ସାଧୁ ଆୟୁଷ୍ମାନ; ସୌଗତ ପଣ୍ଡିତଙ୍କର ଏକ ସଂପ୍ରଦାୟ ‘ନିରାଲମ୍ବ’ ଶବ୍ଦକୁ ଏବେ ବିଶେଷ ମହତ୍ତ୍ଵ ଦେବାକୁ ଆରମ୍ଭ କଲେଣି । କିନ୍ତୁ ଏ ନିଷେଧାତ୍ମକ ଶବ୍ଦରେ ଯାହା ‘‘ନା ବି ନୁହେଁ” ସେଭଳି ବସ୍ତୁକୁ ବୁଝାଇ ପାରିବୁ ?

 

“ନା, ଆର୍ଯ୍ୟ !”

 

“ଆହୁରି ମଧ୍ୟ ‘ପରମତତ୍ତ୍ଵ’ କହିଲେ ‘ତତ୍’ ବସ୍ତୁର ସତ୍ତା ତ ମାନିବାକୁ ପଡ଼ିବ । ତାହେଲେ ତାକୁ ‘ହଁ ବି ନୁହେଁ’ କହିହେବ ?”

 

“ନା, ଆର୍ଯ୍ୟ !”

 

"ସାଧୁ ଆୟୁଷ୍ମାନ ! ତୋର ଦୁଇଟି ଶବ୍ଦ ତେବେ ନିରର୍ଥକ ହେଲେ, ନୁହେଁ ?”

 

“ତାହାହିଁ ତ ଜଣାପଡ଼ୁଛି, ଆର୍ଯ୍ୟ !”

 

“ସାଧୁ ବତ୍ସ ! ଶୂନ୍ୟତା ବା ନିରାଲମ୍ବ ବା ନିର୍ବାଣ ହେଉଛି ଏକ ଅନୁଭବଗମ୍ୟ ବିଷୟ । ଭାଷାର ଦୁର୍ବଳତାହିଁ ଏହାକୁ ନାମ ଦେଇପାରିନାହିଁ । ଏହା ହେଉଛି କେବଳ ପ୍ରଜ୍ଞାପ୍ତି ପାଇଁ କାର୍ଯ୍ୟ ଚଳାଇ ନେବାର ଶବ୍ଦ । ଏହାର ଶବ୍ଦାର୍ଥ ବୁଝିବାର ଚେଷ୍ଟା ବୃଥା । ଚିନ୍ତା କର । ଏହା ଏକ ଗୂଢ଼ରହସ୍ୟ, କେବଳ ପୁସ୍ତକ ପଢ଼ି ବୁଝିପାରିବୁ ନାହିଁ ।”

 

“ତାହାହେଲେ ଆଚାର୍ଯ୍ୟ ଯେଉଁ ଗ୍ରନ୍ଥ ଲେଖିଛନ୍ତି, ତାହା କ’ଣ ନିରର୍ଥକ, ଆର୍ଯ୍ୟ ?"

 

“ନା ଆୟୁଷ୍ମାନ, ଆଚାର୍ଯ୍ୟ ଜ୍ଞାନର ପ୍ରଦୀପ ଜାଳିଛନ୍ତି । ତୁ ପ୍ରଦୀପକୁ ବିଶ୍ଳେଷଣ କରୁଛୁ, ସେଥିରୁ ଉଦ୍ଭାସିତ ସତ୍ୟକୁ ନୁହେଁ ।’’

 

“ପ୍ରଦୀପର ଦୋଷରେ କଣ ପ୍ରକାଶର କ୍ଷତି ହୁଏନା, ଆର୍ଯ୍ୟ ?”

 

“କୂତର୍କ କରୁଛୁ ବତ୍ସ ! ଏକାଂଶରେ ଉପମା ସମ୍ଭବ । ତଦ୍‍ଗତ, ଭୂୟୋ ଧର୍ମତତ୍ତ୍ୱ ହିଁ ସାଦୃଶ୍ୟ । ଧର୍ମର ସାଧାରଣତ୍ତ୍ଵକୁ ବୁଝିଲେ ଉପମାର ତାତ୍ପର୍ଯ୍ୟ ବୁଝିପାରିବୁ । ସଦ୍ଧର୍ମରେ କୁତର୍କର ପ୍ରାବଲ୍ୟ ବଢୁଛି, ଆୟୁଷ୍ମାନ ! ଆଚାର୍ଯ୍ୟଙ୍କର ବାକ୍ୟର ତାତ୍ପର୍ଯ୍ୟ ଅନୁଶୀଳନ କର । ଆଚ୍ଛା ବର୍ତ୍ତମାନ ଯା, ମୋର କିଛି ଆବଶ୍ୟକୀୟ କାର୍ଯ୍ୟ ଅଛି ! ଭିକ୍ଷୁମାନଙ୍କୁ କହିବୁ, ଦକ୍ଷ ଭଟ୍ଟ ସହିତ ମୋର ବାର୍ତ୍ତାଳାପ ସମୟରେ ଯେପରି କୌଣସି ବିଘ୍ନ ନ ଘଟେ” ।

 

ଶିଷ୍ୟଟି ଚାଲିଗଲାପରେ ଆଚାର୍ଯ୍ୟ ମୋତେ ଜିଜ୍ଞାସୁ ଦୃଷ୍ଟିରେ ଅନାଇଲେ । ମୁଗ୍ଧ ହୋଇ ମୁଁ ଆଚାର୍ଯ୍ୟଙ୍କର ସ୍ନେହମୟୀ ଅଧ୍ୟାପନା ଶୈଳୀକୁ ଦେଖୁଥିଲି । ନିଜକଥା ଭୁଲିଯାଇଥିଲି କ୍ଷଣକପାଇଁ । କୌଣସି ଭୂମିକା ନ କରି କହିଲି, ‘‘ବିଷମ ସମର ବିଜୟୀ ବାହାକ–ବିମର୍ଦ୍ଦନ ପ୍ରତ୍ୟନ୍ତ ବାଡ଼ବ ଦେବପୁତ୍ର ତୁଅର–ମିଳିନ୍ଦଙ୍କର କନ୍ୟା ଆପଣଙ୍କର ଦର୍ଶନ ଚାହୁଁଛନ୍ତି ।”

 

ବିସ୍ମୟର ଏକ ଧକ୍‍କା ଲାଗିଲା ଆଚାର୍ଯ୍ୟଙ୍କୁ । ଚକ୍ଷୁ ବିସ୍ଫାରିତ ହୋଇଗଲା । କହିଲେ, ‘‘କଣ କହିଲୁ ବତ୍ସ ! ଦେବପୁତ୍ର ତୁଅର–ମିଳିନ୍ଦଙ୍କର ଏକମାତ୍ର କନ୍ୟା ଚନ୍ଦ୍ରଦୀଧିତି ଏପର୍ଯ୍ୟନ୍ତ ଜୀବିତା ? ସେ କେଉଁଠି ଅଛି ବତ୍ସ ? ତାର କି ଅବସ୍ଥା ? କୁଶଳରେ ଅଛି ତ ? ଶୁଣିଥିଲି ପ୍ରତ୍ୟନ୍ତ ଦସ୍ୟୁଙ୍କଦ୍ଵାରା ସେ ଅପହୃତା ହୋଇଥିଲା । ଠିକ୍ ତ ଦେଖିଛୁ ବତ୍ସ ! ସେ ହେଉଛି ସୁକୁମାରତାର ମୂର୍ତ୍ତି, ପବିତ୍ରତାର ଉତ୍ସ, ଶୋଭାର ଆଧାର, ଶୁଚିତାର ଆଶ୍ରୟଭୂମି, ମୂର୍ତ୍ତିମତି ଭକ୍ତି ଓ କାନ୍ତିମତି କରୁଣା । ଆହା', ତୁଅର–ମିଳିନ୍ଦର ନୟନତାରକା ଏପର୍ଯ୍ୟନ୍ତ ଜୀବିତା । କହ ବତ୍ସ, ତାକୁ ଦେଖିବାପାଇଁ ମୋର ମନ ବ୍ୟାକୁଳ ହେଉଛି ।”

 

ପ୍ରଥମ ଥରପାଇଁ ମୁଁ ରାଜକୁମାରୀଙ୍କର ନାମ ଶୁଣିଲି । ହାତଯୋଡ଼ି କହିଲି, ‘‘ଅତି ନିକଟରେ ଆର୍ଯ୍ୟ ! ଆପଣ ପ୍ରଥମେ ସମସ୍ତ ବିଷୟ ଶୁଣନ୍ତୁ ପରେ ଯାହା ଉଚିତ୍ ମନେ କରିବେ, କରିବେ ।” ମୁଁ ସମସ୍ତ ବିଷୟ ବର୍ଣ୍ଣନା କଲି । ବଙ୍କିମରେଖା କେତୋଟି ଟାଣି ହୋଇଗଲା ଆଚାର୍ଯ୍ୟଦେବଙ୍କର ସହଜ ଶାନ୍ତ କୋମଳ ମୁଖମଣ୍ଡଳରେ । କିଛି ସମୟ ମୋ ମୁହଁକୁ ଚାହିଁ ରହି ସେ କହିଲେ, ‘‘ସାଧୁ ବତ୍ସ ! ତୁ ଜୟନ୍ତର ଉପଯୁକ୍ତ ପୌତ୍ର ।” ସାମାନ୍ୟ ଭ୍ରୂକୁଞ୍ଚିତ କରି କହିଲେ, ‘‘ମୌଖରି–ବଂଶର କଲ୍ୟାଣ ହେଉ । ମୌଖରି ବଂଶର ସମସ୍ତ ଗୌରବ ଉପରେ ଏ ଛୋଟ–ରାଜକୁଳ କଳଙ୍କ ଆଣିବ । ଶାନ୍ତ ପାପମ୍, ଶାନ୍ତ ପାପମ୍ !” କେତେ ଚିନ୍ତା ଆଚାର୍ଯ୍ୟ–ପାଦଙ୍କର ମୁହଁ ଉପରେ ତରଙ୍ଗ ଖେଳାଇ ଦେଲା । ମନେ ମନେ ସେ ଯେପରି କାହା ସହିତ କଥା ହେଉଥିଲେ । କିଛି ସମୟ ନୀରବତାରେ କଟିଲା । ତା ପରେ ସେ ତାଙ୍କର ଜଣେ ଶିଷ୍ୟକୁ ଡାକି କହିଲେ, ‘‘ବତ୍ସ, କୁମର କୃଷ୍ଣ–ବର୍ଦ୍ଧନଙ୍କୁ ମୋର ସମ୍ବାଦ ଦିଅ ଯେ ଆଚାର୍ଯ୍ୟଦେବ ଅତି ପ୍ରୟୋଜନୀୟ କାର୍ଯ୍ୟରେ ଯେତେ ଶୀଘ୍ର ସମ୍ଭବ ସାକ୍ଷାତ୍ କରିବାକୁ ଚାହୁଁଛନ୍ତି ।

 

ଶିଷ୍ୟ ଚାଲିଗଲାପରେ ମୋତେ କହିଲେ, ‘‘ରାଜଦଣ୍ଡ ବଡ଼ କଠିନ । ବଡ଼ ସାହସର କାର୍ଯ୍ୟ କରିଛୁ । ମୁଁ ତୋ ଉପରେ ପ୍ରସନ୍ନ; କିନ୍ତୁ ରାତ୍ରିରେ ଅନ୍ତଃପୁରରେ ପ୍ରବେଶ କରିବା ଧର୍ମତଃ ନିଷିଦ୍ଧ । ଏଠାରେ ରହିଲେ ତୋ ଉପରେ ରାଜକୋପ ପଡ଼ିବ । ଚନ୍ଦ୍ରଦୀଧିତି ଓ ନିପୁଣିକାକୁ ନେଇ ତୁ ଯେତେ ଶୀଘ୍ର ସମ୍ଭବ ମଗଧକୁ ଯାତ୍ରା କର । ମୁଁ ତାର ବ୍ୟବସ୍ଥା କରିଦେଉଛି । ଚନ୍ଦ୍ରଦୀଧିତିକୁ ମୋର ଆଶୀର୍ବାଦ । ମୁଁ ତାର ନିରାପଦ ପ୍ରସ୍ଥାନର ଆୟୋଜନ କରୁଛି । ତୁ ଯାଇ ତାକୁ ଆଶ୍ୱାସନା ଦେ ଏବଂ ମୋପକ୍ଷରୁ ତାକୁ ବିଶ୍ଵାସ ଦେ ଯେ ଏଠାରେ ତାର କୌଣସି ଅନିଷ୍ଟ ହେବ ନାହିଁ । ଯା, ଶୀଘ୍ର ଯା–ପୂଜାରୀପ୍ରତି ସାବଧାନ ରହିବୁ । ସେ ମୁର୍ଖ ଓ ନୀଚ ।”

 

ମୁଁ ଭକ୍ତିପୂର୍ବକ ପ୍ରଣାମ କଲି ଓ କ୍ଷିପ୍ରଗତିରେ ଚଣ୍ଡୀ ମନ୍ଦିର ଆଡ଼କୁ ପ୍ରସ୍ଥାନ କଲି ।

Image

 

ପଞ୍ଚମ ପରିଚ୍ଛେଦ

 

ବିହାରରୁ ଫେରିଲାବେଳେ ମନ ବେଶ୍ ପ୍ରଫୁଲ୍ଲ ଥିଲା । ଆସିଲାବେଳେ ରାସ୍ତାକୁ ଦୃଷ୍ଟି ଦେଇ ନ ଥିଲି । ଚିନ୍ତିତ ମନୁଷ୍ୟ ଅନ୍ଧ ପରି । ବୃକ୍ଷଲତା ଉପରେ ବସନ୍ତର ବିସ୍ତାରିତ ପ୍ରଭାବକୁ ଲକ୍ଷ୍ୟ କଲି । ବିକଶିତ ମଞ୍ଜରୀର ସୌରଭରେ ଆକୃଷ୍ଟ ଭ୍ରମରପଂକ୍ତି ଛାଇ ଦେଇଥିଲେ ଆମ୍ର ବୃକ୍ଷକୁ । ପୁଷ୍ପ-ଧୂଳିର ମେଞ୍ଚା ମେଞ୍ଚା କେଶରଚୂର୍ଣ୍ଣ ବନଭୂମିକୁ ପୀତ ବାଲୁକାମୟ ପୁଲିନରେ ପରିଣତ କରିଥିଲା; ପୁଷ୍ପ-ମଧୁ ପାନରେ ପ୍ରମତ୍ତ ଭ୍ରମରୀ ବିହ୍ଵଳ ହୋଇ ଝୁଲୁଥିଲେ ଲତା-ରୂପ ଦୋଳାୟିତ ଦୋଳାରେ । ବିକଶିତ ମହୁଲ ପଲ୍ଲବର ଅନ୍ତରାଳରେ ଲୁଚି ମତ୍ତ କୋକିଳ ପୁଷ୍ପ-ମଧୁ ଆହରଣ କରୁଥିଲା ଓ ବୃକ୍ଷତଳେ ମଧୁ-ବୃଷ୍ଟି ହେଉଥିଲା । କେତୋଟି ବୃକ୍ଷ ଓ ଲତାରୁ ଜୀର୍ଣ୍ଣପୁଷ୍ପ ତଳକୁ ପଡ଼ୁଥିଲା ଓ ଭ୍ରମରଭାରରେ ଜର୍ଜରିତ ତାର ଗର୍ଭ-କେଶରରେ ଲତାମଣ୍ଡପ ମନୋରମ ହୋଇଉଠିଲା । ବିବିଧ ରଙ୍ଗର ପକ୍ଷୀଙ୍କଦ୍ଵାରା ବୃକ୍ଷସମୂହ ରମଣୀୟ ହୋଇ ଉଠିଥିଲେ । ବିସ୍ତୃତ ବିଶାଳ ପର୍କଟୀ ବୃକ୍ଷ ରକ୍ତ-କିଶଳୟରେ ଏଭଳି ପୂର୍ଣ୍ଣ ହୋଇଥିଲା ଯେ ମନେ ହେଉଥିଲା ମେରୁ ପର୍ବତ ପଦ୍ମରାଗମଣିର ଆକସ୍ମିକ ଆବିର୍ଭାବରେ ରକ୍ତବର୍ଣ୍ଣ ଧାରଣ କରିଛି । ପ୍ରସ୍ଫୁଟିତ କଞ୍ଚନ ପୁଷ୍ପରେ ନଗର ପ୍ରାନ୍ତର ବନସ୍ଥଳୀ ଶୋଭିତ ହୋଇଥିଲା ଏବଂ ଇତସ୍ତତଃ ପରିପୁଷ୍ଟ ଭାଣ୍ଡିରକ ଗୁଳ୍ମର ପୁଷ୍ପସ୍ତବକ ନିଜର ସୁଗନ୍ଧ ଓ ମଧୁରିମାରେ ପଥିକର ଚିତ୍ତକୁ ଅକାରଣ ଉତ୍କଣ୍ଠିତ କରୁଥିଲା । କାନ୍ୟକୁବ୍‍ଜରେ ସବୁଠୁଁ ପ୍ରିୟ ବୃକ୍ଷ ହେଉଛି ଆମ୍ର । ଇଦାନୀ ଆମ୍ରର ଉଲ୍ଲାସ ଯେପରି ସମଗ୍ର କାନ୍ୟକୁବ୍‍ଜ ସାମ୍ରାଜ୍ୟର ଉଲ୍ଲାସ ହୋଇ ଉଠିଥିଲା । ଫାଲ୍ଗୁନର ଏ ଭରା ଉଲ୍ଲାସ ଭିତରେ ମୁଁ ଏପରି ଚାଲିଥିଲି ସତେ ଯେପରି ଉଡ଼ିଚାଲିଛି । ଉଦ୍ଦେଶ୍ୟ ମୋର ସଫଳ ହୋଇଛି । ଆଚାର୍ଯ୍ୟଙ୍କ ସହିତ ଦେଖାହେଲା ପରେ ମୋର ହୃଦୟ–ଭାର ଯଥେଷ୍ଟ ଲଘୁ ହୋଇଛି । ଏ ପର୍ଯ୍ୟନ୍ତ, ଭଟ୍ଟିଣୀଙ୍କୁ କୌଣସି ଉତ୍ତମ ସ୍ଥାନକୁ ନେବାର ଚିନ୍ତାହିଁ ଥିଲା ପ୍ରବଳ । ତାଙ୍କର ଆହାର ଓ ବିଶ୍ରାମ କଥା ମନେ ନ ଥିଲା । ହଠାତ୍ ମନେପଡ଼ିଲା ରାତିରୁ ସେ ଓ ନିପୁଣିକା ନିରାହାରା । ମୁଁ ମଧ୍ୟ ତଥୈବ । ଦିନ ପ୍ରହରେ ବିତିଥିଲା । ବଜାରରୁ କିଛି ଫଳମୂଳ ସଂଗ୍ରହ କରିବା ପାଇଁ ସ୍ଥିର କଲି । କିନ୍ତୁ ଭଟ୍ଟିଣୀଙ୍କୁ ଆଶ୍ୱସ୍ତ କରିବା ତାହାଠାରୁ ଆହୁରି ଆବଶ୍ୟକ କାର୍ଯ୍ୟ । ତେଣୁ ପ୍ରଥମେ ତାଙ୍କ ସହିତ ଦେଖାକରି ବଜାରକୁ ଯିବା ଉଚିତ । ଚଣ୍ଡୀ ମନ୍ଦିର ପାଖରେ କେହି ନ ଥିଲେ । ପ୍ରାଙ୍ଗଣ ଗୃହର ଦ୍ଵାରରେ ଯାଇ ଆଘାତ କଲି । ନିପୁଣିକା ଅତି ସନ୍ତର୍ପଣରେ ଦ୍ଵାର ଖୋଲିଲା ଓ ମୁଁ ଭିତରେ ପ୍ରବେଶ କଲାମାତ୍ରେ ସାବଧାନତା ସହ ବନ୍ଦ କରିଦେଲା । ମୁଁ ମନେ ମନେ ସନ୍ତୁଷ୍ଟ ଥିଲି । ମନରେ ପ୍ରଚ୍ଛନ୍ନ ଗର୍ବ ବି ଥିଲା–ମୁଁ ନ ଥିଲେ ଏ ବିଚାରୀଙ୍କୁ କେତେ କଷ୍ଟ ସହିବାକୁ ପଡ଼ିଥାଆନ୍ତା ! କିନ୍ତୁ ମୋର ଗର୍ବ ସେଇ ମୁହୂର୍ତ୍ତରେ ଚୂର୍ଣ୍ଣ ହୋଇଗଲା । ଭଟ୍ଟିଣୀ କେଉଁଠି ବୋଲି ପଚାରିଲା ମାତ୍ରେ ନିପୁଣିକା ମୋତେ ଇଙ୍ଗିତରେ ଅଗଣାର କୋଣ ଦେଖାଇଦେଲା । ସ୍ନାନ ସାରି ଖଣ୍ଡେ ସାଧାରଣ ବସ୍ତ୍ର ପିନ୍ଧି ଭଟ୍ଟିଣୀ ଧ୍ୟାନରେ ବସିଥିଲେ । ସମ୍ମୁଖରେ ଏକ ଛୋଟ ବେଦି ଓ ତା ଉପରେ ନିପୁଣିକାର ଉପାସ୍ୟ ମହାବରାହଙ୍କର ଛୋଟ ମୂର୍ତ୍ତି । ସାଧାରଣ ବସ୍ତ୍ରର ପୃଷ୍ଠଭୂମିରେ ଭଟ୍ଟିଣୀଙ୍କର ଶୋଭାସଂପତ୍ତି ଶତଗୁଣ ସମୃଦ୍ଧିଶାଳିନୀ ହୋଇଉଠିଥିଲା । ତାଙ୍କର ଅଞ୍ଜଳିବଦ୍ଧ ସୁକୁମାର କରତଳର ଆଙ୍ଗୁଳିଗୁଡ଼ିକର ସୌନ୍ଦର୍ଯ୍ୟ ଦେଖି ଭ୍ରମ ହେଉଥିଲା ସତେ ଯେପରି ଶିଖାନ୍ତ ପର୍ଯ୍ୟନ୍ତ ମୁଦ୍ରିତ ମାଳତୀ ପୁଷ୍ପରେ ଆଚ୍ଛାଦିତ ତରୁଣ ଅଶୋକର କୋମଳ କିଶଳୟ ଶୋଭାପାଉଛି । ଧ୍ୟାନସ୍ତିମିତ ନୟନ ଦେଖି ମନେ ହେଲା ସତେ ଯେପରି ମହାବରାହଙ୍କର ଅପୂର୍ବ ଶୋଭାରେ ବିସ୍ମୟ ବିମୂଢ଼ ହୋଇ ଦୁଇ ଚପଳ ଖଞ୍ଜନ ଶାବକ ଚିତ୍ରଭଳି ସ୍ଥିର ହୋଇ ରହିଅଛନ୍ତି । ଭଟ୍ଟିଣୀଙ୍କର ଚତୁଃପାର୍ଶ୍ଵରେ ଖେଳି ବୁଲୁଥିଲା ଏକପ୍ରକାର ଅନୁଭାବ । କିଛି ସମୟ ପର୍ଯ୍ୟନ୍ତ ସେ ଶୋଭାକୁ ଅନାଇ ରହି ଭାବିଲି ବିଧାତାର କିଭଳି ଅଘଟଣ ବିଧାନ ! କି କୋମଳ ଏହି ଦେହ ଲତା କିନ୍ତୁ କେତେ ଅନୁଭାବ–ସଂପତ୍ତି ? ମୃଦୁଳ ହୃଦୟ ତୁଳନାରେ କେଡ଼େ କଠୋର ତପସ୍ୟା ? ଏଭଳି ରୂପ ଦେଖି ମହାକବି କାଳିଦାସଙ୍କ ମନରେ କାଞ୍ଚନ–ପଦ୍ମ–ଧର୍ମୀ ଶରୀରର ଧାରଣା ହୋଇଥିବ । ଠିକ୍ ତ–“ଧୃବଂ ବପୁଃ କାଞ୍ଚନ–ପଦ୍ମ–ଧର୍ମୀୟତ ମୃଦୁ ପ୍ରକୃତ୍ୟା ଚ ସଂସାରମେବ ଚ”–ଏହି ଚିନ୍ତାରେ ମୋର କିଛି ଅନୁଚିତ ବିଳମ୍ବ ହୋଇଥିବ । ନିଶ୍ଚୟ କାରଣ ନିପୁଣିକା ସେଠାରୁ ଚାଲିଯିବା ପାଇଁ ମୋତେ ସଙ୍କେତ ଦେଲା-। ନିଜର ଏ ଆଚରଣରେ ମୋର ପଶ୍ଚାତ୍ତାପ ହେଲା । ନିପୁଣିକା ସଙ୍ଗେ ଦ୍ଵାରପାଖକୁ ଯାଇ ଭୂମିକା ସହ ସମସ୍ତ ବିଷୟ କହିଲି । ସାମାନ୍ୟ ଟିକେ ପ୍ରସନ୍ନ ଥିଲା ଭଳି ଜଣା ପଡ଼ୁଥିଲା । ତାର ମଧ୍ୟ ସ୍ନାନ ସରିଥିଲା ଓ ସାରା ରାତ୍ରିର କ୍ଳାନ୍ତି ଅନେକଟା ଦୂର ହୋଇଥିଲା । ତାର କୋଟର–ଶାୟିନୀ ନେତ୍ରରେ ଜାଗରଜନିତ ନିସ୍ପନ୍ଦ ଥିଲା ସତ; କିନ୍ତୁ କୌଣସି ଏକ ଦୃଢ଼ବିଶ୍ଵାସ ବହୁ ପରିମାଣରେ ତାହା ସ୍ନିଗ୍ଧ କରିଦେଇଥିଲା । ତାର ନେତ୍ର ଦେଖି ମୋର ମନେ ହେଲା ସତେ ଯେପରି ପ୍ରଫୁଲ କଞ୍ଚନ କୁସୁମ ଉପରେ ଚନ୍ଦ୍ରମାର ଧବଳପ୍ରଭା ପଡ଼ିଛି । ତାର ପ୍ରସନ୍ନତା ଦେଖି ମୁଁ ସନ୍ତୁଷ୍ଟ ହେଲି । ମନର ଗର୍ବ ଚାଲିଗଲା । ନିଜର ମହତ୍ତ୍ଵ ପ୍ରତିଷ୍ଠା କରିବାପାଇଁ ମୁଁ କଥାବାର୍ତ୍ତା ଆରମ୍ଭ କଲି–“ନିଉନିୟା, କାଲି ଆମର ସାକ୍ଷାତ୍ ସୌଭାଗ୍ୟର କଥା ।”

 

“ହଁ, ଭଟ୍ଟ !”

 

“ଭାବୁଛି ତୁ ଯଦି ଏକୁଟିଆ ଭଟ୍ଟିଣୀଙ୍କୁ ଏଠିକି ଆଣିଥାଆନ୍ତୁ ତା ହେଲେ କି କଷ୍ଟ ନ ହୋଇଥାଆନ୍ତା !”

 

‘‘ତା ତ ହୋଇଥାଆନ୍ତା ।’’

 

“ବର୍ତ୍ତମାନ ମୁଁ ଯାହା କିଛି କରୁଛି, ସେତିକ ବି ହୋଇପାରି ନଥାନ୍ତା ।’’

 

‘‘ସେତିକି ହୋଇଥାଆନ୍ତା, ଭଟ୍ଟ !’’

 

“କିଏ କରିଥାନ୍ତା ?”

 

“ପୂଜାରୀ ?”

 

“ପୂଜାରୀ ? କିନ୍ତୁ ତୁ ତ ପୂଜାରୀଙ୍କୁ ଭୟ କରୁ, ନିଉନିୟା ?”

 

“ପୂଜାରୀ ଭଳି ମୂର୍ଖ ରସିକକୁ ଯଦି ଭୟ କରୁଥାନ୍ତା ତା ହେଲେ ନିଉନିୟା ୬ ବର୍ଷ ପୂର୍ବରୁ ମରନ୍ତାଣି ।’’

 

“କିନ୍ତୁ ପ୍ରତ୍ୟୁଷରେ ତୁ ଭୟଭୀତ ହୋଇଥିଲୁ ?”

 

“ତା ତ ଥିଲି ।’’

 

“ତା ହେଲେ କାହାକୁ ଭୟ କରୁଥିଲୁ ?”

 

“ତୁମକୁ ?”

 

“ମୋତେ ?”

 

“ହଁ, ଭଟ୍ଟ, ତୁମକୁ !’’

 

“ମୋତେ କାହିଁକି ଭୟ କରୁଥିଲୁ, ନିଉନିୟା ?”

 

“କଣ କହିବି, ଭଟ୍ଟ ! ମୋଭଳି ସ୍ତ୍ରୀ ତୁମଭଳି ପୁରୁଷକୁ କାହଁକି ଭୟ କରେ, ଯଦି ଏତିକି କଥା ଆଜିପର୍ଯ୍ୟନ୍ତ ତୁମ ମୁଣ୍ଡରେ ପଶିଲା ନାହିଁ, ତା ହେଲେ ଆଉ ତାର ଦରକାର ନାହିଁ ।”

 

ମୁଁ ବିଚଳିତ ହେଲି । ନିପୁଣିକା ମୋତେ ଭୟ କରିବାର କ’ଣ କିଛି କାରଣ ଅଛି ? ସେ ଠିକ୍ କହିଲା–ଏ ପର୍ଯ୍ୟନ୍ତ ସେ ଅଜ୍ଞାତ କାରଣକୁ ମୁଁ ଠିକ୍ ବୁଝି ନ ଥିଲି । ଅବଶ୍ୟ ଅନୁମାନରୁ ସାମାନ୍ୟ କିଛି ବୁଝିଥିଲି । କିନ୍ତୁ ବୃଦ୍ଧ ଉପରେ ମୋର ଆସ୍ଥା କମିଗଲାଣି । ଆଶ୍ଚର୍ଯ୍ୟ ହୋଇ ନିପୁଣିକାକୁ ଅନାଇଲି ଓ ପରାଜିତ ହେଲା ଭଳି କହିଲି, ‘‘ତା ହେଲେ ନିଉନିୟା, ମୁଁ ଚାଲିଯାଏ ?” ସେ ହସିଲା । ଆଖିରେ ତାର ଏକ ଚଟୁଳ ଭଙ୍ଗୀ । କହିଲା–“ଭୟର କଥା କହୁଛ, ଭଟ୍ଟ ! କେତେବେଳେ ଯେ ତୁମେ କେଉଁ କଥାରେ ଚାଲିଯିବା ପାଇଁ କହିବ, କିଏ ଜାଣେ ?”

 

ଆଶ୍ଚର୍ଯ୍ୟ ସମସ୍ୟା । କିଛିକ୍ଷଣ ନୀରବ ରହି କହିଲି, ନିଉନିୟା, ମୋର ପରାଜୟ ମୁଁ ସ୍ୱୀକାର କରୁଛି । ମୋର କୌଣସି ଆବଶ୍ୟକତା ନ ଥିଲା, ତୁ ମୋତେ ଭୟ କରୁ ଅଥଚ ମୋର ଚାଲିଯିବାଟା ମଧ୍ୟ ଠିକ୍ ନୁହେଁ ମୁଁ କିଛି ବୁଝିପାରୁନି ଏସବୁ ।” ଏକ ଅଦ୍ଭୁତ ଆନନ୍ଦ ଖେଳୁଥିଲା ନିପୁଣିକା ଆଖିରେ । କହିଲା–“ତୁମେ ବୁଝୁନ କିଏ ହାରୁଛି । ଯଦି ତୁମେ ବୁଝିପାରନ୍ତ କିଏ ହାରୁଛି ତା’ହେଲେ କିଏ ଭୟ କରୁଛି ତା ମଧ୍ୟ ବୁଝନ୍ତ । ଭଟ୍ଟ, ତୁମେ ଭାରି ସରଳ ! ଏ ପୃଥିବୀରେ ତୁମେ ହେଉଛ ଶରୀରଧାରୀ ଦେବତା ।” ମୁଁ ଆହୁରି ସମସ୍ୟାରେ ପଡ଼ିଲି–ସରଳ, ଦେବତା–ସବୁ ସ୍ୱୀକାର କରୁଛି କିନ୍ତୁ ଏଥିରେ ଭୟ କରିବାର କଥା କଣ ଅଛି ? ଭାବିଲି ଆଉ ଯଦି କିଛି କହେ, ତାହେଲେ ଜାଣେ ନା କେତେ ଶାଖା ପ୍ରଶାଖା ଖୋଲି ସେ ପୁଣି ମୋତେ ନିରୁତ୍ତର କରିଦେବ । ମୌନତା ବୁଦ୍ଧିମାନର ନୀତି । ମୁଁ ହସି ହସି ଚୁପ ରହିଲି । କିନ୍ତୁ ତାର ହସ ବନ୍ଦ ହେଲା ନାହିଁ । କହିଲି, ‘‘ଶୁଣ ନିଉନିୟା, ଭଟ୍ଟିଣୀଙ୍କ ପାଇଁ ଆଜି କିଛି ସୁବ୍ୟବସ୍ଥା ହୋଇଯିବ । କିନ୍ତୁ ବର୍ତ୍ତମାନ ଚିନ୍ତା ହେଉଛି ତାଙ୍କର ଆହାରାଦି ବିଷୟ । କାଲି ସେ ରାଜଭୋଗ ଖାଇଛନ୍ତି, ଆଜି ଶୁଷ୍କ ଅନ୍ନ–ଠିକ୍ ହେବନି ।

 

“ନିପୁଣିକା ବେଶ୍ ପ୍ରସନ୍ନ ଥିଲା । ମୋ କଥାକୁ ସେ ଏଭଳି ଶୁଣିଲା ଯେପରି କି ତାର କୌଣସି ମହତ୍ତ୍ଵ ନାହିଁ । ଭଟ୍ଟିଣୀଙ୍କ ପାଇଁ ଉତ୍ତମ ବ୍ୟବସ୍ଥା ହେବା କଥା ସେ ଯେପରି ଆଗରୁ ଜାଣିଥିଲା । କହିଲା–“ବ୍ୟବସ୍ଥା ତ ହୋଇଯିବ ।’’ ତେଣୁ ସେ ଚିନ୍ତା ଛାଡ଼ିଲି ।” ମୁଁ ଅନ୍ନ ପ୍ରସ୍ତୁତ କରି ରଖିଛି । ଭଟ୍ଟିଣୀଙ୍କପାଇଁ କିଛି ଦୁଧ ଓ ମହୁ ମିଳିଥିଲେ ଭଲ ହୋଇଥାନ୍ତା କିନ୍ତୁ ଆଉ ବିଳମ୍ବ, ଉଚିତ ନୁହେଁ । ତୁମେ ଯାଅ, ଶୀଘ୍ର ସ୍ନାନ କରି ଆସ । ତୁମକୁ ନ ଖୋଇ ଭଟ୍ଟିଣୀ ଅନ୍ନ ଗ୍ରହଣ କରିବେ ନାହିଁ ।’’

 

ମୁଁ ଯେପରି ଆକାଶରୁ ପଡ଼ିଲି । କହିଲି–“ତା କିପରି ହେବ ନିଉନିୟା ! ଭଟ୍ଟିଣୀ ଆହାର ନ କଲା ପର୍ଯ୍ୟନ୍ତ ମୁଁ କ’ଣ ଭୋଜନ କରିପାରେ ? ମୁଁ ଅକିଞ୍ଚନ ସେବକ...... !’’

 

ଜୋରରେ ନ କହିବାପାଇଁ ନିପୁଣିକା ସଂକେତ କଲା । ତା ପରେ ଧୀରେ ଧୀରେ କହିଲା–“ଭଟ୍ଟ, ଏ କ୍ଷୁଦ୍ର ପରିବାରରେ ତୁମେହିଁ ହେଉଛ ମୁଖ୍ୟ । ତୁମେ ପୁରୁଷ, ତୁମେ ବ୍ରାହ୍ମଣ, ତୁମେ ପଣ୍ଡିତ, ତୁମେ ଦେବତା । ତୁମକୁ ଭୋଜନ ନ କରାଇ ଭଟ୍ଟିଣୀ କ’ଣ ଅନ୍ନଗ୍ରହଣ କରିପାରନ୍ତି-? ଯାଅ, ଶୀଘ୍ର କାର୍ଯ୍ୟ ଶେଷ କର । ତୁମର ସେ ସନ୍ଧ୍ୟା-ପୂଜାର ଅଭ୍ୟାସ ଅଛି ନା ? ଉଠ ।” ହତଭଗ୍ନ ଭଳି ମୁଁ ବସିରହିଲି । ନିଉନିୟା ପୁଣି କହିଲା–“ଉଠନା । ଭଟ୍ଟିଣୀଙ୍କର ବିଳମ୍ବ ହେବ ।” ଯଥାଶୀଘ୍ର ସ୍ନାନ ଓ ସନ୍ଧ୍ୟା–ଆହ୍ନିକ ଶେଷ କଲି । ଫେରିଆସି ଦେଖିଲି ଭଟ୍ଟିଣୀ ମୋର ଆହାରର ଆୟୋଜନ କରୁଛନ୍ତି । ତାଙ୍କର ଆଖିରେ ପ୍ରସନ୍ନତା ଜଣା ପଡୁଥିଲା ଓ ଶରୀରରେ ଏକପ୍ରକାର ଲଘୁତା ସ୍ପଷ୍ଟ ଲକ୍ଷିତ ହେଉଥିଲା । ଯତ୍‍କିଞ୍ଚିତ ଆହାର୍ଯ୍ୟକୁ ସେ ବଡ଼ ତନ୍ମୟ–ତା ସହ ସଜାଇ ଦେଉଥିଲେ । ନିପୁଣିକାର ସଙ୍କେତ ପାଇ ମୁଁ ଲାଜରେ ସଙ୍କୁଚିତ ହୋଇ ବସିଲି । ମୋର ସାରା ଅସ୍ତିତ୍ଵ ଯେପରି ଲୋପ ହୋଇଯାଉଥିଲା । ଚକ୍ଷୁ ନତ କରି ମନ୍ଦସ୍ମିତରେ ଭଟ୍ଟିଣୀ କହିଲେ–“ସଙ୍କୋଚ କରୁଛ, ଭଟ୍ଟ ?”

 

ମୁଣ୍ଡ ନୋଇଁ ହାତଯୋଡ଼ି କହିଲି–“ଦେବୀ, ମୋ ଭଳି ଅକିଞ୍ଚନକୁ ଆପଣ ଅନୁଚିତ ଗୌରବ ଦେଉଛନ୍ତି । ଆପଣଙ୍କର ଆଜ୍ଞା ମୋର ଶିରୋଧାର୍ଯ୍ୟ । କିନ୍ତୁ ଏତିକି ନିବେଦନ ଯେ ଭବିଷ୍ୟତରେ ଏ ଅକିଞ୍ଚନକୁ ଆଉ ଯେପରି ଏଭଳି ଗୌରବ ଦିଆ ନ ଯାଏ ।’’ ଭଟ୍ଟିଣୀ ହସିଲେ । ପ୍ରତ୍ୟୁଷ କାଳର ପୁଣ୍ଡରୀକ–କୋରକଭଳି ତାଙ୍କର ଆର୍ଦ୍ର ମୁଖମଣ୍ଡଳ ବିକଶିତ ହୋଇଉଠିଲା । କହିଲେ, ‘‘ଭଟ୍ଟ, କି ଭଳି ଗୌରବ କାହାକୁ ମିଳିବା ଦରକାର, ନିଜର ବୁଦ୍ଧିରେ ତାହା ନିର୍ଣ୍ଣୟ କରିବାର ଅଧିକାର ଅନ୍ତତଃ ମୋର ରହୁ ।” ନିପୁଣିକା ଟିକିଏ ଦୂରରେ ବସିଥିଲା । ହସି ହସି କହିଲା–“ଭୋଜନର ଗୌରବ ତ ଭଟ୍ଟଙ୍କୁହିଁ ମିଳିବା ଦରକାର ।” ନିପୁଣିକା–କଥାରେ ମୋତେ ବି ହସ ଲାଗିଲା ଓ ଏଇ ହସହିଁ ସାରା ସଙ୍କୋଚ ଦୂର କରିଦେଲା । ପତ୍ରର ପାତ୍ରରେ ଅତି ସାଧାରଣ ଭୋଜନ–ସାମଗ୍ରୀ କିନ୍ତୁ ଅପୂର୍ବ ସ୍ଵାଦୁ ଥିଲା । ସେଥିରେ ମନ ଭିତରେ ମୋର ହର୍ଷ ଓ ବିଷାଦର ଦ୍ଵନ୍ଦ ଚାଲିଥିଲା । ନିଜର ପ୍ରାପ୍ତ ଗୌରବପାଇଁ ହର୍ଷ ହେଉଥିଲା ବିଷାଦ ହେଉଥିଲା ଅତି ସାଧାରଣ ଅନ୍ନପାଇଁ । ନିପୁଣିକା ନିଶ୍ଚିନ୍ତ ଥିଲା । ତା ଆଖିରେ ସେହି ସାମାନ୍ୟ ଅନ୍ନ କିନ୍ତୁ ମହାବରାହଙ୍କର ପ୍ରସାଦ । ତାକୁ ଭଲମନ୍ଦ ବୋଲି କହିବା ଭକ୍ତିହୀନ ଚିତ୍ତର ବିକାର । ଭକ୍ତଙ୍କ ପକ୍ଷରେ ତାହା ଅମୃତଠାରୁ ଶ୍ରେଷ୍ଠ । ପ୍ରଥମବାର ବୁଝିଲି ‘‘ପ୍ରସାଦ କଣ ? ଭଟ୍ଟିଣୀ ମଝିରେ ପଚାରିଲେ–“ସ୍ଵଗତଭଦ୍ର ଏଠାରେ ଅଛନ୍ତି ?"

 

ହିଁ ଦେବୀ, ଆପଣଙ୍କ ସହିତ ସାକ୍ଷାତପାଇଁ ସେ ଉତ୍କଣ୍ଠା ପ୍ରକାଶ କରିଛନ୍ତି ଏବଂ ଆଶ୍ୱାସନା ଦେଇଛନ୍ତି ଯେ ଆଜି କୌଣସି ଉଚିତ ବ୍ୟବସ୍ଥା କରି ଆପଣଙ୍କ ସହିତ ସାକ୍ଷାତ କରିବେ-। ସେ ଆପଣଙ୍କୁ ବହୁତ ସ୍ନେହ କରନ୍ତି ।” ଭଟ୍ଟିଣୀଙ୍କର ଆଖି ଦୁଇଟି ବାଷ୍ପାକୁଳ ହୋଇଉଠିଲା । ସଂକ୍ଷେପରେ ଉତ୍ତର ଦେଲେ, ‘‘ହଁ, ଭଦ୍ର !”

 

ମୁଁ ପୁଣି କହିଲି–“ଆପଣ ହୁଏତ ଆଶ୍ଚର୍ଯ୍ୟ ହେବେ, ସେ ମୋର ପିତାମହଙ୍କ ସତୀର୍ଥ । ମୋତେ ମଧ୍ୟ ସେ ସନ୍ତାନଭଳି ସ୍ନେହ କରନ୍ତି । ଏ କଥା ତ ମୁଁ ଆଦୌ ଜାଣି ନ ଥିଲି ?”

 

ଭଟ୍ଟିଣୀ ଆଶ୍ଚର୍ଯ୍ୟ ହୋଇ ଦୀର୍ଘ–ଦୀର୍ଘାୟିତ ନୟନରେ ମୋତେ କିଛିକ୍ଷଣ ଅନାଇ ରହି କହିଲେ–“ଆପଣ ଆଦୌ ଜାଣି ନ ଥିଲେ ?

 

“ଆଦୌ ନୁହେଁ ।’’

 

“ଆଶ୍ଚର୍ଯ୍ୟ ! ’’

 

ମୁଁ ସାମାନ୍ୟ ସଙ୍କୁଚିତ ହୋଇଗଲି । ଭଟ୍ଟିଣୀଙ୍କର ସରଳତା ଦେଖି କମ୍ ଆଶ୍ଚର୍ଯ୍ୟ ହେଲିନି । କଥାର ଗତି ପରିବର୍ତ୍ତନ କରି କହିଲି–“ସେ କୁମାର କୃଷ୍ଣବର୍ଦ୍ଧନଙ୍କୁ ଡାକିଛନ୍ତି । ହୁଏତ ସେ କିଛି ବ୍ୟବସ୍ଥା କରିବେ ।” ଏକଥା ଶୁଣି ଭଟ୍ଟିଣୀ କ୍ଷଣକ ମଧ୍ୟରେ ସ୍ଫଟିକ ପ୍ରତିମାଭଳି ହତଚେଷ୍ଟା ହୋଇପଡ଼ିଲେ । ନିପୁଣିକା ଟିକେ ଶଙ୍କିତ ହେଲା । ମୁଁ ଚମକି ପଡ଼ି କହିଲି–“କିଛି ଅନୁଚିତ ହେଲା କି, ଦେବୀ ?”

 

ନିଜକୁ ସଂଯତ କରି ନେଇ ଭଟ୍ଟିଣୀ କହିଲେ–“ସ୍ଥାଣ୍ୱୀଶ୍ଵରର ରାଜବଂଶକୁ ମୁଁ ଘୃଣା କରେ । ରାଜବଂଶ ସହିତ ସଂପୃକ୍ତ କୌଣସି ବ୍ୟକ୍ତିର ଆଶ୍ରୟ ପାଇବା ପୂର୍ବରୁ ମୁଁ ଯମ ରାଜାଙ୍କ ଆଶ୍ରୟ ଗ୍ରହଣ କରିବି । ଭଦ୍ର, ଆଚାର୍ଯ୍ୟପାଦ ମୋର କଲ୍ୟାଣ କାମନାର ଭ୍ରମରେ ମୋର ସର୍ବନାଶ କରୁଛନ୍ତି ।”

 

ଆଶ୍ଚର୍ଯ୍ୟ ହେଲି । ପରିସ୍ଥିତି କିନ୍ତୁ ଏଭଳି ଯେ ସାମାନ୍ୟ ତ୍ରୁଟିରେ ଏହି ମହୀୟସୀ ରାଜବାଳାର ସର୍ବନାଶ ମଧ୍ୟ ହୋଇ ଯାଇପାରେ । ଦୃଢ଼ତାର ସହିତ କହିଲି–“ଭଦ୍ରେ, ଆପଣ ବାଣଭଟ୍ଟ ଉପରେ ଆସ୍ଥା ରଖନ୍ତୁ । ଆପଣଙ୍କର ଇଚ୍ଛା ବିରୁଦ୍ଧରେ ସମଗ୍ର କାନ୍ୟକୁବଜର ସୈନ୍ୟ ଶକ୍ତି ଆପଣଙ୍କୁ ଅନ୍ୟତ୍ର ନେଇପାରିବେ ନାହିଁ । କାଲି ପର୍ଯ୍ୟନ୍ତ ଏ ଅକିଞ୍ଚନ ପଥଭ୍ରାନ୍ତ ଥିଲା । ଆଜିଠାରୁ ତାକୁ ବିଷମ–ସମର–ବିଜୟୀ, ବାହ୍ମିକ–ବିମର୍ଦ୍ଦନ, ପ୍ରତ୍ୟନ୍ତ–ବାଡ଼ବ ଦେବପୁତ୍ର ତୁଅର–ମିଳିନ୍ଦଙ୍କର ପ୍ରାଣାଧିକା କନ୍ୟାର ସେବକ ହେବାର ଗୌରବ ମିଳିଛି ! ସିଂହ–କିଶୋରୀ ଭୀତ ହେବା ଅଶୋଭନୀୟ । ଦେଖନ୍ତୁ, ନିଜର ସେବକ ଉପରେ ଭରସା ରଖନ୍ତୁ ।’’

 

ଭଟ୍ଟିଣୀ ଆଶ୍ୱସ୍ତ ହେଲେ । କହିଲେ–"ସେବକ ନୁହଁ ଭଟ୍ଟ, ଅଭିଭାବକ ।’’

 

“ଦେବପୁତ୍ର ତୁଅର–ମିଳିନ୍ଦଙ୍କର ପ୍ରାଣାଧିକା କନ୍ୟାର ମର୍ଯ୍ୟାଦା ରକ୍ଷା ମୁଁ ଜାଣେ ଦେବୀ-। ବିଶ୍ୱାସ କରନ୍ତୁ, ଆପଣଙ୍କର ଇଙ୍ଗିତ ମାତ୍ରେ ବାଣଭଟ୍ଟ ସମ୍ରାଟମାନଙ୍କର ମୁଣ୍ଡପାତ କରିପାରେ । ଯେଉଁମାନେ ସିଂହକୁ ପାଦରେ ଦଳିଦେବାର ସାହସ କରିଥିଲେ, ସେମାନେ ନିଶ୍ଚୟ ତାର ଫଳ ପାଇବେ ।’’

 

ସେ ଅଗଣାରେ ଥିବା ମହାବରାହ ମୂର୍ତ୍ତିକୁ ଅନାଇଲେ । ମୁଖରେ ଗମ୍ଭୀରଭାବ କିନ୍ତୁ ମୃଦୁଳ ସ୍ଵରରେ କହିଲେ–‘‘ଉତ୍ତେଜିତ ହୁଅ ନାହିଁ ଭଦ୍ର ! ତୁମ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ । ଯାହା ଉଚିତ ମନେ କରୁଛ, କର । କେବଳ ଏତିକି ସ୍ମରଣ ରଖିବ, ମୁଁ କୌଣସି ରାଜବଂଶର ଅନ୍ତଃପୁର କିମ୍ବା ତତ୍‍ସମ୍ବନ୍ଧିତ କୌଣସି ଗୃହକୁ ଯାଇପାରିବି ନାହିଁ ।"

ମୁଁ ଶାନ୍ତ ହୋଇ କହିଲି–“ବାଣଭଟ୍ଟ ଏହା କଦାପି ଭୁଲିବ ନାହିଁ ।’’

ଭୋଜନପରେ ମୁଁ ବାହାରକୁ ଆସି ଚଣ୍ଡୀ ମନ୍ଦିରର ସମ୍ମୁଖ ପ୍ରାଙ୍ଗଣରେ ସୁଖାସନ କରି ବସିରହିଲି । ଆଖିପତା ଲାଗି ଯାଇଥିଲା ବୋଧହୁଏ । କିଛି ସମୟ ପରେ କାହାର ପାଦଶବ୍ଦ ଶୁଣାଗଲା । ମୁଁ ସାବଧାନ ହୋଇ ଦେଖିଲି ବୌଦ୍ଧବିହାରର ସେହି ବ୍ୟକ୍ତି । ପାଖକୁ ଆସି ଅପେକ୍ଷାକୃତ ସଂଯତ ସ୍ଵରରେ ସେ କହିଲେ–“କଲ୍ୟାଣ ଭଦ୍ର, ତତ୍ରଭବାନ୍ ଆଚାର୍ଯ୍ୟ ସୁଗତଭଦ୍ର ଆପଣଙ୍କୁ ସ୍ମରଣ କରୁଛନ୍ତି । କୁମାର କୃଷ୍ଣବର୍ଦ୍ଧନ ସ୍ଵୟଂ ବିହାରରେ ଉପସ୍ଥିତ ଏବଂ ସେ ଆପଣଙ୍କର ସାକ୍ଷାତ୍ ଚାହାନ୍ତି ।” ଏ ସମ୍ବାଦ ପାଇଁ ମୁଁ ପ୍ରସ୍ତୁତ ଥିଲି । ଯିବା ପୂର୍ବରୁ ଭଟ୍ଟିଣୀଙ୍କର ଆଦେଶ ନେବାପାଇଁ ଭାବିଲି । କିନ୍ତୁ ତା’ ହେଲା ନାହିଁ, କାରଣ ଚାରି ପାଞ୍ଚ ଜଣ ବଳିଷ୍ଠ ତରୁଣ ସେ ବ୍ୟକ୍ତିଙ୍କର ପଛେ ପଛେ ଆସି ପୃଥକ ହୋଇ ଚଣ୍ଡୀ ମଣ୍ଡପର ଚାରିପଟେ ଠିଆହେଲେ । ମୋର ସନ୍ଦେହ ହେଲା କିନ୍ତୁ ତାଙ୍କର କୌଣସି ରାଜପୁରୁଷୋଚିତ ପରିଚ୍ଛଦ ନ ଦେଖି ମନେ କଲି ସେମାନେ ବୋଧହୁଏ ସାଧାରଣ ନାଗରିକ । ଦ୍ଵାର ଖୋଲିବାପାଇଁ ନ ଡାକି ବାହାରୁ ସେ ବ୍ୟକ୍ତିଙ୍କୁ ଉଦ୍ଦେଶ୍ୟ କରି ଟିକେ ଜୋରରେ କହିଲି–“କୁମାର କୃଷ୍ଣବର୍ଦ୍ଧନଙ୍କର ଦର୍ଶନପାଇଁ ମୁଁ ପ୍ରସ୍ତୁତ ।" ଉଦ୍ଦେଶ୍ୟ ଥିଲା ଭିତରେ ନିପୁଣିକା ଓ ଭଟ୍ଟିଣୀ ମୋ କଥା ଶୁଣି ଯେପରି ସାବଧାନ ହୋଇଯାନ୍ତୁ । ସରୋବରରେ ମୁଖ ପ୍ରକ୍ଷାଳନ କରି ମୁଁ ଉତ୍ତରୀୟକୁ ସଜାଡ଼ି ନେଲି ଓ ଚିନ୍ତା ନିମଗ୍ନ ହୋଇ ସେ ବ୍ୟକ୍ତିଙ୍କ ସାଥିରେ ଚାଲିଲି । ସେ ଥିଲେ ବାଚାଳ । କିଛି ସମୟପରେ ସେ ନିଜେହିଁ ବାର୍ତ୍ତାଳାପ ଆରମ୍ଭ କଲେ–“କୁମାର ଭାରି ଉଦାର, ବିଦ୍ଵାନ ଓ ଗୁଣିଜନଙ୍କୁ ସମ୍ମାନ କରିବା ଜାଣନ୍ତି । ତରୁଣ ସତ, କିନ୍ତୁ ଚରିତ୍ର ତାଙ୍କର ଉଜ୍ଜ୍ୱଳ ଓ ବୁଦ୍ଧି ପରିପକ୍ଵ । ଆଚାର୍ଯ୍ୟପାଦଙ୍କର ଭାରି ଭକ୍ତ ଓ ମହାରାଜ ପରମ ଭଟ୍ଟାରକ ଶ୍ରୀହର୍ଷବର୍ଦ୍ଧନଙ୍କର ଅନ୍ତରଙ୍ଗ । କେତେ ବିଦ୍ଵାନଙ୍କୁ ସେ ରାଜକୋପରୁ ଉଦ୍ଧାର କରିଛନ୍ତି, କେତେ ଗୁଣିଜନଙ୍କୁ ବିପତ୍ତିରୁ ଉଦ୍ଧାର କରିଛନ୍ତି ।” ମୁଁ ତାଙ୍କର କଥା ଶୁଣିଯାଉଥିଲି; ଉତ୍ତର ଦେଉ ନ ଥିଲି । ସେ ଉତ୍ସାହର ସହିତ କହି ଚାଲିଲେ–" ଭଦ୍ର ! କାନ୍ୟକୁବଜ ଏକ ବିଚିତ୍ର ଦେଶ । ଏଠାରେ ବର୍ହିଆଚାର ଉପରେ ଅଧିକ ମହତ୍ତ୍ଵ ଦିଆଯାଉଛି ଓ ଅନ୍ତର୍ନିହିତ ତତ୍ତ୍ଵ ବୁଝିବାପାଇଁ କମ୍ ପ୍ରଯତ୍ନ ହେଉଛି । ବ୍ରାହ୍ମଣ ହୁଅନ୍ତୁ ବା ଶ୍ରମଣ, ସମସ୍ତେ ବାହ୍ୟ ଆଚାରକୁ ପ୍ରାଧାନ୍ୟ ଦେଉଛନ୍ତି । ସ୍ଵୟଂ ମହାରାଜ ଶ୍ରୀ ହର୍ଷଦେବ ଯେ ଏଥିରୁ ଅସଂଲଗ୍ନ, ତାହା କହିବା ସମ୍ଭବ ନୁହେଁ । ସୌଗତ ତାର୍କିକ ବସୁଭୂତିଙ୍କୁ ସେ ସର୍ବାଧିକ ସମ୍ମାନ କରନ୍ତି; କିନ୍ତୁ ଆଚାର୍ଯ୍ୟ ସୁଗତଭଦ୍ରଙ୍କ ତୁଳନାରେ ସେ କେତେ ନଗଣ୍ୟ ! କୁମାର କୃଷ୍ଣ ହେଉଛନ୍ତି କାନ୍ୟକୁବଜର ରତ୍ନ । ସେ ହେଉଛନ୍ତି ପ୍ରକୃତ ଗୁଣୀ ।"

“ତୁମେ କେଉଁଠୁ ଆସିଛ, ବ୍ରହ୍ମଚାରୀ ?” ମୁଁ ପ୍ରଶ୍ନ କଲି ।

“ସୌବୀରରୁ । ଆଚାର୍ଯ୍ୟପାଦଙ୍କ ସହିତ ଚାଲି ଆସିଛି । ସୌବୀରରେ ବାହ୍ୟ ଆଚାରକୁ କେହି ସମ୍ମାନ କରନ୍ତି ନାହିଁ । ସେଠାର ଲୋକେ ତତ୍ତ୍ଵ ଜାଣିବାକୁ ଇଚ୍ଛୁକ ।’’

“କାନ୍ୟକୁବ୍‍ଜରେ ଯଦି ତତ୍ତ୍ଵ–ଜିଜ୍ଞାସୁ ନାହାନ୍ତି, ତାହେଲେ କୁମାର କୃଷ୍ଣଙ୍କୁ କଣ କହିବେ-?”

“କୁମାରଙ୍କର କଥା ଭିନ୍ନ । ଏତେ ଅଳ୍ପ ବୟସରେ ଏଭଳି ଗାମ୍ଭୀର୍ଯ୍ୟ ଦୁର୍ଲ୍ଲଭ ।’’

“ଭାଇ,ବସୁଭୂତି କିଏ ?”

“ବସୁଭୂତି ହେଉଛନ୍ତି ଏ ଦେଶର ଶାସ୍ତ୍ରାର୍ଥ–ଧୂରନ୍ଧର ସୌଗତ ତାର୍କିକ । ତର୍କଦ୍ଵାରା ସେ ସଦ୍ଧର୍ମ ପ୍ରଚାର କରିବାକୁ ଚାହାନ୍ତି । ଭଦ୍ର, ଏ ଦେଶରେ ବାୟୁର ଗତି ସ୍ଵତନ୍ତ୍ର; ତର୍କରେ ଯେପରି ଭଗବାନ୍ ବୁଦ୍ଧଙ୍କର କରୁଣାକୁ ଦେଶବ୍ୟାପୀ କରିଦେବେ ! ଧିକ୍ ।’’

 

“ବ୍ରହ୍ମଚାରୀ, ଆପଣଙ୍କର ମତ କଣ ?”

 

“ଆଚାର୍ଯ୍ୟପାଦ କହନ୍ତି ତର୍କ ବିଷୟହିଁ ଭୁଲ । ଭଗବାନ୍ ଜୀବନରେ କରୁଣା ପ୍ରତିଷ୍ଠା କରିବାକୁ ଚାହିଁଥିଲେ । ଯେଉଁଠାରେ ସେ କରୁଣା ନାହିଁ, ସେ ସୌଗତ ନାହିଁ । ସେଠାରେ ସଦ୍ଧର୍ମର ସର୍ବନାଶ । ତର୍କରେ ବିଦ୍ଵେଷ ବଢ଼େ, ବିଦ୍ଵେଷରୁ ହିଂସା ଓ ହିଂସା ମନୁଷ୍ୟର ଧ୍ଵଂସ ଆଣେ । ବସୁଭୂତିଙ୍କ ପାଖରେ ଏକଥା ନିରର୍ଥକ । ସେ ବାରମ୍ବାର ଆଚାର୍ଯ୍ୟଦେବଙ୍କୁ ଶାସ୍ତ୍ରାର୍ଥପାଇଁ ଆହ୍ଵାନ କରୁଛନ୍ତି, କିନ୍ତୁ ଆଚାର୍ଯ୍ୟଦେବ ହେଉଛନ୍ତି କ୍ଷମାର ନିଧି । ବିଶ୍ଵ ଜାଣେ ଓ ସ୍ଵୟଂ ମହାରାଜାଧିରାଜ ବି ଜାଣନ୍ତି ଯେ ତର୍କ ସଭାରେ ସୁଗତଭଦ୍ର ଓ ବସୁଭୂତିଙ୍କ ମଧ୍ୟରେ ତୁଳନା ହୋଇପାରେ ନା । ସୁଗତଭଦ୍ର ସିଂହ, ବସୁଭୂତି ଶୃଗାଳ । ନଗ୍ନ ନିଜକୁ ଭଗବାନଙ୍କଠାରୁ ବଡ଼ ବୋଲି ମନେ କରେ । ଆମ ବିହାରର କେତେ ଜଣ ବସୁଭୂତିଙ୍କୁ ଆହ୍ଵାନ କରିଛନ୍ତି କିନ୍ତୁ ସେ ଆଚାର୍ଯ୍ୟପାଦଙ୍କ ସହିତ ହିଁ ଲଢ଼ିବାକୁ ଚାହାନ୍ତି ।’’

 

ବେଶ ମନୋରଞ୍ଜକ ହେଉଥିଲା । ଆହୁରି ଜାଣିବା ଆଶାରେ କହିଲି– “ମହାରାଜାଧିରାଜଙ୍କର ଏ କଥା ତ ଜାଣିବା ଉଚିତ ଥିଲା । ସେ ଏଭଳି ବ୍ୟକ୍ତିକୁ ପ୍ରଶ୍ରୟ ଦେଲେ କାହିଁକି ?”

 

“ଏ କାନ୍ୟକୁବଜ ହେଉଛି ବ୍ରାହ୍ମଣ–ପଣ୍ଡିତଙ୍କର ଦୁର୍ଗ । ଏଭଳି ତର୍କ ଉଦ୍ଦୀପିତ କରି ଏଠାର ରାଜା ସୌଗତ ହୋଇ ରହିପାରନ୍ତି ।

 

“ତା’ ହେଲେ ଏହା କିଛି କମ୍ ଆବଶ୍ୟକ ନୁହେଁ, ବ୍ରହ୍ମଚାରୀ !”

 

‘‘ଆଚାର୍ଯ୍ୟପାଦ କହନ୍ତି, ଏ ନୀତିର ଫଳ ବିପରୀତ ହେବ । ସଦ୍ଧର୍ମ ଯଦି କେବେ ନିକୃଷ୍ଟତା ଲାଭକରେ, ତାହେଲେ କାନ୍ୟକୁବ୍‍ଜରୁ ହିଁ ତାହା ଆରମ୍ଭ ହେବ ।’’

 

ଆମେ ବିହାରର ଦ୍ଵାରଦେଶରେ ଯାଇ ଉପସ୍ଥିତ ହେଲୁ । ସେ ମୋତେ ଆଚାର୍ଯ୍ୟପାଦଙ୍କ ଗୃହକୁ ନେଇଗଲେ । ଆଚାର୍ଯ୍ୟପାଦ କୁଶାସନ ଉପରେ ବସିଥିଲେ, ବୋଧହୁଏ ମୋରି ପ୍ରତୀକ୍ଷାରେ ! ମୋତେ ଦେଖି ସାମାନ୍ୟ ସ୍ମିତହସରେ କହିଲେ, ‘‘ଆ ବତ୍ସ, କୁମାର କୃଷ୍ଣବର୍ଦ୍ଧନ ତୋ ସହିତ ସାକ୍ଷାତ କରିବାପାଇଁ ଉତ୍ସୁକ । ଆୟୁଷ୍ମତୀ ଚନ୍ଦ୍ର ଦୀଧିତିପାଇଁ ତୁ ଓ କୁମାର ଦୁହେଁ ମିଶି କୌଣସି ଉତ୍ତମ ବ୍ୟବସ୍ଥା କର । କୁମାର ମୋର ବିଶ୍ଵାସପାତ୍ର, ଶିଷ୍ୟ । ତାଙ୍କ ପାଖରେ କୌଣସି ସଙ୍କୋଚ ରଖିବାର ଆବଶ୍ୟକ ନାହିଁ । ତାଙ୍କୁ ସବୁକଥା କହିଲେ କ୍ଷତି ନାହିଁ । ମୁଁ ମଧ୍ୟ କିଛି କହିଛି ।” ତାପରେ ସେ ବ୍ୟକ୍ତିଙ୍କୁ ଡାକି କହିଲେ, ‘‘ପଣ୍ଡିତ ପ୍ରବର ବାଣଭଟ୍ଟଙ୍କୁ ମହାସାନ୍ଧିବିଗ୍ରହକ କୁମାର କୃଷ୍ଣବର୍ଦ୍ଧନଙ୍କ ପାଖକୁ ନେଇଯାଅ । ପାଖର ଧର୍ମାଳୟରେ ସେ ପ୍ରତୀକ୍ଷା କରୁଛନ୍ତି ।’’

 

ମୁଁ ପ୍ରଣତିପୂର୍ବକ ବିଦାୟ ନେଲି । ସେ ବ୍ୟକ୍ତି ମୋତେ ଯେଉଁ ଗୃହକୁ ନେଲେ, ସେଠାରେ କୁମାର ଏକ ତୃଣ ଆସନ ଉପରେ ବସି ମୋରି ପ୍ରତୀକ୍ଷା କରୁଥିଲେ । ଆଚାର୍ଯ୍ୟଙ୍କର କଥାରୁ ମୁଁ ଜାଣିଲି କୁମାର ମହାସାନ୍ଧବିଗ୍ରହର ମହତ୍ଵପୂର୍ଣ୍ଣ ପଦରେ ଅଧିଷ୍ଠିତ । ମୋତେ ଦେଖିଲାମାତ୍ରେ ସେ ଠିଆହୋଇ ଅତି ସ୍ନେହରେ ତୃଣ ଆସନରେ ଅର୍ଦ୍ଧେକ ମୋତେ ବସିବାପାଇଁ ଦେଲେ ।

 

କୁମାରଙ୍କର ଉଦାରତା, ବିନୟ ଓ ଶୀଳତା ଦେଖି ବିଶେଷ ଆଶ୍ଚର୍ଯ୍ୟ ହେଲି । ବାସ୍ତବିକ କୁମାର ଥିଲେ ସେହିଭଳି ଗୁଣସମ୍ପନ୍ନ । ସେ ଥିଲେ ଗୁଣିଜନଙ୍କର ଆଶ୍ରୟ, ଗୁଣର ଜନ୍ମଭୂମି, ବିଦ୍ଵାନଙ୍କର ରକ୍ଷକ ଓ ବିଦ୍ୟାର ଭଣ୍ଡାର । ଆଖିରେ ସ୍ନେହ ଭରିଥିଲା କିନ୍ତୁ ଭୃକୁଟି ଆତଙ୍କର ସୂଚନା ଦେଉଥିଲା । ବହାରୋଚିତ ପରିଚ୍ଛଦ ପିନ୍ଧିଥିଲେ କିନ୍ତୁ ରାଜକୀୟ ଗରିମା ବେଶ୍ ପ୍ରକଟିତ ହେଉଥିଲା ମୁଖମଣ୍ଡଳରେ । ପାଖରେ ଅସ୍ତ୍ର ନ ଥିଲା କିନ୍ତୁ ଏକ ସହଜ ଦୀପ୍ତିରେ ସେ ବଳିଷ୍ଠ ଥିଲେ ଓ ବିଷଧର–ବେଷ୍ଟିତ ବାଳଚନ୍ଦନତରୁ ଭଳି ଭୀଷଣ–ମନୋରମ ଦେଖାଯାଉଥିଲେ । ଅଳ୍ପ ବୟସ୍କ କିନ୍ତୁ ମୁଖମଣ୍ଡଳରୁ ଅନାବିଳ ବୁଦ୍ଧି ଅଦୃତ ବିବେଚନା ଶକ୍ତିର ସୂଚନା ସ୍ପଷ୍ଟ ଜଣାପଡ଼ୁଥିଲା । କ୍ଷଣକପାଇଁ ମୁଁ ସେ ଦୀପ୍ତିରେ ଅଭିଭୂତ ହୋଇପଡ଼ିଲି; କିନ୍ତୁ ଭଟ୍ଟିଣୀ ମନେ ପଡ଼ିଲା ମାତ୍ରେହିଁ ନିଜକୁ ସଂଯତ କରିନେଲି । ଆବଶ୍ୟକ ଶିଷ୍ଟାଚାରପରେ କୁମାର ମୋତେ ଦେବପୁତ୍ର ତୁଅର–ମିଳିନ୍ଦଙ୍କର କନ୍ୟାଙ୍କ ବିଷୟ ପ୍ରଶ୍ନ କଲେ । ସଂକ୍ଷେପରେ ସବୁ କଥା କହିଲି । ତାଙ୍କରି ଦର୍ଶନପାଇଁ କାଲି ମୁଁ ଗଲାବେଳେ ଏ କାର୍ଯ୍ୟ ମୋତେ କରିବାକୁ ପଡ଼ିଲା । କୁମାର ଖୁବ୍ ଧୈର୍ଯ୍ୟର ସହିତ ସବୁ ଶୁଣିଲେ-

 

ସବୁକଥା କହି ସାରି ଜିଜ୍ଞାସୁ ଦୃଷ୍ଟିରେ ମୁଁ ତାଙ୍କୁ ଅନାଇଲି । କୌଣସି ମନ୍ତବ୍ୟ ନ ଦେଇ ସେ କହିଲେ, ‘‘ଦେବପୁତ୍ରଙ୍କର କନ୍ୟାଙ୍କପାଇଁ ମୋ ଗୃହ ପ୍ରସ୍ତୁତ ।”

 

ମୁଁ ବିନୀତ ଭାବରେ କହିଲି, ‘‘ଦେବପୁତ୍ରଙ୍କ କନ୍ୟା ସ୍ଥାଣ୍ୱୀଶ୍ୱରର ରାଜବଂଶ ସହିତ ସମ୍ପର୍କ ଥିବା କୌଣସି ବ୍ୟକ୍ତିର ଗୃହକୁ ଯିବେ ନାହିଁ । ମୋର ମତ ହେଉଛି ସମ୍ମାନ ଦେବା ବିଷୟରେ ସ୍ଥାଣ୍ୱୀଶ୍ୱର ନିଜକୁ ଅଯୋଗ୍ୟ ବୋଲି ପ୍ରମାଣିତ କରିଛି ।”

 

ମୋ କଥା କୁମାରଙ୍କୁ ବାଧିଲା । ତାଙ୍କର ଭ୍ରୂକୁଟି କୁଞ୍ଚିତ ହୋଇଗଲା । ସାମାନ୍ୟ କ୍ଷିପ୍ତସ୍ଵରରେ କହିଲେ, ‘‘କ’ଣ କହୁଛ ଭଟ୍ଟ, ଭାବିଚିନ୍ତି କଥା କୁହ ।’’

 

–“ଚିନ୍ତା କରିସାରିଛି, କୁମାର !’’

 

କୁମାରଙ୍କର କ୍ରୋଧାନ୍ଵିତ ନୟନ ଆହୁରି ଚଞ୍ଚଳ ହୋଇଉଠିଲା । କହିଲେ, ‘‘ଜାଣ, କାହା ସହିତ କଥାବାର୍ତ୍ତା କରୁଛ ?”

 

ଆଦୌ ଅଭିଭୂତ ନ ହୋଇ କହିଲି, ‘‘କାନ୍ୟକୁବଜ ସାମ୍ରାଜ୍ୟର ମହାସାନ୍ଧିବିଗ୍ରହିକ କୁମାର କୃଷ୍ଣବର୍ଦ୍ଧନଙ୍କ ସହିତ ମୁଁ କଥାବାର୍ତ୍ତା କରୁଛି ।’’

 

“ଭଦ୍ର, ତୁମେ ଦୁର୍ବିନୀତ !’’

 

“କୁମାରଙ୍କ ମୁହଁରୁ ଏହା ଶୁଣିବାର ଆଶା ନ ଥିଲା ।’’

 

'ଏଭଳି କଥାରେ ତମର ଲଜ୍ଜା ହେବା ଉଚିତ ।’’

 

“ମୋତେ କାହିଁକି ଲଜ୍ଜା ହେବ, କୁମାର ?’’

 

“ତାହାହେଲେ କାହାକୁ ହେବ ?’’

 

“ଶକ୍ତିଶାଳୀ ଶାସକ–ବଂଶକୁ–ଛୋଟ ରାଜକୁଳଭଳି ଅତ୍ୟାଚାରୀଙ୍କୁ, ଆଶ୍ରୟ ଦେଇ ଯେ ନିଜକୁ କଳଙ୍କିତ କରିଛି ।’’

 

କୁମାରଙ୍କର ଭ୍ରୁକୁଟି ଆହୁରି କୁଞ୍ଚିତ ହୋଇଗଲା–“ଦୁର୍ବିନୀତ ବ୍ରାହ୍ମଣ–ବଟୁ । କାଲି ଯାହାଙ୍କ ନିକଟକୁ ଭିକ୍ଷାପାଇଁ ଯାଉଥିଲ, ତାଙ୍କ ସହିତ କଥାବାର୍ତ୍ତା କରିବାର ଏହି ପଦ୍ଧତି ?”

 

“କାଲି ମୁଁ ବାଟର ଭିକାରୀ ଥିଲି । କାଲି ମୁଁ ସ୍ଥାଣ୍ୱୀଶ୍ଵରରେ ରାଜତ୍ଵ କରୁଥିବା ରାଜବଂଶର କଳଙ୍କ ସହିତ ପରିଚିତ ନ ଥିଲି ।’’

 

“ଆଜି କଣ ?

 

“ଆଜି ମୁଁ ବିଷମ ସମର–ବିଜୟୀ ବାହ୍ମୀକ–ବିମର୍ଦ୍ଦନ ପ୍ରତ୍ୟନ୍ତ–ବାଡ଼କ ଦେବପୁତ୍ର ତୁଅର–ମିଳିନ୍ଦଙ୍କର ପ୍ରାଣାଧିକା କନ୍ୟାର ଅଭିଭାବକ ।’’

 

“ଅଭିଭାବକ !’’

 

“ହଁ, ଅଭିଭାବକ । ‘‘ମୋର ସାମାନ୍ୟ ଇଙ୍ଗିତରେ ତୁମର ରକ୍ଷଣୀୟା ଦେବପୁତ୍ର–କନ୍ୟା ଓ ତୁମର କି ଦଶା ହୋଇପାରେ, ଜାଣ ?”

 

“ଜାଣେ; କିନ୍ତୁ କୁମାର ବୋଧହୁଏ ବାଣଭଟ୍ଟର ପୂର୍ଣ୍ଣ ପରିଚୟ ପାଇନାହାନ୍ତି । ସେ ଇଙ୍ଗିତର ବହୁ ପୂର୍ବରୁ ଇଙ୍ଗିତକାରୀର ଚକ୍ଷୁ ନ ଥିବ ।”

 

କୁମାର ଉତ୍ତେଜିତ ହୋଇ କହିଲେ–“ଦୁର୍ବିନୀତ ବ୍ରାହ୍ମଣ–ବଟୁ, ଭିକ୍ଷାଜୀବୀ ଦାମ୍ଭିକ ।’’

 

ମୁଁ କେବଳ ହସିଲି । କୁମାର ଆହୁରି ଉତ୍ତେଜିତ ହୋଇ କହିଲେ–“ଅନ୍ତଃପୁରରେ ଚୋରଭଳି ପ୍ରବେଶ କରି ତୁମକୁ ଲଜ୍ଜା ଲାଗୁନି, ଅଧାର୍ମିକ !”

 

“ସ୍ଥାଣ୍ୱୀଶ୍ୱରର ଲମ୍ପଟ ରାଜକୁଳର ଅନ୍ତଃପୁରପ୍ରତି ମୋର ଶ୍ରଦ୍ଧା ନାହିଁ । ଚୌର୍ଯ୍ୟ–ଲବ୍‍ଧ ଅତ୍ୟାଚାରିତା ବଧୂମାନଙ୍କୁ ରଖାଯାଇଥିବା ଅନ୍ତଃପୁରପ୍ରତି କୌଣସି ସମ୍ମାନ ରହିବା ଉଚିତ ନୁହେଁ । ଏଭଳି ଅନ୍ତଃପୁରକୁ ଯେଉଁମାନେ ପ୍ରଶ୍ରୟ ଦେଉଛନ୍ତି, ସେମାନେ ଲଜ୍ଜିତ ହୋଇପାରନ୍ତି । କୁମାର, ସାମ୍ରାଜ୍ୟ–ଗର୍ବରେ ଅନ୍ଧ ହୁଅନ୍ତୁ ନାହିଁ । ସ୍ଥାଣ୍ୱୀଶ୍ଵର ଗଜଲକ୍ଷ୍ମୀଙ୍କୁ ଅପମାନ କରିଛି । ବ୍ରାହ୍ମଣ ଉପରେ ଆପଣଙ୍କର କୋପ ବ୍ୟର୍ଥ । ସେ ନା ଭିକାରୀ ନା ମହାସାନ୍ଧିବିଗ୍ରହକ । ସେ ହେଉଛି ଧର୍ମର ବ୍ୟବସ୍ଥାପକ । ମୁଁ ଯାହା କିଛି କରିଛି, ସେଥିପାଇଁ ଲଜ୍ଜିତ ନୁହେଁ କିମ୍ବା ମୋର ବ୍ରାହ୍ମଣତ୍ଵ କଳୁଷିତ ହୋଇନାହିଁ । ଦେବପୁତ୍ର ତୁଅର–ମିଳିନ୍ଦଙ୍କପ୍ରତି ମର୍ଯ୍ୟାଦା–ଜ୍ଞାନ ମୋର ଅଛି ଓ ନିର୍ଭୟଭାବରେ ପୁନର୍ବାର କହୁଛି, ସ୍ଥାଣ୍ୱୀଶ୍ଵରର ରାଜବଂଶ ନିଜକୁ ପୂଜ୍ୟ–ପୂଜନର ଅଯୋଗ୍ୟ କରିଛି । ଦେବପୁତ୍ର–ନନ୍ଦିନୀ ଏ ରାଜବଂଶକୁ ଘୃଣା କରନ୍ତି ।”

 

କୁମାର ଚିନ୍ତିତ ହେଲେ–ବୋଧହୁଏ ମୋ କଥାର ତାତ୍ପର୍ଯ୍ୟ କିଛି ବୁଝିପାରିଲେ । ତାଙ୍କର ଉତ୍ତେଜିତ ସ୍ଵର ଶୁଣି ଆଚାର୍ଯ୍ୟପାଦ ମଧ୍ୟ ସେତିକିବେଳେ ଆସି ପହଞ୍ଚିଲେ । ତାଙ୍କୁ ଦେଖି ଆମେ ଠିଆହେଲୁ । ବସ୍ତୁତ୍ଵ ଆଚାର୍ଯ୍ୟଙ୍କର ଆଜ୍ଞା ପାଳନ ବିଷୟ ଆମେ ଭୁଲି ଯାଇଥିଲୁ । ଆଚାର୍ଯ୍ୟ ପ୍ରଥମେ ମୋତେ ପ୍ରଶ୍ନ କଲେ–“ବତ୍ସ, କଣ କିଛି ଅନୁଚିତ କହିଲୁ ? କୁମାର କୃଷ୍ଣଙ୍କ ଭଳି ସଜ୍ଜନଙ୍କୁ କାହିଁକି ଉତ୍ତେଜିତ କଲୁ ? ଛି, ଏହା କହନ୍ତି !” ଏହା କହି ସେ ମୋର ମୁଣ୍ଡ ଆଉଁସିଦେଲେ ଓ କୁମାରଙ୍କୁ ଅନାଇ କହିଲେ–“କୁମାର, ଉତ୍ତେଜିତ ହୁଅ ନାହିଁ । ବତ୍ସ, ବାଣଭଟ୍ଟ କିଛି ଜାଣେ ନାହିଁ । ରାଜୋଚିତ ସମ୍ମାନ ତାର ଅଜଣା । ତା କଥାର ଅର୍ଥକୁ ବୁଝିବାକୁ ଚେଷ୍ଟା କର, ଶବ୍ଦ–ବ୍ୟବହାରକୁ ବୁଝିବାକୁ ଯାଅ ନାହିଁ ।” ଖୁବ୍ ସ୍ନେହରେ କୁମାରଙ୍କର ପିଠିରେ ଆଉଁସି ଦେଇ କହିଲେ–“ବସ” । ଆଚାର୍ଯ୍ୟ ଆସନ ଉପରେ ବସିଲେ ଏବଂ ଆମେ ପକ୍କା ମାଟି ଉପରେ ବସିଲୁ । କୁମାର ପ୍ରଥମେ କହିଲେ–“ଆର୍ଯ୍ୟ, ବାଣ ଭଟ୍ଟ ସ୍ଥାଣ୍ୱୀଶ୍ଵରର ରାଜବଂଶକୁ ଘୃଣା କରନ୍ତି ।’’

 

ଆଚାର୍ଯ୍ୟ ଆଶ୍ଚର୍ଯ୍ୟ ହୋଇ ମୋତେ ଅନାଇଲେ–“ଶାନ୍ତ ପାପଂ । ବତ୍ସ, ଏକଥା କହିଛୁ-?”

 

ମୁଁ ଶାନ୍ତଭାବରେ କହିଲି–“ଆର୍ଯ୍ୟ, ଦେବପୁତ୍ର ତୁଅର–ମିଳିନ୍ଦଙ୍କ କନ୍ୟାଙ୍କୁ ଅପମାନିତ କରିଥିବା ରାଜକୁଳକୁ ଯେଉଁ ରାଜବଂଶ ପ୍ରଶ୍ରୟ ଦେଇଛି ସେ ନିଜକୁ ପୂଜ୍ୟ–ପୂଜନର ଅଯୋଗ୍ୟ କରିଛି । ଏ ରାଜବଂଶ ସହିତ ସମ୍ବନ୍ଧଥିବା କୌଣସି ବ୍ୟକ୍ତିର ଗୃହରେ ଦେବପୁତ୍ର–ନନ୍ଦିନୀଙ୍କୁ ଆଶ୍ରୟ ନେବା ପାଇଁ ମୁଁ ଅନୁମତି ଦେଇପାରିବି ନାହିଁ । ଏହା ରାଜକନ୍ୟାଙ୍କର ସ୍ଵଇଚ୍ଛା । ମୋର ଅବିନୟକୁ କ୍ଷମା କରିବେ । ଅକିଞ୍ଚନ ବାଣଭଟ୍ଟ ରୂପରେ ମୁଁ ଏକଥା କହୁ ନାହିଁ । ମୁଁ ଏହା କହୁଛି ଦେବପୁତ୍ର ତୁଅର–ମିଳିନ୍ଦଙ୍କର ପ୍ରାଣାଧିକା କନ୍ୟାଙ୍କର ପ୍ରତିଷ୍ଠା ଓ ମର୍ଯ୍ୟାଦାର ରକ୍ଷକରୂପେ । ବାଣଭଟ୍ଟ କୁମାରଙ୍କର ବଶମ୍ବଦ କିନ୍ତୁ ଦେବପୁତ୍ର ତୁଅର–ମିଳିନ୍ଦଙ୍କର ଆହତ ଅଭିମାନର ପ୍ରତିନିଧିରୂପେ ଆପଣ ତାଠାରୁ ନତ ହେବାର ଆଶା ରଖିବେ ନାହିଁ ।”

 

“ସାଧୁ ବତ୍ସ, ତୁ ଦେବପୁତ୍ରର ମର୍ଯ୍ୟାଦାର ଅନୁକୂଳ କଥା କହିଛୁ । କୁମାର, ତୁମେ ଧୀର ଓ ବିବେକୀ । ସ୍ଥାଣ୍ୱୀଶ୍ୱରର କଳଙ୍କ–ପଙ୍କକୁ ଧୋଇଦେବାର ପବିତ୍ର କାର୍ଯ୍ୟ ତୁମକୁହିଁ କରିବାକୁ ହେବ ଏବଂ ତୁମେହିଁ ଏ କାର୍ଯ୍ୟ କରିପାରିବ । ଆୟୁଷ୍ମତୀ ଚନ୍ଦ୍ରଦୀଧିତିର ସମ୍ମାନପ୍ରତି ତୁମକୁ ଧ୍ୟାନ ଦେବାକୁ ହେବ । ପ୍ରତ୍ୟନ୍ତ–ଦେଶପ୍ରତି ଥରେ ଦୃଷ୍ଟିପାତ କର । ଯୋଧେୟମାନେ ସୌବୀରରୁ ଗାନ୍ଧାର ପର୍ଯ୍ୟନ୍ତ ଆତଙ୍କ ସୃଷ୍ଟି କରିଛନ୍ତି । ସମ୍ରାଟ୍ ସମୁଦ୍ରଗୁପ୍ତଙ୍କ କୀର୍ତ୍ତି ଆଜିପର୍ଯ୍ୟନ୍ତ ଚନ୍ଦ୍ର କିରଣଭଳି ଧବଳ ହୋଇରହିଛି, କିନ୍ତୁ.ରଣ–ଦୁର୍ମଦ ଯୋଧେୟଙ୍କୁ ଯଦି ଦମନ କରା ନ ଯାଏ ତା’ ହେଲେ ସୁଦ୍ଧର୍ମର ବିନାଶ ଅବଶ୍ୟମ୍ଭାବୀ । ଏ କାର୍ଯ୍ୟପାଇଁ ତୁମ୍ଭଙ୍କୁ ଦେବପୁତ୍ରଙ୍କ ସହିତ ମିତ୍ରତା କରିବାକୁ ହେବ । ସେହି ମିତ୍ରତାପାଇଁ ତୁମ୍ଭଙ୍କୁ ଆୟୁଷ୍ମତୀ ଚନ୍ଦ୍ରଦୀଧିତିକୁ ଅନୁରୋଧ କରିବାକୁ ପଡ଼ିବ ଓ ତାର ବିପତ୍ତିର ବନ୍ଧୁ ବାଣଭଟ୍ଟର କଥାକୁ ସମ୍ମାନ କରିବାକୁ ପଡ଼ିବ ।” କୁମାର ନିର୍ବିକାର ହୋଇ ବସି ରହିଲେ । ତାପରେ ଶାନ୍ତଭାବରେ କହିଲେ–“ତା ହେଲେ କି ଆଜ୍ଞା, ଆର୍ଯ୍ୟ !”

 

ଆଚାର୍ଯ୍ୟ କହିଲେ–“ଆୟୁଷ୍ମତୀକୁ ତାର ଉପଯୁକ୍ତ ସ୍ଥାନକୁ ନେବାକୁ ପଡ଼ିବ । ସ୍ଥାଣ୍ୱୀଶ୍ଵରର କଳଙ୍କ ଦୂର କରି ତାର ବିଶ୍ଵାସ ଅର୍ଜନ କରିବାକୁ ପଡ଼ିବ ଓ ଦେବପୁତ୍ରଙ୍କୁ ସମ୍ବାଦ ଦେବାକୁ ହେବ । ବତ୍ସ, ମୁଁ ଭୟ କରେ ଚଣ୍ଡୀ–ମଣ୍ଡପର ସେହି ମୂର୍ଖ ପୂଜାରୀକୁ । ତାର କୌଣସି ସ୍ଥିରତା ନାହିଁ, କଣ ଯେ କେତେବେଳେ କରିବ ! ତାର କୌଣସି ବ୍ୟବସ୍ଥା କରିଛ ? କୁମାର ନିର୍ବିକାର । କେବଳ ରୁଦ୍ଧଗଳାରେ କହିଲେ, “ନାଗରିକ ବେଶରେ ପାଞ୍ଚ ସହସ୍ର ସୈନିକ ଚଣ୍ଡୀ–ମଣ୍ଡପକୁ ରକ୍ଷା କରୁଛନ୍ତି ।’’

 

ଆଚାର୍ଯ୍ୟ ସାଧୁବାଦ ଦେଲେ । ପୁଣି କହିଲେ, ‘‘ବତ୍ସ, କଣ ଭାବୁଛ ? ତୁମର କ୍ରୋଧ କଣ ଏପର୍ଯ୍ୟନ୍ତ ଶାନ୍ତ ହୋଇନାହିଁ ?” ଅବସର ଦେଖି ମୁଁ ବିନୀତ ଭାବରେ କହିଲି–“ଆର୍ଯ୍ୟ, କୁମାରଙ୍କୁ ଉତ୍ତେଜିତ କରି ମୁଁ ଅପରାଧ କରିଛି, ମୋତେ ତାର ଦଣ୍ଡ ମିଳିବା ଦରକାର । କିନ୍ତୁ ମୋର ଔଦ୍ଧତ୍ୟପାଇଁ ଦେବପୁତ୍ର–ନନ୍ଦିନୀଙ୍କର ଯେପରି କୌଣସି ଅନିଷ୍ଟ ନ ହୁଏ ।’’

 

କୁମାର ମୋତେ ଅନାଇ କହିଲେ–“ଭଟ୍ଟ, ମୁଁ ତମର ସାହସକୁ ପ୍ରଶଂସା କରୁଛି । ଏଥିପୂର୍ବରୁ ତୁମଭଳି ବ୍ରାହ୍ମଣଙ୍କ ସହିତ ମୋର ଯେ କାହିଁକି ସାକ୍ଷାତ୍ ହୋଇ ନ ଥିଲା, ତାହାହିଁ ଭାବୁଛି ।’’

 

ଆର୍ଯ୍ୟପାଦ ସ୍ମିତହାସ୍ୟ କରି କହିଲେ–“କେବେ କଣ ଅନ୍ଵେଷଣ କରିଥିଲ, ବତ୍ସ !’’

 

‘‘ନା, ଆର୍ଯ୍ୟ !’’

 

ଆଚାର୍ଯ୍ୟ ପୁଲକିତ ହୋଇ କହିଲେ–“ବ୍ରାହ୍ମଣ ହୁଅନ୍ତୁ ବା ଶ୍ରମଣ, ମନୁଷ୍ୟତା ଦୁଇ ସ୍ଥାନରେ ବିରଳ, କୁମାର !” ପୁଣି ହସି ହସି କୁମାରଙ୍କର ପିଠି ଆଉଁସିଦେଲେ ।

 

କିଛିକ୍ଷଣ ନୀରବ ରହିବାପରେ ଚିନ୍ତିତ କୁମାର ମୋତେ ଅନାଇଲେ ଓ ପୁଣି ଆଚାର୍ଯ୍ୟଙ୍କୁ ଅନାଇ କହିଲେ–‘‘ସ୍ଥାଣ୍ୱୀଶ୍ୱରରେ ମୁଁ ଏଭଳି ଗୃହ ଦେଖି ପାରୁନାହିଁ ଯାହାର ରାଜବଂଶ ସହିତ ସମ୍ବନ୍ଧ ନାହିଁ । ତାଛଡ଼ା ଧର୍ମତଃ ମୁଁ ଯାହା ଜାଣେ ତାହା ମହାରାଜାଧିରାଜଙ୍କୁ ଜଣାଇବା ଉଚିତ । ଫଳରେ ବାଣଭଟ୍ଟ ରାଜକୋପରେ ପଡ଼ିବେ ଓ ନିପୁଣିକାର ସର୍ବନାଶ ହେବ । ତେଣୁ ମୁଁ ବିଚାରୁଛି କାଲି ସନ୍ଧ୍ୟା ମଧ୍ୟରେ ଦେବପୁତ୍ର ନନ୍ଦିନୀ ଓ ନିପୁଣିକାକୁ ନେଇ ବାଣଭଟ୍ଟ ମଗଧଯାତ୍ରା କରନ୍ତୁ । ଆଜି ମୁଁ ଗୋଟିଏ ନୌକାର ବ୍ୟବସ୍ଥା କରିଦେଉଛି । ଦେବପୁତ୍ର–ନନ୍ଦିନୀ ଆଜି ରାତିରେ ସେଥିରେ ବିଶ୍ରାମ କରନ୍ତୁ । କାଲି ପ୍ରସ୍ଥାନ କରିବା ପୂର୍ବରୁ ବାଣ ଭଟ୍ଟ ମୋ ସହିତ ସାକ୍ଷାତ୍ କରିବେ-। କାଲି ହୋଲି–ଉତ୍ସବ । ସର୍ବତ୍ର ଛୁଟି । ପରଦିନ ମଧ୍ୟାହ୍ନରେ ମୁଁ ମହାରାଜାଧିରାଜଙ୍କୁ ସମସ୍ତ କଥା ବୁଝାଇଦେବି । ଦେବପୁତ୍ର–ନନ୍ଦିନୀଙ୍କର ଯେପରି କୌଣସି କଷ୍ଟ ନ ହୁଏ ତାର ବ୍ୟବସ୍ଥା କରିବି ଓ ତାଙ୍କର ପ୍ରସନ୍ନତାପାଇଁ ଯତ୍ନ କରିବି ।”

 

ଆଚାର୍ଯ୍ୟ ଉତ୍ସାହ ଦେଇ କହିଲେ–“ସାଧୁ ବତ୍ସ ! କୁମାରଙ୍କର ଏହା ଯୋଗ୍ୟ କଥା ।’’

 

କୁମାର କହିଲେ–“କିନ୍ତୁ ଆର୍ଯ୍ୟ, ଦେବପୁତ୍ର–ନନ୍ଦିନୀ ନିର୍ଦ୍ଦୋଷ ରାଜବଂଶ ଉପରେ କୋପ କରିଛନ୍ତି । ଏହା କଣ୍ଟକଭଳି ମୋ ମନକୁ ବିଦ୍ଧ କରୁଛି ।” ମୋତେ କହିଲେ–“ଦେବପୁତ୍ର–ନନ୍ଦିନୀଙ୍କ ସମ୍ମୁଖକୁ ଯିବାପାଇଁ ମୋତେ ଲଜ୍ଜା ଲାଗୁଛି । ଭଦ୍ର, ତୁମେ ଠିକ୍ କିହିଛ, ସ୍ଥାଣ୍ୱୀଶ୍ୱରର ରାଜବଂଶ ନିଜକୁ ପୂଜ୍ୟ–ପୂଜନର ଅଯୋଗ୍ୟ କରିଛି । କିନ୍ତୁ ଏହା ଅଜ୍ଞତାରେ ଘଟିଛି । ଅନୁକୂଳ ଅବସରବେଳେ ଦେବପୁତ୍ର–ନନ୍ଦିନୀଙ୍କୁ ବୁଝାଇଦେବ ଯେ ପୂଜ୍ୟ–ପୂଜନର ଏହି ଅବସର ମଧ୍ୟ ତାଙ୍କରି ଇଚ୍ଛାରେ ସେହି ରାଜବଂଶ ହରାଇଲା । ମୋର ସାହସ ହେଉନି । ମୋ ପକ୍ଷରୁ କିନ୍ତୁ ତୁମେ ତାଙ୍କୁ ଶିବିକାରେ ଗଙ୍ଗାତୀର ପର୍ଯ୍ୟନ୍ତ ଯିବାକୁ ସମ୍ମତ କରାଇବ । ଯେଉଁମାନେ ଦେବପୁତ୍ର–ନନ୍ଦିନୀଙ୍କର ଅପମାନ କରିଛନ୍ତି, ସେମାନେ ସମସ୍ତେ ସ୍ଥାଣ୍ୱୀଶ୍ୱରର ଗଜଲକ୍ଷ୍ମୀଙ୍କୁ ପଦାଘାତ କରିଛନ୍ତି-। ସେମାନଙ୍କୁ ଏହାର ଉତ୍ତର ଦେବାକୁ ପଡ଼ିବ । କିନ୍ତୁ ଶୀଘ୍ର ଓ ଦୁର୍ବଳ ଭାବରେ କୌଣସି କାର୍ଯ୍ୟ ସମ୍ପାଦନ କରିବା ବିଷୟକୁ ମୁଁ ନୀତି–ବିରୁଦ୍ଧ ବୋଲି ମନେକରେ । ଦେଖ ଭଟ୍ଟ, ତୁମେ ଦେବପୁତ୍ର–ନନ୍ଦିନୀଙ୍କର ବିଶ୍ଵାସପାତ୍ର ହେବାର ସୌଭାଗ୍ୟ ପାଇଛ । ତେଣୁ ତୁମେ ତତ୍ରଭବତୀଙ୍କୁ ବୁଝାଇଦେବ ଅପରାଧୀଙ୍କୁ ଆଜି ଦଣ୍ଡ ନ ମିଳିବାର କାରଣ ହେଉଛି ରାଜନୀତିକ ଜଟିଳତା । କୁମାର କୃଷ୍ଣବର୍ଦ୍ଧନ ପ୍ରତିଜ୍ଞା କରୁଛି ଅନୀତିର ଉଚ୍ଛେଦସାଧନ କଲାପରେ ହିଁ ସେ ବିଶ୍ରାମ ନେବ । ଦେବପୁତ୍ର ନନ୍ଦିନୀଙ୍କର ଅପମାନକୁ ସେ ନିଜର ଭଗିନୀର ଅପମାନ ବୋଲି ମନେ କରୁଛି ।’’

 

ଆଚାର୍ଯ୍ୟ କରୁଣାର୍ଦ୍ର ଦୃଷ୍ଟିନିକ୍ଷେପ କରି କୁମାରଙ୍କୁ କହିଲେ–“ସାଧୁ ବତ୍ସ, ସାଧୁ ! ସ୍ଥାଣ୍ୱୀଶ୍ୱରର ପ୍ରତାପୀ ରାଜବଂଶର ଏହା ଉପଯୁକ୍ତ ବାକ୍ୟ ।” କୁମାର କହିଲେ–“କିନ୍ତୁ ଆର୍ଯ୍ୟ, ମୋର ହୃଦୟବିଦ୍ଧ କଣ୍ଟକ ପୂର୍ବପରି ରହିଛି । ଦେବପୁତ୍ର–ନନ୍ଦିନୀଙ୍କର ଇଚ୍ଛାର ପ୍ରତିବାଦ କରିବା ମୋର ଅଭିଳାଷ ନୁହେଁ । ଏତେ ଲଜ୍ଜା କୌଣସି ଦିନ ମୁଁ ପାଇ ନ ଥିଲି । ଶୀର୍ଣ୍ଣ ଦେବାୟତନର ପ୍ରାଙ୍ଗଣ ଗୃହରେ କୁସୁମ–ସୁକୁମାର ରାଜକୁମାରୀ ଋକ୍ଷ ଓ ହୁଏତ ନିରନ୍ନ ହୋଇ ଆଜି ଯେଉଁ ସମୟ କଟାଇଲେ, ତାହା ସ୍ମରଣ କଲାମାତ୍ରେ ମୋର ସମସ୍ତ କ୍ଷତ୍ରିୟତ୍ଵ ପଙ୍ଗୁ ହୋଇଯାଉଛି । ବହୁକଷ୍ଟରେ ନିଜକୁ ସଂଯତ କରିଛି । କିନ୍ତୁ ମୋର ଦୁଃଖ ମୁଁ କିଛି କରିପାରୁ ନାହିଁ । ମୋର ପ୍ରତ୍ୟେକ କାର୍ଯ୍ୟ ଦେବପୁତ୍ର–ନନ୍ଦିନୀଙ୍କର ମନରେ ସନ୍ଦେହ ଜାତ କରିପାରେ । ଯାହାଙ୍କର ଦୁର୍ଜୟ ପ୍ରତାପରେ ଉତ୍ତରଦେଶ କମ୍ପିତ ହୋଇଛି, ଯାହାଙ୍କର ଖର ଅସିଧାର–ସ୍ରୋତସ୍ଵିନୀରେ ଶାକ–ପାର୍ଥିବ ତୁଲ୍ୟ ନରେଶ ଫେନ–ବୁଦବୁଦ ଭଳି ବହିଯାଇଛନ୍ତି, ଯାହାଙ୍କର ପ୍ରତାପାଗ୍ନି ଉଦଣ୍ଡ ବହ୍ନିକକୁ ଚୂର୍ଣ୍ଣ କରିଛି ଓ ଯାହାଙ୍କର ସ୍ଫୁର୍ଜିତ–ଦୀପ୍ତ–କୀର୍ତ୍ତିବହ୍ନିରେ ଶତ୍ରୁମାନେ ପତଙ୍ଗଭଳି ନଷ୍ଟ ହୋଇଛନ୍ତି, ଏ ସେହି ଦେବପୁତ୍ର, ତୁଅର–ମିଳିନ୍ଦଙ୍କ କନ୍ୟା–ଏହା ସ୍ମରଣ କଲାମାତ୍ରେ ମୋର ରୋଷ ଆହୁରି ଉଗ୍ର ହୋଇଉଠୁଛି ।

 

“ସେହି ବିଷମ ସମୟ–ବିଜୟୀ ଅଜ୍ଞାତ ପ୍ରତିସ୍ପର୍ଦ୍ଧି–ବିକଟ ଦେବପୁତ୍ର ତୁଅରମିଳିନ୍ଦଙ୍କ କନ୍ୟାଙ୍କୁ ଦୁର୍ଦ୍ଦଶାପନ୍ନ ଦେଖି ମଧ୍ୟ ମୁଁ ଯେ କିଛି ସାହାଯ୍ୟ କରିପାରୁ ନାହିଁ, ଏକ ବିଶାଳ ଶଲ୍ୟଭଳି ଏହା ମୋର ପ୍ରାଣ ଭେଦ କରୁଛି । ଆର୍ଯ୍ୟ, ମୋର ଏତିକି ଅନୁରୋଧ ତତ୍ରଭବତୀ ଗଙ୍ଗାତଟ ପର୍ଯ୍ୟନ୍ତ ପାଦରେ ନ ଯାଇ ମୋଦ୍ଵାରା ପ୍ରେରିତ ଶିବିକା ବ୍ୟବହାର କରିବାପାଇଁ ଯେପରି ସଂକୋଚ ନ କରନ୍ତି । କୁମାର କୃଷ୍ଣବର୍ଦ୍ଧନକୁ ତତ୍ରଭବତୀଙ୍କର ଭାଇ ହେବାର ଗୌରବ ମିଳିବା ଆବଶ୍ୟକ ।” କୁମାରଙ୍କର ଦୀପ୍ତ ମୁଖମଣ୍ଡଳରେ ରୋଷ, କ୍ଷୋଭ, ଗ୍ଳାନି ଓ ନିରୁପାୟର ଭାବ ଫୁଟିବାକୁ ଲଗିଲା । ଦିନାନ୍ତକାଳର ମେଘମଣ୍ଡଳଭଳି କେତେ ରଙ୍ଗ ଖେଳିଗଲା ତାଙ୍କର ଆର୍ଦ୍ର ମୁଖମଣ୍ଡଳ ଉପରେ ।

 

ମୋତେ ଅନାଇ ଆଚାର୍ଯ୍ୟ କହିଲେ–“ବତ୍ସ, କୁମାରଙ୍କ ଅନୁରୋଧକୁ ମୁଁ ସମର୍ଥନ କରୁଛି-। ଗଙ୍ଗାତୀରରେ ମୁଁ ତା’ ସାକ୍ଷାତ୍ କରିବି । ବର୍ତ୍ତମାନ ତୁମେମାନେ ଯାଅ ।”

 

ଆଚାର୍ଯ୍ୟଙ୍କର ଇଙ୍ଗିତରେ ମୁଁ ଓ କୁମାର ଉଠିଲୁ । ବାହାରକୁ ଆସି ଦେଖିଲି ମଧ୍ୟାହ୍ନକାଳୀନ ସୂର୍ଯ୍ୟ ନିଜର ଅୟୁତତପ୍ତ କିରଣରେ ଅଗ୍ନି–ସ୍ଫୁଲିଙ୍ଗ ବର୍ଷଣ କରୁଛନ୍ତି । ବାୟୁ–ଉତ୍‍ଥିତ ଧୂଳିରେ ପଟଳିତ ହୋଇ ଆକାଶ ଧୂସର ହୋଇଯାଇଛି । ରବିକରରେ ତପ୍ତ ହୋଇ ବିହାର ପ୍ରାଙ୍ଗଣର ପକ୍‍କା ଭୂମି ଅଗ୍ନିପରି ଦାହକ ହୋଇଛି ଏବଂ ଅଙ୍ଗାରମୟ ବାତାବରଣରେ ବିହାରର ମଧ୍ୟସ୍ଥଳର ଅଶ୍ଵତ୍‍ଥ ଆପାଦ ତାମ୍ର କିଶଳୟରେ ଲଦି ହୋଇ ଏଭଳି ଜଣାପଡ଼ୁଛି ସତେ ଯେପରି କୌଣସି ଜ୍ଵଳନ୍ତ ଆଗ୍ନେୟଗିରି ଜ୍ଵଳାମୟୀ ରୂପରେ ଧରିତ୍ରୀର ଅନ୍ତଃସ୍ଥିତ ପ୍ରଚଣ୍ଡ ଉଷ୍ଣତାକୁ ନିକ୍ଷେପ କରୁଛି । କିନ୍ତୁ ତା' କଣ ଉଷ୍ଣତା ? ନା, ନା, ଅଶ୍ଵତ୍‍ଥର କିଶଳୟ ସମ୍ପତ୍ତିକୁ ଉଷ୍ଣତା ମନେ କରିବା କେବଳ ବିକୃତ ଚିନ୍ତାର ପରିଣାମ । ଏଡ଼େ ପ୍ରଚଣ୍ଡ ତାପମଧ୍ୟରେ ମଧ୍ୟ ଧରୀତ୍ରୀର ହୃଦୟସ୍ଥ ରସରାଶି ଶୀତଳ । କୁମାର କୃଷ୍ଣବର୍ଦ୍ଧନଙ୍କର ହୃଦୟସ୍ଥିତ ଶୀତଳ ପ୍ରେମଧାରାକୁ ମୁଁ ଯେଉଁ ଉଷ୍ଣତା ବୋଲି ମନେ କରୁଥିଲି ତା’ ଥିଲା ମୋର ବିକୃତ ଚିନ୍ତାର ପରିଣାମ । କ୍ଷମା–ଯାଚଞ୍ଜାଦୃଷ୍ଟିରେ କୁମାରଙ୍କୁ ଅନାଇଲି । ତାଙ୍କର ଶାନ୍ତ ମୁଖମଣ୍ଡଳରୁ ଏକ ସ୍ନିଗ୍‍ଧ–ପ୍ରଭା ନିର୍ଗତ ହେଉଥିଲା । ମୋର ଦୃଷ୍ଟିର ଅର୍ଥ ବୁଝିପାରି ସାମାନ୍ୟ ହସି କହିଲେ–“ଦେବପୁତ୍ରଙ୍କ ମର୍ଯ୍ୟାଦାର ଉଚିତ ଜ୍ଞାନ ତୁମର ଅଛି ଭଟ୍ଟ ! ମୁଁ ତୁମ ଉପରେ ପ୍ରସନ୍ନ ।”

 

କୁମାରଙ୍କର ଔଦାର୍ଯ୍ୟକୁ ହାତଯୋଡ଼ି ମୌନ ଓ ବିନୟର ସହିତ ଗ୍ରହଣ କଲି । ସହୃଦୟ କୁମାର ବୁଝିଲେ କୃତଜ୍ଞତାର ଆତିଶଯ୍ୟା ମୋର ବଚନ ରୁଦ୍ଧ କରିଦେଇଛି । ସେ ପ୍ରସନ୍ନ ହୋଇଗଲେ ।

Image

 

ଷଷ୍ଠ ପରିଚ୍ଛେଦ

 

ଆମର ଯାତ୍ରା ଆରମ୍ଭ ବେଳକୁ ଗୋଧୂଳି ହୋଇଥିଲା । ବିଳମ୍ବର କାରଣ ମୁଁ । ଗଙ୍ଗାତଟରେ ନୌକା–ବ୍ୟବସ୍ଥା ନ ଦେଖି ଭଟ୍ଟିଣୀକୁ ସେଠାକୁ ପଠାଇବା ଉଚିତ ନୁହେଁ ବୋଲି ମନେକଲି । ଗଙ୍ଗାତଟରୁ ଫେରୁ ଫେରୁ ଦିନ ସଂକୁଚିତ ହୋଇଯାଇଥିଲା । ପରିଣତ ପ୍ରିୟଙ୍ଗୁ ମଞ୍ଜରୀର କେଶରପରି ସୂର୍ଯ୍ୟମଣ୍ଡଳ ପୀତରଙ୍ଗରେ ରଞ୍ଜିତ ପଶ୍ଚିମ ସମୁଦ୍ର ଦେହକୁ ଓହଳି ପଡ଼ିଥିଲେ । ଦିଗ୍‍ବଧୂଙ୍କର ମୁହଁ ଉପରେ ପଡ଼ିଥିବା ଅସ୍ତକାଳର ଛଟା ଦେଖାଯାଉଥିଲା ସତେ ଯେପରି ତାହା ଅବିରତ କୁସୁମ ରସର ସଂଯୋଗରେ ଲାଲ ଓ ନରମ ହୋଇଥିବା ଏକ ଚାଦର । ଆକାଶର ନୀଳିମା ହ୍ରାସ ପାଇଥିଲା ଏବଂ ଚକୋରର ନୟନ–ତାରକାଭଳି ତାହା ପିଙ୍ଗଳ–ବର୍ଣ୍ଣର କାନ୍ତିରେ ବିଲୁପ୍ତ ହୋଇଯାଇଥିଲା । କୋକିଳର ବିଲୋଚନଭଳି ବଭ୍ରୂ–ବର୍ଣ୍ଣ କିରଣ ସମଗ୍ର ଭୁବନ–ମଣ୍ଡଳକୁ ଅରୁଣାୟିତ କରୁଥିଲା । କେତୋଟି ଉନ୍ନେଷିତ ନକ୍ଷତ୍ର ଦୃଷ୍ଟିପାତ କରୁଥିଲେ ପୂର୍ବ–ଗଗନରୁ ଏବଂ ମୋହିନୀ–ବେଶପରିହିତା ଗୈରିକଧାରଣୀ କୌଣସି ଭୈରବୀଭଳି ପୂର୍ଣ୍ଣ ସଂଧ୍ୟା ଓହ୍ଲାଇ ଆସୁଥିଲା ଚଣ୍ଡୀ–ମଣ୍ଡପ ଉପରକୁ ଶିବିକା ପ୍ରସ୍ତୁତ ଥିଲା । ଭଟ୍ଟିଣୀ ଓ ନିପୁଣିକା ମଧ୍ୟ ପ୍ରସ୍ତୁତ ହୋଇ–ସାରିଥିଲେ । ମୁଁ ଆସିଲାମାତ୍ରେ ସେମାନେ ଶିବିକାରେ ବସି ଗଙ୍ଗାତୀର ଉଦ୍ଦେଶ୍ୟରେ ଯାତ୍ରାକଲେ ।

 

ପ୍ରାଙ୍ଗଣ–ଗୃହରୁ ବାହାରକୁ ଆସି ମୁଁ ଥରେ ଚତୁଃପାର୍ଶ୍ଵକୁ ଅନାଲଲି । ଆକାଶର ଅରୁଣିମା ପୋଛି ହୋଇଯାଇଥିଲା । ନିକଟବର୍ତ୍ତୀ ବୃକ୍ଷ ସମୂହର ହରିତବର୍ଣ୍ଣ କାଳିମାରେ ପରିଣତ ହୋଇଥିଲା । ବନ୍ୟ ମହିଷର ମଳିନ ଶରୀରଭଳି ବନରାଜି ବିବର୍ଣ୍ଣ ହୋଇ ଆସୁଥିଲେ । ଶାନ୍ତ ପଡ଼ିଥିଲା ପକ୍ଷୀଙ୍କର କାକଳି । ସମ୍ମୁଖର ଭଗ୍ନ ପୁଷ୍କରିଣୀଟି ନିଜର ଶାନ୍ତ ବକ୍ଷରେ ଆକାଶର ସମସ୍ତ ସମ୍ପତ୍ତି ଧରି ହସୁଥିଲା । ସର୍ବତ୍ର ଶାନ୍ତ ନିସ୍ତବ୍‍ଧତା । ଇଚ୍ଛା ହେଲା ଯଦି ପୂଜାରୀଙ୍କ ସହିତ ଭେଟ ହୁଅନ୍ତା ତାହେଲେ ମନଖୋଲି ଟିକେ ଥଟ୍ଟା କରି ନିଅନ୍ତି । କିନ୍ତୁ ସେତେବେଳେ ସେ ଯେ କେଉଁଠି କିଏ ଜାଣେ ? ସତେ ଯେପରି କିଛି ଖୋଜିବାପାଇଁ ପୁଣି ଥରେ ପ୍ରାଙ୍ଗଣ–ଗୃହକୁ ଗଲି । ମୋହ ସତରେ କି ବିଚିତ୍ର ବସ୍ତୁ ! ଭଗ୍ନ ପ୍ରାଙ୍ଗଣ–ଗୃହପ୍ରତି ଯେପରି ଆକର୍ଷଣ ବଢ଼ିଯାଇଥିଲା । ଚିରଦିନ ତାହା ଥିଲା ନିସ୍ତବ୍‍ଧ କିନ୍ତୁ ଭଟ୍ଟିଣୀ ଚାଲିଯିବା ପରେ ତାହା ଆହୁରି ନିସ୍ତବ୍‍ଧ ହୋଇଯାଇଥିଲା । ସତେ ଯେପରି ତାର କାନ୍ଥଗୁଡ଼ିକ ବାରମ୍ବାର ଚିତ୍କାର କରି କହୁଥିଲେ ଆଜି ଯଥାର୍ଥରେ ଆମେ ନିସ୍ତବ୍ଧ ହୋଇଗଲୁ । ସେଠାରେ କିଛି ସମୟ ଠିଆ ହୋଇ ରହିଲି । ଭଟ୍ଟିଣୀଙ୍କର ପୂଜା–ବେଦି ସେ ପର୍ଯ୍ୟନ୍ତ ଆର୍ଦ୍ର ରହିଥିଲା । ମହାବରାହ ଚାଲିଯାଇଥିଲେ ସତ; କିନ୍ତୁ ନିଜର ଉଦ୍ଧାର–ମହିମାର ଚିହ୍ନ ତା’ ଉପରେ ଛାଡ଼ିଯାଇଥିଲେ । କିଛିକ୍ଷଣ ପର୍ଯ୍ୟନ୍ତ ବେଦି ଉପରେ ଦୃଷ୍ଟିପାତ କରି ମୁଁ ପୁଣି ଥରେ ସ୍ଥିର ଦୃଷ୍ଟିରେ ତାନ୍ତ୍ରିକ ଚିହ୍ନଗୁଡ଼ିକୁ ଦେଖିଲି । ଭୈରବୀ–ଚିତ୍ରଚିହ୍ନ ପୃଷ୍ଠଭୂମିରେ ମହାବରାଗ୍ରହଙ୍କର ବେଦି ଦେଖି ଅଦ୍ଭୁତ ଲାଗିଲା । ଦିନକପାଇଁ ଏ ପରସ୍ପର–ବିରୋଧୀ ପ୍ରତୀକର ଯେଉଁ ସମନ୍ଵୟ ହେଲା ତାହା ଆକସ୍ମିକ ହୋଇପାରେ, କିନ୍ତୁ ଅକାରଣ ନୁହେଁ । ଏଥିରେ କୌଣସି ଭାବୀ ବିରୋଧାଭାସର ସୂଚନା ରହିଛି ନିଶ୍ଚୟ । ହଠାତ୍ ମୋ ମୁହଁରୁ ମୋରି ରଚିତ ଏକ ପୁରାତନ ଛନ୍ଦ ବାହାରି ପଡ଼ିଲା ।

 

ସେତେବେଳେ ମୁଁ ବାରାଣସୀ ନିକଟସ୍ଥ ଜନପଦରେ ପୁରାଣପାଠର ଅଭିନୟ କରୁଥିଲି-। ମୋ ହୃଦୟରେ ଭକ୍ତି ଲେଶ ମାତ୍ର ନ ଥିଲା; କିନ୍ତୁ ଦୁଃଖ, ଅଶ୍ରୂ ଓ ରୋମାଞ୍ଚର ଅଭିନୟରେ ସରଳହୃଦୟା ଜନପଦ–ବଧୂମାନଙ୍କୁ ଓ ଗ୍ରାମର ବୃଦ୍ଧମାନଙ୍କୁ ମୁଗ୍ଧ କରି ରଖିଥିଲି । ଦିନେ ସନ୍ଧ୍ୟାବେଳେ ମୁଁ ବ୍ୟାସାସନ ଉପରୁ ଉଠୁଛି, ଅତି କମନୀୟ–ମୂର୍ତ୍ତି ଜଣେ ବୃଦ୍ଧା ଆସି ମୋର ଚରଣ ସ୍ପର୍ଶ କଲେ । ମୁଖମଣ୍ଡଳ ତାଙ୍କର ଶୁଷ୍କ କମଳପୁଷ୍ପଭଳି ଉଦାସ, କୁଣ୍ଡଳିତ କେଶ ଅସ୍ତବ୍ୟସ୍ତ, ଆକ୍ଷିରେ ପ୍ରଳୟପୁରର ଦୃଶ୍ୟ । ଆହା, କେଡ଼େ ଭକ୍ତିମତୀ, କେଡ଼େ ବିଶ୍ଵାସ–ପରାୟଣା ଓ କେଡ଼େ ସରଳ–ହୃଦୟା ସେ ! ମୁଁ ପଚାରିଲି–“ମାତଃ, ଏତେ ବ୍ୟାକୁଳ କାହିଁକି ? କଣ ହୋଇଛି ? ଆପଣଙ୍କର କଲ୍ୟାଣ ହେଉ; ନିଜର ବ୍ୟଥା ମୋତେ କୁହନ୍ତୁ । ମୁଁ କି ସାହାଯ୍ୟ କରିପାରେ ?” ବୃଦ୍ଧା ରୁଦ୍ଧ କଣ୍ଠରେ କହିଲେ, ‘ଆର୍ଯ୍ୟ, ତୁମେ ବ୍ରାହ୍ମଣ, ପୃଥ୍ଵୀର ଦେବତା, ତୁମର ଆଶୀର୍ବାଦରେ ମୋର କଲ୍ୟାଣ ହେବ । ମୋର ଏକମାତ୍ର ପୁତ୍ର ଘରଦ୍ଵାର ଛାଡ଼ି ପଳାୟନ କରିଛି । ମୋର ନିଧିକୁ ପାଇବାର ଉପାୟ କଣ ? ଯାହା କିଛି ଅନୁଷ୍ଠାନ, ମାଙ୍ଗଲ୍ୟ, ବ୍ରତ ବା ଜପ–ହୋମ କହିବ, କରିବି । ହାୟ, ତାର ବାଳିକା ବଧୂକୁ କଣ କହି ସାନ୍ତ୍ଵନା ଦେବି ?” ବୃଦ୍ଧାଙ୍କର କଥାରେ କ୍ଷଣକପାଇଁ ବିଚଳିତ ହେଲି । ମୁଁ ନିଜେ ତ ପୁଣି ଘରଛଡ଼ା । ପରମୁହୂର୍ତ୍ତରେ ନିଜକୁ ସମ୍ଭାଳି ନେଲି । କାନ୍ଦି କାନ୍ଦି ଧାର୍ମିକତା ଦେଖାଉଥିବା କୌଣସି ଲୋକକୁ ଅନୁଷ୍ଠାନ–ବିଧି ସମ୍ପର୍କରେ ପଚାରିବାପାଇଁ ମୋର ମା’ ନାହିଁ । କୌଣସି ବାଳିକା ବା ପୌଢ଼ ବଧୂ ନାହିଁ, ଯାହାକୁ ସାନ୍ତ୍ଵନା ଦେବାକୁ କାହାକୁ ଦୁଃଖ ସହିବାକୁ ପଡ଼ିବ । କିନ୍ତୁ ଏଭଳି ମାତା ଓ ବଧୂକୁ ଛାଡ଼ି ପଳାୟନ କରିଥିବା ଏ ହତଭାଗ୍ୟ କିଏ ? କେଉଁଠିକି ଯାଇଛି ସେ ? ବୃଦ୍ଧଙ୍କୁ ଆଶ୍ୱାସନା ଦେଇ କହିଲି, “ମା, ବ୍ୟାକୁଳ ହୁଅ ନାହିଁ ! ତୁମର ନିଧି ତୁମକୁ ମିଳିବ ।” କିଛି ବ୍ରତ ଉପବାସର ବିଧି କହି ମୁଁ ନିଜକୁ ମୁକ୍ତ କଲି । ବୃଦ୍ଧା ନିଜର ପୁତ୍ରବଧୂର ହାତ ବି ଦେଖାଇଥିଲେ । ଆହା, କି ସୁନ୍ଦର ମୁହଁ ! ଚକିତ ହୋଇ ମୁଁ ବାଳିକାକୁ ଅନାଇଥିଲି । ନିରାଶ ମୁହଁଟି ତାର । ବୃଦ୍ଧା ଚାଲିଗଲେ; କିନ୍ତୁ ମୋ ମାନସ ପଟରେ ଏକ ବିଶାଳ ଛିଦ୍ର କରିଗଲେ । କାନ୍ଦିବାପାଇଁ କିମ୍ବା ସାନ୍ତ୍ଵନାର ଆଶା ରଖିବାପାଇଁ ମୋର କେହି ନାହାନ୍ତି । ମୁଁ ଏକୁଟିଆ, ସଙ୍ଗୀହୀନ, ହତଭାଗ୍ୟ ମୋ ମନ ଅବଶ ହୋଇଉଠିଲା । ପଦ୍ମପତ୍ରର ଜଳବିନ୍ଦୁ ପରି ଏତେ ଦିନ ଯାହାର ହୃଦୟରେ ସଂସାରର ହସ ଓ କ୍ରନ୍ଦନ ଅସଂପୃକ୍ତ ରହିଥିଲା, ସେ ବ୍ୟକ୍ତି ଆଜି ଏତେ ବ୍ୟାକୁଳ କାହିଁକି ? ଅରୁଣକୁ ଦେଖି କଣ ସୂର୍ଯ୍ୟୋଦୟର ସମ୍ଭାବନା ହୁଏନା ? ପବନକୁ ଦେଖି ଜଳାଗମର ଅନୁମାନ କ’ଣ ସମ୍ଭବ ନୁହେଁ ? ତାହେଲେ କ’ଣ ମୋ ଚିତ୍ତର ଏ ବିକାର କୌଣସି ପୂର୍ବ–ନିଦର୍ଶନର ସୂଚନା ? ଉଛ୍ୱସିତ ହୋଇ ମୁଁ କହିଲି–

 

ଅରୁଣ ଇବ ପୁରଃସରୋ ରବିଂ ପବନ ଇବାତିଜବୋଜଳାଗମ;

ଶୁଭମଶୁଭମଥାପି ବା ନୃଣାଂ କଥୟତି ପୂର୍ବ ନିଦର୍ଶନୋଦୟଃ ।

 

ଏ ଘଟଣା ମୁଁ ଭୁଲିଯାଇଥିଲି । ଆଜି ହଠାତ୍ ମୋ ମୁହଁ ରୁ ଏ ପଂକ୍ତି ବାହାରିପଡ଼ିଲା । କାଲି ସନ୍ଧ୍ୟାରୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଘଟଣାଗୁଡ଼ିକର ବାସ୍ତବ ଚିତ୍ରରେ ଜଡ଼ି ହୋଇଯାଇଥିଲି । ମୋତେ କ’ଣ କୌଣସି ଅଦୃଷ୍ଟଶକ୍ତି କୌଣସି ଅଚିନ୍ତନୀୟ ବିରୋଧ ପରିସ୍ଥିତିକୁ ଟାଣିନେଉଛି ? ବାଣ ଭଟ୍ଟର ହୃଦୟ କ’ଣ ଏଣିକି ପଦ୍ମପତ୍ରଭଳି ଅନାସକ୍ତ ରହିବା ସମ୍ଭବ ନୁହେଁ ? କିଏ ଜାଣେ ?

 

ଏତିକିବେଳେ ଗୃହର ଦ୍ଵାରରେ ବଣକୁକୁଡ଼ା ଉଡ଼ିବା ଫଳରେ ଫଡ୍ ଫଡ୍ ଶବ୍ଦ ହେଲା । ଗୃହଦ୍ଵାରର ଗୋଟିଏ ପାର୍ଶ୍ଵରେ ଦୀର୍ଘ କରବୀର ବଣ; ବଣକୁକୁଡ଼ାଙ୍କର ଆଶ୍ରୟସ୍ଥଳ । ହଠାତ୍ ସେମାନେ ଉଡ଼ିବାରୁ କେହି ଆସିଛି ବୋଲି ମୋର ସନ୍ଦେହ ହେଲା । ନିଶ୍ଚୟ ପୂଜାରୀ ! ମୁଁ ଶୀଘ୍ର ଶୀଘ୍ର ଦ୍ଵାରକୁ ଆସି ଯାହା ଦେଖିଲି, ତା’ କେବଳ ଅପ୍ରତ୍ୟାଶିତ ନୁହେଁ, ଅଦୃଷ୍ଟପୂର୍ବମଧ୍ୟ । ବ୍ରଜ ମାରିଲା ଭଳି ହତଚେଷ୍ଟ ହୋଇଗଲି । ଆଗରେ ଜଣେ ଗାଢ଼ ଗୌରିକ ବସ୍ତ୍ରଧାରିଣୀ ସ୍ତ୍ରୀ । ତାଙ୍କର ଗୋଟିଏ ହସ୍ତରେ ତ୍ରିଶୂଳ, ଅନ୍ୟ ହସ୍ତରେ କୃଷ୍ଣ ପାତ୍ର । ଆଗୁଳଫ ଉନ୍ମୁକ୍ତ ପିଙ୍ଗଳ କେଶ ଦେଖି ମନେ ହେଲା ସନ୍ଧ୍ୟାକାଳର ଅରୁଣ ମେଘମଣ୍ଡଳରେ ବିଦ୍ୟୁତଶିଖା ଯେପରି ଅଚଞ୍ଚଳ ହୋଇ ରହିଯାଇଛି । ସୁବର୍ଣ୍ଣ ମୁଖମଣ୍ଡଳରେ ତାଙ୍କର ଗୈରିକ ବସ୍ତ୍ରରେ ଏପରି କୁଣ୍ଡଳିତ ହୋଇଥିଲା ସତେ ଯେପରି ଧାତୁମୟୀ ଅଧିତ୍ୟକାରେ ଆରଗ୍ୱଧର ବୃକ୍ଷ ପୁଷ୍ପିତ ହୋଇଛି । ବିକଚ କଞ୍ଚନ କୁସୁମଭଳି ତାଙ୍କର ରକ୍ତିମ ନୟନରୁ ମନ୍ଦ ମନ୍ଦ ରଶ୍ମି ନିର୍ଗତ ହେଉଥିଲା । ତାଙ୍କର ମୂର୍ତ୍ତି ମନୋହର ନ ଥିଲା କିନ୍ତୁ ଭୟଙ୍କର ବି ନ ଥିଲା । ପ୍ରଥମୁଁ ସେ ଯଦି କିଛି କହି ନ ଥାନ୍ତେ ତାହେଲେ ମୁଁ ତାଙ୍କୁ ସାକ୍ଷାତ୍ ବିଗ୍ରହ–ଧାରଣୀ ଚଣ୍ଡୀକା ବୋଲି ମନେ କରିଥାନ୍ତି । ମୋତେ ଦେଖି ସେ ଆଶ୍ଚର୍ଯ୍ୟ ହେଲେ ଏବଂ ମୁହୂର୍ତ୍ତକ ମଧ୍ୟରେ ତାଙ୍କର ଅଧିରୋଷ୍ଠ କମ୍ପିତ ହେଲା । ନାସାଗ୍ର ଏକପ୍ରକାର କୁଞ୍ଚିତ ହୋଇଗଲା ଓ ଭୃଲତା ଥରିଉଠିଲା । ଲଲାଟରେ ରେଖା ଟାଣି ସେ କର୍କଶ ସ୍ଵରରେ କହିଲେ–“ଏ ସାଧନା–ଗୃହରେ ଚେରପରି ପ୍ରବେଶ କରିଛୁ ତୁ କିଏ ?”

 

କ’ଣ କହିବି, କିଛି ସ୍ଥିର କରି ନ ପାରି କେବଳ ନିସ୍ତବ୍ଧ ଦୃଷ୍ଟିରେ ତାଙ୍କୁ ଦେଖିବାକୁ ଲାଗିଲି । ପରିଚ୍ଛଦରୁ ମନେହେଲା ସେ କୌଣସି ଭୈରବୀ । ମନେ ପଡ଼ିଲା ପ୍ରାଙ୍ଗଣ–ଗୃହ ଭିତରର ବିଚିତ୍ର ଚିହ୍ନ । କିଛିକ୍ଷଣ ପୂର୍ବେ ଯେଉଁ ଦୁର୍ନିମିତ୍ତର ଆଶଙ୍କା ମୋ ମନରେ ଉଠିଥିଲା, ଦେଖିଲି ତାହା ବର୍ତ୍ତମାନ ସମ୍ମୁଖରେ । ଭଟ୍ଟିଣୀ ଚାଲିଯାଇଥିବାରୁ ମନରେ ସନ୍ତୋଷ ହେଲା । ନିଜକୁ ଦୃଢ଼ କରିନେଲି । ହାତଯୋଡ଼ି କହିଲି–“ମୁଁ ବିଦେଶୀ ମାତଃ ! ଅପରାଧ କ୍ଷମା କରନ୍ତୁ ।’’

 

ଭୈରବୀ ଥରେ ମୋତେ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଦେଖିନେଲେ । କହିଲେ–“ତୁ ବ୍ରାହ୍ମଣ-?”

 

“ବ୍ରାହ୍ମଣ ବଂଶରେହିଁ ମୋର ଜନ୍ମ ମାତଃ !’’

 

“ବୈଦିକ କ୍ରିୟା ଅଭ୍ୟାସ କରିଛୁ ?’’

 

“ଖୁବ୍ କମ୍ ।’’

 

“ଏ ସାଧନା–ଗୃହରେ କଣ କରିଛୁ ।’’

 

ମୁଁ ଠିକ୍‍ ବୁଝିଲି ନାହିଁ ଭୈରବୀ ମୋଠୁଁ କ’ଣ ଜାଣିବାକୁ ଚହୁଁଛନ୍ତି । କୌଣସି ବୈଦିକ କ୍ରିୟା କରିହିଁନା ସତ କିନ୍ତୁ ପ୍ରାଙ୍ଗଣ–ଗୃହରେ ଓଦା ମାଟିର ବେଦି ତ ଏପର୍ଯ୍ୟନ୍ତ ରହିଛି । ତାର କାରଣ ବୁଝାଇବାକୁ ପଡ଼ିବ । ପ୍ରସଙ୍ଗକ୍ରମେ ଭଟ୍ଟିଣୀଙ୍କର କଥା ମଧ୍ୟ ଆସିପାରେ । ବାମମାର୍ଗୀ ସାଧକଙ୍କ ପ୍ରତି ମୋର ଶ୍ରଦ୍ଧା ନ ଥିଲା । ବିଶେଷତଃ ଭୈରବୀମାନଙ୍କର ସମ୍ୱନ୍ଧରେ ଯାହାସବୁ ଶୁଣିଥିଲି–ସେଥିରେ ଶ୍ରଦ୍ଧା ଆସିପାରେନା । କହିଲି–“ଦେବୀ, ଏ ଗୃହରେ ମୁଁ ଖୁବ୍ ଅଳ୍ପ ସମୟ ପାଇଁ ଥିଲି ଏଠାରେ ମୁଁ କୌଣସି ବୈଦିକ ବା ଅବୈଦିକ ଅନୁଷ୍ଠାନ କରିନାହିଁ ।”

 

ଭୈରବୀ ବୁଝିଲେ ମୁଁ କିଛି ଗୋପନ ରଖିବାକୁ ଚେଷ୍ଟା କରୁଛି କହିଲେ–“ସତ କହ, ନ ହେଲେ ଅମଙ୍ଗଳ ହେବ ।''

 

ଭୈରବୀମାନଙ୍କଠାରୁ ମଙ୍ଗଳ ନ ହେଉ, ଅମଙ୍ଗଳ ନିଶ୍ଚୟ ଘଟେ । ମୋର ଏ ବିଶ୍ଵାସ ଥିଲା । ତେଣୁ ହାତଯୋଡ଼ି କହିଲି–“ଅଜ୍ଞ ଲୋକ ଉପରେ ଦୟା ହେବା ଦରକାର, ମାତଃ !” ଭୈରବୀ ସ୍ମିତ ହସିଲେ ସେ ହସ ନାରୀଜନୋଚିତ ନୁହେଁ । କୌଣସି ପ୍ରକାର ଶୀଳତା, ବିନୟ, ଲଜ୍ଜା ବା ମାଧୁର୍ଯ୍ୟ ନ ଥିଲା ସେଥିରେ । ରହସ୍ୟପୂର୍ଣ୍ଣ ହସ । ଉଲ୍‍କାର କ୍ଷଣଭଙ୍ଗୁର ପ୍ରକାଶଭଳି ତାହା ମୋର ଆଶଙ୍କାକୁ ଦୀପ୍ତ କରିଦେଲା । ଭୀତ ହୋଇ ମୁଁ ପୁଣି କହିଲି–“ଅପରାଧ କ୍ଷମା ହେଉ, ମାତଃ !”

 

ଭୈରବୀ କହିଲେ–“ଆ, ଏଠିକି ଆ ।” ପୁଣି ଟିକେ ଜୋରରେ ଡାକି କହିଲେ, ‘‘ଆର୍ଯ୍ୟ, ଦେଖ ତ, ଏ କିଏ ?” ଭୈରବୀ ମୋତେ ଯେଉଁ ଭଗ୍ନ ପୁଷ୍କରିଣୀ ପାଖକୁ ନେଲେ, ସେଠାରେ ପୂର୍ବରୁ ତିନିଜଣ ବ୍ୟକ୍ତି ଉପସ୍ଥିତ ଥିଲେ । ଦୁଇଜଣ ଥିଲେ ସାଧକ–ଭୈରବ ଓ ଭୈରବୀ । ତୃତୀୟ ବ୍ୟକ୍ତିଙ୍କଠାରେ ବିଶିଷ୍ଟତା ଥିଲା । ବ୍ୟାଘ୍ରଚର୍ମ ଉପରେ ଅର୍ଦ୍ଧଶାୟିତ ଅବସ୍ଥାରେ ସେ ଶୟନ କରିଥିଲେ । ତାଙ୍କ ଶରୀରରୁ ଏକପ୍ରକାର ଜ୍ୟୋତି ନିର୍ଗତ ହେଉଥିଲା । ମୁଣ୍ଡ ପ୍ରାୟ କେଶଶୂନ୍ୟ କିନ୍ତୁ କାନପାଖ ଶ୍ଵେତ କେଶରେ ଆଚ୍ଛାଦିତ ହୋଇଥିଲା । ଭ୍ରୂଲତା ଦୁଇଟି ମିଶିଯାଇଥିଲା ଓ ମୁଖମଣ୍ଡଳ ଛୋଟ ଛୋଟ ଶ୍ମଶ୍ରୁ ଲୋମରେ ପରିବ୍ୟାପ୍ତ ଥିଲା । ବିଶେଷ ଆକର୍ଷକ ଥିଲା ତାଙ୍କର ଚକ୍ଷୁ । ସତେ ଯେପରି ବଡ଼ ବଡ଼ ସମୁଦ୍ର କଉଡ଼ି । ବୋଧହୁଏ ସେ କେବେ ପୂର୍ଣ୍ଣଭାବେ ଆଖି ଖୋଲି ନ ଥିଲେ । ସର୍ବଦା କେବଳ ଅର୍ଦ୍ଧ–ଉନ୍ମୁକ୍ତ ହୋଇଥିବା ଯୋଗୁଁ ଆଖିତଳର ମାଂସଖଣ୍ଡ ଫୁଲିଉଠିଥିଲା ଓ କୋଣ ପ୍ରାୟ ସ୍ଥାୟୀଭାବେ ଶେଥା ପଡ଼ି ଯାଇଥିଲା । ବିଶେଷ କୌଣସି ସାମ୍ପ୍ରଦାୟିକ ଚିହ୍ନ ନ ଥିଲା ତାଙ୍କର ପରିଚ୍ଛଦରେ । କେବଳ ଡାହାଣ ପାର୍ଶ୍ଵର ପାନପାତ୍ର ଦେଖି ମନେହେଉଥିଲା ହୁଏତ ସେ କୌଣସି ବାମମାର୍ଗୀ ଅବଧୂତ ହେବେ । ସେ ଯେଉଁ ଛୋଟ ବସ୍ତ୍ର ପିନ୍ଧିଥିଲେ ତାହା ଲାଲ ନୁହେଁ ଓ ସେଥିରେ ତାଙ୍କର ଦେହ ପୂରାପୂରି ଢାଙ୍କି ହେଉ ନ ଥିଲା । ପେଟ ସାମାନ୍ୟ ବେଶି ବାହାରି ପଡ଼ିଲା । ଭୈରବୀ ତାଙ୍କ ପାଖକୁ ଯାଇ କହିଲେ, ‘‘ବାବା, ଦେଖନ୍ତୁ, ଏ ବ୍ୟକ୍ତି ସାଧନାଗୃହକୁ ଭ୍ରଷ୍ଟ କରିଛି ।” ବାବାଙ୍କର ଆଖି ବନ୍ଦ ଥିଲା । ଭୈରବୀଙ୍କ ସ୍ଵର ଶୁଣି ସେ ଟିକେ ସଚେତ ହେଲେ ଓ ନିଜର ଅର୍ଦ୍ଧ ଉନ୍ମୁକ୍ତ ଆଖିରେ କ୍ଷଣକପାଇଁ ମୋ ଆଡ଼କୁ ଅନାଇଲେ । ଆଃ, ସେ ଦୃଷ୍ଟି କି ପବିତ୍ର ! ପୁଣି ଆଖି ବନ୍ଦ କରି କିଛି ସମୟ ନୀରବ ରହିଲାପରେ ସେ କହିଲେ, ‘‘ମାୟାବିନୀ ! ମାୟାବିନୀ ! ମାୟାବିନୀ ! !” ମୋର ମନେହେଲା ସେ ଯେପରି ସବୁକିଛି ପ୍ରତ୍ୟକ୍ଷଭାବରେ ଦେଖିପାରୁଛନ୍ତି । ଭୈରବୀ ପୁଣି ଥରେ ମୋ ବିରୁଦ୍ଧରେ ଅଭିଯୋଗ କଲେ । ପିଲାଳିଆ ହସ ହସି ବାବା କହିଲେ, ‘‘କି ରେ, ସେଠିକି କାହିଁକି ଯାଇଥିଲୁ ? ପାଗଳା, ସେ ମାୟାବିନୀ, ତା ଜାଲରେ ପଡ଼ିଲୁ ।” ଏହା କହି ସେ ଚଣ୍ଡୀମଣ୍ଡପର ମୂର୍ତ୍ତିଆଡ଼େ ଇଙ୍ଗିତ କଲେ । ପୁଣି କହିଲେ, ‘‘ଏକୁଟିଆ ଥିଲୁ ?” ଭାବିଲି ବାବା ସବୁ ଜାଣନ୍ତି । ତେଣୁ ତାଙ୍କୁ କିଛି ଗୋପନ କରିବା ବୃଥା । ବାବାଙ୍କର ଅଭିପ୍ରାୟ କିନ୍ତୁ ଆଉ କିଛି ଥିଲା । ମୁଁ ନ ବୁଝି ଚଟ କରି କହିଲି, ‘‘କାଲି ରାତିରେ ଦୁଇ ଦୁଃଖିନୀ ସ୍ତ୍ରୀଙ୍କୁ ଆଣି ଏଇ ଘରେ ଆଶ୍ରୟ ନେଇଥିଲି ବାବା ! ଏ ଘରେ ଆମେ ଖିଆପିଆ କରିଛୁ ଓ ଉଚ୍ଛିଷ୍ଟରେ ଏହାକୁ ଅପବିତ୍ର କରିଛୁ । ଆଶ୍ରୟ ଦେବାପାଇଁ ଯେଉଁ ଦୁଃଖିନୀ କନ୍ୟାକୁ ଏଠାକୁ ଆଣିଥିଲି, ସେ ମହାବରାହଙ୍କର ପୂଜା ବି କରିଛି । ସବୁ ଅଜ୍ଞାନତାବଶତଃ ହୋଇଯାଇଛି । ଅପରାଧ କ୍ଷମା କରନ୍ତୁ ଆର୍ଯ୍ୟ !” ଏହା କହି ମୁଁ ସଭୟରେ ପ୍ରଣାମ କଲି । ବାବା କହିଲେ, ‘‘ଡରୁଛୁ କି ରେ ?” ମୁଁ ସଂକ୍ଷେପରେ ଉତ୍ତର ଦେଲି, ‘‘ହଁ, ବାବା !”

 

ପିଲାଟିଏ ନାଟ ଦେଖିଲାବେଳେ ଯେପରି ସଜାଗ ହୋଇ ଉଠିବସେ ବାବା ସେହିପରି ସିଧାହୋଇ ବସି କହିଲେ, ‘‘ଏଠିକି ଆ ।” ମୁଁ ତାଙ୍କ ପାଖକୁ ଗଲି । ସେ ମୋର ଲଲାଟ ସ୍ପର୍ଶ କଲେ-

 

ମୋର ଦୁଇ ଭ୍ରୂର ମଧ୍ୟଭାଗକୁ ସେ ନିଜର ଆଙ୍ଗୁଠି ଦେଇ ଦାବିଦେଲେ ଓ ତାପରେ ଆଙ୍ଗୁଠି ଉଠାଇନେଲେ । ମୋର ମୁଣ୍ଡ ବୁଲିଗଲା । ମୁହୂର୍ତ୍ତକ ମଧ୍ୟରେ ଏକ ଭୟଙ୍କର ଦୃଶ୍ୟ ଉପସ୍ଥିତ ହେଲା ମୋ ସମ୍ମୁଖରେ । ଦେଖିଲି ଭଟ୍ଟିଣୀ ଓ ନିପୁଣିକା ନୌକାରେ ବସି ପୂର୍ବଦିଗକୁ ଯାଉଛନ୍ତି । ପୂର୍ବ ଆକାଶ କଳାମେଘରେ ଆଚ୍ଛନ୍ନ ହୋଇଛି । ମେଘର ଆଗରେ ଦୌଡ଼ିଛି ପିଙ୍ଗଳ ବର୍ଣ୍ଣର ଧୂଳି ଓ ତା ଆଗରେ ଦଳେ କ୍ଷୁଦ୍ର ତାଳଚଞ୍ଚୁ ପକ୍ଷୀ ଧୂଳି ଓ ମେଘ ସହିତ ଖେଳି ଖେଳି ଉଡ଼ି ଚାଲିଛନ୍ତି । ମୁଁ ଠିଆ ହୋଇଛି କୂଳରେ । ମେଘ ଘନୀଭୂତ ହୋଇଆସିଲା, ବାୟୁମଣ୍ଡଳ ଶୀତଳ ହୋଇଗଲା ଓ ଭୟଙ୍କର ପ୍ରଭଞ୍ଜନ ସହିତ ଆକାଶ ମଣ୍ଡଳରେ ବିକଟ ବିଦ୍ୟୁତ୍ ସ୍ଫୁଟ ହେଲା । ଗଙ୍ଗାର ଲହରୀମାଳ କ୍ରୁଦ୍ଧଭାବରେ ପରସ୍ପର ଆଡ଼କୁ ମାଡ଼ିଗଲେ । ଆକାଶ ଧୂଳିରେ, ଦିଗ୍‍ମଣ୍ଡଳ ଅନ୍ଧକାରରେ ଓ ଗଙ୍ଗାର ପ୍ରବାହ ଫେନ–ପୁଞ୍ଜରେ ଆଚ୍ଛାଦିତ ହୋଇଗଲା । ଦେଖୁ ଦେଖୁ ଭଟ୍ଟିଣୀଙ୍କର ନୌକା ଅନ୍ଧକାରରେ ଅଦୃଶ୍ୟ ହୋଇଗଲା । ମୁଁ ହତଚେଷ୍ଟ ହୋଇ ଠିଆହୋଇ ରହିଲି-। କୁମ୍ଭକାରର ଚିତ୍ରଭଳି ପାଦତଳର ପୃଥ୍ଵୀ ବୁଲିବାକୁ ଲାଗିଲା । ଏତିକିବେଳେ ବିଦ୍ୟୁତ୍ ଚମକରେ ଦେଖିଲି ନୌକାଟି ନଦୀଧାରରେ ବୁଡ଼ିଯାଉଛି । ନିପୁଣିକା ଓ ଭଟ୍ଟିଣୀ କୁଦି ପଡ଼ିଲେ ପାଣିକୁ । ତାପରେ ପୁଣି ଅନ୍ଧକାର, ଗର୍ଜନ ଓ ଫୁତ୍‍କାର । ମୁଣ୍ଡ ଝିମଝିମ ହୋଇପଡ଼ିଲା । ଶିରାଗୁଡ଼ିକ ଏପରି ହୋଇ ଉଠିଲେ ଯେପରି ଆଉ ରକ୍ତର ଚାପ ସହିପାରିବେ ନାହିଁ । ମେଘଗର୍ଜନ, ଝଡ଼ର ଗତି ଆହୁରି ତୀବ୍ର ହେଲା ଏବଂ ଫୁତ୍‍କାରର ବିକଟ ଚିତ୍କାର ଦିଗ୍‍ମଣ୍ଡଳରେ ବ୍ୟାପ୍ତ ହୋଇଗଲା । ମୁଁ ଚିତ୍କାର କରି କହିଲି–“ତ୍ରାହି ଆର୍ଯ୍ୟ, ତ୍ରାହି ।” ମୋ ଲଲାଟରେ ପୁଣି ଥରେ ଆଙ୍ଗୁଳି ସ୍ପର୍ଶ ଅନୁଭବ କଲି । ଶାନ୍ତ ହୋଇଗଲା ଗଙ୍ଗାର ଧାର, ସ୍ୱଚ୍ଛ ହୋଇଗଲା ଆକାଶ ଏବଂ ପ୍ରସନ୍ନ ହୋଇଉଠିଲା ଭୁବନ-ମଣ୍ଡଳ । ଦେଖିଲି, ଭଟ୍ଟିଣୀ ନୌକାରେ ବିଶ୍ରାମ କରୁଛନ୍ତି । ତାଙ୍କ ପାଦପାଖରେ ନିପୁଣିକା । ଭଟ୍ଟିଣୀଙ୍କର ମୁଖ ପ୍ରସନ୍ନ । ଆଖିରେ ତାଙ୍କର ଉତ୍ସୁକତା ଓ କପୋଳ ବିକଶିତ । ମୁଁ ବାବାଙ୍କୁ ଅନାଇଲି । ଅଧବୁଜା ଆଖିରେ ତାଙ୍କର ମିଠା ହସ ! ଭୀତ ହୋଇ କହିଲି, ‘‘ଏ ମୁଁ କଣ ଦେଖିଲି ବାବା ? କ’ଣ ଏହାହିଁ ଘଟିବ ?' ପିଲାଙ୍କ ପରି କୌତୁକ କରି ବାବା କହିଲେ, ମୁଁ କି ଜାଣେ !” ପୁଣି ତାଙ୍କର ଆଖି ବନ୍ଦ ହୋଇଗଲା । ଭାବାବେଶ ଅବସ୍ଥାରେ କହିଲେ–“କେତେ ମାୟା ଜାଣିଛି ପାଗଳୀ !” ପୁଣି ମୋତେ ଲକ୍ଷ୍ୟ କରି କହିଲେ, ‘‘କିରେ, ଡରୁଛୁ କି ?”

 

“ମୋ ଅପରାଧ କ୍ଷମା କରନ୍ତୁ ଆର୍ଯ୍ୟ !”

 

“ତୁ କ’ଣ କିଛି ଅପରାଧ କରିଛୁ କି ରେ ?”

 

“ମୁଁ ସାଧାରଣ ମନୁଷ୍ୟ ଆର୍ଯ୍ୟ ! ଅପରାଧ କରିବାରେ ଲାଗିଛି । କିନ୍ତୁ ଜାଣିଶୁଣି କାହାର କିଛି ଅନିଷ୍ଟ କରିନାହିଁ । ମୁଁ ଅମଙ୍ଗଳକୁ ଡରେ ।’’

 

“ତୁ ବ୍ରାହ୍ମଣ ?”

 

“ହଁ ଆର୍ଯ୍ୟ !’’

 

“ତୋର ଜାତି ଡରୁଆ । କିରେ, ମହାବରାହଙ୍କ ଉପରେ ବିଶ୍ୱାସ ନାହିଁ ?”

 

‘‘ରହିଛି ଆର୍ଯ୍ୟ !’’

 

“ମିଛୁଆ ! ତୋ ଜାତି ମିଛୁଆ ! କିରେ, ତୁ ଆତ୍ମାକୁ ନିତ୍ୟ ମାନୁଛୁ ?”

 

“ମାନେ, ଆର୍ଯ୍ୟ !’’

 

‘ଅବିଶ୍ଵାସୀ ! ତୋର ସବୁ ଶାସ୍ତ୍ର ଅବିଶ୍ଵାସ ଶିକ୍ଷା ଦେଉଛି । କିରେ କର୍ମଫଳ ମାନୁ ?”

 

ସହଜରେ ଏ ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ । ମୋ ଜାତି ସହିତ ପୁଣି କି ବିଶେଷଣ ଲାଗିବ କିଏ ଜାଣେ ! କହିଲି ‘‘କେମିତି କହିବି, ବାବା !”

 

ବାବା ହସିଲେ, କହିଲେ–“କହନା, ତୁ କର୍ମଫଳ ମାନୁ କି ନାହିଁ ?”

 

ମାନେ, ଆର୍ଯ୍ୟ !’’

 

“ତାହେଲେ ଅମଙ୍ଗଳକୁ କାହିଁକି ଭୟ କରୁଛୁ ? ତୁ ମିଥ୍ୟାଚାରୀ !’’

 

“ହଁ ଆର୍ଯ୍ୟ !’’

 

“ତାହେଲେ ସତ୍ୟ କିଛି ଶିଖ !’’

 

“କଣ ଆର୍ଯ୍ୟ !’’

 

“ଭୟ କରିବା ଉଚିତ ନୁହେଁ । ମନ ହେବ ଯାହାକୁ ବିଶ୍ଵାସ କରିବାକୁ, ତା ଉପରେ ସୃଷ୍ଟି ବିଶ୍ଵାସ ରଖିବା ଉଚିତ ନୁହେଁ ଯାହାକୁ ମାନିବାକୁ ଇଚ୍ଛା ହେବ, ଶେଷପର୍ଯ୍ୟନ୍ତ ତାକୁଇ ମାନିବା ଉଚିତ ।”

 

“ଆର୍ଯ୍ୟ, ମାୟା–ପଙ୍କରେ ପତିତ ମୁଁ ସଂସାରର କୀଟ । ଅନେକ କିଛି ବୁଝେ, କିନ୍ତୁ କରିପାରେନା ।’’

 

“ପ୍ରପଞ୍ଚ ! ତୋର ଜାତିଇ ପ୍ରପଞ୍ଚ ! ଏତେକଥା କାହିଁକି ବୁଝୁଛୁ ? ଗୋଟିକୁ ବୁଝି ତାକୁ କର । କିରେ, ସେ ଝିଅପ୍ରତି ତୋର ମମତା ଅଛି ନା ?”

 

ଅଦ୍ଭୁତ ପ୍ରଶ୍ନ ! କି ଉତ୍ତର ଦେବି ? ଚୁପ ହୋଇ ରହିଲି ! ବାବା ଭୈରବୀଙ୍କୁ କହିଲେ, ‘‘ମହାମାୟା, ସବୁ ଠିକ୍ ତ ?” ଭୈରବୀଙ୍କୁ କହିଲେ,‘‘ହଁ ଠିକ୍‍ ।” ଏହା କହି ସେ ଓ ଅନ୍ୟ ଦି’ଜଣ ସାଧକ ଉଠିଗଲେ । ବାବା ପୁଣି ମୋତେ ପଚାରିଲେ, ‘‘କିରେ, କହୁନୁ କାହିଁକି ?”

 

ମୁଁ ହାତଯୋଡ଼ି କହିଲି–“ସେ କନ୍ୟାର ସେବକ ହେବା ଗୌରବର ବିଷୟ, ଆର୍ଯ୍ୟ ! ତାର ମଙ୍ଗଳ ପାଇଁ ମୁଁ ପ୍ରାଣ ପର୍ଯ୍ୟନ୍ତ ଦେଇପାରେ ।’’

 

ସେ ହସି ହସି କହିଲେ–“ନା ରେ ପାଗଳ, ପ୍ରାଣ ମୁଁ ମାଗୁନାହିଁ । ମୁଁ ଜାଣିବାକୁ ଚାହୁଁଛି ସେ କନ୍ୟାପ୍ରତି ତୋର ମମତା ଅଛି କି ନାହିଁ । ସିଧା କାହିଁକି କହୁନୁ ? ତୋ ଜାତିହିଁ ବଙ୍କା । ଆଚ୍ଛା, ମହାବରାଗ୍ରହଙ୍କ ପ୍ରତି ତୋର ମମତା ଅଛି ?”

 

“ଅଛି, ଆର୍ଯ୍ୟ !’’

 

“ମନେକର ହଠାତ୍ ଜଣେ ନିଶାଚର ଆସି ତୋତେ କାବୁ କରିଦେଲା । ବାଁ ହାତରେ ସେ କନ୍ୟାକୁ ଧରି ଓ ଡାହାଣ ହାତରେ ମହାବରାହଙ୍କ ମୂର୍ତ୍ତି ଧରି ସେ ଯଦି ତୋତେ କହେ ଯେ ନିଜର ପ୍ରାଣ ଦେଇ ତୁ ଗୋଟିଏ କାହାକୁ ରକ୍ଷା କରିପାରୁ, ତାହେଲେ କାହାକୁ ରକ୍ଷା କରିବାପାଇଁ ତୁ ନିଜର ପ୍ରାଣ ଦେବୁ ?

 

ଅଦ୍ଭୁତ ଏ ବାବା ! ଏଭଳି ପ୍ରଶ୍ନ କଣ କରାଯାଏ । ମୁଁ ସାମାନ୍ୟ ନୀରବ ରହି କହିଲି, ‘ମୁଁ ଦୁହିଁଙ୍କୁ ରକ୍ଷା କରିବାକୁ ଚାହିଁବି ।’’

 

କ୍ରୋଧରେ କମ୍ପିଉଠି ବାବା କହିଲେ ‘‘ପୁଣି ମିଛ କହୁଛୁ, ଜନ୍ମରୁ ପାତକୀ, କର୍ମର ଅଭାଗା, ମିଥ୍ୟାବାଦୀ, ପାଷଣ୍ଡ' । ମହାବରାହଙ୍କୁ ରକ୍ଷା କରିବୁ ? ଦାମ୍ଭିକ !”

 

ହତଚେଷ୍ଟ, ନିର୍ବାକ ଓ ସ୍ତବ୍‍ଧ ହୋଇ ରହିଲି । ବାବାଙ୍କର ସତରେ ତା’ କ୍ରୋଧ ନୁହେଁ, ମୋତେ ପରୀକ୍ଷା କରିବାପାଇଁ ଏ ରୂପ ଧାରଣ କରିଥିଲେ । ମୁଁ ବିଚଳିତ ହେଲି । ମୋ ଇଚ୍ଛାବିରୁଦ୍ଧରେ ମୋଠୁଁ ଯେପରି କିଏ କଥା ବାହାର କରିନେଲା- ‘‘ପ୍ରାଣ ଦେଇ ମୁଁ ଭଟ୍ଟିଣୀକୁ ରକ୍ଷା କରିବି ।’’

 

ବାବା ହସିଲେ । ତାଙ୍କର ଅର୍ଦ୍ଧ–ମୁଦ୍ରିତ ଆଖି ଉଜ୍ଜ୍ୱଳ ହୋଇ ଉଠିଲା । କହିଲେ–‘‘ଅଭାଗା, ଜୀବନରେ ଏଇ ଗୋଟିଏ କଥା ସତ୍ୟ କହିଛୁ । କିରେ, ଲାଜ କରୁଛୁ ! ଦୂର ପାଗଳା, ସେ ମାୟାବିନୀର ଚକ୍ରରେ ପଶୁଛୁ ? ମନ୍ଦ କଣ ! ତ୍ରିପୁର–ସୁନ୍ଦରୀ ଯେଉଁ ରୂପରେ ତୋ ମନକୁ ଆକର୍ଷିତ କରିଛି, ସାହସର ସହିତ ସ୍ୱୀକାର କାହିଁକି କରୁନୁ ? ଅଭାଗାହିଁ ରହିବୁ । ଭାରି ସରଳିଆ ତୁ । ତୋ ମନରେ ମହାବରାହ ଅପେକ୍ଷା ସେ କନ୍ୟା ପ୍ରତି ଅଧିକ ପୂଜ୍ୟ ଭାବନା ରହିଛି, ନୁହେଁ ? ପୁଣି ମିଛ କହିବୁ, ଅଭାଗା ?"

 

“ନା ବାବା, ମିଛ ମୁଁ ଜାଣିଶୁଣି କହୁନାହିଁ, କେହି ଯେପରି କୁହାଉଛି । ଭଟ୍ଟିଣୀପ୍ରତି ମୋର ପୂଜ୍ୟ ଭାବନା ରହିଛି ।’’

 

“ହଁ, ତୁ ବର୍ତ୍ତମାନ ସତ କହୁଛୁ । ଭୂବନମୋହିନୀର ସାକ୍ଷାତ ପାଇ ସୁଦ୍ଧା ତୁ ଅବାଟରେ ବୁଲୁଛୁ ! ଦେଖ, ତୋ ଶାସ୍ତ୍ର ତୋତେଇ ଠକିଛି–ତୋର ଭିତରର ସତ୍ୟକୁ ଦମନ କରିବାକୁ ଶିକ୍ଷା ଦେଉଛି, ତୋର ଭିତରର ଆକର୍ଷଣକୁ ଭୁଲିଯିବାକୁ କହୁଛି ।

 

“ତୁ ଯାହାକୁ ପୂଜା କରୁଛୁ, ତାକୁ ଛାଡ଼ିବାକୁ କହୁଛି । ମାୟାବିନୀ, ମାୟାବିନୀ, ତୁ ତାର ମାୟାରେ ପଶନା । ସବୁ ପୁରୁଷଙ୍କୁ ଅବାଟରେ ନେଉଛି, ସ୍ତ୍ରୀଙ୍କୁ କଷ୍ଟ ଦେଉଛି । ମାୟାର ଦର୍ପଣ ଖୋଲିଛି । ତୁ ତାକୁ ଦେଖିପାରୁନୁ, ମୁଁ ଦେଖୁଛି । ତୋତେ ଦେଖି ସେ ହସୁଛି ।” ମୁଗ୍ଧ ହୋଇ ମୁଁ ବାବାଙ୍କୁ ଅନାଇଥିଲି । ତାଙ୍କର ପ୍ରତ୍ୟେକଟି କଥା ମୋ ଅନ୍ତଃସ୍ତଳକୁ ଘାଣ୍ଟି ଦେଉଥିଲା । କେତେ ଯୁଗର ଆବର୍ଜନା ଯେପରି ସ୍ଵଚ୍ଛ ହେଉଛି ଯେତିକି ବିଚିତ୍ର, ସେତିକି ସୂକ୍ଷ୍ମଦର୍ଶୀ ବାବାଙ୍କର କଥା । ମୁଁ ହାତଯୋଡ଼ି କହିଲି–“ବାବା, ମୁଁ ଯାହାକିଛି ଦେଖିଲି, କଣ ତାହାହିଁ ଘଟିବ ?”

 

ବାବା ନିର୍ଭୟରେ କହିଲେ, ‘‘ହେଉ, କ୍ଷତି କ’ଣ ? ତୁ କାହିଁକି ବ୍ୟସ୍ତ ହେଉଛୁ ? ସେଥିରୁ ଆନନ୍ଦ ମିଳିବ । ପାଗଳ ! ଏପରି ଲୀଳାରେ ଯେ ରସ ମିଳେ, ନୁହେଁ ? ଆଚ୍ଛା ଠିକ୍‍ ଠିକ୍‍ କହ, ସେ ଝିଅକୁ ତୁ କଣ ମନେ କରିଛୁ ?”

 

“ମୁଁ–ମୁଁ–ମୁଁ..."

 

“ଧିକ୍ ମୁର୍ଖ, କିଛି ହେଲେ କହ । ତୋ ମନରେ ଯାହା ଭାବୁଛୁ ତାହାହିଁ କହ ?”

 

“ସେ ପବିତ୍ରତାର ମୂର୍ତ୍ତି, ଆର୍ଯ୍ୟ !’’

 

“ତୁ ପଶୁ ନୁହଁ ତ !’’

 

ମୁଁ କଛି ବୁଝିପାରିଲି ନାହିଁ । ଏତିକିବେଳେ ମହାମାୟା ଭୈରବୀ ଆସିଲେ । ବାବା ତାଙ୍କୁ କହିଲେ, ‘‘ମହାମାୟା, ଇଏ ପଶୁ ନୁହେଁ, କିନ୍ତୁ ବୀର ବି ନୁହେଁ । ଅମଙ୍ଗଳ ଯୋଗୁଁ ଭୟ ପାଇଛି । ତାକୁ ଆଜିର ପ୍ରସାଦ ଦେବୁ । ଅମଙ୍ଗଳରେ ତାହାର ଚିତ୍ତ ବିକ୍ଷିପ୍ତ ହେଉଛି ।’’

 

କିଛିକ୍ଷଣ ଠିଆହୋଇ ରହି ମହାମାୟା ବିନୀତ ଭାବରେ କହିଲେ, ‘‘ଏ କଣ ଅଧିକାରୀ, ଆର୍ଯ୍ୟ ?”

 

ବାବା ପୁଣି କହିଲେ, “ତୁ ମଧ୍ୟ ତା ଜାଲରୁ ଏପର୍ଯ୍ୟନ୍ତ ମୁକ୍ତ ହୋଇନୁ ମହାମାୟା ! କହିଲି ତ, ପଶୁ ନୁହେଁ । ଅଧିକାରୀ ନ ହେଲେ କଣ କରିପାରିବ ? ତୋତେ ବଦନାମ କରିବ, ନା-? ଡରୁଛୁ ! ଦୁର୍ ପାଗଳି, ତୁ ବି ଡରୁଛୁ ।”

 

ମହାମାୟା କହିଲେ–“ଆଜ୍ଞା ଶିରୋଧାର୍ଯ୍ୟ ଆର୍ଯ୍ୟ !’’

 

ବାବା କହିଲେ–“ରହ ମହାମାୟା !” ଏହା କହି ସେ ମୋତେ ପାଖକୁ ଡାକିଲେ । ପୁଣି ଯେ କଣ ଦେଖିବାକୁ ମିଳିବ, ଏହା ଭାବି ଭାବି ଡରରେ ତାଙ୍କ ପାଖକୁ ଗଲି । ମୋର ଉତ୍ତରୀୟ କାଢ଼ି ଦେଇ ସେ ମୋର ମେରୁଦଣ୍ଡକୁ ଧୀରେ ଧୀରେ ପରୀକ୍ଷା କଲେ । ପିଠି ଅଧପର୍ଯ୍ୟନ୍ତ ହାତ ଆଣି ପୁଣି ଉଠାଇ ନେଇ କହିଲେ–‘‘ମୁଁ ଠିକ୍‍ କହୁଛି, ମହାମାୟା ! ଦେଖ, ୟାର କୁଣ୍ଡଳିନୀ ଜାଗ୍ରତ-।”

 

ମହାମାୟା ଭୈରବୀ ମଧ୍ୟ ନିଜ ହାତରେ ସେ ସ୍ଥାନ ସ୍ପର୍ଶ କରି ଆଶ୍ଵସ୍ତ ହୋଇ କହିଲେ, “ଯାହା ଆଜ୍ଞା କରିବେ ଆର୍ଯ୍ୟ !”

 

“କୂଅପାଖରେ ତାକୁ ବସାଇବୁ ।” ମୋତେ ଅନାଇ କହିଲେ–“ଅମଙ୍ଗଳ ଦୁର ହେବ, କିନ୍ତୁ ତୁ କାହିଁକି ଅମଙ୍ଗଳକୁ ମଙ୍ଗଳ ବୋଲି ଗ୍ରହଣ କରୁନୁ ? ଆଜି ପୂର୍ଣ୍ଣିମା ଆରମ୍ଭ ହେଲମାତ୍ରେ ଏମାନଙ୍କର ଗୋପନ ସାଧନା ଆରମ୍ଭ ହେବ । ମହାମାୟା ତୋତେ ପ୍ରସାଦ ଦେବ । ନିଷ୍ଠାର ସହିତ ତାହା ଗ୍ରହଣ କରିବୁ । ଆଉ ଦେଖ ବାବା, ଅବାଟରେ ବୁଲନାହିଁ । ଏ ବ୍ରହ୍ମାଣ୍ଡର ପ୍ରତ୍ୟେକ ଅଣୁ ହେଉଛି ଦେବତା । ଯେଉଁ ରୂପରେ ଦେବତା ତୋତେ ସବୁଠୁ ଅଧିକ ମୋହିତ କରିଛି, ତାକୁଇ ପୂଜା କର । ଆ, ତୋତେ ମନ୍ତ୍ର କହିଦେଉଛି ।” ଲୁହା ଚୁମ୍ବକଦ୍ଵାରା ଟାଣି ହୋଇଗଲାପରି ମୁଁ ବାବାଙ୍କ ପାଖକୁ ଟାଣି ହୋଇଗଲି । ସେ ମୋତେ ଗୋଟିଏ ମନ୍ତ୍ରଦେଇ କହିଲେ, “ମନରେ ଭୟ, ଲୋଭ ଓ ମୋହ ଜାଗ୍ରତ ହେଲେ ଏ ମନ୍ତ୍ର ଜପ କରିବୁ ।''

 

ମୁଁ ଭକ୍ତିପୂର୍ବକ ବାବାଙ୍କ କଥାକୁ ସ୍ୱୀକାର କଲି । ସେ କିଛି ସମୟ ନିଶ୍ଚଳ ହୋଇ ବସିରହିଲେ ।” ପୁଣି କାହାର ପାଦ ଶବ୍ଦ ଶୁଣି ଆଖି ଖୋଲି କହିଲେ, ‘‘କିଏ ।”

 

“ମୁଁ ବିରତିବଜ୍ର, ଆର୍ଯ୍ୟ !”

 

“ଆ ।”

 

ବିରତିବଜ୍ରଙ୍କର ବୟସ ପଚିଶ ବର୍ଷରୁ କମ୍ ଜଣାପଡୁଥିଲା । ସ୍ଵଚ୍ଛ, ମୋହନୀୟ ଓ ଆକର୍ଷକ ମୁଖମଣ୍ଡଳ । ଦେହରେ ବୌଦ୍ଧଭିକ୍ଷୁଙ୍କ ପରିଚ୍ଛଦ କିନ୍ତୁ ପରିଚ୍ଛଦର ରଙ୍ଗ ପୀତ ନୁହେଁ, ଲାଲ-। ଚନ୍ଦ୍ରକିରଣରେ ଆହୁରି ଖେଳିଉଠୁଥିଲା ସେ ରଙ୍ଗ । କଣ୍ଠସ୍ଵର କୋମଳ ଓ ବାଳକୋଚିତ । ବାବାଙ୍କୁ ଭୂମିଷ୍ଠ ପ୍ରଣାମ କରି ସେ ନୀରବରେ ବସିଲେ । କିଛିକ୍ଷଣ ନିଶ୍ଚଳ ହୋଇ ବସିରହି ବାବା କହିଲେ–“କ’ଣ ଠିକ୍ କଲୁ, ବିରତି ?”

 

“କିଛି ବୁଝିପାରିଲି ନାହିଁ, ଆର୍ଯ୍ୟ ! ମୋର ଆଦିଗୁରୁ ଅମୋଘବଳ, ମୋତେ ଏଭଳି କିଛି କରିବାକୁ ସେ ନିଷେଧ କରିଥିଲେ । କେବଳ ନୈରାତ୍ମ୍ୟ ଭାବନାରେ ସ୍ଥିର ରହିବାକୁ ସେ ଉପଦେଶ ଦେଇଥିଲେ । ଥରେ ସେ ଚିତ୍ତ ବିଶେଷ ଉତ୍‍କ୍ଷିପ୍ତ ହୋଇ ପଡ଼ିଥିଲା । ସେତେବେଳେ ଗୁରୁ ବି ଚିନ୍ତିତ ହେଇପଡ଼ିଥିଲେ । ମୋର ମାନସିକ ଉତ୍‍କ୍ଷେପର କାରଣ ତ ଆପଣଙ୍କୁ କହିଛି । ଦିନେ ଅକସ୍ମାତ୍ ସେ ମୋତେ କହିଲେ, ‘‘ଆୟୁଷ୍ମାନ୍, ମୁଁ ଆଉ ବେଶି ଦିନ ରହିପାରିବି ନାହିଁ । ତୁ କୌଳାଚାର୍ଯ୍ୟ ଅଘୋର ଭୈରବଙ୍କ ନିକଟକୁ ଯା’ । ସେ ତୋର ବ୍ୟବସ୍ଥା କରିଦେବେ । ସେହିଦିନୁ ମୁଁ ଆର୍ଯ୍ୟଙ୍କୁ ଅନ୍ୱେଷଣ କରୁଥିଲି । କିନ୍ତୁ ଜାଣେନା ମୋର ଆଦିଗୁରୁ ମୋତେ ଆପଣଙ୍କ ପାଖକୁ କାହିଁକି ପଠାଇଲେ ?”

 

“ନୈରାତ୍ମ୍ୟ ଭାବନା କ’ଣ ବୁଝିପାରିଲୁଣି ?”

 

“ନା, ଆର୍ଯ୍ୟ ।”

 

“ତୋ ଉପରେ କେହି ଯଦି ବିଶ୍ଵାସ କରେ, ତାକୁ ତ୍ୟାଗ କରିବାକୁ ତୋର ସାହସ ଅଛି-?”

 

‘‘ନା, ଆର୍ଯ୍ୟ ?”

 

“ତୁ ଆଉ ମୁଁ–ଏ ପ୍ରଭେଦ ଭୁଲିବାରେ ଆନନ୍ଦ ମିଳୁଛି ?”

 

“ହଁ ଆର୍ଯ୍ୟ !”

 

“ପୁରୁଷ ଓ ନାରୀର ପାର୍ଥକ୍ୟ ଭୁଲିପାରିବୁ ?”

 

“ନା, ଆର୍ଯ୍ୟ !”

 

“ବୁଦ୍ଧ ଓ ବଦ୍ଧର ପାର୍ଥକ୍ୟ ଭଲଲାଗେ ନା ଖରାପ ?”

 

“ଭଲ,ଆର୍ଯ୍ୟ !”

 

“ସାଧୁ ଆୟୁଷ୍ମାନ, ତୁ ସତ୍ୟବାଦୀ । ଅମୋଘବଜ୍ର ବୁଝିବିଚାରି ତୋତେ ମୋପାଖକୁ ପଠାଇଛି । ତୁ ସୌଗତ–ତନ୍ତ୍ର ଅଧିକାରୀ ନୁହଁ । କୌଳ–ମାର୍ଗରେ କିନ୍ତୁ ଯାଇପାରିବୁ । କିନ୍ତୁ ଆୟୁଷ୍ମାନ, ବିନା ଶକ୍ତି ସାଧନାରେ ଏ ମାର୍ଗରେ ଯିବା ସମ୍ଭବ ନୁହେଁ । ତୋତେ କିଛି କରିବାକୁ ପଡ଼ିବ ?”

 

“ମୁଁ ଏହା ବୁଝିପାରୁନାହିଁ, ଆର୍ଯ୍ୟ !”

 

“ଯେତେ ଦିନ ପର୍ଯ୍ୟନ୍ତ ତୁ ପୁରୁଷ ଓ ସ୍ତ୍ରୀର ପାର୍ଥକ୍ୟ ଭୁଲିନୁ, ସେତେଦିନ ପର୍ଯ୍ୟନ୍ତ ତୁ ଅପୂର୍ଣ୍ଣ ଓ ଆସକ୍ତ । ସେତେ ଦିନ ପର୍ଯ୍ୟନ୍ତ ‘ତୁ’ ଓ ‘ମୁଁ’ ର ଭେଦ ତୋତେ ନିଶ୍ଚେଷ୍ଟ କରି ରଖିବ । ତୋଠିଁ ନୈରାତ୍ମ୍ୟ ଭାବନାର ପ୍ରବୃତ୍ତି ହେଲେ ଶକ୍ତି ବିନା ହିଁ ସାଧନା ହୋଇପାରନ୍ତା । କିନ୍ତୁ ସେ ପ୍ରବୃତ୍ତି ତୋଠି ନାହିଁ । ନିଜ ପକ୍ଷରୁ ଏ ସାଧନା ମୁଁ ତୋ ଉପରେ ଲଦି ଦେବାକୁ ଚାହେଁନା । ତୋର ରୁଚି ହେଉଛି ତ ସ୍ଵୀକାର କର । ପ୍ରବୃତ୍ତିଙ୍କୁ ଚାପିଦେବା ଉଚିତ ନୁହେଁ କିମ୍ବା ତାଙ୍କୁ ଭୟ କରିବା ଉଚିତ ନୁହେଁ । ଲଜ୍ଜିତ ହେବାର କାରଣ ମଧ୍ୟ ନାହିଁ । ଏ କଥାକୁ ଭଲକରି ମନେ ରଖି ଗୁରୁଙ୍କ ଉପଦେଶ ଅନୁସାରେ ଚଳ । ଆଜି ତୁ ଚକ୍ରରେ ଏକତ୍ର ବସିପାରୁ ।”

 

ବିରତିବଜ୍ର ସାଷ୍ଟାଙ୍ଗ ପ୍ରଣିପାତ କରି ଆଦେଶ ସ୍ୱୀକାର କଲେ । ତାଙ୍କର ମୁହଁରୁ ଜଣାପଡ଼ୁଥିଲା ମନ ଭିତରର ଅଶାନ୍ତିକୁ ଚାପିରଖିବାକୁ ସେ ଯଥାଶକ୍ତି ଚେଷ୍ଟା କରୁଛନ୍ତି । ଗୁରୁଙ୍କୁ ପ୍ରଣାମ କରି ସେ ମୋତେ ଅନାଇଲେ । ଚନ୍ଦ୍ରକିରଣ ଠିକ୍ ତାଙ୍କର ମୁହଁ ଉପରେ ପଡ଼ିଲା । ଆହା, କି କମନୀୟ ! ଲାଲ ବସ୍ତ୍ରରେ ଆଚ୍ଛାଦିତ ବିରତିବଜ୍ରଙ୍କୁ ଦେଖି କ୍ଷଣକପାଇଁ ମୋ ମନରେ ଧୂର୍ଜଟିଙ୍କର ନୟନାଗ୍ନି-ଶିଖାରେ ଭସ୍ମୀଭୁତ ମଦନଦେବତା ମନେ ପଡ଼ିଲେ । ଅସ୍ଥାନରେ ବୈରାଗ୍ୟର ଉଦୟ ! ବିଦ୍ୟୁଲ୍ଲତାରେ ପୂର୍ଣ୍ଣଚନ୍ଦ୍ର ମଣ୍ଡଳ, ସନ୍ଧ୍ୟା କିରଣରେ ଆଚ୍ଛାଦିତ ପଦ୍ମପୁଷ୍ପ, ଉଷାକାଳୀନ ଆକାଶମଣ୍ଡଳର ଶୁକ୍ରଗ୍ରହ ଯେପରି ସ୍ଥିର ହୋଇ ଯାଇଥିଲା । ମଦନଶୋକରେ ବ୍ୟାକୁଳ ବସନ୍ତ ଯେପରି ବୈରାଗ୍ୟ ଗ୍ରହଣ କରିଥିଲା । ଆହା, ଏ କଣ ସମ୍ଭବ ? ବିରତିବଜ୍ର ଜିଜ୍ଞାସୁ ଦୃଷ୍ଟିରେ ମୋତେ ଅନାଇଲେ । ମୋର ପରିଚ୍ଛଦ ଏ ସମାଜର ବିରୋଧୀ ବୋଲି ସେ ଜାଣିଲେ । ମୋତେ ମଧ୍ୟ ତାଙ୍କର ରୂପ ଅନୁରୂପ ଜଣାପଡ଼ିଲା । ବାବା ହିଁ ମଧ୍ୟସ୍ଥତା କରି କହିଲେ ଏ ବିଦେଶୀ ବ୍ରାହ୍ମଣ, ବିରତି ! ସାଧନା ଗୃହରେ ଆଶ୍ରୟ ନେଇଥିଲା । ଏହା ଉପରେ ମହାମାୟା ଅପ୍ରସନ୍ନ । ସେ ଏପର୍ଯ୍ୟନ୍ତ ଜାଲରୁ ମୁକ୍ତ ହୋଇପାରିନାହିଁ । ମାୟାବିନୀର ଜାଲ ବିକଟ । ମହାମାୟା ବର୍ତ୍ତମାନ ଚିନ୍ତାରେ ପଡ଼ିଛି । ଏମାନେ ଅମଙ୍ଗଳକୁ ଡରୁଛନ୍ତି; ଏ ପର୍ଯ୍ୟନ୍ତ ମୋହ ରହିଛି; ଶୀଘ୍ର କଟିଯିବ । ଜନ୍ମ–ଜନ୍ମାନ୍ତରର ସଂସ୍କାର ଯାଉ ଯାଉ ଯୁଗେ । ୟାକୁ ପ୍ରସାଦ ଦେଲାପରେ ମହାମାୟା ପ୍ରସନ୍ନ ହେବ ଓ ଏ ମଧ୍ୟ ଭୟରୁ ମୁକ୍ତ ହେବ ।” ଏତକ କହି ବାବା ଆକାଶକୁ ଅନାଇ କହିଲେ ‘‘ସମୟ ହୋଇଆସିଲାଣି ବିରତି, ସୁଧାପାତ୍ର ଦେ ।” ପାତ୍ର ବଢ଼ାଇଦେଲେ ବିରତି । ବାବା ମୁହଁ ଉପରକୁ ଉଠାଇ ଡାକିଲେ ‘ମାୟାବିନୀ, ମାୟାବିନୀ !’ ଓ ଢକ୍ ଢକ୍ କରି ପିଇଗଲେ । କିଛିକ୍ଷଣ ପର୍ଯ୍ୟନ୍ତ ଏକ ଅଦ୍ଭୁତ ଆବେଶରେ ବସିରହି ପୁଣି ଠିଆହେଲେ । ଆମେ ଦୁହେଁ ମଧ୍ୟ ଠିଆହେଲୁ । ବିରତିକୁ ନେଇ ବାବା ଗୃହକୁ ଗଲେ ଓ କିଛିକ୍ଷଣପରେ ଆସିବାପାଇଁ ମୋତେ ଆଦେଶ ଦେଲେ ।

ଯାଉ ଯାଉ କହିଗଲେ–“କାହାରିକୁ ଭୟ କରିବୁ ନାହିଁ । ଗୁରୁଙ୍କୁ ବି ନୁହେଁ, ମନ୍ତ୍ରକୁ ବି ନୁହେଁ, ଲୋକଙ୍କୁ ବି ନୁହେଁ, ବେଦକୁ ବି ନୁହେଁ । ମନ୍ତ୍ର ମନେ ଅଛି ତ ?”

“ହଁ, ଆର୍ଯ୍ୟ !”

“କିଛି ସମୟପରେ ନିର୍ଭୟରେ ଚାଲିଆସିବୁ, ବୁଝିଲୁ !”

“ହଁ, ଆର୍ଯ୍ୟ !”

ବାବା ଚାଲିଗଲାପରେ ଚିନ୍ତା କରିବାକୁ ସମୟ ପାଇଲି । କେଉଁଠି ଆସି ପଶିଲି ? ବାବାଙ୍କର କଥାର ତାତ୍ପର୍ଯ୍ୟ କ’ଣ ? ମହାମାୟା ଯଦି ସ୍ଵୟଂ ଜାଲରେ ପଡ଼ିଛି, ତା ହେଲେ ପ୍ରସାଦ କାହିଁକି ନିଷ୍ଠାପୂର୍ବକ ଗ୍ରହଣ କରିବ ? କିନ୍ତୁ ତାହା ବାବାଙ୍କର ଆଦେଶ । ବାବାଙ୍କର ପ୍ରଭାବରେ ତ ଯାହା କିଛି ଦେଖିଲି, ତା’ କ’ଣ ସତ୍ୟ ? ଭଟ୍ଟିଣୀ ନିରାପଦରେ ତ ? ନିପୁଣିକାର ଅବସ୍ଥା କଣ ? ମୁଁ କ’ଣ ସତରେ ଭଟ୍ଟିଣୀଙ୍କର ପୂଜାର ଅଧିକାରୀ ? କି ଆଶ୍ଚର୍ଯ୍ୟ ! ଏତେ ସହଜ କଥା ମନରେ ଏତେ ତରଙ୍ଗ କାହିଁକି ସୃଷ୍ଟି କରୁଛି ? ମନେ ହେଲା ପୁଣି ମୁଣ୍ଡ ଘୂରିଯିବ । କିଛିକ୍ଷଣ ବାବାଙ୍କର ମନ୍ତ୍ର ଜପିବାରେହିଁ କଲ୍ୟାଣ । ଖୁବ୍ ନିଷ୍ଠାର ସହିତ ଜପିବାକୁ ଲାଗିଲି । ମୁହୂର୍ତ୍ତକ ପରେ ମନେ ହେଲା ବାବା ମୋତେ ଡାକୁଛନ୍ତି । ଅଭିଭୂତ ହେଲା ଭଳି ମୁଁ ସାଧନା–ଗୃହଆଡ଼କୁ ଚାଲିଲି । ପ୍ରାଙ୍ଗଣ ଗୃହର ଦ୍ଵାରଦେଶରେ ଅତି ଶାନ୍ତ ଓ ମୃଦୁ କଣ୍ଠରେ ଏ ଶ୍ଳୋକ ଉଚ୍ଚାରିତ ହେଉଥିଲା–

ଆଦାୟ ଦକ୍ଷିଣକରେଣ ସୁବର୍ଣ୍ଣଦର୍ବୀଂ–

ଦୁଗ୍ଧାନ୍ନପୂର୍ଣ୍ଣମିତରେଣ ଚ ରତ୍ନପାତ୍ରମ !

ଭିକ୍ଷାନ୍ନଦାନନିରତାଂ ନବହେମବର୍ଣ୍ଣା ।

ମମ୍ବାମ୍ ଭଜେ ସକଳ ଭୂଷଣ ଭୂଷିତାଂଗୀମ”

ମହାମାୟାଙ୍କର କଣ୍ଠ । ଅନୁମାନ କଲି ଅନ୍ନପୂର୍ଣ୍ଣାଙ୍କର ଧ୍ୟାନମନ୍ତ୍ର ପଢ଼ାଯାଉଛି । ତେଣୁ ନିଶ୍ଚୟ କିଛି ଭୋଜନ ବ୍ୟାପାର । କିନ୍ତୁ ଭିତରକୁ ଯାଇ ଯାହା ଦେଖିଲି ଭୋଜନ ସହିତ ତାର କେବଳ ଦୂରରୁ ସମ୍ବନ୍ଧ । ପାଞ୍ଚଜଣ ବ୍ୟକ୍ତି ଏକ ଚକ୍ରାକାର ମଣ୍ଡଳରେ ବସିଛନ୍ତି । କୌଳାଚାର୍ଯ୍ୟ ଅଘୋର ଭୈରବଙ୍କ ଦେହକୁ ପ୍ରାୟ ଲାଗି ମହାମାୟା ଭୈରବୀ ବସିଛନ୍ତି । ସାମାନ୍ୟ ଦୂରରେ ଅନ୍ୟ ଦୁଇଜଣ ସାଧକ । ପଦ୍ମାସନ ପକାଇ ବିରତିବଜ୍ର ଏକୁଟିଆ । ମୁଁ ଯାଇ କୂଅପାଖରେ ନିଜର ନିର୍ଦ୍ଦିଷ୍ଟ ସ୍ଥାନରେ ବସିଲି । ମୋର ଠିକ୍ ସମ୍ମୁଖରେ ବାବା ଓ ମହାମାୟା । ପ୍ରତି ସାଧକଙ୍କ ପାଖରେ ଗୋଟିଏ ଗୋଟିଏ ପାନ–ପାତ୍ର ଓ ପ୍ରତ୍ୟେକ ଲାଲ ବସ୍ତ୍ରରେ ଆଚ୍ଛାଦିତ । ଶରୀର ଉପରେ କିନ୍ତୁ କୌଣସି ବସ୍ତ୍ର ନ ଥିଲା । କେନ୍ଦ୍ରରେ ନାଲି କନାରେ ଢଙ୍କା ଏକ ମଦିରାପାତ୍ର ଓ ତା ଉପରେ ଅଷ୍ଟଦଳ କମଳ ଆକୃତିର ଏକ ପାତ୍ର । ସାଧକମାନେ ଜପ କରୁଥିଲେ । ବାବା କିଛି କରୁ ନ ଥିଲେ-। ଏକ ଅଦ୍ଭୁତ ଆତ୍ମ-ବିସୃତି ଅବସ୍ଥାରେ ଥିଲେ ସେ । ନିବାତ–ନିଷ୍କମ୍ପ ଦୀପଶିଖା ଭଳି ସ୍ଥିର ଓ ପ୍ରଶାନ୍ତ ଥିଲା ତାଙ୍କର ସାରା ଶରୀର । ମୁଖମଣ୍ଡଳରେ ଜ୍ୟୋତ୍ସ୍ନା ବୃଷ୍ଟି ହେଉଥିଲା । ମନେହେଲା, ସତେ ଯେପରି ସମାଧିସ୍ଥ ଶିବଙ୍କର ଉତ୍ତମାଙ୍ଗ ଉପରେ ଗଙ୍ଗାଙ୍କର ଧବଳଧାରା ସହସ୍ରଧାର ହୋଇ ପ୍ରବାହିତ ହେଉଛି । ମୁଁ ମହାମାୟାଙ୍କୁ ଭଲ କରି ଦେଖିଲି । କମଳ–କୋରକ ଭଳି ଲମ୍ବ ମୁଖମଣ୍ଡଳ; ଅଷ୍ଟମୀର ଚନ୍ଦ୍ର ଭଳି ଆୟତ ଓ ସ୍ଵଚ୍ଛ ଲଲାଟପଟ । ଜ୍ୟୋତ୍ସ୍ନାର ପ୍ରତିଫଳନରେ ମୁଖମଣ୍ଡଳର ସ୍ନିଗ୍ଧତା ବଢ଼ିଯାଇଥିଲା । ପ୍ରଥମଥର ମୁଁ ତାଙ୍କୁ ଠିକ୍ ବୁଝି ନ ଥିଲି । ତାଙ୍କର ବିସ୍ଫାରିତର ଚକ୍ଷୁ ଓ ତୀକ୍ଷଣ ଭୃକୁଟୀ ମୋ ମନରେ ଅଶ୍ରଦ୍ଧା ସୃଷ୍ଟି କରିଥିଲା । ଏଥର ପାର୍ବତୀପ୍ରତିମାଭଳି ନିଶ୍ଚଳ ଗୌର ମୁଖମଣ୍ଡଳ ଦେଖି ମୁଁ ନିଜର ଭୁଲ ବୁଝିଲି । ଅଘୋର ଭୈରବଙ୍କର ପାର୍ଶ୍ଵରେ ଶାନ୍ତଭାବରେ ବସି ମହାମାୟା ଭଗବାନ ଶଙ୍କରଙ୍କର ପାର୍ଶ୍ଵବର୍ତ୍ତିନୀ ଉମାଙ୍କପରି ଶାନ୍ତ ଓ ମନୋରମ ଦେଖାଯାଉଥିଲେ । ଅନୁଷ୍ଠାନର ବିଧି ସମ୍ପନ୍ନ କରିବାର ଭାର ତାଙ୍କରି ଉପରେ ନ୍ୟସ୍ତ ଥିଲା । ବାବା ଶାନ୍ତ ନିସ୍ପନ୍ଦ ହୋଇ ବସିଥିଲେ । ମହାମାୟା ମଦିରା–ପାତ୍ର ପୂର୍ଣ୍ଣ କରୁଥିଲେ ଏବଂ ଅସ୍ଫୁଟ ଧ୍ଵନୀରେ କିଛି ମନ୍ତ୍ର ପଢ଼ୁଥିଲେ । ସାଧକମାନଙ୍କର ପାତ୍ର ପୂର୍ଣ୍ଣ କରିଦିଆଗଲା । ମହାମାୟା ପ୍ରଥମେ ବାବା ଅଘୋର ଭୈରବଙ୍କ ହସ୍ତରେ ପାତ୍ର ଦେଲେ । ଦେବା ପୂର୍ବରୁ କିଛି ମନ୍ତ୍ର ପଢ଼ିଲେ । ସମ୍ଭବତଃ ସୁଧାଦେବୀଙ୍କ ଧ୍ୟାନ–ମନ୍ତ୍ର । ପୁଣି କେତେଥର ଦୁଇହାତରେ କୌଣସି ବିଶେଷ ମୁଦ୍ରା ଭଙ୍ଗିରେ ପାତ୍ରକୁ ମୁଦ୍ରାୟିତ କଲେ । ତା ପରେ ନିଜର ଚତୁଃପାର୍ଶ୍ଵରେ ଫୁଟିକି ମାରି କିଛି ଅନୁଷ୍ଠାନ କଲେ । ବୋଧହୁଏ ଦିଗବନ୍ଧନର ବିଧି । ବାବା ପାତ୍ର ନେଲାମାତ୍ରେ ସାଧକମାନେ ନିଜ ନିଜର ପାତ୍ର ଉଠାଇନେଲେ । ବିରତିବଜ୍ର ପ୍ରଥମ ପାତ୍ରର ବନ୍ଦନା–ସ୍ତୁତି ପଢ଼ିଲେ ମନ୍ଦ୍ର କଣ୍ଠରେ :–

“ଶ୍ରୀମଦ୍ ଭୈରବ ଶେଖର ପ୍ରବିଳଚ୍ଚନ୍ଦ୍ରାମୃତାପ୍ଳାବିତମ୍

କ୍ଷେତ୍ରାଧୀଶ୍ଵର ଯୋଗିନୀଗଣ–ମହାସିଦ୍ଧୈଃ ସମାସେବିତମ୍

ଆନନ୍ଦାର୍ଣ୍ଣବକଂ ମହାତ୍ମକମିଦଂ ସାକ୍ଷାତ୍ରି ଖଣ୍ଡାମୃତମ୍

ବନ୍ଦେ ଶ୍ରୀ ପ୍ରଥମଂ କରାମ୍ବୁଜଗତଂ ପାତ୍ରଂ ବିଶୁଦ୍ଧିପ୍ରଦମ୍ ।”

 

ମନ୍ତ୍ର ସମାପ୍ତ ହେବାପରେ ବାବା ମହାମାୟାଙ୍କର ଅଧରୋଷ୍ଠରେ ପାତ୍ରକୁ ସ୍ପର୍ଶ କଲେ ଓ ନିଃଶବ୍ଦରେ ତାହା ପାନ କଲେ । ସାଧକମାନେ ମଧ୍ୟ ତାହାହିଁ କଲେ । କରବୀର ପୁଷ୍ପର ସୌରଭ ଓ ଗୁଗଗୁଳ–ଧୂମ୍ର ମିଶ୍ରିତ ମଦିରା–ସୌରଭ ମୋର ମନ ଓ ପ୍ରାଣ ଦୁହିଙ୍କୁ କିଛିକ୍ଷଣ ପାଇଁ ବ୍ୟାକୁଳ କଲା । ଜପ ଚାଲିଥାଏ । ପାନ କରିବା ସମୟରେ ସାଧକମାନେ ଡାହାଣ ହାତରେ କୌଣସି ବିଶେଷ ପ୍ରକାରର ମୁଦ୍ରା ଭଙ୍ଗୀ କରୁଥାନ୍ତି । କିନ୍ତୁ ବାବା ନିଃଶବ୍ଦରେ ବସିଥାନ୍ତି । କୈଳାସ ଶିଖର ଉପରେ ସମାଧିସ୍ଥ ଭଗବାନ ତ୍ରିନୟନଙ୍କପରି ଶାନ୍ତ, ନିଶ୍ଚଳ । କ୍ରମେ ସାଧକମାନେ ଦ୍ଵିତୀୟ, ତୃତୀୟ ପାତ୍ରର ଆବାହନ କଲେ । ସାତବାର ଏପରି କରାଗଲା । ପାନ-ମୁଦ୍ରା ଓ ଜପ, ପାନ-ମୁଦ୍ରା ଓ ଜପ, ପାନ–ମୁଦ୍ରା ଓ ଜପ ! ଭୈରବ-ଯୁଗଳ ସାମାନ୍ୟ ଚଞ୍ଚଳ ହୋଇପଡ଼ିଲେ । ମହାମାୟା ଓ ବିରତିବଜ୍ର କିନ୍ତୁ ଲାଗିରହିଲେ ଅନୁଷ୍ଠାନରେ । ମୋର ମୁଣ୍ଡ ଘୁରିବାକୁ ଲଗିଲା । ବାବା ଆଖି ଖୋଲିଲେ । କୌଣସି ଚାଞ୍ଚଲ୍ୟ ନ ଥିଲା ତାଙ୍କ ମନରେ । ଥରେ ଚାହିଁ ଦେଇ ସେ ପୁଣି ସମାଧିସ୍ଥ ହେଲେ । ଭୈରବ–ଯୁଗଳ ଟିକିଏ ବେଶି ଚଞ୍ଚଳ ହୋଇଉଠିଲେ । ବାବା ଅଘୋର ଭୈରବ ପ୍ରଥମବାର ଶାନ୍ତସ୍ଫୁଟ ସ୍ଵରରେ ଆଦେଶ ଦେଲେ–“ଶାନ୍ତ ମନ୍ତ୍ର ପାଠ କର ।” ମହାମାୟା ଓ ବିରତିବଜ୍ର ଅତି ମନୋହର କଣ୍ଠରେ ଶାନ୍ତି–ପାଠ କଲେ । ମୋର ସବୁ ମନ୍ତ୍ର ସ୍ମରଣ ନାହିଁ କିନ୍ତୁ ମନ୍ତ୍ର ଗୁଡ଼ିକର ଭାବ ଅତି ମନୋରମ । ପ୍ରତି ମନ୍ତ୍ରପାଠପରେ ବିରତିବଜ୍ର ଏକ ଶ୍ଳୋକ ପଡ଼ିଥିଲେ । ବାରମ୍ବାର ଶୁଣିବାରୁ ସେ ଶ୍ଳୋକ ମୋର ଏପର୍ଯ୍ୟନ୍ତ ମନେ ଅଛି:–

 

“ଶିବମସ୍ତୁ ସର୍ବଜଗତଃ ପରହିତନିରତା ଭବନ୍ତୁ ଭୂତଗଣାଃ

ଦୋଷାଃ ପ୍ରୟାନ୍ତୁ ଶାନ୍ତିଂ ସର୍ବୋଲୋକୋଃ ସୁଖୀ ଭବତୁ ।

ସର୍ବୋଲୋକୋଃ ସୁଖୀ ଭବତୁ ।”

 

ଭୈରବଯୁଗଳ ପ୍ରକୃତିସ୍ଥ ହେଲେ । ଅନୁଷ୍ଠାନ ବଢ଼ିଚାଲିଲା । ଏଗାର ପାତ୍ରର ସମାପ୍ତି ପରେ ସାଧକମାନଙ୍କ ହାତରେ ଏକ ବିଶେଷ ପ୍ରକାରର ଆକୃତି ଦେଖାଗଲା । ଚନ୍ଦ୍ରମାର ଜ୍ୟୋତ୍ସ୍ନା ମଉଳି ଯାଇଥିଲା ସେତେବେଳକୁ । ଅଗଣାର ପକ୍‍କାଭୂମି ଅନ୍ଧକାରରେ, ବାୟୁମଣ୍ଡଳ ମଦିରା ଗନ୍ଧରେ ଓ ନଭୋମଣ୍ଡଳ ଗୁଗ୍‍ଗୁଳ–ଧୂମରେ ପରିପୂର୍ଣ୍ଣ ହୋଇଯାଇଥିଲା । ମୁଁ ଏସବୁରେ ଅଭ୍ୟସ୍ତ ନ ଥିଲି । ମୋତେ ଜଣାପଡ଼ିଲା ଆକାଶରୁ ଯେପରି ବିକଟାଳ ଭୂତବେତାଳ ଓହ୍ଲାଇ ଘଟ ଚାରିପଟେ ଠିଆହୋଇ ଯାଉଛନ୍ତି । ଛାୟା–ଚିତ୍ରଭଳି ଦେଖାଯାଉଥିଲା ସାଧକଙ୍କ ଚକ୍ରାକାରମଣ୍ଡଳୀ-। ଆଉ ଧୈର୍ଯ୍ୟ ରହିଲା ନାହଁ । ମୁଣ୍ଡ ଘୂରିଗଲା ଓ ସଂଜ୍ଞାହୀନ ହୋଇ କେତେବେଳେ ଯେ ଗଡ଼ିପଡ଼ିଲା, ତାହା ଜାଣେନା ।

କିଛି ସମୟପରେ ମୋର ଚେତନା ଯେତେବେଳେ ଫେରିଆସିଲା, ମୁଣ୍ଡରେ ଶୀତଳତା ଅନୁଭବ କଲି । ମୋର ଚକ୍ଷୁ ମୁଦ୍ରିତ ଥିଲା କିନ୍ତୁ ପ୍ରତ୍ୟକ୍ଷଭାବେ ଦେଖିଲି ନଭୋମଣ୍ଡଳର ମଧ୍ୟଭାଗରୁ ଆନନ୍ଦଭୈରବ ଓହ୍ଲାଇ ଆସୁଛନ୍ତି । ତାଙ୍କ ଶରୀରରେ କୋଟି କୋଟି ସୂର୍ଯ୍ୟଙ୍କ ପ୍ରଭା । ତଥାପି ଜଣାପଡ଼ୁଥିଲେ କୋଟି ଚନ୍ଦ୍ରମାଠାରୁ ଅଧିକ ଶିତଳ । ଅମୃତ–ସମୁଦ୍ରରୁ ଉତ୍‍ଥିତ ବ୍ରହ୍ମାଙ୍କ ପାଦରେ ଉଠି ସେ ସୁଧା–ଧବଳ ବୃଷଭ ଉପରେ ଆରୁଢ଼ ହେଲେ । ଏହି ଶ୍ଵେତ ପୃଷ୍ଠଭୂମିରେ ତାଙ୍କର କଣ୍ଠର ନୀଳିମା ଦେଖି ମନେହେଲା ସତେଯେପରି କର୍ପୂରଗିରି ଉପରେ ନୀଳମଣିର କ୍ଷୁଦ୍ର ଏକ ଅଙ୍କୁର ଉଠିଛି । ନିଜର ଅଷ୍ଟାଦଶ ହସ୍ତରେ ସେ ଘଣ୍ଟା, ଡମ୍ବରୁ, ପାଶ ଓ ଅଙ୍କୁଶ ଆଦି ବିବିଧ ଶସ୍ତ୍ର ଏବଂ ଗୋଟିଏ ହସ୍ତରେ ଅଭୟମୁଦ୍ରା ଧାରଣ କରିଥିଲେ । ଆନନ୍ଦଭୈରବଙ୍କ ସାଥିରେ ଆନନ୍ଦଭୈରବ ସୁରାଦେବୀ ମଧ୍ୟ ପଦାର୍ପଣ କଲେ । ଆନନ୍ଦଭୈରବଙ୍କ ପରି ତାଙ୍କର ମଧ୍ୟ ପାଞ୍ଚ ମୁହଁ, ତିନିନେତ୍ର ଓ ଅଠରଟି ହାତ । ରଙ୍ଗ ତାଙ୍କର ହିମ, କୁନ୍ଦ ଓ ଚନ୍ଦ୍ର ଭଳି ଧବଳ । ଚଞ୍ଚଳ ଖଞ୍ଜରୀଟ ଭଳି ଚକ୍ଷୁ ଲୀଳାପାରାୟଣ । ପ୍ରବାଳସମ ଆରକ୍ତ ଓଷ୍ଠ ପୁଟରେ ମନ୍ଦ ମନ୍ଦ ସ୍ମିତ । ସେ ଦେଖାଯାଉଥିଲେ ଆନନ୍ଦର ମୂର୍ତ୍ତି, ଆବେଶର ପ୍ରଭବ ଭୂମି,ସୌନ୍ଦର୍ଯ୍ୟର ବିଶ୍ରାନ୍ତି–ସ୍ଥଳ, ଆଭାର ଆବାସ-ଗୃହ ଓ ଯୌବନର ମୂର୍ତ୍ତିମତୀ ବିଗ୍ରହଭଳି । ଆନନ୍ଦଭୈରବଙ୍କର ଇଙ୍ଗିତରେ ସେ ମୋର ମସ୍ତକ ସ୍ପର୍ଶକଲେ । ଅମୃତ–ତୁଳିକାରେ କିଏ ଯେପରି ମୋର ଶରୀରକୁ ଲେପିଦେଲା । ଆନନ୍ଦଭୈରବୀ ଧିରେ ଧୀରେ ମୋର ମୁଣ୍ଡକୁ ନିଜର କ୍ରୋଡ଼କୁ ନେଲେ । ମୋର ଜଡ଼ତା ବିଲୁପ୍ତ ହୋଇଗଲା । ଆନନ୍ଦଭୈରବୀ ମନ୍ଦ ସ୍ମିତରେ ମୋର ନୟନ ଓ କପୋଳ–ପ୍ରାନ୍ତକୁ ନିଜର ଅମୃତାର୍ଦ୍ର ହାତରେ ପୋଛିଦେଲେ । ମୋର ଆଖି ଖୋଲିଗଲା । ମସ୍ତକ କିନ୍ତୁ ଥାଏ ଭୈରବୀଙ୍କ କ୍ରୋଡ଼ରେ । ଅଭିଭୂତଭଳି କହିଲି ”ଅପରାଧ କ୍ଷମା କରନ୍ତୁ, ଅମ୍ବ” ! ଆଜି ମୁଁ କୃତାର୍ଥ ।” ଆନନ୍ଦର ଧାରା ଖେଳିଗଲା ଭୈରବୀଙ୍କ ମୁହଁରେ । ସେ ପୁଣି ଥରେ ଭୈରବ ଓ ସୁରାଦେବୀଙ୍କ ଧ୍ୟାନ ମନ୍ତ୍ର ପଢ଼ିଲେ-। ମୁଁ ବୁଝିପାରିଲି ମୋର ମସ୍ତକ ମହାମାୟାଙ୍କ କ୍ରୋଡ଼ରେ । କଣ୍ଠସ୍ଵର ତାଙ୍କର ସ୍ପଷ୍ଟ, ମଧୁର ଓ କରୁଣ । ଆଖିରେ ମାତୃ–ସ୍ନେହର ବନ୍ୟା ପ୍ରବାହିତ ହେଉଥିଲା । ଏକ ସିଗ୍‍ଧପ୍ରଭାନିର୍ଗତ ହେଉଥିଲା ମୁଖମଣ୍ଡଳରୁ । ସାମାନ୍ୟ ପରିବର୍ତ୍ତିତ ହୋଇଥିଲେ ସେ । ମୁଁ କୃତଜ୍ଞତା ସହ କହିଲି, ‘‘ମାତଃ, ଆଜି ମୁଁ କୃତାର୍ଥ ହେଲି । ଅତି ବାଲ୍ୟାବସ୍ଥାରେ ମାତାଙ୍କୁ ହରାଇଥିଲି । ପିତୃସୁଖ ମଧ୍ୟ ବେଶି ଦିନ ଭାଗ୍ୟରେ ନ ଥିଲା । ମାତୃ–ପିତୃହୀନ ଅଭାଗା ବାଣ ଭଟ୍ଟ ବାତ୍ସାୟନ–ବଂଶର କଳଙ୍କ ବୋଲି ପ୍ରତିପାଦିତ ହୋଇଥିଲା । ଆଜି ମୁଁ ଆନନ୍ଦଭୈରବୀଙ୍କର ଅମୃତାୟମାନ ସ୍ନେହ–ସ୍ପର୍ଶ ପାଇଲି । ଆଜି ମୋର ଜନ୍ମ ସଫଳ । ମାତଃ, ମୋର ଅପରାଧ କ୍ଷମା ହେଉ,ଅମଙ୍ଗଳ ଯାଉ, ମୋତେ କଲ୍ୟାଣ ମିଳୁ ।” ଭୈରବୀ ସ୍ନେହପୂର୍ବକ କହିଲେ,”କଲ୍ୟାଣ ହେଉ ବତ୍ସ ! ମହାମାୟାଙ୍କ ପ୍ରସାଦ ଗ୍ରହଣ କର ।” ଭଲକରି ଆଖି ଖୋଲି ଦେଖିଲି, ସତରେ ତ ମହାମାୟା ! ଧାରାବର୍ଷଣ ପରେ ଶିଥିଳ ବୃନ୍ତ ଅଶୋକ–ପୁଷ୍ପପରି ତାଙ୍କର ନୟନ ରକ୍ତିମ ହୋଇ ମଧ୍ୟ ଆର୍ଦ୍ର ହୋଇ ଉଠିଥିଲା-। ଶେଫାଳିକା–କୁସୁମନାଡ଼ପରି ତାଙ୍କର ନାସାବଂଶ ପିଙ୍ଗଳ ହୋଇ ମଧ୍ୟ ରମଣୀୟ ହୋଇଉଠିଥିଲା; ବିଦ୍ୟୁତଶିଖା–ସମ୍ବଳିତ ମେଘମଣ୍ଡଳରେ ଆଚ୍ଛାଦିତ ଚନ୍ଦ୍ରମଣ୍ଡଳପରି ତାଙ୍କର କପିଶ ବର୍ଣ୍ଣ ଅସ୍ତବ୍ୟସ୍ତ ଚିକୁର ରାଶିରେ ଆଚ୍ଛନ୍ନ ହୋଇ ମଧ୍ୟ ଅଭିରାମ ହୋଇ ଉଠିଥିଲା; ପ୍ରଭଞ୍ଜନ–ଜଳରେ ସିକ୍ତ କୋବିଦାର ବୃକ୍ଷପରି ପରିଧେୟ ବସ୍ତ୍ର ତାଙ୍କର ଶ୍ଳଥ–କୁଞ୍ଚିତ ହୋଇ ମଧ୍ୟ ସୁନ୍ଦର ଦେଖା ଯାଉଥିଲା ଓ ମଦିରାଘଟ ଉପରେ ସ୍ଥାପିତ ଜବା–ପୁଷ୍ପପରି ତାଙ୍କର ସିନ୍ଦୁର–ତିଳକ ଛିନ୍ନଭିନ୍ନ ହୋଇ ମଧ୍ୟ ପବିତ୍ର ଥିଲା । ତାଙ୍କର ଆଦେଶ ପାଇ ମୁଁ ଉଠି ବସିଲି । ଅତି ସ୍ନେହ ଓ ଆଦରରେ ସେ ମୋତେ ପ୍ରସାଦ ଦେଲେ । ପ୍ରସାଦ ଥିଲା କିଛି ମଧୁ, ଅଦା, କନ୍ଦ ଓ ଅପରାଜିତା–ପୁଷ୍ପର କେତୋଟି ପାଖୁଡ଼ା । ଭକ୍ତିସହକାରେ ତାହା ଗ୍ରହଣ କଲି । ମହାମାୟା ଭୈରବୀ ଜିଜ୍ଞାସୁ–ଦୃଷ୍ଟିରେ ମୋତେ ଅନାଇ ରହିଲେ । ମୁଁ ଚତୁଃପାର୍ଶ୍ଵରେ ଦୃଷ୍ଟିପାତ କରି ଦେଖିଲି କେବଳ ମହାମାୟାଙ୍କୁ । ଅନ୍ୟ କେହି ନ ଥିଲେ । ଏପରିକି ମଦିରାପାତ୍ର ଓ କରବୀର–ପୁଷ୍ପର ଏକ ଛୋଟ ପାଖୁଡ଼ା ବି ସେଠାରେ ନ ଥିଲା । ବିନୀତ ସ୍ଵରରେ ପଚାରିଲି–“ମାତଃ, ଆର୍ଯ୍ୟ ଅଘୋର ଭୈରବ କେଉଁଠି ? ସାଧକ ଦୁଇଜଣ କାହାନ୍ତି ?” ମହାମାୟା ସଂକ୍ଷେପରେ ଉତ୍ତର ଦେଲେ, ‘‘ସେମାନେ ନିଜ ନିଜର ଆଶ୍ରମକୁ ଚାଲିଗଲେଣି । ମୁଁ ମଧ୍ୟ ଯିବି । ବାବାଙ୍କର ଆଦେଶ ଥିଲା ତୋତେ ପ୍ରସାଦ ଦେବାକୁ; ସେଥିପାଇଁ ରହିଛି ।”

“ସେମାନେ ଆଉ ଏଠିକି ଆସିବେ ନାହିଁ ?”

“ବୈଶାଖ ଅମାବାସ୍ୟା ପୂର୍ବରୁ ନୁହେଁ ।”

“ବାବା ମଧ୍ୟ ?”

“ବାବା ସିଦ୍ଧ । ଅବଧୂତ ତାଙ୍କର କିଛି ନିର୍ଦ୍ଦିଷ୍ଟତା ନାହିଁ । ଆସି ପାରନ୍ତି, ନ ଆସି ପାରନ୍ତି-। ତାଙ୍କର ପ୍ରସାଦ ପାଇବା ତୋର ପରମ ପୂଣ୍ୟର ପରିଣାମ ।”

“ଗୋଟିଏ କଥା ପଚାରିବି ମାତଃ ?”

“ପଚାର ।”

“ବାବା କାଲି ମୋତେ ଯାହା କହିଲେ, ତାର ଉଦ୍ଦେଶ୍ୟ କଣ ?”

“ବାବାଙ୍କଠୁଁ ମୁଁ ଅଧିକ କଣ କହିପାରେ ?”

“ପ୍ରବୃତ୍ତିର ପୂଜାରେ କି ତାତ୍ପର୍ଯ୍ୟ ଥାଇପାରେ ମାତ ?”

“ବାବା କଣ କହିଛନ୍ତି ?”

“ବାବା କହିଛନ୍ତି–ପ୍ରବୃତ୍ତି ଗୁଡ଼ିକୁ ଭୟ କରିବା ଭୁଲ, ସେଗୁଡ଼ିକୁ ଗୋପନ ରଖିବା ଠିକ୍‍ ନୁହେଁ ଓ ସେଥିରେ ଲଜ୍ଜିତ ହେବା ବି ଅନୁଚିତ । ସେ ଆହୁରି କହିଛନ୍ତି–ତ୍ରି ଭୁବନମୋହିନୀ ଯେଉଁ ରୂପର ଆକର୍ଷଣ ମୋତେ ଦେଇଛନ୍ତି, ସେହି ରୂପକୁ ପୂଜା କରିବାକୁ । ତାଙ୍କ ମତରେ ସେ ମୋର ଦେବୀ । ବିରତିବଜ୍ରଙ୍କୁ ସେ କହିଛନ୍ତି–ଶକ୍ତି ବିନା ଏ ମାର୍ଗର ସାଧନା ସମ୍ଭବ ନୁହେଁ । ବାବାଙ୍କର ଅନେକ କଥା ମୋର ଅଶ୍ରୁତପୂର୍ବ ।

“ଆଚ୍ଛା ଅମ୍ବ, ଶକ୍ତି କଣ ସ୍ତ୍ରୀକୁ କହନ୍ତି ? ସତରେ କଣ ତ୍ରିଭୂବନ–ମୋହିନୀଙ୍କର ନିବାସ ସ୍ତ୍ରୀଠାରେ ?”

“ଦେଖ ବାବା, ବ୍ୟର୍ଥ ତର୍କ କରିବାକୁ ଯାଉଛୁ । ବାବା ଯାହା କିଛି କହିଛନ୍ତି, ତାହା ପୁରୁଷର ସତ୍ୟ । ସ୍ତ୍ରୀର ସତ୍ୟ ଏପରି ନୁହେଁ ।

“କ’ଣ ତାର ବିରୋଧୀ, ମାତଃ ?”

“ପୂରକ, ପୂରକ, ଅବିରୋଧୀ ।”

"ମୁଁ ବୁଝିପାରୁନି ମାତଃ ।”

“ବୁଝିବୁ, ବୁଝିବୁ, ତୋର ଗୁରୁ ପ୍ରସନ୍ନ, ତୋର କୁଣ୍ଡଳିନୀ ଜାଗ୍ରତ, ତୁ କୌଳ ଅବଧୂତଙ୍କ ପ୍ରସାଦ ପାଇଛୁ । ବ୍ୟଗ୍ର ହେବାର ଆବଶ୍ୟକତା ନାହିଁ । କେବଳ ମନେରଖ, ପୁରୁଷ ବସ୍ତୁବିଚ୍ଛିନ୍ନ ଭାବରୂପ ସତ୍ୟରେ ଆନନ୍ଦ ପାଏ । ସ୍ତ୍ରୀ ବସ୍ତୁପରି ଗୃହୀତ ରୂପରେ ରସାସ୍ଵାଦନ ପାଏ । ପୁରୁଷ ନିଃସଙ୍ଗ, ସ୍ତ୍ରୀ ଆସକ୍ତ । ପୁରୁଷ ନିର୍ଦ୍ଦ୍ୱନ୍ଦ୍ଵ, ସ୍ତ୍ରୀ ଦ୍ଵନ୍ଦ୍ୱୋନ୍ମୁଖୀ । ପୁରୁଷ ମୁକ୍ତ, ସ୍ତ୍ରୀ ବଦ୍ଧ । ସ୍ତ୍ରୀକୁ ଶକ୍ତି ରୂପେ ବୁଝିବାଦ୍ଵାରା ହିଁ ପୁରୁଷ ପୂର୍ଣ୍ଣ ହୋଇପାରେ କିନ୍ତୁ ସ୍ତ୍ରୀକୁ ଶକ୍ତିରୂପେ ବୁଝିଲେ ସ୍ତ୍ରୀ ଅପୂର୍ଣ୍ଣ ରହିବ ।”

“ତାହେଲେ ସ୍ତ୍ରୀର ପୂର୍ଣ୍ଣତାପାଇଁ ପୁରୁଷକୁ ଶକ୍ତିମାନ୍ ରୂପେ ମାନିବାର ଆବଶ୍ୟକତା ରହିଛି, ନୁହେଁ ମାତଃ ?”

 

“ନା, ତାଦ୍ଵାରା ସ୍ତ୍ରୀ ନିଜର କିଛି ଉପକାର କରିପାରିବ ନାହିଁ । କେବଳ ପୁରୁଷର ଅପକାର କରିପାରେ । ସ୍ତ୍ରୀ ହେଉଛି ପ୍ରକୃତି । ପୁରୁଷକୁ ବାନ୍ଧିବାରେ ତାର ସଫଳତା କିନ୍ତୁ ପୁରୁଷର ମୁକ୍ତିରେ ତାର ସାର୍ଥକତା ।”

 

ମୁଁ କିଛି ବୁଝିଲି, ନାହିଁ । କେବଳ ବିସ୍ଫାରିତ ନେତ୍ରରେ ଅନାଇ ରହିଲି । ମହାମାୟା ବୁଝି ପାରି କହିଲେ ‘‘ବୁଝିଲୁ ନାହିଁ, ନୁହେଁ ? ମୂଳରୁହିଁ ଭୁଲ କରୁଛୁ । ନିଜକୁ ପୁରୁଷ ଓ ମୋତେ ସ୍ତ୍ରୀ ମନେ କରୁଛୁ, ନୁହେଁ ? ଏହାହିଁ ତୋର ଭୁଲ । ପୁରୁଷ ଅପେକ୍ଷା ପ୍ରକୃତିର ଅଭିବ୍ୟକ୍ତ ମୋଠାରେ ଅଧିକ, ତେଣୁ ମୁଁ ସ୍ତ୍ରୀ । ତୋଠି ପ୍ରକୃତି ଅପେକ୍ଷା ପୁରୁଷର ଅଭିବ୍ୟକ୍ତି ଅଧିକ, ତେଣୁ ତୁ ପୁରୁଷ । ଏହା ଲୋକଙ୍କର ପ୍ରଜ୍ଞପ୍ତି ପ୍ରଜ୍ଞା, ବାସ୍ତବ ସତ୍ୟ ନୁହେଁ । ଏଭଳି ସ୍ତ୍ରୀ ପ୍ରକୃତି ନୁହେଁ, ପ୍ରକୃତିର ଅପେକ୍ଷାକୃତ ନିକଟସ୍ଥ ପ୍ରତିନିଧି ଓ ଏଭଳି ପୁରୁଷ ପ୍ରକୃତିର ଦୂରସ୍ଥ ପ୍ରତିନିଧି । ତୋ ଭିତରେ ତୋରି ଭିତରର ପ୍ରକୃତି ତତ୍ତ୍ଵ ଅପେକ୍ଷା ପୁରୁଷ–ତତ୍ତ୍ଵ ଅଧିକ ରହିଛି ସତ, କିନ୍ତୁ ସେ ପୁରୁଷ-ତତ୍ତ୍ଵ ତୋ ଭିତରର ପୁରୁଷ-ତତ୍ତ୍ଵ ଅପେକ୍ଷା ଅଧିକ ନୁହେଁ । ମୁଁ ତୋଠାରୁ ଅଧିକ ନିଃସଙ୍ଗ, ଓ ଅଧିକ ମୁକ୍ତ । ମୁଁ ମୋ ଭିତରର ଅଧିକନ୍ତୁ ପ୍ରକୃତିକୁ ନିଜ ଭିତରର ପୁରୁଷ–ତତ୍ତ୍ଵରେ ଅଭିଭୂତ କରିପାରିବି ନାହିଁ । ତେଣୁ ଅଘୋର ଭୈରବଙ୍କଠିଁ ମୋର ଆବଶ୍ୟକତା । ଯେକୌଣସି ପୁରୁଷ–ପ୍ରଜ୍ଞପ୍ତିଶୀଳ ମନୁଷ୍ୟ ମୋର ବିକାଶର ସାଧନ ହୋଇପାରିବ ନାହିଁ ।”

 

“ଅଘୋର ଭୈରବଙ୍କଠାରେ ଆପଣଙ୍କର କି ଆବଶ୍ୟକତା ?”

 

“ମୋର ଅନ୍ତଃସ୍ଥିତ ପ୍ରକୃତିର ରୂପକୁ ମୋତେ ସାର୍ଥକତା ଦେବାକୁ ପଡ଼ିବ । ସେ ଗୁରୁ, ସେ ମହାନ୍, ସେ ମୁକ୍ତ, ସେ ସିଦ୍ଧ । ତାଙ୍କ କଥା ସ୍ଵତନ୍ତ୍ର ।”

 

“କିନ୍ତୁ ଏ ମଦିରଦ୍ରବ୍ୟ ଏ ତତ୍ତ୍ଵକୁ କି ସହାୟତା ଦେଉଛି ?”

 

“ତୁ ବୁଝିବୁ ନାହିଁ । ମଦିରା ହେଉଛି ପ୍ରକୃତିକୁ ବ୍ୟକ୍ତ କରିବାର କାରଣ । ସେ ଗୋପନ ରଖିବାକୁ ଦିଏ ନା । ଏହାହିଁ ହେଉଛି ଗୋପନ ରହସ୍ୟ ।”

 

ମହାମାୟା ଭୈରବୀଙ୍କର ଅପୂର୍ବ ଚିନ୍ତନ-ଶକ୍ତିରେ ମୁଁ ଆଶ୍ଚର୍ଯ୍ୟ ହେଲି । କିଛି ସମୟ ସେ ଠିଆହୋଇ ରହିଲେ ସତେ ଯେପରି କିଛି ସ୍ମରଣ କରୁଛନ୍ତି । ତାଙ୍କର ରକ୍ତିମ ନୟନ-କୋରକରେ ଅଶ୍ରୁକଣା ଦେଖାଦେଲା ଏବଂ ସେ ଟିକିଏ ବ୍ୟାକୁଳ ହେଲାଭଳି ଜଣାପଡ଼ିଲେ । କହିଲେ, ‘‘ଯେଉଁଆଡ଼େ ଯିବାର କଥା, ସେଠାକୁ ଯା । ମୋତେ ଅନେକ ଦୂର ଯିବାକୁ ହେବ ।” ପଚାରିଲି, ‘‘ମାତଃ, ଏ ବିରତିବଜ୍ର କିଏ ?”

 

ସେ କହିଲେ–“ହିମାଳୟର ପାଦଦେଶରେ କେଉଁଠି ତାର ଆଶ୍ରମ ସେ ସୌଗତ ଅବଧୂତ ଅମୋଘବଜ୍ରଙ୍କର ଶିଷ୍ୟ କିନ୍ତୁ ସୌଗତ ତନ୍ତ୍ରରେ ଅନଧିକାରୀ ବୁଝିପାରି ଗୁରୁ ତାକୁ ଆମ ସଂପ୍ରଦାୟକୁ ପଠାଇ ଦେଇଛନ୍ତି ।”

 

“ଅନଧିକାର କଣ, ମାତଃ ?’’

 

“ତ୍ରିଭୁବନମୋହିନୀର ମାୟା । ସେ ଶକ୍ତିହୀନ । ବାରାଣସୀର ଜନପଦରେ ତାର ଜନ୍ମ । ତାର ଶକ୍ତି ତାକୁ ଅପେକ୍ଷା କରି ଏଠାରେ କେଉଁଠି ରହିଛି ।”

 

ମହାମାୟା ଭୈରବୀଙ୍କର କଥା ଶୁଣି ବାରାଣସୀ–ଜନପଦର ସେହି ବୃଦ୍ଧାଙ୍କ କଥା ମନେ ପଡ଼ିଲା । ବିରତିବଜ୍ରର ମୁହଁ ସହିତ ମିଶୁଥିଲା ତାଙ୍କର ମୁହଁ । ତା ହେଲେ କଣ ଏ ସେହି ବୃଦ୍ଧାଙ୍କର ପୁତ୍ର ? ଆଉ କଣ ସାକ୍ଷାତ ହେବ ନାହିଁ ? ଚିନ୍ତିତ ହୋଇ ମୁଁ ଠିଆହୋଇ ରହିଲି ସେତେବେଳକୁ ମହାମାୟା ଅନେକ ଦୂର ଚାଲିଗଲେଣି । ମୁଁ ବାହାରକୁ ଆସିଲି । ବୃଦ୍ଧ କପୋତର ପକ୍ଷଭଳି ଆକାଶ ଧୂମ୍ର ହୋଇଯାଇଥିଲା । ଛିନ୍ନ ଘୁଡୀ ପରୀ ଚନ୍ଦ୍ରମା ଅସ୍ତଶିଖର ଉପରେ ଖସିପଡ଼ିଥିଲା । ତରୁଣ ଅରୁଣର ପୀତ ରଶ୍ମି ସ୍ଵର୍ଣ୍ଣଶଳାକାପ୍ରସ୍ତୁତ ସମ୍ମାର୍ଜ୍ଜନୀଭଳି ପୂର୍ବଗଗନ ନକ୍ଷତ୍ରମାନଙ୍କୁ ଓଳାଇ ଦେଉଥିଲା । ମହାରୁଦ୍ରଙ୍କ ପିନାକଭଳି ଆକାଶର ପଶ୍ଚିମ–ମଣ୍ଡଳାର୍ଦ୍ଧରେ ଟାଣି ହୋଇଯାଇଥିଲା ଧନୁରାଣି ।

 

କ୍ଷିଣ–ଭୂୟିଷ୍ଠା ରଜନୀ ଗୋଟି ଗୋଟି କରି ନିଜର ନକ୍ଷତ୍ରାଳଙ୍କାର ଖୋଲୁଥିଲା । ସନ୍ୟାସବ୍ରତ ନେବାପାଇଁ ଶିଶିରସିକ୍ତ ହୋଇଥିଲା ଚଣ୍ଡୀ ମନ୍ଦିର ଏବଂ ଅଳସ–ଶିଥିଳ ହୋଇ ପଡ଼ିରହିଥିଲେ ସମ୍ମୁଖ ପ୍ରାନ୍ତରର ଦୁର୍ବାଦଳ ।

 

ମୁଁ ଗଙ୍ଗା–ତଟ ଉଦ୍ଦେଶ୍ୟରେ ଯାତ୍ରାକଲି ।

Image

 

Unknown

ସପ୍ତମ ପରିଚ୍ଛେଦ

 

ମୁଁ ଯେତେବେଳ ଗଙ୍ଗାତଟରେ ପହଞ୍ଚିଲି ସେତେବେଳକୁ ପ୍ରଭାତ । ମୋର ବିଳମ୍ବ ପାଇଁ ଭଟ୍ଟିଣୀ ଓ ନିପୁଣିକା ଯେ ଏତେ ଚିନ୍ତିତ ହେବେ, ଏକଥା ମୁଁ ଆଦୌ ଚିନ୍ତା କରି ନ ଥିଲି । ଭଟ୍ଟିଣୀଙ୍କର ଜାଗର–ଖିନ୍ନ ଆଖି ଆଷାଢ଼ର ପ୍ରଥମ ବୃଷ୍ଟିରେ ମ୍ଳାନ ବନ୍ଧୁଜୀବ–କୁସୁମଭଳି ଦୟନୀୟ ଜଣାପଡ଼ୁଥିଲା । ସେ ଆଖିକୁ ଦେଖି ମୋର ହୃଦୟ ଏକ ଅଜ୍ଞାତ ଆନନ୍ଦରେ ଭରିଗଲା । ଅଭାଗା ବାଣ ପାଇଁ ଏତେ ଚିନ୍ତା କେହି କରିପାରେ ? ନିଜର ହର୍ଷର କାରଣ ତ ମୁଁ ବୁଝିଲି କିନ୍ତୁ ଭଟ୍ଟିଣୀଙ୍କର ଖିନ୍ନ–ମନୋହର ଆଖି ମୋତେ ଦେଖି କାହିଁକି ଅଶ୍ରୁରେ ଭରିଗଲା ତାହା ବୁଝିପାରିଲି ନାହିଁ । କାତରଦୃଷ୍ଟିରେ ସେ ମୋତେ ଦେଖିଲେ କିନ୍ତୁ କିଛି ନ କହି ଭିତରକୁ ଚାଲିଗଲେ । ନୌକାଟି ବେଶ୍ ବଡ଼ । କୁମାର କୃଷ୍ଣବର୍ଦ୍ଧନ ସମସ୍ତ ଆବଶ୍ୟକ ସାମଗ୍ରୀର ଆୟୋଜନ କରିଥିଲେ ସେଥିରେ । ଅନ୍ୟ ଏକ ନୌକାରେ ନାଗରିକ ବେଶରେ କେତେଜଣ ସୈନ୍ୟ ମଧ୍ୟ ଥିଲେ । ଭଟ୍ଟିଣୀଙ୍କର ଅପ୍ରସନ୍ନତାର କାରଣ ବୁଝି ନ ପାରି ମୁଁ କେବଳ ଅପରାଧୀ ଭଳି ମୁଣ୍ଡ ତଳକୁ କରି ଠିଆହୋଇ ରହିଲି । ନିପୁଣିକା କିଛି ସମୟ ମୋତେ ଅନାଇ ରହିଲା, ବୋଧହୁଏ ମୋତେ ଏପରି ଦୁଃଖୀ ହେବାର ଦେଖି ତାକୁ ଭଲ ଲାଗୁଥିଲା । ସହସ୍ର ଚିନ୍ତା ଖେଳିଗଲା ମୋ ମନ ଭିତରେ । ସାରା ଜୀବନ ଅନୁତ୍ତରଦାୟୀ ଭାବରେ କାଟିଛି । କେଉଁଠି ଯେ କେତେ ରାତି, କେତେ ଦିନ କଟିଛି । ଆଜି କିନ୍ତୁ ଅପରାଧୀ ହେବାକୁ ପଡ଼ିଛି । ସ୍ଵେଚ୍ଛାରେ ନିଜ ପାଇଁ ମୁଁ ଏହି ବନ୍ଧନ ପ୍ରସ୍ତୁତ କରିନେଇଛି କାଲି ପର୍ଯ୍ୟନ୍ତ ମୁଁ ଥିଲି ସ୍ଵତନ୍ତ୍ର; ଆଜି କିନ୍ତୁ ପରାଧୀନ । ମୋର ରାତି ନିଜର ନୁହେଁ, ମୋର ଦିନ ନିଜର ନୁହେଁ, ମୋର ଗତି ନିଜର ନୁହେଁ, ମୋର ମନ ନିଜର ନୁହେଁ । କାହିଁକି ଏପରି ହେଲା ? ଆଜୀବନ ଦାୟିତ୍ଵହୀନ ହୋଇ ଜୀବନ କାଟିଥିବା ବାଣ ଭଟ୍ଟ ଆଜି ନିଜକୁ ଏତେ ପରାଧୀନ କାହିଁକି ମନେ କରୁଛି ? କିଏ କହୁଛି ତାକୁ ଭୃତ୍ୟ ଭଳି ରହିବାକୁ ? କେହି ତ କହୁ ନାହିଁ ? ଏ ପରାଧୀନତାକୁ ସେ ନିଜେ’ଇ କ୍ରୟ କରିଛି । ଆଶ୍ଚର୍ଯ୍ୟ ହୋଇ ଭାବିଲି ଥରେ ସୁଦ୍ଧା ତ ମୋ ମନ ଏକଥାରେ ବିଦ୍ରୋହ କରୁ ନାହିଁ । ମୋଦ୍ଵାରା ଏହା ହେବ ନାହିଁ ବୋଲି ଥରେ ସୁଦ୍ଧା ତ ସେ କହୁ ନାହିଁ । ବରଂ ଖୁସି ହେଉଛି ସେ ଅପରାଧୀ, ଦୋଷୀ । ତାକୁ ଦଣ୍ଡ ମିଳିବା ଉଚିତ । ଅପରାଧ କଣ ଜାଣେନା କିନ୍ତୁ ଅପରାଧୀ ହେବାରେ ଯେପରି ଗୌରବ । ମୋର ଚିନ୍ତାର ସ୍ରୋତକୁ ବାଧାଦେଇ ନିପୁଣିକା କହିଲା–“ତୁମେ ଭଟ୍ଟିଣୀଙ୍କୁ ଏଭଳି ଛାଡ଼ିଦେବା ଉଚିତ ନୁହେଁ, ଭଟ୍ଟ ।” ଅପରାଧ କଣ, କିଛି ବୁଝିଲି-। କିନ୍ତୁ ଭଟ୍ଟିଣୀଙ୍କର କଲ୍ୟାଣ ପାଇଁ ତ ମୁଁ ତାଙ୍କୁ ଛାଡ଼ିଥିଲି । ରାତିର ଘଟଣା ସଂକ୍ଷେପରେ ନିପୁଣିକାକୁ କହିଲି । ନିପୁଣିକା କିନ୍ତୁ ଆଶ୍ଚର୍ଯ୍ୟ ହେଲାନି, ଦୁଃଖ ମଧ୍ୟ କଲାନି । ଏକ ଦୀର୍ଘନିଃଶ୍ଵାସ ଟାଣି ସେ କିଛି ସମୟ ପର୍ଯ୍ୟନ୍ତ ପାଦର ଆଙ୍ଗୁଳିରେ ନୌକାର ପଟାକୁ ଆଘାତ କରି କଣ ଚିନ୍ତା କରିବାକୁ ଲାଗିଲା । କିଛିକ୍ଷଣପରେ ତାର ଆଖିକୁ ଅନାଇ ମୁଁ ଲକ୍ଷ୍ୟ କଲି ଏକ ଅଦ୍ଭୁତ ଅବସାଦର ଭାବ । ଚିନ୍ତିତ ହୋଇ କହିଲି–“ନିଉନିୟା, ତୁ ମଧ୍ୟ ଦୁଃଖ କରୁଛୁ ?”

 

ନିଜକୁ ସଂଯତ କରି ମୁହଁରେ ପ୍ରସନ୍ନତାର ଭାବ ଆଣିବାକୁ ଚେଷ୍ଟାକଲା ସେ । କିନ୍ତୁ ସେ ଚେଷ୍ଟାରେ ଏକପ୍ରକାର ମାନସିକ କ୍ଳେଶର ପରିଚୟ ମୋ ପାଖରେ ଅଛପା ରହିଲା ନାହିଁ । ସେ ମଧ୍ୟ ଗୋପନ ରଖିବାକୁ ଚେଷ୍ଟା କଲାନି । ମୁଁ ଆଗ୍ରହରେ ପଚାରିଲି–“ନିଉନୟା, ତୋର କଣ ହୋଇଛି ?” ସେ ସହଜ ସ୍ଵରରେ କହିଲା–“କିଛି ନୁହେଁ ଭଟ୍ଟ, ମୁଁ ଭାବୁଥିଲି ମହାମାୟା ଯାହା କହିଛନ୍ତି, ତାହା ଅତି ଗମ୍ଭୀର ସତ୍ୟ । ପୁରୁଷର ସତ୍ୟ ଏକପ୍ରକାର, ନାରୀର ସତ୍ୟ ଅନ୍ୟପ୍ରକାର । ମୁଁ ନାରୀର ଶରୀର ପାଇଛି । କିନ୍ତୁ ତାକୁ ସଫଳ ବା ସାର୍ଥକ କରିପାରି ନାହିଁ । ଆଚ୍ଛା ଭଟ୍ଟ, ମହାମାୟା କଣ ନାରୀଜନ୍ମକୁ ସାର୍ଥକ କରିବାର ଉପାୟ କିଛି କହିଛନ୍ତି ?” ମୁଁ ଚିନ୍ତିତ ହୋଇ କହିଲି–“ମହାମାୟା ମୋତେ ବିଶେଷ କିଛି ପଚାରିବାର ଅବସର ଦେଇ ନ ଥିଲେ । ତେବେ ଅବଧୂତଙ୍କ କଥା ଯଦି ତୋର ପ୍ରଶ୍ନର ପ୍ରମାଣ ବୋଲି ମନେ କରାଯାଏ ତାହା ହେଲେ ମୋର ଅନୁମାନ ତାର ଉତ୍ତର ହେବ ପ୍ରବୃତ୍ତିଗୁଡ଼ିକୁ ଦମନ କରିବା ଉଚିତ ନୁହେଁ କିମ୍ବା ପ୍ରବୃତ୍ତିଙ୍କଦ୍ଵାରା ଅନୁଶାସନରେ ରହିବା ଉଚିତ ନୁହେଁ । ପ୍ରତ୍ୟେକ ବ୍ୟକ୍ତିର ଦେବତା ସ୍ଵତନ୍ତ୍ର । ହୁଏତ ପ୍ରବୃତ୍ତିଦ୍ଵାରା ଦେବତାର ପରିଚୟ ମିଳୁଛି । ନିଜର ଦେବତାକୁ ବହୁବାର ମନରେ ପୂଜା କରି ସୁଦ୍ଧା ଆମେ ଜାଣିପାରୁନୁ । ସତରେ କହୁଛି ନିଉନିୟା ମୁଁ ଏସବୁ କିଛି ବୁଝି ନାହଁ କିନ୍ତୁ ମନର କେଉଁ କୋଣରୁ ବାରମ୍ବାର ପ୍ରତିଧ୍ୱନି ହେଉଛି ଏକଥାରେ ସତ୍ୟ ରହିଛି ।” ନିପୁଣିକା ମୋ କଥା ଖୁବ୍ ଧ୍ୟାନ ଦେଇ ଶୁଣୁଥିଲା ସତେ ଯେପରି ପ୍ରତ୍ୟେକ ଅକ୍ଷରକୁ ବୁଝିବାକୁ ଚେଷ୍ଟା କରୁଛି । ଏକ ଦୀର୍ଘନିଃଶ୍ୱାସ ନେଇ କହିଲା, ‘‘ଭଟ୍ଟ, ଶୀଘ୍ର ସ୍ନାନ ଶେଷ କର । କୁମାରଙ୍କ ପାଖକୁ ଯିବାକୁ ଆଚାର୍ଯ୍ୟଦେବ କହିଯାଇଛନ୍ତି-। ସେ କାଲି ସନ୍ଧ୍ୟାବେଳେ ଆସିଥିଲେ ।” ଏହା କହି ସେ ଭଟ୍ଟିଣୀଙ୍କ ପାଖକୁ ଚାଲିଗଲା । ଆଚାର୍ଯ୍ୟଦେବ ଓ ଭଟ୍ଟିଣୀଙ୍କ ମଧ୍ୟରେ କି କଥାବାର୍ତ୍ତା ହୋଇଛି ଜାଣିବାକୁ ମନ ଉତ୍ସୁକ ହେଉଥିଲା କିନ୍ତୁ ଉପଯୁକ୍ତ ଅବସର ପର୍ଯ୍ୟନ୍ତ ଅପେକ୍ଷା କରିବାହିଁ ଠିକ୍ ବୋଲି ସ୍ଥିର କଲି ।

 

ସ୍ନାନାଦି ଶେଷ କରି ମୁଁ କୁମାର କୃଷ୍ଣବର୍ଦ୍ଧନଙ୍କ ପ୍ରାସାଦକୁ ଯିବାପାଇଁ ପ୍ରସ୍ତୁତ ହେଲି । ନୌକାରୁ ଓହ୍ଳାଉଛି, କଣ ଗୋଟାଏ ଶବ୍ଦ ଶୁଣି ପଛକୁ ଫେରି ଦେଖିଲି ଭଟ୍ଟିଣୀ । ମେଘମୁକ୍ତ ଶରଚ୍ଚନ୍ଦ୍ରଭଳି ପ୍ରସନ୍ନ ମୁଖମଣ୍ଡଳ । ସ୍ନାନ ସାରି ସେ କୁସୁମ୍ଭ ବସ୍ତ୍ର ପିନ୍ଧିଥିଲେ । ପ୍ରତ୍ୟଗ୍ର–ସ୍ନାନରେ ତାଙ୍କର କୁଙ୍କୁମ–ଗୌର କାନ୍ତି ପରିସ୍ଫୁଟ ହେଉଥିଲା । ତାଙ୍କର ରୁଚିର ଅଂଶୁକାନ୍ତ (ଅଞ୍ଚଳ) ମନ୍ଦ ମନ୍ଦ ବାୟୁର ଆଶ୍ଳେଷରେ ଚଞ୍ଚଳ ହୋଇ–ଉଠୁଥିଲା । ସେ ଦେଖାଯାଉଥିଲେ ସଦ୍ୟ ସମୁପଜାତ ଚଳ–କିଶଳୟବତୀ ମଧୁ–ମାଳତୀ ଲତାପରି ଫୁଲ୍ଲ–କମନୀୟ । ତାଙ୍କର ଉନ୍ମୁକ୍ତ କବରୀର ଦୋଳିତ ସୁବର୍ଣ୍ଣାଭ କେଶ କୁସୁମ୍ଭଆଭାରେ ଏପରି ମନୋହର ଦେଖା ଯାଉଥିଲା ଯେ ତାଙ୍କୁ ଦେଖି ସୁବର୍ଣ୍ଣ ଶିରୀଷର ସୁକୁମାର ତନ୍ତୁଗୁଡ଼ିକର ପରାଗପିଞ୍ଜର ଜାଲ ମନେ ପଡ଼ିଲା । ଆନନ୍ଦରେ ପ୍ରଦୀପ୍ତ ହୋଇଉଠିଥିଲେ ସେ । ଭଟ୍ଟିଣୀଙ୍କୁ ପ୍ରସନ୍ନ ଦେଖି ମୋର ମନ ଆନନ୍ଦରେ ପୂରିଗଲା । କିଛି ନ କହି ଆଜ୍ଞର ପ୍ରତୀକ୍ଷାରେ ଠିଆହୋଇ ରହିଲି । ସେ ଧୀରେ ଧୀରେ କହିଲେ, ‘‘ଶୀଘ୍ର ଫେରିଆସିବ ଭଟ୍ଟ-।” ମୁଁ ମଥା ନତକରି କାତର ଭାବରେ କହିଲି, ‘‘ଶୀଘ୍ର ହିଁ ଫେରିଆସିବି ।” କିନ୍ତୁ ମୋର କଥାର ଅର୍ଥ ଯାହା ହେଉ ନା କାହିଁକି, ମନ ଭିତରେ ଜାଣିଥିଲି ତାର ପ୍ରକୃତ ଅର୍ଥ କଣ । ବାସ୍ତବିକ ତାର ଅର୍ଥ ଥିଲା–“ଦେବୀ, ଅପରାଧ କ୍ଷମା ହେଉ, ଭବିଷ୍ୟତରେ ଏଭଳି ତ୍ରୁଟି ହେବ ନାହିଁ ।” ନିଜର ବାକ୍ୟର ବ୍ୟଞ୍ଜନା ବୁଝି ସତେ ଯେପରି ମୁଁ ଲଜ୍ଜିତ ହୋଇଗଲି । ଭଟ୍ଟିଣୀ ସ୍ନେହ–ମେଦୁର ସ୍ଵରରେ”ହଁ” କହି ଭିତରକୁ ଚାଲିଗଲେ । ମୁଁ ନଗର ଉଦ୍ଦେଶ୍ୟରେ ଯାତ୍ରା କଲି ।

 

ଆଜି ଫାଲ୍‍ଗୁନର ପୂର୍ଣ୍ଣମୀ । ଆଜି କାନ୍ୟକୁବ୍‍ଜରେ ପ୍ରମତ୍ତ ମଦନୋତ୍ସବର ଦିବସ । ଆଜି ନଗର ଭିତରେ ପ୍ରବେଶ କରିବା କେତେ ଯେ ସାହସର କଥା, ତାହା ମୁଁ ଭୁଲିଯାଇଥିଲି । ପୁରବାସୀଙ୍କର କରତଳ ଧ୍ୱନି, ମଧୁର–ସଂଗୀତ ଓ ମୃଦଙ୍ଗ ଶବ୍ଦରେ ନଗରଟି ଗୁଞ୍ଜିତ ହୋଇ ଉଠିଥିଲା । ମଧୁମତ୍ତ ନଗରବିଳାସିନୀଙ୍କ ସମ୍ମୁଖରେ ଯେକୌଣସି ପୁରୁଷ ପଡ଼ିଗଲେ, ତା ଉପରେ ଶୃଙ୍ଗକ (ପିଚକାରୀ)ର ରଙ୍ଗୀନ ଜଳବୃଷ୍ଟି ହୋଇଯାଉଥିଲା । ମର୍ଦ୍ଦଳର ଗମ୍ଭୀର ନିର୍ଘୋଷ ଓ ଚର୍ଚରୀ (କରତଳଧ୍ଵନୀ) ଧ୍ଵନୀରେ ଶବ୍ଦୀୟମାନ ହେଉଥିଲା ଚୌପାଟିଗୁଡ଼ିକ । ଚତୁର୍ଦିଗ ସୁଗନ୍ଧିତ ଉଡ଼ନ୍ତ ଅବିରରେ ରଙ୍ଗୀନ ହୋଇ ଯାଇଥିଲା ଓ ନଗରୀର ରାଜପଥ କେଶର–ମିଶ୍ରିତ ପିଷ୍ଟାତକ (ଅବିର)ରେ ଛାଇ ହୋଇଯାଇଥିଲା । ମନେ ହେଲା ତା ଉପରେ ଯେପରି ଉଷାର ଛାୟା ପଡ଼ିଛି । ପୌରବାସୀଙ୍କର ଶରୀରରେ ଶୋଭମାନ ଅଳଙ୍କାର ଓ ମସ୍ତକରେ ଧାରଣ କରିଥିବା ଅଶୋକର ଲାଲ ଫୁଲ, ଲାଲ–ହଳଦୀର ମିଶ୍ରିତ ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଉଥିଲା । ମନେ ହେଲା ନଗରୀର ସମସ୍ତଙ୍କୁ ସୁନେଲି ରଙ୍ଗରେ ବୁଡ଼ାଇ ଦିଆଯାଇଛି । ସମୃଦ୍ଧଶାଳୀ ଭବନର ସମ୍ମୁଖ ପ୍ରାଙ୍ଗଣରେ ଧାରାଯନ୍ତ୍ର (ଫୁଆର)ରୁ ପାଣି ଉତକ୍ଷିପ୍ତ ହେଉଥିଲା ଓ ସେଥିରେ ନିଜ ନିଜର ପିଚକାରୀ ଭରିବାପାଇଁ କୋଳାହଳ ଲାଗିଥିଲା । ସେ ସ୍ଥାନକୁ ନିରନ୍ତର ଆସିବାହାରା ପୌର ବିଳାସିନୀମାନଙ୍କର ସୀମନ୍ତର ସିନ୍ଦୁର ଓ କପୋଳର ଅବିର ଝରି ସାରା କୁଟ୍ଟିମକୁ (ପକ୍‍କାତଳ) ଲାଲ ପିଷ୍ଟାତକ ପଙ୍କରେ ଭାରି ଦେଇ ସିନ୍ଦୁରମୟ କରିଥିଲା । ରଙ୍ଗ-ବର୍ଷାରୁ ନିଜକୁ ରକ୍ଷା କରିବାପାଇଁ ମୁଁ ଅନେକ କୌଶଳ କଲି । ରାସ୍ତା ଛାଡ଼ି ଗଳିଭିତରେ ପଶିଲି ଓ ରାଜମାର୍ଗର ରାସ୍ତା କାଟି କିଛି ଦୂରକୁ ଚାଲିଗଲି । ଉତ୍ସବ ମାଦକତାପୂର୍ଣ୍ଣ ହୋଇଉଠିଥିଲା । ସ୍ଥାନେ ସ୍ଥାନେ ପଣ୍ୟ-ବିଳାସିନୀମାନେ ନୃତ୍ୟ କରୁଥିଲେ । ଆଲିଙ୍ଗ୍ୟକ ନାମକ ବାଦ୍ୟର ମନ୍ଦ ମନ୍ଦ ଧ୍ଵନୀରେ, ମଧୁର ଧ୍ଵନୀକାରୀ ମଞ୍ଜୁଳ ବେଣୁ ନାଦରେ, ରୁଣଝୁଣ ଝଲ୍ଲରୀର ଧ୍ଵନୀରେ, କାଁସଦଣ୍ଡ ଓ ଝାଞ୍ଜର ମନୋରମ କ୍ଵଣନରେ, ସାଥିରେ ଦିଆଯାଉଥିବା ଉତ୍ତାଳତାଳରେ, ମୃଦୁମନ୍ଦ ଝଙ୍କାରରେ ଝଂକୃତ ଅଲାବୁଣାର ମନୋରମ ଧ୍ଵନୀରେ ସେ ନୃତ୍ୟ ଯେତିକି, ଆକର୍ଷକ ଥିଲା, ଅଶ୍ଲୀଳ ରାସପଦର ରୁଗ୍‍ଣ ଶୃଙ୍ଗାର ଯୋଗୁଁ ତାହା ସେତିକ ବିକର୍ଷକ ଜଣାପଡ଼ିଥିଲା । କାମୁକଙ୍କର କର୍ଣ୍ଣ-କୁହରରେ ଅମୃତ ସଞ୍ଚାର କରୁଥିଲା ସେ ଅଶ୍ଲୀଳ ପଦ । କି ଆଶ୍ଚର୍ଯ୍ୟ, ଗୋଟିଏ ବିଷୟ ବିଭିନ୍ନ ଶ୍ରୋତାଙ୍କୁ କେତେ ବିପରୀତ ଢଙ୍ଗରେ ପ୍ରଭାବିତ କରିପାରେ ! ବିଧାତା ସୌନ୍ଦର୍ଯ୍ୟକୁ ଯେ କେଉଁଠି ଫିଙ୍ଗି ଦେଇଛନ୍ତି ? ଯୁବତୀମାନଙ୍କର କାନରେ ଝୁଲୁଥିଲା ନବ-କର୍ଣ୍ଣିକାର ପୁଷ୍ପ, ଚଳ-ନୀଳ ଅଳକରେ ଥିଲା ଅଶୋକ-ସ୍ତବକ ଓ କପୋଳ ଉପରେ ଶୋଭିତ ହେଉଥିଲା ବେପୁଥୁବିହୀନ ଅଙ୍ଗୁଳୀଗୁଡ଼ିକରେ ଅଙ୍କିତ ମଞ୍ଜୁଳ ମଞ୍ଜରୀ । ସେମାନେ ଦେଖାଯାଉଥିଲେ କୁଙ୍କୁମ-ଗୌରକାନ୍ତିରେ ବଳୟିତ-ଲଲାଟ କାଶ୍ମୀର କିଶୋରୀ ଭଳି । ନୃତ୍ୟର ନାନା ଭଙ୍ଗୀରେ ନିଜର ବାହୁଲତାକୁ ଯେତେବେଳେ ସେମାନେ ଆକାଶକୁ ଉତକ୍ଷେପ କରୁଥିଲେ, ମନେ ହେଉଥିଲା ତାଙ୍କର ଉତ୍ସୁକ ବଳୟ ଉଛୁଳି ଉଠି ସୂର୍ଯ୍ୟମଣ୍ଡଳକୁ ବନ୍ଦୀ କରିବ । ଜନକ-ମେଖଳାର କିଙ୍କଣୀରେ ଦୋଳାୟିତ କୁରଣ୍ଟକ-ମାଳା ମଧ୍ୟଦେଶରେ ବେଢ଼ି ହୋଇ ଏଭଳି ଶୋଭିତ ହେଉଥିଲା ସତେ ଯେପରି ରାଗାଗ୍ନି ପ୍ରଦୀପ୍ତ ହୋଇ ସେମାନଙ୍କୁ ବଳୟିତ କରିଛି । ମୁଖମଣ୍ଡଳରୁ ଅବିର ଓ ସିନ୍ଦୁର ଛଟା ବିଞ୍ଚି ହୋଇପଡ଼ୁଥିଲା ଏବଂ ସେହି ରକ୍ତିମ କାନ୍ତିରେ ଅରୁଣାୟିତ କୁଣ୍ଡଳ-ପତ୍ର ଏଭଳି ଶୋଭିତ ହେଉଥିଲା, ସତେ ଯେପରି ତାହା ମଦନ–ଚନ୍ଦନ–ଦୃମର ସୁକୁମାର ଲତାଗୁଡ଼ିକର ଉଚ୍ଛ୍ଵସିତ କିଶଳୟ । ନିଜର ନୀଳ, ବାସନ୍ତୀ, ଚିତ୍ରକ ଓ କୌସୁମ୍ଭ ବସ୍ତ୍ରର ଉତ୍ତରୀୟ ଯେତେବେଳେ ନୃତ୍ୟବେଗର ଘୂର୍ଣ୍ଣନରେ ତରଙ୍ଗାୟିତ ହୋଇଉଠୁଥିଲା, ସେତେବେଳେ ସେମାନେ ଶୃଙ୍ଗାର–ରସର ଚଟୁଳ–ଉର୍ମ୍ମିସମ ଉଲ୍ଲସିତ ହୋଇଉଠୁଥିଲେ । ସଙ୍ଗୀତ-ଧ୍ଵନିର ପୃଷ୍ଠଭୂମିରେ ସାତ୍ଵିକ ଅଭିନୟରେ ଯେତେବେଳେ ସେମାନେ ରୋମାଞ୍ଚିତ ହୋଇଉଠୁଥିଲେ, ସେତେବେଳେ ଦୁର୍ଦ୍ଦିନର ଗର୍ଜନମୁଖର ମେଘଛାୟାରେ କୁସୁମ-ଧୂଳି ଉଦ୍‍ଗୀରଣ–କାରୀ କେତକୀଲତା ମନେ ପଡ଼ିଥିଲା । ନାରୀ-ସୁଲଭ ସୁକୁମାର ଭାବନା ତାଙ୍କଠୁଁ ଲୋପ ହୋଇଥିଲା । ଜୀର୍ଣ୍ଣ ଦେବମନ୍ଦିର ପରି ଅଲୋଡ଼ା ପ୍ରତିମା ପରି, ପତିତ ମାଳମାଳ ପରି ସେମାନେ ନିଜର ପ୍ରତିଷ୍ଠା ହରାଇଥିଲେ, ନିଜର ସମ୍ମାନ ଭୁଲିଯାଇଥିଲେ ଓ ନିଜର ଶୁଚିତା ମ୍ଳାନ କରିସାରିଥିଲେ । ନାରୀ-ସୌନ୍ଦର୍ଯ୍ୟକୁ ସଂସାରରେ ସର୍ବାଧିକ ପ୍ରଭାବ-ଉତ୍ପାଦନୀ ଶକ୍ତି ବୋଲି ମୁଁ ମାନି ଆସିଛି । କିନ୍ତୁ କଣ ଦେଖୁଛି ମୁଁ ? ମହାମାୟା କହିଥିଲେ ନାରୀର ସଫଳତା ପୁରୁଷକୁ ବାନ୍ଧିବାରେ, ସାର୍ଥକତା ତାକୁ ମୁକ୍ତି ଦେବାରେ, ଏହା କଣ ସଫଳତା ନା ସାର୍ଥକତା ? ମୋର ଧାରଣା ହେଲା ଏଠାରେ ନାରୀ-ସୌନ୍ଦର୍ଯ୍ୟ ବନ୍ଧ୍ୟା, ନିସ୍ଫଳ ଓ ଉଷର । କିନ୍ତୁ କାହିଁକି ହେଲା ଏପରି ? ଏହି ମହାନ୍ ଶକ୍ତିଶାଳୀ ତତ୍ତ୍ଵଠାରୁ କଣ ଆହୁରି କିଛି ବଡ଼ ଶକ୍ତି ଏହାକୁ ଏଭଳି ହୀନଦର୍ପ କରି ଦେଇଛି ? ନିଶ୍ଚୟ ରହିଛି । ମୋର ଅନୁମାନ, ସେ ଶକ୍ତି ସମ୍ପତ୍ତି ହୋଇପାରେ ।

 

ନାନା ଗଳି ବୁଲି ଶେଷରେ ଛୋଟରାଜକୁଳର ପ୍ରାସାଦ ସମ୍ମୁଖରେ ଯାଇ ପହଞ୍ଚିଲି । ଦ୍ଵାରରେ ନାଗ ନ ଥିଲା । ମୋ ଛାତି ଦାଉଁ କରି ହେଲା । ସେ ରାତିର ଅସାବଧାନତାର ଅପରାଧପାଇଁ ନାଗ କଣ ବନ୍ଦୀ ? କିମ୍ବା ତାକୁ କ’ଣ ଶୂଳୀ ଦିଆଯାଇଛି ? ଛୋଟରାଜକୁଳରେ କୌଣସି ପ୍ରକାର ଊତ୍ସବର ସମାରୋହ ନ ଥିଲା । ସମସ୍ତ ବାୟୁମଣ୍ଡଳକୁ ଅଭିଭୂତ କରୁଥିଲା ମୃତ୍ୟୁର ଏକ ନିସ୍ତବ୍‍ଧତା । ଶୁକ୍ଳକେଶ ବୃଦ୍ଧ ବାଭ୍ରବ୍ୟ ମୋର ମନେ ପଡ଼ିଲେ । ବିଚାରାଙ୍କର କଣ ହୋଇଥିବ କେଜାଣି ? ଭଟ୍ଟିଣୀଙ୍କର ପଳାୟନର ସହାୟକ ବୋଲି ମନେ କରି ଛୋଟ ମହାରାଜା ତାଙ୍କୁ କଠିଣ ଦଣ୍ଡ ଦେଇଥିବେ । ଗ୍ଳାନି ଓ ଦୁଃଖରେ ମୋ ମନ ଅଭିଭୂତ ହୋଇଗଲା । ମୋଠାରେ ପକ୍ଷୀର ଶକ୍ତି ଥିଲେ ମୁଁ ନିଶ୍ଚୟ ଉଡ଼ିଯାଇ ଅନ୍ତଃପୁରରେ ପ୍ରବେଶ କରିଥାନ୍ତି ଓ ସେଠାର ଖବର ଜାଣିଥାନ୍ତି । ରାଜକୁଳର ବିଶାଳ ଉଦ୍ୟାନ ରାଜପଥର ଗୋଟିଏ ସ୍ଥାନରେ ସମାପ୍ତ ହୋଇଥିଲା । ସେଠାରେ ଠିଆହୋଇ ଏକ ବିଶାଳ ବକୁଳ ବୃକ୍ଷକୁ ଦେଖିଲି । ମଦ୍ୟଗନ୍ଧ ସୌରଭରେ ତାହା ମସ୍ତିଷ୍କକୁ ବ୍ୟାକୁଳ କରି ଦେଉଥିଲା । ମନେ କଲି ରାଜକୂଳର ଆଭ୍ୟନ୍ତରୀଣ ସମାଚାର ନ ଜାଣି ଅଗ୍ରସର ହେବା ଅନୁଚିତ, କିନ୍ତୁ ସମାଚାର ପାଇବା ଅସମ୍ଭବ । ଗ୍ଳାନି, ଲଜ୍ଜିତ ଓ ଖିନ୍ନ ମନରେ କିଛି ସମୟ ଠିଆହୋଇ ରହିଲି । ଠିକ୍ ସେତିକିବେଳେ ଶୁଣିଲି ଅତି ମୃଦୁ ଓ ସ୍ପଷ୍ଟ ଧ୍ଵନିରେ ଏକ ସାରିକା କଣ କହୁଛି । ତାର କଥା ବୁଝିବାପାଇଁ କଷ୍ଟ ହେଲା ନାହିଁ । ସାରିକାଟି ଅତି ମିଠା ସ୍ଵରରେ କହୁଥିଲା–“ତୁମେ ସ୍ଵୟଂଭୂର୍ଭଗବାନ୍ ପ୍ରାସୀଦତୁ ।” ବିଜୁଳିର ଧାରା ବହିଗଲା ମୋ ଦେହରେ । ଶିରାଗୁଡ଼ିକ ଉତ୍ତେଜିତ ହୋଇଉଠିଲେ ଏକ ନବୀନ ଶକ୍ତିରେ । ମୁଁ ନିଜେ କହି ଉଠିଲି ‘‘ନିଶ୍ଚୟ ଏ ଭଟ୍ଟିଣୀଙ୍କର ସାରିକା ।” ଚତୁର୍ଦ୍ଦିଗକୁ ଅନାଇ ନିଜର ମୂର୍ଖତାପାଇଁ ଚମକି ପଡ଼ି ଚୁପ୍ ହୋଇଗଲି । କେହି ଶୁଣିଥିଲେ କଣ କହିଥାନ୍ତା ? ସାରିକା କିଛିକ୍ଷଣପରେ ପୁଣି କହିଲା–“ଯା ଅଭାଗୀ, ଏ ପାପ ଅନ୍ତଃପୁରରୁ ପଳା । ତୋର ଭଟ୍ଟିଣୀ ଯାଇଛି, ମୁଁ ମରିବାକୁ ଯାଉଛି ।” ହାୟ, ଏ ତ ବାଭ୍ରବ୍ୟଙ୍କର କଥା ବୋଲି ମନେ ହୁଏ ! ମୁଖରା ସାରିକା ନିଜର ମୁକ୍ତିର ଘୋଷଣା–ପତ୍ର କଣ୍ଠସ୍ଥ କରିଥିଲା । ନିଃଶ୍ୱାସ ବନ୍ଦକରି ମୁଁ ନୀରବରେ ଠିଆହୋଇ ଅପେକ୍ଷା କଲି । ସାରିକା ପୁଣି ମଧୁର କଣ୍ଠରେ ଗାଇଲା–“ସ ମେ ସ୍ୱୟଂଭୁର୍ଭଗବାନ ପ୍ରସୀଦତୁ” ଏବଂ ଉଡ଼ିଜାଇ ରାଜକୂଳର ବୃକ୍ଷ–ସଂକୁଳ ଉଦ୍ୟାନରେ ଅନ୍ତର୍ଦ୍ଧାନ ହୋଇଗଲା । ମୋର ଚିତ୍ତ ବ୍ୟାକୁଳ ହୋଇପଡ଼ିଲା ଉଦ୍‍ବେଗରେ । ସାହିତ୍ୟ ଶାସ୍ତ୍ରରେ ପଢ଼ିଥିଲି ଭାଗ୍ୟବାନଙ୍କୁହିଁ ଶୁକ-ସାରିକା ଓ ଶିଶୁମୁହଁରୁ ଅନ୍ତଃପୁରର କଥା ମିଳିଥାଏ । ଏ କି ନିଷ୍ଠୁର ପରିହାସ ଶାସ୍ତ୍ରର ! ହାୟ, ନିର୍ଦ୍ଦୋଷ ବାଭ୍ରବ୍ୟ, ତୁମର ପ୍ରାଣାନ୍ତ ହେଲା ଅଥଚ ଅପରାଧୀ ବାଣ ଏପର୍ଯ୍ୟନ୍ତ ଜୀବିତ ରହିଛି ! ଭଟ୍ଟିଣୀ କଣ କୌଣସି ଦିନ ଏମାନଙ୍କ ବିଷୟରେ ଚିନ୍ତା କରିଛନ୍ତି-? ସେ ଯେତେବେଳେ ଶୁଣିବେ ଅନ୍ତଃପୁରବାସିନୀଙ୍କର ପିତୃତୁଲ୍ୟ ପୂଜ୍ୟ ବାଭ୍ରବ୍ୟ କି ପରିତାପରେ ତାଙ୍କର ସାରିକାର ବନ୍ଧନ ମୋଚନ କରିଥିଲେ, କୁସୁମ–କୋମଳ ହୃଦୟ କଣ ତାଙ୍କର ମ୍ଳାନ ହେବ ନାହିଁ ?

 

ଆଜି ଛୋଟରାଜପୁରର ଅନ୍ତଃପୁର ମୌନ । ତାର କ୍ରୀଡ଼ାପର୍ବତ ଉପରେ ଆଜି ସୁନ୍ଦରୀମାନେ ନିଜର ବଳୟଧ୍ଵନୀରେ ଉନ୍ନତ୍ତ ମୟୂରଙ୍କୁ ନୃତ୍ୟରତା କରୁ ନ ଥିବେ । ଆଜି ତାର କ୍ରୀଡ଼ା–ସରୋବରର ମୃଦଙ୍ଗ ଚକ୍ରବାକଦମ୍ପତିଙ୍କୁ ଅକାରଣ ଉତ୍କଣ୍ଠିତ କରୁ ନ ଥିବ । ଆଜି ଅନ୍ତଃ ପୁରର କୁଟ୍ଟିମଭୂମି ରକ୍ତିମ ହୋଇ ନ ଥିବ ପାଦର ଅଲକ୍ତକରେ । ଆଜି ‘ମିତ୍ତିୟାଙ୍କର’ ଅଙ୍ଗହାର ମହୋତ୍ସବକୁ ମଙ୍ଗଳ–କଳଶରେ ସୁସଜ୍ଜିତ କରି ନ ଥିବ, ଭୁଜ–ଲତାର ବିକ୍ଷେପରେ ଜୀବଲୋକ ମୃଣାଳ ବଳୟରେ ବଳୟିତ ହୋଇ ନ ଥିବ, ତୈଳସିକ୍ତ ତମାଳ–ପତ୍ର ଶିଥିଳଜୁଡ଼ାକୁ, କଜ୍ଵଳାୟମାନ କରି ନ ଥିବ ଆଭରଣର ଝଙ୍କୃତି ଚତୁର୍ଦ୍ଦିଗ କ୍ଵଣିତ କରି ନ ଥିବ । ଛୋଟରାଜକୁଳର ଅନ୍ତଃପୁରରେ ଆଜି କେତେ ଯେ ଭୀତ, କେତେ ଯେ ଆଶଙ୍କା ! ନାନା ଦେଶରୁ ଅପହୃତା, ଲାଞ୍ଛିତା ଅନ୍ତପୁର–ବାସିନୀମାନେ ବର୍ଷରେ ଦିନେ ଆନନ୍ଦ ଉତ୍ସବ ପାଳନ କରନ୍ତି । ହାୟ ! ଆଜି ତାହା ମଧ୍ୟ ବନ୍ଦ । ଗୋଟିଏ ଭଟ୍ଟିଣୀକୁ ଉଦ୍ଧାର କରିଛି ମୁଁ କିନ୍ତୁ ଜାଣେନା ଏ ଅନ୍ତଃପୁରରେ ଆଉ କେତେ ଭଟ୍ଟିଣୀ ଅଛନ୍ତି । ତା ଛଡ଼ା ଏଭଳି ଅନ୍ତଃପୁରର ସଂଖ୍ୟା ତ ଏତିକିରେ ଶେଷ ନୁହେଁ । ସେଠାର ଉଚ୍ଛୃଙ୍ଖଳ ନୃତ୍ୟ ଓ ଏଠାର ଶଙ୍କା–ଏହି ଦୁଇ ଦଶା ମଧ୍ୟରେ ଆପାତତଃ ଯଥେଷ୍ଟ ପାର୍ଥକ୍ୟ କିନ୍ତୁ ଦୁଇ ସ୍ଥାନରେ ସୃଷ୍ଟିର ଉତ୍କୃଷ୍ଟ ବସ୍ତୁ ଯେ ଅପମାନିତ, ଏହା ସତ୍ୟ । କାହିଁକି ଏହା ହେଉଛି ? ଏ ଆବଦ୍ଧତା କ’ଣ ସ୍ତ୍ରୀଙ୍କର ସ୍ଵୟଂକ୍ରୀୟ, ବର୍ତ୍ତମାନ ସେହିମାନେହିଁ ସେଥିରେ ବନ୍ଦୀ ? ଯେଉଁ ରାସ୍ତାରେ ଯାଉଥିଲି, କୌଣସି ମଦୋନ୍ମତ୍ତ ଉତ୍ସବକାରୀଦଳ ସେ ରାସ୍ତା ଦେଇ ଚାଲି ଯାଇଥିଲେ । କାଳିଦାସ ଉଜ୍ଜୟିନୀରେ ପ୍ରାତଃକାଳର ଯେଉଁ ଦୃଶ୍ୟ ଦେଖିଥିଲେ ସ୍ଥାଣ୍ୱୀଶ୍ୱରରେ ମଧ୍ୟାହ୍ନରେ ମୁଁ ସେ ଦୃଶ୍ୟ ଦେଖିଲି । ଗମନର ଉତ୍କମ୍ପରେ ଏଠାରେ ମଧ୍ୟ ସୁନ୍ଦରୀମାନଙ୍କର କେଶରୁ ମନ୍ଦାରପୁଷ୍ପ ଝଡ଼ି–ପଡ଼ିଥିଲା, କର୍ଣ୍ଣରୁ ରକ୍ତକମଳ ଖସି ଭୁଲୁଣ୍ଠିତ ହୋଇଥିଲା ଏବଂ ବାରମ୍ବାର ହୃଦୟ ଆଘାତକାରୀ ହାରରୁ ବୃହତ୍ ଗନ୍ଧରାଜ–କୁସୁମ ଖସିପଡ଼ିଥିଲା । ତଥାପି ମୁଁ ବୁଝିଲି ନାହିଁ ଏହା ପ୍ରେମାଭିସାରର ମାର୍ଗ । ଏ ପଥରୁ ହୁଏତ ଉଲ୍ଲାସ ଓ ଉନ୍ମାଦ ଯାଇଛି, କିନ୍ତୁ ଅନୁରାଗ ଓ ଔତ୍ସୁକ ଯାଇନି । କାହିଁକି ଏସବୁ ହେଉଛି ? ଏହା କେଉଁ ଧର୍ମ ? ଏହା କଣ ନ୍ୟାୟ ? ମନେ ହେଲା ମନୁଷ୍ୟ ସମାଜର କେଉଁଠି କିଛି ତ୍ରୁଟି ରହିଛି । ଏ ଉନ୍ମତ୍ତ ଉତ୍ସବ, ଏ ରାସ–ଗାନ, ଏ ଶୃଙ୍ଗକ ସୀତ୍କାର, ଏ ଅବିରଗୁଲାଲ, ଏ ଚର୍ଚ୍ଚରୀ ଓ କାହାଳୀ–ମନୁଷ୍ୟର ମାନସିକ ଦୁର୍ବଳତାକୁ ଆଡ଼ କରିବାର ସାଧନ ଏସବୁ । ଏହା ହେଉଛି ଦୁଃଖପାଶୋରା ମଦ୍ୟ ଓ ଆମର ମାସିକ ଦୁର୍ବଳତାର ଅନ୍ତରାଳ । ଏଥିରୁ ପ୍ରମାଣିତ ହେଉଛି ମଣିଷର ମନ ବ୍ୟାଧିଗ୍ରସ୍ତ, ତାର ଚିନ୍ତାଧାରା ଆବିଳ ଓ ତାର ପାରସ୍ପରିକ ସଂବନ୍ଧ ଦୁଃଖପୂର୍ଣ୍ଣ । ଏ ଦୁର୍ବହ ଚିନ୍ତାଭାର ବହିବାକୁ ମୋ ମନ ଅସମର୍ଥ ହୋଇଉଠିଲା । ହୁଏତ ଆଉ କିଛିକ୍ଷଣ ପରେ ମୁଁ ଚିତ୍କାର କରି ଉଠିଥାଆନ୍ତି । ଚିନ୍ତାର ଉତ୍କଟତା ମୋ ପାଦରେ ଆଣିଦେଲା ଚଞ୍ଚଳତା । କ୍ଷିପ୍ରଗତିରେ ମୁଁ ଆଗକୁ ବଢ଼ିଗଲି । ରାଜପଥର ଉତ୍ସବ ହ୍ରାସ ପାଇଥିଲା । ଅବସାଦର ସୂଚନା ଆସୁଥିଲା ସୌଧବାତାୟନରୁ । ଶିଥିଳ ଗତିରେ ଗୃହର କାର୍ଯ୍ୟରେ ଲାଗିଥିଲେ ନାଗରିକ-ଗୃହର ପରିଚାରିକାମାନେ । ଦିଙଣ୍ଡଳକୁ ସୌରଭ-ସିକ୍ତ କରୁଥିଲା ବିଶ୍ରାମ ଗୃହର ସୁଗନ୍ଧିତ ଧୂପ–ବର୍ତ୍ତିକା । ମଧ୍ୟାହ୍ନ ବେଳକୁ କୁମାର କୃଷ୍ଣବର୍ଦ୍ଧନଙ୍କ ଗୃହ ନିକଟରେ ଯାଇ ପହଞ୍ଚିଲି । କୁମାର ମୋର ପ୍ରତୀକ୍ଷାରେ ଥିଲେ । ମୋ ଆସିବାର ସମ୍ବାଦ ପାଇ ସେ ନିଜେ ବାହାରକୁ ଆସି ସ୍ଵାଗତ ଜଣାଇଲେ-

 

କୁମାରଙ୍କର ଗୃହ ଥିଲା ବିଶେଷ ସ୍ଵଚ୍ଛ ଓ ସୁନ୍ଦର । ସ୍ଫଟିକ–ମଣି ପରି ସ୍ଵଚ୍ଛ କାନ୍ଥର ଉପର ଭାଗରେ ଉତ୍ତମ ଅଳଙ୍କରଣ ଚିତ୍ରମାନ ନିର୍ମିତ ବିଭିନ୍ନ ସ୍ଥାନରେ ହଂସ, ମତ୍ସ୍ୟ, ଗଜ ଓ ଶାର୍ଦ୍ଦୁଳ ଲମ୍ଫ ମାରି ବିଚିତ୍ର ମନୋହାରିତା ସୃଷ୍ଟି କରୁଥିଲେ । ଉପର ଭାଗଟି ଥିଲା ଏକ ଉତ୍ଫୁଲ୍ଲିତ କମଳିନୀ–ଲତାର ଧାରା ଓ ତାର ପ୍ରତ୍ୟେକ ପତ୍ରରେ କିଛି ନା କିଛି ଜୀବାକୃତି ନିର୍ମିତ ହେଉଥିଲା । ଦରଜାର ସମ୍ମୁଖରେ ଥିଲା ବେସସନ୍ତ ଜାତକର ଭାବପୂର୍ଣ୍ଣ ଚିତ୍ର । ଯେଉଁ ବ୍ରାହ୍ମଣ ରାଜକୁମାରଙ୍କ ପୁତ୍ରକୁ ଦାନରୂପେ ମାଗୁଥିଲେ ତାଙ୍କର ମୁଖମୁଦ୍ରା କାତରପୂର୍ଣ୍ଣ । କିନ୍ତୁ ରାଜକୁମାର ଓ ତାଙ୍କ ପୁତ୍ରଙ୍କଠାରେ ସହଜ ଦାନବୀର ମୁଦ୍ରା ସ୍ପଷ୍ଟଭାବେ ଫୁଟିଉଠିଥିଲା । ଚିତ୍ର ଲିଖନକଳାରେ ମୁଗ୍ଧ ହୋଇ ମୁଁ ବହୁ ସମୟ ପର୍ଯ୍ୟନ୍ତ ଅନାଇ ରହିଲି । କାନ୍ଥରେ ଚୂନ ଲେପି, ମହିଷ–ଚର୍ମକୁ ଘୋଟି ଲେପ ଲଗାଇବାର ଆଧୁନିକ ପ୍ରଥା ନ ଥିଲା ଚିତ୍ରରେ । ଏଭଳି ଭିତ୍ତି–ପଟ୍ଟ–ପାଇଁ ବଜ୍ରଲେପ ଲଗାଇବାର କଥା । ପବନରେ ଥଣ୍ଡା ହୋଇ ତାହା ଶୁଖେ । ଏ ଚିତ୍ରରେ ରୋମ–ତୁଳିକା ବ୍ୟବହୃତ ହୋଇ ନ ଥିଲା କିନ୍ତୁ ଭାବ–ପ୍ରକାଶର କି ମନୋହର କଳା ! ରାଜ କୁମାରଙ୍କର ପୁତ୍ରର କୋମଳ–କାନ୍ତ ମୁଖଭଙ୍ଗିମାରେ ଆତ୍ମଦାନର କି ଦୃଢ଼ ଭାବ ! ମହମ ଓ ଭାତ ସହିତ କଜ୍ଵଳ ମିଶ୍ରିତ ରଙ୍ଗରେ ସତେ ଯେପରି ଏକ ସ୍ଵର୍ଗୀୟ ଭାବ ଫୁଟିଉଠିଥିଲା । ଆଶ୍ଚର୍ଯ୍ୟ ହେଲି । କଜ୍ଵଳ, ମହମ ଓ ଭାତ କଣ ଏପରି ସ୍ଵର୍ଗୀୟ ଭାବର ଉତପାଦକ ! ମୋର ଦୃଢ଼ ବିଶ୍ୱାସ ମନୁଷ୍ୟର ଭକ୍ତି ପୂର୍ଣ୍ଣ ଚିତ୍ତହିଁ ହେଉଛି ବାସ୍ତବିକ ଉପାଦାନ ଏବଂ ତାହାହିଁ ହେଉଛି ଏଭଳି ମନୋରମ ଦୃଶ୍ୟର ସ୍ରଷ୍ଟା । ସେ ଘରେ ଏ ଚିତ୍ରଟି ଛଡ଼ା ଅନ୍ୟ ଚିତ୍ର ନ ଥିଲା । ଏକ ଛୋଟ ସ୍ପଟିକ–ପୀଢ଼ା ଥିଲା କୁମାରଙ୍କର ଆସନ । ତା ଉପରେ କୋମଳ ଶଯ୍ୟା ଓ ଉପାଧାନ । କେତୋଟି ଚନ୍ଦନର ଚୌକି ସଜ୍ଜିତ ହୋଇଥିଲା ପଣ୍ଡିତ ଓ ମହାତ୍ମାମାନଙ୍କର ଉପବେଶନର ଆସନ ରୂପେ । କୁମାର ଆଗ୍ରହପୂର୍ବକ ମୋତେ ଏକ ଚନ୍ଦନ–ଆସନ ଉପରେ ବସାଇଲେ । ମୁଁ ନ ବସିଲା ପର୍ଯ୍ୟନ୍ତ ସେ ସ୍ଵୟଂ ଆସନ ଗ୍ରହଣ କଲେ ନାହିଁ ।

 

ଆସନ ଗ୍ରହଣ କରି କୁମାର ଭଟ୍ଟିଣୀଙ୍କର କୁଶଳ ସମ୍ବାଦ ଜିଜ୍ଞାସା କଲେ । ସେ ପ୍ରସନ୍ନ ବୋଲି ମୁଁ ସଂକ୍ଷେପରେ ଉତ୍ତର ଦେଲି, କିନ୍ତୁ କୁମାର ଅଧିକ ଶୁଣିବାକୁ ଚାହୁଁଥିଲେ । ଭଟ୍ଟିଣୀଙ୍କର ମନୋଭାବ ଯଥାସମ୍ଭବ ଜାଣିବାପାଇଁ ଉତ୍ସୁକ ଥିଲେ । କୁମାର କିନ୍ତୁ କିପରି ଜାଣିବେ ଭଟ୍ଟିଣୀଙ୍କ ସମ୍ବନ୍ଧରେ ମୋର କେତେ ଜ୍ଞାନ ! ଭଟ୍ଟିଣୀଙ୍କୁ ଜାଣିବାର ବ୍ୟକ୍ତିମୋତେ ମନେ କରାଯାଉଥିବାରୁ ମନରେ ଗର୍ବ ହେଲା । କୁମାର ଆମର ଅକୃତ୍ରିମ ମିତ୍ର, ଏହି ବିଶ୍ଵାସରେ ଯାହା କିଛି ଜାଣିଥିଲି କହିଲି । ମୁଁ ଜଣାଇଲି ଯେ, ଭଟ୍ଟିଣୀ ଉତ୍ସୁକତା ସହ ମୋତେ ଆପେକ୍ଷା କରି ବିଶେଷ ଚିନ୍ତିତା ହୋଇପଡ଼ିଥିଲେ । ଦେବପୁତ୍ର ନନ୍ଦିନୀଙ୍କୁ ନିଜର ଭାଇର ଅନୁରୋଧ ରକ୍ଷା କରି ଶିବିକାରେ ଗଙ୍ଗାତଟପର୍ଯ୍ୟନ୍ତ ଯିବାକୁ ହେବ ବୋଲି ଭଟ୍ଟିଣୀଙ୍କୁ ମୁଁ ଯେତେବେଳେ କୁମାରଙ୍କର ଅନୁରୋଧ ଜଣାଇଲି, ସେତେବେଳେ ତାଙ୍କର ନୀଳୋତ୍ପଳ ସମ ନୟନରୁ ଅତି ନିର୍ମଳ ଅଶ୍ରୁ-ବିନ୍ଦୁ ଝରିପଡ଼ିଲା । ସେହି ଅଶ୍ରୁ ବିନ୍ଦୁକୁ ଦେଖି ମନେ ହେଲା ତାହା ଯେପରି ତାଙ୍କ ଅନ୍ତସ୍ଥଳର ଚିତ୍ତ-ଶୁଦ୍ଧିକୁ ଧରି ନିର୍ଗତ ହେଉଛି, ତପସ୍ୟାର ସମୂହର ପ୍ରସାଦ ଯେପରି ବର୍ଣ୍ଣିତ ହେଉଛି, ତପସ୍ୟାର ରସ ଯେପରି ଶ୍ରବିତ ହେଉଛି, ଚକ୍ଷୁର ଧବଳ-ପ୍ରଭା ଯେପରି ଦ୍ରବିତ ହୋଇ ଗଡ଼ିପଡୁଛି ଏବଂ କୃତଜ୍ଞତାର ମୁକ୍ତାମାଳା ଯେପରି ଛିନ୍ନ ହୋଇ ମୋତିରୂପରେ ଝରୁଛି । ସେ ବହୁକ୍ଷଣ ପୃଥ୍ଵୀକୁ ଅନାଇ ବସିରହିଲେ । ପୁଣି କିଛିକ୍ଷଣ ପାଇଁ ଆତ୍ମ-ବିସୃତ ଭଳି ମୋତେ ଅନାଇଲେ । ମୋ କଥାରେ ବିଶ୍ୱାସ ହେଉ ନ ଥିଲା ଯେପରି । ସତେ ଯେପରି ମୁଁ କୁମାରଙ୍କ କଥା ନ କହି କୌଣସି ସ୍ଵର୍ଗୀୟ ଦେବତାଙ୍କର କଥା କହୁଥିଲି । ଶାନ୍ତଭାବରେ କହିଲେ–“ଶିବିକା ପାଇଁ କୁହ ।”

 

ଅତି ଆଗ୍ରହର ସହିତ କୁମାର ମୋ କଥା ଶୁଣିଲେ । କାଲି ତାଙ୍କର ମୁହଁରେ ଯେଉଁ କୂଟ ଚତୁରତା ଥିଲା, ଆଜି ତା ନ ଥିଲା । କାଲି ଥିଲେ ସେ ମହାସାନ୍ଧିବିଗ୍ରହକ, ଆଜି କୌଣସି ଅଜଣା ଭଉଣୀର ଭାଇ । ଅଧିକ ଜାଣିବାର ଆଗ୍ରହକୁ ସଂଯତ କରି କୁମାର କହିଲେ–‘‘ଭଟ୍ଟ, ଦେବପୁତ୍ର–ନନ୍ଦିନୀଙ୍କର ତାହା ଉପଯୁକ୍ତ କଥା । ମୋର ପ୍ରାର୍ଥନା ସେ ସ୍ୱୀକାର କରିଥିବାରୁ ମୁଁ ଆଜି ନିଜକୁ ଧନ୍ୟ ମନେ କରୁଛି । ତାଙ୍କର ହୃଦୟର ଗାମ୍ଭୀର୍ଯ୍ୟ ଦେଖି ମୁଁ ମୁଗ୍ଧ ହୋଇଛି । ତୁମେ କିନ୍ତୁ ଭଟ୍ଟ, ବଡ଼ ସରଳ । ତୁମେ ଦେବପୁତ୍ର–ନନ୍ଦିନୀଙ୍କର ଅନ୍ତରର ବ୍ୟଥା ଦେଖିନାହଁ । ନିପୁଣିକା ବୁଝେ । ତାକୁ ପଚାରିଲେ ତୁମେ ଜାଣିପାରିବ ।” ମୁଁ ଆଶ୍ଚର୍ଯ୍ୟ ହେଲି । କୁମାର ଏଭଳି କଣ ଦେଖିଛନ୍ତି, ଯାହା ମୁଁ ଦେଖିପାରିନି । ନିପୁଣିକା ନିଶ୍ଚୟ ବେଶି ବୁଝେ । କିନ୍ତୁ କୁମାର କଣ ବୁଝି ମୋତେ ସରଳ କହିଲେ-। ଜନ୍ମରୁ ବାରବୁଲା ବାଣ ଭଟ୍ଟ କାଲିଠୁଁ ଶୁଣିଆସୁଛି ସେ ଭାରି ସରଳ । ଅନ୍ୟକୁ ସରଳ ମନେ କରି ବାରେ କେତେକ ଲୋକଙ୍କୁ ଆନନ୍ଦ ମିଳେ । କୁମାର କ’ଣ ସେହିଭଳି ଜଣେ ? ବିନୀତ ଓ ଖିନ୍ନ ସ୍ଵରରେ ପ୍ରଶ୍ନ କଲି–“କୁମାର ମୋ ଠାରେ କି ସରଳତା ଲକ୍ଷ୍ୟ କରିଛନ୍ତି ?” କୁମାର ହସିଲେ, କହିଲେ–“ତୁମେ ଯେତେ କବିତ୍ଵ କରୁଛ, ବସ୍ତୁସ୍ଥିତିର ଜ୍ଞାନ ସେତେ ପ୍ରାପ୍ତ ହୋଇନି ତୁମର-। ଭଟ୍ଟିଣୀଙ୍କୁ ତାଙ୍କର ହୃଦୟର କଥା କେବେ ପଚାରିଛ ? ତୁମେ କଣ ଭାବୁଛ ଭଟ୍ଟିଣୀଙ୍କର ଅନ୍ତର୍ଗୂଢ଼ ବେଦନା ଦିନରାତି ତାଙ୍କର ଜିହ୍ଵାରେହିଁ ଲାଗିଥିବ ? ଭଟ୍ଟ, କବିତ୍ଵ ଖରାପ ନୁହେଁ, କିନ୍ତୁ ତୁମେ ଯେଉଁ ସେବାର ଗୁରୁଭାର ନେଇଛ, ତାହା ବାସ୍ତବିକତା ଚାହେଁ । ବାଭ୍ରବ୍ୟଙ୍କପାଇଁ ଭଟ୍ଟିଣୀ କେତେ ବ୍ୟାକୁଳ, ତା’ ଜାଣିଛ ?" କୁମାରଙ୍କ ମୁହଁ ରୁ ବାଭ୍ରବ୍ୟଙ୍କ ନାମ ଶୁଣି ଚମକି ପଡ଼ିଲି । ବାଭ୍ରବ୍ୟଙ୍କ ପାଇଁ ମୁଁ ମଧ୍ୟ ଚିନ୍ତିତ, କିନ୍ତୁ ଭଟ୍ଟିଣୀ ତ ମୋତେ କିଛି କହି ନାହାଁନ୍ତି । କୁମାର କିପରି ଜାଣିଲେ ଭଟ୍ଟିଣୀ ବୃଦ୍ଧ ବ୍ରାହ୍ମଣଙ୍କ ପାଇଁ ବ୍ୟାକୁଳ ? ନମ୍ରତାପୂର୍ବକ ମୁଁ କୁମାରଙ୍କୁ ଭଟ୍ଟିଣୀ ବ୍ୟାକୁଳ ହେଉଥିବା କଥା ସେ କିପରି ଜାଣିଲେ ବୋଲି ପଚାରିଲି । କୁମାର ହସିକରି କହିଲେ–“ଭଟ୍ଟିଣୀ କାଲି ଆଚାର୍ଯ୍ୟପାଦଙ୍କୁ କହିଥିଲେ ଓ ସେ ମୋତେ କହିଛନ୍ତି ।’’ ମୋର ମୁହଁ ଶୁଖିଗଲା । ରକ୍ତର ବେଗରେ ଶିରାଗୁଡ଼ିକ ଠିଆ ହୋଇଗଲା । ମନେ ହେଲା ପାଦତଳର ଭୂମି ଖସି ଯାଉଛି । କୁଲାଳ ଚକ୍ରଭଳି ଘୁରିଗଲା ଦିଙ୍ଣମଣ୍ଡଳ । ଭଟ୍ଟିଣୀଙ୍କର ଭରସା ନାହିଁ ମୋ ଉପରେ । ମୋତେ କାହିଁକି କହିଲେ ନାହିଁ ? ତାଙ୍କର ଗୋଟିଏ ଇଙ୍ଗିତରେ ପ୍ରାଣ ଦେବାର ପ୍ରତିଜ୍ଞା କଣ ମୁଁ କରି ନ ଥିଲି ? ହୁଏ ତ ଭଟ୍ଟିଣୀ ମୋତେ ବିଶ୍ଵାସ କରନ୍ତି କିନ୍ତୁ ଭରସା ରଖନ୍ତି ନାହିଁ ମୋ ଉପରେ । ଅଭାଗା ବାଣ ଆଜି ବି ଅଭଗା । ମୋର ସରଳତାର ଆନନ୍ଦ ଉପଭୋଗ କରୁଥିଲେ କୁମାର । ତାଙ୍କର କ୍ରୀଡ଼ାଚପଳ ନୟନ-ତାରା ମୋର ବିକ୍ଷିପ୍ତ ମନୋଭାବର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା । ତାଙ୍କର ଅଭିମାନଭରା (ସ୍ମ୍ୟୟମାନ) ମୁଖମଣ୍ଡଳ ମଧ୍ୟାହ୍ନକାଳୀନ ନବମଲ୍ଲିକା ପରି ସ୍ଥିର ଓ ଉତଫୁଲ ଜଣାପଡ଼ୁଥିଲା । ବକ୍ର ପ୍ରେକ୍ଷିତରେ ବିକୁଞ୍ଚିତ ତାଙ୍କର ଗଣ୍ଡମଣ୍ଡଳ ବିକଚ ପଦ୍ମ-କୋରକର ପାର୍ଶ୍ଵ ପଂକ୍ତିଭଳି ପ୍ରସନ୍ନ ଦେଖାଯାଉଥିଲା । ତାଙ୍କୁ ରସ ମିଳୁଥିଲା ମୋର କ୍ଳେଶରୁ । କୁମାରଙ୍କର ମନୋଭାବ ବୁଝିଲି ଓ ଆଉ ସେଠାରେ ବସିରହିବା ଉଚିତ ନୁହେଁ ବୋଲି ସ୍ଥିର କଲି ।

 

ଆଜି ଚିନ୍ତା କଲେ ସେ ଦିନର ମନୋଭାବ ପାଇଁ ଆଶ୍ଚର୍ଯ୍ୟ ହୁଏ । କୁମାରଙ୍କ କଥାରେ ଏତେ ବେଶି ଲଜ୍ଜିତ ଓ ଖିନ୍ନ ହେବାର ତ କିଛି ନ ଥିଲା । ଯିବାର ଆଜ୍ଞା ମାଗିଲା ମାତ୍ରେ ହିଁ କୁମାର ହସିଉଠିଲେ । କହିଲେ ‘‘ବସ ଭଟ୍ଟ, ତୁମେ କିଛି ବୁଝିଲ ନାହିଁ । ଦେବପୁତ୍ର–ନନ୍ଦିନୀ ତମର କୃତଜ୍ଞତା–ବୋଝରେ ଦ୍ରବିତ ହୋଇଛନ୍ତି । କଣ ଦେଇ ସେ ତମ ଉପକାରର ଋଣ ସାମାନ୍ୟ କମ୍ କରିପାରିବେ ଭାବିପାରୁନାହାନ୍ତି । କୌଶଳରେ ତୁମେ ତାଙ୍କର ମନୋବ୍ୟଥା ଜାଣିପାରିଲେ ସେବା କରିବାର ଅବସର ପାଇପାରିବ । ସେ ହିମାଳୟଠାରୁ ଅଧିକ ମହିୟସୀ ଓ ସମୁଦ୍ର ଠାରୁ ଅଧିକ ଗମ୍ଭୀର । ଏଭଳି ଭଉଣୀର ଭାଇ ହେବାରେ କୁମାର କୃଷ୍ଣବର୍ଦ୍ଧନ ନିଜକୁ ଗୌରବାନ୍ୱିତ ମନେ କରୁଛି ।” ଏ କଥାରେ ମନ ସାମାନ୍ୟ ଶାନ୍ତ ହେଲା କିନ୍ତୁ ଅଭିମାନର ବୋଝ ଗଲାନି ମନରୁ । ଭଟ୍ଟିଣୀଙ୍କର ମହତ୍ତା ଓ ଗାମ୍ଭୀର୍ଯ୍ୟ ବିଷୟରେ ଅପରର ଉପଦେଶକୁ ସହ୍ୟ କରିପାରିଲି ନାହିଁ । ଯିବାପାଇଁ ପୁଣି ଆଜ୍ଞା ମାଗିଲି ।

 

ସାମାନ୍ୟ ବ୍ୟଥିତ ସ୍ଵରରେ କୁମାର କହିଲେ, ‘‘ଆଜି ସନ୍ଧ୍ୟାବେଳେ ତୁମକୁ ସେ ସ୍ଥାନ ତ୍ୟାଗ କରିବାକୁ ହେବ, ଭଟ୍ଟ । ରାଜନୀତି ଭୁଜଙ୍ଗଠାରୁ ଅଧିକ କୁଟିଳ, ଅସିଧାରରୁ ଅଧିକ ଦୁର୍ଗମ, ବିଦ୍ୟୁତ ଶିଖାଠାରୁ ଅଧିକ ଚଞ୍ଚଳ । ଅନୁକୂଳ ସମୟ ନ ଆସିବା ପର୍ଯ୍ୟନ୍ତ ତୁମର ଓ ଭଟ୍ଟିଣୀଙ୍କର ଏଠାରେ ରହିବା ଅନୁଚିତ । କାଲି ତୁମେ ନିଜକୁ ଦେବପୁତ୍ର–ନନ୍ଦିନୀଙ୍କର ଅଭିଭାବକ ବୋଲି କହିଥିଲ । ଏ ମହାନ୍ ଉତ୍ତରଦାୟିତ୍ଵର ଯୋଗ୍ୟ ତୁମେ କିନ୍ତୁ ଏ ପଦ ପାଇଁ ତୁମେ ନିଜକୁ ରାଜନୀତିର କେଉଁ ଆବର୍ତ୍ତ ସଂକୁଳ ତରଙ୍ଗରେ ଭସାଇ ଦେଇଛ, ତାହା ତୁମେ ଜାଣନା । ତୁମଠିଁ ଅଶୁଚି କୂଟନୀତିର ଲେଶମାତ୍ର ନାହିଁ । ତୁମକୁ କିନ୍ତୁ ଦେବପୁତ୍ର–ନନ୍ଦିନୀଙ୍କର ଉତ୍ତମ ଅଭିଭାବକ ହେବାକୁହିଁ ପଡ଼ିବ । ତୁମେ ବୋଧ ହୁଏ ମିଥ୍ୟାକୁ ଘୃଣାକର । ମୁଁ ବି କରେ । କିନ୍ତୁ ଯେଉଁ ସମାଜରେ ମିଥ୍ୟାକୁ ପ୍ରଶ୍ରୟ ଦିଆଯାଏ ସେ ସମାଜକୁ ମାନି କୌଣସି କଲ୍ୟାଣ କାର୍ଯ୍ୟ କରିବାକୁ ହେଲେ ତୁମକୁ ମିଥ୍ୟାର ଆଶ୍ରୟ ନେବାକୁ ପଡ଼ିବ । ଏଭଳି ସମାଜ–ବ୍ୟବସ୍ଥାରେ ସତ୍ୟ ପ୍ରଚ୍ଛନ୍ନ ହୋଇଥାଏ । ତାକୁ ଚିହ୍ନିବାରେ, ଯେପରି ତୁମର ଭୁଲ ନ ହୁଏ । ଇତିହାସ ସାକ୍ଷ୍ୟ ଦିଏ ଯେ ଜଣାଶୁଣା କଥାକୁ ମାନିନେବା ସତ୍ୟ ନୁହେଁ । ଯାହାଦ୍ଵାରା ଲୋକଙ୍କର ଅତ୍ୟନ୍ତିକ କଲ୍ୟାଣ ହୁଏ ତାହାହିଁ ହେଉଛି ସତ୍ୟ । ତାର ଆବରଣ ମିଥ୍ୟା ବୋଲି ପ୍ରତୀୟମାନ ହେଲେ ସୁଦ୍ଧା ତାହା ସତ୍ୟ । ଦେବପୁତ୍ର–ନନ୍ଦିନୀ ହେଉଛନ୍ତି ତୁମ ଦୃଷ୍ଟିରେ ପୂଜ୍ୟା ଓ ସେବ୍ୟା । ଏଥିପାଇଁ ତୁମର କିନ୍ତୁ ଦେବପୁତ୍ର–ନନ୍ଦିନୀଙ୍କର ସେବା କରିବାର କଥା ନୁହେଁ । ତୁମର କରିବାର କଥା ହେଉଛି ତାଙ୍କର ସେବାଦ୍ଵାରା ଲୋକଙ୍କର ଆତ୍ୟନ୍ତିକ କଲ୍ୟାଣସାଧନ । ମୋର ଆଶା, ଉଚିତ ଅବସର ଆସିଲେ ତୁମେ ମିଥ୍ୟାରେ ବିଚଳିତ ହେବ ନାହିଁ କିମ୍ବା ସମଗ୍ର ମନୁଷ୍ୟଜାତି ଉପକୃତ ହେଲାଭଳି ମିଥ୍ୟା କରିବାପାଇଁ ଦ୍ଵିଧା କରିବ ନାହିଁ ।’’ ଦୀର୍ଘ ଉପଦେଶ ଦେଇ କୁମାର ଥରେ କାଶିଲେ । ନିଜକୁ ଏପରି ଶ୍ରେଷ୍ଠଜ୍ଞାନୀ ରୂପେ ଉପସ୍ଥାପିତ କରିବାଯୋଗୁଁ ନିଜେ ସାମାନ୍ୟ ଲଜ୍ଜିତ ହେଲେ । ସତେ ଯେପରି ଲଜ୍ଜା ପୋଛିଦେବା ପାଇଁ ପୁଣି କହିଲେ, ମୋ କଥା ଭଲକରି ବୁଝୁଛ ତ ଭଟ୍ଟ ! ଲୋକକଲ୍ୟାଣ ହେଉଛି ପ୍ରଧାନ ବସ୍ତୁ ଏବଂ ଯାହାଦ୍ଵାରା ତା’ ସାଧିତ ହୁଏ, ତାହାହିଁ ସତ୍ୟ । ଆଚାର୍ଯ୍ୟ ଆର୍ଯ୍ୟଦେବ ସବୁଠୁଁ ବଡ଼ ସତ୍ୟକୁ ମଧ୍ୟ ସର୍ବତ୍ର କହିବାପାଇଁ ନିଷେଧ କରିଛନ୍ତି । ଔଷଧ ଭଳି ଅନୁଚିତ ସ୍ଥଳରେ ପ୍ରଯୁକ୍ତ ହେଲେ ସତ୍ୟ ବି ବିଷରେ ପରିଣତ ହୁଏ । ଆମର ସମାଜ–ବ୍ୟବସ୍ଥା ମଧ୍ୟ ଏଭଳି ଯେ ସତ୍ୟ ଅଧିକତର ସ୍ଥାନରେ ବିଭିନ୍ନ କାର୍ଯ୍ୟ କରୁଛି ।” ମୁଁ ଆଶ୍ଚର୍ଯ୍ୟ ହୋଇ ନୀରବରେ ତାଙ୍କୁ ଅନାଇ ରହିଲି । ନିଜର କଥା ମୋତେ ବୁଝାଇବାରେ ଅସଫଳ ହେବାରୁ କୁମାରଙ୍କର ଗ୍ଳାନି ହେଲା । ତାଙ୍କର ମୁଖମଣ୍ଡଳ ଉପରାଗଗ୍ରସ୍ତ ଚନ୍ଦ୍ରମଣ୍ଡଳ ପରି ମ୍ଳାନ ହୋଇଗଲା-। ତାଙ୍କର ଭାବ ଦେଖି ଦୁଃଖ ହେଲା । ମୁଁ ନମ୍ରତାପୂର୍ବକ ଉତ୍ତର ଦେଲି, ‘‘କୁମାରଙ୍କର ଆଜ୍ଞା ପାଳନ କରିବା ପାଇଁ ମୁଁ ପ୍ରଯତ୍ନ କରିବି ।”

 

କୁମାର ଉଠି କହିଲେ–“ଏ ଦୁଇଟି ଉପହାର ଭଟ୍ଟିଣୀଙ୍କୁ ଦେବ ।” ଏକ ବିଶାଳ ଚନ୍ଦନକାଷ୍ଠର ପେଟିକାରୁ ସେ ଗୋଟିଏ ମୂର୍ତ୍ତି ବାହାର କଲେ । କଟା କଳାପଥର ତିଆରି ଏକ ବୁଦ୍ଧ-ପ୍ରତିମା । କଳାକାର ଏକ ବିଚିତ୍ର ଚାରୁଟା ଭରିଦେଇଥିଲେ ମୂର୍ତ୍ତିରେ । ଶକ ନରପତିମାନଙ୍କର ବୁଦ୍ଧ-ଭକ୍ତିର ଆବେଶରେ ଭାରତୀୟ ଓ ଯାବନୀ ଶିଳ୍ପର ଯେଉଁ ଗଙ୍ଗାଯମୁନା ମୂର୍ତ୍ତି ନିର୍ମିତ ହୋଇଛି ତାହା ମୁଁ ପସନ୍ଦ କରେ ନାହିଁ । ଏକ ପକ୍ଷରେ ସେଥିରେ ଯାବନୀ ପ୍ରତିମାଭଳି ଅଙ୍ଗ-ପ୍ରମାଣ ଦିଗରେ ଅଧିକ ଧ୍ୟାନ ଦିଆଯାଇଛି ଓ ଅପର ପକ୍ଷରେ ହାତ ଓ ପାଦର ମୁଦ୍ରାରେ ବାତ୍ୟାର୍ଥ ଅପେକ୍ଷା ବ୍ୟଙ୍ଗାର୍ଥକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । କୁମାର କୃଷ୍ଣଙ୍କ ହାତରେ ଥିବା ଛୋଟ ମୂର୍ତ୍ତିର ଛଟା ଥିଲା ଅପୂର୍ବ । ପ୍ରକୃତରେ ଚରଣତଳ ଯେପରି ହେବାର କଥା ତିଆରି ହୋଇଥିବା ଉକ୍ତ ପଦ୍ମାସନ ମୁଁ ପ୍ରଥମ ଥରପାଇଁ ଦେଖିଲି । ଭାରତୀୟ ଶିଳ୍ପୀଙ୍କର ଅନୁକରଣରେ କୁଶାଣ-ନରପତିମାନେ ଊର୍ଦ୍ଧ୍ୱମୁଖ ଚରଣତଳର ପଦ୍ମାସନ ତିଆରି କରିଥିଲେ । ପ୍ରମାଣ-ପାଟବପୂର୍ଣ୍ଣ ଯାବନୀ ମୂର୍ତ୍ତୀରେ ଏପରି ପଦ୍ମାସନ ପଶମ ସୂତାରେ ସିଲେଇ ଚୀନାଂଶୁକଭଳି ଖାପଛଡ଼ା ଜଣାପଡ଼େ । ଏ ମୁର୍ତ୍ତିରେ ବୃଦ୍ଧଙ୍କ ମସ୍ତକ ମୁଣ୍ଡିତ ହୋଇଥିଲା । ଶକ-ନରପତିମାନଙ୍କର ମୂର୍ତ୍ତିରେ ଦକ୍ଷିଣାବର୍ତ୍ତ କୁଞ୍ଚିତ କେଶ ଖାପଛଡ଼ା ଜଣାପଡ଼େ । ମୂର୍ତ୍ତିଟି ଦେଖି ଭ୍ରମ ହେଊଥିଲା ସତେ ଯେପରି ବୁଦ୍ଧ ବସିଛନ୍ତି । ତାଙ୍କର ଅର୍ଦ୍ଧସ୍ତିମିତ ନୟନ ଉପରର ଭ୍ରୂଲତାରେ ଧାରାଯନ୍ତ୍ରର ଊର୍ଦ୍ଧ୍ଵ ବିକ୍ଷିପ୍ତ ଜଳ-ରେଖାର ବକ୍ରିମତା ନ ଥିଲା, ବରଂ ଏପରି ଆଚ୍ଛାଦିତ ହୋଇଥିଲା ଯେ ତାହା ନାସାବଂଶର ଛତ୍ରୀଭଳି କାର୍ଯ୍ୟ କରୁଥିଲା-। ହାତର ଆଙ୍ଗୁଳିଗୁଡ଼ିକ ଥିଲା ସ୍ଵାଭାବିକ । ଗୁପ୍ତମାନଙ୍କର ମୂର୍ତ୍ତି-କଳା ସଙ୍ଗେ ଏହାର କୌଣସି ସଂବନ୍ଧ ନ ଥିଲା । ସମାଧି ଓ ନିଦ୍ରାରେ ପାର୍ଥକ୍ୟ ରହିଛି । ଅଧିକାଂଶ କୁଷାଣ-ମୁର୍ତ୍ତିରେ ଏ ପାର୍ଥକ୍ୟର ଚିହ୍ନ ନ ଥାଏ । କିନ୍ତୁ ଏ ମୂର୍ତ୍ତିର ଓଜସ୍ଵିତାରେ ଜାଗରୁକତା ପ୍ରକଟିତ ହେଉଥିଲା । କୁମାର କହିଲେ,”ଏ ମୂର୍ତ୍ତିଟି ତନ୍ତ୍ରଭବତୀଙ୍କୁ ଦେଇ କହିବ ତାଙ୍କର ଭାଇର ଏହା ଶ୍ରଦ୍ଧାର ଉପହାର ।” ସେ ଆଉ ଗୋଟିଏ ମୂର୍ତ୍ତି ବାହାର କଲେ । ସେ ମୁର୍ତ୍ତିଟି ଦେଖି ଉଲ୍ଲାସ, ଆଶ୍ଚର୍ଯ୍ୟ ଓ ଉତ୍ସୁକତାରେ ନଇଁପଡ଼ିଲି । ଭଟ୍ଟିଣୀଙ୍କର ଉପାସ୍ୟ ମହାବରାହଙ୍କ ମୂର୍ତ୍ତି । ମୂର୍ତ୍ତିଟି ହାତରେ ଧରି ବଡ଼ ଆଗ୍ରହର ସହିତ ଦେଖୁ ଦେଖୁ ସେ କହିଲେ–“ଏଟି ତୁମେ ନିଜ ପକ୍ଷରୁ ଦେବ-।” ତାପରେ କୁମାର ଚନ୍ଦନ-କାଷ୍ଠର ଏକ କ୍ଷୁଦ୍ର କାଷ୍ଠାସନ ବାହାର କଲେ । ଚାରୋଟି ଶ୍ଵେତ ହସ୍ତୀ ଥିଲେ ତା’ର ଚାରିକୋଣରେ-। ତାଙ୍କରି ପିଠି ଉପରେ କାଷ୍ଠାସନଟି ନିର୍ମିତ ହୋଇଥିଲା । କାଷ୍ଠାସନ ଉପରେ ମୂର୍ତ୍ତି ଦୁଇଟିକୁ ମୁହାଁମୁହିଁ ରଖି କୁମାର କହିଲେ,” ଏହାକୁ ନେଇ ଦୁଇ ଜଣ ଲୋକ ତୁମ ସାଙ୍ଗରେ ଯିବେ । ତାଙ୍କୁ ତଟ ପାଖରୁ ଫେରାଇଦେବ । ତୁମେ ନିଜେ ଏହାକୁ ନୌକା ଉପରକୁ ନେବ । ଦେବପୃତ୍ର–ନନ୍ଦିନୀଙ୍କୁ କହିବ, ବାଭ୍ରବ୍ୟଙ୍କ ଉପରେ କୌଣସି ବିପତ୍ତି ଆସିବ ନାହିଁ । ସେ ମୋ ପାଖରେ ଅଛନ୍ତି-।” ଆଶ୍ଚର୍ଯ୍ୟ ହୋଇ କୁମାରଙ୍କୁ ଦେଖିଲି । ବାଭ୍ରବ୍ୟ କିପରି ରକ୍ଷା ପାଇଲେ, ସେ କେଉଁଠି, ଅନ୍ୟାନ୍ୟ ଅନ୍ତଃପୁରିକାମାନଙ୍କର କି ସଂବାଦ, ନାଗ’ର କ’ଣ ହେଲା ଇତ୍ୟାଦି ପ୍ରଶ୍ନ ମୋ ମନରେ ଉଠିଲା । କୁମାର ବୁଝିପାରି କହିଲେ,”ଠିକ ସମୟରେ ସବୁ ଜଣାପଡ଼ିବ, ଭଟ୍ଟ ! ବର୍ତ୍ତମାନ ଏତିକି ମନେ ରଖ ମିଥ୍ୟା କହିବା ସର୍ବଦା ଅନୁଚିତ ନୁହେଁ ।”ମୁଁ କୃତଜ୍ଞତାରେ ମୁଣ୍ଡ ନତ କରି ବିଦାୟ ନେଲି ।

 

ଭଗବାନ୍ ମରୀଚିମାଳୀ ମଧ୍ୟ–ଗଗନରୁ ପଶ୍ଚିମକୁ ଢଳିପଡ଼ିଥିଲେ । ପ୍ରକୃତି–ସୁନ୍ଦରୀର ସୀମନ୍ତର ଟୀକା–ମଣି ଯେପରି ଶ୍ରାନ୍ତ ଅବସ୍ଥାରେ ଶିଥିଳ ହୋଇ ସ୍ଥାନଚ୍ୟୂତ ହୋଇଥିଲା । ପୂର୍ବଦିଗକୁ ଛାୟାର ପ୍ରସାର ସତେ ଯେପରି ପୂର୍ବ–ପ୍ରାନ୍ତର ଉଦୟଗିରିକୁ କୌଣସି ସନ୍ଦେଶ ଦେବାକୁ ଯାଉଥିଲା । ଦୁଇ ସାଥୀଙ୍କ ସହିତ ମୁଁ ଆଗେଇଯାଉଥିଲି । ପଥପାର୍ଶ୍ଵର ଏକ ମନ୍ଦିର ସମ୍ମୁଖରେ ନାନାପ୍ରକାର ତୋରଣ, କଳସ ଓ ସ୍ଵାଗତର ବାର୍ତ୍ତା ଦେଖି ମୁଁ ପଚାରିଲି, କଣ ହେଉଛି ସେଠାରେ । ଦୁଇ ସାଥୀ କହିଲେ, ତାହା ସରସ୍ଵତୀଙ୍କ ମନ୍ଦିର । ପ୍ରତିବର୍ଷ ମଦନୋତ୍ସବ ଅବସରରେ ସେଠାରେ ‘‘ସମାଜ” ବସେ ଓ ତାରି ଆୟୋଜନ ଚାଲିଛି । ‘ସମାଜ’ରେ ନଗରର ଲକ୍ଷ୍ମୀ, ଶୋଭାର ଖଣି, କଳାର ସ୍ରୋତସ୍ଵିନୀ, ପରମଶୀଳଗୁଣାନ୍ୱିତା ଗଣିକା ଗୁରୁସ୍ମିତାର ମୟୂର ଓ ପଦ୍ମ-ନୃତ୍ୟ ହେବ-। ପ୍ରତିବର୍ଷ ‘ଛୋଟ ମହାରାଜ’ଙ୍କ ପକ୍ଷରୁ ‘ସମାଜ’ର ବ୍ୟବସ୍ଥା ହୋଇଥାଏ । ନାନା ଦେଶରୁ ସମାଗତ କବି, କଳାକାର ଓ ଗଣିକାମାନେ ନୃତ୍ୟ-ଗୀତର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରନ୍ତି-। ନାନାବିଧ କାବ୍ୟ-ସମସ୍ୟା, ମାନସୀ କାବ୍ୟକ୍ରିୟା, ପୁସ୍ତକ–ବାଚନ, ଦୁର୍ବାଚକ-ଯୋଗ, ଅକ୍ଷର-ମୁଷ୍ଟିକ, ପଦ୍ମ-ବିନ୍ଦୁମତୀ ଆଦି କଳାରେ ନାଗରିକମାନେ ମନୋରଞ୍ଜନ କରିଥାନ୍ତି । କିନ୍ତୁ ଏଥର କାହିଁକି କେଜାଣି ‘ଛୋଟ ମହାରାଜ’ ‘ସମାଜ’ ବନ୍ଦ କରିଦେଲେ । ଅନେକ ଗୁଣୀ ଲୋକ ଫେରିଯାଉଥିଲେ । ସ୍ଥାଣ୍ୱୀଶ୍ଵରର କୀର୍ତ୍ତି ମଳିନ ହେଉଥିବାର ଦେଖି କୁମାର କୃଷ୍ଣବର୍ଦ୍ଧନ ସ୍ଵୟଂ ଏ ‘ସମାଜ’ର ଆୟୋଜନ କରିଛନ୍ତି । ସେଥିପାଇଁ ଏତେ ଶୀଘ୍ରତା । ପ୍ରଦୋଷକାଳରେ ଗୁରୁସ୍ମିତାର ମୟୂର ଓ ପଦ୍ମ-ନୃତ୍ୟ ହେବ । ଆଜିପର୍ଯ୍ୟନ୍ତ ରାଜପୁରୁଷଙ୍କ ଛଡ଼ା ଅନ୍ୟଙ୍କ ପାଖରେ ସେ ଏ ନୃତ୍ୟ ପ୍ରଦର୍ଶନ କରି ନ ଥିଲା ।

 

ଆଜି ପ୍ରଥମ ବାର ନାଗରିକମାନେ ଏ ଦୁର୍ଲ୍ଲଭ ନୃତ୍ୟ ଦେଖିବେ । ନଗରରେ ତେଣୁ ଏତେ ସମାରୋହ । କାନ୍ୟକୁବଜର ସର୍ବଶ୍ରେଷ୍ଠ ଗୌରବଭୂତା ଗଣିକାର ଅପୂର୍ବ ନୃତ୍ୟ–କୌଶଳ ଦେଖିବାପାଇଁ ଆଜି ଜନ–ସ୍ରୋତର ବନ୍ୟା ଆସିବ । ସରସ୍ୱତୀ–ମନ୍ଦିରର ସମ୍ମୁଖରେ ନିର୍ମିତ ସେହି ବିଶାଳ ପ୍ରେକ୍ଷାଶାଳାକୁ ମୁଁ ଦୃଷ୍ଟିପାତ କଲି । ଷୋଳଟି ଖମ୍ବ ସାହାଯ୍ୟରେ ଏକ ବିରାଟ ମଣ୍ଡପ ନିର୍ମାଣ କରାଯାଇଥିଲା । ସଭାପତିଙ୍କ ଆସନ ସଜ୍ଜିତ ହୋଇଥିଲା ପ୍ରଫୁଲ୍ଲ ଶତଦଳରେ । ସଭାପତିଙ୍କ ଡାହାଣ ପାର୍ଶ୍ଵରେ ସଂସ୍କୃତ କବିଙ୍କର ଆସନ ଓ ବାମ ପାର୍ଶ୍ଵରେ ପ୍ରକୃତ ଏବଂ ଅପଭ୍ରଂଶ କବିଙ୍କର ଆସନ । ସଭାପତିଙ୍କ ପାଶ୍ଚାତଭାଗରେ କରଣାଧିପ (ଅଫିସର)ଙ୍କ ପାଇଁ ସ୍ଥାନ ନିର୍ଦ୍ଦିଷ୍ଟ ଥିଲା ଓ ଡାହାଣ ପାର୍ଶ୍ଵର ଏକ ସ୍ଥାନରେ ତିରସ୍କରଣୀ (ପର୍ଦ୍ଦା) ପଛରେ ସଂଭ୍ରାନ୍ତ ମହିଳାମାନଙ୍କପାଇଁ ସ୍ଥାନ ରଖାଯାଇଥିଲା । ନାଗରିକମାନଙ୍କ ସ୍ଥାନ ନିର୍ଦ୍ଦିଷ୍ଟ ହୋଇଥିଲା ସଭାପତିଙ୍କ ସମ୍ମୁଖରେ ଓ ବାମ ପାର୍ଶ୍ଵରେ । ଠିକ୍ ମଧ୍ୟ ସ୍ଥଳରେ ଥିଲା ରଙ୍ଗଭୂମି । ଅଭ୍ର ମିଶ୍ରିତ ପିଷ୍ଟାତକ–ଚୂର୍ଣ୍ଣ ବିଛାଇ ଦିଆଯାଇଥିଲା ସେଠାରେ । ତା'ର ଉଦ୍ଦେଶ୍ୟ ବୁଝିଲି । ତାହା ମୟୂର–ନୃତ୍ୟର ଆଧାର । କାନ୍ୟକୁବଜର ନାଗରିକ ରୂଢିପ୍ରିୟ ଓ ଚିତ୍ରପ୍ରବଣ । ମୟୂର ଓ ପଦ୍ମ–ନୃତ୍ୟ ଭଳି କଳାକୁ ଏ ପର୍ଯ୍ୟନ୍ତ ସେମାନେ ସମ୍ମାନ କରନ୍ତି ଓ ସେଥିରେ ଆନନ୍ଦିତ ହୁଅନ୍ତି । ମଗଧରେ ମୟୂର-ନୃତ୍ୟ ଦେଖିବାପାଇଁ ଏତେ ଉତ୍ସୁକତା ନାହିଁ । ମୋର ନିଜର ମତ ହେଉଛି ମୟୂର-ନୃତ୍ୟ ତାଣ୍ଡବର ନିକୃଷ୍ଟତମ ପର୍ଯ୍ୟାୟ-। ସେଥିରେ ତାଳ ହେଉଛି ପ୍ରଧାନ କଥା । ବେଗରେ ତାଳ ଦେଇ ପାଦକୁ ଏଭଳି ସଞ୍ଚାଳିତ କରାଯାଏ ଯେ ସେଥିରେ କୁଟ୍ଟିମ–ଭୂମିର ଅବିରରେ ପଦ୍ମର ଚିତ୍ର ପ୍ରସ୍ତୁତ ହୋଇଯାଏ କିମ୍ବା ମୟୂର ଚିତ୍ରର ଇଙ୍ଗିତ ଆସେ । କ’ଣ ଯେ ରସ–ସିଦ୍ଧି ହୁଏ ଏଥିରେ ? ମୁଁ ରସକୁ ନୃତ୍ୟର ପ୍ରଧାନ ରହସ୍ୟ ବୋଲି ମନେ କରେ । କାନ୍ୟକୁବଜର ଲୋକେ କିନ୍ତୁ ବିଚିତ୍ର । ସେମାନେ ଲାସ୍ୟ ଅପେକ୍ଷା ତାଣ୍ଡବକୁ ଅଧିକ ଭଲ ପାଆନ୍ତି । ମନୁଷ୍ୟର ମନୋଭାବ ଅପେକ୍ଷା ସେମାନେ ତା’ର କରଣ-କୌଶଳକୁ ଅଧିକ ମହତ୍ଵ ଦିଅନ୍ତି । ମୋର ସମୟ ଥିଲେ ସେ ନୃତ୍ୟ ଦେଖିଥାନ୍ତି ନିଶ୍ଚୟ । ଚାରୁସ୍ମିତାର ନାମ ଓ ଯଶ ଶୁଣିଥିଲି । ତା’ର ଅଭିରାମ ପଦ-ସଞ୍ଚାରର ଅନେକ କାହାଣୀ ମଧ୍ୟ ଶୁଣିଥିଲି । ତାର ମୟୂର ବା ପଦ୍ମ–ଚିତ୍ର ଦେଖିବାପାଇଁ ଇଚ୍ଛା ନ ଥିଲା; କିନ୍ତୁ ତାର ତାଳ-ଲୟାନ୍ୱିତ ପଦ-ସଞ୍ଚାର ଦେଖିବାର ଉତ୍କଣ୍ଠା ଥିଲା । କିନ୍ତୁ ମୁଁ ନିରୁପାୟ, ମୋତେ ଯିବାକୁହିଁ ପଡ଼ିବ । ପ୍ରେକ୍ଷାଶାଳା ଏପର୍ଯ୍ୟନ୍ତ ପୂର୍ଣ୍ଣ ହୋଇ ନ ଥିଲା । କାରିଗରମାନେ ସ୍ଫୁର୍ତ୍ତିରେ କାର୍ଯ୍ୟ କରିଯାଉଥିଲେ । ତାଙ୍କର ଆଶ୍ଚର୍ଯ୍ୟ ଶିଳ୍ପପଟୁତା ଦେଖି ମୁଗ୍‍ଧ ହେଲି । ନିଜକୁ ସଂଯତ କରି ଶୀଘ୍ର ତା ସହ ମୁଁ ଗଙ୍ଗାତଟ ଆଡ଼କୁ ଅଗ୍ରସର ହେଲି । ଏକ ଅଦ୍ଭୁତ ଶାନ୍ତି ଅନୁଭବ କଲି ତା’ର ନିକଟରେ । ଦୂରରୁ ଶୀକର-ସିକ୍ତ ବୀଚୀ-ବାୟୁ ମୋର ଚିତ୍ତକୁ ପରିତୃପ୍ତ କଲା ଓ ଶ୍ଵେତ ପଙ୍କଜମାଳାପରି ଦିଗନ୍ତପ୍ରସାରୀ ମନ୍ଦାକିନୀଧାରା ନୟନକୁ ଅପୂର୍ବ ଶୋଭାରେ ସ୍ନିଗ୍ଧ କରିଦେଲା । ଗଙ୍ଗା ହେଉଛି କୈଳାସର ସମସ୍ତ ଧବଳିମାର ମୂର୍ତ୍ତିମତୀ ଧାରା, ହର-ଜଟାରୁ ନିର୍ଗତ ଚନ୍ଦ୍ରମାର ପୀୟୁଷର ସ୍ରୋତ, ବ୍ରହ୍ମାଙ୍କର କମଣ୍ଡଳରୁ ଚହଲି ପଡ଼ିଥିବା ବେଦବିଦ୍ୟାର ପ୍ରବାହ ଓ ଆର୍ଯ୍ୟାବର୍ତ୍ତର ଜନଗଣଙ୍କ ମାତୃତ୍ଵର ଚିରନ୍ତନ ଆଶ୍ରୟ । ସମ୍ମୁଖରେ ତରଙ୍ଗିତ ସ୍ଫଟିକ ସ୍ଵଚ୍ଛ ଜଳରାଶି । କେଡ଼େ ପବିତ୍ର, କେଡ଼େ ଶୀତଳ, କେଡ଼େ ମନୋହର ! ଆହା, ସତେ ଯେପରି ଗଗନ-ତଳ ସେଠାରେ ଜଳ ରୂପରେ ଅବତରଣ କରିଛି, ତୃଷାର-ଗିରି ଦ୍ରବୀଭୂତ ହୋଇରହିଛି ! ସତେ ଯେପରି ଚନ୍ଦ୍ରାତପ ରସ-ରୂପରେ ପରିଣତ ହୋଇଯାଇଛି, ଶିବଙ୍କର ପବିତ୍ର ସ୍ମିତ ଜଳ-ଧାରା ହୋଇଯାଇଛି, ପାର୍ବତୀଙ୍କର ଅପାଙ୍ଗ-ବୀକ୍ଷଣ ତରଳ ହୋଇଛି, ତ୍ରି ଭୁବନର ପୁଣ୍ୟରାଶି ତରଳ ହୋଇଯାଇଛି, ଶରତକାଳୀନ ମେଘମାଳା ସ୍ଥିର ହୋଇଯାଇଛି କିମ୍ବା ସରସ୍ଵତୀଙ୍କର କର୍ପୁର-ଧବଳ କାନ୍ତି ଦ୍ରବିତ ହୋଇଛି ! ଏହା ଗୁରୁତାର ଆଶ୍ରୟ, ଶୁଚିତାର ପ୍ରବାହ, ମହିମାର ସ୍ରୋତ । ତଟ ପାଖରେ କ୍ରୋଞ୍ଚ ଓ କଳହଂସର କଳସ୍ଵନ ଶୁଣାଯାଉଥିଲା । ନଭୋମଣ୍ଡଳ ବ୍ୟାପ୍ତ ହୋଇଥିଲା ତୀର-ଦ୍ରୂମର ପୁଷ୍ପର ସୌରଭରେ; ପୁଳିନ-ଭୂମି ମୁଖରିତ ହେଉଥିଲା ସାରସ ଧ୍ଵନୀରେ । ଧବଳାୟମାନ ବକ-ପନ୍ତି ଶୁଭ୍ର ମାଳତୀ-ମାଳାପରି ଧ୍ୟାନ ଆକର୍ଷଣ କରୁଥିଲେ ଓ ସୂର୍ଯ୍ୟଙ୍କ କିରଣ ନିର୍ମଳ ବାରିଧାରାରେ ବାଜି ଶତ ରଙ୍ଗ ସୃଷ୍ଟି କରୁଥିଲା । ନୌକାପାଖକୁ ଆସି ମୁଁ ଚନ୍ଦନ-କାଷ୍ଠାସନ ନେଲି ଓ ନିଜର ଦୁଇ ସାଥୀଙ୍କୁ ସ୍ନେହପୂର୍ବକ ବିଦାୟ ଦେଲି ।

Image

 

ଅଷ୍ଟମ ପରିଚ୍ଛେଦ

 

ଗୋଧୂଳିରେ ଆମର ନୌକାଯାତ୍ରା ଆରମ୍ଭ ହେଲା । ତା’ର ଅଳ୍ପ ସମୟପୂର୍ବରୁ ଆଚାର୍ଯ୍ୟ ସୁଗତଭଦ୍ର ଭଟ୍ଟିଣୀଙ୍କୁ ସ୍ନେହଭରା ଆର୍ଶୀବାଦ ଦେଇ ଓ ତାଙ୍କ ପିତାଙ୍କ ପାଖରେ ପହଞ୍ଚାଇବାର ଆଶ୍ୱାସନା ଦେଇ ବିଦାୟ ନେଇଥିଲେ । ଉଦାସ ଦୃଷ୍ଟିରେ ଭଟ୍ଟିଣୀ ଆଚାର୍ଯ୍ୟଙ୍କର ଯିବାର ପଥକୁ ବହୁ ସମୟ ପର୍ଯ୍ୟନ୍ତ ଅନାଇ ରହିଥିଲେ । ତାଙ୍କର ଘନ ଚିକ୍‍କଣ ଚିକୁରରାଶି ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ମୁହଁ ଉପରେ, ସତେ ଯେପରି ଶୈବାଳ-ଜାଲରେ ଇତସ୍ତତଃ ପଦ୍ମପୁଷ୍ପ । ଧୀରେ ଧୀରେ ଗଙ୍ଗାର ଧାରରେ ରକ୍ତିମ ଚନ୍ଦ୍ରବିମ୍ବ ପ୍ରକଟିତ ହେଲା ଓ ଦେଖୁ ଦେଖୁ ତାହା ଶତରୂପରେ ବିଭକ୍ତ ହୋଇ ସ୍ନାନ କରିବାକୁ ଲାଗିଲା, ସାରା ଦିନର ଫଗୁ ଖେଳପରେ ବର୍ତ୍ତମାନ ନିଜ ଶରୀରରୁ ପିଷ୍ଟାତକ ଚୂର୍ଣ୍ଣ (ଅବୀର) ଛଡ଼ାଇବାକୁ ଚାହୁଁଥିଲା ଯେପରି ! ଧବଳତର ଜ୍ୟୋତ୍ସ୍ନା ଗଙ୍ଗା-ପୁଲିନକୁ ଦୁଗ୍‍ଧଧୌତି କରିଦେଲା ଓ ଗଙ୍ଗାର ଚଞ୍ଚଳ ବୀଚୀ ଉପରେ ଚନ୍ଦ୍ରମା ତଥା ନକ୍ଷତ୍ର-ମଣ୍ଡଳର ନୃତ୍ୟ ଆରମ୍ଭ ହେଲା । ଭଟ୍ଟିଣୀ କିନ୍ତୁ ଉଦାସ ମନରେ ବସି ରହିଲେ । ଅଧିକ ସହ୍ୟ କରି ନ ପାରି ମୁଁ ବ୍ୟଥିତ ସ୍ଵରରେ କହିଲି, "ଦେବୀ, ଚିନ୍ତା ଛାଡ଼ନ୍ତୁ, ବାଣ ଭଟ୍ଟ ଉପରେ ବିଶ୍ୱାସ ରଖନ୍ତୁ । ଆଚାର୍ଯ୍ୟ ପାଦଙ୍କର ଆର୍ଶୀବାଦ ସଫଳ ହେବ । ଯେପରି ହେଉ ମୁଁ ନିଶ୍ଚୟ ଅତ୍ର ଭବତୀଙ୍କୁ ବିଷମ-ସମରବିଜୟୀ, ବାହ୍ଳୀକ-ବିମର୍ଦ୍ଦନ, ପ୍ରତ୍ୟନ୍ତ-ବାଡ଼ବ, ଅଜ୍ଞାତ-ପ୍ରତିସ୍ପର୍ଦ୍ଧି-ବିକଟ ଦେବପୁତ୍ର ତୁଅରମିଳିନ୍ଦଙ୍କ ନିକଟରେ ପହଞ୍ଚାଇ ଦେବି । ଆଚାର୍ଯ୍ୟ ପାଦଙ୍କର ଆଜ୍ଞା ପାଳନପାଇଁ ତ କେବଳ ମଗଧ ଯାଉଛି । ଠିକ୍ ଜାଣେ ନା, କାହିଁକି ସେ ମୋତେ ମଗଧ ନେବାପାଇଁ ଆଦେଶ ଦେଲେ । ବିଳମ୍ବ ହୋଇପାରେ କିନ୍ତୁ ମୁଁ ମୋର ପ୍ରତିଜ୍ଞା ପାଳନ କରିବି ।”

 

ଭଟ୍ଟିଣୀ ମୋର ପ୍ରାର୍ଥନା ଶୁଣିଲେ । ମୃଣାଳ-କୋମଳ ଅଙ୍ଗୁଳିରେ ନିଜର ଅସ୍ତବ୍ୟସ୍ତ ଅଳକ-ଜାଲକୁ ସଂଯତ କରି ମନ୍ଦ ସ୍ମିତରେ ମୋତେ ଅନାଇଲେ । କ୍ଷଣକମଧ୍ୟରେ ଏକ ସ୍ଵଚ୍ଛ ପ୍ରଭା ବହିଗଲା ନୌକାରେ । ମନ ମଧ୍ୟରେ ମୁଁ ଅପୂର୍ବ କଳ୍ପ-କବି କାଳିଦାସଙ୍କୁ ସ୍ମରଣ କଲି । ଆହା ! ଚନ୍ଦ୍ରମାର ଉଦୟାଚଳ କିରଣରେ ଅନ୍ଧକାରର ଅପସାରଣ ଦେଖି ଯେଉଁଦିନ ମହାକବି ଅଳକ-ବନ୍ଦିତ ମନୋହାରିଣୀ ପ୍ରାଚୀ ଦିକ୍‍ବଧୂର କଳ୍ପନା କରିଥିଲେ, ସେଦିନ କଣ ତାଙ୍କର ଲେଶମାତ୍ର କଳ୍ପନା ଥିଲା ଯେ ତା'ର ଦୁଇଶତ ବର୍ଷପରେ ଗଙ୍ଗାର ପବିତ୍ର ଧାରାରେ କ୍ଷିତି ଓ ଆକାଶର ସେହି ମିଳିତ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିବ ! ସେ କଣ ଜାଣିଥିଲେ ଯେ ଦିନେ ଯେତେବେଳେ ଚନ୍ଦ୍ରମା ବାହ୍ୟ ଜଗତକୁ ସୁଧା-ସଲିଳରେ ପ୍ଳାବିତ କରୁଥିବ, ଚନ୍ଦ୍ରମା-ରସର ଅବିରଳସ୍ରାବୀ ନିର୍ଝରରେ ରସମୟ କରୁଥିବ, ଅମୃତ-ସାଗରର ବନ୍ୟାରେ ଭୁବନାନ୍ତରାଳକୁ ପୂର୍ଣ୍ଣ କରୁଥିବ, ଶ୍ଵେତ-ଗଙ୍ଗାର ସହସ୍ର ଧାରାକୁ ପ୍ରବାହିତ କରୁଥିବ ଓ ମହାବରାହଙ୍କର ଦଂଷ୍ଟ୍ରା-ମଣ୍ଡଳୀର ଶୋଭା ବିଚ୍ଛୁରିତ କରୁଥିବ, ଠିକ୍ ସେତିକିବେଳେ ଗଙ୍ଗାର ପ୍ରବାହ ଉପରେ ଗଙ୍ଗାଭଳି ପବିତ୍ର, ଜ୍ୟୋତ୍ସ୍ନାର ସ୍ଵଚ୍ଛତାଭଳି କମନୀୟ ଏକ ରାଜବାଳା ନିଜର ମନ୍ଦସ୍ମିତରେ ଅନ୍ତର୍ଜଗତକୁ ସେହିପରି ପବିତ୍ର, ନିର୍ମଳ ଓ ଉତ୍‍ଫୁଲ୍ଲ କରିବ ? ଭଟ୍ଟିଣୀଙ୍କୁ ପ୍ରସନ୍ନ ଦେଖି ମୋର ହୃଦୟ ଆନନ୍ଦିତ ହେଲା । ମୁଁ ଉତ୍ସାହରେ କହିଲି, “ଦେବୀ, ମହାବରାହ ସହାୟକ । ଆପଣ ନିଜର ସେବକ ଉପରେ ଭରସା ରଖନ୍ତୁ । ଅକିଞ୍ଚନ ବାଣ ଭଟ୍ଟକୁ ଉପେକ୍ଷାଯୋଗ୍ୟ ବୋଲି ଯେପରି ମନେ ନ କରନ୍ତି । ଆଜି ମଧ୍ୟ ଆର୍ଯ୍ୟାବର୍ତ୍ତରେ କୃତଜ୍ଞତା ଲୋପ ପାଇନାହିଁ ଓ ବାହ୍ଳୀକ ଏବଂ ପ୍ରତ୍ୟନ୍ତଙ୍କଠାରୁ ବର୍ବର ହୂଣଙ୍କର ଧ୍ଵଂସସାଧନକାରୀ ପରମଭାଗବତ, ପରମସୌଗତ ଦେବପୁତ୍ରଙ୍କ ପ୍ରତି ଏ ଦେଶରେ ଭକ୍ତିର ସ୍ରୋତ ଶୁଷ୍କ ହୋଇନାହିଁ-। ଦେବପୁତ୍ର ଯେଉଁଦିନ ଜାଣିଲେ ଆପଣ କେଉଁଠି, ସେଦିନ ଯମରାଜ ମଧ୍ୟ ତାଙ୍କର ମାର୍ଗ ରୋକି ପାରିବେ ନାହିଁ । ଦୁର୍ଭାଗ୍ୟ, ବିଡ଼ମ୍ବିତ ଦେବପୁତ୍ର ଶୋକରେ ହତବୁଦ୍ଧି ହୋଇ ଆଜି ଯେ କେଉଁଠି ? କିନ୍ତୁ ବିଶ୍ୱାସ ରଖନ୍ତୁ–ସେଦିନ ନିଶ୍ଚୟ ଆସିବ ଯେଉଁଦିନ ବ୍ରାହ୍ମଣ ଓ ଶ୍ରମଣଙ୍କ ରକ୍ଷକ, ମନ୍ଦିର ଓ ଦେବମୂର୍ତ୍ତିର ଆଶାଭୂମି, ତରୁଣୀ ଓ ବୃଦ୍ଧାଙ୍କର ପ୍ରତିଷ୍ଠା ରକ୍ଷକ ଦେବପୁତ୍ର ଆପଣଙ୍କର ସମ୍ବାଦ ପାଇବେ । ସେଦିନ ମାର୍ଗର ଅତି ପ୍ରଚଣ୍ଡ ପ୍ରତିବନ୍ଧକ ଛତ୍ରଦଣ୍ଡଭଳି ଭାଙ୍ଗିଯିବ, ଭୟାନକ ବ୍ୟୁହ ମଧ୍ୟ କଳସଭଳି ବିଚୂର୍ଣ୍ଣ ହୋଇଯିବ । ସେଦିନ ପୁନର୍ବାର ସାଗରସମ ଅପ୍ରମେୟ ଦେବପୁତ୍ର-ବାହିନୀଙ୍କର ପରାକ୍ରମରେ ଧରିତ୍ରୀ ସ୍ପନ୍ଦିତ ହେବ ଓ ତସ୍କରପରି ବୁଲୁଥିବା ଆଜିର ବାଣ ଭଟ୍ଟ ସେଦିନ ପ୍ରଳୟପୁରର ସେତୁ ହେବ । ଦେବୀ, ବାଣ ଭଟ୍ଟ କର୍ତ୍ତବ୍ୟରୁ କଦାପି ବିଚ୍ୟୂତ ହେବ ନାହିଁ । ଏ ବିଶ୍ଵାସ ଆପଣ ରଖନ୍ତୁ ।”

 

ଅଶ୍ରୁ ପୂରିଗଲା ଭଟ୍ଟିଣୀଙ୍କର ନୟନରେ । ଆଡ଼କରି ଅଞ୍ଚଳରେ ଲୋତକ ପୋଛି ମୋତେ ଅନାଇଲେ । ଆର୍ଦ୍ର ହସ ଏ ପର୍ଯ୍ୟନ୍ତ ଥିଲା ମୁହଁରେ । ସେ ହସର ଅର୍ଥ ବୁଝିପାରିଲି । କୃତଜ୍ଞତା ଥିଲା କିନ୍ତୁ ଭରସା ନ ଥିଲା ସେଥିରେ । ତାହା ଯେପରି ଭଟ୍ଟିଣୀଙ୍କର ନିଗୁଢ଼ ମନୋଭାବକୁ ପ୍ରକଟ କରୁଥିଲା–“ଆଶ୍ଵାସନା ଦେଉଛି, ଏଥିପାଇଁ କୃତଜ୍ଞ କିନ୍ତୁ ପ୍ରତିଜ୍ଞା ରକ୍ଷା କରିବା ଠିକଣା ।” ହତଚେଷ୍ଟଭଳି ଭଟ୍ଟିଣୀଙ୍କର କରୁଣ ଗମ୍ଭୀର ମୁଖ ଭଙ୍ଗିମାକୁ ଅନାଇ ରହିଲି । ତାଙ୍କର ମର୍ମର ବ୍ୟଥା ଜାଣିବାକୁ ଚାହୁଁଥିଲି, କିନ୍ତୁ ଏକ ସହଜ ଅନୁଭବରେ ତାଙ୍କର ପବିତ୍ର ମୁଖମଣ୍ଡଳ ଏଭଳି ଆଚ୍ଛାଦିତ ହୋଇରହିଥିଲା ଯେ ତାହା ଅତିକ୍ରମ କରି ତାଙ୍କର ମର୍ମର ଅନ୍ତର୍ଦ୍ଦେଶ ଦେଖିପାରିଲି ନାହିଁ କିମ୍ବା ସାହସ କରି କିଛି ପଚାରିପାରିଲି ନାହିଁ । ନିପୁଣିକା ମୋତେ ସାହାଯ୍ୟ କଲା । ସେ କହିଲା, ‘‘ତୁମେ ବାହ୍ୟ ଉପରେ ଦୃଷ୍ଟି ଦେଉଛ । କବିତା ଛାଡ଼, ଭଟ୍ଟିଣୀଙ୍କର ମର୍ମବେଦନା ଅତି ଦାରୁଣ । ତାଙ୍କର କ’ଣ ସେବକ ନ ଥିଲେ; କିନ୍ତୁ କେହି ରକ୍ଷା କରିପାରିଲା ? ଦେବପୁତ୍ରଙ୍କର ଅପ୍ରମେୟ ବାହିନୀ ବର୍ତ୍ତମାନ ମଧ୍ୟ ଅଛନ୍ତି, ସେମାନେ କଣ ଭଟ୍ଟିଣୀକୁ ରକ୍ଷା କରିପାରିଲେ ? ଏକୁଟିଆ ତୁମେ କଣ କରିପାରିବ ? ବୁଝିବିଚାରି ପ୍ରତିଜ୍ଞା କର ।”

 

ନିପୁଣିକାର କଥା ମୋର ଅଭିମାନକୁ ଆଘାତ କଲା । ମୁଁ ପ୍ରସ୍ତୁତ ନ ଥିଲି । ଆଶ୍ୱାସନା ଦେଲାବେଳେ ସାମାନ୍ୟ ବେଶି କରି କୁହାଯାଇଥାଏ । ସଂଭବତଃ ମୁଁ ପରିସର ଅତିକ୍ରମ କରିଥିଲି । କିନ୍ତୁ ନିପୁଣିକା ଏଭଳି ଆଘାତ ଦେବା କଣ ଉଚିତ ? ମନରେ ଗ୍ଳାନି ଆସିଲା । ନିଜ ଦୃଷ୍ଟିରେ ହିଁ ମୁଁ ତଳକୁ ଖସିଗଲି । ସାୟଂକାଳୀନ ଶିରୀଷ’ ପତ୍ରଭଳି ମୋର ଚକ୍ଷୁ ସ୍ଵତଃନତ ହୋଇଗଲା, ଆଘାତପ୍ରାପ୍ତ ଶୁକ୍ତିଭଳି ମୋର ମୁଖ ସ୍ଵତଃ ସଂକୁଚିତ ହୋଇଗଲା । ମୋର ଆହତ ଅଭିମାନ କିନ୍ତୁ ମୋତେ ଉଦ୍ଧତ କଲା । ସାମାନ୍ୟ ଉତ୍ତେଜିତ ହୋଇ କିଛି କହିବାକୁ ଯାଉଥିଲି; ମାତ୍ର ଭଟ୍ଟିଣୀ ବାଧା ଦେଲେ । ମୋ ମୁହଁର ଗ୍ଳାନି ଦେଖି ହୁଏ ତ ତାଙ୍କର ଦୟା ଆସିଥିବ । ନିପୁଣିକାକୁ ମୃଦୁ ତିରସ୍କାର କରି ସେ କହିଲେ, ‘‘ଛି, ନିଉନିୟା । ତୁ କାହିଁକି ଏପରି କହୁଛୁ ? ଭଟ୍ଟଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ଵାସ ରହିଛି । ତୁ ଜାଣୁନା କବିତ୍ଵର ଶକ୍ତି । ଭଟ୍ଟ ହେଉଛନ୍ତି କବି । ସେ କଣ, ତା’ ସେ ନିଜେ ଜାଣନ୍ତି ନାହିଁ । କିନ୍ତୁ ଆମେ ବି କଣ ଭୁଲିଯିବା ତାଙ୍କର ମହତ୍ତ୍ଵ ? ପୂର୍ବରୁ ମୋର ସେବକ ଥିଲେ; କିନ୍ତୁ ଏଭଳି ଦେବୋପମ ଅଭିଭାବକ ମୋତେ ମିଳି ନ ଥିଲେ । ପ୍ରତିଜ୍ଞାର ସଫଳତାକୁ ବୋଧହୁଏ ତୁ ବଡ଼ ବୋଲି ମନେ କରୁ ? ନା ଭଉଣୀ, ପ୍ରତିଜ୍ଞା କରିବାହିଁ ହେଉଛି ବଡ଼ କଥା । ହଁ ଭଟ୍ଟ, ମହାବରାହଙ୍କ ଉପରେ ମଧ୍ୟ ମୁଁ ଆଶା ରଖିଛି । ମହାବରାହ ତମକୁ ମୋପାଖକୁ ପଠାଇଛନ୍ତି । ତାଙ୍କର ଇଚ୍ଛା ହେଲେ ମୁଁ ପିତାଙ୍କୁ ଭେଟିବି । ତାଙ୍କରି ଇଚ୍ଛାହିଁ ହେଉଛି ପ୍ରଧାନ, ଆମେ ତ କେବଳ ସାଧନ ସାମଗ୍ରୀ । ତାଙ୍କର ଇଚ୍ଛା ପୂରଣ ହେବ । ମନୁଷ୍ୟ କଣ କରିପାରେ ?”

 

ସାମାନ୍ୟ ନୀରବ ରହି ଭଟ୍ଟିଣୀ ପୁଣି କହିଲେ–ଭଟ୍ଟ, ଅନେକ ଦିନପୂର୍ବରୁ ମୋର ମରିଯିବା ଉଚିତ ଥିଲା । ଯେଉଁଦିନ ନଗର ଦ୍ଵାରର ମାର୍ଗରେ ପ୍ରତ୍ୟନ୍ତ ଦସ୍ୟୁ ମୋତେ ଆକ୍ରମଣ କଲେ, ସେ ଦିନ ମୋର ପାଲିଙ୍କିର ରକ୍ଷକ ଥିଲେ ଦୁଇଶହ ବିଶ୍ଵସ୍ତ ସେବକ । ପିତାମହଙ୍କ ଭଳି ପୂଜ୍ୟ ଓ ପ୍ରବଳ ପରାକ୍ରାନ୍ତ ଆଦିତ୍ୟସେନଙ୍କର ବିଶ୍ଵାସଭାଜନ ସେବକ ଧୀରନାପିତ ମୋ ସାଥିରେ ଥିଲେ । ଦସ୍ୟୁମାନଙ୍କର ଆକ୍ରମଣ ଥିଲା ଅଚାନକ୍ । ଶେଷପର୍ଯ୍ୟନ୍ତ ଧୀର ଚକ୍ର ଭଳି ମୋତେ ରକ୍ଷା କଲେ । ମୋର ଦୁଇଶହ ବୀର ଦେବପୁତ୍ରଙ୍କର ନାମ ନେଇ ବହୁ ସମୟ ପର୍ଯ୍ୟନ୍ତ ସଂଗ୍ରାମ କଲେ । ମୁଁ ତ୍ରାହି ତ୍ରାହି କରି ନିଜର ବିଶ୍ଵସ୍ତ ସେବକଙ୍କର ମରଣ-ଦୃଶ୍ୟ ଦେଖିବାକୁ ଲାଗିଲି । ଧୀର ସେପର୍ଯ୍ୟନ୍ତ ଚିତ୍କାର କରି ଦେବପୁତ୍ରଙ୍କର ଜୟ-ନିନାଦ କରୁଥିଲେ । ମରିବା ପର୍ଯ୍ୟନ୍ତ ସେ ମୋତେ କହୁଥିଲେ–‘ନିର୍ଭୟ ହୋଇ ରହ ପୁତ୍ରୀ, ଏ ପାପୀ ତୁମର ଛାୟା ସ୍ପର୍ଶ କରିପାରିବେ ନାହିଁ । ପଚାଶଜଣ ଦସ୍ୟୁ ପିପିଲିକା ପରି ତାଙ୍କ ଉପରକୁ ଚଢ଼ିଯାଇ ତାଙ୍କର ବସ୍ତ୍ର ଓ କେଶ ଝିଙ୍କି ନେଲେ । ମୋର ପାଲିଙ୍କି ଭିଜିଗଲା ତାଙ୍କ ରକ୍ତରେ । ଶେଷଥରପାଇଁ ସେ ଯେତେବେଳେ ଚିତ୍କାର କରି କହିଲେ–“ନିର୍ଭୟରେ ରହ ପୁତ୍ରୀ” ମୁଁ ଆଉ ସହ୍ୟ କରିପାରିଲି ନାହିଁ । ପାଲିଙ୍କିରୁ ଓହ୍ଳାଇ ପାଲିଙ୍କି ଭିତରକୁ ତାଙ୍କୁ ଟାଣି ନେବାକୁ ଚାହିଁଲି, କିନ୍ତୁ ସେତେବେଳକୁ ସେ ତିନି ଖଣ୍ଡ ହୋଇସାରିଥିଲେ । ଏ ଅଭାଗିନୀକୁ ତାଙ୍କର ଚରଣହିଁ ମିଳିଲା । ଭଟ୍ଟ, ସେତେବେଳେ ମୁଁ କାହିଁକି ନ ମଲି ?”

 

କିଛି ସମୟପରେ ଭଟ୍ଟିଣୀ ନିପୁଣିକା ଆଡ଼କୁ ଅନାଇଲେ । ଅଶ୍ରୁର ନିର୍ଝର ବହୁଥିଲା ନିପୁଣିକାର ଆଖିରୁ । ଭଟ୍ଟିଣୀ କହିଲେ–“କାନ୍ଦନା ନିଉନିୟା, ମୁଁ ବହୁତ କାନ୍ଦି ସାରିଛି । ନଗରହାରରୁ ମୁଁ ପୁରୁଷପୁର, ପୁରୁଷପୁରରୁ ଜଳନ୍ଧର ଓ ଜାଣେ ନା ଆଉ କେତେ ସ୍ଥଳଦସ୍ୟୁଙ୍କ ସହିତ ମୋତେ ଘୂରିବାକୁ ପଡ଼ିଲା । ଶେଷରେ ସ୍ଥାଣ୍ୱୀଶ୍ୱରର ଛୋଟ ରାଜକୁଳରେ ଆଶ୍ରୟ ମିଳିଲା । ନଗର ହାରର ମାର୍ଗରେ ଦସ୍ୟୁମାନେ ଏହି ଅଭାଗିନୀ ଶରୀରକୁ ସ୍ପର୍ଶ କଲାପର୍ଯ୍ୟନ୍ତ ଦେବପୁତ୍ରଙ୍କ କନ୍ୟା ହେବାର ଅଭିମାନ ଥିଲା ମୋର । ମାସେପର୍ଯ୍ୟନ୍ତ ମୁଁ ନିଜ ପିତାଙ୍କ ନାମ ନେଇ କାନ୍ଦି କାନ୍ଦି ସମୟ କଟାଇଲି । ତାପରେ ମୋର ଅଭିମାନ ଚାଲିଗଲା । ଭଗବାନଙ୍କ ସୃଷ୍ଟିରେ ଲକ୍ଷ ଲକ୍ଷ କନ୍ୟାଙ୍କ ଭଳି ମୁଁ ମଧ୍ୟ ଏକ ମନୁଷ୍ୟ-କନ୍ୟା । ତାଙ୍କରି ପରି ମୁଁ ମଧ୍ୟ ସୁଖ-ଦୁଃଖର ପାତ୍ର; ତାଙ୍କରି ପରି ମୋର ଜନ୍ମ ନିଜର ସାର୍ଥକତା ପାଇଁ ନୁହେଁ । ମୋର ଅହଙ୍କାର ମରିଥିଲା, ଅଭିମାନ ନଷ୍ଟ ହୋଇଥିଲା ଓ କୌଳିନ୍ୟ-ଗର୍ବ ବିଲୁପ୍ତ ହୋଇଥିଲା । ଶତ ଶତ ଧର୍ଷିତା, ଅପମାନିତା ଓ କଳଙ୍କିନୀ ନାରୀଙ୍କଭଳି ମୁଁ ଜଣେ ସାମାନ୍ୟ ନାରୀ । ଜଗତର ଦୁଃଖ-ପ୍ରବାହରେ ଫେନ-ବୁଦ୍‍ବୁଦ୍‍ଭଳି ମୁଁ ବି ନଷ୍ଟ ହେବି ଓ ପ୍ରବାହ ତାର ଉନ୍ମତ୍ତତାରେ ଆଗେଇ ଚାଲିବ । ମାତାଙ୍କଠାରୁ ବୌଦ୍ଧ ଦୁଃଖବାଦର ପିତାଙ୍କଠାରୁ ଭାଗବତ ଅନୁକମ୍ପାର ଭାବନା ମୁଁ ପାଇଛି । ମୋ ଉପରେ ମହାବରାହଙ୍କର କରୁଣା ରହିଛି–ଏହାହିଁ ଏକମାତ୍ର ସୁଖ । ସେ କରୁଣା ମୋତେ ତୋ ସହିତ ଓ ଭଟ୍ଟଙ୍କ ସହିତ ସାକ୍ଷାତ୍ କରାଇଛି । ନା ନିଉନିୟା, କାନ୍ଦିଲେ କଣ ହେବ ? ନିଜର କାନ୍ଦ ମୁଁ ବନ୍ଦ କରିପାରୁନି ସତ କିନ୍ତୁ ଏହା ସାମୟିକ ଆବେଗ । ସବୁ ଭୁଲି-ଯିବାପାଇଁ ମୁଁ ସାଧନା କରୁଛି । ପିତାଙ୍କ ସହିତ କଣ ପୁଣି ସାକ୍ଷାତ୍ ହେବ ? ମହାବରାହ ହିଁ ଜାଣନ୍ତି, ଆମେ କାହିଁକି ଚିନ୍ତା କରିବା ?”

 

ଆଉ ଅଧିକ ଶୁଣିବା ମୋ ପକ୍ଷରେ ଅସମ୍ଭବ ହେଲା । ଉତ୍ତେଜିତ ହୋଇ କହିଲି–“କିଏ କହେ ଦେବୀ, ଆପଣ କଳଙ୍କିନୀ ? ପାର୍ବତୀଙ୍କ ପରି ନିର୍ମଳ ଅନ୍ତଃକରଣ, ଗଙ୍ଗାଙ୍କପରି ପବିତ୍ର ବିଚାର-ଧାରା, କୈଳାସ ପରି ଶୁଭ୍ର ଚରିତ୍ର ଓ ମାନସରୋବର ପରି ସକରୁଣ ହୃଦୟ ଯେଉଁ ଦେବୀଙ୍କୁ ଅଶେଷ ଲୋକଙ୍କର ପୂଜନୀୟା କରିଛି, ତାଙ୍କୁ ଯିଏ କଳଙ୍କିନୀ ମନେ କରେ ସେ ନିଶ୍ଚୟ ନରକ-ଯାତ୍ରୀ । ଦେବୀ, ପାବକକୁ କଳଙ୍କ ସ୍ପର୍ଶ କରିପାରେନା, ଦୀପ-ଶିଖାକୁ ଅନ୍ଧକାରର କାଳିମା ଲାଗେନା, ଚନ୍ଦ୍ର-ମଣ୍ଡଳକୁ ଆକାଶର କାଳିମା କଳଙ୍କିତ କରେନା ଓ ଜାହ୍ନବୀର ବାରି-ଧାରାକୁ ଧରିତ୍ରୀର କଳୁଷ ସ୍ପର୍ଶ କରି ପାରେନା । ଏଭଳି ଅବସାଦଯୁକ୍ତ ବାକ୍ୟ ଆପଣଙ୍କର ଯୋଗ୍ୟ ନୁହେଁ । ଦେବୀ ! ଶୃଗାଳର ସ୍ପର୍ଶରେ ସିଂହ-କିଶୋରୀ କଳୁଷିତ ହୁଏ ନାହିଁ । ଅସୁର-ଗୃହକୁ ଯିବାରେ ଲକ୍ଷ୍ମୀ ଧର୍ଷିତା ହୁଅନ୍ତି ନାହିଁ, ପିପିଲିକାର ସ୍ପର୍ଶରେ କାମଧେନୁ ଅପମାନିତ ହୁଏ ନାହିଁ, ଚରିତ୍ରହୀନଙ୍କ ମଧ୍ୟରେ ବାସ କଲେ ସରସ୍ଵତୀ କଳଙ୍କିତ ହୁଅନ୍ତି ନାହିଁ । ଦେବୀ, ଆଶ୍ଵସ୍ତ ହୁଅନ୍ତୁ; ଆପଣ ପବିତ୍ରତାରେ ମୂର୍ତ୍ତି, କଲ୍ୟାଣର ଆକର । ସମଗ୍ର ଆର୍ଯ୍ୟାବର୍ତ୍ତର ବ୍ରାହ୍ମଣ ଓ ଶ୍ରମଣ, ଦେବମନ୍ଦିର ଓ ଶସ୍ୟ-କ୍ଷେତ୍ର, ଅନାଥ ଓ ନାରୀ, ପୌର ଓ ଜନପଦ ଯେଉଁଦିନ ନିଜର ରକ୍ଷକ ଦେବପୁତ୍ର ତୁଅରମିଳିନ୍ଦଙ୍କର ନୟନତାରାଙ୍କୁ ଚିହ୍ନି ପାରିବେ, ସେଦିନ ସେମାନେ ମନ୍ଦିରରେ ତୁମର ମୂର୍ତ୍ତି ନିର୍ମାଣ କରି ପୂଜା କରିବେ । ଏ ଚିରତୃପ୍ତ ଦେଶରେ ଯଦି ପ୍ରାଣ-କଣାର ଲେଶମାତ୍ର ଅବଶିଷ୍ଟ ଥାଏ, ତାହାହେଲେ ପ୍ରତ୍ୟନ୍ତ-ଦସ୍ୟୁଙ୍କୁ ନିଜର କାର୍ଯ୍ୟର କଠୋର ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିବ । ଦେବୀ, ମୁଁ ପ୍ରକୃତରେ ଜାଣେ ନା ମୁଁ କବି । ଗୋଟିଏ ଶ୍ଳୋକ ଲେଖିବାପାଇଁ ମୋତେ ଘଣ୍ଟା ଘଣ୍ଟା ଧରି ମୁଣ୍ଡ ଘାରିବାକୁ ପଡ଼େ । ପ୍ରକୃତରେ ଯଦି କବି ହୋଇଥାନ୍ତି, ତା’ହେଲେ କଣ କରନ୍ତି, ଜାଣନ୍ତି-? ସମଗ୍ର ଆର୍ଯ୍ୟାବର୍ତ୍ତରେ ଦେବପୁତ୍ରଙ୍କର ନୟନ-ତାରାଙ୍କର ଧବଳ ଯଶ ପ୍ରସାରିତ କଲାଭଳି ସଂଗୀତ ଲେଖନ୍ତି । ଏ ପବିତ୍ର ଆର୍ଯ୍ୟଭୂମିରେ ନାରୀସୌନ୍ଦର୍ଯ୍ୟର ପୂଜାପାଇଁ କାବ୍ୟ ଲେଖନ୍ତି । କିନ୍ତୁ ଦେବୀ, ମୁଁ କବି ନୁହେଁ ।”

 

ପ୍ରଭାତକାଳର ନବମଲ୍ଲିକାଭଳି ଭଟ୍ଟିଣୀଙ୍କର ମୁଖମଣ୍ଡଳ ପ୍ରସ୍ଫୁଟିତ ହୋଇଗଲା; ସ୍ମଂୟମାନ ମୁଖର କପୋଳଖଣ୍ଡ ବିକସିତ ହୋଇଉଠିଲା । ନୟନ-କୋରକରେ ବିଦ୍ୟୁତ୍‍ଭଳି ଝଲସିଗଲା ବଙ୍କିମ ଆନନ୍ଦ-ରେଖା । ଲଲାଟପଟ ରେଖାବିଲୀନ ହୋଇ ଅଷ୍ଟମୀର ଚନ୍ଦ୍ରମାପରି ତାହା ମନୋରମ ହୋଇଉଠିଲା । ଅଶୋକ କିଶଳୟସମ ତାଙ୍କର ଆତ୍ରାମ ଅଧରୋଷ୍ଠ ଚଞ୍ଚଳ ହୋଇଉଠିଲା । ଧୀର ପ୍ରସନ୍ନଭାବରେ ସେ କହିଲେ–“କିଏ କହେ ଭଟ୍ଟ, ତୁମେ କବି ନୁହଁ ? ଶ୍ଳୋକ ତିଆରି କରିବାହିଁ ତ କବିତା ନୁହେଁ । ନିରନ୍ତର ପବିତ୍ର ଚିନ୍ତାରେ ତୁମର ଚିତ୍ତ ବିଗତ-କଳୁଷ ହୋଇଯାଇଛି । ତୁମର ଚାରିତ୍ର୍ୟପୂତ ହୃଦୟରେ ସରସ୍ଵତୀ ବାସ କରୁଛନ୍ତି । ତୁମର ଅଧରରୁ ବିମଳଧାର ପରି ବାଣୀଙ୍କ ସ୍ରୋତ ନିର୍ଝରିତ ହେଉଛି । କିଏ କହେ, ତୁମେ କବି ନୁହଁ ? ଯେଉଁ ଦିନ ତୁମର ଶକ୍ତିଶାଳୀନୀ ବାକ-ସ୍ରୋତସ୍ଵିନୀରେ ଏ ଧରାର କଳ୍ମଷ ଦୂର ହେବ, ସେଦିନ ଲୋକେ ପ୍ରକୃତରେ ଶାନ୍ତି ପାଇବେ । ଭଟ୍ଟ, କବିତା ଶ୍ଳୋକ ନୁହେଁ । ଆମର ଯବନ-ସାହିତ୍ୟରେ ଗଦ୍ୟକୁ କାବ୍ୟର ‘‘ନିକଷା” କୁହାଯାଇଛି । ଛନ୍ଦ ଓ ଅଳଙ୍କାର ତ କବିତାର ପ୍ରାଣ ନୁହେଁ ! ପ୍ରାଣ ହେଉଛି ରସ-ବିଶୁଦ୍ଧ ସାତ୍ଵିକ ରସ । ତୁମେ ହେଉଛ ପ୍ରକୃତ କବି । ମୋ କଥା ମନେରଖ, ତୁମେ ହେଉଛ ଏ ଆର୍ଯ୍ୟାବର୍ତ୍ତର ଦ୍ଵିତୀୟ କାଳିଦାସ ।” ଏତିକି କହିସାରି ଭଟ୍ଟିଣୀ ହଠାତ୍ ନିଜକୁ ସଂଯତ କରିନେଲେ, ସତେ ଯେପରି ଯେତିକି କହିବାର କଥା ତାଠାରୁ ବେଶି କହିଦେଇଛନ୍ତି । ଈଷତ୍ ରକ୍ତିମ ହୋଇଉଠିଥିଲା ତାଙ୍କର ମୁଖ । ସେ ଚେଷ୍ଟା କଲେ ଅଧରୋଷ୍ଠର ମନ୍ଦସ୍ମିତକୁ ଗୋପନ ରଖିବାପାଇଁ କିନ୍ତୁ ତାଙ୍କର ଆନନ୍ଦ ଲୁଚିଲା ନାହିଁ । ରହି ରହି କପୋଳଖଣ୍ଡ ବିକସିତ ହୋଇଉଠୁଥିଲା ଓ ନୟନ-କୋରକ ବିସ୍ଫାରିତ ହେଉଥିଲା । ଆନନ୍ଦ, ବ୍ରୀଡ଼ା ଓ ମନ୍ଦସ୍ମିତରେ ମନୋହର ହୋଇଉଠିଲା ତାଙ୍କର ମୁଖମଣ୍ଡଳ ।

 

ମୁଁ ଚିନ୍ତା କରିବାକୁ ଲାଗିଲି । ଭଟ୍ଟିଣୀ କହୁଛନ୍ତି, ମୁଁ ଆର୍ଯ୍ୟାବର୍ତ୍ତର । ଦ୍ଵିତୀୟ କାଳିଦାସ ! କାଳିଦାସ ଥିଲେ ଆର୍ଯ୍ୟାବର୍ତ୍ତର ଗୌରବ । ମଳିନ ମନେ ପଡ଼ିଲା, ମାଳିନୀ-ତଟରେ ସେହି ଆଶ୍ରମ-। ହୋମଧୂମରେ ମଳିନ ତାର ସୈକତ, ପୁଲିନରେ କ୍ରୀଡ଼ାରତ ହଂସ-ମିଥୁନ ଓ ତାର ଜଳାଶୟର ମାର୍ଗ ମୁନିମାନଙ୍କର ବଳକଳ-କ୍ଷରିତ ଜଳ-ଧାରର ପଂକ୍ତିରେ ସିକ୍ତ । ସେଠାରେ ଶାନ୍ତ ବିଶ୍ୱସ୍ତ ମୃଗଯୂଥ ଜ୍ୟାନିର୍ଘୋଷ ସହିତ ସଂପୂର୍ଣ୍ଣ ଅପରିଚିତ । ଏହି ଶାନ୍ତ ବାତାବରଣ ମଧ୍ୟରେ ମନେ ପଡ଼ିଲା ସୌନ୍ଦର୍ଯ୍ୟର ସେହି ମୂର୍ତ୍ତି-ସୁକୁମାରତାର ଖଣି, ଶୈବାଳାନୁବିଦ୍ଧ । କମଳିନୀ ସମ ବଳ୍‍କଳ-ପରିହିତା ଶକୁନ୍ତଳା । ପୁଣି ମନେ ପଡ଼ିଲା ନବୋଦିତ ବସନ୍ତ-ଶ୍ରୀ, ନଗାଧିରାଜ ହିମାଳୟର ଶ୍ରୀ ଓ ଶିବଙ୍କ ଧ୍ୟାନ । ସେଦିନ କୈଳାସର ଦେବଦାରୁ-ଦ୍ରୁମ-ବେଦି ଉପରେ ନିବାଚ-ନିଷ୍କମ୍ପ ପ୍ରଦୀପ ପରି ସ୍ଥିରଭାବରେ ଆସୀନ ମହାଦେବଙ୍କ ସମ୍ମୁଖରେ ଯୌବନ ଭାରାକ୍ରାନ୍ତ, ବସନ୍ତ-ପୁଷ୍ପର ଆଭରଣଧାରିଣୀ ପାର୍ବତୀ ଯେତେବେଳେ ପୁଷ୍ପ-ସ୍ତବକ-ଭାରରେ ନତ ସଂଚାରିଣୀ ପଲ୍ଲବିନୀ ଲତାପରି ଉପସ୍ଥିତ ହୋଇଥିଲେ ଓ ନିଜର ନୀଳ ଅଳକରେ ଶୋଭମାନ କର୍ଣ୍ଣୀକାର ତଥା କର୍ଣ୍ଣଶୋଭିତ ନୀଳକିଶଳୟଦଳକୁ ଅସାବଧାନତାରେ ବିସ୍ତ୍ରସ୍ତ କରି ତପସ୍ୱୀଙ୍କର ପଦ-ପ୍ରାନ୍ତରେ ନଇଁ ପଡ଼ିଥିଲେ, ସେତେବେଳେ ଯୋଗୀ କ୍ଷଣକପାଇଁ ଚଞ୍ଚଳ ହୋଇଉଠିଥିଲେ । ନୟନ ତାଙ୍କର ପାର୍ବତୀଙ୍କର ସୁନ୍ଦର ମୁଖପ୍ରତି ପ୍ରସାରିତ ହୋଇଥିଲା । କ୍ଷଣକପାଇଁ ସମସ୍ତ ସଂସାର ମଧୁମୟ ହୋଇ-ଉଠିଥିଲା ତାଙ୍କ ଦୃଷ୍ଟିରେ; କିନ୍ତୁ ମୁହୂର୍ତ୍ତକ ମଧ୍ୟରେ ଯୋଗୀ ନିଜକୁ ସଂଯତ କରିନେଲେ । ଅପଦେବତାର ଅନଧିକାର ହସ୍ତକ୍ଷେପ ! କୁସୁମବାଣ ସନ୍ଧାନ ତାଙ୍କର ଅନୁଚିତ ମନେ ହେଲା । ଆକାଶର ମରୁଦ୍‍ଗଣ କ୍ରୋଧ ଶାନ୍ତପାଇଁ ଚିତ୍କାର କରିବା ପୂର୍ବରୁ ନିମିଷେକ ମଧ୍ୟରେ କାମଦେବ କପୋତ-କର୍ବୂର ଭସ୍ମରେ ପରିଣତ ହୋଇସାରିଥିଲେ । କିଶୋରୀ ପାର୍ବତୀଙ୍କର କୋମଳ ହୃଦୟ ନିଜର ସୌନ୍ଦର୍ଯ୍ୟର ଏ ବନ୍ଧ୍ୟାଦଶା ଦେଖି ଅସ୍ଥିର ହୋଇଉଠିଥିଲା ଓ ତପସ୍ୟାଦ୍ଵାରା ରୂପର ବନ୍ଧ୍ୟାଦଶା ଦୂର କରିବାପାଇଁ ସେ ମନସ୍ଥ କରିଥିଲେ । ପ୍ରଥମଦର୍ଶନର ପ୍ରେମ ଉପରେ, ବାହ୍ୟ ରୂପର ଆକର୍ଷଣ ଉପରେ ବଜ୍ରପାତ କରାଇ, ସମସ୍ତ ହିମାଳୟର ସୌନ୍ଦର୍ଯ୍ୟକୁ ଅସଫଳ କରାଇ କାଳିଦାସ ଯେପରି ଉନ୍ମାଦରେ ତ୍ୟାଗ ଓ ତପସ୍ୟାର ଆୟୋଜନ କଲେ । ସତେ ଯେପରି ଏସବୁ କିଛି ନୁହେଁ । କୁମାର-ସମ୍ଭବର ପ୍ରଥମ ତିନିସର୍ଗ ଯେପରି ମରୀଚିକା ! କବିଙ୍କର ଯେପରି କୌଣସି ମୋହ ନାହିଁ, କୌଣସି ମମତା ନାହିଁ ତାପ୍ରତି ? ଏ ଦୃଶ୍ୟମାନ୍ ସୌନ୍ଦର୍ଯ୍ୟର ଅପରପାର୍ଶ୍ଵରେ, ଏ ଭାସମାନ ଜଗତର ଅନ୍ତରାଳରେ ଏକ ଶାଶ୍ଵତ ସତ୍ତା ରହିଛି, ତାହାହିଁ ଦର୍ଶାଇବାକୁ ସେ ଯେପରି କୃତସଂକଳ୍ପ ହୋଇଉଠିଲେ ।

 

କାଳିଦାସ ଭୁବନମୋହିନୀଙ୍କର ଗୌରବକୁ ହୃଦୟଙ୍ଗମ କରିଥିଲେ । ଉଚ୍ଛୃଙ୍ଖଳ ପୌରୁଷର ନିର୍ମର୍ଯ୍ୟାଦ ମହତ୍ତ୍ଵାକାଂକ୍ଷାକୁ ଦୋଷ ମନେ କରୁଥିଲେ ସେ । ରାଜ୍ୟଗଠନ, ସୈନ୍ୟ-ସଞ୍ଚାଳନ, ମଠ-ସ୍ଥାପନ । ଓ ନିର୍ଜନ-ବାସ ପୁରୁଷର ସମତାହୀନ, ମର୍ଯ୍ୟାଦାହୀନ, ଶୃଙ୍ଖଳାହୀନ ମହତ୍ତ୍ଵାକାଂକ୍ଷାର ପ୍ରରିଣାମ । ଏସବୁ ନିୟନ୍ତ୍ରିତ କରିପାରିବାର ଏକମାତ୍ର ଶକ୍ତି ହେଉଛି ନାରୀ । କାଳିଦାସ ଏହା ହୃଦୟଙ୍ଗମ କରିଥିଲେ । ଇତିହାସ ସାକ୍ଷ୍ୟ ଦିଏ ଯେ ଏହି ମହିମାମୟୀ ଶକ୍ତିକୁ ଉପେକ୍ଷା କରିଥିବା ସାମ୍ରାଜ୍ୟ ନଷ୍ଟ ହୋଇଛି । ମଠ ବିସ୍ଵସ୍ତ ହୋଇଛି, ଜ୍ଞାନ ଓ ବୈରାଗ୍ୟର ଜଞ୍ଜାଳ ଫେନ-ବୁଦ୍‍ବୁଦ୍‍ଭଳି କ୍ଷଣକ ମଧ୍ୟରେ ବିଲୁପ୍ତ ହୋଇଯାଇଛି । କେଉଁଠି କାଳିଦାସ, ଆଉ କେଉଁଠି ମୁଁ ଅଭାଗା ବଣ୍ଡ ! ମୋତେ କେବଳ ଆଶ୍ଵସ୍ତ କରିବାପାଇଁ ହୁଏତ ଭଟ୍ଟିଣୀ ଏହା କହୁଛନ୍ତି କିମ୍ବା ସେ କାଳିଦାସଙ୍କୁ ଠିକ୍ ବୁଝିନାହାନ୍ତି ! କାଳିଦାସଙ୍କଠାରେ ଉପଲବ୍‍ଧ ମହାସତ୍ୟକୁ ପ୍ରକାଶ କରିବାର କ୍ଷମତା ଥିଲା । ସ୍ଵୟଂ ସରସ୍ଵତୀ ବାସ କରୁଥିଲେ ତାଙ୍କ କଣ୍ଠରେ । ସେ ଥିଲେ ବାଗ୍‍ଦେବତାଙ୍କର ଅତି ପ୍ରିୟ । ମୁଁ ପଥଭ୍ରାନ୍ତ ଓ ଅକର୍ମା । ତାଙ୍କ ସହିତ ମୋର କି ତୁଳନା ! ମୁଁ ଜାଣେ ଭଟ୍ଟିଣୀଙ୍କର ମୋପ୍ରତି ଆଦରଭାବ ରହିଛି । କ୍ଷଣକପାଇଁ ମୁଁ ସବୁ ଚିନ୍ତା ଛାଡ଼ି ଭଟ୍ଟିଣୀଙ୍କର ମନୋହର ମୁଖକୁ ଦେଖିବାକୁ ଲାଗିଲି । ପାଟଳ-ପ୍ରସୂନପରି ରକ୍ତିମ ମୁଖମଣ୍ଡଳ । ରକ୍ତିମା ସୌନ୍ଦର୍ଯ୍ୟକୁ ଶତଗୁଣ ବର୍ଦ୍ଧିତ କରିଥିଲା । ଭଟ୍ଟିଣୀ ମୁହଁ ଫେରାଇ ନିପୁଣିକାକୁ ଦେଖିଲେ । ନିପୁଣିକାର ଉଦାସ ମୁହଁ ଦେଖି ମନହେଲା ସେ ଯେପରି କୌଣସି ଅଜ୍ଞାତ ଆଶଙ୍କାରେ ଭୟଭୀତା ହୋଇପଡ଼ିଛି । ନିଦାଘ ଶେଷରେ ଗ୍ଳପିତ ଆରଗ୍‍ବଧ-କୁସୁମ ପରି ତାର ପୀତ ମୁଖ ମଉଳି ଯାଇଥିଲା, ଆଖିତଳର ନୀଳ ରେଖା ଗାଢ଼ ହୋଇଉଠିଥିଲା । ମୁଁ ଚିତ୍କାର କରି କହିଲି–“ନିଉନୟା, ତୋର କଣ ହୋଇଛି ?” ସେ ନୀରବ ରହିଲା । ଭଟ୍ଟିଣୀଙ୍କର ଆଗ୍ରହ ସତ୍ତ୍ୱେ କୌଣସି କଥା ନ କହି ସେ ଧୀରେ ଧୀରେ ଭିତରକୁ ଚାଲିଗଲା । ଭଟ୍ଟିଣୀ ତାର ଅନୁଗମନ କଲେ । ମୁଁ ନୌକାର ଛାତ ଉପରକୁ ଚାଲିଆସିଲି । ଜ୍ୟୋତ୍ସ୍ନାରେ ରମଣୀୟ ହୋଇଉଠିଥିଲା ଗଙ୍ଗାର ସ୍ଵଚ୍ଛ ସୈକତ ପୁଲିନ । ଦିଗନ୍ତବସ୍ତାରୀ ଗଙ୍ଗାର ଧାର ଦେଖାଯାଉଥିଲା ରଜତଚୂର୍ଣ୍ଣରେ ସମାବୃତ ପାରଦ-ପ୍ରବାହପରି । ଏକ କ୍ଷୀଣ ନୀଳରେଖାରୂପେ ଧାରାଟିର ଆର୍ବିଭାବ ହେଉଥିଲା ଦିଗନ୍ତର ଏକ କୋଣରୁ । ଏକ ପାତାଳ ନୀଳରେଖାପରି ତାହା ବିଲୁପ୍ତ ମଧ୍ୟ ହୋଇଥିଲେ ଅନ୍ୟ କୋଣରେ । ମଝିରେ ତାର ସୋପାନ-ଶ୍ରେଣୀ ରୂପେ ସଜ୍ଜିତ ଚଟୁଳ ଚଟୁଳ ଓ ବାରମ୍ବାର ଧକ୍କାରେ ବିଖଣ୍ଡିତ ଚନ୍ଦ୍ରମାର ପ୍ରତିବିମ୍ବ । ଶାନ୍ତ, ସ୍ନିଗ୍ଧ ଓ ମନୋରମ । ତାରକା-ସଭାରେ ସମ୍ରାଟଭଳି ଶୋଭିତ ଚନ୍ଦ୍ରମା ଗଙ୍ଗାର ଧାରାରେ ନିପୁଣ ମଲ୍ଲପରି ବିବିଧ ବ୍ୟାୟାମର ଅଭ୍ୟାସ କରୁଥିଲା । ମୁଁ ଦେଖିଲି ଏହି ନ୍ୟଶବ୍ଦ ପ୍ରକୃତିର ଅନ୍ତରାଳରେ ଏକ କୋଳାହଳପୂର୍ଣ୍ଣ ସଂଗ୍ରାମ । ଆଗକୁ ବଢ଼ିଯାଉଥିଲା ଭଟ୍ଟିଣୀଙ୍କର ଶିବିକା । ସବୁ କିଛି ଶାନ୍ତ ଓ ଗମ୍ଭୀର । ହଠାତ୍ ପ୍ରତ୍ୟନ୍ତ-ଦସ୍ୟୁଦଳ ଆକ୍ରମଣ କଲେ । ଦୁଇଶହ ବିଶ୍ଵସ୍ତ ସୈନିକ ଧୀରେ ଧୀରେ ନିହତ ହେବାକୁ ଲାଗିଲେ । ଶ୍ରମବିନ୍ଦୁ ସଜ୍ଜିତ ଭାଲପଟରେ ତାଙ୍କର ଦୃଢ଼ ନିଶ୍ଚିତତା, ହାତରେ ତାଙ୍କର ନଗ୍ନ ତରବାରି, କାନ୍ଧରେ ତୀକ୍ଷ୍‍ଣ ଫଳକ କୁନ୍ତ, ହୃଦୟରେ ଆତ୍ମବଳୀର ଅଭିଳାଷ ଓ ମନରେ ଭଟ୍ଟିଣୀଙ୍କୁ ରକ୍ଷା ନ କରିପାରିବାର ପଶ୍ଚାତାପ । ରକ୍ତର ସହସ୍ରଧାର ଛୁଟିଲା ମସ୍ତକରୁ କିନ୍ତୁ ସେମାନେ ଅଟଳ । କନ୍ୟାକୁ ନିର୍ଭୟ ରହିବାପାଇଁ ଧୀର ନାପିତଙ୍କର ଚିତ୍କାର । ତାଙ୍କର ଗଳା ରୁଦ୍ଧ, ମସ୍ତିଷ୍କ ବିଚଳିତ, ବାଣୀ କାତର । ତଥାପି ମନରେ ଭଟ୍ଟିଣୀକୁ ରକ୍ଷା କରିବାର ଅଦମନୀୟ ଆଶା, ଭଟ୍ଟିଣୀଙ୍କର କମଳ-ପ୍ରଫୁଲ୍ଲ ମୁଖ ଭୟଙ୍କର କଳା ପଡ଼ିଗଲା । ସେ ସଂଜ୍ଞାହୀନ ହୋଇପଡ଼ିଲେ । ପ୍ରତିରକ୍ତକଣା ମୋର କର୍କଶ ହୋଇଉଠିଲା । ମନରେ ଏକ ଭଦ୍ଧାମ ଅଭିଳାଷ ଅନୁଭବ କଲି । କିନ୍ତୁ କଣ କରିପାରେ ମୁଁ ? ସଂସାରରେ ଏ ବିକଟ ଘୃଣିତ ଦୃଶ୍ୟ ପ୍ରଥମ ନୁହେଁ କିମ୍ବା ଏହା ତାହାର ସମାପ୍ତି ନୁହେଁ । ବାଣଭଟ୍ଟ ଯେତେ ଚିନ୍ତିତ ଓ ଉତ୍ତେଜିତ ହେଲେ ସୁଦ୍ଧା ଏ ଘୃଣିତ ଦୃଶ୍ୟ ସଂସାରରେ ବାରମ୍ବାର ଦେଖିବାକୁ ମିଳିବ । ମହାପୁରୁଷମାନେ କରୁଣା ଓ ମୈତ୍ରୀର ବହୁ ଗ୍ରନ୍ଥ ଲେଖିଛନ୍ତି ଉପଦେଶ ଦେଇଛନ୍ତି । ଭ୍ରାତୃଭାବ ଓ ଜୀବ-ଦୟା ସମ୍ବନ୍ଧରେ ବହୁ ଗ୍ରନ୍ଥ ଲେଖିଛନ୍ତି; କିନ୍ତୁ ସଫଳତା ପାଇ ନାହାନ୍ତି । ସଂସାରର ସବୁଠାରୁ ବହୁମୂଲ୍ୟ ବସ୍ତୁ କଣ ଚିରଦିନ ଏଭଳି ଅପମାନିତ ହେଉଥିବ ? ଯେତେ ଦିନ ପର୍ଯ୍ୟନ୍ତ ରାଜ୍ୟ ରହିବ, ସୈନ୍ୟ-ସଂଗଠନ ରହିବ ଓ ପୁରୁଷ-ଦର୍ପର ପ୍ରାଚୁର୍ଯ୍ୟ ରହିବ, ସେତେଦିନ ପର୍ଯ୍ୟନ୍ତ ଏହାହିଁ ଚାଲିବ । ମାନବ-ସମାଜରେ ରାଜ୍ୟ ରହିବ ନାହଁ, ସୈନ୍ୟ-ସଂଗଠନ ରହିବ ନାହିଁ, ସମ୍ପତ୍ତିର ମୋହ ରହିବ ନାହିଁ, ଏହା କଣ କେବେ ସମ୍ଭବ ହେବ ? କୌଣସି ଉତ୍ତର ଖୋଜି ପାଉ ନ ଥିଲି । ପଛକୁ ବୁଲି ନିପୁଣିକାକୁ ଅନାଇଲି । ସେ ପ୍ରକୃତସ୍ଥ ହୋଇଯାଇଥିଲା । ହସି ହସି କହିଲା, ‘‘ଗୋଟିଏ କଥା କହିବି ଭଟ୍ଟ, ପଳାଇ ଯିବାର ଚତୁର୍ଥ ଦିନ ଉଜ୍ଜୟିନୀରେ ତମ ସହିତ ମୋର ଦେଖା ହୋଇଥିଲା ।”

 

ବିନା ଭୂମିକାରେ ଏ ପ୍ରସଙ୍ଗର ତାତ୍ପର୍ଯ୍ୟ ମୁଁ ବୁଝିପାରିଲି ନାହିଁ । କିନ୍ତୁ ନିପୁଣିକା ସହିତ ଉଜୟିନୀରେ ମୋର ଭେଟ ହୋଇଥିବାର ଶୁଣି ଆଶ୍ଚର୍ଯ୍ୟ ହେଲି । ପଚାରିଲି–“କଣ କହୁଛୁ ନିଉନିୟା, ଉଜ୍ଜୟିନୀରେ ତୋର ମୋ ସହିତ ଭେଟ ହୋଇଥିଲା ?'

 

“ହଁ ଭଟ୍ଟ, ଉଜ୍ଜୟିନୀରେ ତୁମ ସହିତ ମୋର ଭେଟ ହୋଇଥିଲା । ତୁମେ ସେତେବେଳେ ଶାର୍ବିଳକର ଆଡ଼୍‍ଡ଼ାସ୍ଥଳକୁ ମୋତେ ଖୋଜିବା ପାଇଁ ଯାଇଥିଲ ।”

 

ଶାର୍ବିଳକର ଆଡ଼୍‍ଡ଼ା ! ଉଜ୍ଜୟିନୀର ଜନାକୀର୍ଣ୍ଣ ଲୋକାଳୟରେ ମାଟି ପ୍ରଦୀପରେ ସର୍ବଦା ସୁସଜ୍ଜିତ ସେହି ଦୁର୍ଗନ୍ଧ ପାନ-ଶାଳା ମୋର ମନେ ପଡ଼ିଲା । ମଦ୍ୟପ, ଯୁଆଡ଼ି ଓ ଚେରଙ୍କର ନିବାସ ସ୍ଥଳ । ସ୍ତ୍ରୀଲୋକଙ୍କୁ ପଣ୍ୟ ରୂପେ ବ୍ୟବହାର କରିବାର ବିପଣୀ । ନଗରର ନୀଚ ଶ୍ରେଣୀର ବ୍ୟବସାୟୀ, ବିଦୁଷକ ଓ ଲମ୍ପଟଙ୍କର ଆଡ଼୍‍ଡ଼ା ଥିଲା ସେ ସ୍ଥାନ । ନିପୁଣିକା ତାଙ୍କର ବନ୍ଧନରେ ନାହିଁ ତ ? ଏହି ଆଶଙ୍କାରେ କେତେ ଜଣ ଦଣ୍ଡଧରକୁ ନେଇ ମୁଁ ସେ ନରକ-କୁଣ୍ଡ ଅନୁସନ୍ଧାନ କରିବାକୁ ଯାଇଥିଲି । ସେଇଠି ନିପୁଣିକାର ମୋ ସହିତ ଭେଟ ହୋଇଥିଲା । ଆଶ୍ଚର୍ଯ୍ୟ ହୋଇ ପଚାରିଲି, ‘‘ତୁ ସେଠିକି କିପରି ଗଲୁ, ନିଉନିୟା !”

 

“ମୁଁ ମଦ୍ୟପୀମାନଙ୍କୁ ଚଷକଭରି ମଦ୍ୟ ଦେଉଥିଲି ।’’

 

“ଏଇ ବେଶରେ ?”

 

“ନା, ମୁଁ ବାଳକ-ବେଶ ଧାରଣ କରିଥିଲି ।”

 

ତୁ ସ୍ଵେଚ୍ଛାରେ ଯାଇଥିଲୁ , ନିଉନିୟା ?"

 

“ହଁ ଭଟ୍ଟ, ମୁଁ ସ୍ଵେଚ୍ଛାରେ କେବଳ ଦିନକପାଇଁ ଚାକିରି କରିଥିଲି ଓ ବେତନ ନ ନେଇ ପରଦିନ ପଳାଇଗଲି ।” ଆଶ୍ଚର୍ଯ୍ୟ ହେଲି । ସେ ହସି ହସି କହିଲା, ‘‘ତୁମେ ବୁଝିବ ନାହିଁ ଭଟ୍ଟ, ମୁଁ ବୁଝାଇ ଦେଉଛି ।” ସେ କହିଲା, ‘‘ତୁମେ ଶୁଣି ଆଶ୍ଚର୍ଯ୍ୟ ହେବ ଭଟ୍ଟ, ଯଦିଓ ତୁମର ନର୍ତ୍ତକୀମାନେ ଅବରୋଧରେ ରହୁଥିଲେ ତୁମେ ସେମାନଙ୍କୁ କୁଳ-ବଧୂଙ୍କର ସମ୍ମାନ ଦେଇଥିଲ, ଶାର୍ବିଳକର ଆଡ଼୍‍ଡାସ୍ଥଳ ତାଙ୍କୁ ଜଣାଥିଲା । ଯେଉଁ ଅଶୁଭ ରାତ୍ରିରେ ମୁଁ ତୁମର ଆଶ୍ରୟ ଛାଡ଼ି ପଳାଇ ଆସିଲି, ସେ ରାତ୍ରିରେ ଶାର୍ବିଳକର ଦୋକାନ ବନ୍ଦ ଥିଲା । ସେ ତୁମର ନାଟକ ଦେଖିବାକୁ ଯାଇଥିଲା । ନଟୀର ବେଶରେ ପଳାଇଯାଇ ଉଜ୍ଜୟିନୀର ଶୂନ୍ୟ ଗଳିଗୁଡ଼ିକରେ ବହୁ ସମୟ ପର୍ଯ୍ୟନ୍ତ ବୁଲିଲି । ସେ ରାତ୍ରିରେ ଉଜ୍ଜୟିନୀର ସ୍ତ୍ରୀ-ପୁରୁଷ ସମସ୍ତେ ବାଣ ଭଟ୍ଟର ଅଭିନୟ ଦେଖିବାକୁ ଯାଇଥିଲେ । ଗବାକ୍ଷର କବାଟ ବନ୍ଦ ଥିଲା । ବୀଥୀଗୁଡ଼ିକର ରାଜକୀୟ ପ୍ରଦୀପ ଅନ୍ଧକାର ଦୂର କରିବା ପାଇଁ ଅସଫଳ ପ୍ରଯତ୍ନ କରୁଥିଲେ । ମୁଁ ସ୍ଥିର କରିପାରିଲି ନାହିଁ ମୋର ଯାତ୍ରାପଥ । ଅତି ଖରାପଭାବରେ ଆହତ ହୋଇଥିଲା ମୋର ମନ । ଲଜ୍ଜା ଓ ନୈରାଶ୍ୟରେ ମୁଁ ପାଗଳପରି ହୋଇଥିଲି । ଆଜି ଭାବେ, କେଡ଼େ ମୁର୍ଖତା କରି ନ ଥିଲି ! ବୁଲିବୁଲି କ୍ଲାନ୍ତ ହୋଇପଡ଼ିଲି ଓ ଥରକପାଇଁ ଇଚ୍ଛା ହେଲା ପୁଣି ଫେରିଯିବାକୁ । ବିଶ୍ୱାସ ଥିଲା ତୁମେ ମୋତେ କ୍ଷମା ଦେବ । କିନ୍ତୁ ମୋ ଭାଗ୍ୟହିଁ ଥିଲା ଅପ୍ରସନ୍ନ । କୁଆଡ଼େ ଯାଉଛି ଆଦୌ ଚିନ୍ତା ନ କରି ମୁଁ ଆଗକୁ ଚାଲିଲି ଏବଂ ବୁଲିବୁଲି ଏକ ପ୍ରକାଣ୍ଡ ପ୍ରାସାଦର ସମ୍ମୁଖରେ ଯାଇ ପହଞ୍ଚିଲି । ମନେ ହେଲା, ତା ନିଶ୍ଚୟ ପରମଭଟ୍ଟାରକଙ୍କର କୌଣସି ରାଜକର୍ମଚାରୀଙ୍କର ପ୍ରାସାଦ ହେବ । ପ୍ରାସାଦ ଭିତରେ ପ୍ରଜ୍ଜ୍ୱଳିତ ଦୀପମାଳିକା ଦେଖି ଭାବିଲି ହୁଏ ତ ଦୁଇ ଚାରି ଜଣ ଦାସୀ ଭିତରେ ଅଛନ୍ତି । କେହି ନ ଥିଲେ ବାହାରେ । ଅନ୍ଧକାରରେ ଗୋଟିଏ ସ୍ଥାନରେ ଠିଆହୋଇ ଭାବିଲି ରାତିକପାଇଁ ଏଠାରେ କଣ କେହି ଆଶ୍ରୟ ଦେବେ ? ଏତିକିବେଳେ ମୁଁ ଠିଆ ହୋଇଥିବା ସ୍ଥାନ ପାଖରେ କଣ ହଲିଲାପରି ଜଣାପଡ଼ିଲା ଓ ଗୋଟିଏ ଗର୍ତ୍ତରୁ ଭୁତଭଳି ଦୁଇଜଣ ଲୋକ ବାହାରି ପଡ଼ିଲେ । ତାଙ୍କର ଦେହ ସାରା ତେଲ ମଖାଯାଇଥିଲା ଓ ନୀଳ କାଛେଟୀ ଛଡ଼ା ସେମାନେ ଆଉ କିଛି ପିନ୍ଧି ନ ଥିଲେ । ମୁଁ ତାଙ୍କୁ ଦେଖି ଡରରେ ଚିତ୍କାର କରି ଉଠିଲି ଓ ମୂର୍ଛିତ ହୋଇ ତଳେ ପଡ଼ିଗଲି । ମୋର ଚିତ୍କାର ଶୁଣି ସେମାନେ ପଳାଇଗଲେ । ସେତେବେଳକୁ ତମର ନାଟକ ଅଭିନୀତ ହୋଇସାରିଥିବ । କାରଣ ମୁଁ ପଡ଼ିଯିବାର ଅଳ୍ପ ସମୟ ପରେହିଁ ନଗରର ପ୍ରଧାନ ଗଣିକା ମଦନ ଶ୍ରୀର ଗାଡ଼ି ଆସି ସେଠାରେ ପହଞ୍ଚିଲା । ଉଲ୍‍କାର ପ୍ରକାଶରେ ଜଣେ ଦାସୀ ମୋତେ ଦେଖି ଆଶ୍ଚର୍ଯ୍ୟ ଓ ଭୟରେ ଚିତ୍କାର କରିଉଠିଲା । ମଦନଶ୍ରୀ ଗାଡ଼ିରୁ ଓହ୍ଲାଇ ମୋତେ ଯେତେବେଳେ ଉଠାଇଲା, ସେତେବେଳେ ମୁଁ ସଂଜ୍ଞାହୀନ ନ ଥିଲି; କିନ୍ତୁ ମୋର ଶିରାଗୁଡ଼ିକ ହତଚେଷ୍ଟ ହୋଇଯାଇଥିଲା । ଲଜ୍ଜା ଓ ଭୟରେ ଜଡ଼ୀଭୁତ ହୋଇ ମୁଁ ସେଇଠି ପଡ଼ିରହିଲି । ମଦନଶ୍ରୀ ମୋତେ ଚିହ୍ନି ପାରି ଆଶ୍ଚର୍ଯ୍ୟ ଓ କୌତୂହଳ ହୋଇ କହିଲା, ‘ଏ ତ ବାଣ ଭଟ୍ଟର ନର୍ତ୍ତକୀ !’ ଅତି ସ୍ନେହରେ ମୋ ମୁଣ୍ଡ ଉପରେ ହାତରଖି ସେ ମୋତେ ଥଟ୍ଟାରେ କହିଲା ‘କୁଆଡ଼େ ଚାଲିଛ, ହଲା ! ଏହି ବେଶରେ ଅଭିସାରକୁ ବାହାରି ପଡ଼ିଲୁ । ଯାହାପାଇଁ ଏ ଗହନ ଅନ୍ଧକାରରେ ଚାଲିଛୁ, ସେ ସୌଭଗ୍ୟଶାଳୀ ପ୍ରେମୀ କିଏ ? ସଖି, ସେ ଯେ ବଡ଼ ନିଷ୍ଠୁର, ବଡ଼ କଠୋର !’ ମଦନଶ୍ରୀକୁ ଚିହ୍ନିପାରି ମୁଁ ହସି ହସି କହିଲି, ‘ମୋ ପ୍ରିୟ ତ ଯମ, ହଲା !” ମଦନଶ୍ରୀ ମୋ କପୋଳରେ ମୃଦୁ ଆଘାତ କରି କହିଲା, ‘ଛି, ସରଳେ ! ଏପରି କହନ୍ତି ! ଉଠ ତ !’ ମୁଁ ଉଠିଲି-। ମୋ ବସ୍ତ୍ରରୁ ଓହଳିଥିବା ଏକ ପଟୁଳି ଖସି ପଡ଼ିଲା । ପୁଟୁଳିଟି ଖୋଲିଯାଇ ସବୁ ଜିନିଷ ରାସ୍ତା ଉପରେ ବିଞ୍ଚି ହୋଇଗଲା । ପଳାଇଲାବେଳେ ଚୋର ବୋଧହୁଏ ଫଙ୍ଗି ଦେଇଯାଇଥିଲେ । ଅଲକ୍ତକ (ମହାବର), ମନଃଶିଳା, ହରିତାଳ, ହିଂଗୁଳ ଓ ରାଜାବର୍ତ୍ତର ଚୂର୍ଣ୍ଣ ଥିଲା ପୁଟୁଳିରେ । ତାହା ମଦନଶ୍ରୀର ଚିତ୍ରକର୍ମର ସାମଗ୍ରୀ । ମଦନଶ୍ରୀ ଚିତ୍ର-କର୍ମରେ ନିପୁଣା ବୋଲି ପରେ ଜାଣିଲି । ଭଟ୍ଟ, ମହାକାଳ ମନ୍ଦିରରେ ହର-ପାର୍ବତୀଙ୍କର ଯେଉଁ ମନୁଷ୍ୟଭଳି ପ୍ରତିକୃତି ଦେଖିଛ, ତାହା ଏହି ମନଃଶିଳା ଓ ରାଜାବର୍ତ୍ତ ଚୂର୍ଣ୍ଣର ମିଶ୍ରଣର ସୁପରିଣାମ । ମଦନଶ୍ରୀ' ତାର ଅଦ୍ଭୁତ ପ୍ରୟୋଗ ଜାଣିଥିଲା । ବୋଧହୁଏ ମହମଭଳି କିଛି ଜିନିଷ ସେ ସେଥିରେ ମିଶାଉଥିଲା ଏବଂ ତାର ମିଶ୍ରଣରେ ମନଃଶିଳାର ରଙ୍ଗ ଅଦ୍ଭୁତ-ଭାବରେ ଝଟକି ଉଠୁଥିଲା । ପୁଟୁଳିଟି ଦେଖି ସେ ଆଶ୍ଚର୍ଯ୍ୟ ହେଲା । ମୋଠାରୁ ଚୋରଙ୍କ କଥା ଶୁଣି ଭୟରେ ସେ ସିନ୍ଧି ହୋଇଥିବା ସ୍ଥାନକୁ ଦେଖିଲା । ପୁଟୁଳିଟି ସହିତ ତାର ଶୃଙ୍ଗାର-ପେଟିକା ମଧ୍ୟ ବାହାରେ ପଡ଼ିଥିଲା । କାତରଭାବରେ ସେ ଚିତ୍କାର କରିଉଠିଲା–‘ହଲା, ମୋର ସବୁ ସରିଛି ।’ କିନ୍ତୁ ପେଟିକାରୁ କିଛି ଯାଇ ନ ଥିଲା । କୃତଜ୍ଞତାରେ ମୋର ଗଳା ଜାବୁଡ଼ି ଧରି ସେ କହିଲା, ‘‘ସଖି, ତୁ ନ ଆସିଲେ ମୋର ସର୍ବସ୍ଵ ଯାଇଥାନ୍ତା ।’’ ଟିକିଏ ନୀରବ ରହି କହିଲା ? ‘‘ସଖି, ତୁମେ ତ ବାଣ ଭଟ୍ଟର କୁଳ-ବଧୂ ! ଏଠି କଣ ରାତି ଏ ରହିପାରିବ-?’’ କଣ କହିବି ଭଟ୍ଟ, ତାର କଥା ଶୁଣି କ୍ରୋଧ ଓ ବିମର୍ଷରେ ଲାଲ ହୋଇଗଲା ମୋର ମୁହଁ । ତାର ଏ କଥାର ତାତ୍ପର୍ଯ୍ୟ ତୁମେ ବୁଝିବ ନାହିଁ । ତାହା ହେଉଛି କଳୁଶ ମାନସର କଳୁଷତର ଅଭିଯୋଗ । ମୋର ନିଜ ଉପରେ ବି ବଡ଼ କ୍ରୋଧ ଆସିଲା, କାରଣ ସେ ମୋତେ ସେପର୍ଯ୍ୟନ୍ତ ଅଭିସାରିକା ମନେ କରୁଥିଲା ଓ ମୋତେ ବିରକ୍ତ କରିବାପାଇଁ ଏଭଳି କହୁଥିଲା । କହିଲି, ‘ସଖି, ମୋପରି ଅଭାଗିନୀଙ୍କୁ ଦେଖି ବାଣ ଭଟ୍ଟଙ୍କୁ ଛୋଟ ମନେ କରିବୁ ନାହିଁ । ମୁଁ ଆଉ ସେଠିକି ଯିବି ନାହିଁ ।’ ଆଶ୍ଚର୍ଯ୍ୟରେ ମୋ ମୁହଁକୁ ଅନାଇ ସେ କହିଲା, ‘ଚାଲ ଭିତରକୁ’ । ମୁଁ ମଦନଶ୍ରୀ ସହିତ ତାର ବିଶାଳ ମହଲ ଭିତରେ ପ୍ରବେଶ କଲି । ଯାହାକୁ କ୍ଷଣକପୂର୍ବରୁ ବାଣ ଭଟ୍ଟର ‘‘କୁଳ-ବଧୂ” ବୋଲି କୁହାଯାଇଥିଲା, ଗଣିକାର ଗୃହରେ ପ୍ରବେଶ କରିବା ପୂର୍ବରୁ ତାର ମରିଯିବା ଉଚିତ ଥିଲା । ଭଟ୍ଟ, ମୁଁ ତୁମର ପବିତ୍ର ନାମକୁ କଳଙ୍କିତ କରିଛି, ମୁଁ ଅପରାଧିନୀ ।”

 

ଏତିକ କହି ନିପୁଣିକା ଓଢ଼ଣା ଟାଣି ମୋତେ ପ୍ରଣାମ କଲା । ମୁଁ ଧଡ଼ପଡ଼ ହୋଇ ଉଠି ଠିଆହେଲି । ନିପୁଣିକାର କଥାର ରହସ୍ୟ ମୁଁ ଆଦୌ ବୁଝି ପାରି ନଥିଲି । ସେ ଶାନ୍ତଭାବରେ କହିଲା–“ବସ ଭଟ୍ଟ, ଆଉ ଟିକିଏ ବସ ।” ମୁଁ ବସିଲି । ନିପୁଣିକାର ଚେହେରା ପ୍ରସନ୍ନ ହୋଇ ଉଠିଲା । କ୍ଷଣକମଧ୍ୟରେ ମେଘମୁକ୍ତ ଚନ୍ଦ୍ରମଣ୍ଡଳପରି, ଶୈବାଳମୁକ୍ତ କମଳ ପୁଷ୍ପପରି, ପରିସ୍କୃତ ପୁଷ୍କରଣୀପରି ଓ କୁଜଝଟିକା-ବିରହିତ ଦିଙ୍ ମଣ୍ଡଳପରି ସେ ପ୍ରସନ୍ନ ଓ ନର୍ମଳ ହୋଇଗଲା । ସତେ ଯେପରି ତାର ହୃଦୟରୁ ଏକ ବିଶାଳ ଶଲ୍ୟ ବାହାରିଗଲା ଓ ମନଭିତରର କଣ୍ଟା ବାହାରି ଆସିଲା । ସେ ପୁଣି କହିଲା–“ମଦନଶ୍ରୀର ପ୍ରାସାଦ ବିଶାଳ । ତାର ଦ୍ଵାର-ଦେଶରେ ବିବିଧ କୁସୁମ-ମାଳିକା ସୁସଜ୍ଜିତ ହେଇଥିଲା । ଭିନ୍ନ ଭିନ୍ନ ପ୍ରକୋଷ୍ଠରେ ଶୁକସାରିକା, ହଂସ କାରଣ୍ଡବ, ମୟୂର ସାରସ ରହୁଥିଲେ । ଘୋଟକ ଓ ମେଷଙ୍କ ପାଇଁ ଅନ୍ୟ ପ୍ରକୋଷ୍ଠ ଥିଲା । ରସିକମାନଙ୍କ ବିଶ୍ରାମ ପାଇଁ ଓ ନୃତ୍ୟ-ଗୀତ ଶୁଣିବାପାଇଁ ବିଭିନ୍ନ ପ୍ରକୋଷ୍ଠ ଥିଲା । ମଦନଶ୍ରୀର ପ୍ରମୋଦ ବନର ବେଦି ଉପରେ କୁସୁମାସ୍ତରଣ ପ୍ରସ୍ତୁତ କରୁଥିଲେ ନଗରର ବିଶିଷ୍ଟ ଶ୍ରେଷ୍ଠୀ କୁମାରମାନେ । ତାର କ୍ରୀଡ଼ା-ପୁଷ୍କରିଣୀର କଂସ ଓ ଚିତ୍ରବାକଙ୍କୁ ମୃଣାଳ ଭକ୍ଷଣ କରାଇବାକୁ ରସିକମାନେ ନିଜର ସୌଭାଗ୍ୟ ମନେକରୁଥିଲେ-। ଭଟ୍ଟ ! ବଡ଼ ଉଦ୍ଧିତ ଗର୍ବରେ ସେ ତୁମ ବିଷୟରେ କୁବାକ୍ୟ କହିଥିଲା ସତ, କିନ୍ତୁ ସେ ଦୋଷ ନ ଥିଲା । ସେ ପୁରୁଷ ଦେଖି ନଥିଲା । ସେଠାର ବିପଟ, ଲମ୍ପଟ ଓ ସ୍ତ୍ରେଣ ରଙ୍ଗଭୂମିରେ ମନୁଷ୍ୟର ସତ୍ତା ନଥିଲା ।” ତୋର ବାଣଭଟ୍ଟ ପରି ଶତ ଶତ ଏଠାକୁ ପାଦ ଚାଟିବାକୁ ଆସନ୍ତି’–ତାର ଏ କଥା ଶୁଣି ମୁଁ ରାଗ କରି ନଥିଲି । କେବଳ ଉପେକ୍ଷାରେ ହସି ଦେଇଥିଲି । ଚୀନାଂଶୁକରେ ସାଜିହୋଇ, ଗଳାରେ ରତ୍ନାଭଳୀ ପିନ୍ଧି, ଲୋଧ୍ରରେଣୁରେ କପୋଳ ସଂସ୍କାର କରି ଓ ସାଲକ୍ତକ ପାଦକୁ କୁସୁମ-ସ୍ତବକଯୁକ୍ତ ଉପାନହରେ ସଜ୍ଜିତ କରି ପରଦିନ ସେ ଯେତେବେଳେ ତୁମର ସାକ୍ଷାତପାଇଁ ବାହାରିଲା, ମୁଁ କ୍ଷଣକପାଇଁ ଆଶ୍ଚର୍ଯ୍ୟ ହେଲି । ତୁମର ମନେ ଅଛି ନା ଭଟ୍ଟ, ଆରଦିନ ସେ ତୁମ ସହିତ ସାକ୍ଷାତ୍ କରିବାପାଇଁ ଯାଇଥିଲା ?”

 

ମୁଁ ସେ ଘଟଣା ଭୁଲିଯାଇଥିଲି । ନିପୁଣିକା ସ୍ମରଣ କରାଇଦେଲା ପରେ ଉଜ୍ଜୟିନୀର ମଦନଶ୍ରୀର ରୂପ ସ୍ମୃତିପଟରେ ଆସି ଉପସ୍ଥିତ ଥିଲା । ସେଦିନ ନିପୁଣିକାର କୌଣସି ସମ୍ବାଦ ନପାଇ ମୁଁ ବିଶେଷ ଚିନ୍ତିତ ଥିଲି । ସେତିକିବେଳେ ଜଣେ ଭୃତ୍ୟ ଆସି ସମାଚାର ଦେଲା ଯେ ନଗରୀର ପ୍ରଧାନ ଗଣିକା ମଦନଶ୍ରୀ କାଲିର ଅଭିନୟର ସଫଳତାପାଇଁ ଧନ୍ୟବାଦ ଦେବାକୁ ଆସିଛି । ମୁଁ ତାକୁ ସ୍ଵାଗତ ଜଣାଇଥିଲି । କୁଳକନ୍ୟାର ଶୀଳତା ଓ କବିର ପ୍ରତିଭା ଥିଲା ତାଠାରେ । ସେ ଅଲକ୍ତକ ମଧ୍ୟ ଧାରଣ କରିଥିଲା । କୁଟ୍ଟିମ-ଭୂମି ଉପରେ ତାର ପାଦରୁ ପ୍ରବାଳ-ମଣିର ସେ ଧାରାରୁପରେ ବହିଜାଇଥିବା ବିଷୟ ମୋର ଖୁବ୍ ମନେ ଅଛି । ମନେ ହେଲା ରକ୍ତିମ ଲାବଣ୍ୟ-ସ୍ରୋତରେ କୁଟ୍ଟିମ ଯେପରୀ ପ୍ଳାବିତ ହୋଇଗଲା । ତାର ଚୀନାଂଶୁକ ଅଞ୍ଚଳରେ ଏକ ଲଘୁ ଲୋହିତ ଖେଳୁଥିଲା । ନୂପୁରର କ୍ଵଣନ-ଧ୍ଵନୀରେ ସେହି ତରଙ୍ଗାୟିତ ଅଲକ୍ତାଭ ଶୋଭିତ ହେଉଥିଲା । ମୁଁ ହୁଏତ ରତ୍ନାବଳୀ ମାଳାକୁ ଲକ୍ଷ୍ୟକରି ନ ଥିଲି କିନ୍ତୁ ତାର । ଅଂଶୁକାନ୍ତ (ଅଞ୍ଚଳ)ର ବାହାରକୁ ବାହାରିଥିବା ବାହୁଯୁଗଳକୁ ଦେଖି ମୃଣାଳ-ନାଳର ଭ୍ରମ ହୋଇଥିଲା । ପାତାଳ ସୁଢ଼ଳ ଅଙ୍ଗୁଳିର ନଖ-ପ୍ରଭାରେ ତାହା ବଳୟିତ ଜଣାପଡ଼ିଥିଲା । ନଗରୀର ପ୍ରଧାନ ଗଣିକା ହେବାର ଯୋଗ୍ୟା ଥିଲା ମଦନଶ୍ରୀ । ଅନୁରାଗ-ସାଗରର ତରଙ୍ଗଭଳି ମୋହନୀୟ ଦେଖାଯାଉଥିଲା ପ୍ରବାଳପରି ତାର ରକ୍ତିମ ଅଧରଯୁଗଳ । ଗଣ୍ଡସ୍ଥଳର ରକ୍ତାବଦାତ କାନ୍ତି ଦେଖି ମଦିରା-ରସପୂର୍ଣ୍ଣ ମାଣିକ୍ୟ-ଶୁକ୍ତିର ସମ୍ପୁଟ ମନେ ପଡ଼ିଲା । ଶତଦଳ ବିବଦ୍ଧ ଭ୍ରମରପରି ମନୋହର ଦେଖାଯାଉଥିଲା ତାର ବିସ୍ତାରିତ କୃଷ୍ଣ ନୟନଯୁଗଳ । ମଦମତ୍ତ ଯୌବନ-ଗଜରାଜିର ମଦରାଜିଭଳି ତରଙ୍ଗାୟିତ ହେଉଥିଲା ଭୃଲତା ଓ ଲଲାଟପରେ ଅନୁରାଗ ପ୍ରଦୀପପରି ପ୍ରଜ୍ଜ୍ୱଳିତ ହେଉଥିଲା ମନଃଶିଳାର ରକ୍ତିମ ବିନ୍ଦୁ । ମାଣିକ୍ୟ କୁଣ୍ଡଳରେ ଚୂର୍ଣ୍ଣ ଲାଗିଥିବାର ଦେଖି ମନେ ହେଲା କପୋଳ ତାର ଲୋଧ୍ରରେଣୁରେ ସଜ୍ଜିତ । ସତେ ଯେପରି କର୍ଣ୍ଣୋତ୍ପଳରୁ କ୍ଷରିତ ମଧୁଧାରାରେ ପଦ୍ମ-କେଶରଚୂର୍ଣ୍ଣ ପ୍ରବାହିତ ହେଉଥିଲା । ଲଲାଟ-ମଣିର ଲାଲ କିରଣରେ ଧୌତ ତାର କୃଷ୍ଣ କେଶପାଶ ସନ୍ଧ୍ୟାକାଳୀନ ମେଘାଡ଼ମ୍ବରପରି ଦର୍ଶକଙ୍କୁ ବିଶେଷ ଆକୃଷ୍ଟ କରୁଥିଲା । ମନେ ହେଲା, ସତେ ଯେପରି ଏକ ଅଦ୍ଭୁତ ମତ୍ତତା ଜଗତକୁ ବିହ୍ଵଳ କରୁଛି । ବାଳିକାର ସରଳତା ଫୁଟିଥିଲା ତାର ହସରେ । ସେହି ଶୋଭାର ମନୋହାରିଣୀ ପଦ୍ମରାଗ-ପୁତ୍ତଳିକାକୁ ଦେଖି ମୋର ଉଦବିଗ୍ନ ଚିତ୍ତ କ୍ଷଣକ-ପାଇଁ ସ୍ଥିର ହୋଇଯାଇଥିଲା । ଖୁବ କମ୍ କଥାବାର୍ତ୍ତା ହୋଇଥିଲା ତା ସହିତ । ବିଦ୍ୟୁତର କ୍ଷଣସ୍ଥାୟୀ ପ୍ରଭାପରି ସେ ବିସ୍ମରଣର ଏକ କାନ୍ତି ଛାଡ଼ିଗଲା । ମୋତେ ଲାଗିଲା ସେ ଯେପରି ମୋର ବୈଦଗଧ୍ୟର ଆଦର କରିପାରିଲା ନାହିଁ । ମୁଁ ମଧ୍ୟ ସେସବୁକୁ ଖାତିର କଲି ନାହିଁ । କାରଣ ମୁଁ ସେଦିନ ନିଜର ବିଦଗଧତାର ଶ୍ରାଦ୍ଧ କରିବାକୁ ଯାଉଥିଲି । ନିପୁଣିକା କହିଲା–“ଭଟ୍ଟ, ଫେରିଲାବେଳକୁ ତାର ମୁହଁ ଶୁଖିଯାଇଥିଲା । ସ୍ତ୍ରୀଙ୍କୁ ସମ୍ମାନ କରି ସୁଦ୍ଧା ତାଙ୍କର ପାଦତଳ ଚାଟୁ ନଥିବା ପୁରୁଷ ସେ ପ୍ରଥମ ଥର ପାଇଁ ଦେଖିଲା । ଶୁଷ୍କ ହସ ହସି କହିଲା, ‘ବାଣ ଭଟ୍ଟ ମଣିଷ ନୁହେଁ, ହଲା !’ ମୁଁ ଗର୍ବରେ ଉତ୍ତର ଦେଲି–‘ସେ ଦେବତା ସଖୀ । ‘ଭଟ୍ଟ, ମୁଁ ତମର ନାମ କଳଙ୍କିତ କରିଥିଲି; କିନ୍ତୁ ତୁମେ ମୋର ମାନ ରଖିଲ । ତା ଆଗରେ ଗର୍ବରେ ମୋର ମୁଣ୍ଡ ଟେକି ହୋଇଗଲା-। ସେହିଦିନୁ ମୁଁ ନିଜକୁ ହାଡ଼ମାଂସର ପଦାର୍ଥଠାରୁ ଅଧିକ କିଛି ବୋଲି ମନେକରିବାକୁ ଲାଗିଲି । ତୁମେ ମୋତେ ମୁକ୍ତି ଦେଇଛ, ଭଟ୍ଟ !”

 

ଆଶ୍ଚର୍ଯ୍ୟ ହୋଇ ମୁଁ ନିପୁଣିକାର କଥାତକ ଶୁଣୁଥିଲି । ଆଉ ଧୈର୍ଯ୍ୟ ରଖିବା ଅସମ୍ଭବ ହେଲା । କହିଲି, ‘‘ମୁଁ ଦେବତା, ଏହା ଜାଣିବା ବର୍ତ୍ତମାନ ମୋ ପକ୍ଷରେ କି ଆବଶ୍ୟକତା, ନିଉନିୟା-? ପ୍ରକୃତ କଥା କହୁନୁ କାହିଁକି ? ଏତେ ବଡ଼ କାହାଣୀର ଆଜି କି ପ୍ରୟୋଜନ ?” ନିପୁଣିକା ଆହତ ସ୍ଵରରେ କହିଲା, ‘‘ତୁମ ପକ୍ଷରେ ଏ କାହାଣୀର କୌଣସି ମୂଲ୍ୟ ନାହିଁ; କିନ୍ତୁ ଏ ତ ମୋର ସର୍ବସ୍ଵ ! ପାପ-ପଙ୍କରେ ନିମଗ୍ନା ନିଉନିୟା ପାଖରେ ଆଉ କି ଧନ ଅଛି, ଭଟ୍ଟ ?” ମୁଁ ସ୍ନେହରେ କହିଲି, ‘‘ନା ନିଉନିୟା, ମୋ ପକ୍ଷରେ ତୋର ମୂଲ୍ୟ ପର୍ଯ୍ୟାପ୍ତ । ମୁଁ ତୋର ସାରା-ଜୀବନର କାହାଣୀ ଶୁଣିବାକୁ ଚାହେଁ । ମୋଠାରେ ତୁ ଯାହା କିଛି ଲକ୍ଷ୍ୟ କରିଛୁ ମୁଁ ନିଜେ ତା’ ଦେଖିପାରି ନାହିଁ କି ବୁଝିପାରି ନାହିଁ-। ମୁଲ୍ୟ କାହିଁକି ନ ରହିବ ? କିନ୍ତୁ କଣ ପ୍ରୟୋଜନ କହ ତ-?”

 

ସବୁକିଛି ଯେପରି ସେ କହି ଯିବାକୁ ଚାହୁଁଥିଲା । ତାକୁ ବନ୍ଦ କରିବା ଅନୁଚିତ ମନେ କଲି, କାରଣ ତଦ୍ଦ୍ୱାରା ତାର ଦୁଃଖୀ ହୃଦୟକୁ ଆହୁରୀ ଆଘାତ ଲାଗିଥାନ୍ତା । ଥରେ ଆଘାତ ଦେଇ ଯେଭଳି ଚିନ୍ତିତ ଓ ଉଦ୍‍ବିଗ୍ନ ହୋଇଥିଲି, ତାର ପୁନରାବୃତ୍ତି ଅନୁଚିତ ! ସେ ସ୍ମିତହସି କହିଲା–“ତୁମେ ବିଶ୍ୱାସ କରିପାରିବ ନାହିଁ ଭଟ୍ଟ ! ମଦନଶ୍ରୀ କିଭଳି ପରାଜିତା ହୋଇଥିଲା !” ନିପୁଣିକାର ଆଖି ପୁଣି ନଇଁଗଲା ଓ ସେ ରହି ରହି କହିଲା, ‘‘କହିବି ଭଟ୍ଟ ? ଦିନେ ମଦନଶ୍ରୀର ପ୍ରମୋଦବନରେ ବୁଲୁଥିଲି । ପ୍ରମୋଦନର ପୂର୍ବପଟେ ଅଶୋକ ଓ ବକୁଳ ବୃକ୍ଷ; ମଝିରେ ମାଧବୀ-ଲତାର ମଣ୍ଡପ । ତାର ଚାରିପଟେ କୁରୁବକର ବେଷ୍ଟନୀ ଦିଆଯାଇଥିଲା । ସେହି ଏକାନ୍ତ କୁଞ୍ଜରେ ମୁଁ ଆଶ୍ଚର୍ଯ୍ୟ ହୋଇ ଉଜ୍ଜୟନୀର ପ୍ରଧାନ ଗଣିକାକୁ ଏକାଗ୍ରଚିତ୍ତରେ ଚିତ୍ର ଆଙ୍କିବାର ଦେଖିଲି । ତାର ହୃଦୟ ଯେ ଗମ୍ଭୀର ଅନୁରାଗରେ ଉତକ୍ଷିପ୍ତ, ଏହା ଅତି ଅନଭିଜ୍ଞ ମଧ୍ୟ ବୁଝିପାରିଥାନ୍ତା । ବିସ୍ତ୍ରସ୍ତ ହୋଇପଡ଼ିଥିଲା ତାର ଦୁକୂଳ, ଶିଥିଳ ହୋଇଯାଇଥିଲା ତାର କଞ୍ଚୁକବନ୍ଧ, ସ୍ଥିର ଓ ଚିନ୍ତାମଗ୍ନ ହୋଇଥିଲା ନୟନ-ପକ୍ଷ୍ମ । ପ୍ରବାଳମଣିସମ ରକ୍ତିମ ଓଷ୍ଠରେ ମନଃଶିଳା ଓ ଲାଜାବର୍ତ୍ତର ରଙ୍ଗ ଲାଗିଥିଲା । ସେତେବେଳେ ବନସ୍ଥଳୀ ଥିଲା ଶାନ୍ତ ବୃକ୍ଷରେ ପକ୍ଷୀ-ରାବ ନଥିଲା; ଲତାଗୁଡ଼ିକର କିଶଳୟ ଯେପରି ସଂଭ୍ରମରେ ସ୍ତବ୍ଧ ହୋଇଥିଲେ ! ଅତି ସନ୍ତର୍ପଣରେ ତାର ପଛରେ ଠିଆହୋଇ ମୁଁ ଗଣିକାର କଳା-ନୈପୁଣ୍ୟ ଦେଖିବାକୁ ଲାଗିଲି । ଚିତ୍ରର ପ୍ରାୟ ସମସ୍ତ ଅଙ୍ଗକୁ ସେ ନୀଳ ପ୍ରାବରଣରେ ଢାଙ୍କି ରଖିଥିଲା, ବାକି ଥିଲା କେବଳ ପାଦର ଆଙ୍ଗୁଳି । ଅତି ଯତ୍ନରେ ସେ ରଙ୍ଗ ପ୍ରୟୋଗ କରୁଥିଲା ସେଥିରେ । ଚିତ୍ରର ସମାପ୍ତିପରେ ଅତି ସୁକୁମାର ଭଙ୍ଗୀରେ ନୀଳ ପ୍ରାବରଣକୁ କାଢ଼ିନେଲା ସେ । ମୁଁ ଆଶ୍ଚର୍ଯ୍ୟରେ ସ୍ତବ୍‍ଧ ହୋଇଗଲି । ଭଟ୍ଟ, ତୁମର ଚିତ୍ର !”

 

ମୁଁ ହସି ହସି କହିଲି, ‘‘ନିଉନିୟା, ଚଣ୍ଡୀ-ମଣ୍ଡପର ପୂଜାରୀଙ୍କପରେ ଉପହାସ କରିବାର ଯୋଗ୍ୟ ବ୍ୟକ୍ତି ତୋତେ ମଳି ନଥିଲା, ବର୍ତ୍ତମାନ ମୁଁ ମିଳିଛି ।” ମଧୁର ହସ ହସି ସେ ମୁଣ୍ଡ ଉପରକୁ ଟେକିଲା । ଆଖି ତାର ବାରମ୍ବାର ତଳକୁ ନଇଁଯାଉଥିଲା ଓ ବାରମ୍ବାର ସେ ଉପରକୁ ଉଠାଇବାକୁ ଚେଷ୍ଟା କରୁଥିଲା । ହସର ଶୁଚିତା ଆଖିକୁ ଉପରକୁ ଉଠାଉଥିଲା ଓ ସରସତା ତଳକୁ ନଇଁ ଦେଉଥିଲା । ସେ କହିଲା, ‘‘କିନ୍ତୁ ପ୍ରକୃତ କଥା ତ ଏପର୍ଯ୍ୟନ୍ତ କହିନାହିଁ ।” ଏଥର ସେ ଆଖି ନତ କରି ଅନେକ ସମୟ ପର୍ଯ୍ୟନ୍ତ ହସିବାକୁ ଲଗିଲା । ତା ପରେ କହିଲା, ‘‘ଭଟ୍ଟ, ତାର ହାତପାପୁଲି ସ୍ଵେଦଯୁକ୍ତ ହୋଇଥିଲା ଓ ଚିତ୍ର ଉପରେ ଗୋଟିଏ ଦୁଇଟି ଅଶ୍ରୂବିନ୍ଦୁ ମଧ୍ୟ ପଡ଼ିଥିଲା ।” ଏହି ଯେ ତାର ମନଗଢ଼ା କଥା, ତାରି ଆଖିରୁ ଜଣାପଡ଼ୁଥିଲା । ମୁଁ କହିଲି, ‘‘ସାତ୍ଵିକ ଭାବନାର ସ୍ଵେଦବିନ୍ଦୁ !” ଖୁବ୍ ଜୋରରେ ହସି-ଉଠିଲା ସେ । ମୁହଁରେ ଅଞ୍ଚଳ ଦେଇ କିଛି ସମୟ ହସିବାକୁ ଲାଗିଲା, ତାପରେ କହିଲା, "ପଛରୁ ମୋର ଶବ୍ଦ ଶୁଣି ଗଣିକା ଲଜ୍ଜିତ ହେଲା । ଭଟ୍ଟ, କି ସୁନ୍ଦର ଦେଖା ଯାଉଥିଲା ତାର ସଲଜ୍ଜ ମୁଖମଣ୍ଡଳ । ତୁମେ ଦେଖିଥାନ୍ତ ତ କବିତା ଲେଖିଥାନ୍ତି । ମୁଁ ହସି ପଚାରିଲି–‘କେଉଁ ଭାଗ୍ୟବାନର ଚିତ୍ର ଆଙ୍କୁଛୁ, ହଲା ?’ ଲଜ୍ଜା ଓ ଅନୁରାଗ ଗଣିକାକୁ ମୂକ କରୋନା, ଆହୁରି ପ୍ରଗଳ୍‍ଭ କରେ । ସେ ହସି କରି କହିଲା, ‘ତୋର ଦେବତାର ! ’ ଓ ହସି, ଚିତ୍ର ଫଳକଟି ମୋତେ ଦେଇଦେଲା । ମୁଁ ତାକୁ ଚୋରାଇକରି ଆରଦିନ ପଳାଇଗଲି ।” ନିପୁଣିକା ଟିକିଏ ନୀରବ ରହି କହିଲା–“ମୁଁ ବେଶି ଦିନ ବଞ୍ଚିବି ନାହିଁ ଭଟ୍ଟ; ଅଳ୍ପ ଦିନର ଅତିଥି ମୁଁ । ତୁମକୁ ମୋର ଏକ ଅନୁରୋଧ ରଖିବାକୁ ପଡ଼ିବ ।” ନିପୁଣିକାର କାହାଣୀର ଏଭଳି ଉପସଂହାର ଶୁଣି–ମୁଁ ବିଚଳିତ ହେଲି । କହିଲି–“ଛି, ନିଉନିୟା, ଏପରି କହିବା କହିବା କଣ ଉଚିତ ! କିନ୍ତୁ ସେ ଶୁଣିବାକୁ ପ୍ରସ୍ତୁତ ନଥିଲା; କହିଲା–“ପଳାୟନ କଲାବେଳେ ମୁଁ ବାଳକ ବେଶ ଧାରଣ କରିଥିଲି । ତୁମ ଘର ପାଖକୁ ଯାଇଥିଲି; କିନ୍ତୁ ଶୁଣିଲି ତୁମେ ଯିବ ସାର୍ବିଳ ଖୋଜିବାପାଇଁ ବାହାରକୁ ଯାଇଛ । ଆହୁରି ଜାଣିପାରିଲି ଦଣ୍ଡଧରଙ୍କ ସହିତ ଶାର୍ବିଳକର ଦୋକାନ ଅନୁସନ୍ଧାନ କରିବାପାଇଁ ତୁମେ ଯିବ । ଥରେ ମାତ୍ର ତୁମକୁ ଦେଖି ଉଜ୍ଜୟିନୀ ଛାଡ଼ିଦେବାପାଇଁ ଚାହୁଁଥିଲି । ଶାର୍ବିଳକର ଦୋକାନକୁ ଗଲାବେଳେ ବାଟରେ ଶାକଦ୍ଵୀପର ଜଣେ ବ୍ରାହ୍ମଣ ଜ୍ୟୋତିଷୀଙ୍କ ସହିତ ଦେଖାହେଲା । ମୋତେ ଦେଖିଲା ମାତ୍ରେ ସେ କହିଲେ–‘ଆ ପୁଅ, ତୋର ଭାଗ୍ୟ କହିବି ।’ ମୁଁ ଜ୍ୟୋତିଷୀଙ୍କୁ ଗୋଟିଏ ଅସରପି ଦେଲି । ସେ ନାନାପ୍ରକାର ଚିତ୍ର କାଟି କହିଲେ–“ତୋର ଭବିଷ୍ୟତ ଖୁବ୍ ଚମତ୍କାର କିନ୍ତୁ ତୋତେ ଦୁଃଖ ଭୋଗିବାକୁ ପଡ଼ିବ ।” ମୁଁ ପଚାରିଲି–‘ଯାହାଙ୍କ ସହିତ ସାକ୍ଷାତ୍ କରିବାକୁ ଯାଉଛି, ତାଙ୍କ ବିଷୟରେ କିଛି କୁହ ।’ କିଛି ସମୟ ଗଣନା କଲାପରେ ସେ କହିଲେ, ‘‘ସେ ବଡ଼ ଯଶସ୍ଵୀ କବି ହେବ; କିନ୍ତୁ କୌଣସି ରଚନା ତାର ସମାପ୍ତ ହେବ ନାହିଁ । କବିତା ଲେଖିବା ଆରମ୍ଭ କରିବା ଦିନଠୁଁ ତାର ଆୟୁ କ୍ଷୀଣ ହେବାକୁ ଲାଗିବ । ତା ପରେ ସେ ସହସ୍ର ଦିନପର୍ଯ୍ୟନ୍ତ ବଞ୍ଚି ରହିପାରେ ।’ ଜ୍ୟୋତିଷୀଙ୍କର କଥାରେ ମୁଁ ଶଙ୍କିତ ହୋଇ ହାତଯୋଡ଼ି କହିଲି–‘ଏଥିରୁ ରକ୍ଷା ପାଇବାର କୌଣସି ବିଧି ଅଛି ଆର୍ଯ୍ୟ ?' ଜ୍ୟୋତିଷୀ ମୁଣ୍ଡ ହଲାଇ କହିଲେ–‘ଅଛି, ତାକୁ କହିବୁ, କୌଣସି ଜୀବିତ ବ୍ୟକ୍ତିର ନାମରେ ସେ ଯେପରି କାବ୍ୟ ନ ଲେଖେ । ‘ ଏହା ଶୁଣି ତତ୍‍କ୍ଷଣାତ୍‍ ଶାର୍ବିଳକର ଦୋକାନକୁ ଗଲି । ସୌଭାଗ୍ୟବଶତଃ ସେ ସେତେବେଳେ ପ୍ରସନ୍ନ ଥିଲା ଓ ମୋତେ ମଦ୍ୟପାନ ପାତ୍ର ଭରିବା କାର୍ଯ୍ୟରେ ନିଯୁକ୍ତ କରିଦେଲା । ତୁମେ ଯେତେବେଳେ ଦଣ୍ଡଧରଙ୍କ ସହିତ ଆସିଲ, ପ୍ରାଣଭରି ତୁମକୁ ଦେଖିଲି । ତୁମେ ଘୃଣାରେ ମୋ ଆଡ଼କୁ ଅନାଇଲ ବି ନାହିଁ । ଅଳ୍ପ ସମୟପରେ ନଗର ପ୍ରତିହାରୀ ଆସିଥିଲେ ! ନିଜର ଲେଖା ନାଟକକୁ ତୁମେ ସିପ୍ରାରେ ଫିଙ୍ଗିଦେଇଛ ଏବଂ ଯେତେ ଦିନପର୍ଯ୍ୟନ୍ତ ନିପୁଣିକା । ନମିଳିଛି, ସେତେ ଦିନପର୍ଯ୍ୟନ୍ତ ତୁମେ ନାଟକ ଲେଖିବ ନାହିଁ କିମ୍ବା ଅଭିନୟ କରାଇବ ନାହିଁ ବୋଲି ତାଙ୍କୁ କହୁଥିଲ । ମୁଁ ଶୁଣି ଆଶ୍ଵସ୍ତ ହେଲି ଓ ସାକ୍ଷାତ ନ କରିବାର ସଂକଲ୍ପ ନେଇ ପଳାଇ ଆସିଲି । ଆଜି ଭଟ୍ଟିଣୀଙ୍କ ବିଷୟରେ ତୁମର କବିତା ଲେଖିବା କଥା ଶୁଣି ମୁଁ ଆତଙ୍କିତ ହୋଇପଡ଼ିଛି । ତୁମକୁ କହିବାକୁ ଆସିଛି ଭଟ୍ଟ, ଭଟ୍ଟିଣୀ କିମ୍ବା ଅନ୍ୟ କୌଣସି ଜୀବିତ ବ୍ୟକ୍ତିଙ୍କ ବିଷୟରେ ତୁମେ କଦାପି କବିତା ଲେଖିବ ନାହିଁ । ମୋର ଅନୁରୋଧ ରଖ । ମୁଁ ଅକିଞ୍ଚନ, କେବଳ ଏତିକି ପ୍ରାର୍ଥନା କରିପାରିବି ।”

 

ନିପୁଣିକା ଜାନୁପାତ କରି ପ୍ରଣାମ କଲା । ମୁଁ ତାକୁ ଆଶ୍ୱାସନା ଦେଇ କହିଲି–“ତୋର ଅନୁରୋଧ ମୁଁ ପାଳନ କରିବି, ନିଉନିୟା । ଜ୍ୟୋତିଷୀର କଥା କିନ୍ତୁ ମୁଁ ବିଶ୍ୱାସ କରୁ ନାହିଁ ।” ବିସ୍ଫାରିତ ନେତ୍ରରେ ନିଉନିୟା ମୋତେ ଦେଖିବାକୁ ଲାଗିଲା । ଜ୍ୟୋତିଷୀଙ୍କ କଥା କଣ ଅବିଶ୍ଵାସ କରାଯାଏ ? ମୁଁ ବେଶି କିଛି ନକହି କେବଳ ଆକାଶକୁ ଅନାଇ ଏକ ଦୀର୍ଘନିଃଶ୍ଵାସ ନେଲି । ମୁଁ ଜଣେ ଏପାଖର ଯବନମାନେ ଯେଉଁ ହୋରା-ଶାସ୍ତ୍ର ଓ ପ୍ରଶ୍ନ-ଶାସ୍ତ୍ର ନାମକ ଜ୍ୟୋତିଷ ବିଦ୍ୟାର ପ୍ରଚାର ଏ ଦେଶରେ କରିଛନ୍ତି, ତାହା ଯାବନୀ ପୁରାଣଗାଥା ଅନୁଯାୟୀ ରଚିତ । ଭାରତୀୟ ବିଦ୍ୟା ଯେଉଁ କର୍ମଫଳ ଓ ପୁନର୍ଜ୍ଜନ୍ମର ସିଦ୍ଧାନ୍ତ ପ୍ରତିପାଦିତ କରିଛି, ତା ସହିତ ଏହାର କୌଣସି ସମ୍ପର୍କ ନାହିଁ । ଆମର ପୁରାଣ-ପ୍ରଥିତ ଗ୍ରହ-ଦେବତାଙ୍କର ଜାତି, ସ୍ଵଭାବ ଓ ଲିଙ୍ଗ ବିଷୟରେ ସେମାନେ ଅଦ୍ଭୁତ ବିରୋଧମୂଳକ ବିଷୟ ଅନ୍ତର୍ଭୁକ୍ତ କରିଛନ୍ତି । ଆମର ପୁରାଣ-ପ୍ରସିଦ୍ଧ ଶୁକ୍ର ଓ ଚନ୍ଦ୍ରମାଙ୍କୁ ତାଙ୍କର ଜ୍ୟୋତିଷରେ ସ୍ତ୍ରୀ-ଗ୍ରହ ବୋଲି ଗ୍ରହଣ କରାଯାଇଛି, କାରଣ ଯବନ-ଗାଥାରେ ଭେନସ୍ ଓ ଡିଏନା ହେଉଛନ୍ତି ଦେବୀ । ଗ୍ରହ-ମୈତ୍ରୀର ବିଧାନ ମଧ୍ୟ ଅଦ୍ଭୂତ ! ଆର୍ଯ୍ୟ ପୁରାଣ-ଗ୍ରନ୍ଥରେ ଏଭଳି ମୈତ୍ରୀ-ବନ୍ଧନପ୍ରତି କୌଣସି ସମର୍ଥନ ନାହିଁ । ଦେଶର ଅଶିକ୍ଷିତ ଜନ-ସମୂହଙ୍କୁ ଏ ବିଦ୍ୟା ଖୁବ୍ ପ୍ରଭାବିତ କରିଥିଲା ଓ ଧୀରେ ଧୀରେ ତାହା କୁସଂସ୍କାର ରୁପରେ ରାଜା ଓ ପଣ୍ଡିତମାନଙ୍କ ମଧ୍ୟରେ ବ୍ୟାପୁଥିଲା । ଆଶ୍ଚର୍ଯ୍ୟର କଥା, ଭଗବାନ୍ ବୁଦ୍ଧଙ୍କର ପ୍ରବର୍ତ୍ତିତ ସୌଗତ-ମାର୍ଗରେ ମଧ୍ୟ ତାର ପ୍ରାଧାନ୍ୟ ସ୍ଥାପିତ ହୋଇସାରିଥିଲା । ଏ ରହସ୍ୟ ମୁଁ ଜାଣିଥିଲି କିନ୍ତୁ ନିଉନିୟା ଜାଣି ନଥିଲା । ତଥାପି ତାକୁ ଆଶ୍ୱସ୍ତ କରିବାପାଇଁ କୌଣସି ଜୀବିତ ବ୍ୟକ୍ତିଙ୍କ ବିଷୟରେ କବିତା ଲେଖିବାପାଇଁ ମୁଁ ଦ୍ଵିଧା କରିବି ବୋଲି ପ୍ରତିଜ୍ଞା କଲି । ଶେଷପର୍ଯ୍ୟନ୍ତ ମୋର ଏ ପ୍ରତିଜ୍ଞା ରହିଲା ନାହିଁ; କିନ୍ତୁ ପ୍ରତିଜ୍ଞା ଭଙ୍ଗବେଳକୁ ନିପୁଣିକା ଲୋକାନ୍ତର ପ୍ରସ୍ଥାନ କରିଥିଲା । ଆମେ ଦିହେଁ କିଛି ସମୟ ନୀରବରେ ବସି ରହିଲୁ । ନୌକାର ଭିତରୁ ଆନନ୍ଦ-ଗଦ୍‍ଗଦ ସ୍ଵରରେ ଶୁଣାଗଲା–ଜଳୌଧମଗ୍ନା ସଚରାଚରା ଧାରା ବିଷାଣକୋଟ୍ୟାଖିଳମୂର୍ତ୍ତୀ ଧାରିଣା, ସମୁଦ୍ଧୃତା ଯେନ ବରାହରୂପିଣା ସ ମେ ସ୍ୱୟଂ ଭୂର୍ଭଗବାନ ପ୍ରସୀଦତୁ । ଭଟ୍ଟିଣୀଙ୍କର କଣ୍ଠ । ଧଡ୍‍ପଡ଼୍ ହୋଇ ନିପୁଣିକା ଉଠି କହିଲା, ‘‘ଭଟ୍ଟିଣୀଙ୍କର ପୂଜା ଶେଷ ହୋଇଛି । ଚାଲ, ପ୍ରସାଦ ନେବା ।”

Image

 

ନବମ ପରିଚ୍ଛେଦ

 

ତ୍ରିବେଣୀ ପାରିହେଲାପରେ ଆମର ନୌକାଗୁଡ଼ିକ ବିନା ଗୁଣକର୍ଷରେ ତୀବ୍ରଗତିରେ ଅଗ୍ରସର ହେବାକୁ ଲାଗିଲେ । ତା’ ପୂର୍ବରୁ ମହ୍ଲାରମାନଙ୍କୁ ଅନେକ ସ୍ଥାନରେ ନୌକାଗୁଡ଼ିକ ଟାଣିବାକୁ ଓ ଠେଲିବାକୁ ପଡ଼ିଥିଲା । କିନ୍ତୁ ପ୍ରୟାଗପରେ ପାଣି ଆଉ କମ୍ ନ ଥିଲା । ଗଙ୍ଗା ସେଠାରେ ଛୋଟ ଛୋଟ ପାହାଡ଼ ପାର୍ଶ୍ଵରେ ପ୍ରାୟ ବାଟ ଭାଙ୍ଗି ଚାଲିଥିଲା । ବିନ୍ଧ୍ୟାଟବୀ ମୋ ଜୀବନରେ ଏକ ବଡ଼ ଆକର୍ଷଣ ! ପୂର୍ବ-ସମୁଦ୍ରରୁ ଅପର-ସମୁଦ୍ର ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ପୃଥିବୀର ମନୋହର ମେଖଳା ସମ, ମଧ୍ୟ-ଦେଶର ଅଳଙ୍କାରସ୍ଵରୂପା ଏହି ପରମରମଣୀୟ ବିନ୍ଧ୍ୟାଟବୀ ବାଲ୍ୟକାଳରୁହିଁ ମୋର ଚିତ୍ତରୂପୀ ଚପଳ ଅଶ୍ଵର ଯେପରି ଏକ ବଲଗାଭଳି କାର୍ଯ୍ୟ କରୁଥିଲା । ବୈରାଗ ରୂପ ଦ୍ଵିରଦ (ହାତୀ)ର ଅଙ୍କୁଶ ହୋଇଥିଲା ଓ ଭ୍ରମଣୋନ୍ମାଦ ରୂପମାନସ-ଦ୍ଵନ୍ଦର କବଚ ହୋଇ ରହିଥିଲା । ବୁଲି ବୁଲି ତାରି ପାଖକୁ ଫେରିଆସିଛି । ସେଠାର ବୃକ୍ଷଗୁଡ଼ିକର ମାୟା କାଟି-ପାରିନାହିଁ । ଅରଣ୍ୟ ହାତୀଙ୍କର ମଦଜଳରେ ସିକ୍ତ ହୋଇ ବଢ଼ିଥିଲା ବୃକ୍ଷଗୁଡ଼ିକ । ମସ୍ତକ ଉପରର ଶ୍ଵେତ କୁସୁମ ବହୁ ଉଚ୍ଚରେ ସ୍ଥିତ ହୋଇଥିବାଯୋଗୁଁ ଦୋଳାୟମାନ ନକ୍ଷତ୍ରପରି ତାହା ଶୋଭିତ ହେଉଥିଲା ଏବଂ ସେଗୁଡ଼ିକର ଘନଛାୟା ଯୁଗପତ୍ ଶାନ୍ତି ଓ ସଂଭ୍ରମ ଉତ୍ପନ୍ନ କରୁଥିଲା । ଶୈଶବକାଳରେ ମୁଁ ଏ ବିଶାଳ ବିନ୍ଧ୍ୟାଟବୀର କେବଳ ଗୋଟିଏ ଅଂଶର ଆସ୍ଵାଦ ପାଇଥିଲି । ଆଜି ଦେଶ-ବିଦେଶ ଭ୍ରମଣରେ ତାର ପ୍ରତ୍ୟେକ ଅଂଶର ରସ ପୂର୍ଣ୍ଣଭାବରେ ଉପଲବ୍‍ଧି କଲି । ସ୍ଥାନେ ସ୍ଥାନେ ମଦମତ୍ତ କୁକୁର ପକ୍ଷୀ ଚାଂଚୁରେ ମରୀଚ-ପଲ୍ଲବକୁ ପେଷଣ କରୁଥିବାର ଦେଖିଲି । ମଧୁପାନରେ ରକ୍ତିମ କେରଳ-କାମିନୀର କପୋଳ ତଳର ଶୋଭା ଆହରଣ କରୁଥିବା ବାଳ-ତରୁ-ପଲ୍ଲବ ଦେଖି ମନେ ହେଲା ସତେ ଯେପରି ଲୀଳା-ଲୋଳ ବନ-ଦେବତାମାନଙ୍କର ଚରଣାଲକ୍ତକ ରଙ୍ଗରେ ତାହା ରକ୍ତବର୍ଣ୍ଣ ଧାରଣ କରିଛି । ଲତା-ମଣ୍ଡପଗୁଡ଼ିକର ନିମ୍ନଭାଗ ଶୁକ ପକ୍ଷୀଙ୍କର ଚଞ୍ଚୁକ୍ଷତ ଦାଡ଼ିମ୍ବଫଳର ରସରେ ଆର୍ଦ୍ର ହୋଇଯାଇଥିଲା । ଚପଳ ବାନରଦ୍ଵାରା ନାରଙ୍ଗୀ ବୃକ୍ଷର ଫଳ ଓ ପଲ୍ଲବ ତଳେ ପଡ଼ିଥିଲା; ନିରନ୍ତର ପୁଷ୍ପ-ରେଣୁ ଝଡ଼ିବା ଫଳରେ ବନସ୍ଥଳୀ ରେଣୁମୟ ହୋଇଉଠିଥିଲା ଓ ଭିତରେ ପଥିକମାନେ ଲବଙ୍ଗ-ପଲ୍ଲବର ଶଯ୍ୟା ବିଛାଇ ବିଶ୍ରାମ କରୁଥିଲେ ।

 

ପାହାଡ଼ଗୁଡ଼ିକର ନିମ୍ନଦେଶରେ ଆମର ନୌକା ଯାତ୍ରା କଲାବେଳେ ମୋର ଚିତ୍ତ ଛିନ୍ନ-ରଜ୍ଜୁ, ବୃଷଭପରି ଆଗକୁ ଦୌଡ଼ି ଚାଲିଥିଲା ଓ ମଦସ୍ରାବୀ ଗଜଯୂଥ, ନିର୍ଝର-ମୁଖର ଗିରି-କନ୍ଦର, ନୀରନ୍ଧ୍ର ନୀଳ ନିଚୁଳ (ବେତ) କୁଞ୍ଜ ଲବଙ୍ଗ ଏବଂ ତମାଳର ଆବେଗରେ ଚଞ୍ଚଳଗତି ହୋଇଯାଇଥିଲା । ଚରଣାର୍ଦ୍ରି-ଦୁର୍ଗ (ଚୂନାର)କୁ ବିନ୍ଧ୍ୟାଟବୀ-ବେଷ୍ଟିତ ଗଙ୍ଗା ତିନି ପାର୍ଶ୍ଵରୁ ଘେରି ରହିଥିଲା । ଏକ ଦୃଷ୍ଟିରେ ମୁଁ ଦୁରବ୍ୟାପୀ ବଦରୀ-ବୃକ୍ଷର ବିସ୍ତାର, ପଣସ ବନ ଓ ସୀତାଫଳ ବନରାଜି ଦେଖିବାକୁ ଲାଗିଲି । ବନ-ଦେବତାଙ୍କର ଏହି ଆବାସସ୍ଥଳରେ, ଉନ୍ମଦ ମୟୂରଙ୍କର ଏହି ବିହାରସ୍ଥଳରେ ବନ୍ୟ ହସ୍ତୀପୂର୍ଣ୍ଣ ଏହି କାନ୍ତାରରେ, ନିର୍ଝର-ମୁଖର ଏହି ବିନ୍ଧ୍ୟାଟବୀ ଲମ୍ପ ଦେବାକୁ ଇଚ୍ଛା ହେଲା । ଦୁର୍ଗର ଅପର ପ୍ରାନ୍ତରେ ଥିବା ଘାଟରେ ନୌକାଗୁଡ଼ିକ ଅଟକିଲେ । ଉଦାସ ଦୃଷ୍ଟିରେ ବିନ୍ଧ୍ୟାଟବୀକୁ ଦେଖିଲି, କାରଣ ସେଠାରେ ପ୍ରବେଶ କରିବାପାଇଁ ମୋର ସ୍ଵାତନ୍ତ୍ର ନଥିଲା ।

 

ପାଖ ନୌକାର ଜଣେ ସୈନିକ-ଯୁବକ ମୋ ପାଖକୁ ଆସି ଜାନୁପାତପୂର୍ବକ ପ୍ରଣାମ କରି କହିଲା–“ଆର୍ଯ୍ୟ, ଅନୁମତି ଦେଲେ ଗୋଟିଏ ପ୍ରୟୋଜନୀୟ ବିଷୟରେ କିଛି ନିବେଦନ କରିବି-।” ମୁଁ ଭଲ କରି ଯୁବକଟିକୁ ଲକ୍ଷ୍ୟ କଲି-ବଳିଷ୍ଠ ଶରୀର, ଚୌଡ଼ା ଛାତି, ବଡ଼ ବଡ଼ ଆଖି ଓ ସହଜ ଆନନ୍ଦମୟ ମୁଖମଣ୍ଡଳ । ଅହେତୁକ ଆନନ୍ଦ ହେଲା ମନରେ । କହିଲି–“କଣ କହିବାକୁ ଚାହଁ, ଭଦ୍ର-! ନିର୍ଭୟରେ କୁହ ।” ଯୁବକ ନମ୍ରତା ସହ କହିଲା–“ଆର୍ଯ୍ୟ, ଏହା ହେଉଛି ଚରଣାର୍ଦ୍ରି ଦୁର୍ଗ । କାନ୍ୟକୁବ୍‍ଜେଶ୍ଵରଙ୍କର ଏହାହିଁ ହେଉଛି ପୂର୍ବପଟର ଦୁର୍ଗ । ଏହା ପରେ ଅରାଜକତା । ଉତ୍ତରପଟର କାଶୀ ଓ ଦକ୍ଷଣର କରୁଷ ଜନପଦ ବର୍ତ୍ତମାନ ମଗଧର ଗୁପ୍ତମାନଙ୍କ ହାତରେ ନାହିଁ । ମହା ରାଜାଧିରାଜଙ୍କର ଜ୍ୟେଷ୍ଠ ଏଠାରେ କୁଶଳତାର ନୀତି ପ୍ରୟୋଗ କରିଛନ୍ତି । ଉତ୍ତରତଟର କେତେକ ବ୍ରାହ୍ମଣଙ୍କୁ ସେ ନିଷ୍କର ଭୂମି ଦାନ ଦେଇ ସେମାନଙ୍କୁ ନିଜ ପକ୍ଷର କରିନେଇଛନ୍ତି । ଏହି ଦାନଭୂମି ଭୋଗ କରୁଥିବା ବ୍ରାହ୍ମଣ ମାନେ ସମସ୍ତ ଜ0ନପଦରେ ମୁଖ୍ୟ ହୋଇଉଠିଛନ୍ତି । ସେମାନେହିଁ ଏ ପଟର ସାମନ୍ତ । ସେମାନଙ୍କ ମଧ୍ୟରୁ ବୈଦିକ କ୍ରିୟା ଲୋପ ହୋଇଯାଉଛି । ସେମାନେ ଆଜିକାଲି ଉନ୍ମୁକ୍ତଭାବରେ ବୌଦ୍ଧ ରାଜାଙ୍କର ସମର୍ଥନ କଲେଣି । କିନ୍ତୁ ଦକ୍ଷିଣର ବ୍ୟାଘ୍ରସରୋବରରେ ଅଭୀର ସାମନ୍ତ ଈଶ୍ଵରସେନଙ୍କର ପ୍ରତିପତ୍ତି ରହିଛି । ସେ ଗୁପ୍ତସମ୍ରାଟମାନଙ୍କର ଅତି ବିଶ୍ଵାସଭାଜନ । ନୌକାକୁ ଉତ୍ତରତଟରେ ନେବା ପାଇଁ କୁମାର ଆଦେଶ ଦେଇଛନ୍ତି । ତାଙ୍କର ଇଚ୍ଛା, ଆମେ କାନ୍ୟରକୁବଜର ଲୋକ ବୋଲି କେହି ଯେପରି ନ ଜାଣନ୍ତି ! ଏ ସ୍ଥାନରେ ଆର୍ଯ୍ୟଙ୍କୁ ମଧ୍ୟ ସାବଧାନ ରହିବାକୁ ପଡ଼ିବ ।

 

ଏ ସମ୍ବାଦରେ ମୋର ଯେପରି ନିଦ୍ରାଭଙ୍ଗ ହେଲା । କୁମାରଙ୍କର ଉପଦେଶ ମନେ ପଡ଼ିଲା । ସେ ସଙ୍କୋଚପୂର୍ବକ ମୋତେ କହିଥିଲେ, ମିଥ୍ୟା କହିବା ସର୍ବଦା ଅନୁଚିତ ନୁହେଁ । ଏହି ଅବସରପାଇଁ କଣ ସେ ଏହି ଉପଦେଶ ଦେଇଥିଲେ ? ଯଦି ସେ ଉପଦେଶର ଆବଶ୍ୟକତା ଏଠାରେ ପଡ଼ିପାରେ, ତାହେଲେ ଆମେ ନିଶ୍ଚୟ କୌଣସି ଭୀତିପ୍ରଦ ସ୍ଥାନରେ ଆସି ପହଞ୍ଚିଛୁ । ମୁଁ କିଛି କହିଲି ନାହିଁ; କିନ୍ତୁ ମୋ ମୁହଁରେ ଉଦ୍‍ବେଗର ଚିହ୍ନଲକ୍ଷିତ ହୋଇଥିବ ନିଶ୍ଚୟ । କାରଣ ସେହି ପ୍ରସନ୍ନ-ମନୋହର ଯୁବକର ଦୀପ୍ତ ଭାଲପଟରେ ଗାମ୍ଭୀର୍ଯ୍ୟ ଦେଖାଦେଲା । ତାର ଗଣ୍ଡସ୍ଥଳ ଧୌତ-କେଶର 'କଦମ୍ବ-ପୁଷ୍ପପରି ପରିମ୍ଳାନ ହୋଇଥିଲା ଓ ତାର ଲାଲ ଓଷ୍ଠ କିଛି କହିବାପାଇଁ ବ୍ୟଗ୍ରଭାବରେ ସ୍ଫୁରିତ ହେଲା । କିନ୍ତୁ କିଛି ନ କହି ଧୀରେ ଧୀରେ ପ୍ରଣାମ କରି ସେ ଫେରିଗଲା; କିଛି ସମୟପରେ ଜଣେ ବୃଦ୍ଧ ସୈନିକଙ୍କ ସାଥିରେ ପୁଣି ଫେରିଆସିଲା । ମୁଁ ଚିନ୍ତିତ ହୋଇ ପଡ଼ିଥିଲି । ଭଟ୍ଟିଣୀଙ୍କୁ ନେଇ ମୁଁ କଣ ପୁଣି କୌଣସି ଭୟର ସ୍ଥାନକୁ ଅଗ୍ରସର ହେଉଛି ? କିନ୍ତୁ ମୁଁ ତ କାନ୍ୟକୁବଜେଶ୍ୱରଙ୍କ ରାଜ୍ୟ ଅତିକ୍ରମ କରିବାକୁ ଯାଉଛି ! ଭୟ କରିବାର କଣ ଅଛି ?

 

ବୃଦ୍ଧ ସୈନିକ ପ୍ରଣିପାତ କରି କହିଲେ–“ଆର୍ଯ୍ୟ, ଏ ବାଳକ ଆପଣଙ୍କୁ ଯାହା କହିଛି ତା’ ସତ୍ୟ । କିନ୍ତୁ ଆପଣ ଚିନ୍ତିତ ବା ଉଦ୍‍ବିଗ୍ନ ହେବାର କୌଣସି କାରଣ ନାହିଁ । ଅପର ନୌକାରେ ଦଶ ଜଣ କ୍ଷତ୍ରିୟ-କୁମାର ଆପଣଙ୍କର ରକ୍ଷାପାଇଁ ପ୍ରସ୍ତୁତ ଅଛନ୍ତି । ଆର୍ଯ୍ୟ, ଏ ଧମନୀରେ ମୌଖରୀଙ୍କର ଉଷ୍ଣ ରକ୍ତ ପ୍ରବାହିତ ହେଉଛି । ମୁଁ ପ୍ରତାପୀ ଯଶୋବର୍ମାଙ୍କର ସେବକ । ମଦମତ୍ତ ହସ୍ତୀଙ୍କର ଧାରାଜଳ ବର୍ଷାରେ ମୋର ଆୟୁ କଟିଛି, ଶସ୍ତ୍ରର ଟଙ୍କାରରେହିଁ ମୁଁ ଜୀବନର ସଙ୍ଗୀତ ଶୁଣିଛି ଓ ଅଶ୍ଵର ପୃଷ୍ଠରେହିଁ ମୋର ବିଶ୍ରାମ ହୋଇଛି । ମୌଖରୀମାନଙ୍କର ପ୍ରତାପାନଳ ଆଜି ନିର୍ବାପିତ ସତ; କିନ୍ତୁ ସେ ଜାତିରେ ଏବେ ମଧ୍ୟ ପ୍ରାଣ ରହିଛି । ମୋର ଅଶେଷ ପୁଣ୍ୟ ଯେ ଆଜି ଏ ପବିତ୍ର ଜାହ୍ନବୀର ଜଳଧାରାରେ ବ୍ରାହ୍ମଣ ଦମ୍ପତିଙ୍କର ସମ୍ମାନ-ରକ୍ଷାର ଭାର ଏହି ହସ୍ତ ଉପରେ ପଡ଼ିଛି । ଆପଣ ନିରୁଦ୍‍ବିଗ୍ନ ରହନ୍ତୁ, ଆର୍ଯ୍ୟ ! ଆଜିପର୍ଯ୍ୟନ୍ତ ବିଗ୍ରହବର୍ମା ପରାଜୟ ଦେଖିନାହିଁ । ମୃତ୍ୟୁର ପ୍ରାଚୀର ଉପରେ ଠିଆହୋଇ ସେ କଦାପି ନିଜର ସମସ୍ତ ଜୀବନର ଯଶରେ କାଳିମା ଲେପିହେବାକୁ ଦେବ ନାହିଁ ।”

 

ଏକ ଅତି ସହଜ ଭାବ ଥିଲା ବୃଦ୍ଧଙ୍କର ଦର୍ପୋଦ୍ଧତ ଗର୍ବୋକ୍ତିରେ । ତାଙ୍କର ପ୍ରତି ଲୋମକୂପରେ ଆତ୍ମ-ବିଶ୍ଵାସ ପ୍ରକଟିତ ହେଉଥିଲା । କିନ୍ତୁ ‘‘ମୌଖରୀ” ଶବ୍ଦ ମୋତେ ବିସ୍ମିତ କଲା-। ଭଟ୍ଟିଣୀ ଏକଥା ନ ଜାଣିବା ଉଚିତ । କୁମାର ଜାଣିଶୁଣି କାହିଁକି ମୌଖରୀ-ବୀରଙ୍କୁ ଆମର ରକ୍ଷାପାଇଁ ନିଯୁକ୍ତ କଲେ ? ପୁଣି ଏ ବୃଦ୍ଧ କ୍ଷତ୍ରିୟ ସୈନିକ ‘‘ବ୍ରାହ୍ମଣ-ଦମ୍ପତି” ବୋଲି କାହାକୁ କହୁଛନ୍ତି ? ଭିତରେ ଭିତରେ ମୁଁ ପରିମ୍ଳାନ ହୋଇଗଲି । ଭଟ୍ଟିଣୀ ଯଦି କୌଣସି କଥା ଜାଣିପାରନ୍ତି, ତାହେଲେ କି ଲଜ୍ଜାର କଥା ! ମୁଁ କହିଲି, ‘‘ଜାଣେ ଭଦ୍ର, ପ୍ରତାପୀ ଯଶୋବର୍ମାଙ୍କର ବିମଳ କୀର୍ତ୍ତି ସହିତ ମୁଁ ପରିଚିତ । ଦୁର୍ଦ୍ଧର୍ଷ ପରାକ୍ରମୀ ଯଶୋବର୍ମାଙ୍କୁ କିଏ ନ ଜାଣେ ? ଦୃଢ଼ ମୁଷ୍ଟିବଦ୍ଧ ତରବାରି ତାଙ୍କର ମଦମତ୍ତ ହସ୍ତୀଙ୍କର କୁମ୍ଭ ପୃଷ୍ଠ ଉପରେ ପଡ଼ିଲାବେଳେ ସ୍ଥୂଳ ସ୍ଥୂଳ ଗଜମୁକ୍ତା ଏପରି ଲାଗିଯାଏ ଯେ ସତେ ଯେପରି ବଦ୍ଧମୁଷ୍ଟିର ସାମର୍ଥ୍ୟରେ ତରବାରିର ଧାରହିଁ ବିନ୍ଦୁ ରୂପରେ ଗଡ଼ିପଡ଼ିଛି । ସେହି ମୁକ୍ତାଲଗ୍ନ ଦନ୍ତୁର କୃପାଣଧାର କେତେ ଯେ ଶତୃ-ଗଜଲକ୍ଷ୍ମୀଙ୍କୁ ପଦାନତ କରିଛି-! ଜାଣେ ଭଦ୍ର, ସେହି ଅତୁଳପରାକ୍ରମୀ ମୌଖରୀ ବୀରଙ୍କୁ ମୁଁ ଜାଣେ । ତୁମର ପ୍ରତାପୀ ଭୁଜଦଣ୍ଡ ଉପରେ ମଧ୍ୟ ମୋର ବିଶ୍ଵାସ ରହିଛି ଭଦ୍ର ! ମୁଁ ନିଶ୍ଚିନ୍ତ । କିନ୍ତୁ ଗୋଟିଏ କଥା ଜାଣିବାକୁ ମୁଁ ଉତ୍ସୁକ-! ତୁମେ କଣ ଛୋଟ ମହାରାଜାଙ୍କର ସୈନିକ ?”

 

ବୁଦ୍ଧଙ୍କର ଚକ୍ଷୁ ରକ୍ତବର୍ଣ୍ଣ ଧାରଣ କଲା । ସେଥିରୁ ଯେପରି ଅଗ୍ନି-ସ୍ଫୁଲିଙ୍ଗ ନିର୍ଗତ ହେବାକୁ ଲାଗିଲା । ରୋଷ-ରୁଦ୍ଧ କଣ୍ଠରେ ସେ କହିଲେ–“ନା ଆର୍ଯ୍ୟ, ଛୋଟ ମହାରାଜ ଲମ୍ପଟ । ସେ ମୌଖରି ବଂଶର କଳଙ୍କ । ତାଙ୍କୁ ପୋଷି ନୀତି-ନିପୁଣ ମହାରାଜାଧିରାଜ ଶ୍ରୀ ହର୍ଷବର୍ଦ୍ଧନ ସାରା ଦେଶରେ ମୌଖରୀଙ୍କପ୍ରତି ଘୃଣା ଉତ୍ପନ୍ନ କରାଇ ଦେଇଛନ୍ତି । ମୁଁ ପଟ୍ଟଦେବୀ ରାଜ୍ୟଶ୍ରୀଙ୍କର ଆଜ୍ଞାରେ ବୌଦ୍ଧ ନରପତିଙ୍କର ସେବା କରୁଛି । ପଟ୍ଟଦେବୀ ହରଜଟା–ପ୍ରବାହିତା ଜାହ୍ନବୀଙ୍କ ଭଳି ପବିତ୍ର, ଅଦ୍ଵିତୀୟ ପତିଧର୍ମଚାରିଣୀ ଅରୁନ୍ଧତୀଙ୍କର ପାର୍ଥିବ ବିଗ୍ରହ, ଏ ଧରିତ୍ରୀକୁ ଭ୍ରମରେ ଚାଲି ଆସିଥିବା କଳ୍ପ-ଲତିକା, ପାର୍ବତୀଙ୍କର ତରଳ ହାସର ମୂର୍ତ୍ତିମତୀ ପ୍ରତିମା ଓ ସରସ୍ଵତୀଙ୍କର କର୍ପୂର ଗୌର କାନ୍ତିର ପାର୍ଥୀବ ରୂପ । ସେହି ହେଉଛନ୍ତି ମୌଖରୀମାନଙ୍କର ନେତ୍ରୀ; ତାଙ୍କର ସର୍ବସ୍ଵ । ଆଜି ଏହି ଦେବୀଙ୍କୁ ରୂପରେ ମୌଖରୀ-ରାଜଲକ୍ଷ୍ମୀ ଜୀବିତ । ଆଜି ମଧ୍ୟ ତାଙ୍କରି ଇଙ୍ଗିତରେ ମୌଖରୀ-ବୀର ଧରିତ୍ରୀକୁ ଆନ୍ଦୋଳିତ କରିପାରନ୍ତି । ତାଙ୍କରି ଇଚ୍ଛାରେହିଁ ଆମେ ବର୍ତ୍ତମାନ ମହାରାଜାଧିରାଜଙ୍କର ବିଶ୍ଵସ୍ତ ଅନୁଚର । ତାଙ୍କରି ଦୟାଳୁତାପାଇଁ ଛୋଟ ମହାରାଜ ଏପର୍ଯ୍ୟନ୍ତ ଜୀବିତ ଅଛନ୍ତି; ନହେଲେ ମୌଖରୀଙ୍କର କୁଳ-କଳଙ୍କ ରାଜ ନାମଧାରୀ ଏ ଅତ୍ୟାଚାରୀ ମେଷ କେବେଠୁ ନରକଯାତ୍ରା କରନ୍ତାଣି ।” ବୃଦ୍ଧଙ୍କର କଥାରେ ମୁଁ ଆଶ୍ଵସ୍ତ ହେଲି ଓ ଅତି ଉତ୍ସାହର ସହିତ ତାଙ୍କୁ ସାଧୁବାଦ ଦେଲି । ମୋର ସନ୍ତୋଷଭାବ ଦେଖି ସତେ ଯେପରି ବୃଦ୍ଧଙ୍କୁ ଖୁବ ବଡ଼ ପୁରସ୍କାର ମିଳିଗଲା । ସେ ପ୍ରଣାମ କରି ସହଜ ଭାବରେ ଚାଲିଗଲେ । କିଛି ସମୟପରେ ନୌକା ଯାତ୍ରା ଆରମ୍ଭ କଲା ।

 

ଆଭୀର ସାମନ୍ତ ଈଶ୍ଵରସେନଙ୍କ ସୈନିକମାନଙ୍କର ଆମ ଉପରେ ସନ୍ଦେହ ହେଲା । ସେମାନେ ନୌକା ଅଟକ କରିବାକୁ ଚାହିଁଲେ । ଯୁଦ୍ଧ ଅବଶ୍ୟମ୍ଭାବୀ । ଆରମ୍ଭ ମଧ୍ୟ ହୋଇଗଲା । ସେତେବେଳେ ବୋଧହୁଏ ଅର୍ଦ୍ଧରାତ୍ରି । ଆମର ନୌକା ଯଥ ଶକ୍ତି ଖସିଯିବାକୁ ଚେଷ୍ଟା କଲାବେଳେ ଗୋଟିଏ ସ୍ଥାନରେ ସେମାନେ ଘେରାଉ କରିନେଲେ । ତମସାର ସଙ୍ଗମ ପାରିହୋଇଯାଇଥିଲୁ । ଆଉ କୌଣସି ଛୋଟ ନଦୀର ସଙ୍ଗମ ମଧ୍ୟ ପନ୍ଥରେ ରହିଯାଇଥିଲା । ଆମେ ମଗଧର ସୀମା ଭିତରେ ପ୍ରବେଶ କରିଯିବାପାଇଁ ଚାହୁଁ ଥିଲୁ । କିନ୍ତୁ ଯାହା ନହେବାର କଥା, ତା ହେଲା ନାହିଁ ଓ ଯାହା ହେବାର କଥା, ତାହା ହେଲା । ବିଗ୍ରହବର୍ମା ଓ ତାଙ୍କର ବୀର ସୈନିକମାନେ ଅଦ୍ଭୁତ ବିକ୍ରମରେ ପ୍ରତିପକ୍ଷ ଉପରେ ଆକ୍ରମଣ କଲେ । ସଂଖ୍ୟାରେ ସେମାନେ ଥିଲେ ଅପରପକ୍ଷଠାରୁ କମ୍ କିନ୍ତୁ ପଳାଇଯିବା ଅସମ୍ଭବ । ଦେଖୁ ଦେଖୁ ତାଙ୍କର ହୁଙ୍କାରରେ ଦିଙ୍ମଣ୍ଡଳ, ଧନୁଷ୍ଟଙ୍କାରରେ ଆକ ଶମଣ୍ଡଳ ଓ ବଣରେ ରଙ୍ଗର ଧରା ପରିପୂର୍ଣ୍ଣ ହୋଇଗଲା । ସୈନିକଙ୍କର କବଚରୁ ସ୍ଫୁଲିଙ୍ଗ ନିର୍ଗତ ହୋଇ ଅନ୍ଧକାରର ନୀଳିମାକୁ ଚ୍ଛିନ୍ନ ବିଚ୍ଛିନ୍ନ କରିବାକୁ ଲାଗିଲା । ଦ୍ରୁତ ବେଗରେ ପୂର୍ବ ଦିଗକୁ ଅଗ୍ରସର ହେବାକୁ ଆମର ନୌକା ଯେତିକି ଚେଷ୍ଟା କରୁଥିଲା; ଆମର ପ୍ରତିପକ୍ଷ ସେତିକ ବେଗରେ ଆମକୁ ଘେରିଯିବାକୁ ଚାହୁଁଥିଲେ । କ୍ରମଶଃ ସେମାନେ ନିକଟତର ହେବାକୁ ଲାଗିଲେ ଓ ଏତେ ନିକଟକୁ ଆସିଗଲେ ଯେ ଆଉ ବାଣ-ଯୁଦ୍ଧ ଅସମ୍ଭବ ହୋଇପଡ଼ିଲା । ବିଗ୍ରହବର୍ମା ମୌଖରୀ କୁଳଲକ୍ଷ୍ମୀ ରାଜ୍ୟଶ୍ରୀଙ୍କର ନାମ ନେଇ ଜୟ-ନିନାଦ କଲେ ଓ ନିଜର ସୈନିକଙ୍କୁ କୁନ୍ତ ପ୍ରସ୍ତୁତ ରଖିବାପାଇଁ ଆଦେଶ ଦେଲେ । ହତବୃଦ୍ଧି ଭଳି ମୁଁ ଏ ଯୁଦ୍ଧ ଦେଖୁଥିଲି । ମୋର ଏପର୍ଯ୍ୟନ୍ତ ଆଶା ଥିଲା କୌଣସି ପ୍ରକାରେ ଏ ବିପତ୍ତି ଦୂର ହେବ; କିନ୍ତୁ ବିପତ୍ତି ବର୍ତ୍ତମାନ ମୁଣ୍ଡଉପରେ । କ୍ଷଣକ ମଧ୍ୟରେ ନଗର ଦ୍ଵାରର ପଥରେ ଆକ୍ରାନ୍ତ ଭଟ୍ଟଣୀଙ୍କର କରୁଣ ମୁଖମଣ୍ଡଳ ମୋର ସ୍ମରଣ ହେଲା । ସେ ଘଟଣା ପୁଣି ପୁନରାବୃତ୍ତି ହେବାକୁ ଯାଉଛି ! ଆଉ ସ୍ଥିରହୋଇ ରହିପାରିଲା ନାହିଁ । ମୋ ଶରୀରରେ ବର୍ମ ନଥିଲା, ହାତରେ ଅସ୍ତ୍ର ନଥିଲା, ହୃଦୟରେ ଆଶା ମଧ୍ୟ ନଥିଲା । ସ୍ପଷ୍ଟ ଦେଖୁଥିଲି ଧୀର ନାପିତଙ୍କପରି ମୁଁ ମଧ୍ୟ ଭଟ୍ଟିଣୀଙ୍କର ଜୟ-ନିନାଦ କରି କରି ଖଣ୍ଡ ଖଣ୍ଡ ହୋଇଯିବି । ଅଧିକ ଚିନ୍ତା ନିରର୍ଥକ । ମୁଁ ବିଗ୍ରହବର୍ମାଙ୍କର ନୌକା ଆଡ଼କୁ ଯିବାପାଇଁ ପ୍ରସ୍ତୁତ ହେଲି । କେବଳ କ୍ଷଣକପାଇଁ ମୁଁ ଭଟ୍ଟିଣୀ ଓ ତାଙ୍କର ନୀଳ ଉପାସ୍ୟ ମୂର୍ତ୍ତିଙ୍କୁ ଧ୍ୟାନ କଲି । ତିଳେ ମାତ୍ର ଆଶା ନଥିଲା ମୋ ମନରେ । ତଥାପି ମହାବରାହଙ୍କର ଭରସାରେ କିଞ୍ଚିତ ଆଶ୍ଵସ୍ତ ହେବାକୁ ଚାହୁଁଥିଲି । ଦୁର୍ବଳର ସମ୍ବଳ ଈଶ୍ଵର । ମୁଁ ଉଠିପଡ଼ିଲି । ଯାହାଙ୍କର କ୍ରୋଧ-କଷାୟିତ ରକ୍ତଦୃଷ୍ଟିରେ ହିରଣ୍ୟକଶ୍ୟପୁର ବକ୍ଷ ବିଦୀର୍ଣ୍ଣ ହୋଇ-ଯାଇଥିଲା, ସେହି ମହାବିଷ୍ଣୁ, ସେହି ନରସିଂହ ମୃର୍ତ୍ତିଙ୍କର ଜୟ ହେଉ । ଯାହାଙ୍କର ଚନ୍ଦ୍ର କିରଣର ଅଙ୍କୁରସମ ବନ୍ତ ଅସୁରକୁଳ ମଧ୍ୟରେ ଅନ୍ଧକାର ଉତ୍ପନ୍ନ କରି ଦେଇଥିଲା । ସେହି ମହିମାଶାଳୀ ଗ୍ରହମୂର୍ତ୍ତିଙ୍କର ଜୟ ହେଉ । ବିଗ୍ରହବର୍ମା ଉତ୍ସାହ ଦେଇ କହିଲେ–“ବୀରଗଣ, ମରଣର ଏଭଳି ଅବସର ମିଳିବ ନାହିଁ । ସାବଧାନ, ଶତୃ ବ୍ରାହ୍ମଣ ଦମ୍ପତିଙ୍କର ଛାୟା ଯେପରୀ ସ୍ପର୍ଶ କରି ନପାରେ । ମୌଖରୀକୁଳ–ରାଜଲକ୍ଷ୍ମୀଙ୍କର ଜୟ ! ମହାରାଜ୍ଞୀ ରାଜ୍ୟଶ୍ରୀଙ୍କର ଜୟ ! ଜୟ ଜୟ ମୌଖରୀ–ବଂଶର ଜୟ !! ସୈନିକମାନେ ଏକସଙ୍ଗେ ଜୟ-ନିନାଦ କଲେ ଓ ତୀକ୍ଷ୍‍ଣ-ଫଳକ କୁନ୍ତ ଧରି ପ୍ରତିପକ୍ଷୀଙ୍କ ଉପରେ ଆକ୍ରମଣ କଲେ । ନୌକାଗୁଡ଼ିକ ପ୍ରାୟ ଲାଗିଯାଇଥିଲା । ମଲ୍ଲାହମାନେ ମଧ୍ୟ ବିକଟ ଜୟ-ଘୋଷ କଲେ ଓ ଗଙ୍ଗାର ଧାରା ରକ୍ତରେ ଲାଲ ହେବାକୁ ଲାଗିଲା ।

 

ଠିକ୍ ସେହି ସମୟରେ ଧମ୍ କରି କଣ ଶବ୍ଦ ହେଲା । ନିପୁଣିକା ଚିତ୍କାର କରି ଉଠିଲା–“ଭଟ୍ଟ ରକ୍ଷାକର, ରକ୍ଷାକର’ ଓ ସେ ସ୍ଵୟଂ ନଦୀରେ କୁଦି ପଡ଼ିଲା । ମୁଁ କିଛି ବୁଝିପାରିଲି ନାହିଁ । ତଳକୁ ଆସି ଦେଖିଲି ଭଟ୍ଟିଣୀ ଓ ନିପୁଣିକା ପାଣିରେ ବୁଡ଼ିଯାଉଛନ୍ତି । କ୍ଷଣକ ମଧ୍ୟରେ ନିଜର କର୍ତ୍ତବ୍ୟ ନିର୍ଣ୍ଣୟ କରିନେଇ ମୁଁ ପାଣିକୁ କୁଦିପଡ଼ିଲି । ନିପୁଣିକା ପାଟି କରି କହିଲା–“ମୋତେ ଛାଡ଼, ଭଟ୍ଟିଣୀକୁ ରକ୍ଷାକର । ତେଣେ ଦେଖ, ଦେଖ ସେଆଡ଼କୁ ।” ମୁଁ ଭଟ୍ଟିଣୀଙ୍କ ଆଡ଼କୁ ତୀବ୍ର ଗତିରେ ଗଲି । କ୍ଷଣମାତ୍ର ବିଳମ୍ବରେ ଭଟ୍ଟିଣୀ ଗଙ୍ଗାତଳକୁ ଯାଇଥାନ୍ତେ । ଯାଣେନା କେଉଁଠୁ ଏକ ଅଦ୍ଭୁତ ଶକ୍ତି ପାଇଲି । ଭଟ୍ଟିଣୀଙ୍କୁ ଧରି ନିଜ ପିଠି ଉପରେ ପକାଇଲି । ଖୁବ୍ ପାଣି ପିଇଯାଇ ସେ ଅବଶ ହୋଇପଡ଼ିଥିଲେ ଓ ଭାରୀ ଲାଗୁଥିଲେ । ତଥାପି ମୁଁ ତାଙ୍କୁ 'ନେଇ ନୌକାଆଡ଼େ ଫେରିବାକୁ ଚେଷ୍ଟା କଲି । କିନ୍ତୁ ନୌକା ପଛରେ ପଡ଼ିଯାଇଥିଲା । ମଲ୍ଲାହ ଓ ସୈନିକ ମିଶି ଶତ୍ରୁଙ୍କ ସଙ୍ଗେ ଯୁଦ୍ଧ କରୁଥିଲେ । ନୌକାକୁ ଦେଖିବାର ଅବସର କାହାରି ନଥିଲା । ଜଳଧାରାର ବିରୁଦ୍ଧରେ ଅଧିକ ସମୟ ସଂଗ୍ରାମ କରିବା ସମ୍ଭବ ନ ହେବାରୁ ନିରୁପାୟ ହୋଇ ଧାରାର ଅନୁକୂଳ ଦିଗରେ ବହିଯିବାକୁ ଲାଗିଲି । ମନେ ହେଲା ଭଟ୍ଟିଣୀଙ୍କୁ ଅଧିକ ସମୟ ପିଠି ଉପରେ ରଖିବା ସମ୍ଭବ ହେବ ନାହିଁ । ମୋର ଶରୀର କ୍ରମଶ କ୍ଳାନ୍ତ ହୋଇ ଆସୁଥିଲା । ନିଜର ଉତ୍ତରୀୟରେ ଭଟ୍ଟିଣୀଙ୍କୁ କସିକରି ବାନ୍ଧିବାପାଇଁ ଇଚ୍ଛା କଲି । ଭଟ୍ଟିଣୀଙ୍କର ଭୁଜରେ ଉତ୍ତରୀୟ ବାନ୍ଧିବାକୁ ଯାଉଛି ,କୌଣସି କଠୋର ବସ୍ଥୁ ଅନୁଭବ କଲି । ଟାଣି ଦେଖେ ତ ମହାବରାହଙ୍କ ମୁର୍ତ୍ତି । ହାୟ, ‘‘ଜଳୌଧମଗ୍ନା ସଚରାଚର ଧରା”ର ଉଦ୍ଧାରକର୍ତ୍ତା ଆଜି ନିଜର ଭକ୍ତକୁହିଁ ଜଳମଗ୍ନା କରୁଛନ୍ତି । ଏ କି ବିଷମ ବିଡ଼ମ୍ବନା ! ସେହି ମୁର୍ତ୍ତି-ଯୋଗୁଁ । ଭଟ୍ଟିଣୀ ଭାରୀ ଲାଗୁଥିଲେ । ଅବଧୃତଙ୍କର ପ୍ରଶ୍ନ ଆଜି ମୁର୍ତ୍ତିମାନ ହୋଇ ଆଗରେ ଠିଆହେଲା । କାହାକୁ ରକ୍ଷା କରିବି–ଭଟ୍ଟିଣୀଙ୍କୁ ନା ମହାବରାହଙ୍କୁ ? ଅବଧୂତଙ୍କର କୃଦ୍ଧ ମୁଦ୍ରା ମନେ ପଡ଼ିଲା–‘ମୁର୍ଖ, ତୁ ମହାବରାହଙ୍କୁ ରକ୍ଷା କରିବୁ ? ସତରେ ତ , ଏ ମହିମାଶାଳୀ ଉଦ୍ଧାରକର୍ତ୍ତାଙ୍କୁ ରକ୍ଷା କରିବାର ସଂକଳ୍ପ କ’ଣ ସ୍ପର୍ଦ୍ଧା ନୁହେଁ ? ହେ ‘ଜଳୌଧମଗ୍ନା ସଚରାଚର ଧରା’ର ଉଦ୍ଧାରକର୍ତ୍ତା, ତୁମଠୁଁ ତୁମର ଭକ୍ତପାଇଁ ମୋର ଅଧିକ ଚିନ୍ତା; ଅବିନୟ କ୍ଷମା ହେଉ । ମୁଁ ତୁମକୁ ଗଙ୍ଗାର ପବିତ୍ର ଧାରାରେ ବିସର୍ଜନ କରୁଛି । ମୋ ସମ୍ମୁଖରେ ଅବଧୂତ ବାବା ଅଘୋର ଭୈରବଙ୍କର ପ୍ରସନ୍ନ ମୂର୍ତ୍ତୀ ପ୍ରସ୍ଫୁଟିତ ହେଲା । ମନେ ହେଲା, ସେ ସନ୍ତୋଷରେ କହୁଛନ୍ତି–‘ପୁଣି ମିଥ୍ୟା କହୁଛୁ, ଜନ୍ମରୁ ପାତକୀ, କର୍ମର ଅଭାଗା ମିଥ୍ୟାବାଦୀ ପାଷାଣ୍ଡ ! ମହାବରାହଙ୍କୁ ରକ୍ଷା କରିବୁ ତୁ ! ଦାମ୍ଭିକ ! ମୁଁ ସାମାନ୍ୟ ଲଜ୍ଜିତ ହେଲି । ପୁଣି ମନେହେଲା ସେ ସ୍ନେହରେ କହୁଛନ୍ତି, ‘‘ଦେଖ୍ ବାବା, ଏ ବ୍ରହ୍ମାଣ୍ଡର ପ୍ରତ୍ୟେକ ଅଣୁ ହେଉଛି ଦେବତା । ତ୍ରିପୁରସୁନ୍ଦରୀ ତୋତେ ଯେଉଁ ରୂପରେ ଅଧିକ ପ୍ରଭାବିତ କରିଛନ୍ତି, ତାକୁହିଁ ପୂଜା କର ।” ତାପରେ ମହାବରାହଙ୍କ ମୂର୍ତ୍ତି ମୋ ହାତରୁ ଖସିଗଲା । ଅଘୋର ଭୈରବଙ୍କ ମୂର୍ତ୍ତୀ ଆକାଶ ଉପରକୁ ଉଠିବାକୁ ଲାଗିଲା । ସେ ଦୁରରୁ ଦୂରତର ହେବାକୁ ଲାଗିଲେ । ମୋର ଧମନୀରେ ରକ୍ତର ସ୍ରୋତ କ୍ଷୀଣଭାବରେ ବହିବାକୁ ଲାଗିଲା, ବାହୁ ଶିଥିଳ ହେବାକୁ ଲାଗିଲା, ଆଖି ଆଗରେ ଅନ୍ଧକାର ଘୋଟିଲା, ଦୂରରୁ କେବଳ ମେଘକୁ ଚିରି ଗୋଟିଏ ଶବ୍ଦ କାନରେ ପ୍ରତିଧ୍ୱନିତ ହେଉଥିଲା,–‘କାହାକୁ ଭୟ କରିବୁ ନାହିଁ–ଗୁରୁଙ୍କୁ ବି ନୁହେଁ, ମନ୍ତ୍ରକୁ ବି ନୁହେଁ, ଲୋକଙ୍କୁ ବି ନୁହେଁ, ବେଦକୁ ବି ନୁହେଁ । ‘ମୋର ସମସ୍ତ ଉଦ୍ୟମ ଅବସନ୍ନ ହୋଇପଡ଼ିଲା । କେବଳ ଚେତନାରେ ମୃଦୂ ଆଘାତ କରୁଥିବା ସେହି ଅଦୃଶ୍ୟ ଶବ୍ଦ ଆକାଶରେ ବିଲୀନ ହେଉ ହେଉ ମଧ୍ୟ ରହିଥିଲା । ଅବଧୁତଙ୍କର ମୂର୍ତ୍ତି ଆହୁରି ଉପରକୁ ଉଠିଲା–ନକ୍ଷତ୍ରମଣ୍ଡଳର ଉପରେ, ଆହୁରି ଉପରେ, ଆହୁରି ।

 

ବାଲିରେ ମୋ ଗୋଡ଼ ବାଜିଲା । ଅଙ୍ଗସବୁ ଶିଥିଳ ହୋଇଯାଇ-ଥିଲା; କିନ୍ତୁ ଭଟ୍ଟିଣୀଙ୍କର କଥା ମନକୁ ଆସିବାମାତ୍ରେ ହଠାତ୍ ଏକ ଶକ୍ତି କେଉଁଠୁ ଜାଗରିତ ହେଲା । ସ୍ଥାନେ ସ୍ଥାନେ ବାଲିରେ କୁଦ ଉଠିଥିଲା । କୌଣସିମତେ ଭଟ୍ଟଣୀଙ୍କୁ ସେପର୍ଯ୍ୟନ୍ତ ଟାଣିନେଲି । ସେ ସଂଜ୍ଞାହୀନ ହୋଇପଡ଼ିଥିଲେ କିନ୍ତୁ ମୁଖରେ ଗ୍ଳାନିର ଚିହ୍ନ ନଥିଲା । ଆର୍ଦ୍ର କେଶ-ମଣ୍ଡଳ ଆହୁରି ଆର୍ଦ୍ର ହୋଇଯାଇଥିଲା, ବଙ୍କିମ ଭୃ-ଯୁଗଳ ଆହୁରି କୁଟିଳ ହୋଇଯାଇଥିଲା ଓ ସିକ୍ତ ବସ୍ତ୍ରରେ ଧନାଶ୍ଲିଷ୍ଟ ସୌନ୍ଦର୍ଯ୍ୟ-ଲକ୍ଷ୍ମୀ ଆହୁରୀ ଅନୁଭବବତୀ ହୋଇଯାଇଥିଲେ । ମନେହେଲା ସେ ଯେପରି କୌଣସି ମଧୁର ସ୍ଵପ୍ନରେ ବ୍ୟାପ୍ତ । ସାରା ଶରୀର ଜଳ-ଚାଦରର ଅନ୍ତରାଳରେ ଦୀପ୍ତ ହୋଇଥିବା ଦୀପଜ୍ୟୋତିପରି ଚକ୍ଷୁକୁ ନିଜର ସ୍ନିଗ୍ଧ ଆଲୋକରେ ପ୍ରସନ୍ନ କରୁଥିଲା । ଭଟ୍ଟଣୀଙ୍କୁ ନେଇ କୌଣସି ଉପଯୁକ୍ତ ଆଶ୍ରୟ ଖୋଜିବାର ଶକ୍ତି ମୋଠାରେ ନଥିଲା । ଅବଶ ଅବସାଦରେ ସେହି କୁଦ ଉପରେହିଁ ପଡ଼ିରହିଲି । ଧୀରେ ଧୀରେ ପ୍ରଭାତ ହେଲା । ସୂର୍ଯ୍ୟ-ଦେବଙ୍କର ରକ୍ତକିରଣ ଅନ୍ଧକାରର ଘନ ଆବରଣକୁ ଛେଦକଲା । ଦିନମଣି ଆକାଶର କିଛି ଉପରକୁ ଉଠିଆସିବାରୁ ମୋ ଦେହରେ ସାମାନ୍ୟ ଉଷ୍ଣତା ଅନୁଭବ କଲି । ମୁଁ ଉଠି ବସିଲି । ହାୟ, ଯେଉଁ ଦେବୀଙ୍କୁ ରକ୍ଷାକରିବି ବୋଲି ପ୍ରତିଶ୍ରୁତି ଦେଇଥିଲି, ତାଙ୍କର ଏ କି ଦଶା ! ବସ୍ତ୍ର ଅସ୍ତବ୍ୟସ୍ତ, ମୃଣାଳ-ନାଳପରି କୋମଳ ଭୁଜଲତା ଶିଥିଳ, ପଦ୍ମ-ପଳାଶକୁ ଲଜ୍ଜିତ କରିବାର ଚରଣତଳ ରକ୍ତହୀନ ଓ ପଦ୍ମରାଗସମ ପ୍ରଭା-ବର୍ଷଣ କରିବାର ନଖ ପାଣ୍ଡୁର । ବାଲୁକାର ଆସ୍ତରଣ କ’ଣ ଏ ଅପୂର୍ବ ଲାବଣ୍ୟ-ପୁତ୍ତଳିକାର ଯୋଗ୍ୟ ? ଧିକ୍ ଭାଗ୍ୟହୀନ ବଣ୍ଡ ! ଧିକ୍ !!

 

ବାଲୁକାକଣା ଉପରେ ପ୍ରତିଫଳିତ ହେବାକୁ ଲାଗିଲା ସୂର୍ଯ୍ୟ-କିରଣ । ମନେହେଲା ସୂର୍ଯ୍ୟଦେବଙ୍କର ଘୋଟକର ଖୁରାଗ୍ରରେ ନକ୍ଷତ୍ର-ମଣ୍ଡଳୀ ଚୂର୍ଣ୍ଣ-ବିଚୂର୍ଣ୍ଣ ହୋଇ ପୃଥିବୀ ଉପରେ ପଡ଼ିଛନ୍ତି ଓ ମୁହ୍ୟମାନ ଚନ୍ଦ୍ରଲକ୍ଷ୍ମୀ ସେଗୁଡ଼ିକୁ ଢାଙ୍କିବା ପାଇଁ ଭୂଲୋକ ଉପରକୁ ଓହ୍ଲାଇ ଆସୁଛନ୍ତି । ହାୟ, ବିଷମ-ସମର-ବିଜୟୀ ପ୍ରତ୍ୟନ୍ତବାଡ଼ବ ଅବିଜ୍ଞାତ-ପ୍ରତିସ୍ପର୍ଦ୍ଧ-ବିକଟ ତୁଅରମିଳିନ୍ଦଙ୍କର କନ୍ୟାକୁ ଏଦିନ ମଧ୍ୟ ଦେଖିବାକୁ ଥିଲା ! କିନ୍ତୁ ଶୋକ କରିବା ମୁର୍ଖତା । ଅଳ୍ପ ସମୟପରେ ବାଲୁକାକଣା ଅଗ୍ନିପରି ତପ୍ତ ହୋଇଯିବ ଓ ଭଟ୍ଟିଣୀଙ୍କୁ ଆହୁରି ଅଧିକ କଷ୍ଟ ହେବ । କଣ କରେ, କି ଉପାୟ ଅଛି-? ଏ ଅବସ୍ଥାରେ ଭଟ୍ଟିଣୀକୁ ଏକୁଟିଆ ମଧ୍ୟ ଛାଡ଼ୁଛି କିପରି ? ନିପୁଣିକାର ଅଭାବ ଅତି ଦୁଃଖଦାୟକ ଜଣାପଡ଼ିଲା । ସେ କ’ଣ ବଞ୍ଚିଛି ? ମୋର ଏଭଳି ଅବସ୍ଥା; ସେ କଣ ବଞ୍ଚିଥିବ ? ସେ ନିଶ୍ଚୟ ବୁଡ଼ିଯାଇଛି । ହାୟ ନିଉନିୟା, ତୁ କେଉଁଠି ? ଦେଖ, ତୋର ଭଟ୍ଟିଣୀଙ୍କର କି ଅବସ୍ଥା । ହାୟ, ଭଟ୍ଟିଣୀଙ୍କର ଶିଥିଳ ବସ୍ତ୍ର ଠିକ କରିବାପାଇଁ ମଧ୍ୟ କେହି ନାହିଁ । ନିଉନିୟା, ତୁ କେଉଁଠି ? କିଏ ମୋର ସହାୟତା କରିବି ? ଧୀରେ ଧୀରେ ଅବଧୁତମୂର୍ତ୍ତି ଆକାଶରୁ ଓହ୍ଲାଇବାକୁ ଲାଗିଲେ । ବାଷ୍ପାକୁଳ ଚକ୍ଷୁରେ ସ୍ପଷ୍ଟ ଦେଖିଲି ଦିଗନ୍ତର ଅପରକୋଣରୁ ଅଘୋରଭୈରବ ଦ୍ରୁତଗତିଗରେ ମୋରି ଆଡ଼କୁ ଆସୁଛନ୍ତି । ‘‘କାହାକୁ ଡରିବୁ ନାହିଁ, ଗୁରୁଙ୍କୁ ବି ନୁହେଁ, ମନ୍ତ୍ରକୁ ବି ନୁହେଁ, ଲୋକଙ୍କୁ ବି ନୁହେଁ, ବେଦକୁ ବି ନୁହେଁ”–ଅଘୋରଭୈରବ ଚିତ୍କାର କରି କହୁଥିଲେ ଆକାଶରୁ । ମୁଁ ଉଠି ଭଟ୍ଟିଣୀଙ୍କର ବସ୍ତ୍ର ଠିକ୍ କଲି ଓ ତାଙ୍କର ନାଡ଼ୀ ପରୀକ୍ଷା କଲି । ନାଡ଼ୀ ଠିକ୍ ଥିଲା । ଧୀରେ ଧୀରେ ତାଙ୍କର ଲଲାଟରେ ହାତ ବୁଲାଇଲି, ପାଦ ତଳକୁ ମାଲିସ କଲି, ହାତପାପୁଲି ଓ ବାହୁକୁ ମୃଦୁ-ମନ୍ଦ ଭାବରେ ଟିପିଦେଲି ଓ ପୁଣି ଲଲାଟ ଉପରେ ହାତ ବୁଲାଇଲି । ଭଟ୍ଟିଣୀଙ୍କର ସଂଜ୍ଞା ଫେରିଆସିବାକୁ ଲାଗିଲା । ରକ୍ତୋତ୍ପଳସମ ନୟନ-ପକ୍ଷ୍ମରେ ସାମାନ୍ୟ କମ୍ପନ ହେଲା ଓ ଆଖି ଖୋଲିଗଲା । ସେ ନିଦାଘଗ୍ଲପିତ ଜବା-ପୁଷ୍ପ ସମ ଲାଲ ହୋଇ ମଧ୍ୟ ମ୍ଳାନ ପଡ଼ିଥିଲେ । ଝଞ୍ଜା ଆଲୋଡ଼ିତ କଞ୍ଚନପୁଷ୍ପ ସମ ପ୍ରଫୁଲ୍ଲ ହୋଇ-ମଧ୍ୟ କ୍ଲାନ୍ତ ହୋଇଥିଲେ ଓ ଧୂଳି-ପାଟଳିତ ଅଶୋକ କୁସୁମ ସମ ମନୋହର ହୋଇ ମଧ୍ୟ ଧୂସର ହୋଇଥିଲେ । ଭଟ୍ଟିଣୀ ମୋତେ ଦେଖି ଚିହ୍ନି ପାରିଲେ-। ଏକ ନିରୂପାୟ ଲଜ୍ଜାର ଭାବ ଥିଲା ସେ ଦୃଷ୍ଟିରେ; କିନ୍ତୁ ସେ କିଛି କହିଲେ ନାହିଁ, ଇଙ୍ଗିତ ମଧ୍ୟ କଲେ ନାହିଁ । ମୁହୂର୍ତ୍ତକପରେ ତାଙ୍କର ଚକ୍ଷୁ ପୁଣି ବନ୍ଦ ହୋଇଗଲା । ମୋର ବ୍ୟାକୁଳ ହୃଦୟ ଅୟତ ସ୍ରୋତରେ ବିଗଳିତ । ହୋଇ ବହିଯିବାକୁ ଚାହୁଁଥିଲା । କିନ୍ତୁ ନିଜକୁ ସଂଯତ କରି ଭଟ୍ଟିଣୀଙ୍କର ମୁଣ୍ଡ ଧୀରେ ଧୀରେ ଟିପିଦେବାକୁ ଲାଗିଲି । କିଛି ସମୟପରେ ତାଙ୍କର ନୟନ-ପକ୍ଷ୍ମରେ ପୁଣି ସ୍ପନ୍ଦନ ଆସିଲା ଓ ଆଖି ଖୋଲିଗଲା । ସେ ବସିବାକୁ ଚେଷ୍ଟା କଲେ ଓ ମୁଁ ତାଙ୍କୁ ସାହାଯ୍ୟ କଲି ।

 

ଭଟ୍ଟିଣୀ ଉଠିବସି କେବଳ ଥରକପାଇଁ ମୋତେ ଅନାଇଲେ । ସେ ଦୃଷ୍ଟିରେ ଜିଜ୍ଞାସା ନଥିଲା, ଭାବ କିମ୍ବା ବିଭାବ ନଥିଲା, ରାଗ କିମ୍ବା ବିରାଗ ନଥିଲା; କେବଳ ଥିଲା ଶୁନ୍ୟତା ! ସମ୍ମୁଖରେ କଳକଳ ନାଦରେ ବହିଯାଉଥିଲା ଗଙ୍ଗା ଓ ତୀରରେ ବସିଥିଲେ ଅପୂର୍ବ ଶୋଭା ଓ ସମ୍ପତ୍ତିର ମୂର୍ତ୍ତି ବିଗ୍ରହଧାରିଣୀ ଭଟ୍ଟିଣୀ । ଉଦ୍ଧତ ସ୍ଵଭାବଯୁକ୍ତ ପ୍ରମଥଗଣ ଯେତେବେଳେ ଦକ୍ଷଙ୍କର ଯଜ୍ଞକ୍ରିୟାର କେଶକର୍ଷଣ କରିଥିଲେ, ସେତେବେଳେ ସେ ବୋଧହୁଏ ଏହିଭଳି ଗଙ୍ଗାଙ୍କର ଶରଣକୁ ଆସିଥିବେ, ତ୍ରିନୟନଙ୍କର ତୃତୀୟ ନୟନରୁ ନିର୍ଗତ ସ୍ପୁଲିଙ୍ଗ ଦେଖି ଚନ୍ଦ୍ରକଳା ବୋଧହୁଏ ଏହିଭଳି ଅସ୍ତବ୍ୟସ୍ତ ହୋଇ ଗଙ୍ଗାତଟରେ ପହଞ୍ଚିଥିବ, ଅସୁର ନୀପୀଡ଼ିତା ସ୍ଵର୍ଗଲକ୍ଷ୍ମୀ ବୋଧହୁଏ ଏହିଭଳି ସ୍ଵର୍ମନ୍ଦାକିନୀତୀରରେ ଯାଇ ପହଞ୍ଚିଥିବେ । ଆହା, ଉପଯୁକ୍ତ ସ୍ଥାନରେ ଭସ୍ମାବୃତା ରତିଙ୍କର ଆବିର୍ଭାବ ହୋଇଛି, ବରାହ-ଦନ୍ତ ଉପରେ ଅଧିଷ୍ଠିତ ଧରିତ୍ରୀଙ୍କର ଆସନ ପଡ଼ିଛି, ରାହୁ-ଭୀତା ଜ୍ୟୋତ୍ସ୍ନାପୁଞ୍ଜ କେନ୍ଦ୍ରିତ ହୋଇଛି, ଅସୁର-ତ୍ରାସିତା ସୁଧାର ଅବତାର ହୋଇଛି ଓ କୃପଣ-ଶଂକିତା ଲକ୍ଷ୍ମୀଙ୍କର ଆଗମନ ହୋଇଛି । ଭଟ୍ଟିଣୀଙ୍କର ଖିନ୍ନ-ମନୋହର ମୁଖମଣ୍ଡଳ ଏ ଅବସ୍ଥାରେ ମଧ୍ୟ ପ୍ରଭାବଶାଳୀ ଜଣାପଡ଼ୁଥିଲା । କିଛି କ୍ଷଣ ସେ ଗଙ୍ଗାର ପ୍ରବାହକୁ ଏକଦୃଷ୍ଟିରେ ଅନାଇ ରହିଲେ । ଏତେ ନିର୍ମଳ, ଏତେ ପବିତ୍ର, ଏତେ ଗରିମାଭରା ଦୃଷ୍ଟି କେବେ ଦେଖିଛନ୍ତି ବୋଲି କହିବା ଗଙ୍ଗାଙ୍କପକ୍ଷରେ ବୋଧହୁଏ କଠିଣ ହୋଇଥାନ୍ତା । ମୁଁ ଅତି ବିନୀତ ଭାବରେ କହିଲି, ‘‘ଦେବୀ, ଆପଣଙ୍କର ଶରୀରକ୍ଲାନ୍ତ ହୋଇଯାଉଛି । ସୂର୍ଯ୍ୟାତପ ତୀବ୍ର ହେଉଛି ଓ ବାଲୁକାରାଶି ତପ୍ତ ହୋଇଯାଉଛି । ଆଜ୍ଞା କରନ୍ତୁ, କୌଣସି ଆଶ୍ରୟର ସନ୍ଧାନ କରେ ।’’

 

ଭଟ୍ଟିଣୀ ପୁଣି ଥରେ କାତରଦୃଷ୍ଟିରେ ମୋତେ ଅନାଇଲେ । ଏ ଦୃଷ୍ଟିରେ ମଧ୍ୟ କୌଣସି ପ୍ରକାର ଜିଜ୍ଞାସା ନଥିଲା । ସତେ ଯେପରି ତାଙ୍କର ପୂର୍ବ-ଜୀବନ ଗଙ୍ଗାରେ ଧୌତ ହୋଇଯାଇଥିଲା-। ହାୟ ଅଭାଗା ବାଣ, ଭଟ୍ଟିଣୀଙ୍କର କି ଅବସ୍ଥା କଲୁ ତୁ ! କିଛି ନକହି ସେ ପୁଣି ଥରେ ଗଙ୍ଗା ଉପରେ ଦୃଷ୍ଟିପାତ କଲେ । ଗଙ୍ଗାର ତରଙ୍ଗ ଦୁରବ୍ୟାପୀ ସୋପାନ-ଶ୍ରେଣୀପରି ସଜ୍ଜିତ ହୋଇଥିଲା ଓ ଭଟ୍ଟିଣୀଙ୍କର ସ୍ନିଗ୍ଧ ଦୃଷ୍ଟି ତା ଉପରେ ପଡ଼ିରହିଥିଲା ଅଚଳ ମୀନପରି । ମୁଁ ପୁଣି ସଂକ୍ଷେପରେ ନିବେଦନ କଲି: ‘‘ଦେବୀ, କି ଆଜ୍ଞା ?’’ ଭଟ୍ଟିଣୀ କ୍ଷୀଣ-ଶ୍ରାନ୍ତ କଣ୍ଠରେ କହିଲେ, ‘‘ଚାଲ ।’’

Image

 

Unknown

ଦଶମ ପରିଚ୍ଛେଦ

 

ଭଟ୍ଟିଣୀଙ୍କୁ ନେଇ ଯେଉଁ ବିଶାଳ ଶାଳ୍ମଳୀ-ବୃକ୍ଷତଳକୁ ଗଲି ତାର କୋଟରରେ ଏକ ଛୋଟ ଲାଲ ପତାକା, କିଛି ସିନ୍ଦୂର ବିନ୍ଦୁ ଓ ଦୁଇଚାରିଟା ଶୁଷ୍କ ପୁଷ୍ପ ପଡ଼ିଥିଲା । ଅନୁମାନ କଲି କୌଣସି ଗ୍ରାମଦେବତା ସେଠାରେ ରହୁଛନ୍ତି, କାରଣ ଆଖପାଖର ଅସମତଳ ଭୂମି ଅପେକ୍ଷା ବୃକ୍ଷତଳ ଅଧିକ ସମୋଦର ଓ ଉନ୍ନତ ଥିଲା । ଗ୍ରାମଦେବତା ଯେତେବେଳେ ଅଛନ୍ତି, ନିଶ୍ଚୟ ଗ୍ରାମ ଥିବ । କିନ୍ତୁ ଦୃଷ୍ଟିପାତ କରି ଦେଖିଲି, କେବଳ କଣ୍ଟାବଣ ଓ କାଣ୍ଡଶର ଗୁଳ୍ମ । ବେଳେ ବେଳେ ଗଙ୍ଗାର ଧାରଆଡ଼କୁ ଉଡ଼ୁଥିବା ଗୋଟିଏ ଦୁଇଟି ଟିଟ୍ଟିଭ ନିର୍ଜନତାର ପ୍ରତିବାଦ କରୁଥିଲେ । ମଧ୍ୟାହ୍ମର ତପ୍ତ ବାୟୁମଣ୍ଡଳରେ ଝାଇଁ ଝାଇଁ କରୁଥିଲା ସୁଦୀର୍ଘ ଶରକାନ୍ତାର । ଅବଶ ଅବସାଦରେ ଭଟ୍ଟିଣୀ ପ୍ରାୟ ମୂର୍ଚ୍ଛିତ ହୋଇପଡ଼ିଥିଲେ । କର୍ତ୍ତବ୍ୟବିମୁଢ଼ ହୋଇ ମୁଁ କେବଳ ଦିଗନ୍ତର ଗୋଟିଏ କୋଣରୁ ଅପର କୋଣ ପର୍ଯ୍ୟନ୍ତ ଅନାଇ ରହିଲି । ମନେହେଲା ସମୁଦାୟ ବିଶ୍ଵର ଏକଧୃଷ୍ଟ ଅବସନ୍ନତା ସେଠାରେ ଯେପରି କେନ୍ଦ୍ରିତ ହୋଇଛି । କିଛି କ୍ଷଣ ନୀରବତାପରେ ଭଟ୍ଟିଣୀ ନିଜେ ମୌନଭଙ୍ଗ କଲେ । ଗୋଟିଏ ସାମାନ୍ୟ କଥା କହିବାକୁ ଭଟ୍ଟିଣୀଙ୍କୁ ଯେପରି ସଂକୋଚର ସାଗର ପାରିହେବାକୁ ପଡ଼ୁଥିଲା । ତାଙ୍କର ଗ୍ରୀବାନତ ହୋଇଥିଲା, ଦୃଷ୍ଠି ଭୂମି ଉପରେ ପଡ଼ିଥିଲା ଓ ଶୁଷ୍କ କିଶଳୟପରି ଅଧର ନିସ୍ପନ୍ଦ ହୋଇଥିଲା; ସତେ ଯେପରି କୌଳିନ୍ୟର ଭାରରେ ତାହା ଦ୍ରବିତ ହୋଇଥିଲା, ଲଜ୍ଜାର ଆବେଗରେ ନତ ହୋଇଥିଲା, ଶୋଭାର ଆଧିକ୍ୟରେ ଆଛାଦିତ ହୋଇଯାଇଥିଲା ଓ ଅନୁଭାବର ତରଙ୍ଗରେ ଓଲଟିପଡ଼ି ତଳକୁ ଚାଲିଆସିଥିଲା । ଭଟ୍ଟିଣୀ କହିଲେ, ‘‘ନିଉନିୟା ତ ଏଇଠିକେଉଁଠି ଲାଗିଥିବ, ଭଟ୍ଟ ! ‘‘ମୁଁ ଅତି ନମ୍ରତାସହ ଉତ୍ତର ଦେଲି” ହଁ ଦେବୀ, ମୁଁ ମଧ୍ୟ ନିଉନିୟାକୁ ଖୋଜିବାକୁ ଉତ୍ସୁକ । କିନ୍ତୁ ଆପଣଙ୍କୁ କୌଣସି ସୁରକ୍ଷିତ ସ୍ଥାନରେ ନ ପହଞ୍ଚାଇବା ପର୍ଯ୍ୟନ୍ତ.... ।” ଭଟ୍ଟିଣୀ ମୋ କଥାର ତାତ୍ପର୍ଯ୍ୟ ବୁଝିପାରି ମଝିରେ କହିଲେ, ‘‘ମୋର ସୁରକ୍ଷା କଥା ଛାଡ଼ । ତୁମେ ମୋତେ ରକ୍ଷା କରିପାରିବ ନାହିଁ । କେହି ମୋତେ ରକ୍ଷା କରିପାରିବେ ନାହିଁ । ମୁଁ ଯାହା ସହିତ ରହିବି, ତାର ସର୍ବନାଶ କରିବି । ସତ୍ୟାନାଶ ସଙ୍ଗରେହିଁ ମୋର ଜନ୍ମ । ମୋ ଚିନ୍ତା ଛାଡ଼, ଦେଖ, ନିଉନିୟା ନିଶ୍ଚୟ କେଉଁଠି ପାଖରେ ଅଛି ।” ଭଟ୍ଟିଣୀଙ୍କର ଏଭଳି ନୈରାଶ୍ୟପୂର୍ଣ୍ଣ ମୁହଁ ମୁଁ କୌଣସି ଦିନ ଦେଖି ନଥିଲି ! କି ବିକଟ ପରିବର୍ତ୍ତନ । କାତରଭାବରେ ତାଙ୍କୁ ଅନାଇଲି । ସେତିକିବେଳେ ଉଟ୍ଟିଣୀଙ୍କର ଦୃଷ୍ଟି ମୋ ଉପରେ ପଡ଼ିଲା । ତାଙ୍କର ଦୟାର୍ଦ୍ର ଦୃଦୟ ମୋର ମୁହଁ ଦେଖି ଆନ୍ଦୋଳିତ ହେଲା । ଏକ ଛୋଟ ହସର ରେଖା ତାଙ୍କର ଶୁଷ୍କ ଅଧର ଉପରେ ଖେଳିଗଲା କ୍ଷଣକପାଇଁ ଓ ପୁଣି ଅବିରଳ ଅଶ୍ରୁ ଧାର ବହିଯିବାକୁ ଲାଗିଲା । ହାୟ ମହାକବି, ତୁମର ଜୀବନ ଖୁସିରେହିଁ କଟିଥିଲା ! ଏଭଳି କରୁଣା–ମୋହକସ୍ମିତ ଦେଖିଥିଲେ ତାହା ଯେ କ’ଣ ଏ ଧରିତ୍ରୀକୁ କହିଯାଇ–ପାରିଥାନ୍ତ ! ତୁମେ ପାର୍ବତୀଙ୍କର ଲୀଳା-ସ୍ମିତକୁ ଅମର କରିଛି । କିଶଳୟ ବନିହିତ ପୁଷ୍ପର ପବିତ୍ରତା ଓ ନିର୍ମଳ ବିଦ୍ରୁମ-ପାତ୍ରରେ ରଖା ହୋଇଥିବା ମୁକ୍ତାଫଳର ଆଭିଜାତ୍ୟ ତୁମେ ଲକ୍ଷ୍ୟ କରିଛ । କିନ୍ତୁ ଏସବୁ ସ୍ଵର୍ମନ୍ଦାକିନୀର ଧାରାରେ ଓତଃପ୍ରୋତଭାବରେ ଜଡ଼ିତ ହେବାର ତୁମେ ଦେଖିନାହିଁ । ଏହା ହେଉଛି ସେହି ପୁଷ୍ପ ଯାହାର ବିକାଶର କ୍ଷଣକପରେହିଁ ସମସ୍ତ ଧାରା ବର୍ଷଣରେ ପ୍ଲାବିତ ହୋଇଯାଇଛି । ଏହା ହେଉଛି ସେହି ତାରକା, ଯାହାର ଉଦୟମାତ୍ରେ କୁଜଝଟୀକାରେ ଦିଗନ୍ତ ଧୂସର ହୋଇଯାଇଛି ଏବଂ ଏହା ହେଉଛି ସେହି ଇନ୍ଦ୍ରଧନୁ ଯାହାର ଉଦୟରେ ଝଂଝା ଆକାଶକୁ ଧୂଳିଛନ୍ନ କରିଛି । ଭଟ୍ଟିଣୀ ମୁଣ୍ଡ ତଳକୁ କରି କାନ୍ଦିବାକୁ ଳାଗିଲେ । ମୁଁ ନିସ୍ତବ୍‍ଧ ଦୃଷ୍ଟିରେ ଅନାଇ ରହିଲି ।

ଶାଳ୍ମଳୀ-ବୃକ୍ଷର ଅନ୍ୟପଟୁ କାହାରି ଆସିବାର ପାଦଶବ୍ଦ ଶୁଣାଗଲା । ମୁଣ୍ଡ ନତ କରି ଭଟ୍ଟିଣୀ କାନ୍ଦୁଥିଲେ, କିନ୍ତୁ ମୁଁ ଟିକିଏ ସତର୍କ ହୋଇଗଲି । ମୁଣ୍ଡ ଉଠାଇ ଦେଖେ ତ ରକ୍ତାମ୍ବରଧାରଣୀ ତ୍ରିଶୂଳପାଣି ଭୈରବୀ ମହାମୟା ! କ୍ଷଣକ ପାଇଁ ନିଜର ଆଖିକୁ ବିଶ୍ୱାସ କରିପାରିଲି ନାହିଁ ମୁଁ; କିନ୍ତୁ ପ୍ରକୃତରେ ତ ମହାମାୟା ! ସେହିଭଳି ପିଙ୍ଗଳ ଜଟା-ଭାର, କଞ୍ଚନ ପୁଷ୍ପସମ ଶୋଣ ନୟନ, ବନ୍ଧୁ ଜୀବ-ବଳୟ ସମ ରକ୍ତ ପୁଣ୍ଡ, ଅଷ୍ଟମୀଚନ୍ଦ୍ର ସମ ପ୍ରଦୀପ୍ତ ଲଲାଟ-ପଟ ଓ ବହ୍ନି ଶିଖାରେ ଆବୃତ ଦମନକ ଯଷ୍ଟିସମ ରକ୍ତାମ୍ବର ସମାଦୃତା ତନୁ-ଲତା । ମୋର ଅବସ୍ଥା ଦେଖି ସେ ଆଶ୍ଚର୍ଯ୍ୟ ଓ ଲଜ୍ଜିତ ହେଲେ–ନା ‘ଫେରିଯାଇ ପାରିଲେ, ନା କିଛି ପଚାରି ପାରିଲେ । ଶୈଳାଧିରାଜତନୟାଙ୍କ ପରି ତାଙ୍କର ମଧ୍ୟ ‘‘ନ ଯଯୌ-ନ ତସ୍ଥୌ” ଅବସ୍ଥା ହୋଇଗଲା । ସଂଭ୍ରମସହ ଉଠି ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲି ଓ ଭଟ୍ଟିଣୀଙ୍କୁ ସମ୍ବୋଧନ କରି କହିଲି, ‘‘ଦେବୀ, ଉଠନ୍ତୁ ପାର୍ବତୀଙ୍କ ସମ ପ୍ରଭାବଶାଳୀନୀ ସାକ୍ଷାତ୍ ମହାମାୟା ସ୍ଵରୁପା ମହାମାୟା ମାତା ଆମର ସୌଭାଗ୍ୟରୁ ଏଠିକି ଆସିଛନ୍ତି । ଆଜି ପରମମଙ୍ଗଳ ଦିବସ । ଆଜି ଗ୍ରହଗଣ ପ୍ରସନ୍ନ । ସବିତା ଆଜି ପ୍ରସନ୍ନୋଦୟ । କର୍ମଫଳ ଆଜି ଉପାରୂଢ଼ । ଦେବୀ, ଉଠନ୍ତୁ, ପ୍ରଣାମ କରି ନିଜକୁ କୃତାର୍ଥ କରନ୍ତୁ ।” ନିଜକୁ ସଂଯତ କରିବାପାଇଁ ଭଟ୍ଟିଣୀକୁ କିଛି ସମୟ ଳାଗିଲା । ତାଙ୍କର କମଳସମ ଚକ୍ଷୁ ଲାଲ ହୋଇଯାଇଥିଲା ଓ ମୁଖମଣ୍ଡଳ ନିଦାଘପ୍ଲାପିତ କେତକୀ ପୁଷ୍ପସମ ଶୁଷ୍କ ହୋଇଯାଇଥିଲା । ସେ ଉଠି ମହାମାୟାଙ୍କୁ ପ୍ରଣାମ କଲେ ଓ ମୁଣ୍ଡ ତଳକୁ କରି ଠିଆହେଲେ । ମହାମାୟା ଏଭଳି ନିଶ୍ଚଳ ହୋଇଠିଆ ହୋଇ ରହିଲେ ସତେ ଯେପରି ଭାରୀ ଅପରାଧ କରିଛନ୍ତି । ସେ ଥରେ ମୋତେ ଓ ଥରେ ଭଟ୍ଟିଣୀଙ୍କୁ ଦେଖୁଥିଲେ । ଲଜ୍ଜା, ଜିଜ୍ଞାସା ଓ ସ୍ନେହ ତାଙ୍କର ମୁହଁ ଉପରେ ତରଙ୍ଗିତ ହେଉଥିଲା । ତାଙ୍କର ଜିଜ୍ଞାସାକୁ ଶାନ୍ତ କରିବାପାଇଁ କହିଲି, ‘‘ଭଗବତି, ଏ ହେଉଛନ୍ତି ଭଟ୍ଟିଣୀ ଓ ତତ୍ରଭଗବାନ୍ ଅଘୋର ଭୈରବୀଙ୍କ ନିକଟରେ ମୁଁ ଏହି ଦେବୀଙ୍କ ବିଷୟ ନିବେଦନ କରିଥିଲି । ମୁଁ ଦେବୀଙ୍କର ଅକିଞ୍ଚନ ସେବକ ।” ତାପରେ ସଂକ୍ଷେପରେ ଗତ କାଲିର କାହାଣୀ ମହାମାୟାଙ୍କୁ କହିଲି । ସେ ମନଦେଇ ମୋ କଥା ଶୁଣିଲେ । ତାଙ୍କ ମୁହଁରୁ ସଙ୍କୋଚ ହ୍ରାସ ପାଇଲା ଓ ମନ୍ଦସ୍ମିତରେ ସେ ଭଟ୍ଟଣୀଙ୍କର ମୁଣ୍ଡ ଉପରେ ହାତ ବୁଲାଇଲେ । ମୋତେ ଅନାଇ କିଛି ଚିନ୍ତା କରି କହିଲେ, ‘‘ସାଧୁ ବତ୍ସ, ତୋର କୁଳ-କୁଣ୍ଡଳିନୀ ଯାଗ୍ରତ; ତୁ ଅବଧୂତ ଗୁରୁଙ୍କର ପ୍ରସାଦ ପାଇଛୁ । ତୋର ଦେବୀଙ୍କର ବିପତ୍ତି କରାଯାଇଛି; କିନ୍ତୁ ତୋର ବିପତ୍ତି ତ ଏପର୍ଯ୍ୟନ୍ତ ଦୁର ହୋଇନାହିଁ ବାବା-!” ପୁଣି କିଛି ଚିନ୍ତା କରି କହିଲେ, ‘‘ଆଜି ମହାନବମୀ, ତ୍ରିପୁର-ସୁନ୍ଦରୀଙ୍କର ଇଚ୍ଛା ପୂରଣ ହେବ ।” ତାଙ୍କର ମୁଖ-ମୁଦ୍ରା ସାମାନ୍ୟ କଠୋର ହୋଇଗଲା । ମୁଁ ସାମାନ୍ୟ ଶଙ୍କିତ ହେଲି । ଭଟ୍ଟିଣୀ ମଧ୍ୟ କେତେକଟା ଶଙ୍କିତା ଦେଲେ, କିନ୍ତୁ ଯତ୍ନ କରି ସେ ନିଜର ମନୋଭାବକୁ ପ୍ରଚ୍ଛନ୍ନ ରଖିଲେ । ଭଟ୍ଟିଣୀଙ୍କର ସେ ଅବସ୍ଥା ଦେଖିବାର କଥା ! ମୁଖମଣ୍ଡଳ ଉପରେ ବିସ୍ତ୍ରସ୍ତ ହୋଇ ପଡ଼ିଥିଲା ଘନକୃଷ୍ଣ କେଶରାଶି, ସ୍ଫୀତ ଚକ୍ଷୁ ନତ ହୋଇଥିଲା ଓ ପ୍ରବଳ-ତମ୍ର ଅଧର ଯୁଗଳ ଦୃଢ଼ଭାବେ ସଂପୁଟିତ ହୋଇଥିଲା । କମ୍ପିତ ହେଉଥିଲା ଆତାମ୍ର ଶବୁକ, ଶ୍ୟାମା ଲତା ଭଳି ଝୁଲିପଡ଼ିଥିଲା ବାମ ବାହୁ ଓ କପୋତକର୍ବୁର ଅଂଶୁକାନ୍ତ (ଅଞ୍ଚଳ)ରେ ଛପି ରହିଥିଲା ଦକ୍ଷିଣ ହସ୍ତ । ମୂର୍ତ୍ତିମତୀ ଚିନ୍ତା-ଭଳି ସେ ଠିଆ ହୋଇଥିଲେ । ମହାମାୟା ଭଟ୍ଟିଣୀଙ୍କୁ ଅନାଇଲେ ଓ ଥରେ ନିଜର ଚତୁଃପାର୍ଶ୍ଵ ଉପରେ ଦୃଷ୍ଠିପାତ କଲେ; ହାଇ ମାରି ଫୁଟାକି ଫୁଟାଇ କହିଲେ, ‘‘ତ୍ରିପୁର ଭୈରବୀ, ତ୍ରିପୁର ଭୈରବୀ !” ତାପରେ ଅତି ସ୍ନେହରେ ଭଟ୍ଟିଣୀଙ୍କୁ ନିଜ ପାଖକୁ ଟାଣିନେଇ ଚିବୁକ ଉଠାଇ କହିଲେ,“ତା ହେଲେ ଏଇ ହେଉଛି ସେ ଦେବୀ, ନୁହେଁ ? ଦେବୀ ହେବାର ଯୋଗ୍ୟ ନିଶ୍ଚୟ ! ଆହା, କି ଅମୃତସ୍ରାବୀ ମୁଖ । ଆ ମା ! ଆମେ ଏକୁଟିଆ କଥାବାର୍ତ୍ତା କରିବା ।” ମୋତେ କହିଲେ–“ଯା ବାବା, ତୁ ନିଉନିୟାକୁ ଖୋଜି ଆଣ, ତୋର ଦେବୀ ଏଇଠି ରହିବ । ଆଦୌ ଚିନ୍ତା କରନା । ତୁ ଅବଧୁତ ଗୁରୁଙ୍କର ପ୍ରସାଦ ପାଇଛୁ । ତୋର କୁଳ-କୁଣ୍ଡଳୀନୀ ଜାଗ୍ରତ ।” ମୁଁ ପ୍ରଣାମ କରି ଧୀରେ ଧୀରେ ଗଙ୍ଗାତଟ ଆଡ଼କୁ ଅଗ୍ରସର ହେଲି ।

ଅନେକ ଦୂର ଗଲାପରେ ମଧ୍ୟ ନିପୁଣିକାର କୌଣସି ଚିହ୍ନ ମିଲିଳା ନାହିଁ । ମନେ ହେଲା ନିପୁଣିକାକୁ ଏଭଳି ଖୋଜିବା ମୂର୍ଖତା ଛଡ଼ା ଆଉ କିଛି ନୁହେଁ । ଜଳମଗ୍ନ ବ୍ୟକ୍ତି କଣ ଏଭଳି ମିଳିପାରେ ? କିନ୍ତୁ ହୃଦୟରେ ବିଶ୍ଵାସ ଥିଲା, ସେ ନିଶ୍ଚୟ ଜୀବିତ ରହିଛି ଓ ମିଳିବ । କିଛିଦୂର ଗଲା ପରେ ଭଟ୍ଟିଣୀଙ୍କପାଇଁ ଚିନ୍ତା ହେଲା ! ଏପର୍ଯ୍ୟନ୍ତ ସେ ନିରାହାର; ମୁଁ ସ୍ଵୟଂ ନିରନ୍ନ । କିନ୍ତୁ ମୁଁ ଏଥିରେ ଅଭ୍ୟସ୍ତ । ଏହା ମୋର ନିଜର ବାରବୁଲା ଜୀବନର ସାଧନା । ‘କରତଳଭିକ୍ଷା ତରୁତଳବାସାଃ’ ମୋର ସିଦ୍ଧି ! କିନ୍ତୁ ଭଟ୍ଟିଣୀଙ୍କର ଅବସ୍ଥା ଯୋଗୁଁ ଦୁଃଖିତ ହେଲି । କୌଣସିମତେ ହୁଏତ ଖାଦ୍ୟର ଆୟୋଜନ କରିପାରିବି । କିନ୍ତୁ ମହାବରାହ କାହାନ୍ତି ? ଭଟ୍ଟଣୀ–ନିଶ୍ଚୟ ନିଜର ପରମ ଉପାସ୍ୟଙ୍କୁ ସ୍ମରଣ କରୁଥିବେ । ସେ ଯେତେବେଳେ ଜାଣିବେ ମୁଁ ନିଜ ହାତରେ ତାଙ୍କର ପରମ ଆରାଧ୍ୟଙ୍କୁ ଜଳମଗ୍ନ କରିଛି, ନିଶ୍ଚୟ ସେ ମୋତେ ଘୃଣା କରିବେ । ହାୟ ଅଭାଗା ବାଣ, ଭଟ୍ଟିଣୀଙ୍କର ବିଶ୍ଵାସହିଁ ଥିଲା ତୋର ସବୁଠୁଁ ବଡ଼ ସମ୍ପତ୍ତି; କିନ୍ତୁ ତା ମଧ୍ୟ ହରାଇବୁ ତୁ ! ଆଉ ଆଗକୁ ଯିବା ନିରର୍ଥକ । ନୀଳ ଜଳସ୍ରୋତ ଶୋଭିତ ହୋଇ ଥିଲା ଦୁରଯାଏ । ଝାଇଁ ଝାଇଁ କରୁଥିଲା ଦୀର୍ଘ ଶରକାନ୍ତାର । ଭଟ୍ଟଣୀଙ୍କୁ ଛାଡ଼ି ଏତେଦୂର ଯିବା ଉଚିତ ନୁହେଁ; ଫେରିବାକୁ ପଡ଼ିଲା । ପହଞ୍ଚିଲାବେଳକୁ ଦିନ ନଇଁ ସାରିଥିଲା ।

ଭଟ୍ଟିଣୀ ଓ ମହାମାୟା ଶାଳ୍ମଳୀବୃକ୍ଷର ପୂର୍ବପଟେ ବସି କଥାବାର୍ତ୍ତା କରୁଥିଲେ । ସେମାନେ ମୋତେ ଦେଖିପାରିଲେ ନାହିଁ । ଇତିମଧ୍ୟରେ ଭଟ୍ଟିଣୀ ମହାମାୟାଙ୍କର ପରିପୂର୍ଣ୍ଣ ସ୍ନେହ ପ୍ରାପ୍ତ କରିସାରିଥିଲେ । ସେ ତାଙ୍କର କୋଳରେ ଏପରି ବସିଥିଲେ ସତେ ଯେପରି ବହୁଦିନର ଦୁରସ୍ଥ କନ୍ୟା ମାତାର ଉତ୍ସଙ୍ଗକୁ ଫେରିଆସିଛି । ଭଟ୍ଟିଣୀ ଧୀରେ ଧୀରେ ମହାମାୟାଙ୍କର ପ୍ରଶ୍ନର ଉତ୍ତର ଦେଉଥିଲେ । ମୁଁ ଲୁଚିକରି ଶୁଣିବାକୁ ଲାଗିଲି । ଭଟ୍ଟିଣୀ ଓ ମହାମାୟାଙ୍କ ମଧ୍ୟରେ କଥାବାର୍ତ୍ତା ହେଉଥିଲା–

“ତାହେଲେ ମା’ ! ତୁ ଭଟ୍ଟକୁ କଣ ବୋଲି ଭାବୁଛୁ ?”

“କଣ ଭାବୁଛି, ଭଗବତି, ତା ମୁଁ ଜାଣେନା । ନିଉନିୟା କହୁଥିଲା ଭଟ୍ଟ ଦେବତା; କିନ୍ତୁ ମୁଁ କେମିତି ତା କହିବି ?”

“ତୋ ମନରେ ପ୍ରଥମେ ଯେଉଁ କଥା ଆସୁଛି, ତା କହ । ଭାବିଚିନ୍ତି କହିବା କଥା ସବୁବେଳେ ସତ ହୁଏ ନା ।”

“କଣ କହିବି ଆର୍ଯ୍ୟ ! ଯେଉଁ ଦିନ ଭଟ୍ଟ ମୋତେ ପ୍ରଥମ ବାକ୍ୟ କହିଥିଲେ, ସେ ଦିନ ମୋର ନବଜନ୍ମ ହୋଇଥିଲା । ସେ ଦିନ ସୂର୍ଯ୍ୟ ଉଦୟଗିରିର ତଟରେ ମାଙ୍ଗଲ୍ୟ ବର୍ଷା କରି ଉଦିତ ହୋଇଥିଲେ; ଉଷାକାଳ ମୋର ସଂପୂର୍ଣ୍ଣ ଜୀବନକୁ ପରମ ସୌଭାଗ୍ୟରେ ଭରି ଦେଇଥିଲା ସେ ଦିନ । ସେ ଦିନ ମୁଁ ମୋର ସାର୍ଥକତାକୁ ପ୍ରଥମବାର ଅନୁଭବ କଲି ।”

“ସାର୍ଥକତା ! ତା କିପରି ମା’ ?”

ମାତଃ ! ଭଟ୍ଟ ଚକିତ ମୃଗ-ଶିଶୁଭଳି ମୋତେ ଦେଖିଲେ; ସତେଯେପରି ସେ କିଛି ନବୀନ ପ୍ରକାଶ, କୌଣସି ଅଭିନବ ଜ୍ୟୋତି ଦେଖୁଛନ୍ତି । ଭକ୍ତିର ଶୁଭ୍ରକିରଣ ଶୋଭିତ ହେଉଥିଲା ତାଙ୍କର ଦୀପ୍ତ ଲଲାଟପଟ୍ଟରେ । ତାଙ୍କର ବିମଳ-ବିଶାଳ ନୟନରେ ଦୁଇଟି ଜ୍ଵଳନ୍ତ ଶୁକ୍ରଗ୍ରହ ପରି ଉଜ୍ଜ୍ଵଳପ୍ରଭା ଫୁଟିଉଠୁଥିଲା । ଏକ ଅଦ୍ଭୁତ ମିଷ୍ଟତା ଥିଲା ତାଙ୍କର କୋମଳ ମଧୁର ବାଣୀରେ । ସ୍ପଷ୍ଟ, ସଙ୍କୋଚ-ରହିତ ଓ ଅର୍ଥପୂର୍ଣ୍ଣ ଭାବରେ ଯେଉଁ ଦୁଇ ଚାରୋଟି କଥା ସେ କହିଲେ, ତାହା ଥିଲା ସାମଗାନପରି ପବିତ୍ର । କିନ୍ତୁ ତାର ମାହାତ୍ମ୍ୟ ଥିଲା ତାଠାରୁ ଅଧିକ ! ‘‘ରାଜଭବନରେ ନିଜର ସୌନ୍ଦର୍ଯ୍ୟର ଚାଟୁ ପ୍ରଶଂସା ମୁଁ ବହୁତ ଶୁଣିଥିଲି; କିନ୍ତୁ ସତ୍ୟବାଣୀ ପ୍ରଥମବାର ଶୁଣିଲି । ପ୍ରଥମଥର ପାଇଁ ଅନୁଭବ କଲି ମୋ ଭିତରେ ଏକ ଦେବତା ଅଛି ଏବଂ ଭଗବାନ ନାରୀ କରି ମୋତେ ଧନ୍ୟ କରିଛନ୍ତି । ମୁଁ ନିଜର ସ୍ୱାର୍ଥକତାକୁ ଚିହ୍ନିପାରିଲି ।”

“କିଛି ନୂଆ କଥା ନୁହେଁ ତ ମା’ ?”

“ନୂଆ କଥା ମାତଃ, ନିଶ୍ଚୟ ନୂଆ କଥା । ଏ ନୀଳ ଆକାଶ, ଏ ବିଲୋଳ ବାୟୁ, ଏ ନିର୍ମଳ ଜାହ୍ନବୀର ଧାରା ସାକ୍ଷୀ–ନାରୀପାଇଁ ଏଭଳି ଅର୍ଥବତୀ ଗାଥା ପୃଥିବୀରେ ଏହା ପ୍ରଥମ ।”

“ତୁ ସାର୍ଥକତା କାହାକୁ ମନେ କରୁ ?”

“ମୁଁ ଅଜ୍ଞ, ମାତଃ । ଜାଣେନା କେଉଁ ଶବ୍ଦ କିଭଳି ପ୍ରୟୋଗ କରାଯିବା ଉଚିତ । କିନ୍ତୁ ଭଟ୍ଟଙ୍କର କଥା ଶୁଣିଲାପରେ ପ୍ରଥମବାର ଅନୁଭବ କଲି ମୋର ଏ ଶରୀର କେବଳ ମାଟିର ଭାର ନୁହେଁ–ଏହା ତା’ଠାରୁ ‘ଆହୁରି ବଡ଼ । ବିଧାତା ଯେଉଁ ଦିନ ତାହା ନିର୍ମାଣ କଲେ ମୋତେ ଦଣ୍ଡଦେବା ତାଙ୍କର ଉଦ୍ଦେଶ୍ୟ ନଥିଲା । ସେ ମୋତେ ନାରୀକରି ମୋର ଉପକାର କରିଛନ୍ତି । ମା’-! ଭଟ୍ଟଏ ପୃଥିବୀର ପାରିଜାତ, ଏ ଭବସାଗରର ପୁଣ୍ଡରୀକ ଓ ଏ କଣ୍ଟକମୟ ଭୁବନର ମନୋହର କୁସୁମ ଅଟନ୍ତି ।” ମହାମାୟା କିଛି ସମୟ ନୀରବ ରହି ଏକ ଦୀର୍ଘ ନିଃଶ୍ଵାସ ନେଲେ । ତାପରେ ହଠାତ୍ ପରାଜିତ ହେଲାପରି ସେ କହିଲେ–“ମା, ଗୁରୁ ମୋତେ କହିଛନ୍ତି ଯେ ନାରୀର ସଫଳତା ପୁରୁଷକୁ ବାନ୍ଧିବାରେ ଓ ସାର୍ଥକତା ତାକୁ ମୁକ୍ତି ଦେବାରେ । ସାରା ଜୀବନ ମୁଁ ଏଇ ବିଶ୍ଵାସ ଉପରେ ଚାଲି ଆସୁଛି । ଜପତପ, ସାଧନ–ଭଜନ ସବୁର ଗୋଟିଏ ଲକ୍ଷ୍ୟ ସାର୍ଥକତା । ଏପର୍ଯ୍ୟନ୍ତ ତ୍ରିପୁର-ଭୈରବୀଙ୍କ ସହିତ ସାକ୍ଷାତ ହେଲା ନାହିଁ; ଭବିଷ୍ୟତରେ କଣ ହେବ ଗୁରୁ ଜାଣନ୍ତି-। ତୁ କିନ୍ତୁ ସତ୍ୟକୁ ଉପଲବ୍‍ଧ କରିଛୁ, ହୁଏତ ତୋ କଥା ଠିକ୍ ।” କିଛି ସମୟ ଚିନ୍ତାକରି ସେ କହିଲେ ‘‘ନାରୀର ସାର୍ଥକତା !” ଓ ପୁଣି ଚୁପ୍‍ ହୋଇଗଲେ ।

ଆଉ ଲୁଚି ରହିବା ଉଚିତ ନୁହେଁ । ଯାହା ଶୁଣିଛି, ସେତିକି ଯଥେଷ୍ଟ । ଅଧିକରେ ଅଭିମାନ ବଢ଼ିବ, ମୋହ ଉଦ୍ରିକ୍ତ ହେବ ଓ ମମତା କଠିଣ ହେବ । ବାଣଭଟ୍ଟଙ୍କୁ ଯେଉଁ ପୁରସ୍କାର ମିଳିଲାଣି, ତାହା ତାର ପ୍ରାପ୍ୟଠାରୁ ଲକ୍ଷ ଗୁଣ ଅଧିକ । ଅଧିକ ଆଶା କଲେ ଲୋଭ ହେବ । ସାମାନ୍ୟ କାଶି ମୁଁ ଧୀରେ ଧୀରେ ଅଗ୍ରସର ହେଲି । ଶବ୍ଦ ଶୁଣି ସେମାନେ ସଂଯତ ହୋଇଗଲେ । ଭଟ୍ଟିଣୀ କେବଳ ଥରେ ଅବିଲୋଳ ଅପାଙ୍ଗରେ ମୋତେ ଅନାଇଲେ । ମୁଁ ତାଙ୍କର କଥା ଶୁଣିଛି କି ନାହିଁ, ତାହା ସେ ବୁଝିବାକୁ ଚାହୁଁଥିଲେ । କିନ୍ତୁ ବାଣ ଭଟ୍ଟ ଏତେ ଅପଟୁ ନୁହେଁ ! ତାର ଜୀବନ କଟିଥିଲା ସତ୍ୟମିଥ୍ୟାର ଅଭିନୟରେ !

ମହାମାୟା ମୋତେ ଦେଖି ପ୍ରସନ୍ନ ହେଲେ । ନିଜର ଝୁଲାରୁ କିଛି ଫଳମୂଳ ବାହାର କରି ମୋତେ ଦେଇ କହିଲେ ଯେ ମୁଁ ନ ଖାଇଥିବା ଯୋଗୁଁ ଭଟ୍ଟିଣୀ ଏପର୍ଯ୍ୟନ୍ତ ଉପବାସରେ ଅଛନ୍ତି-। ଭୋଜନ ଶେଷ କରି ମୋତେ ଅନ୍ୟ ଦିଗକୁ ଯିବାକୁ ପଡ଼ିଲା । ନିପୁଣିକାକୁ ଖୋଜିବା ଥିଲା ଗୌଣ । ଭଟ୍ଟିଣୀଙ୍କୁ ଅବସର ଦେବା ଥିଲା ପ୍ରଧାନ ! ଏଥର ପୂର୍ବପଟକୁ ଯାତ୍ରାକଲି । ଦିନ ନଇଁଯାଇଥିଲା । ପ୍ରାୟ ଏକ ତ୍ରୋଶ ଯିବାପରେ ନୃତ୍ୟ-ଗାନ କରୁଥିବା ଦଳେ ଲୋକଙ୍କୁ ଭେଟିଲି । ମର୍ଦଳ, ମୁରଜ ଓ ବଂଶୀ ବଜାଉଥିବା ଦୁଇ ତିନିଜଣ କିଶୋର ବୟସ୍କ ଯୁବକଙ୍କ ଛଡ଼ା ସେଥିରେ ପୁରୁଷ ନ ଥିଲେ । ସ୍ତ୍ରୀମାନେ ତରଙ୍ଗାୟତ ଉପାନ୍ତବିଶିଷ୍ଟ ଲାଲ ଶାଢ଼ୀ ପିନ୍ଧଥିଲେ ଓ ନୀଳ କଂଚୁକ ଉପରେ ହାରିଦ୍ର ଉତ୍ତରୀୟ ଧାରଣ କରିଥିଲେ । ଉନ୍ମତ୍ତ ଭାବରେ ନୃତ୍ୟ କରୁଥିଲେ ସେମାନେ । ତାଙ୍କର ଆଘୂର୍ଣ୍ଣନ–ବେଗରେ ତରଙ୍ଗାୟିତ ଶାଢ଼ୀର ଅନ୍ତ ଏଭଳି ଭ୍ରମିତ ହୋଇଉଠୁଥିଲା ସତେ ଯେପରି ଅନୁରାଗ ସମୁଦ୍ରରେ ବାତ୍ୟାଚକ୍ର ଚଞ୍ଚଳ ହୋଇ ଉଠିଛି । ଉଦ୍ଦାମ ନୃତ୍ୟ ଫଳରେ ଦାରିଦ୍ର ଉତ୍ତରୀୟ ଓ ନୀଳକଂଚୂକର ଏକ ଘୂର୍ଣ୍ଣମାନ ଚକ୍ରବାଳ ସୃଷ୍ଟି ହୋଇଯାଉଥିଲା । ଆନ୍ଦୋଳନର ବେଗରେ ଧରିତ୍ରୀ ଓ ଆକାଶକୁ କୃଷ୍ଣ ମସୃଣ ରେଖାରେ ପୂର୍ଣ୍ଣ କରି ଦେଉଥିଲା ତାଙ୍କର ଦୀର୍ଘ ବେଣୀ । ଚଞ୍ଚଳ ରକ୍ତିମକରତଳ ତାଙ୍କର ଆକାଶରୁପୀ ନୀଳ ସରୋବରରେ ଅଧୋମୁଖ ସ୍ଵର୍ଣ୍ଣ କମଳର ଶୋଭା ବିଛୁରିତ କରୁଥିଲା ଏବଂ ଦୋଳାୟମାନ କ୍ଷୀଣ କଟିପ୍ରାନ୍ତ ଶତାବରୀ ଲତାଉଳି ଦର୍ଶକମାନଙ୍କୁ ଚିନ୍ତାପରାୟଣ କରୁଥିଲା । ମୃଗଧ ଆବେଗରେ ସେହି ଉଦ୍ଧାମ–ମନୋହର ନୃତ୍ୟ ଦେଖିବାକୁ ଲାଗିଲି । ଥରେ ମଝିରେ ନୃତ୍ୟର ବେଗ ହ୍ରାସ ହେବାରୁ ସେହି ଅବସରରେ ମର୍ଦ୍ଧଳ, ବଜାଉଥିବା ଯୁବକକୁ ତାର ପରିଚୟ ପଚାରିଲି । ସେ ଯାହା କହିଲା, ତାର ସାରାଂଶ ହେଉଛି–ଗଙ୍ଗା ଓ ମହାସରପୂର ସଂଗମସ୍ଥଳର ବଜତୀର୍ଥକୁ ସେମାନେ ଦେବୀପୂଜା କରିବାପାଇଁ ଯାଇଥିଲେ-। ଆଜି ମହାନବମୀ ତିଥି ଏବଂ ଆଜି ବଜତୀର୍ଥରେ ଦେବୀଙ୍କର ପୂଜା କରିବାର ପରମ ମାହାତ୍ମ୍ୟ ରହିଛି । ମହାସରଯର ଅପରପାର୍ଶ୍ଵରେ ସେମାନଙ୍କର ଗ୍ରାମ । ଗ୍ରାମର ସର୍ଦ୍ଧାର ହେଉଛନ୍ତି ପ୍ରତାପୀ ମଲ୍ଲ ଲୋରିକଦେବ । ବ୍ରାହ୍ମଣ ଓ ଦେବତାଙ୍କଠାରେ ତାଙ୍କର ଅପରିମେୟ ଶ୍ରଦ୍ଧା । ମୋ ଭଳି ବିହାନକୁ ପାଇଲେ ସେମାନ କୃତକୃତ୍ୟ ହେବେ । ଯୁବକଟି ସେହି ମୁହୂର୍ତ୍ତରେ ମୋତେ ନେଇଯିବାକୁ ଚାହିଁଲା; କିନ୍ତୁ ମୁଁ ଦେବୀଙ୍କ ଦର୍ଶନର ବାହାନା କରିନିଜକୁ ମୁକ୍ତ କଲି । ଯୁବକ ଆହୁରି କହିଲା–ରାତ୍ରିରେ ବଜ୍ରତୀର୍ଥର ଦେବୀଙ୍କର ଦର୍ଶନ ନିଷିଦ୍ଧ । ସେତେବେଳେ ସେଠାକୁ ସାଧକମାନେ ଆସନ୍ତି; ଗୃହସ୍ଥମାନଙ୍କର ସେଠାକୁ ଯିବା ଉଚିତ ନୁହେଁ । ମୁଁ ତାର ସରଳତାକୁ ମନେ ମନେ ପ୍ରଶଂସା କରି ସୁଦ୍ଧା ତାର କଥା ଶୁଣିଲି ନାହିଁ । ସନ୍ଧ୍ୟା ହୋଇଆସୁଥିଲା ଓ ଭଟ୍ଟିଣୀଙ୍କ ପାଖକୁ ଫେରିଯିବା ମୋର ଉଚିତ ଥିଲା । କିନ୍ତୁ କେଜାଣେ କାହିଁକି ଏକ ଅଦ୍ଭୁତ ଶକ୍ତି ମୋତେ ବଜ୍ରତୀର୍ଥ ଆଡ଼କୁ ଠେଲି ନେଉଥିଲା । ନିଜର ଇଚ୍ଛା ବିରୁଦ୍ଧରେ ମୁଁ ଯାଉଥିଲା ବୋଲି କହିଲେ କେହି ବିଶ୍ୱାସ କରିବେ ନାହିଁ କିନ୍ତୁ ତାହାହିଁ ଥିଲା ସତ୍ୟ । ଝଡ଼ ଭଳି ମୋ ପାଖ ଦେଇ ଗୋଟିଏ ରହସ୍ୟମୟୀ ସ୍ତ୍ରୀ ଛୁଟି ବାହାରିଗଲା । ତାର ଗଳାରେ କପାଳ-ମାଳା; କଟିରେ ହାଡ଼ର କିଙ୍କିଣୀ ଓ ହାତରେ ନର-କପାଳର ଖଞ୍ଜଣୀ । ତାର ଜଟା ଥିଲା ନ୍ୟଗ୍ରୋଧ ତରୁର ପ୍ରରୋହ ପରି କର୍କଶ । କଟି-ବିନ୍ୟସ୍ତ ଖଟ୍ଵାଙ୍ଗ-ଘଣ୍ଟିରେ ବାଜି ବାଜି କଠୋର-ଧ୍ୱନି ଉତ୍ପନ୍ନ କରୁଥିଲା ଓ କପୋଳରେ ଝୁଲୁଥିବା ବରାଟକ (କ୍ରୀଡ଼ା) ମାଳାରେ ବାରମ୍ବାର ଗୁଡ଼ାଇ ହୋଇଯାଉଥିଲା । ମନେ ହେଲା ସେ ଯେପରି ଉଡ଼ିଯାଉଛି-। ରଜ୍ଜୁବଦ୍ଧ ମର୍କଟଭଳି ମୁଁ ଟାଣି ହୋଇଗଲି ।

ବଜ୍ରତୀର୍ଥ ଏକ ବିଶାଳ ଶ୍ମଶାନ । ନିମ୍ବତେଲରେ ଭଜା ରସୁଣପରି ଚତୁଃପାର୍ଶ୍ଵ ଶବଙ୍କର ଦୁର୍ଗନ୍ଧରେ ବ୍ୟାପ୍ତ ହୋଇଥିଲା । ଶ୍ମଶାନର ଚାରିଆଡ଼େ ହେଟା ବାଘ ଓ ଶୃଗାଳର ପଦଚିହ୍ନ । ହାଡ଼ ଓ ଛିନ୍ନ ମାଂସ-ବାରମ୍ବାର ଖଣ୍ଡ ଉପରେ ସନ୍ଧ୍ୟାର ଧୂସର ଆଲୋକ ଭୟଙ୍କର ଦେଖାଯାଉଥିଲା । ଜ୍ଵଳନ୍ତ ଚିତାଗୁଡ଼ିକ ନିକଟରେ ସାମାନ୍ୟ ଆଲୋକ ଦେଖାଯାଉଥିଲା । କିନ୍ତୁ ତାର ଆଗର ଅନ୍ଧକାର ଆହୁରି ଘନ ହୋଇଯାଇଥିଲା । ଉଲ୍ଲୁକ ଓ ଶୃଗାଳଙ୍କ ଚିତ୍କାରରେ ପ୍ରକମ୍ପିତ ହୋଇଉଠୁଥିଲା ଶ୍ମଶାନର ବାତାବରଣ । ସେହି ବିକଟ ଦୃଶ୍ୟର ମଧ୍ୟସ୍ଥଳରେ ଥିଲା କରାଳାଦେବୀଙ୍କ ମନ୍ଦିର । ନାମମାତ୍ର ମନ୍ଦିର । ଗୋଟିଏ ଚୌବଚା, ଗୋଟିଏ ହୋମ-କୁଣ୍ଡ ଓ ଗୋଟିଏ ଯୂପକାଷ୍ଠ ଛଡ଼ା ଆଉ କିଛି ନଥିଲା ସେଠାରେ । କରାଳାଦେବୀଙ୍କ ମୂର୍ତ୍ତି ବାସ୍ତବିକ ଥିଲା କରାଳ । ଲୋଳଜିହ୍ଵା ତାଙ୍କର ଏକ ସଙ୍ଗେ ଯେପରି ବିଶ୍ଵକୁ ଗ୍ରାସ କରୁଥିଲା ଓ ତ୍ରାଣ କରୁଥିଲା । ଗୁଲ୍‍ଫପର୍ଯ୍ୟନ୍ତ ଝୁଲୁଥିଲା ତାଙ୍କ ଗଳାର ବିଶାଳ ମୁଣ୍ଡମାଳ । ସେହି ରହସ୍ୟମୟୀ ସ୍ତ୍ରୀଟି ଜାନୁପାତ କରି ଠିଆହୋଇଥିଲା କରାଳାଦେବୀଙ୍କ ସମ୍ମୁଖରେ ଏବଂ ଅଶିବ ବେଶଧାରୀ ଏକ ପୁରୁଷ ହୋମ କରୁଥିଲା ସଦ୍ୟ ଚର୍ବିରେ । ଆହୁତି ପଡ଼ିବା ସଙ୍ଗେ ସଙ୍ଗେ ଅଗ୍ନିର ପିଙ୍ଗଳ-ଲୋଳଜିହ୍ଵା ବିକଟାଳ ରୂପରେ ଡେଇଁଉଠିଥିଲା ଓ କ୍ଷଣକପାଇଁ ବାୟୁମଣ୍ଡଳ ଦୁର୍ଗନ୍ଧରେ ଓ ନଭୋମଣ୍ଡଳ ଆଲୋକରେ ବ୍ୟାପ୍ତ ହୋଇଯାଉଥିଲା । ନର-କପାଳରେ ବିବିଧ ଆହବନୀୟ ସାମଗ୍ରୀ ରଖାଯାଇଥିଲା କୁଣ୍ଡର ଚାରିପଟେ । ଘୃଣା ଓ ଜୁଗୁପସାରେ ମୋର ମସ୍ତିଷ୍କ ଭରିଗଲା; କିନ୍ତୁ ଆଶ୍ଚର୍ଯ୍ୟର କଥା ମୁଁ ତଥାପି ଟାଣିହୋଇଗଲି । ଶେଷରେ ମୁଁ ଯାଇ ଯୁପକାଷ୍ଠା ପାଖରେ ଠିଆହେଲି । ସାଧକ ପୁରୁଷ ବିକଟ ଫୁତ୍କାରକରି ସଂକଳ୍ପ ପଢ଼ିଲା । ସଂକଳ୍ପ ବାକ୍ୟରୁ ଜଣାପଡ଼ିଲା ସାଧକର ନାମ ଅଘୋରଘଣ୍ଟ ଓ ସାଧିକାର ନାମ ଚଣ୍ଡମଣ୍ଡନା । ସାଧିକା କେତେକ ମୁଦ୍ରା ପ୍ରଦର୍ଶନ କରି ଗୋଟିଏ ରକ୍ତ-କର୍ଣ୍ଣିକାର ମାଳା । ମୋ ଗଳାରେ ପକାଇଦେଲା । ତାପରେ ଅତି ମଧୁର କଣ୍ଠରେ ସେ ଧ୍ୟାନ-ମନ୍ତ୍ର ପଢ଼ିଲା :–

ଚଣ୍ଡୋହଣ୍ଡନିଶୁମ୍ଭମାନମଥନାତ୍ୟୁଷ୍ଣୋଷ୍ଣାରକ୍ତ ପ୍ରିୟା

ଉତ୍ତାଳୋଦ୍ଧତତାଣ୍ଡବାହତନଭୋ ବିଧ୍ଵସ୍ତତାରାଗଣା ।

ପିଣ୍ଡେ ଷୋଡ଼ଶନାଡ଼ିକାର୍ଚିତପଦା ଷଟ୍‍ଚକ୍ରବକ୍ରାସନା

ମୁଣ୍ଡସ୍ତ୍ରକ୍‍ ପରିବେଷ୍ଟିତାମ୍ବରପଟା ସିଦ୍ଧୟୋ କରାଳାଽସ୍ତୁବଃ ।

ଦୁର୍ଗନ୍ଧରେ ମୋର ମସ୍ତକ ଫାଟିଗଲାଭଳି ମନେ ହେଲା କିନ୍ତୁ ସେହି ବିଚିତ୍ର ସାଧନା ଚାଲିଥିଲା ଅବ୍ୟାହତ ଗତିରେ । ଧୀରେ ଧୀରେ ମୋର ଚେତନା ଲୁପ୍ତ ହେବାକୁ ଲାଗିଲା । ଆଶ୍ଚର୍ଯ୍ୟର କଥା, ମୁଁ ପଡ଼ି ନଯାଇ ସଂବେଦନ–ଶୂନ୍ୟଭଳି ସବୁ କିଛି ଦେଖିବାକୁ ଲାଗିଲା । ନଭୋମଣ୍ଡଳରୁ ବିକଟାକୃତି କଟପୂତନା ଓ ଭୈରବମାନେ ଓହ୍ଲାଇ ମୋତେ ବିଚିତ୍ର ଢଙ୍ଗରେ ପ୍ରଣିପାତ କଲେ ଓ ଆରତି ସଂପନ୍ନ କଲେ । ବିଚିତ୍ର ଜୟ ଜୟ-କାରରେ ଦିଙ୍ମଣ୍ଡଳ ଉଦ୍‍ଭାସିତ ହୋଇଉଠିଲା ଓ ବିକଟାଳ ପିଶାଚଙ୍କର ଅସ୍ଥିକରତାଳରେ ଅନ୍ଧକାର ଫାଟିପଡ଼ିଲା । ହତସଂଜ୍ଞ ଓ ନିଶ୍ଚେଷ୍ଟ ହୋଇ ଠିଆହୋଇ ରହିଲି । ଚଣ୍ଡମଣ୍ଡନା ପୁଣି ସ୍ତୁତି ପଡ଼ିଲା–

ଯଦ ବ୍ରହ୍ମାଣ୍ଡକଟାହସମ୍ପୁଟତଟୋଲ୍ଲାସିପ୍ରଚଣ୍ଡ ମହଃ

ଯତ୍ତଦ୍‍ଗର୍ଭବିଭାଣ୍ଡମଣ୍ଡନମହଜ୍ଜ୍ୟୋତିଃ ପରଂ ଜ୍ୟୋତିଷାମ୍ ।

ଧ୍ୟାନାବସ୍ଥିତ ତଦଗତେନ ମନସା ଯଦ ଯୋଗିଭିର୍ଧ୍ୟାୟତେ–

ତତ୍ତେ ଧାମ ନିରସ୍ତବିଶ୍ଵକୁହକଂ ଭର୍ଗଃ ପରଂ ଧୀମହି ।

 

ବିବିଧ ଅଙ୍ଗନ୍ୟାସ ସହିତ ଖଟ୍ଵାଙ୍ଗପୂଜା ଆରମ୍ଭ ହେଲା । ଅଘୋର-ଘଣ୍ଟ ଆଦେଶ ଦେଲା–‘ଯିଏ ତୋର ସବୁଠୁ ପ୍ରିୟ, ତାର ଧ୍ୟାନ କର ।” ମୁହୂର୍ତ୍ତକ ମଧ୍ୟରେ ଭଟ୍ଟିଣୀଙ୍କର କୋମଳ-କାନ୍ତ ମୁଖଚ୍ଛବି ମୋ ସମ୍ମୁଖରେ ଉପସ୍ଥିତ ହେଲା । କାତରରେ ମୁଁ ସାମାନ୍ୟ ଚିତ୍କାର କରି ଉଠିଲି । ଭଟ୍ଟିଣୀଙ୍କୁ ନିର୍ଜନ ଶରକାନ୍ତାରରେ ଛାଡ଼ି ମୁଁ ବଳି ହେବାକୁ ଯାଉଛି ! ମୋର ଦେହ ଝାଇଁ ଝାଇଁ ହୋଇଗଲା । କାତରରେ ଅଘୋର-ଭୈରବଙ୍କୁ ସ୍ମରଣ କଲି । ଅଘୋରଘଣ୍ଟ ଓ ଚଣ୍ଡମଣ୍ଡନା ବିକଟ ଫୁତ୍‍କାର କରି ବାୟୁ-ମଣ୍ଡଳକୁ ପ୍ରକମ୍ପିତ କରିବାକୁ ଲାଗିଲେ । ଉଗ୍ର ଭୌରବମାନେ ତୁମୁଳ ଚିତ୍କାର କଲେ ଓ କଟପୂତନାମାନେ ମୋତେ ଘେରି ଠିଆହେଲେ । ବିଚିତ୍ର ଆବିଷ୍ଟ ଭଙ୍ଗୀକରି ଉଦ୍ଦାମ-ଭାବରେ ମଥା ପିଟିବାକୁ ଲାଗିଲା ଚଣ୍ଡ-ମଣ୍ଡନା ଓ ଘନ ଘନ ଆହୁତି ଓ କ୍ରମବର୍ଦ୍ଧିତ ଫୁତ୍‍କାରରେ ହବନା-କୁଣ୍ଡକୁ ଲୋଳକମ୍ପିତ କରିବାକୁ ଲାଗିଲା ଅଘୋରଘଣ୍ଟ । ମୁଁ ଆଖି ଖୋଲିଲି । ସମ୍ମୁଖରେ ମହାମାୟା, ଭଟ୍ଟିଣୀ ଓ ନିପୁଣିକା; ପଛରେ ଉନ୍ମୁକ୍ତ ତରବାରି ଧରି ବିଗ୍ରହବର୍ମା ଓ ଦଶ ଜଣ ମୌଖରୀ-ବୀର ପ୍ରସ୍ତର ମୂର୍ତ୍ତିଭଳି ଠିଆ ହୋଇଥିଲେ । ଭଟ୍ଟିଣୀ କାତରଦୃଷ୍ଟିରେ ମୋତେ ଦେଖୁଥିଲେ । ଅବଶ ବ୍ୟାକୁଳତାରେ ମୁଁ ତାଙ୍କୁ ଅନାଇଁ ରହିଲି । ମୋର ଶିରାପ୍ରଶିରା ଯେପରି ଆଉ ସହ୍ୟ କରି ପାରିଲେ ନାହିଁ । ମନେ ହେଲା, କାନପାଖରୁ ରକ୍ତର ଧାରା ଯେପରି ଗଡ଼ିଯାଉଛି । ରକ୍ତ ଦେଖି ଅଘୋରଘଣ୍ଟ ବିଚଳିତ ହେଲା । ସେ ଚଣ୍ଡମଣ୍ଡନାକୁ ଶୀଘ୍ରତା ନିମନ୍ତେ ଆଦେଶ ଦେଲା । ଭଟ୍ଟିଣୀ ମୂର୍ଚ୍ଛିତା ହୋଇ ପଡ଼ିଗଲେ । ତାଙ୍କୁ ମୂର୍ଚ୍ଛିତ ହେବାର ଦେଖି ମୋର ଉଦ୍‍ବିଗ୍ନ ମସ୍ତିଷ୍କ ଆହୁରି ବିଚଳିତ ହେଲା । ଉନ୍ନତ୍ତଭଳି ବେଦିକା ଆଡ଼କୁ ଅଗ୍ରସର ହେଲା ନିପୁଣିକା । କେହି ଯେପରି ଝଞ୍ଜାକୁ ବାନ୍ଧି ଦେଇଥିଲା ତା ପାଦରେ ! ପ୍ରସ୍ତର ପ୍ରତିମାପରି ମହାମାୟା ନିଶ୍ଚଳ ହୋଇ ଠିଆହହୋଇ ରହିଲେ । ତାଙ୍କର ଚକ୍ଷୁରୁ ଏକ ଅଦ୍ଭୁତ ଜ୍ଵାଳାମୟୀ ଜ୍ୟୋତି ନିର୍ଗତ ହେଉଥିଲା । ସ୍ଥିରଦୃଷ୍ଟିରେ ସେ ନିପୁଣିକାକୁ ତଳେ ଦେଖୁଥିଲେ । ଝଡ଼ଭଳି ଆସିଲା ନିପୁଣିକା । ଗୋଟିଏ ଧକ୍‍କାରେ ଚଣ୍ଡମଣ୍ଡନାକୁ ତଳେ ପକାଇଦେଇ ସେ ତା ହାତରୁ ଖଟ୍ଵାଙ୍ଗ ଟାଣିନେଲା ଏବଂ ଖଟ୍ଵାଙ୍ଗ ଧରି ବିକଟ ନୃତ୍ୟ ଆରମ୍ଭ କଲା । ତାର ଉଦ୍ଧତ ପାଦର ସଂଚାରରେ ହୋମ-କୁଣ୍ଡ ବିଧ୍ଵସ୍ତ ହୋଇଗଲା । ଲାଲ ପତାକା ଛିନ୍ନବିଚ୍ଛିନ୍ନ ହୋଇଗଲା ଓ ଯୂପକାଷ୍ଠ ଚୂର୍ଣ୍ଣବିଚୂର୍ଣ୍ଣ ହୋଇଗଲା । ଅହୋ, କେଡ଼େ ଉତ୍ତଳ ଥିଲା ସେ ନର୍ତ୍ତନ ! ମନେହେଲା ତାର ପଦସଂଚାରରେ ଧରିତ୍ରୀ ଯେପରି ଧସି ହୋଇଯାଉଛି, ତାରାମଣ୍ଡଳ ଗଡ଼ିମ ପଡ଼ିଛନ୍ତି ଓ କରାଳାର ମୁଖମଣ୍ଡଳ ଠକ୍ ଠକ୍ ହେଉଛି । ମହାମାୟା ସ୍ଥିର-ଦୃଷ୍ଟିରେ ନିପୁଣିକାକୁ ଲକ୍ଷ୍ୟ କରୁଥିଲେ । ହଠାତ୍ ତଙ୍କର ଦୃଷ୍ଟି ମୋ ଉପରେ ପଡ଼ିଲା । ମନେହେଲା ସହସ୍ର-ସୂର୍ଯ୍ୟ ଯେପରି ଡେଇଁପଡ଼ିଲେ ଏ ପାଖକୁ ! ନିପୁଣିକା ସଂଜ୍ଞାହୀନ ହୋଇ ତଳେ ପଡ଼ିଗଲା । ଅଘୋରଘଣ୍ଟକୁ କାନ୍ଧ ଉପରକୁ ନେଇ ମୁଁ ଯେ କିଭଳି ବିକଟ ତାଣ୍ଡବ ନୃତ୍ୟ କଲି, ତା ମୋର ମନେ ନାହିଁ କିନ୍ତୁ ଶ୍ମଶାନର କୌଣସି ଅଂଶ ଯେ ମୋର ଉତ୍ତାଳ ନର୍ତ୍ତନରୁ ଅସ୍ପୃଶ୍ୟ ରହି ନଥିଲା, ତାହା ମନେ ଅଛି । ଅବଶେଷରେ ମୁଁ ଅଘୋରଘଣ୍ଟକୁ ଗଙ୍ଗାରେ ଫିଙ୍ଗିଦେଲି-। ଭୀମବେଗରେ ମୋ ପାଖକୁ ଦୌଡ଼ି ଆସି ମହାମାୟା ମୋତେ ଟାଣି ଟାଣି ପୂର୍ବଦିଗକୁ ଅଗ୍ରସର ହେଲେ ।

 

ଗଙ୍ଗା ଓ ମହାସରଯୂର ସଙ୍ଗମସ୍ଥଳରେ ଅବଧୂତ ଅଘୋର-ଭୈରବ ଗୋଟିଏ ଶବ ଉପରେ ଆସନ କରି ଧ୍ୟାନମଗ୍ନ ହୋଇ ବସିଥିଲେ । ମୋତେ ପଛକୁ ଠେଲିଦେଇ ମହାମାୟା ଚିତ୍କାର କଲେ–‘ତ୍ରାହି ଗୁରୋ, ତ୍ରାହି ! ଅଘୋର ଭୈରବ ଆଖି ଖୋଲିଲେ ଓ ସାମାନ୍ୟ ଆଶ୍ଚର୍ଯ୍ୟ ହୋଇ କହିଲେ–“ମହାମାୟା, ମହାମାୟା, ମହାମାୟା !” ମହାମାୟା ନିଶ୍ଚେଷ୍ଟ, ହତସଂଜ୍ଞ ! ଗୁରୁ ମୋତେ ଅନାଇଲେ । ମୋତେ ଶ୍ଵାସରୁଦ୍ଧ ହୋଇଯାଉଥିଲା । କେବଳ ଦୀର୍ଘ–ଶ୍ଵାସ ନେଇ କହିଲି–“ତ୍ରାହି !’’ ଅଘୋରଭୈରବ ମୋତେ ଶବ ଉପରକୁ ଟାଣିନେଇ ମୋ ଲଲାଟରେ ହାତ ବୁଲାଇବାକୁ ଲାଗିଲେ । କହିଲେ–“ତା ହେଲେ ତୁ ଏପର୍ଯ୍ୟନ୍ତ ବଞ୍ଚିଛୁ । ତ୍ରିପୁର-ଭୈରବୀର ମାୟା !” ମୁଁ ସଂକ୍ଷେପରେ ସାରା ବୃତ୍ତାନ୍ତ ବର୍ଣ୍ଣନା କଲି । ସେ ଅବିଚଳିତ ହୋଇ ଶୁଣିଲେ । କେବଳ ଥରେ ମହାମାୟାଙ୍କୁ ଅନାଇ ହସିଲେ ଏବଂ ସାମାନ୍ୟ ଥଟ୍ଟାରେ କହିଲେ–‘‘ପାଗଳୀ ! ଡରୁଛି ।” ହାତରେ ଅଳ୍ପ ପାଣି ନେଇ ସେ ମହାମାୟାଙ୍କ ମୁହଁ ଉପରକୁ ପକାଇଲେ । ମହାମାୟା ସାମାନ୍ୟ ସଚେତ ହେଲେ ଓ ତାର କିଛି ସମୟପରେ ଧୀରେ ଧୀରେ କ’ଣ କହି ସେ ସେଠାରୁ କରାଳାଦେବୀଙ୍କ ସ୍ଥାନକୁ ଚାଲିଗଲେ ।

 

କିଛି ସମୟପର୍ଯ୍ୟନ୍ତ ଅବଧୂତ ଧ୍ୟାନସ୍ଥ ହୋଇ ବସିରହିଲେ । ତା ପରେ ମୋ ପିଠି ଉପରେ ହାତ ବୁଲାଇ ପଚାରିଲେ–“ତୁ କବି, ନୁହଁ ରେ ?” ଅଦ୍ଭୁତ ପ୍ରଶ୍ନ ! ଏ ସମୟରେ କବିତ୍ଵର କି ଆବଶ୍ୟକତା ? କୌତୂହଳ ଦୃଷ୍ଟିରେ ମୁଁ ତାଙ୍କୁ ଅନାଇ ରହିଲି । କ୍ଷଣକପରେ ବାବା ରାଗିଲାଭଳି କହିଲେ–“ହଁ, କାହିଁକି କହୁନୁ, ଅଭାଗା ?” ମନ୍ତ୍ରମୁଗ୍ଧ ଭଳି କହିଲି–“ହଁ ଆର୍ଯ୍ୟ ।” ବାବା କହିଲେ–ପାଷାଣ୍ଡ ! ପ୍ରଥମେ କାହିଙ୍କି କହିଲୁ ନାହିଁ ?” ମୁଁ ସଙ୍କୋଚରେ କହିଲି–“ମୁଁ ଜାଣେନା ଆର୍ଯ୍ୟ, ଭଟ୍ଟିଣୀ ମୋତେ କବି କହିଥିଲେ ଓ ଆପଣ କୁହାଉଛନ୍ତି ।” ସେ ପଚାରିଲେ ତୁ ନିଜର ଭଟ୍ଟିଣୀର ସ୍ତୁତି ଗାଇପାରିବୁ ? ମୁଁ ଉତ୍ତର ଦେଲି–“ନା, ଆର୍ଯ୍ୟ ।” “କାହିଁକି ରେ ?” ନିପୁଣିକାକୁ କଥା ଦେଇ ଦେଇଛି ବୋଲି କହିଲି । ବାବା କହିଲେ–“ସାଧୁ ! ତୁ ଦେବୀର ସ୍ତୁତିପାଠ କରିପାରିବୁ ? କରାଳା ଦେବୀର ସ୍ତୁତି ?” ମୁଣ୍ଡ ତଳକୁ କରି କହିଲି–“ହଁ, ଆର୍ଯ୍ୟ !” ଅବଧୂତ କହିଲେ–“ଅଭାଗା, ତୁ ଦେବୀର ବଳି ହେଉଥିଲୁ , ଦେବାଙ୍ଗନାମାନେ ତୋର ଆରତି କରିଥିଲେ ଓ ଶିବାମାନେ ମଙ୍ଗଳ-ବାଦ୍ୟ ବଜାଇଥିଲେ । କିନ୍ତୁ ଭୋର ଭାଗ୍ୟ ଅପ୍ରସନ୍ନ, ଦେବୀଙ୍କର ପିପାସା ଶାନ୍ତ କରିପାରିଲୁ ନାହିଁ-। ଏଥର ତାଙ୍କର ଅସନ୍ତୋଷ ଦୂର କର । ଦେଖ, ଦେବୀର ବ୍ୟାୟାମ-ମନୋହର ଶରୀରର ବର୍ଣ୍ଣନା କରତ ।” ଆଉ ଉପାୟ ନ ଥିଲା । ଟିକିଏ ଚିନ୍ତାକରି ମୁଁ ପଡ଼ିଲି :–

 

ବାହୂତ୍‍କ୍ଷେପସମୁଲ୍ଲସତକୁଚତଟଂ ପ୍ରାନ୍ତସ୍ଫୁଟତ୍‍କଞ୍ଚୂକମ୍ ।

ଗମ୍ଭୀରୋଦରନାଭିମଣ୍ଡଳ ଗଳତ୍‍ କାଞ୍ଚୀଧୃତାର୍ନ୍ଧାଶୁକମ୍ ।

ପାର୍ବତ୍ୟା ମହିଷାସୁରବ୍ୟତିକରେ ବ୍ୟାୟାମରମ୍ୟଂ ବପୁଃ

ପର୍ଯ୍ୟାସ୍ତାବଧିବନ୍ଧବନ୍ଧୁ ରଳସତ୍‍କେଶୋଚ୍ଚୟଂ ପାତୁ ବଃ ।

 

ଅବଧୂତ କହିଲେ–“ପଶୁଟାଏ ତୁ, ଅଭାଗା ! ଏହାକୁ କଣ ବ୍ୟାୟାମ-ରମ୍ୟ ବପୁ କହନ୍ତି-? ଆହୁରି ଶୁଣା ।” ମୁଁ ଆଉ ଗୋଟିଏ ଶୁଣାଇଲି :–

 

ଚକ୍ଷୁର୍ଦିକ୍ଷୁକ୍ଷିପତ୍ୟାଶ୍ଚଳିତକମଳିନୀ ଚାରୁକୋସାଭିତାମ୍ର

ଭଦ୍ରଂ ଧ୍ୟାନାନୁୟାତଂ ଝଟିତି ବଳୟିନୋ ମୁକ୍ତବାଣସ୍ୟ ପାଣେଃ ।

ଚଣ୍ଡ୍ୟା ସବ୍ୟାପସବ୍ୟଂ ସୁରରିପୁଷୁ ଶରାନ୍ ପ୍ରେରୟତ୍ୟା ଜୟନ୍ତି

ତ୍ରୁଟ୍‍ୟନ୍ତଃ ପୀନଭାଗେ ସ୍ତନବଳନଭରାତ୍ ସଂଧୟଃ କଂଚୁକସ୍ୟ ।

 

ଅବଧୂତ ହସିଲେ, କହିଲେ–“ତୋଦ୍ଵାରା ହେବ ନାହିଁ । ଉଠ, ପଳା ଏଠୁ ।”

Image

 

ଏକାଦଶ ପରିଚ୍ଛେଦ

 

ଅବଶରେ ମୋର ଶରୀର ଭାରାକ୍ରାନ୍ତ ହୋଇପଡ଼ିଥିଲା । ତିନିଦିନ ମୁଁ ସଂଜ୍ଞାହୀନ ହୋଇ ପଡ଼ିରହିଲି ଓ ଯେତେବେଳେ ଚେତନା ଲାଭ ହେଲା, ସ୍ଵପ୍ନାଦେଶର ଏକ ମାୟା ଯେପରି ମୋର ସାରା ଅସ୍ତିତ୍ଵକୁ ଅଭିଭୂତ କରିରଖିଲା । ବୃନ୍ତଚ୍ୟୂତ ତୁଳ-ଖଣ୍ଡଭଳି ମୋତେ ଯେପରି ଓହ୍ଲାଇ ଦେଉଥିଲା ଏକ ତରଳ ମରୁକାନ୍ତାରରେ । ମନେହେଲା, ସେହି ତରଳ କାନ୍ତାର ଯେପରି ଅସୀମ ! ଦିଗନ୍ତର ଗୋଟିଏ କୋଣରୁ ଅପର କୋଣ-ପର୍ଯ୍ୟନ୍ତ ଏକ ବିଶାଳ ଅଜଗରପରି ତା ଯେପରି ନିଶ୍ଚେଷ୍ଟ । ଦିଗ୍‍ବଳୟ ତାକୁ ସ୍ପର୍ଶ କରିବାକୁ ଶଙ୍କିତ ହେଉଥିଲା, ବାୟୁର ଲହରୀମାଳା ତାକୁ ବିକ୍ଷୁବ୍‍ଧ କରୁ ନଥିଲା । ମଝିରେ ମଝିରେ ଚନ୍ଦ୍ରମଣ୍ଡଳର କ୍ଷୀଣ ଆଭା ଦୃଷ୍ଟିଗୋଚର ହେଉଥିଲା ସୁଦୂର-ଆକାଶ କୋଣରେ ।

 

ପ୍ରଫୁଲ୍ଲ ଶତଦଳ ଉପରେ ବଜ୍ରାସନାସୀନ କର୍ପୂର-ଗୌରୀ ଆନନ୍ଦ-ଭୈରବୀ ଧୀରେ ଧୀରେ ସେଠାରୁ ଓହ୍ଲାଇଲେ । ତାଙ୍କର ଅଷ୍ଟାଦଶ ଭୁଜର ବିବିଧ ଅସ୍ତ୍ର ଚନ୍ଦ୍ରମାର ପିଙ୍ଗଳ ପ୍ରଭାରେ ଦୀପ୍ତ ହୋଇଉଠିଥିଲା ଓ ତାଙ୍କର ଶରୀରର ରଜତ-କଳଶ ଗୈରିକ ବସ୍ତ୍ରର ଆଭାରେ ସିନ୍ଦୁର-ମନୋହର କାନ୍ତି ଧାରଣ କରୁଥିଲା । ତ୍ରିନୟନରୁ ତାଙ୍କର ଅମୃତର ସ୍ରୋତ ପ୍ରବାହିତ ହେଉଥିଲା ଓ ତାଙ୍କର ବିନ୍ଦୁମାଙ୍କୁରସମ ଲାଲ ଲାଲ ଅଙ୍ଗୁଳିଗୁଡ଼ିକ ମୋର କେଶ ଛୁଇଁ ଯାଉଥିଲା । କିଶଳୟକୁ ଲଜ୍ଜିତ କରୁଥିବା ପାପୁଲିରେ ସେ ଯେତେବେଳେ ମୋର ଲଲାଟ ସ୍ପର୍ଶ କଲେ ମୋର ଶତ ଜନ୍ମାନ୍ତର ଯେପରି କୃତାର୍ଥ ହୋଇଗଲା । ବେଳେବେଳେ ଧରିତ୍ରୀର ଆକର୍ଷଣ ମୋତେ ତଳକୁ ଟାଣୁଥିଲା । କିନ୍ତୁ ସେ ଆକର୍ଷଣରେ ଶକ୍ତି ନଥିଲା । ଯେଉଁଦିନ ସେ ଆକର୍ଷଣର ପ୍ରାବଲ୍ୟ ଅନୁଭବ କଲି, ସେଦିନ ଦିଗନ୍ତ ପ୍ରସାରୀ ତରଳ କାନ୍ତାର ଚିରଦିନପାଇଁ ବିଲୁପ୍ତ ହୋଇଗଲା । ସ୍ୱପ୍ନର ଆବେଶ ଭାଙ୍ଗିଗଲା, ଜଡ଼ତା ଲୁପ୍ତ ହେଲା ଓ ମୋର ଆକ୍ଷି ଖୋଲିଗଲା । ସମ୍ମୁଖରେ ଭଟ୍ଟିଣୀ ବସିଥିଲେ । ତାଙ୍କର ଆକର୍ଣ୍ଣବିସ୍ତାରୀ ଚକ୍ଷୁ ମ୍ଳାନ ହୋଇଯାଇଥିଲା, ମୁଖମଣ୍ଡଳ ପାଣ୍ଡୁର ହୋଇଯାଇଥିଲା ଓ କପୋଳ-ତଳ ବିବର୍ଣ୍ଣ ପଡ଼ିଯାଇଥିଲା । କେତେ ଦିନୁ ନିଦ ହୋଇ ନଥିଲା ନିଶ୍ଚୟ । ଜାଗରଖିନ୍ନ ରକ୍ତିମ ଚକ୍ଷୁ ତାଙ୍କର ଧୂଳି-ଲୁଣ୍ଠିତ ପଳାଶ-ପୁଷ୍ପ ସମ, ଆତପ-ଗ୍ଲାନ ବନ୍ଧୁଜୀବ-କୁସୁମସମ ଓ ପିଞ୍ଜରାବଦ୍ଧ ଖଞ୍ଜନ ଶାବକ ସମ ଦର୍ଶକକୁ ବ୍ୟଥିତ, ଖିନ୍ନ ଓ ଉତ୍ସୁକ କରୁଥିଲା । ତାଙ୍କର ଅସ୍ତବ୍ୟସ୍ତ ଚିକୁର-ଜାଳ ଜଣାପଡ଼ୁଥିଲା ସତେ ଯେପରି ତାହା ମୟୂରର ବକ୍ଷୁବଧ ବର୍ହିଭାର, ପୁଷ୍କରଣୀର ଆଲୋଡ଼ିତ ଶୈବାଳ-କାଳ ଅଥବା ଉତ୍ତେଜିତ ମଳତୀ-ଲତାର ବିକ୍ଷୁବ୍‍ଧ ଭ୍ରମର-ଫକ୍ତି । ଗଙ୍ଗାର ଧାରାସମ ପବିତ୍ର ଓ କୈଳାସର ନୀଳ ବନରାଜିଗାମୀ ମାର୍ଗସମ ମନୋହର । ତାଙ୍କର ସୀମନ୍ତ-ରେଖା ଆଚ୍ଛନ୍ନ ହୋଇପଡ଼ିଥିଲା ଅସ୍ତବ୍ୟସ୍ତ ଅଳକ-ରାଶିରେ । ସର୍ବଦା ଅବଗୁଣ୍ଠନ-ଆଶ୍ରିତ କେଶ ଆଜି ଯେପରି ତାର ଅଭାବରେ ସଶଙ୍କ ଜଣାପଡ଼ୁଥିଲା । ଭଟ୍ଟିଣୀ ମୋର ପାଦଆଡ଼େ ବସି ନିର୍ନିମେଷ ନୟନରେ ମୋତେ ଅନାଇଥିଲେ । କାରୁଣ୍ୟଭରା ଦୃଷ୍ଟି ! ମୁଁ ସ୍ପଷ୍ଟ ଲକ୍ଷ୍ୟ କଲି ମୋର ଆଖି ଖୋଲିବାମାତ୍ରେ ଭଟ୍ଟିଣୀଙ୍କର ଅଙ୍ଗ ଉଲ୍ଲସିତ ହୋଇଗଲା–ଶୋଭାର ସମୁଦ୍ରରେ ଜୁଆର ଉଠିଆସିଲା ଯେପରି !

 

କିନ୍ତୁ ସେ ଏଥିପାଇଁ ପ୍ରସ୍ତୁତ ନଥିଲେ । ମୋର ସଂଜ୍ଞା ଶୀଘ୍ର ଫେରିଆସିବ, ହୁଏତ ଏ ଆଶା ନଥିଲା ତାଙ୍କର । ସାମାନ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଲେ । ପାରିଜାତ ପଲ୍ଲବସମ ସୁକୁମାର ମନୋହର ହସ୍ତ ତାଙ୍କର ଦ୍ରୁତଗତିରେ ଉତ୍ତରୀୟ ଖୋଜିବାରେ ଲାଗିଲା । ଗୋଟିଏ ମୁହୂର୍ତ୍ତରେହିଁ ତାଙ୍କର କପୋତ-କର୍ବୁର ଅଂଶୁକାନ୍ତ (ଅଞ୍ଚଳ) ସୀମନ୍ତ-ରେଖା ଉପରକୁ ଆସିଗଲା । ମନେହେଲା, ବିଦ୍ୟୁତ୍‍ଲ୍ଲତା ଯେପରି ଚନ୍ଦ୍ରମାଉପରେ ନୀଳ ମେଘ-ପଟଳର ଆବରଣ ଢାଙ୍କିଦେଲା, ମୃଣାଳ-ନାଳ ଯେପରି କମଳ-ପୁଷ୍ପକୁ ପତ୍ରରେ ଢାଙ୍କି ଦେଲା; ସତେ ଯେପରି ବିଦ୍ରୂମ-ଲତା ତରଙ୍ଗରେ ଜଳ-ଦେବତାଙ୍କୁ ଗୋପନ କରିଦେଲା । ଭଟ୍ଟିଣୀଙ୍କୁ ଏଭଳି ବସିବାର ଦେଖି ମୁଁ ଦୁଃଖିତ ହେଲି । ଏକ ଦୁର୍ନିବାର ସଂଭ୍ରମତା ମୋତେ ଉଠିବାକୁ ବାଧ୍ୟ କଲା । ଭଟ୍ଟିଣୀ କିନ୍ତୁ ମୋତେ ଉଠିବାପାଇଁ ବାରଣ କଲେ । ବାଷ୍ପବିନ୍ଦୁ ପୂର୍ଣ୍ଣ ହୋଇଥିଲା ତାଙ୍କର ସ୍ନେହ-ମେଦୁର ନୟନରେ, ଲାଲିମାର ସଂଚାର ହୋଇଥିଲା ମ୍ଳାନ ମୁଖ-ମଣ୍ଡଳରେ ଓ ଏକ କାତର ପ୍ରାର୍ଥନା ପ୍ରତିଧ୍ଵନିତ ହେଉଥିଲା ସତ୍ତାମଧ୍ୟରୁ । ଆୟାସରେ ନିଜର କୋମଳ କରତଳଦ୍ଵାରା ଚାପ ଦେଇ ସେ ମୋତେ ନିଷେଧ କଲେ । ମୁହଁରୁ କେବଳ ଗୋଟିଏ ଶବ୍ଦ ବାହାରିଲା, ‘‘ନା” । ତାଙ୍କର ଗଳା ରୁଦ୍ଧ ହୋଇ ଯାଇଥିଲା, ଦୃଷ୍ଟି କାତରପୂର୍ଣ୍ଣ ହୋଇଉଠିଥିଲା ଓ କରତଳ ସ୍ଵେଦଧାରାରେ ଆର୍ଦ୍ର ହୋଇଥିଲା । ମୋର ଉଠିବାର ଶକ୍ତି ନଥିଲା । ଆକ୍ଷି ବନ୍ଦ କରି ଭଟ୍ଟିଣୀଙ୍କର ସ୍ନେହ-ମେଦୁର ମୁଖଶ୍ରୀକୁ ଧ୍ୟାନ କରିବାକୁ ଲାଗିଲି । ଏ ମର୍ତ୍ତ୍ୟଲୋକର ପାଗଳ କବିମାନେ କାହିଙ୍କି ଯେ ଉଦ୍ଦେଶ୍ୟହୀନ ହୋଇ ବୁଲୁଛନ୍ତି ? ଲକ୍ଷ୍ମୀ କଣ ସ୍ୱର୍ଗରେ ରହୁଛନ୍ତି-? ସେ ତ ଏ ପୃଥିବୀରେ ଅବତୀର୍ଣ୍ଣ ହୋଇଛନ୍ତି । ଭଟ୍ଟିଣୀଙ୍କଠାରୁ କ’ଣ ଅଧିକ କେଉଁ ଶ୍ରୀଶାଳିନୀର କଳ୍ପନା କରାଯାଇପାରେ ? ଏ ପାଣି-ପଲ୍ଲବ ନିକଟରେ ସ୍ଵର୍ଗର ପାରିଜାତ-ପଲ୍ଲବ କେତେ ଯେ ତୁଚ୍ଛ କଳ୍ପନା ! କାଳ୍ପନିକ ଅମୃତ କଣ ଏହି କରତଳ-ସ୍ଵାବୀ ସ୍ଵେଦଧାରାଠାରୁ ଅଧିକ ଶୋଭନୀୟ-? ମୋର ପ୍ରାଣ ଯେପରି ଆନନ୍ଦ ସ୍ରୋତରେ ନିମଜ୍ଜିତ ହୋଇଗଲା । କ୍ଷଣକପାଇଁ ମୁଁ ମୋହାବିଷ୍ଟଭଳି ପଡ଼ିରହିଲି ।

 

ଇତିମଧ୍ୟରେ ମହାମାୟା ଆସି ମୋ ମୁଣ୍ଡପାଖରେ ବସିଲେ ଓ ବଡ଼ ସ୍ନେହରେ ମୋର ଭ୍ରୂକୁଟୀର ଅନ୍ତରାଳକୁ ଧୀରେ ଧୀରେ ଆଉଁସିବାକୁ ଲାଗିଲେ । ଅର୍ଦ୍ଧଚେତନ ହୋଇ ମୁଁ ପଡ଼ିରହିଲି-। ଭଟ୍ଟିଣୀଙ୍କ ଆଖିରେ ଅଶ୍ରୂ ଦେଖି ମହାମାୟା କହିଲେ–“ପୁଣି କାନ୍ଦୁଥିଲୁ ନା ? ପାଗଳୀ ତୁ । ମୋ ଉପରେ ତୋର ବିଶ୍ଵାସ ନାହିଁ ? ଭଟ୍ଟର କଣ ହୋଇଛି ଯେ ତୁ ଏଭଳି କାନ୍ଦୁଛୁ ? ଆଜି ନିଶ୍ଚୟ ସେ ସଂଜ୍ଞାଲାଭ କରିବ । ସମ୍ମୋହନର କ୍ଲାନ୍ତି ! ସହସ୍ର ଶିରାକୁ ଲୋମକୂପ ଭିତରେ ଚୂର୍ଣ୍ଣ କରି ସମ୍ମୋହନର ପ୍ରୟୋଗ ମନକୁ ଅଭିଭୂତ କରେ, ନାଗ ଓ କୂର୍ମ ପ୍ରାଣକୁ ତାହା ରୁଦ୍ଧ କରିଦିଏ, କୃକଳକୁ ନାଭି କୂପରେ ମାଡ଼ିଦିଏ ଓ ଦେବଦତ୍ତ ତଥା ଧନଞ୍ଜୟକୁ ତ୍ଵିଗିନ୍ଦ୍ରିୟରେ ନିରୁଦ୍ଧ କରିଦିଏ । ଏହାର କ୍ଳାନ୍ତି ବିକଟ । ନା ମା, ଚିନ୍ତା କରିବାର କୌଣସି କାରଣ ନାହିଁ । ଭଟ୍ଟରେ ନାଡ଼ିଗୁଡ଼ିକ ଆଜି ସୁସ୍ଥ; ଦ୍ଵାର ଆଜି ରୁଦ୍ଧ । ଦେଖ ତ, କେତେ ସୁସ୍ଥ ଏହି ଅଳମ୍ୱୁଷା ଓ ପୟଃସ୍ଵିନୀ ! ବର୍ତ୍ତମାନ ତାର ଆଖି ଖୋଲିବ । ନିପୁଣିକାର ବର୍ତ୍ତମାନ ବିଳମ୍ବ ଅଛି । ପ୍ରତିପ୍ରସବର କ୍ଳାନ୍ତି ଆହୁରି କଠିଣ । ନା, ବିଚଳିତ ହ’ନା ! ଛି, ଏପରି ବ୍ୟାକୁଳ ହୁଅନ୍ତି ?” ଭଟ୍ଟିଣୀ ରୁଦ୍ଧକଣ୍ଠରେ କେବଳ କହିଲେ–‘ନା ।” ମୋର ଲଲାଟାକୁ ସାଉଁଳି ମହାମାୟା କହିଲେ–“ଭଟ୍ଟ କିପରି ଯେ ସମ୍ମୋହନର ବଶବର୍ତ୍ତୀ ହେଲା, ସେଥିରେ ମୁଁ ଆଶ୍ଚର୍ଯ୍ୟ ହେଉଛି । ତାର କୁଳ-କୁଣ୍ଡଳିନୀ ଜାଗ୍ରତ । ତା ଉପରେ ଅବଧୂତ–ଗୁରୁଙ୍କର ପ୍ରସାଦ ରହିଛି । ଦେଖ ମା, ଭଟ୍ଟର ମନୋଗମା ପାଞ୍ଚଟି ନାଡ଼ି ବର୍ତ୍ତମାନ ପୂର୍ଣ୍ଣ ରୂପେ ସୁସ୍ଥ । ଦେଖ, ଏହା ହେଉଛି କଳ୍ପିକା–ଏଥିରେ ସଂକଳ୍ପ ହୁଏ । ଏଟା ବିକଳ୍ପିକା–ଏଥିରେ ମନରେ ବିକଳ୍ପ ହୁଏ । ଏହା ସ୍ଥୀବା–ଏଥିରେ ଜଡ଼ତା ଆସେ; ଏହା ହେଉଛି ମୂର୍ଚ୍ଛନା–ଏଥିରେ ମୂର୍ଚ୍ଛା ହୁଏ ଏବଂ ଏ ମନ୍ୟାଦ୍ଵାରା ମନନ-ଶକ୍ତି ମିଳେ । ଭଟ୍ଟର ସ୍ଥୀବା ଦୁର୍ବଳ । କିନ୍ତୁ ତାହା ବର୍ତ୍ତମାନ ଠିକ୍ ହୋଇଯିବ । ନିପୁଣିକାର ନାଡ଼ିଗୁଡ଼ିକର ଶକ୍ତି କିନ୍ତୁ ଅଦ୍ଭୂତ ! ଗୋଟିଏ କଥା କହିବି ମଃ ! ନିପୁଣିକା ହେଉଛି ମହାମାୟା । ତାକୁ ସାମାନ୍ୟ ନାରୀ ବୋଲି ମନେ କରିବୁ ନାହିଁ । ସମ୍ମୋହନର ପ୍ରତିପ୍ରସବ ବଡ଼ କଠିଣ; ପ୍ରଥମବାର ମୁଁ ମାତ୍ର ଦଶପଳ ବି ସମ୍ଭାଳି ପାରିନଥିଲି । ଓଃ !” ସତେ ଯେପରି ମହାମାୟାଙ୍କର କୌଣସି ପଛସ୍ମୃତି ମନେ ପଡ଼ିଗଲା ! ହଠାତ୍ ସେ କହିଲେ–“ଆଜି ମୋତେ ଯିବାକୁ ହେବ ମା ! ଅକ୍ଷୟ-ତୃତୀୟା ଯେ ଅତି ନିକଟରେ । ଏଠି ତୋର କୌଣସି ଭୟ ନାହିଁ । ଲୋରିକଦେବ ବଡ଼ ଧାର୍ମିକ ସାମନ୍ତ । ତୋର କୌଣସି କଷ୍ଟ ହେବ ନାହିଁ । କଣ କହୁଛୁ, ଯିବି ?

 

ଭଟ୍ଟିଣୀ ଦୃଢ଼ତାର ସହିତ ସଂକ୍ଷେପରେ ଉତ୍ତର ଦେଲେ–“ନା” ।

 

ମହାମାୟା ଗୁଣୁଗୁଣୁ ହୋଇ ନିଜକୁ ନିଜେ ଯେପରି କହିବାକୁ ଲାଗିଲେ–“ପୁଣି ମାୟାର କଞ୍ଚୁକରେ ବାନ୍ଧିହୋଇ ଯାଉଛି । ତ୍ରିପୁର ଭୈରବୀ, ତୁମର ଲୀଳା ଅଗୋଚର । କାଳ, ନିୟତି, ରାଗ, ବିଦ୍ୟା ଓ କଳା–ଏସବୁ ମାୟାର କଞ୍ଚୁକ; କିନ୍ତୁ ସବୁ ସତ୍ୟ । କିଏ ଏହା ଅତିକ୍ରମ କରିପାରେ-? ତ୍ରିପୁରସୁନ୍ଦରୀଙ୍କର ଲୀଳା !”

 

ଭଟ୍ଟିଣୀ ଚିନ୍ତିତ ହୋଇ କହିଲେ–“ମାତଃ; ମୁଁ କଣ ତପରେ ବିଘ୍ନ ସୃଷ୍ଟି କରୁଛି ?”

 

ମହାମାୟା ସ୍ନେହରେ କହିଲେ–“ନା ମା, ନା । ବିଘ୍ନହିଁ ତ ମୋର ଉପାସ୍ୟ । ତୋର ଶାସ୍ତ୍ର ଅନୁସାରେ ତୁ ତ ପୁଣି ଗୋଟିଏ ବିଘ୍ନ । ବିଧାତା ବିଘ୍ନରୂପରେହିଁ ତ ସୁନ୍ଦରୀମାନଙ୍କୁ ସୃଷ୍ଟି କରିଛନ୍ତି । ତୁ କଣ ନିଜକୁ କାହାରି ବିଘ୍ନ ବୋଲି ଭାବୁଛୁ ?”

 

ଭଟ୍ଟିଣୀ ସହଜଭାବରେ ଉତ୍ତର ଦେଲେ–‘‘ତୁମପାଇଁ କଣ ମୁଁ ବିଘ୍ନ ହେଉନି ?”

 

“ମୋ ପାଇଁ ? ନା, ମୁଁ ସ୍ଵୟଂ ବିଘ୍ନରୁପା । ନା, ତୁ ବୁଝିବୁ ନାହିଁ ।’’

 

“ତାହେଲେ ନାରୀର ଜନ୍ମ କଣ ବିଘ୍ନପାଇଁ ହୋଇଛି, ମାତଃ ?”

 

“ଇତିହାସ ତ ଏହାହିଁ କହୁଛି । ପୁରୁଷର ସମସ୍ତ ବୈରାଗ୍ୟର ଆୟୋଜନ, ତପସ୍ୟାର ବିଶାଳ, ବିହାର ଓ ମୁକ୍ତି-ସାଧନାର ଅତୁଳନୀୟ ଆଶ୍ରୟ ନାରୀର ଏକ ବଙ୍କିମ ଦୃଷ୍ଟିରେହିଁ ତ ବହିଯାଇଛି । ଏ ଦୃଷ୍ଟିକଣ ସତ୍ୟାନାଶୀ ନୁହେଁ ?”

 

କିଛି ସମୟପର୍ଯ୍ୟନ୍ତ ନିସ୍ତବ୍‍ଧତା ରହିଲା । ମନେ ହେଲା, ଭଟ୍ଟିଣୀ ପରାଜିତ ହେଲେ । ମହାମାୟାଙ୍କର ପ୍ରଶ୍ନର ପ୍ରତିବାଦ କରିବା ପାଇଁ ମୋର ପ୍ରତି ଲୋମକୁପ ଉଦ୍‍ବୁଦ୍ଧ ହୋଇଉଠିଲା, ମୋର ସମସ୍ତ ସତ୍ତା ଆଲୋଡ଼ିତ ହୋଇଗଲା । କିନ୍ତୁ ମୁଁ ଅବଶ ହୋଇ ପଡ଼ିରହିଲି । ଭଟ୍ଟିଣୀଙ୍କ ନିକଟରେ ଧୃଷ୍ଟତା ପ୍ରକଟ କରିବା ଅନୁଚିତ । ମହାମାୟା ପୁଣି ଆରମ୍ଭ କଲେ–“ତା ହେଲେ ମୋ କଥା ତୁ ବିଶ୍ଵାସ କରୁନୁ ? ହଁ ମା, ନାରୀହୀନ ତପସ୍ୟା ହେଉଛି ସଂସାରର ଏକ ପ୍ରକାଣ୍ଡ ଭୁଲ । ଧର୍ମ-କର୍ମର ଏ ବିଶାଳ ଆୟୋଜନ, ସୈନ୍ୟ-ସଂଗଠନ ଓ ରାଜ୍ୟ-ବ୍ୟବସ୍ଥାପନ ଫେନ-ବୁଦବୁଦ-ପରିର ବିଲୁପ୍ତ ହୋଇଯିବ; କାରଣ ଏଥିରେ ନାରୀର ସହଯୋଗ ନାହିଁ । ସଂସାରରେ ଏ ଆଡ଼ମ୍ବର କେବଳ ଅଶାନ୍ତି ସୃଷ୍ଟି କରିବ ।”

 

ଭଟ୍ଟିଣୀ ଚକିତ ହେଲାଭଳି ପ୍ରଶ୍ନ କଲେ–“ତା ହେଲେ ମାତଃ, ସ୍ତ୍ରୀମାନେ ସେନାରେ ଭର୍ତ୍ତିହେଲେ କିମ୍ବା ରାଜଗାଦି ଲାଭକଲେ କଣ ଏ ଅଶାନ୍ତି ଦୂର ହୋଇଯିବ ?”

 

ମହାମାୟା ହସିଲେ । କହିଲେ–“ତୁ ଅତି ସରଳା । ମୁଁ ଅନ୍ୟ କଥା କହୁଥିଲି । ତୋର ଏ ଭଟ୍ଟ ମଧ୍ୟ ମୋତେ ପ୍ରଥମେ ଏଭଳି ପ୍ରଶ୍ନ କରିଥିଲା । ମୁଁ ନାରୀ-ତତ୍ତ୍ଵ ସମ୍ବନ୍ଧୀୟ କଥା କହୁଛି । ପିଣ୍ଡ-ନାରୀଦଳ ସେନାରେ ଭର୍ତ୍ତି ହେଲେ ମଧ୍ୟ ନାରୀ-ତତ୍ତ୍ଵର ପ୍ରାଧାନ୍ୟ ନ ଆସିବାପର୍ଯ୍ୟନ୍ତ ଅଶାନ୍ତି ଲାଗିରହିବ ।”

 

ମୋର ଆଖି ବନ୍ଦ ଥିଲା, ଖୋଲିବାର ସାହସ ନ ଥିଲା ମୋଠାରେ; କିନ୍ତୁ କଳ୍ପନାର ନେତ୍ରରେ ଭଟ୍ଟିଣୀଙ୍କର ବିସ୍ମିତ ବିଶାଳ ନୟନ ଆକର୍ଣ୍ଣ-ବିସ୍ଫାରିତ ହୋଇଯାଇଥିବାର ଦେଖିଲି । ସାମାନ୍ୟ ଝଙ୍କିପଡ଼ି ସେ କହିଲେ–“ମୁଁ ବୁଝିପାରିଲି ନାହିଁ, ମାତଃ ।”

 

ମହାମାୟା ଦୀର୍ଘାନିଃଶ୍ଵାସ ପକାଇ କହିଲେ–"ପରମ ଶିବଙ୍କଠାରୁ ଦୁଇଟି ତତ୍ତ୍ୱ ଏକତ୍ର ପ୍ରକଟିତ ହୋଇଥିଲା । ତା ହେଉଛି ଶିବ ଓ ଶକ୍ତି । ଶିବ ହେଉଛନ୍ତି ବିଧିରୂପ ଓ ଶକ୍ତି ନିଷେଧରୂପା-। ଏହି ଦୁଇଟି ତତ୍ତ୍ଵର ପ୍ରସ୍ପନ୍ଦ ବଷ୍ପନ୍ଦରେ ଏ ସଂସାର ଉଦ୍‍ଭାସିତ । ପିଣ୍ଡରେ ଶିବଙ୍କ ପ୍ରାଧାନ୍ୟହିଁ ହେଉଛି ପୁରୁଷ ଓ ଶକ୍ତିର ପ୍ରାଧାନ୍ୟ ହେଉଛି ନାରୀ । ତୁ କଣ ଏ ମାଂସ-ପିଣ୍ଡକୁ ସ୍ତ୍ରୀ ବା ପୁରୁଷ ବୋଲି ମନେ କରୁଛୁ ? ନା ସରଳେ, ଏ ଜଡ଼-ମାଂସ ପିଣ୍ଡ ହେଉଛି ନା ନାରୀ ନା ପୁରୁଷ । ନିଷେଧରୂପ ତତ୍ତ୍ଵହିଁ ହେଉଛି ନାରୀ । ନିଷେଧରୂପ ତତ୍ତ୍ଵକୁ ମନେ ରଖ । ଯେଉଁଠି ନିଜକୁ ନିଜେ ଉତ୍ସର୍ଗ କରିବାର, ନିଜକୁ ନିଜେ ନିମଜ୍ଜିତ କରିବାର ଭାବନା ମୁଖ୍ୟ, ସେହିଠାରେ ହିଁ ନାରୀର ସ୍ଥିତି । ଦୁଃଖ-ସୁଖର ସହସ୍ରଧାରାରେ ନିଜକୁ ଦଳିତ ଦ୍ରାକ୍ଷା ସମ ଚିପୁଡ଼ି ଅପରକୁ ତୃପ୍ତ କରିବାର ଭାବନା ଯେଉଁଠି ପ୍ରବଳ, ନାରୀତତ୍ତ୍ଵ ସେହିଠାରେ । ଶାସ୍ତ୍ରୀୟ ଭାଷାରେ କହିବାକୁ ଗଲେ ଶକ୍ତି-ତତ୍ତ୍ଵ ସେହିଠାରେ । ହଁମା, ନାରୀ ହେଉଛି ନିଷେଧରୂପା । ସେ ଆନନ୍ଦ ଭୋଗ ପାଇଁ ଆସେ ନା, ଆନନ୍ଦ କାଢ଼ିନେବାପାଇଁ ଆସେ । ଆଜିର ଧର୍ମ-କର୍ମର ଆୟୋଜନ, ସୈନ୍ୟ-ସଙ୍ଗଠନ ଓ ରାଜ୍ୟ ବିସ୍ତାର ହେଉଛି ବିଧିରୂପ । ସେଥିରେ ଅପରପାଇଁ ଉତ୍ସର୍ଗ କରିବାର ଭାବନା ନାହିଁ । ସେଥିପାଇଁ ତାହା କଟାକ୍ଷପାତରେ ବହିଯାଏ; ଗୋଟିଏ ସ୍ମିତରେ ବିକ୍ରିତ ହୋଇଥାଏ । ଫେନ ବୁଦ୍‍ବୁଦ୍‍ ପରି ତାହା ଅନିତ୍ୟ, ସୈକତ ସେତୁ ପରି ଅସ୍ଥିର ଓ ଜଳରେଖାପରି ନଶ୍ଵର । ଅପରପାଇଁ ନିଜକୁ କ୍ଷୟ କରିବାର ଭାବନା ନଆସିଲା ପର୍ଯ୍ୟନ୍ତ ତାହା ଏହିଭଳି ରହିବ । ପୂଜାବିହୀନ ଦିବସ ଓ ସେବାହୀନ ରାତ୍ରି ଯେତେଦିନ ପର୍ଯ୍ୟନ୍ତ ତାକୁ ଅନୁତପ୍ତ କରିନାହିଁ ଓ ସେତେଦିନ ପର୍ଯ୍ୟନ୍ତ ନିଷ୍ଫଳ ଅର୍ଘ୍ୟଦାନ ତାକୁ ବିଚଳିତ କରିନାହିଁ ।” ସେତେଦିନ ପର୍ଯ୍ୟନ୍ତ ସେଥିରେ ନିଷେଧରୂପା ନାରୀ-ତତ୍ତ୍ଵର ଅଭାବ ରହିବ ଓ ସେତେଦିନ ପର୍ଯ୍ୟନ୍ତ ତାହା କେବଳ ଅପରକୁ ଦୁଃଖହିଁ ଦେବ ।” ମହାମାୟା କିଛି ସମୟ ଭାବାବିଷ୍ଟ ଅବସ୍ଥାରେ ନୀରବ ରହିଲେ । ରୋଗୀର ମୁଣ୍ଡ ପାଖରେ ବସି ବହୁ ସମୟଧରି କହୁଥିବାରୁ ତାଙ୍କ ମନରେ ସାମାନ୍ୟ ଗ୍ଳାନି ଆସିଲା । ମୋର ଆଖିକୁ ସାଉଁଳି କହିଲେ–“ଭଟ୍ଟ ବର୍ତ୍ତମାନ ସୁସ୍ଥ; ସେ ବର୍ତ୍ତମାନ ଉଠିବ ।” ଭଟ୍ଟିଣୀ କିଛି କହିଲେ ନାହିଁ । ମୁଁ ଆଖି ଖୋଲିଲି । ଭଟ୍ଟିଣୀ ପ୍ରକୃତିସ୍ଥ ହୋଇଥିଲେ । କିଭଳି ଲାଗୁଛି ବୋଲି ମହାମାୟା ପ୍ରଶ୍ନ କଲାବେଳେ ସେ ଆଗ୍ରହରେ ଝୁଙ୍କି ପଡ଼ିଲେ । ମୁଁ ସଙ୍କେତରେ ଜଣେଇଦେଲି ଯେ ମୁଁ ସୁସ୍ଥ । ଏପର୍ଯ୍ୟନ୍ତ କହିବାର ଶକ୍ତି ନଥିଲା ମୋଠାରେ । ମହାମାୟା ଓ ଭଟ୍ଟିଣୀଙ୍କର କଥାବାର୍ତ୍ତାରୁ ଜାଣିଲି ଯେ ମୁଁ ଲୋରୀକଦେବ ନାମକ ଆଭୀର ସାମନ୍ତଙ୍କର ଗୃହରେ ରହିଛି ଓ ନିପୁଣିକା ମଧ୍ୟ ଏଠାରେ କେଉଁଠି ଶଯ୍ୟାଶାୟୀ ହୋଇଛି । ଅତି ଆୟାସରେ ପ୍ରଶ୍ନ କଲି–“ନିପୁଣିକାର ଅବସ୍ଥା କଣ ?” ମହାମାୟା ମୋତେ କହିବା ପାଇଁ ନିଷେଧ କରି କହିଲେ–“ଠିକ ଅଛି ।”

 

ତିନିଦିନ ପରେ ମୁଁ ସଂପୂର୍ଣ୍ଣରୂପେ ସୁସ୍ଥ ହେଲି । ଆଭୀର ସାମନ୍ତ ଦୁଗ୍‍ଧ–ଘୃତରେ ଆମକୁ ସ୍ନାନ କରିଦେଲେ । ଏପରି ଅତିଥି-ବତ୍ସଳ ବ୍ୟକ୍ତି ମୁଁ ପୂର୍ବରୁ ଦେଖି ନଥିଲି । ଇତିମଧ୍ୟରେ ମହାମାୟା ବିନ୍ଧ୍ୟଗିରିର କୌଣସି ଅଜ୍ଞାତ ଶକ୍ତି-ପୀଠକୁ ଚାଲିଯାଇଥିଲେ । ନିପୁଣିକାର ସଂଜ୍ଞା ଫେରିଆସିଥିଲା । ଭଟ୍ଟିଣୀଙ୍କଠାରେ ସ୍ଵାଭାବିକ ଜ୍ୟୋତି ପୁଣି ପ୍ରତିଷ୍ଠିତ ହୋଇଥିଲା । ବିଗ୍ରହବର୍ମା ବର୍ମା ଓ ତାଙ୍କର ସୈନିକ ବଜ୍ରତୀର୍ଥ ନିକଟରେ ରହୁଥିଲେ ଓ ପ୍ରତିଦିନ ଆମର ସମ୍ବାଦ ବୁଝୁଥିଲେ । ମୁଁ ପ୍ରସନ୍ନ ହୋଇ ଭାବୁଥିଲି ନିପୁଣିକା ଆରୋଗ୍ୟଲାଭ କଲାମାତ୍ରେ ଆମେ ମଗଧକୁ ଯାତ୍ରା କରିବା-। କିନ୍ତୁ ଏଭଳି ଏକ ଘଟଣା ଘଟିଲା, ଯାହାଫଳରେ ମୋର ସାର ଯୋଜନା ନିଷ୍ଫଳ ହୋଇଗଲା ।

 

ଭଦ୍ରେଶ୍ଵର-ଦୁର୍ଗର ପଶ୍ଚିମପଟ ପ୍ରାଚୀର ଉପରେ ଠିଆହୋଇ ମୁଁ ସୂର୍ଯ୍ୟାସ୍ତର ସୌନ୍ଦର୍ଯ୍ୟ ଲକ୍ଷ୍ୟ କରୁଥିଲି । ସୂର୍ଯ୍ୟ ନିଜର କିରଣରାଶିକୁ ଉପରକୁ ଟାଣି ନେଉଥିଲେ । ମନେ ହେଲା, ସତେ ଯେପରି ଦିବସ–ଲକ୍ଷ୍ମୀ ଆକାଶର ପଶ୍ଚିମ-ପ୍ରାନ୍ତରୁ ନିମ୍ନକୁ ଚାଲିଯାଉଛନ୍ତି ଓ ତାଙ୍କର ଦ୍ରୁତ-ସଂଚାରିତ ଚରଣରୁ ପଦ୍ମରାଗ–ମଣିର ନୁପୁର ଖସି ପଛରେ ପଡ଼ିଯାଇଛି । ଦିବସ ସୂର୍ଯ୍ୟ-ବିମ୍ବ କରପୁଟରୁ ଯେଉଁ କମଳ-ପରାଗ ସଂଗ୍ରହ କରିଥିଲା, ସତେ ଯେପରି ତାହା ହଠାତ୍ ଢାଳି ହୋଇଗଲା ଓ ଆକାଶ ପଦ୍ମରାଗର ରସରେ ଆପ୍ଳୁତ ହୋଇଗଲା । କ୍ରମଶଃ ପଶ୍ଚିମ ଦିଗ୍‍ବଧୂର କର୍ଣ୍ଣ–ସୁଶୋଭିତ ରକ୍ତୋତ୍ପଳ ସମ ମନୋହର ସୂର୍ଯ୍ୟ ମଣ୍ଡଳ ଅସ୍ତ ହୋଇଗଲା, ଆକାଶରୂପୀ ସରୋବରରେ ସନ୍ଧ୍ୟାରୂପୀ ପଦ୍ମିନୀ ପ୍ରକାଶିତ ହୋଇଉଠିଲା ଓ କୃଷ୍ଣାଗୁରୁ ପଙ୍କରେ ନିର୍ମିତ ପତ୍ରଲେଖାପରି ତିମିରଲେଖା ଦିଙ୍ମଖୁରେ ପରିବ୍ୟାପ୍ତ ହୋଇଉଠିଲା । ସେଥିରେ ସନ୍ଧ୍ୟାର ଲାଳିମା ଏଭଳି ଆଚ୍ଛାଦିତ ହୋଇଥିଲା ସତେ ଯେପରି ଭ୍ରମର-ଭୂଷିତ ନୀଳୋତ୍ପଳ ରକ୍ତପଦ୍ମର ସରୋବରକୁ ଆଚ୍ଛନ୍ନ କରିଦେଇଛି । ଧୀରେ ଧୀରେ ବିଲୁପ୍ତ ହୋଇଗଲା ନିଶାବିଳାସିନୀର ଅବତଂସ–ପଲ୍ଲବ ସମ ଶୋଭାୟମାନ ସନ୍ଧ୍ୟାରାଗ । ପାରାବତମାନେ ଭବନଆଡ଼କୁ ଫେରିବାକୁ ଲାଗିଲେ । ମନେ ହେଲା, ଅଟାଳିକାସ୍ଥିତ ଭବନ-ଲକ୍ଷ୍ମୀ ଯେପରି ନୈଶବିହାରପାଇଁ କର୍ଣ୍ଣରେ ନୀଳ କମଳ ଧାରଣ କରିଛନ୍ତି । ଜଳହାରୀ ରମଣୀମାନଙ୍କ ସଞ୍ଚରଣ ବନ୍ଦ ହେଲା ଓ ନୂପୁରର ରୁଣଝଣ ସହିତ ଭବନ–ଦୀର୍ଘକାର ସାରସଙ୍କର କଳରବ ମଧ୍ୟ ଶାନ୍ତ ହୋଇଗଲା । ହସ୍ତୀମାନେ ନିଦ୍ରିତ ହେବାରୁ ସେମାନଙ୍କର ଗଣ୍ଡସ୍ଥଳନିସୃତ ଧାରାଜଳ ଚୂର୍ଣ୍ଣ ହ୍ରାସ ପାଇଲା ଓ ବାୟୁମଣ୍ଡଳ ସାମାନ୍ୟ ହାଲୁକା ଜଣାପଡ଼ିଲା । ସାରା ଦିନର ଆତପକ୍ଲାନ୍ତ ବନଚାରୀ ବାୟୁ ମନ୍ଦ ମନ୍ଦ ବହି ଶ୍ରାନ୍ତି ଦୂର କରିବାକୁ ଲାଗିଲା । ମୁଁ ଚାଲିଯିବାପାଇଁ ଭାବୁଛି, ଏକ ଆଭୀର ସୈନିକ ଆସି ଅଭିବାଦନ କଲା । ଆଶୀର୍ବାଦ ଦେଇ ପଚାରିଲି–‘‘କିଛି କହିବାକୁ ଚାହୁଛ ଭଦ୍ର ! ସୈନିକ କାତରପୂର୍ଣ୍ଣ କ୍ଷମା–ଯାଚନା ସହ କହିଲା–“ଅପରାଧ କ୍ଷମା କରିବେ ଆର୍ଯ୍ୟ, ବ୍ରାହ୍ମଣର ଶପଥ ଥିବାରୁ ଆପଣଙ୍କୁ କଷ୍ଟ ଦେଉଛି” । ସୈନିକଟି ଗୋଟିଏ ପତ୍ର ଦେଲା ଓ ପ୍ରଣାମ କରି ଚାଲିଗଲା । ଅନ୍ଧକାରଯୋଗୁଁ ପତ୍ର ପଢ଼ିବା ସମ୍ଭବ ନଥିଲା । ସୈନିକର କିନ୍ତୁ ପତ୍ର ଦେବା ଢଙ୍ଗରୁ କୌତୂହଳ ବଢ଼ିଯାଇଥିଲା । ଶୀଘ୍ର ପଢ଼ିବାର ବ୍ୟାକୁଳତାରେ ମୁଁ ଚଞ୍ଚଳ ହୋଇଉଠିଲି ।

 

ନିଜର ରହିବା ସ୍ଥାନକୁ ଫେରିଆସି ଦେଖିଲି ଭଟ୍ଟିଣୀ ଉତ୍ସୁକତା ସହ ମୋର ପ୍ରତୀକ୍ଷା କରୁଛନ୍ତି । ଆସିଲାମାନେ ମୃଦୁ ତିରସ୍କାର । କରି କହିଲେ–“ଏତେ ଡେରି କରିବା ଠିକ୍ ନୁହେଁ । ଆଖି ତାଙ୍କର ତଳକୁ ନଇଁଥିଲା, ଅଧରୋଷ୍ଠ କୁଞ୍ଚିତ ହୋଇଥିଲା ଓ ଚିବୁକ ଭାରଗ୍ରସ୍ତ ହୋଇଥିଲା । ମୋର ବିଳମ୍ବ ଯୋଗୁଁ ଭଟ୍ଟିଣୀ ବିଚଳିତ । ହୋଇଥିଲେ ଏବଂ ସହଜ ଆଭିଜାତ୍ୟ–ଗୌରବରେ ତାଙ୍କର କ୍ରୋଧରେ କାଠିନ୍ୟ ଆସିଥିଲା । ତାଙ୍କର କଥାରେ ଶାସନର ଦୃଢ଼ତା ଥିଲା, ଅଧିକାରର ସ୍ଵର ଥିଲା ଓ ସ୍ନେହର ମୃଦୁତା ଥିଲା । ଦୁର୍ଗରେ ଥିଲି ବୋଲି ସଂଭ୍ରମ ସହିତ ଉତ୍ତର ଦେଲି । କ୍ଷଣକପାଇଁ ଚିନ୍ତିତ ମଧ୍ୟ ହେଲି; ଏତେ କଣ ସହ୍ୟ ହେବ ? କିନ୍ତୁ ଚିଠି ପଢ଼ିବାର ବ୍ୟଗ୍ରତା ଥିଲା । ସିଧା ନିଜର ଶୟନକକ୍ଷକୁ ଯାଇ ପତ୍ରଟି ଖୋଲି ପଢ଼ିବାକୁ ଲାଗିଲି । ଅଶୁଦ୍ଧ ସଂସ୍କୃତରେ ଲେଖା ହୋଇଥିଲା ସେ ପତ୍ରଟି । ଜଣାପଡ଼ିଥିଲା କୌଣସି ଶିକ୍ଷାହୀନ ତା’ର ପ୍ରତିଲିପି କରିଛି; କିନ୍ତୁ ଚିଠିର ଭାବାର୍ଥ ବୁଝିବାରେ କଷ୍ଟ ହେଉ ନ ଥିଲା । ଚିଠିର ପ୍ରତ୍ୟେକ ପଂକ୍ତି ଆନ୍ଦୋଳନ ସୃଷ୍ଟି କଲା ମୋ ରକ୍ତରେ । ମୋର ଶିରାଗୁଡ଼ିକରେ ବିଚିତ୍ର ଆଲୋଡ଼ନ ସୃଷ୍ଟି ହେବାକୁ ଲାଗିଲା । ମନେ ହେଲା, ମୁଁ ପୁଣି ମୂର୍ଚ୍ଛିତ ହୋଇ ଶଯ୍ୟାଶାୟୀ ହୋଇପଡ଼ିବି । କେତେ ଥର ଯେ ସେ ପତ୍ରଟି ପଢ଼ିଲି । ସେଥିରେ ଲେଖା ହୋଇଥିଲା–

 

“ସ୍ଵସ୍ତି ! ପୁରୁଷପୁରର ସାମଦେବର କୌଥୁମୀଶାଖାର ଅଧ୍ୟାୟୀ ଜୈମିନି–ଗୋତ୍ରୋତ୍ପନ୍ନ କାନ୍ୟକୁବ୍‍ଜ୍ଜର ଭର୍ବୁ ଶର୍ମା ବ୍ରାହ୍ମଣ ଓ ଶ୍ରମଣଙ୍କ ନାମରେ, ଦେବ ମନ୍ଦିର ଓ ବିହାରଗୁଡ଼ିକର ନାମରେ, ସ୍ତ୍ରୀ ଓ ବାଳକମାନଙ୍କର ନାମରେ ସମସ୍ତ ଆର୍ଯ୍ୟବର୍ତ୍ତର ନିବାସୀମାନଙ୍କୁ ଆବେଦନ କରୁଛି–

 

“ଭାଇମାନେ, ପ୍ରତ୍ୟନ୍ତ ଦସ୍ୟୁ ପୁଣି ଆସୁଛି । ଯେଉଁ ଆର୍ଯ୍ୟଭୂମିରେ ବାସ କରିବା ଦେବତାର ମଧ୍ୟ ଈପ୍ସିତ, ସେହି ପବିତ୍ର ଭାରତ–ଭୂମିର ଅଟ୍ଟାଳିକାଗୁଡ଼ିକ ପୁଣି ଭସ୍ମ ହେବ; ଦିନାନ୍ତକାଳୀନ ପ୍ରଚଣ୍ଡ ବାତ୍ୟାରେ ଛିନ୍ନ ଭିନ୍ନ ମେଘପଟଳପରି ପୁଣି ତାହା ଶ୍ରୀହୀନ ହୋଇଯିବ । ଶଙ୍ଖ ଓ ଘଣ୍ଟା ନିନାଦରେ ମୁଖରିତ ରାଜପଥ ପୁନର୍ବାର ବୀଭତ୍ସ ହୋଇଉଠିବ ଶୃଗାଳଙ୍କର ବିକଟ ନାଦରେ । ଅନ୍ତଃପୁରର ଲଳନାମାନଙ୍କର ବିଳାସପୁଷ୍କରିଣୀଗୁଡ଼ିକ ପୁଣି ଦୁର୍ଗନ୍ଧିତ ହେବ ଅରଣ୍ୟ ମହିଷଙ୍କଦ୍ଵାରା; ପୁନରବାର ଦାବାଗ୍ନିରେ ପୋଡ଼ିବ ସୁବର୍ଣ୍ଣ ଯଷ୍ଟି ଉପରେ ବିହାରରତଥିବା କ୍ରୀଡ଼ା ମୟୂରଙ୍କର ବର୍ହି–ଭାର । ମନ୍ଦିର ଓ ବିହାରର ସୋପାନ ଉପରେ ପୁଣି ଅରଣ୍ୟ ବୃକମାନଙ୍କର ପ୍ରତିଯୋଗିତା ହେବ । ଶସ୍ୟଶ୍ୟାମଳା ଆର୍ଯ୍ୟଭୂମି ପୁଣି ବୀଭତ୍ସ ହୋଇଉଠିବ ରକ୍ତ ଓ ଭସ୍ମର କର୍ଦ୍ଦମରେ ।

 

“ଭାଇମାନେ, ପ୍ରତ୍ୟନ୍ତ ଦସ୍ୟୁ ଆସୁଛି । ଏପର୍ଯ୍ୟନ୍ତ ପ୍ରତ୍ୟନ୍ତମାନଙ୍କୁ ପ୍ରତିହତ କରିଛି କିଏ-? ବିଷମ ସମର–ବିଜୟୀ, ବାହ୍ଲିକ–ବିମର୍ଦ୍ଦନ, ପ୍ରତ୍ୟନ୍ତ–ବାଡ଼ବ ଅଜ୍ଞାତ–ପ୍ରତିସ୍ପର୍ଦ୍ଧିବିକଟ ଦେବପୁତ୍ର ତୁଅର–ମିଳିନ୍ଦହିଁ ତାହା କରିଛନ୍ତି । ଦେବମନ୍ଦିର ଓ ବିହାରର ରକ୍ଷକ, ସ୍ତ୍ରୀ ଓ ବାଳକଙ୍କ ମାନଦାତା ଓ ବ୍ରାହ୍ମଣ ଏବଂ ଶ୍ରମଣଙ୍କର ଆଶ୍ରୟଭୂମି ଦେବପୁତ୍ର ଆଜି ବିଷମ ଶୋକ-ସାଗରରେ ନିମଗ୍ନ । ତାଙ୍କର ପ୍ରାଣାଧିକା କନ୍ୟାଙ୍କୁ ଦସ୍ୟୁମାନେ ହରଣ କରିଛନ୍ତି । ଦେବପୁତ୍ର ଆଜି ମନ୍ତ୍ରୌଷଧିରୁଦ୍ଧବୀର୍ଯ୍ୟ କାଳସର୍ପପରି ନିଜର ବିଷରେ ନିଜେ ଜର୍ଜରିତ ହେଉଛନ୍ତି । କିଏ ଅଛି, ତାଙ୍କୁ ଏ ଶୋକ-ସାଗରରୁ ଉଦ୍ଧାର କରିବ ? କିଏ ଅଛି, ପ୍ରତ୍ୟନ୍ତ ଦସ୍ୟୁଙ୍କୁ ଉତ୍ପାଟନ କରିବାପାଇଁ ନିମିତ୍ତ ହେବ ? ଭାଇମାନେ, ପ୍ରତ୍ୟନ୍ତ ଦସ୍ୟୁ ଆସୁଛି ।

 

“କେହି କଣ ଦେବପୁତ୍ରଙ୍କ କନ୍ୟାର ସନ୍ଧାନ ଦେଇପାରିବ ? ଭାଇମାନେ, ଦେବପୁତ୍ରଙ୍କର ପ୍ରାଣାଧିକା କନ୍ୟାର ସନ୍ଧାନ ନିମନ୍ତେ ଯତ୍ନ କର । ଦେବପୁତ୍ରଙ୍କର ବିଶାଳ ବାହୀନର ସୈନ୍ୟ–ସମ୍ମର୍ଦ୍ଦରେ ଭୁବନ–ମଣ୍ଡଳ ପୁଣି ଥରେ ଜୀର୍ଣ୍ଣ ଶକଟରେ କ୍ରୋଡ଼ଦେଶପରି ଧୂମ୍ର ହୋଇଉଠୁ-। ମଦମତ୍ତ ଗଜରାଜବାହିନୀ ପ୍ରତ୍ୟନ୍ତ ଦେଶକୁ କୃଷ୍ଣ ମଦଧାରାରେ ପରିଣତ (ରଲ୍ଲକ) ମୃଗର ରୋମରାଜି ସମ କର୍ବୂର କରିଦେଉ । ମହୀତଳ ଅଶ୍ଵମୟ, ଚକ୍ରବାଳ କୁଞ୍ଜରମୟ, ଅନ୍ତରୀକ୍ଷ ଆତପତ୍ରମୟ, ଅମ୍ବରତଳ ଧ୍ଵଜ–ବନମୟ, ବାୟୁମଣ୍ଡଳ ମଦ–ଗନ୍ଧମୟ ଓ ତ୍ରିଭୁବନ ଜୟଶବ୍ଦମୟ ହୋଇଉଠୁ । ଭାଇମାନେ, ପ୍ରତ୍ୟନ୍ତ ଦସ୍ୟୁ ପୁଣି ଆସୁଛି ।

 

“କିଏ ଅଛି, ଆଜି ଆର୍ଜ୍ୟାବର୍ତ୍ତକୁ ଦସ୍ୟୁଙ୍କର ଦ୍ରଂଷ୍ଟାଜାଳରୁ ଉଦ୍ଧାର କରିବ ?

 

“ଯାହାଙ୍କର ଧନୁଷ୍ଟଙ୍କାର ଯୋଦ୍ଧାମାନଙ୍କର ଦର୍ପ–ଦଳନ କରିଥିଲା, ମ୍ଳେଚ୍ଛଙ୍କର ମାନ ମନ ମର୍ଦ୍ଦନ କରିଥିଲା ଓ ମନ୍ଦିର ଏବଂ ମଠ ବିଧ୍ୱଂସକଙ୍କର ପ୍ରାଣ ହରଣ କରିଥିଲା, ସ୍କନ୍ଦଙ୍କର ଅବତାର ସେ ସମୁଦ୍ରଗୁପ୍ତ ଆଜି ନାହାନ୍ତି । ଚତୁଃସମୁଦ୍ରକୁ ନିଜର ସୁରଭିତ ଯଶରେ ଯେ ସୁଗନ୍ଧମୟ କରିଥିଲେ, ଯାହାଙ୍କର ହୁଙ୍କାରମାତ୍ରେ ପ୍ରତ୍ୟନ୍ତ ସାମନ୍ତ ମୁଣ୍ଡ ନତ କରିବାକୁ ବାଧ୍ୟ ହୋଇଥିଲା, ଯେ ଥିଲେ ବିଦ୍ୟା ଓ କଳାର ସର୍ବସ୍ଵ, ସ୍ତ୍ରୀ ଓ ବାଳକଙ୍କର ଅଭୟ ଏବଂ ଦେବ–ମନ୍ଦିର ଓ ବିହାରର ଆଶ୍ରୟସ୍ଥଳ, ସେହି ନୃସିଂହ ପରାକ୍ରମ ଚନ୍ଦ୍ରଗୁପ୍ତ ଆଜି ନାହାନ୍ତି ।

 

“ଶତୃଙ୍କ କାଳ ଓ ଦରିଦ୍ରଙ୍କର କଳ୍ପବୃକ୍ଷ ପ୍ରଚଣ୍ଡ–ପରାକ୍ରମ ମୌଖରି–ବୀର ଗ୍ରହବର୍ମା ମଧ୍ୟ ଆଜି ନାହାନ୍ତି । ପଙ୍ଗପଳ ଅପେକ୍ଷା ବିପୁଳ, ମେଷ ଅପେକ୍ଷା ତୃରତର, ଗୃଧଙ୍କ ଅପେକ୍ଷା ନିଘୃଣ, ଶୃଗାଳଠାରୁ ହୀନ ଓ କୃକଲାଶଠାରୁ ମଧ୍ୟ ଅଧିକ ବହୁରୂପୀ ହୁଣ ଦସ୍ୟୁଙ୍କଠାରୁ ଏ ପବିତ୍ର ଭୂମିକୁ ରକ୍ଷାକରିବାର ସାମର୍ଥ ଆଜି କାହାର ? ଏକମାତ୍ର ଦେବପୁତ୍ର ତୁଅର–ମଳିନ୍ଦଙ୍କର । ଭାଇମାନେ, ପ୍ରତ୍ୟନ୍ତ ଦସ୍ୟୁ ପୁଣି ଅସୁଛି ।

 

“ସେହି ଅଜ୍ଞାତ–ପ୍ରତିସ୍ପର୍ଦ୍ଧି ବିକଟ ଦେବପୁତ୍ର ତୁଅର–ମିଳନ୍ଦଙ୍କର ଜୟ ହେଉ । ଜୟ ହେଉ ଏ ଆର୍ଯ୍ୟଭୂମିର । ଭାଇମାନେ, ଦେବପୁତ୍ରଙ୍କର ନୟନତାରକା, ତାଙ୍କର ପ୍ରାଣାଧିକା କନ୍ୟାଙ୍କୁ ଅନ୍ୱେଷଣ କର–ଏହାହିଁ ହେଉଛି ଏକମାତ୍ର ରକ୍ଷାର ଉପାୟ । ମୁଁ ବ୍ରାହ୍ମଣ ଓ ଶ୍ରମଣଙ୍କ ନାମରେ, ଦେବମନ୍ଦିର ଓ ବିହାର ନାମରେ, ସ୍ତ୍ରୀ ଓ ବାଳକଙ୍କ ନାମରେ ଓ ବିଦ୍ଵାନ ଏବଂ ତପସ୍ଵୀଙ୍କର ନାମରେ ଭୂମିର ନିବାସୀମାନଙ୍କୁ ଆବେଦନ କରୁଛି । ଭାଇମାନେ, ପ୍ରତ୍ୟନ୍ତ ଦସ୍ୟୁ ପୁଣି ଆସୁଛୁ ।

 

“ଅଶୀ ବର୍ଷରୁ ଅଧିକ ବୃଦ୍ଧ ମୁଁ । ସାମାଧ୍ୟାୟୀ କାନ୍ୟକୁବ୍‍ଜ ବ୍ରାହ୍ମଣ । ମୌଖରୀମାନଙ୍କର ଗୁରୁ । ମୁଁ ନିଜର ଶପଥ ଦେଇ ନିବେଦନ କରୁଛି ଯେକୌଣସି ବ୍ୟକ୍ତି ଏ ପତ୍ର ପଢ଼ିବେ, ସେ ଏହାର ଦଶ ପ୍ରତିଲିପି ଲେଖି ଲୋକମାନଙ୍କୁ ଦେବେ । ଯେତେଦିନ ପର୍ଯ୍ୟନ୍ତ ଦେବପୁତ୍ରଙ୍କର ପ୍ରାଣାଧିକା କନ୍ୟାର ସନ୍ଧାନ ମିଳି ନାହିଁ, ସେତେଦିନ ପର୍ଯ୍ୟନ୍ତ ଏକ୍ରିୟା ଯେପରି ଚାଲୁରହେ । ଇତି ଶୁଭମସ୍ତୁ ।”

 

ସେତେବେଳ ପର୍ଯ୍ୟନ୍ତ ମୋର ଉତ୍ତେଜନା ଶାନ୍ତ ହୋଇ ନଥିଲା । ଏ ବିଷୟରେ କାହାଠାରୁ କି ପରାମର୍ଶ ନେବି ! ଭଟ୍ଟିଣୀଙ୍କୁ ଏ ସମ୍ବାଦ ଦେବା ଉଚିତ ନୁହେଁ । ନିପୁଣିକା ଦୁର୍ବଳ । ହାୟ, ବାଣ ଭଟ୍ଟ ଏକାକୀ ! ଉଡ଼ିବାର ଶକ୍ତି ଥିଲେ କ୍ଷଣମାତ୍ର ବିଳମ୍ବ ନକରି ମୁଁ ଦେବପୁତ୍ରଙ୍କ ନିକଟକୁ ଉଡ଼ିଯାଇଥାନ୍ତି କିନ୍ତୁ ମୁଁ ନିରୁପାୟ ! ପତ୍ରର ବିଷୟରେ ବିକ୍ଷୁବ୍ଧ ହୋଇ ମନେହେଲା ସେ ବହୁସମୟଧରି ମୋତେ ଲକ୍ଷ୍ୟ କରିଛନ୍ତି । ମୁଖମଣ୍ଡଳରେ ତାଙ୍କ ସହଜ ଅନୁଭାବ ତରଙ୍ଗିତ ହେଉଥିଲା ଓ ଦେହସାରା ଏକ ଅପୂର୍ବ ଭାବ–ମାଧୂର୍ଯ୍ୟ ଉଲ୍ଲସିତ ହେଉଥିଲା । ନିଜର ସୀମନ୍ତସ୍ଥିତ ଅବଗୁଣ୍ଠନକୁ ପ୍ରବାଳ–ଶୋଣ ନଖ–ପ୍ରଭାରେ ସିଞ୍ଚିତ କରୁ କରୁ ଆଗକୁ ଆସି ସେ ଆଦେଶ ଦେଲାଭଳି କହିଲେ–“ଭଟ୍ଟ, ପତ୍ର ପଢ଼ିବା ବନ୍ଦ କର । ପ୍ରସାଦ ଗ୍ରହଣ କରିବାର ସମୟ ହୋଇଛି ।” ପ୍ରସାଦ ଗ୍ରହଣ ଅର୍ଥ ଭୋଜନ । ମହାବରାହଙ୍କ ବିଷୟରେ ସେ ମୋତେ ଥରେ ସୁଦ୍ଧା ପ୍ରଶ୍ନ କରି ନ ଥିଲେ । ସେ ହୁଏତ ବୁଝିପାରିଥିଲେ ଯେ ମୁଁ ଗଙ୍ଗାର ଧାରରେ ମୂର୍ତ୍ତି ବିସର୍ଜନ କରିଦେଇଛି । ଏଥିରେ ତାଙ୍କର ଯେ କି କଷ୍ଟ ହେବ ତା ମୁଁ ଜାଣିଥିଲି; କିନ୍ତୁ କୁସୁମକୋମଳ ଶରୀରରେ ତାଙ୍କର କେଡ଼େ ବିଶାଳ ହୃଦୟ, ଲଘୁକାୟାରେ କି କୌଳିନ୍ୟ ଓ ସାମାନ୍ୟ ଅବସ୍ଥାରେ ମଧ୍ୟ କି ଅନୁଭାବଶାଳୀନତା ! ମୋତେ କଷ୍ଟ ହେବ–ସେହି ଆଶଙ୍କାରେ ସେ ମୋତେ ପ୍ରଶ୍ନ କରି ନଥିଲେ । ମହାବରାହଙ୍କର ପୂଜା କିନ୍ତୁ ଦିନକପାଇଁ ସୁଦ୍ଧା ବନ୍ଦ ହୋଇ ନ.ଥିଲା । ‘ଜଳୌଧମଗ୍ନା ସଚରାଚର ଧରା’ର ମୋହନୀୟ ସ୍ତବ ବନ୍ଦ ହୋଇ ନଥିଲା ଓ ପ୍ରସାଦ ପାଇବାର ସୌଭାଗ୍ୟରୁ ମୁଁ ଆଦୌ ବଞ୍ଚିତ ହୋଇ ନଥିଲି । ମୁଁ ବିନୟର ସହ ଉତ୍ତର ଦେଲି, ‘‘ଆସୁଛି ।”

 

ଭଟ୍ଟଣୀ ଫେରିପଡ଼ି କ୍ଷଣକପାଇଁ ମୋତେ ଅନାଇଲେ । ସାମାନ୍ୟ ହସିବାକୁ ଚେଷ୍ଟା କଲେ । ଏକ ପବିତ୍ର ଆଲୋକରେ ଉଜ୍ଜିଳିତ ହୋଇଗଲା ଘରଟି । ସତେ ଯେପରି ଶହ ଶହ ଆରତ୍ରିକ ପ୍ରଦୀପ କରିଉଠିଲା ଏକସଙ୍ଗେ । ତାଙ୍କର ଓଠର ସ୍ମିତରେ ମୋର ବ୍ୟାକୁଳ ଓ ଉଦବିଗ୍ନ ଚିତ୍ତ କିୟତ୍‍ ପରିମାଣରେ ଶାନ୍ତ ହୋଇଗଲା । ଉତ୍ସାହର ଆବେଶରେ ମୁଁ ଅନାବଶ୍ୟକ ପ୍ରଶ୍ନ କଲି । କଣ ଆଜ୍ଞା ହେଉଛି, ଦେବୀ ?” ସେ କହିଲେ–“ଏ ପତ୍ରରେ ଏତେ ଉତ୍ତେଜିତ ହୋଇପଡ଼ିଲା କାହିଁକି, ଭଟ୍ଟ ?” ଅଜ୍ଞାତ ଆଶଙ୍କା ଉଠିଲା ମନରେ । ଭଟ୍ଟିଣୀ କଣ ପଡ଼ିଛନ୍ତି ? ମୁଁ ଶଙ୍କିତ ହୋଇ କହିଲି–“ପତ୍ର ବିଷୟ ନେଇ ଚିନ୍ତିତ ହେବାର କଥା ବେବୀ; କିନ୍ତୁ ସେବକର ଅପରାଧ ମାର୍ଜନା କରନ୍ତୁ । ଏଭଳି ଏକ ବିଷୟକୁ ଆପଣଙ୍କଠାରୁ ଗୋପନ ରଖିବାର ଅନୁମତି ଚାହେଁ ।” ସେ ଆହ୍ଳାଦିତ ହୋଇ କହିଲେ–‘କଣ । ବିଶେଷ ଗୋପନୀୟ ? ଗମ୍ଭୀର ହୋଇ ଉତ୍ତର ଦେଲି–“ହଁ ଦେବୀ, କିଛି–ଦିନ ପର୍ଯ୍ୟନ୍ତ ଆପଣଙ୍କ ନିକଟରେ ଏ ସମ୍ବାଦ ଗୋପନ ରଖିବା ଶ୍ରେୟସ୍କର ବୋଲି ମନେ କରୁଛି ।” ଭଟ୍ଟିଣୀ କଠୋରଭାବେ ପୁଣି କହିଲେ–“ମୁଁ ବିଘ୍ନ ଆଣିପାରେ, ଏହି କଥା ତ !” ମୁଁ ହତବୁଦ୍ଧି ହୋଇପଡ଼ିଲି ।

 

ମନ୍ଦ–ମଧୁର ସ୍ମିତରେ ମୋର ବିବଶତାକୁ ଉତ୍‍କ୍ଷିପ୍ତ କରି ସେ କିଛି ସମୟ ଠିଆହୋଇ ରହିଲେ ଓ ପୁଣି ସହଜଭାବରେ କହିଲେ–‘ଆଭୀର ସାମନ୍ତଙ୍କର ରାଣୀ ମଧ୍ୟ ମୋତେ ଏଭଳି ଏକ ପ୍ରତିଲିପି ପଠାଇଛନ୍ତି । ମୁଁ ପଢ଼ି ସାରିଛି । ଏଥିରେ ଉତ୍ତେଜିତ ହେବାର କଣ ଅଛି ?” ବହୁ ସମୟ ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟରେ ଭଟ୍ଟିଣୀଙ୍କର ବିନୋଦ–ପ୍ରଫୁଲ୍ଲ ମୁଖଶ୍ରୀକୁ ଅନାଇ ରହି କହିଲି–“ଧନ୍ୟ ଦେବୀ, ଦେବପୁତ୍ରଙ୍କର ଉପଯୁକ୍ତ କନ୍ୟା ଆପଣ । ଏଭଳି ଧୈର୍ଯ୍ୟ ରଖିବା କଣ ଅପର କାହାରି ପକ୍ଷରେ ସମ୍ଭବ ? ସମୁଦ୍ରରୁହିଁ କୌସ୍ତୁଭ–ମଣିର ସମ୍ଭବ ହୋଇପାରେ, ପୃଥିବୀରୁ ହିଁ ଜାନକୀଙ୍କର ଜନ୍ମ ସମ୍ଭବ ହୋଇପାରେ, ହିମାଳୟରୁ ହିଁ ପାର୍ବତୀଙ୍କର ଉତ୍ପତ୍ତି ହୋଇପାରେ, ବିଷ୍ଣୁ–ଚରଣରୁହିଁ ଗଙ୍ଗା ପ୍ରବାହିତ ହୋଇପାରନ୍ତି ଓ ବ୍ରହ୍ମାଙ୍କଠାରୁହିଁ ତ୍ରୟୀବିଦ୍ୟାର ପ୍ରାଦୁର୍ଭୂତ ହୋଇପାରେ ! ଏଭଳି ସମୟରେ ମାନସିକ ଉଦ୍‍ବେଳତାକୁ ସଂଯତ କରିବା ଦେବପୁତ୍ରଙ୍କ କନ୍ୟାଙ୍କରହିଁ କାର୍ଯ୍ୟ । ଆଶ୍ଵସ୍ତ ହେଉଛି ଦେବୀ ! ଆଜି ଆର୍ଯ୍ୟାବର୍ତ୍ତ କୃତାର୍ଥ, ଦେବମନ୍ଦିର ଓ ବିହାର ଆଜି ସୁରକ୍ଷିତ, ବ୍ରାହ୍ମଣ ଓ ଶ୍ରମଣ ଆଜି ବୀତ–ବିଘ୍ନ ଓ ତରୁଣୀ ଓ ବାଳକ ଆଜି ନିଶ୍ଚିନ୍ତ । ଧରିତ୍ରୀ ଆଜି ପ୍ରସନ୍ନ, ଦିଗଗୁଡ଼ିକ ନିର୍ମଳ ଓ ବାୟୁ ପବିତ୍ର । ପ୍ରତ୍ୟନ୍ତ–ସମୁଦ୍ରରେ ପୁଣି ବାଡ଼ବାଗ୍ନିର ଜ୍ଵାଳା ଉଠିବ, ପୁଣି ଦେବପୁତ୍ରଙ୍କ ଭୁଜରୂପ ବହ୍ନି,–ଶିଖାରେ ପାପ–ଦସ୍ୟୁଙ୍କର ଆହୁତି ହେବ । ଦେବୀ ! ମୁଁ ଧନ୍ୟ ।”

 

ଭଟ୍ଟିଣୀ ଅବିଚଳିତ ଭାବରେ ମୋର ସ୍ତୁତି ଶୁଣିଯାଉଥିଲେ । ଏକ ଦିବ୍ୟ ଜ୍ୟୋତି ଲକ୍ଷ୍ୟ କରୁଥିଲି ତାଙ୍କଠି । ମନେ ହେଲା, ସତେ ଯେପରି ପାର୍ବତୀହିଁ ଭକ୍ତର ସ୍ତୁତି ଶୁଣିବା ଲୋଭରେ ଅଟକି ଯାଇଛନ୍ତି । ଦୀପ୍ତ ଶ୍ରଦ୍ଧାରେ ଆହୁରି କହିବାକୁ ଆରମ୍ଭ କଲି । ସେ ମୋତେ ତିରସ୍କାର କରି କହିଲେ–“ପିଲାଙ୍କପରି ଏଭଳି ଉତ୍ତାଳଭାବ କାହିଙ୍କି, ଭଟ୍ଟ ? ମୁଁ ଦେବୀ ନୁହେଁ; ହାଡ଼ମାଂସର ନାରୀ ମୁଁ ! ମୁଁ ବିଘ୍ନସ୍ଵରୂପା; କିନ୍ତୁ ମୁଁ ଜାଣେ ମୋର ବିଘ୍ନରୂପ ହେବାଦ୍ଵାରାହିଁ ବିଶ୍ଵର ପରିତ୍ରାଣ । ଭଟ୍ଟ, ଏ ଜ୍ଞାନ ତୁମେଇ ଦେଇଛ ଏବଂ ତାହା ଭୁଲାଇବାପାଇଁ ତୁମେହିଁ ପ୍ରରୋଚିତ କରୁଛ । ମୁଁ ହେଉଛି ଚନ୍ଦ୍ରଦୀଧିତି । ଶତ ବାଳିକାଙ୍କପରି ଜଣେ ସାମାନ୍ୟ ବାଳିକା । ମୁଁ–ତୁମର ଭଟ୍ଟିଣୀ–“ହଠାତ୍ ସେ ଅଟକି ଗଲେ; ଆଉ କିଛି କହି ନପାରି କେବଳ ବାଷ୍ପରୁଦ୍ଧ କଣ୍ଠରେ ଉପସଂହାର କରି କହିଲେ–“ମୁଁ ଦେବୀ ନୁହେଁ । ଆସ, ପ୍ରସାଦ ନିଅ ।”

 

ମନେ ମନେ କହିଲି, ‘‘ଦେବୀ, ତୁମେ କହିପାର ତୁମେ ଦେବୀ ନୁହଁ କିନ୍ତୁ ତୁମକୁ ଦର୍ଶନ କଲାଦିନଠୁଁ ମୋର ସାରା ଅନ୍ତର ନିଜକୁ ନିଃଶେଷ କରି ତୁମରି ସେବାରେ ଉତ୍ସର୍ଗ କରିଦେବାକୁ ଚାହିଁଛି । ସଂପୂର୍ଣ୍ଣ ଅସ୍ତିତ୍ଵ ମୋର ଦାଡ଼ିମ ଫଳପରି ତୁମପାଇଁ ଫାଟି ପଡ଼ିବାକୁ ଚାହିଁଛି ଓ ସମସ୍ତ ବାଗଧାରା ଉଦ୍‍ବେଳ ଯଳରାଶିପରି ତୁମରି ସତ୍ତାକୁ ନିମଜ୍ଜିତ କରିନେବାକୁ ଚାହିଁଛି । ଏହା କ’ଣ ବାଳକୋଚିତ ଉତ୍ତାଳଭାବ ? ମୁଁ ଅକିଞ୍ଚନ, ସାଧନହୀନ, ପଥଭ୍ରାନ୍ତ । ତୁମର ପୂଜାପାଇଁ ମୋର କଣ ଅଛି ? ତୁମେ ଦେବୀ । ଶତ ପ୍ରତିବାଦ କର କିନ୍ତୁ ତୁମେ ଦେବୀ । ଏ କଳୁଷ–ପଙ୍କିଳ ସଂସାର–ସାଗରର ତୁମେ ପ୍ରଫୁଲ୍ଲ–ପଦ୍ମିନୀ । ତୁମେ ଏ ଧୂଳି–ଧୂସର ବନ–ଭୂମିର ମାଳତୀ–ଲତା । ଲକ୍ଷ ଲକ୍ଷ ସାମାନ୍ୟ ବାଳିକା ଆଜି ଆର୍ଯ୍ୟାବର୍ତ୍ତକୁ ମହାନାଶର ଗହ୍ଵରରେ ପତିତ ହେବାରୁ ରକ୍ଷା କରିପାରିବେ ନାହିଁ । ତୁମେଇ ରକ୍ଷା କରିପାରିବ ।” ମୋର କ୍ଷୋଭ ବୋଧହୁଏ ସେ ଲକ୍ଷ୍ୟ କରି ପାରିଲେ । ପ୍ରସାଦ ଦେଲାବେଳେ ଆଦର ସ୍ଵରରେ କହିଲେ–“ରାଗିଲ କି ଭଟ୍ଟ !’’ ମୁଁ କରୁଣ ଦୃଷ୍ଟିରେ ତାଙ୍କୁ ଦେଖିଲି । ଭଟ୍ଟିଣୀଙ୍କର ମନ ପ୍ରସନ୍ନ ଥିଲା । ସେ କହିଲେ–“ଭୁଲ ବୁଝନା, ମୋତେ ଦେବୀ ମନେ କରି ତୁମକୁ ଯଦି ଆନନ୍ଦ ମିଳୁଛି, ତାହେଲେ ମୁଁ ଦେବୀ । ନିଅ, ଏ ବରଦାନ ନିଅ ।” ମୋ ଥାଳିରେ ସେ ନିଜ ହାତ ତିଆରି ମିଷ୍ଟାନ୍ନ ରଖିଦେଲେ । ମୁଁ ହସିଲି; ଭଟ୍ଟିଣୀ ମଧ୍ୟ ମନ୍ଦସ୍ମିତରେ ହସିଲେ ।

Image

 

ଦ୍ଵାଦଶ ପରିଚ୍ଛେଦ

 

ଭଦ୍ରେଶ୍ଵର ସ୍ଵସ୍ତିକାଧାର ଦୁର୍ଗ । ତାର କେନ୍ଦ୍ରସ୍ଥଳରେ ଲୋରିକଦେବଙ୍କ ରାଜଭବନ । ଆମର ରହିବାର ସ୍ଥାନକୁ ତୋରଣରେ ସଜ୍ଜିତ କରାଯାଇଥିଲା । ସେଠାରୁ ପରିଖାପର୍ଯ୍ୟନ୍ତ କର୍ମପୃଷ୍ଠଭଳି ଉନ୍ନତୋଦର ରାଜମାର୍ଗ । ରାଜମାର୍ଗର ଦୁଇ ପାର୍ଶ୍ଵରେ ସମୃଦ୍ଧ ନାଗରିକମାନଙ୍କର ବଡ଼ ବଡ଼ ସୌଧ । ରାତ୍ରିରେ ପ୍ରାସାଦର ବାତାୟନରୁ ଦୀପାଲୋକର କ୍ଷୀଣ ରଶ୍ମି ଦେଖାଯାଉଥିଲା । ବିଶାଳ ଅଜଗରପରି ନିସ୍ତବ୍‍ଧ ପଡ଼ିଥିଲା ମାର୍ଗଟି । ଭଟ୍ଟିଣୀଙ୍କର ହାତର ପ୍ରସାଦ ପାଇ ମୁଁ ବାହାରକୁ ଆସିଲି ଓ ଗୋଟିଏ ଛୋଟ ମଣ୍ଡପ ଉପରେ ବସି ରାଜମାର୍ଗକୁ ଲକ୍ଷ୍ୟ କଲି । ଏକ ବିକଚ ସରୋବର ସମ ମନେ ହେଉଥିଲା ଆକାଶ । ରାତିର ନିସ୍ତବ୍‍ଧତା କ୍ଷୁଦ୍ର ଦୁର୍ଗ–ନଗରଟି ଖୁବ୍ ମନୋହର ଜଣାପଡ଼ୁଥିଲା । ଭର୍ବୁ ଶର୍ମାର ପତ୍ରର ସ୍ମୃତି ଲାଗିରହିଥିଲା ମନରେ । ଭଟ୍ଟିଣୀଙ୍କର ପ୍ରସନ୍ନ ମୁଖ ଦେଖି ସାମାନ୍ୟ ଆଶ୍ଵସ୍ତ ହୋଇଥିଲି ସତ କିନ୍ତୁ ମୋର କର୍ତ୍ତବ୍ୟ–ଭାର ଲାଘବ ହୋଇ ନ ଥିଲା । ମୋର ମନେ ହେଉଥିଲା, ନିପୁଣିକା ଏ ବିଷୟରେ ମୋର ସହାୟତା କରିପାରିବ । ମୁଁ ତାକୁ ଖୋଲିକରି ସବୁକଥା କହିପାରିବି ଓ ଏ ବିଷୟରେ ତା ସହିତ ପରାମର୍ଶ କରିପାରିବି । ସେ ଭଟ୍ଟିଣୀଙ୍କୁ ଖୁବ୍ ଭଲ କରି ଚିହ୍ନେ ଓ ଜାଣେ । ମୁଁ ତ ଏପର୍ଯ୍ୟନ୍ତ ତାଙ୍କୁ ଚିହ୍ନି ପାରିଲି ନାହିଁ ।

 

ଧୀରେ ଧୀରେ ପୂର୍ବ-ଗଗନର ମଞ୍ଚଉପରେ ଚନ୍ଦ୍ରମାର ଅଭ୍ୟୁଦୟ ହେଲା । ଭୁବନ–ମଣ୍ଡଳ ପ୍ରଥମେ ଯେପରି ସିନ୍ଦୁରରାଗରେ ଲାଲ ହୋଇ ଉଠିଲା ଓ ପୁଣି ଧବଳ ଚନ୍ଦନ–ରସର ଧାରାରେ ଆପ୍ଳାବିତ ହୋଇଗଲା । ଶାନ୍ତ ଓ ମନୋରମ ହୋଇଗଲା ବାତାବରଣ । ଚନ୍ଦ୍ରମାର ସ୍ନିଗ୍ଧ ଜ୍ୟୋତ୍ସ୍ନାରେ ସ୍ନାତ ଭଦ୍ରେଶ୍ଵର–ଦୁର୍ଗ ଆହୁରି ମନୋହର ହୋଇଉଠିଲା । କର୍ପୂରଧବଳ ମହାଦେବଙ୍କ ଜଟାଜୁଟରୁ ଶତଧାର ହୋଇ ଯେଉଁ ଦିନ ଗଙ୍ଗାର ଧାରା ହିମାଳୟ ଉପରେ ପଡ଼ିଥିବ, ସେ ଦିନ ତାର ଏଭଳି କିଛି ଶୋଭା ପ୍ରକାଶିତ ହୋଇଥିବ । ଭଦ୍ରେଶ୍ଵରର ସୌଧ–ଅଟ୍ଟାଳିକା–ଗୁଡ଼ିକପରି ଅଭ୍ରଭେଦୀ ଶ୍ଵେତଶିଖର ଯଥାସ୍ଥାନରେ ଏଭଳି ଅବିଚଳ ହୋଇ ଠିଆ ହୋଇଥିବ ଓ ଚିରପ୍ରଦୀପ୍ତ ଔଷଧ ମଣିଗୁଡ଼ିକ ଦୁର୍ଗର ପ୍ରାସାଦ–ବାତାୟନଗୁଡ଼ିକର ପ୍ରଦୀପପରି ସେହି ଶ୍ଵେତଧାରାରେ ଏଭଳି ପ୍ରଜ୍ଵଳିତ ହୋଇଥିବ । ମେଖଳା ଚତୁଃପାର୍ଶ୍ଵ ସଞ୍ଚରଣ କରୁଥିବା ମେଘଖଣ୍ଡ ଏଭଳି ସଂଲଗ୍ନ ହୋଇଯାଇଥିବେ, ସତେ ଯେପରି ଏ ଦୁର୍ଗ–ହର୍ମ୍ୟଗୁଡ଼ିକର ତିରଷ୍କରଣୀଗୁଡ଼ିକ (ପର୍ଦ୍ଦା) ଲାଗିଯାଇଛି-। ଏ ଦୁର୍ଗର ସୁନ୍ଦରୀମାନେ ଆଜିର ମଧୁର ମଦିର–ଶୀତଳ ବାୟୁ ଉପଭୋଗ କଲାଭଳି ଦରୀ-ଗୁହାରେ ଶୟନ କରୁଥିବା ସିଦ୍ଧ ବଧୂମାନେ ମନ୍ଦାକିନୀର ନିର୍ଝର–ସିକରରେ ସିକ୍ତ ବାୟୁକୁ ଏଭଳି ଅଳସ–ବିଳାସରେ ଉପଭୋଗ କରିଥିବେ ।

 

ସେଦିନ ରାତିରେ ମୋର ନିଦ ହେଲାନି । ଭଟ୍ଟିଣୀଙ୍କୁ ବୁଝିପାରୁନାହିଁ । ଛୋଟ ମହାରାଜାର ବିଶାଳ ଅନ୍ତଃପୁରରେ ଆବଦ୍ଧ ଭଟ୍ଟିଣୀଙ୍କର ପରିପାଣ୍ଡୁ–ଦୁର୍ବଳ–କପୋଳ–ସୁନ୍ଦର ମୁଖକୁ ମୁଁ ଦେଖିସାରିଛି । ଚଣ୍ଡୀ ମଣ୍ଡପରେ କୁମାର କୃଷ୍ଣବର୍ଦ୍ଧନଙ୍କର ଆଶ୍ରୟ ନେବାକୁ ସ୍ପଷ୍ଟ ଅସ୍ଵୀକାର କରିବାପରେ ବାଣବିଦ୍ଧ ମୃଗୀ ସମ ତାଙ୍କର କରୁଣ ମୁଖଚ୍ଛବି ମୁଁ ଭୁଲିପାରିନାହିଁ । ଗଙ୍ଗାର ମନୋହର ଧାରା ଉପରେ ନିଜର ଅପହରଣ ବୃତ୍ତାନ୍ତ କହିଥିବା ନିରାଶ ସିଂହିନୀ ସମ ତାଙ୍କର ସ୍ଫୁଲିଂଙ୍ଗ–ବର୍ଷୀ ଚକ୍ଷୁ ମୋର ମାନସପଟଳରେ ବିଦ୍ଧ ହୋଇଛି । ଅନ୍ତିମବାର ଗଙ୍ଗାର ଧାରାରୁ ବିନିର୍ଗତା ଶିଥିଳ ଶ୍ରାନ୍ତ ତାଙ୍କର ସେହି ମନୋହର ଶୋଭା ମୋ ମାନସପଟଳରେ ଅଙ୍କିତ ହୋଇଯାଇଛି । କିନ୍ତୁ ଆଜି ଭଟ୍ଟିଣୀଙ୍କୁ ଯେଉଁ ରୂପରେ ଦେଖିଲି, ତାହା ସବୁଠାରୁ ପୃଥକ । ମୁଁ ଏହାର କୌଣସି ସୂତ୍ର ପାଇଲି ନାହିଁ । କିଛିଦିନ ହେଲା ମୋତେ ଲାଗୁଥିଲା, ସତେ ଯେପରି ମୋର ବୃଦ୍ଧି ଲୁପ୍ତ ହୋଇଯାଇଛି, କ୍ରିୟାଶକ୍ତି ଶିଥିଳ ହୋଇଯାଇଛି ଓ ବାଗଧାରା ଶୁଷ୍କ ହୋଇଯାଇଛି । ସଂସାରର ବିଷମତାକୁ ଦେଖିସାରିଥିଲି । ମୁଁ ଆଉ ଏ ଦୁନିଆର ଅବୋଧ ବ୍ରାହ୍ମଣ–ବଟୁ ନୁହେଁ । ମୁଁ ଆଉ ଲୋକ–ମର୍ଯ୍ୟାଦା ସମ୍ପର୍କରେ ଅନଭିଜ୍ଞ ନୁହେଁ । ତଥାପି ମୋର ଚିତ୍ତ ଯଡ଼ ହୋଇଯାଉଛି, ବୁଦ୍ଧି ହ୍ରାସ ହେଉଛି ଓ ମସ୍ତିଷ୍କ ଅଚଳ ହେଉଛି । ମୋର ଚିତ୍ତକୁ ଜଡ଼ ଓ ବୁଦ୍ଧିକୁ ମୋହଗ୍ରସ୍ତ କରିବାର । ଏ କେଉଁ ଅନ୍ତର୍ବିକାର । କିନ୍ତୁ ଏହାର ଉତ୍ତର ପାଇବା କଷ୍ଟ ! ଆଜି ମୁଁ ନିଜେ ନିଜର ସମସ୍ୟା ହୋଇଛି-

 

ଗୋଟିଏ କଥା ମୁଁ ସ୍ପଷ୍ଟ ବୁଝିଥିଲି । ଭଟ୍ଟିଣୀ ଓ ନିପୁଣିକା ସହିତ ରହିବାଦ୍ଵାରା ମୋଭିତରେ ପରିବର୍ତ୍ତନ ହୋଇଥିଲା । ତାଙ୍କର ରକ୍ଷାପାଇଁ ସାଥିରେ ଥିଲି କିନ୍ତୁ ପ୍ରକୃତରେ ମୁଁ ହୋଇଥିଲି ପରମ ଆଶ୍ରିତ । ଏ ଅବସ୍ଥାରୁ ମୁକ୍ତି ମିଳବା ଦରକାର । କୌଣସି ଦିନ ଏତେ ପରାଧୀନ ନଥିଲି । କିନ୍ତୁ ଭଟ୍ଟିଣୀଙ୍କୁ ଏକୁଟିଆ ଛାଡ଼ିଯିବା ତ ସମ୍ଭବ ନୁହେଁ । ବିଷମ ସମସ୍ୟା । ମୋର ସାରା ହୃଦୟ ଦ୍ରବିତ ନବନୀତ ସମ ବହିଯିବାକୁ ଆତୁର ହେଉଥିଲା ଓ ଭିତରୁ ଏକ ତୀବ୍ର ଅଭିଳାଷ ଉଦ୍‍ବୁଦ୍ଧ କୋକନଦପରି ନିଜର ଆବରଣ ଫୁଟାଇ ବାହାରିପଡ଼ିବାକୁ ଚାହୁଁଥିଲା । ମୋର କଣ ହୋଇଯାଇଛି ? ମୋ ମନରେ ଏ ଦ୍ଵନ୍ଦ ଏଭଳି ସମୟରେ ଉଠିଛି, ଯାହା ଉଚିତ ନଥିଲା । ଆଜି ମୁଁ ଭଟ୍ଟିଣୀଙ୍କର ପ୍ରଫୁଲ୍ଲ ମୁଖ ଦେଖିଛି । ସେତେବେଳେ ତାଙ୍କ ଅଧରରେ ଲୀଳା ତରଙ୍ଗିତ ହେଉଥିଲା, କପୋଳଦେଶ ବିଭ୍ରମ–ବୀଚିଠାରୁ ଚଟୁଳ ହୋଇଉଠିଥିଲା, ଶ୍ଵେତ ପୁଣ୍ଡରୀକ ସମ ବିଶାଳ ନୟନରେ ଲାଳିମା ଖେଳୁଥିଲା ଓ କ୍ଳାନ୍ତିର ଲହରୀରେ ସାରା ଅଙ୍ଗଯଷ୍ଟି ଆଚ୍ଛାଦିତ ହୋଇଥିଲା । ସତେ ଯେପରି ମୁକ୍ତା–ଚ୍ଛଟାର ସ୍ରୋତସ୍ଵିନୀହିଁ ପ୍ରବାହିତ ହେଉଥିଲା ! ମୋପାଇଁ ତ ଏହା କୃତକୃତ୍ୟ ହେବାର ଅବସର । ମୋର ସାରା ଜୀବନ ତ ସାର୍ଥକ ହେବାର କଥା । କିନ୍ତୁ ଆଜିଇ ମୁଁ ଏତେ ହତବୁଦ୍ଧି ହୋଇଗଲି କାହିଁକି ? ସତରେ ମୋର କଣ ହୋଇଛି ?

 

ପ୍ରତ୍ୟେକ କଥା ମନେ ପଡ଼ିଲା । ଆଜି ଭଟ୍ଟିଣୀ ଯାହା କହିଲେ, ତାର ଅର୍ଥ କଣ ? ଶତ ଶତ ବାଳିକାଙ୍କପରି ସେ ଜଣେ ବାଳିକା; କିନ୍ତୁ ସେଥିରେ କଣ ଅଛି ? ସେ ହାଡ଼ମାଂସର ନାରୀ–ତା ନହୋଇଥିଲେ, ଆଜି ବାଣ ଭଟ୍ଟ ଏହି ପବିତ୍ର ଦେବୀ–ପ୍ରତିମା ନିକଟରେ ନିଜକୁ ନିଃଶେଷ କରିଦେବାକୁ ନିଜର ସାର୍ଥକତା କାହିଁକି ମନେ କରନ୍ତା ? ହାୟ, ସଂସାର ଏହି ହାଡ଼ମାଂସର ଦେବ–ମନ୍ଦିରକୁ ପୂଜା କଲା ନାହିଁ ! ସେ କେବଳ ବୈରାଗ୍ୟ ଓ ଶକ୍ତି–ମଦର ବାଲୁକା–ପ୍ରାଚୀର ଠିଆ କରି ଚାଲିଛି । ତାକୁ ତାର ନିଜର ପରମ–ଆରାଧ୍ୟହିଁ ଅଜଣା । କିନ୍ତୁ ଏସବୁ କଥାରେ କଣ ଅଛି ମୁଁ ବହୁତ କିଛି ଦେଖିଛି । ଶୋଭା ଓ କାନ୍ତିକୁ ବିଭ୍ରମ ଓ ବିତ୍ରସ୍ତ ନିକଟରେ ବିକ୍ରୟ ହେବାର ଦେଖି ଯେଉଁଦିନ ପ୍ରଥମଥର ମୁଁ ବିଚଳିତ ହୋଇଥିଲି ସେ ଦିନର କଥା ମନେ ପଡ଼ୁଛି ଓ ମୋର ସଂପୂର୍ଣ୍ଣ ସତ୍ତା ବିଦ୍ରୋହ କରି ଉଠୁଛି । ମାଧୂର୍ଯ୍ୟ ଓ ଲାବଣ୍ୟ ଅପେକ୍ଷା ଅବହେଳାର ସମ୍ମାନ ଦୈନନ୍ଦିନ ଘଟଣା–ମୁଁ ଏସବୁ ଜାଣେ । ଏହା ମଧ୍ୟ ଜାଣେ ଯେ ଏସବୁ ଆପାତତଃ ପରସ୍ପର–ବିରୋଧୀ । ଉପର ଆଚରଣରେ ଏକ ସାମ୍ୟ ରହିଛି । ନିରନ୍ତର ପରି ବର୍ତ୍ତମାନ ବାହ୍ୟ ଆଚରଣ ଭିତରେ ଏକ ପରମ ମଙ୍ଗଳମୟ ଦେବତା ସ୍ତବ୍‍ଧ ହୋଇ ରହିଛନ୍ତି । ସେ ଦେବତାଙ୍କୁ ନ ଦେଖିବାର ଲୋକେହିଁ ଯୌବନକୁ ମତ୍ତ–ଗଜରାଜ ବୋଲି କହନ୍ତି, ଅନୁରାଗକୁ ମାନସ ଅନ୍ଧକାର ବୋଲି ବର୍ଣ୍ଣନା କରନ୍ତି ଓ ସହଜଭାବକୁ ବଙ୍କିମ ଲୀଳାର ନାମ ଦେଇଥାନ୍ତି । ମାଧବୀ–ଲତାକୁ ଘେରି ମଧୁକରଶ୍ରେଣୀ ଗୁଞ୍ଜନ କଲାବେଳେ ପୁଷ୍ପଭିତରେ ସୌରଭ ରୂପରେ ସ୍ତବ୍‍ଧ ସେହି ମହାଦେବତାଙ୍କୁ ମୁଁ ଦେଖିବାକୁ ଯାଏ । ନିଜକୁ ସର୍ବସ୍ଵାନ୍ତ କରି ଉନ୍ମତ୍ତ ବେଗରେ ନଦୀ ସମୁଦ୍ରଆଡ଼କୁ ଗତି କଲାବେଳେ ସେହି ମହାରାଗମୟ ଦେବତାଙ୍କ ସହିତ ମୋର ସାକ୍ଷାତ୍ ହୁଏ । ମେଘର ଶ୍ୟାମଳ–ମେଦୁର ବକ୍ଷଃସ୍ଥଳରେ ବିଭ୍ରମବତୀ ବିଦ୍ୟୁତ୍ ଚମକ ଲୁଚିଗଲାବେଳେ ମୁଁ ସେହି ବ୍ୟାକୁଳ ବେଦନାର ଦେବତାଙ୍କୁ ଦେଖିବାକୁ ପାଏ ।

 

ହଠାତ୍ ପଛରୁ ଭଟ୍ଟିଣୀଙ୍କର ସ୍ୱର ଶୁଣିଲି–“ଭଟ୍ଟ, ଦୁର୍ବଳ ଶରୀରରେ ରାତିସାରା ବାହାରେ ବସିବା ତ ଠିକ୍ ନୁହେଁ ।” ପ୍ରଥମ ମେଘ ଗର୍ଜନ ଶୁଣିବାର ମୃଗ–ଶିଶୁପରି ଚମକି ପଡ଼ି ପଛକୁ ଚାହିଁଲି । ଭଟ୍ଟିଣୀ ! ଆଗୁଳ୍ପ–ଆଚ୍ଛାଦିତ ନୀଳ ଆବରଣ ଭିତରୁ ତାଙ୍କର ମନୋହର ମୁଖ ଶତଗୁଣ ରମଣୀୟ ଦେଖାଯାଉଥିଲା । ସତେ ଯେପରି ତାହା ଜ୍ୟୋତ୍ସ୍ନାରୂପୀ ଧବଳ ମହାକିନୀ–ଧାରାରେ ପ୍ରବାହିତ ଶୈବାଳ–ଜାଲରେ ଜଡିତ ପ୍ରଫୁଲ୍ଲ କମଳ, କ୍ଷୀର–ସାଗରରେ ସନ୍ତରଣ କରୁଥିବା ନୀଳବସନା ପଦ୍ମ କିମ୍ବା କୈଳାସ ପର୍ବତରେ ପ୍ରଫୁଲ୍ଲିତ ସପୁଷ୍ପା ଦମନକଯଷ୍ଟି ଅଥବା ନୀଳ ମେଘମଣ୍ଡଳରେ ଚମକିବାର ସ୍ଥିର ସୌଦାମିନୀ । ତାଙ୍କର ଆକର୍ଣ୍ଣବିସ୍ତାରୀ ମନୋହର ଆକ୍ଷିର ଶୋଭା ଥିଲା ନିଜେହିଁ ନିଜର ଉପମା । ଭଟ୍ଟିଣୀଙ୍କର ଆକସ୍ମିତ ଆଗମନରେ ମୁଁ କ୍ଷଣକପାଇଁ ସ୍ତବ୍‍ଧ ହୋଇଗଲି । କିଛି ଉତ୍ତର ମିଳିଲା ନାହିଁ ମନରେ । କେବଳ ସେହି ମୃଦୁଳ–ମନୋହର ଦୃଷ୍ଟିକୁ ମୁଗ୍ଧ ହୋଇ ଅନାଇ ରହିଲି । କସ୍ତୁର–ଲେପଭଳି ସେ ଦ୍ରୁଷ୍ଟି ମୋତେ, ସ୍ନିଗ୍ଧ କରିଦେଉଥିଲା ଓ ମନ୍ଦାରମାଳାପରି ମୋ ଅନ୍ତର ଓ ବାହାରକୁ । ତାହା ଆମୋଦ–ମଗ୍ନ କରୁଥିଲା । ସେଠାରେ କ୍ଷଣକପାଇଁ ଠିଆ ହୋଇ ଭଟ୍ଟିଣୀ ପୂଣି ନିଜ ଘର ଭିତରକୁ ଲେଉଟିଗଲେ । କେବଳ ଆଦେଶ ସ୍ଵରରେ କହିଗଲେ, ‘‘ଯାଅ, ଭିତରେ ଯାଇ ଶୁଅ ।”

 

କିଏ’ କାହାର ଅଭିଭାବକ–ଭଟ୍ଟିଣୀଙ୍କର ମୁଁ; ନା ଭଟ୍ଟିଣୀ ମୋର ? କିଏ କାହାର ସେବାରେ ନିଯୁକ୍ତ–ମୁଁ ତାଙ୍କର; ନା ସେ ମୋର ? ଆକାଶର ନକ୍ଷତ୍ର ସାକ୍ଷୀ–ବାଣ ଭଟ୍ଟ ପଥଭ୍ରାନ୍ତ ଅକର୍ମା ନୁହେଁ, କେଦାରୋପ୍ଲାଟିତ ଦୂର୍ବାଦଳପରି ରାସ୍ତାରେ ବିକ୍ଷିପ୍ତ ହତଭାଗ୍ୟ ନୁହେଁ, ବନରେ ଫୁଟି ଝଡ଼ି ପଡ଼ିବାର ପୁଷ୍ପପରି ନିସ୍ଫଳଜନ୍ମା ନୁହେଁ, ପିଷ୍ଟ ଧୂଳିକଣାଭଳି ଆଶ୍ରୟହୀନ ନୁହେଁ ଓ ମରୁ–କାନ୍ତାରରେ ଶୁଖିଯିବାର ନଦୀପରି ବ୍ୟର୍ଥକାମ ନୁହେଁ । ହେ ହତଜ୍ୟୋତି ନିଶାନାଥ, ତୁମେ ଅଖିଳ ଭୁବନ–ମଣ୍ଡଳର ରାଗ–ବୀରାଗର ଅବିସମ୍ବାଦୀ ସାକ୍ଷୀ । ବାଣ ଭଟ୍ଟର ଜୀବନ ବ୍ୟର୍ଥ ନଥିଲା–ଏ ସମ୍ବାଦ ତୁମେ ଲୋକରୁ ଲୋକାନ୍ତରକୁ; କାଳରୁ କାଳାନ୍ତରକୁ, ଦିଗରୁ ଦିଗନ୍ତରକୁ ପହଞ୍ଚାଇଦେବ । ମୁଁ ନିଜେ ଆଜି ଆଜି ଏ ସୌଭାଗ୍ୟକୁ ନିଜ ହାତରେ ମଗ୍ନ କରିବି ବିସ୍ମୃତିର ଅତଳ ଗହ୍ଵରରେ । ତୁମେ ମନେ ରଖିବ । ଧୀରେ ଧୀରେ ଯାଇ ମୁଁ ନିଜର ଶୟନ–କକ୍ଷରେ ଶୋଇ ପଡ଼ିଲି ।

 

ନିଦ୍ରା ଭାଙ୍ଗିଲାବେଳକୁ ଅନେକ ଦିନ ହୋଇଯାଇଥିଲା । ବାହାରେ ବସି ନିଉନିୟା ଅପେକ୍ଷା କରୁଥିଲା । ଏତେ ସକାଳୁ ତାକୁ ସେଠିକି ଆସିବାର ଦେଖି ଆଶ୍ଚର୍ଯ୍ୟ ହେଲି । ତାର ମୁହଁ ଶୁଖିଯାଇଥିଲା, ଆଖି ଆହୁରି ପଶିଯାଇଥିଲା ଓ ଦେହ ହଳଦିଆ ପଡ଼ିଯାଇଥିଲା । ବଡ଼ ଆୟାସରେ ସେ ମୋତେ ପ୍ରଣାମ କଲା । ମୁଁ ତାର ଆଗମନର କାରଣ ପଚାରିବାକୁ ଯାଉଛି, ସେ ନିଜେ କହିଉଠିଲା–“ମୁଁ ଏଣିକି ଧୀରେ ଧୀରେ ସୁସ୍ଥ ହୋଇଯିବି, ମୋପାଇଁ ଚିନ୍ତା କର ନାହିଁ । ଗୋଟିଏ ଅତି ଜରୁରି ବିଷୟରେ ତୁମଠାରୁ ପରାମର୍ଶ ନେବାକୁ ଆସିଛି । ମନରେ ଅପମାନ ଭାବିବ ନାହିଁ ତ କହିବି ।” କିଛି ଅବାଞ୍ଛିତ ଶୁଣିବାର ଆଶଙ୍କା ଉଠିଲା ମନରେ । ଆଶ୍ଚର୍ଯ୍ୟ ହୋଇ ତାକୁ ଅନାଇଲି । ନିଉନିୟା ଜାନୁପାତ କରି ପୁଣି ପ୍ରଣାମ କଲା ଓ କିଛି ସମୟ ନୀରବ ରହି କହିଲା–“କାଲି ରାତିରେ ତୁମେ ଭଟ୍ଟିଣୀଙ୍କୁ କ’ଣ କିଛି ଅନୁଚିତ କହିଛି, ଭଟ୍ଟ ?” ମୁଁ ସ୍ତବ୍ଧହୋଇ ରହିଲି । ମୁଁ ଭଟ୍ଟିଣୀଙ୍କୁ ଅନୁଚିତ କହିପାରେ ? ନିପୁଣିକା ମୋତେ ଅଧିକ ଚିନ୍ତା କରିବାର ଅବସର ନଦେଇ ମୋର କୌତୁହଳ ଆହୁରି ବଢ଼ାଇ କହିଲା–“ମୁଁ କଣ ଜାଣେନା, ଜାଣିଶୁଣି ଅନୁଚିତ କଥା କହିବା ତୁମ ପକ୍ଷରେ ସମ୍ଭବ ନୁହେଁ । ଦେଖ ଭଟ୍ଟ, ତୁମେ ଜାଣନା ମୋର ଏ ପାପ–ପଙ୍କିଳ ଶରୀରରେ ତୁମେ କି ପ୍ରଫୁଲ୍ଲ ଶତଦଳ ପ୍ରସ୍ଫୁଟିତ କରିଛ । ତୁମେ ମୋର ଦେବତା, ମୁଁ ତୁମର ନାମ ଜପିବାର ଅଧମ ନାରୀ । ଏଭଳି କଳୁଷ ମନ ନେଇ ଯେ ବଞ୍ଚିଛି, ତାର କାରଣ ତୁମେ ମୋତେ ବଞ୍ଚିବାର ଯୋଗ୍ୟ ମନେ କରିଛି । ସୂର୍ଯ୍ୟ ପଶ୍ଚିମଦିଗରେ ଉଦୟ ହୋଇପାରନ୍ତି କିନ୍ତୁ ତୁମେ ଭଟ୍ଟିଣୀଙ୍କୁ କୌଣସି ଅନୁଚିତ କଥା କହିପାରିବନାହିଁ, ଏ କଥା ମୁଁ ଜାଣେ । ତଥାପି ନିଶ୍ଚୟ କିଛି କଥା ହୋଇଛି, ଯେଉଁଥିରେ ଭଟ୍ଟିଣୀ ଉତ୍‍କ୍ଷିପ୍ତ ହୋଇଛନ୍ତି । ସାରା ରାତ୍ରି ସେ କାନ୍ଦିଛନ୍ତି, ତାଙ୍କର ଆଖି ଫୁଲି ଯାଇଛି-। ସେ ନିଜତ୍ଵରେ ନାହାନ୍ତି । ମୋର ଆଶଙ୍କା, ତାଙ୍କୁ ତୀବ୍ର ଜ୍ଵର ହୋଇଛି । ତୁମେ ତାଙ୍କର ଉଚ୍ଛଷ୍କଶୋଣ ଅଧରକୁ ଦେଖିଲେ କାନ୍ଦି ପକାଇବ । କଣ ହୋଇଛି, ଭଟ୍ଟ ?” ନିପୁଣିକାର କଥା ଶୁଣି ମୁଁ ହତପ୍ରଭ ହୋଇଗଲି । ମୋର ସାରା ଅନ୍ତର ଯେପରି ଶରତକାଳୀନ କେତକୀ–ପୁଷ୍ପ ପରି ବିବର୍ଣ୍ଣ ହୋଇଗଲା । ଉନ୍ମତ୍ତ ଭଳି ମୁଁ କହି ଉଠିଲି, ‘‘ନା ନିଉନିୟା, ଆଉ କହନା । ତୁ ବୁଝିବୁ ନାହିଁ ଏ ତୋର କି ବଜ୍ର ପ୍ରହାର !” ନିପୁଣିକା ଆଶ୍ଚର୍ଯ୍ୟ ହୋଇ ଅନାଇ ରହିଲା । ମୁଁ ତାକୁ ରାତିର ଘଟଣା କହିଲି । ତାର ଶୀର୍ଣ୍ଣ ଚେହେରାରେ ଆନନ୍ଦର ଜ୍ୟୋତି ଚମକି ଉଠିଲା, ଶ୍ଵେତ ମୁଖ–ମଣ୍ଡଳ ତାର କର୍ପୂର–ଚୂର୍ଣ୍ଣଭଳି ପ୍ରଜ୍ଜ୍ଵଳିତ ହେଲା ଓ ତାର କୋଟରଗତ ଚକ୍ଷୁରୁ ବିବରଦ୍ଵାରର ନାଗମଣିଭଳି ଦିବ୍ୟ ଜ୍ୟୋତି ପ୍ରକଟିତ ହେଲା । ଏଭଳି ଆନନ୍ଦର ସେ ବସିରହିଲା, ସତେ ଯେପରି ନାନା ଦିଗରୁ ତରଙ୍ଗିତ ଭାବ–ଲହରୀମାଳାରେ ଧକକା ଖାଇ ଗତିହୀନ ହୋଇଯାଇଛି । ମୁଁ ତାର ଅଶ୍ରୁଭରା ଆଖିକୁ ଦେଖିଲି । ମୁକ୍ତାପୂର୍ଣ୍ଣ ଶୁକ୍ତି–ପଟଳପରି, ତୁହିନ–ବିନ୍ଦୁପୂର୍ଣ୍ଣ ପଦ୍ମ–ପଳାଶପରୀ, ଶିଶିର–ସିକ୍ତ ପାରିଜାତ–ପୁଷ୍ପପରି ଓ ଅର୍ଦ୍ଧସ୍ଫୁଟ ସିନ୍ଦୁବାର–ଲତାପରି ତାର ଅଶ୍ରୁଳ ଆଖି ଚିତ୍ତକୁ କରୁଣରସରେ ପ୍ଲାବିତ କରୁଥିଲା, ସହାନୁଭୂତିର ବର୍ଷାରେ ସିଞ୍ଚିତ କରୁଥିଲା ଓ ଅନୁକମ୍ପାର ଧାରାରେ ଧୌତ କରୁଥିଲା । ବହୁ ସମୟ ଧରି ଅନାଇ ରହି ସେ ପୁଣି ହଠାତ୍ ଭୂମିତଳେ କରତଳ ରଖି ପ୍ରଣାମ କଲା ଏବଂ କହିଲା–“ମୁଁ ବୁଝିଲି ଭଟ୍ଟ, ମୋର ଅପରାଧ କ୍ଷମା କର । ତୁମେ ମୋର ଦୋଷ ବୁଝିପାରିବ ନାହିଁ; କିନ୍ତୁ ନିଜର ଦୋଷ ବୁଝିବା ଦରକାର । ନିଜର କଥାପାଇଁ ଲଜ୍ଜିତ ହେବାର ଯୋଗ୍ୟ ବି ମୁଁ ନୁହେଁ । ନିଉନିୟା କଥା ଛାଡ଼, ତାର ଅଭିଜ୍ଞତା ବହୁତ । ସେ ଭଲ–ମନ୍ଦକୁ ଚିହ୍ନିଛି, ନିଜର ଚିହ୍ନିବାର ଶକ୍ତି ଉପରେ ତାର ଭରସା ଅଛି । ସେ ନିଜର କଳୁଷ ମାନସର ବିକାରକୁ ଅନ୍ୟ ଉପରେ ଆରୋପ କରିପାରେ । କିନ୍ତୁ ଭଟ୍ଟିଣୀ ବାଳିକା । ସଂସାରର କଟୁତା ସମ୍ବନ୍ଧରେ ତାଙ୍କର ଲେଶ ମାତ୍ର ଅନୁଭୂତି ନାହିଁ । ସେ ତୁମକୁ ବୁଝିପାରେ ନାହିଁ । ଧିକ ଭଟ୍ଟ ! ପୁରୁଷଙ୍କଠାରେ ପୌରୁଷ ରହିବା ଉଚିତ । ତୁମକୁ ମୁଁ ପଚାରେ କେବେ କାହିଁକି ତୁମେ ତାଙ୍କୁ ପଚାରିନାହିଁ, ସେ ଗଙ୍ଗାରେ କୁଦିପଡ଼ିଲେ କାହିଁକି ? କାଲି କାହିଁକି ତାଙ୍କର ଅସ୍ଵାଭାବିକ ତାରଲ୍ୟପାଇଁ ଜୋରରେ ଧମକାଇ ଦେଲ ନାହିଁ ?” ନିପୁଣିକାର ଏ କଥାର ଅର୍ଥ ମୁଁ ଆଜିପର୍ଯ୍ୟନ୍ତ ବୁଝିପାରିନି । କିନ୍ତୁ ମୋର ସ୍ଥିତିକୁ ବୁଝିବାରେ ତାର କଥାଗୁଡ଼ିକ ଆଶ୍ଚର୍ଯ୍ୟଜନକ ପ୍ରେରଣା ଯୋଗାଇଲା । ମେଘମୁକ୍ତ ଆକାଶଭଳି, କୁଝଟିକା–ବିରହିତ ଦିଙ୍ମଣ୍ଡଳଭଳି ଓ ଶୈବାଳହୀନ ସରୋବରଭଳି ମୋ ମନ ପ୍ରସନ୍ନ ହୋଇଗଲା । ନିପୁଣିକାକୁ ସାଧୁବାଦ ଦେଇ କହିଲି–“ନିଉନିୟା, ମୁଁ ଭଟ୍ଟିଣୀଙ୍କର ସେବକ ହୋଇ ଗୌରବାନ୍ଵିତ ହୋଇଛି । ଅଭିଭାବକ ହେବାର ଯୋଗ୍ୟତା ମୋର ନାହିଁ । ତାଙ୍କୁ ତାଙ୍କର ପିତାଙ୍କ ପାଖରେ ପହଞ୍ଚାଇଦେଲେ ମୋର ଦାୟିତ୍ଵ ଶେଷ ହେବ । ଆଉ ବେଶି ମୋହଗ୍ରସ୍ତ ହେବା ମୋର ଇଚ୍ଛା ନୁହେଁ । ତୁ ତାଙ୍କୁ କହିବୁ, ବାଣଭଟ୍ଟ ମହାନ୍ ଭବିଷ୍ୟତର ନିମିତ୍ତ ହେବା–ପାଇଁ ସଂକଳ୍ପ କରିସାରିଛି । ସେ କାଲି ସ୍ଥାଣ୍ୱୀଶ୍ଵରକୁ ଚାଲିଯିବ ।” ନିପୁଣିକା ଚାଲିଗଲା । ମୂଳଧନ ହରାଇଥିବା ବ୍ୟବସାୟୀଭଳି ଉଦାସ ହୋଇପଡ଼ିଥିଲା ସେ ।

 

ଅନେକ ସମୟପର୍ଯ୍ୟନ୍ତ ମୁଁ ନିଜ ଆସନ ଉପରେ ବସିରହିଲି । ଧୀରେ ଧୀରେ ସୂର୍ଯ୍ୟ ଉତ୍ତପ୍ତ ହେଲେ । ଅଜଗରର ଫୁତ୍କାରପରି ପଶ୍ଚିମ ସମୀରଣ ସୁ ସୁ କରି ଦିକ୍‍ଚକ୍ରବାଳକୁ ଦଗ୍ଧ କରିବାକୁ ଲାଗିଲା । ଆତପରେ ଦଗ୍ଧ କୃକଲାସ କ୍ଷଣ–କ୍ଷଣରେ ରଙ୍ଗ ପରିବର୍ତ୍ତନ କରିବାକୁ ଲାଗିଲା-। ଚଟକ–ଦମ୍ପତି ଅଳସ ଭାବରେ ଛପିଲେ ହର୍ମ୍ୟ–ଛିଦ୍ରରେ, ବନ–ସାରିକାମାକେ ନାନା ଭଙ୍ଗୀରେ ବ୍ୟକ୍ତ କଲେ ନିଜର ପରିତାପ ଓ ଆଳସ୍ୟର ଆବିର୍ଭାବ ହେଲା ଗୃହ–ଧେନୁଙ୍କର ପାଗୁଳିରେ । ମୁଁ ନିର୍ମିମେଷ ନୟନରେ ସ୍ଵସ୍ତିକାକାର ରାଜମାର୍ଗର ଗୋଟିଏ ବାହୁଆଡ଼କୁ ସ୍ତିର–ଦୃଷ୍ଟିରେ ଅନାଇ ରହିଲି । ସେତିକିବେଳେ ବିଗ୍ରହବର୍ମା ଆସି ପ୍ରଣାମ କଲେ ଓ କୁମାର କୃଷ୍ଣବର୍ଦ୍ଧନ ପଠାଇଥିବା ଦୂତ ସହିତ ମୋତେ ପରିଚିତ କରାଇଦେଲେ । କୁମାର ମୋତେ ଅନୁରୋଧ କରିଥିଲେ, ମହାରାଜାଧିରାଜ ହର୍ଷଦେବଙ୍କ ସହିତ ଶତୃତା ଛାଡ଼ି ତାଙ୍କ ସହିତ ଯେପରି ସାକ୍ଷାତ କରେ । ଏ କଥା ଶୁଣି ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ।

 

ସ୍ଥାଣ୍ୱୀଶ୍ୱର ଯିବା ସ୍ଥିର ହେଲା । ଅନ୍ତିମବାର ଭଟ୍ଟିଣୀଙ୍କଠାରୁ ବିଦାୟ ନେବାକୁ ସ୍ଥିର କଲି-। ସେତେବେଳେ ଭଗବାନ ମରିଚିମାଳୀ ଅସ୍ତ ହୋଇ ସାରିଥିଲେ । ପଶ୍ଚିମ ସମୁଦ୍ରତୀରରୁ ପ୍ରବାଳଲତା ସମ ସନ୍ଧ୍ୟାରାଗ ଉଦିତ ହୋଇଥିଲା । ବିରାଟ ସୂର୍ଯ୍ୟମଣ୍ଡଳର ପଶ୍ଚିମ–ସମୁଦ୍ରରେ ପତନ ଯୋଗୁଁ ଯେଉଁ ଛିଟା ଉଛୁଳି ପଡ଼ିଥିଲା, ନକ୍ଷତ୍ର ରୂପରେ ତାହା ଯେପରି ଆକାଶମଣ୍ଡଳରେ ଜଡ଼ି ହୋଇଯାଇଥିଲା । ସ୍ନାନ ସାରି ଭଟ୍ଟିଣୀ ପୂଜାବେଦୀ ଉପରେ ବସିଥିଲେ । କିଛି ସମୟ ବାହାରେ ଠିଆ ହୋଇ ମୁଁ ଅପେକ୍ଷା କଲି । ସେ ଭଗବାନଙ୍କ ସ୍ତୁତି ବଡ଼ କରୁଣ କଣ୍ଠରେ ଗାନକଲେ-। ଲକ୍ଷ ଲକ୍ଷ ନକ୍ଷତ୍ର–ନୟନକୁ ବିସ୍ଫାରିତ କରି ଆକାଶ ଆଶ୍ଚର୍ଯ୍ୟରେ ସେହି ମୋହନୀୟ ଗାନକୁ ଶୁଣୁଥିଲା । ପୂଜା ସମାପ୍ତ ହେଲା; ପରିକ୍ରମା କରି ଭଟ୍ଟିଣୀ ଅଦୃଶ୍ୟ ବରାହ–ଦେବତାଙ୍କୁ ପ୍ରଣାମ କଲେ । ତାଙ୍କର ଅଙ୍ଗ–ପ୍ରତ୍ୟଙ୍ଗରେ ଭକ୍ତିର ଶୀତଳ ସ୍ନିଗ୍ଧ ଲହରୀମାଳ ଉଦ୍‍ବେଳିତ ହୋଇଉଠିଲା । ଲଘୁ କୌସୁମ୍ଭ–ବସ୍ତ୍ରକୁ ବିଦୀର୍ଣ୍ଣ କରି ମନେ ହେଲା, ସତେ ଯେପରି ଅଦୃଶ୍ୟ ସୌଭାଗ୍ୟ–ଚନ୍ଦ୍ରମାର ସୂଚନା ତାଙ୍କର ଅଙ୍ଗଜଷ୍ଠିର ଲାବଣ୍ୟପ୍ରଭା ବାହାରକୁ ନିର୍ଗତ ହେବାକୁ ଲାଗିଲା । ମନେ ହେଲା, ସତେ ଯେପରି ଅଦୃଶ୍ୟ ସୌଭାଗ୍ୟ–ଚନ୍ଦ୍ରମାର ସୂଚନା ମାତ୍ରେ ଶୋଭା–ସମୁଦ୍ରରେ ଜୁଆର ଆସିଛି-! କିଛି ସମୟପର୍ଯ୍ୟନ୍ତ ସେ ଆବିଷ୍ଟ, ଅଭିଭୂତ ଭଳି, ଘୂର୍ଣ୍ଣ–ଉଦ୍‍ଭ୍ରାନ୍ତଭଳି ଜାନୁପାତ କରି ରହିଲେ ଓ ପୁଣି ଧୀରେ ଧୀରେ ଉଠିଲେ । ତାଙ୍କର ଆଖିରେ ଅସ୍ଵାଭାବିକ ଗୁରୁତା ଥିଲା । ମୋତେ ଦେଖିଲାମାତ୍ରେ ପଲକ ନଇଁଗଲା । ଗୋଟିଏ ଆସନ ଆଡ଼େ ସଂକେତ ଦେଇ ସେ ବସିଲେ । ମୁଁ ମଧ୍ୟ ବସିଲି । ଅନେକ ସମୟ ସେ ନୀରବ ହୋଇ ବସିରହିଲେ । ମୁଁ ମଧ୍ୟ ନିଜର ବ୍ୟକ୍ତବ୍ୟ କହିବାର କୌଣସି ସୂତ୍ର ଖୋଜି ପାଇଲି ନାହିଁ । ସେ କରୁଣ–କାତର ସ୍ଵରରେ କହିଲେ, ନିପୁଣିକା ଯଦି କିଛି ଅନୁଚିତ କହିଛି, ତାହେଲେ ମନରେ ତାହା ଧରିବ ନାହିଁ । ନିଜ ଜୀବନଠାରୁ ସେ ମୋତେ ଅଧିକ ସ୍ନେହ କରେ । ତୁମପ୍ରତି ତାର ଅପାର ଶ୍ରଦ୍ଧାର ପ୍ରମାଣ ତ ମିଳିସାରିଛି । କିଛିଦିନ ହେଲା ତାର ମନ ଯେପରି ସ୍ଥିର ନାହିଁ । ମନେ ହେଉଛି, ତାନ୍ତ୍ରିକ ଅଭିଚାର ଫଳରେ ତାଠାରେ କିଛି ବିକାର ଆସିଛି । ଆଜି ଦିନଟି ସାରା ମୁଁ ତା କଥା ଚିନ୍ତା କରିଛି । ମହାମାୟା କହିଯାଇଥିଲେ ବୈଶାଖ ପୂର୍ଣ୍ଣିମା ଦିନ ସେ ସ୍ଥାଣ୍ୱୀଶ୍ଵରରେ ପହଞ୍ଚିଯାଇଥିବେ । ସେଠାରେ ଅବଧୂତଙ୍କ ସହିତ ମଧ୍ୟ ସାକ୍ଷାତ ହେବ । ନିପୁଣିକାଠାରେ କୌଣସି ପ୍ରକାର ବିକାର ଦେଖିଲେ ଭଟ୍ଟଙ୍କୁ ନିଶ୍ଚୟ ସେଠାକୁ ପଠେଇଦେବ । କାଲି ଯାଅ ତ କେମିତି ହେବ, ଭଟ୍ଟ ?” ଆଶ୍ଚର୍ଯ୍ୟ ହୋଇ ଭଟ୍ଟିଣୀଙ୍କୁ ଦେଖିବାକୁ ଲାଗିଲି । ଉଟ୍ଟିଣୀଙ୍କର ଆଦେଶ ସହିତ ନିପୁଣିକାର ପରାମର୍ଶ ଓ କୁମାର କୃଷ୍ଣଙ୍କର ସନ୍ଦେଶର କି ସାଦୃଶ୍ୟ ! କି ବିଚିତ୍ର ସଂଯୋଗ ! ନିପୁଣିକା କଣ ପାଗଳୀ ହୋଇଯାଇଛି ? ସକାଳର ଅସଙ୍ଗତ କଥା କଣ ତାର ଉନ୍ନାଦତା ? ଅଧିକ ଚିନ୍ତା କରିବାର ଅବସର ନ ଦେଇ ଭଟ୍ଟିଣୀ କହିଲେ–“ଲୋରିକ–ଦେବଙ୍କ ରାଣୀ ଅନ୍ତଃପୁରରେ ଆମପାଇଁ ସ୍ଥାନ କରିଦେବାକୁ ଚାହୁଁଥିଲେ କିନ୍ତୁ ନିପୁଣିକାର ଅବସ୍ଥା ଦେଖି ମୁଁ ସେଠାରେ ରହିବାକୁ ପସନ୍ଦ କରୁନି । ଏଠାରେ ଉଚିତ ବ୍ୟବସ୍ଥା କରିଦେବେ ବୋଲି ଆଶା ଦେଇଛନ୍ତି । ଏଠାରେ ରହିବାପାଇଁ ବିଗ୍ରହବର୍ମାଙ୍କୁ କହିଦିଅ । ସେ ରହିଲେ ଆଶ୍ଵସ୍ତ ହେବି, ମହାବରାହଙ୍କ ଉପରେ ଭରସା ରଖ । କାଲି ଚାଲିଯାଅ ।”

 

ନୀରବରେ ମୁଣ୍ଡ ନତକରି ଆଜ୍ଞା ଶିରୋଧାର୍ଯ୍ୟ କଲି । କିନ୍ତୁ ହୃଦୟରେ ହଠାତ୍ ଯେପରି ଶଲ୍ୟପାତ ହେଲା–ଭଟ୍ଟିଣୀଙ୍କୁ ଛାଡ଼ିଯିବାକୁ ପଡ଼ିବ ! ମୋର ମୋହମୁକ୍ତ ହୋଇଥିବା ଧାରଣା ଭ୍ରମ-! ଭଟ୍ଟିଣୀଙ୍କ ପକ୍ଷରୁ ଅନୁମତି ନ ମିଳିଥିଲେ ହୁଏତ ଅଧିକ ନିର୍ବିକାର ହୋଇଥାନ୍ତି । କିଛିକ୍ଷଣ ନୀରବ ରହିଲାପରେ ଭଟ୍ଟିଣୀ ମୋତେ ଅନାଇଲେ । ବର୍ଷା–ବାରିରେ ସିକ୍ତ ଖଞ୍ଜରୀଟ–ଶାବକପରି ଆଖି ଉପରକୁ ଉଠିପାରିଲି ନାହିଁ; ଅତି ଶୀଘ୍ର ତାହା ପୁଣି ତଳକୁ ନଇଁଗଲା । ରହି ରହି କହିଲେ–“ଭଟ୍ଟ, ମୁଁ ବଡ଼ ଅଭାଗିନୀ । ତୁମେହିଁ ମୋତେ ବଞ୍ଚିବାର ସାର୍ଥକତା ଶିକ୍ଷା ଦେଇଛ । ଜାଣେନା, କେଉଁ ପ୍ରାକ୍ତନ ପୁଣ୍ୟ ଯୋଗୁଁ ମହାବରାହ ତୁମକୁ ମୋପାଖକୁ ପଠାଇଛନ୍ତି । ମୁଁ ଯେ ଭାଗ୍ୟହୀନା, ଏହା ତୁମ ସାଥିରେ ରହି ଭୁଲିଯାଇଥିଲି । ତୁମକୁ ବିଶେଷ କଷ୍ଟ ଦେଇଛି ଓ ଆହୁରି ବି ଦେଉଥିବି । ମୁଁ ଅତି ଅବୋଧ ବାଳା । ନିପୁଣିକା ଆଜି ଉନ୍ନତ୍ତ ପ୍ରଳାପ ଭିତରେ ମୋର ସ୍ୱରୂପ ପ୍ରକାଶ କରିଛି । ତୁମକୁ ଗଙ୍ଗାରେ ଡୁବାଇବାପାଇଁ ନିଜେ ଗଙ୍ଗାରେ କୁଦି ପଡ଼ିଥିଲି; ହୁଏ ତ ତାର ଏକଥା ଠିକ୍ । ମୁଁ କହିପାରିବି ନାହିଁ । କ୍ଷଣକପାଇଁ ମୋତେ ଲାଗିଥିଲା, ମୌଖରୀମାନଙ୍କର ସେହି ନିଘୂର୍ଣ୍ଣ ମହାରାଜ ମୋତେ ପୁଣି ବନ୍ଦୀ କରିବାକୁ ଚାହୁଁଛି ! ବିଗ୍ରହବର୍ମା ନିଜକୁ ମୋଖରୀ ବୋଲି ପରିଚୟ ଦେଲା ପରଠୁଁ ମୋର ସନ୍ଦେହ ହୋଇଥିଲା । ନିର୍ବୋଧ ବାଳିକାକୁ କ୍ଷମା କରିବ, ଭଟ୍ଟ ! ନିପୁଣିକା କହୁଥିଲା, ଭଟ୍ଟ ନଥିଲେ ତୁମେ କଦାପି ଗଙ୍ଗାରେ କୁଦି ନଥାନ୍ତ । ଆଜି ମନେ ହୁଏ, ମୋର ମନର କୌଣସି ଅଜ୍ଞାତକୋଣରେ ଆଶା ଥିଲା ତୁମେ ମୋତେ ବୁଡ଼ିଯିବାକୁ ଦେବ ନାହିଁ, ରକ୍ଷା କରିବ । ମୋର ଶରୀର, ମନ, ଲଜ୍ଜା ସବୁ କିଛି ରକ୍ଷା କରିଛ ତୁମେ । ମୁଁ ଭାଗ୍ୟହୀନା, ନିଜର ହିତାକାଙ୍‍କ୍ଷୀଙ୍କୁ ବିପତ୍ତିକୁ ଠେଲି ଦେବାର ଅପରାଧ କରିଛି । ମୋର ଅପରାଧ କ୍ଷମା କର, ଭଟ୍ଟ ।” କହୁ କହୁ ଭଟ୍ଟିଣୀ ହାତଯୋଡ଼ି ଭୂମିତଳେ ମୁଣ୍ଡ ରଖି ମୋତେ ପ୍ରଣାମ କଲେ । ମୁଁ ଏଭଳି ଜଡ଼ ହୋଇଯାଇଥିଲି ଯେ ସାମାନ୍ୟ ସଂବେଦନ ମଧ୍ୟ ଅନୁଭବ କରିପାରିଲି ନାହିଁ । ଦେଖୁ ଦେଖୁ ଆଖି ଆଗରେ କଣ ଘଟି ନଗଲା ? ମୁଁ ହତସଂଜ୍ଞ ଓ ନିଶ୍ଚେଷ୍ଟ ହୋଇ ବସିରହିଲି । ଭଟ୍ଟିଣୀଙ୍କୁ ଜାନୁପାତ ଅବସ୍ଥାରେ ଦେଖି ସଚେତ ହୋଇଗଲି ଓ ତତକ୍ଷଣାତ୍ ଉଠିପଡ଼ି କହିଲି, ‘‘କଣ କରୁଛନ୍ତି ଦେବି ! ଉନ୍ନାଦ ଅବସ୍ଥାରେ ନିପୁଣିକା ଯାହା କହିଛି, ତାହା ପ୍ରକୃତ ବୋଲି ମନେ କରି ମୋତେ ଅପରାଧୀ କରୁଛନ୍ତି ! ଭଟ୍ଟିଣୀ କିଛି କହିଲେ ନାହିଁ । ନିଷ୍ପନ୍ଦ ଦୀପଶିଖାପରି, ଅଚଞ୍ଚଳ ବିଦୁ ଲ୍ଲତାପରି ଓ ପ୍ରଫୁଲ୍ଲ ଦମନକ ଯଷ୍ଟି ପରି ନୀରବ ରହିଲେ । ତାପରେ ଧୀରେ ଧୀରେ କହିଲେ–“ସେଠାରୁ ଶିଘ୍ର ଫେରିଆସିବ, ଯାଅ ।” ମୁଁ ଯାଉଥିଲି, ସେ ପୁଣି ଡାକି କହିଲେ–“ନିପୁଣିକା ସହିତ ସାକ୍ଷାତ କରିବ ନାହିଁ; ସମୟ ମିଳିଲେ ନିପୁଣିକାର ସଖୀ ସୁଚରିତାର ଖବର ଆଣିବ । ସେ ତାର ଦୋକାନ ପାଖରେହିଁ କେଉଁଠି ରହୁଛି । ଅତି ଭାଗ୍ୟହୀନ ସେ । ମୁଁ ତାକୁ ଥରେମାତ୍ର ଦେଖିଛି । ଭୁଲିବନି ।”

 

ପ୍ରାତଃକାଳରେ ମୁଁ ସ୍ଥାଣ୍ୱୀଶ୍ୱର ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କଲି ଓ ଅଶ୍ଵପୃଷ୍ଠରେ ନିରନ୍ତର ଦୌଡ଼ି ଦୌଡ଼ି ଦଶଦିନପରେ ସ୍ଥାଣ୍ୱୀଶ୍ୱରର ଦୁର୍ଗଦ୍ଵାର ନିକଟରେ ପହଞ୍ଚିଲି । ସେଠାରେ ସର୍ବପ୍ରଥମେ ମନେ ପଡ଼ିଲା ସୁଚରିତା । ନିପୁଣିକା କେବଳ ଥରେ ତା ବିଷୟରେ ମୋତେ କହିଥିଲା କିନ୍ତୁ ସବୁକଥା କହି ନଥିଲା । ଭଟ୍ଟିଣୀ ମଧ୍ୟ ସେ ତାର କଥା କହିଥିବ । ସେ କଣ କରୁଛି ? କିଛି ଭଲକାମ ଯେ କରୁନି ତାହା ସ୍ପଷ୍ଟ, ତଥାପି ବାଣ ଭଟ୍ଟ ସେଠାକୁ ଯିବ ନିଶ୍ଚୟ । ଆଜୀବନ ସେ ନାରୀ–ଦେହକୁ ଦେବୀପ୍ରତିମା ବୋଲି ମନେ କରିଆସିଛି । ନାରୀ ଯେଉଁଠି ଥାଉ ଓ ଯେଉଁ ଅବସ୍ଥାରେ ଥାଉ, ସମ୍ମାନ ଓ ଶ୍ରଦ୍ଧାର ପାତ୍ର । ଆଜି ଯଦିଓ ମହାରାଜା–ଧିରାଜଙ୍କ ସହିତ ସାକ୍ଷାତ କରିବାକୁ ହେବ, ଆଚାର୍ଯ୍ୟ ସୁଗତଭଦ୍ରଙ୍କୁ ପ୍ରଣାମ କରିବାକୁ ପଡ଼ିବ ଓ ଅବଧୂତ ଅଘୋର–ଭୈରବଙ୍କୁ ଦର୍ଶନ କରିବାକୁ ହେବ, ତଥାପି ବାଣ ଭଟ୍ଟ ସୁଚରିତାକୁ ଭୁଲି ନପାରେ । କୌଣସି ସମ୍ରାଟ ବା କୌଣସି ମହାସନ୍ଧିବିଗ୍ରକଙ୍କ ସହିତ ସାକ୍ଷାତ କରିବାକୁ ଜାଉଛି ବୋଲି ଆଜି ବାଣ ଭଟ୍ଟ କୌଣସି ଦେବୀ–ପ୍ରତିମାକୁ ପଙ୍କରେ ଧସି ହେବାର ଦେଖି ମୁହଁ ବୁଲାଇ ନେଇ ନପାରେ । ତା ହୋଇ ପାରେ ନା । କେବଳ ଏତିକି ମୋର କୌଣସି ଆଚରଣ ଯୋଗୁଁ ଭଟ୍ଟିଣୀଙ୍କର ଭାବୀ ମଙ୍ଗଳରେ ଯେପରୀ ବ୍ୟାଘାତ ନହୁଏ । ସ୍ଥିର କଲି, କୁମାର, ମହାରାଜ ଓ ଆଚାର୍ଯ୍ୟପାଦଙ୍କ ସହିତ ସାକ୍ଷାତ ନକରି କିଛି କରିବ ନାହିଁ ।

 

ସେ ଦିନ ବୈଶାଖ ପୂର୍ଣ୍ଣିମା । ସେ ଦିନ ତଥାଗତ ଜନ୍ମଗ୍ରହଣ କରିଥିଲେ ଓ ସେହି ଦିନ ନିର୍ବାଣପ୍ରାପ୍ତ ହୋଇଥିଲେ । ବୌଦ୍ଧ ନରପତିଙ୍କ ରାଜଧାନୀରେ ଉପଯୁକ୍ତ ଉତ୍ସବର ଆୟୋଜନ ହୋଇଥିଲା । ସୁଗନ୍ଧସିକ୍ତ ହୋଇଥିଲା ବୀଥିଗୁଡ଼ିକ, ମଙ୍ଗଳ–ପତାକା ସୁଶୋଭୀତ ହୋଇଥିଲା ପୌର–ଭବନରେ ଓ ମାଳତୀ ଦାମରେ ଅଳଙ୍କୃତ ହୋଇଥିଲା ରାଜମାର୍ଗମୁଖୀ ବାତାୟନଗୁଡ଼ିକ । ପୌରଜନ ନବୀନ ପରିଚ୍ଛଦରେ ସୁସଜ୍ଜିତ ହୋଇଥିଲେ । ନଗରରେ ପ୍ରବେଶ କରି ଜାଣିଲି ଅଚାର୍ଯ୍ୟ ସୁଗତଭଦ୍ର ଧର୍ମ–ଉପଦେଶ ବ୍ୟାଖ୍ୟାନ କରିବେ । ସମ୍ରାଟ ଓ କୃଷ୍ଣବର୍ଦ୍ଧନଙ୍କର ଶିବିକା ସେ ଦିଗକୁ ଯାଇଛି । ଆଚାର୍ଯ୍ୟପାଦଙ୍କର ଧର୍ମ–ବ୍ୟାଖ୍ୟାନ ଶୁଣିବା ଲୋଭରେ ମୁଁ ମଧ୍ୟ ସେ ଆଡ଼କୁ ଟାଣି ହୋଇଗଲି । ପୂର୍ବରୁ ବିହାର ଦେଖିଥିଲି ଶ୍ଵେତବସ୍ତ୍ରଧାରୀ ନାଗରିକଙ୍କଦ୍ଵାରା ପୂର୍ଣ୍ଣ ହୋଇଥିଲା ରାଜମାର୍ଗ । ତାଙ୍କର ଶ୍ଵେତବସ୍ତ୍ର, ଉଷ୍ଣୀଷ, ଅଙ୍ଗରାଗ ଓ ମାଲ୍ୟ ଦେଖି ମନେ ହେଲା ସମସ୍ତେ ଯେପରି ରଜତ–ଧାରାରେ ସ୍ନାନ କରିଛନ୍ତି । ଉପରର ସୌଧ–ବାତାୟନରୁ ଯୁବତୀମାନଙ୍କର ସ୍ଵର୍ଣ୍ଣାଳଙ୍କାରର ହରିତପ୍ରଭା ବ୍ୟାପ୍ତ ହେଉଥିଲା । ତଳର ଶ୍ଵେତଛଟା ଉପରେ ସୌଧ–ବାତାୟନ ସୁବର୍ଣ୍ଣଚ୍ଛଟା ଏଭଳି ମନୋହାରିତା ସୃଷ୍ଟି କରୁଥିଲା, ସତେ ଯେପରି କୈଳାସ ପର୍ବତ ଉପରେ ଶରତକାଳୀନ ପ୍ରାଭାତିକ ଧୂପ ବିସ୍ତାରିତ ହୋଇଛି । ଦୁର୍ଭାଗ୍ୟବଶତଃ ମୁଁ ବିହାରରେ ପହଞ୍ଚିଲାବେଳକୁ ଧର୍ମ–ଉପଦେଶ ସମାପ୍ତ ହୋଇସାରିଥିଲା । ସେତେବେଳେ ଶ୍ରୋତାମାନଙ୍କର ସନ୍ଦେହର ସମାଧାନ କରାଯାଉଥିଲା ।

 

ମହାରାଜଧିରାଜଙ୍କର ଆଗମନଯୋଗୁଁ ବାହାରେ ଯେତେ ଆନନ୍ଦ–ଉଲ୍ଲାସ, କୋଳାହଳ ଓ ଜୟନିନାଦ ହେଉଥିଲା, ସେଥିରୁ ଅନୁମାନ କଲି ଭିତରେ ନିଶ୍ଚୟ ଭିଡ଼ ହୋଇଥିବ ଓ ସେଭଳି କୋଳାହଳ ହେଉଥିବ । କିନ୍ତୁ ବିହାରଟି ସମସ୍ତଙ୍କପାଇଁ ଉନ୍ମୁକ୍ତ ଥିବାସତ୍ତ୍ୱେ ଖୁବ୍ କମ୍ ଲୋକ ଭିତରକୁ ଯିବାପାଇଁ ସାହସ କରୁଥିଲେ । ଭିକ୍ଷୁମାନଙ୍କରହିଁ ଆଧିକ୍ୟ ଥିଲା ସେଠାରେ ଗୃହସ୍ଥଙ୍କ ମଧ୍ୟରେ ସ୍ଵୟଂ ମହାରାଜା ଓ ତାଙ୍କର କେତେଜଣ ନିକଟ ବର୍ତ୍ତୀ ପଦାଧିକାରୀ । ମହାରାଜାଙ୍କ ଶରୀରରେ କୌଣସି ଉତ୍ତରୀୟ ନଥିଲା । ସାରା ଶରୀର ସୌଗନ୍ଧିକ ଅଙ୍ଗରାଗରେ ଉପଲିପ୍ତ ହୋଇଥିଲା ଓ ଭୁଜମୂଳରେ କେୟୁର ଓ ହୃଦୟରେ ଏକ ମୁକ୍ତାହାର ବ୍ୟତୀତ ଆଉ କିଛି ନ ଥିଲା । ଅତି ଶାନ୍ତ–ମନୋରମ ଦେଖାଯାଉଥିଲେ ସେ । ଆଚାର୍ଯ୍ୟଙ୍କପ୍ରତି ତାଙ୍କର ଅଗାଧ ଶ୍ରଦ୍ଧା ଥିଲା ଓ ଆଚାର୍ଯ୍ୟ ମଧ୍ୟ ଅତି ସ୍ନେହରେ ତାଙ୍କ ଆଡ଼କୁ ଅନାଇଥିଲେ । ସବୁ ମିଶି ଅର୍ଦ୍ଧ–ସହସ୍ର ବ୍ୟକ୍ତି ଥିଲେ ସେଠାରେ । ଏକ ବିଶାଳ ତିରସ୍କରିଣୀ (ପର୍ଦ୍ଧା) ପଛରେ ମହିଳାମାନଙ୍କର ଆସନ ଥିଲା ।

 

ମୁଁ ନିଃଶବ୍ଦରେ ଗୋଟିଏ ପାଖରେ ଯାଇ ବସିପଡ଼ିଲି । ଆଚାର୍ଯ୍ୟ ସୁଗତଭଦ୍ର ବିଶେଷ ପ୍ରସନ୍ନ ଥିଲେ । ମନ୍ଦସ୍ମିତରେ ମହାରାଜାଙ୍କୁ ଅନାଇ ଧୀର–ଶାନ୍ତ ବାଣୀରେ ସେ କହିଲେ–“ମହାରାଜ, ଆପଣ ହେଉଛନ୍ତି ଏ ଜମ୍ବୁଦ୍ଵୀପର ସର୍ବପ୍ରଧାନ ଚକ୍ରବର୍ତ୍ତୀ ସମ୍ରାଟ୍ । ଆପଣଙ୍କର ସଦବୁଦ୍ଧରେ ପ୍ରଜାଙ୍କର କଲ୍ୟାଣ ହେବ । ତଥାଗତ ଉଲ୍ଲେଖ କରିଥିବା ଧର୍ମ–ଉପଦେଶ ଆପଣ ଶୁଣିଛନ୍ତି । ମୁଁ ପଚାରେ ମହାରାଜ, କଣ ଆପଣଙ୍କୁ ସନ୍ତୋଷ ମିଳିଛି ? ମନରେ ମୈତ୍ରୀ ଓ କରୁଣାର ଧର୍ମ ସମ୍ବନ୍ଧରେ କୌଣସି ସନ୍ଦେହ ରହିଯାଇନାହିଁ ତ ?”

 

ମହାରାଜ ଆଚାର୍ଯ୍ୟଙ୍କୁ ନତମସ୍ତକରେ ପ୍ରଣାମ କଲେ । କିଛି ସମୟ ନିଶ୍ଚଳ ପ୍ରତିମାପରି ଧ୍ୟାନାବସ୍ଥାରେ ରହିଲେ ଓ ପୁଣି ଦୁଇ ହାତଯୋଡ଼ି ଅନୁମତି ମାଗିଲେ–“ତାହେଲେ ଆଚାର୍ଯ୍ୟପାଦ ଅନୁମତି ଦେଉଛନ୍ତି ?’’

 

ଆଚାର୍ଯ୍ୟ ପୁଣି ମନ୍ଦସ୍ମିତରେ ସାଧୁବାଦ ଦେଇ କହିଲେ–“ଅବଶ୍ୟ ମହାରାଜ ।” ମହାରାଜାଧିରାଜ ବିନୀତଭାବରେ ପ୍ରଶ୍ନ କଲେ–“ହେ ଭଦନ୍ତ–ପ୍ରବର ! କେତେକ ତୈର୍ଥିକ ଯତି ମୋତେ ଭଗବାନ ବୁଦ୍ଧଙ୍କର ପୂଜା ଗ୍ରହଣ ସମ୍ବନ୍ଧରେ ପ୍ରଶ୍ନ କରିଛନ୍ତି । ମୁଁ ତାଙ୍କର ଉତ୍ତର ଦେଇପାରିନି ମୋର ମନ ସେ ପ୍ରଶ୍ନଗୁଡ଼ିକ ଉପରେ ଚିନ୍ତା କରିବା–ପରେ ଉତ୍‍କ୍ଷିପ୍ତ ହୋଇଯାଇଛି । ଯଦି ଅବିନୟ ମନେ ନ କରନ୍ତି ତା’ହେଲେ ପ୍ରଶ୍ନ କରିବି ।

 

ଆଚାର୍ଯ୍ୟ ଉତ୍ସାହିତ ହୋଇ କହିଲେ–“ଅବଶ୍ୟ ପଚାରନ୍ତୁ ମହାରାଜ । ଶଙ୍କା–ଶଲ୍ୟ ମନରୁ ଉତ୍ପାଟିତ ହୋଇଯିବା ଉଚିତ । ଭଗବାନ୍ ତଥାଗତଙ୍କର ଧର୍ମ ଅନ୍ଧଶ୍ରଦ୍ଧା ଉପରେ ପ୍ରତିଷ୍ଠିତ ନୁହେଁ । ତାହା ଯୁକ୍ତି ଓ ବିଚାର ଅବିରୋଧୀ, ତେଣୁ ସଦ୍ଧର୍ମ ।”

 

“ତା’ ହେଲେ ଆଚାର୍ଯ୍ୟପାଦ, ଅନୁଗ୍ରହ କରି କହନ୍ତୁ, ବୁଦ୍ଧ ନିର୍ବାଣ ପାଇଲାପରେ ସୁଦ୍ଧା କିପରି ପୂଜା ଗ୍ରହଣ କରୁଛନ୍ତି ? ଦୁଇ କଥା ହୋଇପାରେ–ଗୋଟିଏ କଥା ହେଉଛି, ବୁଦ୍ଧ ପୂଜା ଗ୍ରହଣ କରୁଛନ୍ତି । ଏ ଅବସ୍ଥାରେ ଲୋକଙ୍କ ସହିତ ତାଙ୍କର ସଂଯୋଗ ରହିଛି । ସେ ପୃଥିବୀ ଅନ୍ତର୍ଗତ ଓ ଆଉ ଦଶଜଣ ମନୁଷ୍ୟଙ୍କପରି ଏକ ସାଧାରଣ ବ୍ୟକ୍ତି । ତା’ହେଲେ ତାଙ୍କର ପୂଜା ନିଷ୍ପଳ ହେଉଛି ଓ ବନ୍ଧ୍ୟ ସିଦ୍ଧ ହେଉଛି । ଦ୍ଵିତୀୟ କଥା ହୋଇପାରେ, ସେ ପରିନିର୍ବାଣ ପାଇସାରିଛନ୍ତି । ଲୋକଙ୍କ ସହିତ ତାଙ୍କର କୌଣସି ସଂସ୍ରବ ନାହିଁ ଓ ସେ ସଂସାରରୁ ମୁକ୍ତ । ଏ ଅବସ୍ଥାରେ ମଧ୍ୟ ତାଙ୍କର ପୂଜା ନିଷ୍ଫଳ ହେବ ଓ ବନ୍ଧ୍ୟ ସିଦ୍ଧ ହେବ । କାରଣ ପରିନିର୍ବାଣପ୍ରାପ୍ତ ବ୍ୟକ୍ତି କିଛି ଗ୍ରହଣ କରିପାରେନା ଓ ଏଭଳି ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ନିବେଦନ କରାଯାଉଥିବା ପୂଜା ବନ୍ଧ୍ୟ, ନିଷ୍ଫଳ । ଆଚାର୍ଯ୍ୟଶ୍ରେଷ୍ଠ, ଆପଣହିଁ ଏପ୍ରଶ୍ନର ସମାଧାନ କରିପାରନ୍ତି । ଆପଣହିଁ ଏହାର ଯଥାର୍ଥ ତତ୍ତ୍ଵ ନିର୍ଣ୍ଣୟ କରିପାରନ୍ତି ।”

 

ଆଚାର୍ଯ୍ୟଙ୍କର ମୁଖମଣ୍ଡଳରେ ପୁଣି ସ୍ନିଗ୍ଧ–ମନ୍ଦ ହାସ୍ୟ ଖେଳିଗଲା । ଉତ୍ସାହରେ କହିଲେ–“ସାଧୁ ମହାଜନ ! ତୁମେ ପ୍ରଶ୍ନଟିକୁ ଦ୍ଵିଧାହୀନ ଭାଷାରେ ଉପସ୍ଥାପିତ କରିଛ । ମୁଁ ଯଥାମତି ଏ ପ୍ରଶ୍ନର ସମାଧାନ କରିବି । ପରନ୍ତୁ ମୁଁ ତୁମକୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି । ବିନା ସଂକୋଚରେ ନିଜର ଉତ୍ତର ଦିଅ ।”

 

“ପଚାରନ୍ତୁ ।”

 

“ଆଚ୍ଛା ମହାରାଜ, ଅତି ମହାନ୍ କୌଣସି ଅଗ୍ନି–ରାଶି ଯେତେବେଳେ ପ୍ରଜ୍ଵଳିତ ହୋଇ ନିର୍ବାଣପ୍ରାପ୍ତ ହୁଏ–ଲିଭିଯାଏ, ସେତେବେଳେ ତୃଣ–କାଷ୍ଠ ଆଦି ଇନ୍ଧନ–ସମୂହକୁ ଗ୍ରହଣ କରେ ?”

 

“ନା ଭଦନ୍ତ ।”

 

“ମହାରାଜ, ସେ ଅଗ୍ନି ଉପରେ ଉପଶାନ୍ତ ହୋଇଗଲେ ସଂସାରରୁ ଅଗ୍ନିର ଅସ୍ତିତ୍ଵ କଣ ଏକାବେଳକେ ଲୋପପାଏ ?”

 

“ନା ଭଦନ୍ତ, ଇନ୍ଧନରୂପ କାଷ୍ଠ ହେଉଛି ଅଗ୍ନିର ଆଶ୍ରୟ ସ୍ଥାନ । ଅତଏବ ଅଗ୍ନି–କାମନା କରୁଥିବା ମନୁଷ୍ୟ ନିଜ ନିଜର ଉଦ୍ୟମରେ ଅଗ୍ନି ଉତ୍ପନ୍ନ କରିଦିଅନ୍ତି । କାଷ୍ଠକୁ ମନ୍ଥନ କରି କିମ୍ବା ଅନ୍ୟ ସ୍ଥାନରୁ ଅଗ୍ନି ସଂଗ୍ରହ କରି ସେମାନେ ପୁଣି ମହାନ୍ ଅଗ୍ନି–ରାଶି ଉତ୍ପନ୍ନ କରନ୍ତି ଓ ନିଜର କାର୍ଯ୍ୟ ଚଳାନ୍ତି ।”

 

“ଭଗବାନଙ୍କର କଥାକୁ ଠିକ୍ ଏହିପରି ବୁଝିବାକୁ ଚେଷ୍ଟା କର । ମହାରାଜ, ମହାନ୍ ଅଗ୍ନି–ରାଶି ପ୍ରଜ୍ଜ୍ଵଳିତ ହେଲାଭଳି ଭଗବାନ ମଧ୍ୟ ଦଶସହସ୍ର ସଂସାର ଉପରେ ବୁଦ୍ଧ–ଲକ୍ଷ୍ମୀଦ୍ଵାରା ପ୍ରଜ୍ଜ୍ଵଳିତ ହୋଇଥିଲେ । ସେ ମହାନ୍ ଅଗ୍ନି–ରାଶି ଯେପରି ପ୍ରଜ୍ଜ୍ଵଳିତ ହୋଇ ନିର୍ବାଣପ୍ରାପ୍ତ ହୋଇଥିଲା, ଠିକ୍ ସେହିଭଳି ଭଗବାନ୍ ମଧ୍ୟ ଦଶସହସ୍ର ଲୋକ ଉପରେ ବୃଦ୍ଧ–ଲକ୍ଷ୍ମୀଦ୍ଵାର ପ୍ରଜ୍ଵଳିତ ହେବାପରେ ନିରବଶେଷ ନିର୍ବାଣଦ୍ଵାରା ପରିନିର୍ବାଣପ୍ରାପ୍ତ ହୋଇଛନ୍ତି । ମହାରାଜ, ଯେପରି ନିର୍ବାଣ–ପ୍ରାପ୍ତଅଗ୍ନି ତୃଣ–କାଷ୍ଠ ଆଦି ଇନ୍ଧନକୁ ଗ୍ରହଣ କରେ ନା, ସେହିପରି ଲୋକହିତକାରୀ ଭଗବାନ୍ ମଧ୍ୟ କିଛି ପରିଗ୍ରହଣ କରନ୍ତି ନାହିଁ । କିନ୍ତୁ ଯେପରି ଇନ୍ଧନହୀନ ଅଗ୍ନି ନିର୍ବାଣପ୍ରାପ୍ତ ହେବାପରେ ମଧ୍ୟ ମନୁଷ୍ୟମାନେ ନିଜ ନିଜର ଉଦ୍ୟମରେ ଅଗ୍ନି ଉତ୍ପନ୍ନ କରି ନିଜ ନିଜର କାର୍ଯ୍ୟ ସିଦ୍ଧ କରନ୍ତି, ଠିକ୍ ସେହିପରି ଦେବ ଓ ମନୁଷ୍ୟଗଣ ପରିନିର୍ବାଣପ୍ରାପ୍ତ ତଥାଗତଙ୍କ ଧାତୁରତ୍ନରେ ସ୍ତୂପାଦି ନିର୍ମାଣ କରି ଶୀଳା ଆଦିର ଅନୁଷ୍ଠାନ କରୁଛନ୍ତି ଓ ସମ୍ପତ୍ତି–କ୍ରୟ ପ୍ରାପ୍ତ ହେଉଛନ୍ତି । ତେଣୁ ମହାରାଜ, ଯଦିଓ ତଥାଗତ କିଛି ଗ୍ରହଣ କରୁ ନାହାନ୍ତି, ତଥାପି ତାଙ୍କର ଉଦ୍ଦେଶ୍ୟରେ ନିବେଦିତ ପୂଜା ସଫଳ ହେଉଛି, ନିଶ୍ଚୟ ସଫଳ ହେଉଛି ।”

 

ଆଚାର୍ଯ୍ୟଙ୍କର ସ୍ଥାପନା–କୌଶଳ ଥିଲା ଅତି ମଧୁର ଓ ପ୍ରଭାବୋତ୍ପାଦକ । ଶ୍ରୋତାଙ୍କ ମଧ୍ୟରେ ଅଧିକାଂଶ ଥିଲେ ଶ୍ରମଣ । ସେମାନେ ଏକ ସ୍ଵରରେ ସାଧୁବାଦ ଦେଲେ–‘‘ଧନ୍ୟ ମହାସ୍ଥବିର ସୁଗତଭଦ୍ର ! ହେ ଭଦନ୍ତ, ଅଦ୍‍ଭୁତ ଏ ସ୍ଥାପନା ! ହେ ଭଦନ୍ତ, ଏ ଧର୍ମ–ଉପଦେଶ ଆଶ୍ଚର୍ଯ୍ୟ !!” କିନ୍ତୁ ରାଜାଙ୍କ ମୁଖରେ ବିଶେଷ କୌଣସି ଉଲ୍ଲାସ ପରିଲକ୍ଷିତ ହେଲା ନାହିଁ । ସେ କୌଣସି ଚିନ୍ତାରେ ପଡ଼ିଥିବାର ଜଣାପଡ଼ିଥିଲେ । ଆଚାର୍ଯ୍ୟ ପାଦ ବୁଝିପାରିଲେ । କହିଲେ–“ତୁମେ ଏହାହିଁ କହୁଛନା ମହାରାଜ; ଯେ ପୂଜା ଗ୍ରହଣ କରେନା, ତାର ଉଦ୍ଦେଶ୍ୟରେ ଅନୁଷ୍ଠିତ ପୂଜା ନିଷ୍ଫଳ ହୁଏ ?”

 

“ହଁ ଆଚାର୍ଯ୍ୟ !”

 

“ଆଚ୍ଛା ମହାରାଜ, ମହାନ ବାୟୁ ବହିଯିବାପରେ ଯେତେବେଳେ ଉପଶାନ୍ତ ହୋଇଯାଏ ସେତେବେଳେ ତାର ବାୟୁ–ସଂଜ୍ଞା ହୋଇପାରେ କି ?”

 

“ନା ଭଦନ୍ତ । ତାଳବୃନ୍ତ ଓ ବ୍ୟଜନ ହେଉଛି ବାୟୁର କାରଣ । ଯାହାଙ୍କର ବାୟୁ ଆବଶ୍ୟକ, ସେମାନେ ନିଜର ଉଦ୍ୟମରେ ତାହା ଉତ୍ପନ୍ନ କରି ନିଜର ତାପ ଶାନ୍ତ କରନ୍ତି ।”

 

‘‘ସେହିପରି ମହାରାଜ, ଶାସ୍ତା (ବୁଦ୍ଧ) ଦଶସହସ୍ର ସଂସାର ଉପରେ ମୃଦୁ–ମଧୁର ବାୟୁପରି ମୈତ୍ରୀରୂପରେ ପ୍ରବାହିତ ହେଉଥିଲେ । ପ୍ରଚଣ୍ଡ ବାୟୁ ବହିଯିବାପରେ ଯେଭଳି ଉପରିସ୍ଥ ଉପଶାନ୍ତ ହୋଇଯାଏ, ସେହିପରି ଭଗବାନ୍ ମଧ୍ୟ ନିର୍ବାଣପ୍ରାପ୍ତ ହୋଇଛନ୍ତି । ମହାରାଜ, ତାପଗ୍ରସ୍ତ ପ୍ରାଣୀ ଯେପରି ବ୍ୟଜନସାହାଯ୍ୟରେ ବାୟୁକୁ ଫେରାଇ ଆଣି ନିଜର ତାପ ଶାନ୍ତ କରନ୍ତି, ସେହିପରି ଦେବତା ଓ ମନୁଷ୍ୟ ଭଗବାନଙ୍କ ଶରୀର–ଧାତୁ–ସାହାଯ୍ୟରେ ଶୀଳାଦିର ଅନୁଷ୍ଠାନ କରି ନିଜର ଭବ–ତାପ ଦୂର କରନ୍ତି । ତେଣୁ ମହାରାଜ, ଯଦିଓ ତଥାଗର କିଛି ଗ୍ରହଣ କରନ୍ତି ନାହିଁ ତଥାପି ତାଙ୍କ ଉଦ୍ଦେଶ୍ୟରେ ବିବେଚିତ ପୂଜା ସଫଳ ହୁଏ, ଅବନ୍ଧ୍ୟ ହୁଏ ।”

 

“ସାଧୁ ଭଦନ୍ତ । ଆଶ୍ଚର୍ଯ୍ୟ ଆପଣଙ୍କର ସ୍ଥାପନା, ଅଦ୍ଭୁତ ଆପଣଙ୍କର ପ୍ରତିପାଦନ ଓ ବିସ୍ମୟଜନକ ଆପଣଙ୍କର ତର୍କଯୁକ୍ତି । ମୋର ସନ୍ଦେହର ସମାଧାନ ହୋଇଗଲା । ପରନ୍ତୁ ଆଚାର୍ଯ୍ୟ, ତଥାଗତ କଣ ସର୍ବଜ୍ଞ ଥିଲେ ? ତୈର୍ଥିକ ସାଧୁମାନେ ମୋତେ କହିଥିଲେ ଯେ ଧ୍ୟାନ କଲାବେଳେହିଁ ସେ କିଛି ଜାଣିପାରୁଥିଲେ । ଏହା କଣ ସତ୍ୟ, ଆଚାର୍ଯ୍ୟ ?”

 

“ହଁ ମହାରାଜ, ଭଗବାନଙ୍କ ସର୍ବଜ୍ଞତା ଥିଲା ଧ୍ୟାନରେ । କିନ୍ତୁ ମହାରାଜ, ଏଥିରେ କଣ ଭଗବାନଙ୍କର ସର୍ବଜ୍ଞତା ଖଣ୍ଡିତ ହେଉଛି ?”

 

“ହେଉଛି, ଭଦନ୍ତ !”

 

“ତା'ହେଲେ ମହାରାଜ, ମୋର ଏକ ପ୍ରଶ୍ନର ଉତ୍ତର ଦିଅନ୍ତୁ ।”

 

“ପଚାରନ୍ତୁ ଆଚାର୍ଯ୍ୟ ।”

 

“ମହାରାଜ, ଆପଣ ହେଉଛନ୍ତି ଚକ୍ରବର୍ତ୍ତୀ ରାଜା । ଆପଣଙ୍କ ଗୃହରେ ଅନ୍ନ, ଦୁଗ୍ଧ,ଦହି, ଘୃତ ଓ ଶର୍କରା ଆଦିର କୌଣସି ଅଭାବ ନାହିଁ । ଯଦି କେହି ଅତିଥି ଆପଣଙ୍କ ଗୃହରେ ଅସମୟରେ ଆସି ପହଞ୍ଚେ ଓ ସେତେବେଳେ ଭୋଜନାଳୟର ପକ୍ଵଅନ୍ନ ସମାପ୍ତ ହୋଇଥାଏ ଏବଂ ଆପଣଙ୍କର ଅତିଥି–ସତ୍କାରରେ ବିଳମ୍ବ ହୁଏ, ତା’ହେଲେ କଣ ଆପଣ ନିର୍ଦ୍ଧନ ବୋଲି ପ୍ରମାଣିତ ହେଲେ ?”

 

“ନା ଭଦନ୍ତ, ସମୟ ଅସମୟରେ ଚକ୍ରବର୍ତ୍ତୀଙ୍କ ଭୋଜନାଗାରରେ ମଧ୍ୟ ଅନ୍ନ ରହେନା । କିନ୍ତୁ ଏଥିପାଇଁ ତାଙ୍କୁ ନିର୍ଦ୍ଧନ କୁହାଯାଇ ପାରେନା ।”

 

“ସେହିଭଳି ମହାରାଜ, ବୁଦ୍ଧଙ୍କର ସର୍ବଜ୍ଞତା ହେଉଛି ଆସର୍ଜନ–ପ୍ରତିବଦ୍ଧ । ତତ୍‍କ୍ଷଣ ଜ୍ଞାନର ଅଭାବରେ ସେ ମୁଗ୍ଧ ହେଉ ନ ଥିଲେ, ଧ୍ୟାନ କଲାମାତ୍ରେ ସବୁକିଛି ଜାଣିପାରୁଥିଲେ । ଏହାହିଁ ତାଙ୍କର ସାଧାରଣ ଲୋକଙ୍କଠାରୁ ବୈଶିଷ୍ଟ୍ୟ ।”

 

“ସାଧୁ ଆର୍ଯ୍ୟ, ହେ ଭଦନ୍ତ ! ଆଶ୍ଚର୍ଯ୍ୟ ଆପଣଙ୍କର ସ୍ଥାପନା, ଅଦ୍ଭୁତ ଆପଣଙ୍କର ତର୍କଯୁକ୍ତି । ମୋର ଆଶଙ୍କା ତୁଟିଗଲା ।”

 

ଆଉ କିଛି ସମୟ ଏହିଭଳି ଶଙ୍କା–ସମାଧାନ ଚାଲିଲା । ପୁଣି ସଭା–ବିସର୍ଜନର ଶଙ୍ଖନାଦ ବାଜିଉଠିଲା । ମହାରାଜ ଉଠିଲେ ଓ ତାଙ୍କର ପରିଚାରକଙ୍କଠାରେ ଚଞ୍ଚଳତା ଲକ୍ଷିତ ହେଲା । ବିଶାଳ ହସ୍ତୀ ଉପରେ ସମାସୀନ ହୋଇ ମହାରାଜ ଚାଲିଗଲାପରେ କୁମାର କୃଷ୍ଣ ମୋତେ ଡାକି ସନ୍ଧ୍ୟା ସମୟରେ ତାଙ୍କର ଗୃହକୁ ଯିବାପାଇଁ ସଂକ୍ଷେପରେ ଆଦେଶ ଦେଲେ । ସେ ଚାଲିଗଲାପରେ ମୁଁ ଆଚାର୍ଯ୍ୟପାଦଙ୍କ ନିକଟକୁ ଗଲି ।

Image

 

Unknown

ତ୍ରୟୋଦଶ ପରିଛେଦ

 

ମହାରାଜାଧିରାଜଙ୍କଠାରୁ ମୁଁ ଭଲ ବ୍ୟବହାର ପାଇଲି ନାହିଁ । ରାଜସଭାରୁ ଫେରିଲାବେଳକୁ ମୋ ମନ କ୍ଷୋଭ ଓ ଗ୍ଳାନିରେ ଭରିଥିଲା । ବ୍ୟର୍ଥଭାବରେ ପୌର–ବୀଥିଗୁଡ଼ିକରେ ଘୁରି ବୁଲିଲି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ । ପ୍ରକୃତରେ ଏକ ଅଭିଭୂତ ଅବସ୍ଥାରେ ଥିଲି ମୁଁ । ରାଜସଭାରେ ପ୍ରବେଶ କଲାବେଳେ ମୁଁ ଦେଖିଲି ମହାରାଜଧିରାଜ ଚନ୍ଦ୍ରକାନ୍ତମଣି–ପ୍ରସ୍ତୁତ ଏକ ସୁନ୍ଦର ପର୍ଯ୍ୟଙ୍କ ଉପରେ ବସି ଏଭଳି ସୁଶୋଭିତ ହେଉଛନ୍ତି, ସତେ ଯେପରି ବଜ୍ରର ଭୟରେ ପୁଂଜିତ କୁଳ–ପର୍ବତଗୁଡ଼ିକ ମଧ୍ୟରେ ସୁମେରୁ ଆସୀନ ହୋଇଛି । ନାନାରଙ୍ଗର ରତ୍ନମୟ ଆଭରଣର କିରଣରେ ତାଙ୍କର ଶରୀର ଅନୁରଞ୍ଜିତ ହେଉଥିଲା ସତେ ଯେପରି ସହସ ଇନ୍ଦ୍ରଧନୁ ଆଚ୍ଛାଦିତ ବ୍ୟୋମ–ମଣ୍ଡଳରେ ସରସ ଜଳଧର ସୁଶୋଭିତ ହେଉଛି । ଏକ ପଟ୍ଟବସ୍ତ୍ରର ଶ୍ଵେତ ଚନ୍ଦ୍ରାତପ ଟଣ ହୋଇଥିଲା ତାଙ୍କର ଆସନ–ପର୍ଯ୍ୟଙ୍କ ଉପରେ ଓ ବଡ଼ ବଡ଼ ମୁକ୍ତାଫଳର ଝାଳର ଝୁଲୁଥିଲା ସେଥିରେ । ଚାରିକୋଣରେ ଚାରୋଟି ମଣିମୟ ଦଣ୍ଡରେ ସୁନାର ଶୃଙ୍ଖଳରେ (ଜଞ୍ଜିର) ବାନ୍ଧି ଦିଆଯାଇଥିଲା ଚନ୍ଦ୍ରାତପକୁ । ସୁବର୍ଣ୍ଣ ଦଣ୍ଡରେ ବନ୍ଧା ଚାମର–କଳାପ ଟଣା ହେଉଥିଲା । ମହାରାଜ ତାଙ୍କର ବାମ ଚରଣ ରଖିଥିଲେ ଏକ ସ୍ଫାଟିକ ମଣିର ବର୍ତ୍ତୁଳ ପାଦପୀଠ ଉପରେ । ନୀଳମଣି–ନିର୍ମିତ କୁଟ୍ଟିମରୁ ନୀଳଜ୍ୟୋତି–ରେଖା ନିର୍ଗତ ହୋଇ ସଭାମଣ୍ଡପକୁ ଈଷତ୍ ନୀଳବର୍ଣ୍ଣରେ ରଞ୍ଜିତ କରୁଥିଲା । ଅଞ୍ଚଳରେ ଯୋଡ଼ିହ ସଅଙ୍କା ଅମୃତ ଫେନସମ ଶୁଭ୍ର ବର୍ଣ୍ଣର ଦୁଇଟି ଦୁକୁଳ ଧାରଣ କରିଥିଲେ ମହାରାଜ । ସୁଗନ୍ଧିତ ଧବଳ ଚନ୍ଦନରେ ଉପଲିପ୍ତ ହୋଇଥିବାରୁ ତାଙ୍କର ବିଶାଳ ବକ୍ଷସ୍ଥଳ ଦେଖାଯାଉଥିଲା । ସେ ଚନ୍ଦନ ଉପଲକ୍ଷେ ଉପରେ କମଳ ଆକାରର କୁଙ୍କୁମ ଉପଲିପ୍ତ ହୋଇଥିଲା ଏବଂ ତାହା ଦେଖି ନବୋଦିତ ସୂର୍ଯ୍ୟକିରଣର ଅନ୍ତରାଳବର୍ତ୍ତୀ କୈଳାସ ପର୍ବତ ବୋଲି ଭ୍ରମ ହେଉଥିଲା । ରାଜାଧିରାଜଙ୍କ ବକ୍ଷଃସ୍ଥଳରେ ବିରାଜିତ ହୋଇଥିଲା ଗଜମୁକ୍ତାର ହାର । ଦୁଇ ଭୁଜମୂଳରେ ବନ୍ଧା ହୋଇଥିଲା ଇନ୍ଦ୍ରନୀଳମଣି–ଖଚିତ କେୟୁର । ଚନ୍ଦନର ସୁଗନ୍ଧରେ ଟଣାହୋଇ ଆସିଥିବା ବଳୟିତ ଭୁଜଙ୍ଗରେ ତାହା ଶୋଭିତ ହେଉଥିଲା । ଅତି ମନୋହର ଦେଖାଯାଉଥିଲା କର୍ଣ୍ଣର ଈଷତ୍ ଆଲମ୍ବିତ ଉତ୍ପଳ । ଅଷ୍ଟମୀର ଚନ୍ଦ୍ରମା ସମ ବିଶାଳ ଲଲାଟପଟରୁ ଦୀପ୍ତି ନିର୍ଗତ ହେଉଥିଲା ଓ ଶିରୋଦେଶର ଚୂଡ଼ା–ନିହିତ ବକୁଳ–ମାଳାର ସୁଗନ୍ଧରେ ରାଜସଭା ଆମୋଦମଗ୍ନ ହେଉଥିଲା । ଏଭଳି ବିରାଟ ଐଶ୍ୱର୍ଯ୍ୟ ମୁଁ ପୂର୍ବରୁ କେବେ ଦେଖି ନ ଥିଲି, ତେଣୁ ତାର ପ୍ରଭାବରେ ମୋର ତେଜ ମ୍ଳାନ ହୋଇଗଲା । ମୋର ପରିଚୟ ଯେତେବେଳେ ମହାରାଜାଙ୍କୁ ଦିଆଗଲା, ସେ ତିରସ୍କାର–ଭରା ଦୃଷ୍ଟିରେ ମୋତେ ଦେଖିଲେ ଓ ନିକଟରେ ପଛପଟେ ବସିଥିବା ମାଳବ ରାଜାଙ୍କ ପୁତ୍ରଙ୍କୁ କହିଲେ–“ଏ ଜଣେ ପରମ ଲମ୍ପଟ ବ୍ୟକ୍ତି ।”

 

ମୋର କାନର ଶିରା ପର୍ଯ୍ୟନ୍ତ ଲାଲ ହୋଇଗଲା । ମନେ ହେଲା ମୁଣ୍ଡ ବୁଲିଯାଇ ତଳେ ପଡ଼ିଯିବି । ବିଶାଳ ଐଶ୍ଵର୍ଯ୍ୟ ଦେଖି ଅଭିଭୂତ ନ ହୋଇଥିଲେ ତାର ଉପଯୁକ୍ତ ଉତ୍ତର ଦେଇଥାନ୍ତି । ବସ୍ତୁତଃ ବାହାରକୁ ଆସିଲାପରେ ମୋ ମନରେ ସହସ୍ର ଉତ୍ତର ଉଠିଥିଲା । ନିଜର ବିଷରେ ନିଜେ ବହୁ ସମୟ ପର୍ଯ୍ୟନ୍ତ ଜଳିବାକୁ ଲାଗିଲି । ନିଜର ପ୍ରାଣପାଇଁ ମୋର କୌଣସି ଚିନ୍ତା ନ ଥିଲା । କିନ୍ତୁ ଏଭଳି କୌଣସି ଉତ୍ତର ଦେଇପାରିଲି ନାହିଁ ଯାହା ଉଚିତ୍ କୁହାଯାଇପାରିବ । ମୁଁ କେବଳ ମୂକପରି, ସ୍ତବଧପରି, ଜଡ଼ପରି ବହୁ ସମୟ ହାତଯୋଡ଼ି ଠିଆହୋଇ ରହିଲି । ମହାରାଜାଧିରାଜ ମୋର ଉପସ୍ଥିତିପ୍ରତି ଧ୍ୟାନ ନ ଦେଇ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିଲେ । ଐଶ୍ଵର୍ଯ୍ୟମଦ ଓ ତେଜୋଭ୍ରଷ୍ଟତାର ବୀଭତ୍ସ ପ୍ରଦର୍ଶନ । କିଛି ସମୟପରେ ପୁଣି ତାଙ୍କର ଦୃଷ୍ଟି ମୋ ଉପରେ ପଡ଼ିଲା । ବସ୍ତୁତଃ ତାଙ୍କରି କଥାପାଇଁ ସେ ଦୁଃଖ କରୁଥିଲେ । ଆଶ୍ଚର୍ଯ୍ୟର କଥା, ସାରା ରାଜସଭା ନୀରବ ରହିଥିଲା । ଏଭଳି ଷ୍ପଷ୍ଟ ପ୍ରମାଦପୂର୍ଣ୍ଣ ବ୍ୟବହାର ବିରୁଦ୍ଧରେ କିଛି କହିବାର କାହାରି ସାହସ ନ ଥିଲା-। କେତେକଟା ନିଜକୁ ସଂଯତ କରି ନେଇଥିଲି । କଣ୍ଠ ପରିଷ୍କାର କରି କହିଲି–“ଅପରାଧ କ୍ଷମା କରିବେ ଦେବ ! ଆପଣ ଚକ୍ରବର୍ତ୍ତୀ । ଆପଣଙ୍କର ଶ୍ରୀମୁଖରୁ ବାହାରିଥିବା ଏ କଥା ପକ୍ଷପାତହୀନ ତତ୍ଵଜ୍ଞର ପରିଚୟ ନୁହେଁ । ଏଭଳି ନିର୍ଣ୍ଣୟାତ୍ମକ ଦୋଷାରୋପ କରିବା କଣ ରାଜରାଜେଶ୍ୱରଙ୍କ ପକ୍ଷରେ ଉଚିତ ? ଜାଣେନା, କେଉଁ ଦୁର୍ଜ୍ଜନ ମୋ ବିରୁଦ୍ଧରେ ଆପଣଙ୍କୁ କଣ କହିଛି ଏବଂ ତାରି ଉପରେ ଭିତ୍ତି କରି ମୋତେ ଆତ୍ମଦୋଷ ଜାଣିବାକୁ ନ ଦେଇ ଆପଣ ଏପରି କଥା କହିଛନ୍ତି । ସୋମପାୟୀ ବାତ୍ସାୟନଙ୍କର ବିମଳ ବଂଶରେ ମୋର ଜନ୍ମ । ମୁଁ ଯଥାକାଳ ଉପନୟନାଦି ସତ୍‍କାରରେ ସଂସ୍କୃତ ହୋଇଛି, ସାମବେଦ ଅଧ୍ୟୟନ କରିବାର ସୁଯୋଗ ପାଇଛି ଓ ଯଥାଶକ୍ତି ଶାସ୍ତ୍ର ଅଭ୍ୟାସ କରୁଛି । କେଉଁ ଅପରାଧଯୋଗୁଁ ମୋତେ ଲମ୍ପଟ କୁହାଯାଉଛି ?

 

ମହାରାଜାଧିରାଜ ସାମାନ୍ୟ ନରମି ଯାଇ ଧୀରେ ଧୀରେ କହିଲେ–“ମୁଁ ଏପରି ଶୁଣିଛି-।” ପୁଣି ଥରେ ଉପେକ୍ଷାରେ ମୋତେ ଦେଖି ସେ ଅନ୍ୟ କାର୍ଯ୍ୟରେ ଲାଗିଲେ । ବସିବାକୁ ଆସନ ଦେଲେ ନାହିଁ କିମ୍ବା ତାମ୍ବୂଳପାତ୍ର ଦେଇ ସତ୍କାର କଲେ ନାହିଁ । ଏଥର ମୋ ମନ ବିଦ୍ରୋହ କରି–ଉଠିଲା । ମହାରାଜାଧିରାଜ ମୋର ଲମ୍ପଟତାର କଥା ଶୁଣିଛନ୍ତି । ମୁଁ ତାଙ୍କର ଲମ୍ପଟ–ଶରଣ୍ୟତାକୁ ଜାଣେ । ମୌଖରୀଙ୍କର ଛୋଟ ମହାରାଜପରି ପାପ–ଲିପ୍ତ କେତେ ଯେ ସାମନ୍ତ ତାଙ୍କର ବାହୁ–ଛାୟା ପାଇ ଦୁର୍ଦ୍ଧର୍ଷ ହୋଇଛନ୍ତି ! ସେ ମୋ ବିରୁଦ୍ଧରେ ଶୁଣିଛନ୍ତି । କଣ ଶୁଣିଥିବେ ସେ ? ଏହି ନା, ମୁଁ ଛୋଟ ମହାରାଜର ଅନ୍ତଃପୁରରେ ପ୍ରବେଶ କରିଥିଲି ଓ ସେଠାରୁ ଭଟ୍ଟିଣୀଙ୍କୁ ନେଇଯାଇଥିଲି ? ଏହା ମୋର ଲମ୍ପଟତା; ଆଉ ସେଇଟା ତାଙ୍କର ଐଶ୍ଵର୍ଯ୍ୟ ଦମ୍ଭ ! ଧିକ୍, କ୍ରୋଧରେ ମୋର ଅଧର ପ୍ରସ୍ଫୁରିତ ହୋଇଗଲା । ମୁଁ କିଛି କହିବାକୁ ଯାଉଛି, କୁମାର କୃଷ୍ଣବର୍ଦ୍ଧନଙ୍କଆଡ଼େ ଦୃଷ୍ଟି ପଡ଼ିଲା । ଶାନ୍ତ ରହିବାପାଇଁ ସେ ସଙ୍କେତ ଦେଲେ । ମନ୍ତ୍ରରୁଦ୍ଧ ପଦଦଳିତ ଭୁଜଙ୍ଗପରି ମୁଁ ସେହି ଅବସ୍ଥାରେ ରହିଗଲି । କିଛି ସମୟ ପରେ ମହାରାଜ ପୁଣି ମୋ ଆଡ଼େ ଦୃଷ୍ଟି ଫେରାଇଲେ । ଏଥର କୁମାର କୃଷ୍ଣ ବର୍ଦ୍ଧନ ଠିଆହୋଇ ବିନୀତଭାବରେ ନିବେଦନ କଲେ–“ଦେବ, ବାଣ ଭଟ୍ଟ ହେଉଛନ୍ତି ପବିତ୍ର ବାତ୍ସାୟନ ବଂଶର ତିଳକ । ତାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯିବା ଉଚିତ ।” ମହାରାଜାଧିରାଜ ମୌନଭାବରେ କୁମାରଙ୍କ କଥାକୁ ସମର୍ଥନ କଲେ । କୁମାର ମୋତେ ଯିବାକୁ ସଂକେତ ଦେଲେ ଓ ମୁଁ ସାମାନ୍ୟ ଔଦ୍ଧତ୍ୟ–ସହକାରେ ରାଜସଭାରୁ ବାହରି ଆସିଲି । ଆଜି ମନେ ହୁଏ, ସେ ଦିନ କିଛି ଔଦ୍ଧତ୍ୟ କରିଥିଲେ ମହାନ୍ ଅନର୍ଥ ହୋଇଥାନ୍ତା । ସେଦିନ ଅଭିଭୂତ ହେବାଫଳରେ ମୋର ମଙ୍ଗଳ ହେଲା । ପରେ ଦୀର୍ଘକାଳପର୍ଯ୍ୟନ୍ତ ମହାରାଜାଧିରାଜଙ୍କର ସଂସର୍ଗରେ ରହି ମୁଁ ଜାଣିଲି ଯେ ବସ୍ତୁତଃ ତାଙ୍କର ହୃଦୟ ପୁଷ୍ପଠାରୁ ଅଧିକ କୋମଳ । ସେଦିନ ସେ ମୋ ସହିତ ଯେଭଳି, ବ୍ୟବହାର କଲେ ତାହା ବିଶେଷ ଦୟାପୂର୍ଣ୍ଣ କାରଣ ମୋ ବିଷୟରେ ତାଙ୍କୁ ଯାହା କୁହାଯାଇଥିଲା ତାହା ଅତ୍ୟନ୍ତ ଘୃଣିତ ।

 

ଯାହା ହେଉ ସେଦିନ ମୋ ମନ ବିକ୍ଷୁବ୍ଧ ହୋଇଥିଲା । ଉଦ୍ଦେଶ୍ୟ–ହୀନ ହୋଇ ନଗରୀର ଗଳିଗୁଡ଼ିକରେ ପ୍ରମତ୍ତଭଳି ବୁଲିବାକୁ ଲାଗିଲି । ସନ୍ଧ୍ୟା ସମୟରେ ନଗର–ବୀଥିଗୁଡ଼ିକର ପ୍ରଦୀପ ଜଳାଇ ଦିଆଗଲା; ପକ୍ଷିମାନେ ନିଜ ନିଜର ନୀଡକୁ ଫେରିଆସିବାକୁ ଲାଗିଲେ ଓ ସ୍ଵଚ୍ଛ ନୀଳ ଆକାଶରେ ଗୋଟିଏ ଦୁଇଟି ନକ୍ଷତ୍ର ପ୍ରଜ୍ଜ୍ୱଳିତ ହେଲେ । ନିପୁଣିକାର ଦୋକାନ ଯେଉଁଠି ଥିଲା, ବୁଲି ବୁଲି ସେଠାରେ ଯାଇଁ ପହଞ୍ଚିଲି । ଭଟ୍ଟିଣୀଙ୍କର କଥା ମନେ ପଡ଼ିଲା । ସୁଚରିତା ଏଇଠି କେଉଁଠି ରହେ, ତାର ସମାଚାର ଜାଣିନେବା ଉଚିତ । ମହାରାଜାଧୀରାଜଙ୍କଠାରେ ମୋର କୌଣସି ପ୍ରୟୋଜନ ନାହିଁ । ଭଟ୍ଟିଣୀ'ଙ୍କ ବିଷୟରେ ମୁଁ ତାଙ୍କୁ କିଛି କହିବାକୁ ଚାହେଁନା । କୁମାର କୃଷ୍ଣବର୍ଦ୍ଧନ ଏତେ ଅଧିକ ନୀତି–ନିପୁଣ ଯେ ତାଙ୍କ କଥା ବୁଝିବା ଅସମ୍ଭବ । ସେ କଣ ଚାହୁଁଛନ୍ତି, ନିଜେ ଜାଣନ୍ତି । ଆଚାର୍ଯ୍ୟ ସୁଗତ–ଭଦ୍ରଙ୍କଠାରୁ ହୁଏ ତ କିଛି ସହାୟତା ମିଳିପାରେ କିନ୍ତୁ ସେ ନିଜେ କୁମାରଙ୍କ ଉପରେହିଁ ନିର୍ଭର କରିବେ । ସୁଚରିତା ପାଖକୁ ଯିବାରେ ବାଧା କଣ ? କାହାର ଅପ୍ରସନ୍ନ ହେବାର କାରଣ ନାହିଁ । କିନ୍ତୁ ସେ ରହୁଛି କେଉଁଠି ? ତାକୁ କିଏ ଜାଣେ ବା ଚିହ୍ନେ ? ତା ବିଷୟରେ କାହାକୁ କିଛି ପଚାରିବା କଣ ଉଚିତ୍ ? ଅବଶ୍ୟ ସେ ଏଇଠି କେଉଁଠି ରହୁଛି । କୌଣସି ବୃଦ୍ଧ ଭଦ୍ର ପୁରୁଷଙ୍କୁ ପଚାରିବା ଉଚିତ । କାନ୍ୟକୁବ୍ଜର ଯୁବକମାନଙ୍କୁ ମୁଁ ଜାଣେ । ସେମାନେ ଅଜ୍ଞକୁ ଉପହାସର ପାତ୍ର ବୋଲି ମନେ କରନ୍ତି; ପଚାରିବା ବ୍ୟକ୍ତିକୁ ମୂର୍ଖ କରିଦେବାରେ ଆନନ୍ଦ ପାଆନ୍ତି । ଜଣେ ବୃଦ୍ଧ ସଜ୍ଜନଙ୍କୁ ରାସ୍ତାରେ ଯାଉଥିବାର ଦେଖି ପଚାରିଲି–କିଛି ପଚାରିବାକୁ ଚାହୁଁଛି, ଆର୍ଯ୍ୟ !”

 

“କଣ ଆୟୁଷ୍ମାନ୍ ?"

 

“ଆର୍ଯ୍ୟ କଣ ଏ ନଗରର ନବାସୀ ?''

 

“ଦୀର୍ଘକାଳରୁ ଏ ନଗରରେ ବାସ କରୁଛି ଭଦ୍ର ।

 

କିନ୍ତୁ ମୁଁ କାଶୀର ନିବାସୀ । ଏ ନଗରକୁ ପ୍ରାୟ ପୂର୍ଣ୍ଣଭାବରେ ଜାଣେ । କଣ

 

ପଚାରିବାକୁ ଚାହୁଁଛ ? ନୂଆ ଆସିଛ ?”

 

“ହଁ ଆର୍ଯ୍ୟ, କାଲି ଆସିଛି । ମୁଁ ମଗଧବାସୀ ।”

 

“କାଲି ଆସିଛ ? ପୂର୍ବରୁ କେବେ ଆସି ନଥିଲ ?”

 

“ଫାଲ୍ଗୁନରେ ଦିନ ଦୁଇଦିନପାଇଁ ଆସିଥିଲି ଆର୍ଯ୍ୟ !”

 

ବୃଦ୍ଧଙ୍କର ମୁଖ–ମୁଦ୍ରା ପ୍ରସନ୍ନ ହେଲା । ତାଙ୍କର କପୋଳ–ପ୍ରାନ୍ତ ମଧୁର ହାସ୍ୟରେ ବିକଶିତ ହୋଇଗଲା । କହିଲେ–“ତିନି ମାସରେ ସ୍ଥାଣ୍ୱୀଶ୍ୱରରେ ବହୁତ ପରିବର୍ତ୍ତନ ହୋଇଯାଇଛି । ସମ୍ମୁଖରେ ଯେଉଁ ବିଶାଳ ଆୟୋଜନ ଦେଖୁଛ, ତିନିମାସ ମଧ୍ୟରେହିଁ ତା ଏଭଳି ବ୍ୟାପକ ହୋଇଯାଇଛି । ଏ ବିଚିତ୍ର ଧର୍ମାଚାରର ଭକ୍ତିଧାରାରେ ବହି ନ ଯାଇଛି, ଏଭଳି କୌଣସି ସ୍ତ୍ରୀ ଆଜି ଏ ନଗରରେ ଦୁର୍ଲଭ । ପୁରୁଷଙ୍କର ଗୋଟିଏ ଦଳ ମଧ୍ୟ ଏ ଆୟୋଜନରେ ଯୋଗ ଦେଇଛନ୍ତି । କାନ୍ୟକୁବଜ ବିଚିତ୍ର ଦେଶ, ଆୟୁଷ୍ମାନ ! କାଶୀର ଲୋକେ ଧର୍ମ ନାମରେ ଏପରି ବହିଯାଆନ୍ତି ନାହିଁ-।”

 

ବୃଦ୍ଧଙ୍କର ଦୁର୍ବଳତାକୁ ବୁଝିପାରିଲି । ମୁଁ ନିଜେ କାଶୀରେ ପୁରାଣ–ପାଠ କରି ସହସ୍ର ନରନାରୀଙ୍କୁ ଉନ୍ମତ୍ତ କରିଛି । ତେଣୁ ଏ ବିଷୟରେ ବୃଦ୍ଧଙ୍କୁ ପ୍ରାମାଣିକ ବୋଲି ମନେ କରିବାର ଆବଶ୍ୟକତା ନାହିଁ । କିନ୍ତୁ ତାଙ୍କଠାରୁ ମନୋରଞ୍ଜକ ସମାଚାର ମିଳୁଥିଲା ସୁତରାଂ ଟିକିଏ ସ୍ତୁତି କରି କହିଲି, ‘‘କାଶୀର କଥା ସ୍ଵତନ୍ତ୍ର, ଆର୍ଯ୍ୟ ! କାଶି ହେଉଛି ବିଦ୍ୟାର ପୀଠସ୍ଥଳୀ, ଶାସ୍ତ୍ରଜ୍ଞାନର ଜନନୀ-।” ବୃଦ୍ଧ ଆହୁରି ଉତ୍ସାହିତ ହେଲେ, କହିଲେ–“କେତେ ମାସ ହେଲା ଶ୍ରୀପର୍ବତର ବୈଷ୍ଣବ ତାନ୍ତ୍ରୀକ ବେଙ୍କଟେଶ ଭଟ୍ଟ ଏ ନଗରକୁ ଆସିଛନ୍ତି ।”

 

ମୁଁ ମଝିରେ ପଚାରିଲି–“କଣ କହୁଛନ୍ତି, ଆର୍ଯ୍ୟ ! ଶ୍ରୀପର୍ବତ ତ ବାମାଚାରୀ ଓ କାପାଳିକମାନଙ୍କର ସାଧନା–ଭୂମି । ସେଠି ବୈଷ୍ଣବ ତାନ୍ତ୍ରିକ ସାଧନା ବି ଅଛି ? ଏ କଥା ତ ନୂଆ ଶୁଣୁଛି !”

 

ବୃଦ୍ଧ ମନ୍ଦ ସ୍ମିତ ସହିତ ଉତ୍ତର ଦେଲେ–“କାନ୍ୟକୁବ୍‍ଜକୁ ଆସିଛ, ଅନେକ କିଛି ନୂଆ କଥା ଶୁଣିବ, ଭଦ୍ର । ଏ ବେଙ୍କଟେଶ ଭଟ୍ଟ ପ୍ରଥମେ ଉଡ଼୍‍ଡୀୟନ–ପୀଠରେ ସୌଗତ ତନ୍ତ୍ର ଉପାସନା କରୁଥିଲେ । ସେଠାରେ କଣ ହେଲା କେଜାଣି ସେ ଶ୍ରୀପର୍ବତକୁ ଚାଲିଗଲେ ଓ ବର୍ତ୍ତମାନ କାନ୍ୟକୁବ୍‍ଜକୁ ପବିତ୍ର କରୁଛନ୍ତି । ପ୍ରଥମେ ପ୍ରଥମେ କେତେକ ଚପଳ–ସ୍ଵଭାବା ସ୍ତ୍ରୀହିଁ ତାଙ୍କ ଦୀକ୍ଷା ନେଇଥିଲେ । ଛୋଟ ଅନ୍ତଃପୁରର ପରିଚାରିକା ଥିଲା ନିଉନିୟା । ସେ ପ୍ରଥମେ ତାଙ୍କଠୁ ଦୀକ୍ଷା ନେଇଥିଲା । ସେ ବର୍ତ୍ତମାନ ଅନ୍ତର୍ଦ୍ଧାନ । ଦ୍ଵିତୀୟ ଭକ୍ତ ହେଉଛି ସୁଚରିତା, ଏ ଗଳିର ପ୍ରସିଦ୍ଧ ଗାୟିକା । ଆଜି ସେ ନଗରର ପ୍ରଧାନ ଭକ୍ତମତୀରୂପେ ପରିଗଣିତା । ସଂଧ୍ୟା ହେବା ପୂର୍ବରୁହିଁ ଆୟୋଜନ ଆରମ୍ଭ ହୋଇଯାଉଛି; ଉନ୍ନାଦର ବାତାବରଣ ସୃଷ୍ଟି ହେଉଛି କାଂସ୍ୟ ଓ କରତାଳ ବାଦ୍ୟରେ ଓ ମୋହିନୀ ମନ୍ତ୍ରପରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଛି ସୁଚରିତାର ଗୀତ । ବେଙ୍କଟେଶ ଭଟ୍ଟ ଯେତେବେଳେ ଆବେଶରେ ନାଚି ଉଠୁଛନ୍ତି, ମନେ ହେଉଛି ସତେ ଯେପରି ଆସିବ–ପାନପ୍ରମତ୍ତ ଭୁତରାଜ । ବଡ଼ ବିଚିତ୍ର ଧର୍ମ, ଆୟୁଷ୍ମାନ ! ଥରେ ଯାଇ ଦେଖନା ।”

 

ମୁଁ ନମ୍ରତା ସହ କହିଲି–“ନିଶ୍ଚୟ ଦେଖିବି । କିନ୍ତୁ ଏ ସୁଚରିତା ପ୍ରଥମେ କଣ କରୁଥିଲା, ଆର୍ଯ୍ୟ ?”

 

ବୃଦ୍ଧ ହସିଲେ–“ନିଜ ବୟସର ଲୋକଙ୍କଠାରୁ ଯଥେଷ୍ଟ ସମାଚାର ପାଇପାରିବ, ଭଦ୍ର ! ମୁଁ ପକ୍ଵକେଶ ବୃଦ୍ଧ ।”

 

ବୃଦ୍ଧ ରସାବିଷ୍ଟ ହେଲେ । ଏଥର ତାଙ୍କଠି କାଶୀବାସୀର ସ୍ଵଭାବ ସ୍ପଷ୍ଟ ପ୍ରକଟିତ ହେଲା । ମୁଁ ସ୍ମିତ ହସି ଉତ୍ତର ଦେଲି–“କ୍ଷମା କରିବେ ଆର୍ଯ୍ୟ, ମୁଁ ଦେଖିବାକୁ ଯାଉଛି ।”

 

ବୃଦ୍ଧ କହିଲେ–“କିନ୍ତୁ ତୁମେ ତ କିଛି ପଚାରିବାକୁ ଚାହୁଁଥିଲ, ଭଦ୍ର ?”

 

ମୋର ଶୀଘ୍ର ଯିବାର କଥା । ‘‘ଏହାହିଁ ପଚାରିବାର ଥିଲା, ଆର୍ଯ୍ୟ !” କହି ମୁଁ ପ୍ରଣାମ କଲି ଓ ବିଦାୟ ନେଲି । ବୃଦ୍ଧ ଅନେକ ସୂଚନା ଦେଇଥିଲେ । ମୁଁ ସେହି ବିଶାଳ–ମଣ୍ଡପକୁ ଗଲି । ପ୍ରତି ମୁହୂର୍ତ୍ତରେ ଭିଡ଼ ବଢ଼ିଚାଲିଥିଲା । ପ୍ରକୃତରେ ଅଧିକାଂଶ ଥିଲେ ସ୍ତ୍ରୀ । ସମସ୍ତଙ୍କ ମୁହଁରେ ଭକ୍ତି ଓ ଉଲ୍ଲାସଭାବ । ଆଚାର୍ଯ୍ୟ ବେଙ୍କଟେଶ ଭଟ୍ଟ ଏକ ଚନ୍ଦନ–କାଷ୍ଠର ଆସନ ଉପରେ ପଦ୍ମାସନରେ ବସିଥିଲେ । ଏକପ୍ରକାର ଆନନ୍ଦ–ଗଦ୍‍ଗଦ୍‍ ଭାବ ପ୍ରକଟିତ ହେଉଥିଲା ତାଙ୍କ ମୁହଁରୁ । ଆସନର ସମ୍ମୁଖରେ ଏକ ବେଦୀ ଊପରେ କଳଶ ସ୍ଥାପିତ ହୋଇଥିଲା । ମୁଁ ଆଶ୍ଚର୍ଯ୍ୟ ହୋଇ ଦେଖିଲି ବିରି ଓ ଚାଉଳରେ ଏକ ଊର୍ଦ୍ଧ୍ଵମୁଖ ତ୍ରିକୋଣକୁ ବକ୍ରଭାବରେ ବିଦ୍ଧ କରି ଅଧୋମୁଖ ତ୍ରିକୋଣ–ଚକ୍ର ଅଙ୍କିତ ହୋଇଛି ଠିକ୍ ଯେପରି ଶକ୍ତି–ତାନ୍ତ୍ରିକଙ୍କର ଶ୍ରୀଚକ୍ର କଟା ହୋଇଥାଏ । ଚକ୍ରର ମଧ୍ୟରେ ପ୍ରଫୁଲ ଶତଦଳ ଦେଖି ଆହୁରି ଆଶ୍ଚର୍ଯ୍ୟ ହେଲି । ମୁଁ ଆଜିପର୍ଯ୍ୟନ୍ତ ମନେ କରିଥିଲି ଯେ ଉର୍ଦ୍ଧ୍ୱମୁଖ ତ୍ରିକୋଣ ଶିବ–ତତ୍ତ୍ୱର ପ୍ରତୀକ ଓ ଅଧୋମୁଖ ତ୍ରିକୋଣ ଶକ୍ତି-ତତ୍ଵର ପ୍ରତୀକ । ଭାଗବତ ସଂପ୍ରଦାୟଙ୍କ ସହିତ ଏମାନଙ୍କର କୌଣସି ସମ୍ବନ୍ଧ ନାହିଁ । ତାଛଡ଼ା ଏ ପଦ୍ମତ ସେଠାରେ ରହିବା ସମ୍ଭବ ନୁହେଁ, କାରଣ ପଦ୍ମ ସହିତ ବଜ୍ର ରହିବା ଉଚିତ । ଏହା ହୋଇଥିଲେ, ସୌଗତ-ତନ୍ତ୍ର ଏହାକୁ ମାନି ନେଇଥାନ୍ତେ । କିନ୍ତୁ ଏ ତ ଅଦ୍ଭୁତ ମିଶ୍ରଣ ! ମଗଧର ସାଧାରଣ ମନୁଷ୍ୟ ବି ଏ ଅନୁଷ୍ଠାନର ବିରୋଧ କରିବ । କିନ୍ତୁ କାନ୍ୟକୁବଜ ବିଚିତ୍ର ଦେଶ । ଏଠାରେ ବାହ୍ୟ ଆଚାରରେ ତିଳେମାତ୍ର ପରିବର୍ତ୍ତନ ସହ୍ୟ ହୁଏ ନା ଅଥଚ ଧାର୍ମିକ ଅନୁଷ୍ଠାନରେ ପ୍ରତିଦିନ ନୂତନ ଉପାଦାନ ମିଶ୍ରିତ ହେବାରେ ଲାଗିଛି । ଯାହା ହେଉ, ଖୁବ୍ ମନୋରଞ୍ଜକ ଅନୁଷ୍ଠାନ ନିଶ୍ଚୟ ! ମୁଁ ଖୁସି ହେଲି, କାରଣ ଏହି ବେଙ୍କଟେଶ ଭଟ୍ଟ ହେଉଛନ୍ତି ନିପୁଣିକାର ଗୁରୁ ଓ ସମ୍ଭବତଃ ଏଭଳି ଅନୁଷ୍ଠାନର ଆଦି-ସଂଚାଳିକା ନିପୂଣିକାହିଁ ହୋଇଥିବ । କିନ୍ତୁ କୌଣସି ଦିନ ମୋତେ ସେ ଏ ବିଷୟରେ କିଛି କହି ନ ଥିଲା ! ହୁଏ ତ କିଛି କାରଣ ଥିବ । ଖୁବ ଧ୍ୟାନ ଦେଇ ଚିତ୍ରକୁ ଦେଖିଲି । କେନ୍ଦ୍ରସ୍ଥଳର ପଦ୍ମ ଚାରିପଟେ ସିନ୍ଦୁରରେ ଗୋଟିଏ ଗୋଲ ଚକ୍ର ଅଙ୍କିତ ହୋଇଥିଲା । ଏ କଣ ସାଧନାର ବଜ୍ର ? ପଦ୍ମ ଉପରେ ସ୍ଥାପିତ ହୋଇଥିଲା ତାମ୍ରଘଟ, ଘଟ ଉପରେ ଆମ୍ବ୍ର-ପଲ୍ଲବ ଓ ତା’ଉପରେ ଜଉଭରା ଏକ ତାମପାତ୍ର । ଦୀପ-ସ୍ଥାପନର କ୍ରିୟା ଚାଲିଥିଲା-। ଆଚାର୍ଯ୍ୟଙ୍କ ଡାହାଣ ପାର୍ଶ୍ଵରେ ଜଣେ ବୃଦ୍ଧ ପୁରୋହିତ ମନ୍ତ୍ର-ଉଚ୍ଚାରଣ କରୁଥିଲେ ଓ ଗୋଟିଏ ଯୁବତୀ ସ୍ତ୍ରୀ ତାଙ୍କରି ଇଙ୍ଗିତ ବିଧିରେ କ୍ରିୟା କରୁଥିଲା । ଅନୁମାନ କଲି ସେ ସୁଚରିତା-। ପୁରୋହିତଙ୍କର ଦୀପଦାନକାଳୀନ ସଂକଳ୍ପ ବାକ୍ୟରୁ ମୋର ଅନୁମାନ ସତ୍ୟସିଦ୍ଧ ହେଲା-

 

ସୁଚରିତା ଏକ ଶୁଭ୍ର କୌଶେୟ ବସ୍ତ୍ରରେ ସମାବୃତ ହୋଇଥିଲା । ତାର ମୁହଁ ଗୁରୁଙ୍କ ଆଡ଼କୁ ଥିବାରୁ ମୁଁ ଦୂରରୁ ସ୍ପଷ୍ଟଭାବରେ ଦେଖିପାରିଲି ପ୍ରଥମେ ଉଡ଼ଡୀୟନ-ପୀଠରେ ସୌଗତ ତନ୍ତ୍ର ଉପାସନା କରୁଥିଲେ । ସେଠାରେ କଣ ହେଲା କେଜାଣି ସେ ଶ୍ରୀପର୍ବତକୁ ଚାଲିଗଲେ ଓ ବର୍ତ୍ତମାନ କାନ୍ୟକୁବଜକୁ ପବିତ୍ର କରୁଛନ୍ତି । ପ୍ରଥମେ ପ୍ରଥମେ କେତେକ ଚପଳ ସ୍ଵଭାବା ସ୍ତ୍ରୀହିଁ ତାଙ୍କଠୁଁ ଦୀକ୍ଷା ନେଇଥିଲେ । ଛୋଟ ଅନ୍ତଃପୁରର ପରିଚାରିକା ଥିଲା ନିଉନିୟା । ସେ ପ୍ରଥମେ ତାଙ୍କଠୁଁ ଦୀକ୍ଷା ନେଇଥିଲା । ସେ ବର୍ତ୍ତମାନ ଅନ୍ତର୍ଦ୍ଧାନ । ଦ୍ଵିତୀୟ ଭକ୍ତ ହେଉଛି ସୁଚରିତା, ଏ ଗଳିର ପ୍ରସିଦ୍ଧ ଗାୟିକା । ଆଜି ସେ ନଗରର ପ୍ରଧାନ ଭକ୍ତି ମତୀ ରୂପେ ପରିଗଣିତା । ସଂଧ୍ୟା ହେବା ପୂର୍ବରୁହିଁ ଆୟୋଜନ ଆରମ୍ଭ ହୋଇଯାଉଛି, ଉନ୍ମାଦର ବାତାବରଣ ସୃଷ୍ଟି ହେଉଛି କାଂସ୍ୟ ଓ କରତାଳ ବାଦ୍ୟରେ ଓ ମୋହୀନି ମନ୍ତ୍ରପରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଛି ସୁଚରିତାର ଗୀତ । ବେଙ୍କଟେଶ ଭଟ୍ଟ ଯେତେବେଳେ ଆବେଶରେ ନାଚି ଉଠୁଛନ୍ତି, ମନେ ହେଉଛି ସତେ ଯେପରି ଆସିବ–ପାନପ୍ରମତ୍ତ ଭୂତରାଜ । ବଡ଼ ବିଚିତ୍ର ଧର୍ମ, ଆୟୁଷ୍ମନ ! ଥରେ ଯାଇ ଦେଖନା ।”

 

ମୁଁ ନମ୍ରତା ସହ କହିଲି–“ନିଶ୍ଚୟ ଦେଖିବି । କିନ୍ତୁ ଏ ସୁଚରିତା ପ୍ରଥମେ କଣ କରୁଥିଲା, ଆର୍ଯ୍ୟ ?”

 

ବୃଦ୍ଧ ହସିଲେ–“ନିଜ ବୟସର ଲୋକଙ୍କଠାରୁ ଯଥେଷ୍ଟ ସମାଚାର ପାଇପାରିବ, ଭଦ୍ର ! ମୁଁ ପକ୍ଵକେଶ ବୃଦ୍ଧ ।”

 

ବୃଦ୍ଧ ରସାବିଷ୍ଟ ହେଲେ । ଏଥର ତାଙ୍କଠି’ କାଶୀବାସୀର ସ୍ଵଭାବ ଷ୍ପଷ୍ଟ ପ୍ରକଟିତ ହେଲା-। ମୁଁ ସ୍ମିତ ହସି ଉତ୍ତର ଦେଲି–“କ୍ଷମା କରିବେ ଆର୍ଯ୍ୟ, ମୁଁ ଦେଖିବାକୁ ଯାଉଛି ।”

 

ବୃଦ୍ଧ କହିଲେ–“କିନ୍ତୁ ତୁମେ ତ କିଛି ପଚାରିବାକୁ ଚାହୁଁଥିଲ, ଭଦ୍ର ?”

 

ମୋର ଶୀଘ୍ର ଯିବାର କଥା ।”ଏହାହିଁ ପଚାରିବାର ଥିଲା ଆର୍ଯ୍ୟ ।” କହି ମୁଁ ପ୍ରଣାମ କଲି ଓ ବିଦାୟ ନେଲି । ବୃଦ୍ଧ ଅନେକ ସୂଚନା ଦେଇଥିଲେ । ମୁଁ ସେହି ବିଶାଳ–ମଣ୍ଡପକୁ ଗଲି । ପ୍ରତି ମୁହୂର୍ତ୍ତରେ ଭିଡ଼ ବଢ଼ିଚାଲିଥିଲା । ପ୍ରକୃତରେ ଅଧିକାଂଶ ଥିଲେ ସ୍ତ୍ରୀ । ସମସ୍ତଙ୍କ ମୁହଁରେ ଭକ୍ତି ଓ ଉଲ୍ଲାସଭାବ । ଆଚାର୍ଯ୍ୟ ବେଙ୍କେଟେଶ ଭଟ୍ଟ ଏକ ଚନ୍ଦନ–କାଷ୍ଠର ଆସନ ଉପରେ ପଦ୍ମାସନରେ ବସିଥିଲେ । ଏକପ୍ରକାର ଆନନ୍ଦ–ଗଦ୍‍ଗଦ୍‍ ଭାବ ପ୍ରକଟିତ ହେଉଥିଲା ତାଙ୍କ ମୁହଁରୁ । ଆସନର ସମ୍ମୁଖରେ ଏକ ବେଦୀ ଉପରେ କଳଶ ସ୍ଥାପିତ ହୋଇଥିଲା । ମୁଁ ଆଶ୍ଚର୍ଯ୍ୟ ହୋଇ ଦେଖିଲି ବିରି ଓ ଚାଉଳରେ ଏକ ଉର୍ଦ୍ଧ୍ଵମୁଖ ତ୍ରିକୋଣକୁ ବକ୍ରଭାବରେ ବିଦ୍ଧ କରି ଅଧୋମୁଖ ତ୍ରିକୋଣ–ଚିତ୍ର ଅଙ୍କିତ ହୋଇଛି ଠିକ୍ ଯେପରି ଶକ୍ତି–ତାନ୍ତ୍ରିକଙ୍କର ଶ୍ରୀଚକ୍ର କଟା ହୋଇଥାଏ । ଚକ୍ରର ମଧ୍ୟରେ ପ୍ରଫୁଲ୍ଲ ଶତଦଳ ଦେଖି ଆହୁରି ଆଶ୍ଚର୍ଯ୍ୟ ହେଲି । ମୁଁ ଆଜିପର୍ଯ୍ୟନ୍ତ ମନେ ଯେ ଊର୍ଦ୍ଧ୍ଵମୁଖ ତ୍ରିକୋଣ ଶିବ–ତତ୍ତ୍ଵର ପ୍ରତୀକ ଓ ଅଧୋମୁଖ ତ୍ରିକୋଣ ଶକ୍ତି–ତତ୍ତ୍ଵର ପ୍ରତୀକ । ଭାଗବତ ସଂପ୍ରଦାୟଙ୍କ ସହିତ ଏମାନଙ୍କର କୌଣସି ସମ୍ବନ୍ଧ ନାହିଁ । ତାଛଡ଼ା ଏ ପଦ୍ମତ ସେଠାରେ ରହିବା ସମ୍ଭବ ନୁହେଁ, କାରଣ ପଦ୍ମ ସହିତ ବଜ୍ର ରହିବା ଉଚିତ । ଏହା ହୋଇଥିଲେ, ସୌଗତ–ତନ୍ତ୍ର ଏହାକୁ ମାନି ନେଇଥାନ୍ତେ । କିନ୍ତୁ ଏ ତ ଅଦ୍ଭୁତ ମିଶ୍ରଣ ! ମଗଧର ସାଧାରଣ ମନୁଷ୍ୟ ବି ଏ ଅନୁଷ୍ଠାନର ବିରୋଧ କରିବ । କିନ୍ତୁ କାନ୍ୟକୁବଜ ବିଚିତ୍ର ଦେଶ । ଏଠାରେ ବାହ୍ୟ ଆଚାରରେ ତିଳେମାତ୍ର ପରିବର୍ତ୍ତନ ସହ୍ୟ ହୁଏ ନା ଅଥଚ ଧାର୍ମିକ ଅନୁଷ୍ଠାନରେ ପ୍ରତିଦିନ ନୂତନ ମିଶ୍ରିତ ହେବାରେ ଲାଗିଛି । ଯାହା ହେଉ, ଖୁବ୍ ମନୋରଞ୍ଜକ ଅନୁଷ୍ଠାନ ନିଶ୍ଚୟ ! ମୁଁ ଖୁସି ହେଲି, କାରଣ ଏହି ବେଙ୍କଟେଶ ଭଟ୍ଟ ହେଉଛନ୍ତି ନିପୁଣିକାର ଗୁରୁ ଓ ସମ୍ଭବତଃ ଏଭଳି ଅନୁଷ୍ଠାନର ଆଦି–ସଂଚାଳିକା ନିପୁଣିକାହିଁ ହୋଇଥିବ । କିନ୍ତୁ କୌଣସି ଦିନ ମୋତେ ସେ ଏ ବିଷୟରେ କିଛି କହି ନ ଥିଲା ! ହୁଏ ତ କିଛି କାରଣ ଥିବ । ଖୁବ ଧ୍ୟାନ ଦେଇ ଚିତ୍ରକୁ ଦେଖିଲି । କେନ୍ଦ୍ର ସ୍ଥଳର ପଦ୍ମ ଚାରିପଟେ ସିନ୍ଦୁରରେ ଗୋଟିଏ ଗୋଲ ଚକ୍ର ଅଙ୍କିତ ହୋଇଥିଲା । ଏ କଣ ସାଧନାର ବଜ୍ର ? ପଦ୍ମ ଉପରେ ସ୍ଥାପିତ ହୋଇଥିଲା ତାମ୍ରଘଟ ଉପରେ ଆମ୍ବ୍ର–ପଲ୍ଲବ ଓ ତା’ଉପରେ ଜଉଭରା ଏକ ତାମ୍ରପାତ୍ର । ଦୀପ–ସ୍ଥାପନର କ୍ରିୟା । ଆଚାର୍ଯ୍ୟଙ୍କ ଡାହାଣ ପାର୍ଶ୍ଵରେ ଜଣେ ବୃଦ୍ଧ ପୁରୋହିତ ମନ୍ତ୍ର–ଉଚ୍ଚାରଣ କରୁଥିଲେ ଓ ଗୋଟିଏ ଯୁବତୀ ସ୍ତ୍ରୀ ତାଙ୍କରି ଇଙ୍ଗିତ ବିଧିରେ କ୍ରିୟା କରୁଥିଲେ । ଅନୁମାନ କଲି ସେ ସୁଚରିତା । ପୁରୋହିତଙ୍କର ଦୀପଦାନକାଳୀନ ସଂକଳ୍ପ ବାକ୍ୟରୁ ମୋର ଅନୁମାନ ସତ୍ୟସିଦ୍ଧ ହେଲା ।

 

ସୁଚରିତା ଏକ ଶୁଭ୍ର କୌଶେୟ ବସ୍ତ୍ରରେ ସମାବୃତ ହୋଇଥିଲା । ତାର ମୁହଁ ଗୁରୁଙ୍କ ଆଡ଼କୁ ଥିବାରୁ ମୁଁ ଦୂରରୁ ସ୍ପଷ୍ଟଭାବରେ ଦେଖିପାରିଲି ନାହିଁ । ଅତି ପତଳା ଶରୀର ତାର ଓ ଶ୍ଵେତ ବସ୍ତ୍ରରେ ଆଚ୍ଚାଦିତ ହୋଇଥିବାଯୋଗୁଁ ସେ ନାରାୟଣଙ୍କର ସ୍ମିତ ରେଖାପରି ଦେଖା–ଯାଉଥିଲା । ତାର ପ୍ରତ୍ୟେକ, କ୍ରିୟାରେ ଏକ ପ୍ରକାର ଗୌରବ ଥିଲା ପ୍ରଦୀପନ୍ୟାସର ସଂକଳ୍ପ ପଠିତ ହେବାପରେ କଳଶ ଉପରେ ତାକୁ ସେ ସହଜଭାବରେ ରଖିଲା ନାହିଁ । ବଡ଼ ସୁକୁମାର ଭଙ୍ଗୀରେ ପ୍ରଦୀପ ଉଠାଇ ବାମ କରତଳକୁ ତ୍ରିପତାକ ମୂଦ୍ରାରେ ମୁଦ୍ରିତ କଲା ଓ ପ୍ରଦୀପ ଉପରେ ତାକୁ ଦକ୍ଷିଣାମୁଖ କରି ଘୂର୍ଣ୍ଣନ କଲା । ଅତି ସହଜ କ୍ରିୟା ଦେଖି ମନେ ହେଲା ତାହା ତାର ଦୀର୍ଘକାଳର ଅଭ୍ୟାସ । ସେ ବାମ ହସ୍ତରେ ଅଞ୍ଚଳ ଟାଣି ଗଳାରେ ଗୁଡ଼ାଇଲା ଓ ଭକ୍ତିଭାବରେ ଜାନୁପାତ କରି ରହିଲା । ଗୁରୁଙ୍କ ପୂଜାହିଁ ତାର କ୍ରିୟାର ପ୍ରଧାନ ଅଙ୍ଗ ବୋଲି ଜଣାପଡୁଥିଲା । ଗୁରୁଙ୍କ ଆଗରେ କେତେଥର ପ୍ରଦୀପ ବୁଲାଇବାପରେ ସେ ଠିଆ ହେଲା ଓ ପୁଣି ଥରେ ପ୍ରଦକ୍ଷଣ କରି ସେହିଭଳି ଜାନୁପାତକରି ରହିଲା ।

 

ସେତିକିବେଳେ ମୁଁ ତାକୁ ଭଲ କରି ଦେଖିପାରିଲି । ରଙ୍ଗ ନୀରସ କିନ୍ତୁ ଅପୂର୍ବ ମାଧୁରୀ ଥିଲା ତାର ଆଖିରେ । ଅଧରରେ ସ୍ଵାଭାବିକ ହସ ଖେଳାଇବାର ଧର୍ମ, ଯାହାକୁ ସୌନ୍ଦର୍ଯ୍ୟଶାସ୍ତ୍ରୀ ‘‘ରାଗ” କହନ୍ତି, ଗମ୍ଭୀର ମୁଖ–ଶ୍ରୀରେ ମଧ୍ୟ ପ୍ରତିଫଳିତ ହେଉଥିଲା । ତାର ପ୍ରତ୍ୟେକ ଅଙ୍ଗଭଙ୍ଗିମାରେ ଭକ୍ତିର ଲହରୀ ତରଙ୍ଗିତ ହେଉଥିଲା । କିନ୍ତୁ ଅଜ୍ଞବି ବୁଝିବେ ଯେ ସେ ‘‘ଛାୟାବତୀ” ହୋଇ ରହିଥିବା କାରଣ ତାର ପ୍ରତ୍ୟେକ ଗତିରେ ବକ୍ରିମତା ଓ ପରିପାଟୀ–ବିହିତ ଶିଷ୍ଟାଚାର ପ୍ରତୀତ ହେଉଥିଲା । ସହୃଦୟ ଲୋକେ ଯେଉଁ ରଞ୍ଜକ ଗୁଣକୁ ‘‘ସୌଭାଗ୍ୟ” କହନ୍ତି, ଯାହା ପୁଷ୍ପ–ସ୍ମିତ ପରିମଳସମ ରସିକ ଭ୍ରମରଙ୍କର ଆନ୍ତରିକ ଓ ପ୍ରାକୃତିକ ବଶୀକରଣ ଧର୍ମ, ସୁଚରିତା ପରିପୂର୍ଣ୍ଣ ଥିଲା ସେଥିରେ । ତାର ପ୍ରତ୍ୟେକ ଅଙ୍ଗରୁ ଶୋଭା ଓ କାନ୍ତି ନିର୍ଗତ ହେଉଥିଲା ଓ ପ୍ରତ୍ୟେକ ପଦ–ବିକ୍ଷେପରେ ଔଦ୍ଧାର୍ଯ୍ୟ ଉନ୍ମୁକ୍ତ ହେଉଥିଲା । ଏ ପାଖର ସ୍ତ୍ରୀମାନଙ୍କ ମଧ୍ୟରେ ପ୍ରକ୍ଷେପ୍ୟ ଓ ଆବେଦ୍ଧ ଅଳଙ୍କାରର ବିଶେଷ ପ୍ରଚଳନ । କିନ୍ତୁ ସୁଚରିତାର କର୍ଣ୍ଣରେ ଏକ ଚକ୍ରାକୃତି କୁଣ୍ଡଳ ଛଡ଼ା କୌଣସି ପ୍ରକାର ଆବେଦ୍ଧ ଅଳଙ୍କାର ବା ପ୍ରକ୍ଷେଦ୍ୟ ଅଳଙ୍କାରର ନଥିଲା । ମଞ୍ଜୀର, ନୂପୁର ବା କନକ–ମେଖଳା ନଥିଲା । ଆରୋପ୍ୟ ଅଳଙ୍କାରପ୍ରତି ରୁଚି ଥିଲା । ତଥାପି ସେଥିରୁ କେବଳ ଏକ ସୁବର୍ଣ୍ଣ–ହାର ଓ ଗୋଟିଏ ମାଳତୀ–ମାଳା ଛଡ଼ା ଆଉ କିଛି ନଥିଲା । ସୁଚରିତାର ରଙ୍ଗ ଥିଲା ମାଳତୀ–ମାଳାସାପେକ୍ଷ । କୌଣସି ଦିନ ମାଳତୀ–ମାଳାକୁ ଏଡ଼େ ମନୋହର ଦେଖି ନଥିଲି । ବାରମ୍ବାର ବରାହମିହିରଙ୍କର କଥା ମନେ ପଡ଼ିଲା ଓ ତାଙ୍କର ହୃଦୟତାରେ ମୁଗଧ ନ ହୋଇ ରହିପାରିଲି ନାହିଁ । ବରାହମିହିର ଠିକ୍ କହିଥିଲେ–ସ୍ତ୍ରୀମାନେହିଁ ରତ୍ନକୁ ଭୂଷିତ କରନ୍ତି, ରତ୍ନ ସ୍ତ୍ରୀଙ୍କର କରେନା । ସ୍ତ୍ରୀମାନେ ରତ୍ନ ବିନା ମଧ୍ୟ ମନୋହାରିଣୀ ହୁଅନ୍ତି କିନ୍ତୁ ସ୍ତ୍ରୀଙ୍କର ଅଙ୍ଗସଙ୍ଗ ନପାଇ ରତ୍ନ କାହାରି ମନ ହରଣ କରିପାରେନାହିଁ । ଆଜି ଆଚାର୍ଯ୍ୟ ବରାହମିହିର ଏଠାରେ ଉପସ୍ଥିତ ଥିଲେ ଆହୁରି କହିଥାନ୍ତେ ଧର୍ମ-କର୍ମ, ଭକ୍ତି-ଜ୍ଞାନ, ଶାନ୍ତି ସୌମନସ୍ୟ ନାରୀର ସଂସ୍ପର୍ଶ ନପାଇ ମନୋହର ହେଇପାରିବେ ନାହିଁ । ନାରୀ-ଦେହ ହେଉଛି ସ୍ପର୍ଶ–ମଣି ଯାହା ପ୍ରତ୍ୟେକ ଇଟା–ପଥରକୁ ସୁନା କରିଦିଏ । ମରକତ–ଶଳାକା ସମ ତନ୍ଵଙ୍ଗୀ ସୁଚରିତା ଦୀପ–ଦାନପରେ ହାତ ଯୋଡ଼ି ଗୁରୁଙ୍କ ଆଗରେ ବସିଲା । ବିବିଧ ଉପଚାର ସହିତ ନାରାୟଣଙ୍କର ପୂଜା ପୁଣି ଆରମ୍ଭ ହେଲା । ପୂଜା ସମାପ୍ତ ହେବାପରେ ବେଙ୍କଟେଶ ଭଟ୍ଟ ଆନନ୍ଦ–ଗଦ୍‍ଗଦ୍‍ ସ୍ୱରରେ ନାରାୟଣଙ୍କର ସ୍ତୁତି ଗାନ କରିବାକୁ ଲାଗିଲେ । ବାଦ୍ୟ ବାଜି ଉଠିଲା । କାଂସ୍ୟ, କୋଶୀ ଓ କରତାଳ ଝଂକୃତ ହେଲା । ନାରାୟଣଙ୍କ ସ୍ତୁତି ମୁଖରିତ ହେଲା ସହସ୍ର କଣ୍ଠରେ । ମୋର ମନେ ହେଲା, ମୁଁ ଯେପରି ଅନ୍ୟ କୌଣସି ଲୋକରେ ଯାଇ ପହଞ୍ଚିଯାଇଛି । ସଙ୍ଗୀତ ଓ ବାଦ୍ୟର ଏଭଳି ମଧୁର ମିଶ୍ରଣ ପୂର୍ବରୁ କେବେ ଶୁଣିନଥିଲି । କି ନୂତନ, କେଡ଼େ ଅଭିନବ ଆୟୋଜନ ଏ ଧର୍ମ–ଚର୍ଚ୍ଚାର ! ବାୟୁମଣ୍ଡଳର ପ୍ରତିସ୍ତରରୁ ଯେପରି ନାରାୟଣଙ୍କ ସ୍ତୁତି ମୁଖରୀତ ହେଉଥିଲା । ବହୁ ସମୟ ଏପରି ଚାଲିବାପରେ ହଠାତ୍ ସମସ୍ତେ ନୀରବ ହେଲେ । ଗୁରୁଙ୍କ ଆଜ୍ଞାରେ ସୂଚରିତା ଶଙ୍ଖ ବଜାଇଲା । ମୁଁ ଆଶ୍ଚର୍ଯ୍ୟ ହେଲି । ଏପାଖେ ସ୍ତ୍ରୀଙ୍କୁ ଶଙ୍ଖ ବଜାଇବାର ଦେଖି ନଥିଲି । ଏଠାର ଭଜନ, ସାଧନ ସବୁକିଛି ବିଚିତ୍ର-! ବେଙ୍କଟେଶ ଭଟ୍ଟଙ୍କର ନାମକୀର୍ତ୍ତନ ଆରମ୍ଭ ହେଲା । ସେ ଉଠି ଠିଆହେଲେ–ଲମ୍ବ ସୁଗଠିତ ଶରୀର, କପାଟପରି ବିପୁଳ ବକ୍ଷଃସ୍ଥଳ, ଆଜାନୁଲମ୍ବିତ ବାହୁ, ମୃଦଙ୍ଗ ମନ୍ଦ୍ର ସ୍ୱର । ବିନା ଭୂମିକାରେହିଁ ସେ କହିଲେ, ନାରାୟଣଙ୍କର ଚରଣାରବିନ୍ଦ ଦୁଇ ତିନିଜଣ ପାପୀଙ୍କୁ ଉଦ୍ଧାର କରିପାରିଛି, କିନ୍ତୁ ତାଙ୍କର ପବିତ୍ର ନାମ ସମସ୍ତ ଜନଙ୍କର କ୍ଳେଶ ଦୂର କରିଛି ।” ବିଚିତ୍ର ଉପଦେଶ ମୋପ୍ରତି ! ବୁଝିବାପାଇଁ ଚେଷ୍ଟା କରୁଛି, ସେ ଗଦ୍‍ଗଦ୍‍ କଣ୍ଠରେ ଗାଇଉଠିଲେ :–

 

ଦ୍ଵିତ୍ରାନ ସମୁଦ୍ଧର୍ତୁ ମଲଂ ବଭୁବ ପଦାରବିନ୍ଦାଶ୍ରୟଣଂ ମୁରାରେଃ ।

ଅଶେଷସଂକ୍ଳେଶଶମଂ ଜନାନାଂ ନିତ୍ୟଂ ବିଧତ୍ତେ ବସୁଧାମ ନାମ ।।

 

ପୁଣି ଭାବାବିଷ୍ଟଭଳି ଏକ ସୁନ୍ଦର ସ୍ଵରରେ ‘ନାରାୟଣ, ନାରାୟଣ’ ଗାଇ ଗାଇ ନାଚିଉଠିଲେ । ବାଦ୍ୟ ବାଜିଉଠିଲା, କାଂସ୍ୟ, କୋଶୀ ଓ କରତାଳ ଝଂକୃତ ହୋଇଉଠିଲା । ସହସ୍ର ସହସ୍ର କଣ୍ଠରେ ମୁଖରିତ ହେଲା ନାରାୟଣଙ୍କର ନାମ । ଅଦ୍ଭୁତ ଭାବ-ବିହ୍ଵଳ ଅବସ୍ଥା ଗୁରୁଙ୍କର । ଥରେ ଦୁଇଥର ସେ ସଂଜ୍ଞାହୀନ ହୋଇ ପଡ଼ିଗଲେ । ନିବାତ-ନିଷ୍କମ୍ପ ଦୀପଶିଖା-ପରି ହାତଯୋଡ଼ି ବସିରହିଥାଏ ସୁଚରିତା । ବହୁ ସମୟ ଧରି ଭଜନ ଚାଲିଲା, ଅନ୍ତିମ କାର୍ଯ୍ୟ ଥିଲା ସୁଚରିତାର ଗାନ-। ଆହା, ସଙ୍ଗୀତର ଏଭଳି ଶୀତଳ ମନ୍ଦାକିନୀ କଣ ଏ ମର୍ତ୍ତ୍ୟଲୋକରେ ଅଛି ? ସମସ୍ତ ଜନମଣ୍ଡଳୀ ଜଡ଼ଭଳି ନୀରବରେ ସେହି ମଧୁର ଧାରାରେ ସ୍ନାନ କରୁଥିଲେ । ଗାନ ସମାପ୍ତ ହେବାରୁ ସମସ୍ତଙ୍କର ସଂଜ୍ଞା ଯେପରି ଫେରିଆସିଲା । ଧୀରେ ଧୀରେ ଭିଡ଼ କମ ହେବାକୁ ଲାଗିଲା-। ଗୁରୁଙ୍କୁ ଯଥାସ୍ଥାନରେ ପହଞ୍ଚାଇ ଦେବାକୁ ଶିଷ୍ୟମାନେ ବ୍ୟସ୍ତ ହେଲେ । ଶେଷପର୍ଯ୍ୟନ୍ତ ସଭାମଣ୍ଡପରେ ରହିଲା ସୁଚରିତା । ସମସ୍ତେ ଯିବାପରେ ସେ କେତେ ଜଣ ସେବକଙ୍କ ଉପରେ ମଣ୍ଡପର ଜିନିଷପତ୍ରର ଭାର ଦେଇଯିବାକୁ ଉଦ୍ୟତ ହେଲା । ଅବସର ଦେଖି ମୁଁ ତା ପାଖକୁ ଗଲି-

 

ସୁଚରିତା ଯାଇ ନିଜ ଘରର ଦୁଆର ମୁହଁରେ ପହଞ୍ଚିଲାମାତ୍ରେ ମୁଁ ସାହସ କରି ଡାକିଲି, ‘‘ଶୁଭେ, ଯଦି ଅନୁଚିତ ମନେ ନ କରନ୍ତି ତା’ହେଲେ କିଛି ନିବେଦନ କରିବି ।” ଶୀଘ୍ର ବୁଲିପଡ଼ି ମୋପାଖକୁ ଆସି ସେ କହିଲା–“କିଛି ସେବା କରିପାରେ କି; ମୁଁ ଧନ୍ୟ ହୋଇଯିବି, ଆର୍ଯ୍ୟ ! କି ଆଜ୍ଞା ? ତାର ସାରା ଶରୀର ଛନ୍ଦରେହିଁ ତିଆରି ହୋଇଥିଲା ଯେପରି । ତାର ବସ୍ତ୍ର, ତାର ପଦ–ବିକ୍ଷେପ, ତାର କଣ୍ଠସ୍ଵର, ତାର ଦୃଷ୍ଟି–ସବୁ ଛନ୍ଦୋମୟ ଥିଲା । ତାର ସେ କଥାରେ କି ବୀଣାର ଝଙ୍କାର ଥିଲା କେଜାଣି, ମୁଁ ମନ୍ତ୍ରମୁଗଧ ଭଳି ଶୁଣିଗଲି । ସେ ପୁଣି କହିଲା–“କି କାର୍ଯ୍ୟ ଆର୍ଯ୍ୟ, ମୁଁ ପ୍ରସ୍ତୁତ ।” ପୁଣି ସେହି ଝଙ୍କାର । ପୁଲକିତ କଦମ୍ବ–କେଶରପରି ମୋର ପ୍ରତିଲୋମ ଉତକର୍ଣ୍ଣ ହୋଇଉଠିଲା, କହିଲି–“ମୁଁ ବିଦେଶୀ ଶୁଭେ ! ଅନୁଚିତ କିଛି କହେ ତ କ୍ଷମା କରିବେ । ନିପୁଣିକା ନାମ୍ନୀ ଛୋଟ ଅନ୍ତଃପୁରର କୌଣସି ପରିଚାରିକାକୁ କଣ ଆପଣ ଜାଣନ୍ତି ?”

 

ସୁଚରିତାର ବଡ଼ ବଡ଼ କଳା ଆକ୍ଷି କ୍ଷଣକ ମଧ୍ୟରେ ଧୂସର ହୋଇଗଲା । ସେ ମୋତେ ଭଲ କରି ଅନାଇ ଶଙ୍କା ଓ ଅବିଶ୍ଵାସରେ ପଚାରିଲା–“ଆପଣ କେଉଁଠୁ ଆସିଛନ୍ତି ? କାହାକୁ ଖୋଜୁଛନ୍ତି ? ମୁଁ ସୁଚରିତା । ଏ ମୋର ଘର ଆଉ କିଛି ମୁଁ କହିପାରିବି ନାହିଁ । ମୋତେ କ୍ଷମା କରିବେ ।’’ ଶଙ୍କାର କାରଣ ବୁଝିପାରିଲି, ନମ୍ରତା ସହିତ ଉତ୍ତର ଦେଲି–“ଶୁଭେ, ଏତିକି ପରିଚୟ ମୋପାଇଁ ଯଥେଷ୍ଟ । ଆପଣ ସୁଚରିତା ଦେବୀ ଓ ଆପଣଙ୍କ ପାଇଁ ମୁଁ ଏ ସମାଚାର ଆଣିଛି ଯେ ଆପଣଙ୍କର ସଖୀ ନିପୁଣିକା ଜୀବିତ । ନିଜେ ସେ ଯେଉଁ କାର୍ଯ୍ୟର ଭାର ଗ୍ରହଣ କରିଥିଲା, ସେଥିରେ ସଫଳ ହୋଇଛି । ମୋର ସମାଚାର ଶେଷ ହୋଇଛି । ଏଥର ବିଦାୟ ନେଉଛି”–ଏତିକି କହି ମୁଁ ନମ୍ରତାରେ ମୁଣ୍ଡନୋଇଁ ବୁଲିଲି । କିଛି ସମୟ ଚିତ୍ରରେଖା ପରି ଠିଆହୋଇ ରହିଲାପରେ ସେ ଧୀରେ ଧୀରେ ମୋତେ ଡାକିଲା–“ଭଦ୍ର, କଣ ଅପ୍ରସନ୍ନ ହେଲେ ? ଶୁଣନ୍ତୁ ।” ମୁଁ ସେଭଳି ବିନମ୍ରତା ସହିତ କହିଲି–“କେଉଁ ବ୍ୟକ୍ତି ତୁମ ଉପରେ ଅପ୍ରସନ୍ନ ହୋଇପାରେ, ଦେବୀ ! ତୁମର ଅବିଶ୍ୱାସ ଓ ଆଶଙ୍କାର କାରଣ ମୁଁ ବୁଝିପାରୁଛି ।” ଚାରିପାଖକୁ ଅନାଇ ସେ କହିଲା–“ଆର୍ଯ୍ୟଙ୍କର ନାମ ଜାଣିପାରେ ?” ଉତ୍ତର ଦେଲି–‘ଦେବୀ, ମୁଁ ବାଣ ଭଟ୍ଟ ନାମରେ ପ୍ରସିଦ୍ଧ କିନ୍ତୁ ମୋର ପ୍ରକୃତ ନାଁ ଦକ୍ଷ ଭଟ୍ଟ । ମୁଁ ମଗଧରୁ ଆସିଛି । ନାମ ଶୁଣିଲା ମାତ୍ରେ ସୁଚରିତା ବେକରେ ଅଞ୍ଚଳ ଗୁଡ଼ାଇ ହାତଯୋଡ଼ି ମୋତେ ପ୍ରଣାମ କଲା ଓ କାତରଭାବରେ କହିଲା–“ଅପରାଧ ମନରେ ଧରିବେ ନାହିଁ, ଆର୍ଯ୍ୟ ! ଅଜ୍ଞ ଲୋକଙ୍କର ଅପରାଧ ସାଧୁଜନ ମନରେ ଧରନ୍ତି ନାହିଁ । ମୁଁ ଆପଣଙ୍କର ନାମ ଶୁଣିଛି-। ଯଦି ଆଜ୍ଞା ଦେବେ, ଭିତରକୁ ଯାଇ ଏ ବିଷୟରେ ଆର୍ଯ୍ୟକୁ ପଚାରିବି ।” ମୁଁ ସ୍ଵୀକାର କଲି-

 

ସୁଚରିତାର ଛୋଟ ଘରଟି ବେଶ୍ ରୂଚିପୁର୍ଣ୍ଣ । ପ୍ରାଙ୍ଗଣଠାରୁ ରାଜମାର୍ଗ–ପର୍ଯ୍ୟନ୍ତ ଗୋମୟରେ ଉପଲିପ୍ତ ଭୂମି ଖଟିକଚୂର୍ଣ୍ଣର ଅଭିରାମ ମଣ୍ଡଳିରେ ସୁଶୋଭିତ ଚୌଖଟ ଉପରେ ଉତକୀର୍ଣ୍ଣ କ୍ଷୀରସାଗରଶାୟୀ ନାରାୟଣଙ୍କ ମୁର୍ତ୍ତି । ମୂର୍ତ୍ତିଟିକୁ ବେଷ୍ଟନ କରି ଏକ ମନୋହର ମାଳତୀମାଳା ପାର୍ଶ୍ଵରେ ଛୋଟ ଛୋଟ ବେଦିକା ଉପରେ ସୁସଜ୍ଜିତ ମଙ୍ଗଳ କଳଶ । ଗୃହ ଉପରେ ସୌଭାଗ୍ୟ–ପତାକା । ଅତି ଆଗ୍ରହରେ ସେ ମୋତେ ତାର ଆତିଥ୍ୟ ସ୍ଵୀକାର କରିବାପାଇଁ ଅନୁରୋଧ କଲା । ତାର ବ୍ୟବହାରରେ କୌଣସି ପ୍ରକାର ସଙ୍କୋଚ ବା ଦ୍ଵିଧା ନଥିଲା । ଘର ଭିତର ସାମଗ୍ରୀ ସାମାନ୍ୟ କିନ୍ତୁ ଅତି ଯତ୍ନରେ ସଜାଇ ରଖାଜାଇଥିଲା । ଗୋଟିଏ ଛୋଟ ଘରେ ବିଛାଯାଇଥିଲା ଦୁଇଟି ତୃଣାସ୍ତରଣ । ପୂର୍ବ ପ୍ରାନ୍ତରେ ଗୋପାଳ–ବାସୁଦେବଙ୍କର ମନୋହର ମୂର୍ତ୍ତୀ ଓ ତାର ପାର୍ଶ୍ଵରେ ଧୂପ–ବର୍ତ୍ତୀକା । ପ୍ରଦୀପ ଜଳାଇ ରଖିବାର ଭାର ଥିଲା ଘରର ଦାସୀ ଉପରେ । ସୁଚରିତା ତାର ସ୍ଵାଭାବିକ ସରଳ ସ୍ମିତ ସହିତ ମୋତେ ଗୋଟିଏ ତୃଣସ୍ତରଣ ଉପରେ ବସିବାକୁ ଅନୁରୋଧ କଲା ଓ ନିଜେ ଅନ୍ୟ ଆସ୍ତରଣ ଉପରେ ଯାଇ ବସିଲା ।

 

କିଛି ସମୟ ନୀରବତାପରେ ସେ ଦୀର୍ଘନିଃଶ୍ଵାସ ନେଇ ଧୀରେ ଧୀରେ କହିଲା, ‘‘ତା’ହେଲେ ସେ ଅଭାଗୀ ଏପର୍ଯ୍ୟନ୍ତ ବଞ୍ଚିରହିଛି !” ଏକ ସହଜ ଆଭିଜାତ୍ୟର ଗୌରବ ଥିଲା ସୁଚରିତାର ପ୍ରତ୍ୟେକ ଆଚରଣରେ । ତାର ବସିବା, କହିବା ଏପରି କି ନିଃଶ୍ଵାସ ନେବାରେ ମଧ୍ୟ ଏକ ପ୍ରକାର ମହନୀୟତା ଥିଲା । ମୁଁ ଧ୍ୟାନ ଦେଇ ତାକୁ ଦେଖିଲି । ସେ ପୁଣି ଆରମ୍ଭ କଲା–“ଆର୍ଯ୍ୟ, ଆଜି ମୋର ଅହୋଭାଗ୍ୟ ଯେ ଆପଣଙ୍କର ଦର୍ଶନ ପାଇଛି । ନିପୁଣିକାଠାରୁ ଆପଣଙ୍କ ବିଷୟରେ ଅନେକ ଶୁଣିଛି । ଆପଣଙ୍କର ନାମ ନନେଇ ସେ ସାମାନ୍ୟ କଥାଟିଏ ବି କହିପାରେ ନା । ଅନେକ ଦିନୁ ମନରେ ଅଭିଳାଷ ଥିଲା ଆପଣଙ୍କର ଦର୍ଶନପାଇଁ କିନ୍ତୁ ଆମ ଭଳି ଲୋକଙ୍କର ସେ ଭାଗ୍ୟ କାହିଁ ? ଆଜି ନାରାୟଣ ପ୍ରସନ୍ନ । ସେ ସ୍ଵୟଂ ଆପଣଙ୍କୁ ମୋ ପାଖକୁ ପଠାଇ ଦେଇଛନ୍ତି । ମୋର ଅବିନୟପୂର୍ଣ୍ଣ ଆଚରଣରେ ଆପଣଙ୍କୁ କ୍ଳେଶ ହୋଇଛି । ଏଠାରେ ସତର୍କ ରହିବା ଅତ୍ୟନ୍ତ ବାଞ୍ଚନୀୟ, ଆର୍ଯ୍ୟ ! ରାଜ୍ୟ ପକ୍ଷରୁ ନିପୁଣିକାକୁ ପ୍ରାଣଦଣ୍ଡର ଆଦେଶ ରହିଛି । ହାୟ ଅଭାଗୀ !” ଏହା କହି ସେ ପୁଣି ଦୀର୍ଘ ନିଃଶ୍ଵାସ ନେଲା । ତାପରେ ପଚାରିଲା–“ଆପଣ ତାକୁ କେଉଁଠି ଦେଖିଛନ୍ତି, ଆର୍ଯ୍ୟ ?” ମୁଁ ସଂକ୍ଷେପରେ ସବୁ କଥା କହିଲି । କେତେବେଳେ ଆଶ୍ଚର୍ଯ୍ୟରେ, କେତେବେଳେ ଆନନ୍ଦରେ ଉଦ୍‍ଭାସିତ ହେବାକୁ ଲାଗିଲା ସେ । ମୋ କଥା ଶୁଣିଲାପରେ ସେ ବାସୁଦେବଙ୍କୁ କୃତଜ୍ଞତାରେ ଦେଖିଲା । ପୁଣି ଅଶ୍ରୁଭରା ନୟନରେ ମୋତେ ଅନାଇ କହିଲା–“ମୋର ଆଜି ଅହୋଭାଗ୍ୟ ଯେ ଆପଣଙ୍କର ଦର୍ଶନ ପାଇଛି ।” ବଡ଼ ସଙ୍କୋଚରେ ପଚାରିଲା–“ନାରାୟଣଙ୍କ ପ୍ରସାଦ ଗ୍ରହଣ କରିବାରେ ଆର୍ଯ୍ୟଙ୍କର କୌଣସି ଆପତ୍ତି ହେବନି ତ ?” ଉଲ୍ଲାସରେ ଉତ୍ତର ଦେଲି–“କୌଣସି ଆପତ୍ତି ନାହିଁ ଦେକି ! ବ୍ରାହ୍ମଣ ପ୍ରସ୍ତୁତ ରହିଛି-।” କ୍ଷଣକମଧ୍ୟରେ ସୁଚରିତାର ଖିନ୍ନ–ଗଭାର ମୁଖ ସରଳ ହାସ୍ୟରେ ବିକଶିତ ହେଲା । ସେ ପ୍ରସାଦର ଆୟୋଜନପାଇଁ ଉଠିଗଲା । ଘର ଭିତରେ ଏକୁଟିଆ ରହିଲି ମୁଁ ।

 

ଧ୍ୟାନ ଦେଇ ମୁଁ ବାସୁଦେବଙ୍କ ମୁର୍ତ୍ତିକୁ ଦେଖିଲି । ଏଭଳି ମନୋହର ମୁର୍ତ୍ତିର ଶିଳ୍ପୀ ନିଶ୍ଚୟ ଅତି ନିପୁଣ କଳାକାର ହୋଇଥିବ । ଗୋଟିଏ ପଥରକୁ କାଟି ବିଦ୍ୟୁଲ୍ଲତିକାର ଆଧାର ଉପରେ ତ୍ରିଭଙ୍ଗ ମୁର୍ତ୍ତୀ ପ୍ରସ୍ତୁତ କରାଯାଇ ଥିଲା । ବିଷ୍ଣୁ–ମୂର୍ତ୍ତୀର ଅତୀ ନବୀନ ବିଧାନ, କାରଣ ତ୍ରୀଭଙ୍ଗୀରୂପ ଶୃଙ୍ଗାର ରସର ବ୍ୟଞ୍ଜକ । ଏପର୍ଯ୍ୟନ୍ତ ମୁଁ ଏଭଳି ବିଷ୍ଣୁମୂର୍ତ୍ତି ଦେଖି ନଥିଲି । ବାସୁଦେବଙ୍କର ଗଳାରେ ମାଳାଭଳି କିଛି ଦେଖାଯାଉଥିଲା । ସମ୍ମୁଖରେ ଏକ ଅଷ୍ଟଦଳ ପଦ୍ମ ଭିତରେ ଅନୁରୂପ ଉର୍ଦ୍ଧ୍ୱୋମୂଖ ଓ ଅଧୋମୂଖ ତ୍ରିକୋଣ ଅଙ୍କିତ ହୋଇଥିଲା । ପଦ୍ମଭିତରେ ବଜ୍ର ଓ ବାହାରେ ଚତୁର୍ଦ୍ଵାର । ଅଙ୍କନ–ଭଙ୍ଗୀ ଥିଲା ଅତ୍ୟନ୍ତ ମନୋହର । ଟିକିଏ ପାଖକୁ ଯାଇ ଯାହା ଦେଖିଲି, ସେଥିରେ ବିସ୍ମିତ ହେଲି । ସେ ଯନ୍ତ୍ର ଭିତରେ ନାନାରୂପ ବୀଜର ବିନ୍ୟାସ ପରେ କାମ–ଗାୟତ୍ରୀ ଲେଖା ହୋଇଥିଲା । ମୁଁ ଥରେ ବାସୁଦେବଙ୍କୁ ଦେଖୁଥିଲି ଓ ଥରେ ଗାୟତ୍ରୀକୁ ଦେଖୁଥିଲି–ଏକି ବିଚିତ୍ର ମିଶ୍ରଣ । ଏହା କଣ କାମ–ମୂର୍ତ୍ତି ? ନା, ତା ତ ହୋଇପାରେନା । ମୁଁ କ’ଣ ଦେଖୁଛି ? ବିଷ୍ଣୁ–ମୂର୍ତ୍ତି ଓ କାମ–ଗାୟତ୍ରୀ–ଓଁ କାମଦେବାୟ ବିଦୁହେ ପୁଷ୍ପ–ବାଣାୟ ଧୀମହି ତନ୍ନୋଽନଙ୍ଗାଃ ପ୍ରଚୋଦୟାତ । ମୁଁ କିଛି ବୁଝିପାରିଲି ନାହିଁ । ଧ୍ୟାନ ଦେଇ ବାସୁଦେବ ମୂର୍ତ୍ତିକୁ ଦେଖିବାକୁ ଲାଗିଲି । ସେତିକିବେଳେ ସୁଚରିତା ଗୃହରେ ପ୍ରବେଶ କଲା । ସେ ସ୍ନାନ ସାରି ଫେରିଥିଲା । ପ୍ରତ୍ୟଗ୍ର ସ୍ନାନ ତାର କାନ୍ତିକୁ ଶୋଭିତ କରିଥିଲା, କପୋଳ–ଦେଶକୁ ଘେରି ତାର ଘନ କେଶପାଶ ସୁଶୋଭିତ ହେଉଥିଲା ଓ ପୀତ କୌଶେୟ ବସ୍ତ୍ରରେ ଜଡ଼ିତ ତାର ଅଙ୍ଗଯଷ୍ଠି ସୁବର୍ଣ୍ଣ–ଶଳାକାସମ ମନୋହର ଦେଖାଯାଉଥିଲା । ବାସୁଦେବଙ୍କ ନିକଟରେ ନିବେଦନ ପାଇଁ ତା ହାତରେ ଥିଲା ରୌପ୍ୟ–ଥାଳରେ ସହିତ କିଛି ଉପାୟନ । ସପୁଷ୍ପା ଚନ୍ଦ୍ର ମଲ୍ଲିକାଭଳି ସୁଶୋଭିତ ହେଉଥିଲା ସେ । ମୂର୍ତ୍ତୀମତୀ ଭକ୍ତିପରି, ବିଗ୍ରହବତୀ ଶୋଭାପରି, ପ୍ରତ୍ୟକ୍ଷ ଆବିର୍ଭୂତ ଲକ୍ଷ୍ମୀଙ୍କପରି ଓ ଅନୁରାଗବତୀ ସଂଧ୍ୟାପରି ସେ ହୃଦୟକୁ ଏକ ଅପୂର୍ବ ରସରେ ସିକ୍ତ କରୁଥିଲା । ମୋତେ ଏଭଳି ଅବସ୍ଥାରେ ବସିଥିବାର ଦେଖି ସେ ସାମାନ୍ୟ ସଙ୍କୁଚିତ ହୋଇଗଲା । ମୁଁ ମଧ୍ୟ ଟିକିଏ ଲଜ୍ଜିତ ହେଲି । ଧୀରେ ଧୀରେ ଯାଇ ନିଜର ଆସନ ଉପରେ ବସିଲି । ସୁଚରିତା ଭକ୍ତିରେ ଉପାୟନକୁ ବାସୁଦେବଙ୍କର ଚରଣରେ ରଖିଲା । ଗଳାରେ ଅଞ୍ଚଳ ଗୁଡ଼ାଇ ଜାନୁପାତପୂର୍ବକ ପ୍ରଣାମ କଲା ଓ କିଛି ସମୟ ଧ୍ୟାନ ଗଦ୍‍ଗଦ୍‍ ହୋଇ ବସିରହିଲା । ନିର୍ନିମେଷ ଦୃଷ୍ଟିରେ ବାସୁଦେବଙ୍କୁ ଦେଖିବାକୁ ଲାଗିଲା ସେ । ମନେ ହେଲା, ବାସୁଦେବ ଯେପରି ତାର ସେହି ନୀଳ–କମଳ–ମାଳା ଦୃଷ୍ଟିରେ ପ୍ରସନ୍ନ ହେଲେ । ସୁଚରିତାର ଭକ୍ତି ସମୁଜ୍ଜ୍ୱଳ ମୁଖମଣ୍ଡଳ ଆନନ୍ଦାଶ୍ରରେ ସିକ୍ତ ହୋଇଗଲା । କୌଣସି ପ୍ରକାର ମନ୍ତ୍ର ଉଚ୍ଚାରିତ ନ ହୋଇ କେବଳ ମାନସ–ନିବେଦନ ସହିତ ତାର ପୂଜା ସମାପ୍ତ ହେଲା । ବିଚିତ୍ର ଗରିମା ଭରି ରହିଥିଲା ସେଥିରେ ।

 

ସୁଚରିତା ଯେତେବେଳେ ପାଦ୍ୟ ଅର୍ଘ୍ୟ ଦେଇ ମୋତେ ଆସନରେ ବସାଇଲା, ମୁଁ ବିନୀତ ଭାବରେ ପଚାରିଲି–“ଶୁଭେ, ମନରେ କିଛି ଅନ୍ୟଥା ଭାବିବ ନାହିଁ । ମୁଁ ଗୋଟିଏ କଥା ଜାଣିବାକୁ ଚାହୁଁଛି ।” ସେ ଉତ୍ସାହରେ କହିଲା–“ମୁଁ ଅତି ଅଜ୍ଞ, ଆର୍ଯ୍ୟ ! କିନ୍ତୁ କିଛି ସେବା କରିବାର ଯୋଗ୍ୟ ଯଦି ହୋଇଥାଏ ତା’ହେଲେ ବିମୁଖ ହେବି ନାହିଁ । କଣ ଆଜ୍ଞା ?” ମୁଁ ବିନୀତଭାବରେ ପଚାରିଲି–“ଏ ବାସୁଦେବଙ୍କ ମୁର୍ତ୍ତିର ପୂଜନ–ଆରାଧନ ବିଷୟରେ କିଛି ଜାଣିବାକୁ ଚାହୁଁଛି । ସନ୍ଧ୍ୟାବେଳୁ ମୋର ଆଗ୍ରହ ଉତ୍ପନ୍ନ ହୋଇଛି ଓ ମନରେ ଶତ ସନ୍ଦେହ ଉପୁଜିଛି ।” ସୁଚରିତାର ଆଖି ଏକ ବିଚିତ୍ର ଆନନ୍ଦ–ଜ୍ୟୋତିରେ ପ୍ରଦୀପ୍ତ ହୋଇ–ଉଠିଲା । କହିଲା–“ମୁଁ ବି କିଛି ବୁଝିନି ଆର୍ଯ୍ୟ । କିନ୍ତୁ ଏତିକି ଜାଣେ ଯେ ତିନିମାସ ପୂର୍ବରୁ ମୁଁ ନିଜକୁ ପାପଲିପ୍ତ ମନେ କରୁଥିଲି । ବର୍ତ୍ତମାନ ମୋ ମନର ସେ ବିକଳ୍ପ ଦୂର ହୋଇଯାଇଛି । ଆପଣ ମୋ ଗୁରୁଦେବଙ୍କୁ ଏହାର ଅର୍ଥ ପଚାରିଲେ ସେ ଏହାର ଠିକ ଅର୍ଥ ବୁଝାଇ ଦେବେ ।” ତାର କଥାର କୌଣସି ଉତ୍ତର ନ ଦେଇ କେବଳ ଆଶ୍ଚର୍ଯ୍ୟରେ ତାକୁ ଅନାଇ ରହିଲି । ଅଭିଭୂତଭଳି ବସିରହି କିଛି ସମୟପରେ ସେ କହିଲା–“ଆର୍ଯ୍ୟ, ମାନବଦେହ କେବଳ ଦଣ୍ଡ ଭୋଗିବାପାଇଁ ହୋଇନାହିଁ । ଏହା ବିଧାତାର ସର୍ବୋତ୍ତମ ସୃଷ୍ଟି । ନାରାୟଣଙ୍କର ଏହା ପବିତ୍ର ମନ୍ଦିର । ପ୍ରଥମରୁ ଏହା ବୁଝିଥିଲେ ଏତେ ପରିତାପ ଭୋଗିବାକୁ ପଡ଼ି ନଥାନ୍ତା । ଗୁରୁ ମୋତେ ଏ ରହସ୍ୟ ବୁଝାଇ ଦେଇଛନ୍ତି । ଯାହା ନିଜ ଜୀବନର ସବୁଠୁଁ ବଡ଼ କଳୁଷ ବୋଲି ମନେ କରୁଥିଲି, ତା ମୋର ସବୁଠୁଁ ବଡ଼ ସତ୍ୟ । ମନୁଷ୍ୟ ନିଜର ସତ୍ୟକୁ ଦେବତା ବୋଲି ମନେ କରୁନାହିଁ କାହିଁକି, ଆର୍ଯ୍ୟ ?” ତାର ଆଖି ତଳକୁ ନଇଁଥିଲା ଓ ସେ ମୋ ପାଇଁ ଆସନ ଓ ଆଚମନୀୟ ଆଦି ସଜାଉଥିଲା । ନତ ଆଖି ତାର ଅତି ମନୋରମ ଜଣାପଡ଼ୁଥିଲା । ଥରେ ମାତ୍ର ଆଖି ଉଠାଇ ସେ ମୋତେ ଦେଖିଲା । ମୁଁ ଆହୁରୀ ଶୁଣିବାକୁ ଉତ୍ସୁକ ଥିଲି । ନିଜର ପ୍ରଶ୍ନର ଉତ୍ତର ସେ ଚାହୁଁ ନ ଥିଲା । ଉତ୍ତର ତାକୁ ମିଳିସାରିଥିଲା । ସେ କହିଲା,” ଆର୍ଯ୍ୟ ଏ ଶରୀର ନରକର ସାଧନ, ଏ କଥା ଭ୍ରାନ୍ତିମୂଳକ । ଏହିଠାରେହିଁ ବୈକୁଣ୍ଠ ରହିଛି । ଏହାକୁ ଆଶ୍ରୟ କରି ନାରାୟଣ ନିଜର ଆନନ୍ଦ–ଲୀଳା ପ୍ରକଟ କରୁଛନ୍ତି । ଆନନ୍ଦରେହିଁ ଭୁବନ–ମଣ୍ଡଳ ଉଦ୍ଭାସିତ । ଆନନ୍ଦରୁହିଁ ବିଧାତାଙ୍କର ସୃଷ୍ଟି । ଆନନ୍ଦ ତାଙ୍କର ଉଦ୍‍ଗମ, ଆନନ୍ଦହିଁ ତାଙ୍କର ଲକ୍ଷ୍ୟ । ଲୀଳା ଛଡ଼ାଏ ସୃଷ୍ଟିର ଆଉ କଣ ପ୍ରୟୋଜନ ହୋଇପାରେ, ଆର୍ଯ୍ୟ ? ହାୟ ଗୁରୋ, ପ୍ରଥମରୁ ଯଦି ଏହା ଜାଣିଥାନ୍ତି !” ସୁଚରିତାର ପ୍ରଦୀପ୍ତ ମୁଖମଣ୍ଡଳ ଆହୁରି ଉଜ୍ଜ୍ୱଳ ହୋଇଗଲା । କହିବାରେ ତାକୁ ଆନନ୍ଦ ମିଳୁଥିଲା । ମୋ ପାଇଁ କିନ୍ତୁ ତାର ପ୍ରତ୍ୟେକ ଶବ୍ଦ ଥିଲା ଦୁର୍ବୋଧ୍ୟ । ମନେ ହେଲା ତାର କଥନର ଅନ୍ତରାଳରେ ଆହୁରି ଯେପରି କିଛି ରହିଛି । ଆସନ ସଜାଇଦେଇ ତା ଉପରେ ବସିବାପାଇଁ ମୋତେ କହିଲା । ମୁଁ ଆଦେଶ ପାଳନ କଲି ।

 

କିଛି ଫଳ ଓ ମିଷ୍ଟାନ୍ନ ଥିଲା ପ୍ରସାଦରେ । ସୁଚରିତାର ପରିବେଷଣରେ ମଧ୍ୟ ଏକ ସୌକୁମାର୍ଯ୍ୟ ଥିଲା । କଳ୍ପଲତାର କିଶଳୟରୁ ଅଭିଳଷିତ ଫଳ ଝଡ଼ିଲାବେଳେ ଏଭଳି କିଛି ମନୋହାରିତା ପ୍ରକାଶିତ ହୋଇଥିବ । ପ୍ରସାଦ ଦେଇ ହାତଯୋଡ଼ି ବସିଲା । ଆଖିରେ ତାର ଆନନ୍ଦାଶ୍ରୁ । ମୁଁ ସ୍ମିତ ହସି କହିଲି, ‘‘ଦେବୀ, ନାରାୟଣଙ୍କ ପ୍ରସାଦ ପାଇ ଆଜି କୃତାର୍ଥ ହେଲି । ନାରାୟଣ ମଧ୍ୟ ଏ ଉପାୟନକୁ ପାଇ କୃତାର୍ଥ ହୋଇଥିବେ ।” ସୁଚରିତାର କଣ୍ଠ ବାଷ୍ପରୁଦ୍ଧ ହୋଇଥିଲା । କହିବାପାଇଁ ତାକୁ ସାମନ୍ୟ ଚେଷ୍ଟା କରିବାକୁ ପଡ଼ିଲା । ତାର ପ୍ରଦୀପ୍ତ ମୁଖଣ୍ଡଳରୁ କିନ୍ତୁ ଆନନ୍ଦ ଉଲ୍ଲସିତ ହେଉଥିଲା । ଆଦ୍ରସ୍ମିତରେ ସେ କହିଲା,”ଆର୍ଯ୍ୟ, ନାରାୟଣ ତ ମନୁଷ୍ୟର ବାହାରେ ରହୁ ନାହାନ୍ତି ! ତୁମେ ପ୍ରସନ୍ନ ହୋଇଛ, ତେଣୁ ନାରାୟଣ ମଧ୍ୟ ପ୍ରସନ୍ନ ହୋଇଛନ୍ତି । ନାରାୟଣଙ୍କ ରୂପହିଁ ତ ତୁମେ ଆର୍ଯ୍ୟ ।”ପୁଣି ସେ ଅକାରଣରେ ଉନ୍ମନା ହୋଇଗଲା । ସିକ୍ତ ଆଖିରେ ବାସୁଦେବଙ୍କୁ ଅନାଇ ନିଜକୁ ନିଜେ କହିଲା, ‘‘ମନ ବଡ଼ ପାପୀ ଗୁରୁଦେବ, କେବେ ଯେ ସେ ମନୁଷ୍ୟକୁ ନାରାୟଣଙ୍କ ରୂପରେ ଦେଖିବ ?” କିଛି ସମୟ ସେ ମୋତେ ଅନାଇଲା । ସରଳ ସ୍ମିତ–ରେଖା ଖେଳୁଥିଲା ଅଧରରେ, କପୋଳ–ପାଳି ସ୍ଫୁରିତ ହେଉଥିଲା ଓ ଆଖି ଅଶ୍ରୁପୂର୍ଣ୍ଣ ଥିଲା । ପଚାରିଲା, ‘‘ଭଟ୍ଟିଣୀଙ୍କ ବିଷୟରେ କଣ କରିବ ଆର୍ଯ୍ୟ ?” ମୁଁ କି ଉତ୍ତର ଦେବି ? ଭକ୍ତି ଓ ଶ୍ରଦ୍ଧାର ବାତାବରଣ ମଧ୍ୟରେ ମୋ ମୁହଁରୁ ବାହାରିଗଲା, ‘‘ନାରାୟଣ ଯାହା କରିବେ ଦେବୀ, ଆମେ ତ ନିମିତ୍ତ ମାତ୍ର ।” ସେ ଆଶ୍ଵସ୍ତ ହୋଇ କହିଲା, ‘‘ହଁ ଆର୍ଯ୍ୟ, ନାରାୟଣହିଁ ଏ ନାବର କର୍ଣ୍ଣଧାର । ଝଡ଼ ଦେଖି ତୁଛାଟାରେ ହାୟ ହାୟ କରିବାର ଜୀବ ଆମେ । ବାସୁଦେବ ଥିଲାବେଳେ ଆମର ଏତେ ବୃଥା ଶୋଚନା କାହିଁକି ?” ସେ ନୀରବ ରହିଲା । ରାତି ଅନେକ ହୋଇଥିବାରୁ ମୁଁ ଯିବାର ଅନୁମତି ମାଗିଲି । ମୋତେ ଅନୁମତି ଦେବାକୁ ସୁଚରିତାର କଷ୍ଟ ହେଲା କିନ୍ତୁ କିଛି କହିଲା ନାହିଁ । ବାହାର ଫାଟକପର୍ଯ୍ୟନ୍ତ ଆସି ଅନ୍ତିମ ନମସ୍କାରପରେ କାତର ସ୍ଵରରେ କହିଲା, ‘‘କାଲି ସୂର୍ଯ୍ୟାସ୍ତ ପୂର୍ବରୁ ଆର୍ଯ୍ୟଙ୍କର ଦର୍ଶନ ପାଇପାରିବି ତ ?” ମୁଁ ଉତ୍ସାହର ସହିତ କହିଲି, ‘‘ଅବଶ୍ୟ ଦେବି ।” ତାପରେ କୁମାର କୃଷ୍ଣବର୍ଦ୍ଧନଙ୍କର ଅତିଥ୍ୟଶାଳା–ଆଡ଼କୁ ଯାତରା କଲି । ରାସ୍ତାରେ ବାରମ୍ବାର ମନେ ପଡ଼ିଲା ତା କଥା । ତାର ପୂର୍ଣ୍ଣ ପରିଚୟ ପାଇ ନ ଥିଲି କିନ୍ତୁ ସେହି ସାମାନ୍ୟ ପରିଚୟରୁ ବୁଝିଥିଲି ସେ ଶ୍ରଦ୍ଧାସ୍ପଦ ମହିଳା । ସେ କାଶୀବାସୀ ବୃଦ୍ଧ କିନ୍ତୁ କଣ କହିବାକୁ ଚାହୁଁଥିଲେ ? ସୁଚରିତା ବିଷୟରେ କଣ ସ୍ଥାଣ୍ୱୀଶ୍ଵରରେ ଭ୍ରାନ୍ତି ଧାରଣା ପ୍ରଚାରିତ ହୋଇଛି ? କିଛି ବୁଝିପାରିଲି ନାହିଁ । ନିଜର ବିଶ୍ରାମ ସ୍ଥଳରେ ପହଞ୍ଚି ଦେଖିଲି କୁମାରଙ୍କର ଦୃତ ଦୀର୍ଘକାଳରୁ ମୋର ପ୍ରତୀକ୍ଷା କରୁଛି ।

 

ତିନୋଟି ପତ୍ର ଥିଲା ଗୋଟିଏ କ୍ଷୌମ ବସ୍ତ୍ରର ସୁନ୍ଦର ପ୍ରତୋଳିକାରେ । ସାବଧାନତା ସହ ପ୍ରତୋଳିକାକୁ ଖୋଲିଲି । ଭିତରେ କର୍ପୂର କାଷ୍ଠର ମନୋହର ପଟ୍ଟିକା ଓ ତାର ଚାରିପଟେ ଲାକ୍ଷା–ରସରେ ଅଙ୍କିତ କଳ୍ପବଲ୍ଲୀ । ମଧ୍ୟଭାଗରେ ମହାରାଜାଧିରାଜ ଶ୍ରୀହର୍ଷଦେବଙ୍କର ମୁଦ୍ରା । ଆଶ୍ଚର୍ଯ୍ୟ ଓ ଔତ୍ସୁକ୍ୟରେ ଅଭିଭୂତ ହୋଇଗଲି । ପଟ୍ଟିକା ତଳେ ଭୂର୍ଜପତ୍ରର ପାଞ୍ଚଭାଙ୍ଗର ପତ୍ରିକା ରଖା ହୋଇଥିଲା । ପାଞ୍ଚଟି ସ୍ତର ଦେଖି ବୁଝିଲି ମିତ୍ରତା ସ୍ଥାପନ ଉଦ୍ଦେଶ୍ୟରେ ପତ୍ରିକାଟି ଲିଖିତ । ଅତି ଆଗ୍ରହରେ ତାକୁ ଖୋଲିଲି । ମହାରାଜାଧିରାଜଙ୍କର ଆଦେଶ–ପତ୍ର ! ମୁଁ ତାଙ୍କର ସଭାପଣ୍ଡିତ ନିଯୁକ୍ତ ହୋଇଛି ଓ ସମ୍ରାଟଙ୍କ ହସ୍ତରୁ ତାମ୍ବୁଳ–ବୀଟକ (ପାନବିଡ଼ା) ପାଇବାର ସୌଭାଗ୍ୟ ମୁଁ ପାଇଛି । କାଲି ପ୍ରାତଃ କାଳରେ ରାଜପଣ୍ଡିତ ବେଶରେ ମୁଁ ଯେପରି ସେଠାରେ ଉପସ୍ଥିତ ହୁଏ । ମୁଁ ଯେ ସମ୍ରାଟଙ୍କର ବିଶ୍ଵସ୍ତ ପ୍ରତିନିଧି ହେବାର ସମ୍ମାନ ପାଇପାରିଛି, ଏଥିରେ ଆଶ୍ଚର୍ଯ୍ୟ ହେଲି । ଯେଉଁ ବ୍ୟକ୍ତିକୁ ସମ୍ରାଟ ‘ଲମ୍ପଟ’ କହି ତିରିସ୍କାର କରିଥିଲେ, ସେ ହେବ ସମ୍ରାଟଙ୍କର ବିଶ୍ୱାସ ପତ୍ର ପ୍ରତିନିଧି-! ଆଶ୍ଚର୍ଯ୍ୟ ଓ କୌତୁହଳରେ ଦ୍ଵିତୀୟ ପତ୍ର ଖୋଲିଲି । ଚାରୋଟି ଭାଙ୍ଗ ଥିଲା ସେଥିରେ । ପ୍ରଥମେ ସାମାନ୍ୟ କୁଣ୍ଠିତ ହେଲି । ଚାରିଭାଙ୍ଗର ପତ୍ର ଅଧୀନସ୍ଥ ସାମନ୍ତଙ୍କର ପଦ–ଗୌରବ ବଢ଼ାଇବାପାଇଁ ଲେଖାଯାଇଥାଏ । ମୁଁ କଣ କେବେ ମହାରାଜାଧିରାଜଙ୍କର ସାମନ୍ତ ଥିଲି ? କିନ୍ତୁ ପତ୍ର ପଢ଼ିଲାପରେ ଜଣାପଡ଼ିଲା ଯେ ପତ୍ରଟି ଭଦ୍ରେଶ୍ଵର ଦୁର୍ଗର ସାମନ୍ତ ଲୋରିକଦେବଙ୍କ ପାଇଁ ଉଦ୍ଦିଷ୍ଟ । ସମ୍ରାଟ ତାଙ୍କୁ ଚରଣାଦ୍ରିର ପୂର୍ବପଟ ଓ ଗଙ୍ଗାର ଉତ୍ତର ତଟସ୍ଥ ପ୍ରଦେଶଗୁଡ଼ିକର ପ୍ରଧାନ ସାମନ୍ତ କରିଥିଲେ ଓ ସମ୍ରାଟଙ୍କର ବିଶ୍ଵସନୀୟ ପ୍ରତିନିଧି ବାତ୍ସାୟନବଂଶୀୟ ବାଣ ଭଟ୍ଟଙ୍କୁ ଯଥୋଚିତ ସମ୍ମାନ ଓ ସାହାଯ୍ୟ ଦେବାପାଇଁ ଆଦେଶ ଦେଇଥିଲେ । ଏହା ଥିଲା ଦ୍ଵିତୀୟ ପ୍ରହେଳିକା । ମୁଁ ତୃତୀୟ ପତ୍ର ଖୋଲିଲି । କୁମାରଙ୍କର ମୂଦ୍ରା ଥିଲା ସେଥିରେ । ସମ୍ରାଟଙ୍କ ବିଶ୍ୱସ୍ତ ସଭାସଦ ବାତ୍ସାୟାନବଂଶୀୟ ପଣ୍ଡିତ ବାଣ ଭଟ୍ଟଙ୍କୁ ଆବଶ୍ୟକ କାର୍ଯ୍ୟପାଇଁ କାଲି ପ୍ରାତଃକାଳରେ ସାକ୍ଷାତନିମନ୍ତେ ସେ ଅନୁରୋଧ କରିଥିଲେ । ବୁଝିଲି, କୁମାର କିଛି କୁଟନୀତକ କୌଶଳ ପ୍ରୟୋଗ କରିବାର ସଂକଳ୍ପ କରିଛନ୍ତି ଓ ମୁଁ ସେଥିରେ ନିମିତ୍ତ ହେବାକୁ ଯାଉଛି । କିନ୍ତୁ ଶଙ୍କିତ ହେଲି ନାହିଁ । ପ୍ରଥମ ଥର ଅନୁଭବ କଲି ବାରବୁଲା ବାଣଭଟ୍ଟ ଭଟ୍ଟଣୀଙ୍କ ସେବାର ଅବସର ପାଇଥିବାରୁ ରାଜନୀତିକ ଦୃଷ୍ଟିରେ ମହତ୍ତ୍ଵପୂର୍ଣ୍ଣ ହୋଇ–ଯାଇଛି । ନିଶ୍ଚିନ୍ତ ହୋଇ ଶଯ୍ୟାରେ ଶୋଇଲି ଓ ଅତି ଶୀଘ୍ର ନିଦ୍ରାଭିଭୂତ ହୋଇପଡ଼ିଲି । ସକାଳେ ସ୍ନାନାଦି ଶେଷ କରି କୁମାରଙ୍କ ଗୃହରେ ଜାଇ ପହଞ୍ଚିଲି-। ସେ ମୋର ପ୍ରତୀକ୍ଷା କରୁଥିଲେ । ବଡ଼ ଆଦର ଓ ସମ୍ମାନର ସହିତ ମୋର ଆସନ ଦେଇ ସେ ସାମାନ୍ୟ ହସି କହିଲେ–“ମହାରାଜାଧିରାଜଙ୍କର ଆଦେଶ ତ ତମକୁ ମିଳିଯାଇଛି ଭଟ୍ଟ-?” ମୁଁ ବିନୀତଭାବରେ ମୁଣ୍ଡ ହଲାଇ ସ୍ୱୀକାର କଲି । କୁମାର କହିଲେ କାର୍ଯ୍ୟକୁ ସିଦ୍ଧ କରିବାପାଇଁ ମୋତେ ଅନେକ କିଛି ମିଥ୍ୟା କହିବାକୁ ପଡ଼ିଛି, କିନ୍ତୁ ତୁମେ କିଛି ଖରାପ ମନେ କରିବ ନାହିଁ-। ମୁଁ ଯାହା କିଛି କରିଛି ଆର୍ଯ୍ୟାବର୍ତ୍ତକୁ ବିନାଶର ଗର୍ତ୍ତରୁ ରକ୍ଷା କରିବାପାଇଁ କରିଛି । ମେଷପଲ ପରି ନିର୍ଘୃଣ ଓ ପିପୀଲିକାଠାରୁ ଅଧିକ ସଂଘବଦ୍ଧ ପ୍ରତ୍ୟନ୍ତଦସ୍ୟୁ ସୀମାନ୍ତରେ ପୁଣି ଏକତ୍ରିତ ହେଉଛି । ଆର୍ଯ୍ୟାବର୍ତ୍ତର ଦେବମନ୍ଦିର ଓ ବିହାର, ବୃଦ୍ଧ ଓ ବାଳକ, ସାଧ, ସ୍ତ୍ରୀ, ବ୍ରାହ୍ମଣ ଏବଂ ଶ୍ରମଣଙ୍କ ଆଗରେ ପୁଣି ସର୍ବନାଶ ଉପସ୍ଥିତ ହେବାକୁ ଯାଉଛି । ଗୁପ୍ତଙ୍କର ଆଜି ପ୍ରତାପ ଅସ୍ତିମିତ । ଦୁର୍ମଦ ଯୌଧେୟ ଉତ୍ପାଟିତଦନ୍ତ ବ୍ୟାଘ୍ରପରି ହୀନଦର୍ପ; ମୌଖରିଙ୍କର ବିକ୍ରମାନଳ ନର୍ବାପିତ । କେବଳ କାନ୍ୟକୁବ୍ଜର ସାମ୍ରାଜ୍ୟହିଁ ଆର୍ଯ୍ୟାବର୍ତ୍ତକୁ ଏ ବିନାଶରୁ ରକ୍ଷା କରିପାରେ । କିନ୍ତୁ ଭଟ୍ଟ, ଦସ୍ୟୁ ଥରେ ଗିରିବର୍ତ୍ମ ଅତିକ୍ରମକରି ପ୍ରାନ୍ତରରେ ପ୍ରବେଶ କଲେ ତାର ଗତିରୋଧ ଅସମ୍ଭବ ହେବ । ଏ ବିଷମ ସଙ୍କଟରୁ ମୁକ୍ତି ପାଇବାର ଏକମାତ୍ର ଆଶା ଭଟ୍ଟଣୀଙ୍କର ପିତା । ସେ ବର୍ତ୍ତମାନ ଖିନ୍ନ ଓ ହତୋତ୍ସାହ । ସ୍ଥାଣ୍ୱୀଶ୍ଵରର ବୌଦ୍ଧ ନରପତିଙ୍କପ୍ରତି ସେ ଅସନ୍ତୁଷ୍ଟ । ସେ ବର୍ତ୍ତମାନ ମୌଖରିଙ୍କର ଗୁରୁ ଭର୍ବୁ ଶର୍ମାଙ୍କ ପ୍ରଭାବରେ । ମୋର ମନେ ହୁଏ ତୁମେ ତାଙ୍କୁ ପ୍ରସନ୍ନ କରିପାରିବ-। ଭଟ୍ଟିଣୀଙ୍କୁ କାନ୍ୟକୁବ୍‍ଯରେ ସେହିଭଳି ସମ୍ମାନର ସହିତ ରଖାଯିବ ଯାହା ସମ୍ରାଟଙ୍କ ଭଗିନୀର ଉପଯୁକ୍ତ । କିନ୍ତୁ ଏ ରାଜବଂଶର କୌଣସି ଗୃହରେ ଆଶ୍ରୟ ନ ନେବାକୁ ସେ ପ୍ରତିଜ୍ଞା କରିଛନ୍ତି । କୁହ ଭଟ୍ଟ, କଣ କରାଯାଇପାରେ ?” ମୁଁ ଅଭିଭୂତ ହେଲାଭଳି ଅନାଇ ରହିଲି । କୁମାର ପୁଣି କହିଲେ–“ତୁମେ ମୌଖରି–କୁଳ–ରାଜ–ଲକ୍ଷ୍ମୀ ମହାରାଣୀ ରାଜ୍ୟଶ୍ରୀଙ୍କୁ ଜାଣ ତ ?” ମୁଁ ମୁଣ୍ଡ ନୁଆଇଁ ସ୍ୱୀକାର କଲି । କୁମାର କହିଲେ–“ଭଟ୍ଟିଣୀ ତାଙ୍କରି ଅତିଥି ହୋଇ ରହିବେ । ନିଅ ଏ ନିମନ୍ତ୍ରଣ ପତ୍ର ।” ଏହା କହି କୁମାର ରୌପ୍ୟ ପାତ୍ରରେ ଥିବା ଚୀନାଂଶୁକ ସମାବୃତ ପତ୍ର ମୋତେ ଦେଲେ । ମୋର ଉତ୍ତରକୁ ଅପେକ୍ଷା ନ କରି କହିଲେ–“ଯେପରି ହେଉ, ଭଟ୍ଟିଣୀଙ୍କୁ ଏଠାକୁ ଆଣ । ସମ୍ରାଟଙ୍କର ପ୍ରତିନିଧିଭାବରେ ତାଙ୍କର ସମସ୍ତ ସର୍ତ୍ତ ତୁମେ ସ୍ୱୀକାର କରିପାର । କାଲି ଯାଅ; ସେଠାରୁ ଫେରିଲାପରେ ତୁମକୁହିଁ ପୁରୁଷପୁର ଯିବାକୁ ପଡ଼ିବ । ଖୁବ୍‍ ସାବଧାନତା ଓ ଶୀଘ୍ରତା ସହ ଏହା ଯେପରି ସଂପନ୍ନ ହୁଏ । ଭଟ୍ଟ, ତୁମକୁ ଆର୍ଯ୍ୟାବର୍ତ୍ତକୁ ମହାନାଶରୁ ରକ୍ଷା କରିବାକୁ ପଡ଼ିବ । ତୁମର ସାମାନ୍ୟ ଅସାବଧାନତା ଲକ୍ଷ ଲକ୍ଷ ନିରୀହ ଜନତାର ସର୍ବନାଶର କାରଣ ହୋଇପାରେ । ମହାରାଜାଧିରାଜଙ୍କ ସହିତ ଆଜି ସାକ୍ଷାତ କରିନିଅ ।” କୁମାର ମୋତେ କହିବାର ଅବସର ଦେଲେ ନାହିଁ । କେବଳ ବିନୀତଭାବରେ ମୁଣ୍ଡ ନୁଆଇଁ ସବୁ ସ୍ୱୀକାର କଲି । କୁମାର ଉପସଂହାର କରି କହିଲେ–“ତା’ହେଲେ ଉଠ ଭଟ୍ଟ, ବିଳମ୍ୱ କଲେ ଅନର୍ଥ ହୋଇପାରେ ।”

Image

 

ଚତୁର୍ଦ୍ଦଶ ପରିଚ୍ଛେଦ

 

ପ୍ରଥମ ଦିନର ତାମ୍ବୁଳ-ବୀଟକ (ପାନବିଡ଼ା) ଯଥେଷ୍ଟ ମହଙ୍ଗା ପଡ଼ିଲା । ମହାରାଜାଧିରାଜ ସିଂହାସନାସୀନ ହେବାପୂର୍ବରୁ ରାଜସଭାରେ ପହଞ୍ଚିଯାଇଥିଲି । ରାଜସଭାରେ ସେତେବେଳେ ଅସଂଯମ ଓ ଚାପଲ୍ୟର ରାଜୁତି । କେହି କେହି ସାମନ୍ତ ପଶାଖେଳର କୋଠି ପ୍ରସ୍ତୁତ କରୁଥିଲେ, କେତେ ଜଣ ଦ୍ୟୂତକ୍ରୀଡ଼ାରେ ମଗ୍ନ ଥିଲେ, କେହି କେହି ବୀଣା ବାଦନ କରୁଥିଲେ, କେହି କେହି ଚିତ୍ର–ଫଳକ ଉପରେ ରାଜାଙ୍କର ପ୍ରତିମୂର୍ତ୍ତି ଅଙ୍କନ କରୁଥିଲେ ଓ କେହି କେହି ଅନ୍ତାକ୍ଷରୀ, ମାନସୀ, ପ୍ରହେଳିକା, ଅକ୍ଷରଚ୍ୟତକ ଆଦି କାବ୍ୟ–ବିନୋଦରେ ନିମଗ୍ନ ଥିଲେ । କେତେ ଜଣ ରାଜାଙ୍କ ରଚିତ ପଦଗୁଡ଼ିକର ବ୍ୟାଖ୍ୟା କରୁଥିଲେ । ବିଦଗ୍‍ଧରସିକ ଚାମରଧାରିଣୀ ଓ ଅନ୍ୟ ବାର–ବନିତାଙ୍କ ସହିତ କଥାବାର୍ତ୍ତାରେ ଲାଗିଥିଲେ କେହି କେହି । ସଭା ମଧ୍ୟରେ ରମଣୀମାନଙ୍କର କପୋଳ–ଦେଶରେ ତିଳକ ରଚନା କରୁଥିଲେ ମଧ୍ୟ କେତେଜଣ । ଜଣେ ସଭ୍ୟ ମନୁଷ୍ୟର, ମନରେ ଏସବୁର ଯେ କି ପ୍ରତିକ୍ରିୟା ହୋଇପାରେ, ତା କେବଳ ଅନୁମାନ କରିବାର କଥା । ସଭାଟି ଉଚ୍ଛୃଙ୍ଖଳତାର ମୂର୍ତ୍ତ ବିଗ୍ରହ ହୋଇଥିଲା । କିନ୍ତୁ ସଭ୍ୟମାନେ ଗୋଟିଏ ବିଷୟରେ ସାବଧାନ ଥିଲେ । ତାଙ୍କର ପ୍ରତ୍ୟେକ କାର୍ଯ୍ୟରୁ ଯେପରି ସୂଚୀତ ହୁଏ ଯେ ସେମାନେ ମହାରାଜାଧୀରାଜଙ୍କର ଅନୁଗତ ଓ ଭକ୍ତ । ସେ ବିଷୟରେ ଦୃଷ୍ଟି ଥିଲା ସମସ୍ତଙ୍କର ।

 

ମହାରାଜାଧିରାଜ ପ୍ରଧାନ ଅଧିକରଣିକ (ବିଚାରପତି) ଓ କୁମାର କୃଷ୍ଣବର୍ଦ୍ଧନଙ୍କ ସହିତ ସଭାମଣ୍ଡପରେ ପହଞ୍ଚିଲା ମାତ୍ରେହିଁ ସଭା ସଂଯତ ଓ ନିୟମାନୁସାରେ ଶୃଙ୍ଖଳିତ ହୋଇଗଲା । ଜୟନିନାଦରେ କମ୍ପିତ ହୋଇଉଠିଲା ବାୟୁମଣ୍ଡଳ । ଲକ୍ଷାରସରଂଜିତ ଓ ସୁଗନ୍ଧିତ ଅଗୁରୁ ଧୂପିତ ଚାମର–ବ୍ୟଜନ–ଧାରଣୀଙ୍କର ଲଘୁ ବସ୍ତ୍ର ଫରଫର ହୋଇ ଉଡ଼ିଲା ଓ ତାଙ୍କର ମୃଣାଳ–ତନ୍ତୁ ସମ କୋମଳ ଭୁଜସ୍ତିତ କଂକଣ–ବଳୟ ଝଙ୍କୃତ ହେଲା । ଶୀଘ୍ର ଉଠିବା ଯୋଗୁଁ ସାମନ୍ତଙ୍କର କେୟୂର ଓ ଅଙ୍ଗଦର ପରସ୍ପର ସଂଘର୍ଷରେ ଶବ୍ଦ ହେଲା । ମଙ୍ଗଳ–ଦ୍ରବ୍ୟଧାରିଣୀ ବିଳାସିନୀମାନଙ୍କର ମେଖଳା–ଦାମର ଘଙ୍ଗୁରର ମଧୁର ଧ୍ଵନୀ ଶୁଣି ଭବନ–ଦୀର୍ଘାକାର ସାରସ ଏଭଳି ଉତ୍କଣ୍ଠିତ ହେଲେ ଯେ ତାଙ୍କର ତ୍ରେଙ୍କାରଫଳରେ ସଭାରେ କୋଳାହଳର ମାତ୍ରା ଆହୁରି ବଢ଼ିଗଲା । ମହାରାଜାଧିରାଜ ଆସନାସୀନ ହେବାମାତ୍ରେ ଜୟ–ନିନାଦ ବନ୍ଦ ହେଲା, ଶଙ୍ଖ ମୌନତା ଧାରଣ କଲା, ବନ୍ଦୀଙ୍କର ପ୍ରଶଂସାବଳୀ ଶାନ୍ତ ହେଲା, ପୁରୋହିତଙ୍କର ଆର୍ଶୀବାଦ–ଅକ୍ଷତ–ବର୍ଷା ସମାପ୍ତ ହେଲା ଓ ସଭାରେ ଅଦ୍ଭୁତ ଶାନ୍ତି ପ୍ରତିଷ୍ଠିତ ହେଲା । ମଝିରେ ମଝିରେ କେବଳ ଚାମରଧାରିଣୀଙ୍କର ବାଚାଳ କଙ୍କଣ ନିଜର ରୁଣଝୁଣ ଶବ୍ଦରେ ଶାନ୍ତିଭଙ୍ଗ କରି ତାହା ଉପଭୋଗ୍ୟ କରି ଦେଉଥିଲା । ମହାରାଜାଧୀରାଜଙ୍କର କୃପାଦୃଷ୍ଟିର ପ୍ରସାଦ ମିଳିଲା ଥରକପାଇଁ । ତାମ୍ବୁଳ–ବୀଟକ ଗ୍ରହଣ କରିବାର କ୍ରିୟା ଜଟିଳ । ମୋର ଅନୁମାନ, ଠିକ୍ ଅଭିନୟ କରି ନପାରି ମୁଁ ସଭ୍ୟଜନଙ୍କର ଉପହାସାସ୍ପଦ ହୋଇଥିଲି ।

 

ସଭାର କାର୍ଯ୍ୟ ଆରମ୍ଭ ହେଲା । ପ୍ରଧାନ ଅଧିକରଣିକ ବ୍ୟବହାର (ମକଦମା) ସମ୍ବନ୍ଧରେ ନିଜେ ଦେଇଥିବା ନିର୍ଣ୍ଣୟଗୁଡ଼ିକୁ ମହାରାଜାଧିରାଜଙ୍କଠାରୁ ସ୍ୱୀକୃତ କରାଇନେଲେ । ଯେଉଁ କେତୋଟି ବିଷୟରେ ମତଭେଦ ହେଲା, ସେ ସମ୍ପର୍କରେ ଧର୍ମଶାସ୍ତ୍ର–ଅଧିକାରୀ ପଣ୍ଡିତଙ୍କର ନିଷ୍ପତ୍ତି ମଗାଗଲା । ଗୋଟିଏ ଦୁଇଟି ବିଷୟରେ କୁମାର କୃଷ୍ଣବର୍ଦ୍ଧନଙ୍କ ସହିତ ଦୀର୍ଘକାଳ ଆଲୋଚନା ଚାଲିଲା । ଅତି ଧୀରେ ଧୀରେ କଥାବାର୍ତ୍ତା ହେଉଥିଲା । ମୁଁ କିଛି ଜାଣି ପାରିଲି ନାହିଁ; କେବଳ ଏତିକି ବୁଝିଲି କୁମାର କୃଷ୍ଣବର୍ଦ୍ଧନ କିଛି ଚିନ୍ତାରେ ପଡ଼ିଛନ୍ତି । ପ୍ରଧାନ ଅଧିକରଣିଙ୍କର କୁଞ୍ଚିତ ମୁଖମଣ୍ଡଳ ଉପରେ କଠୋରତାର ଭାବଲକ୍ଷିତ ହେଉଥିଲା । ମହାରାଜାଧିରାଜଙ୍କର କିନ୍ତୁ ଗୋଟିଏ ମୁଦ୍ରା–ହସ, କ୍ରୋଧ, ଚିନ୍ତା କିଛି ନ ଥିଲା । ବ୍ୟବହାରର ପ୍ରକରଣ ସମାପ୍ତ ହେବାପରେ ମହାରାଜ କିଛି ସମୟ ପର୍ଯ୍ୟନ୍ତ କୁମାରଙ୍କ ସହିତ ମନ୍ତ୍ରଣା କଲେ । ତା’ପରେ ଗାୟକ, ବିଦ୍ଵାନ, ବିଦୁଷକ, ଭାଟ ଓ ସ୍ତୁତି–ଗାୟକଙ୍କର ପାଳି ପଡ଼ିଲା । କବିମାନେ ନିଜ ନିଜର ନୁତନ ଶ୍ଳୋକ ପଢ଼ି ଶୁଣାଇଲେ । ମହାରାଜ ସମସ୍ତଙ୍କୁ ସନ୍ତୁଷ୍ଟ କଲେ । କାହାକୁ ମିଠାକଥା କହି, କାହାକୁ ତାମ୍ବୂଳ–ବୀଟକ ଦେଇ, କାହାକୁ ପୁରସ୍କାର ଦେଇ ଓ କାହାକୁ ନିଜର କିଛି ଆଭୂଷଣ ଦେଇ ସେ ସମସ୍ତଙ୍କର ଆଶୀର୍ବାଦ ଲାଭ କଲେ । କୁମାର କୃଷ୍ଣବର୍ଦ୍ଧନଙ୍କର ସଙ୍କେତରେ ମୁଁ ମଧ୍ୟ ଆଶୀର୍ବାଦ ଦେବାପାଇଁ ଉଠିଲି । ବଡ଼ କଷ୍ଟରେ ଏକ ଆର୍ଯ୍ୟା ଶୁଣାଇଲି । ମୋତେ ସେ ବାତାବରଣ ବଡ଼ କ୍ଳାନ୍ତିଜନକ ଲାଗୁଥିଲା । ଆର୍ଯ୍ୟା ସମାପ୍ତ କରି ଯେତେବେଳେ ମହାରାଜାଧିରାଜଙ୍କୁ ଆର୍ଶୀବାଦ ଦେବାପାଇଁ କରତଳ ଉଠାଇଲି, ମୋର ଛାତିଭିତର କଣ ହୋଇଗଲା । ନିପୁଣିକାକୁ କଥା ଦେଇଥିଲି, କୌଣସି ଜୀବିତ ବ୍ୟକ୍ତିର ସ୍ତୁତି କରି କବିତା ଲେଖିବି ନାହିଁ । କଣ ହୋଇଗଲା ଏ ? ତା’ହେଲେ କଣ ଆଉ ମାତ୍ର ସହସ୍ର ଦିନ ଜୀବିତ ରହିବି ଏ ପୃଥିବୀରେ ? ଏଭଳି ହତପ୍ରତିଭା ହୋଇଗଲି ଯେ ଉତ୍ତାରାପଥର ପ୍ରବଳ ପ୍ରତାପାନ୍ୱିତ ସମ୍ରାଟ ଶ୍ରୀହର୍ଷଦେବଙ୍କ ଆଗରେ ଯେ ଠିଆହୋଇଛି ତାହା କ୍ଷଣକପାଇଁ ଭୁଲିଗଲି । କୁମାର ମୋତେ ରକ୍ଷା କଲେ । ମୋର ଆର୍ଯ୍ୟାର ଗୋଟିଏ ଅଂଶ ଅନୁବୃତ୍ତି କରି ସେ ପରିହାସପୂର୍ବକ କହିଲେ, ‘‘ବ୍ରତର ଚିନ୍ତାରେ ବିହ୍ଵଳ ହେବା ଉଚିତ ନୁହେଁ, ଭଟ୍ଟ ।” ସାରା ସଭା ହସିଉଠିଲା । ମହାରାଜାଧିରାଜ ଅନେକ ସମୟ ପର୍ଯ୍ୟନ୍ତ ହସିଲେ । ବୁଝି ନଥିବା ସଭାସଦନମାନେ ମଧ୍ୟ ମହାରାଜାଙ୍କର ହସ ଦେଖି ଖୁବ୍ ହସିବାକୁ ଲାଗିଲେ । ମୁଁ ସାମାନ୍ୟ ସଙ୍କୁଚିତ ହେଲି । ମହାରାଜା ବଡ଼ ପ୍ରେମରେ ମୋତେ କହିଲେ, ‘‘ତୁମେ ଭଲ କବି ବୋଲି ଜଣାପଡ଼ୁଛି ।” ମୁଁ ମୁଣ୍ଡ ନୁଆଇଁ ପ୍ରସାଦ ସ୍ୱୀକାର କଲି । କିଛି ସମୟ ଚାଟୁକାର ଓ ବିଦୁଷକଙ୍କର ରସିକତାର ପ୍ରଦର୍ଶନ ଚାଲିଲା ।

 

ସଭା ଭଙ୍ଗର ଶଙ୍ଖନାଦ ହେଲା । ମହାରାଜାଧିରାଜ ଉଠିଲେ ଓ କଙ୍କଣ, ବଳୟ, ନୂପୁର, କେୟୁର ଓ ଅଙ୍ଗଦର କଳ–ସ୍ୱନ ସହିତ ବନ୍ଦୀମାନଙ୍କର ଜୟ–ନିନାଦ ପୁଣି ମୂଖରିତ ହୋଇଉଠିଲା । କ୍ରମଶଃ ବିଳାସିନୀମାନଙ୍କର କୁଙ୍କୁମ–ଗୌର ବଦନର କୃତ୍ରିମ ସ୍ମିତରେଖା ବିଲୁପ୍ତ ହେଲା । ସଭାସଦଙ୍କର ଚାଟୁକ୍ତି ବିଳସିତ ହାସ୍ୟ ଶାନ୍ତ ହେଲା, ସଭାସଦଙ୍କର କେତକ–ଧୂପିତ ଉତ୍ତରୀୟ ହାସ୍ୟ ଶାନ୍ତ ହେଲା, ସଭାସଦଙ୍କର କେତକ–ଧୂପିତ ଉତ୍ତରୀୟ କୁଞ୍ଚିତ ହେଲା ଓ ବିଦୁଷକଙ୍କ ରସିକତା କ୍ଳାନ୍ତିର ଗମ୍ଭୀରତାରେ ନିମଗ୍ନ ହେଲା । ରୁଦ୍ଧଦ୍ୱାର ଗୃହଗର୍ଭରୁ ମୁଁ ଯେପରି ବାହାରକୁ ଆସିଲି । ଦ୍ରୁତଗତିରେ ବାହାରକୁ ଆସୁଛି କେହି ଜଣେ ପଛରୁ ଡାକିଲେ–“ଶୁଣ ଭଦ୍ର ।” ପଛକୁ ବୁଲି ତାଙ୍କର ପ୍ରସନ୍ନ ମୁଖଶ୍ରୀକୁ ଦେଖିଲି । ସେ ଥିଲେ ଧାବକ । ରାଜସଭାରେ ଖୁବ୍ ସୁନ୍ଦର କବିତା ଶୁଣାଇଥିଲେ । ତାଙ୍କର ପାଠ କରିବାର ଭଙ୍ଗୀ ନିଜସ୍ୱ । ଜଣା–ପଡ଼ୁଥିଲା ସେ ମହାରାଜାଙ୍କର ପ୍ରୀତିପାତ୍ର । ତାଙ୍କୁ ଦେଖି ମୁଁ ପ୍ରସନ୍ନତା ପ୍ରକାଶ କଲି । ସେ ହସିକରି କହିଲେ–“ରାଜସଭାକୁ ଯେତେବେଳେ ଆସିଗଲେଣି, ଆଉ ଆମକୁ ଅସ୍ପୃଶ୍ୟ ମନେ କରିବା କଣ ଉଚିତ ?” ମୁଁ ବିନୀତ ଭାବରେ କହିଲି–“ଆର୍ଯ୍ୟ, ମୋତେ ଅକାରଣ ଲଜ୍ଜା ଦେଉଛନ୍ତି ।” ସେ ଅଳ୍ପ ସମୟମଧ୍ୟରେ ବନ୍ଧୁତା କରିନେଲେ । ଅନେକ କିଛି କଥାବାର୍ତ୍ତା–ପରେ ବିଦାୟ ନେଲାବେଳେ ସେ କହିଗଲେ–“ତୁମେ ମହାରାଜାଙ୍କର ଅନ୍ତରଙ୍ଗ–ସଭାର ଉପଯୁକ୍ତ ପାତ୍ର । ତୁମକୁ ନିଶ୍ଚୟ ନିମନ୍ତ୍ରଣ ମିଳିବ ।” ଉଦ୍ଦେଶ୍ୟ ସ୍ପଷ୍ଟ କରିବାପାଇଁ ମୁଁ ଅନୁରୋଧ କଲି । ସେ ମୋ କାନ୍ଧ ହଲାଇ ଦେଇ କହିଲେ–‘‘ଶୀଘ୍ର ବୁଝିଯିବ ଗୁରୁ ।” ଏବଂ ଗୋଟିଏ ଦିଗକୁ ଯାତ୍ରା କଲେ । ମୁଁ ସାମାନ୍ୟ ବ୍ୟସ୍ତ ହୋଇ ନିଜର ଆବାସ–ସ୍ଥଳକୁ ଫେରିଗଲି ।

 

ଅତି କଷ୍ଟରେ ଦିନଟି କଟିଲା । ପଶ୍ଚିମ ମରୁଭୂମିର ତପ୍ତ ବାୟୁ ତ୍ରିଲୋକର ସମୁଦାୟ ଆର୍ଦ୍ରତାକୁ ଶୁଷ୍କ କରିଦେଉଥିଲା । ପ୍ରଚଣ୍ଡ ଦାବାଗ୍ନି-ଭଳି ତାହା ବନଭୂମିର ନୀଳିମାକୁ ଗ୍ରାସ କରୁଥିଲା ଓ କାନ୍ୟକୁବଜର ସମସ୍ତ ଜଳାଶୟକୁ ଶୁଷ୍କ କରି ପ୍ରଳୟ କାଣ୍ଡ ଆରମ୍ଭ କରିଥିଲା । ମନେ ହେଲା, ସତେ ଯେପରି ସୂର୍ଯ୍ୟମଣ୍ଡଳରୁ କୌଣସି ନିର୍ଧୂମ ଅଗ୍ନି-ଜ୍ଵାଳା କ୍ରମଶଃ ଧରିତ୍ରୀ ଉପରେ ବର୍ଷିତ ହେଉଛି । ସୂର୍ଯ୍ୟାସ୍ତ ହେବାପାଇଁ ଘଣ୍ଟାକରୁ ଅଧିକ ବିଳମ୍ବ ନ ଥିଲା । ସ୍ଥାଣ୍ୱୀଶ୍ଵରର ରାଜମାର୍ଗ କିନ୍ତୁ ଜଳିଯାଉଥିଲା ତପ୍ତ ବାୟୁ ଓ ତୀର୍ଯ୍ୟକ ସୂର୍ଯ୍ୟକିରଣରେ । ଅଜଗରର ଫୁତ୍‍କାରଠାରୁ ଅଧିକ ଭୟାନକ ବାୟୁ-ଲହରୀ ବିଶାଳ ପ୍ରସ୍ତର-ହର୍ମ୍ୟର ଉତ୍ତପ୍ତ ପ୍ରାଚୀରରେ ଧକ୍‍କା ଖାଇ ପଡ଼ୁଥିଲା ଯାତ୍ରୀଙ୍କ ଉପରେ । ଧୂଳିରେ ଆଚ୍ଛନ୍ନ ଆକାଶ ଭୟଙ୍କର ହୋଇ–ଉଠିଥିଲା । ଏସବୁ ସତ୍ତ୍ୱେ ମୁଁ ବାହାରକୁ ବାହାରି ପଡ଼ିଲି । ସୁଚରିତାର ନିମନ୍ତ୍ରଣରେ ଏକ ଅଦ୍ଭୂତ ଆକର୍ଷଣ ଥିଲା; ଉପେକ୍ଷା କରିବା ଅସମ୍ଭବ । ତା ଘରପାଖରେ ପହଞ୍ଚିଲାବେଳକୁ ଭଗବାନ ମରୀଚିମାଳୀ ନିଜର କିରଣଜାଲ ସଙ୍କୁଚିତ କରିସାରିଥିଲେ । ତାଙ୍କର କ୍ଲାନ୍ତ–ଶୀର୍ଣ୍ଣ ମୁଖର ଲାଲିମା ସ୍ପର୍ଶ କରିଥିଲା ପଶ୍ଚିମ ସାଗର ତୀରକୁ ଓ କ୍ରମଶ ଶିଥିଳ ହେଉଥିଲା ବାୟୁର ଶବ୍ଦ । ସମସ୍ତ ଦିନ ସୂର୍ଯ୍ୟାସ୍ତପରେ ତପ୍ତ ହୋଇ ସୂର୍ଯ୍ୟାସ୍ତକାଳରେ ଯେଉଁ ଉତ୍କଣ୍ଠିତ ଚକୋର ଚନ୍ଦ୍ରମାକୁ ପ୍ରାଣଭରି ଦେଖିବାପାଇଁ ପୂର୍ବ ଦିଗନ୍ତକୁ ଅନାଇ ରହେ, ମୁଁ ସେହି ଉତ୍କଣ୍ଠିତ ଚକୋରଭଳି ସୂଚରିତାର ଘରଆଗରେ ଯାଇ ଉପସ୍ଥିତ ହେଲି । କିନ୍ତୁ ଚନ୍ଦ୍ରମାର ଦର୍ଶନ ହେଲାନାହିଁ । ସୁଚରିତାର ଗୋମୟୋପଲିପ୍ତ ଅଙ୍ଗନଭୂମି ଧୂଳିମୟ ହୋଇଥିଲା । କୌଣସି ଅଜ୍ଞାତ ଆଶଙ୍କାରେ ବହୁ ଲୋକ ସେଠାରେ ଦୌଡ଼ଧପଡ଼ କରିବାର ମନେ ହେଲା । କ୍ଷୀରସାଗରଶାୟୀ ନାରାୟଣକୁ ଘେରି ଝୁଲୁଥିବା ମାଳତୀମାଳା ବାସୀ ଓ ଶୁଷ୍କ ହୋଇଯାଇଥିଲା । କିଛି ବୁଝି–ପାରିଲି ନାହିଁ । କାଲିର ରାତି ଅନ୍ୟ ରାତିଠାରୁ ନିଶ୍ଚୟ ପୃଥକ୍ । ମୁଁ ଲମ୍ପଟରୁ ଯାଇ ରାଜପୁରୁଷ ତଥା ସମ୍ରାଟଙ୍କର ପ୍ରତିନିଧି ହୋଇଛି । ଆଉ ସୁଚରିତା ! ଭକ୍ତିମତୀ ଦେବୀରୁ ପରିବର୍ତ୍ତିତ ହୋଇ କଣ ଯେ ହୋଇଛି । ମୋର ହୃଦୟ ଏକ ଅଜ୍ଞାତ ଭୟରେ ଆତଙ୍କିତ ହୋଇଗଲା । କାହାକୁ ପଚାରିବି ? ମନେ ପଡ଼ିଲା ଗତ କାଲିର ସେହି କଥା–ମଣ୍ଡପ । ମଣ୍ଡପ ବିଶେଷ ଦୁର ନ ଥିଲା । ସେ ଦିଗରେ ଅଗ୍ରସର ହେଲି ।

 

ପ୍ରାୟ ଏକ ସହସ୍ର ବ୍ୟକ୍ତି ବସିଥିଲେ ମଣ୍ଡପରେ । ଦୁଇ ଚାରି ଜଣ ଏପଟ ସେପଟ ବୁଲୁଥିଲେ କିନ୍ତୁ କୋଳାହଳ କଥା ଦୂରେ ଥାଉ, ସାମାନ୍ୟ ଶବ୍ଦ ବି କେଉଁଠି ହେଉ ନ ଥିଲା । ସମସ୍ତେ ଗମ୍ଭୀର; ମୁହଁରେ ଉତ୍ତେଜନାର ଭାବ ସ୍ପଷ୍ଟ । ସଭା ଶାନ୍ତ ଓ ନିସ୍ତବଧ । କେବଳ ସଭାପତି ଅତ୍ୟନ୍ତ ସଂଯତ ଭାଷାରେ କିଛି ବୁଝାଉଥିଲେ । ତାଙ୍କର ଆଜ୍ଞା ପାଇ କୌଣସି ସଭ୍ୟ ଉଠୁଥିଲା ଓ ସଂକ୍ଷେପରେ ନିଜର ବକ୍ତବ୍ୟ କହି ପୁଣି ଆସନରେ ବସୁଥିଲା । ସଂଯମର ମାତ୍ରାର ଆଧିକ୍ୟରେ ଲୋକେ ସେଠାରେ ଯନ୍ତ୍ରଭଳି ଜଣାପଡ଼ୁଥିଲେ । ବାହାରେ ଠିଆହୋଇଥିବା ଜଣେ ଭଦ୍ର ପୁରୁଷଙ୍କୁ ପଚାରିବାରୁ ସେ ଫୁସ୍‍ଫୁସ୍‍ କରି କହିଲେ–“ଆଜି ସୂର୍ଯ୍ୟୋଦୟର କିଛି ସମୟ ପୂର୍ବରୁ ସୁଚରିତା ଦେବୀ ଓ ଆର୍ଯ୍ୟ ବିରତିବଜ୍ରଙ୍କୁ ବନ୍ଦୀ କରାଯାଇଛି ଓ ନଗର ପ୍ରତିହାରୀର ଲୋକମାନେ ଆର୍ଯ୍ୟ ବେଙ୍କଟେଶ ଭଟ୍ଟ ଓ ପରମହଂସ ଅଘୋର ଭୈରବକୁ ନୌକାରେ ବସାଇ କେଉଁଠିକି ପଠାଇ ଦେଇଛନ୍ତି । ବୌଦ୍ଧ ନରପତିଙ୍କର ଆଦେଶରେ ଏହା କରାଯାଇଛି । ସ୍ପଷ୍ଟତଃ ଏହା ଶାନ୍ତ ଓ ନିରୀହ ପ୍ରଜାଙ୍କର ଧର୍ମାଚରଣ ଉପରେ ହସ୍ତକ୍ଷେପ । ସ୍ଥାଣ୍ୱୀଶ୍ୱରର ଅଧିକାରୀ ବିଦ୍ଵାନ ବର୍ତ୍ତମାନ ନିଜର କର୍ତ୍ତବ୍ୟ ସମ୍ବନ୍ଧରେ ବିଚାର କରୁଛନ୍ତି ।” କାନ୍ୟକୁବଜବାସୀଙ୍କର ସଂଯମ ପ୍ରସିଦ୍ଧ । ସେମାନେ ଯେତେବେଳେ ଆମୋଦ ଅବସ୍ଥାରେ ରହନ୍ତି, ସେତେବେଳ ମନେ ହୁଏ, ତାଙ୍କଭଳି ଚପଳ ମନୁଷ୍ୟ ଜଗତରେ ନାହାନ୍ତି କିନ୍ତୁ ସଂଯମ ଆଚରଣ କଲାବେଳେ ତାଙ୍କର ଗାମ୍ଭୀର୍ଯ୍ୟ ସମୁଦ୍ରପରି ଦୁରଧିଗମ୍ୟ ହୋଇଯାଏ । ସେ ସଭାରେ ସେହି ସଂଯମର ବାତାବରଣ ଥିଲା ।

 

କିଛି ସମୟପର୍ଯ୍ୟନ୍ତ ଶାସ୍ତ୍ରାର୍ଥ ଚାଲୁ ରହିଲା । ତାପରେ ବୃଦ୍ଧ ସଭାପତି ମେଘ–ଗମ୍ଭୀର ସ୍ଵରରେ ଘୋଷଣା କଲେ–“ସ୍ଵସ୍ତି, ଆର୍ଯ୍ୟ , ମୁଁ ଏ ସଭାରେ ଉପସ୍ଥିତ ଶାସ୍ତ୍ରପାରଙ୍ଗତ ପଣ୍ଡିତ ଓ ଶୀଳ ଏବଂ ଆଚାରରେ ପ୍ରସିଦ୍ଧ ଆର୍ଯ୍ୟ ନାଗରିକଙ୍କର ନିର୍ଣ୍ଣୟ ଘୋଷଣା କରୁଛି । ଆର୍ଯ୍ୟ ସଭାସଦୋ, ବଡ଼ ଦୁଃସମୟ ଉପସ୍ଥିତ ହୋଇଛି । ଆଚାର୍ଯ୍ୟ ଭର୍ବୁପାଦଙ୍କର ପ୍ରଚାରିତ ପତ୍ରକୁ ସ୍ଥାଣୀଶ୍ବରର ପ୍ରତ୍ୟେକ ନାଗରିକ ପଢ଼ି ସାରିଛନ୍ତି । ଦୁର୍ଦମନୀୟ ମ୍ଳେଚ୍ଛବାହିନୀ ଗିରିବର୍ତ୍ମ ଅତିକ୍ରମ କରିବାର ଉଦ୍ୟମ କରୁଛି । ଉତ୍ତରାପଥର ନଗର ଓ ଗ୍ରାମ, ଦେବମନ୍ଦିର ଓ ବିହାର, ବ୍ରାହ୍ମଣ ଓ ଶ୍ରମଣ, ବୃଦ୍ଧ ଓ ବାଳକ, କନ୍ୟା ଓ ବଧୂ ଆଦି କୌଣସି ପ୍ରତାପୀ ନରପତିଙ୍କ ଶକ୍ତିର ଆଶ୍ରୟରେହିଁ ସୁରକ୍ଷିତ ରହିପାରନ୍ତି । ଏ ସମୟରେ ପ୍ରଜାଙ୍କ ମଧ୍ୟରେ ରାଜଶକ୍ତି ପ୍ରତି ଅସନ୍ତୋଷ ପ୍ରକାଶ ପାଇଲେ ସର୍ବନାଶ ହେବ । ଏ ସଭା ନିର୍ଣ୍ଣୟ କରୁଛି ଯେ ଆର୍ଯ୍ୟ ବିରତିବଜ୍ରଙ୍କ ଉପରେ ପିତୃ–ଋଣ ପରିଶୋଧ ନ କରିବାର କାରଣ ପାଇଁ ଯେଉଁ ଅଭିଯୋଗ କରାଯାଇଛି ତାହା ମିଥ୍ୟା ଓ ଶାସ୍ତ୍ରର ବହିର୍ଭୂତ । ସୁଚରିତା ଓ ତାଙ୍କ ମଧ୍ୟରେ ଥିବା ସମ୍ବନ୍ଧ ଶାସ୍ତ୍ରର ଅନୁକୂଳ ଓ ସେ ଦୁଇଜଣଙ୍କର ଗାର୍ହସ୍ଥ୍ୟ ଧର୍ମକୁ ଫେରିଆସିବାର ଅଭିଯୋଗ ନିନ୍ଦନୀୟ । ସୁଚରିତାଦ୍ଵାରା ଆରମ୍ଭ ହୋଇଥିବା ଅନୁଷ୍ଠାନ ଚିରାଚରିତ ଭକ୍ତିମାର୍ଗର ଅନୁକୁଳ । ତାର ଅସାଧାରଣ ସଂଯମ–ନିଷ୍ଠା ଓ ନିରତିଶୟ ଚିନ୍ମୁଖୀ ସମର୍ପଣ:–ବୃତ୍ତିପାଇଁ ସ୍ଥାଣ୍ୱୀଶ୍ଵରର ବିଦ୍ଵାନ ମଣ୍ଡଳୀ ନିଜର ଶ୍ରଦ୍ଧା ନିବେଦନ କରୁଛି । ଆର୍ଯ୍ୟ ବେଙ୍କଟେଶପାଦ ଓ ଅବଧୂତ ଅଘୋର–ଭୈରବଙ୍କ ଭଳି ଆତ୍ମାରାମ ଭବଦୀୟଙ୍କ ନିର୍ବାସନରେ ଜନତା କ୍ଷୁବ୍‍ଧ ହୋଇଛି । ତଥାପି ଏ ଦୁର୍ଯ୍ୟୋଗକାଳରେ ରାଜ–ବ୍ୟବସ୍ଥାରେ କୌଣସି ପ୍ରକାର ଶୈଥଲ୍ୟ ନ ଆଣିବାପାଇଁ ଆମେ ନିଶ୍ଚୟ କରିଛୁ ଯେ ଦଶଜଣ ବିଦ୍ଵାନଙ୍କର ଏକ ସମୁଦାୟ ମହାରାଜାଧିରାଜଙ୍କ ନିକଟରେ ଏ ଅନ୍ୟାୟର ପ୍ରତିକାରପାଇଁ ପ୍ରଯତ୍ନ କରିବେ । ସଭାର ବିଶ୍ଵାସ, ମହାରାଜାଧିରାଜ ଆମର ପ୍ରାର୍ଥନା ପ୍ରତି ନିଶ୍ଚୟ ଧ୍ୟାନ ଦେବେ । ଆର୍ଯ୍ୟ ସଭାସଦୋ, କୌଣସି ପ୍ରକାର ଉତ୍ତେଜନା ବର୍ତ୍ତମାନ ବିନାଶର କାରଣ ହୋଇପାରେ । ଏ ନିର୍ଣ୍ଣୟ ସମ୍ପର୍କରେ ମୁଁ ଆପଣମାନଙ୍କର ଅନୁମତି ଭିକ୍ଷା କରୁଛି । ଆର୍ଯ୍ୟ ସଭାସଦଙ୍କର ମୌନତାକୁହିଁ ସମ୍ମତିଲକ୍ଷଣ ବୋଲି ଗ୍ରହଣ କରାଯିବ । ସଭାପତି ନୀରବ ରହିଲେ । କିଛି ସମୟପର୍ଯ୍ୟନ୍ତ ନିସ୍ତବ୍‍ଧତା ରହିଲା । ମନେ ହେଲା, ସଭା ନିର୍ଣ୍ଣୟକୁ ନୀରବରେ ସ୍ୱୀକାର କରିନେଲା ।

 

ହଠାତ୍ ସଭାର ଏକ କୋଣରୁ ଏକ ପିଙ୍ଗଳ ଜ୍ୟୋତିର ଆବିର୍ଭାବ ହେଲା । ଶରତକାଳୀନ ଶୁଭ୍ର ମେଘ ଭିତରୁ ହଠାତ୍ ଯେପରି ସୌଦାମିନୀ ଚମକି ଗଲା । ସେ ମହାମାୟା ଭୈରବୀ ! ଆପାଦ ଧୂସର ଗୈରିକ ବସ୍ତ୍ର ଭିତରେ ତା’ଙ୍କର କ୍ରୋଧତାମ୍ର ମୁଖମଣ୍ଡଳ ସାନ୍ଧ୍ୟ ମେଘ–ମଧ୍ୟରୁ ଉଦୟ ଚନ୍ଦ୍ରମଣ୍ଡଳର ଦୀପ୍ତର ପ୍ରତିଦ୍ଵନ୍ଦୀଭଳି ଜଣାପଡ଼ୁଥିଲା । ସିନ୍ଦୁରବିଲିପ୍ତ ତ୍ରିଶୂଳ ତାଙ୍କର ଏଭଳି ଭୟଙ୍କର ଓ ମନୋହର ଦେଖାଯାଉଥିଲା ସତେ ଯେପରି ତାହା ଗୈରିକ ଅଧିତ୍ୟକାରେ ପୋତା ହୋଇଥିବା କୃଦ୍ଧ ଧୂର୍ଜଟିଙ୍କର ତ୍ରିଶଳ । ମହାମାୟା କଠୋର ସ୍ଵରରେ ଚିତ୍କାର କରି କହିଲେ–“ଆର୍ଯ୍ୟ ସଭାପତି, ମୁଁ ସଭାକୁ ସମ୍ବୋଧନ କରି କିଛି କହିବାକୁ ଚାହୁଁଛି । ମୁଁ ହେଉଛି ଅଘୋର ଭୈରବଙ୍କର ଶିଷ୍ୟ ମହାମାୟା ଭୈରବୀ । ମୋତେ ଅନୁମତି ଦିଅନ୍ତୁ ।” ସଭାପତି ଇତସ୍ତତଃ କରୁଥିଲେ କିନ୍ତୁ ଅଘୋର ଭୈରବଙ୍କର ଜୟ–ନିନାଦଦ୍ଵାରା ସଭା ଭୈରବୀଙ୍କର ପ୍ରସ୍ତାବକୁ ଅନୁମୋଦନ କଲା । ସଭାପତି ଅନୁମତି ଦେଇ କହିଲେ–“ଭବତି, ଦୁର୍ଘଟକାଳ ଉପସ୍ଥିତ ହୋଇଛି, କାଳୋଚିତ ବକ୍ତବ୍ୟ ଶୁଣିବାପାଇଁ ସଭା ଉତ୍ସୁକ ।” ମହାମାୟା ତୀବ୍ର ସ୍ଵରରେ କହିଲେ–“ଆର୍ଯ୍ୟ ସଭାସଦ୍‍ଗଣ, ମୁଁ ଅଘୋର ଭୈରବଙ୍କର ଶିଷ୍ୟ ମହାମାୟା । ଆପଣ ମନେ କରିବେ ନାହିଁ ଯେ ମୋର ଗୁରୁଙ୍କୁ ଅପମାନିତ କରାଯାଇଥିବାରୁ ମୁଁ କ୍ଷୁବ୍‍ଧ ହୋଇଛି । ଅବଧୂତପାଦ ମାନ ଓ ଅପମାନର ଉପରେ । ତେଣୁ ଆର୍ଯ୍ୟ ସଭାସଦଗଣ, ମହାମାୟା ଯାହା କହିବାକୁ ଯାଉଛି, ତାହା ସେ ତାଙ୍କର ଅପମାନରେ କ୍ଷୁବ୍ଧ ହୋଇକହିବାକୁ ଯାଉଛି, ତାହା ନୁହେଁ । ଅଘୋର ଭୈରବ ହେଉଛନ୍ତି ସାକ୍ଷାତ୍ ଶିବ–ରୂପୀ । ଆର୍ଯ୍ୟ ବିରତିବଜ୍ର ଓ ଆୟୁଷ୍ମତୀ ସୁଚରିତା ନିର୍ଦ୍ଦୋଷ–ସଭାର ଏ ନିର୍ଣ୍ଣୟକୁ ମୁଁ ଅଭିନନ୍ଦନ କରୁଛି । କିନ୍ତୁ ମୁଁ ମହାରାଜାଧିରାଜଙ୍କୁ ପ୍ରାର୍ଥନା କରିବାର ନିର୍ଣ୍ଣୟର ବିରୋଧ କରୁଛି । ମୁଁ ସନ୍ନ୍ୟାସିନୀ; ସ୍ଵେଚ୍ଛାରେ ଦୁଃଖ ଓ କ୍ଳେଶର ମାର୍ଗ ବାଛିନେଇଛି । ମୃତ୍ୟୁକୁ ମୋର ଭୟ ନାହିଁ । ମୁଁ ସତ୍ୟ କହିବାରୁ ତିଳେମାତ୍ର ପଶ୍ଚାତାପ ହେବି ନାହିଁ-। ଆଚାର୍ଯ୍ୟ ଭର୍ବୁ ପାଦଙ୍କର ପତ୍ରର ଫଳିତାର୍ଥ ଉପରେ ବିଚାର କରିଥଲେ ଆପଣ ଏଭଳି ନିର୍ଣ୍ଣୟ କରି ନ ଥାନ୍ତେ । ସେ ପତ୍ର ହେଉଛି ପୌରୁଷ–ହୀନତାର ନଗ୍ନ ପ୍ରଚାରକ । ସେ ପତ୍ର ଆର୍ଯ୍ୟାବର୍ତ୍ତର ଭାବୀ ପରାଜୟର ଅଗ୍ରଦୂତ । ଆପଣଙ୍କର ନିର୍ଣ୍ଣୟ ସେହି ମନୋବୃତ୍ତିର ପୋଷକ । ଆପଣଙ୍କ ମତରେ ଉତ୍ତରାପଥର ବ୍ରାହ୍ମଣ ଓ ଶ୍ରମଣ, ବୃଦ୍ଧ ଓ ବାଳକ, କନ୍ୟା ଓ ବଧୂ କୌଣସି ପ୍ରଚଣ୍ଡ ନରପତି–ଶକ୍ତିର ଛାୟା ନପାଇ ବଞ୍ଚିପାରିବେ ନାହିଁ । ଆର୍ଯ୍ୟ ସଭାସଦ୍‍ଗଣ, ଉତ୍ତରା–ପଥର ଲକ୍ଷ ଲକ୍ଷ ଯୁବକ କଣ କଙ୍କଣ–ବଳୟ ଧାରଣ କଲେଣି ? ବୃଦ୍ଧ ଓ ବାଳକ, କନ୍ୟା ଓ ବଧୁ, ଦେବ–ମନ୍ଦିର ଓ ବିହାର ରକ୍ଷାପାଇଁ କଣ ସେମାନେ ନିଜର ପ୍ରାଣ ଦେଇପାରିବେ ନାହିଁ ? ଏ ଦେଶର ବିଦ୍ଵାନଙ୍କର କଣ ସ୍ଵତନ୍ତ୍ର ସଙ୍ଗଠନ ବୁଦ୍ଧି ବିଲୁପ୍ତ ହୋଇଛି ? ଆଚାର୍ଯ୍ୟ ଭର୍ବୁ ପାଦଙ୍କର ପତ୍ର ପଢ଼ି ମୋର କଣ୍ଠ ରୋଶ ଓ ଲଜ୍ଜାରେ ଶୁଷ୍କ ହେଉଛି । ଲକ୍ଷ ଲକ୍ଷ ନିରୀହ ବଧୁ ଓ କନ୍ୟାଙ୍କର ଅପହରଣ ଓ ବିକ୍ରୟର ବ୍ୟବସାୟ କଣ ଏହି ଉତ୍ତରାପଥରେ ଚାଲି ନାହିଁ ? ଦେବପୁତ୍ର ତୁଅର–ମିଳିନ୍ଦଙ୍କର ହୃଦୟ ସାମାନ୍ୟମାତ୍ର ସଂବେଦନଶୀଳ ହୋଇଥିଲେ ଆଜିର ବହୁ ପୂର୍ବରୁ ସେ ମୂର୍ଚ୍ଛିତ ହୋଇପଡ଼ିଥାନ୍ତେ । ନୀରିହ ପ୍ରଜାଙ୍କର କନ୍ୟା କଣ ତାଙ୍କର ନୟନ–ତାରା ନୁହନ୍ତି ? ରାଜା ଓ ସେନାପତିଙ୍କର କନ୍ୟା ହଜିଯିବାହିଁ କଣ ସଂସାରର ଦୁର୍ଘଟଣା ? ଆର୍ଯ୍ୟ ସଭାସଦ୍‍ଗଣ, ମୋତେ ଦେଖନ୍ତୁ । ଦେଶର ଲକ୍ଷ ଲକ୍ଷ ଅବମାନିତ, ଲାଂଛିତ ଓ ଅକାରଣରେ ଦଣ୍ଡିତ କନ୍ୟାଙ୍କ ମଧ୍ୟରୁ ମୁଁ ଜଣେ । ଏହି ଘୃଣିତ ବ୍ୟବସାୟର ପ୍ରଧାନ ଆଶ୍ରୟ ଯେ ସାମନ୍ତ ଓ ରାଜାମାନଙ୍କର ଅନ୍ତଃପୁର–ଏହା ନ ଜାଣେ କିଏ ? ମହାରାଜାଙ୍କର ଚାମର–ଧାରଣୀ ଓ କରଙ୍କବାହୀନି ଯେ ଏଭଳି ପଣ୍ୟ–କନ୍ୟା, ତାହା ନ ଜାଣେ କିଏ ? ଆର୍ଯ୍ୟ ସଭାସଦ୍‍ଗଣ, ଏ ଅଭାଗିନୀମାନଙ୍କର କଣ ପିତା–ମାତା–ନ ଥିଲେ ? ଏମାନେ କଣ ନିଜ ନିଜ ମାତାର ନୟନ–ତାରକା ନ ଥିଲେ ? ଏମାନଙ୍କର ପିତାମାତାଙ୍କ ହୃଦୟରେ ନିଜର ସନ୍ତାନଙ୍କ ପ୍ରତି ଯେଉଁ ସ୍ନେହ–ଭାବନା ଥିଲା, ତାହା କଣ କୌଣସି ସମ୍ରାଟଙ୍କର ସ୍ନେହ–ଭାବନାଠାରୁ କମ୍ ? ମୁଁ ପଚାରେ, ଆର୍ଯ୍ୟ ସଭାସଦ୍‍ଗଣ, ଯଦି ମହାରାଜ ଆପଣଙ୍କର ପ୍ରାର୍ଥନାକୁ ପ୍ରତ୍ୟାଖ୍ୟାନ କରନ୍ତି, ତାହେଲେ ଆପଣମାନେ କଣ କରିବେ ? ଆପଣଙ୍କୁ ଅଛପା ନାହିଁ ଯେ ମହାରାଜାଧିରାଜ ସ୍ଵୟଂ ଶୁଦ୍ଧ–ଶୀଳ ହୋଇ ସୁଦ୍ଧା ଏଭଳି ସାମନ୍ତ ବର୍ଗଙ୍କୁ ଆଶ୍ରୟ ଦେଇଛନ୍ତି, ଯାହାଙ୍କର ଏକମାତ୍ର ପ୍ରତାପ ହେଉଛି କନ୍ୟା–ହରଣ । ଆର୍ଯ୍ୟ ସଭାସଦ୍‍ଗଣ, ଯଦି ମୁଁ ଅସତ୍ୟ କହୁଥାଏ, ତା’ହେଲେ ମୋର ଏଇ ତ୍ରିଶୂଳରେ ମୋତେ ଖଣ୍ଡ ଖଣ୍ଡ କରିଦିଅନ୍ତୁ ।” ଏତିକି କହି ମହାମାୟା କ୍ଷଣକ ପାଇଁ ଅଟକି ସଭା ଉପରେ ଦୃଷ୍ଟିପାତ କଲେ । ତାଙ୍କ ଆଖିରୁ ସ୍ଫୁଲିଙ୍ଗ ନିର୍ଗତ ହେଉଥିଲା । ଉତ୍‍କର୍ଣ୍ଣ ହୋଇ ସଭା ଶୁଣିଯାଉଥିଲା । ମହାମାୟା ପୁଣି ସିଂହିନୀଭଳି ଗର୍ଜନ କରି କହିଲେ–“ଅମୃତର ପୁତ୍ର, ମୃତ୍ୟୁର ଭୟ ମାୟା; ରାଜାଙ୍କୁ ଭୟ କରିବା ଦୁର୍ବଳ ଚିତ୍ତର ବିକଳ୍ପ । ପ୍ରଜାହିଁ ରାଜାକୁ ସୃଷ୍ଟି କରିଛି । ସଂଘଟିତ ହୋଇ ମ୍ଳେଚ୍ଛବାହୀନିର ସମ୍ମୁଖୀନ ହୁଅ । ଦେବପୁତ୍ର ଓ ମହାରାଜାଧିରାଜଙ୍କର ଆଶା ତ୍ୟାଗ କର । ସମଗ୍ର ଉତ୍ତରାପଥର ମର୍ଯ୍ୟାଦା ଆପଣଙ୍କର ହାତରେ । ଅମୃତର ପୁତ୍ର, ଆର୍ଯ୍ୟ ବିରତିବଜ୍ରକୁ ଓ ଆୟୁଷ୍ମତୀ ସୁଚରିତାକୁ ଲକ୍ଷ ଲକ୍ଷ ନିରୀହ ବ୍ରାହ୍ମଣ ଓ ଶ୍ରମଣଙ୍କୁ ରକ୍ଷା କରିବାପାଇଁ ବନ୍ଦୀ କରାଯାଇନାହିଁ, ତାହା ମହାରାଜାଧିରାଜ ବା ତାଙ୍କର କୌଣସି ଆଶ୍ରିତ ସାମନ୍ତଙ୍କର ମାନରକ୍ଷା କରିବାପାଇଁ କରାଯାଇଛି । ଏହା ପ୍ରଥମ ଅନ୍ୟାୟ ନୁହେଁ ବା ଅନ୍ତିମ ଅନ୍ୟାୟ ନୁହେଁ । ଦୁର୍ବହ ସମ୍ପତ୍ତି–ମଦର ଏହା ଚିରାଚରିତ ରୂପ, ଏଥିପାଇଁ ନ୍ୟାୟର ପ୍ରାର୍ଥନା ବୃଥା । ଅମୃତର ପୁତ୍ର, ଅନୁନୟ–ବିନୟରେ ଧର୍ମର ରକ୍ଷା ହୁଏ ନାହିଁ କିମ୍ବା ଶାସ୍ତ୍ର–ବାକ୍ୟର ସଙ୍ଗତିଯୋଗୁଁ ତାହା ରକ୍ଷିତ ହୋଇପାରେ ନାହିଁ । ନିଜକୁ ଶେଷ କରିଦେବାଦ୍ଵାରାହିଁ ତାହା ହୋଇଥାଏ । ନ୍ୟାୟ ପାଇଁ ପ୍ରାଣ ଦେବାକୁ ଶିଖ, ସତ୍ୟପଇଁ ପ୍ରାଣ ଦେବାକୁ ଶିଖ, ଧର୍ମପାଇଁ ପ୍ରାଣ ଦେବାକୁ ଶିଖ ! ଅମୃତର ପୁତ୍ର, ମୃତ୍ୟୁର ଭୟ ହେଉଛି ମାୟା ।”

 

ସହସ୍ର କଣ୍ଠରେ ଦୀର୍ଘ ଦୀର୍ଘାୟିତ ସ୍ଵରରେ ପ୍ରତିଧ୍ୱନି ଉଠିଲା–“ମୃତ୍ୟୁର ଭୟ ମାୟା ।” ସ୍ଥାଣ୍ୱୀଶ୍ଵରର ଦୁର୍ଭେଦ୍ୟ ପ୍ରସ୍ତର ଭିତ୍ତିକୁ ଚିରି ପର–ପ୍ରାନ୍ତପର୍ଯ୍ୟନ୍ତ କମ୍ପିତ କରିଦେଲା ସେହି ମହାଧ୍ଵନୀ-। ଭିଡ଼ ବଢ଼ିବାକୁ ଲାଗିଲା ଓ ମଝିରେ ମଝିରେ ଆକାଶକୁ ବିଦୀର୍ଣ୍ଣ କରି ଗୋଟିଏ ସ୍ଵର ଗୁଞ୍ଜିତ ହେଲା–“ମୃତ୍ୟୁର ଭୟ ମାୟା ।” ବିରାଟ ପଟ–ମଣ୍ଡପ ସ୍ଫୀତ ଜନ–ସମ୍ମର୍ଦକୁ ଧାରଣ କରିବାରେ ଅସମର୍ଥ ହେଲା । ମହାମାୟା ତ୍ରିଶୂଳ ଉଠାଇ ଜନତାକୁ ଶାନ୍ତ କରିବାକୁ ଚାହିଁଲେ କିନ୍ତୁ ତାଙ୍କର ସ୍ଵର ସେହି ଗଗନ–ବିଦାରୀ ମହାଧ୍ଵନୀ ପାଖରେ ନଗଣ୍ୟ ହୋଇଗଲା । ଭିଡ଼ରେ ଆଚ୍ଛନ୍ନ ହୋଇଗଲା ରାଜମାର୍ଗ, ଗବାକ୍ଷ, ବୃକ୍ଷ ଓ ଭୁଜଦଣ୍ଡ । ଧୀରେ ଧୀରେ ସର୍ବତ୍ର ସମ୍ବାଦ ଖେଳିଗଲା ଯେ ସଭାରେ ସାକ୍ଷାତ୍ ତ୍ରିଶୂଳଧାରିଣୀ ପାର୍ବତୀଙ୍କର ଆବିର୍ଭାବ ହୋଇଛି । ଅନ୍ୟାୟୀ ରାଜାକୁ ଧ୍ୱଂସ କରିଦେବାକୁ ସେ ଆଦେଶ ଦେଇଛନ୍ତି । ମହାମାୟାଙ୍କର ବାର୍ତ୍ତା ଝଡ଼ର ଗତିରେ ପ୍ରଚାରିତ ହେଲା ଚତୁର୍ଦ୍ଦିଗରେ । ଗୋଟିଏ ସ୍ୱର କେବଳ ରହି ରହି ବାୟୁମଣ୍ଡଳକୁ କମ୍ପିତ କରୁଥିଲା–“ଅମୃତର ପୁତ୍ର, ମୃତ୍ୟୁର ଭୟ ମାୟା ।” ବୃଦ୍ଧ ସଭାପତି ମହାମାୟାଙ୍କୁ ଅନାଇ କାତରଭାବରେ ପ୍ରାର୍ଥନା କଲେ–“ଭବତି ଆର୍ଯ୍ୟେ, ଆପଣଙ୍କର କଥନ ସତ୍ୟ କିନ୍ତୁ କ୍ଷୁବ୍ଧ ପ୍ରଜା ଏ ଅଗ୍ନି–ବାଣୀର ଅଯୋଗ୍ୟ–ପ୍ରଜା । ଆପଣ ଏମାନଙ୍କୁ ଶାନ୍ତ କରନ୍ତୁ । ଆଚାର୍ଯ୍ୟ ଭର୍ବୁପାଦଙ୍କ ପତ୍ର ହେଉଛି ସାମୟିକ ଉପଚାରପାଇଁ, ଶାଶ୍ଵତ ଧର୍ମର ସନ୍ଦେଶ ଆଣି ତାହା ଆସିନି । ଭବତି ଆର୍ଯ୍ୟେ, ବର୍ତ୍ତମାନ ରାଜଶକ୍ତି ସହିତ ବିଦ୍ରୋହ କରି ଜନ ସଙ୍ଗଠନ କରିବାରେ ଯେଉଁ ସମୟ ଅତିବାହିତ ହେବ, ତା'ରି ମଧ୍ୟରେ ମ୍ଳେଚ୍ଛବାହିନୀ ଏ ଦେଶକୁ ଜଳାଇ କପୋତକର୍ବୁର ଭସ୍ମରେ ପରିଣତ କରିଦେଇପାରେ, ଏହା କଣ ସତ୍ୟ ନୁହେଁ ? ଆର୍ଯ୍ୟେ, ଅସମୟରେ ପ୍ରଜାଙ୍କଠାରେ ବୁଦ୍ଧି–ଭେଦ ଉତ୍ପନ୍ନ କରିବା ଅନୁଚିତ ।’’

 

ମହାମାୟା ଭିଡ଼କୁ ଚିରି ତେଜରେ ଏକ ଉଚ୍ଚ ସ୍ଥାନରେ ଯାଇ ଠିଆ ହୋଇଗଲେ । ବିଦ୍ୟୁଚ୍ଛଟ ପରି ଭିଡ଼ରେ ବକ୍ରରେଖାରୂପରେ ଉଦ୍‍ଭାସିତ ହୋଇଉଠିଲା ତାଙ୍କର ଜ୍ୟୋତି । ତାଙ୍କୁ ଦେଖି ସମସ୍ତେ ଜୟନିନାଦ କଲେ । ତ୍ରିଶୂଳ ଉଠାଇ ମହାମାୟ ଆଜ୍ଞାବ୍ୟଞ୍ଜକ ସ୍ଵରରେ କହିଲେ–“ଅମୃତର ପୁତ୍ର, ଶାନ୍ତ ହୁଅନ୍ତୁ ।” ସାରା ଜନ–ସମ୍ମର୍ଦ ମନ୍ତ୍ରମୁଗ୍ଧଭଳି, ଅଭିଭୂତଭଳି, ଯନ୍ତ୍ରତଭଳି ଶାନ୍ତ ହୋଇଗଲା । ମହାମାୟା ପୁଣି କହିଲେ–“ଅମୃତର ପୁତ୍ର, ସଂଯମ ରଖି କାର୍ଯ୍ୟ କରନ୍ତୁ । ତୁମର ବିଦ୍ଵାନ ନାଗରିକମାନେ ମହାରାଜାଧିରାଜଙ୍କଠାରୁ ନ୍ୟାୟ ପାଇବା ଆଶାରେ ପ୍ରାର୍ଥୀ ହେବାର ସଂକଳ୍ପ କରିଛନ୍ତି । ଆଜି ତାଙ୍କୁ ଅବସର ଦିଅ । କିନ୍ତୁ ଅମୃତର ପୁତ୍ର, ନ୍ୟାୟ ମିଳିଗଲେ ସମସ୍ୟାର ସମାଧାନ ହୋଇଯାଏ ନାହିଁ । ରାଜପୁତ୍ରଙ୍କର ବେତନଭୋଗୀ ସେନା ଦୁର୍ଦ୍ଧର୍ଷ ମ୍ଳେଚ୍ଛବାହିନୀର ସମ୍ମୁଖୀନ ହୋଇପାରିବ ନାହିଁ । ବ୍ରାହ୍ମଣ ହୁଅନ୍ତୁ ବା ଚଣ୍ଡାଳ ହୁଅନ୍ତୁ, ସମସ୍ତଙ୍କୁ ନିଜର ବଧୁ–କନ୍ୟାଙ୍କର ମାନ–ମର୍ଯ୍ୟାଦାପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । ମୁଁ ଭବିଷ୍ୟତକୁ ଦେଖିପାରୁଛି । ଅମୃତର ପୁତ୍ର, ବଡ଼ ଦୁର୍ଘଟ କାଳ ଉପସ୍ଥିତ । ରାଜା, ରାଜପୁତ୍ର ଓ ଦେବପୁତ୍ରଙ୍କ ଆଶାରେ ନିଶ୍ଚେଷ୍ଟ ହୋଇ ରହିବାର ପରିଣାମ ନିଶ୍ଚୟ ପରାଭବ । ପ୍ରଜାଙ୍କ ମଧ୍ୟରେ ମୃତ୍ୟୁର ଭୟ ବ୍ୟାପି ଯାଇଛି, ଏହା ଅଶୁଭର ଲକ୍ଷଣ । ଯଦି ତୁମ୍ଭେମାନେ ଆର୍ଯ୍ୟାବର୍ତ୍ତକୁ ରକ୍ଷା କରିବାକୁ ଚାହଁ, ତା’ହେଲେ ପ୍ରାଣ ଦେବାପାଇଁ ତତ୍ପର ହୁଅ । ଧର୍ମପାଇଁ ପ୍ରାଣ ଦେବା କୌଣସି ଜାତିର ପେଶା ନୁହେଁ, ତାହା ମନୁଷ୍ୟ–ମାତ୍ରର ଶ୍ରେଷ୍ଠ ଲକ୍ଷ୍ୟ । ଅମୃତର ପୁତ୍ର, ଯେଉଁଠାରୁ ହେଉନା କାହିଁକି ନ୍ୟାୟକୁ ନିଜ ପାଖକୁ ଆଣ । ନ୍ୟାୟ ପାଇବା ମନୁଷ୍ୟର ଧର୍ମସିଦ୍ଧ ଅଧିକାର ଓ ତା ନ ପାଇବା ଅଧର୍ମ । ଏ ତତ୍ତ୍ଵ ନ ବୁଝିଲେ ଭାରତବର୍ଷର ଭବିଷ୍ୟତ ଅନ୍ଧକାରରେ ଆଚ୍ଛନ୍ନ । ଅମୃତର ପୁତ୍ର, ମ୍ଲେଚ୍ଛବାହୀନିର ଏହା ପ୍ରଥମ ଥର ଆଗମନ ନୁହେଁ, ଅନ୍ତିମ ଥର ମଧ୍ୟ ନୁହେଁ । ତୁଅର–ମିଳିନ୍ଦ ଓ ଶ୍ରୀହର୍ଷଦେବଙ୍କ ଆଶାରେ ବସି ରହିଲେ ସମ୍ଭବତଃ ଆଜି ଏ ବିପତ୍ତି ଟଳିଯାଇପାରେ; କିନ୍ତୁ କାଲି ଟଳିବ ନାହିଁ । ତୁଅରମିଳିନ୍ଦ ଓ ଶ୍ରୀହର୍ଷଦେବ ଚିରଦିନ ରହିବେ ନାହିଁ । କିନ୍ତୁ ତୁମେ ଚିରଦିନ ରହିବ-। ଅମୃତର ପୁତ୍ର, ମୁଁ ଭବିଷ୍ୟତକୁ ଦେଖିପାରୁଛି । ରାଜା, ମହାରାଜ ଓ ସାମନ୍ତ ସମସ୍ତେ ସ୍ଵାର୍ଥର ଦାସ ହୋଇଯାଉଛନ୍ତି । ପ୍ରଜା ଭୀରୁ ଓ ଭୀତ ହୋଇଯାଉଛନ୍ତି । ବିଦ୍ଵାନ୍ ଓ ଶୀଳବାନ୍ ନାଗରିକଙ୍କ ବୁଦ୍ଧି କୁଣ୍ଠିତ ହୋଇଯାଉଛି । ରାଜା, ପ୍ରଜା, ବିଦ୍ଵାନ୍ ସମସ୍ତେ ଅନ୍ଧହୋଇ–ପଡ଼ିଛନ୍ତି । ଏହା ବଡ଼ ଅଶୁଭ ଲକ୍ଷଣ । ଅମୃତର ପୂତ୍ର, ମୁଁ ଉର୍ଦ୍ଧ୍ୱବାହୁ ହୋଇ ଚିତ୍‍କାର କରୁଛି, ଏହା ଅଶୁଭ ଲକ୍ଷଣ । ନିଜେ ନିଜକୁ ରକ୍ଷା କର, ଧର୍ମରେ ଦୃଢ଼ ରହ, ନ୍ୟାୟପାଇଁ ପ୍ରାଣଦେବାକୁ ଶିଖ, ବ୍ରାହ୍ମଣଠାରୁ ଚଣ୍ଡାଳପର୍ଯ୍ୟନ୍ତ ସମସ୍ତେ ଏକ ହୋଇଯାଅ । ରକ୍ଷା ପାଇବାର ଏହାହିଁ ହେଉଛି ଉପାୟ-। ଅମୃତର ପୁତ୍ର, ରାଜପୁତ୍ରଙ୍କ ବେତନଭୋଗୀ ସେନାଙ୍କର ଆଶା ଛାଡ଼; ମୃତ୍ୟୁର ଭୟ ମାୟା ।” ମନ୍ତ୍ରମୁଗ୍‍ଧଭଳି ଜନତା ଶୁଣି-ଯାଉଥିଲା । ମହାମାୟା ହଠାତ୍ ସେଠାରୁ ବାହାରିଯାଇ ତୀବ୍ର ଗତିରେ ଅନ୍ତର୍ଦ୍ଧାନ ହୋଇଗଲେ । ଦିଙ୍‍ମୂଢ଼ ନାଗରିକମାନେ କିଛି ବୁଝି ପାରିଲେ ନାହିଁ । ସମସ୍ତେ କେବଳ ଏତିକି ଅନୁଭବ କଲେ ଯେ ଅପ୍ରତ୍ୟାଶିତ କିଛି ଘଟିବାକୁ ଯାଉଛି ।

 

ଦେଖୁ ଦେଖୁ ଘଟଣା–ପ୍ରବାହ କେଉଁଠୁ କେଉଁଆଡ଼କୁ ବହିଗଲା । ଇତିମଧ୍ୟରେ ପଶ୍ଚିମ ଆକାଶ ରକ୍ତ–ପୀତ ହୋଇ ରଙ୍ଗ ପରିବର୍ତ୍ତନ କରି ସାରିଥିଲା । ମଧ୍ୟ ଆକାଶରୁ ଅନ୍ଧକାର କଳା ଅଞ୍ଜନଭଳି ବର୍ଷିତ ହେଉଥିଲା ଓ ପୂର୍ବ ଦିଗର ଉଦୟଗିରି ତଟରେ ଅନ୍ତରିତ ଚନ୍ଦ୍ରମାର ଗୁଢ଼–ପାଣ୍ଡୁର କିରଣ ଲକ୍ଷିତ ହେଉଥିଲା । ବୁଝିପାରିଲି, କୌଣସି ଅଜ୍ଞାତ ଅପରାଧ–ଯୋଗୁଁ ଆର୍ଯ୍ୟ ବିରତିବଜ୍ର ଓ ସୁଚରିତା ବନ୍ଦୀ ହୋଇଛନ୍ତି । କିନ୍ତୁ ତାଙ୍କର ଅପରାଧ କ’ଣ ବୁଝିଲି ନାହିଁ । ଉପସ୍ଥିତ ବିଷୟକୁ ଅବହେଳା କରି ଅଧ୍ୟାହୃତ ବିଷୟରେ ଯେ ମହାମାୟା କାହିଁକି ଏଡ଼େ ବଡ଼ ବ୍ୟାଖ୍ୟା ନ ଦେଲେ, ତା ମଧ୍ୟ ବୁଝିଲି ନାହିଁ । ମହାମାୟାଙ୍କର ହଠାତ୍‍ ଆବିର୍ଭାବ ଓ ଅନ୍ତର୍ଦ୍ଧାନରେ ଜନତା ସ୍ତବ୍‍ଧ ହୋଇଯାଇଥିଲା ଓ ଘଟନା–ଚକ୍ରର ତୀବ୍ରଗତି ପରିବର୍ତ୍ତନରେ ମୁଁ କିଂକର୍ତ୍ତବ୍ୟବିମୁଢ଼ ହୋଇପଡ଼ିଥିଲି-। ସେତିକିବେଳେ ଚନ୍ଦ୍ରମାର ଉଦୟଗୁଢ଼ ରଶ୍ମିରେ ପ୍ରାଚ୍ୟଦେଶ ପାଣ୍ଡୁର ହୋଇଗଲା-। ସେହି ମନୋହାରିଣୀ ଶୋଭାକୁ ଦେଖିବାର ଲୋଭ ସମ୍ବରଣ କରିପାରିଲି ନାହିଁ । ପୂର୍ବ–ଆକାଶ ପ୍ରିୟ–ସମାଗମଜନ୍ୟ ଆନନ୍ଦରେ ଉଦ୍‍ଭାସିତ ହୋଇଉଠିଥିଲା । ଉଚ୍ଚ ବୃକ୍ଷଗୁଡ଼ିକର ଶିଖା ଉପରେ ପୀତାଭ ରଶ୍ମିର ସୁନେଲି ଜାଲ ବୁଣି ହୋଇଯାଇଥିଲା ଓ ଦିଗନ୍ତର ପରପ୍ରାନ୍ତ–ପର୍ଯ୍ୟନ୍ତ ଦୀର୍ଘକାର ସୁବର୍ଣ୍ଣ–ଶଳାକରେ ଖଚିତ ନୀଳ ନଭୋମଣ୍ଡଳ କମନୀୟ ଶୋଭାରେ ଉଦୀପ୍ତ ହୋଇଉଠିଥିଲା-। ମୋତେ ଜଣାପଡ଼ିଲା, କେହି ଯେପରି ମୋତେ ଟାଣୁଛି । ଦେଖିଲି ଧାବକ । ଚଟୁଳ ଜୀବନ୍ତ ପରିହାସର ରୂପ । ଚନ୍ଦନର ଅଙ୍ଗରାଗରେ ଉପଲିପ୍ତ ତା’ର ବକ୍ଷଃସ୍ଥଳରେ ମାଳତୀ–ଦାମ ସୁଶୋଭିତ ହେଉଥିଲା, ଭୁଜମୂଳରେ ବକୁଳ–ପୁଷ୍ପର ମନୋହର ବଳୟ ବଡ଼ ସୁକୁମାର ଭଙ୍ଗୀରେ ସଜ୍ଜିତ ହୋଇଥିଲା ଓ ଧୂପିତ କେଶର ପାଶ୍ଚାତ ଭାଗରେ ଦୁର୍ଲଭ ଜାତୀ–କୁସୁମର ଗୁଚ୍ଛ ଅତି ଅଭିରାମ ଦେଖାଯାଉଥିଲା । ପାନ ଖାଇବାରେ ବଡ଼ ନିର୍ଦ୍ଦୟତାର ପରିଚୟ ଦେଇଥିଲା ସେ । ନା ସେ ମୁହଁକୁ ଦୟା ଦେଖାଇଥିଲା ନା ତାମ୍ବୁଳ–ପତ୍ରକୁ । କିନ୍ତୁ ପାନର ଏତେ ପତ୍ର ମିଶି ସୁଦ୍ଧା ତା’ର ବାଗ୍‍ରୋଧ କରିପାରି ନ ଥିଲେ । ମୁହଁକୁ ଉପରକୁ ଉଠାଇ ଅଧରୋଷ୍ଠକୁ ଆକାଶର ସମାନାନ୍ତର କରି ସେ କଥା କହୁଥିଲା । ନିର୍ବାଦ୍ଧ ଅନର୍ଗଳ କବିତ୍ଵ–ଧାରା ଏଭଳି ବର୍ଷିତ ହେଉଥିଲା ସତେ ଯେପରି କୌଣସି ଊର୍ଦ୍ଧ୍ଵମୁଖ ଧାରାଯନ୍ତ୍ର । ମୋର କାନ୍ଧକୁ ହଲାଇଦେଇ ତାମ୍ବୁଳ–ସିକ୍ତ ବାଣୀରେ ସେ କହିଲା–“ଚନ୍ଦ୍ରକୁ ଦେଖୁଛନ୍ତି ଆର୍ଯ୍ୟ ? କଣ କାହାରି ସ୍ମୃତି ମନେ ପଡ଼ିଲା ? ତା’ର ପରିହାସ ଶୁଣି ଚମକି ପଡ଼ିଲି, କାରଣ ସତରେ ଭଟ୍ଟିଣୀଙ୍କର ସ୍ମୃତି ମୋ ମନରେ ଆସିଥିଲା । ସେ କହି–ଚାଲିଲା–“ସତ କଥା କହିବି ମିତ୍ର ? ମୁଁ ଯେତେବେଳେ ପ୍ରାଚୀରେ–ତଟାନ୍ତରିତ ନିଶାନାଥଙ୍କୁ ଦେଖେ, ସେତେବେଳେ ଏଭଳି କୌଣସି ଉଦାସ ପ୍ରିୟାର ସ୍ମୃତି ଜାଗିଉଠେ । ସେ ଉଦାସ ପ୍ରିୟା କିଭଳି କହିବି ? ପ୍ରିୟ ତାର ହୃଦୟର ଅନ୍ତରାଳରେ, ମୁଖ ତା’ର ପାଣ୍ଡୁର ବିୟୋଗ ବ୍ୟଥାରେ ! ତୁମକୁ କେମିତି ଲାଗେ ?” ମୁଁ ରସ ଗ୍ରହଣ କରି କହିଲି–“ଅନୁଭବର କଥା କହୁଛ ନା କଳ୍ପନାର ସଖେ !” ଧାବକ ଉତ୍ତର ଦେଲା, ଅନୁଭବ ତୁମର, କଳ୍ପନା ମୋର । କଣ ସଖା, ଅନ୍ତତଃ ଏତିକି ଭାଗ ତ ମୋତେ ମିଳିବା ଦରକାର । ଶୁଣ, ତମର ସେହି ଉଦାସ ପ୍ରିୟାକୁ ଭେଟିଲାପରେ ଯାହା କହିବ, ତା ତୁମକୁ ଶିଖାଇଦେଉଛି । ଗୁରୁ, ବଡ଼ ବଡ଼ଙ୍କୁ ଶିଖେଇଛି ମୁଁ । ମହାରାଜାଧିରାଜପର୍ଯ୍ୟନ୍ତ ଏ ବିଷୟରେ ମୋର ଚେଲା ।” ମୁଁ କହିଲି–“ଶିଖାଅ ସଖେ ।” ସେ କହିଲା–“ଉତ୍ତାଳ କାହିଁକି ହେଉଛ, କାଲି ଶିଖିନେବ । ବର୍ତ୍ତମାନ ମୁଁ କୁମାର କୃଷ୍ଣଙ୍କର ସନ୍ଦେଶ ଆଣି ତୁମକୁ ଖୋଜିବାକୁ ଆସିଛି । ଏ ନଗରରେ ତୁମକୁ ଯେତେ ଲୋକ ଚିହ୍ନନ୍ତି, ସମସ୍ତଙ୍କୁ ପଠାଯାଇଛି । ସୁଚରିତା ତା’ର ବୟାନରେ କହିଛି ଯେ ତୁମେ ତାକୁ ଚିହ୍ନ ଓ ତୁମ ଉପରେ ତା’ର ଅଗାଧ ଶ୍ରଦ୍ଧା । କୁମାରଙ୍କ ଆଦେଶ ତୁମେ ଶୀଘ୍ର ରାଜକୀୟ ବନ୍ଦୀଶାଳାକୁ ଯାଇ ତାକୁ ରାଜ୍ୟର ଅନୁକୂଳ କରାଅ । ତୁମେ ସେଠାରେ ଯେପରି ନିର୍ବାଧରେ ପହଞ୍ଚିପାର, ତା’ର ବନ୍ଦୋବସ୍ତ ହୋଇସାରିଛି । ଶୀଘ୍ର ତା କର,ନହେଲେ ଅନର୍ଥ ହୋଇଯିବ ।”

 

ଧାବକ ମୋତେ ଭାବିବାପାଇଁ ମଧ୍ୟ ଅବସର ଦେଲା ନାହିଁ । ଦୂରରୁ ଦୁନ୍ଦୁଭିର ଧ୍ୱନି ଶୁଣାଗଲା । ତା’ର ଉଦ୍ଦେଶ୍ୟ ବୁଝାଇଦେଇ ସେ କହିଲା, ‘‘କୁମାର କୃଷ୍ଣବର୍ଦ୍ଧନ ଶାନ୍ତିର ଘୋଷଣା କରୁଛନ୍ତି । ଅବଧୂତ ଅଘୋର ଭୈରବ ଓ ଆର୍ଯ୍ୟ ବେଙ୍କଟେଶପାଦଙ୍କୁ ଫେରାଇ ଦିଆଯାଇଛି । ଏହି ବିକଟ ବ୍ୟବହାର ବିଷୟରେ ଆଜି ମହାରଜାଧିରାଜ, କୁମାର କୃଷ୍ଣ ଓ ପ୍ରଧାନ ଅଧିକରଣିକଙ୍କ ମଧ୍ୟରେ ଦୀର୍ଘକାଳପର୍ଯ୍ୟନ୍ତ ଆଲୋଚନା ଚାଲିଥିଲା ।” ମୁଁ ପଚାରିଲି, ‘‘କେଉଁ ବ୍ୟବହାର ସଖେ ?” ଧାବକ ମୁହଁ କୁଞ୍ଚିତ କରି କହିଲା–“ବ୍ୟବହାର କଣ, ବୁଦ୍ଧିର ଦେଉଳିଆପଣ । ଏ ଯେଉଁ ବିରତି ବଜ୍ର, ସେ କୌଣସି ସମୟରେ ବୌଦ୍ଧ ଭିକ୍ଷୁ ଥିଲା । ଭଲ ଲୋକଟିକୁ କଣ ହେଲା କେଜାଣି ସେ । ବର୍ତ୍ତମାନ ଅଘୋରଭୈରବ ଓ ବେଙ୍କଟେଶ ଭଟ୍ଟଙ୍କ ମୁଠାରେ ଆସି ପଶିଛନ୍ତି । ମନେହୁଏ ଏ ବେଙ୍କଟେଶ ଭଟ୍ଟ ଅତି ଅଦ୍ଭୁତ ଲଫଙ୍ଗା ଲୋକ । ବିରତିବଜ୍ର ଓ ସୁଚରିତାକୁ ଏକସଙ୍ଗେ ନବୀନ ସାଧନ–ମାର୍ଗରେ ଦୀକ୍ଷିତ କରିଛନ୍ତି । ଏ ବ୍ୟାପାରରେ ଏଠିକାର ବୌଦ୍ଧ ବସୁଭୂତି (ଯାହାକୁ ମହାରାଜାଧିରାଜ ମିଛରେ ମୁଣ୍ଡରେ ବସାଇଛନ୍ତି) ଏତେ ବିରକ୍ତ ଯେ ସେ ନିଜର ଶିଷ୍ୟ ଧନଦତ୍ତ ଶ୍ରେଷ୍ଠୀକୁ ଉସକାଇ ଏକ ଜାଲ ପ୍ରସ୍ତୁତ କରିଛି । ଧନଦତ୍ତ କହେ ବିରତିବଜ୍ରର ପିତା ମୃତ୍ୟୁ ପୂର୍ବରୁ ତାଠାରୁ ଏକ ସହସ୍ର ସ୍ଵର୍ଣ୍ଣମୁଦ୍ରା ଋଣ ନେଇଥିଲେ । ଯେତେଦିନ ବିରତିବଜ୍ର ସନ୍ନ୍ୟାସୀ ଥିଲେ, ମୁକ୍ତ ଥିଲେ ଏ ଋଣରୁ । କିନ୍ତୁ ବର୍ତ୍ତମାନ ସେ ସୁଚରିତା ସହିତ ଗୃହସ୍ଥ ବନ୍ଧନରେ ବାନ୍ଧି ହୋଇଥିବାରୁ ସୁଧ ସମେତ ଋଣ ପରିଶୋଧ କରିବା ତାଙ୍କର ଉଚିତ । ସଂକ୍ଷେପରେ ଏହିହିଁ ହେଉଛି ବ୍ୟବହାର । ଏଥିରେ ତୁମେ କଣ କରିବ, ତା’ ତୁମେ ଜାଣ । ମୁଁ ତୁମକୁ ବନ୍ଦୀଶାଳା–ପର୍ଯ୍ୟନ୍ତ ପହଞ୍ଚାଇ ଦେଇ ଅନ୍ୟ କୌଣସି ଦେଶକୁ ଚାଲିଯିବି ।” କିଛି ବୁଝି ପାରୁଥିଲି, ତଥାପି ଆହୁରି ଜାଣିବାପାଇଁ ପଚାରିଲି–“ଏ ମହାମାୟା ଭୈରବୀ ଆଜି କି ଅନର୍ଥ କଲା ସଖେ !” ଧାବକ ହସିଲା, କହିଲା–“ଏ ରାଜଧାନୀ, ମିତ୍ର ! ବହୁତ କିଛି ଦେଖିବ । ଏଠି ବହୁତ କମ୍ ଲୋକେ ମହାମାୟାକୁ ଜାଣନ୍ତି । ମୁଁ ସମାନ–ଭାବରେ ଜାଣେ । ସେ ହେଉଛନ୍ତି ମହାରାଜ୍ଞୀ ରାଜ୍ୟଶ୍ରୀଙ୍କର ସପତ୍ନୀ ।”ନିଦରୁ ଉଠିଲାପରି ଚମକିପଡ଼ି ପଚାରିଲି, ‘‘ସପତ୍ନୀ ?” ଧାବକ ଚେତାଇ ଦେଇ କହିଲା–“ପାଟି କାହିଁକି କରୁଛ, ଏ ନଗରରେ ରାଣୀମାନଙ୍କର ସପତ୍ନୀଙ୍କର ବିଶାଳ ଜଙ୍ଗଲ ରହିଛି–ଜଙ୍ଗଲ !” ମୁଁ ଫିସ୍‍ଫିସ୍‍ କରି କହିଲି, ‘‘ତାହା ହେଲେ କଣ ମହାରାଜାଧିରାଜ ବି......” କଥା ଶେଷ ନ ହେଉଣୁ ଧାବକ କାନରେ ହାତ ରଖି କହିଲା–“ଶାନ୍ତଂ ପାପମ୍ ! ଏ ନଗରରେ ତିନିଜଣ ହେଉଛନ୍ତି ଶୁଦ୍ଧ–ଶୀଳ ବ୍ୟକ୍ତି–ମହାରାଜାଧିରାଜ ଶ୍ରୀହର୍ଷଦେବ, ମହାରାଜ୍ଞୀ ଓ.... ।” ଧାବକ ରହିଯାଇ ମୋତେ ଅନାଇଲା । ମୁଁ ପଚାରିଲି, ‘‘ସେ ତୃତୀୟ ସୌଭାଗୀ କିଏ ସଖେ ?” ସେ ଅତି ଗମ୍ଭୀର ହୋଇ କହିଲା, ‘‘ମହାକବି ଧାବକ,” ଓ ଖଳଖଳ ହୋଇ ହସିଉଠିଲା । ମୁଁ ମଧ୍ୟ ହସି ଉଠିଲି । ସେ ଆହୁରି କେତେ କଣ କହିଗଲା । ମୁଁ କିନ୍ତୁ ମହାମାୟାଙ୍କର ଚିନ୍ତାରେ ଏତେ ନିମଗ୍ନ ଥିଲି ଯେ କିଛି ଶୁଣିପାରିଲି ନାହିଁ । ମହାମାୟାଙ୍କର କଣ ରାଜ୍ୟଶ୍ରୀଙ୍କର ସପତ୍ନୀ ! ଆଜି ସେ ନିଜକୁ ଏ ଦେଶର ଲକ୍ଷ ଲାଂଛିତା ଓ ଅବମାନିତା କନ୍ୟାଙ୍କ ମଧ୍ୟରୁ ଅନ୍ୟତମ ବୋଲି ବର୍ଣ୍ଣନା କଲେ । କି ରହସ୍ୟ ଥାଇପାରେ ? ହାୟ, କି ଦୂର୍ବାର ମନୋବେଦନା ମହାମାୟାଙ୍କୁ ରାଣୀରୁ ସନ୍ନ୍ୟାସିନୀ କରିଦେଲା ! ଭାଗ୍ୟର କି ଦୁର୍ଲଳିତ ପରିହାସ ! ମହାମାୟା ଥିଲେ ପ୍ରଚଣ୍ଡ ପ୍ରତାପଶାଳୀ ମୌଖରୀକୁଳର ରାଜଲକ୍ଷ୍ମୀ । ଏ ଅଗ୍ର–ବୟସରେ ମଧ୍ୟ ତାଙ୍କର ମୁଖମଣ୍ଡଳରୁ ଯେଉଁ ତେଜ ବିନିର୍ଗତ ତାହା ଧାବକର କଥନର ପ୍ରମାଣ । ତା’ ହେଲେ ଧାବକର କଥା ଠିକ୍ । ଆଜି ମହାମାୟା ଯାହା କହିଲେ, ବର୍ଷ ବର୍ଷରୁ ସଞ୍ଚିତ କଟୁତାର ମୂର୍ତ୍ତି ପ୍ରତୀକ ତାହା । ସିଂହିନୀର ଆତ୍ମା ଏପର୍ଯ୍ୟନ୍ତ ରହିଛି, କେବଳ ବେଶ ବଦଳି ଯାଇଛି । କିନ୍ତୁ ଏ ଧାବକ ତ ଅଦ୍ଭୁତ ଲୋକ । କି ରକମ କବି ଏ । ଏତେବଡ଼ କଥାକୁ ଏଭଳି କହିଗଲା ସତେ ଯେପରି ମହାମାୟା ପତିତା ଥିଲେ ଓ ଆହୁରି ପତିତା ହୋଇଯାଇଛନ୍ତି । କିନ୍ତୁ ତା’ର ମୁହଁ କି ନିର୍ବିକାର ! ଆଶ୍ଚର୍ଯ୍ୟ !

 

ବନ୍ଦୀଶାଳା ପାଖରେ ପହଞ୍ଚି ଧାବକ କହିଲା–“ନିଅ ସଖେ, ଦ୍ଵାର ଖୋଲା ରହିଛି । କୁମାରଙ୍କ ଆଦେଶ ପାଳନ କର, ମୁଁ ଚାଲିଲି ।” ବନ୍ଦୀଶାଳାଟି ପଥରରେ ତିଆରି । ଉଚ୍ଚତା ଏତେ କମ୍ ଯେ ଅତି କଷ୍ଟରେ ତା ଭିତରେ ଠିଆ ହୋଇହେବ । ସମଗ୍ର ଭବନଟି ଏକ ବିରାଟ ଗର୍ତ୍ତଭଳି ଲାଗୁଥିଲା । ଦ୍ଵାରପାଖର ଅଶ୍ୱତ୍‍ଥ ବୃକ୍ଷ ଭୟଙ୍କରତାକୁ ଯେପରି ଆହୁରି କିଛି ବଢ଼ାଇ ଦେଇଥିଲା । ପ୍ରହରୀମାନେ ମୋ ନାମ ପଚାରି ଦ୍ଵାର ଖୋଲିଦେଲେ । ଭିତରକୁ ଯାଇ ଗୋଟିଏ ବଡ଼ ଅଗଣାରେ ପହଞ୍ଚିଲି । ଅଗଣାର ଚାରିପଟେ ଛୋଟ ଗୁହାକୃତି କୋଠରୀମାନ । ଗୋଟିଏ ଦ୍ଵାର ପାଖକୁ ମୋତେ ନିଆଗଲା । ଦ୍ଵାରଟି ଖୋଲାହେବା ମାତ୍ରେ ଚନ୍ଦ୍ରମାର ଜ୍ୟୋତ୍ସ୍ନାରେ ଛୋଟ ଘରଟି ଉଦ୍‍ଭାସିତ ହୋଇଉଠିଲା । ଆଲୋକ ବା ପବନ ଯିବାର କୌଣସି ମାର୍ଗ ନ ଥିଲା ସେଥିରେ । କୁଟ୍ଟିମଭୂମି ପଥରରେ ପିଟା ହୋଇଥିଲା । କିନ୍ତୁ ଏକପ୍ରକାର ଦୁର୍ଗନ୍ଧରେ ସାରା କକ୍ଷ ଅସହ୍ୟ ମନେ ହେଉଥିଲା । ସୁଚରିତା ନିବାତ–ନିଷ୍କମ୍ପ ଦୀପଶିଖା ଭଳି ପଦ୍ମାସନରେ ବସିଥିଲା ସେ ଘର ଭିତରେ-। ଦ୍ଵାର ଖୋଲିବା ଶବ୍ଦରେ ତା’ର ଧ୍ୟାନ ଭଙ୍ଗ ହୋଇଥିବ । କେବଳ ଗ୍ରୀବାକୁ ଈଷତ୍ ବକ୍ର କରି ସେ ଆମକୁ ଅନାଇଲା । ପ୍ରହରୀ ମୋ ନାମ କହି ପରିଚୟ ଦେଲା । ସୁଚରିତାର ଆଖି ବିସ୍ଫାରିତ ହୋଇଗଲା ଆଶ୍ଚର୍ଯ୍ୟରେ । ସେ ବଡ଼ କଷ୍ଟରେ ବିଶ୍ୱାସ କଲା ଯେ ପ୍ରହରୀ ସତ୍ୟ କହୁଛି । କ୍ଷଣକ ମଧ୍ୟରେ ତା’ର ମୁଖମଣ୍ଡଳ ଆନନ୍ଦର ଜ୍ୟୋତିରେ ଉଦ୍‍ଭାସିତ ହୋଇଗଲା । ଏକ ତରଳ ସୌନ୍ଦର୍ଯ୍ୟ–ଧାରାରେ ସାରା କୁଟ୍ଟିମ ପ୍ଳାବିତ ହେଲାଭଳି ହୋଇଗଲା । ସୁଚରିତା ଉଠିବାପାଇଁ ଚେଷ୍ଟାକଲା କିନ୍ତୁ ତାହାର ହାତ ଓ ପାଦ ଲୌହଶୃଙ୍ଖଳରେ ବନ୍ଧା ଥିବାରୁ ଉଠିପାରିଲା ନାହିଁ । ତାର ସେ କାତରତାଯୋଗୁଁ ଦୁଃଖିତ ହେଲି । ଆହା, କି କରୁଣ–ମନୋହର ମୁଖ ! ଅଧରରେ ମନ୍ଦ ସ୍ମିତରେଖା, ବ୍ୟାକୁଳ କେଶଜାଳ ଇତସ୍ତତଃ ବିକ୍ଷିପ୍ତ । କାନ୍ଧ ଝାଡ଼ି ସେହି ଅସଂଯତ ରୂପକୁ ଈଷତ୍ ସଂଯମିତ କରିବାକୁ ପ୍ରୟାସ କରୁଥିଲା ସେ । ସୀମନ୍ତ–ଶୋଭୀ ଅବଗୁଣ୍ଠନ ପଡ଼ିଥିଲା ପିଠି ଉପରେ କିନ୍ତୁ ହାତ ବନ୍ଧା ହୋଇଥିବାଯୋଗୁଁ ସେ ତାକୁ ଯଥାସ୍ଥାନରେ ରଖିପାରୁ ନ ଥିଲା । ତାହାର ସେହି କରୁଣ ମନୋଭାବକୁ ପ୍ରହରୀର ପ୍ରସ୍ତର–କଠୋର ହୃଦୟ ମଧ୍ୟ ବୁଝିପାରିଲା । ସେ ଯାଇ ଶୀଘ୍ର ଜଣେ ବୃଦ୍ଧାଙ୍କୁ ଡାକିଆଣିଲା । ବୃଦ୍ଧା ତା’ର ସୀମନ୍ତ ଢାଙ୍କିଦେଲେ । ସୁଚରିତା ବଡ଼ କଷ୍ଟରେ ହସିକରି କହିଲା–“ଅସ୍ଥାନରେ ଆର୍ଯ୍ୟଙ୍କୁ ପ୍ରଣାମ କରିବାକୁ ବି ଲଜ୍ଜା ଅନୁଭବ କରୁଛି । ଅବିନୟ କ୍ଷମା କରିବେ, ଏହାହିଁ ନାରାୟଣଙ୍କର ପ୍ରସାଦ ।” ମାତ୍ର କ୍ଷଣକପାଇଁ ତା’ର ମୁହଁ ବିବର୍ଣ୍ଣ ହୋଇଗଲା-। କିନ୍ତୁ ଶୀଘ୍ର ନିଜକୁ ସଂଯତ କରି ନେଇ କହିଲା–“ଯେଉଁଥିରେ ତାଙ୍କୁ ଆନନ୍ଦ ମିଳବ, ତାହାହିଁ କର୍ତ୍ତବ୍ୟ ।” ପୁଣି କ୍ଷଣକପାଇଁ ଅଭିଭୂତ ହେଲାଭଳି ନିସ୍ତବ୍ଧ ହୋଇ ବସିରହିଲା । କେବଳ ଅଧୋରୋଷ୍ଠ ରହି ରହି ସ୍ପୁରିତ ହେଉଥିଲା ସତେ ଯେପରି କୌଣସି ଅଦୃଶ୍ୟ ବ୍ୟକ୍ତିଙ୍କୁ ଅଜ୍ଞାତ ଭାଷାରେ କିଛି କହୁଛି । ସହସ୍ର ଧାରାରେ ବହିଯିବାପାଇଁ ଆତୁର ହୋଇଉଠିଲା ମୋର ହୃଦୟ । କିପରି କହିବି ଦେବି, ବାଣଭଟ୍ଟ ତୁମର ସମୁଦାୟ କଷ୍ଟକୁ ନିଜ ଉପରେ ନେବାପାଇଁ ପ୍ରସ୍ତୁତ ! ହାୟ, ଏହା କଣ ସମ୍ଭବ ? କେଉଁ କୂଟନୀତି ଏ ପଦ୍ମ–ପୁଷ୍ପକୁ ଲୌହଶୃଙ୍ଖଳରେ ବନ୍ଧନ କରିଛି, କେଉଁ ପାପ–ବୁଦ୍ଧି ଏ ନବୀନ–ପିଣ୍ଡକୁ ମୁଞ୍ଜ–ତନ୍ତୁରେ ଦୃଢ଼ କରି ଧରିଛି, କେଉଁ କଳୁଷ ଜୀବ ଏହି ମାଳତୀମାଳାକୁ ତପ୍ତ ଅଙ୍ଗାର ଉପରେ ପିଟି ଦେଇଛି ? କିପରି କହିବି ଦେବି, ତୁମର ଏ କଷ୍ଟ ଓ ବେଦନାକୁ ସଂପୂର୍ଣ୍ଣରୂପେ ନିଜ ଉପରେ ନ ନେଲେ ଏ ଅକିଞ୍ଚନର ଜୀବନ ଭାର ହୋଇରହିବ । କିନ୍ତୁ ସୁଚରିତା ନିର୍ବାକାର । ନାରାୟଣଙ୍କ ପ୍ରସାଦ ମନେ କରି ସମସ୍ତ କ୍ଲେଶକୁ ସେ ଆନନ୍ଦରେ ସ୍ୱୀକାର କରିନେଇଥିଲା ।

 

ଚନ୍ଦ୍ରମା କିଛି ଉପରକୁ ଉଠିଆସିଥିଲେ । ମନେ ହେଉଥିଲା, ମହାବରାହ ଧରିତ୍ରୀକୁ ନିଜର ଦନ୍ତ ଉପରେ ରଖି କ୍ଷୀରସାଗରରୁ ହଠାତ୍ ନିର୍ଗତ ହୋଇଛନ୍ତି ଓ ସମସ୍ତ ଭୁବନ–ମଣ୍ଡଳ ସେହି ଊର୍ଦ୍ଧ୍ୱୋତ୍‍କ୍ଷିପ୍ତ କ୍ଷୀର ଧାରାର ପ୍ଲାବନରେ କ୍ଷୀରମୟ ହୋଇଯାଇଛି । ସୁଚରିତାର ଛୋଟ ବନ୍ଦୀ–ଗୃହଟିଏ ଧବଳ ଧାରାରେ ଜଣାପଡୁଥିଲା ସତେ ଯେପରି କ୍ଷୀରସାଗର ଭିତରେ ସନ୍ତରଣ କରୁଥିବା କୌଣସି ଜଳକୁକୁଟ । ସେହି ଧବଳିମା ମଧ୍ୟରେ ତୁଷାର–ଶୋଭୀ କୈଳାସର ଶୃଙ୍ଗ ଉପରେ ବସିଥିବା ପାର୍ବତୀଙ୍କ ପରି ମନୋହର ଦେଖାଯାଉଥିବା ସୁଚରିତା । ମୁଁ କାତର କଣ୍ଠରେ ପଚାରିଲି–“ଦେବି, ଅବିନୟ କ୍ଷମା କରିବେ । ସବୁକିଛି ଜାଣିବାପାଇଁ ମୁଁ ଏଠାକୁ ଆସିଛି । କିଛି ଭଲ କରିବାର ନିମିତ୍ତ ହୋଇପାରେ ମୁଁ । ଯଦି କହନ୍ତି ତ କୃତାର୍ଥ ହେବି ।” ସୁଚରିତାର ଶୀର୍ଣ୍ଣ ମନୋହର ମୁଖମଣ୍ଡଳ ପୁଣି ଥରେ ଆନନ୍ଦର ଦୀପ୍ତିରେ ଶୋଭିତ ହୋଇଉଠିଲା । ସେ କହିଲା–“ଆର୍ଯ୍ୟ, ମୋତେ ଅକାରଣ ଲଜ୍ଜା ଦେଉଛନ୍ତି । ମୁଁ ଅତି ଅକିଞ୍ଚନ । ରାଣୀଙ୍କ ସମ୍ମାନ ଦେଇ ମୋତେ ସମ୍ବୋଧନ କରିବାରେ କି ଆବଶ୍ୟକତା ? ମୋର କୌଣସି କଥା ଲୁଚି ରହିନି । ପାପ ବା ପୁଣ୍ୟ, ଧର୍ମ ବା ଅଧର୍ମ, ଯାହା କିଛି ମୋଦ୍ଵାରା ହୋଇଛି, ତାହା ମୁଁ ନାରାୟଣଙ୍କୁ ଅର୍ପଣ କରି–ଦେଇଛି । ମୋର କୌଣସି କଥା ଗୋପନୀୟ ହୋଇ ନାହିଁ, ଆର୍ଯ୍ୟ ! ଆଜ୍ଞା ଦିଅନ୍ତୁ, କଣ କହିବି-?” ଅନୁକମ୍ପିତ ବାଣୀରେ କହିଲି–“ଏ ବ୍ୟବହାରର ମୂଳ କ’ଣ ଓ ଆର୍ଯ୍ୟ ବିରତିବଜ୍ରଙ୍କ ବ୍ୟବହାରପାଇଁ ଆପଣଙ୍କୁ କାହିଁକି ବନ୍ଦୀ କରାଯାଇଛି ?” ସୁଚରିତାର ଅଧରୋଷ୍ଠରେ ଏକ ସୂକ୍ଷ୍ମ ସ୍ମିତରେଖା ଖେଳିଗଲା, ଆଖି ତା’ର ତଳକୁ ନଇଁଗଲା । ଆକୁଞ୍ଚନ–ପ୍ରସାରଣ–କ୍ରିୟା କିନ୍ତୁ ଚାଲିଥିଲା ଭ୍ରୂକୁଟିରେ । ମୋତେ ଅନାଇବାକୁ ଚାହୁଁଥିଲା ସେ, କିନ୍ତୁ ଏକ ସରସ ବ୍ରୀଡ଼ାର ଭାରରେ ତାର ପଲକ ଉଠିପାରୁ ନ ଥିଲା । ଧିରେ ଧିରେ କହିଲା–“ତା’ହେଲେ, ଆର୍ଯ୍ୟ ଆଦ୍ୟୋପ୍ରାନ୍ତ ଶୁଣିବାକୁ ଚାହାନ୍ତି ?” ମୁଁ ବିନୟଭାବରେ ଉତ୍ତର ଦେଲି–“ଯେତେ ଶୁଣିବାର ମୁଁ ଅଧିକାରୀ ହୋଇପାରେ, ସେତିକି ଶୁଣିବାକୁ ଚାହୁଁଛି ।” ସୁଚରିତାର ଝୁଙ୍କି ପଡ଼ିଥିବା ନୟନ–ଦେଶରେ ଏକ ଅପୂର୍ବ–ରସ ମାଧୁରୀ ତରଙ୍ଗୀତ ହେଉଥିଲା । କାନ୍ଧ ଝାଡ଼ି ପୁଣି ଥରେ ନିଜର କେଶକୁ ସଂଯତ କରି ସେ କହିଲା–‘‘ଶୁଣନ୍ତୁ ।”

 

ସେ ଧୀରେ ଧୀରେ କହିବାକୁ ଆରମ୍ଭ କଲା–ମୋତେ ନିଜର କାହାଣୀ ମଝିରୁ ହିଁ ଶୁଣାଇବାକୁ ପଡ଼ିବ । ବସ୍ତୁତଃ ବାଲ୍ୟାବସ୍ଥା ସମ୍ବନ୍ଧରେ ମୋର କିଛି ମନେ ନାହିଁ । ମାତା କିମ୍ବା ପିତା, କାହାରି କଥା ସ୍ମରଣ ନାହିଁ । ଅତି ଛୋଟ ବୟସରେ ମୋର ବିବାହ ଦେଇ ମୋ ଅଭିଭାବକ–ମାନେ ଯଥା ଶୀଘ୍ର ନିଜର କର୍ତ୍ତବ୍ୟ ସମ୍ପନ୍ନ କରିଥିଲେ । ଶ୍ଵଶୁରକୁଳରେ ମୁଁ କେବଳ ନିଜର ଶାଶୁଙ୍କୁ ଜାଣେ । ମୋ ଆସିବା ପୂର୍ବରୁ ଶ୍ଵଶୁରଙ୍କର ମୃତ୍ୟୁ ହୋଇଥିଲା ଓ ମୋର ଆସିବାର ଅଳ୍ପଦିନପରେ ପତି ଦେବତା ମୋକ୍ଷ ଚିନ୍ତାରେ ପ୍ରବ୍ରଜିତ ହୋଇଗଲେ । ମୁଁ ଏତେ ଅବୋଧ ଥିଲି ଯେ ଏସବୁର କୌଣସି ତାତ୍ପର୍ଯ୍ୟ ବୁଝିପାରିଲେ ନାହିଁ । ଶାଶୁ ମୋତେ ନିଜ ହୃଦୟର ସମସ୍ତ ସ୍ନେହ ଦେଇ ପାଳିଲେ । କ୍ରମଶଃ ଦିନେ ମୁଁ ଅକାରଣ ନିଜ ବିଷୟରେ ସଚେତ ହୋଇଗଲି । ବସନ୍ତକାଳରେ ମଧୁମାସ, ମଧୁମାସରେ ପଲ୍ଲବରାଜି, ପଲ୍ଲବରାଜିରେ ପୁଷ୍ପସମ୍ଭାର, ପୁଷ୍ପସମ୍ଭାରର ଭ୍ରମରାବଳୀ ଓ ଭ୍ରମରାବଳୀରେ ମନ୍ଦାବସ୍ଥା ଯେପରି ବିନା ଆମନ୍ତ୍ରଣରେ ଆସି ଉପସ୍ଥିତ ହୁଏ, ସେହିଭଳି ମୋ ଶରୀରରେ ଯୌବନର ପଦାର୍ପଣ ହେଲା । ମୋର ଶାଶୁ ତୀର୍ଥ–ଯାତ୍ରା କରିଗଲେ । ମୁଁ ନାନା ସ୍ଥାନରେ ବୁଲି ବୁଲି ଏକ ଅନ୍ତର୍ନିହିତ ଅଭାବର ଉଦାସୀନତାରେ ବୁଡ଼ିରହିଲି । ସ୍ଥାଣ୍ୱୀଶ୍ଵରର ହେଉଛି ମୋ ଶ୍ଵଶୁରଙ୍କର ନିବାସ ସ୍ଥାନ । ମୋ ଶାଶୁ ଅନ୍ତିମ ବୟସରେ ଏଇଠି ରହୁଥିଲେ । ତା ପୂର୍ବରୁ ସେ ତୀର୍ଥଯାତ୍ରାପାଇଁ କାଶୀ ଯାଇଥିଲେ । ଦିନେ କାଶୀର ପାର୍ଶ୍ୱବର୍ତ୍ତୀ ଜନପଦରେ ଗଲାବେଳେ ଶିଶୁ ଜାଣିପାରିଲେ ସେ ଜଣେ ଅତି ସୁନ୍ଦର ପ୍ରଭାବଶାଳୀ ବ୍ରାହ୍ମଣ ଯୁବକ ‘କଥା’ ବ୍ୟାଖ୍ୟାନ କରୁଛି । ତାର ମୋହକ–ଶୈଳୀ, ଶ୍ରୁତିମଧୁର ପଦ–ବିନ୍ୟାସ, ହୃଦୟହାରୀ ଉପସ୍ଥାପନା ଯୋଗୁଁ ଜନପଦରେ ଅଭୁତପୂର୍ବ ଧାର୍ମିକ ଉତ୍ସାହର ସଂଚାର ହୋଇଥିଲା । ଆମେ ମଧ୍ୟ ‘କଥା’ ଶୁଣିବାପାଇଁ ଗଲୁ । କଥା ସମାପ୍ତ ହେଲାପରେ ମୋ ଶାଶୁ ଯଥାନିୟମ ସେହି ତରୁଣ ପଣ୍ଡିତଙ୍କୁ ମୋ ହାତ ଦେଖାଇଲେ ଓ ତାଙ୍କର ପୁତ୍ର କେବେ ଫେରିଆସିବ ବୋଲି ପ୍ରଶ୍ନ କଲେ । ସତ କହୁଛି ଆର୍ଯ୍ୟ, ସେ ଦିନ ମୋର ଅସ୍ଥିତ୍ଵ ସୀମା ଭାଙ୍ଗି ବାହାରିଆସିଲା, ମୋର ସାରା–ଶରୀର ରୋମାଞ୍ଚ କଣ୍ଟକିତ ହୋଇଉଠିଲା ଓ ଲଜ୍ଜାର ବେଗଯୋଗୁଁ କରତଳରେ ସ୍ଵେଦ–ଧାରା ବହିଗଲା । ମୁଁ ପ୍ରଥମଥର ଅନୁଭବ କଲି ନିଜେ ନିଜେ ମୁଁ ଅପୂର୍ଣ୍ଣ । ଯେଉଁ ଅଭାବ ମୋର ଅନ୍ତଃସ୍ଥଳକୁ ସ୍ପର୍ଶ କରିଗଲା, ତାହା ଜୀବନରେ ଏକ ବଡ଼ ବରଦାନ ବୋଲି ପ୍ରମାଣିତ ହେଲା । ସେ ବ୍ରାହ୍ମଣ ମୋର ସ୍ଵେଦଯୁକ୍ତ କରତଳକୁ ଅଧିକ ନଦେଖି କେବଳ ମନ୍ଦ ସ୍ମିତରେ ସହଜଭାବରେ କହିଲେ–“ଦେବି, ତୁ ଅଖଣ୍ଡ ସୌଭାଗ୍ୟବତୀ” ଏବଂ ମୋ ଶାଶୁଙ୍କୁ ଆଶ୍ଵାସନା ଦେଲେ । ହୃଦୟରେ ଆଶାର ଏକ କ୍ଷୀଣ ଅଙ୍କୁର ଜାତ ହେଲା ସେ ଦିନ । ମୋର ନୂଆ ଜନ୍ମ ହେଲା ଯେପରି, କାରଣ ସେଦିନ ପ୍ରଥମ ଥରପାଇଁ ବୁଝିଲି ଯେ ଦୁନିଆରେ ମୁଁ ଏକ ସ୍ଵତନ୍ତ୍ର ପିଣ୍ଡ ନୁହେଁ ବରଂ ଦୁର୍ବାର ଆକ୍ରମଣ ଭିତରେ ମୁଁ ଯେପରି ଜଡ଼ି ହୋଇଯାଇଛି । ତୁମେ ମୋ କଥା ବିଶ୍ଵାସ କରୁଛ ନା, ଆର୍ଯ୍ୟ !”

 

ସୁଚରିତାର ଏ ଅନାବଶ୍ୟକ ପ୍ରଶ୍ନର କାରଣ ମୁଁ ବୁଝିଲି ନାହିଁ । ହୁଏତ ଅନେକ ଲୋକ ତାର ଏ କାହାଣୀରେ ସନ୍ଦେହ ପ୍ରକାଶ କରିଛନ୍ତି କିମ୍ବା ତାର ସ୍ଵୟଂ ମୋ ଉପରେ ବିଶ୍ଵାସ ନ ଥିଲା କିନ୍ତୁ ବାରାଣସୀ ଜନପଦର ସେହି ବୃଦ୍ଧାଙ୍କ କଥା ମୋର ହଠାତ୍ ମନେ ପଡ଼ିଗଲା । ସେଦିନ ଅତି ଆଗ୍ରହରେ ନିଜର ବୋହୂର ହାତ ଦେଖାଇଥିଲେ ସେ ଓ ତାଙ୍କର ପୁଅ କେବେ ଫେରିବ ତାହା ଜାଣିବାକୁ ଚାହିଁଥିଲେ । ସେହି ବଧୂ କଣ ସୁଚରିତା ? ସୁଚରିତା କିଛି ସମୟ ମୋତେ ଅନାଇ ରହି ପୁଣି ଆରମ୍ଭ କଲା–“ହଁ ଆର୍ଯ୍ୟ, ବ୍ରାହ୍ମଣ ଯୁବାଙ୍କର ଭବିଷ୍ୟତବାଣୀ ସତ୍ୟସିଦ୍ଧ ହେଲା ମୁଁ ଅଖଣ୍ଡ ସୌଭାଗ୍ୟବତୀ ହୋଇ ବାହାରିଲି । ସେହି କାହାଣୀ ମୁଁ ଆର୍ଯ୍ୟଙ୍କୁ ଶୁଣାଇବାକୁ ଯାଉଛି । ଶାଶୁଙ୍କ ସଙ୍ଗେ କାନ୍ୟକୁବଜଆଡ଼େ ଫେରୁଥିଲି । ସେତେବେଳେ ଚୈତ୍ରମାସ–ସରୋବରରେ ନୂତନ ପଦ୍ମଫୁଲର ସମ୍ଭାର ଆମ୍ବର କୋମଳ କଳିକା ଉତ୍ସୁକ ଚିତ୍ତକୁ ଆହୁରି ଉତ୍ସୁକ କରୁଥିଲା । ମଦମତ୍ତ କାମିନୀଙ୍କର ଗଣ୍ଡୁସ–ଜଳ ସିଞ୍ଚିତ ହେବାଫଳରେ ବକୁଳ–ପୁଷ୍ପ ପୁଷ୍ପିତ ହେଉଥିଲା । ବାମପାଦର ନୂପୁରମୟ ଚରଣ–ତାଡ଼ନାରେ ଅଶୋକକୁ ପୁଷ୍ପିତ କରିବାର ଅହମିକା ଆସିଥିଲା କିଶୋରୀଙ୍କର । ସହକାର–ତରୁ ଉପରକୁ ଉଠିଥିଲେ ଝଙ୍କାର ମୁଖର ଭ୍ରମରଗଣ । ଅବିରଳ–ନିପତିତ କୁସୁମ–ଧୂଳିର ଧବଳିମାରେ ଧରୀତ୍ରୀ ଆଚ୍ଛାଦିତ ହୋଇଯାଇଥିଲା । ପୁଷ୍ପ–ମଧୂପାନ–ମତ୍ତ ଭ୍ରମର ଝୁଲୁଥିଲେ ଲତାରେ । ଉତ୍‍ଫୁଲ୍ଲ କୋକିଳ ନିଜ ତାନରେ ଅନୁରାଗୀମାନଙ୍କର ହୃଦୟ ଖଣ୍ଡିତ କରି ଶରୀରହୀନ ଦେବତାର ଶାସ୍ତ୍ରଗାରରେ ଅୟୁତ ନବଅସ୍ତ୍ର ଭରି ଦେଉଥିଲା । ଚିତ୍ରକୂଟର ଏକ ସରୋବର–ତଟରେ ସ୍ନାନ କରିବାପାଇଁ ମୁଁ ଶାଶୁଙ୍କ ସହିତ ଗଲି । ପ୍ରସିଦ୍ଧି ଅଛି ଯେ ସରୋବରରେ ସ୍ନାନ କଲେ ସ୍ତ୍ରୀମାନଙ୍କର ସୌଭାଗ୍ୟ ଯୁଗାନ୍ତପର୍ଯ୍ୟନ୍ତ ଅଟଳ ରହେ । ଏକ ଘନଚ୍ଛାୟା ବୃକ୍ଷ–ସଙ୍କୁଳ ପ୍ରଦେଶରେ ଥିଲା ସରୋବରଟି । ତଟରେ ତାର ଜମାଟ ବାନ୍ଧିଥିବା ଜୀର୍ଣ୍ଣପତ୍ର ଓ ପୁଷ୍ପରାଶି । ଭ୍ରମର–ଭାରରେ ଉତ୍‍ଫୁଲ୍ଲ ପୁଷ୍ପର ପରାଗ ବକ୍ର ହୋଇ ତଟ–ପ୍ରଦେଶକୁ ସ୍ୱର୍ଣ୍ଣିମ କରିଦେଇଥିଲା । କୁମୁଦ, କମଳ, ଉତ୍ପଳ ଓ ଶତଦଳରେ ପରିପୂର୍ଣ୍ଣ ଥିଲା ସରୋବରଟି । ଏକ ଛୋଟ ଆମ୍ର–କାନନ ତାର ପ୍ରାନ୍ତରରେ । ଉନ୍ମତ୍ତ କୋକିଳର ନଖାଗ୍ରରେ ବିଦୀର୍ଣ୍ଣ ହୋଇଥିଲା ମଞ୍ଜରୀ–ନାଳ ଓ ନିରନ୍ତର ମଧୁ କ୍ଷରିତ ହେଉଥିଲା ସେଥିରୁ । ସରୋବରର ଅନ୍ୟ ପ୍ରାନ୍ତରେ ଥିଲା ଏକ କ୍ଷୁଦ୍ର ଚନ୍ଦନ–ବୀଥିକା-। ସରୋବରର ତୀରବର୍ତ୍ତୀ ବୃକ୍ଷତଳେ ଝଡ଼ି ପଡ଼ିଥିବା କୁସୁମ–ରେଣୁ ଉପରେ କଳହଂସ–ମିଥୁନ ବିଚରଣ କରିଥିଲେ ଓ ତାଙ୍କର ପଦଚିହ୍ନରେ ବହୁଧା ବିକୀର୍ଣ୍ଣ ସେହି ରେଣୁ–ପଟଳ ଚିତ୍ର–ଖଚିତ ବାସନ୍ତୀ ଦୁକୂଳଭଳି ବନସ୍ଥଳୀ ରୂପୀ ଅରଣ୍ୟ ସୁନ୍ଦରୀର ଶୋଭାକୁ ଶତଗୁଣ ବିବୃଦ୍ଧ କରୁଥିଲା । ମୋ ଶାଶୁ ଜଳସ୍ପର୍ଶ କରି ଗଦ୍‍ଗଦ୍‍ କଣ୍ଠରେ କଣ ପ୍ରାର୍ଥନା କଲେ ଓ ପୁଣି ଧ୍ୟାନମଗ୍ନ ହୋଇ ଜପ କରିବାରେ ଲାଗିଲେ । କିଛି ସମୟ ପର୍ଯ୍ୟନ୍ତ ସରୋବରର ଶୋଭାକୁ ଅନାଇ ମୁଁ ମୁଗ୍ଧଭଳି ବସିରହିଲି । ତା’ପରେ ଧୀରେ ଧୀରେ ଆମ୍ରବନ ଆଡ଼କୁ ଅଗ୍ରସର ହେଲି । ଏକ ଅକାରଣ କୌତୁହଳ ଭାବର ଜାତ ହୋଇଥିଲା ମନରେ । ଏ ହତହୃଦୟ ବଡ଼ ଦୁର୍ବାର ଆଶାବାଦୀ, ଆର୍ଯ୍ୟ ! ମୋର ମନେ ହେଉଥିଲା, ସତେ ଯେପରି କେହି ବଳତ୍କାରରେ ମୋତେ ଟାଣି ନେଉଛି, ସତେ ଯେପରି ଯେଉଁ ବସ୍ତୁର ଅଭାବରେ ମୁଁ ଉନ୍ମନା ହୋଇଯାଇଛି ସେ ବସ୍ତୁ ନିଶ୍ଚୟ ପ୍ରାପ୍ତ ହେବ ସେଠାରେ । ଆମ୍ରବନ ଭିତରୁ ଏକ ତରୁଣ ତାପସ ସ୍ନାନପାଇଁ ସରୋବର ଆଡ଼କୁ ଆସୁଥିଲେ । କଣ ଦେଖିଲି ଆର୍ଯ୍ୟ ? ଶିବଙ୍କର ତୃତୀୟ ନୟନର ବହ୍ନି ଶିଖାରେ ନିଜର ମିତ୍ରକୁ ଭସ୍ମ ହେବାର ଦେଖି ବସନ୍ତହିଁ ବୈରାଗ୍ୟ ଗ୍ରହଣ କରିଥିଲା ଅଥବା ମହାଦେବଙ୍କ ଶିରସ୍ଥିତ ଚନ୍ଦ୍ରହିଁ ନିଜର ମଣ୍ଡଳ ପୂର୍ଣ୍ଣ କରିବାପାଇଁ ତପସ୍ୟା ଆରମ୍ଭ କରିଥିଲା କିମ୍ବା ସ୍ଵୟଂ କାମଦେବ ଶିବଙ୍କୁ ପ୍ରସନ୍ନ କରିବାପରେ ନିଜର ପାପର ପ୍ରାୟଶ୍ଚିତ ପାଇଁ ଏ କଠୋର ତପସ୍ୟା ଆରମ୍ଭ କରିଥିଲେ ? ସେହି ମୁନିକୁମାରଙ୍କର ବିପୁଳ ତେଜସ୍ଵିତା ଦେଖି ମନେ ହେଲା, ସତେ ଯେପରି ସେ ଚଞ୍ଚଳ ବିଦ୍ୟୁତ୍‍ପୁଞ୍ଜ ମଧ୍ୟରେ ବିରାଜିତ ହୋଇଛନ୍ତି କିମ୍ବା ଗ୍ରୀଷ୍ମକାଳୀନ ସୂର୍ଯ୍ୟ–ମଣ୍ଡଳ ମଧ୍ୟରେ ପ୍ରବିଷ୍ଟ ହୋଇଛନ୍ତି ଅଥବା ଅଗ୍ନି–ଶିଖା ମଧ୍ୟରେ ଶୋଭମାନ ହୋଇଛନ୍ତି । ପ୍ରଦୀପର ପ୍ରକାଶ ସମ ପିଙ୍ଗଳବର୍ଣ୍ଣର ଘନ–ତରଳ ଦେହ–ପ୍ରଭାଦ୍ଵାରା ସେ ସମୁଦାୟ ବନକୁ ପିଙ୍ଗଳବର୍ଣ୍ଣର ଛଟାରେ ଉଦ୍‍ଭାସିତ କରୁଥିଲେ । ତାଙ୍କର ଦୀର୍ଘ ନୟନ ଦେଖି ମନେ ହେଲା, ବନର ହରିଣଗୁଡ଼ିକ ଯେପରି ନିଜର ନୟନ–ଶୋଭା ଦାନ କରି ଦେଇଛନ୍ତି । ତାଙ୍କର କେଶବିହୀନ ମୁଣ୍ଡିତ ମସ୍ତକ ତଳେ ବୈରାଗ୍ୟର ବିଜୟ–କେତନ ସମ ତ୍ରିରେଖା ତରଳ ଦେହଛଟା ଭୀତରୁ ଯେପରି ଲହରୀ ଭାଙ୍ଗି ବାହାରି ଆସୁଥିଲା ! ଲାଲ କୌଶେୟ ବସ୍ତ୍ର ଏକବିଚିତ୍ର ଚୀବର ଧାରଣ କରିଥିଲେ ସେ ଏବଂ ତାହା ଦେଖି ମନେ ହେଲା ନବ ଯୌବନରାଗ ହୃଦୟରେ ଜଡ଼ି ଯାଇ ନ ପାରି ବସ୍ତ୍ର ପର୍ଯ୍ୟନ୍ତ ଫୁଟିଆସିଛି । ତାଙ୍କର ଗୋଟିଏ ହାତରେ ଥିଲା ବୃନ୍ତସମନ୍ୱିତ ବକୁଳ–ଫଳ ଆକାରର କମଣ୍ଡଳୁ ଓ ଅନ୍ୟ ହାତରେ ଥିଲା ଲାଲ ଲାଲ ଛୋଟ ଜପାମାଳା ଯାହା ମଦନ–ଦାହର ଶୋକରେ ବ୍ୟାକୁଳ ଓ ରତି ଦେବୀଙ୍କ ସିନ୍ଦୁରରେ ଉପଲିପ୍ତ ହେଲାଭଳି ଦେଖାଯାଉଥିଲା । ଆଗୁଲ୍‍ଫ ରକ୍ତ ଚୀବରରେ ସମାଚ୍ଛାଦିତ ସେହି ତରୁଣ ତପସ୍ଵୀଙ୍କୁ ଦେଖି ମୁଁ ମନ୍ତ୍ରମୁଗ୍‍ଧଭଳି ଠିଆ ହୋଇଗଲି । କିଏ ଏହି ବ୍ରହ୍ମଚର୍ଜ୍ୟର ବିଜୟ–ପତାକା, ଧର୍ମର ଯୌବନକାଳ, ବାଗ୍‍ଦେବୀଙ୍କ ବେଶ–ବିନ୍ୟାସ, ସର୍ବବିଦ୍ୟାର ସ୍ଵୟଂବୃତ ପତି, ସମସ୍ତ ଜ୍ଞାନର ମିଳନ ତୀର୍ଥ, ଶୋଭାର ସମୁଦ୍ର, ଗୁଣୀଙ୍କର ଆକର ଭୂମି, କୀର୍ତ୍ତିର କୈଳାସ, ଛବିର ସ୍ରୋତସ୍ଵିନୀ ଓ ପ୍ରେମର ଉଦ୍‍ଗମ–ବିହାର ?”

 

“ଆର୍ଯ୍ୟ, ତୁମେ ହେଉଛ ନାରାୟଣଙ୍କର ମୂର୍ତ୍ତି । ମୁଁ ତୁମକୁ ସତ୍ୟ କହୁଛି, ସେ ଦିନ ମୋ ହୃଦୟରେ ଶତ ଶତ ଯୁଗର କବି ଏକ ସଙ୍ଗେ ଯେପରି ରାଗାରୁଣ ତାନ ଛାଡ଼ିଦେଲେ; ଶତ ଶତ ଜନ୍ମ ମୁଖରିତ ହୋଇ ଯେପରି କହିବାକୁ ଚାହୁଁଥିଲା ଏଇଠିହିଁ ମୋର ଜୀବନର ସାର୍ଥକତା । ବିଧାତାର ସୌନ୍ଦର୍ଯ୍ୟ ଭଣ୍ଡାର କେଡ଼େ ବିରାଟ ! ଶୁଣିଥିଲି, ଭଗବାନ୍ କୁସୁମଶାୟକଙ୍କୁ ରଚନା କଲାପରେ ତାଙ୍କର ଭଣ୍ଡାର ଶେଷ ହୋଇଯାଇଥିଲା । ତା’ହେଲେ ଏ ଅପୂର୍ବ ସୌନ୍ଦର୍ଯ୍ୟ–ରାଶିର ନିର୍ମାଣପାଇଁ ତାକୁ ସାଧନ ମିଳିଲା କେଉଁଠୁ ? ନିଶ୍ଚୟ ସେ "ଭଣ୍ଡାର ଅପୂର୍ବ, ବିରାଟ । ସେତେବେଳେ ଆଶ୍ଚର୍ଯ୍ୟରେ ମୋର ଶ୍ୱାସୋଚ୍ଛ୍ୱାସ ବନ୍ଦ ହୋଇଯାଇଥିଲା ଓ ପଲକ ଊର୍ଦ୍ଧ୍ଵଗତି ହୋଇଥିଲା । ନିର୍ନିମେଷ ନୟନରେ ମୁଁ ସେହି ରୂପ–ମାଧୂରୀକୁ ପାନ କରୁଥିଲି । ସେ ମୋଆଡ଼କୁ ଅନାଇଲେ । ମୋର ଜନ୍ମ–ଜନ୍ମାନ୍ତର ଯେପରି କୃତାର୍ଥ ହୋଇଗଲା । ମୁଁ କିଛି ମାଗିଲାଭଳି, ସର୍ବସ୍ଵ ଢାଳିଦେଲାଭଳି, ସର୍ବାତ୍ମନା ତାଙ୍କର ରୂପ–ରାଶିରେ ବିଲୀନ ହେଲାଭଳି, ଶରଣାଗତା ହେଲାଭଳି, ସ୍ତମ୍ଭିତା–ଚିତ୍ରଲିଖିତା–ଉତ୍କୀର୍ଣ୍ଣ–ସଂଯତା–ମୁର୍ଚ୍ଛିତା–ବିଧୃତ ଭଳି ନିରୁଦ୍ଧଚେଷ୍ଟ ହୋଇଗଲି । ଜାଣେ ନା କେଉଁ ଜଡ଼ିମା ମୋର ସାରା ଶରୀରର ଅବୟବକୁ ନିଷ୍କ୍ରିୟ କରିଦେଲା, ଇନ୍ଦ୍ରିୟ ବ୍ୟାପାରକୁ ରୁଦ୍ଧ କରିଦେଲା, ନୟନ–ପକ୍ଷକୁ ଅଞ୍ଚଚଳତା ଦେଇଗଲା ଓ ମୋ ମନକୁ ଅପରିଚିତ ଅନନୁଭୂତ ମଧୁର ରସରେ ବୁଡ଼ାଇଦେଲା ! କେଉଁ କଥାଟି ତାଙ୍କୁ ଏଭଳି ଅନାଇବାପାଇଁ ମୋତେ ପ୍ରେରଣା ଦେଲା ଠିକ୍ କହି ପାରିବି ନାହିଁ । ତାଙ୍କର ସୌନ୍ଦର୍ଯ୍ୟ–ସମୃଦ୍ଧ, ମୋର ଚଞ୍ଚଳ ଚିତ୍ତ, ମୋର ନବଯୌବନ, ଅନୁରାଗ ବା ଅନ୍ୟ କିଛି ? ମୁଁ ତାକୁ ଏତେ ଆଗ୍ରହରେ ଯେ କାହିଁକି ଦେଖିବାକୁ ଲାଗିଲି, ତା ମୁଁ ସ୍ଵୟଂ ଜାଣେ ନାହିଁ । ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଆର୍ଯ୍ୟ, କାଷ୍ଠ–ପ୍ରତିମା ପରି ସେଠାରେ ମୁଁ ଠିଆ–ହୋଇରହିଲି କିପରି ? ମୋ ଆଖି ମୋତେ ଟାଣି ତାଙ୍କ ପାଖରେ ପହଞ୍ଚାଇଦେବାକୁ ଚାହୁଁଥିଲା । ହୃଦୟ ଯେପରି ସମ୍ମୁଖରୁ ମୋତେ ଟାଣୁ ଥିଲା, ଅନୁରାଗ ଯେପରି ପଛରୁ ଧକ୍‍କା ଦେଉଥିଲା ଓ ମୁଁ ହତଭାଗ୍ୟା ବିବିଧ ଆକର୍ଷଣର ଘାତ–ପ୍ରତିଘାତରେ ସ୍ଥିର କାଷ୍ଠ–ପ୍ରତିମାପରି ସ୍ତବ୍‍ଧ ହୋଇରହିଲି । ମନରେ ଆଶଙ୍କା ହେଲା ମୁଁ ଯେପରି କୌଣସି ଭୟଙ୍କର ପାପ–ଭାବନାରେ ଲିପ୍ତ ହୋଇଛି । ଦେଦୀପ୍ୟମାନ ତେଜ ଓ ତପସ୍ୟାର ଆଧାର କେଉଁଠି ଓ ପ୍ରାକୃତିକ ଜନ–ସୁଲଭ ଅନୁରାଗାନ୍ଧଭାବ କେଉଁଠି ? ଏହା କଣ ମନୋଜନ୍ମା ଦେବତାର ଉତ୍ପାତ ବା ପୂର୍ବଜନ୍ମର କୌଣସି ଦୁର୍ବାର ଯୋଗ ଉପସ୍ଥିତ । ଜାଣି ମଧ୍ୟ ମୁଁ କାହିଁକି ଏଭଳି ରାଗୋତ୍ସୁକ ହେଉଛି ? ଘଡ଼ିଏପର୍ଯ୍ୟନ୍ତ ଭାବିବା ପରେ ମୁଁ ନିଜକୁ ସଂଯତ କରିବାରେ ସମର୍ଥ ହେଲି । ସେଠାରୁ ଚାଲିଯିବାକୁ ଉଦ୍ୟତ ହେଲି ଓ ସହଜଭାବରେ ପ୍ରଣାମ କରିବାକୁ ଚେଷ୍ଟା କଲି । ସେତେବେଳ ପର୍ଯ୍ୟନ୍ତ ମୋର ଦୃଷ୍ଟି ତାଙ୍କର ମୁଖ–ମଣ୍ଡଳ ତ୍ୟାଗ କରି ନଥିଲା । ନୟନ–ପକ୍ଷୁ ନିଷ୍ପନ୍ଦ ଥିଲା, ମୋର ଈଷଦୁଲ୍ଲସିତ କର୍ଣ୍ଣ–ପଲ୍ଲବ ନାମମାତ୍ର କପୋଳ–ମଣ୍ଡଳରୁ ଅପସରି ଯାଇଥିଲା, କେଶଭରା ସ୍କନ୍ଧଦେଶ ଉପରେ ଅସଂଯତ ଭାବରେ ଲମ୍ବିତ ହୋଇଥିଲା ଓ କର୍ଣ୍ଣର କୁଣ୍ଡଳ କାନ୍ଧ ଉପରେ ସେତେବେଳ ପର୍ଯ୍ୟନ୍ତ ଝୁଲୁଥିଲା । ଛି, ଆର୍ଯ୍ୟ, ନିର୍ଲ୍ଲଜ୍ଜତାର ବି ଏକ ସୀମା ଅଛି ।”

 

ନିଜର କାହାଣୀ ସହଜ ଭାବରେ କହି ଯାଉଥିଲା ସୁଚରିତା । କିନ୍ତୁ ଏତିକି କହିଲାପରେ ତା କଣ୍ଠରେ ସାମାନ୍ୟ ଜଡ଼ିମା ଆସିଲା । ଚନ୍ଦ୍ରମାର ଧବଳ ଜ୍ୟୋତିଧାରା ପଡ଼ିଥିଲା ତା’ର ମୁହଁ ଉପରେ । ସେହି ଶ୍ଵେତ ଆବରଣରେ ତା’ର ମୁହଁ ଯେତିକି ଉଦ୍‍ଭାସିତ ହୋଇଥିଲା, ସେତିକି ଆବୃତ ଥିଲା । କିନ୍ତୁ ଏଥର ଯେଉଁ ଲାଲିମା ତା’ର ମନୋହର ମୁହଁ ଉପରେ ଅନାୟାସଭାବରେ ଖେଳିଗଲା, ଶ୍ଵେତ ଆବରଣ ମଧ୍ୟ ତାହା ଲୁଚାଇ ପାରିଲା ନାହିଁ । ଜାହ୍ନବୀ ଧାରାରେ ପ୍ରତିଫଳିତ ରକ୍ତୋତ୍ପଳପରି, ଜଳ ଚାଦର ଭିତରୁ ପରିଦୃଶ୍ୟମାନ ଦୀପଶିଖାପରି, ଶରତକାଳୀନ ମେଘରୁ ଅନ୍ତରିତ ବାଳ–ସୂର୍ଯ୍ୟର ପ୍ରଭାପରି ସେହି ଲାଲିମା ଅଧିକତର ରମଣୀୟ ହୋଇ ପ୍ରକଟିତ ହେଲା । କେବଳ କ୍ଷଣକପାଇଁ ତା’ର ଦୃଷ୍ଟି ତଳକୁ ନଇଁଗଲା । ପରକ୍ଷଣରେ ସେ ସଜାଗ ହୋଇଯାଇ କହିଲା–“କାହିଁକି ଏପରି ହୁଏ, ଆର୍ଯ୍ୟ ? ଏ କଣ ପୂର୍ବଜନ୍ମର ବନ୍ଧନ ବା ପରଜନ୍ମର ନିମିତ୍ତ ? ଯେଉଁ ପ୍ରଚଣ୍ଡ ଦୂର୍ବାର ଶକ୍ତିର ଇଙ୍ଗିତମାତ୍ରେ ଲଜ୍ଜାର ଆଜନ୍ମ–ଲାଳିତ ବନ୍ଧନ ଏଭଳି ଶିଥିଳ ହୋଇଯାଏ, ତା କଣ ପାପ ? ତାକୁ ରାକ୍ଷସୀ–ଶକ୍ତି କାହିଁକି କୁହାଯାଏ ଆର୍ଯ୍ୟ ? ଯେତେ ଲୋକଙ୍କୁ ମୋର ଏ କାହାଣୀ ଶୁଣାଇଛି, ସମସ୍ତେ ବୁଦ୍ଧିମାନପରି ମୁଣ୍ଡ ହଲାଇ ମୋତେ ପାତକିନୀ ବୋଲି କହିଛନ୍ତି । ଦୀର୍ଘ କାଳ ପର୍ଯ୍ୟନ୍ତ ନିଜର ଏହି ଅକାରଣ ଆରୋପିତ ପାପ–ଭାବନାର ଚିତାଗ୍ନିରେ ମୁଁ ଜଳିଛି । ବୈରାଗ୍ୟ କଣ ଏତେ ବଡ଼ ଜିନିଷ ସେ ପ୍ରେମର ଦେବତାକୁ ତା’ର ନୟନାଗ୍ନିରେ ଭସ୍ମ କରାଇ ଗୌରବ ଅନୁଭବ କରେ ?” ବହୁ ସମୟ ପର୍ଯ୍ୟନ୍ତ ସେ ମୋତେ ଉତ୍ତର ଆଶାରେ ଅନାଇ ରହିଲା । ମୁଁ ସଂକ୍ଷେପରେ ଉତ୍ତର ଦେଲି–“ଦେବୀ, ଏ ପ୍ରଶ୍ନ ବିଭଜ୍ୟ–ବଚନୀୟ ! ଆପଣ ଦୁଇଟି କଥାକୁ ଏକ କରି ପଚାରୁଛନ୍ତି । କାଳିଦାସ ପ୍ରେମର ଦେବତାଙ୍କୁ ନୟନାଗ୍ନିରେ ଭସ୍ମ କରାଇ ନାହାନ୍ତି, ବରଂ ତାଙ୍କୁ ତପସ୍ୟା ଭିତରୁ ସୌନ୍ଦର୍ଯ୍ୟର ହାତରେ ପ୍ରତିଷ୍ଠିତ କରିଛନ୍ତି । ପାର୍ବତୀଙ୍କର ତପସ୍ୟାରୁ ପ୍ରକୃତ ପ୍ରେମ–ଦେବତା ଆବିର୍ଭୂତ ହୋଇଥିଲେ । ଯାହା ଭସ୍ମ ହେଲା, ତାହା ଥିଲା ଆହାର–ନିଦ୍ରା ସମ ବଡ଼ ଶରୀରର ବିକାର୍ଯ୍ୟ ଧର୍ମ–ମାତ୍ର । ତା ଥିଲା ଦୁର୍ବାର କିନ୍ତୁ ଦେବତା ନୁହେଁ । ଦେବତା ଦୁର୍ବାର ହୁଏନା ଦେବୀ । ତୁମର ପ୍ରଶ୍ନ ହେଉଛି ବିଭଜ୍ୟ–ବଚନୀୟ । ମୁଁ ସମସ୍ତ କଥା ଶୁଣିବାକୁ ଚାହୁଁଛି ।” ଚକିତ ମୃଗ–ଶାବକପରି ଆଶ୍ଚର୍ଯ୍ୟ–ବିସ୍ଫାରିତ ନୟନରେ ମୋତେ ଅନାଇ ସୁଚରିତା କହିଲା–“କଣ କହିଲେ ଆର୍ଯ୍ୟ, ପାର୍ବତୀ କଣ ଶିବଙ୍କୁ ଏକମାତ୍ର ଦେବତାରୂପେ ଆରାଧନା କରି ନଥିଲେ ? ତାଙ୍କର ବ୍ରତ କଣ ଥିଲା ଜଡ଼ ଶରୀର–ଧର୍ମର ପାପ–ଆକର୍ଷଣ–ମାତ୍ର-? ବ୍ରଜ–ସୁନ୍ଦରୀମାନେ ନିଖିଳାନନ୍ଦ–ସନ୍ଦୋହ ମୁକୁନ୍ଦଙ୍କର ବିଗ୍ରହ–ମାଧୁରୀ ପ୍ରତି ଯେଉଁ ଆକର୍ଷଣ ପ୍ରଦର୍ଶନ କଲେ, ତା କଣ ପ୍ରେମ ନୁହେଁ ? ତା’ହେଲେ କାହିଁକି କୁହାଯାଇଛି ଆର୍ଯ୍ୟ, ବ୍ରଜସୁନ୍ଦରୀଙ୍କର ପ୍ରେମହିଁ ହେଉଛି କାମ ଓ କାମହିଁ ପ୍ରେମ ? ପାର୍ବତୀଙ୍କର ସେହି ଆସକ୍ତି କଣ ଏକ ବାହ୍ୟ ଜଡ଼ ଧର୍ମ-?” କ୍ଷଣକ ମଧ୍ୟରେ ମୋ ଆଗରେ ପାର୍ବତୀଙ୍କର ତପୋନିରତ ବେଶ ବିଦ୍ୟୁଚ୍ଛଟାପରି ଖେଳିଗଲା ଓ କାଳିଦାସଙ୍କର ଅପୂର୍ବ ବର୍ଣ୍ଣନା–ନୈପୁଣ୍ୟରେ ପ୍ରତିଫଳିତ ସେହି ମୂର୍ତ୍ତି ମନେ ପଡ଼ିଲା, ଯାହା ଶିଳା ଉପରେ ଶୟନ କରୁଥିଲା; ଯାହା ଥିଲା ଅନିକେତ–ବାସିନୀ ଓ ଧୂପ–ବର୍ଷା–ଝଡ଼–ଝଞ୍ଜାରେ ଅବିଚଳିତ । କେବଳ ମହାରାତ୍ରୀ ହିଁ ନିଜର ବିଦ୍ୟୁନ୍ମୟୀ ଦୃଷ୍ଟିରେ ମଝିରେ ମଝିରେ ଦୃଷ୍ଟିପାତ କରି ସେହି ମହାତପସ୍ୟାର ସାକ୍ଷୀ ହୋଇଥିଲା । ପାର୍ବତୀଙ୍କର ସେ ଅବସ୍ଥା ଓ ସୁଚରିତାର ଏ ଅବସ୍ଥାରେ କେତେ ସାମ୍ୟ ଓ ପୁଣି କେତେ ବୈଷମ୍ୟ ! ସ୍ନେହ–ତରଳ ସ୍ଵରରେ ମୁଁ କହିଲି–“ପାର୍ବତୀ ଶିବଙ୍କୁ ନିଜର ସର୍ବସ୍ଵ ମନେ କରିଥିଲେ, ଦେବୀ ! କିନ୍ତୁ ଶିବଙ୍କ ପକ୍ଷରୁ ଦୋଷ ହୋଇଥିଲା । ସେ ନିଜର ଚିତ୍ତ–ବିକାରର ହେତୁକୁ ଦିଗର ଉପାନ୍ତଭାଗରେ ଖୋଜିଥିଲେ । ଚିତ୍ତ ଜଡ଼ ପ୍ରକୃତିର ଚେତନ ସହିତ ସଂସର୍ଗରେ ଉତ୍ପନ୍ନ ବିକାର ମାତ୍ର, ଦେବି ! କିନ୍ତୁ ସମସ୍ତ କଥା ଶୁଣିବାପାଇଁ ମୋର ଆଗ୍ରହ ହେଉଛି-।”

 

ସୁଚରିତା କହିଲା–“ଆର୍ଯ୍ୟ, ଆପଣ ଚତୁର, ପ୍ରିୟଭାଷୀ, ଅଧେ କଥା ଶୁଣି ନିର୍ଣ୍ଣୟ କରିବା ବୁଦ୍ଧିମାନ୍ଦ୍ୟର ଲକ୍ଷଣ । ସମସ୍ତେ ମୋ କାହାଣୀ ଅଧା ଶୁଣିଛନ୍ତି ଓ ସେହି ଅର୍ଦ୍ଧେକ ଏ ନଗରରେ ନାନାଭାବରେ ବିକୃତ ହୋଇଛି । କିନ୍ତୁ ଆପଣ ସମସ୍ତ ଶୁଣିବାକୁ ଚହୁଁଛନ୍ତି । ନିପୁଣିକା ଅଧେ ଜାଣେ । କିନ୍ତୁ ସେ ସନ୍ଦେହ କରିନାହିଁ ଓ ମୋ ଆଚରଣକୁ ପାପ ବୋଲି କହିନାହିଁ । ସେ ସହୃଦୟା । ମୁଁ ଆପଣଙ୍କୁ ସମସ୍ତ କଥା କହୁଛି, ଆର୍ଯ୍ୟ ! ଯେତେବେଳେ ମୁଁ ଏଭଳି ନିଜକୁ ସଂଯମର ରଶ୍ମିରେ ଟାଣିବାପାଇଁ ପ୍ରଯତ୍ନ କରୁଥିଲି, ସେତେବେଳେ ମୋ ଶାଶୁ ମୋର ଲେଉଟିବାରେ ବିଳମ୍ବ ଦେଖି ସେଠାକୁ ଆସିଲେ । ସେହି ରକ୍ତ ଚୀବରଧାରୀ ମୁନିକୁମାରଙ୍କୁ ଦେଖିଲାମାତ୍ରେ ସେ କାତର ଚିତ୍କାର କରି ଉଠିଲେ–“ଆରେ ମୋର ପୁତ୍ର, ମୋର ଅମିତକାନ୍ତି !” ଓ ଅର୍ଦ୍ଧମୂର୍ଚ୍ଛିତ ହୋଇ ତପସ୍ଵୀଙ୍କ ପାଖରେ ପଡ଼ିଗଲେ । ମନିକୁମାରଙ୍କର ବୈରାଗ୍ୟ–କଠୋର ମୁହଁ ଉପରେ କରୁଣଭାବର ରେଖା ଦେଖାଦେଲା । କମଣ୍ଡଳୁକୁ ଗୋଟିଏ ପାଖରେ ରଖିଦେଇ ସଯତ୍ନରେ ମାତାଙ୍କ ଶିରକୁ କୋଳରେ ଉଠାଇ ସେ ଚିପି ଦେବାକୁ ଲାଗିଲେ । ଅତି ମୃଦୁ–କୋମଳ କଣ୍ଠରେ କହିଲେ–“ଆର୍ଯ୍ୟେ, ସଂଯତ ହୁଅନ୍ତୁ । ବୃଥାରେ କାହିଁକି ଉଦ୍‍ବିଗ୍ନ ହେଉଛନ୍ତି ?” ମାତା କରୁଣ ନେତ୍ରରେ ପୁତ୍ରକୁ ଅନାଇ କହିଲେ–“ପୁତ୍ର, ମୋ ପରି ଅଭାଗୀକୁ କାନ୍ଦିବାକୁ ଛାଡ଼ିଦେଇ ତୁ କି ଧର୍ମ ଅର୍ଜ୍ଜନ କରୁଛୁ ? ଦେଖ, ଏ ତୋ’ର ବିବାହିତା ପତ୍ନୀ । ଅଭାଗା, ସ୍ଵର୍ଗରେ ଏପରି କି ଅପସରା ମିଳୁଛନ୍ତି ଯାହାଙ୍କ ପାଇଁ ତୁ ଏଭଳି ମଣିକାଞ୍ଚନ–ପ୍ରତିମାକୁ ଛାଡ଼ି ତପସ୍ୟା କରୁଛୁ ?” ମାତାଙ୍କର ଏ କଥାରେ ମୁଁ ଯେତିକି ହତବୁଦ୍ଧି ହେଲି, ସେତିକି ଲଜ୍ଜିତ ହେଲି । ଏ ବି କଣ କହିବାର କଥା । ତପସ୍ଵୀ କିନ୍ତୁ ଗମ୍ଭୀର ହୋଇ ରହିଲେ । ତାଙ୍କର ତେଜୋମଣ୍ଡିତ ମୁଖମଣ୍ଡଳରେ ନିର୍ବିକାର ଭାବ ସେହିପରି ରହିଲା । ମାତ କାତର କଣ୍ଠରେ ନିଜର ଦୁଃଖଗାଥା ଶୁଣାଇବାକୁ ଆରମ୍ଭ କଲେ । ଧିରଭାବରେ ସବୁ ଶୁଣି ପୁତ୍ର ଶେଷରେ କହିଲେ–“ସଂସାର ଦୁଃଖପୂର୍ଣ୍ଣ, ଆର୍ଯ୍ୟ !” ବିଚିତ୍ର ଦଶା ଥିଲା, ଆର୍ଯ୍ୟ ! ସମସ୍ତ ଜୀବନର ନୈରାଶ୍ୟ ଓ କଷ୍ଟର ସାକ୍ଷାତ୍ ପ୍ରତିମା ମାତା କାନ୍ଦି କାନ୍ଦି ଶୁଣାଇଯାଉଥିଲେ ନିଜର କରୁଣ କାହାଣୀ । ଶ୍ରାବଣ ମାସର ବାରିଧାରାପରି ପ୍ରବାହିତ ହେଉଥିଲା ତାଙ୍କର ଅଶ୍ରୂଧାରା; ଅଥଚ ନିର୍ବିକାର–ଭାବରେ ଉପଦେଶ ଦେଇଯାଉଥିଲେ ପୁତ୍ର । ସତେ ଯେପରି ନିଜର ମାତାକୁ ସେ ଚିହ୍ନନ୍ତି ନାହିଁ, ସତେ ଯେପରି ତାଙ୍କର ନିଜ ମାତା ମଧ୍ୟ ଶହ ଶହ ଅନ୍ୟାନ୍ୟ ଆର୍ଯ୍ୟଙ୍କ ଭଳି ଜଣେ ସାମାନ୍ୟ ନାରୀ । ମୋର ସ୍ତ୍ରୀତ୍ଵ ଏହା ସହ୍ୟ କରିପାରିଲା ନାହିଁ କିନ୍ତୁ କିଛି କହିପାରିଲି ନାହିଁ । ଲଜ୍ଜାରେ କଣ୍ଠ ରୁଦ୍ଧ ହୋଇଗଲା ।” ଶେଷରେ ମାତା ଅନ୍ୟରୂପ ଧାରଣ କଲେ–“ଆରେ ମୂଢ଼, ଘୋଷ ହୋଇଥିବା କଥାତକ କହିଯାଉଛୁ ତୁ । ଯେ ନିଜର ମାତାକୁ ବି ଚିହ୍ନିବାପାଇଁ ଲଜ୍ଜା ଅନୁଭବ କରେ, ସେ ଧର୍ମାଚାର ଭଣ୍ଡ । ଏ ଦୁଃଖମୟ ସଂସାରକୁ ଆହୁରି ଦୁଃଖମୟ କରି କଣ ତୋ’ର ସୁଖର ରାଜମାର୍ଗ ତିଆରି ହୋଇପାରିବ ? ସ୍ଵାର୍ଥୀ ତୋର ମାର୍ଗ ତୋ’ର ପୌରୁଷକୁ ଧିକ୍ ।” ତପସ୍ଵୀଙ୍କର ଚିତ୍ତ ଦ୍ରବିତ ହେଲା । ସେ ଥରେ ମୋତେ ଓ ଥରେ ମାତାଙ୍କ ଆଡ଼କୁ ଅନାଇଲେ । ମାତା ମୋତେ ଅନାଇ ତିରସ୍କାର କରି କହିଲେ, ‘‘କଣ ଦେଖୁଛୁ ଅଭାଗୀ, ଏ ତୋ’ର ପତି, ଏହି ତୋ’ର ଦେବତା । ଆ, ଏହାରି ଚରଣରେ ନିଜକୁ ସମାପ୍ତ କରିଦେ-। ମରୁନୁ କାହିଁକି ଭାଗ୍ୟହୀନା । ମୁଁ ନିଜେ ମରି ତୋତେ ମାରିବା କାହାକୁ କହନ୍ତି ଶିଖାଇଦେବି । ଏ ତୋ’ର ହାତ ଧରିଥିଲା, ଏହି ତୋତେ ସଂସାରରେ ଚଳାଇବ । ତୁ ତାରି ଚରଣ ଖୋଜ । ମୁଁ ଯାଉଛି । ବହୁତ କାନ୍ଦିଛି । ଆଜି ମୁଁ ନିଜର ହଜିଲା ଧନ ପାଇଛି । ଏଥର ମୁଁ ହରାଇବି ନାହିଁ । ଏହାହିଁ ମୋର ସମାପ୍ତି ।” ଏହା କହି ମାତା ଜୋରରେ ବକ୍ଷଃସ୍ଥଳ ଉପରେ କରାଘାତ କଲେ ଓ କତାବୃକ୍ଷଭଳି ତପସ୍ଵୀଙ୍କର କୋଳରେ ଲୋଟି ପଡ଼ିଲେ । କ୍ଷଣକ ମଧ୍ୟରେ ଅନ୍ଧାର ଘେରିଗଲା ମୋ ଆଗରେ । ହାୟ ମାତା, କହି ମୁଁ ମଧ୍ୟ ମାତାଙ୍କର ଅବଶ ଶରୀର ଉପରେ କଚାଡ଼ି ହୋଇପଡ଼ିଲି ।

 

କିଛି ସମୟପରେ ମୋର ଯେତେବେଳେ ସଂଜ୍ଞା ଆସିଲା, ଦେଖିଲି ତପସ୍ଵୀଙ୍କର ତେଜୋମଣ୍ଡିତ ମୁଖମଣ୍ଡଳରେ ବିକାରର ଧୂମ ଛାଇ ହୋଇଯାଇଛି । ତାଙ୍କର ବଡ଼ ବଡ଼ ନୟନ–କୋଣରୁ ମୁକ୍ତାଫଳ ସମ ଧାରା–ଅଶ୍ରୁ ଝରୁଥିଲା । ମୁଁ ଲଜ୍ଜିତା, ଶୋକାର୍ତ୍ତା, ହତବୁଦ୍ଧି ଓ କର୍ତ୍ତବ୍ୟ–ଜ୍ଞାନବିରହିତା ହୋଇ ଜଡ଼ଭଳି ବସିରହିଲି । ତପସ୍ଵୀ ନିଜର ଚୀବରରେ ମାତାଙ୍କ ମୁଣ୍ଡ ଉପରେ ପଙ୍ଖା କରୁଥିଲେ । ତାଙ୍କର କଣ୍ଠ ବାଷ୍ପପୂର୍ଣ୍ଣ ହୋଇଥିଲା । ମୋ ଆଡ଼େ ଅନାଇ ଈଷତ୍ ଲଜ୍ଜିତ ହେଲାଭଳି ସେ କହିଲେ, ‘‘ଶୁଭେ, ଧୈର୍ଯ୍ୟ ରଖ । ଏ କମଣ୍ଡଳୁରେ ଅଳ୍ପ ଜଳ ଆଣି ଦିଅ ।” ମନେ ହେଲା ମୋର ଜନ୍ମ କୃତାର୍ଥ ହୋଇଛି । କୌଣସି ଉତ୍ତର ନଦେଇ ମୁଁ ସରୋବରରୁ ଜଳ ଆଣିଲି । ମାତାଙ୍କ ନେତ୍ର ଓ ମସ୍ତିଷ୍କକୁ ପାଣିରେ ଆର୍ଦ୍ର କରି ସେ ପୁଣି ଚୀବରରେ ପଙ୍ଖା କରିବାକୁ ଲାଗିଲେ । କିଛି ସମୟପରେ ପୁଣି ମୋତେ ଅନାଇ ଆଖି ନତ କରି କହିଲେ–“ଦେବୀ, ପାଦତଳକୁ କରତଳଦ୍ଵାରା ଖୁବ୍ ଭଲ କରି ମର୍ଦ୍ଦନ କର ।” ମୁଁ ଆଜ୍ଞା ପାଳନ କଲି । କିଛି ସମୟ ଶୁଶ୍ରୂଷାପରେ ମାତାଙ୍କର ଆଖି ଖୋଲିଲା । ଏଥର ତପସ୍ଵୀଙ୍କର ବ୍ରତ ଭାଙ୍ଗିଗଲା, ସଂଯମର ବନ୍ଧ ତୁଟିଗଲା, ଦୀର୍ଘକାଳ ଘୋଷା ହୋଇଥିବା କଥା ଲୁପ୍ତ ହୋଇଗଲା । ବାଷ୍ପ–ଗଦ୍‍ଗଦ୍‍ କଣ୍ଠରେ କହିଲେ, ‘‘ମା, ମା !” ମାତାଙ୍କର ସ୍ନେହବୋଳା ହୃଦୟ ଏଥର ଫୁଲିଉଠିଲା । ତପସ୍ଵୀଙ୍କର ଗଳାକୁ ନିଜର କ୍ଷୀଣ ଭୁଜ–ଲତାରେ ବାନ୍ଧି ସେ କଇଁକଇଁ ହୋଇ କାନ୍ଦିବାକୁ ଲାଗିଲେ । କହିଲେ–“ହଁ ପୁଅ, ମା ବୋଲି ଡାକ । ମୋର ଧନ , ମୋର ହଜିଲା ନିଧି, ମୋର ଅମିତ କାନ୍ତି ! ତୋର ପିତା ସ୍ଵର୍ଗରେ । ତୋର ଏଇ ରୁକ୍ଷ–ଜଟିଳ ରୂପକୁ ଦେଖି ମୋତେ ତିରସ୍କାର କରିବେ । ମୋ ଧନ ! ମୁଁ ଆଉ ବେଶି ଦିନ ବଞ୍ଚିବି ନାହିଁ । ଡାକି, ଥରେ ମା ବୋଲି ଡାକ । ମୁଁ ତୋରି କୋଳକୁ ସୁଖନିଦ୍ରା ଯିବାକୁ ଚାହୁଁଛି । ମୋ ପ୍ରାଣ !” ତପସ୍ଵୀ ଆଉ ନିଜକୁ ସଂଯତ କରି ନପାରି କଇଁକଇଁ କାନ୍ଦି ଉଠିଲେ, ‘‘ନା ମା ! ମୁଁ ତୋରି କୋଳକୁ ଫେରିଯିବି । ଥରେ ଗୁରୁଙ୍କଠାରୁ ଆଜ୍ଞା ନେବାର ଅନୁମତି ଦେ ।” ମାତାଙ୍କର ଚେହେରା ଜଳି ଉଠିଲା । ପୁଣି ଥରେ ହଠାତ୍ କରୁଣାରେ ବୀରରସର ପ୍ରାଦୁର୍ଭାବ ହେଲା । ଗର୍ଜିକରି ସେ କହିଲେ–“ଯିଏ ମାତା ଅପେକ୍ଷା ନିଜକୁ ଗୁରୁ ମନେ କରେ, ସେ କପଟୀ, ସେ ପାଷଣ୍ଡ । ତୁ ମୋର, ମୋର ରକ୍ତ–ମାଂସର ଖଣ୍ଡ । ଆଉ ତୋର ଗୁରୁ କିଏ ?” ମାତାଙ୍କର ଦୁର୍ବଳ ଶରୀର ଏ ଉତ୍ତେଜନାକୁ ସହ୍ୟ କରି ପାରିଲା ନାହିଁ । ସେ ପୁଣି ମୂର୍ଚ୍ଛିତା ହେଲେ । ଏଥର ମୁଁ ନିଜକୁ ସମ୍ଭାଳି ପାରିଲି ନାହିଁ । ଚିତ୍କାର କରି କାନ୍ଦି ଉଠିଲି, ‘‘ହାୟ ମାତା, କିଏ ମୋର ଆଶ୍ରୟ ହେବ ଏଣିକି-?” ତପସ୍ଵୀ ବାଷ୍ପରୁଦ୍ଧ କଣ୍ଠରେ କହିଲେ–“ବ୍ୟସ୍ତ ହୁଅନା ଭଦ୍ରେ, ମାତାଙ୍କୁ ବଞ୍ଚାଇବା ମୋ ହାତରେ-।” ସେ ଖୁବ୍ ଯତ୍ନରେ ସେବା କରିବାକୁ ଲାଗିଲେ । ମୋତେ ବି ନାନାଭାବରେ ସେବା କରିବାର ଆଦେଶ ଦେଲେ । କିଛି ସମୟପରେ ଯେତେବେଳେ ମାତା ସଚେତ ହେଲେ, ସେ ଅକମ୍ପିତ ସ୍ଵରରେ କହିଲେ–“ମା, ତୁ ଯାହା କହିବୁ, ତା କରିବି ।” ସ୍ନେହ ଗଦ୍‍ଗଦ୍‍ ହୋଇ ମାତା ତାଙ୍କର ଶିର ଚୁମ୍ବନ କଲେ । ତାଙ୍କର ବକ୍ଷଃସ୍ଥଳରୁ ଦୁଗ୍‍ଧ ଧାରା ବହି ଆସିଲା । ତପସ୍ୱୀକୁ ଦୁଇବର୍ଷର ଶିଶୁପରି ନିଜର କୋଳକୁ ନେଇ ଖେଳାଇବାକୁ ଲାଗିଲେ । ପୁଣି କହିଲେ–“ମୋ ଧନ, ତୁ ସତ କହୁଛୁ ତ ? ମୁଁ ଯାହା କହିବି, ତୁ କରିବୁ ?” ତପସ୍ଵୀ ସହଜ ସ୍ଵରରେ କହିଲେ–“ନିଶ୍ଚୟ କରିବି, ମା !” ମାତା କହିଲେ–“ତା’ ହେଲେ ଏହା ହାତ ଧର ।” ତପସ୍ଵୀ ଥରେ ଆକାଶକୁ ଓ ଥରେ ପୃଥିବୀକୁ ଅନାଇଲେ । ପୁଣି ମୋତେ ଅନାଇ କହିଲେ–“ଶୁଭେ, ମାତାଙ୍କର ଆଜ୍ଞା ତୁମେ ଶୁଣିଲ ତ-?” ମୁଁ ମୁଣ୍ଡ ହଲାଇ ସ୍ଵୀକୃତି ଜଣାଇଲି । ତପସ୍ଵୀ କହିଲେ–“ମୁଁ ମାତାଙ୍କ ଆଜ୍ଞାରେ ତୁମର ହାତ ଧରିବାକୁ ଚାହୁଁଛି । ତୁମେ କଣ ମୋ ଜୀବନର ଲକ୍ଷ୍ୟକୁ ଆହୁରି ବଢ଼ାଇବାରେ ମୋର ସହାୟତା କରିବାକୁ ପ୍ରସ୍ତୁତ ଅଛ ?” ମୁଁ କିଛି ଉତ୍ତର ଦେଲିନି । ଲଜ୍ଜାର ଭାରରେ ମୋର ଗ୍ରୀବା ଏତେ ନଇଁପଡ଼ିଥିଲା ମନେ ହେଲା ସତେ ଯେପରି ଭାଙ୍ଗି ଯାଇଛି । ମାତା ସ୍ନେହରେ କହିଲେ–“ହାତ ବଢ଼େଇବେ ଝିଅ-!” ମୋର ପାଣିଗ୍ରହଣ ହୋଇଗଲା । ମାତା ପ୍ରସନ୍ନ ହୋଇ ଆର୍ଶୀବାଦ ଦେଲେ ଓ ପୁଅଙ୍କୁ କହିଲେ–“ଏଥର ଆ ମୋ ସାଥିରେ ।” ପୁତ୍ର ମାତାଙ୍କ ଚରଣରେ ମୁଣ୍ଡ ରଖିଦେଇ ବିନମ୍ରଭାବରେ କହିଲେ–“ଥରେ ଗୁରୁଙ୍କ ଅନୁମତି ନେବାର ଆଜ୍ଞା ଦେଇ ଦେ ମା !” ଆଜ୍ଞା ମିଳିଗଲା ଓ ସେ ଚାଲିଗଲେ । ପୁଣି କଣ ହେଲା, ମୋତେ ଜଣାନାହିଁ । କିନ୍ତୁ ଫାଲ୍‍ଗୁନ ପୂର୍ଣ୍ଣିମାକୁ ସେ ମୋପାଖକୁ ଫେରିଆସି ମୋତେ ଅବଧୂତ ଅଘୋର ଭୈରବଙ୍କ ନିକଟକୁ ନେଇଗଲେ । ଅବଧୂତ–ପାଦଙ୍କର ଆଦେଶରେହିଁ ଆମେ ଦୁହେଁ ବର୍ତ୍ତମାନ ଗୁରୁଙ୍କଠାରୁ ଦୀକ୍ଷା ଗ୍ରହଣ କରିଛୁ । କିନ୍ତୁ ଆର୍ଯ୍ୟ, ମୋ ପତି ଫେରିଆସି ମାତାଙ୍କୁ ଦେଖି ପାରିଲେ ନାହିଁ । ପୂର୍ବରୁହିଁ ମାତା ସ୍ଵର୍ଗ–ଯାତ୍ରା କରିଥିଲେ । ମୁଁ ଦୁନିଆକୁ ଅଧା କାହାଣୀହିଁ କହିପାରିବି । ମାତାଙ୍କର ଅଭାବରେ ଅର୍ଦ୍ଧେକ ବାକି ରହିଯାଇଛି । କାଲି ହଠାତ୍ ସେ ଅର୍ଦ୍ଧ କାହାଣୀର ସତ୍ୟତାର ପ୍ରମାଣ ମିଳିଗଲା । ଶ୍ରେଷ୍ଠୀ ଧନଦତ୍ତ ମୋ ପିତାଙ୍କୁ ଚିହ୍ନିପାରିଛି । ଏଥିରୁ ସିଦ୍ଧ ହେଉଛି, ସେ ଅଧା କାହାଣୀ ମଧ୍ୟ ଗୋପନ ରହିପାରିବ ନାହିଁ ।”

 

ସୁଚରିତା ନିଜର କାହାଣୀ କହି ମୋ ଆଡ଼େ ଏକ ଦୀର୍ଘସ୍ଥାୟୀ ଦୃଷ୍ଟିରେ ଅନାଇ ରହିଲା; ସତେ ଯେପରି କିଛି ଶୁଣିବାପାଇଁ ପ୍ରତୀକ୍ଷା କରୁଛି । ମୁଁ କିନ୍ତୁ ଅନ୍ୟ ଚିନ୍ତାରେ ନିମଗ୍ନ ଥିଲି । ଅବଧୂତ ଅଘୋର ଭୈରବଙ୍କ ପାଖକୁ ପ୍ରଥମ ସମାଗତ ବିରତିବଜ୍ରକୁ ସ୍ମରଣ କରୁଥିଲି । ଆଜି ବୁଝିଲି, କେତେ ବ୍ୟଥା ଥିଲା ସେହି ଶାନ୍ତ–ସ୍ନିଗ୍ଧ ମୁଖଶ୍ରୀ ଭିତରେ । ସମସ୍ତ ବେଦନା, ଅନୁତାପ ଓ ଅନୁଶୟକୁ ପାନ କରି ଯେଉଁ ନିର୍ଧୂମ ଅଗ୍ନି–ଜ୍ୟୋତି ସମ ଅବିକୃତ ତେଜ ସେହି ମନୋରମ ମୁଖରୁ ପ୍ରକାଶିତ ହେଉଥିଲା, ନିଃସନ୍ଦେହରେ ତାହା ଥିଲା ସମୁଦ୍ରର ଗମ୍ଭୀର ହୃଦୟର ନିଦର୍ଶନ । ସୁଚରିତା ବିଷୟ ମଧ୍ୟ ଚିନ୍ତା କରୁଥିଲି । କେଡ଼େ ସହଜ ଭାବ, କି ଅକୃତ୍ରିମ ବ୍ୟବହାର ! ଆହା, କାଞ୍ଚନ–ପଦ୍ମଧର୍ମୀ ଶରୀରେହିଁ ମୃଦୁତା ଓ ସରସତା ରହିପାରେ । କ୍ଷଣକପରେ ମୁଁ ପଚାରିଲି–“ମନରେ ଅବିନୟ ଧରିବେ ନାହିଁ ଦେବୀ, ଅଧା କାହାଣୀ ଗୋପନ ରଖି କାହିଁକି ତାକୁ ବିକୃତ ହେବାକୁ ଦେଲେ ?” ସୁଚରିତା ଉତ୍ତର ଦେଲା–“ସେହି ଅଧା କାହାଣୀ ହିଁ ହେଉଛି ମୋର ନିଜର ସତ୍ୟ ଆର୍ଯ୍ୟ ! ଯଦି ପରବର୍ତ୍ତୀ ଅଧା କାହାଣୀ ଘଟି ନଥାନ୍ତା, ତଥାପି ସେତିକି ସତ୍ୟ ଉପରେ ମୋର କୌଣସି ସନ୍ଦେହ ହୋଇ ନଥାନ୍ତା । ତୁମେ ଯେତେ ସରଳଭାବରେ ଏହି ଉତ୍ତରାର୍ଦ୍ଧକୁ ବିଶ୍ୱାସ କଲ, ସେତେ ସରଳଭାବରେ ଆଉ କେହି ବିଶ୍ଵାସ କରି ନାହାନ୍ତି ।” ମୁଁ ସାମାନ୍ୟ ସଙ୍କୋଚରେ ପ୍ରଶ୍ନ କଲି–“ଉତ୍ତରାର୍ଦ୍ଧର ଅର୍ଦ୍ଧେକ ତୁମକୁ ଜଣା ଦେବୀ, ଅର୍ଦ୍ଧେକ ମୋତେ ଜଣା । ତୁମେ କଣ ଏଥିରେ କିଛି ଗୋପନ କରିନାହିଁ ?” ସୁଚରିତାର ସହଜ–ମନୋହର ଆଖିରେ ହସର ଭାବ ତରଙ୍ଗିତ ହୋଇଗଲା । କହିଲା–“ମୁଁ ଶୁଣିଛି ଆର୍ଯ୍ୟ, ତୁମେ ସରସ ପରିହାସକୁଶଳ । କଣ ଗୋପନ କରି ପାରିଥାଏ ମୁଁ ?” ସୁଚରିତାର ଉତ୍ସୁକ ଆଖିରେ ନିଜର ଆଖିକୁ ସ୍ଥାପନ କରି ମୁଁ ହସି ହସି କହିଲି–“ଶୁଣ ଶୁଭେ, ଆର୍ଯ୍ୟ ବିରତିବଜ୍ରଙ୍କ ଗୁରୁ ତାଙ୍କୁ କୌଳ-ସିଦ୍ଧ ଅବଧୂତ ଅଘୋରଭୈରବଙ୍କ ନିକଟକୁ ଯିବାପାଇଁ ନିର୍ଦ୍ଦେଶ ଦେଇଥିଲେ ବୋଲି ସେ ଅବଧୂତ ଅଘୋରଭୈରବଙ୍କୁ କହିଥିଲେ । ମୁଁ ଏ କଥାର ସାକ୍ଷୀ । ସେ ଦିନ ମୁଁ ଏହାର ଅର୍ଥ ବୁଝି ନଥିଲି; ଆଜି ବୁଝୁଛି । ଆର୍ଯ୍ୟ ବିରତିବଜ୍ର ଗୁରୁଙ୍କୁ ସମସ୍ତ କଥା କହିଥିବେ; ଗୁରୁ ଶିଷ୍ୟକୁ ବ୍ରତ–ଭଙ୍ଗରୁ ରକ୍ଷା କରିବାପାଇଁ ପ୍ରଯତ୍ନ କରିଥିବେ । ଶିଷ୍ୟ ବ୍ୟାକୁଳ ହୋଇଯାଇଥିବେ କିନ୍ତୁ ସହଜ ଗମ୍ଭୀରତାଯୋଗୁଁ ଗୁରୁଙ୍କ ପ୍ରଦର୍ଶିତ ନିୟମ ପାଳନ କରିବାରେ ଲାଗିଥିବେ । ପରନ୍ତୁ–”କ୍ଷଣକପାଇଁ ଅଟକି ମୁଁ ସୁଚରିତାକୁ ଦେଖିଲି । ତାର ନର୍ମ–ଚଟୁଳ ମୁଦ୍ରା ପରିବର୍ତ୍ତିତ ହୋଇଥିଲା । ସେ ଗମ୍ଭୀର ହୋଇଯାଇଥିଲା । କହିଲା–“ହଁ, କୁହ ଆର୍ଯ୍ୟ ! ମୁଁ ନୂଆ କଥା ଶୁଣୁଛି ।” ମୁଁ ହସି କରି କହିଲି–“ହଁ ଦେବୀ, ଗୁରୁ ତାହାହେଲେ ଆର୍ଯ୍ୟ ବିରତିବଜ୍ରଙ୍କୁ କୌଣସି ସରୋବର ନିକଟରେ ଦେଖିଥିବେ । ବସନ୍ତ–କାଳର ଜନ୍ମଭୂମି ସମ ସହକାର–ଲତାଙ୍କର ଏକ ଅବିରଳ କୁଞ୍ଜ ଥିବ ସେଠାରେ, ଯାହା ପୁଷ୍ପରୁ ପୁଷ୍ପମୟ, ମଧୁରଠାରୁ ଭ୍ରମରମୟ, କୋକିଳଠାରୁ ପରିଭୃତମୟ ଓ ମୟୂରରୁ ମୟୂରମୟ ଭଳି ଲାଗିଥିବ । ସେଠାରେ ଗୁରୁଙ୍କର ସମସ୍ତ ଉପଦେଶ ଭୁଲି ସେ ଲିଖିତ ଭଳି, ଉତ୍‍କୀର୍ଣ୍ଣ ଭଳି, ସ୍ତମ୍ଭିତ ଭଳି, ଉପରତ ଭଳି, ପ୍ରସୁପ୍ତ ଭଳି, ଯୋଗ–ସମାଧିସ୍ଥ ସମ ନିଶ୍ଚଳ ହୋଇ ମଧ୍ୟ ବ୍ରତରୁ ବିଚଳିତ ହୋଇଯାଇଥିବେ । ଗୁରୁ ଆଶ୍ଚର୍ଯ୍ୟରେ ଦେଖିଥିବେ ନିଜର ନୈରାତ୍ମ୍ୟ–ଉପଦେଶର ଏ ପରିଣତି । ଶୂନ୍ୟ–ସମାଧିର ଏ ଅବସ୍ଥା କେବେ ତାଙ୍କର ମସ୍ତିସ୍କରେ ଆସି ନଥିବ । କିଭଳି ହୋଇଥିବ ସେ ଶୂନ୍ୟ–ସମାଧି ? ହୃଦୟ–ନିବାସିନୀ ପ୍ରିୟାକୁ ଦେଖିବା ପାଇଁ ତାଙ୍କର ସମସ୍ତ ଇନ୍ଦ୍ରିୟ ଏଭଳି ଅନ୍ତଃପ୍ରବିଷ୍ଟ ହୋଇଥିବ, ସତେ ଯେପରି ଅସହ୍ୟ ବିରହ–ସନ୍ତାପରୁ ବଞ୍ଚିବାପାଇଁ ଉଦ୍‍ଯୋଗ କରୁଛି । ଏହିଭଳି ତାଙ୍କର ସମୁଦାୟ ଶରୀର ବିରାଟ ଶୂନ୍ୟତା ଧାରଣ କରିସାରିଥିବ, ନିଷ୍କନ୍ଦ–ନିମୀଳିତ ନୟନରେ ହୃଦୟଦାହୀ ପ୍ରେମାଗ୍ନିର ଧୂଆଁ ଲାଗିଥିବ ଓ ସେଥିରୁ ଅଜସ୍ର ବାରି–ଧାରା ଝରିଥିବ । ଲତା–କୁସୁମ କମ୍ପି ଉଠିଥିବେ ଦୀର୍ଘ ନିଃଶ୍ୱାସର ବାୟୁରେ ଓ କୁସୁମ–ରେଣୁ ବିକୀର୍ଣ୍ଣ ହୋଇଥିବ ଦିଙ୍ମଣ୍ଡଳରେ । ଏ ଅବସ୍ଥାରେ ଗୁରୁ ତାଙ୍କୁ ହଠାତ୍ ଡାକିଥିବେ । ଆର୍ଯ୍ୟ ବିରତିବଜ୍ର ଯେତେବେଳେ ଗୁରୁଙ୍କ ବାଣୀ ଶୁଣି ଧଡ଼ପଡ଼ ହୋଇ ଉଠିଥିବେ, ସେତେବେଳେ ବୃକ୍ଷଗୁଡ଼ିକ କୁସୁମ–ରେଣୁ ଛିଞ୍ଚାଡ଼ି ମନୋଭାବ ଦେବତାଙ୍କର ବଶୀକରଣ ଚୂର୍ଣ୍ଣର ପ୍ରଭାବ ବିସ୍ତାର କରିଥିବେ, ଅଶୋକ–ପଲ୍ଲବ ମୃଦୁସ୍ପର୍ଶରେ ନିଜର ରାଗ ସଂଚାରିତ କରିଥିବ, ବନଲକ୍ଷ୍ମୀ ନବୀନ ରାଜ୍ୟରେ ପ୍ରବେଶ କରୁଥିବା ଯୁବରାଜଙ୍କ ପରି ସେହି ଅପୂର୍ବ ମନୋହର କିଶୋର ତାପସଙ୍କ ଭାଲପଟ୍ଟରେ ମଧୁ–ବିନ୍ଦୁର ଓ ବସନ୍ତ–କାଳ କୋକିଳଙ୍କର ସଙ୍ଗୀତରେ, ଭ୍ରମରଙ୍କର ଗୁଞ୍ଜନରେ, ଚମ୍ପକ କଳିକାର ପ୍ରସାଦରେ ଓ ସହକାର ମଞ୍ଜରୀ ମାଙ୍ଗଲ୍ୟରେ ତାଙ୍କର ଅଭିନନ୍ଦନ କରିଥିବ । ସେଦିନ କଣ ତୁମେ ଏହାର କୌଣସି ଚିହ୍ନ ଦେଖି ନଥିଲ, ଦେବୀ ! ତୁମେ ମୋତେ ଗୋପନ କରୁଛ ନା ?” ସୁଚରିତା ଆଖି ନଇଁଦେଲା ଓ ହସର ତରଳ ଧାରାରେ ତରଙ୍ଗିତ ହେଲା ଭଳି କହିଲା–“ତୁମେ ତ ପରିହାସ କରୁଛ ଆର୍ଯ୍ୟ !” ମୁଁ ପଚାରିଲି–ଏ ବ୍ୟବହାରରେ ଧନଦତ୍ତ ଯେଉଁ ଋଣର ପ୍ରଶ୍ନ ଉଠାଇଛି, ତା କଣ ସତ୍ୟ ?” ସୁଚରିତା ସାମାନ୍ୟ ଉତ୍ତେଜିତ ହୋଇ କହିଲା–“ନିରାଟ ଅସତ୍ୟ ଆର୍ଯ୍ୟ ! କୌଣସି ଦିନ ମୋ ଆଗରେ ସେ ଏବିଷୟରେ ଚର୍ଚ୍ଚା କରିନାହିଁ । ମୋର ପତି ଯଦି ପ୍ରବ୍ରଜିତ ହୋଇଥିଲେ, ମୁଁ ତ ସେଠାରେ ଥିଲି । କାହିଁକି ଧନଦତ୍ତ କେବେ ଏ ଋଣ ସମ୍ବନ୍ଧରେ ଚର୍ଚ୍ଚା କରି ନ ଥିଲା ? ଆର୍ଯ୍ୟ ବିରତିବଜ୍ର ଗୃହସ୍ଥ ହୋଇଯାଇଛନ୍ତି–ଏହା ଅତି ମିଥ୍ୟା କଥନ । ସେ ଯାହା କିଛି କରୁଛନ୍ତି, ତା ସଂପୂର୍ଣ୍ଣଭାବେ ନିଜର ଗୁରୁଙ୍କ ଅନୁମତିରେ । ଦୁନିଆ ଯାହାକିଛି ମନେ କରୁନା କାହିଁକି, ସେ ପ୍ରଥମେ ଯାହା ଥିଲେ, ଆଜି ଠିକ୍ ତାହାହିଁ । ଗୁରୁଙ୍କ ନିର୍ଦ୍ଦେଶରେ ସେ ସାଧନ–ମାର୍ଗ ପରିବର୍ତ୍ତନ କରିଛନ୍ତି ।”

 

ମୁଁ ମଝିରେ ପଚାରିଲି–“ତା’ହେଲେ ତୁମେ କଣ ଏ ବ୍ୟବହାର ପାଇଁ ମହାରାଜାରାଜଙ୍କ ଉପରେ ଅପ୍ରସନ୍ନ ହୋଇଛ ?” ସୁଚରିତା ହସି କହିଲା–“ଫେନ–ବୁଦବୁଦ ସମ ନିରନ୍ତର ଉଦ୍‍ଭୟମାନ ଓ ବିଲୀୟମାନ ଏହି ନିଶ୍ଵର ଜୀବଙ୍କ ମଧ୍ୟରେ ମହାରାଜା ବା କଣ, ଆଉ ଶେଠ୍‍ ବା କଣ ? ମହାରାଜାଧିରାଜଙ୍କ ଉପରେ ନା ମୁଁ ପ୍ରସନ୍ନ, ନା ଅପ୍ରସନ୍ନ । ଆର୍ଯ୍ୟ, ଏହାଙ୍କଠୁଁ ବହୁ ବଡ଼ ମହାରାଜାଙ୍କର ଶରଣ ପାଇବାରୁ ମୁଁ ପ୍ରୟାସ କରୁଛି । କାହିଁକି ଅପ୍ରସନ୍ନ ହେବି ? ସେ ଅନ୍ୟାୟ କରିଛନ୍ତି ତ ତାର ଫଳାଫଳ ସେ ଜାଣନ୍ତି । ମୋତେ ଯାହାକିଛି ସୁଖ ବା ଦୁଃଖ ମିଳିବ, ସେଇଥିରେ ମୁଁ ନିଜର ନାରାୟଣଙ୍କର ପୂଜା କରିବି । ଏ ହାତକଡ଼ି ମଧ୍ୟ ତାଙ୍କୁହିଁ ଅର୍ଘ୍ୟରୂପେ ଉପହୃତ ।” ମୁଁ ବିନୀତ ଭାବରେ କହିଲି–“ଦେବୀ, ତୁମର ଏ ବ୍ୟବହାରରେ ନଗରରେ ଚହଳ ପଡ଼ିଯାଇଛି । ରକ୍ତପାତର ଭୟଙ୍କର ସମ୍ଭାବନାରେ ରାଜ୍ୟର ଅଧିକାରୀ ଚିନ୍ତିତ ହୋଇପଡ଼ିଛନ୍ତି । ମୁଁ ଜାଣିବାକୁ ଚାହୁଁଛି, ତୁମେ ମହାରାଜାଧିରାଜଙ୍କର ସହାୟତା କରିପାରିବ କି ନାହିଁ ? ଶାନ୍ତି ସ୍ଥାପନପାଇଁ ଓ ପ୍ରଜାଙ୍କ ମଧ୍ୟରେ ବିଶ୍ଵାସ ଆଣିବାପାଇଁ ସହାୟତାର ଆବଶ୍ୟକ । ଦୁର୍ଦମନୀୟ ଦ୍ରସ୍ୟୁସେନା ଗିରି–ବର୍ତ୍ମ ସେପାଖେ ଏକତ୍ରିତ ହେଉଛି । ଏତେବେଳେ ପ୍ରଜାଙ୍କ ମଧ୍ୟରେ ଅସନ୍ତୋଷ ରହିଲେ ମହାନ୍ ଅନର୍ଥ ହେବାର ସମ୍ଭାବନା ।” ସୁଚରିତା ଆଶ୍ଚର୍ଯ୍ୟରେ ମୋତେ ଅନାଇ କହିଲା–“ଏ ତ ନୂଆ କଥା ଶୁଣୁଛି, ଆର୍ଯ୍ୟ ! ଏଥିପୂର୍ବରୁ ପ୍ରଜାମାନେ ତ ମୋପାଇଁ କେବେ ଚିନ୍ତା କରି ନଥିଲେ । ଏ ନଗରରେ ମୁଁ ସର୍ବଦା ନିନ୍ଦାଭାଜନ ହୋଇରହିଛି । ନଗରର ବିଡ଼ମ୍ବ ରସିକଙ୍କର ଛନ୍ଦାନୁରୋଧ କରିପାରି ନାହିଁ-। ସେଥିପାଇଁ ସେମାନେ 'ମୋ ବିଷୟରେ ବହୁ ଅପବାଦ ପ୍ରଚାର କରିଛନ୍ତି । ଅଚାନକ ପ୍ରଜାଙ୍କ ମଧ୍ୟରେ ଏ ବିଦ୍ରୋହ ଜାଗିଲା କେଉଁଠୁ ?” ମୁଁ ସ୍ଵୟଂ ଆଶ୍ଚର୍ଯ୍ୟ ହେଲି । ଯଥାଯଥ–ଭାବରେ ସବୁ ଶୁଣାଇଲି । ସୂଚରିତା ପ୍ରସନ୍ନ ହୋଇ କହିଲା–“ବୁଝି ପାରିଲି, ଆର୍ଯ୍ୟ ! ମୋର ଓ ମୋ ପତିଙ୍କର ନିର୍ଦ୍ଦୋଷ ନିରୀହ ଆଚରଣରେ ଯେଭଳି ରାଜକାର୍ଯ୍ୟରେ ବାଧା ପଡ଼ିଛି, ପ୍ରଜାଙ୍କର ଶାନ୍ତିରେ ମଧ୍ୟ ସେହିପରି ବାଧା ପଡ଼ିଛି । ଏହା ଦୁଇ ପ୍ରତିଦ୍ଵନ୍ଦୀ ସ୍ଵାର୍ଥର ସଂଘାତ । ଆର୍ଯ୍ୟ, ଆମେ ତ ନିମିତ୍ତ ମାତ୍ର-! ଧନଦତ୍ତର ଗୁରୁ ଭଦନ୍ତ ବସୁଭୂତି ବୌଦ୍ଧ–ଧର୍ମକୁ ନିଶ୍ଚୟ ଜୟଯୁକ୍ତ କରାଇ ଛାଡ଼ିବେ ଓ ଭବଭୂତିଙ୍କ ପ୍ରତିଭଟ ପରମସ୍ମାର୍ତ୍ତ ଆଚାର୍ଯ୍ୟ ମେଧାତିଥି–ଆଜିର ସଭାରେ ଯେ ଥିଲେ ଗୁପ୍ତ ସୂତ୍ରଧାର, ସନାତନ ଧର୍ମକୁ ପୁନଃ ପ୍ରତିଷ୍ଠିତ କରି ନିଃଶ୍ଵାସ ନେବେ । ମନୁଷ୍ୟ ନିଃଶେଷ ହୋଇଯାଉ; କିନ୍ତୁ ତାକୁ ନିଜର ଧର୍ମମତର ଡିଣ୍ଡିମ ପିଟିବାକୁ ପଡ଼ିବ । ଗୋଟିକର ପିଠି ଉପରେ ରାଜ–ଶକ୍ତି ଓ ଅନ୍ୟର କରତଳରେ ପ୍ରଜାର ବିଦ୍ରୋହ ! ବିରତିବଜ୍ରଙ୍କର ବୌଦ୍ଧରୁ ବୈଷ୍ଣବ ହେବାହିଁ ବୋଧହୁଏ ସଂସାରର ବଡ଼ ଘଟଣା । ଏ ଜୟ–ପରାଜୟର ପ୍ରତିଦ୍ଵନ୍ଦିତାରେ ମନୁଷ୍ୟର ସର୍ବନାଶ ହେଉ, କ୍ଷତି ନାହିଁ । କିନ୍ତୁ ମୁଁ ପଚାରେ ଆର୍ଯ୍ୟ, ଏଥିରେ କାହାର ପକ୍ଷ ଗ୍ରହଣୀୟ ? ମହାରାଜାଧୀରାଜଙ୍କ ପକ୍ଷରୁ କଣ ଏ ବହ୍ନି–ଶିଖାରେ ଇନ୍ଧନ ପକାଇବାର କାର୍ଯ୍ୟ ପ୍ରଥମରୁ ଆରମ୍ଭ ହୋଇନାହିଁ ? ଯେତେବେଳେ ଆର୍ଯ୍ୟ ବିରତିବଜ୍ର ନୂତନ ଧର୍ମ–ମତରେ ଦୀକ୍ଷା ଗ୍ରହଣ କଲେ, ସହସା ସ୍ଥାଣ୍ୱୀଶ୍ୱରରେ ଧାର୍ମିକ ଉତ୍ତେଜନା ପ୍ରବଳ ହୋଇଉଠିଲା । ବିଦ୍ଵାନଙ୍କର ଅନୁରୋଧରେ ନଗର–ଶେଠମାନଙ୍କର ପ୍ରସାଦରୁ ବିଶାଳ ପଟବାସ (ଶିବିର) ନିର୍ମାଣ କରାଗଲା ଓ ସେଠାକୁ ମୋର ଗୁରୁ ଆମନ୍ତ୍ରିତ ହେଲେ । ଗୁରୁଙ୍କର ସିଦ୍ଧାନ୍ତ, ସେ ପାପୀରୁ ମହାପାପୀକୁ ମଧ୍ୟ ନିଜର କଥା ଶୁଣାଇବାରେ ଦ୍ଵିଧା କରିବେ ନାହିଁ । ସହଜରେ ସ୍ଵୀକାର କରିଗଲେ ସେ । କିନ୍ତୁ ଆର୍ଯ୍ୟ ବିରତି–ବଜ୍ର ବାହାରକୁ ଆସିବାକୁ ପସନ୍ଦ କଲେ ନାହିଁ । ଗୁରୁଙ୍କ ଅନୁରୋଧରେ ସେ କେବଳ ମୋତେ ସେଠାରେ ରହିବାପାଇଁ ଅନୁମତି ଦେଲେ । ବୌଦ୍ଧ ଆଚାର୍ଯ୍ୟ ବସୁଭୁତିଙ୍କ ସହିତ ମୋର ଗୁରୁଙ୍କ ସଙ୍ଗର୍ଷ ଲଗାଇବାପାଇଁ ବାରମ୍ବାର ଚେଷ୍ଟା କରାଗଲା; କିନ୍ତୁ ସେ ହେଉଛନ୍ତି ମହାଦେବଙ୍କ ଅବତାର-। ନିଜର ଭଜନ–ପୂଜାହିଁ ହେଉଛି ତାଙ୍କର ବଡ଼ କଥା । ନିଜର କାର୍ଯ୍ୟ ସମାପ୍ତ କଲାପରେ ସେ କ୍ଷଣମାତ୍ର ରହୁ ନଥିଲେ ଓ ଭଜନ ଆରମ୍ଭ ହେବାର କ୍ଷଣକପୂର୍ବରୁ ଉପସ୍ଥିତ ହେଉଥିଲେ । ଯେଉଁ ଈର୍ଷ୍ୟାଗ୍ନିରେ ରାଜା–ପ୍ରଜା ସମସ୍ତେ ଜଳୁଛନ୍ତି ଓ ସେ ସମୟ ମଧ୍ୟ ଆସିଲାଣି ଯେତେବେଳେ ସମୁଦାୟ ଆର୍ଯ୍ୟାବର୍ତ୍ତନ ନିଜର ତରୁଣ, ବାଳକ, ଅନାଥ, ବୃଦ୍ଧଙ୍କ ସହିତ ଜଳି ଭସ୍ମ ହୋଇଯିବ, ସେ ଇର୍ଷ୍ୟାଗ୍ନି, ହେଉଛି ଅଳ୍ପ କେତେ ଜଣ ପଣ୍ଡିତମାନୀ ବ୍ୟକ୍ତିଙ୍କର । ଯେଉଁ ପ୍ରଜାମାନେ ବିଦ୍ରୋହ କରିଛନ୍ତି, ସେମାନେ ଅଜ୍ଞ, ଅନ୍ଧ, ଅଭାଜନ ।”

 

ଦୀର୍ଘ ନିଃଶ୍ୱାସ ନେଲା ସୁଚରିତା । କିଛି ସମୟ ମୌନ ରହି ପୂଣି କହିଲା–“ଦୀର୍ଘ ସାଧନା ବି ଆର୍ଯ୍ୟ ମହାମାୟାଙ୍କର ଭିତରର କଳୁଷକୁ ଜାଳି ଦେଇପାରିନାହିଁ । ବସ୍ତୁତଃ କଳୁଷ ମନୁଷ୍ୟର ନିଜର ସତ୍ୟ । ତାକୁ ସ୍ୱୀକାର କରି ସେ ସାର୍ଥକ ହୋଇପାରେ, ଚାପିଦେଲେ ତାହା ମନୁଷ୍ୟକୁ ନଷ୍ଟ କରେ । ସବୁ ଗୁଣ ଓ ଅବଗୁଣକୁ ନିର୍ବିକାର ଚିତ୍ତରେ ନାରାୟଣଙ୍କୁ ଅର୍ପଣ କରି ନ ଦେବା ପର୍ଯ୍ୟନ୍ତ ତାହା ଭାର–ମାତ୍ର ।” ମୁଁ ସୁଚରିତାର ଏ କଥାର ଅର୍ଥ ଅଧେ ବୁଝିଲି । କିନ୍ତୁ ବିଳମ୍ବ ହେଲେ ଅନର୍ଥ ହୋଇପାରେ, ସେଥିପାଇଁ ମଝିରେ ପଚାରିଲି–“ତା’ ହେଲେ ଉପାୟ କଣ, ଦେବୀ-?” ସୁଚରିତା ସହଜଭାବରେ କହିଲା–“ଉପାୟ ମହାରାଜାଧିରାଜଙ୍କ ହାତରେ । ପୁଣି ସେ ଆମକୁ ଭଜନ–ପୂଜନ କରିବାର ଜନ୍ମଗତ ଅଧିକାର ଫେରାଇ ଦିଅନ୍ତୁ । ମହାରାଜାଙ୍କଦୃଷ୍ଟିରୁ ମୁଁ ଏ କଥା କହିଛି । ମୋ ପକ୍ଷରେ ସେ ପୂଜା ଯାହା ଥିଲା, ଏ ମଧ୍ୟ ଠିକ୍ ତାହା । ମୋଠୁଁ ମୋର ଅଧିକାର କିଏ କାଢ଼ି ନେଇପାରେ ?”

 

ମୁଁ ଅବସର ବୁଝି ପଚାରିଲି–“ତା’ ହେଲେ ତୁମେ ଏ ସର୍ତ୍ତରେ ମୋ ସହିତ ଯିବାକୁ ପ୍ରସ୍ତୁତ ଅଛ ତ ଦେବୀ ?” ସୁଚରିତା ଉତ୍ସାହର ସହିତ କହିଲା–‘‘ନିଶ୍ଚୟ ଆର୍ଯ୍ୟ !” ମୁଁ ଶ୍ରଦ୍ଧାବନତ ଗ୍ରୀବାକୁ ଆହୁରି ନତ କରି, ସେହି ଦେବବାଳାଙ୍କୁ ପ୍ରଣାମ କଲି । ହାୟ ମହାକବି, ତୁମେ ଚତୁରସ୍ରଶୋଭୀ ଶରୀରକୁ ନବଯୌବନଦ୍ଵାର ଏଭଳି କଣ ବିଭକ୍ତ ହେବାର ଦେଖିଥିଲ, ସତେ ଯେପରି ତାହା ତୁଳିକାଦ୍ଵାରା ଉନ୍ମଳିତ ଚିତ୍ର ବା ସୂର୍ଯ୍ୟ କିରଣରେ ଉଦଭିନ୍ନ ଅବିରନ୍ଦ ? କିନ୍ତୁ ନବଯୌବନର ପ୍ରଥମ ଉଦ୍ରେକରେ ଅଖଣ୍ଡାନନ୍ଦ–ସନ୍ଦୋହ ପରମଜ୍ୟୋତିର ଦୀପ୍ତିରେ ଯାହା ଏତେ ଭାସ୍ଵର ହୋଇଯାଇଥିଲା ସେହି ସର୍ବତୋବିସ୍ତାରୀ ମନକୁ କେଉଁଠି ଦେଖିଲ ? କିଏ କହେ, ଯୌବନ ଅନ୍ଧ ଓ ଦୁର୍ଲଳିତ ? ସେଥିରେ ଅପୂର୍ବ ଉନ୍ନାୟକ ଗୁଣ ବି ତ ରହିଛି । ମୁଁ ପ୍ରଣାମ କରିବାର ଦେଖି ସୁଚରିତା ବ୍ୟସ୍ତ ହୋଇଗଲା, କହିଲା–ଆର୍ଯ୍ୟ ! ମୋତେ ଅପରାଧୀ କରୁଛନ୍ତି ।” ନିଗଡ଼ବଦ୍ଧ ଅବସ୍ଥାରେ ମଧ୍ୟ ସାଷ୍ଟାଙ୍ଗ ପ୍ରଣିପାତ କରି ସେ ନିଜର ଅପରାଧ ମାର୍ଜନା କଲା, କହିଲା–“ମୋତେ ଲଜ୍ଜିତ କରିବାର କଣ କାରଣ ଦେଖିଲେ ଆର୍ଯ୍ୟ ? ଅଭ୍ୟାସ–ଦୋଷରୁ ଅଧିକ କିଛି କହି ନିଜକୁ ଜ୍ଞାନୀ ବୋଲି ଦେଖାଇବାକୁ ଚେଷ୍ଟା କରିଛି, ଏହି ନା ? କ୍ଷୁଦ୍ରତାର ବନ୍ଧନ ବଡ଼ କଠୋର ଆର୍ଯ୍ୟ, ଶୀଘ୍ର ଭାଙ୍ଗେ ନା । ମୋର ପତିଦେବ ଥରେ ଯେ ଘୋଷା ବାକ୍ୟ ବାକ୍ୟ କହିବା ବନ୍ଦ କଲେ, ଏପର୍ଯ୍ୟନ୍ତ ତା ବନ୍ଦ ରହିଛି । ଆଉ ମୁଁ ଭାଗ୍ୟହୀନା । ଏପର୍ଯ୍ୟନ୍ତ ଘୋଷା ବାକ୍ୟ କହିବାରେ ଲାଗିଛି-। କିନ୍ତୁ ଅନୁତାପ ବି କଣ କରିବି ? ମୁଁ ଏମିତି–ଭଲ ବା ମନ୍ଦ, ନିନ୍ଦିତା ବା ଅବମାନିତା । ନାରାୟଣଙ୍କଠାରେ ଉତ୍ସୃଷ୍ଟ ପୁଷ୍ପବୃନ୍ତପରି ଗନ୍ଧହୀନ ହୋଇ ମଧ୍ୟ ମୁଁ ସାର୍ଥକ । ମୋର ମାନାପରାଧ ମନରେ ଧରିବେ ନାହିଁ ଆର୍ଯ୍ୟ !” ନମ୍ରତାସହ ଉତ୍ତର ଦେଲି–“ତୁମେ ସାର୍ଥକ ଦେବୀ ! ତୁମର ଶରୀର ଓ ମନ ସାର୍ଥକ, ତୁମର ଜ୍ଞାନ ଓ ବାଣୀ ସାର୍ଥକ, ସବୁଠୁଁ ବଡ଼ ତୁମର ପ୍ରେମ ସାର୍ଥକ । ତୁମକୁ ପ୍ରଣାମ କରି ଭବସାଗରରେ ନିର୍ଲସ୍ୟ ବହୁଥିବା ଅକର୍ମା ଜୀବ ବି ସାର୍ଥକ ହେବ । ତୁମେ ସତୀତ୍ଵର ମର୍ଯ୍ୟାଦା, ପାତିବ୍ରତ୍ୟର କାଷ୍ଠା, ସ୍ତ୍ରୀ–ଧର୍ମର ଅଳଙ୍କାର ।” ସୁଚରିତା କଥା ଭାଙ୍ଗି ହସି ହସି କହିଲା–“ତୁମେ ତ କବିତା ରଚନାରେ ଲାଗିଲ ଆର୍ଯ୍ୟ ।”

 

ମୁଁ ତାର ବ୍ୟଙ୍ଗାର୍ଥ ବୁଝିଲି । ବିରତିବଜ୍ରଙ୍କର କାଳ୍ପନିକ ମୂର୍ତ୍ତି ରଚି ମୁଁ ସୁଚରିତାର ସ୍ନେହ–ମୃଦୁଳ ହୃଦୟରେ ଯେଉଁ ଆନନ୍ଦ ଉଲ୍ଲସିତ କରି ଦେଇଥିଲି, ସେ ସ୍ମୃତି ତାର ମନରୁ ଯାଇ ନଥିଲା । ତାର ଆଶଙ୍କା ହେଲା, ମୁଁ ପୁଣି ସେହି କାଳ୍ପନିକ ସୌନ୍ଦର୍ଯ୍ୟ–ମୂର୍ତ୍ତି ଗଢ଼ିବା ଆରମ୍ଭ କରି ନଦିଏ । ଯାହାକୁ ସେ ମନୋଜନ୍ମା ଦେବତା ବୋଲି କହି ଆସିଛି, ମୁଁ ତାକୁ ବରାବର ଜଡ଼ ଶରୀର–ଧର୍ମ ବୋଲି ବୁଝିଛି । ବିରତିବଜ୍ର ପ୍ରଥମେ ଯାହା ଥିଲେ, ବର୍ତ୍ତମାନ ଠିକ୍‍ ସେମିତି । ସୁଚରିତାର ଏଇ କଥାରେ ମୋର ଭ୍ରମ ତୁଟିଗଲା । କେତେ ଯେ ନୀଚ ସ୍ତରରେ ବସି ମୁଁ ତାର କଥା ଶୁଣିଲି । ବର୍ତ୍ତମାନ ତାର ସତୀତ୍ଵର ଗୁଣଗାନ କରିବାକୁ ଯାଉଛି । ତଥାପି କଣ ସେହି ଅପୂର୍ବ ଶକ୍ତିଶାଳୀ ମନୋଜନ୍ମା ଦେବତାଙ୍କୁ ଚିହ୍ନି ପାରିଲି ? ମୁଁ ହସି ହସି କହିଲି–“ନା ଦେବୀ, ମୁଁ ନିଜ ଭିତରର ସଭ୍ୟତାର କଥା କହୁଛି, କିନ୍ତୁ ଗୋଟିଏ କଥା କହିବି, ତୁମେ ଆଶ୍ଚଯ୍ୟ ନ ହୋଇ ରହିପାରିବ ନାହିଁ-।” ସୁଚରିତା ଉତ୍ସୁକତାରେ ପଚାରିଲା” କଣ ଆର୍ଯ୍ୟ ?” ତାର ସହଜ–ମନୋହର ମୁହଁର ଔତ୍ସୁକ୍ୟକୁ ଶୀଘ୍ର ସମାପ୍ତ ନକରି ଧୀରେ ଧୀରେ କହିଲି–“ମୁଁ ବେଶ ଭଲ ଭବିଷ୍ୟତବକ୍ତା । କାଶୀ ଜନପଦର ଯେଉଁ ବ୍ରାହ୍ମଣ–ଯୁବକ ତୁମର ଚିତ୍ତରେ ଅକାରଣ ଔତ୍ସୁକ୍ୟ ଭରି ଦେଇଥିଲା, ସେ ମୁଁ । ସୂଚରିତାର ନୟନ–ପକ୍ଷ୍ମ ଆଶ୍ଚର୍ଯ୍ୟରେ ଯେପରି ଆକାଶକୁ ଉଠିଗଲା । ଅନେକ ସମୟପର୍ଯ୍ୟନ୍ତ ସେ ସେହି ଅବସ୍ଥାରେ ରହିଲା । ପୁଣି ନିଜକୁ ସଂଯତ କରି ସେ ମୂର୍ଦ୍ଧା–ନିଷକ୍ତ ନିଗଡ଼ବଦ୍ଧ କରତଳକୁ ଭୂମିରେ ରଖି ଭକ୍ତିରେ ପ୍ରଣାମ କଲା ।

Image

 

Unknown

ପଞ୍ଚଦଶ ପରିଚ୍ଛେଦ

 

ଭଦ୍ରେଶ୍ଵର ଦୁର୍ଗର ସମୀପବର୍ତ୍ତୀ ଦୂର୍ଗମ ଶରକାନ୍ତାର ଦେଖାଗଲା । ରଜତପଟ୍ଟସମ ଦୂର ପର୍ଯ୍ୟନ୍ତ ପ୍ରତିଭାତ ବାଲୁକା-ପ୍ରାନ୍ତରକୁ ଆଚ୍ଛାଦିତ କରି ସେହି ଶରକାନ୍ତାର ଏଭଳି ଦେଖାଯାଉଥିଲା, ସତେ ଯେପରି ଜ୍ଵଳନ୍ତ ଧରିତ୍ରୀର ସହସ୍ର ସହସ୍ର ଜିହ୍ଵା ଆକାଶପର୍ଯ୍ୟନ୍ତ ଲମ୍ବିଯିବାକୁ ଆୟୋଜନ କରୁଛି । ବାତ୍ୟାଲୁଣ୍ଠିତ ବାଲୁକାରାଶି ଉଦଧୁମ ଅଗ୍ନିକୁଣ୍ଡ ପରି ଚିତ୍ତକୁ ଭୟଭ୍ରାନ୍ତ କରୁଥିଲା । ତଳୁ ଉପରପର୍ଯ୍ୟନ୍ତ ଶୀତଳତାର ନାମ ସୁଦ୍ଧା ନଥିଲା । କେତେ ଦିନ ହେଲା ମୁଁ ଘୋଡ଼ା ପିଠିରେ ବସିଥିଲି । ମନରେ ପରେ ପରେ ଭଟ୍ଟିଣୀଙ୍କର ଚିନ୍ତା-କାତର ମୁଖ ଓ ସୁଚରିତାର ପ୍ରସନ୍ନ ରୂପ ଉଦିତ ହେଉଥିଲା । ଗୋଟିଏ ଭଦ୍ରେଶ୍ଵରଆଡ଼କୁ ଟାଣୁଥିଲା ଅନ୍ୟଟି ସ୍ଥାଣ୍ୱୀଶ୍ୱରକୁ । ସ୍ଥାଣ୍ୱୀଶ୍ୱରର ଘଟଣା ଦର୍ପଣରେ ପ୍ରତିଭାତ ଛାୟାପରି ସର୍ବତ୍ର ସ୍ପଷ୍ଟ ହୋଇ ଦେଖାଯାଉଥିଲା । ସୁଚରିତାକୁ କାରାଗାରରୁ ମୁକ୍ତ କରି ଯେତେବେଳେ ମୁଁ ତାକୁ ବେଙ୍କଟେଶ ଭଟ୍ଟଙ୍କ ପାଖକୁ ନେଲି, ସେଠାରେ ଅବଧୁତପାଦ ପୂର୍ବରୁହିଁ ବିରାଜମାନ ଥିଲେ ଓ ମହାମାୟା ମଧ୍ୟ ଉପସ୍ଥିତ ଥିଲେ । ତା ଥିଲା ଅପୂର୍ବ ଦୃଶ୍ୟ । ସୁଚରିତା ନୀରବରେ ପ୍ରଣାମ କରି ଗୋଟିଏ କୋଣରେ ବସିଲା; ମୁଁ ମଧ୍ୟ ଅନୁକରଣ କଲି-। ଅନେକ ସମୟ ପର୍ଯ୍ୟନ୍ତ ନିଃସ୍ତବଧତା ରହିଲା । କେବଳ ଅବଧୂତପାଦ ମହାମାୟାଙ୍କୁ ଲକ୍ଷ୍ୟ କରି ଅଳ୍ପ କେତେକ ଶବ୍ଦ କହିଥିଲେ । ସେ ଶବ୍ଦଗୁଡ଼ିକୁ ସ୍ମରଣ କଲେ ମୋର ଶରୀର ରୋମାଞ୍ଚିତ ହୋଇଉଠେ । କିଏ ଜାଣେ, କଣ ଘଟିବାକୁ ଯାଉଛି ? ବାହାରେ ସବୁକିଛି ଜଳିଯାଉଛି, କାଳ-ଦେବତାର ବିକଟ ଭୃକୁଟି କାହାକୁ ଛାଡ଼ିବାକୁ ଚାହେ ନାହିଁ । ଭଦ୍ରେଶ୍ଵରର ସୌଧ-ଶିଖରକୁ ଦେଖି ଭଟ୍ଟିଣୀଙ୍କର ଚିନ୍ତାହିଁ ମୋ ମନରେ ମୁଖ୍ୟ ହୋଇଉଠିଲା । ଦୀର୍ଘକାଳ ପରେ ଆଜି ଭଟ୍ଟିଣୀଙ୍କୁ ଦେଖିପାରିବି । କିନ୍ତୁ ମୋତେ ରାଜକାର୍ଯ୍ୟ ମଧ୍ୟ ସାଧନ କରିବାକୁ ପଡ଼ିବ । ଭଟ୍ଟିଣୀଙ୍କ ପାଖକୁ ଯିବାପାଇଁ ହୃଦୟ ଉଦ୍‍ବେଳିତ ହେଉଥିଲା କିନ୍ତୁ ପ୍ରଥମେ ଲୋରିକଦେବଙ୍କଠାରୁ ବିଦାୟ ନେବା ଉଚିତ ମନେ କଲି । ଭଦ୍ରେଶ୍ଵରର ସୌଧଶିଖର ଦେଖାଗଲା କିନ୍ତୁ ମୋ–ପାଇଁ ତା ଥିଲା କୌଣସି ଅଦୃଶ୍ୟ ଦେବତାର ଅଙ୍ଗୁଳିସମ । ଭଟ୍ଟିଣୀଙ୍କୁହିଁ ଇଙ୍ଗିତ କରୁଥିଲା ସେହି ସୌଧଶିଖର । ସେହି ପ୍ରବଳ ଧୂପରେ, ଜ୍ଵଳନ୍ତ ଶରକାନ୍ତାରରେ ଓ ବାତ୍ୟାଲୋତପ୍ତ ବାୟୁରେ ମଧ୍ୟ ଭଟ୍ଟିଣୀଙ୍କ ସ୍ମୃତି ଆସିବାମାତ୍ରେ ହୃଦୟରେ ଏକପ୍ରକାର ଶୀତଳତା ଅନୁଭବ ନକରି ରହିପାରିଲାନାହିଁ । ମନେ ହେଲା ସେଠି ଯେପରି କୌଣସି କଳ୍ପଲତା ଉଙ୍କି ଆସିଛି, ଚନ୍ଦ୍ର-ମରୀଚ ଅଙ୍କୁରିତ ହୋଇଯାଇଛି ଓ ଚନ୍ଦନ-ଲତା ପଲ୍ଲବିତ ହୋଇଉଠିଛି । ମୋର ସଂପୂର୍ଣ୍ଣ ଶରୀର ଉଦୟଭିନ୍ନ କେଶର କଦମ୍ବ-ପୁଷ୍ପପରି ରୋମାଞ୍ଚିତ ହୋଇଆସିଲା । ସମ୍ମୁଖରେ ଦେଖିଲି କ୍ଷୀଣଧାରା ମହାସରଯୁକୁ ।

 

ମହାସରଯୁରେ ସ୍ନାନ କରି ମୁଁ ଲୋରିକଦେବଙ୍କ ନିକଟକୁ ଗଲି । ମୋତେ ଦେଖି ସେହି ସହୃଦୟ ଆଭୀର ସାମନ୍ତଙ୍କର ଆଖିରେ ଅଶ୍ରୁ ଆସିଲା । ବଡ଼ ଆଦରରେ ମୋତେ ପ୍ରଣାମ କରି ସେ କୁଶଳ ବାର୍ତ୍ତା ପଚାରିଲେ । ସେ ମଧ୍ୟ ଆଦରରେ ଭଟ୍ଟିଣୀଙ୍କର କୁଶଳ ସମ୍ବାଦ ମୋତେ ଜଣାଇଲେ । ତାଙ୍କର ବାଣୀ ଗଦ୍‍ଗଦ୍ ହୋଇଯାଇଥିଲା । କହିଲେ–“ଆର୍ଯ୍ୟ, ଭଟ୍ଟିଣୀ ହେଉଛନ୍ତି ଏ ବନ୍ଧ୍ୟ ଭବ-କାନନର କଳ୍ପଲତା । ଏଭଳି ଦେବଦୁର୍ଲଭ ସ୍ଵଭାବ କେଉଁ ତପସ୍ୟାର ଫଳ କେଜାଣି ? ତୁମେ ତାଙ୍କୁ ଏଠାରେ ରହିବାପାଇଁ କହିଥିବାରୁ ମୁଁ ତୁମଠାରେ କୃତଜ୍ଞ । ମୁଁ ବିଶେଷ ପ୍ରୀତ ହେଉଛି-। ଯାଅ, ସେ ତୁମକୁ ଦେଖି ଅତି ପ୍ରସନ୍ନ ହେବେ । ଦୀର୍ଘକାଳରୁ ତାଙ୍କର ଆଖି ଉପୋଷିତ ହୋଇରହିଛି, ତାଙ୍କୁ ଦର୍ଶନ ଦିଅ ।” ବିନୀତଭାବରେ ଆଭୀର ସାମନ୍ତଙ୍କପ୍ରତି କୃତଜ୍ଞତା ଜଣାଇ ତାଙ୍କୁ ମହାରାଜାଧିରାଜଙ୍କର ପତ୍ର ଦେଲି । କ୍ଷଣକପର୍ଯ୍ୟନ୍ତ ଆଶ୍ଚର୍ଯ୍ୟରେ ମୋତେ ଅନାଇ ରହି ଧୀରେ ଧୀରେ ସେ କହିଲେ–“ବର୍ତ୍ତମାନ ଯାଅ ।” ଲୋରିକଦେବଙ୍କୁ ପତ୍ର ଦେଇ ମୁଁ ଶୀଘ୍ର ଭଟ୍ଟିଣୀଙ୍କ ପାଖକୁ ଗଲି । ଲୋରିକଦେବ ସ୍ୱୟଂ ପଢ଼ିବା ଜାଣି ନଥିଲେ । ସେ ପତ୍ର ରଖି ନିଜର ମନ୍ତ୍ରୀଙ୍କୁ ଡକାଇଲେ । ମୁଁ ଛୁଟି ପାଇଲି ।

 

ଭଟ୍ଟିଣୀ ମହାରାଣୀ ରାଜ୍ୟଶ୍ରୀଙ୍କର ପତ୍ର ପଢ଼ି ଥରେ ମୋତେ ସକରୁଣ ଦୃଷ୍ଟିରେ ଦେଖିଲେ ଓ ପୁଣି ମୁଣ୍ଡ ନୁଆଁଇଦେଲେ । ବନ୍ଧୁ ଜୀବ ପୁଷ୍ପସମ ତାଙ୍କର ସୁରମ୍ୟ ଅଧର କ୍ଷଣକ ମଧ୍ୟରେ ଆତପମ୍ଳାନ କେତକୀ ପୁଷ୍ପପରି ମ୍ଳାନ ହୋଇଗଲା ଓ ଆକର୍ଣ୍ଣବିସ୍ତାରୀ ମନୋହର ଚକ୍ଷୁସିକ୍ତ ଖଞ୍ଜନ-ଶାବକପରି ହତଚେଷ୍ଟ ହୋଇଗଲା । ବହୁତ ଦିନପରେ ମୋତେ ଦେଖି ଯେଉଁ ସହଜ ଆନନ୍ଦ–ଧାରା ତାଙ୍କର ସମୁଦାୟ ଅଙ୍ଗଯଷ୍ଠିକୁ ଘେରି ତରଙ୍ଗିତ ହୋଇଉଠିଥିଲା, ତାହା ହଠାତ ଶାନ୍ତ ହୋଇଗଲା; ସତେ ଯେପରି ଉତ୍ତରଙ୍ଗିତ ଆନନ୍ଦ-ସିନ୍ଧୁ ସହସା ହିମଝଞ୍ଜାର ହିଲ୍ଲୋଳରେ ପଡ଼ି ହିମ ହୋଇଗଲା । ଉତ୍ତରୋଷ୍ଠ ତାଙ୍କର ସ୍ଫୁରିତ ହୋଇ ରହିଗଲା ଭାଲପଟ୍ଟ ଈଷତ୍ କୁଞ୍ଚିତ ହୋଇ ଶାନ୍ତ ହୋଇଗଲା ଓ ଚିବୁକଦେଶ ଈଷତ ସ୍ପନ୍ଦିତ ହୋଇ ଗୃହଟିକୁ ଏକପ୍ରକାର କରୁଣ ମନୋହର ଶୋଭାରେ ଆର୍ଦ୍ର କରିଦେଲା । ମୁଁ ବୁଝିଲି, ମୋ ପକ୍ଷରୁ ନିଶ୍ଚୟ କିଛି ଅପରାଧ ହୋଇଛି । ସ୍ଵେଦ-ଧାରାରେ ବୁଡ଼ିଗଲା ମୋର ସମସ୍ତ ଶରୀର । ଅପରାଧ ଭଳି, ହେୟ ଭଳି ଓ ବିଧୃତଭଳି ତାଙ୍କ ଆଗରେ କର୍ତ୍ତବ୍ୟବିମୂଢ଼ ହୋଇ ବସିରହିଲି । ଭଟ୍ଟିଣୀଙ୍କର ମୋ ଉପରେ ଦୟା ହେଲା । ସେ ନିଜକୁ ସଂଯତ ରଖିବାପାଇଁ ଚେଷ୍ଟା କଲେ । ସେତିକିବେଳେ ନିପୁଣିକା ଆସି ପହଞ୍ଚିଲା । ସେ ତଥାପି ଦୁର୍ବଳ ଥିଲା; ହଳଦିଆ ପଡ଼ିଯାଇଥିଲା ତାର ଶରୀର । ମୋ ଆସିବାର ସମ୍ବାଦରେ ସେହି ପାଣ୍ଡୁ-ଦୁର୍ବଳ ଶରୀରରେ ଆନନ୍ଦ ସଞ୍ଚାର ହୋଇଥିଲା । ବହୁତ କିଛି ଶୁଣିବାର ଆଶା ନେଇ ଆସିଥିଲା ସେ । କିନ୍ତୁ ଭଟ୍ଟିଣୀଙ୍କର ଓ ମୋର ଅବସ୍ଥା ଦେଖି ସେ ସ୍ତମ୍ବୀଭୁତ ହୋଇଗଲା । ମୋତେ ସେ ନୀରବରେ ପ୍ରଣାମ କଲା ଓ ଭଟ୍ଟିଣୀଙ୍କ ପାଖରେ ପଡ଼ିଥିବା ରଜତ–ପଟ୍ଟୋଳିକାର ପତ୍ର ଦେଖିବାକୁ ଲାଗିଲା । ତାର ଜିଜ୍ଞାସା ଶାନ୍ତ କରିବାପାଇଁ ମୁଁ ସଂକ୍ଷେପରେ ପତ୍ରର ଇତିହାସ କହିଲି । କେତେଗୁଡ଼ିଏ ଭାବରେଖା ଅଙ୍କିତ ହୋଇଗଲା ତାର ମୁହଁ ଉପରେ । ମୋର କଥା ସମାପ୍ତ ନ ହେଉଣୁ କୃଦ୍ଧ ନାଗୁଣୀପରି ଫୁତ୍‍କାର କରିଉଠିଲେ ସେ । ଆଖିରେ ତାର ଅଗ୍ନି-ସ୍ଫୁଲିଙ୍ଗର ଧାରା ବହିଗଲା ଯେପରି । ଗୋଟିଏ ନିଃଶ୍ୱାସରେ ସେ କେତେ ଯେ କଣ କହିଗଲା । ଶେଷରେ ପାଦାହତ ସିଂହନୀଭଳି ଗର୍ଜନ କରି ନିଜର କାନ୍ଧ ଝାଡ଼ି ସେ କହିଲା–‘‘ଧିକ୍ ତୁମକୁ ଭଟ୍ଟ, ଭଟ୍ଟିଣୀଙ୍କୁ ଅପମାନ କରିବାପାଇଁ ତୁମେ କିପରି ରାଜି ହେଲ ? କାନ୍ୟ–କୁବଜର ଲମ୍ପଟ–ଶରଣ୍ୟ ରାଜା କଣ ଭଟ୍ଟିଣୀଙ୍କର ସେବକକୁ ନିଜର ସଭାସଦ କରିବାର ସ୍ପର୍ଦ୍ଧା ରଖେ ? କେଉଁ ବୁଦ୍ଧିରେ ତୁମେ ମୋଖରୀଙ୍କର ରାଣୀଙ୍କ ନିମନ୍ତ୍ରଣ ଦେବାକୁ ଉତ୍ସାହିତ ହେଲ ? ଧିକ୍ ଭଟ୍ଟ, ଅତି ସହଜ କଥା ବି ତୁମେ ବୁଝିପାରିଲି ନାହିଁ ? ଏ ପତ୍ର କୁ ଚିରି ଫିଙ୍ଗିଦେବାକୁ କଣ ଶକ୍ତି ନଥିଲା ତୁମଠି ?” କହୁ କହୁ ଭାବାବେଶରେ ସେ ପ୍ରକୃତରେ ସେ ପତ୍ରକୁ ଚିରିବାକୁ ଲାଗିଲା । ତାର ଆଙ୍ଗୁଳିଗୁଡ଼ିକର ତୀବ୍ରତା ଦେଖି ମନେ ହେଲା ସେ ଯେପରି ମୌଖରିଙ୍କର ପ୍ରତ୍ୟେକ ବଂଶଧରକୁ ନିଶ୍ଚିହ୍ନ କରିଦେବାକୁ ଚାହୁଁଛି ! ଭଟ୍ଟିଣୀ ନିପୁଣିକାକୁ ଧୀରେ ଧୀରେ ନିଜ ଆଡ଼କୁ ଟାଣିନେଇ ବଡ଼ ସ୍ନେହରେ ତାର ଲଲାଟ ଉପରେ ହାତ ବୁଲାଇ କହିଲେ–“ନା ଭଉଣୀ, ଏମିତି କଣ କୁହାଯାଏ ? ଭଟ୍ଟ ଆମର ଅଭିଭାବକ-। ସବୁକିଛି କରିବାର ଅଧିକାର ଅଛି ତାଙ୍କର । ଆମର ମଙ୍ଗଳପାଇଁ ଓ ସାରା ଦେଶର ମଙ୍ଗଳପାଇଁ ସେ ଯାହା କିଛି କରିଛନ୍ତି, ତାକୁ ଆମର ମାନି ନେବା ଉଚିତ । ତୁ ନିଜର ଭଟ୍ଟିଣୀକୁ ଏପରି କାହିଁକି ମନେ କରୁଛୁ ଭଉଣୀ ! ଛି ଏତେ ଉତ୍ତେଜିତ ହୁଅନ୍ତୁ ନା !” ନିପୁଣିକା ଅବସନ୍ନ ହୋଇ ଭଟ୍ଟିଣୀଙ୍କ କୋଳରେ ପଡ଼ିଗଲା । ଆଖିର ଅବିରଳ ଅଶ୍ରୁଧାରା ତାର ଗଣ୍ଡସ୍ଥଳକୁ ସିକ୍ତ କରିଦେଲା ।

 

ଭଟ୍ଟିଣୀ ମୋତେ ଅନାଇଲେ । ଦୃଷ୍ଟିରେ କରୁଣା ତରଙ୍ଗିତ ହେଉଥିଲା । କହିଲେ, ‘‘ନିପୁଣିକାର ଅପରାଧ କ୍ଷମା କରିବ ଭଟ୍ଟ ! ସେ ଭାରି ଦୁର୍ବଳ ହୋଇପଡ଼ିଛି । ଭାରି ସହଜରେ ଉତ୍ତେଜିତ ହୋଇଯାଉଛି ସେ । ତାର ସ୍ନାୟୁମଣ୍ଡଳ ବିଶେଷ ଦୁର୍ବଳ ହୋଇପଡ଼ିଛି ।” କିଛି ସମୟ ପର୍ଯ୍ୟନ୍ତ ସେ ନିପୁଣିକାର ଲଲାଟରେ ହାତ ବୁଲଇବାକୁ ଲାଗିଲେ । ମନେ ହେଲା ସତେ ଯେପରି ରାହୁ–ଗ୍ରାସ–ମୁକ୍ତ ଚନ୍ଦ୍ରମଣ୍ଡଳ ଉପରେ କଳ୍ପଲତା କିଶଳୟ-ସୁଧାର ଲେପ ଦେଉଛି । ନିପୁଣିକାର ଅବସନ୍ନତା ବୃଦ୍ଧି ପାଇଲା ଓ ତାରି ଆଖି ବନ୍ଦ ହୋଇଗଲା । ମନେ ହେଲା ସେ ଯେପରି ଶୋଇଗଲା ଚିରଦିନପାଇଁ । ଭଟ୍ଟାଣୀ ତାର ଲଲାଟ ଉପରେ ହାତ ବୁଲାଉ ବୁଲାଉ କହିଲେ–“ଆଜିକାଲି ଏମିତି ହେଉଛି, ଉତ୍ତେଜିତ ହେଉଛି ଓ ଅବସନ୍ନ ହୋଇ ପଡ଼ିଯାଉଛି । ଆଚ୍ଛା ଭଟ୍ଟ, ମହାମାୟା ମାତାଙ୍କୁ ତୁମେ ନିପୁଣିକାର ଅବସ୍ଥା କଥା କହିଥିଲ ?” ମୁଁ ଏପର୍ଯ୍ୟନ୍ତ ଲଜ୍ଜାର ସମୁଦ୍ରରେ ବୁଡ଼ି ନିଜକୁ ହତବୁଦ୍ଧି ଅବସ୍ଥାରେ ରଖିଥିଲି । ଭଟ୍ଟିଣୀ ଚତୁରତାରେ ମୋର ଧ୍ୟାନ ଅନ୍ୟ ଆଡ଼କୁ ଟାଣିନେଲେ । ଯେଉଁ ଔଷଧକୁ ଅପରାଜିତା ପୁଷ୍ପର ରସରେ ମିଶାଇ ନିପୁଣିକାକୁ ଦେବାପାଇଁ ଅବଧୂତପାଦ ଦେଇଥିଲେ, ତା’ ମୋର ମନେ ପଡ଼ିଲା । ମୁଁ ଭଟ୍ଟିଣୀଙ୍କୁ ଔଷଧ ଦେଲି କିନ୍ତୁ ସାହସ କରି ଆଖି ଉଠେଇ ତାଙ୍କୁ ଅନାଇପାରିଲି ନାହିଁ । ମୋ ଅବସ୍ଥା ଦେଖି ତାଙ୍କୁ ବହୃତ କଷ୍ଟ ହେଉଥିଲା । ମୋ ମନକୁ ଅନ୍ୟତ୍ର ନିୟୋଜିତ କରିବାପାଇଁ ସେ ନାନାଭାବରେ ନିପୁଣିକାର ସେବା କରିବାର ଆଦେଶ ଦେଲେ । ଶଯ୍ୟା ଠିକ୍‍ କରାଗଲା, ବ୍ୟଜନ କରାଗଲା, ଶୀତଳ ଜଳରେ ଉପଚାର କରାଗଲା ଓ ଶେଷରେ ନିପୁଣିକାକୁ ସେଠାରେ ଛାଡ଼ି ଅଗଣାକୁ ଯିବାର ସ୍ଥିର ହେଲା । ନୀରବରେ ମୁଁ ଭଟ୍ଟିଣୀଙ୍କର ଆଦେଶ ପାଳନ କରିଗଲି; କିନ୍ତୁ କ୍ଷଣକପାଇଁ ସୁଦ୍ଧା ନିପୁଣିକାର ଧିକ୍‍କାର-ବାକ୍ୟର ପ୍ରହାର ଭୁଲିପାରିଲି ନାହିଁ । ନିଜର ତ୍ରୁଟି ବୁଝିପାରିଲି । ମୁଁ ଏ କଣ କଲି ? ମୋ ବୁଦ୍ଧି ଏତେ ନୀରସ ହୋଇଗଲା କିପରି ? ହାୟ ହତଭାଗ୍ୟ ବଣ୍ଡ, ଭଟ୍ଟିଣୀଙ୍କ ସମ୍ମାନ ରକ୍ଷାପାଇଁ ତୁ ନିଜକୁ ବିପତ୍ତିକୁ ଠେଲି–ଦେଇପାରିଲୁ ନାହିଁ ? ମଦଗର୍ବିତ କାନ୍ୟକୁବଜେଶ୍ୱର ଯେତେବେଳେ ତୋତେ ଲମ୍ପଟ ବୋଲି କହିଲେ ସେତେବେଳେ ଭଟ୍ଟିଣୀଙ୍କର ଉପଯୁକ୍ତ ଉତ୍ତର କୁ ତୁ ନଦେଲୁ କାହିଁକି ? ଧିକ୍ ଭାଗ୍ୟହୀନ, ଧିକ୍ ! ମୌଖରିଙ୍କର ରାଣୀର ନିମନ୍ତ୍ରଣକୁ କାନ୍ୟକୁବଯେଶ୍ଵରଙ୍କ ଆଗରେହିଁ ପାଦରେ ଦଳିଦେବା ଉଚିତ ଥିଲା ତୋର । କିନ୍ତୁ ମୋର ସମୁଦାୟ ସ୍ଵାଭିମାନ ସେତେବେଳେ ଗଲା କୁଆଡ଼େ ? ହାୟ, ମୁଁ ଭଟ୍ଟିଣୀଙ୍କୁ ଅପମାନିତ ହେବାକୁ ଦେଇଛି, ମୋର ପାପର କୌଣସି ପ୍ରାୟଶ୍ଚିତ୍ତ ନାହିଁ । ତୁଷାଗ୍ନିରେ ଜଳିଲେ ମଧ୍ୟ ଏପାପର ପ୍ରାୟଶ୍ଚିତ ନାହିଁ ।

 

ଅଗଣାକୁ ଆସି ଭଟ୍ଟିଣୀ ହସିବାକୁ ଚେଷ୍ଟା କଲେ । ମୋତେ ଜଣାଇବାକୁ ଚାହୁଁ ଥିଲେ ତାଙ୍କ ମନରେ କୌଣସି ଦୁଃଖ ନାହିଁ, ଗ୍ଳାନି ନାହିଁ, ଲଜ୍ଜା ନାହିଁ । ପ୍ରଫୁଲ୍ଲ କମଳ ସମ ମୁହଁ ଉପରେ ତାଙ୍କର ପ୍ରଯତ୍ନ–ସାଧୀତ ହସ ବିଶେଷ ମନୋହର ଦେଖାଯାଉଥିଲା । ଏ ହସରେ ମୋର ହୃଦୟ ଆହୁରି ବିଗଳିତ ହେବାକୁ ଲାଗିଲା । ଆହା, ଏଭଳି ଦେବଦୁର୍ଲଭ ମହିମାକୁ ମୁଁ ଲାଂଛିତ ହେବାକୁ ଦେଲି ? ଏ କମଳ-କୋମଳ ହୃଦୟ ଉପରକୁ ଆଘାତ ଆଣିଲି ? ମୋର ହୃଦୟ ଦ୍ରବିତ ହୋଇ ସେହି ଦେବୀଙ୍କ ଚରଣରେ ଢଳିପଡ଼ିବାକୁ ବ୍ୟାକୁଳ ହୋଇଉଠିଲା । ଗଳା ରୂଦ୍ଧ ହୋଇ ଗଲା; ଲଜ୍ଜା ଓ ଅନୁତାପରେ ଶରୀର ଦଗଧ ହେବାକୁ ଲାଗିଲା । ମୁଣ୍ଡ ବୁଲିଗଲା; ସ୍ଥିର ହୋଇ ଠିଆ ହୋଇନପାରି ଭଟ୍ଟିଣୀ ମୋ ପାଖକୁ ଆସିଲେ । ବଡ଼ ସ୍ନେହରେ ମୋର ଲଲାଟରେ ହାତ ରଖି ଆବେଗଭରା ଭାଷାରେ କହିଲେ–“ତୁମେ ବି ଉତ୍ତେଜିତ ହେଉଛି ଭଟ୍ଟ, ନିପୁଣିକାର କଥାରେ ଏତେ ବିଚଳିତ ହୋଇଗଲ ? ଉଠ, ଦେଖ, ତୁମର ଏ ଅଭାଗୀ ଭଟ୍ଟିଣୀକୁ ଦେଖ । ତୁମେ କୌଣସି ଅପରାଧ କରିନାହିଁ । କାନ୍ୟକୁବଜେଶ୍ଵରଙ୍କର ସଭାସଦ ହେବାରେ ମୋର ଅପମାନ କେଉଁଠି ? ବ୍ୟର୍ଥରେ କାହିଁକି ବିଚଳିତ ହେଉଛ ?” ଧିରେ ଧୀରେ ମୋର ସଂଜ୍ଞା ଫେରିଆସିଲା । ମୁଁ କେବଳ ଏତିକି କହିପାରିଲି–“ଦେବୀ, ତୁମେ ସବୁ କ୍ଷମା କରିପାର, ତୁମେ ସବୁ ଭୁଲାଇ ଦେଇପାର, କିନ୍ତୁ ଅଭାଗା ବାଣ ଶାନ୍ତି ପାଇବ କିପରି ?”

 

ଏକ ବିଚିତ୍ର କାତରତା ଦେଖାଦେଲା ଭଟ୍ଟିଣୀଙ୍କର ଚେହେରାରେ । ତାଙ୍କର ବାକ୍ୟ ରୁଦ୍ଧ ହୋଇଯାଇଥିଲା, କିନ୍ତୁ ଆଖି କହିଯାଇଥିଲା ଅନେକ କିଛି । ମୁହଁ ଶେଥା ପଡ଼ିଯାଇଥିଲା, ତଥାପି ସିକ୍ତ କଦମ୍ବ–କୋରକ ସୂର୍ଯ୍ୟାତାପରେ ଶୁଷ୍କ ହୋଇଆସିଲା ଭଳି ସେଥିରେ ରୋମାଞ୍ଚ ଆସୁଥିଲା । ମୁଁ ପୁଣି ବ୍ୟାକୁଳ ହୋଇ କହିଲି–“ଦେବୀ, ମୁଁ ଅନୁତାପର ସମୁଦ୍ରରେ ବୁଡ଼ିଯାଉଛି, ଲଜ୍ଜାର ମହାପଙ୍କରେ ନିମଗ୍ନ ହୋଇଛି, ନିଜର କର୍ତ୍ତବ୍ୟ ସ୍ଥିର କରିପାରୁନାହିଁ । ନିପୁଣିକା ଠିକ କହୁଛି । ମୋଖରିଙ୍କର ନିମନ୍ତ୍ରଣକୁ ସେତିକିବେଳେ ପାଦରେ ଦଳିଦେବା ଉଚିତ ଥିଲା । ଯାହାକୁ ଭଟ୍ଟିଣୀଙ୍କର ସେବକ ହେବାର ଗୌରବ ମିଳିଛି, ସମ୍ରାଟଙ୍କର ସଭାସଦପଦ ତାକୁ ଶୋଭା ପାଏନା-। କିନ୍ତୁ ଦେବୀ, ଜାଣେନା କେଉଁ ଶକ୍ତିର ଦୁର୍ବାର ଆକ୍ରମଣରେ ମୁଁ ହତବୃଦ୍ଧି ହୋଇଯାଇଥିଲି-। କେଉଁ ମୁହଁରେ ମୁଁ ନିଜର ଅପରାଧର କ୍ଷମା ଚାହିଁବି ?”

 

ଏଥର ଭଟ୍ଟିଣୀ ନିଜକୁ ରୋକିପାରିଲେ ନାହିଁ । ମୁଖମଣ୍ଡଳ ତାଙ୍କର ଉଦୟଗିରିର ତଟାନ୍ତଲଗ୍ନ ଚନ୍ଦ୍ରମଣ୍ଡଳ ସମ ଲାଲ ହୋଇଗଲା । କହିଲେ–“ନା, ମୁଁ ତ ଏଭଳି କିଛି ମନେ କରୁନାହିଁ । ତୁମେ କୁମାର କୃଷ୍ଣଙ୍କର କୃତଜ୍ଞତା–ପାଶରେ ଆବଦ୍ଧ ଥିଲା; ଯାହା କିଛି କରିଛ କୁମାରଙ୍କର ଅନୁରୋଧରେହିଁ କରିଛି । ନିପୁଣିକା ବୁଝିନି, ମୁଁ ବୁଝିଛି । ତୁମେ କାହିଁକି କୁମାରଙ୍କର କୃତଜ୍ଞ ହେଲ ? ମୋରିପାଇଁ ନା ? ଭଟ୍ଟ, ତୁମକୁ ଅପରାଧୀ ବୋଲି ମନେ କରିବାପୂର୍ବରୁ ମୁଁ ଖଣ୍ଡ ଖଣ୍ଡ ହୋଇଯିବା ଉଚିତ । ତୁମେ ମୋର ଅପମାନ କେଉଁଠି ହେବାକୁ ଦେଇନାହିଁ । ନିପୁଣିକାର ସ୍ନାୟୁ–ଦୁର୍ବଳତାଯୋଗୁଁ ସେ ଏଣୁତେଣୁ କଣ କହିଯାଇଛି । ତୁମେ ଯାହା କରିବ, ତାହାହିଁ ମୋପାଇଁ ନିୟମ । ବିଶ୍ୱାସ କର, ତୁମର ଇଚ୍ଛାହିଁ ହେବ ମୋର ଧର୍ମ । ଉଠ ଭଟ୍ଟ, ମୋତେ ରକ୍ଷାକର । ମୁଁ ଏତେ ଲଜ୍ଜାର ଭାର ବହିପାରିବ ନାହିଁ ।” କ୍ଷଣକ ମଧ୍ୟରେ ମୋର ଜଡ଼ିମା ଦୁର ହୋଇଗଲା । କୁଜଝଟିକାର ସମାପ୍ତିରେ ଦିଙ୍ମଣ୍ଡଳ ଯେପରି ପ୍ରସନ୍ନ ହୋଇଯାଏ, ଅନ୍ଧକାର ଦୂରଦେବାପରେ ପୂର୍ବ ଦିଗଞ୍ଚଳ ପେପରି ନିର୍ମଳ ହୋଇଯାଏ ଓ ମେଘ–ପଟଳ କଟିଗଲାପରେ ଶାରଦୀୟ ନଭୋମଣ୍ଡଳ ଯେପରି ଅକଳ୍ମଷ ହୋଇଯାଏ, ମୋ ମନ ସେହିପରି ପ୍ରସନ୍ନ ହୋଇଗଲା । ଏକ ଅପୂର୍ବ ମାଧୁରୀ ଲକ୍ଷ୍ୟ କଲି ଭଟ୍ଟଣୀଙ୍କର ଆଖିରେ । ମୋର ବହୁ ଜନ୍ମାନ୍ତର ଯେପରି କୃତାର୍ଥ ହୋଇଗଲା । ସେ ଦୃଷ୍ଟି ମୋତେ ଅଭିନବ ରସରେ ସିଞ୍ଚିତ କରି, ସ୍ନେହଧାରାରେ ପ୍ଳାବିତ କରି, ଏକ ଅନନୁଭୂତ ଜଗତକୁ ଟାଣିଆଣିଲା । ମୁଁ ଉଠି ଠିଆହେଲି ଓ କେବଳ ଏତିକି କହିପାରିଲି, ‘‘ଦେବୀ ଭଟ୍ଟିଣୀ ।” ବାଷ୍ପ ଗଦ୍‍ଗଦ୍ ହୋଇଗଲା ମୋର କଣ୍ଠ । ସଜଳ ନୟନରେ ସାହସର ସହିତ ତାଙ୍କୁ ଅନାଇଲଲି । ସେ କିଛି କହିଲେ ନାହିଁ । କେବଳ ଏକ କରୁଣ–ମନୋହର ଅପାଙ୍ଗରେ ମୋତେ ଅନାଇ ଚକ୍ଷୁ ନତ କଲେ । ସେତେବେଳେ ଭଗବାନ ମରୀଚିମାଳୀ ପଶ୍ଚିମ–ସରୋବର ଆଡ଼କୁ ନଇଁ–ପଡ଼ିଥିଲେ, ଧରିତ୍ରୀରୁ ଆକାଶପର୍ଯ୍ୟନ୍ତ ରକ୍ତ କିରଣକାଳ ବିସ୍ତାରିତ ହୋଇଥିଲା, ଭବନ-ଦୀର୍ଘିକାର ସାରସ ନ୍ତ୍ରିଂକାର–ପୂର୍ବକ ନିଜ ନିଜର ସ୍ଥାନକୁ ଲେଉଟି ଆସୁଥଲେ, କ୍ରୀଡ଼ାମୟୂର ବାସ-ଯଷ୍ଟି ଆଡ଼କୁ ଉତ୍ସୁକତାରେ ଅନାଇଥିଲେ, ଜଳହାରିଣୀ ସୁନ୍ଦରୀଙ୍କର ନୁପୁର ନିକ୍ଵଣରେ ମନ୍ଥରତାର ଧ୍ଵନୀ ସ୍ପଷ୍ଟ ହୋଇଆସୁଥିଲା ଓ ନଭୋମଣ୍ଡଳରୁ ଏକପ୍ରକାର କ୍ଳାନ୍ତି କ୍ରମଶଃ ଓହ୍ଲାଇ ସାରା ଜଗତରେ ବ୍ୟାପ୍ତ ହେବାକୁ ଲାଗିଥିଲା । ଭଟ୍ଟିଣୀଙ୍କ ମୁହଁ ଲଜ୍ଜାରେ ଆରକ୍ତ ହୋଇଯାଇଥିଲା । ଏକ ବିଚିତ୍ର ଦୀପ୍ତି ଦୃଷ୍ଟି ଗୋଚର ହେଉଥିଲା କପୋଳ–ପାଳିରେ, ଏକ ଅଦ୍ଭୁତ ଲଜ୍ଜାପଣ ଆସିଥିଲା ତାଙ୍କର ବିତ୍ରିମ ନୟନପାତରେ । ଦୀର୍ଘକାଳର ସଞ୍ଚିତ ମନୋବେଦନା ଲଘୁ ହେବାଫଳରେ ଯେଉଁ ନିର୍ମଳ ଆନନ୍ଦଧାରା ମନୋରମ ମୁଖ ଉପରେ ପ୍ରବାହିତ ହେବାକୁ ଚାହୁଁଥିଲା, ସହଜ ଅନୁଭାବର ତରଙ୍ଗରେ ତାକୁ ବାରମ୍ବାର ଧକକା ଖାଇବାକୁ ପଡ଼ୁଥିଲା । ଆହା, ଭଟ୍ଟିଣୀଙ୍କର ସେ ଶୋଭା ଦେଖିବାର କଥା । ଅନୁଭବ ଓ ଲଜ୍ଜାର ଆଘାତ–ପ୍ରତ୍ୟାଘାତରେ ଦୋଳାୟିତ ପ୍ରଫୁଲ୍ଲ ଦମନକ–ଯଷ୍ଟି ସମ ଅଙ୍ଗଲତା ଜଣାପଡ଼ୁଥିଲା ସତେ ଯେପରି ଆକାଶ–ଗଙ୍ଗାର ଆବର୍ତ୍ତରେ ପଡ଼ିଥିବା ପାରିଜାତ–ଲତା । ସେ ମୋତେ ଅଧିକ ସମୟ ଅନାଇଲେ ନାହିଁ । ଧୀରେ ଧୀରେ ଯାଇ ଏକ ସ୍ଥାଣ୍ଡିଳ–ପୀଠିକା ଉପରେ ବସିଲେ । ଥରେ ନିଜର ସୀମନ୍ତକୁ ବାସନ୍ତୀ ଉତ୍ତରୀୟ ଅଞ୍ଚଳରେ ଢାଙ୍କିବାକୁ ଚେଷ୍ଟା କରି ଧୀରେ ଧୀରେ ମୋଆଡ଼କୁ ଦୃଷ୍ଟି ଉଠାଇଲେ । ବଡ଼ ମର୍ମଭେଦୀ ଦୃଷ୍ଟି । ଆଉ ଥରେ ସ୍ମିତ ହାସ୍ୟର ଚେଷ୍ଟା ତାଙ୍କର ବିଫଳ ହେଲା । ମନେ ହେଲା ସତେ ଯେପରି ଶାରଦୀୟ ନଭୋମଣ୍ଡଳରେ ବିଦ୍ୟୁଚ୍ଛଟା ହଠାତ୍ ଆବିର୍ଭୂତ ହୋଇ ବିଲୀନ ହୋଇଗଲା, ଶୋଭାର ସମୁଦ୍ରରେ କେବଳ ଏକ ତରଙ୍ଗ ଉଠି ଶାନ୍ତ ହୋଇଗଲା । ମୁଁ ପ୍ରଶ୍ନ କଲି, ‘‘ଦେବୀ, ସେବକ ଏ କ୍ଷମା–ଦାନରେ କୃତାର୍ଥ ହୋଇଛି; କିନ୍ତୁ ମନରୁ ଏପର୍ଯ୍ୟନ୍ତ ଲଜ୍ଜା ଯାଇନାହିଁ । ଯଦି କିଛି ମନେ ନ କରନ୍ତି, ତାହାହେଲେ ଜାଣିବାକୁ ଚାହୁଁଛି ମହାରାଣୀ ରାଜ୍ୟଶ୍ରୀଙ୍କର ପତ୍ର ପଢ଼ି ଆପଣ ଉଦାସ ହେଲେ କାହିଁକି ? ମୋଦ୍ଵାରା ଯଦି କୌଣସି ଅପରାଧ ହୋଇନାହିଁ, ତା’ହେଲେ ଆପଣଙ୍କର ମୁଖ ମ୍ଳାନ ପଡ଼ିଗଲା କାହିଁକି ?” ଭଟ୍ଟିଣୀ ବହୁ ସମୟ ଧରି ଅର୍ଥହୀନ ଦୃଷ୍ଟିରେ ମୋତେ ଅନାଇ ରହିଲେ ସତେ ଯେପରି ତାଙ୍କର ମନ କେଉଁଠି ହଜିଯାଇଛି, ସ୍ନେହର ସ୍ରୋତ ଶୁଷ୍କ ହୋଇଯାଇଛି, ଅନ୍ତଃସ୍ପନ୍ଦନ ସ୍ଥଗିତ ହୋଇଛି । ରକ୍ତିମ ମୁଖମଣ୍ଡଳ ତାଙ୍କର କ୍ଷଣକ ମଧ୍ୟରେ ପାରିଭଦ୍ରର ଗର୍ଭ–ପଟଳ ପରି ପାଣ୍ଡୁର ହୋଇଗଲା । ନୂତନ ଆଶଙ୍କାରେ ମୁଁ ପୁଣି ଶିହରି ଉଠିଲି; କିନ୍ତୁ ଭଟ୍ଟିଣୀ ପୁଣି ନିଜକୁ ସଂଯତ କରିନେଲେ । ଆଖି ନତ ହୋଇଗଲା, ଅଧରୋଷ୍ଠ ସ୍ପନ୍ଦିତ ହୋଇ ରହିଗଲା ଓ ନାସାଦଣ୍ଡରେ ଈଷତ୍ ସଂକୋଚ ଆସିଲା । ଅତ୍ୟନ୍ତ ଆର୍ଦ୍ର କଣ୍ଠସ୍ଵରରେ ସେ କହିଲେ–“ମୋତେ ଅବଧୂତପାଦଙ୍କ ଶରଣକୁନେଇଯିବ । ସେ ନଥିବେ ତ ମୁଁ ସୁଚରିତା ଘରେ ରହିବି ।”

 

ଭଟ୍ଟିଣୀଙ୍କର ଦୁଇଟି ପ୍ରସ୍ତାବରୁ କୌଣସିଟି ପସନ୍ଦ ହେଲାନି ମୋର । କିନ୍ତୁ ସେତେବେଳେ ପ୍ରତିବାଦ କରିବା ଅନୁଚିତ ମନେ କରି ମୌନ ରହିଲି । ଭଟ୍ଟିଣୀ ମୋ କଥା ବୁଝିପାରିଲେ । ସେ ଉଠି କହିଲେ–“କିମ୍ବା ଯେଉଁଠି ତୁମେ ଉଚିତ ମନେ କରିବ । କିନ୍ତୁ ମୁଁ ମୌଖରିଙ୍କର ବା କାନ୍ୟକୁବଜେଶ୍ୱରଙ୍କ ରାଜବଂଶର ଆତିଥ୍ୟ ସ୍ୱୀକାର କରିପାରିବି ନାହିଁ ।” ଏତିକି କହି ସେ ଶୀଘ୍ର ନିପୁଣିକା ପାଖକୁ ଚାଲିଗଲେ । ମୁଁ ଠିଆହୋଇ ରହିଲି । ସେତେବେଳକୁ ଦୁଇଘଡ଼ି ରାତି ବିତିଥିବ ବୋଧହୁଏ । ଘନ ଅନ୍ଧାରରେ ଅବିଲିପ୍ତ ଦିଙ୍ମଣ୍ଡଳକୁ ଦେଖି ମନେ ହେଲା କେହି ଯେପରି କଳା ଅଞ୍ଜନର ପ୍ରଲେପ ଲଗାଇଦେଇଛି । ଚିନ୍ତାର ବିଭିନ୍ନ ଧାରା ଖେଳିଗଲା ମୋ ମନରେ । କର୍ତ୍ତବ୍ୟ ସ୍ଥିର କରିପାରୁନଥିଲି । ହଠାତ୍ ବାହାରେ ସହସ୍ର ସହସ୍ର କଣ୍ଠର ଜୟ–ନିନାଦ ଶୁଣାଗଲା । ଠିକ୍‍ ବୁଝିପାରିଲି ନାହିଁ କେଉଁ ଉତ୍ସବର ଆୟୋଜନ ହେଉଛି । ବାହାରକୁ ଯିବାକୁ ବାହାରିଛି, ଭଟ୍ଟିଣୀ ମୋତେ ଡାକିଲେ । ନିପୁଣିକାର ସଂଜ୍ଞା ଫେରିଆସିଥିଲା । ଭଟ୍ଟିଣୀ ତାକୁ ଧୀରେ ଧୀରେ ସ୍ନେହରେ କଣ ବୁଝାଉଥିଲେ । ସେ କାନ୍ଦୁଥିଲା । ମୋତେ ଦେଖି ସେ ଉଠିବାକୁ ଚେଷ୍ଟା କଲା, କିନ୍ତୁ ଭଟ୍ଟିଣୀ ତାକୁ ଉଠିବାକୁ ଦେଲେନାହିଁ । ତାର ନୟନ ସହସ୍ରଧାର ହୋଇ ନିଜର ମନୋବ୍ୟଥା ବୁହାଇବାକୁ ଲାଗିଲା । ମୁଁ ପାଖକୁ ଯାଇ ପଚାରିଲି, ‘‘କେମିତି ଲାଗୁଛି, ନିଉନିୟା !” ଉତ୍ତରରେ ଅଶ୍ରୁର ବେଗ ତୀବ୍ର ହୋଇଉଠିଲା । ଭଟ୍ଟିଣୀ ତାର ଲଲାଟରେ ହାତ ବୁଲାଉ ବୁଲାଉ କହିଲେ–“ଶୁଣ ନିଉନିୟା, ଭଟ୍ଟ ସୁଚରିତାର ସମ୍ବାଦ ଆଣିଛନ୍ତି ।” ନିପୂଣିକା ପ୍ରସନ୍ନ ହେଲା । ବିଚିତ୍ର ଶକ୍ତି ଆସିଲା ହଠାତ୍ । କହିଲା–“କଣ ସାକ୍ଷାତ୍ ହୋଇଥିଲା, ଭଟ୍ଟ ! କେମିତି ଅଛି ସେ ଭାଗ୍ୟହୀନା-!” ମୁଁ କହିଲି–“ଭାଗ୍ୟହୀନା ନୁହେଁ ନିଉନିୟା, ସେ ଅଖଣ୍ଡ ସୌଭାଗ୍ୟବତୀ । ତାର ପତି ଫେରିଆସିଛନ୍ତି । ନିପୁଣିକାର ଆଖି ଆଶ୍ଚର୍ଯ୍ୟ ଓ ଆନନ୍ଦରେ ବିସ୍ଫାରିତ ହୋଇଗଲା । କହିଲା–“ସତରେ !” ମୁଁ ଉତ୍ତର ଦେଲି–“ସତ ।”

 

ଜୟ–ନିନାଦ ଭଟ୍ଟିଣୀଙ୍କର ବାସଗୃହର ଦ୍ଵାରପାଖରେ ଆସି ପହଞ୍ଚିଗଲା । ମୁଁ ଧ୍ୟାନ ଦେଇ ଶୁଣିଲି ଶତ–ଶତ ସ୍ତ୍ରୀ–ପୁରୁଷ ଅତ୍ୟନ୍ତ ଉଲ୍ଲାସରେ ଦେବପୁତ୍ର ତୁଅରମିଳିନ୍ଦଙ୍କର ଜୟ ଘୋଷଣା କରୁଛନ୍ତି । ଭଟ୍ଟିଣୀ ଆଶ୍ଚର୍ଯ୍ୟ ଓ ଜିଜ୍ଞାସୁ ଦୃଷ୍ଟିରେ ମୋତେ ଅନାଇଲେ । ଗୋଟିଏ ଦାସୀ ଆସି ସୂଚନା ଦେଲା ସେ ମହାସାମନ୍ତ ଲୋରିକଦେବ ନିଜର ରାଣୀ ଓ ଅନୁଚରଙ୍କ ସହିତ ଦ୍ଵାରଦେଶରେ ଦଣ୍ଡାୟମାନ । ତାଙ୍କର ହାତରେ ପୂଜାର ଉପକରଣ । ସେ ଅବିଳମ୍ବେ ଭଟ୍ଟିଣୀଙ୍କର ଦର୍ଶନ ଇଚ୍ଛା କରନ୍ତି । କ୍ଷଣକପାଇଁ ଭଟ୍ଟିଣୀ ଗମ୍ଭୀର ହୋଇଗଲେ । ପୁଣି ସେ ସ୍ଵାଭବିକ ସ୍ଵରରେ ମୋତେ ଆଦେଶ ଦେଲେ, ‘‘ବୁଝ ତ ଭଟ୍ଟ, କଣ କଥା । ମୁଁ କିଛି ବୁଝିପାରୁନି ।” ତୁରନ୍ତ ଆଦେଶ ପାଳନ କଲି । ଦ୍ଵାରକୁ ଯାଇ ଯାହା ଦେଖିଲି ଆଶ୍ଚର୍ଯ୍ୟରେ ସ୍ତବ୍‍ଧ ହୋଇଗଲି ।

 

ଶତ ଶତ ଉଲ୍‍କାର ପ୍ରକାଶରେ ଏକ ବିଶାଳ ଜନସମୂହ ନୃତ୍ୟ–ଗାନ ଓ ବାଦ୍ୟରେ ଦିଙ୍ମଣ୍ଡଳକୁ ମୁଖରିତ କରୁଥିଲା । ଆଗରେ ଅଶ୍ଵପୃଷ୍ଠରେ ଲୋରିକଦେବ; ତାଙ୍କ ପଛରେ ମନ୍ତ୍ରୀ ଓ ରାଜ–ପୁରୋହିତ । ତାଙ୍କ ପଛରେ ଶିବିକାରେ ଲୋରିକଦେବଙ୍କ ରାଣୀ । ଆହୁରି ପଛକୁ ଥିଲା ମଲ୍ଲଙ୍କର ଏକ ବିଶାଳ ଯୁଥ । ନାନାଭାବରେ ବ୍ୟାୟାମ–କୌଶଳ ପ୍ରଦର୍ଶନ କରୁଥିଲେ ସେମାନେ । ସେ କୌଶଳ ପ୍ରଦର୍ଶନ ଯେତିକି ଉଦ୍ଦାମ, ସେତିକି ସଂଯତ । ଏକ ସଙ୍ଗେ ଶତ ଶତ ମଲ୍ଲ ନାନା ଶସ୍ତ୍ରରେ ସୁସଜ୍ଜିତ ହୋଇ ବିକଟ ଭଙ୍ଗିମାରେ ଅଙ୍ଗ–କ୍ରୋଟନ, ନାଟନ, ଉନ୍ମୋଟନ, ବିକୁଞ୍ଚନ ଓ ସନ୍ତୋଳନର କ୍ରିୟା ପ୍ରଦର୍ଶନ କରୁଥିଲେ । ତାଙ୍କର ଅବିରତ ତାଳ ଟଙ୍କାରରେ ରହି ରହି ଦିଗନ୍ତର କମ୍ପିତ ହେଉଥିଲା । ଧନୁଷ୍ଠାଂସ୍ୟ ଓ ଯଷ୍ଟିକୋଷର ଝଣଝଣ ଶବ୍ଦରେ ଶୂନ୍ୟ ପ୍ରକମ୍ପିତ ହେଉଥିଲା ଓ ଉଦ୍ଦାମ ଅଙ୍ଗ–ବିକୁଞ୍ଚନରେ ଦର୍ଶକଙ୍କର ଚକ୍ଷୁ ବିସ୍ଫାରିତ ହୋଇଯାଉଥିଲା । ବାରମ୍ବାର ମନେ ହେଉଥିଲା ଜଣକର ଅଙ୍ଗ କ୍ରିୟା ଅନ୍ୟ ଜଣକର ବିକୁଞ୍ଚନରେ ଚାପି ହୋଇଯିବ । ସମସ୍ତ ଛନ୍ଦୋହୀନ ବିଶୃଙ୍ଖଳା ବ୍ୟୟାମ ବ୍ୟାପାର ଏକ ସଙ୍ଗେ ବନ୍ଦ ହୋଇଯାଉଥିଲା, ସବୁ ମଲ୍ଲ ଯୁଗପତ୍ ଉତ୍ତମ୍ଭୀତ ହୋଇ ଏକ ଅଦ୍ଭୁତ ବିରତି–ନିନାଦ କରୁଥିଲେ ଓ କ୍ଷଣକ ମଧ୍ୟରେ ଜନସମୁହର ଦେବପୁତ୍ର ତୁଅରମିଳିନ୍ଦଙ୍କର ଜୟ ନିର୍ଘୋଷ ମେଦିନୀକୁ ପ୍ରକମ୍ପିତ କରିଦେଉଥିଲା । ଭଟ୍ଟିଣୀଙ୍କର ଗୃହଦ୍ୱାର ନିକଟରେ ମଲ୍ଲଦଳ ବିଚିତ୍ର ସଂଯମର ସହିତ ହୋଇଗଲେ । ତାଙ୍କର ମଝିରେ ଠିଆହେଲେ ଶତାଧିକ ସ୍ତ୍ରୀ–ପୁରୁଷ ସମାନାନ୍ତର ବର୍ତ୍ତୁଳାକାର ଭାବରେ । ଛୋଟ କାଷ୍ଠଖଣ୍ଡ । ଲୋରିକଦେବ ଘୋଡ଼ା ଉପରୁ ଓହ୍ଳାଇପଡ଼ିଲେ । ତାଙ୍କର ଇଙ୍ଗିତରେ ସମସ୍ତେ ନୀରବ ହେଲେ । ସେ ମୋତେ ଅତି ବିନୟରେ ଭଟ୍ଟିଣୀଙ୍କୁ ସେଠାକୁ ଆଣିବାପାଇଁ ଅନୁରୋଧ କଲେ । କହିଲେ ‘‘ଆର୍ଯ୍ୟ, ଦେବପୁତ୍ର–ନନ୍ଦିନୀଙ୍କୁ ନ ଜାଣିବାଫଳରେ ଆମଦ୍ଵାରା ଯାହା ଅପରାଧ ହୋଇଥାଉ ନା କାହିଁକି, ତାହା କ୍ଷମଣୀୟ । ବର୍ତ୍ତମାନ ଜାଣିଲା–ପରେ ଆଉ ତାଙ୍କର ପୂଜାରେ କ୍ଷଣମାତ୍ର ବିଳମ୍ବ ଅସହ୍ୟ । ତୁମେ ମୋତେ କାନ୍ୟକୁବ୍ଜେଶ୍ଵରଙ୍କର ପତ୍ର ଦେଇଥିଲ । ସେ ପତ୍ର ପଢ଼ି ମୁଁ ସମସ୍ତ ବୁଝିପାରିଛି । ମୋର ବହୁତ କିଛି କହିବାର ଅଛି; କିନ୍ତୁ ଏ କାର୍ଯ୍ୟରେ ବିଳମ୍ବ ହେବା ଆଦୌ ବାଞ୍ଛନୀୟ ନୁହେଁ ।” ମୁଁ ତାଙ୍କର ସନ୍ଦେଶ ଭଟ୍ଟିଣୀଙ୍କୁ ଜଣାଇଲି । କିଛି ସମୟ ସ୍ତବ୍‍ଧ ଗମ୍ଭୀର ହୋଇ ସେ ଭାବିବାକୁ ଲାଗିଲେ । ପୁଣି କହିଲେ, ‘‘ତୁମେ କଣ କହୁଛ, ଯିବି ?” କିଛି ନ ଭାବି ମୋ ମୁହଁରୁ ବାହାରି ପଡ଼ିଲା–“ନିଶ୍ଚୟ ଦେବୀ ।”

 

ଭଟ୍ଟିଣୀ ଆସିବାମାତ୍ରେ ଲୋରିକଦେବ ତରବାରି ଟାଣି ଅଭିବାଦନ କଲେ । ପୁରୋହିତ ଶଙ୍ଖଧ୍ଵନୀ କଲେ । ଦେଖୁ ଦେଖୁ ଦେବପୁତ୍ର–ନନ୍ଦିନୀମଙ୍କର ଜୟ ନିନାଦତେ ଦିଗ ପ୍ରକମ୍ପିତ ହେଲା-। ଭଦ୍ରେଶ୍ଵର ଦୁର୍ଗର ସୌଧ–କୁହରରୁ ପ୍ରତ୍ୟାବର୍ତ୍ତିତ ହୋଇ ସେ ଧ୍ଵନୀ ଆହୁରି ଦୀର୍ଘାୟିତ ହୋଇଗଲା । ଲୋରିକଦେବ ନିଜର ବିକଟ ଅସିକୁ ଉପରକୁ ଉଠାଇଲେ; ଦେଖୁ ଦେଖୁ ମଲ୍ଲଙ୍କର ଲାଠି ଖଡ଼ଖଡ଼ ହୋଇଉଠିଲା । ତା ଥିଲା ଏକ ବିକଟ ବ୍ୟାପାର । ସେହି ଯଷ୍ଟି–ସଂଘଟରେ ଉଲ୍‍କାଗୁଡ଼ିକ କମ୍ପି ଉଠିଲେ । ଆଶ୍ଚର୍ଯ୍ୟର କଥା ଲାଠିର ଅନବରତ ଘୂର୍ଣ୍ଣନ ସତ୍ତ୍ୱେ କେହି ଆଘାତ ପାଇଲେ ନାହିଁ, କେହି ବିଚଳିତ ହେଲେ ନାହିଁ, କେହି ସ୍ଥାନ–ଭ୍ରଷ୍ଟ ହେଲେ ନାହିଁ । ଯଷ୍ଟିର ବର୍ତ୍ତୁଳ ଛୋଟ ହୋଇଆସିଲା । ଥରେ ତାହା ଏଡ଼େ ଛୋଟ ହୋଇଗଲା ଯେ ଲାଠି ଛଡ଼ା ଆଉ କିଛି ଦେଖାଗଲା ନାହିଁ । କ୍ଷଣକ ମଧ୍ୟରେ ପୁଣି ଭଟ୍ଟିଣୀଙ୍କର ଜୟଧ୍ଵନିରେ ଦିଗନ୍ତ ମୁଖରିତ ହୋଇଗଲା । ଲାଠିର ଦୁଇଟି ମଞ୍ଚ ତିଆରି ହୋଇଯାଇଥିଲା । କୁମାରୀମାନେ ଶୃଙ୍ଗାର ରସରେ ‘ସରୋବର’ ଦ୍ଵିପଦୀ–ଖଣ୍ଡ ଗାନ କଲେ । ଛୋଟ ଛୋଟ କାଷ୍ଠଖଣ୍ଡ ଖଟଖଟ ଶବ୍ଦ କରିଉଠିଲେ । ସେହି କର୍କଶତାର ପୃଷ୍ଠ–ଭୂମିରେ କୁମାରୀ–କଣ୍ଠର ମଧୁର ଗାନ ବିଶେଷ ସୁନ୍ଦର ଶୁଣାଯାଉଥିଲା । ସହସା ମଲ୍ଲମାନଙ୍କର ପୁନର୍ବାର ବର୍ତ୍ତୃଳାକାର ହେବା ଓ ମଧ୍ୟବର୍ତ୍ତୀ ବର୍ତ୍ତୃଳର କୁମାରୀମାନଙ୍କର ଏକତ୍ରିତ ହେବା ଲକ୍ଷ୍ୟ କରିବା ଅସମ୍ଭବ ହୋଇପଡ଼ିଲା । କି ବିଚିତ୍ର ସେ ନୃତ୍ୟ–କୌଶଳ ! କୁମାରୀମାନେ ବିଚିତ୍ର ସୁକୁମାର ଭଙ୍ଗିମାରେ ଭଟ୍ଟିଣୀକୁ ଘେରି ଅତି ଲଘୁ ଆୟାସରେ ତାଙ୍କୁ ଉଠାଇଲେ ଓ ସମ୍ମୁଖର ଯଷ୍ଟି–ମଞ୍ଚ ଉପରେ ବସାଇଦେଲେ । ପୁଣି ବିକଟ ରାସକ–ନୃତ୍ୟ ଆରମ୍ଭ ହେଲା । ମନେ ହେଲା ଭୁତମାନଙ୍କର ଉତ୍ସବରେ ପାର୍ବତୀ ବସିଛନ୍ତି । ଭଟ୍ଟିଣୀଙ୍କର ସହଜ ଗମ୍ଭୀର ମୁଖରେ କ୍ଷଣକପାଇଁ ସୁଦ୍ଧା କୌଣସି ବିକାର ଲକ୍ଷିତ ହେଲା ନାହିଁ । କଣ୍ଟକୀ ବୃକ୍ଷରେ ପ୍ରସ୍ଫୁଟିତ ଚନ୍ଦ୍ରମଲ୍ଲିକା ସମ ତାଙ୍କର ପ୍ରଫୁଲ୍ଲ ମନୋହର ମୁଖ ନିଜେ ନିଜେହିଁ ପରିପୂର୍ଣ୍ଣ ଥିଲା । ଉଦ୍ଦାମ ମନୋହର ନୃତ୍ୟ, କାଂସ୍ୟ-କୋଶୀର ଝଣଝଣ ଶବ୍ଦ ଓ ମୁଖର ନୂପୁର ସ୍ଵରଯୁକ୍ତ କାଷ୍ଠଖଣ୍ଡର ଝଙ୍କାର ବିଚିତ୍ର ଧ୍ୱନିରେ ଦିଗନ୍ତରାଳକୁ ମୁଖରିତ କରିବାକୁ ଲାଗିଲା ।

 

ଭଟ୍ଟିଣୀଙ୍କର ପଛର ମଞ୍ଚ ଉପରେ ବସିଲେ ଲୋରିକଦେବ ଓ ତାଙ୍କର ରାଣୀ । ପୁଣି ଥରେ ନୃତ୍ୟ ବନ୍ଦ ହେଲା । ପୁରୋହିତ ଶଙ୍ଖଧ୍ୱନି କଲେ ଓ ମନ୍ତ୍ରୀ ଧୂପ-ଦୀପ-ନୈବେଦ୍ୟ ସହିତ ଭଟ୍ଟିଣୀଙ୍କୁ ଅର୍ଘ୍ୟ ଦେଲେ । ଲୋରିକଦେବ ରଜତର ମନୋରମ ଥାଳିରେ ନାରିକେଳ, ଗୁଥା ଓ ତାମ୍ବୁଳ-ପତ୍ର ଭଟ୍ଟିଣୀଙ୍କୁ ନିବେଦିତ କଲେ । ଅତ୍ୟନ୍ତ ଗଦ୍‍ଗଦ୍ କଣ୍ଠରେ ସେ କହିଲେ, ‘‘ଅଜଣାରେ ଯାହା ତ୍ରୁଟି ହୋଇଯାଇଛି, ତାହା କ୍ଷମା କରିବେ ଦେବୀ । ମୋର ଅହୋଭାଗ୍ୟ ଯେ ଅଜ୍ଞାତ ପ୍ରତିସ୍ପର୍ଦ୍ଧି ବିକଟ; ପ୍ରତ୍ୟନ୍ତ–ବାଡ଼ବ, ଆର୍ଯ୍ୟମାନରକ୍ଷକ ତତ୍ରଭବାନ ଦେବପୁତ୍ର ତୁଅର-ମିଳିନ୍ଦଙ୍କର ନୟନ–ତାରା ଅତ୍ରଭବତୀ ମୋର ଏ ଗୃହକୁ ପବିତ୍ର କରିଛନ୍ତି । ମୋର ଦଶସହସ୍ର ମଲ୍ଲ ଆପଣଙ୍କରହିଁ ସେବକ । ଲୋରିକଦେବ ସର୍ବଦା ଗୁଣର ଦାସ । ସମ୍ରାଟମାନଙ୍କର ଭ୍ରୂକୁଟିକୁ ବରାବର ସେ ଉପେକ୍ଷା କରିଆସିଛି . । ସେ ହୁଏ ତ ସମୁଦ୍ରଗୁପ୍ତଙ୍କ ବଂଶଜଙ୍କର ଆନୁଗତ୍ୟ ସ୍ଵୀକାର କରିବ ଅଥବା ସ୍ଵତନ୍ତ୍ର ରହିବ । କିନ୍ତୁ ଦେବୀ, ଆଜି ଗୁପ୍ତଙ୍କର ପ୍ରତାପାନଳ ନିର୍ବାପିତ, ମୌଖରିଙ୍କର ଭୁଜବଳ ଅସ୍ତ । ଧର୍ମାଚାରହୀନ ବୌଦ୍ଧ ନରପତିଙ୍କ ହେୟ ଶାସନ ସମୁଦାୟ ଆର୍ଯ୍ୟାବର୍ତ୍ତକୁ ବିନାଶ ଦିଗକୁ ଠେଲିଦେଇଛି । ମୁଁ କେଉଁଠି ଆଶାର କିରଣ ଦେଖିପାରୁ–ନାହିଁ । ଘୃଣିତ ମ୍ଳେଚ୍ଛବାହିନୀ ପୁଣି ଗିରସଂକାଟ ସେପଟେ ଏକତ୍ରିତ ହେଉଛି । କିଏ ସେହି ଦୁର୍ମଦ ମ୍ଳେଚ୍ଛବାହିନୀର ପ୍ରତିରୋଧ କରିବ ? କାହାର ବିଶାଳ ଭୁଜ ବର୍ତ୍ତମାନ ଗିରିସଂକଟର କପାଟରେ କାର୍ଯ୍ୟ କରିପାରିବ ? ସେ ହେଉଛନ୍ତି ଦେବପୁତ୍ର । ଆପଣଙ୍କର ବିୟୋଗରେ ସେ କାତର ହୋଇପଡ଼ିଛନ୍ତି । ଲୋରିକଦେବର ମ୍ଳେଚ୍ଛବାହିନୀର ଉଲ୍ଲସିତ ଆନନ୍ଦଧ୍ଵନୀ ଆଜି ଦେବପୁତ୍ରଙ୍କୁ ଉଦ୍‍ବୁଦ୍ଧ କରିବ । ମୋତେ ଅତ୍ରଭବତୀଙ୍କର ସେବାର ଅବସର ମିଳିଛି । ଏହା ସମୁଦାୟ ଆର୍ଯ୍ୟାବର୍ତ୍ତର ସେବା । ଦେବୀ, ଏ ଅବସରର ସୁଯୋଗ ଯେପରି ମୁଁ ପାଏ ।” ଭଟ୍ଟିଣୀଙ୍କର ଚକ୍ଷୁ ସଜଳ ହୋଇଗଲା । କାତରଦୃଷ୍ଟିରେ ଲୋରିକଦେବଙ୍କୁ ଅନାଇ ସେ କହିଲେ, ‘‘ଆର୍ଯ୍ୟ, ମୋତେ ଲଜ୍ଜା ଦେଉଛନ୍ତି !” ଲୋରିକଦେବ ତାଙ୍କୁ ଅଧିକ କହିବାର ଅବସର ଦେଲେ ନାହିଁ । ଆଙ୍ଗୁଳି ସଂକେତମାତ୍ରେ ନାନା ବାଦ୍ୟର ତୁମୁଳ ନିନାଦ ମଧ୍ୟରେ ଦେବପୁତ୍ର–ନନ୍ଦିନୀଙ୍କର ଜୟଧ୍ଵନୀ ଗୁଞ୍ଜିତ ହେଲା । ଭଟ୍ଟିଣୀ ତାଙ୍କର ପ୍ରବାଳ–କିଶଳୟସମ କୋମଳ ଅଙ୍ଗୁଳରେ ତାମ୍ବୁଳ–ପତ୍ର ସ୍ପର୍ଶ କଲେ । ପୁରୋହିତ ଦୀର୍ଘ–ଦୀର୍ଘାୟିତ ଶଙ୍ଖଧ୍ଵନୀରେ ଦିଗନ୍ତର କମ୍ପାଇ ଦେଲେ । ନୃତ୍ୟ, ଗୀତ, ବାଦ୍ୟର ଗଗନବିଦାରୀ ଧ୍ଵନୀ ମଧ୍ୟରେ ଏ ଅର୍ଘ୍ୟଦାନ ସମାପ୍ତ ହେଲା । ମଲ୍ଲମାନେ ସଂଯତଭାବରେ ସେଠାରୁ ବିଦାୟ ନେଲେ । କୁମାରୀମାନେ ଅଭିରାମଭଙ୍ଗିରେ ଭଟ୍ଟିଣୀଙ୍କୁ ଉଠାଇଲେ ଓ ନୃତ୍ୟ–ଗତିରେ ବହୁ ସମୟ ପର୍ଯ୍ୟନ୍ତ ସେହି ଛୋଟ ଗୃହଟିକୁ ପ୍ରଦୀପ୍ତ କରି ରଖିଲେ । ଅର୍ଦ୍ଧ ରାତ୍ରିବେଳକୁ ଉତ୍ସବ ସମାପ୍ତ ହେଲା ।

 

ଲୋରିକଦେବଙ୍କର ବକ୍ତବ୍ୟର ଗୋଟିଏ ଅଂଶ ମୋ ପ୍ରତି ଉଦ୍ଦିଷ୍ଟ ହୋଇଥିଲା ନିଶ୍ଚୟ । ମୁଁ ବୁଝିଲି ସେ କାନ୍ୟକୁବ୍‍ଜେଶ୍ୱରଙ୍କର ସାମନ୍ତ-ପଦକୁ ଅସ୍ୱୀକାର କରିଛନ୍ତି ଓ ସ୍ଵୟଂ ଭଟ୍ଟିଣୀଙ୍କ ସେବାକରିବାର ସଙ୍କଳ୍ପ କରିଛନ୍ତି । ଏହା ଏକ ନୂତନ ସମସ୍ୟା । ଆଜି ମୋର ଗ୍ରହ ଅପ୍ରସନ୍ନ । କୁମାର କୃଷ୍ଣବର୍ଦ୍ଧନଙ୍କ କୃତଜ୍ଞତାରେ ନିଜପାଇଁ ଓ ଭଟ୍ଟିଣୀଙ୍କପାଇଁ ମୁଁ ଅନେକ କିଛି ଜାଟିଳତା ସୃଷ୍ଟି କଲିଣି । କୌଣସି ପନ୍ଥା ଦେଖାଯାଉ ନଥିଲା । ରାଜନୀତିର କୁଟିଳ ଭୁଜଙ୍ଗ ମୋତେ ଦଂଶନ କରିଛି । ବଞ୍ଚିବା ବର୍ତ୍ତମାନ ମୋ ପକ୍ଷରେ ଅସମ୍ଭବ । କିଛି ନା କିଛି ପନ୍ଥା ବାହାର କରିବାକୁହିଁ ପଡ଼ିବ । ଏହି ଚିନ୍ତାରେ ଦ୍ଵାରର ବାହାରେ ଯାଇ ବସିଲି । ବୁଶ୍ଚିକ ରାଶି ପଶ୍ଚିମ ଆକାଶରେ ଢଳିପଡ଼ିବାକୁ ଯାଉଥିଲେ; ତାଙ୍କ ପାର୍ଶ୍ଵରେ ମଙ୍ଗଳ ଗ୍ରହର ରକ୍ତ ତାରକା । ବୃଶ୍ଚିକ ପୃଷ୍ଠରେ ମଙ୍ଗଳ ଗ୍ରହ ଏକ ବିଚିତ୍ର ଯୋଗ । ବୃଶ୍ଚିକ ରାଶିରେ ମଙ୍ଗଳଙ୍କର ସଂକ୍ରମଣ ହେଲେ ଧରିତ୍ରୀ ରକ୍ତ–କର୍ଦ୍ଧମରେ ପିଚ୍ଛିଳ ହୋଇଉଠିବ–ସଂହିତାଗୁଡ଼ିକର ଏ କଥା କଣ ତା’ ହେଲେ ସତ୍ୟ ? ପୁଣି କଣ ଆର୍ଯ୍ୟାବର୍ତ୍ତର ପବିତ୍ର ଭୂମିରେ ବୃକଙ୍କର ବିକଟାଳ ତାଣ୍ଡବ ଆରମ୍ଭ ହେବ ? ମନେ ମନେ ନୃସିଂହ ଭଗବାନଙ୍କର ସେହି ବିକଟ ନୟନକୁ ସ୍ମରଣ କଲି, ଯାହାର ଅବଲୋକନମାତ୍ରେହିଁ ଅସୁରରାଜର ବକ୍ଷଃସ୍ଥଳ ଫାଟି ପାଟଳ-ବର୍ଣ୍ଣ ହୋଇଯାଇଥିଲା । ବୃଶ୍ଚିକସ୍ଥ ମଙ୍ଗଳ ହେଉଛନ୍ତି ସେହି ଭୀଷଣ ନେତ୍ରର ଛାୟା । ସମ୍ଭବତଃ ମେଦିନୀ ମାନବ–ରକ୍ତରେ ପିଚ୍ଛିଳ ହେବ, ଶସ୍ୟକ୍ଷେତ୍ର କର୍ବୁର–ଭସ୍ମରେ ରୂପାନ୍ତରିତ ହେବ, ଜାନପଦ ସମୁହ ଦସ୍ୟୁଙ୍କଦ୍ଵାର ଆରୋପିତ ବହ୍ନି–ଶିଖାରେ ହୋମ ହୋଇଯିବେ, ନର-କଙ୍କାଳରାଶିରେ ମାର୍ଗ ଦୁର୍ଲଘ୍ୟ ହୋଇପଡ଼ିବ ଓ ବିକଟାଳ କାଳର ତାଣ୍ଡବ ନୃତ୍ୟ ଆର୍ଯ୍ୟାବର୍ତ୍ତକୁ ଘୃଣିତ ହାହାକାର ମଧ୍ୟରେ ଚୂର୍ଣ୍ଣ କରିଦେବ !

 

ହେ ଭଗବାନ୍, ଏ ରକ୍ତ–ସ୍ନାନର କଣ ପ୍ରତିରୋଧ ନାହିଁ ? ଅବଧୂତ ଅଘୋର ଭୈରବ ମହାମାୟଙ୍କୁ ତିରସ୍କାର କରି କହିଲେ–“ତୁ ତ୍ରିପୁର–ଭୈରବୀଙ୍କର ଲୀଳାର ପ୍ରତିରୋଧ କରିପାରିବୁ ନାହିଁ, ମହାକାଳର କୁଣ୍ଠନୃତ୍ତକୁ ରୋକିଦେଇପାରିବୁ ନାହିଁ, ଶୂଳପାଣିଙ୍କର ମୁଣ୍ଡମାଳ ରଚନାରେ ବାଧା ଦେଇପାରିବୁ ନାହିଁ । କାରଣ ନିଜକୁ ତୁ ସଂପୂର୍ଣ୍ଣଭାବରେ ତ୍ରିପୁର–ଭୈରବୀ ସହିତ ଏକ କରିପାରିନାହୁଁ । ଯେଉଁ ଦିନ ତାଙ୍କଠାରୁ ଅଭିନ୍ନ ହେବୁ, ସେ ଦିନ ଏ ଲୀଳାକୁ ନିଜ ଇଚ୍ଛାନୁଯାୟୀ ନିୟନ୍ତ୍ରଣ କରିପାରିବୁ । ସରଳା, ତ୍ରିପୁର–ସୁନ୍ଦରୀଙ୍କୁ ଯାହା ଦେଇପାରିବୁ, ତାହାହିଁ ତୋର ନିଜର ସତ୍ୟ । ସତରେ କଣ ଜନତାର ଦୁଃଖକୁ ତୁ ନିଜର ଦୁଃଖ ବୋଲି ଗ୍ରହଣ କରିଛୁ ? ମୁଁ କହୁଛି ମହାମାୟା, ସତ୍ୟବାଦିନୀ–ହେବାକୁ ଚେଷ୍ଟା କର, ପ୍ରପଞ୍ଚକୁ ତ୍ୟାଗ କର । ତୁ ଅମୃତର ପୁତ୍ରକୁ ସମ୍ବୋଧନ କରିଛୁ, ନିଜେ କଣ ତୁ ଅମୃତର ପୁତ୍ରୀ ହୋଇପାରିଛୁ ? ନିଜକୁ ନିଃଶେଷଭାବରେ ତାଙ୍କର ଚରଣରେ ସମର୍ପଣ କରିଦେଇପାରିଲେ ନିଜର ବାକ୍ୟ ସଫଳ କରିପାରିବୁ । ବାଗବୀର ହେବା ନିଜକୁ ନିଜେ ଅପମାନ କରିବା । ନିଜେ ତ୍ରିପୁର–ଭୈରବୀ ନ ହେଲେ ବି ତ୍ରିପୁର–ଭୈରବୀଙ୍କ ଲୀଳାର ଅନ୍ୟ ରୂପ ଦେଖିବା ଅସମ୍ଭବ । ଦୁର୍ଘଟକାଳ ଆସୁଚ୍ଛି ।” ମହାମାୟା ଅବିକୃତ ରହି ଉତ୍ତର ଦେଇଥିଲେ, ‘‘ଆର୍ଶୀବାଦ ନେବାକୁ ଆସିଛି ।” ଅବଧୂତ ରାଗରେ କହିଥିଲେ–“ମିଥ୍ୟା, ପାଖଣ୍ଡ ଏ ସବୁ । ତୋର ଆଶୀର୍ବାଦପାଇଁ ସାରା ଜଗତ ବ୍ୟାକୁଳ । ତୁ ହେଉଛୁ ମହାଶକ୍ତିର ପ୍ରତୀକ-। ମୁଁ ତୋତେ ତ୍ରିପୁର–ଭୈରବୀରୂପରେ ଦେଖି କୃତାର୍ଥ ହେବି । ସାରା ଜୀବନ ମୁଁ ନାରୀର ଉପାସନା କରିଆସିଛି । ମୋର ସାଧନା ଅପୂର୍ଣ୍ଣ ରହିଛି । ତୁ ବିଶୁଦ୍ଧ ନାରୀ ହୋଇ ମୋତେ ଉଦ୍ଧାର କର–ବିଶୁଦ୍ଧ ନାରୀ–ତ୍ରିପୁର ଭୈରବୀ !” ମହାମାୟା ଗଳାରେ ଅଞ୍ଚଳ ଘେରାଇ ଗୁରୁଙ୍କୁ ପ୍ରଣାମ କଲେ ଓ ତ୍ରିଶୂଳ ଉଠାଇ ଠିଆ ହୋଇଗଲେ । କହିଲେ–“ଆଦେଶ ଶିରୋଧାର୍ଯ୍ୟ ଗୁରୁଦେବ !” ତାଙ୍କର ଚକ୍ଷୁରୁ ବିଚିତ୍ର ଜ୍ୟୋତି ନିର୍ଗତ ହେବାକୁ ଲାଗିଲା; ମୁଖ–ମଣ୍ଡଳ ତାଙ୍କର ମଧ୍ୟାହ୍ନ ସୂର୍ଯ୍ୟଭଳି ଜଳିଉଠିଲା । ଗୁରୁ ମେରୁଦଣ୍ଡ ସିଧା କଲେ, ଭ୍ରୂକୁଟ ଉପରକୁ ଉଠାଇଲେ ଓ ଅନେକ ସମୟପର୍ଯ୍ୟନ୍ତ ସେହି ତେଜୋମଣ୍ଡିତ ମୁହଁ ଉପରେ ଆଖି ବୁଲାଇବାକୁ ଲାଗିଲେ । ପ୍ରତିମାପରି ନିଶ୍ଚଳ ହୋଇ ଠିଆହୋଇ ରହିଲେ ମହାମାୟା । ଗୁରୁଙ୍କର ଦ୍ରୁଷ୍ଟି ଆଡ଼ ହେଲାମାତ୍ରେ ସେ ଦ୍ରୁତଗତିରେ ଗୋଟିଏ ଦିଗକୁ ବାହାରିଗଲେ । ବର୍ତ୍ତମାନ ବି ସେ ଦୃଶ୍ୟ ସ୍ମରଣ କଲେ ରୋମ ଟାଙ୍କୁରିଉଠେ । ଏପର୍ଯ୍ୟନ୍ତ କିନ୍ତୁ ବୁଝିଲି ନାହିଁ ଅବଧୂତପାଦଙ୍କର ସେ ବାକ୍ୟର ଅର୍ଥ କଣ ? ଧରିତ୍ରୀ କଣ ରକ୍ତ–ସ୍ନାନରୁ ରକ୍ଷା ପାଇବ ନା ଆହୁରି ରକ୍ତମୟ ହେବ ? ମହାମାୟା କଣ ସତରେ ତ୍ରିପୁର–ଭୈରବୀ ହେବେ ? ସତରେ କଣ ମହାକାଳର କୁଣ୍ଠନୃତ୍ତ ପ୍ରତିରୁଦ୍ଧ ହେବ ? ତ୍ରିପୁର–ସୁନ୍ଦରୀ ତୁମେ କେଉଁଠି ? ଏ ଘୃଣାପୂର୍ଣ୍ଣ ଜଗତକୁ ସୁନ୍ଦର କରି ଦେଉନାହଁ କାହିଁକି ତୁମେ ? କଣ ଚିରଦିନ ବିକଟ ତାଣ୍ଡବରେ ଧରିତ୍ରୀ ଉପରେ ମହାନାଶର ଖେଳ ରଚନା କରି–ଚାଲିଥିବ ? ହେ ରୂଦ୍ରାଣି, ତୁମର ସେହି ଦକ୍ଷିଣ ମୁଖ, ସେହି ସୁକୁମାର ଭାବ, ସେହି ଶୋଭନ୍ତ ହାସ୍ୟ ଓ ସେହି ମନୋରମ ଭଙ୍ଗିମା କାହିଁ ? ଯାହା କାତର ଜଗତକୁ ଶାନ୍ତି ଦେଇପାରିବ, ଯାହା ବ୍ୟାକୁଳ ବିଶ୍ଵକୁ ସାନ୍ତ୍ଵନା ଦେଇପାରିବ, ଯାହା ଧରିତ୍ରୀକୁ ରକ୍ତସ୍ନାନରୁ ରକ୍ଷା କରିପାରିବ ! ଏହିଭଳି ଚିନ୍ତିତ ଥିଲାବେଳେ ଭଟ୍ଟିଣୀ ଆସି ଆଗରେ ଠିଆହେଲେ । ବିସ୍ତାରିତ ଚକ୍ଷୁ ତାଙ୍କର ଅଶ୍ରୁପୂର୍ଣ୍ଣ ହୋଇଥିଲା, କଣ୍ଠ ବାଷ୍ପ-ଗଦ୍‍ଗଦ୍‍ ହୋଇଥିଲା ଓ ମୁଖମଣ୍ଡଳ ରକ୍ତିମ ଆଭାରେ ଶୋଭିତ ହୋଇଥିଲା । ତା’ ହେଲେ କଣ ଏହାହିଁ ତ୍ରିପୁର-ସୁନ୍ଦରୀଙ୍କର ଦକ୍ଷିଣ ମୁଖ ! ଦକ୍ଷିଣ ମୁଖ ! କରୁଣାର ଧାରା ଯେଉଁଠି ପ୍ରବାହିତ, ଅନୁରାଗର ଆଭା ଯେଉଁଠି ଉଲ୍ଲସିତ ଓ ସ୍ନେହର ସ୍ନିଗଧତା ଯେଉଁଠି ଦୀପ୍ତ ! ଆହା, ଏହା କଣ ଭୁବନମୋହିନୀଙ୍କର ସେହି ରୂପ ଯାହାକୁ ପୂଜା କରିବାପାଇଁ ଅବଧୂତ ଗୁରୁ ମୋତେ ଏତେ ଶିକ୍ଷା ଦେଇଥିଲେ । କୁରଙ୍ଗସମ ଭୀତ-ଚପଳ ନେତ୍ର, ଶରଚ୍ଚନ୍ଦ୍ରସମ ଆହ୍ଲାଦ-କାରକ ମୁଖ, ବିମ୍ବଫଳସମ ଆତ୍ରାମ୍ର ଅଧିରୋଷ୍ଠ, ଚନ୍ଦନ-ଗନ୍ଧରେ ଆମୋଦ-ମୁଦିର ଅଙ୍ଗ, କରୁଣାର ଅଶ୍ରୁରେ ସିକ୍ତ ମନୋହର ଦୃଷ୍ଟି ଅନ୍ତଃକରଣକୁ ଯାହା ମୋହିତ କରିଥାଏ–ଏହାହିଁ ତ ଭୁବନମୋହିନୀଙ୍କର ରୂପ । ଗୁରୁହିଁ ମୋତେ ଏ ଧ୍ୟାନମନ୍ତ୍ର ଶିଖାଇଥିଲେ–

 

କୁରଙ୍ଗନେତ୍ରା ଶରଦିନ୍ଦୁବକନ୍ତ୍ରାଂ ବିମ୍ବାଧରାଂ ଚନ୍ଦନଗନ୍ଧଲିପ୍ତାମ୍ ।

ଦୃଶା ଗଳତ୍‍କାରୁଣି କାସ୍ରୟାନ୍ତଃ ସମ୍ମୋହୟନ୍ତୀଂ ତ୍ରିଜଗନ୍ମନୋଜ୍ଞାମ୍ ।

 

ହାୟ, ଆଉ ଅଧିକ ‘ତ୍ରିଜଗନ୍ମନୋଜ୍ଞା’ ଶୋଭା କଣ ହୋଇପାରେ ? କି ଅନ୍ତଃଶୋଭକ ଦୃଷ୍ଟି, କି ଅମୃତ–ସାବୀ ବାଗଧାରା, କି ଉଦାର ଚାରିତ୍ର୍ୟ ଓ କି ନିର୍ମଳ ଆଭା ! ଭୁବନମୋହିନୀଙ୍କର ଏ ରୂପକୁ ଦେଖିବା ବ୍ୟକ୍ତିର ଅନ୍ୟ କିଛି ଦେଖିବାର ଆବଶ୍ୟକତା ନାହିଁ । ଗଦ୍‍ଗଦ୍‍ଭାବରେ ଭଟ୍ଟିଣୀଙ୍କ ଆଡ଼କୁ ଅନାଇ ରହିଲି । ଭଟ୍ଟିଣୀ ଅନୁଯୋଗ ସ୍ଵରରେ କହିଲେ–“ଥକି କରି ଆସିଛି, କିଛି ପ୍ରସାଦ ବି ନେଇନା; ଚାଲ, ଭିତରକୁ ଚାଲ ।” ମନ୍ତ୍ରମୁଗ୍ଧଭଳି ମୁଁ ନୀରବରେ ତାଙ୍କର ପଛେ ପଛେ ଚାଲିଲି । କୁଆଡ଼େ ଟାଣି ହୋଇଯାଉଛି !

Image

 

Unknown

ଷୋଡ଼ଶ ପରିଚ୍ଛେଦ

 

ଅନେକ ବେଳ ହୋଇଯାଇଥିଲା ଉଠିଲାବେଳକୁ । ନିପୁଣିକାକୁ ଦେଖିଲି ପ୍ରଥମେ । ସେ ସଦ୍ୟସ୍ନାନ ସାରିଆସିଥିଲା । ତାର ଆପାଣ୍ଡୁ–ଦୁର୍ବଳ ମୁହଁ ଉପରେ ଆର୍ଦ୍ରକେଶ ଏଭଳି ସୁଶୋଭିତ ହେଉଥିଲା, ସତେ ଯେପରି ପ୍ରଭାତକାଳୀନ ଚନ୍ଦ୍ରମଣ୍ଡଳ ପଛରେ ସଜଳ ଜଳଧର ଲାଗିରହିଛି । ଶ୍ଵେତ ଶାଢ଼ୀରେ ଆବେଷ୍ଟିତ ତାର ତନ୍ଵୀ ଅଙ୍ଗଲତା ପ୍ରଫୁଲ୍ଲ କାମିନୀ–ଗୁଳ୍ମସମ ଅଭିରାମ ଦେଖାଯାଉଥିଲା । ତାର ମୁହଁ ଶେଥା ପଡ଼ିଯାଇଥିଲା; କିନ୍ତୁ ବଡ଼ ମନୋହର ଦିଶୁଥିଲା ତାର ଖଞ୍ଜନ ଚଟୁଳ ଚକ୍ଷୁ । ଆଜି ତାର ଅଧରରେ ସ୍ଵାଭାବିକ ହସ ଦେଖିଲି । ମୋତେ ଉଠିବାର ଦେଖି ସେ ବଡ଼ ଆଦରରେ ପ୍ରଣାମ କଲା । ମୋତେ କିଛି କହିବାର ଅବସର ନଦେଇ କହିଲା, ତୁମେ ମୋତେ କ୍ଷମା ଦେଇଛ ନା, ଭଟ୍ଟ ? ତୁମେ ମହାନ୍, ମୁଁ ତୁଚ୍ଛ, ତୁମେ ନିଶ୍ଚୟ କ୍ଷମା କରିଦେଇଥିବ । କିନ୍ତୁ ମୁଁ ତୁମକୁ ଏପର୍ଯ୍ୟନ୍ତ କ୍ଷମା ଦେଇ ନାହିଁ । ତୁମେ ମୌଖରି–ରାଣୀଙ୍କର ନିମନ୍ତ୍ରଣ ବହନ କରି ନିଜକୁ ଓ ଭଟ୍ଟିଣୀଙ୍କୁ ହୀନ କରିଛ । ମୋଦ୍ଵାରା ଏ ଅପମାନ ସହ୍ୟ ହେବ ନାହିଁ; କିନ୍ତୁ ମୋର ବଡ଼ ଗ୍ଳାନି ହେଉଛି ଯେ ତୁମେ ଆସିବାମାତ୍ରେହିଁ ମୁଁ ତୁମକୁ ବଡ଼ କଠୋର ବାକ୍ୟ କହିଲି । ମୋର ଜ୍ଞାନ ନଥିଲା, ମୋର ହୃଦୟ ଦୁର୍ବଳ ହୋଇଯାଇଥିଲା । ମୁଁ କିଛି ସହିପାରେ ନାହିଁ-। କାଲି କିନ୍ତୁ ମୁଁ ଯାହା କହିଲି, ତା’ ସତ୍ୟ ।” ନିପୁଣିକାର ଚକ୍ଷୁରେ ଆଜି ଅଗ୍ନି–ସ୍ଫୁଲିଙ୍ଗ ସ୍ଥାନରେ ସ୍ମିତଧାରା ଝରୁଥିଲା । ତାର ଚେହେରାରେ ତେଜଃ ସ୍ଥାନରେ ଚପଳତା ଖେଲୁଥିଲା ଓ ସେ ପ୍ରସନ୍ନ ଓ ଅମ୍ଳାନ ଦେଖାଯାଉଥିଲା । ମୁଁ ସ୍ନେହପୂର୍ବକ କହିଲି–“ମୋର ଭୁଲ ହୋଇଯାଇଛି ନିଉନିୟା, ମାର୍ଗ ପାଉନାହିଁ ମୁଁ । ତୁ ମୋର କର୍ତ୍ତବ୍ୟ ସ୍ଥିର କରିଦେ । ବର୍ତ୍ତମାନ ମୋ ଭୁଲର ହିସାବ କରି ଲାଭ କଣ-?” ନିପୁଣିକାର ମୁହଁରେ ସ୍ଵାଭାବିକ ମାଧୁରୀ ପୁଣି ଖେଳି–ଗଲା । ସେ ମନ୍ଦସ୍ମିତରେ କହିଲା–“ଭୁଲ ତୁମେ କରିବ, ମାର୍ଗ ମୁଁ ସ୍ଥିର କରିବି ?” ମୁଁ କହିଲି–‘‘ନୂଆ କଥା ତ ନୁହେଁ ନିଉନିୟା ।” ତାର ଆଖିରେ ଏକ ଉଲ୍ଲାସର ଭାବ ଦେଖାଦେଲା । ସେ ହସି ହସି କହିଲା–“ଜଟିଳ ବଟୁ ମନେ ପଡ଼ୁଛି ନା ?" ଅଞ୍ଚଳରେ ମୁହଁ ଢାଙ୍କି ଅନେକ ସମୟପର୍ଯ୍ୟନ୍ତ ରୁଦ୍ଧ ହସ ହସିବାକୁ ଲାଗିଲା । ଅଞ୍ଚଳ ଉପରେ ତାର ମନୋହର ଅଙ୍ଗୁଳିଗୁଡ଼ିକ କମ୍ପିତ ହେବାକୁ ଲାଗିଲା ଅନେକ ସମୟ ପର୍ଯ୍ୟନ୍ତ ।

 

କ୍ଷଣକ ମଧ୍ୟରେ ବିଦିଶାର ଜଟିଳ ବଟୁ କଥା ମନେ ପଡ଼ିଲା । ସେ ପ୍ରତ୍ୟହ ମୋତେ ବ୍ୟସ୍ତ କରୁଥିଲା ନାଟକ ମଣ୍ଡଳରେ ତାକୁ ଗ୍ରହଣ କରିବାପାଇଁ । ତାର ଲଲାଟ ଥିଲା ପ୍ରଶସ୍ତ ଓ ମୋଟା ଏବଂ ଡାଳିମ୍ବ ଫଳ ପରି ଫଟା । ଚକ୍ଷୁ ଲାଲ, କଣ୍ଠସ୍ଵର କର୍କଶ ଓ ତୀବ୍ର । ତାପାଇଁ କୌଣସି ଚରିତ୍ର ପାଉ ନଥିଲି । ସେ କିନ୍ତୁ ଛାଡ଼ିଲା ନାହିଁ । ମଣ୍ଡଳୀର ସମସ୍ତେ ତା ଉପରେ ବିରକ୍ତ ହେଉଥିଲେ । କେବଳ ମୋରିଯୋଗୁଁ ତାକୁ ସହ୍ୟ କରୁଥିଲେ । ନିପୁଣିକାହିଁ କେବଳ ତାକୁ ଚିଡ଼ାଉ ନଥିଲା । କେବଳ ମୋତେ ଅନାଇ ସେ ନିଜର ଲୋଭ ସମ୍ବରଣ କରୁଥିଲା । ଜଟିଳ ବଟୁ ବୁଝିଥିଲା ଏ ଉଦାସୀନତାର ଅନୁରାଗ । ତାର ଦାଢ଼ୀ ସମ୍ମର୍ଜ୍ଜନୀ ଶଳାକା–ଗୁଚ୍ଛଭଳି ଜଣାପଡ଼ୁଥିଲା, ମୁହଁ ଉପରର ଶୁଶ୍ରୁର ବ୍ୟସ୍ତତା ଦେଖି ମନେ ହେଉଥିଲା ସତେ ଯେପରି ଚଟାଣ ଉପରେ ଶର–ଗୁଳ୍ମ ବାହାରି ଆସିଛି । ରଙ୍ଗମଞ୍ଚରେ ଉତ୍ତୀର୍ଣ୍ଣ ହେବାପାଇଁ ସେ ସର୍ବଦା କାତର ପ୍ରାର୍ଥନା କରୁଥିଲା । ଥରେ ମୋ ମଣ୍ଡଳୀଦ୍ଵାରା ‘‘ଅଭିଜ୍ଞାନ ଶାକୁନ୍ତଳ” ଅଭିନୀତ ହେବାର ସ୍ଥିର ହୋଇଥିଲା । ନଗରର ସବୁ ପ୍ରତିଷ୍ଠିତ ନାଗରିକ ସେ ଦିନ ଆସିବାର କଥା । ସ୍ଵୟଂ ଯୁବରାଜ ଭଟ୍ଟାରକ ମଧ୍ୟ ଆସିବାର କଥା ଥିଲା । ସେ ଦିନ ମାରୀଚ ଭୂମିକାରେ ଅଭିନୟ କରିବାର ଅଭିନେତା ଦେବରାଜ ହଠାତ୍ ଅସୁସ୍ଥ ହୋଇପଡ଼ିଲେ । ଭାବିଲି, ଜଟିଳ ବଟୁକୁ ଏ ଭୂମିକାରେ ଓହ୍ଲାଇ ଦେଲେ ହୁଏ । ବିଶେଷ କିଛି କରିବାର ନଥିଲା । ସାରାଦିନ ଆଖି ବନ୍ଦ କରି ଚୁପ୍‍ଚୁପ୍‍ ହୋଇ ବସିବାର ଅଭ୍ୟାସ କରାଇଲି-। ସାୟଂ ସନ୍ଧ୍ୟାପରେ ଅଭିନୟ ଆରମ୍ଭ ହେଲା । ଯୁବରାଜ ଭଟ୍ଟାରକ ଆସିସାରିଥିଲେ । ଖୁବ୍ ସୁନ୍ଦର ହେଉଥିଲା ଅଭିନୟ । ସାନୁମତୀର ଭୂମିକାରେ ଓହ୍ଲାଇଥିଲା ନିପୁଣିକା । ସେ ଦିନ ତାର ମନୋହର ଅଙ୍ଗ–ଲତା ମାଳତୀ–କୁସୁମର ଅଭିରାମ ମାଳାରେ ବଡ଼ କମନୀୟ ହୋଇଉଠିଥିଲା । ତାର କବରୀରେ ଲମ୍ବିତ ଅଶୋକ–ପଲ୍ଲବ ଓ କାନରେ ଝୁଲୁଥିବା ଅଗଣ୍ଡ–ବିଲମ୍ବି–କେଶର ଶିରୀଷପୁଷ୍ପ ତାର ଶୋଭାକୁ ଶତଗୁଣ ବଢ଼ାଇଦେଉଥିଲେ । ସେହି ବେଶରେ ମତ୍ତବାରଣୀର ଠିକ ପଛରେ ଠିଆହୋଇ ସେ ଅଭିନୟ ଦେଖୁଥିଲା । ଅନ୍ତିମ ଅଙ୍କର ଅଭିନୟ ଆରମ୍ଭ ହେଲା । ସଂଯୋଗ–ବଶତଃ ମୁଁ ମଧ୍ୟ ନିପୁଣିକା ପାଖରେ ଠିଆହୋଇ ଅଭିନୟ ଦେଖିବାକୁ ଲଗିଲି । ମାରୀଚର ଭୂମିକାରେ ଜଟିଳ ବଟୁ ମଞ୍ଚ ଉପରକୁ ଆସିଲା । ଅଦ୍ଭୁତ ଚେଷ୍ଟା ଆରମ୍ଭ କଲା ସେ । ମଝିରେ ମଝିରେ ସେ ଦର୍ଶକଙ୍କ ଆଡ଼କୁ ଅନାଇ ଦେଉଥିଲା; ଜାଣିବାକୁ ଚାହୁଁଥିଲା ଲୋକେ ତା ଅଭିନୟ ପସନ୍ଦ କରୁଛନ୍ତି କି ନାହିଁ । ପଛକୁ ଫେରି ପୁଣି ନେପଥ୍ୟକୁ ଅନାଇ ଦେଉଥିଲା ସେ । ମୂହୁର୍ତ୍ତକପାଇଁ ସ୍ଥିର ହୋଇ ବସିପାରିଲା ନାହିଁ । ଦର୍ଶକଙ୍କ ମୁଖମଣ୍ଡଳରେ ବିନୋଦର ହସ ଫୁଟିଉଠିଲା । ମୁଁ ବ୍ୟାକୁଳ ହୋଇ କହିଲି–“ସବୁ ନଷ୍ଟ ହୋଇଗଲା, ନିଉନିୟା ।” ନିପୁଣିକା ମୋତେ ଦେଖି କ୍ଷଣକପାଇଁ ଚିନ୍ତିତ ହୋଇଗଲା । ପୁଣି କହିଲା–“କିଛି ନଷ୍ଟ ହୋଇନି ଭଟ୍ଟ ! ତୁମେ ମାରୀଚ ଭୂମିକାରେ ଓହ୍ଲାଇବାକୁ ପ୍ରସ୍ତୁତ ହୁଅ । ମୁଁ ତାକୁ ସମ୍ବାଳୁଛି ।” ଏହା କହି ସେ ପ୍ରଜାପତିପରି ନାଚି ନାଚି ରଙ୍ଗମଞ୍ଚ ଉପରକୁ ଚାଲିଗଲା । ତାର ବାମହସ୍ତ ଥିଲା କଟି–ଦେଶରେ । ଚଞ୍ଚଳ ଚରଣଯୋଗେ ଉଦ୍ଧତ ନର୍ତ୍ତନରେ ସେ ରଙ୍ଗମଞ୍ଚକୁ ଝଙ୍କୃତ କରିଦେଲା । ମୁର୍ଖ ଜଟିଳ ଉଠି ଠିଆହୋଇଗଲା । ନିଉନିୟା ଡାହାଣ ହସ୍ତରେ ତାର ଦାଢ଼ୀ ଧରି ସପ୍ରଶ୍ରୟ କଣ୍ଠରେ କହିଲା–“ନାଗର ମୋର, ନାଚିବନି ?” କ୍ଷଣକମଧ୍ୟରେ ହାସ୍ୟମୟ ହୋଇଗଲା ସାରା ବାତାବରଣ-। ଜଟିଳ ବଟୁ କୁଦିବାକୁ ଆରମ୍ଭ କଲା; କିନ୍ତୁ ନିଉନିୟା ତାର ଦାଢ଼ି ଛାଡ଼ିଲା ନାହିଁ । ଏ ବିଚିତ୍ର ପ୍ରହସନ ଚାଲିଲା ଅନେକ ସମୟ ପର୍ଯ୍ୟନ୍ତ । ନାନା କୌଶଳରେ ନିପୂଣିକା ଜଟିଳ ବଟୁକୁ ନିଜର ଗୋଡ଼ିପାଖରେ ପକାଇଲା, ଅଣ୍ଟା ଧରି ନଚାଇଲା, ମୁଣ୍ଡର ବାଳକୁ ମଞ୍ଚ ଉପରେ ରଗଡ଼ାଇଲା ଓ ଏଭଳି ଭଙ୍ଗୁର ଦୃଶ୍ୟକୁ ମନୋରମ ପ୍ରହସନର ରୂପ ଦେଇ ଜଟିଳକୁ ଟାଣି ଟାଣି ରଙ୍ଗମଞ୍ଚରୁ ବାହାରିଗଲା । ଶତ ଶତ ନାଗରିକଙ୍କର ଉଚ୍ଚ ଅଟ୍ଟହାସ୍ୟ ଓ ଦୀର୍ଘ–ଦୀର୍ଘାୟିତ ସାଧୁବାଦରେ ଚହଲିଗଲା ରଙ୍ଗଭୂମି । ଯୁବରାଜ ଭଟ୍ଟାରକ ଥିଲେ ହୃଦୟବାନ୍ । ସାରା ପରିସ୍ଥିତି ସେ ବୁଝିପାରିଲେ । ସେ ନିଜର ବହୁମୂଲ୍ୟ ଉତ୍ତରୀୟ ଦେଇ ନିପୁଣିକାକୁ ସମ୍ମାନିତ କଲେ । ଏହି ଅଟ୍ଟହାସ୍ୟର ପୃଷ୍ଠଭୂମିରେ ମାରୀଚାଶ୍ରମର ଶାନ୍ତ ସୁଖଦ ଦୃଶ୍ୟ ଆହୁରି ସୁନ୍ଦର ହୋଇଉଠିଲା । ସେଦିନ ନିପୁଣିକା ମୋର ମର୍ଯ୍ୟାଦା ରକ୍ଷା କରିଥିଲା । ସେ ମନୋରମ ଦୃଶ୍ୟକୁ ମନେ କରି ଆଜି ନିପୁଣିକାର ହସ ବନ୍ଧ ଭାଙ୍ଗ ଦେବାକୁ ଚାହୁଁଥିଲା । ମୁଁ ବି ନ ହସି ରହିପାରିଲି ନାହିଁ । ହସି ହସି କହିଲି–“ହଁ ନିଉନିୟା, ଭୁଲ କରେ ମୁଁ; ଆଉ ତୁ ମାର୍ଗସ୍ଥିର କରୁ ।” ସେ ହଠାତ୍ ଗମ୍ଭୀର ହୋଇଯାଇ କହିଲା–“ମଜା କରୁନି ଭଟ୍ଟ, ମୁଁ ସତରେ ମାର୍ଗ ସ୍ଥିର କରିବାକୁ ଆସିଛି; ଶୁଣ, ମୋ କଥା ଶୁଣ ।”

 

ସେ ଗମ୍ଭୀର ହୋଇଯାଇଥିଲା ସତ; କିନ୍ତୁ ତାର କପୋଳ–ପାଳିରେ ବିକଚ ପୁଣ୍ଡରୀକର ଶୋଭା ଲାଗିରହିଥିଲା । ତାର ଚଞ୍ଚଳ ନୟନରେ ସରସତା ସଞ୍ଚରିତ ହେଉଥିଲା, ମୁହଁ ଉପରେ ଅଞ୍ଚଳ ଛାଇ ହୋଇ–ଯାଇଥିଲା ଓ ତାର ଉତ୍ତରୋଷ୍ଠ ସାମାନ୍ୟ କମ୍ପିତ ହେଉଥିଲା । ଅତି ମୋହନୀୟ ଜଣାପଡ଼ୁଥିଲା ତାର ମଧୁର ମୂର୍ତ୍ତି; ସତେ ଯେପରି ତାହା ଶରଚ୍ଚନ୍ଦ୍ରିକାର ଜମାବନ୍ଧା ରୂପ, ଦୁଗଧ–ସମୁଦ୍ରର ଗାଢ଼ ଆଭା ଓ ସୁଧା–ଭଣ୍ଡାରର ସଂଯମିତ ବୈରାଗ୍ୟ । ଆଖି ନତ କରି ଧୀରେ ଧୀରେ ସେ କହିଲା–“ଭଟ୍ଟିଣୀ ସ୍ଥାଣ୍ୱୀଶ୍ୱର ଯିବେ; କିନ୍ତୁ ସେ ସେଠାରେ କାହାରି ଅତିଥି ହେବେ ନାହିଁ । ତାଙ୍କର ନିଜର ସ୍ଵାଧୀନ ରାଜ୍ୟ ତାଙ୍କ ସଙ୍ଗେ ସଙ୍ଗେ ରହିବ । ଅନ୍ୟୁନ ଏକ ସହସ୍ର ମଲ୍ଲ–ସେନା ଭଟ୍ଟିଣୀଙ୍କ ସେବାରେ ନିଯୁକ୍ତ ରହିବେ । ତୁମେ ଲୋରିକଦେବଙ୍କୁ ଏଥିରେ ସମ୍ମତ କରାଅ । ସ୍ଵତନ୍ତ୍ର ଦେଶର ରାଣୀ ଯେପରି ନିଜର ରାଜ୍ୟରେ ରହନ୍ତି, ଭଟ୍ଟିଣୀ ସ୍ଥାଣ୍ୱୀଶ୍ଵରରେ ଠିକ୍ ସେହିପରି ରହିବେ । ଏ ଭାଗ୍ୟହୀନା ବି ସାଥିରେ ରହିବ । ଭଟ୍ଟିଣୀଙ୍କ ସେବିକାର ବି ଛାୟା ଛୁଇଁବାକୁ ସ୍ଥାଣ୍ୱୀଶ୍ଵରର ମହାରାଜାଧିରାଜଙ୍କର ମଧ୍ୟ ଯେପରି ଅଧିକାର ନ ରହେ । ସ୍ଥାଣ୍ୱୀଶ୍ୱରର ବ୍ୟବହାର ଭିତରକୁ ଯଦି ନିଉନିୟା ଟଣାଯାଏ, ତାହାହେଲେ ସେଠାରେ ରକ୍ତର ନଦୀ ବହିବ । ପ୍ରଥମେ ବଳି ହେବେ କାନ୍ୟକୁବ୍‍ଜେଶ୍ଵରଙ୍କର ସଭାପଣ୍ଡିତ ବାଣଭଟ୍ଟ । ତୁମେ ପ୍ରସ୍ତୁତ ତ ଭଟ୍ଟ ? ଜଣେ ସାମାନ୍ୟ ଦାସୀପାଇଁ ନିଜର ପ୍ରାଣକୁ ପଣ କରିଦେବାର ସାହସ ଅଛି ତୁମଠି ?” ଆଖି ଉଠାଇ ସ୍ଵର ସାମାନ୍ୟ ଉଚ୍ଚ କରି ପୁଣି କହିଲା–“ଭଟ୍ଟ, କେଉଁ ଅପରାଧପାଇଁ କାନ୍ୟକୁବଜର ଲମ୍ପଟ ଶରଣ୍ୟ ରାଜା ମୋତେ ଫାଶୀ ଦେବାକୁ ଚାହେଁ ? ମୋର ସେହି ଅପରାଧର ଶକ୍ତି ଉପରେ ଆଜି ସେ ଦେବପୁତ୍ର ତୁଅରମିଳିନ୍ଦଙ୍କ ସଙ୍ଗେ ମିତ୍ରତା କରିବାକୁ ଚାହେଁ । ମୋ–ଭଳି ଅସହାୟ ଅବଳାଙ୍କୁ ଦଣ୍ଡ ଦେଉଥିବା ତାର କଠୋର ଭୁଜ–ଦଣ୍ଡ କଣ ମ୍ଳେଚ୍ଛବାହିନୀଙ୍କଠାରୁ ନିଜ ପ୍ରଜାଙ୍କୁ ରକ୍ଷା କରିପାରିବ ନାହିଁ ? ତୁମେ କଣ ବିଶ୍ଵାସ କରୁଛ ଆର୍ଯ୍ୟ, ଏହି ନିର୍ବୀର୍ଜ୍ୟ ଶାସନ–ତନ୍ତ୍ର ସହିତ ଦେବପୁତ୍ରଙ୍କ ସେନାର ମିଶ୍ରଣ ହେଲେ ଆର୍ଯ୍ୟାବର୍ତ୍ତ ରକ୍ତ–ସ୍ନାନରୁ ରକ୍ଷା ପାଇବ ? ଆର୍ଯ୍ୟାବର୍ତ୍ତର ସମାଜର ମୂଳରେ କୀଟ ଲାଗିଲେଣି, ତାକୁ ମହାନାଶରୁ କେହି ରକ୍ଷା କରିପାରିବେ ନାହିଁ । ମୁଁ ପଚାରେ ଆର୍ଯ୍ୟ, ଛୋଟ ସତ୍ୟ କଣ ବଡ଼ ସତ୍ୟର ବିରୋଧୀ ?” ଉତ୍ତର ପାଇବା ଆଶାରେ ନିପୁଣିକା ମୋତେ ଅନାଇଲା । ମୁଁ ସହଜଭାବରେ ଉତ୍ତର ଦେଲି–“ସତ୍ୟ ଅବିରୋଧୀ, ଏହାହିଁ ମୁଁ ଶୁଣିଛି ।” ସେ ଆଶ୍ଵସ୍ତ ହୋଇ କହିଲି–“ଆର୍ଯ୍ୟ, ତୁମେହିଁ ମୋର ଦେବତା, ତୁମେହିଁ ମୋର ସତ୍ୟ । ଦୀର୍ଘକାଳ ତୁମ ସାଥିରେ ରହିବାର ସୌଭାଗ୍ୟ ମୋତେ ମିଳିଛି । ମୋରି ଶପଥ ନେଇ ତୁମେ ସତ୍ୟ ସତ୍ୟ କୁହ–ମୋର ପାପ-ଚରିତ୍ର କଣ, ଯାହାପାଇଁ ମୁଁ ନିଦାରୁଣ ଦୁଃଖର ବହ୍ନିରେ ଆଜୀବନ ଜଳି ହେଉଛି ? ସ୍ତ୍ରୀ ହେବାହିଁ କଣ ସାରା ଅନର୍ଥର ମୂଳ କାରଣ ନୁହେଁ ? ତୁମେ ଏ ସତ୍ୟ ସହିତ ରାଷ୍ଟ୍ର-ଜୀବନର ବଡ଼ ସତ୍ୟକୁ ଅବିରୋଧୀ ବୋଲି ଦେଖି-ପାରୁଛ ? କଣ ବୃହତ୍ତର ସତ୍ୟ ନାଁରେ ମିଥ୍ୟାର ତାଣ୍ଡବ ଚାଲୁନାହିଁ ? କିପରି ଆଶା କରୁଛି ଆର୍ଯ୍ୟ, ଦେବପୁତ୍ରଙ୍କର ପ୍ରବଳ ଭୁଜ-ଦଣ୍ଡ ଏ ସମାଜକୁ ବିନାଶଗର୍ଭରୁ ରକ୍ଷା କରିବ । ମହାକାଳିକା ଅବାଧରେ ଏ ଦେବଭୂମି ଉପରେ ନୃତ୍ୟ କରିବ । ମହାନାଶର ଝଡ଼ରେ ଏସବୁ ତୁଳାଖଣ୍ଡପରି ଉଡିଯିବେ । ବିଚ୍ଛିନ୍ନ ଅଦୃଶ୍ୟ ଖଣ୍ଡପାପର ପ୍ରାୟଶ୍ଚିତ୍ତ ଅସମ୍ଭବ । ନିପୁଣିକା ସାମାନ୍ୟ ଅସମାନିତା ନାରୀ । ସମାଜର କୁତ୍ସିତ ରୁଚି ଭିତରେ ନିଜକୁ ସେ ତିଳ ତିଳ କରି ହୋମ କରି ଦେଇଛି । ତାର ଏ କଥା ହୃଦୟ ଅଗ୍ନିର ଅତଳ ଗହ୍ଵରରୁ ବାହାରୁଛି । ତୁମେମାନେ ବାତ୍ୟାକୁ ରୋକିବାକୁ ବିଫଳ ପ୍ରଯତ୍ନ କରୁଛ । କିନ୍ତୁ ଆର୍ଯ୍ୟ, ମୋର ଇଚ୍ଛା ତୁମେ ଥରେ ସମ୍ରାଟଙ୍କ ଭୃକୁଟୀକୁ ଉପେକ୍ଷା କରି ଏ ମହାସତ୍ୟକୁ ଉଚ୍ଚ ସିଂହାସନପର୍ଯ୍ୟନ୍ତ ପହଞ୍ଚାଇ ଦିଅ । ସେ ସ୍ଵରର କିଞ୍ଚିତ ମାତ୍ର ଯଦି ସେଠାରେ ପହଞ୍ଚିପାରେ, ତା ହେଲେ ସମ୍ଭବତଃ ମହାକାଳୀର କ୍ରୋଧାଗ୍ନି, ପ୍ରଶମିତ ହୋଇପାରେ । ବଡ଼ ଦୁଃଖର କଥା ଆର୍ଯ୍ୟ, ଏ ବିରାଟ ଦୈନ୍ୟର ଛାତି ଉପରେ ସାମ୍ରାଜ୍ୟର ରମଣୀୟ ରଥଯାତ୍ରା ଚାଲିଛି । ମୁଁ ଏ ଦୁଃଖିତ ସ୍ପନ୍ଦନର ଏକ ନଗଣ୍ୟ କଣିକା ମାତ୍ର । ମୋତେ ଏଭଳି ଯୋଗ୍ୟ କରିଦିଅ ଯେ ନିଜେ ନିଜର ଅଗ୍ନିରେ ଜଳି ଜଳି ସମୁଦାୟ ଜଞ୍ଜାଳକୁ ଯେପରି ଭସ୍ମ କରିଦିଏଁ । ମୁଁ ତୁମର କରାବଲମ୍ବନ ଚାହୁଁଛି । ନାରୀ-ଜନ୍ମ ପାଇଁ କେବଳ ଲାଞ୍ଚନା ପାଇବାହିଁ ସାର ନୁହେଁ । ତୁମେହିଁ ମୋତେ ଆନନ୍ଦର ଜ୍ୟୋତିଷ୍କଣିକା ଦେଇଥିଲ, ତୁମେହିଁ ମୋତେ ତେଜର ସ୍ଫୁଲିଙ୍ଗ ଦିଅ ଆର୍ଯ୍ୟ !”

 

ଆଶ୍ଚର୍ଯ୍ୟରେ ସ୍ତବ୍‍ଧ ହୋଇ ମୁଁ ଏ ବ୍ୟାଖ୍ୟାନ ଶୁଣୁଥିଲି । ଏ କଣ ପ୍ରଳାପ ? ଏ ହତଭାଗୀ କଣ ସ୍ନାୟୁ–ଦୁର୍ବଳତାଯୋଗୁଁ ପୁଣି ପ୍ରଳାପ କରିବାକୁ ଆରମ୍ଭ କଲାଣି ? ଯଦି ଏହା ପ୍ରଳାପ ହୁଏ, ତାହାହେଲେ ଏଭଳି ସତ୍ୟ ପୂର୍ଣ୍ଣ ପ୍ରଳାପ ପ୍ରଥମ ଥରହିଁ ଶୁଣୁଛି । ମୋର ମର୍ମସ୍ଥଳକୁ ବିଦ୍ଧ କରି ଗୋଟିଏ ପ୍ରଶ୍ନ ଅନ୍ତଃସ୍ଥଳର ଅସୀମ ଗାମ୍ଭୀର୍ଯ୍ୟ ମଧ୍ୟରେ ଗୁଞ୍ଜରିତ ହେବାକୁ ଲାଗିଲା–ଛୋଟ ସତ୍ୟ କଣ ବଡ଼ ସତ୍ୟର ବିରୋଧୀ ? ତାହାହିଁ ତ ଦେଖୁଛି । ସାମାନ୍ୟ ମନୁଷ୍ୟ ଯେଉଁ କାର୍ଯ୍ୟପାଇଁ ଲାଞ୍ଛିତ ହୁଏ, ସେହି କାର୍ଯ୍ୟପାଇଁ ବଡ଼ଲୋକ ସମ୍ମାନିତ ହୁଏ । ନିପୁଣିକା ଭିତରେ କି ଘୋର ପରିବର୍ତ୍ତନ ! ସେ ଆଜି ପରିତାପର ଜ୍ଵଳନ୍ତ ଉଲ୍‍କା ହୋଇଉଠିଛି । କଣ କରିବ ସେ ? ସମାଜର ଅଗ୍ନି-ଶିଖାତ ପ୍ରତିଦିନ ବ୍ୟକ୍ତିମାନଙ୍କର ଆହୁତ ନେବାରେ ଲାଗିଛି, କିନ୍ତୁ ଉପାୟ କଣ ? ନାରୀଠୁଁ ବେଶି ଦୁର୍ଲଭ ରତ୍ନ ଆଉ କଣ ହୋଇପାରେ ? କିନ୍ତୁ ତାଠାରୁ ଅଧିକ ଦୁର୍ଦ୍ଦଶା ଆଉ କିଏ ଭୋଗ କରୁଛି ? ନିପୁଣିକା କି ଆଶା ରଖିଛି ମୋ ଉପରେ ? ଅବଧୂତପାଦଙ୍କର ସାଧନା ଏଇଥିପାଇଁ ଅପୂର୍ଣ୍ଣ ଯେ ତାଙ୍କୁ ବିଶୁଦ୍ଧ ନାରୀର ସହଯୋଗ ମିଳିନାହିଁ । ନିପୁଣିକାର ବଳିଦାନ ଆକାଂକ୍ଷା ଏଇଥିପାଇଁ ଅପୂର୍ଣ୍ଣ ଯେ ତାକୁ ପୁରୁଷର କରାବଲମ୍ବ ମିଳିନାହିଁ । ସତ୍ୟ କଣ ? ନିପୁଣିକାର ଆଖିରୁ ଅଗ୍ନି-ସ୍ଫୁଲିଙ୍ଗ ଝଡ଼ିବାର ଲକ୍ଷ୍ୟ କଲି । ସେ କଣ ପୁଣି ମୂର୍ଚ୍ଛିତ ହେବାକୁ ଯାଉଛି-? କି ଉତ୍ତର ଦେବି ଭାବୁଛି, ନିପୁଣିକା ପକ୍ଷକଟା ପକ୍ଷୀପରି ମୋରି ପାଦ ପ୍ରାନ୍ତରେ ଲୋଟିପଡ଼ିଲା । ମୁଁ ହାହାକାର କରିଉଠିଲି । ଶବ୍ଦ ଶୁଣି ଭଟ୍ଟିଣୀ ଦୌଡ଼ି ଆସିଲେ । ସିଧା ପୂଜା-ବେଦୀ ଉପରୁ ଉଠିଆସିଥିଲେ ସେ ।

 

ନିପୁଣିକା ନିଜର ସଂଜ୍ଞାହୀନ ଅବସ୍ଥାରେ ମଧ୍ୟ ଜୋରରେ ମୋର ପାଦ ଜାବୁଡ଼ି ଧରିଥିଲା । ବଡ଼ କଠୋର ବନ୍ଧନ ଥିଲା ତାହା । ଭଟ୍ଟିଣୀଙ୍କୁ ଦେଖି ମୁଁ ଉଠିବାକୁ ଚେଷ୍ଟା କଲି; କିନ୍ତୁ ମୋ ଚେଷ୍ଟାରେ ବାଧା ଦେଲା ସେହି ବନ୍ଧନ । ଭଟ୍ଟିଣୀ କରୁଣ ଶ୍ଵରରେ କହିଲେ–“ଛଡ଼ାଅ ନାହିଁ ଭଟ୍ଟ ତାକୁ ଶାନ୍ତ ମିଳୁଥିବ !” ଅର୍ଦ୍ଧୋତଥିତ ଅବସ୍ଥାରେହିଁ ଅଟକିଗଲି । ଭଟ୍ଟିଣୀ ତଳେ ବସିପଡ଼ି ତାର ସିକ୍ତ କେଶଉପରେ ନିଜର ଆଙ୍ଗୁଳି ରଖିଲେ । ବଡ଼ ଆୟାସରେ ମୁଁ ମଧ୍ୟ ତଳେ ବସିଲି । ନିଉନିୟାର ହାତ ସେହିଭଳି ମୋର ପାଦକୁ ଜାବୁଡ଼ି ଧରି ରହିଥାଏ । ସଂକ୍ଷେପରେ ମୁଁ ଭଟ୍ଟିଣୀଙ୍କୁ ନିପୁଣିକାର ଉତ୍ତେଜିତ ବାକ୍ୟର ସାରମର୍ମ କହିଲି । ସେ କିଛି ନକହି ତାର ଅଧୋଲମ୍ବିତ ଲଲାଟକୁ ନିଜର କିଶଳୟ କୋମଳ କରତଳରେ ଦବାଇବାକୁ ଲାଗିଲେ । ବଡ଼ ବଡ଼ ଆଖିରେ ତାଙ୍କର ଅଶ୍ରୁ ବିନ୍ଦୁ ଢଳି ପଡ଼ିଲା । ତାଙ୍କର ନୟନାମ୍ବୁରେ ମୋର ହୃଦୟ ଦ୍ରବିତ ହେଲା । ଏ ଆଖିରେ କଦାପି ଯେପରି ଅଶ୍ରୁ ଦେଖା ନଦିଏ, ସେଥିପାଇଁ କଣ କରିବି ? ଭଟ୍ଟିଣୀଙ୍କର କୋମଳ–ହୃଦୟ ଯେପରି ବ୍ୟଥା–ବ୍ୟାକୁଳ ନହୁଏ, ସେଥିପାଇଁ କଣ କହିବି ? ଭଟ୍ଟିଣୀ ନିଜର ଅଞ୍ଚଳରୁ ଔଷଧ ବାହାର କରି ବଡ଼ ସୁକୁମାରଭାବର ତାର ଆଖି ଓ ଲଲାଟରେ ପ୍ରଲେପ କରିବାକୁ ଲାଗିଲେ । କିଛି ସମୟ ଉପଚାରପରେ ନିପୁଣିକାର ଆଖି ଖୋଲିଲା । ଭଟ୍ଟିଣୀଙ୍କୁ ଦେଖି ସେ ଧୀରେ ଧୀରେ କାତରଭାବରେ କହିଲା–“ମୋତେ ଛାଡ଼ିଦେବ ନାହିଁ ତ ଭଟ୍ଟିଣୀ ? କାନ୍ୟକୁବଜର ଲମ୍ପଟ–ଶରଣ୍ୟ ରାଜାକୁ ମୁଁ ଡରେ ନା ।” ଭଟ୍ଟିଣୀ ସ୍ନେହପୂର୍ବକ କହିଲେ–“ଛି ଭଉଣୀ, ତୋତେ ଛାଡ଼ି ମୁଁ ବଞ୍ଚିପାରିବି-?” ନିପୁଣିକାର ପାଣ୍ଡୁର ଗଣ୍ଡ–ମଣ୍ଡଳ ପ୍ଳାବିତ ହୋଇଗଲା ଦରବିଗଳିତ ଅଶ୍ରୁ ଧାରାରେ ।

 

ଉଠି କରି ବସିଲା ନିପୁଣିକା । ସେ କିଛି କହିବାପାଇଁ ଚାହୁଁଥିଲା, କିନ୍ତୁ ଭଟ୍ଟିଣୀ କହିବାକୁ ଦେଲେନି । ଅନେକ ସମୟପର୍ଯ୍ୟନ୍ତ ସେ ମୁଣ୍ଡ ନୋଇଁ ଭଟ୍ଟିଣୀଙ୍କ ପାର୍ଶ୍ଵରେ ବସିରହିଲା ।

 

ଶେଷରେ ନିପୁଣିକାହିଁ ଭଟ୍ଟିଣୀଙ୍କୁ କହିଲା–“ଭିତରୁ ବାହାର ପର୍ଯ୍ୟନ୍ତ ଜଳିଯାଉଛି ଆର୍ଯ୍ୟେ, ମୋତେ ଆଉ ଗୋଟିଏ କଥା ଭଟ୍ଟଙ୍କୁ କହିବାକୁ ଦିଅ । ମୋର ଅନ୍ତଃସ୍ଥଳ ଧୂ ଧୂ କରୁଛି, ମୁଁ ଜଳିଯିବାକୁ ଚାହୁଁଛି । ମୋର ଧୂମାୟିତ ଅବସ୍ଥା ସମାପ୍ତ ହୋଇ ଆସିଲାଣି ।” ଭଟ୍ଟିଣୀ ତା ମୁହଁ ଉପରେ ଆଙ୍ଗୁଳି ରଖି ଚୁପ କରାଇ କହିଲେ–“କେବଳ ଗୋଟିଏ ବାକ୍ୟରେ ତୋତେ ନିଜର ବକ୍ତବ୍ୟ ସମାପ୍ତ କରିବାକୁ ପଡ଼ିବ ।” ନିପୁଣିକା ନିରାଶ ହୋଇ କହିଲା–“ତା'ହେଲେ ବର୍ତ୍ତମାନ କହିବି ନାହିଁ ।” ଭଟ୍ଟିଣୀ କହିଲେ–“ଆଚ୍ଛା, ତାହାହିଁ ଠିକ୍ ।” ପୁଣି ତାକୁ ଟାଣି ଭିତରକୁ । ନେଇଗଲେ-। ଚିନ୍ତା–କାତର ହୋଇ ସେଇଠି ବସିରହିଲି ମୁଁ ।

 

ଜଣେ ବୃଦ୍ଧା ଦାସୀ ଆସି ସମ୍ବାଦ ଦେଲା ଭଟ୍ଟିଣୀ ସ୍ନାନ କରିବାପାଇଁ ମୋତେ ଆଦେଶ ଦେଇଛନ୍ତି, କାରଣ ଆଭୀରରାଜ ଲୋରିକଦେବ ଶୀଘ୍ର ମୋ ସହିତ ସାକ୍ଷାତ୍ କରିବାକୁ ଚାହାନ୍ତି । ତୁରନ୍ତ ଉଠି ଠିଆ ହୋଇଗଲି । ଇତିପୂର୍ବରୁ ମଧ୍ୟାହ୍ମକାଳରେହିଁ ଧରିତ୍ରୀ ଉପରେ ଅଂଶୁମାଳୀଙ୍କର ତୀକ୍ଷ୍‍ଣ କିରଣ ଉତ୍ତପ୍ତ ରଜତଶଳାକାପରି ବିଛା ହୋଇସାରିଥିଲା । ମହାସରଯୂର ତଟ–ପ୍ରଦେଶକୁ ଘେରି ଦୂରପର୍ଯ୍ୟନ୍ତ ବିସ୍ତାରିତ ସୈକତ–ପୁଲିନରେ ଦାରୁଣ ତାପ ସଂଚରିତ ହୋଇଯାଇଥିଲା, ଦୂରସ୍ଥିତ ଅଶ୍ଵତ୍‍ଥ ବୃକ୍ଷରେ ଶୁଣାଯାଉଥିବା ବନ୍ୟ ପାରାବତଙ୍କ ଧୃତକାର ଛଡ଼ା ଆଉ କେଉଁଠୁଁ କିଛି ଶବ୍ଦ ଆସୁ ନଥିଲା ଓ ତୃଷାର୍ଥ କୃକଳାସ ଶର–ମୁଳ ଛାଡ଼ି ଜଳ ସନ୍ଧାନରେ ବ୍ୟର୍ଥରେ ହାମ୍ପି ହେଉଥିଲା । ପାରଦ–ରେଖାପରି ଦେଖାଯାଉଥିଲା କ୍ଷୀଣଧାର ମହାସରଯୁ ! ତାଣ୍ଡବ-କ୍ଳାନ୍ତ ଧୁର୍ଜଟିଙ୍କ ଭସ୍ମାଚ୍ଛାଦିତ ଜଟାପରି ଦିଗନ୍ତପର୍ଯ୍ୟନ୍ତ ବିସ୍ତାରିତ ହୋଇଥିଲା ଧୂସର ଆକାଶମଣ୍ଡଳ ଓ ବାୟୁମଣ୍ଡଳର ପ୍ରତ୍ୟେକ ସ୍ତରରେ ବିଚିତ୍ର ଆଶଙ୍କା ଉତ୍ପନ୍ନ କରୁଥିଲା ସ୍ତବଧ ଝଞ୍ଜାର ପୂର୍ବାଭାସ । ସ୍ନାନାଦି ଶେଷ କରି ମୁଁ ଯେତେବେଳେ ଲୋରିକଦେବଙ୍କ ସଭାରେ ପହଞ୍ଚିଲି, ସେତେବେଳକୁ ମଧ୍ୟାହ୍ନର ଶଙ୍ଖ ବାଜିସାରିଥିଲା । ମୋତେ ଜଣାଇଦିଆଗଲା ଯେ ଲୋରିକଦେବ ଭୋଜନପରେ ଅପରାହଣରେ ନିଜର ବିଶ୍ରାମ-କକ୍ଷରେ ମୋ ସହିତ ସାକ୍ଷାତ୍ କରିବେ । ଅପରାହଣରେ ଲୋରିକଦେବଙ୍କ ବିଶ୍ରାମ–କକ୍ଷରେ ପହଞ୍ଚି ମୁଁ ବଡ଼ ଆଶ୍ଚର୍ଯ୍ୟ ହେଲି । ମନେ କରିଥିଲି, ଲୋରିକଦେବଙ୍କ ପ୍ରାସାଦର ବିଶାଳ ବହିଃ–ପ୍ରକୋଷ୍ଠରେ ଶୁକ–ସାରିକା, କୁକକୁଟ–ମୟୂର ଆଦି ପକ୍ଷୀଙ୍କର କଳରବ ଗୁଞ୍ଜିତ ହେଉଥିବ, ଗୋମୟୋପଲିପ୍ତ ଭୂମିର ସମ୍ମୁଖ ଦ୍ଵାରରେ ମାଳତୀ-ମାଳା ଝୁଲୁଥିବ, ପାର୍ଶ୍ଵବର୍ତୀ ବଳିବେଦିକା ଉପରେ ଅଭିରାମ ଶାଳଯଷ୍ଟି ନ୍ୟସ୍ତ ବା ଉତ୍କୀର୍ଣ୍ଣ ହୋଇଥିବ, ଶୟନ କକ୍ଷରେ ସ୍ୟନ୍ଦନ, ଦେବଦାରୁ ବା ହରିଚନ୍ଦନର ଶଯ୍ୟା ଥିବ, ଶଯ୍ୟାର ମୁଣ୍ଡପାଖ କୁର୍ଚ୍ଚ ସ୍ଥାନରେ ତାଙ୍କର ଇଷ୍ଟଦେବଙ୍କର ମନୋହର ମୂର୍ତ୍ତି ସଜ୍ଜିତ ହୋଇଥିବ, ପାଖରେ କୌଣସି ବେଦିକା ଉପରେ ମାଲ୍ୟ–ଚନ୍ଦନ ଓ ଉପଲେପନ ରଖାହୋଇଥିବ ଏବଂ ସେ କିଛି ଅଧିକ ଶିଳ୍ପ–ବିନୋଦ ହୋଇଥିଲେ ଗଜଦନ୍ତ ଉପରେ ବୀଣା ଥିବ ଓ ତାକୁ ବଳୟାକାରରେ ଘେରି କୁରଣ୍ଟକ ପୁଷ୍ପର ମାଳା ଝୁଲୁଥିବ । ଶଯ୍ୟାର ଅଦୂରରେ ଗାନ୍ଧାର ଦେଶର କୌଣସି ଆସ୍ତରଣ ବିଛାହୋଇଥିବ ଓ ସହୃଦୟ ବିଟ–ବିଦୁଷକଙ୍କ ମନୋରଞ୍ଜନପାଇଁ ତାମ୍ବୁଳ, ସୌଗନ୍ଧିକ ପେଟିକା (ଇତ୍ରଦାନି), ମାତୁଳଙ୍ଗତ୍ଵକ୍‍ ଓ ସିକ୍‍ଥ କରଣ୍ଡକ ରଖାହୋଇଥିବ । ଶତ ଶତ ବର୍ଷ ପୂର୍ବେ ବାତ୍ସାୟନ ପାଟଳିପୁତ୍ର ନାଗରିକଙ୍କର ଜୀବନ–ଚର୍ଯ୍ୟ ଦେଖି ଯେଉଁ ବ୍ୟବସ୍ଥାର ସୂଚନା ଦେଇଥିଲେ, ତାହା ଆଜି ସମୁଦାୟ ଭାରତ–ଖଣ୍ଡର ଅଭିଜାତ–ଜନଙ୍କ ଆଦର୍ଶ ହୋଇଯାଇଛି । ଆର୍ଜ୍ୟାବର୍ତ୍ତର ଶ୍ରୀସମ୍ପନ୍ନ ବ୍ୟକ୍ତିଙ୍କ ରୁଚି ଢାଳୁଛି ଏହି ଆଦର୍ଶଆଡ଼କୁ । ଲୋରିକଦେବଙ୍କ ବିଶ୍ରାମ-କକ୍ଷ କିନ୍ତୁ ଥିଲା ସଂପୂର୍ଣ୍ଣ ଭିନ୍ନ । ପ୍ରସ୍ତର ଭିତ୍ତି ଉପରେ ଗଜଦନ୍ତ ନାମରେ କିଛି ଲୌହ କୀଳକ ଥିଲା, ଯାହା ଉପରେ ଧନୁଷ୍କାସ୍ୟ ଓ ମୁଦଗର ରଖା ହୋଇଥିଲା । ବୀଣାର ନାମଗନ୍ଧ ନଥିଲା ସେଠାରେ । ଲୋରିକଦେବଙ୍କ କାଷ୍ଠ-ଶଯ୍ୟା ଉପରେ ଉର୍ଣ୍ଣସ୍ତରଣ (କମ୍ବଳ) ବିଛାଯାଇଥିଲା । ନା କେଉଁଠି ତାମ୍ବୁଳ ଥିଲା, ନା ସୌଗନ୍ଧକ ପେଟିକା, ନା ଦ୍ୟୁତ-ଫଳକ । ସମୁଦାୟ କକ୍ଷଟି ତାଙ୍କର ବିଶାଳ ବଳିଷ୍ଠ ଦେହର ଛନ୍ଦ ସହିତ ପୂର୍ଣ୍ଣ ସାମଞ୍ଜସ୍ୟ ରଖିଥିଲା । ଚାରିକୋଣରେ ଜଳୁଥିଲା ଧୂପବର୍ତ୍ତିକା ଓ କୁର୍ଚ୍ଚ-ସ୍ଥାନରେ ବାଳ ବାସୁଦେବଙ୍କ ଗୋବର୍ଦ୍ଧନ-ମୁର୍ତ୍ତିର ପାଦଦେଶରେ ଦୀପ୍ତ ହୋଇଥିଲା କର୍ପୂର ଦୀପକ । ଗୃହଟି ରୂଚିପୂର୍ଣ୍ଣ; କିନ୍ତୁ ଜାଣିଶୁଣି ସୁକୁମାରତାକୁ ଦୂରରେ ରଖାଯାଇଥିଲା । ମୋତେ ଦେଖି ଲୋରିକଦେବ ବଡ଼ ପ୍ରେମରେ ଉଠିଲେ, ଆସନ ଦେଇ ସମ୍ମାନିତ କଲେ ଓ ଦୁର୍ଲଭ ଗନ୍ଧରାଜ ପୁଷ୍ପର ସୁନ୍ଦର ସ୍ତବକ ଉପହାର ଦେଲେ । ତା'ପରେ ସେ ନିଜର କାଷ୍ଠ–ଶଯ୍ୟା ଉପରେ ଆସୀନ ହେଲେ ।

 

କୌଣସି ଭୂମିକା ନକରି ସେ ପଚାରିଲେ ‘‘ଭଟ୍ଟ, ମୋତେ ଦେବପୁତ୍ର–ନନ୍ଦିନୀଙ୍କର ପରିଚୟ ନଦେଇ ତୁମେ କାନ୍ୟକୁବଜେଶ୍ଵରଙ୍କୁ କାହିଁକି ଦେଲ ?” ମୁଁ ମଧ୍ୟ ବିନା ଭୂମିକାରେ ଉତ୍ତର ଦେଲି–ମୁଁ ଭଟ୍ଟିଣୀଙ୍କର ବିନୀତ ସେବକ । ତାଙ୍କର ଆଜ୍ଞା ଥିଲା ମୁଁ ଯେପରି କାହାକୁ ତାଙ୍କର ଯଥାର୍ଥ ପରିଚୟ ନଦିଏ । କାନ୍ୟକୁବ୍ଜ–ନରେଶଙ୍କୁ ମଧ୍ୟ ମୁଁ ତାଙ୍କର ପରିଚୟ ଦେଇନାହିଁ । କୁମାର କୃଷ୍ଣବର୍ଦ୍ଧନଙ୍କଠାରୁ ସେ ଜାଣି ପାରିଲେ । କୁମାର .ଉଟ୍ଟିଣୀଙ୍କର ପରିଚୟ ଜାଣିଥିଲେ । କିଭଳି ଓ କାହାଠୁଁ ତା’ ମୁଁ ବର୍ତ୍ତମାନ କରିପାରିବି ନାହିଁ ।”

 

ଲୋରିକଦେବଙ୍କର କୁଞ୍ଚିତ ଭ୍ରୂକୁଟୀ ସହଜଭାବ ଧାରଣ କଲା, ଲଲାଟ–ଦେଶର ଧନୁଷାୟିତ ରେଖା ସରଳ ହୋଇଗଲା, ଆକୃଷ୍ଟ ଗଣ୍ଡ-କୁଞ୍ଚିକା ତିରୋହିତ ହେଲା ଓ ତାଙ୍କର ଚକ୍ଷୁରେ ସହଜ ବିଶ୍ୱାସର ଭାବ ଫେରିଆସିଲା । ଧୀର ସଂଯତ ଭାଷାରେ ସେ କହିଲେ–“ଦେଖ ଭଟ୍ଟ, ମୋ ଶିରାରେ ଗୁପ୍ତଙ୍କ ଅନ୍ନରେ ପ୍ରସ୍ତୁତ ରକ୍ତ ପ୍ରବାହିତ ହେଉଛି । ଅଠର ବର୍ଷ ବୟସରେ ମୁଁ ଗୁପ୍ତ–ସେନାରେ ସୈନିକ ଥିଲି । ସିନ୍ଧୁ ଓ ‘କୁଭା’ର ସେପଟ ପର୍ଯ୍ୟନ୍ତ ମୁଁ ସମୁଦ୍ରଗୁପ୍ତଙ୍କ ଗରୁଡ଼–ଧ୍ଵଜକୁ ଉଡ଼ାଇଛି । ମୋର ବୟସ ବର୍ତ୍ତମାନ ଷାଠିଏରୁ ଅଧିକ । ତୁମେ କଣ ଆଶା କର ଏ ପୌଢ଼ ଅବସ୍ଥାରେ ନିଜର ଅନ୍ନଦାତାଙ୍କୁ ଦୁର୍ବଳ ଦେଖି କାଲିର ବଣିକକୁ ରାଜାଧିରାଜରୂପେ ସ୍ୱୀକାର କରିବି-? ତା ଅସମ୍ଭବ । କାନ୍ୟକୁବ୍‍ଜର ରାଜାଙ୍କୁ ମୁଁ ଚରଣାଦ୍ରି ଦୁର୍ଗର ପୂର୍ବ–ଦେଶପର୍ଯ୍ୟନ୍ତ ଆସିବାକୁ ଦେବି ନାହିଁ ।” ଚକ୍ଷୁରେ ରୋଷ–ଭାବ ପ୍ରକଟିତ ହେଲା; କିନ୍ତୁ ନିଜକୁ ସମ୍ଭାଳି ନେଇ ସେ କହିଲେ, ‘‘ଗିରବର୍ତ୍ମର ଅପରପାର୍ଶ୍ଵରୁ ବଡ଼ ବିକଟ ସମ୍ବାଦ ଆସିଛି । ଭଟ୍ଟ, କାନ୍ୟକୁବଜର ନପୁଂସକ–ଶାସନ ସେ ସଙ୍କଟକୁ ଦୂର କରିପାରିବ ନାହିଁ । ଦେବପୁତ୍ର ତୁଅରମିଳିନ୍ଦଙ୍କ ସହିତ ମିତ୍ରତା ସ୍ଥାପନ କରିପାରିବ ମାତ୍ରେ ଏ ଧର୍ମାଚାରୀ ଶାସନ ବଳବାନ୍ ହୋଇଯିବ ନାହିଁ । ହାୟ, ଗୁପ୍ତକୁଳରେ ଶକ୍ତିଶାଳୀ ବାଳକଟିଏ ବି ବର୍ତ୍ତମାନ ଜୀବିତ ନାହିଁ । ସ୍କନ୍ଦଗୁପ୍ତ ସାଥିରେହିଁ ଗୁପ୍ତଙ୍କର ପ୍ରତାପାଳନ ଶାନ୍ତ ହୋଇଯାଇଛି । ଯୋଗ୍ୟ ସହିତ ଯୋଗ୍ୟର ମିଳନରେହିଁ ଶକ୍ତି ଉତ୍ପନ୍ନ ହୋଇପାରେ । ଭଟ୍ଟ, ତୁମେ ସ୍ୱପ୍ନରେ ସୁଦ୍ଧା ବିଶ୍ଵାସ କରନା ଯେ ଏ ଅଯୋଗ୍ୟ ରାଜା ସହିତ ମିତ୍ରତା କଲାପରେ ଦେବପୁତ୍ର ତୁଅରମିଳିନ୍ଦ ଶକ୍ତିଶାଳୀ ହୋଇଯିବେ । ଦେଖ, ମୁଁ କୂଟନୀତି ଜାଣେନା, ନାନା ଶାସ୍ତ୍ର ଅଭ୍ୟାସ କରି ତୁମେମାନେ ନିଜର ବୁଦ୍ଧି ଯେପରି ଶାଣିତ କରିଛ, ସେଭଳି କରିବାର ଅବସର ମୁଁ କେବେ ପାଇନାହିଁ । ଘୋଡ଼ାର ପୃଷ୍ଠଉପରେହିଁ ମୁଁ ବିଶ୍ରାମ ପାଇଛି । ନୀତିପଟୁ ହେବାର ଗର୍ବ ମୋର ଆଦୌ ନାହିଁ । ସହଜ କଥାକୁ ମୁଁ ସହଜ ଢଙ୍ଗରେହିଁ ବୁଝିପାରେ । ସତ୍ୟ ଓ ଅସତ୍ୟର ମିଳନ ହୋଇ ପାରେନା ।’’

 

ଆର୍ଯ୍ୟାବର୍ତ୍ତର ସମାଜରେ ଅନେକ ସ୍ତର ହୋଇଗଲାଣି । ଏହା ଭଗବାନଙ୍କର ବିଧାନ ନୁହେଁ । ଏହା ଅସତ୍ୟ । ଗିରିବର୍ତ୍ମର ସେପଟୁ ଯେଉଁ ମ୍ଳେଚ୍ଛବାହିନୀ ଆସୁଛି ଏ ମିଥ୍ୟାକୁ ସେ କୌଣସି ଦିନ ପ୍ରଶ୍ରୟ ଦେଇନାହିଁ । ପ୍ରବଳ ପ୍ରତାପୀ ଗୁପ୍ତ ନରପତିମାନେ ଏ ମିଥ୍ୟା ସମାଜ–ଭେଦ ସହିତ ଉଦାତ୍ତ ଭାବନାର ସମନ୍ୱୟ କରିବାକୁ ଚାହିଁଥିଲେ । କିନ୍ତୁ ତାହା ଭୁଲ । ଗୋବିନ୍ଦ ଗୁପ୍ତ ଏ ରହସ୍ୟକୁ ବୁଝିଥିଲେ, ତୁଅରମିଳିନ୍ଦ ମଧ୍ୟ ଏହା ବୁଝିଛନ୍ତି । କିନ୍ତୁ ଗୁପ୍ତ–ସମ୍ରାଟମାନେ ଏହା ବୁଝିପାରିଲେ ନାହିଁ । ସେମାନେ ଉଚ୍ଛନ୍ନ ହୋଇଗଲେ । ଏହାହିଁ ହେବାର ଥିଲା । ଆର୍ଯ୍ୟ ଗୋବିନ୍ଦ ଗୁପ୍ତଙ୍କ ପରାମର୍ଶରେହିଁ ମୁଁ ନିଜର ଏ ଆଭୀର–ବାହିନୀରେ ଭେଦ ଆସିବାକୁ ଦେଇନାହିଁ । ମୋର ଦଶ ସହସ୍ର ମଲ୍ଲ ଏକ ବୃନ୍ତରହିଁ ସମଷ୍ଠି । ଦୀର୍ଘ ଅନୁଭବ ପରେ କହୁଛି ଭଟ୍ଟ, ଦେବପୁତ୍ରଙ୍କ ସେନା ସହିତ ଯଦି କାହାରି ମିତ୍ରତା ହୋଇପାରେ ତାହେଲେ ଗୁପ୍ତଙ୍କର ଏ ଆଭାର ସେନାଙ୍କର । କାନ୍ୟକୁବଜର ସେନା ଦେବପୁତ୍ରଙ୍କ ଉପରେ ଭାରହିଁ ହେବେ । ତୁମେ ମୋ କଥା ବୁଝିପାରୁଛ ତ ଭଟ୍ଟ ?”

 

ମୁଁ ବିନୀତଭାବରେ ମୁଣ୍ଡ ହଲାଇଲି । ଲୋରିକଦେବ ପୁଣି କହିଲେ–“ସମୁଦାୟ ଆର୍ଯ୍ୟାବର୍ତ୍ତ ରକ୍ତକର୍ଦମରେ ପିଚ୍ଛିଳ ହେବାକୁ ଯାଉଛି, କାନ୍ୟକୁବଜର କୁଟିଳ ନୀତି ଏତେବେଳେ ଏ ଦେବଭୂମିକୁ ମହାନାଶରୁ ରକ୍ଷା କରିପାରିବ ନାହିଁ । କୌଣସିପ୍ରକାର ଅଭିମାନ ଯୋଗୁଁ ମୁଁ ଏ କଥା କହୁନାହିଁ, ସମୁଦାୟ ଦେଶର କଲ୍ୟାଣପାଇଁ ମୁଁ ତୁମକୁ ସାବଧାନ କରାଇ ହେଉଛି । ଭଟ୍ଟିଣୀଙ୍କୁ କାନ୍ୟକୁବଜ–ନରେଶଙ୍କ ହାତରେ କଦାପି ପଡ଼ିବାକୁ ଦେବନାହିଁ ।” ସେ ପ୍ରଶ୍ନସୂଚକ ଦୃଷ୍ଟିରେ ମୋଆଡ଼େ ଅନାଇଲେ । ମୁଁ ନମ୍ର ଅଥଚ ଦୃଢ଼ ସ୍ଵରରେ ଉତ୍ତର ଦେଲି–“ଆଭୀର ରାଜ, ଆପଣଙ୍କର ସ୍ପଷ୍ଟ ଓ ଉଦାର ପରାମର୍ଶ ପାଇଁ ମୁଁ ଅତ୍ୟନ୍ତ କୃତଜ୍ଞ । ସାରା ଜୀବନ ମୁଁ ଉଚ୍ଛୁଙ୍ଖଳତାରେ କାଟିଛି । କୂଟନୀତି ସହିତ କିମ୍ବା ଯୁଦ୍ଧ–ବିଗ୍ରହ ସହିତ ମୋର କୌଣସି ପରିଚୟ ନାହିଁ । ପ୍ରମାଦ ଓ ପରିସ୍ଥିତି–ବଶତଃ ମୁଁ ରାଜନୀତିର କୁଟତାରେ ଜଡ଼ିତ ହୋଇଚ୍ଛି । କିନ୍ତୁ ଆପଣ ଏତିକି ବିଶ୍ୱାସ ରଖିବେ, ମୋ ହାତରୁ ଭଟ୍ଟିଣୀଙ୍କୁ ଯମ ମଧ୍ୟ ଟାଣି ନେଇ ପାରିବ ନାହିଁ । ଭଟ୍ଟିଣୀ ଯେଉଁଠି ରହନ୍ତୁ, ରାଣୀ ହୋଇ ରହିବେ । ଆପଣ ଯଦି ଅପରାଧ ନ ଧରନ୍ତି, ତାହେଲେ ଆପଣଙ୍କର ଅନ୍ତଃପୁରରେ ମଧ୍ୟ ମୁଁ ତାଙ୍କୁ ସ୍ଵତନ୍ତ୍ର ରାଣୀ ବୋଲି ମନେ କରେ ।” ଲୋରିକଦେବ ହସିଲେ, କିଛି ସମୟ ମୌନ ରହି ସେ କହିଲେ, ‘‘ମୁଁ ମୋର ଦଶସହସ୍ର ମଲ୍ଲଙ୍କୁ ଭଟ୍ଟିଣୀଙ୍କ ସେବାପାଇଁ ଉତ୍ସର୍ଗ କରିଛି । ନିଜ ଇଚ୍ଛାମତେ ସେ ସେମାନଙ୍କୁ ନିଯୁକ୍ତ କରିପାରନ୍ତି । ମୁଁ ଚାହେଁ ସେମାନେହିଁ ପୁରୁଷରପର୍ଯ୍ୟନ୍ତ ଦେବପୁତ୍ର–ନନ୍ଦିନୀଙ୍କ ସାଥିରେ ଯାଆନ୍ତୁ । ଏ ପ୍ରସ୍ତାବରେ ମୋର ନିଜର କୌଣସି ସ୍ଵାର୍ଥ ନାହିଁ । କେବଳ ଏତିକି ସେ ଗୁପ୍ତଙ୍କର ଶତୃଙ୍କ କାନ୍ଧ ଉପରେ ଏପବିତ୍ର ଭୂମିର ରକ୍ଷାଭାର ମୁଁ ଦେବାକୁ ଚାହୁଁ ନାହିଁ । ତାଙ୍କର କୌଣସି କାର୍ଯ୍ୟରେ ମୁଁ ହସ୍ତକ୍ଷେପ କରିବାକୁ ଚାହେଁନା । ଏଥିରେ ସାରା ଦେଶର କଲ୍ୟାଣ ଅଛି କି ନାହିଁ, ତାହା ଭାବି ଦେଖ ଭଟ୍ଟ !”

 

ବାସ୍ତବିକ ଚିନ୍ତାରେ ପଡ଼ିଲି । କୁମାର କୃଷ୍ଣଙ୍କୁ ମୁଁ କି ଉତ୍ତର ଦେବି ? କାନ୍ୟକୁବ୍‍ଜର ଛାତି ଚାରି ଏତେ ବଡ଼ ସେନା ବାହାରିଯିବ; ଅଥଚ ସଂଘର୍ଷ ହେବ ନାହିଁ, ଏହା କଣ ସମ୍ଭବ ? ମହାନାଶର ମାର୍ଗ କଣ ଆହୁରି ପ୍ରଶସ୍ତ ହୋଇଯିବ ନାହିଁ ? ଭଟ୍ଟିଣୀଙ୍କର ଭବିଷ୍ୟତ କଣ ଅନିଶ୍ଚିତ ହୋଇଯିବ ନାହିଁ ? ଲୋରିକଦେବ ସରଳ ବ୍ୟକ୍ତି; କିନ୍ତୁ ମହାରାଜାଧିରାଜଙ୍କ ବିଷୟରେ ବହୁ ଭ୍ରାନ୍ତ କଥା ତାଙ୍କୁ କୁହାଯାଇଛି । ଷାଠିଏ ବର୍ଷର ବଦ୍ଧ ଶତ୍ରୁତା ସହଜରେ କଣ ଶିଥିଳ ହୋଇପାରେ ? କଣ ଉପାୟ ?

 

ମୁଁ ବିନୀତଭାବରେ ଉତ୍ତର ଦେଲି ଯେ ମୋତେ ଭିଟ୍ଟିଣୀଙ୍କର ଆଜ୍ଞା ନେବାର ଅବସର ଦିଆଯାଉ । ଲୋରିକଦେବ ପ୍ରସନ୍ନତାପୂର୍ବକ ଅନୁମତି ଦେଲେ ।

 

ଲୋରିକଦେବଙ୍କର ବିଶ୍ରାମ-କକ୍ଷରୁ ବାହାରି ଆସିଲାବେଳକୁ ମୋ ମସ୍ତିକ ନାନା ଚିନ୍ତାରେ ବ୍ୟାକୁଳ ହେଉଥିଲା । ମୁଁ ସ୍ପଷ୍ଟ ଦେଖିପାରୁଥିଲି ଆର୍ଯ୍ୟାବର୍ତ୍ତର ପବିତ୍ର ଦେବଭୂମି ନରକଙ୍କାଳରେ ଶ୍ମଶାନ ହେବାକୁ ଯାଉଛି । ଏ ମହାନାଶରୁ ରକ୍ଷାପାଇଁ ଯେଉଁ ଅସ୍ତ୍ର ବିଧାତା ସୌଭାଗ୍ୟ–ବଶତଃ ମୋହାତରେ ଦେଇଛନ୍ତି, ତାର ଉପଯୋଗ ବିଧିରେ ମୁଁ ପୂର୍ଣ୍ଣ ଅନଭିଜ୍ଞ । ଗୋଟି ଗୋଟି ହୋଇ ଅତୀତର ଘଟଣା ମନେ ପଡ଼ିଲା । ହଠାତ୍ ନିପୁଣିକା ସହିତ ସାକ୍ଷାତ ସ୍ତ୍ରୀ–ବେଶରେ ଛୋଟ ମହାରାଜାଙ୍କ ଅନ୍ତଃପୁରରୁ ଭଟ୍ଟିଣୀଙ୍କୁ ଉଦ୍ଧାର, ଭଦନ୍ତ ଓ ଅବଧୁତଙ୍କ ସହିତ ସଂଯୋଗ–ବଶତଃ ମିଳନ ଓ କୁମାର କୃଷ୍ଣବର୍ଦ୍ଧନଙ୍କ ସହିତ ପରିଚୟ । ଏସବୁ କଣ ପୂର୍ବ–ଚିନ୍ତିତ ବିଧି–ବିଧାନ ? କେତେ ବିଚିତ୍ର କଥା ଏ ? ମନେ ହେଉଥିଲା କୌଣସି ନିପୁଣ କବିର ନିବଦ୍ଧ ଆଖ୍ୟାୟିକା ଏହା । ଅବଧୂତପାଦ ପ୍ରଥମ ଦିନହିଁ ମୋର ସମୁଦାୟ ଅସ୍ତିତ୍ଵକୁ ଚହଲାଇ ଦେଇ କହିଥିଲେ ଭଟ୍ଟିଣୀହିଁ ମୋର ଦେବୀ । ଆଜି ଘଟଣାଚକ୍ର ମୋର ସିଦ୍ଧିକୁହିଁ ସାଧନ କରି–ଦେଇଛି । କୌଣସିଆଡ଼ୁ ପ୍ରକାଶ–ରେଖା ଦେଖିପାରୁନାହିଁ । ସିଦ୍ଧିକୁ ସାଧନ ମନେ କରିବା କଞ୍ଚା ମନର କଞ୍ଚା କଳ୍ପନା । ତାକୁ ରୂପ ଗ୍ରହଣ କରିବାକ ଦେବା ପ୍ରମାଦ । ଏଥିରେ ସାରା ସଂସାରର ହୁଏତ କଲ୍ୟାଣ ହୋଇପାରେ; କିନ୍ତୁ ମୋର ସର୍ବନାଶ ନିଶ୍ଚୟ । ଗୋଟିଏଆଡ଼େ ଆର୍ଯ୍ୟାବର୍ତ୍ତର କଲ୍ୟାଣ, ଅନ୍ୟଆଡ଼େ ମୋର ସର୍ବନାଶ, କାହାକୁ ବାଛିବି ? ଅବଧୂତ ଅଘୋର ଭୈରବଙ୍କ କଥା ମନେ ପଡ଼ିଲା । ସେ ବିରତିବଜ୍ରଙ୍କୁ କହିଥିଲେ–‘‘ଦେଖ ବିରତି, ସତ୍ୟ ହେଉଛି ଅବିଭାଜ୍ୟ । ତୁମର ବୌଦ୍ଧ ଦାର୍ଶନିକମାନେ ସଂବୃତି–ସତ୍ୟ (ବ୍ୟାବହାରିକ ସତ୍ୟ) ଓ ପରମାର୍ଥ–ସତ୍ୟ କହି ତାକୁ ବିଭକ୍ତ କରିବାର ଦମ୍ଭ ବାନ୍ଧିଛନ୍ତି । ସତେ ଯେପରି ଏ ଦୁଇଟି ପରସ୍ପର–ବିରୋଧୀ । ଯାହା ମୋର ସତ୍ୟ ତା’ ଯଦି ବସ୍ତୁତଃ ସତ୍ୟ, ତା’ ହେଲେ ତାହା ସାରା ଜଗତର ସତ୍ୟ, ବ୍ୟବହାରର ସତ୍ୟ, ପରମାର୍ଥର ସତ୍ୟ ଓ ତ୍ରିକାଳର ସତ୍ୟ । ଅବଧୂତପାଦଙ୍କର ଏ କଥାର କି ତାତ୍ପର୍ଯ୍ୟ ହୋଇପାରେ-? ଗୋଟିଏ କଥା କିନ୍ତୁ ସ୍ପଷ୍ଟ । ନିଜର ସତ୍ୟକୁହିଁ ମୁଁ ଆଚରଣ ଭିତରକୁ ଆଣିପାରେ । ମୋର ଇଚ୍ଛାସତ୍ତ୍ୱେ ସାରା ଜଗତର କଲ୍ୟାଣକୁ ନିଜ ଭିତରକୁ ଆଣିପାରିବି ନାହିଁ । ଭଟ୍ଟିଣୀଙ୍କୁ ମୁଁ ରାଜନୀତିର କନ୍ଦୁକ ହେବାକୁ ଦେବି ନାହିଁ । ଭଟ୍ଟିଣୀ ମୋର ରାଜରାଜେଶ୍ଵରୀ । ତାଙ୍କ ଆଗରେ ମହାରାଜାଧିରାଜ ଶ୍ରୀହର୍ଷ ବା କଣ, ଅଭୀରରାଜ ଲୋରିକଦେବ ବା କଣ ? ମୋର ଗୋଟିଏହିଁ କର୍ତ୍ତବ୍ୟ ରାଜରାଜେଶ୍ଵରଙ୍କର ଅକୁଣ୍ଠ ସେବା । ପ୍ରାଣ ଥିବାଯାଏ ମୁଁ କାହାକୁ ଏ କର୍ତ୍ତବ୍ୟରେ ପ୍ରତିବନ୍ଧ ଆଣିବାକୁ ଦେବି ନାହିଁ । ଆଭୀରରାଜ ଯାହା କହିଲେ, ସେଥିରେ ମୋ କର୍ତ୍ତବ୍ୟର କେଉଁଠି କଣ ବିରୋଧ ରହିଛି ? ତା ତ ଜଣାପଡ଼ି ନାହିଁ । ପୁଣି କୁମାର କୃଷ୍ଣବର୍ଦ୍ଧନ ଯାହା କହିଥିଲେ ସେଥିରେ କଣ କେଉଁଠି ମୋ କର୍ତ୍ତବ୍ୟର ବିରୋଧ ରହିଛି ? ତା ବି ତ ଜଣାପଡ଼ିନାହିଁ । କୁମାର କହିଥିଲେ, ‘‘ଯେଭଳି ହେଉ, ଭଟ୍ଟିଣୀଙ୍କୁ ଏଠାକୁ ନେଇଆସ । ମୁଁ ଭଟ୍ଟିଣୀଙ୍କୁ ରାଜରାଜେଶ୍ୱରୀ କରି ସେଠାକୁ ନେବି; ଏକ ସହସ୍ର ଆଭୀର ମଲ୍ଲ ତାଙ୍କ ସେବାରେ ନିଯୁକ୍ତ ରହିବେ । ଏଥିରେ ବିରୋଧ କେଉଁଠି ? ଭଟ୍ଟିଣୀଙ୍କ ସେନା କାନ୍ୟକୁବଜର ଛାତି ଚିରି ବାହାରିଯିବ । ସେଥିରେ ଯେ ବାଧା ଦେବ ସେ ହୁଏତ ମୋତେ ନିହତ କରିବ; ନ ହେଲେ ମୁଁ ତାକୁ ନିହତ କରିବି । ମୁଁ ମରିଗଲେ ଭଟ୍ଟିଣୀଙ୍କର କଣ ହେବ-? ଧିକ ଭଣ୍ଡ ବାଣ ! ପୁଣି ତୁ ନିଜକୁ ଭଟ୍ଟିଣୀଙ୍କର ରକ୍ଷକ ବୋଲି ମନେ କରୁଛୁ ? ଭଟ୍ଟିଣୀ ତୋର ସିଦ୍ଧି । ତାଙ୍କର ସେବାରେ ପ୍ରାଣ ଉତ୍ସର୍ଗ କରିବାହିଁ ଅଧିକାର ଅଛି ତୋର । ଏଭଳି ଶତ ଚିନ୍ତାରେ ବୁଡ଼ି ରହି ମୁଁ ଚାଲିଯାଉଥିଲି, ପଛରୁ ଗଭୀର କଣ୍ଠରେ କେହି ସମ୍ବୋଧନ କଲା, ‘‘ଆର୍ଯ୍ୟ, ମୋତେ ଭୁଲିଗଲେ !”

 

ପଛକୁ ବୁଲି ଦେଖେ ତ ମୌଖରି–ବୀର ବିଗ୍ରହବର୍ମା । ଶ୍ରଦ୍ଧାତିରେକ–ବଶତଃ ସେ ନଇଁ ଭୂମିରେ ମସ୍ତକ ଛୁଇଁ ମୋତେ ପ୍ରଣାମ କଲେ । ଆଶୀର୍ବାଦ ଦେଇ ତାଙ୍କର ଓ ତାଙ୍କ ସେନାଙ୍କର କୁଶଳ–ସମ୍ବାଦ ପଚାରିଲି । ସେ ଯଥୋଚିତ ଉତ୍ତର ଦେବାପରେ କହିଲେ–“ଆର୍ଯ୍ୟ, ଆଭୀର–ସେନାର ଦଶସହସ୍ର ମଲ୍ଲଙ୍କୁ ଦେଖି ମୌଖରିଙ୍କର ଦଶ ସୈନିକଙ୍କୁ ଉପେକ୍ଷା କରିଯିବା ଉଚିତ ନୁହେଁ । ଆମେ ମହାରାଣୀ ରାଜ୍ୟଶ୍ରୀଙ୍କର ଅକିଞ୍ଚନ ସେବକ; କିନ୍ତୁ କାହାରି ଆଖି ଦେଖିଲେ ଆମର ତାର ଉଚିତ ପ୍ରତ୍ୟୁତ୍ତର ଦେବାକୁ ଜାଣୁ । ବଡ଼ କଠିନରେ ଆମର ସୈନିକ ଆପଣଙ୍କ ନିର୍ଦ୍ଦେଶର ପ୍ରତୀକ୍ଷାରେ ନିଜକୁ ସଂଯତ କରି ରଖିଛନ୍ତି । ନହେଲେ ଆଭୀର–ରାଜ କାନ୍ୟକୁବଜେଶ୍ୱରଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଥିବା ଯୋଗୁଁ ଏଠାରେ ରକ୍ତନଦୀ ବହନ୍ତାଣି । ଆର୍ଯ୍ୟ, ଆମେ ମନ୍ତ୍ର ଓ ଔଷଧରେ ରୁଦ୍ଧ–ବୀର୍ଯ୍ୟ କାଳସର୍ପ ସମ ସମୟ ଅତିବାହିତ କରୁଛୁ । ଆଦେଶ ମିଳିଲେ ଏ ସର୍ପଙ୍କର ଦଶ ଲୋଳ–ଜିହ୍ଵା ଉଦ୍ରେଶ୍ଵରର ମଦଗର୍ବିତ ସୈନିକଙ୍କୁ ନିଃଶେଷ କରିଦେବେ ।” ଏହା କହି ବିଗ୍ରହବର୍ମା କୋଷରୁ ନିଜର ତରବାରି ଟାଣିନେଲେ ।

 

ମୋ ମସ୍ତକରେ ଶ୍ରମ–ବିନ୍ଦୁ ଉଦ୍‍ଗମ ହେଲା । ବିଗ୍ରହବର୍ମାଙ୍କୁ ଶାନ୍ତ କରିବା ଉଦ୍ଦେଶ୍ୟରେ ମୁଁ କହିଲି–“ହେ ନରବ୍ୟାଘ୍ର ! ଛୋଟ ଛୋଟ କଥାରେ ବର୍ତ୍ତମାନ ଶକ୍ତି ଅପଚୟ କରିବା ଉଚିତ ନୁହେଁ । ତୁମେ ମୌଖରି-ଗୁରୁ ଆଶ୍ଚର୍ଯ୍ୟ ଭର୍ବୁପାଦଙ୍କ ଶପଥ-ସପ୍ତପତ୍ର ପଢ଼ିଛ ତ ? ମ୍ଳେଚ୍ଛବାହିନୀ ଗିରିସଂକଟର ଅପର ପାର୍ଶ୍ଵରେ ଏକତ୍ରିତ ହେଉଛି । ସେଠାରେ ମୌଖରିଙ୍କ ବୀର୍ଯ୍ୟର ପରୀକ୍ଷା ହେବ । ତୁମେ ବର୍ତ୍ତମାନ କାନ୍ୟକୁବ୍ଜେଶ୍ଵରଙ୍କ ନିର୍ଦ୍ଦେଶରେ ନିଖିଳ ରାଜ–ରାଜେଶ୍ୱରୀ ଦେବପୁତ୍ର-ନନ୍ଦିନୀଙ୍କ ସେବାରେ ନିଯୁକ୍ତ । ଅନ୍ୟତ୍ର ନିଯୁକ୍ତ ନହେବାପର୍ଯ୍ୟନ୍ତ ତାଙ୍କର ରକ୍ଷା ଛଡ଼ା ତୁମର ଅନ୍ୟ କୌଣସି କର୍ତ୍ତବ୍ୟ ନାହିଁ । ଏ କାର୍ଯ୍ୟରେ ଆଭୀର-ସେନା ତୁମର ସହାୟତା କରିବେ । ଦେଖ ନରବୀର, ମହାନାଶରୁ ଆର୍ଯ୍ୟାବର୍ତ୍ତକୁ ରକ୍ଷା କରିବାକୁ ହେବ । ଉନ୍ନତ ଉଦ୍ଦେଶ୍ୟପାଇଁ ନିଜକୁ ବଳି ଦିଅ । ବଳି ଦେବାକୁ ଏଭଳି ଅବସର ମିଳିବ ନାହିଁ ।” ବିଗ୍ରହବର୍ମା ପ୍ରଣାମ କଲେ । ନିଜର ତରବାରିକୁ କୋଷବଦ୍ଧ କରି କହିଲେ–“ସବୁଠୁଁ ବଡ଼ ଉଦ୍ଦେଶ୍ୟ ହେଉଛି ଅନ୍ନଦାତାର ମାନରକ୍ଷା ଆର୍ଯ୍ୟ ! କିନ୍ତୁ ତୁମର ଆଦେଶହିଁ ଆମର କର୍ତ୍ତବ୍ୟ । କେବଳ ଭୁଲିବେ ନାହିଁ ଯେ ଭଟ୍ଟିଣୀଙ୍କର ରକ୍ଷାର ମୁଖ୍ୟଭାର ଆମ ଉପରେ ।” ପ୍ରଣାମ କରି ବିଗ୍ରହବର୍ମା ଚାଲିଗଲେ ।

 

ସେତେବେଳେ ଆକାଶର ପଶ୍ଚିମ ଦିଗ ରକ୍ତବର୍ଣ୍ଣ ଧାରଣ କରୁଥିଲା । ଖଣ୍ଡେ-ଦିଖଣ୍ଡ ବିଚ୍ଛିନ୍ନ ମେଘ-ପଟଳ ସେହି ଗାଢ଼ ଲାଲିମାରେ ସର୍ବାଙ୍ଗ-ଲିପ୍ତ ହୋଇଯାଇଥିଲା । ମହାକାଳ ଯେପରି ନିଜର ଅକୁଣ୍ଡ ଇଙ୍ଗିତରେ କହିଦେବାକୁ ଚାହୁଁ ଥିଲା ଆର୍ଯ୍ୟାବର୍ତ୍ତର ବିଚ୍ଛିନ୍ନ ପ୍ରଯତ୍ନ ଏହିଭଳି ରକ୍ତ-ଧାରାରେ ଆମସ୍ତକ ମଗ୍ନ ହୋଇଯିବ । ମଜ୍ଜମାନ ଭାସ୍କରଙ୍କର କେତୋଟି କିରଣ ଦିଗନ୍ତର ଶେଷପର୍ଯ୍ୟନ୍ତ ବ୍ୟାପିଯାଇଥିଲା ଓ ତାହା ରକ୍ତ-ସ୍ନାନରୁ ସଦ୍ୟ ବିନିର୍ଗତା ମହାକାଳିକାଙ୍କର ନୃତ୍ୟ ବିକୀର୍ଣ୍ଣ ପିଙ୍ଗଳ ଜଟାର ଭ୍ରମ ଉତ୍ପନ୍ନ କରୁଥିଲା । ଉଦ୍ଧୁମ ଅଗ୍ନି-କୁଣ୍ଡପରି ଜଳୁଥିଲା ସମସ୍ତ ଆକାଶ । ବୃକ୍ଷର ଉଚ୍ଚଶିଖା ଉପରେ ଜଡ଼ି ହୋଇଥିବା ରକ୍ତଆଭା ଭୟଙ୍କର ଆଶଙ୍କା ଉତ୍ପନ୍ନ କରୁଥିଲା, ସତେ ଯେପରି ତାହା ଜ୍ଵାଳାର ଭୟରେ ପଳାତକ ବନଦେବୀମାନଙ୍କର ଚରଣାଲକ୍ତକର ଲାଳିମା । ପୃଥିବୀରୁ ଆକାଶପର୍ଯ୍ୟନ୍ତ ବିସ୍ତାରିତ ସେହି ରକ୍ତିମ ଶୋଭା କି ବିକଟ ଭବିଷ୍ୟତର ସୂଚନା ଦେଉଥିଲା କେଜାଣି ? ତ୍ରିପୁର-ଭୈରବୀଙ୍କର ଏ ବାମ ଲୀଳାର ସାକ୍ଷୀ କଣ ମୁଁଇ ହେବାକୁ ଯାଉଛି-? କଣ ହେବାକୁ ଯାଉଛି ?

Image

 

ସପ୍ତଦଶ ପରିଚ୍ଛେଦ

 

ନିପୁଣିକାର ସ୍ଵାସ୍ଥ୍ୟର ଅବସ୍ଥା ଦେଖି ମୁଁ ବିଶେଷ ଚିନ୍ତିତ ହେଲି । ତା ସହିତ କଟିଥିବା ଗୋଟିଏ ଗୋଟିଏ ଦିନ ମୋର ମନେ ପଡ଼ିଲା । ପ୍ରଥମେ ସେ ଯେତେବେଳେ ମୋ ପାଖକୁ ଆସେ ସେତେବେଳେ ତାକୁ ଷୋଳ ବର୍ଷ । ସେ ଭାରି ଡରୁଥିଲା । ମୋ ଆଗକୁ ଆସି ଏପରି ଭୀତ ଓ ଲଜ୍ଜିତ ହେଲା ଯେ ନା ମୋତେ ଚାହିଁ ପାରିଲା, ନା କିଛି କହିପାରିଲା । ସେଦିନ ତା ସହିତ କିଛି କଥାବାର୍ତ୍ତା କଲି ନାହିଁ । ତାକୁ ଆଶ୍ରୟ ଦେବାରେ ଭୟର ଆଶଙ୍କା ଥିଲା, ତଥାପି ଆଶ୍ରୟ ଦେଲି । ସେ ବହୁତ କାନ୍ଦିଲା । ତା ଉପରେ ମୋର ଏତେ ଦୟା ଆସିଲା ଯେ ସେଦିନ ରାତିରେ ମୁଁ ଆଦୌ ଶୋଇପାରିଲି ନାହିଁ । ସେତେବେଳେ ବସନ୍ତର ମାଦକ ସମୟ । ସହକାର-ମଞ୍ଜରୀର କେଶରରେ ମୂର୍ଚ୍ଛମାନ ହେଉଥିଲା ଦିଗନ୍ତ । ଗଳି ଗଳିରେ ଭ୍ରମୁଥିଲା ମଧୁପାନ ବ୍ୟସ୍ତ ଭ୍ରମର । ପୁଷ୍ପ ଓ ପଲ୍ଲବଭାରରେ ଲଦି ହୋଇଥିଲା ବୃକ୍ଷଲତା, ମଳୟାନିଳର ମନ୍ଦ ମନ୍ଦ ଚାରଣରେ ତରଙ୍ଗିତ ହେଉଥିଲା ଲତାଗୁଳ୍ମର ପୁଷ୍ପସ୍ତବକ । ଅକାରଣରେ ଲୋକଚିତ୍ତକୁ ଔତ୍ସୁକ୍ୟରେ ହିଲ୍ଲୋଳିତ କରିଦେଉଥିଲା ମଧୁମତ୍ତ କୋକିଳ ଓ ବନଭୂମି ଉଲ୍ଲସିତ ହୋଇଉଠିଥିଲା ଲତାଙ୍କର ଉନ୍ମଦ–ନର୍ତ୍ତନରେ । ଶୋଭା ଓ ସୌହାର୍ଦ୍ଦର ଏହି ପୃଷ୍ଠଭୂମିରେ ଦେଖାଦେଲା ନିପୁଣିକାର କାତର ମୁଖ । ଦିନଟି ସାରା ମୋ ମନ ହାୟ ହାୟ କରିବାକୁ ଲାଗିଲା । କେତେ ବା ବୟସ ତାର ? କଣ ସେ ମର୍ମନ୍ତୁଦ ଦୁଃଖ, ଯାହା ଏଭଳି ଛୋଟ ବାଳିକାକୁ ଏତେ ସୁକୁମାର ଅବସ୍ଥାରେ ଏଭଳି ସାହସିକ କାର୍ଯ୍ୟ କରିବାପାଇଁ ଉଦ୍‍ବୁଦ୍ଧ କରିଛି । ସେଦିନ ପ୍ରଥମ ଥର ଅନୁଭବ କଲି ମନୁଷ୍ୟର ସାମାଜିକ-ସମ୍ବନ୍ଧର ମୁଳରେ କେଉଁଠି ଏକ ବଡ଼ ଦୋଷ ରହିଯାଇଛି । ସେ ଦୋଷ କଣ ? ଅନେକ ଚିନ୍ତା କଲି; କିନ୍ତୁ ବୁଝିପାରିଲି ନାହିଁ । ପରେ ମଧ୍ୟ ନିପୁଣିକା ବହୁତ କମ୍ ବିଷୟ କହିଥିଲା । ସେହି ଦିନଠାରୁ ତା ସହିତ ମୋର ଏଇଭଳି ବ୍ୟବହାର । ପ୍ରସନ୍ନ ହୋଇ ସେ ଯେତେବେଳେ କିଛି କହେ, ମୁଁ ଶୁଣିଯାଏ । ଅଧିକ ପଚାରିବାର ପ୍ରୟୋଜନ ହୁଏ ନାହିଁ, ସାର୍ଥକତା ବି ରହେ ନାହିଁ । ବଡ଼ କରୁଣାଜନକ ସଂଯୋଗ ମଧ୍ୟରେ ମୁଁ ଅନୁଭବ କରିଥିଲି ସ୍ତ୍ରୀଙ୍କର ଦୁଃଖ ଏତେ ଗଭୀର ଯେ ଶବ୍ଦରେ ତାର ଦଶମାଂଶ ବି କହି ହେବ ନାହିଁ । ସହାନୁଭୂତି ଦ୍ଵାରାହିଁ ସେ ମର୍ମ-ବେଦନାର କିଞ୍ଚିତ ଆଭାସ ମିଳିପାରେ । ନିପୁଣିକା କାଲି କହିଲା, ‘‘ମୋରି ଶପଥ ନେଇ ତୁମେ ସତ ସତ କୁହ ଆର୍ଯ୍ୟ, ମୋର ଏଭଳି କଣ ପାପ–ଚରିତ୍ର ଯାହାପାଇଁ ମୁଁ ଆଜୀବନ ଦୁଃଖର ନିଦାରୁଣ ବହ୍ନିରେ ଜଳି ହେଉଛି ? ସ୍ତ୍ରୀ ହେବା କଣ ମୋର ସାରା ଅନର୍ଥର ମୂଳ କାରଣ ନୁହେଁ ?’ ଏ ଶବ୍ଦରେ କେତେ ଯେ ମର୍ମନ୍ତୁଦ ଦୁଃଖ, ତାହା ମୁଁ ଜାଣେ । ନିପୁଣିକାର ଯାହା ଗୁଣ ଅଛି ସେଥିରେ ସେ ସମାଜ ଓ ପରିବାରର ପୂଜା ପାଇବାର ଯୋଗ୍ୟ; କିନ୍ତୁ ତା ସେ ହୋଇପାରିଲା ନାହିଁ । ଏତେ ଦିନରୁ ଏକାଠି ରହିଛୁ, ତାର ଚରିତ୍ରରେ ମୁଁ କୌଣସି କଳୁଷ ଦେଖି ନାହିଁ । ସେ ସର୍ବଦା ହସମୁଖ, କୃତଜ୍ଞ, ମୋହିନୀ, ଲୀଳାବତୀ–ଏ କଣ ଦୋଷ ? ନିପୁଣିକାର ପ୍ରଚୁର ସେବାଭାବ ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଥିଲି । ସେ ମୋର ଯାହା ସେବା କରିଛି, ଜନ୍ମ–ଜନ୍ମାନ୍ତରରେ ବି ମୁଁ ତାର ପ୍ରତିଦାନ ଦେଇପାରିବି ନାହିଁ । ନିପୁଣିକା ନିଜେ କହିଥିଲା, ମୋ ପ୍ରତି ତାର ମୋହ ଅଛି । ମୋର ଏକ ଅବିଚାରିତ ହସରେ ବିଶେଷଭାବେ ଆହତ ହୋଇଥିଲା ସେ । ନିପୁଣିକାପରି ସେବା–ପରାୟଣା, ଚାରୁସ୍ମିତା, ଲୀଳାବତୀ ଲଳନାପ୍ରତି ଯେଉଁ ପୁରୁଷର ଶ୍ରଦ୍ଧା ଓ ପ୍ରୀତି ଉଚ୍ଛ୍ଵସିତ ହୋଇ ନପାରେ ସେ ଜଡ଼ ପାଷଣ୍ଡ–ପିଣ୍ଡ ମନୁଷ୍ୟ । ଯେଉଁଦିନ ନିପୁଣିକା ମୋତେ ଜଡ଼ କହିଥିଲା, ସେଦିନ କଣ ପ୍ରକ୍ରୁତରେ ତାର ମୋହ କଟିଯାଇଥିଲା ? ତା ପୂର୍ବରୁ କୌଣସି ଦିନ ସେ ମୋପ୍ରତି ତାର ରାଗ ପ୍ରକଟିତ କରି ନଥିଲା; କିନ୍ତୁ ତାର ପ୍ରତ୍ୟେକ ଭାବ–ଭଙ୍ଗୀରେ, ପ୍ରତ୍ୟେକ ସେବାରେ ଏକ ମୌନ ଉଲ୍ଲାସ ବରାବର ଲକ୍ଷିତ ହେଉଥିଲା । ଆଜି ମଧ୍ୟ ତାର ହୃଦୟ–ମନ୍ଦିରର ଅତି ନିଭୃତ କକ୍ଷରେ କୌଣସି ଦେବତା ସ୍ତବ୍‍ଧ ହୋଇ ବସିଛନ୍ତି । ନିପୁଣିକାର ଦର୍ଶନ ମୋ ମାନସକୁ ଆଦୌ ଉତ୍ତରଙ୍ଗ କରିନାହିଁ–ଏ କଥା କହିଲେ ଅସତ୍ୟ ହେବ । ତାର ମାନସ ମୂର୍ତ୍ତିକୁ କେତେ ଯେ ଆରାଧନା କରିଛି, ତାହା ଅନ୍ତର୍ଯ୍ୟାମୀହିଁ ଜାଣନ୍ତି । କିନ୍ତୁ ମୁଁ ନିଜର ସୀମାକୁ ଜାଣେ । ଭଗବାନ୍ ମୋତେ ଅଟକି ଯିବାର ଶକ୍ତି ଦେଇଛନ୍ତି । ହାୟ, ନିପୁଣିକାର ଜୀବନ ଦୁଃଖର ଭାଟିରେହିଁ ଜଳି କରି କଟିଲା ! ମୁଁ ତାର କି ସେବା କରିପାରିଛି ? ଆଜି ମୋର ପ୍ରାଣରକ୍ଷା ପାଇଁ ସେ ସମ୍ମୋହନର ପ୍ରତି ପ୍ରସବର ବଳି–ବେଦୀ ଉପରେ ନିଜକୁ ହୋମ କରିଦେଇଛି । ମନେ ହେଉଛି, ଭଟ୍ଟିଣୀଙ୍କୁ ସେ ତାର ପୂର୍ବ ଆକର୍ଷଣର କଥା କହିଛି, ନ ହେଲେ ଭଟ୍ଟିଣୀ କାହିଁକି କହିଥାନ୍ତେ–“ପାଦ ଛଡ଼ାଅ ନାହିଁ, ତାକୁ ଶାନ୍ତି ମିଳୁଥିବ । ‘ଛି, କି ଲଜ୍ଜାର କଥା । ମୋ ମନ କହୁଛି ନିପୁଣିକାର ମୋହ ଏପର୍ଯ୍ୟନ୍ତ କଟିନାହିଁ; କେଉଁଠି ଯେପରି ସ୍ଫୁଲିଙ୍ଗ ରହିଯାଇଛି । ହାୟ, ସେ ଏପର୍ଯ୍ୟନ୍ତ ବିମୁଗ୍‍ଧା ହୋଇରହିଛି । ଆଉ ମୁଁ ? ନିଜକୁ ବିଶ୍ଳେଷଣ କଲାବେଳେ କରତଳଗତ ଆମଳକ ଫଳପରି ସ୍ପଷ୍ଟ ପ୍ରତିଭାତ ହେଉଛି ଯେ ମୋର ଆରାଧନା ନିଷ୍ଫଳ ହୋଇଛି । ପ୍ରତ୍ୟେକ କର୍ତ୍ତବ୍ୟର କିଛି ନା କିଛି ମାନସିକ ଉତ୍ସ ରହିଛି । କେହି ଯଶର ଲିପ୍‍ସାରେ, କେହି ଅର୍ଥର ଆଶାରେ, କେହି ବା ଭକ୍ତି କାମନାରେ ନିଜର କର୍ତ୍ତବ୍ୟ ନିର୍ଦ୍ଧାରିତ କରେ । ମୁଁ ମୋର ନାଟକ–ମଣ୍ଡଳୀକୁ କାହିଁକି ଭାଙ୍ଗିଦେଲି ? କାହିଁକି ମୁଁ ଛ’ବର୍ଷ ପର୍ଯ୍ୟନ୍ତ ବାରବୁଲାପରି ବୁଲିଲି ? କଣ ମୋର ଏ କର୍ତ୍ତବ୍ୟର କୌଣସି ମାନସିକ ଉତ୍ସ ରହିଛି ? ନିପୁଣିକା ପ୍ରତି କୌଣସି ମୋହ କଣ ମୋ ମନରେ ରହିଯାଇଛି ? ହାୟ, ନିପୁଣିକା ଯେତେବେଳେ କହିଲା–‘ଧୁମାୟିତ ହେବା ବନ୍ଦ ହୋଇଯାଇଛି, ସେ ଆହୁରି ଅଧିକ ଧୂ ଧୂ କରିଉଠିବ’–ସେତେବେଳେ କେତେ ଉତ୍‍କ୍ଷିପ୍ତ ନଥିଲା ତାର ଚିତ୍ତ ? ସେତେବେଳୁ କୌଣସି ବ୍ୟାକୁଳ ଆଶଙ୍କାରେ ଭଟ୍ଟିଣୀ ଅସ୍ଥିର ରହିଛନ୍ତି । ମୋତେ ଏଠାକୁ ଆସିବାର ସାତଦିନ ହେଲାଣି । ଭଟ୍ଟିଣୀ ଆଜି ବଡ଼ କାତର ସ୍ଵରରେ କହିଛନ୍ତି ଯେ ସୌରଭ–ହ୍ରଦ ନିକଟବର୍ତ୍ତୀ କୌଣସି ଶିବ–ସିଦ୍ଧାୟତନରେ ପ୍ରଣିପାତ କଲେ ସମ୍ମୋହନର ସବୁ ବାଧା ଦୂର ହୋଇଯାଏ ବୋଲି ସେ ଶୁଣିଛନ୍ତି । ଅବଧୂତପାଦ ଦେଇଥିବା ଔଷଧରେ ବିଶ୍ଵାସ କରିବାହିଁ ମଙ୍ଗଳ ବୋଲି ଯେତେବେଳେ କହିଲି, ସେତେବେଳେ ତାଙ୍କର ବିସ୍ତାରିତ ଚକ୍ଷୁରେ ଅଶ୍ରୁର ବନ୍ୟା ଆସିଲା । ଆଉ କିଛି ନ କହି ନିପୁଣିକାକୁ ସୌରଭହ୍ରଦକୁ ନେଇଯିବାର ଆଶ୍ୱାସନା ଦେଲି । ଭଟ୍ଟିଣୀଙ୍କର ଆଖିରେ ଅଶ୍ରୁ ଦେଖିଲେ ମୋର ଅନ୍ତଃସ୍ଥଳ ବିଦୀର୍ଣ୍ଣ ହୋଇଯାଏ, ଅଧରୋଷ୍ଠ ଶୁଖିଯାଏ, ମସ୍ତକ ସ୍ଵେଦାର୍ଦ୍ର ହୋଇଯାଏ ଓ ଶ୍ଵାସପ୍ରକ୍ରିୟା ବିକ୍ଷୁବ୍‍ଦ୍ଧ ହୋଇଆସେ । କେଡ଼େ ଅବଶ ମୁଁ ।

 

ଭଟ୍ଟିଣୀଙ୍କଠାରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରୁଥିଲି । ମନେ ହେଉଥିଲା କୌଣସି ଅଘଟଣ ଘଟିବାର ଆଶଙ୍କାରେ ତାଙ୍କର ଛାତି ଭିତର ମଥିତ ହେଉଛି । ହୃଦୟନ୍ତୁଦ ଆଲୋଡ଼ନ କିନ୍ତୁ ଆଦୌ ଲକ୍ଷିତ ହେଉ ନଥିଲା । ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ଏକପ୍ରକାର ଅନ୍ୟମନସ୍କତା ଆସିଥିଲା । ଚିତ୍ତରେ ନିଶ୍ଚୟ କେଉଁଠୁଁ ଉତ୍‍କଣ୍ଠାର ଝଞ୍ଜା ବହୁଥିଲା ଏବଂ ଯାହା ଫଳରେ ତାଙ୍କର ସହଜ ବ୍ୟବସ୍ଥିତ–ବୃଦ୍ଧିରେ ବ୍ୟତିକ୍ରମ ଅସିଥିଲା । ନିପୁଣିକା ବିଷୟରେ କହିଲାବେଳେ ମନେ ହେଲା, ସେ ନିଜର ବକ୍ତବ୍ୟହିଁ ଭୁଲିଯାଇଛନ୍ତି । କିଛି ସମୟ ପର୍ଯ୍ୟନ୍ତ ନିର୍ନିମେଷ ଦୃଷ୍ଟିରେ ସେ ମୋତେ ଅନାଇ ରହିଲେ । ତାଙ୍କର ବକ୍ତବ୍ୟ ଜାଣିବାପାଇଁ ମୁଁ ଯେତେବେଳେ ଆଗ୍ରହ ପ୍ରକାଶ କଲି, ସେ ଯେପରି କଞ୍ଚା ନିଦରୁ ଉଠିଲାପରି ଇତସ୍ତତଃ ହୋଇଗଲେ । ସେତେବେଳେ ତାଙ୍କର ଶୋଭା ଦେଖିବାର କଥା । ଅତ୍ୟନ୍ତ ବିସ୍ୱସ୍ତ ଚିକୁର–ରାଜି ଭିତରେ ଆର୍ଦ୍ରାର୍ଦ୍ର ମୁଖ-ମଣ୍ଡଳ ଶୈବାଳ–ଜାଲରେ ଘେରା ଶୀକର-ସିକ୍ତ ପ୍ରଫୁଲ୍ଲ ଶତଦଳସମ ମନୋହର ଜଣାପଡ଼ୁଥିଲା, କିନ୍ତୁ କାତରତା ଯୋଗୁଁ ଶିଥିଳ ହୋଇଥିବା ଭ୍ରୂଲତା ଗୁଡ଼ିକ ମନୋଜନ୍ମା ଦେବତାର ଭଗ୍ନପପରି ଭୀଷଣ ମନୋହର ଶୋଭା ବିସ୍ତାର କରୁଥିଲା । ତାଙ୍କର ପାଟଳ-ଶୋଣ ଅଧର ଶୁଖିଆସିଥିଲା ଓ ମୋ ମନ ଭିତରେ ଅଦ୍ଭୁତ ଆଶଙ୍କାର ଭାବ ଉତ୍ପନ୍ନ କରୁଥିଲା । ଭଟ୍ଟିଣୀଙ୍କର କପୋଳ-ପାଳିରେ ଉଲ୍ଲାସ, ବିକାଶ କିମ୍ବା ସ୍ଫୁର୍ତ୍ତି ନଥିଲା । ସମସ୍ତ ବାହ୍ୟ ବିକାର ଯେପରି ଭିତରକୁ ଚାଲିଯାଇଥିଲା, ସମସ୍ତ ଅନ୍ତଃକରଣ ଯେପରି କୌଣସି ଗଭୀର କେନ୍ଦ୍ରରେ ନିମଗ୍ନ ହୋଇଯାଇଥିଲା । ଶୋଭାର ସେହି ସରୋବରର କୌଣସିଠି' ତରଙ୍ଗ ନଥିଲା, ଚାଞ୍ଚଲ୍ୟ ନଥିଲା । କେବଳ ଏକ ଗାମ୍ଭୀର୍ଯ୍ୟର ସ୍ଥିରତା ଦେଖାଦେଉଥିଲା ଧରାତଳରେ । ହାୟ, କି ଦୁଃଖ ଭଟ୍ଟିଣୀଙ୍କ ହୃଦୟରେ ଆଲୋଡ଼ନ ସୃଷ୍ଟି କରିଛି ? ସୌରଭହ୍ରଦ ଭଦ୍ରେଶ୍ଵର ଦୁର୍ଗ ନିକଟରୁ ଦୂର ନଥିଲା । ଭଟ୍ଟିଣୀଙ୍କର ଇଚ୍ଛା ଜାଣି ଆଭୀର ସାମନ୍ତ ନିପୁଣିକାପାଇଁ ଶିବିକା ଓ ମୋପାଇଁ ଘୋଡାର ବ୍ୟବସ୍ଥା କରିଦେଲେ । କେତେକ ବିଶ୍ଵସ୍ତ ଅନୁଚର ମଧ୍ୟ ଦେଲେ ଆମ ସାଥିରେ ।

 

ଦିନ ପ୍ରହରକ ସମୟରେ ଆମେ ସେଠାରେ ଯାଇ ପହଞ୍ଚିଲୁ । ସେହି ମନୋହର ହ୍ରଦକୁ ଦେଖି ନିପୁଣିକାର ମନରେ ଖୁବ୍ ଉଲ୍ଲାସ ଆସିଲା; ମୋତେ ବି ଶାନ୍ତି ମିଳିଲା । ମନେ ହେଲା ପ୍ରଳୟ-କାଳରେ ସମସ୍ତ ଦିଗର ସନ୍ଧିବନ୍ଧନ ସ୍ଖଳିତ ହେଲାବେଳେ ଆକାଶ-ମଣ୍ଡଳ ପୃଥିବୀ ଉପରେ ଓଲଟିପଡ଼ି ଏ ହ୍ରଦରୂପରେ ରୂପାନ୍ତରିତ ହୋଇଯାଇଛି କିମ୍ବା ଆଦିବରାହଙ୍କ ଦନ୍ତଦ୍ଵାରା ମୁକ୍ତ ଧରିତ୍ରୀର ରନ୍ଧ୍ରହିଁ ବାରି-ପୂରିତ ହୋଇ ଏ ବିଶାଳ ସର ହୋଇଯାଇଛି । ପୂର୍ବରୁ ପଶ୍ଚିମପର୍ଯ୍ୟନ୍ତ ପ୍ରସାରିତ ସୌରଭ-ହ୍ରଦ ନିଜେହିଁ ନିଜର ଶୋଭାର ଉପମାନ । ଭୀଷଣ ଜ୍ଵାଳା–ବର୍ଷୀ ଗ୍ରୀଷ୍ମାତପ ସମୟରେ ମଧ୍ୟ ଉତ୍‍ଫୁଲ୍ଲ କୁମୁଦ, କୁବଳୟ ଓ କହ୍ଳାର ହୃଦୟହାରିଣୀ ଶୋଭା ପ୍ରସାର କରୁଥିଲେ । ବିକଶିତ ପୁଣ୍ଡରୀକର ମଧୁବିନ୍ଦୁ, ଜଳ ଉପରେ ପଡ଼ି ମୟୂର-ପୁଚ୍ଛସ୍ଥ ଚନ୍ଦ୍ରାକୃତି ଚିହ୍ନରେ ହ୍ରଦତଳକୁ ରଙ୍ଗମୟ କରିଦେଉଥିଲା । ଅଳିକୁଳ-ପଟଳଦ୍ଵାରା ସୌଗନ୍ଧିକ ପଦ୍ମ ଆଚ୍ଛାଦିତ ହୋଇଥିଲା । ପଦ୍ମ-ମଧୁପାନମତ୍ତ କଳହଂସ–ବଧୂଙ୍କର କୋଳାହଳରେ ସରୋବରଟି ମୁଖରିତ ହେଉଥିଲା । ଉନ୍ମଦ ସାରସଙ୍କର କଳ-ତ୍ରିଂକାରରେ ବାୟୁମଣ୍ଡଳ ବିଦ୍ଧ ହେଉଥିଲା । ବହୁ ଜଳଚରଙ୍କର ଚଟୁଳ ସଂଚାରରେ ତରଙ୍ଗବୀଚି ବାଚାଳ ହେଉଥିଲା, ବାୟୁ-ଲହରୀରେ ଆଲୋଡ଼ିତ ସରୋବରର ତରଙ୍ଗ ଉପରକୁ ଉଠି ଉଠି ଭାଙ୍ଗି ପଡ଼ୁଥିଲା ଓ ଦୂରପର୍ଯ୍ୟନ୍ତ ସେଥିରୁ ବିକୀର୍ଣ୍ଣ ଶୀକର-ବିନ୍ଦୁ ଗୁଡ଼ିକରେ ବର୍ଷାକାଳର ଦୃଶ୍ୟ ଉପସ୍ଥିତ ହୋଇଯାଉଥିଲା । ସାରା ହ୍ରଦଟି ଏଭଳି ସୁଗନ୍ଧିତ ହୋଇଥିଲା ଯେ ଭ୍ରମ ହେଉଥିଲା ସ୍ନାନାବତୀର୍ଣ୍ଣ ବନଦେବୀମାନଙ୍କର କେଶ-ଲଗ୍ନ ପୁଷ୍ପର ସୁଗନ୍ଧରେ ହୁଏତ ତାହା ଆମୋଦ ପ୍ରସାରିତ ହୋଇଛି । ଶ୍ଵେତ-କୁମୁଦ ସହିତ ଶ୍ଵେତ-କଳହଂସ ଏଭଳି ମିଶିଯାଇଥିଲା ଯେ ସେ ତାର ନିଜର ପ୍ରିୟତମା ପାଖକୁ ନଗଲାପର୍ଯ୍ୟନ୍ତ ତାର ଉପସ୍ଥିତି ଜାଣିବା ସମ୍ଭବ ନଥିଲା । ଆପାଣ୍ଡୁର ପଦ୍ମକେଶର ସମୁଦାୟ ସରୋବରକୁ ଆଚ୍ଛାଦିତ କରି ଯେଉଁ କମନୀୟ ଶୋଭା ବିସ୍ତାର କରୁଥିଲେ, ତାହା ଛାୟାରୂପରେ ଅବତୀର୍ଣ୍ଣ ଚନ୍ଦ୍ରମଣ୍ଡଳର ତରଙ୍ଗଧୌତ ଅମୃତ-ଧବଳିମାର ଭ୍ରମ ଜାତ କରୁଥିଲା । ତଟରେ ଉପାନ୍ତଭାଗରେ ଅବସ୍ଥିତ ବୃକ୍ଷଙ୍କର ପଲ୍ଲବ–ସ୍ପର୍ଶୀ ବାୟୁରେ ବିଜିତ ସରୋବରର ତରଙ୍ଗ–ଖେଳ ଦେଖି ମନେ ହେଲା ସତେ ଯେପରି ଜଳଦେବୀଙ୍କର ଅଦୃଶ୍ୟ ଶିଶୁ ଲୀଳାପୂର୍ବକ ସନ୍ତରଣ କରୁଛି । ସେ ମନୋରମ ସରୋବରକୁ ଦେଖି ଉତ୍କଣ୍ଠିତର ଚିତ୍ତ ମଧ୍ୟ ବିଶ୍ରାମ ପାଇପାରିବ, ବିରହୀର ହୃଦୟ ବି ଶାନ୍ତ ହୋଇଯିବ, ଉନ୍ମତ୍ତର ମସ୍ତିସ୍କ ମଧ୍ୟ ନିର୍ମଳ ହୋଇପାରିବ ଓ ଉତ୍ତ୍ୟକ୍ତ ମନୁଷ୍ୟକୁ ମଧ୍ୟ ଶାନ୍ତି ମିଳିପାରିବ । ଯେତେବେଳେ ପଶ୍ଚିମ ଦିଗରୁ ଉଷ୍ନୋଷ୍ଣ ବାୟୁ ଅଗ୍ନି–ବର୍ଷା କରି ତ୍ରିଲୋକର ସମୁଦାୟ ଆର୍ଦତାକୁ ଶୋଷିନେବାପାଇଁ ଆଗଭର ହେଉଥିଲା ଓ ପାପାଗ୍ନିଠାରୁ ଅଧିକ ଭୟଙ୍କର ହୋଇ ବନରାଜିର ନୀଳିମାକୁ ଭସ୍ମ କରୁଥିଲା ଯେତେବେଳେ ବିକଟ ବାତ୍ୟାର ଧୂଳି ଉଡ଼ି ଉଡ଼ି ସମୁଦାୟ ଆକାଶକୁ ଧୂସର କରିଦେଉଥିଲା ଓ ଯେତେବେଳେ ପ୍ରଚଣ୍ଡ ମାର୍ତ୍ତଣ୍ଡଙ୍କର ଖରତର କିରଣ ଧରିତ୍ରୀରୁ ହରିତିମାକୁ ଦୂର କରିବାପାଇଁ ବଦ୍ଧ ପରିକର ହୋଇଥିଲା, ସେହି ଭୟଙ୍କର ସମୟରେ ସୌରଭହ୍ରଦ ନିଜର ଆଖପାଖର ବନବୃକ୍ଷଙ୍କୁ ନୀଳ ମସୃଣ କରିରଖିଥିଲା । ଆକାଶ ସେଠାରେ ଶରତ୍‍କାଳୀନ ନିର୍ମେଘ ନଭୋମଣ୍ଡଳର ସ୍ମୃତି ଆଣୁଥିଲା, ଉତ୍ତପ୍ତ ପଶ୍ଚିମ ବାୟୁ ପୋଷା ଶାର୍ଦ୍ଦୁଳପରି ନିଜର ସ୍ଵଭାବ ଭୁଲିଯାଇଥିଲା । ଏ ଶୋଭା ଅତି ମନୋହର ଜଣାପଡ଼ିଲା ନିପୁଣିକାକୁ । ସେ ସେହି ମାଧୁରୀ ପାନକରିବାକୁ ଲାଗିଲା ।

 

ସ୍ନାନପରେ ଶିବ–ସିଦ୍ଧାୟତନଆଡ଼କୁ ଗଲାବେଳେ ହ୍ରଦ–ଶୀକର–ସିକ୍ତବାୟୁ ଆମର ମନ ଓ ପ୍ରାଣକୁ ଶୀତଳ କରିଦେଲା । କ୍ଷଣକପାଇଁ ଭ୍ରମ ହେଲା ଆମେ କୈଳାସ ଉପରକୁ ଆସିନାହୁଁ ତ ? ଆହା, ଏହା କଣ ସେହି ବାୟୁ ଯାହା କୈଳାସର ନିର୍ଝରଗୁଡ଼ିକର ଶୀକର ଆତ୍ମସାତ୍ କରିଛି, ଭୁର୍ଜପତ୍ରଙ୍କୁ ସ୍ଖଳିତ କରିଛି, ନଦୀର ରୋମନ୍ଥ ଫେନର ସ୍ପର୍ଶରେ ନିଜକୁ ଧନ୍ୟ କରିଛି ! ହରଜଟା-ବିହାରିଣୀ ଭଗବତୀ ମନ୍ଦାକିନୀଙ୍କର ଜଳପାନ କରିଛି, ପାର୍ବତୀଙ୍କର କର୍ଣ୍ଣ ପଲ୍ଲବକୁ ଆନ୍ଦୋଳିତ କରିଛି, ରୁଦ୍ରାକ୍ଷର ପୁଷ୍ପ-ରେଣୁରେ ନିଜକୁ ସୁଗନ୍ଧିତ କରିଛି ଓ ନାଗେଶ୍ଵର ପଲ୍ଲବର ବ୍ୟଂଜନରେ ମହାଦେବଙ୍କ କ୍ଲାନ୍ତି ଦୂର କରିଛି ! ଏ ଶିବ–ସିଦ୍ଧାୟତନରେ ଜନ–ସମାଗମ କ୍ଵଚିତ ହେଉଥିବ । ଦୂରପର୍ଯ୍ୟନ୍ତ ବିସ୍ତାରିତ ମରକତ–ହରିତ ବନରାଜି, ଯାହା ମନୋହର ପକ୍ଷୀଙ୍କର ସୁନ୍ଦର ଶବ୍ଦରେ ରମଣୀୟ ହୋଇଯାଇଛି, ଯାହାର କୁଙ୍ମଳ ଭ୍ରମନ୍ତ ଭ୍ରମରଙ୍କର ନଖା–ଘାତରେ ଜର୍ଜରିତ, ଯେଉଁଠି ଆଜି ମଧ୍ୟ ଉନ୍ମତ୍ତ କୋକିଳ ବନ୍ୟ ସହକାରର ପଲ୍ଲବକୁ କାଟେ, ଯାହା ଉନ୍ମଦ ଷଟ୍‍ଚରଣ–ଚିତ୍ରକାଳର ମଧୁର ଗୁଞ୍ଜନରେ ବାଚାଳ ହୋଇଛି, ଯେଉଁଠି ଅଚକିତ ଚକୋର–ତରୁଣ ମରୀଚାଙ୍କୁରର ସ୍ୱାଦ ଗ୍ରହଣ କରୁଛନ୍ତି, ଯାହାର ଚମ୍ପକ ପିଞ୍ଜର ପରାଗରେ କପିଞ୍ଜଳ (ତିତିର:ପକ୍ଷୀ) ପିଙ୍ଗଳବର୍ଣ୍ଣ ହୋଇଯାଇଛି–ଯେଉଁଠି ଫଳଭାରରେ ନିପୀଡ଼ିତ ଡାଳିମ୍ବ, ବୃକ୍ଷର ନୀଡ଼ରେ କଳବିଙ୍କ ଦମ୍ପତ୍ତି କେଳି–କଳହରେ ବ୍ୟସ୍ତ, ଯେଉଁଠି ପରସ୍ପର ସଂଘର୍ଷରତ କପୋତ ନିଜର ପକ୍ଷରୁ କୁସୁମ–ଧୂଳି ଝାଡ଼ି ଦେଉଛନ୍ତି, ଶୁକ–ସାରିକାଙ୍କ ଦ୍ଵାରା କଟା ହୋଇଥିବା ଫଳର ବଳକଳ ବନଭୂମି ଯେଉଁଠି ଆମୋଦ–ମଗ୍ନ, ଯେଉଁଠି ତରୁଣ ମଦମତ୍ତ ପାରାବତ ନିଜର ପକ୍ଷ–କ୍ଷେପରେ ପୁଷ୍ପ–ସ୍ତବକକୁ ଚାରିପଟୁ ବିସ୍ତ୍ରସ୍ତ କରି ତୋଳୁଛନ୍ତି–ସେହି ମଧୁର ମନୋହର ଶୋଭାର ଖଣି ବନରାଜ ମନୁଷ୍ୟଜାତି ସହିତ ଖୁବ କମ୍ ପରିଚିତ ବୋଲି ମନେ ହେଲା । ଭଗବାନ ଶୂଳପାଣି ନିଜର ନିବାସପାଇଁ ସତରେ କି ସୁନ୍ଦର ବନ ନିର୍ବାଚିତ କରିଛନ୍ତି ? ନିପୁଣିକା ବଡ଼ ପ୍ରସନ୍ନ ଥିଲା । ମନେ ହେଉଥିଲା ସେ ଯେପରି ଜୀବନର ଫଳ ପାଇଯାଇଛି । ଦ୍ରଦତଟରୁ ସିଦ୍ଧାୟତନପର୍ଯ୍ୟନ୍ତ ହରିତ୍ ତୃଣର ଏଭଳି ମନୋରମ ଆସ୍ତରଣ ଦେଖିଲେ ବସିରହିବାପାଇଁ ମନ ହେବା ସ୍ଵାଭାବିକ । ବଡ ଆୟାସରେ ମୁଁ ନିଜକୁ ସଂଯତ କଲି । ପ୍ରଥମେ ଭଗବାନ ଶୁଳପାଣିଙ୍କୁ ପ୍ରଣାମ, ପୁଣି ପଦକ୍ଷଣ ଓ ତାପରେ ଅନ୍ୟ କାର୍ଯ୍ୟ । ଆମେ ସିଧା ମନ୍ଦିରକୁ ଗଲୁ । ଚାରୋଟି ସ୍ତମ୍ଭ ଉପରେ ସ୍ଫଟିକର ଏକ ଛୋଟ ମଣ୍ଡପ । ତାରି ଉପରେ ତ୍ରିଲୋକ-ଗୁରୁ ମହାଦେବଙ୍କୁ ଚତୁର୍ମୁଖି ଲିଙ୍ଗ । ମୁକ୍ତା-ଧବଳ ପ୍ରସ୍ତରରେ ତାହା ନିର୍ମିତ ହୋଇଥିଲା । ନିପୁଣିକା ଭକ୍ତି-ଗଦ୍‍ଗଦ ହୋଇ ସେହି ଦିବ୍ୟମୂର୍ତ୍ତିର ଚରଣତଳେ ତତ୍କାଳ ଉଦ୍ଧୃତ ଏକାଦଶ ଆର୍ଦ୍ର ପଦ୍ମ ଚଢ଼ାଇ ପ୍ରଣିପାତ କଲା । ମନେ ହେଲା ମଦନ-ବିରହ-ବିଧୂର ରତି ଦେବୀହିଁ ଯେପରିହିଁ ତ୍ରିନୟନଙ୍କର କୋପ ଶାନ୍ତ କରିବାପାଇଁ ପ୍ରଣତ ହେଉଛନ୍ତି । କୃତଜ୍ଞତାର ଜ୍ୟୋତି ନିର୍ଗତ ହେଉଥିଲା ନିପୁଣିକାର ଅଙ୍ଗରୁ । ମହାଦେବଙ୍କ ଉପରେ ଚଢ଼ାଯାଇଥିବା ଜଳବିନ୍ଦୁ-ସ୍ରାବୀ କମଳ ଗୁଡ଼ିକ ଦେଖି ମୋର ମନ ବିଗଳିତ ହୋଇଗଲା । ଊର୍ଦ୍ଧ୍ଵବିପାଟିତ ଚନ୍ଦଦଳ ପରି, ତାଣ୍ଡବ-ବହାରୀ ମତ୍ତ ଧୂର୍ଜ୍ଜଟିଙ୍କର ବିକଟ ଅଟ୍ଟହାସ୍ୟର ଛୋଟ ଅବୟବପରି, ତାଣ୍ଡବ-ବିଧସ୍ତ ବାସୁକି ନାଗର ଫଣାପରି, ପାଞ୍ଚଜନ୍ୟ ଶଙ୍ଖର ସହୋଦରପରି, କ୍ଷୀରୋଦ ସାଗରର ହୃଦୟପରି ଓ ଐରାବତ-ସମର୍ପିତ ମୁକ୍ତାମୟ ମୁକୁଟପରି ତାହା ମହାଦେବଙ୍କ ମୂର୍ତ୍ତିର ଶୋଭା ବୃଦ୍ଧି କରୁଥିଲେ । ତାଙ୍କ ଆଗରେ ଜାନୁପାତପୂର୍ବକ ମୁଣ୍ଡ ନୋଇଁ ନିପୁଣିକା ସ୍ଵର୍ମନ୍ଦାକିନୀ ଧାରାପରି ମନରେ ଶତ ଶତ ପବିତ୍ର ଉର୍ମି ସଂଚାଳିତ କରୁଥିଲା । ମହାଦେବଙ୍କୁ ପ୍ରଣାମ କଲାବେଳେ ମୋ ମନ ପବିତ୍ରତାର ମୂର୍ତ୍ତି, ଭକ୍ତିର ସ୍ରୋତସ୍ଵିନୀ, ଶ୍ରଦ୍ଧାର ନିର୍ଝରିଣୀ, ଅନୁରାଗର ଖଣି, ସେବାର ସେହି ଉତ୍ସ-ଧାରାକୁ ନୀରବରେ ପ୍ରଣାମ ନକରି ରହିପାରିଲା ନାହିଁ । ପ୍ରଦକ୍ଷିଣ କଲା–ପରେ ବହିର୍ଦ୍ଵାରରେ ପୁଣି ଥରେ ନିପୁଣିକା ଥକିତଭଳି, ସ୍ତବ୍‍ଧଭଳି, ଭୁଲିଲା ଭଳି ଅଟକିଗଲା । ତାର କଣ୍ଠରୁଦ୍ଧ ଥିଲା, ଆଖି ବାଷ୍ପପ୍ଲୁତ ହୋଇଥିଲା ଓ ମୁଖ-ମଣ୍ଡଳ ରୋମାଞ୍ଚିତ ହୋଇଥିଲା । ଅନେକ ସମୟପର୍ଯ୍ୟନ୍ତ ସେ ଚତୁର୍ମୁଖୀ ଶିବ-ମୂର୍ତ୍ତିଙ୍କୁ କୃତଜ୍ଞ ନେତ୍ରରେ ଅନାଇ ରହିଲା । ପୁଣି ଧୀରେ ଧୀରେ ମୋ ପାଖକୁ ଆସିଲା । ମୁଁ ମଧ୍ୟ ମୋର ଅନ୍ତିମ ପ୍ରଣାମ ନିବେଦନ କଲି ଓ ହ୍ରଦ-ତଟଆଡ଼କୁ ଅଗ୍ରସର ହେଲି । ସିଦ୍ଧାୟତନର ଅଦୁରରେ ଏକ ବିଶାଳ ବକୂଳ ବୃକ୍ଷ । ଆମେ ଦୁହେଁ କିଛି ସମୟ ସେଠାରେ ବସିଲୁ-

 

ଅନେକ ସମୟ ମୌନ ରହିଲାପରେ ନିପୁଣିକାହିଁ ନୀରବତା ଭାଙ୍ଗିଲା । କହିଲା–“ଆର୍ଯ୍ୟ, ଆଜି ମୋର ଜନ୍ମ–ଜନ୍ମାନ୍ତର କୃତାର୍ଥ ବୋଲି ମନେ ହେଉଛି । ଆଜି ମନେ ହେଉଛି, ମୋର ହୃଦୟ ଜ୍ଵାଳା ଶାନ୍ତ ହୋଇଛି । ତୁମେ ବାରମ୍ବାର କହିଛି ମୋର ଜନ୍ମ ନିରର୍ଥକ ନୁହେଁ । ଆଜି ସେ କଥା ଯେତେ ସ୍ପଷ୍ଟ ବୁଝୁଛି, ଏଥିପୂର୍ବରୁ ତା ବୁଝି ନଥିଲି । ଆର୍ଯ୍ୟ, ଏହି ସେ ଦୂରର କମଳନୀ-ପତ୍ରରେ ଶୋଇଥିବା ନିଶ୍ଚଳ-ନିସ୍ପନ୍ଦ ବଳାକାକୁ ଦେଖୁଛ ତ ? ମନେ ହେଉଛି ସତେ ଯେପରି ମରକତ ପାତ୍ରରେ ରଖା–ହୋଇଥିବା ଶଙ୍ଖ-ଶୁକ୍ତି । ମୋ ମନ ଆଜି ସେହିଭଳି ନିଶ୍ଚଳ ହୋଇ ଯାଇଛି । ସେହିଭଳି ନିର୍ମଳ ନିର୍ବିକାର ହୋଇଛି ।” ମୁଁ ପ୍ରସନ୍ନ ହୋଇ କହିଲି–“ବହୁତ ପ୍ରୀତ ହେଉଛି ନିଉନିୟା, ତୁ ଶାନ୍ତି ପାଇଛୁ ଶୁଣି ଆଶ୍ଵସ୍ତ ହେଲି ।” କ୍ଷଣକମଧ୍ୟରେ ତାର ଆଖିରେ ଲୀଳାର ରେଖା ଚମକି ଗଲା । କହିଲା, ‘‘ତୁମେ ଅପ୍ରସନ୍ନ ହେବା ଉଚିତ ଥିଲା ଭଟ୍ଟ । ଏତକ ଶୁଣି ତୁମେ ଯଦି ଉଦାସ ହୋଇଥାନ୍ତ, ତା’ହେଲେ ମୋ ଚିତ୍ତ ଆହୁରି ବିଗତ–କଳ୍ମଷ ହୋଇଯାଇଥାନ୍ତା ।” ନିପୁଣିକାର ଲୀଳାବତୀ ରୂପ କ୍ଷଣକମଧ୍ୟରେ ପୂରିଆସିଲା ତାର ଅନୁପମ ଆଖି ସ୍ମିତଧାରାରେ ସ୍ନାନ କରିବାକୁ ଲାଗିଲା । ମୁଁ ତାର କଥାର ରହସ୍ୟ ବୁଝିପାରି କହିଲି–“ମୋର ଦୀର୍ଘକାଳର ଉଦାସୀନତା କଣ ତୋର ବିକାରକୁ ନମ୍ର କରିପାରିଛି ନିଉନିୟା ? ପୁଣି ଆଜିର ଉଦାସୀନତାରେ କଣ ହୋଇଥାନ୍ତା ?” ନିପୁଣିକାର ପାଣ୍ଡୁର କପୋଳ ଅନୁରାଗର ଲାଳିମାରେ ଦୀପ୍ତ ହୋଇଉଠିଲା । ତାର ଆଖିରେ ପ୍ରେମ–ବିକାର ତରଙ୍ଗିତ ହେଲା ଓ ଲଲାଟ–ପଟ୍ଟ ସାତ୍ତ୍ୱିକ ଭାବରେ ଘର୍ମ୍ମାକ୍ତ ହୋଇଗଲା । ମୁହୂର୍ତ୍ତକପାଇଁ ମୋତେ ଅନାଇ ସେ ଆଖି ନୁଆଇଁ ଦେଲା । କିଛି ସମୟପରେ ଗଦ୍‍ଗଦ୍ କଣ୍ଠରେ କହିଲା, ‘‘ହଁ ଆର୍ଯ୍ୟ, ତୁମର ଉଦାସୀନତା ମୋ ପକ୍ଷରେ ବଡ଼ ନିଧି ହୋଇପାରିଛି-। ତୁମକୁ ଉଦାସ ଦେଖିଲେ ମନେ ହୁଏ ଯେପରି ମୋର ଜନ୍ମ ସାର୍ଥକ ହୋଇଛି । ତୁମେ ଏ ଗନ୍ଧହୀନ ପୁଷ୍ପକୁ ଚରଣପର୍ଯ୍ୟନ୍ତ ଆସିବାର ଅଯୋଗ୍ୟ ମନେ କରିନାହିଁ । ସେଦିନ ରାତିରେ ତୁମର ହସ ମୋର ହୃଦୟ ବିଦୀର୍ଣ୍ଣ କରିଥିଲା; କିନ୍ତୁ ତା ମୋର ଭୁଲ । ତୁମେ ନାଟକ–ମଣ୍ଡଳୀ ଭାଙ୍ଗିଦେଇ ମୋର ବିକାରକୁ ସତ୍ୟରେ ପରିଣତ କରିଦେଲ । ହାୟ, କେଡ଼େ ଦୁର୍ଲଭ ବସ୍ତୁର ଲୋଭ କରିଥିଲି ମୁଁ । ମୁଁ ତାର ଅଯୋଗ୍ୟା ଥିଲି । ଛଅ ବର୍ଷର ପ୍ରାୟଶ୍ଚିତ୍ତରେ ନିଜର ମୋହ କାଟିପାରିଛି ମୁଁ । ପୁରସ୍କାରରୂପ ଭଗବାନ ପୁଣି ମୋତେ ତୁମର ଆଶ୍ରୟ ଦେଇଛନ୍ତି । କିନ୍ତୁ ଯେଉଁ ବିକାର ସତ୍ୟ, ତା କୁଆଡ଼େ ଯାଇପାରେ ? ତୁମେ ସେଦିନ ଅଭିଯୋଗ-ସ୍ଵରରେ କହିଥିଲ ଆର୍ଯ୍ୟ, ବେଙ୍କଟେଶପାଦଙ୍କଠାରୁ ଦୀକ୍ଷା ନେବାପରେ ମୁଁ ତୁମକୁ କାହିଁକି କହି ନଥିଲି ? ସେ ଦୀକ୍ଷା ଅସତ୍ୟ ଥିଲା ଆର୍ଯ୍ୟ ! ଯେଉଁଦିନ ତୁମକୁ ଦେଖିଲି ସେଦିନ ମୁଁ ସେ ଦୀକ୍ଷାକୁ ମନରୁ ଭୁଲିଗଲି । ବିକାରକୁ ନାରାୟଣଙ୍କୁ ଅର୍ପଣ କରିବା ସାଧନାରେ ମୁଁ ଅସଫଳ ହୋଇଛି । ସୁଚରିତା ସଫଳ ହୋଇଛି; ସେ ଧନ୍ୟ ! କିନ୍ତୁ ତୁମକୁ ପାଇ ମୁଁ ନିଜର ବିକାରକୁହିଁ ସିଦ୍ଧି–ସୋପାନ ବୋଲି ମାନି ନେଇଛି । ଗୋଟିଏ କଥା ପଚାରିବାର ଲୋଭ ହେଉଛି, ଭଟ୍ଟ ! ନିପୁଣିକାର ଆଖିରେ ଏକ ସାଥିରେ ଉଦୟ ହୋଇଆସିଲା ଲଜ୍ଜା ଓ ଆଗ୍ରହ । ମୁଁ ସ୍ନେହଭରା କଣ୍ଠରେ କହିଲି–“କଣ ଜାଣିବାକୁ ଚାହୁଁଛୁ ନିଉନିୟା ?” ତାର ଆଖି ନଇଁଗଲା, ପାତଳ ଅଙ୍ଗୁଳି ତାର ଏକ ଦୂର୍ବାଦଳକୁ ଦଳିବାରେ ଲାଗିଗଲା-। ଅକାରଣ ଅଞ୍ଚଳ ସୀମନ୍ତ ଉପରକୁ ଟାଣିନେଇ ଗଦ୍‍ଗଦ୍‍ ସ୍ଵରରେ କହିଲା–“ତୁମର ଉଦାସୀନତାର କିଛି ଶ୍ରେୟ କଣ ଏ ଅଭାଗିନୀର ପ୍ରାପ୍ୟ ଥିଲା ଭଟ୍ଟ ?” ମୁଁ ସ୍ନେହରେ ଉତ୍ତର ଦେଲି, “ନିଶ୍ଚୟ ଥିଲା ନିଉନିୟା ! ମୁଁ କଣ ସତରେ ଜଡ ପାଷାଣ–ପିଣ୍ଡ ! "ରାଗଦୀପ୍ତ ହୋଇଗଲା ନିପୁଣିକାର ମୁଖ–ମଣ୍ଡଳ । ତାର ସ୍ଵର–ଜଡ଼ିମା କମିଗଲା । ସଜଳ ନୟନରେ ମୋତେ ଅନାଇ କହିଲା–“କୃତାର୍ଥ ହେଉଛି ଆର୍ଯ୍ୟ, ମୋର ବନ୍ଧ୍ୟ ଜୀବନର ଏହାହିଁ ହେଉଛି ସାର୍ଥକତା । ବେଶିପାଇଁ ମୋର ଲୋଭ ନାହିଁ, ଯୋଗ୍ୟତା ବି ନାହିଁ । ମୁଁ ବଡ଼ ପାପିନୀ ଆର୍ଯ୍ୟ, ଅପରର ସୁଖରେ ମୋର କାହିଁକି ଈର୍ଷ୍ୟା ହୁଏ ? ସେବା-ଧର୍ମରେ ଅସଫଳ ତ ହୋଇଛି, ସଖି-ଧର୍ମରେ ମଧ୍ୟ ଅସଫଳ ହୋଇଛି । ହାୟ, ତୁମେ ଯଦି ମୋର ପାପ-ଜ୍ଵାଳା ଦେଖିପାରନ୍ତ ? ସୌରଭେଶ୍ଵରଙ୍କ ଦର୍ଶନରେ ଯଦି ଏ ପାପ-ଜ୍ଵାଳା ଶାନ୍ତ ହୋଇଯାଏ, ତା’ହେଲେ ଜୀବନ ମୋର ଯଥାର୍ଥ ହୋଇଯିବ । କିନ୍ତୁ ତୁମେ ମୋତେ କ୍ଷମା କରିବ ଆର୍ଯ୍ୟ ! ଆଜି ମୋ ମନ ହାଲୁକା ଲାଗୁଛି ।”

 

ନିପୁଣିକା ଏପରି କଣ କହୁଅଛି !

 

ଦିନ ପ୍ରହରେ ଥାଏ, ଆମେ ସେଠାରୁ ବିଦାୟ ନେଲୁ ଓ ଭଗବାନ୍ ମରୀଚିମାଳୀ ଯେତେବେଳେ ନିଜର ରକ୍ତ-କିରଣକୁ ଗୁଚ୍ଛେଇ ନେବାରେ କୃତକାର୍ଯ୍ୟ ହେଲେ, ସେତେବେଳକୁ ଆମେ ଆସି ଭଦ୍ରେଶ୍ଵର ଦୁର୍ଗରେ ପହଞ୍ଚିଗଲୁ । ଭଟ୍ଟିଣୀ ବ୍ୟାକୁଳଭାବରେ ଆମର ପତୀକ୍ଷା କରୁଥିଲେ । ବଡ଼ ସ୍ନେହରେ ସେ ଆମକୁ ସ୍ଵାଗତ କଲେ । କିଛି ସମୟ ବିଶ୍ରାମପରେ ଭଟ୍ଟିଣୀ ମୋତେ ଡାକି ଖଣ୍ଡେ ପତ୍ରେ ଦେଲେ । କୁମାର କୃଷ୍ଣବର୍ଦ୍ଧନଙ୍କର ପତ୍ର । ବଡ଼ ସଂକ୍ଷେପରେ ସେ ନିଜର ଭଉଣୀ କୁମାର ଚନ୍ଦ୍ରଦୀଧିତିଙ୍କୁ ସ୍ନେହ ସମ୍ଭାଷଣ ଜଣାଇଥିଲେ । ସେଥିରେ ମହାରାଜାଧିରାଜଙ୍କର ସନ୍ଦେଶ ମଧ୍ୟ ଥିଲା । ମହାରଜାଧିରାଜ ଜଣାଇଥିଲେ ଯେ ସେ ତାଙ୍କର ଅପରିଚିତା ଭଗିନୀକୁ ସ୍ଵାଗତ କରି ଧନ୍ୟ ହେବେ । ଯେଉଁ ସର୍ତ୍ତରେ ଭଟ୍ଟିଣୀ ଆସିବାକୁ ଚାହାନ୍ତି, ସେହି ସର୍ତ୍ତରେ ତାଙ୍କୁ ନେବାକୁ ସେ ମୋତେ ଲେଖିଥିଲେ । ମୁଁ ପଢ଼ି ଆଶ୍ଚର୍ଯ୍ୟ ହେଲି ଯେ କୁମାର ଆଭୀର–ରାଜଙ୍କୁ ମଧ୍ୟ ସବୁମନ୍ତେ ପ୍ରସନ୍ନ କରି ଅନୁକୂଳ କରାଇବାପାଇଁ ଆଦେଶ ଦେଇଥିଲେ । ଆହୁରି ଲେଖିଥିଲେ ଯେ ଗିରି–ସଂକଟ ସେପଟେ ଯେଉଁ ମ୍ଳେଚ୍ଛବାହିନୀ ଏକତ୍ରିତ ହୋଇଛି, ବର୍ଷାକାଳପରେହିଁ ତାହା ପଙ୍ଗପାଳପରି ଓହ୍ଲାଇବାକୁ ଆରମ୍ଭ କରିବ । କେବଳ ଆଭୀର-ସେନାହିଁ ତାର ଗତିରୋଧ କରିପାରେ । ନିଜର ସ୍ନେହର ଭଉଣୀ କୁମାରୀ ଚନ୍ଦଦୀଧିତିଙ୍କୁ ସେ ଅନୁରୋଧ କରିଥିଲେ ଯେ ସେ ଆଭୀରରାଜଙ୍କୁ ନିଜର ସେନାକୁ ଏହି ପବିତ୍ର କାର୍ଯ୍ୟରେ ନିୟୋଗ କରିବାପାଇଁ କହନ୍ତୁ । ଆଭୀରରାଜ ସାମନ୍ତ ହେବାକୁ ଯଦି ରାଜି ନ ହୁଅନ୍ତି, ତାହାହେଲେ ତାଙ୍କୁ ମିତ୍ର ରାଜାରୂପେ ଆମନ୍ତ୍ରଣ ଦିଆଯିବ ବୋଲି ମୋତେ ଲେଖିଥିଲେ । ମୋର ବଡ଼ ଭାଇ ଉଡ଼ୂପତି ଭଟ୍ଟଙ୍କୁ ଯେପରି ନିଶ୍ଚୟ ସାଥିରେ ନିଏ, ସେଥିପାଇଁ ବିଶେଷ ଅନୁରୋଧ କରିଥିଲେ । କୁମାରୀଙ୍କର ସମ୍ବାଦ ଦେବପୂତ୍ରଙ୍କ ପାଖରେ ପହଞ୍ଚାଇ ଦିଆଯାଇଥିବାର ଉଲ୍ଲେଖ କରାଯାଇଥିଲା । ସ୍ଵୟଂ ଆଚାର୍ଯ୍ୟ ଭର୍ବୁପାଦହିଁ କୁମାରୀକୁ ଦେଖିବାପାଇଁ, ଦୁଇ ଚାରି ଦିନ ପରେ ଉପସ୍ଥିତ ହୋଇପାରନ୍ତି, ତେଣୁ ଭଦ୍ରେଶ୍ଵରରୁ ପ୍ରସ୍ଥାନ କରିବାରେ ଯେପରି ବିଳମ୍ବ ନହୁଏ । ଶେଷରେ ସେ ନିଜର ଭଉଣୀ କୁମାରୀ ଚନ୍ଦ୍ରଦୀଧିତିଙ୍କର ସ୍ନେହ ପାଇବାର ତୀବ୍ର ଲାଳସା ବ୍ୟକ୍ତ କରିଥିଲେ । ସାରା ପତ୍ର ଥିଲା କୂଟନୀତିର ବିଚିତ୍ର ଜାଲ । କାହାକୁ ଛଡ଼ାଯାଇ ନଥିଲା, ପ୍ରତ୍ୟେକଙ୍କୁ ଫାଶରେ ଆଣିବାର ପ୍ରଯତ୍ନ ହୋଇଥିଲା । ଲେଖିବା ଲୋକର ସହୃଦୟତା ଓ ଉଦାରାଶୟତା ପ୍ରତ୍ୟେକ ଶବ୍ଦରେ ପ୍ରକଟିତ ହେଉଥିଲା । ପତ୍ରଟି ପଢ଼ି ମୁଁ କିଛି ଚିନ୍ତାରେ ପଡ଼ିଲି । ପୁଣି କୌଣସି ଜାଲରେ ନ ପଶେ ଯେପରି ! ଏଥର ମୁଁ ଟିକିଏ ସାବଧାନ ହେଲି ।

 

ଭଟ୍ଟିଣୀ କିଛି ସମୟ ପ୍ରତୀକ୍ଷା କଲାପରେ କହିଲେ–“କଣ ଭାବୁଛ ଭଟ୍ଟ ?” ମୁଁ କହିଲି–“ଦେବୀ, ଭଟ୍ଟିଣୀ, ଆପଣଙ୍କର ଆଦେଶହିଁ ହେଉଛି ମୋର କର୍ତ୍ତବ୍ୟ । ମୁଁ କେବଳ ଏତିକି ଭାବୁଛି, ପୁଣି ଯେପରି କୌଣସି ଜାଲରେ ପଡ଼ି ନଯାଉ ।” ନିପୁଣିକା ମୋତେ ତିରସ୍କାର କଲା ଭଳି କହିଲା, ‘‘କି ଜାଲ ଭଟ୍ଟ, ସ୍ପଷ୍ଟ କଥାକୁ ତୁମେ ଅସ୍ପଷ୍ଟ କରିଦେଉଛ । ଆଭୀରରାଜଙ୍କର ସେନା ସହିତ ଭଟ୍ଟିଣୀ ସ୍ଵତନ୍ତ୍ର ରାଜ୍ୟର ରାଣୀ ଭାବରେ ଯିବେ । ମହାରାଜାଧିରାଜଙ୍କର ଆବଶ୍ୟକ ହେଲେ ଶହେ ଥର ସେ ଉଟ୍ଟିଣୀଙ୍କ ଦର୍ଶନପାଇଁ ଆସିବେ । ଭଟ୍ଟିଣୀଙ୍କର ମର୍ଯ୍ୟାଦା ବିରୁଦ୍ଧରେ ସାମାନ୍ୟ ପତ୍ର ହଲିଲେ ରକ୍ତର ନଦୀ ବହିଯିବା । ଆଉ କେହି ନମରିବେ ତ ତୁମେ ଓ ମୁଁ ଏକାର୍ଯ୍ୟରେ ବଳି ହୋଇଯିବୁ । ଏଥିରେ ଭୟ କେଉଁଠି ? ମୁଁ ଭଟ୍ଟିଣୀଙ୍କର ମର୍ଯ୍ୟାଦାର କଷଟିପଥର ହେବି । ପ୍ରାଣ ଦେବାପାଇଁ କାହିଁକି ଦ୍ଵିଧା କରୁଛ ?” ମୁଁ ସରଳଭାବରେ କହିଲି–“ଯେତେବେଳେ ମରିବା ଆବଶ୍ୟକ ହୋଇଉଠିବ ସେତେବେଳେ ବାଣ ଭଟ୍ଟ ଅବଶ୍ୟ ମରିବ । କିନ୍ତୁ ତା ପୂର୍ବରୁ କାହିଁକି ମରିବ ସେ ?” ଭଟ୍ଟିଣୀ ସତେ ଯେପରି ଏସବୁ କିଛି ଶୁଣି ନଥିଲେ । କହିଲେ–“ଯଦି ସ୍ଥାଣ୍ୱୀଶ୍ଵର ଯିବାର କଥା, ତା’ହେଲେ ଚାଲ । ବିଳମ୍ବ କରିବା କଣ ଦରକାର ? ଆଚାର୍ଯ୍ୟ ଭର୍ବୁପାଦ ଯଦି ସେଠାକୁ ଆସିଯାଇଥିବେ ତା’ ହେଲେ ସେ ନିଶ୍ଚୟ ଏଠାକୁ ଆସିବାକୁ ଚେଷ୍ଟା କରିବେ । ସେ ଅଶୀତିପର ବୃଦ୍ଧ; ତାଙ୍କୁ ବଡ଼ କଷ୍ଟ ହେବ । ଆଭୀରରାଜଙ୍କର ଏକସହସ୍ର ସେବକ ବର୍ତ୍ତମାନ ବିଦ୍ୟମାନ ଅଛନ୍ତି । କୁମାର ମୋ ଭାଇ ! ତାଙ୍କର ସ୍ନେହ ହେଉଛି ମୋର ଅମୂଲ୍ୟ ନିଧି । କିନ୍ତୁ ତାଙ୍କର ରାଜକୀୟ ଆଦେଶ ମୋ ପକ୍ଷରେ ମାନ୍ୟ ନୁହେଁ । ମୁଁ ଆଭୀରରାଜଙ୍କୁ କିଛି କହିବାକୁ ପ୍ରସ୍ତୁତ ନୁହେଁ । ସେ ମୋପ୍ରତି ଯେଉଁ କୃପା କରିଛନ୍ତି, ତା କେବଳ ସେହି କରିପାରନ୍ତି । ସେ ସ୍ଵୟଂ ନିଜର କର୍ତ୍ତବ୍ୟ ନିର୍ଣ୍ଣୟ କରିବେ ।” ଭଟ୍ଟିଣୀଙ୍କର ଏଭଳି ଦ୍ଵିଧାହୀନ, ସଙ୍କୋଚହୀନ ସ୍ପଷ୍ଟ ଆଦେଶରେ ମୋ ଦେହରେ ଜୀବନ ଆସିଲା । ଏତେ ସ୍ପଷ୍ଟ ଆଦେଶ ଏଭଳି ଅସ୍ଖଳିତ ଭାଷାରେ ଭଟ୍ଟିଣୀ ପୂର୍ବରୁ କେବେ ଦେଇ ନ ଥିଲେ । ନିଶ୍ଚୟ ସେ ନିଜର କର୍ତ୍ତବ୍ୟ ନିର୍ଣ୍ଣୟ କରି ସାରିଛନ୍ତି । କିନ୍ତୁ ସେ କର୍ତ୍ତବ୍ୟର ଉତ୍ସ କଣ ? ମୋତେ ଦ୍ଵିଧା ଓ ସନ୍ତାପରୁ ରକ୍ଷା କରିବାପାଇଁ ସେ ଏ ନିର୍ଣ୍ଣୟ କରିଛନ୍ତି ନା ତାଙ୍କର ଦୁଃଖଦଗ୍‍ଧ ହୃଦୟରେ ପିତୃଦର୍ଶନର ଉତ୍କଣ୍ଠା ପ୍ରବଳ ହୋଇ ଉଠିଛି ? ଆଜିପର୍ଯ୍ୟନ୍ତ ଭଟ୍ଟିଣୀଙ୍କର ‘‘ଆଦେଶ”ରେ ଏକପ୍ରକାର ଦୀନତାର ଭାବ ରହୁଥିଲା । ଏଥର ତାହା ପ୍ରଭୁତା, ମର୍ଯ୍ୟାଦା–ଜ୍ଞାନ ଓ ନିଶ୍ଚୟର ଭାବନାରେ ପୂର୍ଣ୍ଣ ହୋଇଗଲା । କେଡ଼େ ଗମ୍ଭୀର ସେହି କୁସୁମ–କୋମଳ ହୃଦୟ ! ହେ ମହାକବି ! ତୁମେ କେଉଁଠି ? ତୁମେ ନିଜର କଳ୍ପନାର ନେତ୍ରରେ ତପୋନିରତା ପାର୍ବତୀଙ୍କର ଯେଉଁ ଶୁଭ୍ର ବେଶ ଦେଖିଥିଲ, ତାର ପ୍ରତ୍ୟକ୍ଷ ବିଗ୍ରହ ଆଜି ଧରିତ୍ରୀ ଉପରେ ବିରାଜମାନ । ସୁକୁମାରତା ଓ ଗାମ୍ଭୀର୍ଯ୍ୟର ଏଭଳି ମଣିକାଞ୍ଚନ ଯୋଗ କେଉଁଠି ମିଳିବ ? ଆଜି ନାରାୟଣଙ୍କର କଲ୍ୟାଣ–ଭାବନା, ମହାଦେବଙ୍କର ତପୋନିଷ୍ଠା, ଦେବରାଜଙ୍କର ଈଶ୍ଵରତା, ସୁରଗୁରୁଙ୍କର ନିର୍ମଳ ମନୀଷା, ମଦନ ଦେବତାଙ୍କର ଜୟ–ଲାଳସା, ପାର୍ବତୀଙ୍କର ଦୃଢ଼ତା ଓ ସରସ୍ଵତୀଙ୍କର ସଂପୂର୍ଣ୍ଣ ଶୁଚିତା ରୂପ ପରିଗ୍ରହ କରିଛି । ଭଟ୍ଟିଣୀ ଆଜି ଆର୍ଯ୍ୟାବର୍ତ୍ତକୁ ତ୍ରାଣ କରିବାର ସଂକଳ୍ପ କରିସାରିଛନ୍ତି । ଲକ୍ଷ ଲକ୍ଷ ନିରୀହ ପ୍ରାଣୀଙ୍କର ମମତା ତାଙ୍କର ନବନୀତ–କୋମଳ ହୃଦୟକୁ ନିଶ୍ଚୟ ଦ୍ରାବିତ କରିଛି । ଉପରୁ ଟିକିଏ ବି ଧୂଆଁର ଚିହ୍ନ ନାହିଁ; କିନ୍ତୁ ସେହି ଅତଳ ଗମ୍ଭୀର ହୃଦୟରେ ନିଶ୍ଚୟ ହାହାକାରର ଜ୍ଵାଳା ଧୂ-ଧୂ କରୁଛି । ସ୍ଥାଣ୍ୱୀଶ୍ଵର ଯିବାକୁ ଭଟ୍ଟିଣୀ ପ୍ରସ୍ତୁତ ! ସ୍ଥାଣ୍ୱୀଶ୍ୱର ! ସେହି ଭଣ୍ଡ ରାଜକୁଳ ଯେଉଁଠି ଭଟ୍ଟିଣୀଭଳି ଶତ ଶତ ଲଳନାଙ୍କୁ ମନୁଷ୍ୟର ପଶୁତା ନିକଟରେ ଭେଟି ଦିଆଯାଇଛି । ଭଟ୍ଟିଣୀ ପୁଣି ସେଠିକି ଯାଉଛନ୍ତି ! ତାଙ୍କର ପ୍ରତି ଲୋମକୂପରୁ କଣ ସେହି ଲମ୍ପଟ ରାଜକୁଳକୁ ଭସ୍ମ କରିଦେବାର ଜ୍ଵାଳା ବାହାରୁନାହିଁ ? ସେ ଜ୍ଵାଳାର ଅସ୍ତିତ୍ଵ କେଉଁଠି ରହିଛି ନିଶ୍ଚୟ । ଭଟ୍ଟିଣୀ ବଡ଼ ଗମ୍ଭୀର ହୋଇଥିଲେ । ବୋଧହୁଏ ମୋତେ ଅଧିକ ପରିତାପରେ ପକାଇବାକୁ ଚାହୁଁ ନଥିଲେ । କିନ୍ତୁ ସେ କଣ ଏ ବିଷୟରେ କିଛି ଚିନ୍ତା କରୁନାହାନ୍ତି ? ନିପୁଣିକା ବାରମ୍ବାର ମରିବାପାଇଁ ଯେଉଁ ଇଚ୍ଛା ପ୍ରକାଶ କରୁଛି, ତା କାହିଁକି ? ଏହାହିଁ କଣ ତାର ରହସ୍ୟ ? ବାଣଭଟ୍ଟ ଏ ଛୋଟ–ରାଜକୁଳକୁ କଦାପି କ୍ଷମା କରିପାରିବ ନାହିଁ, କୁଟନୀତିର କୁଟିଳ ଭୁଜଙ୍ଗୀ ମଧ୍ୟ ତାକୁ ନିଜର ସ୍ପଷ୍ଟ କର୍ତ୍ତବ୍ୟରୁ ଟାଳିପାରିବ ନାହିଁ । ମଦମତ୍ତ ଛୋଟ–ରାଜକୁଳ ନିଜ କର୍ମର ପ୍ରତିଫଳ ନିଶ୍ଚୟ ପାଇବ । ସ୍ଥାଣ୍ୱୀଶ୍ଵର–ଯାତ୍ରାର ଏହା ହେବ ଏକ ମଙ୍ଗଳମୟ ପରିଣାମ । କାଲି ନିଶ୍ଚୟ ଭଟ୍ଟିଣୀ ସେଠାକୁ ଯାତ୍ରା କରିବେ ।

 

ବର୍ତ୍ତମାନ ଆଉ କିଛି ଚିନ୍ତା କରିବାର ନାହିଁ । ବର୍ଷାକାଳ ଆସିବା ଉପରେ । ଆକାଶ ମେଘ–ମାଳାରେ, ଧରିତ୍ରୀ ନବୀନ ଜଳଧାରାରେ, ଦିଗ୍‍ବଳୟ ବିଦ୍ୟୁଲ୍ଲତାରେ ଓ ବାୟୁମଣ୍ଡଳ ବାରି–ଶୀକରରେ ଭରି ନଗଲାପର୍ଯ୍ୟନ୍ତ ଯାତ୍ରା ନିରାପଦ । ଶୀଘ୍ର ମାଳତୀ ପୁଷ୍ପିତ ହେବ, କଦମ୍ବ କେଶରିତ ହେବ, କୁମୁଦ ଖେଳିବ, ମୟୂର ନାଚିବ, ମେଘ ଓ ବିଦ୍ୟୁତ୍ ନିଜର ଖେଳ ଆରମ୍ଭ କରିବେ । ସେତେବେଳେ ଭଟ୍ଟିଣୀଙ୍କୁ ଶିବିକା ଓ ଗୋଶକଟରେ ନେବା ଉଚିତ ହେବ ନାହିଁ । ବର୍ତ୍ତମାନ ହେଉଛି ଶୁଭ ଅବସର । ଯିବାର ଆୟୋଜନ ହୋଇଯିବା ଉଚିତ । ନିପୁଣିକାର ସ୍ଵାସ୍ଥ୍ୟପାଇଁ ଆମକୁ ଚାରି ପାଞ୍ଚ ଦିନ ଅଟକିବାକୁ ପଡ଼ିଲା । ନିପୁଣିକା କିୟତ ସୁସ୍ଥ ହେଲାପରେ ଗଙ୍ଗାଦଶହରା ଦିନ ଏକସହସ୍ର ଆଭୀର ମଲ୍ଲ ଦେବପୁତ୍ର-ନନ୍ଦନୀଙ୍କର ଜୟନିନାଦରେ ଧରିତ୍ରୀକୁ କମ୍ପାଇଦେଲେ । ଭଟ୍ଟିଣୀଙ୍କର ଶିବିକାକୁ ଘେରି ଦଶ ମୌଖରି-ବତୀଙ୍କର କରାଳ ତରବାରି ଚମକି ଉଠିଲା । ନିପୁଣିକାପାଇଁ ପୃଥକ ଶିବିକା ସଜାଗଲା । ଦେବପୁତ୍ର-ନନ୍ଦିନୀଙ୍କର ଅତି ନିକଟରେ ରହିବାପାଇଁ ବିଗ୍ରହବର୍ମା ଅନୁମତି ପାଇଲେ ! ଭଟ୍ଟିଣୀଙ୍କର ବିଶାଳ ବାହିନୀ ସ୍ଥାଣ୍ୱୀଶ୍ୱର ଉଦ୍ଦେଶ୍ୟରେ ପ୍ରସ୍ଥାନ କଲା ।

Image

 

ଅଷ୍ଟାଦଶ ପରିଚ୍ଛେଦ

 

ସ୍ଥାଣ୍ୱୀଶ୍ୱରର ପ୍ରାୟ ଏକ କ୍ରୋଶ ଦୂରରେ ଭଟ୍ଟିଣୀଙ୍କର ସ୍କନ୍ଧାବାର ସଜ୍ଜିତ ହୋଇଥିଲା । କୁମାର କୃଷ୍ଣବର୍ଦ୍ଧନ ସ୍ଵୟଂ ଉପସ୍ଥିତ ଥିଲେ । ମହାରାଜାଧିରାଜଙ୍କଦ୍ଵାରା ଆୟୋଜିତ ଉତ୍ସବରେ ସମ୍ମିଳିତ ହେବା ପାଇଁ ସେ ବଡ଼ ଆଗ୍ରହରେ ଅନୁରୋଧ କଲେ; କିନ୍ତୁ ଭଟ୍ଟିଣୀ ଦୂଢ଼ ଶାନ୍ତ କଣ୍ଠରେ ତାହା ଅସ୍ଵୀକାର କରିଦେଲେ । କେବଳ ଅନ୍ୟଥା ଶଙ୍କା ଦୂର କରିବା ଉଦ୍ଦେଶ୍ୟରେ ମୋତେ ଉତ୍ସବ ସଭାରେ ଉପସ୍ଥିତ ରହିବାପାଇଁ ଅନୁମତି ଦେଲେ । ପ୍ରସନ୍ନ ଥିଲେ ଭଟ୍ଟିଣୀ । କୁମାରଙ୍କ ସହିତ କଥାବାର୍ତ୍ତା ହେଲାପରେ ତାଙ୍କ ମନ ଅନେକାଂଶରେ ହାଲୁକା ହୋଇଗଲା । ବାଭ୍ରବ୍ୟ କୁଶଳରେ ଅଛନ୍ତି ଓ ମହାରାଣୀ ରାଜ୍ୟଶ୍ରୀଙ୍କ ସେବାରେ ନିଯୁକ୍ତ ହୋଇଛନ୍ତି, ଏ କଥା ଶୁଣି ଭଟ୍ଟିଣୀ ବଡ଼ ପ୍ରସନ୍ନ ହେଲେ । ତାଙ୍କ ମନ ଭିତରୁ ଯେପରି ଏକ ଦୀର୍ଘ ଶଲ୍ୟ ବାହାରିଗଲା । କୁମାର ତାଙ୍କୁ ଆହୁରି କହିଥିଲେ ଯେ ଛୋଟ ମହାରାଜାଙ୍କ ସମ୍ପତ୍ତିକୁ ରାଜକୋଷର ଅନ୍ତର୍ଭୁକ୍ତ କରାଯାଇଛି ଓ ଭଟ୍ଟିଣୀଙ୍କର ଇଚ୍ଛାନୁଯାୟୀ ସେ ଲମ୍ପଟ ସାମନ୍ତ ଅନୁରୂପ ଦଣ୍ଡ ପାଇବ । କୁମାର ଦଗ୍‍ଧ କଣ୍ଠରେ କହିଲେ–“ମହାରାଜାଧିରାଜ ହର୍ଷବର୍ଦ୍ଧନଙ୍କ ଭଗିନୀପ୍ରତି ଅଶିଷ୍ଟ ଆଚରଣର ଉଚିତ ଦଣ୍ଡ ଏ ଦୁର୍ମଦ ସାମନ୍ତକୁ ନିଶ୍ଚୟ ଦିଆଯିବ । କୁମାର ଆସିବାଯୋଗୁଁ କେବଳ ଭଟ୍ଟିଣୀ ନୁହେଁ, ନିପୁଣିକା ମଧ୍ୟ ଆଶସ୍ତ ହେଲା । ସେ ତା ସହିତ ଠିକ୍ ସେଭଳି ବ୍ୟବହାର କଲେ, ଯାହା ଦେବପୁତ୍ର–ନନ୍ଦିନୀଙ୍କ ସଖୀର ଉପଯୁକ୍ତ । ସବୁ ଏକତ୍ର କରି କୁମାର କୃଷ୍ଣ ବିଜୟୀ ହେଲେ । ସଦ୍‍ବ୍ୟବହାର ଓ ମଧୁର ଭାଷଣହିଁ ତାଙ୍କର ଅମୋଘ ଅସ୍ତ୍ର ବୋଲି ସିଦ୍ଧ ହେଲା । କୃତଜ୍ଞତାଦୃଷ୍ଟିରେ ଭଟ୍ଟିଣୀ କୁମାରଙ୍କୁ ଦେଖିଲେ ଓ ମୌନ ରହିଲେ । କୁମାର ବି ପ୍ରଭାବିତ ହେଲେ ତାଙ୍କର ସହଜ ଅନୁଭାବରେ । ଭାଇଭଉଣୀଙ୍କର ମିଳନ ଥିଲା ଅପୂର୍ବ ।

 

ଭଟ୍ଟିଣୀଙ୍କର ମନ ପ୍ରସନ୍ନ ଥିଲା । ତାଙ୍କର ମଧୁର ଛବି ସହଜ ଆନନ୍ଦର ଆଭାରେ ଉତ୍‍ଫୁଲ୍ଲ ମାଳତୀ–ଲତା ପରି ଅଭିରାମ ହୋଇଯାଇଥିଲା । ବାସ୍ତବିକ ମାନସିକ ଆନନ୍ଦ ମଧ୍ୟ କି ଅଦ୍ଭୁତ ରସାୟନ । ଭଟ୍ଟିଣୀଙ୍କର ଶୋଭା ଶତଗୁଣ ବଢ଼ିଯାଇଥିଲା । ଅଧରର ବନ୍ଧୁକ–ବନ୍ଧୁତା ଆହୁରି ଶୋଭିତ ହୋଇଥିଲା, ତରୁଣ କେତେକ ପତ୍ରକୁ ଲଜ୍ଜିତ କରୁଥିବା ଆଖିର ସେହି ସ୍ନିଗ୍ଧ ଶୋଭା ଶତ ଗୁଣ ବଢ଼ିଯାଇଥିଲା, କପୋଳର ମଧୁକ ପୁଷ୍ପର କଳିସମ ମୋହକ କାନ୍ତି ଆହୁରି ମଧୁର ହୋଇଉଠିଥିଲା ଓ ଗ୍ରୀବାର କମ୍ବୁ–ବିଡ଼ମ୍ବନ ଉଲ୍ଲାସ ଆହୁରି ଉତ୍ତରଙ୍ଗ ହୋଇଉଠିଥିଲା । ଆହା, ବାତୁଳ କବି ବ୍ୟର୍ଥରେ କଳ୍ପନାର ଜାଲରେ ପଡ଼ି ବ୍ୟତିବ୍ୟସ୍ତ ହୁଏ । ସେ ରମଣୀୟ ନିଧିର ଅଧି-ଦେବତାକୁ, ସୌନ୍ଦର୍ଯ୍ୟର ମୁଗ୍‍ଧ ନିକେତନକୁ, ଶୋଭାର ଉଦ୍‍ବେଳ ସମୁଦ୍ରକୁ ଦେଖିଛି ବା କେଉଁଠି ? ଭଟ୍ଟିଙ୍କୁ ପ୍ରସନ୍ନ ଦେଖି ମୋର ହୃଦୟ ଉଚ୍ଛ୍ଵସିତ ହୋଇଉଠିଲା । ସେତେବେଳେ ବାହାରେ କେହି ଗୀତ ଗାଉଥିଲା । ଭଟ୍ଟିଣୀ ମୋତେ ଡାକିଲେ ଓ ମନୋହର ସ୍ମିତରେ କହିଲେ–"ଆଜି ବହୁତ ପ୍ରସନ୍ନ ଦେଖାଯାଉଛି ତ ଭଟ୍ଟ !” ପ୍ରସନ୍ନ ତ ଥିଲି । ଶକ୍ତି ଥିଲେ ଭଟ୍ଟିଣୀଙ୍କର ସେ ଶୋଭାର ପ୍ରତିମୂର୍ତ୍ତି ନିଜର ହୃଦୟ ଦେଇ ଗଢ଼ି ଦିଅନ୍ତି । ଅଙ୍ଗୁଳିରେ ସଙ୍କେତ କରି ସେ କହିଲେ–“ବାହାରେ କିଏ ଗୀତ ଗାଉଛି ଦେଖ ତ ।” ମୁଁ ବାହାରକୁ ଗଲି । ଦୁଇଜଣ ଗୌରିକ ବସନଧାରିଣୀ ଭୈରବୀ ମଧୁର ଉଦାତ୍ତ କଣ୍ଠରେ ଗାନ ଗାଉଥିଲେ ଓ ଆଭୀର ସୈନିକ ମନ୍ତ୍ରମୁଗ୍ଧଭଳି ତାହା ଶୁଣୁଥିଲେ । ଗାନ ଥିଲା ଅପଭ୍ରଂଶ ଭାଷାରେ । ଭୈରବୀ ଦୁଇଟି ଗାଉଥିଲେ–

 

“ଅମୃତର ପୁତ୍ର, ନଗାଧୀରାଜ ହିମାଳୟର ଶୀତଳ ଛାତିରେ ଆଜି କମ୍ପନ ଦେଖାଦେଇଛି । କିଏ ଜାଣେ, ପାର୍ବତୀ–ଗୁରୁଙ୍କ ହୃଦୟରେ ଆଜି ଏତେ ବ୍ୟାକୁଳତା କାହିଁକି ? ହେ ଯୁବଗଣ, ପ୍ରତ୍ୟନ୍ତ–ଦସ୍ୟୁ ଆସୁଛି ।

 

ସମୁଦ୍ରଗୁପ୍ତଙ୍କ ପ୍ରତାପ, ଚନ୍ଦ୍ରଗୁପ୍ତଙ୍କ ରଣ-ହୁଂକାର, ମୌଖରିଙ୍କର ଦୁର୍ଦ୍ଦାନ୍ତ ବାହିନୀ କଣ କରିଛି ? ମ୍ଳେଚ୍ଛ ଏପର୍ଯ୍ୟନ୍ତ ଜୀବିତ । ଅମୃତର ପୁତ୍ର, ପ୍ରତ୍ୟନ୍ତ–ଦସ୍ୟୁ ଆସୁଛି ।

 

ଆର୍ଯ୍ୟାବର୍ତ୍ତର ତରୁଣ, ବଞ୍ଚିବାକୁ ଶିଖ, ମରିବାକୁ ଶିଖ, ଇତିହାସର ଶିକ୍ଷା ଶିଖ । ବିନାଶର ଦ୍ଵାରରେ ଠିଆହୋଇଛି ଆର୍ଯ୍ୟାବର୍ତ୍ତ । ହେ ଯୁବକଗଣ, ପ୍ରତ୍ୟନ୍ତ-ଦସ୍ୟୁ ଆସୁଛି ।

 

“ରାଜାମାନଙ୍କ ଉପରେ ଭରସା କରିବା ପ୍ରମାଦ, ରାଜପୁତ୍ରଙ୍କ ସେନାର ମୁହଁ ଦେଖିବା ଭୀରୁତା । କୌଣସି ଗୋଟିଏ ଜାତି ଉପରେ ଆତ୍ମରକ୍ଷାର ଭାର ଛାଡ଼ିଦେବା ମୁର୍ଖତା । ହେ ଯୁବଗଣ, ପ୍ରତ୍ୟନ୍ତ–ଦସ୍ୟୁ ଆସୁଛି !

 

ସମସ୍ତ ଆର୍ଯ୍ୟାବର୍ତ୍ତ ହେଉଛି ଏକ, ଏକ ସମାଜ, ଏକ ପ୍ରାଣ, ଏକ ଧର୍ମ । ଦେଶରକ୍ଷା ସମସ୍ତଙ୍କର ସମାନ ଧର୍ମ । ହେ ଯୁବକଗଣ, ପ୍ରତ୍ୟନ୍ତ–ଦସ୍ୟୁ ଆସୁଛି ।

 

ସାମାନ୍ୟ ଶୋକର ଆଘାତରେ ଝାଉଁଳି ପଡ଼ିଥିବା ଦେବପୁତ୍ରଙ୍କ ଆଶା ତ୍ୟାଗ କର । ଯେଉଁ ଆଧାର ଉପରେ ଠିଆହେବାକୁ ଯାଉଛ, ତା ଦୁର୍ବଳ । ସାବଧାନ ହୁଅ ଯୁବକଗଣ, ପ୍ରତ୍ୟନ୍ତ-ଦସ୍ୟୁ ଆସୁଛି ।

 

ଅମୃତର ପୁତ୍ର, ଏ ରାଜାଙ୍କ ମଧ୍ୟରେ ଲମ୍ପଟତା ବଢ଼ିଯାଇଛି । ଏମାନଙ୍କର ଅନ୍ତଃପୁର ନିର୍ଯ୍ୟାତିତ ବଧୂମାନଙ୍କର ସ୍ପନ୍ଦନରେ ପୂର୍ଣ୍ଣ । ରାଜଶକ୍ତି ମୁଳରେ ଅଗ୍ନି ଲାଗିଲାଣି । ହେ ଯୁବକଗଣ, ପ୍ରତ୍ୟନ୍ତ–ଦସ୍ୟୁ ଆସୁଛି ।

 

ଅମୃତର ପୁତ୍ର, ଝଡ଼ଭଳି ବହ, ତୋଫାନଭଳି ମ୍ଳେଚ୍ଛ–ବାହିନୀକୁ ଉଡ଼ାଇନିଅ । ସଙ୍କଟର ଭୟରେ କାତର ହେବା ତାରୁଣ୍ୟର ଅପମାନ । ଯୁବକଗଣ, ପ୍ରତ୍ୟନ୍ତ–ଦସ୍ୟୁ ଆସୁଛି ।

 

ଦେଖ, କୁଳ–ବଧୂମାନେ ଆଖିରେ ଅଶ୍ରୁ ଭରି ତୁମକୁ ଅନାଇଛନ୍ତି । ତାଙ୍କର ସୌଭାଗ୍ୟ ତମ ହାତରେ । ଯୁବଗଣ, ପ୍ରତ୍ୟନ୍ତ-ଦସ୍ୟୁ ଆସୁଛି ।

 

ଏଇ ଦେଖ, ମାତାମାନେ ତୁମଆଡ଼େ ଅନାଇଛନ୍ତି; ଆଉ ଦେଖ, ଦୁଧଖିଆ ପିଲାମାନେ ତୁମକୁହିଁ ଅନାଇଛନ୍ତି । ଅଟକ ନାହିଁ ଯୁବଗଣ, ପ୍ରତ୍ୟନ୍ତ-ଦସ୍ୟୁ ଆସୁଛି ।

 

ତୁମକୁ ମାତାର ଦୁଗଧର ଶପଥ, କୁଳ-ବଧୁଙ୍କର ସୌଭାଗ୍ୟର ଶପଥ, ଦୁଧଖିଆ ପିଲାଙ୍କର ଶପଥ । ଉଠ, ଭେଦ-ଭାବ ଭୁଲିଯାଅ; ପ୍ରତ୍ୟନ୍ତ-ଦସ୍ୟୁ ଆସୁଛି ।

 

କିଏ ଅଛି, ଆର୍ଯ୍ୟାବର୍ତ୍ତକୁ ହାହାକାରର ବାତ୍ୟାରୁ ରକ୍ଷା କରିବ ? କେହି ଦେବପୁତ୍ର ନାହାନ୍ତି, କେହି ରାଜାଧିରାଜ ନାହାନ୍ତି, କେହି ମହାସାମନ୍ତ ନାହାନ୍ତି । ଯୁବକଗଣ, ପ୍ରତ୍ୟନ୍ତ ଦସ୍ୟୁ ଆସୁଛି ।

 

“ତାହାହେଲେ କିଏ ପୁଣି ଆର୍ଯ୍ୟାବର୍ତ୍ତକୁ ହାହାକାରର ବାତ୍ୟାରୁ ରକ୍ଷା କରିବ ? ଆର୍ଯ୍ୟାବର୍ତ୍ତର ଯୁବକ, ଆର୍ଯ୍ୟାବର୍ତ୍ତର ଯୁବକ । ଯୁବକଗଣ, ପ୍ରତ୍ୟନ୍ତ–ଦସ୍ୟୁ ଆସୁଛି ।

 

ଅମୃତର ପୁତ୍ର, ମରଣ-ଯଜ୍ଞର ଆହୁତି ହୁଅ । ମାତାମାନଙ୍କପାଇଁ, ଭଗିନୀଙ୍କପାଇଁ, କୂଳ–ଲଳନାମାନଙ୍କ ପାଇଁ ପ୍ରାଣଦେବା ଶିଖା କର । ଉଠ, ଯୁବକଗଣ, ପ୍ରତ୍ୟନ୍ତ-ଦସ୍ୟୁ ଆସୁଛି ।

 

ଅମୃତର ପୁତ୍ର, ମୃତ୍ୟୁର ଭୟ ମିଥ୍ୟା, ବଞ୍ଚିବାପାଇଁ ମର, ମରିବା ପାଇଁ ବଞ୍ଚ । ନଗାଧିରାଜ ତୁମଆଡ଼େ ଅନାଇଛନ୍ତି । ଯୁବକଗଣ, ପ୍ରତ୍ୟନ୍ତ-ଦସ୍ୟୁ ଆସୁଛି ।

 

ମହାମାୟା ତୁମକୁ ଆହ୍ଵାନ କରୁଛି । ତୁମର ମାତା ହେଉଛି ମହାମାୟା । ମାତାର ମାନ ରଖ । ଅମୃତର ପୁତ୍ର, ପ୍ରତ୍ୟନ୍ତ-ଦସ୍ୟୁ ଆସୁଛି ।

 

ବୀରମାନେ, ମହାମାୟାର ତ୍ରିଶୂଳର ଶପଥ, ମ୍ଳେଚ୍ଛ-ବାହିନୀର ଛାୟା ଯେପରି ଏ ଦେଶରେ ନପଡ଼େ ! ଯୁବକଗଣ, ପ୍ରତ୍ୟନ୍ତ-ଦସ୍ୟୁ ଆସୁଛି ।

 

ଅମୃତର ପୁତ୍ର, ମୃତ୍ୟୁର ଭୟ ମିଥ୍ୟା, କର୍ତ୍ତବ୍ୟରେ ଭୁଲ କରିବା ପାପ, ସଂକୋଚ ଓ ଦ୍ଵିଧା ଅଭିଶାପ । ଯୁବକଗଣ, ପ୍ରତ୍ୟନ୍ତ ଦସ୍ୟୁ ଆସୁଛି ।”

 

ଗୀତ ସମାପ୍ତ ହେଲା । ଭୈରବୀମାନେ ଉଲ୍ଲାସରେ ନିଜର ତ୍ରିଶୁଳକୁ ଶୂନ୍ୟକୁ ଟେକି କହିଲେ–“ଜୟ ! ଆର୍ଯ୍ୟାବର୍ତ୍ତର ତରୁଣମାନଙ୍କର ଜୟ, ମହାମାୟା ମାତାଙ୍କର ଜୟ !” ଏକସହସ୍ର ଗମ୍ଭୀର କଣ୍ଠରେ ଆଭୀର–ସେନା ପ୍ରତିଧ୍ଵନି କଲେ–“ମହାମାୟା ମାତାଙ୍କର ଜୟ !” ଭୈରବୀମାନେ ପୁଣି ଗାଇଲେ–

 

“ସହସ୍ରଫେଣୀ ଅଜଗରର ଫୁତ୍‍କାରପରି କିଏ ଗର୍ଜ୍ଜନ କରୁଛି ?–ତାହା ଉତ୍ତାଳ ସମୁଦ୍ର ନୁହେଁ, ବିଦ୍ୟୁତଗର୍ଭ ମେଘ ନୁହେଁ–ତାହା ହେଉଛି ଆର୍ଯ୍ୟାବର୍ତ୍ତର ତରୁଣଙ୍କର ଦୂରଙ୍ଗମ ବାହିନୀ ।

 

କିଏ ଅଛି ଏହାର ଗତିରୋଧ କରିପାରିବ ? ଏପରି କିଏ ଅଛି ସେ ଏହାର ତରଙ୍ଗାବର୍ତ୍ତରେ ବୁଡ଼ି ନଯିବ ? ଏପରି କିଏ ଅଛି ଯେ ଏହାର ଭୀମବେଗରେ ବହି ନଯିବ ? ତାହା ହେଉଛି ଆର୍ଯ୍ୟାବର୍ତ୍ତର ତରୁଣଙ୍କର ଦୁରଙ୍ଗମ ବାହିନୀ !

 

“ଅମୃତର ପୁତ୍ର, କୁଳ-ବଧୂଙ୍କର ସୌଭାଗ୍ୟ ତୁମରି ହାତରେ, ବାଳକାମାନଙ୍କର ମର୍ଯ୍ୟାଦା ତୁମରି ହାତରେ, ବୃଦ୍ଧଙ୍କର ମାନ ତୁମରି ହାତରେ–ତାହା ହେଉଛି ଆର୍ଯ୍ୟାବର୍ତ୍ତର ତରୁଣଙ୍କର ଦୂରଙ୍ଗମ ବାହିନୀ !”

 

ପୁଣି ଥରେ ମହାମାୟା ମାତାଙ୍କର ଜୟ-ଧ୍ଵନି ହେଲା ଓ ଭୈରବୀ ଦୁଇଜଣ ଚାଲିଗଲେ-। ଆଭୀର-ସେନା ନିଜେ ନିଜେ ଜୟ-ଧ୍ଵନୀ କରୁ କରୁ କହିଲେ–“ମ୍ଳେଚ୍ଛବାହିନୀ ଏ ଦେଶର ଛାୟା ବି ଛୁଇଁପାରିବେ ନାହିଁ ।”

 

ଏକ ବିଚିତ୍ର ଆଲୋଡ଼ନ ହେଲା ରକ୍ତରେ । ଆର୍ଯ୍ୟାବର୍ତ୍ତର ତରୁଣମାନଙ୍କ ଉପରେ ଏକ ଅପୂର୍ବ ବିଶ୍ଵାସରେ ବକ୍ଷଃସ୍ଥଳ ସ୍ଫୀତ ହୋଇ–ଉଠିଲା । ବିକଟ ନୃତ୍ୟ କରିବାକୁ ଯାଉଛି ରଣଚଣ୍ଡିକା; କିନ୍ତୁ ଆର୍ଯ୍ୟାବର୍ତ୍ତର କୌଣସି କ୍ଷତି ହେବ ନାହିଁ । ଆର୍ଯ୍ୟାବର୍ତ୍ତକୁ ମହାନାଶରୁ ଉଦ୍ଧାର କରିବର ମାର୍ଗ ଦେଖାଇ ଦେଇଛନ୍ତି ମହାମାୟାଙ୍କର ଏ ଶିଷ୍ୟମାନେ । କି ଅଦ୍ଭୁତ ଶକ୍ତି ରହିଛି ନାରୀର କୋମଳ କଣ୍ଠରେ ! ଏ ଓଜପୂର୍ଣ୍ଣ ସଂଗୀତ ମଧ୍ୟ ସେହି କୋମଳ କଣ୍ଠରୁ ବାହାରି ଶତଗୁଣ ପ୍ରଭାବୋତ୍ପାଦକ ହୋଇଯାଇଛି । ଯେତେବେଳେ ତାଙ୍କର କୋମଳ କଣ୍ଠ ଈଷତ କମ୍ପିତ ହୋଇ ଆହ୍ଵାନ କରୁଥିଲା, ‘ଯୁବକଗଣ, ପ୍ରତ୍ୟନ୍ତ–ଦସ୍ୟୁ ଆସୁଛି’ ମନେ ହେଉଥିଲା ସତେ ଯେପରି ବାୟୁମଣ୍ଡଳର ପ୍ରତ୍ୟେକ ସ୍ତର କମ୍ପିଉଠୁଛି, ଆକାଶର କୋଣ–କୋଣ ଗୁଞ୍ଜରିତ ହେଉଛି ଓ ଦିଗନ୍ତରାଳର ପ୍ରତ୍ୟେକ ବିନ୍ଦୁ ଉଚ୍ଛୁଳିତ ହୋଇ–ଯାଉଛି । ତଥାପି କେଉଁଠି ଭୟର ଚିହ୍ନ ଲେଶମାତ୍ର ନ ଥିଲା । ଆଜି ଆର୍ଯ୍ୟାବର୍ତ୍ତର ଯୁବକଗଣ କୃତାର୍ଥ, ଦେବମନ୍ଦିର ଓ ଶସ୍ୟକ୍ଷେତ୍ର ନିରାପଦ, ସ୍ତ୍ରୀ ଓ ବାଳକ ଆଶ୍ଵସ୍ତ–ଆଜି ଜଗତର ଅଶେଷ ତାରୁଣ୍ୟ ଆଲୋଡ଼ିତ ହୋଇଛି ।

 

ଭଟ୍ଟିଣୀ ଆଗ୍ରହରେ ଭୈରବୀଙ୍କର ଗୀତର ସାରମର୍ମ ଶୁଣିଲେ । ସେ କିଛି ସମୟପର୍ଯ୍ୟନ୍ତ ଚିନ୍ତିତ ରହିଲେ । ମୋର ମନେ ହେଲା ମହାମାୟାଙ୍କ ଗାନର ଯେଉଁ ଅଂଶରେ ଦେବପୁତ୍ରଙ୍କର ଚର୍ଚ୍ଚା ହୋଇଥିଲା, ସେଥିରେ ତାଙ୍କର କଷ୍ଟ ହୋଇଛି । ମୁଁ ତାଙ୍କର ଚିନ୍ତା ଦୂର କରିବା ଉଦ୍ଦେଶ୍ୟରେ କହିଲି–“ମହାମାୟା ମାତା ଅର୍ଦ୍ଧେକ ସତ୍ୟ ପାଇଛନ୍ତି ଦେବୀ, ଆଉ ଅର୍ଦ୍ଧେକ ଯଦି ପାଇପାରନ୍ତେ ତା'ହେଲେ ବୁଝନ୍ତେ ଲାଜକୁଳୀ ଲତାପରି ଝାଉଁଳି ପଡ଼ିବା କେତେ ବଡ଼ ଶକ୍ତିର ସୁପ୍ତ ରୂପ !”

 

ଭଟ୍ଟିଣୀଙ୍କ ମୁହଁ ଉପରେ ସ୍ମିତରେଖା ଖେଳିଗଲା । ଏକ ଅପୂର୍ବ ରସ-ମାଧୁରୀ ହଠାତ୍ ଉଦୟ ହେଲା ତାଙ୍କର ଅଧର ଉପରେ; ନୟନ-କୋରକରେ ଚମକି ଗଲା ଏକପ୍ରକାରର ଲୀଳା–ଲୋଳ–ବିଳାସ । ସେ କହିଲେ–“ତୁମେ ମଧ୍ୟ ସେ ଅର୍ଦ୍ଧ ସତ୍ୟରୁ ବଞ୍ଚିତ, ଭଟ୍ଟ !” ଭଟ୍ଟଣୀଙ୍କ ଏ ପରିହାସର ଅର୍ଥ ବୁଝିଲି; କିନ୍ତୁ କି ଉତ୍ତର ଦିଏ ? ସତରେ ତ ମୁଁ ସେ ଅର୍ଦ୍ଧେକ ସତ୍ୟରୁ ବଞ୍ଚିତ । ପିତାର ହୃଦୟରେ ନିଜର ସନ୍ତତିଙ୍କ ପ୍ରତି ଯେଉଁ ମମତା, ତା ଯେ କେତେ ବଡ଼ ଶକ୍ତି, ତା ମୁଁ କେବଳ ଅନୁମାନ–ଦ୍ଵାରାହିଁ ଜାଣିଛି । ମହାମାୟାଙ୍କର ଆଲୋଚନା କରିବାପାଇଁ ମୋର କି ଅଧିକାର ଅଛି ? ଭଟ୍ଟିଣୀ ମୋର ଦୁର୍ବଳତା ଠିକ୍ ଚିହ୍ନିଛନ୍ତି । ମୋର ଚିନ୍ତା ଦେଖି ଭଟ୍ଟିଣୀଙ୍କର ମୁଖ ଆହୁରି ପ୍ରସନ୍ନ ହୋଇଗଲା । ସେ ପୁଣି କହିଲେ–“ମୁଁ ଅନ୍ୟ କଥା ଭାବୁଥିଲି ଭଟ୍ଟ । ମହାମାୟା ଠିକ୍ କହିଛନ୍ତି ସେ ରାଜା ଓ ରାଜପୁତ୍ରଙ୍କ ଆଡ଼େ ଅନାଇ ବସିଲେ ଆର୍ଯ୍ୟାବର୍ତ୍ତର ଉଦ୍ଧାର ହୋଇପାରିବ ନାହିଁ । କିନ୍ତୁ ଏ ମଧ୍ୟ ଅର୍ଦ୍ଧ ସତ୍ୟ ।” –ଭଟ୍ଟିଣୀ ପୁଣି ନୀରବ ରହିଲେ । ସେ କିଛି କହିବାକୁ ଚାହୁଁ ଥିଲେ; କିନ୍ତୁ ତାଙ୍କର ବାକ୍ୟ ସହଜ-କୌଳିନ୍ୟର ଭାରରେ ଦବିଗଲା । ଉତ୍ସୁକତାରେ ମୁଁ ତାଙ୍କ ମୁହଁକୁ ଅନାଇଥିଲି । ତାଙ୍କର ଆଖି ନଇଁଯାଇଥିଲା, ଗ୍ରୀବା ଅବନମିତ ହୋଇଥିଲା ଓ ଅନବଧାନତାଯୋଗୁଁ ଉତ୍ତରୀୟ-ପ୍ରାନ୍ତ ସୀମନ୍ତ-ଦେଶରୁ ଖସିପଡ଼ିଥିଲା । ଘନ-ମେଚକ କେଶପାଶର ମଧ୍ୟରେ ଉଜ୍ଜ୍ୱଳ ସୀମନ୍ତ-ରେଖାର ସୌନ୍ଦର୍ଯ୍ୟ ଦେଖି ମନେ ହେଲା ସତେ ଯେପରି ମନ୍ଦାକିନୀର ଧବଳଧାରା କ୍ଷଣକପାଇଁ ପାର୍ବତୀଙ୍କର ଚିକୁରରାଜି ମଧ୍ୟକୁ ଆସି ମାର୍ଗ ଭୁଲିଯାଇଛି । ସେ ଦିନ କି ଶୁଭର ଦିନ ହେବ, ଯେଉଁଦିନ ଏ ସୀମନ୍ତ–ରେଖା ଉପରେ ସିନ୍ଦୂରର ଅରୁଣିମା ଦେଖାଦେବ, ଯେଉଁ ଦିନ ଏ ପ୍ରବଳ କବରୀ–ଭାରର ତିମିରକାନ୍ତି ବାଳସୂର୍ଯ୍ୟକୁ ବନ୍ଦି କରିବ, ଯେଉଁଦିନ ଚନ୍ଦ୍ରମଣ୍ଡଳ ମଧ୍ୟରେ ଉଷଃରେଖା ସ୍ଫୁରିତ ହେବ, ଯେଉଁ ଦିନ ଘନ-ମସୃଣ ମେଘ-ମାଳାରେ ଅଚଞ୍ଚଳ ବିଦ୍ୟୁଲ୍ଲତା ନିରନ୍ତର ଚମକିବ ! ! ଆହା, କେତେ ମଙ୍ଗଳମୟ ହେବ ସେ ଦନ ! ତୀର୍ଯ୍ୟକ ଅପାଙ୍ଗରେ ଦେଖିଲେ ଭଟ୍ଟିଣୀ, କହିଲେ–“କଣ ଭାବୁଛି ଭଟ୍ଟ !”

 

କଣ ଭାବୁଛି !!

 

କିଶଳୟ ସମ ଲାଲ ଅଙ୍ଗୁଳିଗୁଡ଼ିକଦ୍ଵାରା ନିଜର ଉତ୍ତରୀୟ–ପ୍ରାନ୍ତରୁ ସୀମନ୍ତରେଖା ଉପରକୁ ଟାଣୀନେଇ ଭଟ୍ଟିଣୀ ଧୀରେ ଧୀରେ କହିଲେ–“ଗୋଟିଏ କଥା କହିବି ଭଟ୍ଟ ! ମୁଁ ଜନ୍ମ ହୋଇଥିଲି ରୋମକପତ୍ତନର ଉତ୍ତରବର୍ତ୍ତୀ ଅସ୍ତ୍ରୀୟ ଦେଶରେ । ସେଠାରୁ ପୁରୁଷପୁରପର୍ଯ୍ୟନ୍ତ ମୁଁ ପିତାଙ୍କର ଅଙ୍କରେହିଁ ବଡ଼ ହୋଇଛି । ମୁଁ ଅନେକ ଦେଶ ଦେଖିଛି, ଅନେକ ସମାଜ ଦେଖିଛି, ଅନେକ ଜାତି ଦେଖିଛି । ବାଲ୍ୟଭାବଯୋଗୁଁ ସବୁଗୁଡ଼ିକର ରହସ୍ୟ ବୁଝି ପାରିନି; କିନ୍ତୁ ଆର୍ଯ୍ୟାବର୍ତ୍ତ ଭଳି ବିଚିତ୍ର ସମାଜ–ବ୍ୟବସ୍ଥା ମୁଁ ଅନ୍ୟ କୌଣସିଠି ଦେଖିନାହିଁ । ଏଠି ଏତେ ସ୍ତର-ଭେଦ ରହିଛି ଯେ, ମୁଁ ଆଶ୍ଚର୍ଯ୍ୟ ହୁଏ, ଲୋକମାନେ ବଞ୍ଚି ରହିଛନ୍ତି କିପରି ? ଏଠି ପୂଣି ଏଭଳି ସତ୍ପୁରୁଷ ଓ ସତୀ ସ୍ତ୍ରୀ ଦେଖିଛି ଯେ ମୁଁ ବେଳେ ବେଳେ ଆଶ୍ଚର୍ଯ୍ୟ ହୁଏ, ଏଭଳି ଦେବତା ସମ ଲୋକେ ମରିଯାଉଛନ୍ତି ରହସ୍ୟ !” ଏଠିକାର ଜୀବନ ଓ ମୃତ୍ୟୁ ଦୁଇଟିଯାକ ମୋ ପକ୍ଷରେ ରହସ୍ୟ !” ଭଟ୍ଟିଣୀ ନିଜର ଚେହେରାରେ ନିର୍ବିକାରଭାବ ରଖିବାପାଇଁ ଟିକେ ପ୍ରଯନ୍ନ ରଖି ପୁଣି କହିଲେ–“ଦେଖ ଭଟ୍ଟ, ତୁମେ ଯଦି କୌଣସି ଯବନ-କନ୍ୟାକୁ ବିବାହ କର, ତା’ହେଲେ ଏ ଦେଶରେ ତାହା ଭୟଙ୍କର ସାମାଜିକ ବିଦ୍ରୋହ ବୋଲି ମନେ କରାଯିବ । କିନ୍ତୁ ଯବନ-କନ୍ୟା ଯେ ମନୁଷ୍ୟ ଓ ବ୍ରାହ୍ମଣ-ଯୁବା ମଧ୍ୟ ମନୁଷ୍ୟ–ଏକଥା କଣ ସତ୍ୟ ନୁହେଁ ? ମହାମାୟା ଯାହାଙ୍କୁ ମ୍ଳେଚ୍ଛ କହୁଛନ୍ତି, ସେମାନେ ବି ତ ମନୁଷ୍ୟ । ପ୍ରଭେଦ ଏତିକି, ତାଙ୍କଠି ସାମାଜିକ ଉଚ୍ଚ-ନୀଚ ଭେଦ-ଭାବ ନାହିଁ । ଭାରତବର୍ଷର ସମାଜରେ ସହସ୍ର ସ୍ତର ଥିଲାବେଳେ ତାଙ୍କର ସମାଜରେ ଅତି ବେଶି ହେଲେ ଦୁଇ ତିନୋଟି ସ୍ତର । ସେମାନେ ଅନେକଟା ଏ ଆଭୀରଙ୍କ ପରି । ଭାରତବର୍ଷରେ ଯେଉଁମାନେ ଉଚ୍ଚ, ସେମାନେ ଖୁବ୍ ଉଚ୍ଚ; ଯେଉଁମାନେ ନୀଚ, ସେମାନଙ୍କର ନିମ୍ନତାର କୌଣସି ତୁଳନା ନାହିଁ । କିନ୍ତୁ ସେମାନଙ୍କ ମଧ୍ୟରେ ସମସ୍ତେ ସମାନ । ତାଙ୍କର ସ୍ତ୍ରୀଙ୍କ ମଧ୍ୟରେ ରାଣୀଠାରୁ ପରିଚାରିକାପର୍ଯ୍ୟନ୍ତ ଓ ଗଣିକାଠାରୁ ବାରବିଳାସିନୀ–ପର୍ଯ୍ୟନ୍ତ ସହସ୍ର ଭେଦ ନାହିଁ । ସେମାନେ ସମସ୍ତେ ରାଣୀ, ସମସ୍ତେ ପରିଚାରିକା । ତୁମେ ତାଙ୍କର ଦୁର୍ଦ୍ଧଷ ରୂପକୁହିଁ ଜାଣ; ତାଙ୍କର କୋମଳ ହୃଦୟକୁ ଆଦୌ ଜାଣନା । ଆଚ୍ଛା ଭଟ୍ଟ, ଉଚ୍ଚ ଭାରତୀୟ ସାଧନାକୁ ସେପର୍ଯ୍ୟନ୍ତ ପହଞ୍ଚାଇଦେଇ ନିକୃଷ୍ଠ ସାମାଜିକ ଜଟିଳତା ଦୁର କରି ହେବା କଣ ସମ୍ଭବ ନୁହେଁ ? ଯେତେଦିନ ପର୍ଯ୍ୟନ୍ତ ଏ ଦୁଇଟି କଥା ଏକତ୍ର ନ ହୋଇଛି, ସେତେଦିନପର୍ଯ୍ୟନ୍ତ ଶାଶ୍ଵତ ଶାନ୍ତି ଅସମ୍ଭବ । ମହାମାୟା ଅଧାହିଁ ଦେଖୁଛନ୍ତି । ବୌଦ୍ଧ ସନ୍ନ୍ୟାସୀମାନେ ମଧ୍ୟ ଅର୍ଦ୍ଧେକ ଦେଖିଥିଲେ । ଭଟ୍ଟ, ତୁମେ ଯଦି ଏ ପୂର୍ଣ୍ଣସତ୍ୟକୁ ପ୍ରଚାର କର, ତା’ହେଲେ କିପରି ହେବ ?”

 

ମୁଁ ବିନୀତଭାବରେ ଉତ୍ତର ଦେଲି, ‘‘ମୁଁ ନୂଆ କଥା ଶୁଣୁଛି ଦେବୀ ! ତୁମେ ଯାହା କିଛି ଆଦେଶ ଦେବ, ତା ମୋର ଶିରୋଧାର୍ଯ୍ୟ ।” ଭଟ୍ଟିଣୀଙ୍କର ବଙ୍କିମ ଅପାଙ୍ଗ ବିକଶିତ ହୋଇଗଲା; ମଧାହ୍ନକାଳୀନ ତରୁ–ମଲ୍ଲିକା କୁସୁମପରି ତାଙ୍କର ଚେହେରା ଖେଳିଗଲା । କହିଲେ–“ଭଗବତଧର୍ମରେ ଏ ପୂର୍ଣ୍ଣତା ମୁଁ ଦେଖିପାରୁଛି ଭଟ୍ଟ !” ମୋର ଉତ୍ସୁକତା ବଢ଼ିଗଲା । ଆହୁରି ଶୁଣିବା ଆଶାରେ ପଚାରିଲି–“ମୁଁ କେଉଁ କାର୍ଯ୍ୟରେ ଆସିପାରେ ଦେବୀ ?” ଭଟ୍ଟିଣୀ ଦୃପ୍ତ କଣ୍ଠରେ କହିଲେ–“ତୁମେ ? ତୁମେ ହେଉଛ ଏ ଆର୍ଯ୍ୟାବର୍ତ୍ତର ଦ୍ଵିତୀୟ କାଳିଦାସ, ନିର୍ମଳ ବାଗଧାରାର ନିର୍ଝର ତୁମର ମୁଖରେ । ଅନ୍ତଃକରଣ ତୁମର ପର-କଲ୍ୟାଣ କାମନାରେ ପରିଶୁଦ୍ଧ । ହିମ-ନିର୍ଝରିଣୀପରି ଶୀତଳ ଓ ଶୁଭ୍ର ତୁମର ପ୍ରତିଭା । ତୁମର ମୁହଁରେ ସରସ୍ୱତୀଙ୍କର ନିବାସ । ମ୍ଳେଚ୍ଛ କୁହାଯାଉଥିବା ଏ ନିର୍ଦ୍ଧୟ ଜାତିର ଚିତ୍ତରେ ତୁମେ ସମବେଦନା ସଂଚାର କରିପାରିବ, ସ୍ତ୍ରୀଙ୍କୁ ସମ୍ମାନ କରିବା କଥା ତାଙ୍କୁ ଶିଖାଇ ପାରିବ, ବାଳକଙ୍କୁ ସ୍ନେହ କରିବା କଥା ଶିଖାଇ ପାରିବ । ଭଟ୍ଟ, ତୁମେଇ ହେଉଛ ଏ ଭବ–କାନନର ପାରିଜାତ । ତୁମେ ଏ ମରୁଭୂମିର ନିର୍ଝର । ତୁମର ବାଣୀ ମୋଭଳି ଅବଳାଙ୍କଠାରେ ଆତ୍ମଶକ୍ତି ସଂଚାର କରୁଛି । ତୁମର ଛାୟା ପାଇ ଅବଳାମାନେ ମଧ୍ୟ ଏଦେଶର ସାମାଜିକ ଜଟିଳକୁ କିଛି ଶିଥିଳ କରିପାରିବେ ।”

 

ଭଟ୍ଟିଣୀଙ୍କର ବାଗ୍‍ଧାରା ଆଜି ବନ୍ଧ ଭାଙ୍ଗି ଦେବାକୁ ଚାହୁଁ ଥିଲା । ଏପର୍ଯ୍ୟନ୍ତ ଆସି ସେ ନିଜକୁ ରୋକିବାକୁ ଚାହିଁଲେ । କିନ୍ତୁ ମୁହଁଜୋର ଘୋଡ଼ା ଯେପରି ବଲ୍‍ଗାର ବାଧା ପାଇ ସୁଦ୍ଧା କିଛି ଦୂର ଚାଲିଯାଏ, ତାଙ୍କର ବାଗଧାରା ସଂଯତ ହୋଇ ସୁଦ୍ଧା ଆଉ ଟିକିଏ ବଢ଼ିଗଲା–“ଗୋଟିଏ ଜାତି ଅନ୍ୟକୁ ମ୍ଳେଚ୍ଛ ବୋଲି ମନେ କରୁଛି, ଗୋଟିଏ ମନୁଷ୍ୟ ଅନ୍ୟକୁ ନୀଚ ବୋଲି ଭାବୁଛି; ଏଥିରୁ ବେଶି ଅଶାନ୍ତିର କାରଣ ଆଉ କଣ ହୋଇପାରେ ଭଟ୍ଟ ? ମନୁଷ୍ୟ ଲୋଭପାଇଁ, ମୋହ ପାଇଁ ଓ ଦ୍ୱେଷ ବଶତଃ ପଶୁତାଦିଗରେ ବଢ଼ିଯାଉଛି । ତୁମେ ତାର ହୃଦୟକୁ ସମ୍ବେଦନ-ଶୀଳ ଓ କୋମଳ କରିଦେଇପାର । ଦେଖ ଭଟ୍ଟ, ଏ ଶୁଷ୍କ କାନ୍ତାରରେ ଅନ୍ତଃସ୍ରୋତା ସରିତା ମଧ୍ୟ ପ୍ରବାହିତ । ଏ ଭୋଗ–ପୂଜାର ବଳକଳ ତଳେ ନିର୍ବୋହ ବୈରାଗ୍ୟର ଦେବତା ସ୍ତବଧ । ଏ ସମ୍ବାଦ ତୁମଛଡ଼ା ଆଉ କିଏ ଦେଇପାରେ ! ଭଟ୍ଟ, ମୁଁ ତମର କାବ୍ୟ-ସମ୍ପଦ ପାଇ ଶକ୍ତି ପାଇଯିବ । ତୁମେ ମୋର ବିନତି ସ୍ଵୀକାର କର ।”

 

ଭଟ୍ଟିଣୀଙ୍କ ସ୍ଵରରେ ଏକି ଶକ୍ତି ? ପ୍ରଥମ ପରିଚୟ ଦିନ ଭଟ୍ଟିଣୀ ମୋତେ ଭାରତବର୍ଷର ଦିତୀୟ କାଳିଦାସ ବୋଲି କହିଥିଲେ; ଆଜି ମଧ୍ୟ କହୁଛନ୍ତି । କିନ୍ତୁ ସେଦିନ ତାଙ୍କର ମୁଖ ଏତେ ଦୀପ୍ତ ନଥିଲା, ବାଗ୍‍ଧାରା ଏତେ ଖର–ପ୍ରବହ ନଥିଲା । ମୁଁ ନୂଆ କଥା ଶୁଣୁଥିଲି । ଭଟ୍ଟିଣୀଙ୍କର ବାଣୀ ମୋର ରୋମ–ରୋମରେ ଝକୃତ ହେବାକୁ ଚାହୁଁଥିଲା । ନରଲୋକରୁ କିନ୍ନରଲୋକ ପର୍ଯ୍ୟନ୍ତ ଗୋଟିଏ ରାଗାତ୍ମକ ହୃଦୟ ବ୍ୟାପ୍ତ । ଏ ସତ୍ୟର ପ୍ରଚାରରେ କଣ ମନୁଷ୍ୟର ଦୁର୍ମଦ ବାସନା, ଅନିୟନ୍ତ୍ରିତ କାମନା, ଅବିଚାରିତ ଧାରଣା କିଛି କମ୍ ହୋଇଯିବ ? କାବ୍ୟଯୋଗୁଁ ମନୁଷ୍ୟର ଦୟାହୀନ, ବିବେକହୀନ, ଧର୍ମହୀନ ବୃତ୍ତି ଉଚ୍ଚତର କାର୍ଯ୍ୟରେ ନିୟୋଜିତ ହେବା କଣ ସମ୍ଭବ ? କାଳିଦାସଙ୍କ କାବ୍ୟ–ଯୋଗୁଁ ଏ ଉଦ୍ଦେଶ୍ୟ କଣ ସିଦ୍ଧ ହୋଇଛି ? ଭଟ୍ଟିଣୀ କଣ ଚାହୁଁଛନ୍ତି ? ମ୍ଳେଚ୍ଛ ମନେ କରଯାଉଥିବା ମନୁଷ୍ୟର ଚିତ୍ତ କିପରି କୋମଳ ହେବ, ସମ୍ବେଦନଶୀଳ ହେବ, ସ୍ତ୍ରୀ–ଶକ୍ତିକୁ ସମ୍ମାନ କରିବାପାଇଁ ଶିକ୍ଷା କରିବ ? ହାୟ ମହାକବି, ମୋ ଚିତ୍ତରେ କାହିଁକି ସତରେ ଅବତାର ଗ୍ରହଣ କରୁନାହିଁ ? ଭଟ୍ଟିଣୀଙ୍କର ଆଦେଶ ପାଳନ କରିବାପାଇଁ ସାମାନ୍ୟ ବୁଦ୍ଧି ମୋତେ ଦିଅ ମୋର ପ୍ରତିଭାର ଅକୁଣ୍ଠ ବିଳାସ ଯେପରି ନରଲୋକରୁ କିନ୍ନରଲୋକ ପର୍ଯ୍ୟନ୍ତ ବ୍ୟାପ୍ତ ଗୋଟିଏହିଁ ରାଗାତ୍ମକ ହୃଦୟର ପରିଚୟ ଦେଇପାରେ । ଭଟ୍ଟିଣୀ ମୋର କାବ୍ୟ-ସମ୍ପଦ ପାଇ ଶକ୍ତିମତୀ ହେବେ ? ହାୟ, ମୋ ପାଖରେ କଣ ଅଛି ଯାହା ମୁଁ ଭଟ୍ଟିଣୀଙ୍କୁ ଦେଇ ନପାରେ । ମୁଁ ବ୍ୟାକୁଳ ଗଦଗଦ୍ କଣ୍ଠରେ କହିଲି–“ଦେବୀ, ମୋ ପାଖରେ ଯାହା କିଛି ଅଛି, ତା ତୁମର । କୌଣସି କାବ୍ୟ-–ଶକ୍ତି ଯଦି ମୋପାଖରେ ଥାଏ ତାହେଲେ ତୁମ ପାଖରେ ସମପତି ହୋଇ ତାହା ଧନ୍ୟ ହେବ ।” ମୋ କଥାରେ ଭଟ୍ଟିଣୀଙ୍କର ମୁଖମଣ୍ଡଳ ପ୍ରସନ୍ନ ହୋଇ ଉଠିଲା । ଶୋଭା ଓ ଶ୍ରୀର ନିର୍ଝରଣୀ, ଆୟତାକ୍ଷୀର ସ୍ମୟମାନ ମୁହଁକୁ ଦେଖି ଅର୍ଦ୍ଧୋଦଭିନ୍ନ-କେଶର ପଦ୍ମ-ପୁଷ୍ପର ସ୍ମୃତି ମନରେ ଆସିଲା । ସେହି ମନ୍ଦ ସ୍ମିତ ମୋର ମନକୁ ଧବଳିତ କରିଦେଲା, ଚିତ୍ତକୁ ଉତଫୁଲ୍ଲ କରିଦେଲା ଓ ହୃଦୟକୁ ଅନନୁଭୂତ ରାଗରେ ରଞ୍ଜିତ କଲା । ମନେ ହେଲା ମୋର ବାଣୀ କୃତାର୍ଥ, ମୋର ପ୍ରତ୍ୟେକ ଚେଷ୍ଟା ସଫଳ ! ସତେ ଯେପରି ଦେହଧାରଣର ଫଳ ମୁଁ ପାଇଲି । ବିନୟ ଗଦ୍‍ଗଦ୍‍ ସ୍ଵରରେ କହିଲି–

 

“ଦେବୀ, ଆପଣଙ୍କର ଅନୁଗ୍ରହ ମୋତେ ସାମାନ୍ୟ ଅବିନୀତ କରି ଦେଇଛି । ମୋର ମାନବ–ସୁଲଭ ଲଘିମା ମୋତେ କିଛି ପଚାରିବାକୁ ବାଧ୍ୟ କରୁଛି । ପ୍ରଭୁଙ୍କର ପ୍ରସାଦ ଲେଶମାତ୍ର ପାଇ ସୁଦ୍ଧା ଅଧୀର–ପ୍ରକୃତି ମନୁଷ୍ୟ ଚଞ୍ଚଳ ହୋଇଉଠେ, ଗୋଟିଏ ସ୍ଥାନରେ ସାମାନ୍ୟ ଅବସ୍ଥିତି ହେଲେ ମଧ୍ୟ ଚପଳ ବ୍ୟକ୍ତି ପ୍ରଗଲ୍‍ଭ ହୋଇଯାଏ, ସଦ୍‍ବ୍ୟବହାରର କଣାଏ ସୁଦ୍ଧା ମନୁଷ୍ୟକୁ ପ୍ରଣୟ-ଜଡ଼ କରିଦିଏ । ଦେବୀ, ମୁଁ ଜାଣିବାକୁ ଚାହେଁ, ଆପଣଙ୍କର ସାରା ବକ୍ତବ୍ୟର ଫଳତାର୍ଥ କଣ-? ଏ କୁସୁମ-କୋମଳ ଶରୀର, ନବନୀତ–ମୃଦୁଳ ହୃଦୟ, ବଜ୍ରସାର ଦୃଢ଼ ବ୍ରତ, ଅପୂର୍ବ ଭକ୍ତିଭାବ ଦେବଲୋକରେ ବି ଦୁର୍ଲ୍ଲଭ । କ୍ଷଣକପାଇଁ ସୁଦ୍ଧା ମୁଁ ଏହାକୁ ଭୁଲି ଭାବି ନାହିଁ । ଜାହ୍ନବୀର ନିର୍ମଳ ଧାରାର ଉତ୍ସ କେତେ ମନୋରମ, ପାର୍ବତୀଙ୍କ ଉତ୍ପତ୍ତି–ଭୂମି କେଡ଼େ ପବିତ୍ର ଓ ପଦ୍ମାଙ୍କ ଜନ୍ମଦାତ୍ରୀ କେତେ ଗମ୍ଭୀର, ତାହା ମୁଁ ଜାଣେ । ଯେଉଁ କୂଳ, ଏ ବେଦ–ଦୁର୍ଲ୍ଲଭ ସୌନ୍ଦର୍ଯ୍ୟକୁ, ଏ ଋଷି ଦୁର୍ଗମ ସତ୍ୟବ୍ରତକୁ ଏବଂ ଏ କୁସୁମ-କମନୀୟ ଗୃରୁତାକୁ ଉତ୍ପନ୍ନ କରିଛି–ସେ ଧନ୍ୟ । ସେ କୁଳ ପବିତ୍ର, ସେ ଜନନୀ କୃତାର୍ଥ, ସେ ପିତା ସଫଳକାମ । ଦେବୀ, ମ୍ଳେଚ୍ଛ ଜାତିର ହୃଦୟକୁ ସମ୍ବେଦନଶୀଳ କରିବା ପାଇଁ, ତାଙ୍କଠି ଉଚ୍ଚତର ସାଧନା ସଂଚାର କରିବାପାଇଁ ଯେଉଁ ଶକ୍ତି ଦରକାର, ସେ ଶକ୍ତି ତୁମଠି ରହିଛି । କିନ୍ତୁ ଇଚ୍ଛା କଲେ ସୁଦ୍ଧା ମୁଁ ମୋର କାବ୍ୟଶକ୍ତି ତୁମ ଭିତରେ କିପରି ସଂଚାର କରିପାରିବି ? ପୁଣି ଏ ଆର୍ଯ୍ୟାବର୍ତ୍ତର ଜଟିଳ ସ୍ତର-ଭେଦକୁ ଦୂର କରିବାପାଇଁ ମୋପାଖରେ ତ କୌଣସି ଶକ୍ତି ନାହିଁ । ମୁଁ ସ୍ପଷ୍ଟ ଜାଣିବାକୁ ଚାହେଁ, ଏହା ସମ୍ଭବ ହେବ କିପରି ?”

 

ଭଟ୍ଟିଣୀଙ୍କ ଅଧରରେ ମନ୍ଦସ୍ମିତ ଦେଖାଦେଲା । କହିଲେ–“ଅପୂର୍ବ ଭଟ୍ଟ, ଆଶ୍ଚର୍ଯ୍ୟ, ଅଦ୍ଭୂତ ତୁମର ନିର୍ମଳ ବାଗ୍‍ଧାରା । ମୋର ଜନ୍ମ ସାର୍ଥକ, ମୋର ଭାଗ୍ୟହୀନ ଜୀବନ ଆଜି କୃତାର୍ଥ-। ତୁମର ଏ ସ୍ତୁତି ମୋ ଅନ୍ତରରେ ଅପୂର୍ବ ଆତ୍ମଗରିମା ସଂଚାରିତ କରିଛି । ତୁମେ କଣ ମନେ କରୁଛ, ମୁଁ ରାଣୀର ମର୍ଯ୍ୟାଦା ପାଇ ସନ୍ତୁଷ୍ଟ ହୋଇପାରୁଛି ? ନା ଭଟ୍ଟ, ତୁମର ଏଇ ପବିତ୍ର ବାକ୍-ସ୍ରୋତସ୍ଵିନୀରେ ସ୍ନାନ କରି ମୁଁ ପବିତ୍ର ହୋଇଛି । ମୋତେ ଆତ୍ମବଳ ମିଳିଛି ଏଥିରୁ । ତୁମର ନିଷ୍କଳୁଷ ହୃଦୟକୁ ଦେଖି ମୋତେ ସେବାର ପ୍ରଶସ୍ତ ପଥ ଦେଖାଦେଇଛି । ତୁମେ ଯାହା କହୁଛ, ତା କଠିଣ କେଉଁଠି କୁହ ତ ?”

 

ଭଟ୍ଟିଣୀ ମୋତେ ବେଶି ଚିନ୍ତା କରିବାର ଅବସର ନ ଦେଇ କହିଲେ–“କିନ୍ତୁ ବର୍ତ୍ତମାନ ଛାଡ଼ ଏସବୁ କଥା । ଆଚାର୍ଯ୍ୟ ଭର୍ବୁପାଦ ସପ୍ତାହକ ଭିତରେ ଆସି ପହଞ୍ଚିବେ । କିଏ ଜାଣେ, ମୋ ଭାଗ୍ୟରେ ପୁଣି କେଉଁଠିକି ଯିବାର ଲେଖା ହୋଇଛି । ଏହାରି ଭିତରେ କୁମାର କୃଷ୍ଣ–ବର୍ଦ୍ଧନ ମହାରାଜାଧୀରାଜଙ୍କୁ ଏଠାକୁ ଆଣିବେ । ଆଜି କାହାରି ପ୍ରଶ୍ନ ମୋ ମନରେ କୌଣସି ପ୍ରକାର କଳୁଷ ନାହିଁ । ସେ ଲୋକମାନଙ୍କୁ ଅନୁଗ୍ରହର ପ୍ରତିଦାନ ଦେବାପାଇଁ କଣ ଅଛି ମୋପାଖରେ ? ମୋର ତୁମେଇ ଅଛ, ସବୁଥିରେ ତୁମ ଉପରେହିଁ ମୁଁ ନିର୍ଭର କରୁଛି । ଏପରି କିଛି କିଛି, ଯାହା ମହାରାଜାଧିରାଜଙ୍କ ଅନୁକୁଳ ସ୍ଵାଗତ ହୋଇପାରେ । ଶୁଣୁଛି, ଆଜି ଆମର ସ୍ଵାଗତପାଇଁ ନଗରର ଶ୍ରେଷ୍ଠ କଳାବତମାନଙ୍କୁ ଏକତ୍ରିତ କରାଯାଇଛି । ତୁମେ ତ ଆମର ସର୍ବସ୍ଵ ।” ଏତିକି କହି ଭଟ୍ଟିଣୀ ମୋତେ ବିଶ୍ଵାସର ସହ ଦେଖିଲେ । ତାଙ୍କ ଆଖିରେ କୃତଜ୍ଞତାର ଅଶ୍ରୁ ।

 

ଦ୍ଵାରୀ ଆସି ସମ୍ବାଦ ଦେଲା କେହି ସଜ୍ଜନ ମୋ ସହିତ ସାକ୍ଷାତ କରିବାକୁ ଚାହାନ୍ତି । ବାହାରକୁ ଆସି ଦେଖେ ତ ଧାବକ । ଧାବକର ସେହି ରୂପ ! ଏ ଭରା ଆଷାଢ଼ରେ ମାଳତୀ ଓ ଜାତୀ-କୁସୁମର କି ଅଭାବ ! ଧାବକ ବାହୁମୂଳ, କଣ୍ଠଦେଶ ଓ ଚୂଡ଼ାରେ ବେଶ୍‍ ଭଲଭାବରେ ମାଳତୀ-ଦାମ ବ୍ୟବହାର କରିଥିଲା । କସ୍ତୁରିକା–ଧୂପିତ ଉତ୍ତରୀୟ ସାଥିରେ ଜାତୀ–କୁସୁମର ମିଳିତ ଆମୋଦ ସହିତ ସେ ଏକପ୍ରକାରର ଅଦ୍ଭୁତ ସୁଗନ୍ଧିତ ବାତାବରଣ ପ୍ରସ୍ତୁତ କରିଥିଲା । ମୋପାଇଁ ମଧ୍ୟ ଗୋଟିଏ ମାଳତୀ–ଦାମ ଆଣିଥିଲା ସେ । ମୋତେ ଦେଖି ସେ ଧଡ଼ପଡ଼ ହୋଇ ଉଠିଲା । ଅନେକ ସମୟ ପର୍ଯ୍ୟନ୍ତ ଆମେ ଦୁହେଁ ଗାଢ଼ ଆଲିଙ୍ଗନ ପାଶରେ ନିବଦ୍ଧ ରହିଲୁ । କୁଶଳ ବାର୍ତ୍ତାପରେ ଧାବକ ମୋ ପିଠି ଥାପୁଡ଼େଇ କହିଲା–“ନିଅ ଗୁରୁ, ତୁମରି ତ ପୁଅ ବା’ର । ଆଜି ଚାରୁସ୍ମିତାର ମୟୂର–ନୃତ୍ୟ ତ କାଲି ବିଦ୍ୟୁତ ପାଙ୍ଗର ମନୋହର ସଙ୍ଗୀତ । ଦେବପୁତ୍ର–ନନ୍ଦିନୀ ତ ତମକୁ ନିର୍ବାଧ ରାଜ୍ୟ ଦେଇସାରିଛନ୍ତି । ଭାଗ୍ୟବାନ ଅଟ ବନ୍ଧୁ ! ଶୁଣ, ମୋତେ ବି ନିଜ ପାଖରେ ବସିବାକୁ ଦେବ । ଏ ଭଳି ସମୟରେ ମିତ୍ରକୁ ଭୁଲିବାର ପରିଣାମ ଖରାପ ହେବ ।” ଧାବକର ଆଖିରେ ରହସ୍ୟ ଚପଳତା ଦେଖି ମୁଁ ଟିକେ ଥଟ୍ଟା କଲି କଣ ପରିଣାମ ହେବ ମିତ୍ର !” ସେ ତାମ୍ବୁଳ–ଜଡ଼ିତ ବାଣୀରେ କହିଲା–“ବଡ଼ କଠିଣ ମିତ୍ର । କୌଣସି ମୃଣାଳ–କୋମଳ ବସ୍ତୁରେ ବାନ୍ଧି ହେବାକୁ ପଡ଼ୁଛି; କିନ୍ତୁ ଦୁଃଖ ଯେ, ନା ସେ ବନ୍ଧନ ତୁଟୁଛି, ନା ତାକୁ ଛଡ଼ାଇଦେବାର ଇଚ୍ଛା ହେଉଛି-।” ମୁଁ କହିଲି,” କେତେ ଥର ବାନ୍ଧି ହୋଇଛି ବନ୍ଧୁ ? ସେ ଉତ୍ତର ଦେଲା–“ଆରେ ଗୁରୁ, ଧାବକ କଥା ଛାଡ଼ । ପଦ୍ମପତ୍ର ପାଣିରେ ରହି ସୁଦ୍ଧା ନିର୍ବିକାର ରହେ । ସତରେ କହୁଛି ମିତ୍ର, ଏ ନୃତ୍ୟତ୍ସବ ମୋତେ କିନ୍ତୁ ଭଲ ଲାଗୁନାହିଁ । କୌଣସି ଏକ ବାତୁଳ କବି ଥରେ ବର୍ଷାକାଳ ସାଥିରେ ନର୍ତ୍ତକୀର ନୃତ୍ୟୋଲ୍ଲାସର ଅନୁପ୍ରାସ ଆଣିଥିଲା; କିନ୍ତୁ କ୍ଷଣକ ପରେହିଁ ସେ ଏପରି କଳ୍ପନା–ଦରିଦ୍ର ହୋଇଗଲା ଯେ କଣ କହିବି ! କବିରାଜ ଅମ୍ବରରେ ମେଘର ଆଡ଼ମ୍ବର ଦେଖିଲେ, ବର୍ତ୍ତମାନ ବିଦ୍ୟୁଲ୍ଲତା ଦେଖିଲେ ଓ ଘନ–ଗର୍ଜନ ଶୁଣିଲେ ଏବଂ କହିଉଠିଲେ ଏ ନାଟ୍ୟାଡ଼ମ୍ବର ସମୟରେ ବିଦ୍ୟୁତ୍–ନର୍ତ୍ତକୀର ନୃତ୍ୟାରମ୍ଭର ମଙ୍ଗଳ–ମୃଦଙ୍ଗ ବାଜି ଉଠିଛି ! ପୁଣି ତା’ପରେ ? ଜାଣିଛ ତା'ପରେ କଣ ହେଲା ? ଅଗଣାର ଫୁଲ ତରୁର ଶାଖା ଉପରେ ବସିଥିବା କାଉର ସ୍ଵର ଶୁଣି ଉତ୍ସୁକ ପ୍ରିୟତମା ଯେଉଁଠି ଆଗରୁ ବସିଥିଲେ, ବାଟୋଇ ପଶିଗଲେ ସେହି କେଳି–ମନ୍ଦିରରେ । ଛି, ଏ ବି ପୁଣି ପଦ୍ୟର ସାମଞ୍ଜସ୍ୟ ?” ମୁଁ ମଜା କରିବା ଉଦ୍ଦେଶ୍ୟରେ କହିଲି–“ତୁମେ କେଉଁଠି ପଦ୍ୟର ସମଞ୍ଜସ୍ୟ ଥିବାର ଦେଖିପାରୁଛି ମିତ୍ର ?” ଧାବକ ତତ୍‍କ୍ଷଣାତ୍ କହି ଉଠିଲେ–“ସାମଞ୍ଜସ୍ୟତ ମିତ୍ର, ପ୍ରେଂଖା–ବିଳାସ 'ଝୁଲା)ରେ ରହିଛି ।” ମେଘ–ନିଃଶ୍ଵାସ ଓ ଧାରାର ରୁମ୍‍ଝୁମ ସହିତ ପ୍ରୋଖାର ପଦ୍ୟ–ସାମଞ୍ଜସ୍ୟ ମିଳୁଛି । ଅମନ୍ଦ ସୁବର୍ଣ୍ଣ–କିଙ୍କୁଣୀଗୁଡ଼ିକର ମନ୍ଦ ମନ୍ଦ କ୍ଵଣନ, ଝଣ୍‍ଝଣାତ୍ ମେଖଳାର ତରଳ ଝଙ୍କାର ଓ ବାଚାଳ କଂକଣର ମଧୁର ରୁଣ୍‍ଝୁଣ ସହିତ ଦୋଳାୟମାନ ବିଦ୍ୟୁତଗୌର କିଶୋରୀମାନେହିଁ ଏ ବର୍ଷାକାଳରେ ଦ୍ଵିଲୋକ ସହିତ ଭୁଲୋକର ଅନୁପ୍ରାସ ମିଳାଇ ପାରନ୍ତି ।” ମୁଁ କହିଲି–“କିଛି ବର୍ଣ୍ଣନା କରି ଶୁଣାଅ ନା ବନ୍ଧୁ ! ଶୁଖିଲା କଥାରେ କଣ ଅଛି ?” ଧାବକ ନିଜର ଉଲ୍ଲାସରେ ଶିଖାନ୍ତପର୍ଯ୍ୟନ୍ତ ମଗ୍ନଥିଲା । କହିଲା–“ଗୁରୁ, ଏ ଶୋଭାକୁ କେବଳ ଗୋଟିଏ କବିହିଁ ବର୍ଣ୍ଣନା କରିପାରେ, ତା ମଧ୍ୟ ଯଦି ସେ କମଳ–ନୟନାମାନଙ୍କର ପ୍ରସାଦ ପାଇଥାଏ । ଜାଣ ସେ କିଏ ? କେହି ଅଙ୍ଗହୀନ ଦେବତା ।” ଧାବକ ଏପରିଭାବେ ଆଖିକୁ ନଚାଇଲା ସତେ ଯେପରି ସେ କେବଳ ସେ ଦେବତାର ଠିକଣା ଜାଣେ । ମୁଁ ପଚାରିଲି, ‘‘କାନ୍ୟ–କୁବ୍‍ଜେଶ୍ଵରଙ୍କୁ ଏ ବୃଦ୍ଧି ନ ଦେଲ କାହିଁକି ?” ସେ କହିଲା–“ହେ ଭଗବାନ, ମଗଧ ଦେଶର ଭକୁଆ ଜୁଟିଛି ଭାଗ୍ୟରେ ! ଆରେ ଗୁରୁ, ଏ ଉତ୍ସବ କଣ ତମ ଭଟ୍ଟିଣୀ ପାଇଁ ହେଉଛି ? ଏ ତ କାନ୍ୟକୁବଜର ବିଦ୍ରୋହୀ ଜନତାକୁ ରାଜଶକ୍ତି ପକ୍ଷରୁ ମନ୍ଦିରା ପିଆଇ ଦିଆଯାଉଛି । ଭଟ୍ଟିଣୀଙ୍କର ସ୍ଵାଗତ ତ ଉପଲକ୍ଷ ମାତ୍ର । ଏଠିକାର ନିର୍ବୋଧ ଜନତାର ଅନୁପ୍ରାସ ସହିତ କି ସମ୍ବନ୍ଧ । ବୁରୁସ୍ମିତା ଓ ବିଦ୍ୟୁଦପାଙ୍ଗର ନୃତ୍ୟ ଯାହା ହେଉନା କାହିଁକି, ସେଠାରେ ମେଳା ଲାଗିଯିବ । ମେଧାତିଥି ଓ ବସୁଭୁତି ମୁଣ୍ଡ ପିଟି ମରିବେ; କାନ୍ୟକୁବ୍‍ଜର ଜନତା ମହାରଜାଧିରାଜଙ୍କର ଯଶଗାନ କରିବେ । ଗୁରୁ, ତୁମେ ଏତିକି ବି ବୁଝିପାରୁନ; ଅଥଚ ଦେବପୁତ୍ର–ନନ୍ଦିନୀଙ୍କର ମନ୍ତ୍ରୀ ହୋଇଛି !” ମୋ ଉପରେ ତାର କଥାର କି ପ୍ରଭାବ ପଡ଼ୁଛି, ସେଥିପ୍ରତି ଧାବକର ଆଦୌ ଭ୍ରୂକ୍ଷେପ ନ ଥାଏ । ସେ ଅନର୍ଗଳ କହି କହି ଚାଲିଥାଏ–“କିନ୍ତୁ ଚାରୁସ୍ମିତା ତା ଉତ୍ତମ ନର୍ତ୍ତକୀ-! ହାବ-ଭାବ-ଭଙ୍ଗୀରେ ସେ ଅଦ୍ଵିତୀୟା । ସାତ୍ଵିକ ଅଭିନୟ ଅବଶ୍ୟ ସେପରି କରିପାରିବ ନାହିଁ, କିନ୍ତୁ ବିଚିତ୍ର ମାଧୁର୍ଯ୍ୟ ଅଛି ତାର ଢଙ୍ଗରେ । ଯେତିକି ସୁନ୍ଦର ବଂଶୀ ବଜାଏ, ସେତିକି ସୁନ୍ଦର ମୃଦଙ୍ଗ ବି । ଆଳସ୍ୟ ତାକୁ ସ୍ପର୍ଶ କରିପାରିନାହିଁ । ତାର ନୃତ୍ୟ ଦେଖିବାର କଥା ଭରତମୁନି ତାକୁ ଦେଖି ଯେପରି ନର୍ତ୍ତକୀର ଗୁଣ ବର୍ଣ୍ଣନା କରିଥିଲେ । ଅର୍ଥରେ, ରୂପରେ, ଗୁଣରେ, ଔଦାର୍ଯ୍ୟରେ, ସୌଭାଗ୍ୟରେ, ଧୈର୍ଯ୍ୟରେ, ବୀର୍ଯ୍ୟରେ ତାର ପ୍ରତିଦ୍ଵନ୍ଦୀ ନାହାନ୍ତି । ସେ ଯେତିକି ମୃଦୁଳ ସେତିକି ମଧୁର; ଯେତିକି ସ୍ନିଗ୍ଧ ସେତିକି ଲୀଳାବତୀ । ଏ ନଗରର ଶୃଙ୍ଗାର ସେ । ବସ୍ତୁତଃ ତାର ନୃତ୍ୟକୁ ତାର ଶୋଭାହିଁ ସୁନ୍ଦର କରେ ।”

 

ମୁଁ ଆହୁରି ଜାଣିବା ଇଚ୍ଛାରେ ପଚାରିଲି–“ଆଚ୍ଛା, ବିଦ୍ୟୁତପାଙ୍ଗଠାରେ କି ଗୁଣ ଅଛି ବନ୍ଧୁ-?” ‘‘ବିଦ୍ୟୁତପାଙ୍ଗର କଥା ଅଲଗା । ସେ ଗାଏ ଭଲ । ରୂପ, ନାଁରୁ ବୁଝିଥିବ । କହନ୍ତି, ଶତ ହୃଦୟ ବିଦ୍ଧ ନ କଲା ପର୍ଯ୍ୟନ୍ତ ଲୋଳକଟାକ୍ଷ ହୃଦୟ-ବିଦ୍ଧକାରୀ ବୋଲି ସିଦ୍ଧ ହୁଏ ନାହିଁ । ବିଦ୍ୟୁଦପାଙ୍ଗ ନିକଟରେ ସେମିତି କିଛି କଟାକ୍ଷ ରହିଛି ।” ମୁଁ ପୁଣି ପଚାରିଲି–‘‘ବିନ୍ଧିସାରିଛ କି କବି ?” ଏଥର ଧାବକ ହସିଉଠିଲା । କହିଲା–“କବି ବିନ୍ଧେ ନାହିଁ; ବିନ୍ଧାଏ । ଅପାଙ୍ଗ-ବାଣରେ ନୁହେଁ, ବ୍ୟଙ୍ଗ-ବାଣରେ ।”

 

ଧାବକ ଏମିତି ହସି ହସି କହିଚାଲିଲା ଅନେକ କିଛି । କେଡ଼େ ବିଚିତ୍ର ସେ ! ତାର ଦୁନିଆ ହେଉଛି ନିର୍ଲିପ୍ତ-ମତାଣିଆ ଦୁନିଆ । ଯେଉଁ କଥାରେ ଅନ୍ୟ କବି ଦ୍ରବିତ ହୁଅନ୍ତି ସେଥିରୁ ମଧ୍ୟ ସେ ତାର ଆପଣାର ମତାଣିଆ ଖାଦ୍ୟ ବାହାର କରିନିଏ । ଯାଉ ଯାଉ ଧାବକ କହିଲା–“ଗୋଟିଏ ବିଷୟରେ ସାବଧାନ ରହିବ ମିତ୍ର ! କାନ୍ୟକୁବ୍‍ଜରେ କାହାକୁ ବିଶ୍ଵାସ କରିବ ନାହିଁ । ତମକୁ ସମସ୍ତେ ଛେଦନ କରିବାକୁ ଚାହିଁବେ । କାନ୍ୟକୁବ୍‍ଜ ବିଚିତ୍ର ଦେଶ; ଏଠି ଥରେ ଢାଳି ବାଜିଲେ ଶେଷ ହୁଏ ନାହିଁ । ଏଠାରେ ଲୋକେ ବିଶ୍ଵ ବିଦ୍ଵାନଙ୍କୁ ତ ଫୁଟୁକିରେ ଉଡ଼ାଇ ଦେଇ–ପାରନ୍ତି ।” ଧାବକ ଯିବା ସମୟରେ ମେତେ ଗାଢ଼ ଆଲିଙ୍ଗନ କରି ବିଦାୟ ନେଲା । ମୁଁ ଅନେକ ଦୂର ତାକୁ ବଳେଇଦେବାକୁ ଗଲି । ତାଠୁଁ ଅନେକ କଥା ଜଣାପଡ଼ିଲା । ଅବଧୃତ ଅଘୋର ଭେରବ ଏଠାରେ ଚଣ୍ଡୀ-ମଣ୍ଡପରେ ଅଛନ୍ତି । ସୂଚରିତା ଓ ବରତିବଜ୍ରଙ୍କ ସାଧନା ବର୍ତ୍ତମାନ ବେଶ୍ ଶାନ୍ତିରେ ଚାଲିଛି । ଉଡ୍‍ଡିୟାନ ପୀଠର ଭଣ୍ଡ ବୈଷ୍ଣବ କୁଆଡ଼େ ଲୋପ ପାଇଗଲାଣି । ମହାରାଜ ରତ୍ନାବଳୀ ନାମରେ ଏକ ନାଟିକା ଲେଖିଛନ୍ତି । ସେଥିରେ ସେ ମାର-ବଧୂମାନଙ୍କର ଶରଣ୍ୟ-ବୋଧି-ସ୍ଥିତ ମୁନୀନ୍ଦ୍ରି 'ବୁଦ୍ଧ)ଙ୍କୁ ପ୍ରାର୍ଥନା କରିବାର ଲେଖିନାହାନ୍ତି; ବରଂ ପାର୍ବତୀ ଓ ଲକ୍ଷ୍ମୀଙ୍କର ନାମ ନେଇ ଶିବ ଓ ହରଙ୍କୁ ପ୍ରାର୍ଥନା କରିଛନ୍ତି । ଧାବକର କେତେକ ଶ୍ଳୋକ ମଧ୍ୟ ସେଥିରେ ଯୋଗ କରାଯାଇଛି । ଅନେକ କଥା ଧାବକଠାରୁ ମିଳିଲା । ତାକୁ ବଳାଇଦେଇ ମୁଁ ଯେତେବେଳେ ଫେରିଲି, ମନରେ ତାରି କଥା ସବୁ ଖେଳିବୁଲୁଥିଲା । କି ସହଜ ଆନନ୍ଦଧାରା ଏ କବିର ସର୍ବାଙ୍ଗକୁ ଘେରି ଉଚ୍ଛ୍ଵସିତ ହେଉଛି ! ଏ କେଉଁ ରସ-ନିର୍ଝର, ଯେଉଁଠୁ ଏତେ ଉମଙ୍ଗ, ଏତେ ଉଲ୍ଲାସ, ଏତେ ନିଃସଙ୍ଗତା ଝରିବାରେ ଲାଗିଛି ? ତାର ନା ଅଛି ବିରୋଧୀ ପକ୍ଷର ସମ୍ଭାବନା ନିମନ୍ତେ ଆଶଙ୍କା, ନା କାହାରିଠାରେ ଭଲ-ମନ୍ଦର ପ୍ରୟୋଜନ । ସତେ ଯେପରି ଏ ପୃଥିବୀରୁ ଆଶାର ରସ ଆଣିବାପାଇଁ ହିଁ ଜନ୍ମ ହୋଇଛି ସେ । ଅପରକୁ ସେଥିରେ ସୁଖ ବା ଦୁଃଖ ମିଳୁ, ସେଥିରେ ତାର ଯାଏ–ଆସେନା-। ଦଳିତ ଇକ୍ଷୁଦଣ୍ଡରୁ କୃଷକ ରସ ଟାଣିନେଲାପରି ସେ ତାର ନିଜର ରସ ସେମିତି ଟାଣିନେବ-!

 

ଧାବକ କହିଛି, ଚାରୁସ୍ମିତାର ନୃତ୍ୟ ହେଉଛି କାନ୍ୟକୁବଜର ବିଦ୍ରୋହୀ ଜନତାକୁ ଆନୁଗତ୍ୟକୁ ଆଣିବାର ଅସ୍ତ୍ର । ଏହା କଣ ସତ୍ୟ ? କେଡ଼େ ମର୍ମନ୍ତୁଦ ସମ୍ବାଦ ଏହା; କିନ୍ତୁ କେଡ଼େ ସହଜଭାବରେ ଧାବକ କହିଗଲା । ମୁଁ ଚାରୁସ୍ମିତାର ଯଶ ଶୁଣିଛି, ଆଜି ଧାବକ ତାର ଗୁଣ କହିଗଲା । ହାୟ, ଏତେ ଗୁଣ–ସମ୍ପତ୍ତି; ଅଥଚ କି ନୀଚ ଉଦ୍ଦେଶ୍ୟରେ ତାର ଉପଯୋଗ କରାଯାଉଛି । ଗଣିକା ନଗରର ଶୃଙ୍ଗାର ନା ଅଙ୍ଗାର ? ଏହା କଣ ଏକ ସଙ୍ଗେ ଅମୃତ ଓ ବିଷର ମିଶ୍ରଣ ? ଶୁଦ୍ରକ ବସନ୍ତସେନାକୁ ପଦ୍ମହୀନ ଲକ୍ଷ୍ମୀ, ଅନଙ୍ଗଦେବତାର ଲଳିତ ଅସ୍ତ୍ର, କୂଳ–ବଧୂମାନଙ୍କର ଶୋକ ଓ ମଦନ ବୃକ୍ଷର ପୁଷ୍ପ କହିଥିଲେ । ଭାଗ୍ୟର କି ଦୂର୍ଲଳିତ ପରିହାସ ! ଯିଏ ଲକ୍ଷ୍ମୀ ସେଇ ଶୋକ; ଯେ ଫୁଲ ସେଇ ମାରଣାସ୍ତ୍ର । ଭଟ୍ଟିଣୀ କହୁଛନ୍ତି, ଯାହାକୁ ମ୍ଳେଚ୍ଛ ମନେ କରୁଛ ତାଙ୍କରି ସ୍ତ୍ରୀଙ୍କ ଭୀତରେ ରାଣୀଠୁଁ ଆରମ୍ଭ କରି ପରିଚାରିକା ପର୍ଯ୍ୟନ୍ତ ଓ ଗଣିକାଠୁଁ ଆରମ୍ଭ କରି ବାର–ବନିତାପର୍ଯ୍ୟନ୍ତ ସହସ୍ର ସ୍ତର ନାହିଁ । ମୋପାଇଁ ଏହା ବିଚିତ୍ର ସମ୍ବାଦ । ମୋର ମନ କହୁଛି, ସ୍ଵର୍ଗ ସେହି ସମାଜରେ ରହିଛି । ଦୁଃଖ–ତାପ, ନିର୍ଯ୍ୟାତନ, ଧର୍ଷଣ, ପରଦାରାଭିମର୍ଶ–ଏସବୁ ବିକୃତ ସମାଜ–ବ୍ୟବସ୍ଥାର ବିକୃତ ପରିଣାମ । ଭଟ୍ଟିଣୀ ଏ କଥା ବୁଝିସାରିଛନ୍ତି । ତାଙ୍କର ରକ୍ତର ଜ୍ଵାଳାରେ ଜଳି ଏ ପବିତ୍ର ଜ୍ୟୋତି ପ୍ରକଟିତ ହୋଇଛି । ମ୍ଳେଚ୍ଛଙ୍କ ମଧ୍ୟରେ ହୁଏତ ଶାସ୍ତ୍ରଚର୍ଚ୍ଚା ନାହିଁ, ଧର୍ମ–ସାଧନାରେ ହୁଏତ ତ୍ରୁଟି ରହିଛି; ସମ୍ଭବତଃ ଦରିଦ୍ରତା ରହିଛି । ଏ କଥା ସୁଧାରି ଦିଆଗଲେ ସେଠାରେ ସ୍ଵର୍ଗ ତିଆରି କରାଯାଇପାରେ । ଏଠାରେ ସ୍ଵର୍ଗ ତିଆରି କରିବା କଠିଣ ? ଏଠି ରହିଛି ସ୍ଵାର୍ଥୀଙ୍କର ସଂଘାତ, ଲୋଭ–ମୋହର ପ୍ରାବଲ୍ୟ । ମହାକବି ଯେଉଁ ଯକ୍ଷଲୋକର କଳ୍ପନା କରିଥିଲେ, ସେଠି ଥିଲା ସମାନ ସାମାଜିକ ମର୍ଯ୍ୟଦା । ଅଶ୍ରୁ ଥିଲା କିନ୍ତୁ ତା କେବଳ ଆନନ୍ଦରେ, ପୀଡ଼ା ଥିଲା କିନ୍ତୁ ପ୍ରେମରେ, ବିୟୋଗ ଥିଲା କିନ୍ତୁ ପ୍ରଣୟ–କଳହରେ । ଜରା–ମୃତ୍ୟୁର କୌଣସି ଚିହ୍ନ ନଥିଲା ସେଠାରେ । ଭଟ୍ଟିଣୀ ଯାହା କିଛି କହୁଛନ୍ତି, ସେଥିରୁ ଜଣାଯାଏ ଗିରିସଂଙ୍କଟ ସେପାଖେ କଳ୍ପଲୋକର ସାକ୍ଷାତ ମିଳି-ପାରିବ । କିନ୍ତୁ ମୋଠିଁ କଣ ସେ ଶକ୍ତି ଅଛି ?

 

ଶୁଣିଛି, ଗିରିସଙ୍କଟ ସେପଟେ ଅତି ଘୃଣିତ ମ୍ଳେଚ୍ଛଜାତି ବାସ କରନ୍ତି । ତାଙ୍କର ବ୍ୟବସାୟ ହେଉଛି ଲୁଣ୍ଠନ, ଧର୍ମ ହେଉଛି ଦେବାୟତନକୁ ଭ୍ରଷ୍ଟ କରିବା । ବ୍ରାହ୍ମଣ ଓ ଶ୍ରମଣଙ୍କୁ ବଧ କରିବାହିଁ ହେଉଛି ତାଙ୍କର ଆମୋଦ, କୁଳବଧୁ ଓ ବାଳିକାଙ୍କୁ ଧର୍ଷଣ କରିବା ହେଉଛି ତାଙ୍କର ବିଳାସ, ହତ୍ୟା ଓ ଅଗ୍ନି ଲଗାଇବା ହେଉଛି ତାଙ୍କର ପାବନ କର୍ତ୍ତବ୍ୟ । ପୁରୁଷପୁରରୁ ସାକେତପର୍ଯ୍ୟନ୍ତ ବିଶାଳ ଜନପଦକୁ ସେମାନେ ରୁନ୍ଧି ଦେଇଛନ୍ତି । ପରମ୍ପରାକ୍ରମେ ମୁଁ ଶୁଣିଆସିଛି ଯେ ମହାକବି ରଘୁବଂଶରେ ବିଧ୍ଵସ୍ତ ଅଯୋଧ୍ୟାର ବର୍ଣ୍ଣନାଛଳରେ ଏହି ନିର୍ଘୃନ୍ୟ ମ୍ଳେଚ୍ଛଙ୍କର କୃକୃତ୍ୟର ବର୍ଣ୍ଣନା କରିଛନ୍ତି । ସେହି ଦାରୁଣ ବିଧ୍ଵଂସ–ଲୀଳାକୁ ସ୍ମରଣ କଲେ ମୋ ରୋମ ଟାଙ୍କୁରିଉଠେ । ଦିନାନ୍ତ–କାଳୀନ ପ୍ରଚଣ୍ଡ ବାତ୍ୟାରେ ଛିନ୍ନ–ଭିନ୍ନ ମେଘ–ପଟଳପରି ନଗରୀଗୁଡ଼ିକ ଶ୍ରୀହୀନ ହୋଇଯାଇଥିଲା । ଯେଉଁ ରାଜପଥରେ ଘନରାତିରେ ମଧ୍ୟ ନିର୍ଭୟ ବିଚରଣକାରୀ ଅଭିସାରିକାମାନଙ୍କର ନୂପୁରର କ୍ଵଣନ ଶୁଣାଯାଉଥିଲା, ସେଠି ଶୃଗାଳଙ୍କର ବିକଟ ରବ ଶୁଣାଗଲା-। ଯେଉଁ ପୁଷ୍କରିଣୀଗୁଡ଼ିକରେ ଜଳକ୍ରୀଡ଼ାକାଳୀନ ମୃଦଙ୍ଗର ମଧୁର ଧ୍ୱନି ଧୂନିତ ହୋଇ ଉଠୁଥିଲା, ତାର ନିର୍ମଳ ଜଳ ବନ୍ୟ ମହିଷଙ୍କଦ୍ଵାରା ଦୁର୍ଗନ୍ଧିତ ହୋଇଗଲା । ମୃଦଙ୍ଗର ତାଳରେ ନାଚିବାରେ ଅଭ୍ୟସ୍ତ ଓ ସୁବର୍ଣ୍ଣ ଯଷ୍ଟି ଉପରେ ବିଶ୍ରାମ କରୁଥିବା କ୍ରୀଡ଼ାମୟୂର ଅରଣ୍ୟର ଆଶ୍ରୟ ନଲେ ଓ ତାଙ୍କର ମୃଦୁଳ ବର୍ହିଭାର ଦାବାଗ୍ନିରେ ପୋଡ଼ିଗଲା । ଅଟ୍ଟାଳିକାର ଯେଉଁ ସିଡ଼ି ଉପରେ ରମଣୀମାନଙ୍କର ସରାଗ ପଦ ସଂଚରିତ ହେଉଥିଲା, ସେଠାରେ ବ୍ୟାଘ୍ରଙ୍କର ରୁଧିରସିକ୍ତ ପାଦର ଗତି ପୂର୍ଣ୍ଣ ହୋଇଗଲା । ପଦ୍ମବନରେ ଅବତୀର୍ଣ୍ଣ ହୋଇ ଯେଉଁ ମଦମତ୍ତ ରାଜକୀୟ ଗଜରାଜମାନେ ମୃଣାଳ-ନାଳଦ୍ଵାରା କରେଣୁକାଗୁଡ଼ିକର ସମ୍ବଦ୍ଧନ କରୁଥିଲେ, ସେମାନେ ସିଂହଦ୍ୱାରା ଆକ୍ରାନ୍ତ ହେଲେ । ସୌଧସ୍ତମ୍ଭ ଉପରେ କାଷ୍ଠନିର୍ମିତ ସ୍ତ୍ରୀ–ମୂର୍ତ୍ତିଗୁଡ଼ିକର ରଙ୍ଗ ଧୂସର ହୋଇଗଲା ଓ ସେଗୁଡ଼ିକ ଉପରେ ଲଟକୁଥିବା ସାପକାତି ଉତ୍ତରୀୟର କାର୍ଯ୍ୟ କଲା । ରାଜମହଲର ଅମଳ–ଧବଳ ପ୍ରାଚୀର କଳା ପଡ଼ିଗଲା ଓ କନ୍ଥର ଫାଙ୍କରୁ ତୃଣାବଳୀ ବାହାରି ପଡ଼ିଲା । ଚନ୍ଦ୍ରକିରଣ ମଧ୍ୟ ସେଗୁଡ଼ିକୁ ପୂର୍ବପରି ଉଦ୍‍ଭାସିତ କରିପାରିଲା ନାହିଁ । ଯେଉଁ ଉଦ୍ୟାନ ଲତାଗୁଡ଼ିକରୁ ବିଳାସିନୀମାନେ ଅତି ସଦୟଭାବରେ ପୁଷ୍ପଚୟନ କରୁଥିଲେ, ତାକୁ ବାନରମାନେ ଅତି ଶୋଚନୀୟଭାବରେ ଛିନ୍ନଭିନ୍ନ କରିଦେଲେ । ଅଟ୍ଟାଳିକାଗୁଡ଼ିକର ଗବାକ୍ଷ ରାତ୍ରିରେ ମଙ୍ଗଲ୍ୟ-ପ୍ରଦୀପରେ କିମ୍ବା ଦିବସରେ ଗୃହ-ଲକ୍ଷ୍ମୀଙ୍କର ମୁଖକାନ୍ତିରେ ଉଦ୍ଭାସିତ ହେଲା ନାହିଁ–ସତେ ଯେପରି ଲଜ୍ଜା ଢାଙ୍କିବା ପାଇଁ ମାଙ୍କଡ଼ସା ଜାଲ ବୁଣିଦେଲା ତା ଉପରେ । ପୂଜନ ସାମଗ୍ରୀ ପଡ଼ିଲା ନାହିଁ ନଦୀର ସୈକତ ଉପରେ; ସ୍ନାନ କର୍ମ ଗଲା ଓ ଉପାନ୍ତ ଦେଶର ବେତସଲତା–କୁଞ୍ଜ ନୀରବ ପଡ଼ିଲା । ଏ ଭଳି ମହାନାଶ ସୃଷ୍ଟି କାରୀ ମ୍ଳେଚ୍ଛଙ୍କଠାରେ ମଧ୍ୟ ମନୁଷ୍ୟର ହୃଦୟ ଅଛି ! ଭଟ୍ଟିଣୀ ଏ କଣ କହୁଛନ୍ତି ? ମନୁଷ୍ୟ ଏତେ ନିର୍ଦ୍ଦୟ, ଏତେ ବୀଭତ୍ସ, ଏତେ କୃର ହେବା କଣ ସମ୍ଭବ ? କିନ୍ତୁ ଭଟ୍ଟିଣୀ କହୁଛନ୍ତି, ତାଙ୍କଠି ମଧ୍ୟ ସେଇ ଏକ ରାଗାତ୍ମକ ହୃଦୟ ରହିଛି ।

 

ଏଭଳି ଚିନ୍ତା–ଜାଲରେ ପଡ଼ି ମୁଁ ବସିଛି, ନିପୁଣିକା ଡାକିଲା । ଆକାଶ ସେତେବେଳକୁ ନୀଳ ମେଘରେ ଢାଙ୍କି ହୋଇଯାଇଥିଲା; ବୃକ୍ଷଙ୍କର କଳ ରେଖା ଉପରେ ମେଘର ଛାୟାପାତ ଯୋଗୁଁ ଦୂରର ବନଭୂମି ଅଧିକ କଳା ହୋଇଆସିଥିଲି । ମନେ ହେଲା, ସତେ ଯେପରି ଆକାଶ ସୂର୍ଯ୍ୟବିମ୍ବକୁ ପାନ କରି ଦେଇଛି । ଦିନ କିଛି ବାକିଥିଲା; କିନ୍ତୁ ଆଲୋକ ନଥିଲା । ସେହି କାଳିମାର ପୃଷ୍ଠଭୂମିରେ ନିକଷ ଗ୍ରୀବା ଉପରେ ଅଙ୍କିତ ସୁବର୍ଣ୍ଣରେଖାପରି କମନୀୟ ଦେଖାଯାଉଥିଲା ନିପୁଣିକା । ଇତି-ମଧ୍ୟରେ ତାର ପାଣ୍ଡୁର କପୋଳ ଆନନ୍ଦର ରସାୟନରେ ଅପୂର୍ବ ସୁନ୍ଦର ହୋଇଉଠିଥିଲା, ତାର ବାଣୀରେ ଆହୁରି ମାଧୁରୀ ଆସିଥିଲା ଓ ନୟନ-କୋରକରେ ଆହୁରି ମେଦୁରତା ଫୁଟିଉଠିଥିଲା । ନିପୁଣିକାକୁ ଦେଖି ମୋତେ ବଡ଼ ଆନନ୍ଦ ଲାଗିଲା । ତାର ଅଧର ଉପରେ ଥିଲା ସ୍ମିତରେଖା, ଲୋଚନରେ ଲୀଳାବିଳାସ ଓ ବାଣୀରେ ଉନ୍ମଦଭାବ । ମୁଁ ପ୍ରସନ୍ନ ହୋଇ କହିଲି–“କଣ କହୁଛୁ ନିଉନିୟା ?” ମୋ ଆଡ଼କୁ ଅନାଇ ସେ କହିଲା–“ଭଟ୍ଟିଣୀ ଯାହା କହିଲେ, ତାର ଅର୍ଥ ତୁମେ ବୁଝିପାରିଛ ?” ମୁଁ କହିଲି–“ଭଟ୍ଟିଣୀ ଅନେକ କଥା କହିଛନ୍ତି, କେତେକର ଅର୍ଥ ବୁଝିଛି, କେତେକର ବୁଝିନି, କେତେକର ବୁଝିବାପାଇଁ ଚେଷ୍ଟା କରୁଛି ।” ନିପୁଣିକା ହସି ହସି କହିଲା–“ନା ନା, ମୁଁ ସବୁର ଅର୍ଥ ପଚାରୁନାହିଁ । ମହାରାଜାଧୀରାଜଙ୍କ ଯୋଗ୍ୟ କିଛି କରିବାକୁ ସେ ଯେଉଁ ଆଦେଶ ଦେଇଛନ୍ତି, ମୁଁ ତାରି ଅର୍ଥ ପଚାରୁଛି ।” ନାନା ଚିନ୍ତାରେ ସେକଥା ଭୁଲି ଯାଇଥିଲି । ସେ ବିଷୟରେ କିଛି ଚିନ୍ତା କରି ନଥିଲି । ନିପୁଣିକାର ପ୍ରଶ୍ନର କି ଉତ୍ତର ଦେବି, ବୁଝିପାରିଲି ନାହିଁ । ମୋତେ ଚିନ୍ତିତ ଦେଖି ସେ କହିଲା–“ବିଚଳିତ ହେବାର କିଛି ନାହିଁ । ମୁଁ କହି ଦେଉଛି । ତୁମକୁ ଅଭିନୟର ଅଭ୍ୟାସ କରିବାକୁ ପଡ଼ିବ; ଆଉ ମୋତେ ବି । ମୋ ମୁହଁରୁ ଭଟ୍ଟିଣୀ ତୁମର ଅଭିନୟ–କୌଶଳର ଅନେକ କଥା ଶୁଣିଛନ୍ତି । ତୁମର ମନୋହର ଅଭିନୟ ଦେଖିବା ହେଉଛି ତାଙ୍କର ପ୍ରଚ୍ଛନ୍ନ ଅଭିଳାଷ । ତୁମର ଏ କବିମିତ୍ର କହୁଥିଲେ ମହାରାଜାଧିରାଜ ନୂଆ କୌଣସି ନାଟିକା ଲେଖିଛନ୍ତି । ରଙ୍ଗମଞ୍ଚରେ ତାକୁ ଅଭିନୀତ କରିବାର ଆୟୋଜନ କରାଗଲେ କିପରି ହେବ ?” ନିପୁଣିକା ମୋତେ ଏକ ନୂଆ ଚିନ୍ତାରେ ପକାଇଦେଲା । ଅଭିନୟ ବ୍ୟାପାରକୁ ତ ଅନେକ ଦିନୁ ଛାଡ଼ିସାରିଛି । ତା ଛଡ଼ା ଭଟ୍ଟିଣୀଙ୍କ ଆଗରେ ଅଭିନୟ କରିବା ତ ଏକବାରେ ଅସମ୍ଭବ-! କିନ୍ତୁ ଯଦି ତାହାହିଁ ତାଙ୍କର ଅଭିଳାଷ ତା’ହେଲେ ଅସାଧ୍ୟରେ କୁଦିବାକୁହିଁ ପଡ଼ିବ । ମୁଁ ଆହୁରି ଅଧିକ ଜାଣିବା ଉଦ୍ଦେଶ୍ୟରେ ପଚାରିଲି–“ରଙ୍ଗ-ଭୂମି ଉପରେ ଏବେ ମଧ୍ୟ ଓହ୍ଲାଇବାର ସାହସ ଅଛି ତୋର, ନିଉନିୟା ?” ନିପୁଣିକା ଆଖି ତଳକୁ କରିଦେଲା । କ୍ଷଣକମଧ୍ୟରେ ତାରି ହସ ଲୁପ୍ତ ହୋଇଗଲା; ଏକ ଦୀର୍ଘ ନିଃଶ୍ଵାସ ତାର ପଣ୍ଡୁର ମୁଖମଣ୍ଡଳକୁ ଧୂମଳ କରିଦେଲା, କହିଲା–ଅଭିନୟହିଁ ତ କରିଆସୁଛି । ଯାହା ବାସ୍ତବ ତାକୁ ଦାବିଦେବା ଓ ଯାହା ଅବାସ୍ତବ ତାର ଆଚରଣ କରିବା–ଏଇ ତ ଅଭିନୟ । ସାରା ଜୀବନ ଏହି ଅଭିନୟ କରିଛି ଉପରେ ଓହ୍ଲାଇ ପଡ଼ିଲେ କ୍ଷତି କଣ ?” ନିପୁଣିକା କରତି ଦେଲା । ସତରେ କଣ ଏ ଜୀବନ ଅଭିନୟ ବନ୍ଧନ, ଶ୍ଵାସ-ଶ୍ଵାସର ଦମନ, ଅଭିନୟ ନୁହେଁ ତ ଆଉ ଏଥିପାଇଁ ଦୁଃଖୀ; କିନ୍ତୁ ଏହା ଛାଡ଼ିବ କିପରି ? କ୍ଷଣକ ଜୀବନର ଏହି ବନ୍ଧନ ଜଡ଼ିମା ଭିତରକୁ ଚାଲିଗଲା; ମୁଁ ତାର ଉତ୍ତମ ତାତ୍ପର୍ଯ୍ୟ ମଧ୍ୟ ବୁଝିପାରିଲି । ଏ ବନ୍ଧନ ହିଁ ଚାରୁତା ସଂଯମ, ସୁରୁଚି । ନିପୁଣିକା ବ୍ୟର୍ଥରେ ବିଚଳିତ ବନ୍ଧା ହୋଇଥିବା ଜୀବନ–ସରିତାହିଁ ଗତିଶୀଳ ମଧୁର ହୁଏ । ନା, ନିଉନିୟା, ବନ୍ଧନ ହିଁ ସୌନ୍ଦର୍ଜ୍ୟ ଆତ୍ମ-ଦମନହିଁ ସୁରୁଚି, ବାଧାହିଁ ମାଧୁର୍ଯ୍ୟ । ନହେଲେ ଏ ଜୀବନ ହୋଇଯାନ୍ତି । ବାସ୍ତବିକତା ନଗ୍ନରୁପରେ ପ୍ରକଟିତ ହୋଇ କୁତ୍ସିତ ହୋଇ ଯାଏ । ଉଦ୍ଦୀପିତ ଦୀପଶିଖା ଯେପରି ଅନ୍ଧକାରକୁ ଦୂର କରିଦିଏ, ଏହି ଛୋଟ କଥାଟି ଯେପରି ମୋର ହୃଦୟକୁ ପ୍ରକାଶିତ କରିଦେଲା । ମ୍ଳେଚ୍ଛ ଜାତିରେ ଏ ସଂଯମର ଅଭାବ ରହିଛି, ଆତ୍ମ ନିୟନ୍ତ୍ରଣର ତ୍ରୁଟି ରହିଛି । ଏହାହିଁ ହେଉଛି ସେମାନଙ୍କ ପକ୍ଷରେ ଆବଶ୍ୟକ ଭାରତବାସୀ ସମାଜ-ବନ୍ଧନକୁ ସତ୍ୟ ମାନି ସଂସାରକୁ ଖୁବ୍ ବଡ଼ ଜିନିଷ ଦେଇଛନ୍ତି । ଆମେ ଦିହେଁ ଅନେକ ସମୟପର୍ଯ୍ୟନ୍ତ ମୌନ ହୋଇ ବାହାରେ ଘନ ଘୋର ବର୍ଷା ହେଉଥିଲା; ଭିତରେ–ପ୍ରବାହ ତୀବ୍ର ବେଗରେ ପ୍ରବାହିତ ହେଉଥିଲା । ଏତିକିବେଳେ ମଧୁର କୋମଳ କଣ୍ଠରେ ସମସ୍ତ ଶୂନ୍ୟତାକୁ ପୂର୍ଣ୍ଣ କରି ଭଟ୍ଟିଣୀ ମହାବରାହଙ୍କ ସ୍ତୁତି ପଢ଼ିଲେ–

 

“ଜଳୌଧମଗ୍ନା ସଚରାଚର ଧରା ବିଷାଣକୋଟ୍ୟାଽଖିଳ ବିଶ୍ଵମୂର୍ତ୍ତିନା,

ସମୃଦ୍ଧୃତା ଯେନ ବରାହରୂପିଣା, ସମେ ସ୍ଵୟଂ ଭୁର୍ଭଗବାନ ପ୍ରସାଦତୁ ।”

 

ଆମର ଧ୍ୟାନ ଭାଙ୍ଗିଗଲା । ଭଟ୍ଟିଣୀଙ୍କର ପୂଜା ସମାପ୍ତ ହୋଇଛି ନିପୁଣିକା ସତେ ଯେପରି ନିଦରୁ ଉଠିଲା । କହିଲା–‘‘ହଁ ଭଟ୍ଟ, ବନ୍ଧନହିଁ ମାଧୁର୍ଯ୍ୟ !” ସେ ଭଟ୍ଟିଣୀଙ୍କ ପାଖକୁ ଚାଲିଗଲା ।

Image

 

Unknown

ଉନବିଂଶ ପରିଚ୍ଛେଦ

 

ମହାରାଜାଧିରାଜ ଶ୍ରୀହର୍ଷବର୍ଦ୍ଧନ ଓ ମହାରାଣୀ ରାଜଶ୍ରୀଙ୍କ ସହିତ ସାକ୍ଷାତ୍ କରି ଭଟ୍ଟିଣୀ ବିଶେଷ ପ୍ରସନ୍ନ ହେଲେ । ମହାରାଜାଙ୍କର ସୌଜନ୍ୟ ଓ ସ୍ନେହ ତାଙ୍କର ହୃଦୟକୁ ଜୟ କଲା । ବାସ୍ତବିକ ସେ ତାଙ୍କର ଭଉଣୀ ହୋଇଗଲେ । ମହାରାଣୀ ରାଜ୍ୟଶ୍ରୀଙ୍କର ଆଜ୍ଞାରେ ମୁଁ ବୃଦ୍ଧ ବାଭ୍ରବ୍ୟଙ୍କୁ ଭଟ୍ଟିଣୀ ନିକଟକୁ ଆଣିଲି । ବୃଦ୍ଧ ସେପର୍ଯ୍ୟନ୍ତ ଜାଣିନଥିଲେ ଯେ ଯେଉଁ ଦେବପୁତ୍ର–ନନ୍ଦିନୀଙ୍କୁ ସ୍ଵାଗତପାଇଁ ସାରା ସାମ୍ରାଜ୍ୟ ଉନ୍ମତ୍ତ, ସେ ଦିନେ ଥିଲେ ତାଙ୍କରି ଶାସନରେ ଆବଦ୍ଧ ଅପହୃତା ରାଜକୁମାରୀ । ମାର୍ଗରେ ସେ ମୋତେ କେତେ କଥା ପଚାରିଲେ–“ଭଦ୍ର, ଦେବପୁତ୍ର ନନ୍ଦିନୀ ମୋତେ କାହିଁକି ଡାକିଛନ୍ତି ?” କି ସୁନ୍ଦର ବୃଦ୍ଧଙ୍କର ସରଳତା ! ମୁଁ ମଧ୍ୟ ଆଶ୍ଚର୍ଯ୍ୟ ଭାବ ଦେଖାଇ କହିଲି–“ହଁ ଆର୍ଯ୍ୟ, ମୋତେ ବି ଆଶ୍ଚର୍ଯ୍ୟ ଲାଗୁଛି, ଦେବପୁତ୍ର-ନନ୍ଦନୀ ଆପଣଙ୍କୁ କାହିଁକି ଡକାଇଛନ୍ତି !” ଶେଷରେ ସେ ନିଜେ ସମାଧାନ କରିଦେଲେ । କହିଲେ–“ଦୁର୍ଭାଗ୍ୟର ପରିହାସ, ଭଦ୍ର ! କୋଡ଼ିଏ ବର୍ଷହେଲା ମୌଖରି–ରାଜକୁଳର ଅନ୍ତଃପୁରରେ କଞ୍ଚୁକୀର କାର୍ଯ୍ୟ କରିଆସୁଛି । ମୌଖରି-ବଂଶର ଅନ୍ନ ଶେଷରେ କାଢ଼ିନେବାପାଇଁ ଭାଗ୍ୟ ନିର୍ଣ୍ଣୟ କରିଛି । ମୋ ଉପରେ ଏଣିକି କିଏ ବିଶ୍ଵାସ କରିବ ? ଅନ୍ତଃପୁର ରକ୍ଷରେ ମୁଁ ନିଜର ଅଯୋଗ୍ୟତାର ପରିଚୟ ଦେଇସାରିଛି । ଜଣାପଡ଼ିଛି, ମହାରାଣୀଙ୍କ ବିଶ୍ଵାସ ମଧ୍ୟ ମୋଉପରୁ ତୁଟିଗଲାଣି । ଏ ବୃଦ୍ଧ ବୟସରେ ପୁରୁଷପୁର ଯିବାକୁ ପଡ଼ିବ କିମ୍ବା ଗିରିସଂକଟର ସେପାଖକୁ ଯିବାକୁ ପଡ଼ିବ, କିଏ ଜାଣେ ?” ବୃଦ୍ଧଙ୍କର ଆଖି ସଜଳ ହୋଇଗଲା । କେଡ଼େ ଦ୍ରାବକ ଥିଲା ମୌଖରି-ବଂଶର ଅନ୍ନ !

 

ସ୍କନ୍ଧାବାରର ବାହାର ଅଳିନ୍ଦରେ ବୃଦ୍ଧଙ୍କୁ ବସାଇ ମୁଁ ଭଟ୍ଟିଣୀଙ୍କୁ ସମ୍ବାଦ ଦେବାକୁ ଯାଉଛି, ନିପୁଣିକା ଆସି ପହଞ୍ଚିଗଲା । ସେ ଗଳାରେ ଅଞ୍ଚଳ ଘେରାଇ ଜାନୁପାତ କରି ବୃଦ୍ଧଙ୍କୁ ପ୍ରଣାମ କଲା । ବୃଦ୍ଧଙ୍କର ଶିଥିଳ ଦୃଷ୍ଟି ପ୍ରଥମେ ତାକୁ ଚିହ୍ନିପାରିଲା ନାହିଁ, କିନ୍ତୁ ପ୍ରଣାମ କରି ସେ ଯେତେବେଳେ ଉଠିଲା, ବୃଦ୍ଧ ଚିହ୍ନି ପାରିଲେ । କ୍ଷଣକ ମଧ୍ୟରେ ତାଙ୍କର ମୁଖ-ମଣ୍ଡଳ ବିବର୍ଣ୍ଣ ହୋଇଗଲା । ସେ ଭୟଜଡ଼ିତ ସ୍ଵରରେ କହିଲେ–“ନିଉନିୟା, ତୁ !” ବୃଦ୍ଧଙ୍କର ମନୋଦଶା ଦେଖି ନିପୁଣିକା ତାଙ୍କୁ ଆଶ୍ଵସ୍ତ କରି କହିଲା–“ହଁ, ମୁଁ ଆର୍ଯ୍ୟ ! କିନ୍ତୁ ଆପଣ ଏତେ ବିବର୍ଣ୍ଣ କାହିଁକି ହେଲେ-? ଚାଲନ୍ତୁ, ଆପଣଙ୍କୁ ଭଟ୍ଟିଣୀଙ୍କ ପାଖକୁ ନେଇଯାଉଛି ।” ବୃଦ୍ଧଙ୍କୁ ଯେପରି ବୃଶ୍ଚିକ ଦଶନ କଲା । ଚକିତ ହୋଇ ପଚାରିଲେ–“ଭଟ୍ଟିଣୀ !” ନିପୂଣିକା କହିଲା–“ହିଁ ଆର୍ଯ୍ୟ, ଭଟ୍ଟିଣୀ ତ ଆପଣଙ୍କୁ ଡାକିଛନ୍ତି ।” ବୃଦ୍ଧଙ୍କର ଶରୀର ସ୍ଵେଦଯୁକ୍ତ ହୋଇଗଲା । ସେ କିଛି ବୁଝିବାପାଇଁ ଚେଷ୍ଟା କଲେ; କିନ୍ତୁ ଆଖିର ଜଡ଼ିମାରୁ ଷ୍ପଷ୍ଟ ଜଣାପଡ଼ୁଥିଲା ସେ କିଛି ବୁଝୁନାହାନ୍ତି । ସେ ବ୍ୟସ୍ତ ହୋଇ ପୁଣି ପଚାରିଲେ–“କଣ କହଛୁ ନିଉନିୟା ? ଭଟ୍ଟିଣୀ କିଏ ?” ନିଉନିୟା ଧୀରଭାବରେ କହିଲା–“ବ୍ୟସ୍ତ ହୁଅନ୍ତୁ ନାହିଁ ଆର୍ଯ୍ୟ ! ଦେବପୁତ୍ର–ନନ୍ଦିନୀଙ୍କ ପାଖକୁ ଆପଣଙ୍କୁ ନେଇଯାଉଛି ।” ବୃଦ୍ଧ ସନ୍ଦେହ-ଦୃଷ୍ଟିରେ ମୋତେ ଦେଖିଲେ ଓ ଅନିଚ୍ଛାରେ ନିପୁଣିକା ସହିତ ଭିତରକୁ ଗଲେ ।

 

ବୃଦ୍ଧଙ୍କୁ ଦେଖି ଭଟ୍ଟିଣୀଙ୍କର ବଡ଼ ବଡ଼ ଆକ୍ଷିରେ ଅଶ୍ରୁ ଭରିଆସିଲା । ଅତି ସ୍ନେହରେ ସେ ତାଙ୍କୁ ପ୍ରଣାମ କଲେ । ବୃଦ୍ଧ ଏଭଳି ଦ୍ଵିଧାରେ ପଡ଼ିଲେ ଯେ ସେ ତାଙ୍କୁ ପ୍ରଣାମର ଉତ୍ତର ମଧ୍ୟ ଦେଇପାରିଲେ ନାହିଁ । ଅତ୍ୟନ୍ତ ଆଶ୍ଚର୍ଯ୍ୟରେ ସେ ପାଟି କରିଉଠିଲେ–“ଜୟ ଭାବୀ ମହାଦେବୀଙ୍କର ଜୟ ହେଉ !” ଭଟ୍ଟିଣୀଙ୍କର କପୋଳ–ପାଳିରେ ଦରବିଗଳିତ ଅଶ୍ରୁଧାରା ବୋହିଗଲା । ବୃଦ୍ଧ କିଛି ବୁଝିପାରି କହିଲେ–“ଅପରାଧ ମାର୍ଜନା ହେଉ ଦେବୀ, ଅଭ୍ୟାସବଶତଃ ଯଦି ମୁଁ କିଛି କହି–ଯାଏ ତାହାହେଲେ କ୍ଷମା କରିବେ । ଛୋଟ–ରାଜକୁଳର ଭାବୀ ମହାଦେବୀଙ୍କୁ ଚିହ୍ନିବାରେ ମୋର ଭୁଲ ହେଉନାହିଁ ତ ? ଦେବୀ, ମୌଖରିଙ୍କର କଞ୍ଚୁକୀର ସାରା ଜୀବନର ଉପାର୍ଜନ ମୁଁ ନଷ୍ଟ କରିସାରିଛି । ଆଜି ମହାଦେବୀଙ୍କୁ ଦେଖି ମୁଁ ବୁଝିପାରୁନାହିଁ ପ୍ରସନ୍ନ କିମ୍ବା ବିବର୍ଣ୍ଣ ହେବି । ଦେବୀ, ଶିଥିଳାଙ୍ଗ ବୃଦ୍ଧ ଦୟାର ପାତ୍ର । ମୁଁ ଅଧିକ ଜାଣିବାକୁ ଇଚ୍ଛା କରୁଛି ।” ଭଟ୍ଟିଣୀ କିଛି ଉତ୍ତର ଦେଲେ ନାହିଁ । ନିପୁଣିକା ମଧ୍ୟ ନାନାସ୍ମୃତିର ଆକସ୍ମିକ ଉଦ୍ରେକରେ ହତଚେଷ୍ଟ ହୋଇଗଲା । ଶେଷରେ ମୁଁ କହିଲି–“ଆର୍ଯ୍ୟ ବାଭ୍ରବ୍ୟ ଚକିତ ହୋଇ କାହିଁକି ଦେଖିଛନ୍ତି ? ଆପଣଙ୍କ ସମ୍ମୁଖରେ ଦେବପୁତ୍ର–ନନ୍ଦିନୀହିଁ ବିରାଜମାନ । ଏହାଙ୍କୁହିଁ ମୌଖରିଙ୍କର ଛୋଟ ମହାରାଜା ଅନ୍ତଃପୁରରେ ବଳାତକାରରେ ବନ୍ଦୀ କରିଥିଲା । ଭାବୀ ମହାଦେବୀ କହି ଆପଣ ବୃଥାରେ ଅତ୍ରଭବତୀଙ୍କୁ କଷ୍ଟ ଦେଉଛନ୍ତି । ନିଉନିୟାକୁ ସାଧୁବାଦ ଦିଅନ୍ତୁ, ତାରି ସାହସର ପ୍ରଭାବଯୋଗୁଁ ଆଜି ଆର୍ଯ୍ୟାବର୍ତ୍ତ ବିନାଶର ଗହ୍ଵରରେ ପତିତ ହେବାରୁ ରକ୍ଷା ପାଇବାର ଆଶା ରଖିଛି ।” ଏତିକି ଶୁଣିଲାପରେ ବୃଦ୍ଧଙ୍କର ବିସ୍ମୟ–ବିମୂଢ଼ତା କିଛି କମିଗଲା । ସେ ନିଜକୁ ପ୍ରକୃତିସ୍ଥ କରିବାରେ କୃତକାର୍ଯ୍ୟ ହେଲେ । ଗଦଗଦ କଣ୍ଠରେ ଆଶୀର୍ବାଦ ଦେଇ ସେ ଭଟ୍ଟିଣୀଙ୍କ ମୁଣ୍ଡରେ ହାତ ବୁଲାଇଲେ ଓ କହିଲେ–“ଖୁସି ହେଉଛ ଝିଅ, ଆଜି ମୋର ପରିତାପ ଧୌତ ହୋଇଗଲା । ମୌଖରିଙ୍କର ଅନ୍ତଃପୁରର ମାନରକ୍ଷା ନ କରିବାର କ୍ଷୋଭ ଆଜି ମୋ ମନରୁ ଦୁର ହୋଇଗଲା । କୋଡ଼ିଏ ବର୍ଷହେଲା ମୁଁ କଞ୍ଚୁକ ଧାରଣ କରିଛି । ଏଇ ଦୀର୍ଘ ଅବଧିରେ କେବଳ ଦୁଇଥର ମୋତେ କର୍ତ୍ତବ୍ୟରୁ ଚ୍ୟୁତ ହେବାର ଅପରାଧ ସ୍ଵୀକାର କରିବାକୁ ପଡ଼ିଛି । କିନ୍ତୁ ତ୍ରିପୁର–ଭୈରବୀଙ୍କର ବିଚିତ୍ର ମାୟା–ଦୁଇବାରହିଁ ମୋର ଅପରାଧ ଫଳରେ ବୃହତ୍ତର ଜଗତକୁ ଲାଭ ହୋଇଛି । ପଛ କେତେ ମାସ ମୁଁ ବଡ଼ ଅନୁତାପରେ କଟାଇଛି । ମୋର ସର୍ବଦା ମନେ ହେଉଥିଲା, ଅନ୍ତିମ ଜୀବନରେ ମୁଁ ଯେପରି କଳଙ୍କ ଲଗାଇଛି, କିନ୍ତୁ ତୁମର ପରିଚୟ ପାଇ ଆଶ୍ଵସ୍ତ ହୋଇଛି । ତ୍ରିପୁରସୁନ୍ଦରୀଙ୍କ ମାୟାକୁ କିଏ ବୁଝିପାରେ ?”

 

ଭଟ୍ଟିଣୀ ବୃଦ୍ଧଙ୍କୁ ଆସନ ଗ୍ରହଣ କରିବାପାଇଁ ସଙ୍କେତ ଦେଲେ । ତାଙ୍କର ଗଳା ସେପର୍ଯ୍ୟନ୍ତ ରୁଦ୍ଧ ଥିଲା । ବୃଦ୍ଧ ଆସନ ଗ୍ରହଣ କଲାପରେ ଆମେ ସମସ୍ତେ ଆସନ ଗ୍ରହଣ କଲୁ । ତାଙ୍କ ଆଖିରେ ସ୍ନେହ–ଜଳ ଭରିଆସିଲା । ସେ ଅନେକ ସମୟପର୍ଯ୍ୟନ୍ତ ଭଟ୍ଟିଣୀଙ୍କୁ ଅନାଇ ରହିଲେ । ଇତିମଧ୍ୟରେ ନିପୁଣିକା ପ୍ରକୃତିସ୍ଥ ହୋଇଯାଇଥିଲା । ସେ ଗଦ୍‍ଗଦ୍ କଣ୍ଠରେ କହିଲା–“ବିଶ୍ଵାସଘାତିନୀ ନିପୁଣିକା କ୍ଷମା ମାଗିବାର ବି ଯୋଗ୍ୟା ନୁହେଁ ଆର୍ଯ୍ୟ ! କିନ୍ତୁ ମୋର ଅନ୍ତରାତ୍ମା ଆଜିପର୍ଯ୍ୟନ୍ତ ମୋତେ ଏ ବିଶ୍ଵାସଘାତକତା ପାଇଁ ଦୋଷୀ ବୋଲି କହି ନାହିଁ । ଆର୍ଯ୍ୟଙ୍କୁ ସଂକଟରେ ଛାଡ଼ିଦେବାର ଦୁଃଖ ମୋର ବହୁତ ଥିଲା ଓ ମୋଠାରୁ ଅଧିକ ଥିଲା ଭଟ୍ଟିଣୀଙ୍କର । ପ୍ରଥମ ସୁଯୋଗ ମିଳିଲାମାତ୍ରେ ଭଟ୍ଟିଣୀ ଆପଣଙ୍କୁ ରକ୍ଷା କରିବାପାଇଁ ପ୍ରଯତ୍ନ କରିଥିଲେ । କିନ୍ତୁ ଆପଣଙ୍କୁ କଷ୍ଟ ତ ନିଶ୍ଚୟ ହୋଇଛି ଆର୍ଯ୍ୟ !” ବୃଦ୍ଧଙ୍କର ଆଖିରେ ଅଶ୍ରୁ ଆସିଲା । କହିଲେ ‘‘ମୋତେ ଯଦି ଜୀବିତ ଜଳାଇ ଦିଆଯାଇଥାନ୍ତା, ଏତେ କଷ୍ଟ ହୋଇ ନ ଥାନ୍ତା ଝୁଅ ଯେତେ ମୁଁ ପଶ୍ଚାତ୍ତାପ–ଅଗ୍ନିରେ ଜଳିକରି ପାଇଛି । ହାୟ, କୁମାର କୃଷ୍ଣଙ୍କ ଘରକୁ ହଠାତ୍ ମୋତେ ଯେତେବେଳେ ଡାକି ନିଆଗଲା କେହି ଯଦି ସେତେବେଳେ ଦେବପୁତ୍ର–ନନ୍ଦିନୀଙ୍କର ପରିଚୟ ଦେଇଥାନ୍ତେ ତା’ହେଲେ ପରିତାପର ଅଗ୍ନିରେ ମୁଁ ଏପରି ଜଳି ନଥାନ୍ତି ।” ଭଟ୍ଟିଣୀ ପଚାରିଲେ, ‘‘ଆର୍ଯ୍ୟଙ୍କୁ କଣ କିଛି ଦଣ୍ଡ ଦିଆଯାଇଥିଲା ?” ବୃଦ୍ଧ ଉତ୍ତର ଦେଲେ, ‘‘ଦଣ୍ଡ କେଉଁଠି ଦିଆଗଲା ଝିଅ; ମୁଁ ବୁଝିପାରିଲି ନାହିଁ ଏତେବଡ଼ ଅପରାଧପାଇଁ ମୋତେ ଶୁଳ–ବିଦ୍ଧ କାହିଁକି କରା ନଗଲା ।”

 

କିଛି ସମୟ ପର୍ଯ୍ୟନ୍ତ ଆଖି ବନ୍ଦ କରି ବୃଦ୍ଧ କଣ ଭାବିବାକୁ ଲାଗିଲେ । ପୁଣି ଭଟ୍ଟିଣୀଙ୍କୁ ଅନାଇ କହିଲେ–“ମା, ତୁମେ ଚାଲିଆସିବା ପରଠୁଁ ମୁଁ ବିଶେଷ ଦୁଃଖୀ ହୋଇ ରହିଲି । ମୋର ବରାବର ମନେ ହେଉଥିଲା, ମୁଁ ନିଜର ଅନ୍ନଦାତାର ସେବାରେ ତ୍ରୁଟି କରିଛି; ତୃଷାନଳରେ ଜଳି ସୁଦ୍ଧା ମୋର ପାପର ପ୍ରାୟଶ୍ଚିତ୍ତ ହେବ ନାହିଁ ! କିନ୍ତୁ, ଦେବୀ, ମା, ଆଜି ମୋର ମନେ ହେଉଛି ମୋର ବିଶ୍ଵାସ ପରିବର୍ତ୍ତିତ ହୋଇଛି । ପନ୍ଦର ବର୍ଷ ପୂର୍ବେ ତାନ୍ତ୍ରିକ ଯୋଗୀ ଯେଉଁ ଭବିଷ୍ୟତବାଣୀ କହିଥିଲେ, ତାହା ଅକ୍ଷରେ ଅକ୍ଷରେ ସତ୍ୟସିଦ୍ଧ ହେଉଛି । ସଂଭବତଃ ମୁଁ ଆଜି ଜୀବନର ବଡ଼ ସତ୍ୟ ଦେଖିପାରୁଛି । ମୋର ସମୁଦାୟ ଶରୀର ରୋମାଞ୍ଚିତ ହୋଇଉଠୁଛି ।”

 

ଭଟ୍ଟିଣୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ–“ତାନ୍ତ୍ରିକ ଯୋଗୀ କଣ କହିଥିଲେ ଆର୍ଯ୍ୟ ?” ବୃଦ୍ଧଙ୍କର ଅଙ୍ଗ ଅବଶ ହୋଇଆସିଲା । ଭଟ୍ଟିଣୀ ନିପୁଣିକାକୁ ଅନାଇଲେ । ନିପୁଣିକା ଶୀଘ୍ର ଯାଇ କିଛି ଦୁଧ ଆଣି ଫେରିଆସିଲା । ଦୁଧ ପିଇବାପରେ ବୃଦ୍ଧଙ୍କର କିଛି ଚେତନା ହେଲା । ଧୀରେ ଧୀରେ ପଙ୍ଖାକରିବାକୁ ଲାଗିଲା ନିପୁଣିକା । ବୃଦ୍ଧ ଆରମ୍ଭ କଲେ–“କୋଡ଼ିଏ ବର୍ଷ ପୂର୍ବେ ମୁଁ କଞ୍ଚୁକ ଧାରଣ କରିଥିଲି । ଆରମ୍ଭରୁ ମୁଁ ମୌଖରି–ନରେଶଙ୍କ ଅନ୍ତଃପୁରରେ କଞ୍ଚୁକୀ–ପଦରେ ନିଯୁକ୍ତ ହେଲି । ସେତେବେଳେ ମୁଁ ସତୁରି ବର୍ଷର ବୃଦ୍ଧ ହୋଇଥିଲି ସତ କିନ୍ତୁ ଏ ନାଡ଼ିରେ ଶକ୍ତି ଥିଲା । କଣ କହିବି ଝୁଅ, ରାଜାଙ୍କ ଅବରୋଧ–ଗୃହରେ ବେତ୍ର–ଯଷ୍ଟି ଧାରଣ କରିବାହିଁ ହେଉଛି ନିୟମ । ସେତେବେଳେ ମୁଁ ଏ ବେତ୍ର–ଯଷ୍ଟିକୁ ଆଚାର ମନେ କରି ଧାରଣ କରିଥିଲି । ବର୍ତ୍ତମାନ ଶରୀରରେ ପ୍ରାଣଶକ୍ତି କ୍ଷୀଣ ହୋଇଛି ଓ ସେହି ବେତ୍ର–ଯଷ୍ଟି ଭରା–ଦେବାର ଲାଠି ହୋଇଛି । ଛୋଟ–ରାଜକୁଳରେ କେବଳ ପାଞ୍ଚ ବର୍ଷ ହେଲା ରହିଛି । ଏହି କୋଡ଼ିଏ ବର୍ଷରେ ଅବରୋଧ–ଗୃହକୁ କେତେ ଯେ ବାଳାଙ୍କୁ ଅଣାଯାଇଛି ! ମୁଁ ସମସ୍ତଙ୍କୁ ସେହିଭଳି ସମ୍ମାନ ସହିତ ସ୍ଵାଗତ କରିଛି, ଯାହା ମୌଖରି–ବଂଶର କୁଳବଧୂର ଯୋଗ୍ୟ । ଏହାହିଁ ହେଉଛି ମୋର ପିତୃ–ପିତାମହଙ୍କ ଶିକ୍ଷା । କୌଣସି ବାଳାର ପରିଚୟ ଜାଣିବାପାଇଁ ମୁଁ ପ୍ରଯତ୍ନ କରିନାହିଁ । ମୋପାଇଁ ତାଙ୍କର ଗୋଟିଏ ହିଁ ପରିଚୟ–ସେମାନେ ମୌଖରି–ବଂଶର କୁଳବଧୂ । ଜୀବନରେ କେବଳ ଦୁଇଟି ଅବସର ଆସିଥିଲା ଯେତେବେଳେ ମୋତେ ଅନିଚ୍ଛାପୂର୍ବକ ଏହି କୁଳବଧୂଙ୍କର ପୂର୍ବ ଜୀବନର କଥା ଜାଣିବାକୁ ପଡ଼ିଥିଲା । ଗୋଟିଏ ହେଉଛି ଆଜି ଓ ଅନ୍ୟଟି ଆଜିଠୁଁ ପନ୍ଦର ବର୍ଷ ପୂର୍ବେ ।”

 

ଏକପ୍ରକାର ନୂଆ ଜ୍ୟୋତି ଦେଖାଗଲା ବୃଦ୍ଧଙ୍କ ଆଖିରେ । ସେ କାଶି ଗଳା ସଫାକଲେ ଓ କହିଲେ–“ଆଜିଠୁଁ ପନ୍ଦର ବର୍ଷ ପୂର୍ବେ ଗ୍ରହବର୍ମାଙ୍କ ଅନ୍ତଃପୁରରେ ଏଭଳି ଏକ ଘଟଣା ଘଟିଥିଲା, ଯାହା ସାଧାରଣତଃ ରାଜକୀୟ ଅବରୋଧ–ଗୃହରେ ଅପରିଚିତ । ମୌଖରି ନରେଶ କୂଳୁତରାଜଙ୍କ କନ୍ୟାଙ୍କୁ ବିବାହ କରିଥିଲେ । ମୋର ନିଯୁକ୍ତି ପୂର୍ବରୁ ସେ ବିବାହ ସଂପନ୍ନ ହୋଇଥିଲା । ବେଳେବେଳେ ମୁଖରା ଦାସୀମାନେ ମୋତେ କହୁଥିଲେ ରାଜା ଓ ରାଣୀଙ୍କ ମଧ୍ୟରେ ପଡ଼ୁନାହିଁ; କିନ୍ତୁ ମୁଁ ରାଣୀଙ୍କଠାରେ କୌଣସି କଠୋରତା ବା ଦୁଃଖର ଭାବ ଲକ୍ଷ୍ୟ କରିପାରିନଥିଲି । ତାଙ୍କର ପୂଜାପାଠହିଁ ଥିଲା ସର୍ବସ୍ଵ । ମହାରାଜ କ୍ଵଚିତ ତାଙ୍କ ପାଖକୁ ଆସୁଥିଲେ; କିନ୍ତୁ ଯେତେବେଳେ ଆସୁଥିଲେ ରାଣୀ ତାଙ୍କର ବିଶେଷ ସମ୍ମାନ କରୁଥିଲେ । କିନ୍ତୁ ନିଶ୍ଚୟ କିଛି ଅନର୍ଥ ଥିଲା, କାରଣ ରାଜା ମୁହୂର୍ତ୍ତକରୁ ଅଧିକ ସମୟ ତାଙ୍କ ପାଖରେ ରହୁ ନଥିଲେ । ଏ ରହସ୍ୟକୁ ବୁଝିବାପାଇଁ ମୁଁ କେବେ ପ୍ରଯତ୍ନ କରିନଥିଲି । ଅନ୍ତଃପୁରିକାଙ୍କର ରହସ୍ୟ ପ୍ରତି ଜିଜ୍ଞାସାର ଭାବ କଞ୍ଚୁକୀ–ଧର୍ମର ବିରୋଧୀ ! ମୋର ପିତୃ–ପିତାମହ ମୋତେ କେବଳ ଗୋଟିଏ ଶିକ୍ଷା ଦେଇଛନ୍ତି–ପ୍ରାଣ ଦେଇ କୁଳବଧୂଙ୍କର ମାନରକ୍ଷା କରିବା । ମୋପାଇଁ ସମସ୍ତେ ନମସ୍ୟ, ସମସ୍ତେ ସମାନ । ଅନ୍ତଃପୁରର ମର୍ଯ୍ୟାଦା ଲଙ୍ଘନ କରିବା ବ୍ୟକ୍ତିର ମୁଣ୍ଡ ଉଡ଼ାଇଦେବା ହେଉଛି ମୋର ଧର୍ମ, ସେ ରାଜା ହୁଅନ୍ତୁ ବା ଆଉ କେହି । ମୋର ପିତୃ ପିତାମହ ଏ ଶିକ୍ଷା ଦେଇଛନ୍ତି ଯେ ରାଜା ସାରା ସଂସାରର ରାଜା ହୋଇପାରେ କିନ୍ତୁ ଅନ୍ତଃପୁରରେ ସେ ସ୍ଵତନ୍ତ୍ର ନୁହେଁ । କଞ୍ଚୁକୀ ରାଜାଙ୍କର ନୁହେଁ; ରାଣୀଙ୍କର ଅନ୍ନ ଖାଏ । ତେଣୁ ମୁଁ କୂଳୁତରାଜ–ଦୁହିତାଙ୍କ ରହସ୍ୟ ବୁଝିବାପାଇଁ କୌଣସି ଦିନ ପ୍ରଯତ୍ନ କରି ନ ଥିଲି ।

 

ଦିନେ ରାଣୀ ସ୍ଵୟଂ ମୋତେ ଡାକିଲେ ଓ କହିଲେ ମହାରାଜଙ୍କୁ କହିଦିଅ ମହାମାୟା ସନ୍ନ୍ୟାସ ଗ୍ରହଣ କରିଛି । ଆଶ୍ଚର୍ଯ୍ୟ, ଦୁଃଖ ଓ ଜିଜ୍ଞାସୁଭାବରେ ମୁଁ ତାଙ୍କୁ ଅନାଇ ରହିଲି । ସେ ଗୈରିକ ବସ୍ତ୍ର ଧାରଣ କରିଥିଲେ ଓ ଏକ ସିନ୍ଦୁରଲିପ୍ତ ତ୍ରିଶୂଳକୁ ଅବଲମ୍ୱ କରି ଠିଆ ହୋଇଥିଲେ । କ୍ରୋଧ ପୁଷ୍ପ ବନରେ ପ୍ରସ୍ଫୁଟିତ ଚନ୍ଦ୍ରମଲ୍ଲିକାସମ ତାଙ୍କର ମୁଖ ଚକିତ ଓ ବ୍ୟାକୁଳ ହୋଇଉଠିଥିଲା । ପତିଶୋକାତୁରା ରତିଦେବୀଙ୍କ ପରି ବୈରାଗ୍ୟ ବେଶରେ ମଧ୍ୟ ସେ କମନୀୟ ଦେଖାଯାଉଥିଲେ । ତାଙ୍କର ସେ ରୂପ ଦେଖି ମୋ ଛାତି ଫାଟିଯାଉଥିଲା; କିନ୍ତୁ ସେ ଥିଲେ ଶାନ୍ତ । ବଡ଼ ସ୍ନେହ ଓ ଆଦରରେ ପୁଣି ମୋତେ ମହାରାଜଙ୍କ ପାଖକୁ ଯିବାକୁ କହିଲେ–“ଆର୍ଯ୍ୟ ବାଭ୍ରବ୍ୟ, ମୁଁ ସଂସାର ତ୍ୟାଗ କରିଛି । ମୋ ମନ ଅନ୍ତଃପୁରର ବାହାରକୁ ଚାଲିଗଲାଣି; ଭିତରେ ଶରୀର ଥାଇ ନଥାଇ ସମାନ । ମହାରାଜ ଯଦି ମୋତେ ଅନୁମତି ଦେବେ ତା’ହେଲେ ମୁଁ ଅନ୍ତପୁର ତ୍ୟାଗ କରିବି ନ ହେଲେ ଏଇଠି ପଡ଼ିରହିବି କିନ୍ତୁ ଆଉ ମୁଁ ଗୃହସ୍ଥ ହୋଇ ରହିପାରିବି ନାହିଁ । ଆହ୍ଵାନ ଆସିଛି । ଦୀର୍ଘକାଳରୁ ମୁଁ ଏହାରି ପ୍ରତୀକ୍ଷାରେ ଥିଲି । ତୁମେ ମହାରାଜଙ୍କୁ ଏ ସଂବାଦ ଦିଅ ।”

 

ମୁଁ ହାତ ଯୋଡ଼ି ନିବେଦନ କଲି, ‘‘ଦେବୀ, ତୁମର ଏ ବେଶ ଦେଖି ମୋର ଛାତି ଫାଟିଯାଉଛି । ସଂସାର ତୁମକୁ କେଉଁଠି ବାଧା ଦେଉଛି ଯେ ତୁମେ ତାକୁ ଛାଡ଼ିବାର ସଂକଳ୍ପ କରିଛ-? ମୁଁ ନିଶ୍ଚୟ ମହାରାଜାଙ୍କୁ ଆପଣଙ୍କର ସମାଚାର ଦେବି; କିନ୍ତୁ ବୃଦ୍ଧର ଅପରାଧ କ୍ଷମା କରିବେ ଦେବୀ, ମୁଁ ଜାଣିବାକୁ ଚାହେଁ, ଏ କଠୋର ସଂକଳ୍ପର କାରଣ କଣ ? ମହାରାଜ କଣ ଅତ୍ରଭବତୀଙ୍କର ମର୍ଯ୍ୟାଦାବିରୁଦ୍ଧ କୌଣସି ଅନୁଚିତ ଆଚରଣ କରିଛନ୍ତି ?”

 

ରାଣୀଙ୍କର ଶାନ୍ତ ମୁଖମଣ୍ଡଳରେ ସହଜ ସ୍ମିତରେଖା ଖେଳିଗଲା । କହିଲେ, ‘‘ନା ଆର୍ଯ୍ୟ, ମହାରାଜ କୌଣସି ଅନୁଚିତ ଆଚରଣ କରି ନାହାନ୍ତି । ସେ ଯଥାସାଧ୍ୟ ମୋତେ ସନ୍ତୁଷ୍ଟ ରଖିବାପାଇଁ ପ୍ରଯତ୍ନ କରିଛନ୍ତି, ତଥାପି ମୋତେ ସଂସାର ଛାଡ଼ିବାକୁହିଁ ପଡ଼ିବ । ତ୍ରିପୁରସୁନ୍ଦରୀଙ୍କର ଏହାହିଁ ଇଚ୍ଛା । ଗତ ରାତ୍ରୀରେ ସ୍ଵପ୍ନରେ ମୁଁ ଯେଉଁ ଆହ୍ଵାନ ଶୁଣିଛି, ତାକୁ ଉପେକ୍ଷା କରା ଯାଇ ପାରେନାହିଁ । ଧ୍ୟାନ ଦେଇ ଦେଖ ଆର୍ଯ୍ୟ, ତ୍ରିପୁର–ସୁନ୍ଦରୀଙ୍କର ମୂର୍ତ୍ତି ହସୁଛି । ଏ ବଡ଼ ଅମଙ୍ଗଳର ସୂଚନା । ମୁଁ ଯଦି ଏହି ମୁହୂର୍ତ୍ତରେ ମହାରାଜଙ୍କର ସଂବନ୍ଧ ଛାଡ଼ି ନଦିଏ, ତା’ହେଲେ ତାଙ୍କର ଅମଙ୍ଗଳ ନିଶ୍ଚିତ ।” ରାଣୀଙ୍କ କଥା ଶୁଣି ମୁଁ ବଡ଼ ଧ୍ୟାନରେ ମୂର୍ତ୍ତିକୁ ଦେଖିଲି ସେଠାରେ ମୋତେ ହସର ଭାବ ଦେଖାଗଲା ନାହିଁ । କ୍ଷଣକପାଇଁ ମୋର ମନେ ହେଲା ରାଣୀଙ୍କର ଚିତ୍ତ–ବିକ୍ଷେପ ହୋଇଯାଇନିତ ! ରାଣୀ ମୋ ମନର ଭାବ ବୁଝି କହିଲେ–“ତୁମେ ଦେଖିପାରିଲ ନାହିଁ ଆର୍ଯ୍ୟ ? ଧ୍ୟାନ ଦେଇ ଦେଖ ।”

 

କଣ ଦେଖିବି ? ପ୍ରତିଦିନ ମୂର୍ତ୍ତି ଯେପରି ଦେଖାଯାଉଥିଲା, ଠିକ୍‍ ସେପରି କିନ୍ତୁ ରାଣୀଙ୍କ ମନରଖିବାପାଇଁ କହିଲି, ‘‘ସତରେ ମୂର୍ତ୍ତି ହସୁଛି ।” ରାଣୀ ପ୍ରସନ୍ନ ହେଲେ । ସେ ପୁଣି ଆଦରରେ କହିଲେ–“ଆର୍ଯ୍ୟ ବାଭ୍ରବ୍ୟ, ମହାରାଜଙ୍କ ସହିତ ବିବାହ ହେବା ପୂର୍ବରୁ ମୋର ବାଗ୍‍ଦାନ ହୋଇଯାଇଥିଲା । କୂଳୁତରାଜ ମୋର ପିତା ନୁହନ୍ତି । ମୁଁ ହେଉଛି ଅପହୃତା ବାଳିକା । ଛଳପୂର୍ବକ ମୋର ବିବାହ ମହାରାଜାଙ୍କ ସହିତ କରିଦିଆଗଲା । ଏ ଅନ୍ତଃପୁରରେ ମୁଁ ବହୁତ କାନ୍ଦିସାରିଛି । ମହାରାଜଙ୍କୁ ମୁଁ ସ୍ପଷ୍ଟ କହି ଦେଇଥିଲି, ମୁଁ ତାଙ୍କର ପତ୍ନୀ ନୁହେଁ । ଯେଉଁ ପୁରୁଷକୁ ପିତା ମୋର ବାଗଦାନ ଦେଇଥଲେ, ମୁଁ ତାଙ୍କରି ପତ୍ନୀ । ମହାରାଜ ମୋ ଭାବକୁ ଆଦର କରିଛନ୍ତି । ସେ ବଡ଼ ସୌଜନ୍ୟ ଓ ସ୍ନେହରେ ମୋତେ ରଖିଛନ୍ତି । କିନ୍ତୁ ଆଜିପର୍ଯ୍ୟନ୍ତ ସେ ମୋତେ ପତ୍ନୀରୂପରେ ପାଇବାର ମୋହ ଛାଡ଼ି ନାହାନ୍ତି । ଯେଉଁ ଯୁବକକୁ ମୋ ପିତା ମୋର ସ୍ଵାମୀରୂପେ ବାଛି ଥିଲେ, ସେ ନିରାଶ ହୋଇ ସନ୍ନ୍ୟାସୀ ହୋଇଗଲେ । ବିନ୍ଧ୍ୟ–ମେଖଳାର ଧୂମ୍ରଗିରିରେ ସେ କେଉଁଠି କେଜାଣି ତପ କରୁଛନ୍ତି । ଆର୍ଯ୍ୟ, ସର୍ବଦା ତାଙ୍କରି ଆହ୍ଵାନ ମୁଁ ଶୁଣିପାରୁଛି । କିନ୍ତୁ କାଲି ରାତିରେ ମୁଁ ଯାହାକିଛି ଶୁଣିଲି, ତା ଅତି ରୋମାଞ୍ଚକ । ମୋତେ ସଂସାର ତ୍ୟାଗ କରିବାକୁହିଁ ପଡ଼ିବ । ତୁମେ ମହାରାଜଙ୍କୁ ସଂବାଦ ଦିଅ । ବିଳମ୍ବ ହେଲେ ଅନର୍ଥ ହୋଇଯିବ ।” ମୁଁ ମୁଣ୍ଡନୋଇଁ ଅନିଚ୍ଛାରେ ତାଙ୍କର ଆଜ୍ଞା ପାଳନ କଲି ।

 

ଭଟ୍ଟିଣୀ ମଝିରେ ପଚାରିଲେ–“ରାଣୀଙ୍କ ନାମ କଣ ମହାମାୟା ଥିଲା ଆର୍ଯ୍ୟ ?” ବାଭ୍ରବ୍ୟ ସ୍ୱୀକାର କଲାପରେ ସେ ବିସ୍ମିତ ହୋଇ ମୋତେ ଅନାଇଲେ । ନିପୁଣିକା ଆଖି ବିସ୍ଫାରିତ କରି କହିଲା–“ଆଶ୍ଚର୍ଯ୍ୟ !” ବୃଦ୍ଧ ଆହୁରି କହିଲେ–

 

“ମହାରାଜ ଏ ସମାଚାର ଶୁଣି ବଡ଼ ଉଦବିଗ୍ନ ହୋଇଗଲେ । ସେହି ମୂହୁର୍ତ୍ତରେ ସେ ରାଣୀଙ୍କ ପାଖକୁ ଯିବାପାଇଁ ଉତ୍କଣ୍ଠା ପ୍ରକାଶ କଲେ । ତାଙ୍କରି ଆଦେଶରେ ମୁଁ ତାଙ୍କୁ ରାଣୀଙ୍କ ପାଖକୁ ଆଣିଲି । ମହାରାଜ ରାଣୀଙ୍କର ସନ୍ୟାସିନୀ ବେଶ ଦେଖି କାନ୍ଦି ଉଠିଲେ । କହିଲେ–“ଦେବୀ, ଅନ୍ତଃପୁରର ବିରୁଦ୍ଧ–ବେଶ ଧାରଣ କରିବାର କି କାରଣ ଉପସ୍ଥିତ ହୋଇଛି ? ଅଜ୍ଞାତରେ କଣ ମୋ ଦ୍ଵାରା କୌଣସି ଅପରାଧ ହୋଇଛି ?”

 

ମହାମାୟାଙ୍କ ଚେହେରାରେ କୌଣସି ପ୍ରକାର ବିକାରଭାବ ନ ଥିଲା । ସେ ଶାନ୍ତଭାବରେ କହିଲେ–“ମହାରାଜ ! ଆଜିପର୍ଯ୍ୟନ୍ତ ମୁଁ ମୋ ଭିତରେ ଯେଉଁ ସଂଘର୍ଷକୁ ପ୍ରଶ୍ରୟ ଦେଇଥିଲି, ତା ଆଜି ସମାପ୍ତ ହୋଇଯାଇଛି । ଆଜି ତ୍ରିପୁର–ସୁନ୍ଦରୀଙ୍କର ଆଦେଶ ମିଳିଛି । ଏହାପରେ ଯଦି ମୁଁ ଆପଣଙ୍କର ଅବବୋଧ–ଗୃହରେ ବନ୍ଦୀ ହୋଇ ରହେ, ତା’ହେଲେ ଅମଙ୍ଗଳ ନିଶ୍ଚିତ । ଦେଖନ୍ତୁ ମହାରାଜ, ଧ୍ୟାନ ଦେଇ ଦେଖନ୍ତୁ, ଆଜି ଦେବୀଙ୍କ ମୂର୍ତ୍ତି ହସୁଛି । ଏଭଳି ଦୁର୍ନିମିତ୍ତ ହସ ମୁଁ ପୂର୍ବରୁ କେବେ ଦେଖି ନଥିଲି । ମହାରାଜ, ଗତ ରାତିରେ ମୁଁ ଦେବୀଙ୍କର ଦର୍ଶନ ପାଇଛି । ମୋତେ ଟାଣିନେବାପାଇଁ ବିନ୍ଧ୍ୟ–ମେଖଳାର ଧୂମ୍ରଗିରିରୁ ବଡ଼ ଶକ୍ତିଶାଳୀ ଆକର୍ଷଣ–ବାଣୀ ଶୁଣିପାରିଛି । ଦେବୀ ମୋତେ ନିଶ୍ଚିତଭାବରେ କହିଛନ୍ତି ଯଦି ମୁଁ ଆଜି ମହାରାଜଙ୍କଠାରୁ ନିଜର ସମ୍ବନ୍ଧ ବିଚ୍ଛେଦ ନକରେ, ତା’ହେଲେ ମହାରାଜଙ୍କର ସର୍ବନାଶ ହେବ । ମହାରାଜ ! ମୁଁ ଦେଖିଲି, ସହସଫଣାର ଅଜଗର ସାରା ମୌଖରି–ବଂଶକୁ ଚାଟିଯାଉଛି ।”–କହୁ କହୁ ରାଣୀଙ୍କ ଗଳା ରୁଦ୍ଧ ହୋଇଗଲା; ଶରୀର ରୋମାଞ୍ଚିତ ହୋଇଗଲା । ସେ ପୁଣି କହିଲେ–“ଅପରାଧ କ୍ଷମା କରିବେ ମହାରାଜ ! ସନ୍ୟାସିନୀ ନ ହେଲେ ଆପଣଙ୍କ ସହିତ ସମ୍ବନ୍ଧ ତ୍ୟାଗ କରିବା ଅସମ୍ଭବ । ଲୋକ ଓ ଶାସ୍ତ୍ରର ମର୍ଯ୍ୟାଦା ଅକ୍ଷୂର୍ଣ୍ଣ ରଖିବାର ଆଉ ଅନ୍ୟ ଉପାୟ ନାହିଁ ।”

 

ମହାରାଜ କିଛି ସମୟ ମର୍ମାହତ ହୋଇ ବସିରହିଲେ । ତାପରେ କହିଲେ–“ଆଜିପର୍ଯ୍ୟନ୍ତ ମୁଁ ତୁମର କୌଣସି ଇଚ୍ଛାର ବିରୋଧ କରିନାହିଁ । କେବଳ ଥରେମାତ୍ର ତୁମେ ମୋର ଇଚ୍ଛାରେ ବାଧା ଦେବାରୁ ବିରତ ହୁଅ ।” ରାଣୀ କୃତଜ୍ଞତାରେ ପଚାରିଲେ–“କି ଇଚ୍ଛା ମହାରାଜ ?”

 

“ଦେବୀ, ମୋର ସନ୍ଦେହ ହେଉଛି କୌଣସି ବଶୀକରଣର ଅଭିଚାର ହେଉନାହିଁ ତ ! ଏହା ମୋର ପାପ ଚିତ୍ତର କଳୁଷ ଚିନ୍ତା ବି ହୋଇପାରେ, କିନ୍ତୁ ମୁଁ ନିଷ୍କପଟ ଭାବରେ ନିଜର ବିଚାର ପ୍ରକାଶ କରିଛି । ଯଦି ଅନୁଜ୍ଞା ମିଳେ ତା’ହେଲେ ମୁଁ ଥରେ ଧୂମ୍ରଗିରି ଯାଇ ସବୁ ଦେଖି ଆସିବି । ସେତେ ଦିନ ଅନ୍ତଃପୁରରେ ରହିବାର ପ୍ରସାଦ ହେଉ । ମୋ ସହିତ ନିଜର କୌଣସି ବିଶ୍ୱସ୍ତ ଅନୁଚରକୁ ପଠାଇପାର ।”

 

ସନ୍ୟାସିନୀ ରାଣୀଙ୍କ ଅଧରରେ ନିର୍ମଳ ହସ ଦେଖାଦେଲା । କହିଲେ–“ଦେଖି ଆସନ୍ତୁ ମହାରାଜ, ମୋର ଆପଣଙ୍କ ଉପରେ ପୂର୍ଣ୍ଣ ବିଶ୍ଵାସ ରହିଛି ।”

 

“କିନ୍ତୁ ମୋର ସ୍ଵୟଂ ନିଜ ଉପରେ ବିଶ୍ଵାସ ନାହିଁ ଦେବୀ ! କାରଣ ମୁଁ ପ୍ରାଣ ଦେଇ ତୁମକୁ ଅନ୍ତଃପୁରରେ ରଖିବାକୁ ଚାହେଁ ।”

 

“ଆପଣଙ୍କର ଉପରେ ମୋର ପୂର୍ଣ୍ଣ ଆସ୍ଥା ରହିଛି ମହାରାଜ !”

“ନା, ତୁମେ ନିଜର ଜଣେ ଅନୁଚରକୁ ମୋ ସହିତ ନିଶ୍ଚୟ ପଠାଅ ।”

“ତା’ହେଲେ ବୃଦ୍ଧ ବାଭ୍ରବ୍ୟ ଆପଣଙ୍କ ସହିତ ଯିବେ ।”

 

“ମହାରାଣୀଙ୍କ ଆଜ୍ଞାରେ ମୁଁ ମହାରାଜଙ୍କ ସହିତ ଧୂମଗିରିକୁ ପ୍ରସ୍ଥାନ କଲି । ଅଳ୍ପ ବାଟ ପର୍ଯ୍ୟନ୍ତ ରଥର ସହାୟତା ପାଇପାରିଲୁ । ବିନ୍ଧ୍ୟ-ମେଖଳାରେ ପଶିବାପାଇଁ ପାଦରେ ଚାଲିବା ଛଡ଼ା ଅନ୍ୟ କୌଣସି ଉପାୟ ନଥିଲା । ଏକ ବିଶାଳ ଗିରିଖଣ୍ଡ ତଳୁ ଉପରପର୍ଯ୍ୟନ୍ତ ତୃଣଗୁଳ୍ମହୀନ କପିଶ ପଥରରେ ତିଆରି ହୋଇଥିଲା । କେବଳ କୃଷ୍ଣଚୂଡ଼ାରେହିଁ ବନରାଜି ଦେଖାଯାଉଥିଲା । ମନେ ହେଲା, ସତେ ଯେପରି କୌଣସି ବିଶାଳ ଅଗ୍ନି-ପିଣ୍ଡର ମୁଣ୍ଡ ଉପରେ ଅଳ୍ପ କିଛି କଳା ଧୂଆଁ ଛାଇ ଦିଆଯାଇଛି । ସମ୍ଭବତଃ ଧୂମ୍ରଟିର ନାମ ହେବାର ଏହାହିଁ ଥିଲା କାରଣ । ପର୍ବତ ଉପରେ ଚଢ଼ିବାପାଇଁ କେବଳ ଗୋଟିଏ ମାର୍ଗ ଥିଲା, ଯାହାକୁ କାଟି ବେଶ୍ ପରିଶ୍ରମରେ ତିଆରି କରାଯାଇଥିଲା । ମାର୍ଗରେ ଯୋଗିନୀମାନଙ୍କର ମୂର୍ତ୍ତି ଉତ୍‍କୀର୍ଣ୍ଣ ହୋଇଥିଲା ଓ ବିଚିତ୍ର ତାନ୍ତ୍ରିକ ମଧ୍ୟ ଖୋଦିତ ହୋଇଥିଲା । ପର୍ବତ ଉପରେ ଥିଲା ସ୍ଵଚ୍ଛ ଜଳକୁଣ୍ଡ । ତା ଉପରେ ବଡ଼ ବଡ଼ ପଥର ପକାଇ ପୋଲଭଳି ତିଆରି କରାଯାଇଥିଲା । କୁଣ୍ଡର ଏପଟେ କେତେଗୁଡ଼ିଏ ଗୁମ୍ଫା ଓ ସେପଟେ ଧୂମ୍ରଗିରିର ମନ୍ଦିର । ତାହା ଥିଲା ନାମମାତ୍ର ମନ୍ଦିର । ବସ୍ତୁତଃ ତା’ ଥିଲା ଗୋଟିଏ ଗୁମ୍ଫାଭିତରେ ଏକ ଅନ୍ତର୍ଗୁହା । ସେଥିରେ ଦଶଭୁଜା ମୂର୍ତ୍ତି ସ୍ଥାପିତ ହୋଇଥିଲା । ତାକୁହିଁ ମନ୍ଦିର ନାମ ଦିଆ-ଯାଇଥିଲା । ବଡ଼ କଷ୍ଟରେ ଆମେ ସେ ମନ୍ଦିର ପାଖରେ ପହଞ୍ଚିଲୁ । ମନ୍ଦିରର ଦ୍ଵାରରେ ଜଣେ ଯୋଗୀଙ୍କ ଦର୍ଶନ ମିଳିଲା । ଯୋଗୀ ହଳଦିଆ ବସ୍ତ୍ରରେ ତିଆରି କନ୍ଥା ଧାରଣ କରିଥିଲେ ଓ ହାତରେ ଗୋଟିଏ ଛୋଟ ବଙ୍କା ବାଡ଼ି ଧରିଥିଲେ । ତାଙ୍କର କଣ୍ଠ, ବାହୁମୂଳ ଓ କାନରେ ବଡ଼ ବଡ଼ ରୁଦ୍ରାକ୍ଷ ଝୁଲୁଥିଲା । ବିକଟ ଜଟାମଣ୍ଡଳକୁ ଘେରି ଝୁଲୁଥିଲା ଏକ ବରାଟକ ମାଳା ସମ୍ମୁଖରେ ରଖାହୋଇଥିଲା ଏକ ଲୌହର କପାଳପାତ୍ର । ଆମ ଦି’ଜଣଙ୍କୁ ଦେଖିବାମାତ୍ରେ ସେ ବିକଟ ହାସ୍ୟ କଲେ । ରାଜାକୁ ଲକ୍ଷ୍ୟ କରି ସେ ନିଜର ବାଡ଼ି ଫିଙ୍ଗିଲେ କିନ୍ତୁ ମୁଁ ଶୀଘ୍ର ମଝିକୁ ଆସିଯିବାରୁ ବାଡ଼ିଟି ରାଜାଙ୍କ ଦେହରେ ନ ବାଜି ମୋ ଦେହରେ ବାଜିଲା । ଯୋଗୀ ଆହୁରି ବିକଟ ଅଟ୍ଟହାସ୍ୟ କଲେ । ରାଜାଙ୍କୁ ସମ୍ବୋଧନ କରି କହିଲେ–“ଗ୍ରହବର୍ମା, ତୁ ଭାଗ୍ୟହୀନ । ଧୂମ୍ରେଶ୍ଵରୀଙ୍କର ଦର୍ଶନ କର, ତୋ ମୁଣ୍ଡ ଉପରେ ଅମଙ୍ଗଳ ଘୂରିବୁଲୁଛି ।”

 

ରାଜାଙ୍କର ମୁଖମଣ୍ଡଳ ବିବର୍ଣ୍ଣ ହୋଇଗଲା । ମହାରାଜ ବୀର ଓ ତାଙ୍କର ନାମମାତ୍ରେହିଁ ସମସ୍ତ ଉତ୍ତରାପଥ କମ୍ପିତ ହୁଏ, ତଥାପି ଯୋଗୀଙ୍କର କଥାରେ ସେ ଶଙ୍କିତ ହେଲେ । ଯୋଗୀ ମୋତେ ଅନାଇ କହିଲେ–“ତୁ ଭାଗ୍ୟବାନ୍, ଯେଉଁଦିନ ତୁ ବୁଝିପାରିବୁ ଯାହାକୁ ଧର୍ମ ମନେ କରୁଛୁ ତାହା ଅଧର୍ମ ଓ ଯାହାକୁ ଅଧର୍ମ ମନେ କରୁଛୁ ତା’ ଧର୍ମ, ସେ ଦିନ ତୁ ତ୍ରିପୁର-ସୁନ୍ଦରୀଙ୍କର ସାକ୍ଷାତ ପାଇପାରିବୁ । ଯା, ଦର୍ଶନ କର ।”

 

ମହାରାଜ ହାତଯୋଡ଼ି ପଚାରିଲେ–“ଯୋଗିରାଜ, ମୁଁ କେବେ ତ୍ରିପୁର-ସୁନ୍ଦରୀଙ୍କର ସାକ୍ଷାତ୍ ପାଇବି ?”

 

“ତୁ ଭଣ୍ଡ; ଏ କଞ୍ଚୁକୀ ମୂର୍ଖ । ସେ ଧର୍ମ ଓ ଅଧର୍ମର ବନ୍ଧା–ରାସ୍ତାରେ ଚାଲୁଛି । ତାର କେଉଁ ଦିନ ହୁଏ ତ ସତ୍ୟ ସହିତ ସାକ୍ଷାତ୍ ହୋଇପାରେ, କିନ୍ତୁ ତୁ ନିଜକୁ ବୁଦ୍ଧିମାନ୍ ମନେ କରୁଛୁ । ତୁ ପ୍ରବଞ୍ଚକ, ମିଥ୍ୟାବାଦୀ; ଯା, ଦର୍ଶନ କର ।”

 

ମହାରାଜ ଅଭିଭୂତ ହୋଇ ଯୋଗୀଙ୍କର ପାଦତଳେ ପଡ଼ିଗଲେ । କହିଲେ– “ଯୋଗୀରାଜ, ମୋର ଭଣ୍ଡତା କିପରି କମ୍ ହୋଇପାରେ ?”

 

ଯୋଗୀଙ୍କର ମୁଖମଣ୍ଡଳ ବିକଶିତ ହୋଇଉଠିଲା । କହିଲେ–“ଦେଖ ମହାରାଜ, ତୁ ନିଜକୁ ବରାବର ପ୍ରତାରିତ କରିଛୁ । ରାଣୀକୁ କେବେ ଛାଡ଼ିବାକୁ ଚାହିଁନାହୁଁ; କିନ୍ତୁ ତାକୁ କେବେ ଆପଣାର କରିବାପାଇଁ ଚେଷ୍ଟା କରିନୁ । ବଶୀକରଣ ଦେଖିବାକୁ ଆସିଛୁ ? ନିଜକୁ ନିଜେ ସଂପୂର୍ଣ୍ଣ ରୂପରେ ଉତ୍ସର୍ଗ କରିବାକୁ ବଶୀକରଣ କହନ୍ତି । ତୁ ନିଜକୁ ନିଃଶେଷ-ଭାବରେ ନା ଦେଇ ଦେଇଛୁ, ନା ଅନ୍ୟକୁ ନିଃଶେଷ ଭାବରେ ପାଇବା ପାଇଁ ପ୍ରଯତ୍ନ କରିଛୁ ? ଯା, ଭିତରକୁ ଯା, ବଶୀକରଣ ଦେଖିପାରିବୁ । ଯା-ଶୀଘ୍ର ଯା ।”

 

ଦଶଭୁଜା ମୁର୍ତ୍ତି ଥିଲା ଅନ୍ତର୍ଗୁହାରେ । ମୁର୍ତ୍ତିର ଆଗରେ ଏକ କଙ୍କାଳ-ଶେଷ ମନୁଷ୍ୟ ନିବାତ-ନିଷ୍କମ୍ପ ପ୍ରଦୀପ-ପରି ଧ୍ୟାନ-ମଗ୍ନ ହୋଇ ବସିଥିଲା । ବୋଧହୁଏ ବର୍ଷ ବର୍ଷ ଧରି ସେ ସ୍ନାନ କରି ନ ଥିଲା । ଭୋଜନ ତାକୁ କେବେ ମିଳିଥିଲା କି ନାହିଁ କିଏ ଜାଣେ ? ଯୋଗୀ କହିଲେ–“ଦେଖ, ବଶୀକରଣ ଚାଲିଛି, ଭିତରକୁ ଯା, ଆହୁରି ଭିତରକୁ ।”

 

ଆମେ ଯେତିକି ଯେତିକି ଭିତରକୁ ପ୍ରବେଶ କଲୁ, ଦଶଭୁଜା–ମୂର୍ତ୍ତିରେ ସେତିକି ସେତିକି ପରିବର୍ତ୍ତନ ଦେଖାଗଲା । ଶେଷରେ ଯେତେବେଳେ ଆମେ ସେହି ଯୁବକ ତପସ୍ଵୀ ପାଖରେ ପହଞ୍ଚିଲୁ, ମୂର୍ତ୍ତି ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇ ମହାମାୟା ରାଣୀରେ ପରିଣତ ହୋଇଗଲା । ଆଶ୍ଚର୍ଯ୍ୟ ଓ ଭୟରେ ମୁଁ ଚିତ୍କାର କରିଉଠିଲି । ମହାରାଜ ମଧ୍ୟ ଆଶ୍ଚର୍ଯ୍ୟରେ ହତବୁଦ୍ଧି ହୋଇଗଲେ । ଯୋଗୀ ପୁଣି କହିଲେ–“କଣ ଦେଖୁଛୁ ମହାରାଜ ? ଦେବୀଙ୍କୁ ପ୍ରଣାମ କର, ତୋର ସବୁ ଅମଙ୍ଗଳ ଦୂର ହୋଇଯିବ ।” ମହାରାଜଙ୍କର ସାରା ଶରୀରରେ ସ୍ଵେଦ–ଧାରା ବହିଗଲା । ସେ କାତର ଚିତ୍କାର କରି ବସିପଡ଼ିଲେ ଓ ଧୀରେ ଧୀରେ ଭୂମି ଉପରେ ଗଡ଼ିପଡ଼ିଲେ । ‘‘ତ୍ରାହି ତ୍ରାହି” ମୁଁ ଚିତ୍କାର କଲି । ମୋର ଶବ୍ଦରେ ଯୁବା ତପସ୍ଵୀଙ୍କର ଧ୍ୟାନଭଙ୍ଗ ହେଲା । ଯୋଗୀ ମୋତେ ଆଶ୍ଵସ୍ତ ଦେଇ କହିଲେ–“ଡର ନା, ଦେବୀଙ୍କୁ ପ୍ରଣାମ କର ।” ମୁଁ ସାଷ୍ଟାଙ୍ଗ ପ୍ରଣିପାତ କଲି । ଯୋଗୀରାଜ ଯୁବକର ନାମ ଧରି ଡାକିଲେ । ମୁଁ ଭୁଲିଯାଉଛି ସେ ନାମ । ବିକଟ–ଭଳି କଣ ନାଁ ଥିଲା ତାର । ସେହି ଶୀର୍ଣ୍ଣ ଯୁବକ ତପସ୍ଵୀ ଆଶ୍ଚର୍ଯ୍ୟରେ ଆମକୁ ଦେଖିଲେ । ଯୋଗୀରାଜ କହିଲେ–“ବତ୍ସ, ଇଏ ଗ୍ରହବର୍ମା; ଆଉ ଏ ତାର କଞ୍ଚୁକୀ ।” ଯୁବକର ଆଖିରେ ବିଚିତ୍ର ପ୍ରେମଭାବ ଉଦୀପ୍ତ ହୋଇଉଠିଲା । କହିଲା–“ଗ୍ରହବର୍ମା ! ଆହା !” ଓ ଧୀରେ ଧୀରେ ମହାରାଜାଙ୍କ କପାଳ ଉପରେ ହାତ ବୁଲଇବାକୁ ଲାଗିଲା । ମହାରାଜଙ୍କୁ ସେଠାରୁ ଉଠାଇ ଆମେ ତାଙ୍କୁ କୁଣ୍ଡପାଖକୁ ନେଇ ଆସିଲୁ । କିଛି ଉପଚାର କଲାପରେ ଯେତେବେଳେ ମହାରାଜଙ୍କର ସଂଜ୍ଞା ଫେରି-ଆସିଲା ଯୋଗୀରାଜ କହିଲେ–“ପାରିଲୁନାହିଁ ମହାରାଜଙ୍କର, ତୁ ଦେବୀକୁ ପ୍ରସନ୍ନ କରିପାରିଲୁ ନାହିଁ ? ଘରକୁ ଫେରିଯା-। ମୌଖରି-ବଂଶର ଭବିଷ୍ୟତ ଭଲ ନୁହେଁ । କୌଣସି ଦିନ ଯଦି ତୁ ତ୍ରିପୁର–ସୁନ୍ଦରୀଙ୍କର ରୂପ ଦେଖିପାରନ୍ତୁ ! ମହାମାୟାକୁ ତୁ ଦେବୀରୂପରେ ପାଇପାରିଲୁ ନାହଁ; କିନ୍ତୁ ଦେବୀଙ୍କୁ ତୁ ମହାମାୟାରୂପରେ ଦେଖିପାରିଲୁ । ଚେଷ୍ଟା କର, ଭାଗ୍ୟ ପ୍ରସନ୍ନ ହେଲେ କୌଣସି ଦିନ ଦେବୀଙ୍କୁ ମଧ୍ୟ ଦେଖିପାରିବୁ; କିନ୍ତୁ ମୌଖରି ରାଜ–ଲକ୍ଷ୍ମୀଙ୍କର ଆଉ ଭରସା ନାହିଁ । ତୁ ବେଶି ଦିନ ବଞ୍ଚି-ପାରିବୁ ନାହିଁ । କିନ୍ତୁ ଦ୍ଵିତୀୟ ବିବାହ ନିଶ୍ଚୟ କରିବୁ । କାଲି ରାତିରେ ଦେବୀ କହିଲେ–“ସମୁଦାୟ ଆର୍ଯ୍ୟାବର୍ତ୍ତ ଭସ୍ମ ହେବାକୁ ଯାଉଛି । ମହାମାୟା ହିଁ ତାକୁ ଉଦ୍ଧାର କରିବ । ତାକୁ ତୁ ରୋକ୍ ନା-।”

 

ମୋଆଡ଼େ ଅନାଇ ଯୋଗୀ ପୁଣି କହିଲେ–“ମୌଖରି-ବଂଶର ଅମଙ୍ଗଳ ଦୂର କରିବାପାଇଁ ମୁଁ ଯେଉଁ ଲାଠି ଫିଙ୍ଗିଥିଲି, ତାକୁ ତୁ ନିଜ ଉପରେ ନେଇନେଲୁ । ମୁର୍ଖ କଞ୍ଚୁକୀ, ପ୍ରମାଦରେ ତୁ କି ଅନର୍ଥ ନ କଲୁ ! ତଥାପି ତୋ ପ୍ରସାଦରେ କୌଣସି ଦିନ ଆର୍ଯ୍ୟାବର୍ତ୍ତର କଲ୍ୟାଣ ହୋଇପାରେ । ଯା, ଘରକୁ ଫେରି ଯା ।”

 

“ମହାରାଜ ଚୁପଚାପ ହୋଇ ଶୁଣିଗଲେ । ଯୁବ–ତପସ୍ଵୀ ଏକ ଦୃଷ୍ଟିରେ ମହାରାଜଙ୍କୁ ଅନାଇ ରହିଲା । ମହାରାଜ ଯେତେବେଳେ ବସିଲେ, ଯୁବ–ତାପସର ଆଖିରେ କୃତଜ୍ଞତାର ଅଶ୍ରୁ ଭରିଗଲା । ତାର ପ୍ରଭାବ ପଡ଼ିଲା ମହାରାଜଙ୍କ ଉପରେ; କିନ୍ତୁ ସେ ମୌନ ହୋଇ ବସିରହିଲେ ।”

 

ଫେରିବା ସମୟରେ ମହାରାଜା ବରାବର ମୌନ ଥିଲେ । କେତେ କଣ ଯେ ସେ ଭାବୁଥିଲେ ! ନଗରରେ ପ୍ରବେଶ କରି ସେ ମୋତେ ପଚାରିଲେ–“ବାଭ୍ରବ୍ୟ, କଣ ତୁମେ ଦେଖିଲ-?” ମୁଁ ସଂଭ୍ରମରେ ଉତ୍ତର ଦେଲି–“ଦେବ, ମହାଦେବୀ ହିଁ ଧୂମ୍ରେଶ୍ଵରୀ ! ମହାରାଜ କ୍ରୋଧରେ କହିଲେ–“ମୂର୍ଖ !”

 

ମୁଁ ଚୁପ ରହିଲି । ମହାରାଜ ପୁଣି ପଚାରିଲେ–“ବାଭ୍ରବ୍ୟ, ଏସବୁ କଣ ବଶୀକରଣର ଅଭିଚାର ନୁହେଁ ?

 

“ଅଭିଚାର !”

 

“ହଁ, ଅଭିଚାର ! ମୁଁ ଏ ଭଣ୍ଡ ତାନ୍ତ୍ରିକଙ୍କ ମାୟାରେ ଭୁଲି ଯାଇ ନ ପାରେ । ମହାମାୟାକୁ ମୁଁ ଛାଡ଼ିପାରିବି ନାହିଁ । ସେ ମୌଖରୀ–ବଂଶର ଲକ୍ଷ୍ମୀ ।”

 

ନଗରକୁ ଫେରି ମହାରାଜ ରାଣୀଙ୍କୁ କଣ ଯେ କହିଲେ ସେ–ଇ ଜାଣନ୍ତି । ସାକ୍ଷ୍ୟ ଗୋଧୂଳି ସମୟରେ ରାଣୀ ମହାମାୟା ମୋତେ ଡାକିଲେ । ସେ ପଚାରିବାରୁ ମୁଁ ସମସ୍ତ କଥା ତାଙ୍କୁ କହିଲି । ମହାମାୟା ଚିନ୍ତିତ ହୋଇ ପଚାରିଲେ, ‘‘କଣ ଯୋଗୀରାଜ ମୋର ପ୍ରତିରୋଧ ନ କରିବାପାଇଁ କହିଛନ୍ତି ?” ମୁଁ କହିଲି–“ହଁ ଦେବୀ, ଯୋଗୀରାଜ ମହାରାଜଙ୍କୁ ସ୍ପଷ୍ଟ କହିଛନ୍ତି, ରାଣୀକୁ ରୋକ୍ ନାହିଁ ।” କିଛି ସମୟପର୍ଯ୍ୟନ୍ତ ଚିନ୍ତିତ ହୋଇ ମହାମାୟା ଠିଆହୋଇ ରହିଲେ । ପୁଣି ହଠାତ୍ କହିଲେ–“ବାଭ୍ରବ୍ୟ, ମୁଁ ଧୂମ୍ରଗିରି ଯିବି । ମହାରାଜ ମୋହ–ଗ୍ରସ୍ତ ହୋଇଛନ୍ତି । ସେ ସତ୍ୟକୁ ଦେଖୁ ନାହାନ୍ତି । ତୁମେମାନେ ଚେଷ୍ଟାକରି ତାଙ୍କର ଦ୍ଵିତୀୟ ବିବାହ କରାଇଦେବ । ମୁଁ ରହିଲେ ମୋଖରି–ଲକ୍ଷ୍ମୀ ଅଭିମାନ କରିବେ । ଶୀଘ୍ର କର ।”

 

ମୁଁ ରାଣୀଙ୍କୁ ଅନ୍ତଃପୁରର ବାହାରକୁ ଛାଡ଼ିଦେଲି । ପରଦିନ ମହାରାଜ ଯେତେବେଳେ ଡାକିଲେ, ମୁଁ ସମସ୍ତ କଥା ଜଣାଇଦେଲି । ମହାରାଜ ମୁଣ୍ଡ ଧରି ବସିପଡ଼ିଲେ । ମତେ କେବଳ ଏତିକି କହିଲେ, ଯାଅ ନିଜର କାମ କର ।”

 

ଏତକ କହି ବୃଦ୍ଧ ବାଭ୍ରବ୍ୟ ଦୀର୍ଘଶ୍ଵାସ ନେଲେ । ଭଟ୍ଟିଣୀଙ୍କୁ ଅନାଇ କହିଲେ–“ଦେବୀ, ମୁଁ ମହାରାଜଙ୍କ ପାଖରେ ନିଜର ଅପରାଧ ସ୍ୱୀକାର କରିଥିଲି ସତ; କିନ୍ତୁ ମୋର ମନ ବରାବର କହୁଥିଲା ମୁଁ ଉଚିତ କାର୍ଯ୍ୟହିଁ କରିଛି । ଆଜି ମନେ ହେଉଛି, ମୋର ଦ୍ଵିତୀୟ ପ୍ରମାଦ ମଧ୍ୟ ଭଲ ହେଲା ।” ଏହା କହି ବୃଦ୍ଧ ନୀରବ ହେଲେ । ବଡ଼ ସ୍ନେହରେ ସେ ଭଟ୍ଟିଣୀଙ୍କ ଲଲାଟରେ ହାତ ବୁଲାଇବାକୁ ଲାଗିଲେ । ଶେଷରେ ସେ ଉପସଂହାର କରି କହିଲେ–“ଆର୍ଯ୍ୟାବର୍ତ୍ତ ବିନାଶରୁ ରକ୍ଷା ପାଇବ । ଦେବପୁତ୍ର–ନନ୍ଦିନୀ ଓ ମହାମାୟା ଭୈରବୀ ତାକୁ ରକ୍ଷା କରିବେ । ଯୋଗୀଙ୍କର ଭବିଷ୍ୟତବାଣୀ ବ୍ୟର୍ଥ ହେବ ନାହିଁ । ସିଦ୍ଧବାକ୍ୟ ପୁରୁଷଙ୍କ ବାଣୀ ବ୍ୟର୍ଥ ହୁଏନା ।” ପୂଣି ନିପୁଣିକାକୁ ଅନାଇ ସେ କହିଲେ–“ଝୁଅ, ତୁ ଧନ୍ୟ; ମୁଁ ତତେ ଅନେକ ଅଭିଶାପ ଦେଇଛି । ଆଜି ମୁଁ ମୋର ସବୁ ଅଭିଶାପକୁ ବରଦାନ ବୋଲି ମନେ କରୁଛି । ଆଜି ମୁଁ ସ୍ପଷ୍ଟ ଦେଖୁଛି ବନ୍ଧା ନିୟମ ଓ ଆଚାର ଭିତରେ ଧର୍ମ ବାନ୍ଧି ହୋଇନାହିଁ । ତାହା ନିୟମଠାରୁ ବଡ଼, ଆଚାରଠାରୁ ବଡ଼ । ମୁଁ ଯାହାକୁ ଧର୍ମ ମନେ କରୁଥିଲି, ତା’ ସବୁ ସମୟରେ ଓ ସବୁ ଅବସ୍ଥାରେ ଧର୍ମ ନ ଥିଲା; ଯାହାକୁ ଅଧର୍ମ ମନେ କରୁଥିଲି, ସବୁ ସମୟ ଓ ସବୁ ଅବସ୍ଥାରେ ତାକୁ ଅଧର୍ମ କୁହାଯାଇ ନ ପାରେ । ଯୋଗୀ ମୋତେ କହିଥିଲେ, ଯେଉଁ ଦିନ ତୁ ଧର୍ମକୁ ଅଧର୍ମ ଓ ଅଧର୍ମକୁ ଧର୍ମ ମନେ କରିବୁ ସେଦିନ ତ୍ରିପୁର–ସୁନ୍ଦରୀଙ୍କର ସାକ୍ଷାତ୍ ପାଇପାରିବୁ । ବଡ଼ ଆଶ୍ଚର୍ଯ୍ୟ !”

 

ନିପୁଣିକା କୃତଜ୍ଞତାରେ ବୃଦ୍ଧଙ୍କୁ ଅନାଇ କହିଲା–“ଗୋଟିଏ କଥା ପଚାରିବାକୁ ଇଚ୍ଛା ହେଉଛି ଆର୍ଯ୍ୟ ! ମୌଖରି–ନରେଶଙ୍କୁ ଦ୍ଵିତୀୟ ବିବାହ କରିବାପାଇଁ ଯୋଗୀ କାହିଁକି କହିଥିଲେ ? ସେଥିରେ କଣ ଆର୍ଯ୍ୟ ରାଜ୍ୟଶ୍ରୀଙ୍କ ପରି ସାଧ୍ଵୀଙ୍କ ଜୀବନ ବ୍ୟର୍ଥ ହୋଇଯାଇନାହିଁ ? ବୈଧବ୍ୟରୁ ବଡ଼ ବ୍ୟର୍ଥତା ସ୍ତ୍ରୀ ପାଇଁ ଆଉ କଣ ହୋଇପାରେ ?" ବୃଦ୍ଧ କହିଲେ–“ଛି, ନିଉନିୟା ଏପରି କହନ୍ତି-? ରାଜ୍ୟଶ୍ରୀଙ୍କର ଜୀବନ ବ୍ୟର୍ଥ ହୋଇଛି ? ସରଳା ବାଳିକା, ସାର୍ଥକତା କଣ ? ଯୋଗୀ ଠିକ୍‍ କହିଥିଲେ, ନିଜକୁ ନିଃଶେଷ ଭାବରେ ଦେଇଦେବାହିଁ ବଶୀକରଣ । ଅନ୍ତିମ–ଜୀବନରେ ମୌଖରୀ–ନରେଶଙ୍କୁ ଏହି ସିଦ୍ଧି ମିଳିଥିଲା । ଦେଖ ଝୁଅ, ମଣିଷ ଯେତେ ଦିଏ, ସେତେ ପାଏ । ପ୍ରାଣ ଦେଲେ ପ୍ରାଣ ମିଳେ, ମନ ଦେଲେ ମନ ମିଳେ । ଆତ୍ମଦାନ ଏପରି ବସ୍ତୁ ଯାହା ଦାତା ଓ ଗ୍ରହୀତା ଉଭୟଙ୍କୁ ସାର୍ଥକ କରେ । ରାଜ୍ୟଶ୍ରୀ ଦାନ ଦେଇଥିଲେ ଓ ପାଇଥିଲେ ମଧ୍ୟ । ଲୌକିକ ମାନଦଣ୍ଡରେ ଆନନ୍ଦ ନାମକ ବସ୍ତୁକୁ ମପାଯାଇପାରେ ନାହିଁ । ଦୁଃଖ ତ କେବଳ ମନର ବିକଳ୍ପ । ମନୁଷ୍ୟ ତ ତଳୁ ଉପରପର୍ଯ୍ୟନ୍ତ କେବଳ ପରମାନନ୍ଦ–ସ୍ଵରୂପ । ନିଜକୁ ବିଶେଷଭାବରେ ଦେଇଦେଲେ ହିଁ ଦୁଃଖ ଯାଏ, ପରମାନନ୍ଦ ପ୍ରାପ୍ତ ହୁଏ । ଯୋଗୀଙ୍କର କଥା ଭାରି ଭାବପୂର୍ଣ୍ଣ ଲାଗିଥିଲା ମୋତେ । ମୁଁ ପୁଣି ଥରେ ତାଙ୍କ ପାଖକୁ ଯାଇଥିଲି; କିନ୍ତୁ ସେ ତିରସ୍କାର କରି ମୋତେ ବାହାର କରିଦେଇଥିଲେ । କେବଳ ଥରେ ସେ କହିଥିଲେ, ମୁର୍ଖ, ତୁ ଯଦି ଦୁଃଖକୁ ସୁଖ ମନେ କରିପାରୁ ! କେଉଁଠି ପାରିଲି ଝୁଅ !”

 

କିଛି ସମୟ ପର୍ଯ୍ୟନ୍ତ ପୁଣି ନିସ୍ତବ୍‍ଧତା ରହିଲା । ମୁଁ ପଚାରିଲି–“ଆର୍ଯ୍ୟ, ଯୁବ–ତାପସଙ୍କର ନାମ କଣ ଅଘୋର ଭୈରବ ?”

 

ବୃଦ୍ଧ ଆଶ୍ଚର୍ଯ୍ୟଯୁକ୍ତ ଆନନ୍ଦରେ କହିଲେ–“ହଁ ଭଟ୍ଟ; ‘ବିକଟ’ ନାମ ନୁହେଁ ?”

 

ନିପୁଣିକା ଭଟ୍ଟିଣୀଙ୍କୁ ଅନାଇଲା । ଭଟ୍ଟିଣୀଙ୍କର ମୃଗ–ନେତ୍ର ଟାଣି ହୋଇ କାନପର୍ଯ୍ୟନ୍ତ ପହଞ୍ଚିଗଲା । କହିଲେ–“ବଡ଼ ଆଶ୍ଚର୍ଯ୍ୟ, ବଡ଼ ଅଦ୍ଭୁତ !” ପୁଣି ମୋଆଡ଼େ ଅନେକ ସମୟପର୍ଯ୍ୟନ୍ତ ଆବିଷ୍ଟଭାବରେ ଅନାଇ ରହିଲେ ସେ । ନିପୁଣିକା ଭୁଲିଲାପରି ଠିଆହୋଇ ରହିଲା । କିଛି ସମୟପର୍ଯ୍ୟନ୍ତ ସ୍ପନ୍ଦନର ଲେଶ ମାତ୍ର ବି ଅନୁଭୂତ ହେଲାନି ତାଠି । ହଠାତ୍ ଯେପରି ସ୍ଵପ୍ନୋତ୍‍ଥିତାପରି କହି ଉଠିଲା–“ନିଜକୁ ନିଃଶେଷ ଭାବରେ ଦେଇ ଦେବାହିଁ ହେଉଛି ବଶୀକରଣ-।”

Image

 

ବିଂଶ ପରିଚ୍ଛେଦ

 

ମୁଁ ପ୍ରତିଜ୍ଞା କରିଥିଲି, ନିଜର ଦୁର୍ଭାବ୍ୟ ବିଷୟରେ ଅଧିକ କ୍ରନ୍ଦନ କରିବ ନାହିଁ । କିନ୍ତୁ ମନୁଷ୍ୟର ଜୀବନ ଅଦୃଶ ଶକ୍ତିଦ୍ଵାରା ଗଢ଼ାହୁଏ । ଯଦି ନିୟତି–ନଟୀର ଅଭିନୟ ନିଜର ସାଧ୍ୟ ହୋଇଥାନ୍ତା, ତାହେଲେ ମନୁଷ୍ୟର ପ୍ରତିଜ୍ଞା ବି ରହନ୍ତା । ଏ ବିଂଶ ପରିଛେଦ ମୋର କ୍ରନ୍ଦନ ନୁହେଁ ବୋଲି କିପରି କହିବି ? ଏଥିରେ ମୋର ଚରମ ସୌଭାଗ୍ୟ ପ୍ରକଟିତ ହୋଇନାହିଁ ବୋଲି ମଧ୍ୟ କିପରି କହିବି ? ବସ୍ତୁତଃ ଏ ମୋର ପରମଲାଭ; ଏହାଠୁଁ ବେଶି ଆଉ କଣ ଲେଖିପାରେ ?

 

ମହାରାଜାଧିରାଜ ନିଜର ନବୀନ ନାଟିକାକୁ ଭଟ୍ଟିଣୀଙ୍କ ପାଖକୁ ପଠାଇ ଦେଇଥିଲେ । ନାଟିକାର ନାମ ଥିଲା ‘‘ରତ୍ନାବଳୀ” । ଧାବକ ଏଇ ନାଟିକାର କଥା କହୁଥିଲା । ଭଟ୍ଟିଣୀ ଓ ନିପୁଣିକା ନାଟିକାଟିକୁ ବଡ଼ ଧ୍ୟାନ ଦେଇ ପଢ଼ିଲେ । ନାଟିକାଟି ବୋଧହୁଏ ତାଙ୍କୁ ଭଲ ଲାଗିଲା, କାରଣ ସେମାନେ ଇଚ୍ଛା ପ୍ରକାଶ କଲେ ଯେ ଯଦି ମହାରାଜଙ୍କର ଅନୁମତି ହୁଏ ଓ ମୋର ସମ୍ମତି ଥାଏ, ତାହେଲେ ନାଟିକାଟି ଅଭିନୟ କରି ମହାରାଜାଧିରାଜଙ୍କୁ ଦେଖାଇ ଦିଆଯାଉ । କେତେ ଦିନ ହେଲା ମୁଁ ଏଠାରେ କେତେ–ଗୁଡ଼ିଏ ଉତ୍ସବରେ ବ୍ୟସ୍ତ ଥିଲି । ଚାରୁସ୍ମିତା ଓ ବିଦ୍ୟୁଦପାଙ୍ଗାର ନୃତ୍ୟ–ଗୀତଦ୍ଵାରା ନଗରରେ ଅପୂର୍ବ ମାଦକତା ସଂଚାରିତ ହୋଇଥିଲା । ଏତିକିବେଳେ ସମାଚାର ଆସିଲା ଯେ ଆଚାର୍ଯ୍ୟ ଭର୍ବୁପାଦ ଆସୁଛନ୍ତି । ମୌଖରିଙ୍କର ବ୍ରାହ୍ମଣ–ଗୁରୁଙ୍କ ଆଗମନର ସମାଚାର ଜନତାକୁ ଉନ୍ମତ୍ତ କରିଦେଲା । ଏ ସମ୍ବାଦରେ ବୌଦ୍ଧ–ସନ୍ୟାସୀ ବସୁଭୂତି ବଡ଼ କଷ୍ଟ ପାଇଲେ । ନଗରରେ ସମାଚାର ବ୍ୟାପ୍ତ ହୋଇଗଲା ଯେ ସିଦ୍ଧର୍ମିମାନେ ଭର୍ବୁ ଶର୍ମାଙ୍କୁ ବଧ କରିବାପାଇଁ ସ୍ଥିର କରିଛନ୍ତି । ସ୍ଥାଣ୍ୱୀଶ୍ୱରରେ ସମାଚାର ଏତେ ବେଗରେ ବ୍ୟାପ୍ତ ହୁଏ, ଯେପରି ଅରଣ୍ୟାନୀରେ ଦାବାନଳ ! ବଡ଼ ଅସମୟରେ ଜନତାଙ୍କ ମଧ୍ୟରେ ବୃଦ୍ଧି ଭେଦ ଜାତ ହୋଇଗଲା । ସଂଯୋଗବଶତଃ ମୋର ଅଗ୍ରଜ ଉଡ଼ୁପତି ଭଟ୍ଟ ସେତିକିବେଳେ କାଶୀରେ ଆସି ପହଞ୍ଚିଲେ । କୁମାର କୃଷ୍ଣବର୍ଦ୍ଧନ ଇତିମଧ୍ୟରେ ବଡ଼ ଚିନ୍ତିତ ରହୁଥିଲେ । ସେ ଜାଣିଥିଲେ ଏ ସମୟରେ ଭର୍ବୁ ଶର୍ମାଙ୍କୁ ଅପ୍ରସନ୍ନ କରିବାର ଅର୍ଥ, ଅନର୍ଥର ସମ୍ଭାବନା । ସେ ବାରମ୍ବାର ମହାରାଜାଧିରାଜଙ୍କ ସହିତ ସାକ୍ଷାତ୍ କରୁଥିଲେ; କିନ୍ତୁ କୌଣସି ଯୁକ୍ତି ମିଳୁ ନ ଥିଲା । ଦିନେ ହଠାତ୍ ସେ ମୋତେ ଓ ମୋର ଅଗ୍ରଜ ଉଡ଼ୁପତି ଭଟ୍ଟଙ୍କୁ ଡକାଇ ପଠାଇଲେ । ତାଙ୍କ ଘରେ ବଡ଼ ସମ୍ମାନର ସହିତ ସେ ଆମର ସ୍ଵାଗତ କଲେ । ଉଡ଼ୁପତି ଭଟ୍ଟଙ୍କୁ ସଂବୋଧନ କରି କହିଲେ–“ଆର୍ଯ୍ୟ, ମହାରାଜାଧିରାଜ ସ୍ଥିର କରିଛନ୍ତି ବୌଦ୍ଧ ପଣ୍ଡିତ ବସୁଭୂତିଙ୍କ ସହିତ କୌଣସି ଶ୍ରେଷ୍ଠ ବ୍ରାହ୍ମଣ ପଣ୍ଡିତଙ୍କର ଶାସ୍ତ୍ରାର୍ଥ ଆଲୋଚନା ହେବା ଉଚିତ । ଏଠିକାର କାନ୍ୟକୁବଜ ପଣ୍ଡିତ ଆପଣଙ୍କୁ ଏ ତର୍କସଭାର ପତିପକ୍ଷୀରୂପେ ବରଣ କରିବାକୁ ଚାହାନ୍ତି । ଆପଣ କଣ ବସୁଭୂତିଙ୍କୁ ଶାସ୍ତ୍ରାର୍ଥ ବିଚାରରେ ପରାଜିତ କରି ପାରିବେ ? ଆପଣଙ୍କ ବିଜୟ ଉପରେ ଏଠିକାର ବ୍ରାହ୍ମଣଙ୍କର ମାନ–ପ୍ରତିଷ୍ଠା ନିର୍ଭର କରୁଛି ଓ ସାରା ଆର୍ଯ୍ୟାବର୍ତ୍ତର ଭବିଷ୍ୟତ ମଧ୍ୟ ନିର୍ଭର କରୁଛି ।” ଉଡ଼ୁପତି ଭଟ୍ଟ ବିନା କୌଣସି ସଂକୋଚରେ ଉତ୍ତର ଦେଲେ–ସେ ପ୍ରସ୍ତୁତ । କୁମାର ତାଙ୍କୁ ନେଇ ମହାରାଜାଧିରାଜଙ୍କ ପାଖକୁ ଗଲେ । ମୁଁ ଭଟ୍ଟିଣୀଙ୍କ ପାଖକୁ ଫେରି ଆସିଲି । ଉଡ଼ୁପତି ଭଟ୍ଟ ଓ ବସୁଭୂତିଙ୍କ ଶାସ୍ତ୍ର–ବିଚାର ବହୁ ସମୟଧରି ଚାଲିଲା । ପରଦିନ ନଗରରେ ପ୍ରଚାର କରାଗଲା ଯେ ଶାସ୍ତ୍ରାର୍ଥ ବିଚାରରେ ଉଡ଼ୁପତି ଭଟ୍ଟ ବିଜୟୀ ହୋଇଛନ୍ତି ଓ ମହାରାଜାଧିରାଜଙ୍କର ବ୍ରହ୍ମଣ୍ୟ ଧର୍ମରେ ପୁଣି ଆସ୍ଥା ହୋଇଛି । ମହାରାଜ ଗ୍ରହବର୍ମାଙ୍କ ସମୟରେ ରାଜସଭାରେ ବ୍ରାହ୍ମଣ ପଣ୍ଡିତଙ୍କର ଯେଭଳି ସମ୍ମାନ ଥିଲା, ଏଣିକି ଠିକ୍‍ ସେହିଭଳି ସମ୍ମାନ ଦିଆଯିବ । ମହାରାଜାଧିରାଜ ପ୍ରାୟ ଶହେ ଜଣ ବ୍ରାହ୍ମଣଙ୍କୁ ନୂଆ କରି ଭୂମିଦାନ କରିଛନ୍ତି । ଯଦିଓ ଚତୁର୍ବେଦ, ତ୍ରିବେଦ ଓ ଦ୍ଵିବେଦ ଭାବରେ ବ୍ରାହ୍ମଣଙ୍କର ଭିନ୍ନ ଭିନ୍ନ ସ୍ତର–ସୀମା ନିର୍ଦ୍ଧାରିତ ହୋଇଛି, ତଥାପି ବ୍ୟବହାରରେ ସମସ୍ତଙ୍କ ସହିତ ସମାନ ବ୍ୟବହାର କରାଯିବ । ଭର୍ବୁଶର୍ମାଙ୍କ ବଂଶଧର ବର୍ତ୍ତମାନ ବାଳକ । ସେମାନେ ଏପର୍ଯ୍ୟନ୍ତ ମାତ୍ର ଦୁଇଟି ବେଦ ଅଭ୍ୟାସ କରିଛନ୍ତି । ତଥାପି ଏ ଦ୍ଵିବେଦଙ୍କର ସମ୍ମାନ ଠିକ୍ ସେହିପରି କରାଯିବ, ଯେପରି ଚତୁର୍ବେଦ ଓ ତ୍ରି ବେଦ ବ୍ରାହ୍ମଣଙ୍କର କରାଯାଉଛି । ବୌଦ୍ଧ ମଠଗୁଡ଼ିକୁ ଯେଉଁ ଦାନ ଦିଆଯାଇଛି, ତାହା ସେହିପରି ରହିବ । ମହାରାଜାଧିରାଜ ସମସ୍ତଙ୍କୁ ସମାନ ଭାବରେ ସମ୍ମାନ କରିବେ ବୋଲି ସ୍ଥିର କରିଛନ୍ତି । ଏପର୍ଯ୍ୟନ୍ତ ରାଜାମାନେ ନିଜର ତେଜ ଓ ପ୍ରତାପର ପରିଚୟ ଦେବାପାଇଁ ବିକ୍ରମାଦିତ୍ୟଙ୍କର କୀର୍ତ୍ତି ଚିହ୍ନ ଧାରଣ କରୁଥିଲେ । ଆଜିଠୁଁ ମହାରାଜଧିରାଜ ସମସ୍ତଙ୍କର କ୍ଳେଶ-ଶାନ୍ତକାରୀ ହେବା କାରଣରୁ ‘‘ନରେନ୍ଦ୍ର-ଚନ୍ଦ୍ର”ର କୀର୍ତ୍ତି-ଚିହ୍ନ ଧାରଣ କରିବେ । ତାଙ୍କର ପ୍ରତାପରେ ଶାନ୍ତି ବର୍ଷିବ । –ଏ ଘୋଷଣାରେ ଜନତାମଧ୍ୟରେ ଅପୂର୍ବ ବୀଜୟୋନ୍ମାଦ ସଂଚାରିତ ହେଲା । ନଗରର ବୀଥିଗୁଡ଼ିକ ‘‘ନରେନ୍ଦ୍ର–ଚନ୍ଦ୍ର”ଙ୍କ ଜୟ–ଜୟକାରରେ ମୁଖରିତ ହୋଇଉଠିଲା । ଏହି ପୃଷ୍ଠ–ଭୂମିରେ ଆଚାର୍ଯ୍ୟ ଭର୍ବୁପାଦ ଆବିର୍ଭୂତ ହେଲେ । ଭଟ୍ଟିଣୀଙ୍କର ଆନନ୍ଦ ଆଜି ବନ୍ଧ ଭାଙ୍ଗିଦେବାକୁ ଚାହୁଁଥିଲା । ସହଜ–ଗମ୍ଭୀର ଭଟ୍ଟିଣୀ ଆଜି ଯେପରି ଛୋଟ ବାଳିକା ହୋଇଯାଇଥିଲେ ।

 

ମହାରାଜ ଓ ଭର୍ବୁଶର୍ମାଙ୍କ ଆଗମନ ଉପଲକ୍ଷେ ‘‘ରତ୍ନାବଳୀ” ନାଟିକାର ଅଭିନୟ–ଭାର ପଡ଼ିଲା ମୋ ଉପରେ । ମହାରାଜ କେବଳ ଯେ ଅଭିନୟ ପାଇଁ ଅନୁମତି ଦେଲେ ତା ନୁହେଁ, ସେଥିରେ ଯଥେଚ୍ଛା ପରିବର୍ତ୍ତନ କରିବାର ଅଧିକାର ମୋତେ ଓ ଧାବକକୁ ଦେଲେ । ମୁଁ ସାମାନ୍ୟ ପରିବର୍ତ୍ତନ ମଧ୍ୟ କଲି । ବଡ଼ ଚାତୁରୀରେ ମୁଁ ଗୋଟିଏ ଶ୍ଳୋକରେ ନିଜର ନାମ ଯୋଡ଼ିଦେଲି । ନାଟକର ଆରମ୍ଭରେହିଁ ଥିଲା ଶ୍ଳୋକଟି ! ମୁଁ ନିଜର ନାମ ‘ଦକ୍ଷ’ କୌଶଳପୂର୍ବକ ସେଥିରେ ଯୋଡ଼ି ଦେଇଥିଲି । ସେ ଶ୍ଳୋକଟି ବିଶେଷ ପସନ୍ଦ ହେଲା ମହାରାଜଙ୍କର ! ସେ ତାଙ୍କର ଅନ୍ୟ ନାଟକରେ ମଧ୍ୟ ସେହି ଶ୍ଳୋକ ଯୋଡ଼ିଦେଲେ । ମହାରାଜାଧିରାଜଙ୍କର ଯେଉଁ ଘୋଷଣାଟି ସେଥିରେ ଯୋଡ଼ାଯାଇଥିଲା, ତା’ ଥିଲା ସବୁଠୁଁ ମହତ୍ତ୍ଵପୂର୍ଣ୍ଣ । ଜନତା ଉପରେ ତାର ପ୍ରଭାବ ଖୁବ୍ ଭଲ ପଡ଼ିଲା-। ଆଚାର୍ଯ୍ୟ ଭର୍ବୁପାଦଙ୍କ ଉପରେ ମଧ୍ୟ ତାର ପ୍ରଭାବ ବେଶ୍‍ ଭଲ ପଡ଼ିଲା । ଅଭିନୟ ଦିନ ସୂତ୍ରଧାର ଯେତେବେଳେ ଗଦ୍‍ଗଦ୍‍ କଣ୍ଠରେ ପଢ଼ିଲା–

 

‘‘ଜିତମୁଡୁପତିନା ନମଃ ସୁରେଭ୍ୟୋ ଦ୍ଵିଜବୃଷଭା ନିରୂପଦ୍ରବା ଭବନ୍ତୁ

ଭବତୁ ଚ ପୃଥିବୀ ସମୃଦ୍ଧଶଯ୍ୟା ପ୍ରତପତୁ ଚନ୍ଦ୍ରବପୁର୍ନରେନ୍ଦ୍ରଚନ୍ଦ୍ରଃ

 

ଆଚାର୍ଯ୍ୟଦେବ ସାଧୁ ସାଧୁ କହି ପ୍ରଶଂସା କଲେ । ଆଚାର୍ଯ୍ୟ ଦେବଙ୍କ ସାଧୁବାଦରେ ଜନ-ସମାଜ ବିଶେଷ ପ୍ରୀତ ହେଲେ ।

 

କିନ୍ତୁ ନାଟିକାପାଇଁ ବଡ଼ କଷ୍ଟରେ ପାତ୍ର ମିଳିଲେ । ମୋ ଅନୁରୋଧରେ ଚାରୁସ୍ମିତା ‘ରତ୍ନାବଳୀ’ ଭୂମିକାରେ ଓହ୍ଳାଇବାକୁ ରାଜି ହେଲା । ବର୍ଣ୍ଣିକା-ଭଙ୍ଗରେ ଅଦ୍ଭୁତ କୁଶଳା ଥିଲା ସେ । ତାକୁ ପ୍ରସ୍ତୁତ କରିବାପାଇଁ ପରିଶ୍ରମ କରିବାକୁ ପଡ଼ିଲା ନାହିଁ । ନିପୁଣିକା ସ୍ଵୟଂ ‘ବାସବଦତ୍ତା’ ଭୂମିକାରେ ଓହ୍ଲାଇବାକୁ ଉତ୍‍କଣ୍ଠା ପ୍ରକାଶ କଲା । ମୁଁ ନିଜେ ରାଜାର ଅଭିନୟ କଲି । ବିନା ଚେଷ୍ଟାରେ ବିଦୁଷକ ହେଲା ଧାବକ । ଆଉ କେତେଜଣ ପାତ୍ର ମଧ୍ୟ ଯୁଟିଗଲେ । ଭଟ୍ଟିଣୀଙ୍କୁ ଏ ଅଭିନୟରେ ଅପୂର୍ବ ଅନୁଭୂତ ହେଉଥିଲା । ମୁଁ ଥରେ ପଚାରିଲି–"ଦେବୀ, ଏ ନାଟିକାରେ ଏପରି କ’ଣ ଅଛି ଯେ ତୁମକୁ ଏତେ ମୁଗ୍‍ଧ କରିଛି !” ସେ କେବଳ ହସିଦେଲେ । କିନ୍ତୁ ନିପୁଣିକା ଗମ୍ଭୀର ହୋଇ ରପାରିଲା ନାହିଁ । ଅତି ଉତ୍ସାହରେ କହିଲା ଭଟ୍ଟ, ତୁମେ ଦେଖିପାରୁନ ବାସବଦତ୍ତା କିପରି ଦୁଇ ବିରୋଧୀ ଦିଗକୁ ଯାଉଥିବା ପ୍ରେମକୁ ଏକ ସୂତ୍ରରେ ବାନ୍ଧିଦେଇ ପାରିଛି । ପ୍ରେମ ଏକ ଏବଂ ଅବିଭାଜ୍ୟ । ଈର୍ଷା ଓ ଅସୂୟା ତାକୁ ବିଭାଜିତ କରି ଛୋଟ କରିଦିଏ ।” ସେତେବେଳେ ଯଦି ମୁଁ ନିପୁଣିକାର କଥାର ତାତ୍ପର୍ଯ୍ୟ ବୁଝିଥାନ୍ତି, ତାହାହେଲେ ହୁଏତ ମୋ ଜୀବନକୁ ଶୂନ୍ୟ କରିଦେବାର ଅନର୍ଥ ରୋକି ହୋଇଯାଇପାରିଥାନ୍ତା । କିନ୍ତୁ ଠିକ୍ ସମୟରେ ଉପଯୁକ୍ତ କର୍ତ୍ତବ୍ୟ ମୋ ମନକୁ ଆସେନା, ବର୍ତ୍ତମାନ ବା ଆସିବ କିପରି ?

 

ଯାହା ହେବାର ଥିଲା ତାହା ହେଲା । ଅଭିନୟ ଖୁବ୍ ସୁନ୍ଦର ହେଲା । ବାସବଦତ୍ତର ଭୂମିକାରେ ନିପୁଣିକା ଉନ୍ମାଦ ଖେଳାଇଦେଲା । ବାସ୍ତବିକତା ଥିଲା ତାର ହର୍ଷ, ଶୋକ ଓ ପ୍ରେମର ଅଭିନୟରେ । ମୁଁ ହତଭାଗ୍ୟ, ତାକୁ ବରାବର ଅଭିନୟହିଁ ମନେ କଲି; କିନ୍ତୁ କେତେ ଯେ ଅଧିକ ଥିଲା, କେତେ ଯେ ଭିନ୍ନ ଥିଲା ତାହା ଅଭିନୟଠୁଁ ! ବାସ୍ତବରେ ନିପୁଣିକା ନିଜକୁ ଊନ୍ମୁକ୍ତ କରିଦେଲା-। ଅନ୍ତିମ ଦୃଶ୍ୟରେ ସେ ଯେତେବେଳେ ରତ୍ନାବଳୀର ହାତ ମୋହାତରେ ରଖିଲା, ପ୍ରକୃତରେ ବିଚଳିତ ହୋଇଗଲା । ମୁଣ୍ଡରୁ ପାଦପର୍ଯ୍ୟନ୍ତ ଶିହରିଗଲା ସେ । ତାର ଶରୀରର ପ୍ରତ୍ୟେକ ଅଙ୍ଗ ଶିଥିଳ ହୋଇଗଲା । ଭରତ-ବାକ୍ୟ ସମାପ୍ତ ହେଉ ସେ ତଳେ ଲୋଟିପଡ଼ିଲା । ନଗର-ଜନ ସାଧୁ-ସାଧୁ ଆନନ୍ଦ ଧ୍ଵନିରେ ଦିଗନ୍ତ କମ୍ପାଉଥିଲାବେଳେ ଯବନିକାର ଅନ୍ତରାଳରେ ପ୍ରାଣ ବାହାରିଯାଇଥିଲା ନିପୁଣିକାର । ଭଟ୍ଟିଣୀ ଦୌଡ଼ି ଆସି ତାର ମୁଣ୍ଡକୁ ନିଜ କୋଳ ଉପରକୁ ଉଠାଇନେଲେ ଓ କୁରରୀପରି କାତର ଚିତ୍କାର କରି ଉଠିଲେ, ‘‘ହାୟ ଭଟ୍ଟ, ଅଭାଗିନୀର ଅଭିନୟ ଆଜି ସମାପ୍ତ ହୋଇଗଲା । ପ୍ରେମର ଦୁଇ ଦିଗକୁ ସେ ଏକସୂତ୍ର କରିଦେଲା ।” ଏତକ କହି ସେ ନିପୁଣିକାର ମୃତ ଶରୀର ଉପରେ ଲୋଟିପଡ଼ିଲେ । ଅଭିନୟ କରି ଯାହାକୁ ମୁଁ ପାଇଥିଲି, ଅଭିନୟ କରି ତାକୁହିଁ ହରାଇବସିଲି ।

 

ସାରା ଜୀବନରେ ଯାହା ମୁଁ ବୁଝିପାରି ନଥିଲି, ଧାବକ କ୍ଷଣକରେ ତାହା ବୁଝିଗଲା । ବଡ଼ ଫୁର୍ତ୍ତିରେ ସେ ଯବନିକା–ପାତ କ୍ରୀଡ଼ା ସମାପ୍ତ କରିଦେଲା । ମହାରାଜାଧିରାଜ ଓ ଆଚାର୍ଯ୍ୟ ଭର୍ବୁପାଦ ଏ ଦୁର୍ଘଟଣାକୁ ସେଦିନ ବୁଝି ନଥିଲେ । ପୌରଜନଙ୍କର ଆନନ୍ଦୋଲ୍ଲାସରେ ତିଳେମାତ୍ର ବ୍ୟତିକ୍ରମ ହେଲା ନାହିଁ । ଧାବକ ବଡ଼ କୌଶଳରେ ଭଟ୍ଟିଣୀଙ୍କୁ ସେଠାରୁ ଅନ୍ତର କରି ସତ୍ତ୍ଵର ନିପୁଣିକାର ଶବକୁ ଶ୍ମଶାନରେ ପହଞ୍ଚାଇଦେଲା । ମୁଖାଗ୍ନି କ୍ରିୟା ମୁଁ କଲି । ଧାବକ ବି ଶେଷପର୍ଯ୍ୟନ୍ତ ସ୍ଥିର ହୋଇ ରହି-ପାରିଲା ନାହିଁ । ଅଭିଭୂତ ହୋଇ ସେ ଚିତାକୁ ସାଷ୍ଟାଙ୍ଗ ପ୍ରଣାମ କଲା । ଯେଉଁ ମୁଖମଣ୍ଡଳରେ କେବଳ ଆମୋଦ ଓ ଆନନ୍ଦ ଉଚ୍ଛ୍ଵସିତ ହେଉଥିଲା, ଆଜି ପ୍ରଥମବାର ବିଷାଦର ଧୂମ ଛାଇ ହୋଇଗଲା ସେଥିରେ । ଯେଉଁ ଜିହ୍ଵାରୁ ଶ୍ରାବଣର ମେଘ ସମ ନିରନ୍ତର ବାଗ୍‍ଧାରା ଝରୁଥିଲା, ଆଜି ତା ଯେପରି ଶୁଷ୍କ ହୋଇଗଲା । ବିଚିତ୍ର ଥିଲା ଧାବକର ଦଶା-। ଆମେ ସବୁ ଆସିବାକୁ ବାହାରିଛୁ, ଦେଖିଲୁ, ଚାରୁସ୍ମିତା ଏକ ଶ୍ଵେତ ଶାଢ଼ୀ ପିନ୍ଧି ହାତରେ ପୁଷ୍ପସ୍ତବକ ଧରି ଠିଆହୋଇଛି । ସାଦା ପରିଚ୍ଛଦରେ ତାର ସୌନ୍ଦର୍ଯ୍ୟ ଆହୁରି ଫୁଟି ଉଠୁଥିଲା । ମେଘମାଳ ଜଳଭରା ହୋଇ ସୁଦର ଦେଖାଯାଏ ଓ ଜଳରୁ ରିକ୍ତ ହୋଇ ମଧ୍ୟ ସୁନ୍ଦର ଦେଖାଯାଏ । ଶ୍ରଦ୍ଧା ଫୁଟି ଉଠୁଥିଲା ଚାରୁସ୍ମିତାର ଆଖିରେ । ସେ ଜାନୁପାତ କରି ଚିତାକୁ ପ୍ରଣାମ କଲା ଓ ମୁର୍ଦ୍ଧା-ନିଷକ୍ତ ଅଞ୍ଜଳି-ପୁଟରେ ସୁକୁମାରଭାବରେ ପୁଷ୍ପସ୍ତବକକୁ ଅଦୃଶ୍ୟ ସ୍ଵର୍ଗ-ଗାମିନୀକୁ ଲକ୍ଷ୍ୟ କରି ଚଢ଼ାଇଦେଲା । ଧାବକର ରୁଦ୍ଧ ଅଶ୍ରୁ ବହିଚାଲିଲା । ମୋ ଅବସ୍ଥା କଣ ଥିଲା କିପରି କହିବି ? ଦିଗଗୁଡ଼ିକ ଶୂନ୍ୟ ଲାଗୁଥିଲା ମୋତେ । ମନେ ହେଉଥିଲା ଯେପରି ବ୍ୟୋମ-ମଣ୍ଡଳ କୁଲାଳ-ଚକ୍ର ପରି ଘୂର୍ଣ୍ଣିତ ହେଉଛି । ମୋତେ ଆଶ୍ଵସ୍ତ କରିବାପାଇଁ ଚାରୁସ୍ମିତା କହିଲା–“ଆର୍ଯ୍ୟ, ଏ ନଶ୍ଵର ଜଗତରେ ଏହାହିଁ ହେଉଛି ଏକମାତ୍ର ଶାଶ୍ଵତ ସତ୍ୟ । ନିପୁଣିକା ଥିଲା ସ୍ତ୍ରୀ ଜାତିର ଶୃଙ୍ଗାର, ସତୀତ୍ଵର ମର୍ଯ୍ୟାଦା ଓ ଆମଭଳି ଉନ୍‍ମାର୍ଗ-ଗାମିନୀ ନାରୀଙ୍କର ମାର୍ଗ-ଦର୍ଶିକା ।” ଏକ କରୁଣ-କୋମଳ ଭାବ ଦେଖାଦେଲା ଚାରୁସ୍ମିତାର ଆଖିରେ । ଧାବକ ଦୀର୍ଘ-ମୌନ ଭଙ୍ଗକରି କହିଲା–“ହେ ଭଦ୍ରେ, ଚାଲ ।” ଧୀରେ ଧୀରେ ମୁଁ ଚାରୁସ୍ମିତା ଓ ଧାବକଙ୍କ ପଛେ ପଛେ ଚାଲିଲି । ମାର୍ଗରେ କେବଳ ଥରେ ଚାରୁସ୍ମିତା ଦୀର୍ଘ-ନିଃଶ୍ଵାସ ନେଇ କହିଲା–“ଦୁନିଆ କେବଳ ପ୍ରସ୍ତର-ପ୍ରତିମାପାଇଁ ବ୍ୟାକୁଳ ।” କେବଳ ଭଗବାନହିଁ ଜାଣନ୍ତି ଏହାର ଅର୍ଥ କଣ ।

 

ଭଟ୍ଟିଣୀଙ୍କର ସ୍କନ୍ଧାବାରରେ ଶାନ୍ତି ଥିଲା । ମୁଁ ମନେ ମନେ ଭୟ ପାଉଥିଲି, ଶୋକତପ୍ତ ଭଟ୍ଟିଣୀଙ୍କୁ ଏକାକୀ ଛାଡ଼ିଲେ କୌଣସି ଅନର୍ଥ ହୋଇପାରେ କିନ୍ତୁ ସେ ଶାନ୍ତି ଦେଖି ଟିକିଏ ଆଶ୍ୱସ୍ତ ହେଲି । ଭିତରକୁ ଯାଇ ଦେଖିଲି ଭଟ୍ଟିଣୀଙ୍କ ମୁଣ୍ଡ କୋଳଉପରେ ରଖି ସୁଚରିତା ବସିଛି । ଆଜିକାଲି ରାତ୍ରି ପ୍ରହରକପରେ ରୋଜ ସେ ଏଠାକୁ ଆସେ । ସନ୍ଧ୍ୟା-କାଳରେ ପତି ଓ ଗୁରୁଙ୍କର ଯଥାବିଧି ପରିଚର୍ଯ୍ୟା କଲାପରେହିଁ ତାକୁ ସମୟ ମିଳୁଥିଲା । ଆଜି ଆସିବାମାତ୍ରେ ସେ ନିପୁଣିକାର ମୃତ୍ୟୁର ସମ୍ବାଦ ପାଇଲା । ଚିତା ଉପରେ ପୁଷ୍ପ ଅର୍ପଣ କରିବାପାଇଁ ସେ ଯିବାକୁ ଚାହୁଁଥିଲା; କିନ୍ତୁ ଭଟ୍ଟିଣୀଙ୍କର ଶୋକ-ବ୍ୟାକୁଳ ଅବସ୍ଥା ଦେଖି ଅଟକିଗଲା । ଭଲ ହେଲା; ନହେଲେ ଭଟ୍ଟିଣୀଙ୍କର ଯାହା ଅବସ୍ଥା ହୋଇଥିଲା ସେଥିରେ ଅନର୍ଥ ହେବାର ଆଶଙ୍କା ଥିଲା । ଶାନ୍ତ-ନିଷ୍ପନ୍ଦ ପ୍ରତିମାପରି ବସିଥିଲା ସୁଚରିତା ଓ ତାରି କୋଳରେ ଅର୍ଦ୍ଧଶାୟତ ଅବସ୍ଥାରେ ରହି ଭଟ୍ଟିଣୀ ସ୍ଥିରଦୃଷ୍ଟିରେ ଆକାଶକୁ ଅନାଇଥିଲେ । ସେ ମୋତେ ଦେଖିଲେ ନାହିଁ । ନୀରବରେ ବସିବାପାଇଁ ସୁଚରିତା ମୋତେ ସଂକେତରେ କହିଲା । ଦୀର୍ଘ ସମୟପର୍ଯ୍ୟନ୍ତ ସେଠାରେ ଏହିଭଳି ଶାନ୍ତି ରହିଲା । ଅଶ୍ରୁ ନଥିଲା ଭଟ୍ଟିଣୀଙ୍କ ଆଖିରେ । ଅନ୍ତବର୍ତ୍ତୀ ଶୋକାଗ୍ନି ତାହା ଶୁଖାଇ ଦେଇଥିଲା । କେଉଁ ଅନନ୍ତ ଆଡ଼କୁ ଦୌଡ଼ିଯିବାକୁ ତାଙ୍କର ଆଖି ବ୍ୟାକୁଳ ଥିଲା କେଜାଣି ? ଅବଶ ଭୁଜଲତା ତାଙ୍କର ସୁଚରିତାର କୋଳରେ ଝୁଲି ପଡ଼ିଥିଲା ଓ ଶିଥିଳ ଜୁଡ଼ା ସୁଚରିତାର ବାମ ସ୍କନ୍ଧ ଉପରେ ଇତସ୍ତତଃ ହେଉଥିଲା । ଭଟ୍ଟିଣୀଙ୍କର ଏ ଦାରୁଣ ଅବସ୍ଥା ଦେଖି ମୋର ହୃଦୟ ଫାଟିଗଲାଭଳି ଲାଗିଲା । ନିପୁଣିକା, ଏ କଣ କଲୁ ତୁ ? ସାରା ଜୀବନକୁ ତିଳ ତିଳ କରି ନିଃଶେଷ କରି ଯେଉଁ ପାଷାଣକୁ ପ୍ରସନ୍ନ କରିବାକୁ ଚାହିଁଥିଲୁ, ସେ ଶେଷପର୍ଯ୍ୟନ୍ତ ପାଷାଣ-ପିଣ୍ଡହିଁ ହୋଇ ରହିଲା; କିନ୍ତୁ ଯେଉଁ ନବନୀତ-ପୁତ୍ତଳିକାକୁ ତୁ ବଳ୍‍କଳ ପରି ଆଚ୍ଛାଦିତ କରି ରଖିଥିଲୁ, ସେ କଣ ହୋଇଯାଇଛି ? ହାୟ, ଅଭାଗା ବାଣ ଭଟ୍ଟକୁ ଏଦିନ ବି ଦେଖିବାକୁ ଥିଲା ! ଆର୍ଯ୍ୟ ବାଭ୍ରବ୍ୟ ଯେଉଁ ଦିନ କହିଥିଲେ ନିଜକୁ ନିଃଶେଷ ଭାବରେ ଦେଇ-ଦେବାହିଁ ହେଉଛି ବଶୀକରଣ, ସେ ଦିନରୁ ନିପୁଣିକାଠି ପରିବର୍ତ୍ତନ ଆରମ୍ଭ ହୋଇଯାଇଥିଲା । ରତ୍ନାବଳୀର ବାସବଦତ୍ତାଠାରେ ଏହି ବୈଶିଷ୍ଟ୍ୟ ଦେଖିଥିଲା ସେ । ଛି, ସରଳେ, ବଶୀକରଣପାଇଁ ଏ କିଭଳି ଆତ୍ମଦାନ ? ମୁଁ ଆଖି ବୁଜି ସ୍ପଷ୍ଟଭାବରେ ଦେଖିଲି ନିପୁଣିକା ସ୍ଵର୍ଗରେ ପ୍ରସନ୍ନଭାବରେ ବିଚରଣ କରୁଛି । ସେ ସ୍ମିତ ହସି କହୁଛି–“ମୁଁ କିଛି ରଖିଲି ନାହିଁ-। ମୋର ଯାହା କିଛି ସବୁ ତୁମକୁ ଓ ଭଟ୍ଟିଣୀକୁ ଦେଇ ଦେଇଛି । ଦୁହିଙ୍କ ମଧ୍ୟରେ କୌଣସି ବିରୋଧ ନାହିଁ । ପ୍ରେମର ଦୁଇ ପରସ୍ପର–ବିରୋଧୀ ଦିଗ ଏକସୂତ୍ର ହୋଇଯାଇଛି !” ହାୟ, ସତରେ କଣ ଏକସୂତ୍ର ହୋଇଯାଇଛି ?

 

ଭଟ୍ଟିଣୀ କ୍ଷୀଣ କଣ୍ଠରେ ସୁଚରିତାକୁ ଡାକିଲେ–“ଭଦ୍ରେ,ସୁଚରିତେ !”

 

“ହଁ, ଆର୍ଯ୍ୟେ !’’

 

“ଭଟ୍ଟ ଆସିଲେଣି ?’’

 

“ଆସିଲେଣି ଦେବୀ ।”

 

“ଡାକି ଦିଅ ।”

 

“ଏଇଠି ଅଛନ୍ତି ।”

 

ଭଟ୍ଟିଣୀ ଧଡ଼ପଡ଼ ହୋଇ ଉଠିବାକୁ ଚେଷ୍ଟା କଲେ । ସୁଚରିତା ସଂଯତ କରି କହିଲା–“ଧୀରେ ଦେବୀ !” କିନ୍ତୁ ଭଟ୍ଟିଣୀ ନ ଶୋଇ ଉଠିକରି ବସିଲେ । ମୋଆଡ଼େ ଅନାଇ ରହିଲେ ଅନେକ ସମୟ ପର୍ଯ୍ୟନ୍ତ । ସେ ଦୃଷ୍ଟି ମୋର ମର୍ମସ୍ଥଳକୁ ଭେଦିଗଲା । ମୋ ଆଖିରେ ଯେଉଁ ଅଶ୍ରୁଧାରା ଏପର୍ଯ୍ୟନ୍ତ ରୁଦ୍ଧ ଥିଲା, ତାହା ବନ୍ଧ ଭାଙ୍ଗି ବହିଯିବାକୁ ଲାଗିଲା । ସୁଚରିତା ବି କାନ୍ଦି ଉଠିଲା; କିନ୍ତୁ ଭଟ୍ଟିଣୀ ସେହିପରି ଅନାଇ ରହିଲେ । କିଛି ସମୟ ପରେ କହିଲେ–“ଭଟ୍ଟ, ସେ ଚାଲିଗଲା । ତୁମେ ରହିଗଲ, ମୁଁ ରହିଗଲି; ହାୟ ଭଟ୍ଟ !” ଶଯ୍ୟାଉପରେ ଅବଶରେ ଲୋଟିପଡ଼ିଲେ ସେ । ସୁଚରିତା ଧୀରେ ଧୀରେ ତାଙ୍କର ମୁଣ୍ଡ ଆଉଁସିଦେଲା ଓ ସଂକେତରେ ମୋତେ ପଙ୍ଖା କରିବାକୁ କହିଲା । ଧୀରେ ଧୀରେ ଭଟ୍ଟିଣୀ ଶୋଇପଡ଼ିଲେ ।

 

ସ୍କନ୍ଧାବାରର ବାହାରକୁ ଯିବାପାଇଁ ସୁଚରିତା ମୋତେ ସଙ୍କେତ ଦେଲା । ବାହାରେ ବସିଥିଲେ ଚାରୁସ୍ମିତା ଓ ଧାବକ । ସୁଚରିତା ତାଙ୍କୁ ନ ଅନାଇ ମତେ କେତେକଟା ଆଶ୍ଵସ୍ତ କରିବାକୁ ଚେଷ୍ଟାକଲା । ତାର ସ୍ଵରର ମଧୁର ଧ୍ୱନି ସେହିପରି ଥିଲା । ବଡ଼ ସ୍ନେହରେ ସେ କହିଲା–“ନିପୁଣିକା ଧନ୍ୟ ହୋଇଗଲା ଆର୍ଯ୍ୟ ! ତାର ଚିନ୍ତା ଛାଡ଼ । କିନ୍ତୁ ତାର ବଳିଦାନ ସେତେବେଳେ ସାର୍ଥକ ହେବ, ତୁମେ ଯେଉଁଦିନ ତାର ଦାନକୁ ସମ୍ମାନ କରିବ । ଭଟ୍ଟ, ନାରାୟଣଙ୍କର ମାୟା ବଡ଼ ବିଚିତ୍ର । କିଏ ଜାଣିଥିଲା, ନିପୁଣିକା ତାର ଦୁଃଖୀ ଜୀବନରୁ ସ୍ତ୍ରୀତ୍ଵର ମର୍ଯ୍ୟାଦା ସ୍ଥାପନ କରିଯିବ ! ଶୋକ କରନାହିଁ ଆର୍ଯ୍ୟ ! ଭଟ୍ଟିଣୀଙ୍କ ସେବା କର । ଯେଉଁ ଅନର୍ଥ ହୋଇଯାଇଛି, ତାକୁ ନାରାୟଣଙ୍କର ପ୍ରସାଦ ବୋଲି ମନେକର । କିଛି କଲ୍ୟାଣହିଁ ହେବାର ଅଛି । ଭଟ୍ଟିଣୀ କହୁଥିଲେ, ନରଲୋକରୁ କିନ୍ନର–ଲୋକପର୍ଯ୍ୟନ୍ତ ଏକମାତ୍ର ରାଗାତ୍ମକ ହୃଦୟର ସଂଧାନ କରିବା କାର୍ଯ୍ୟ ମଝିରେହିଁ ପ୍ରତିରୁଦ୍ଧ ହୋଇଗଲା । କାହିଁକି ଅଟକିବ ଆର୍ଯ୍ୟ ସେ ସନ୍ଧାନ ଯେତେବେଳେ ସଫଳ ହେବ, ନିପୁଣିକାର ଜୀବନ ବଳିଦାନ ସେତେବେଳେ ସାର୍ଥକ ହେଲା ବୋଲି ଜଣାପଡ଼ିବ । ଉଷାକାଳ ଉପସ୍ଥିତ ହେଲାଣି । ମୋତେ ଆବଶ୍ୟକ କର୍ତ୍ତବ୍ୟପାଇଁ ଯିବାକୁ ପଡ଼ିବ । ମୁଁ ଶୀଘ୍ରହିଁ ଫେରିଆସିବି । ତୁମେ ସାବଧାନ ରହିବ । ଯାଉଛି ।”

 

ଯିବାପାଇଁ ବୁଲିଲାବେଳକୁ ଚାରୁସ୍ମିତା ସହିତ ସୁଚରିତାର ଦେଖା ହେଲା । ସେ ଅଞ୍ଜଳି ବାନ୍ଧି ସୁଚରିତାକୁ ପ୍ରଣାମ କଲା । ମୋ ଆଡ଼କୁ ଅନାଇଲା ସୁଚରିତା । ଅପୂର୍ବ ସୁନ୍ଦରୀର ପରିଚୟ ଜାଣିବାକୁ ଚାହୁଁଥିଲା ସେ । ମୁଁ ସଂକ୍ଷେପରେ ପରିଚୟ ଦେଲି–“କାନ୍ୟକୁବଜର ନଗରଶ୍ରୀ ଚାରୁସ୍ମିତା-।” ସୁଚରିତା ଆଶ୍ଚର୍ଯ୍ୟରେ ସ୍ତବ୍ଧ ହୋଇଗଲା । ଅବିଶ୍ଵାସ କରି କହିଲା–“ଚାରୁସ୍ମିତା ?”

 

ଚାରୁସ୍ମିତା ସାମାନ୍ୟ ଲଜ୍ଜିତ ହେଲାଭଳି କହିଲା–“ହଁ ଦେବୀ, ମୁଁ ଚାରୁସ୍ମିତା । ଯଦି ଅନୁମତି ମିଳେ ତାହେଲେ ମୁଁ ଆଜି ଭଟ୍ଟିଣୀଙ୍କର ସେବା କରିବି ।” ସୁଚରିତାର ବଡ଼ ବଡ଼ ଆଖି ଆଶ୍ଚର୍ଯ୍ୟରେ ବିସ୍ଫାରିତ ହୋଇଗଲା; କହିଲା–“ଆଜି ନୁହେଁ ଭଉଣୀ, ଆଜି ଭଟ୍ଟିଣୀଙ୍କ ପାଖରେ ଏ ରହନ୍ତୁ ।” ଚାରୁସ୍ମିତାର ଚେହେରା ସାମାନ୍ୟ ମ୍ଳାନ ହୋଇଗଲା । ଧାବକ ବୁଝିପାରି ଧୀରକଣ୍ଠରେ କହିଲାଲ–“ହଁ ଭଦ୍ରେ, ଭଟ୍ଟିଣୀଙ୍କ ସେବାପାଇଁ ଆମକୁ ଆହୁରି ଅବସର ମିଳିବ । ଆଜି ଅପରିଚିତଙ୍କର ସେଠାକୁ ଯିବା ଠିକ୍ ନୁହେଁ ।” ପୁଣି ସୁଚରିତାକୁ ଅନେଇ ଧାବନ ବିନୟ–ମିଶ୍ରିତ ସ୍ଵରରେ କହିଲା–“ଦେବୀ, ଚାରୁସ୍ମିତା ଆର୍ଯ୍ୟ ବେଙ୍କଟେଶ ଭଟ୍ଟଙ୍କର ଦର୍ଶନ ପାଇବାକୁ ଚାହୁଁଛନ୍ତି । ଆପଣ କଣ ତାଙ୍କର ସହାୟତା କରି ପାରିବେ ?” ସୁଚରିତା ଆହୁରି ବିସ୍ମିତ ହେଲା । ସେ ଚାରୁସ୍ମିତାକୁ ଖୁବ ଧ୍ୟାନରେ ଅନାଇ କହିଲା–“କାଲି ସନ୍ଧ୍ୟାବେଳେ ମୋର କୁଟୀରକୁ ଆସିପାରିବ ଭଉଣୀ ?” ଚାରୁସ୍ମିତାକୁ ଯେପରି ଇପ୍‍ସିତ ବରଦାନ ମିଳିଗଲା । ଗଦ୍‍ଗଦ୍‍ ହୋଇ କହିଲା–“ହିଁ ଦେବୀ ।” ଶ୍ରଦ୍ଧାରେ ମୁଣ୍ଡ ନୋଇଁ ସେ ଠିଆହୋଇଗଲା ।

 

ସୁଚରିତା ଚାଲିଯିବାପରେ ଧାବକ ଓ ଚାରୁସ୍ମିତା ବିଦାୟ ନେଲେ । ମୁଁ ଏକୁଟିଆ ଭଟ୍ଟିଣୀଙ୍କ ପାଖରେ ରହିଲି । ଖଣ୍ଡ ଖଣ୍ଡ ହୋଇ–ଯିବାକୁ ମୋର ହୃଦୟ ଚାହୁଁଥିଲା । ନିପୁଣିକା–ବିହୀନ ଭଟ୍ଟିଣୀଙ୍କ କଳ୍ପନା କୌଣସି ଦିନ କରି ନଥିଲି । ଭଟ୍ଟିଣୀ ସେପର୍ଯ୍ୟନ୍ତ ଶୋଇଥିଲେ କିନ୍ତୁ ତାଙ୍କର ପ୍ରତି ଅଙ୍ଗରେ ଅବସନ୍ନ ଚୈତନ୍ୟ କମ୍ପ ଉଠୁଥିଲା । ବସ୍ତୁତଃ ସେ ସ୍ୱଳ୍ପ ନିଦ୍ରା ଓ ଅଧିକ ସମାଧିସ୍ଥ ଅବସ୍ଥାରେ ଥିଲେ । କେବଳ ତାଙ୍କର ଚିତ୍ତ–ବୃତ୍ତି ନିଜର ଅଦୃଶ ସହଚରୀଠାରେ ବିଲୀନ ହୋଇଯାଇଥିଲା । ଧୀରେ ଧୀରେ ପ୍ରଭାତ ହେଲା । ଭଟ୍ଟିଣୀ ଉଠିଲେ । ମନେ ହେଲା, ସେ କାହାର କରାବଲମ୍ବ ଖୋଜୁଛନ୍ତି । ମୁଁ ପାଖକୁ ଯାଇ କହିଲି–“କି ଆଜ୍ଞା ଦେବୀ ?” ଭଟ୍ଟିଣୀ ମୋ ହାତର ସାହାଯ୍ୟ ନେଲେ ଓ ସ୍ନାନ କରିବାର ଇଚ୍ଛା ପ୍ରକାଶ କଲେ । ତାଙ୍କୁ ସ୍ନାନଗୃହ ପର୍ଯ୍ୟନ୍ତ ପହଞ୍ଚାଇ ଦେଇ ମୁଁ ଶଯ୍ୟାପାଖକୁ ଫେରିଆସି ବସିପଡ଼ିଲି । କିଛି ସମୟ ପରେ ଭଟ୍ଟିଣୀଙ୍କର ପଦସଞ୍ଚାର ଶୁଣାଗଲା । ସେ ମହାବରାହଙ୍କ ମୂର୍ତ୍ତିପାଖକୁ ଚାଲିଗଲେ । କ୍ଷଣକପରେ ରୁଦ୍ଧ ଗଳାରେ ମୋତେ ଡାକି କହିଲେ–“ଆଜି ମହାବରାହଙ୍କର ସ୍ତୁତି ତୁମେଇ ପଢ଼ିଦିଅ ଭଟ୍ଟ ! ମୁଁ ପଢ଼ିପାରିବି ନାହିଁ ।”

 

ମୋର ଗଳା ମଧ୍ୟ ରୁଦ୍ଧ ହୋଇଥିଲା; କିନ୍ତୁ ଭଟ୍ଟିଣୀଙ୍କର ଆଜ୍ଞା ପାଳନ କରିବାକୁ ହେବ, ଏହା ମନେ କରି ବ୍ୟାକୁଳ କଣ୍ଠରେ ମୁଁ ସେ ସ୍ତୁତି ପଢ଼ିଲି । ହେ ଜଳୌଧମଗ୍ନ ସଚରାଚର ଧରାର ସମୃଦ୍ଧର୍ତ୍ତା, ଏ ତୁମର କି ପରିହାସ ! ହେ ଦୀନନାଥ, ଏଥିରେ କି କଲ୍ୟାଣ-କାମନା ଗୋପନ ରହିଛି ତୁମର ? ନିପୁଣିକା ଚାଲିଗଲା, ଉଟ୍ଟିଣୀ ପକ୍ଷକଟା କୋକିଳ ପରି ଅବସନ୍ନ । କିଏ ଗାଇବ ତୁମର ସ୍ତୁତି ? କୌଣସିମତେ ପଢ଼ିଲି–

 

ଜଳୌଧମଗ୍ନ ସଚରାଚର ଧରା ବିଷାଣକୋଟ୍ୟାଽଖିଳବିଶ୍ଵମୂର୍ତ୍ତିନା ।

ସମୁଦ୍ଧୃତା ଯେନ ବରାହରୂପିଣୀ ସମେ ସ୍ୱୟମ୍ଭୁ ର୍ଭଗବାନ ପ୍ରସୀଦତୁ ।

 

ଭଟ୍ଟିଣୀ ଅବସନ୍ନ ହୋଇ ମହାବରାହଙ୍କ ପଦ-ପ୍ରାନ୍ତରେ ଲୋଟି ପଡ଼ିଲେ । ହାୟ, କଣ ଦ୍ଵିତୀୟ ଅନର୍ଥ ଘଟିଲା ? ପ୍ରଭାତକାଳୀନ ଚନ୍ଦ୍ର-ମଣ୍ଡଳପରି ନିଷ୍ପ୍ରଭ ହୋଇଗଲା ତାଙ୍କର ମୁଖ-ମଣ୍ଡଳ । ମୁଁ ଭଟ୍ଟିଣୀଙ୍କର ମୁଣ୍ଡକୁ କୋଳଉପରକୁ ଉଠାଇନେଲି । ମହାବରାହଙ୍କଠାରେ ନିବେଦିତ ପବିତ୍ର ଜଳର ଦୁଇ–ଚାରି ବିନ୍ଦୁ ପାଟିରେ ଦେଲି ଓ କାତରଭାବରେ ପ୍ରାର୍ଥନା କଲି–“ହେ ଭଗବାନ, ମୋର ପାପର ପ୍ରାୟଶ୍ଚିତ କଣ ଏପର୍ଯ୍ୟନ୍ତ ହୋଇନାହିଁ ? ଅଖିଳ-ବ୍ରହ୍ମାଣ୍ଡ ଗୁରୋ, ତୁମେ କଣ ମୋତେ ନରକଦ୍ଵାରରେ ଛାଡ଼ିଦେବାକୁ ଚାହୁଁଛ ? ହେ ତ୍ରିଭୁବନମୋହିନୀ ! ଭଟ୍ଟିଣୀଙ୍କୁ ବଞ୍ଚାଅ ।” ମୋ ପ୍ରାର୍ଥନା ବ୍ୟର୍ଥ ହେଲାନାହିଁ । ଭଟ୍ଟିଣୀଙ୍କର ଆଖି ଖୋଲିଗଲା । ସେ ଅବଶଭାବରେ ଶୂନ୍ୟଦୃଷ୍ଟିରେ ଅନାଇ ରହିଲେ । ମୁଁ ଉତ୍ସାହ ଦେବାପାଇଁ କହିଲି–“ଦେବୀ, ଉଠ, କାତର ହେବା ତୁମର ଶୋଭନୀୟ ନୁହେଁ । ନର-ଲୋକରୁ କିନ୍ନର-ଲୋକପର୍ଯ୍ୟନ୍ତ ବ୍ୟାପ୍ତ ଗୋଟିଏ ହିଁ ରାଗାତ୍ମକ ହୃଦୟର ସନ୍ଧାନ ପାଇବା ବାକି ଅଛି । ନିଜର ସେବକକୁ ଉଚିତ ମାର୍ଗ ଦେଖାଅ । ନିପୁଣିକା ଶୋଚ୍ୟ ନୁହେଁ, ମୁଁଇ ଶୋଚ୍ୟ । ମୋତେ ଆହୁରି ଅନାଥ ହେବାକୁ ଦିଅନାହିଁ । ଉଠ ଦେବୀ, ଆର୍ଯ୍ୟାବର୍ତ୍ତକୁ ରକ୍ଷା କରିବାକୁ ପଡ଼ିବ, ମ୍ଳେଚ୍ଛ-ଦେଶକୁ ରକ୍ଷା କରିବାକୁ ପଡ଼ିବ, ମନୁଷ୍ୟ ଜାତିକୁ ରକ୍ଷା କରିବାକୁ ପଡ଼ିବ । ଦେବପୁତ୍ର-ନନ୍ଦିନୀଙ୍କ ପକ୍ଷରେ ଏଭଳି ଅବଶତା ଉଚିତ ନୁହେଁ ।” ଭଟ୍ଟିଣୀଙ୍କର ଶିରାରେ ଚୈତନ୍ୟ-ଧାରା ପ୍ରବାହିତ ହେଲା । କୋଳରୁ ମୁଣ୍ଡ ଉଠାଇବାକୁ ଚେଷ୍ଟା କରି ସେ କ୍ଷୀଣକଣ୍ଠରେ କହିଲେ–“ତଳୁ ଉପରପର୍ଯ୍ୟନ୍ତ ଏକ ଅଗାତ୍ମକ ହୃଦୟ ବ୍ୟାପ୍ତ ହୋଇରହିଛି । ନିପୁଣିକା ତାହା ସ୍ପଷ୍ଟ କରି ଦେଇଛି । କଣ କହୁଛ ଭଟ୍ଟ, ତୁମେ ମୋର ସହାୟତା କରିବାକୁ କଥା ଦେଉଛ ତ ? ମୁଁ ଅବିଚଳିତ କଣ୍ଠରେ କହିଲି–“ହଁ ଦେବୀ, ସେବକ ପ୍ରତ୍ୟକ ଆଜ୍ଞାପାଇଁ ପ୍ରସ୍ତୁତ ।”

 

ଭଟ୍ଟିଣୀ ଉଠି ବସିଲେ । ଧୀରେ ଧୀରେ ସେ କହିଲେ–ଆର୍ଯ୍ୟାବର୍ତ୍ତର ବିପତ୍ତି ଏଥର କଟିଗଲା ଭଟ୍ଟ ! ଆଚାର୍ଯ୍ୟ ଭର୍ବୁପାଦ କହିଛନ୍ତି ଅଳ୍ପକାଳ ମଧ୍ୟରେ ମହାମାୟାଙ୍କର ଲକ୍ଷ ଶିଷ୍ୟ ପୁରୁଷପୁର କଟରେ ଏକତ୍ରିତ ହୋଇଗଲେଣି । ସେମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଅଶିକ୍ଷିତ ଓ ଅସଂଘଟିତ । ମୋ ପିତା ସେମାନଙ୍କୁ ସଂଘଟିତର କରିବାର କାର୍ଯ୍ୟ ଆରମ୍ଭ କରିଛନ୍ତି । ‘କୁଭା’ର ସେପଟେ ଦସ୍ୟୁଙ୍କର କୌଣସି ସନ୍ଧାନ ମିଳୁନାହିଁ । ସମ୍ଭବତଃ ସେମାନେ ଫେରିଗଲେଣି । କିନ୍ତୁ ମ୍ଳେଚ୍ଛ କୁହାଯାଉଥିବା ଲୋକଙ୍କ ହୃଦୟ ଏପର୍ଯ୍ୟନ୍ତ ପରିବର୍ତ୍ତିତ ହୋଇନାହିଁ । ତୁମେ ମୋ ସହିତ ଯାଇ ତାଙ୍କ ମଧ୍ୟରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହୁଏ । ହାୟ ଭଟ୍ଟ, ନିପୁଣିକା ମୋ କଥା କେବେ ଗ୍ରହଣ କରିପାରିଲା ନାହିଁ । ମୁଁ ତାକୁ ଏ ସତ୍ୟ ଆଡ଼େ କଦାପି ଉନ୍ମୁଖ କରାଇପାରିଲି ନାହିଁ-। ସେ ନିଜ ରାସ୍ତାରେହିଁ ଚାଲିଗଲା ।”

 

ଭଟ୍ଟିଣୀଙ୍କ ସାଥିରେ ଯିବ ବୋଲି ମୁଁ କଥା ଦେଲି । ଉଲ୍ଲସିତ ହୋଇ ଭଟ୍ଟିଣୀ ଓ ମୁଁ ଏକ ସଙ୍ଗେ ମହାବରାହଙ୍କୁ ପ୍ରଣାମ କଲୁ । ଗୋପନ ହାସ୍ୟରେ ମହାବରାହ ଆମର ହାସ୍ୟକୁ ତିରସ୍କାର କରିଥିବେ; କାରଣ ନିପୁଣିକାର ଶ୍ରାଦ୍ଧ ଶେଷ ହବାପରେହିଁ ଆଚାର୍ଯ୍ୟ ଭର୍ବୁପାଦ ମୋତେ ପୁରୁଷପୁର ଯିବାପାଇଁ ଆଜ୍ଞା ଦେଲେ । ସେ ସ୍ପଷ୍ଟଭାବରେ ଆଦେଶ ଦେଲେ ଭଟ୍ଟିଣୀ ସେପର୍ଯ୍ୟନ୍ତ ସ୍ଥାଣ୍ୱୀଶ୍ଵରରେହିଁ ରହିବେ । ଭଟ୍ଟିଣୀ ଯେତେବେଳେ ଶୁଣିଲେ ମୁହଁ ବିବର୍ଣ୍ଣ ହୋଇଗଲା । ନତ ଆଖିକୁ ଆହୁରି ନତ କରି କହିଲେ–“ଶୀଘ୍ର ଫେରିଆସିବ ।”

 

ମୁଁ କାତର କଣ୍ଠର ବାଷ୍ପ-ରୁଦ୍ଧ ବାକ୍ୟକୁ ଯତ୍ନ କରି ଚାପିଦେଲି । କିନ୍ତୁ ଅନ୍ତରାତ୍ମାର ଅତଳ ଗହ୍ଵରରୁ କେହି ଯେପରି ଚିତ୍କାର କରିଉଠିଲା–“ପୁଣି କଣ ମିଳନ ହେବ ?”

Image

 

ଉପସଂହାର

 

“ବାଣ ଭଟ୍ଟର ଆତ୍ମକଥା’ର ଏତିକି ଅଂଶ ମିଳିଥିଲା । ଏକଥା ଯେ ଅପୂର୍ଣ୍ଣ, ଏହା ସ୍ପଷ୍ଟ । ମୋର ବିଚାର ଥିଲା, ଏ କଥାର ଚର୍ଚ୍ଚା କେବଳ ‘ବାଣ ଭଟ୍ଟ’ ଉପଲ୍‍ବଧ ପୁସ୍ତକ ସହିତ ସାଦୃଶ୍ୟ ରଖୁଥିବା ଅଂଶ ସହିତ ତୁଳନା କରିବା ପର୍ଯ୍ୟନ୍ତ ସୀମିତ ନରଖି ତାର ଭିତର ସାହିତ୍ୟକୁ ମଧ୍ୟ ବିଚାରକୁ ଆଣିବାକୁ ।” କାଦମ୍ବରୀ’ର ଶୈଳୀ ସହିତ କଥାର ଶୈଳୀର ବହୁ–ବହିଃ ସାମ୍ୟ ରହିଛି । ଆଖିର ପ୍ରାଧାନ୍ୟ ମଧ୍ୟ ଏଥିରେ ଅନ୍ୟ ଇନ୍ଦ୍ରିୟ ଅପେକ୍ଷା ଅଧିକ ରହିଛି–ରୂପ, ରଙ୍ଗ, ଶୋଭା ଓ ସୌନ୍ଦର୍ଯ୍ୟର ପ୍ରାଚୁର୍ଯ୍ୟଭରା ବର୍ଣ୍ଣନା ଏଥିରେ କରାଯାଇଛି; କିନ୍ତୁ ଏତିକିରେ ସାହିତ୍ୟର ବିଚାର ସମାପ୍ତ ନୁହେଁ । କଥାକୁ ଧ୍ୟାନଦେଇ ପଢ଼ିବା ବ୍ୟକ୍ତି ଅନୁଭବ କରିବେ ଯେ କଥା–ଲେଖକ ଯେତେବେଳେ ଲେଖିବାକୁ ଆରମ୍ଭ କରେ, ସେତେବେଳେ ସମୁଦାୟ ଘଟଣା ସେ ଜାଣି ନଥାଏ । ବିଶେଷ ଭାବେ ଆଜିକାଲିର ଡାଏରୀ ଶୈଳୀରେ ଏ କଥାଟି ଲେଖାଯାଇଛି । ଜଣାପଡୁଛି, ଘଟଣାର ଗତି ଅନୁଯାୟୀହିଁ ଲେଖକ ତାକୁ ଲିପିବଦ୍ଧ କରିଯାଇଛି । ଯେଉଁଠି ତାର ଭାବା–ବେଗର ଗତି ତୀବ୍ର ହୋଇଛି, ସେଠାରେ ସେ ପ୍ରାଚୁର୍ଯ୍ୟ ଦେଇ ଲେଖିଛି; କିନ୍ତୁ ଯେଉଁଠି ଦୁଃଖର ଆବେଗ ବଢ଼ିଉଠିଛି ସେଠାରେ ତାର ଲେଖନୀ ଶିଥିଳ ହୋଇଯାଇଛି । ଅନ୍ତିମ ପରିଚ୍ଛେଦରେ ସେ ଯେପରି ନିଜ ମଧ୍ୟରେହିଁ ନିମଜ୍ଜିତ ହୋଇଯାଇଛି । ବଡ଼ ବିଚିତ୍ର ହେଉଛି ଏ କଥା । ସଂସ୍କୃତ–ସାହିତ୍ୟରେ ଏ ଶୈଳୀ ସଂପୂର୍ଣ୍ଣ ଅପରିଚିତ । ସନ୍ଦେହଜନକ ବୋଲି ମଧ୍ୟ ମୋର ମନେ ହୁଏ । ଆଉ ଗୋଟିଏ କଥା–କାଦମ୍ବରୀରେ ପ୍ରେମର ଅଭିବ୍ୟକ୍ତିରେ ଏକପ୍ରକାର ଦୃଷ୍ଟ ଭାବନା ରହିଛି; କିନ୍ତୁ ଏ କଥାରେ ସର୍ବତ୍ର ପ୍ରେମର ବର୍ଣ୍ଣନା ଗୂଢ଼ ଓ–ଅଦୃପ୍ତଭାବରେ ପ୍ରକଟିତ ହୋଇଛି । ମନେ ହେଉଛି, ସତେ ଯେପରି ଏକ ସ୍ତ୍ରୀ–ଜନୋଚିତ ଲଜ୍ଜା ସର୍ବତ୍ର ସେହି ଅଭିବ୍ୟକ୍ତିରେ ବାଧା ଦେଇଆସୁଛି । ସମୁଦାୟ କଥାରେ ସ୍ତ୍ରୀ–ମହିମାର ବଡ଼ ତର୍କପୂର୍ଣ୍ଣ ଓ ଶକ୍ତିଶାଳୀ ସମର୍ଥନ ରହିଛି । ଯେଉଁ ଢଙ୍ଗରେ କଥା ଆରମ୍ଭ ହୋଇଛି, ଗୂଢ଼ ଓ ଅଦୃପ୍ତ ପ୍ରେମ–ହିଁ ହେଉଛି ତାର ସ୍ଵାଭାବିକ ପରିଣତି । କଥାର ସ୍ଵାଭାବିକ ବିକାଶଦୃଷ୍ଟିରୁ ମୁଁ କୌଣସି ପ୍ରକାର ବିରୋଧ ବା ଦୋଷ ଲକ୍ଷ୍ୟ କରିପାରୁନାହିଁ, କିନ୍ତୁ ବାଣ ଭଟ୍ଟର ଲେଖନୀରୁ ସମ୍ଭବତଃ ଅଧିକ ସ୍ପଷ୍ଟ ଓ ଅଧିକ ଦୃପ୍ତ ଅଭିବ୍ୟକ୍ତି ଆଶା କରାଯିବାର କଥା । ତା ଛଡ଼ା ‘କାଦମ୍ବରୀ’ରେ ପ୍ରେମର ଯେଉଁ ଶାରୀରିକ ବିକାର ଅନୁଭାବ, ହାବ, ଅଳଙ୍କାରର ପ୍ରାଚୁର୍ଯ୍ୟ ରହିଛି, ସେ ସ୍ଥାନରେ ଏ କଥାରେ ମାନସ–ବିକାର–ଲଜ୍ଜା, ଅବହିତ୍‍ଥା, ଜଡ଼ିମାର ଅଧିକ ପ୍ରାଚୁର୍ଯ୍ୟ ରଖାଯାଇଛି । ଏଥିରେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛି । ଉଦାହରଣ ଦେଇ ମୁଁ ଏହାକୁ ବୁଝାଇବାର ସଙ୍କଳ୍ପ କରୁଥିଲି ।

 

ଐତିହାସିକଙ୍କ ଦୃଷ୍ଟିରେ ତୁଅରମିଳିନ୍ଦ ଏକ ସମସ୍ୟା । ‘କାଦମ୍ବରୀ’ର ଆରମ୍ଭରେ ବାଣ ଭଟ୍ଟ ଭର୍ବୁଶର୍ମାଙ୍କର ସ୍ତୁତି କରିଛନ୍ତି । ସେ ଥିଲେ ବାଣ ଭଟ୍ଟଙ୍କର ଗୁରୁ । ଏ ଆଖ୍ୟାନରେ କିନ୍ତୁ ଅବଧୂତ ଅଘୋର ଭୈରବଙ୍କ-ପ୍ରତି ବାଣ ଭଟ୍ଟଙ୍କର ଆସ୍ଥା ଅଧିକ ପ୍ରକଟିତ ହୋଇଛି ଓ ଭର୍ବୁ ଶର୍ମାଙ୍କ ପ୍ରତି କମ୍ ହୋଇଛି । ‘‘ଧାବକ”ର ଶବ୍ଦାର୍ଥ ଦେଖି କେତେକ ୟୁରୋପୀୟ ପଣ୍ଡିତଙ୍କର ଅନୁମାନ ଯେ ସେ କବି ଜାତିର ରଜକ । ଆଖ୍ୟାନରୁ କିନ୍ତୁ ଏକଥା ସମର୍ଥିତ ହେଉନାହିଁ । ଇତିହାସର ଦୃଷ୍ଟିରେ ସାମାନ୍ୟ ଅସଂଗତି ଥାଇପାରେ; କିନ୍ତୁ ଅଧିକାଂଶ ଉପଲବ୍‍ଧ ଐତିହାସିକ ସାମଗ୍ରୀ ସହିତ କଥାର ସାମଗ୍ରୀର କୌଣସି ବିରୋଧତା ନାହିଁ । ବିଶେଷ ଲକ୍ଷ୍ୟ କରିବାର କଥା ହେଉଛି, ଏ କଥାର ଭୌଗୋଳିକ ସ୍ଥାନ ! ସ୍ଥାଣ୍ୱୀଶ୍ୱର ଓ ଚରଣାଦି ଦୁର୍ଗ (ଚୁନାର)ର ନାମମାତ୍ର ଉଲ୍ଲେଖ ରହିଛି; କିନ୍ତୁ ଭଦ୍ରେଶ୍ଵର ଦୂର୍ଗ ଓ ତାର ସମୀପବର୍ତ୍ତୀ ସ୍ଥାନଗୁଡ଼ିକର କିଛି ଅଧିକ ବର୍ଣ୍ଣନା କରାଯାଇଛି । ଏହା ଯଥେଷ୍ଟ ସଂକେତପୂର୍ଣ୍ଣ ।

 

କଥାରୁ ‘‘ରତ୍ନାବଳୀ" । ‘‘ଜିତମୁଡୂପତିନା” ଶ୍ଳୋକର ସମସ୍ୟାପୂର୍ଣ୍ଣ ସମାଧାନ ହୋଇଯାଉଛି । ଅନେକ ଦିନୁ ଏ ଶ୍ଳୋକଟି ପଣ୍ଡିତମାନଙ୍କ ପକ୍ଷରେ ବାଗ୍‍ବିଳାସର ସହାୟ ହୋଇ ରହିଛି । ଏପର୍ଯ୍ୟନ୍ତ ତାର କୌଣସି ଉତ୍ତମ ବ୍ୟାଖ୍ୟାନ ହୋଇପାରିନାହିଁ । ଅନେକ ପ୍ରକାର ଅର୍ଥ କରାଯାଇଛି । କଥା ଯଦି ପ୍ରାମାଣିକ ତା’ହେଲେ ଏ ସମସ୍ୟାର ସୁନ୍ଦର ସମାଧାନ ହୋଇଛି । ମୋର ଇଚ୍ଛା ଥିଲା, ମହତ୍ତ୍ଵପୂର୍ଣ୍ଣ ସୂଚନା ଦେଉଥିବା ଏକଥାର ପରୀକ୍ଷା ସାବଧାନତା ସହିତ କରାଯିବା ଦରକାର । ଏତିକିବେଳେ ଦିଦିଙ୍କର ଏ ପତ୍ର ମିଳିଲା । ଏ ପତ୍ରଦ୍ଵାରା କଥାର ରହସ୍ୟ କେତେଦୂର ଉନ୍ମୁକ୍ତ ହେଉଛି, ତାହା ସହୃଦୟ ବିଚାରକଙ୍କ ପାଇଁ ଛାଡ଼ି ଦେଉଛି । ନିଜର ମତ ସଂକ୍ଷେପରେ କହି ମୁଁ ସମାପ୍ତ କରିବି ।

 

“ପ୍ରିୟ ବ୍ୟୋମ,

 

ଛ’ ବର୍ଷରୁ ଅଷ୍ଟ୍ରିୟାର ଦକ୍ଷିଣଭାଗରେ ନିରାଶ ଓ ହତୋତ୍ସାହ ହୋଇ ଜୀବନ କାଟୁଛି । ତୁ ଯୁଦ୍ଧ ହେବାର ସମାଚାର ପଢ଼ିଥିବୁ; କିନ୍ତୁ ତାର ପ୍ରକୃତ ନିର୍ଘୃଣ କ୍ରୂର ରୂପକୁ ତୁମେମାନେ ଦେଖିନାହଁ । ଦେଖିଥାନ୍ତ ତ ମୋରିପରି ତୁମେମାନେ ମଧ୍ୟ ମନୁଷ୍ୟ-ଜାତିର ଜୟଯାତ୍ରାପ୍ରତି ଶଙ୍କାକୁଳ ହୋଇଉଠିଥାନ୍ତ । ଭଲ ହେଲା, ତୁମେମାନେ ଏ ଘୃଣିତ ନର–ସଂହାର ଦେଖିଲ ନାହିଁ । ଏହା ମନୁଷ୍ୟର ନୁହେଁ, ମନୁଷ୍ୟତା ବଧର ଦୃଶ୍ୟ । ମୁଁ ଛ’ବର୍ଷ ହେଲା ଶ୍ଵାସ ରୋକି ଏ ବୃଦ୍ଧାବସ୍ଥାରେ ଏଭଳି ବିଭତ୍ସ ଦୃଶ୍ୟ ଦେଖିଆସୁଛି । ଲକ୍ଷ ଲକ୍ଷ ଯୁବକ, ଯୁବତୀ, ପିଲା, ବାଳକ ମରିଗଲେ ଓ ଜାଣେନା କାହିଁକି ଦୁର୍ଭାଗ୍ୟ ମୋଭଳି ବୃଦ୍ଧାକୁ ରକ୍ଷାକଲା । ତୁ ‘‘ବାଣ ଭଟ୍ଟର ଆତ୍ମକଥା” ଛାପି ଦେଇ ଭଲ କରିଛୁ । ପୁସ୍ତକରୂପରେ ନ ହେଲେ ମଧ୍ୟ ପତ୍ରିକାରୂପରେ ଛାପା କଥାକୁ ଦେଖିପାରେ, ଏ କଣ କମ୍ କଥା । ମୋର ଦିନ ଗଣି ହୋଇ ଆସିଲାଣି । ଏହା ପୂର୍ବରୁ ‘‘କଥା’ ବିଷୟରେ ମୁଁ ଯେଉଁ ପତ୍ର ଲେଖିଥିଲି, ତାକୁ ପ୍ରକାଶ କରିବୁ ନାହିଁ । ଆଉ ତୁମମାନଙ୍କ ମଧ୍ୟକୁ ଯିବା ମୋ ପକ୍ଷରେ ସମ୍ଭବ ନୁହେଁ । ସତରେ ମୁଁ ସନ୍ନ୍ୟାସ ଗ୍ରହଣ କରୁଛି । ମୁଁ ନିଜର ନିର୍ଜନ-ବାସର ସ୍ଥାନ ବାଛିସାରିଲିଣି । ଏହା ମୋର ଅନ୍ତିମ ପତ୍ର । ‘ଆତ୍ମକଥା’ ବିଷୟରେ ତୁ ଗୋଟିଏ ବଡ଼ ଭୁଲ କରିଛୁ । ତୁ ତାକୁ ନିଜର କଥାରେ ଏପରି ପ୍ରଦର୍ଶିତ କରିଛୁ, ସତେ ଯେପରି ତା ତୋର ‘‘ଅଟୋ-ବାୟୋଗ୍ରାଫୀ !” ଆଚ୍ଛା ଭଲା, ତୁ ସଂସ୍କୃତ ପଢ଼ିଛୁ ବୋଲି ମୋର ଧାରଣା ଥିଲା; କିନ୍ତୁ ଏ କି ଅନର୍ଥ କରିବସିଲୁତୁ ! ବାଣ ଭଟ୍ଟର ଆତ୍ମା ଶୋଣ ନନ୍ଦର ପ୍ରତ୍ୟେକ ବାଲୁକାକଣାରେ ବିଦ୍ୟମାନ । ଛି, କେଡ଼େ ନିର୍ବୋଧ ତୁ ! ସେ ଆତ୍ମାର ସ୍ୱର ଶୁଣାଯାଉନାହିଁ ତୋତେ ? ଦେଖରେ, ତୁ ପୁରୁଷ, ତୁ ଯୁବକ; ଏତେ ପ୍ରମାଦ ତୋ ପକ୍ଷରେ ଶୋଭା ପାଏନା ।

 

“ସେ ଭାଗ୍ୟହୀନ ବିଲେଇଟି ପିଲାଙ୍କର ଗୋଟାଏ ପଲଟଣ ଠିଆ କରିଦେଲାଣି । ଯୁଦ୍ଧରେ ଏତେ ବୋମା ପଡ଼ିଲା; କିନ୍ତୁ ଏ ସୈତାନଙ୍କ ମଧ୍ୟରୁ କେହି ଗୋଟାଏ ବି ମଲା ନାହିଁ । ମୁଁ କେତେ ସମ୍ଭାଳିବି । ଜୀବନରେ ଥରେ ଯାହା ଭୁଲ ହୋଇଯାଏ, ତାହା ହୋଇଯାଏ । ଏ ବିଲେଇକୁ ପୋଷିବା ବି ଭୁଲ ଥିଲା । ତୋ ଉପରେ ମୋର ବରାବର ଗୋଟିଏ ଦୋଷାରୋପ ରହିଲା । ତୁ କଥାକୁ ବୁଝନ୍ତୁ । ଆରେ ସରଳ ! ‘ବାଣ ଭଟ୍ଟ’ କେବଳ ଭାରତରେ ହିଁ ହୁଅନ୍ତି ନାହିଁ । ଏ ନରଲୋକରୁ କିନ୍ନର-ଲୋକ ପର୍ଯ୍ୟନ୍ତ ଏକହିଁ ରାଗାତ୍ମକ ହୃଦୟ ବ୍ୟାପ୍ତ । ତୁ ନିଜର ଦିଦିକୁ କେବେ କଣ ବୁଝିବାକୁ ଚେଷ୍ଟା କଲୁ ? ପ୍ରମାଦ, ଆଳସ୍ୟ ଓ କ୍ଷିପ୍ରକାରିତା–ଏ ତିନି ଦୋଷରୁ ନିଜକୁ ରକ୍ଷାକର । ତୋ ଦିଦି ପ୍ରତିଦିନ ଏ କଥା ବୁଝାଇବାକୁ ଆସିବ ନାହିଁ । ଜୀବନର ଗୋଟିଏ ଭୁଲ–ଗୋଟିଏ ପ୍ରମାଦ–ଗୋଟିଏ ଅସାମଞ୍ଜସ୍ୟ କେତେ ଦିନ ସେ ଦଗ୍‍ଧ କରୁଥାଏ କିଏ ଜାଣେ ? ମୋର ଆର୍ଶୀବାଦ, ତୁ ଏଥିରୁ ନିଜକୁ ରକ୍ଷାକର । ଦିଦିର ସ୍ନେହ–କ୍ୟା ।”

 

ତାହେଲେ ”ଆତ୍ମକଥା”ର ଅର୍ଥକୁ ‘‘ଅଟୋ-ବାୟୋଗ୍ରାଫୀ” ମନେକରି ଦିଦିଙ୍କ ଦୃଷ୍ଟିରେ ମୁଁ ଅନର୍ଥ କରିଦେଇଛି ! ମୋର ପ୍ରମାଦ, ଆଳସ୍ୟ ଓ ଅଜ୍ଞାନତାର ପ୍ରଶ୍ନ ତ ମୋର ନିଜର ଅଧିକାର-। ଏ ପତ୍ରରେ କେବଳ ଏତିକି ନୁହେଁ; କିନ୍ତୁ ସହୃଦୟତା ମଧ୍ୟ ଥିଲା । ମୋର ମନେ ପଡ଼ିଲା, ଦିଦି ସେ ଦିନ ବଡ଼ ଭାବ-ବିହ୍ଵଳ ଥିଲେ । ସେ ଗୋଟିଏ ଶୃଗାଳର କଥାକହିବାକୁ ଚାହୁଁଥିଲେ । ତାଙ୍କର ବିଶ୍ଵାସ ଥିଲା, ସେ ଶୃଗାଳ ବୁଦ୍ଧଦେବଙ୍କର ସମସାମୟିକ । କଣ ତାଙ୍କୁ ବାଣ ଭଟ୍ଟଙ୍କର ସମସାମୟିକ କୌଣସି ଜନ୍ତୁ ମିଳିଯାଇଥିଲା ? ଶୋଣ ନଦର ଅନନ୍ତ ବାଲୁକା-କଣାରୁ କେଉଁ କଣା ଯେ ବାଣ ଭଟ୍ଟଙ୍କ ଆତ୍ମାର ଏ ମର୍ମଭେଦୀ ଆହ୍ଵାନ ଦିଦିଙ୍କୁ ଶୁଣାଇଥିଲା ? ସେ ବୃଦ୍ଧ ହୃଦୟରେ କେତେ ପରିତାପ ସଂଚିତ ହୋଇଛି । ଅସ୍ତ୍ରୀୟ ଦେଶର ଯବନ-କୁମାରୀ ଦେବପୁତ୍ର-ନନ୍ଦିନୀ କଣ ଅଷ୍ଟ୍ରିୟା ଦେଶବାସିନୀ ଦିଦି ହିଁ ଅଟନ୍ତି ! ‘‘ବାଣ ଭଟ୍ଟ କେବଳ ଭାରତରେ ହୁଅନ୍ତି ନାହିଁ-।”

 

–ତାଙ୍କର ଏ କଥାର ଅର୍ଥ କଣ ? ଅଷ୍ଟ୍ରିୟାରେ ଯେଉଁ ନବୀନ ‘‘ବାଣ ଭଟ୍ଟ’ର ଆବିର୍ଭାବ ହୋଇଥିଲା, ସେ କିଏ ? ହାୟ, ଦିଦି କଣ ଆମ୍ଭମାନଙ୍କର ଅଜ୍ଞାତରେ ନିଜର ସେହି କବି–ପ୍ରେମୀର ଚକ୍ଷୁରେ ନିଜକୁ ଦେଖିବାକୁ ପ୍ରଯତ୍ନ କରିଥିଲେ । ଏ କି ରହସ୍ୟ ! ଦିଦିଙ୍କ ଛଡ଼ା ଆଉ କିଏ ଏ ରହସ୍ୟକୁ ବୁଝାଇପାରେ ? ମୋ ମନ ସେହି ‘ବାଣ ଭଟ୍ଟ’ର ସନ୍ଧାନ ପାଇବାକୁ ବ୍ୟାକୁଳ । କାହିଁକି ଯେ ଦିଦିଙ୍କୁ ପ୍ରଥମରୁ ପଚାରିଲି ନାହିଁ ? କିଛି ତ ମୋର ବୁଝିବାର ଦରକାର ଥିଲା; କିନ୍ତୁ ଜୀବନରେ ଯେଉଁ ଭୁଲ ଥରେ ହୋଇଯାଏ, ତା ହୋଇଯାଏ ।

 

ପତ୍ର ପଢ଼ିଲା ପରେ ମୋ ମନରେ ଏହି ପ୍ରତିକ୍ରିୟା ହୋଇଛି । ମୋର ଅନୁମାନ ଯଦି ଠିକ, ତା'ହେଲେ ସାହିତ୍ୟରେ ଏହା ଏକ ଅଭିନବ ପ୍ରୟୋଗ । ମଧ୍ୟଯୁଗର କୌଣସି କୌଣସି କବି କୃଷ୍ଣଙ୍କର ହୃଦୟ ବୁଝିବାପାଇଁ ରାଧାଙ୍କର ଉତ୍କଟ ଅଭିଳାଷ ବର୍ଣ୍ଣନା କରିଥିଲେ । କହନ୍ତି, ଶ୍ରୀକୃଷ୍ଣ ମଧ୍ୟ ରାଧିକାଙ୍କ ଦୃଷ୍ଟିରେ ନିଜକୁ ଦେଖିବାକୁ ଚାହିଁଥିଲେ ସେଇଥିପାଇଁ ନବଦ୍ଵୀପରେ ଚୈତନ୍ୟ ମହାପ୍ରଭୁ ରୂପରେ ପ୍ରକଟିତ ହୋଇଥିଲେ । କାବ୍ୟ ଓ ଧର୍ମ ସାଧନାର ଜଗତରେ ଯେଉଁ କଳ୍ପନା ରହିଛି, ତାକୁ ଦିଦି ନିଜର ଜୀବନରେ ସତ୍ୟ କରି ଦେଖାଇଦେଲେ । ଏ କଥାରେ ମୋର ଏକ ଅପୂର୍ବ ଆନନ୍ଦ ଅନୁଭୂତ ହେଉଛି । କିନ୍ତୁ ସହୃଦୟଙ୍କ ମାର୍ଗରେ ଏ ବ୍ୟାଖ୍ୟାକୁ ମୁଁ ବାଧକ କରିବାକୁ ଚାହେଁନା । ଏଇଥିପାଇଁ ମୁଁ ସାହିତ୍ୟିକ ସମୀକ୍ଷାର ସଂକଳ୍ପରୁ ବିରତ ହେଉଛି । କଥାଟି ସହୃଦୟଙ୍କ ଆଗରେ । ବ୍ୟୋଃ ।

Image